01.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ତୁମର ଏହି ଜୀବନ ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ, କାରଣ ତୁମେ ଏବେ ରଚୟିତା ଏବଂ ରଚନାକୁ ଯଥାର୍ଥ ଭାବରେ ଜାଣି ଆସ୍ତିକ ହୋଇଛ ।”

ପ୍ରଶ୍ନ:-
ସଂଗମଯୁଗୀ ଈଶ୍ୱରୀୟ ପରିବାରର ବିଶେଷତା କ’ଣ, ଯାହାକି ସାରା କଳ୍ପରେ ହୋଇପାରିବ ନାହିଁ?

ଉତ୍ତର:-
ଏହି ସମୟରେ ହିଁ ସ୍ୱୟଂ ଈଶ୍ୱର ବାପା ହୋଇ ତୁମର ସମ୍ପୂର୍ଣ୍ଣ ଦାୟିତ୍ୱ ନେଉଛନ୍ତି, ଶିକ୍ଷକ ହୋଇ ରାଜଯୋଗର ପାଠ ପଢାଉଛନ୍ତି ଏବଂ ସଦ୍‌ଗୁରୁ ହୋଇ ତୁମକୁ ସୁନ୍ଦର ଫୁଲ ଅର୍ଥାତ୍ ପବିତ୍ର କରି ସାଥୀରେ ଘରକୁ ନେଇଯାଉଛନ୍ତି । ସତ୍ୟଯୁଗରେ ଦୈବୀ ପରିବାର ରହିବ କିନ୍ତୁ ଏଭଳି ଈଶ୍ୱରୀୟ ପରିବାର ନ ଥିବ । ତୁମେ ପିଲାମାନେ ଏବେ ବେହଦର ସନ୍ନ୍ୟାସୀ ମଧ୍ୟ ଅଟ ଏବଂ ରାଜଯୋଗୀ ମଧ୍ୟ ଅଟ, କାରଣ ସତ୍ୟଯୁଗୀ ରାଜତ୍ୱ ପ୍ରାପ୍ତ କରିବା ପାଇଁ ତୁମେମାନେ ରାଜଯୋଗର ପାଠ ପଢୁଛ ।

ଓମ୍ ଶାନ୍ତି ।
ଏହା ହେଉଛି ସ୍କୁଲ୍ ବା ପାଠଶାଳା । କାହାର ପାଠଶାଳା? ଆତ୍ମାମାନଙ୍କର ପାଠଶାଳା । ଏକଥା ତ ନିଶ୍ଚିତ ଯେ - ଆତ୍ମା ଶରୀର ବିନା କିଛି ବି ଶୁଣିପାରିବ ନାହିଁ । ଯଦି ଆତ୍ମାମାନଙ୍କର ପାଠଶାଳା ବୋଲି କୁହାଯାଉଛି ତେବେ ବୁଝିଯିବା ଦରକାର - ଆତ୍ମା ଶରୀରକୁ ଛାଡି ତ କିଛି ବି ବୁଝି ପାରିବ ନାହିଁ । ତେଣୁ ଜୀବାତ୍ମା କହିବାକୁ ପଡୁଛି । କିନ୍ତୁ ସବୁ ପାଠଶାଳା ତ ଜୀବାତ୍ମାମାନଙ୍କ ପାଇଁ ଉଦ୍ଧିଷ୍ଟ ତେଣୁ ଏହାକୁ ଆତ୍ମାମାନଙ୍କର ପାଠଶାଳା କୁହାଯାଉଛି ଏବଂ ଏଠାରେ ପରମପିତା ପରମାତ୍ମା ଆସି ଶିକ୍ଷା ଦେଉଛନ୍ତି । ତାହା ହେଉଛି ଶରୀର ନିର୍ବାହର ଶିକ୍ଷା । ଏହା ହେଉଛି ଆତ୍ମ ନିର୍ବାହର ଶିକ୍ଷା ଯାହାକି ବେହଦର ପିତା ଶିଖାଉଛନ୍ତି । ତେଣୁ ଏହା ଈଶ୍ୱର ପିତାଙ୍କର ଯୁନିଭରସିଟି ଅର୍ଥାତ୍ ବିଶ୍ୱ ବିଦ୍ୟାଳୟ ହୋଇଗଲା । ଭଗବାନୁବାଚ ଲେଖା ଅଛି ନା - ଏହା ଭକ୍ତି ମାର୍ଗ ନୁହେଁ ଏହା ହେଉଛି ପାଠପଢା, ସ୍କୁଲରେ ପାଠ ପଢାଯାଇଥାଏ । ଭକ୍ତି ତ ମନ୍ଦିର ମସ୍‌ଜିଦ୍ ଇତ୍ୟାଦି ସ୍ଥାନରେ ହୋଇଥାଏ । ଏଠାରେ କିଏ ପଢାଉଛନ୍ତି? ଭଗବାନୁବାଚ । ଅନ୍ୟ କୌଣସି ପାଠଶାଳାରେ ଭଗବାନୁବାଚ ନଥାଏ । କେବଳ ଏହା ଏକମାତ୍ର ସ୍ଥାନ ଯେଉଁଠାରେ ଭଗବାନଉବାଚ ରହିଛି । ସର୍ବୋଚ୍ଚ ଭଗବାନଙ୍କୁ ହିଁ ଜ୍ଞାନର ସାଗର କୁହାଯାଇଛି । ସିଏ ହିଁ ଏହି ଜ୍ଞାନ ପ୍ରଦାନ କରିପାରିବେ । ବାକି ସବୁ ହେଉଛି ଭକ୍ତି । ଭକ୍ତି ଦ୍ୱାରା ସଦ୍‌ଗତି ହୋଇ ନ ଥାଏ, ଏ କଥା ବାବା ବୁଝାଉଛନ୍ତି । ସମସ୍ତଙ୍କର ସଦ୍‌ଗତିଦାତା ହେଉଛନ୍ତି ଏକମାତ୍ର ପରମାତ୍ମା, ସେ ହିଁ ଆସି ରାଜଯୋଗ ଶିଖାଉଛନ୍ତି । ଆତ୍ମା ଶରୀର ଦ୍ୱାରା ଶୁଣୁଛି । ଅନ୍ୟ କୌଣସି ଧର୍ମ ଶାସ୍ତ୍ର ଇତ୍ୟାଦିରେ ଭଗବାନଉବାଚ ଶବ୍ଦ ନାହିଁ । ଏକମାତ୍ର ଭାରତରେ ହିଁ ଶିବଜୟନ୍ତୀ ପାଳନ କରାଯାଉଛି । ଭଗବାନ ତ ନିରାକାର ଅଟନ୍ତି ତେବେ ଶିବଜୟନ୍ତୀ କିପରି ପାଳନ କରୁଛନ୍ତି । ଜୟନ୍ତୀ ସେତେବେଳେ ପାଳିତ ହୋଇଥାଏ ଯେତେବେଳେ ଶରୀରରେ ପ୍ରବେଶ କରିଥା’ନ୍ତି । ବାବା କହୁଛନ୍ତି ମୁଁ ତ କେବେହେଲେ ଗର୍ଭରେ ପ୍ରବେଶ କରୁନାହିଁ । ତୁମେ ସମସ୍ତେ ଗର୍ଭରେ ପ୍ରବେଶ କରୁଛ । ୮୪ ଜନ୍ମ ନେଉଛ । ଏହି ଲକ୍ଷ୍ମୀ-ନାରାୟଣ ସବୁଠାରୁ ଅଧିକ ଜନ୍ମ ନେଇଥା’ନ୍ତି । ୮୪ ଜନ୍ମ ନେଇ ପୁଣି ଶ୍ୟାମଳ ଗାଉଁଲି ପିଲା ହେଉଛନ୍ତି । ଲକ୍ଷ୍ମୀ-ନାରାୟଣ କୁହ ବା ରାଧା-କୃଷ୍ଣ କୁହ । ରାଧା-କୃଷ୍ଣ ଅର୍ଥାତ୍ ବାଲ୍ୟାବସ୍ଥା । ସିଏ ସ୍ୱର୍ଗରେ ଜନ୍ମ ନେଇଥା’ନ୍ତି ଯାହାକୁ ବୈକୁଣ୍ଠ ମଧ୍ୟ କୁହାଯାଉଛି । ପ୍ରଥମ ନମ୍ବର ଜନ୍ମ କୃଷ୍ଣଙ୍କର ତେଣୁ ୮୪ ଜନ୍ମ ମଧ୍ୟ କୃଷ୍ଣ ହିଁ ନେଉଛନ୍ତି । ଶ୍ୟାମଳରୁ ସୁନ୍ଦର ଓ ସୁନ୍ଦରରୁ ଶ୍ୟାମଳ । କୃଷ୍ଣ ସମସ୍ତଙ୍କର ପ୍ରିୟ ଅଟନ୍ତି । କୃଷ୍ଣ ତ ନୂଆ ଦୁନିଆରେ ହିଁ ଜନ୍ମ ନେଇଥା’ନ୍ତି । ପୁଣି ପୁନର୍ଜନ୍ମ ନେଇ ନେଇ ପୁରୁଣା ଦୁନିଆକୁ ଆସିଲେ ଶ୍ୟାମଳ ହୋଇଯାଉଛନ୍ତି । ସୃଷ୍ଟିରେ ଖେଳ ହିଁ ଏହିଭଳି ତିଆରି ହୋଇଛି । ଭାରତ ପ୍ରଥମେ ସତ୍ତ୍ୱପ୍ରଧାନ ସୁନ୍ଦର ଥିଲା । ଏବେ କଳା ଅର୍ଥାତ୍ ତମଃପ୍ରଧାନ ହୋଇଯାଇଛି । ବାବା କହୁଛନ୍ତି ଏତେ ସବୁ ଆତ୍ମାମାନେ ମୋର ସନ୍ତାନ ଅଟନ୍ତି । ଏବେ ସମସ୍ତେ କାମାଗ୍ନିର ବଶୀଭୂତ ହୋଇ କଳା ଅର୍ଥାତ୍ ପତିତ ହୋଇଯାଇଛନ୍ତି । ମୁଁ ଆସି ସମସ୍ତଙ୍କୁ ଘରକୁ ଫେରାଇ ନେଉଛି । ସୃଷ୍ଟିଚକ୍ର ଏହିଭଳି ଘୁରୁଛି । ଫୁଲର ବଗିଚା ପୁଣି କଣ୍ଟାର ଜଙ୍ଗଲ ହୋଇଯାଉଛି । ବାବା ବୁଝାଉଛନ୍ତି ତୁମେ ପିଲାମାନେ କେତେ ସୁନ୍ଦର ବିଶ୍ୱର ମାଲିକ ଥିଲ, ଏବେ ପୁନର୍ବାର ମାଲିକ ହେଉଛ । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ । ଲକ୍ଷ୍ମୀ-ନାରାୟଣ ୮୪ ଜନ୍ମ ଭୋଗ କରି ପୁନର୍ବାର ଏହିଭଳି ହେଉଛନ୍ତି ଅର୍ଥାତ୍ ତାଙ୍କର ଆତ୍ମା ଏବେ ଈଶ୍ୱରୀୟ ଶିକ୍ଷା ଗ୍ରହଣ କରୁଛି ।

ତୁମେମାନେ ଜାଣୁଛ ସତ୍ୟଯୁଗରେ ଅପାର ସୁଖ ଥାଏ ଯେଉଁଥିପାଇଁ ବାବାଙ୍କୁ ମନେ ପକାଇବାର ଆବଶ୍ୟକତା ନ ଥାଏ । ଗାୟନ ମଧ୍ୟ ରହିଛି - ଦୁଃଖରେ ସମସ୍ତେ ସ୍ମରଣ କରନ୍ତି । କାହାର ସ୍ମରଣ କରନ୍ତି? ବାବାଙ୍କର । ତୁମକୁ ଏତେ ସମସ୍ତଙ୍କ ସ୍ମରଣ କରିବାର ନାହିଁ । ଭକ୍ତିରେ କେତେ ସ୍ମରଣ କରୁଛନ୍ତି । କିନ୍ତୁ କିଛି ବି ଜାଣିନାହାଁନ୍ତି । କୃଷ୍ଣ କେବେ ଆସିଥିଲେ, ସେ କିଏ ଥିଲେ କିଛି ବି ଜାଣି ନାହାଁନ୍ତି । କୃଷ୍ଣ ଏବଂ ନାରାୟଣଙ୍କ ମଧ୍ୟରେ ଥିବା ପ୍ରଭେଦକୁ ମଧ୍ୟ ଜାଣିନାହାଁନ୍ତି । ଶିବବାବା ସର୍ବୋଚ୍ଚ ଅଟନ୍ତି । ପୁଣି ତାଙ୍କ ପରେ ବ୍ରହ୍ମା, ବିଷ୍ଣୁ, ଶଙ୍କର କିନ୍ତୁ ସେମାନଙ୍କୁ ଦେବତା କୁହାଯାଏ । ଲୋକମାନେ ତ ସମସ୍ତଙ୍କୁ ଭଗବାନ ବୋଲି କହିଦେଉଛନ୍ତି, ସର୍ବବ୍ୟାପୀ କହିଦେଉଛନ୍ତି । ବାବା କହୁଛନ୍ତି - ସର୍ବବ୍ୟାପୀ ତ ମାୟା ଅର୍ଥାତ୍ ୫ ବିକାର, ଯାହା ସମସ୍ତଙ୍କ ଭିତରେ ରହିଛି । ସତ୍ୟଯୁଗରେ କୌଣସି ପ୍ରକାର ବିକାର ନଥାଏ । ମୁକ୍ତିଧାମରେ ମଧ୍ୟ ଆତ୍ମାମାନେ ପବିତ୍ର ରହିଥାଆନ୍ତି । ଅପବିତ୍ରତାର କୌଣସି କଥା ନ ଥାଏ । ବର୍ତ୍ତମାନ ରଚୟିତା ବାବା ଏଠାକୁ ଆସି ନିଜର ପରିଚୟ ଦେଉଛନ୍ତି ଏବଂ ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ଯାହାଦ୍ୱାରା ତୁମେ ଆସ୍ତିକ ହେଉଛ । ତେବେ ତୁମେ ସଂଗମଯୁଗରେ ଥରେ ହିଁ ଆସ୍ତିକ ହେଉଛ । ତେଣୁ ତୁମର ଏହି ଜୀବନ ଦେବତାଙ୍କଠାରୁ ମଧ୍ୟ ଉତ୍ତମ । ଗାୟନ ମଧ୍ୟ ରହିଛି ଯେ, ମନୁଷ୍ୟ ଜୀବନ ଦୁର୍ଲଭ ଅଟେ । ଯେତେବେଳେ ପୁରୁଷୋତ୍ତମ ସଂଗମଯୁଗର ସମୟ ଆସେ ସେତେବେଳେ ତୁମମାନଙ୍କର ଜୀବନ ହୀରା ତୁଲ୍ୟ ହୋଇଯାଏ । ଲକ୍ଷ୍ମୀ-ନାରାୟଣଙ୍କୁ ହୀରାତୁଲ୍ୟ କୁହାଯିବ ନାହିଁ । ତୁମର ଜନ୍ମ ହିଁ ହୀରାତୁଲ୍ୟ । ତୁମେମାନେ ଏବେ ଈଶ୍ୱରୀୟ ସନ୍ତାନ ହୋଇଛ ଇଏ କିନ୍ତୁ ହେଉଛନ୍ତି ଦୈବୀ ସନ୍ତାନ । ଏବେ ତୁମେମାନେ ନିଜକୁ ଈଶ୍ୱରୀୟ ସନ୍ତାନ ବୋଲି କହୁଛ । ଈଶ୍ୱର ଆମର ପିତା, ସେ ଆମକୁ ରାଜଯୋଗର ପାଠ ପଢାଉଛନ୍ତି କାରଣ ସିଏ ହେଉଛନ୍ତି ଜ୍ଞାନର ସାଗର ଯିଏକି ରାଜଯୋଗ ଶିଖାଉଛନ୍ତି । ଏହି ଜ୍ଞାନ ଥରେ ମାତ୍ର କେବଳ ସଂଗମଯୁଗରେ ହିଁ ମିଳୁଛି । ଏହା ଉତ୍ତମରୁ ଉତ୍ତମ ହେବାର ଯୁଗ, ଯେଉଁ ଗୁଣ ବିଷୟରେ ଦୁନିଆରେ କେହି ବି ଜାଣି ନାହାଁନ୍ତି । କାରଣ ସମସ୍ତେ କୁମ୍ଭକର୍ଣ୍ଣର ଅଜ୍ଞାନ ନିଦ୍ରାରେ ଶୋଇଛନ୍ତି । ସମସ୍ତଙ୍କର ବିନାଶ ସମ୍ମୁଖରେ ଉପସ୍ଥିତ, ତେଣୁ ପିଲାମାନଙ୍କୁ କାହା ସହିତ ସମ୍ବନ୍ଧ ରଖିବା ଉଚିତ୍ ନୁହେଁ । କୁହାଯାଏ - ଅନ୍ତିମ ସମୟରେ ଯିଏ ସ୍ତ୍ରୀକୁ ସ୍ମରଣ କରନ୍ତି... ଅନ୍ତିମ ସମୟରେ ଶିବବାବାଙ୍କୁ ସ୍ମରଣ କଲେ ନାରାୟଣ ଭଳି ଜନ୍ମ ପାଇବ । ଏହି ସିଢି ଚିତ୍ର ବହୁତ ଭଲ । ଲିଖିତ ଅଛି - ଆମେ ହିଁ ଦେବତା ପୁଣି ଆମେ ହିଁ କ୍ଷତ୍ରୀୟ.... ଆଦି ଆଦି । ବର୍ତ୍ତମାନ ରାବଣ ରାଜ୍ୟର ସମୟ । ଯେଉଁ ସମୟରେ ନିଜର ଆଦି ସନାତନ ଦେବୀ-ଦେବତା ଧର୍ମକୁ ଭୁଲି ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହୋଇଯାଇଛନ୍ତି । ଏବେ ଏହି ସାରା ଦୁନିଆ ହିଁ ଲଙ୍କା ଅଟେ । ବାସ୍ତବରେ କୌଣସି ସୁନାର ଲଙ୍କା ନ ଥିଲା । ବାବା କହୁଛନ୍ତି - ତୁମେମାନେ ନିଜଠାରୁ ମଧ୍ୟ ମୋର ଅଧିକ ଗ୍ଲାନି କରିଛ । ନିଜ ପାଇଁ ତ ୮୪ ଲକ୍ଷ - କହିଲ କିନ୍ତୁ ମୋତେ କୋଣେ ଅନୁକୋଣେ ଅଛି ବୋଲି କହିଦେଲ । ଏଭଳି ଅପକାରୀମାନଙ୍କର ମଧ୍ୟ ମୁଁ ଉପକାର କରୁଛି । ବାବା କହୁଛନ୍ତି ଏଥିରେ ତୁମର କିଛି ଦୋଷ ନାହିଁ, ଏହା ଡ୍ରାମାର ଖେଳ । ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଶେଷ ପର୍ଯ୍ୟନ୍ତ ଏହି ଖେଳ ଚାଲୁଛି । ଯାହାର ପୁଣି ପୁନରାବୃତ୍ତି ମଧ୍ୟ ହୋଇଚାଲିଛି । ଏହିକଥା ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ବୁଝାଇପାରିବେ ନାହିଁ । ତୁମେ ସମସ୍ତେ ବ୍ରହ୍ମାକୁମାର ବ୍ରହ୍ମାକୁମାରୀ ଅଟ । ତୁମେ ବ୍ରାହ୍ମଣମାନେ ଈଶ୍ୱରୀୟ ସନ୍ତାନ ଅଟ । ଈଶ୍ୱରୀୟ ପରିବାରରେ ବସିଛ । ସତ୍ୟଯୁଗରେ ଦୈବୀ ପରିବାରରେ ରହିବ । ଏହି ଈଶ୍ୱରୀୟ ପରିବାରରେ ବାବା ତୁମର ପାଳନା କରୁଛନ୍ତି, ରାଜଯୋଗର ପାଠ ପଢାଉଛନ୍ତି ପୁଣି ଶୁଦ୍ଧ ପବିତ୍ର କରି ସାଥୀରେ ନେଇଯିବେ । ତୁମେ ମଣିଷରୁ ଦେବତା ହେବା ପାଇଁ ଏହି ପାଠ ପଢୁଛ । ଗ୍ରନ୍ଥରେ ମଧ୍ୟ ରହିଛି - ମନୁଷ୍ୟରୁ ଦେବତା କରିବା ପାଇଁ ସମୟ ଲାଗି ନ ଥାଏ । ସେଥିପାଇଁ ପରମାତ୍ମାଙ୍କୁ ଜାଦୁଗର ମଧ୍ୟ କୁହାଯାଏ । ନର୍କକୁ ସ୍ୱର୍ଗ କରିବା ଯାଦୁର ଖେଳ ଅଟେ ନା । ସ୍ୱର୍ଗରୁ ନର୍କ ହେବା ପାଇଁ ୮୪ ଜନ୍ମ ନେବାକୁ ପଡୁଛି କିନ୍ତୁ ନର୍କରୁ ସ୍ୱର୍ଗ ସେକେଣ୍ଡରେ ହୋଇଯାଉଛି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି । ମୁଁ ଆତ୍ମା, ଆତ୍ମାକୁ ଜାଣିଗଲ, ବାବାଙ୍କୁ ମଧ୍ୟ ଜାଣିଗଲ । ଅନ୍ୟ କୌଣସି ମନୁଷ୍ୟ ଆତ୍ମା ବିଷୟରେ କିଛି ବି ଜାଣିନାହାଁନ୍ତି । ଗୁରୁ ତ ଅନେକ ଅଛନ୍ତି । କିନ୍ତୁ ସଦଗୁରୁ କେବଳ ଜଣେ । ସଦ୍‌ଗୁରୁ ଅକାଳ ମଧ୍ୟ କୁହାଯାଇଥାଏ । ପରମପିତା ପରମାତ୍ମା ଜଣେ ହିଁ ସଦଗୁରୁ ଅଟନ୍ତି । କିନ୍ତୁ ଗୁରୁ ତ ଅନେକ । ନିର୍ବିକାରୀ ତ କେହି ବି ନୁହଁନ୍ତି । ସମସ୍ତେ ତ ବିକାରରୁ ଜନ୍ମ ନେଉଛନ୍ତି ।

ଏବେ ରାଜଧାନୀ ସ୍ଥାପନ ହେଉଛି । ତୁମେ ସମସ୍ତେ ଏଠାରେ ରାଜତ୍ୱ ପ୍ରାପ୍ତ କରିବା ପାଇଁ ପାଠ ପଢୁଛ । ତୁମେମାନେ ରାଜଯୋଗୀ, ବେହଦର ସନ୍ନ୍ୟାସୀ ଅଟ । ବାବା ଆସି ସମସ୍ତଙ୍କୁ ସଦ୍‌ଗତି ଦେଇ ସୁଖୀ କରୁଛନ୍ତି । ମୋତେ ହିଁ ସଦ୍‌ଗୁରୁ ଅକାଳମୂରତ କୁହାଯାଉଛି । ସେଠାରେ (ସତ୍ୟଯୁଗ)ରେ ବାରମ୍ବାର ଶରୀର ତ୍ୟାଗ କରି ନ ଥା’ନ୍ତି । କାଳର ବଶୀଭୂତ ହୋଇ ନ ଥା’ନ୍ତି । ତୁମର ଆତ୍ମା ଅବିନାଶୀ, କିନ୍ତୁ ଆତ୍ମା ପତିତରୁ ପବିତ୍ର ହୋଇଥାଏ । ଆତ୍ମା ନିର୍ଲେପ ନୁହେଁ । ଏହି ଡ୍ରାମାର ରହସ୍ୟକୁ ବାବା ହିଁ ବୁଝାଉଛନ୍ତି । ରଚୟିତା ହିଁ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଇବେ ନା । ଜ୍ଞାନର ସାଗର ପିତା ସେ ଜଣେ ହିଁ ଅଟନ୍ତି । ସେ ତୁମକୁ ମନୁଷ୍ୟରୁ ଦେବତା ଦ୍ୱିମୁକୁଟଧାରୀ କରୁଛନ୍ତି । ତୁମର ଜୀବନ କଉଡି ତୁଲ୍ୟ ଥିଲା । ଏବେ ପୁଣି ହୀରାତୁଲ୍ୟ ହେଉଛ । ବାବା ହମ ସୋ, ସୋ ହମ ମନ୍ତ୍ର ସମ୍ବନ୍ଧରେ ମଧ୍ୟ ବୁଝାଉଛନ୍ତି । ସେମାନେ କହୁଛନ୍ତି ହମ ସୋ ସୋ ହମ ଅର୍ଥାତ୍ - ଆତ୍ମା ହିଁ ପରମାତ୍ମା ପରମାତ୍ମା ହିଁ ଆତ୍ମା । ବାବା କହୁଛନ୍ତି ଆତ୍ମା ହିଁ ପରମାତ୍ମା କିପରି ହୋଇପାରିବ । ବାବା ତୁମକୁ ବୁଝାଉଛନ୍ତି - ଆମେ ଆତ୍ମାମାନେ ଏହି ସମୟରେ ବ୍ରାହ୍ମଣ ହୋଇଛୁ ପୁଣି ଆମେ ଆତ୍ମାମାନେ ବ୍ରାହ୍ମଣରୁ ଦେବତା ହେବୁ, ପୁଣି କ୍ଷତ୍ରିୟ, ପୁଣି ଶୁଦ୍ର ଏବଂ ଶୂଦ୍ରରୁ ପୁଣି ବ୍ରାହ୍ମଣ । ସବୁଠାରୁ ଶ୍ରେଷ୍ଠ ଜନ୍ମ ତୁମର ଅଟେ । ଏହା ହେଉଛି ଈଶ୍ୱରୀୟ ଘର । ତୁମେ କାହା ପାଖରେ ବସିଛ? ମାତାପିତାଙ୍କ ପାଖରେ । ତୁମେ ସମସ୍ତେ ଭାଇଭଉଣୀ ଅଟ । ବାବା ଆତ୍ମାମାନଙ୍କୁ ଶିକ୍ଷା ଦେଉଛନ୍ତି । ତୁମେ ସମସ୍ତେ ମୋର ସନ୍ତାନ, ମୋର ସମ୍ପତ୍ତିର ଅଧିକାରୀ ହେଉଛ । ପରମାତ୍ମା ପିତାଙ୍କଠାରୁ ପ୍ରତ୍ୟେକ ସନ୍ତାନ ସମ୍ପତ୍ତି ନେଇପାରିବେ । ଛୋଟ ବଡ, ବୃଦ୍ଧ ପ୍ରତ୍ୟେକଙ୍କୁ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାର ଅଛି । ତେଣୁ ପିଲାମାନଙ୍କୁ ମଧ୍ୟ ଏକଥା ବୁଝାଅ ଯେ, ନିଜକୁ ଆତ୍ମା ମନେ କର ଏବଂ ବାବାଙ୍କୁ ମନେ ପକାଅ, ତେବେ ପାପ ନାଶ ହେବ । ଭକ୍ତିମାର୍ଗର ଆତ୍ମା ଏ କଥାକୁ କିଛି ହେଲେ ବୁଝିବେ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ରାତ୍ରିକ୍ଲାସ:-

ପିଲାମାନେ ବାବାଙ୍କୁ ଯଥାର୍ଥ ରୂପେ ଜାଣୁଛନ୍ତି ଏବଂ ଏକଥା ମଧ୍ୟ ଜାଣୁଛନ୍ତି ଯେ ବାବା ରାଜଯୋଗର ପାଠ ପଢାଉଛନ୍ତି । ତାଙ୍କଠାରୁ ଏବେ ଅବିନାଶୀ ସମ୍ପତ୍ତି ମିଳିବାକୁ ଯାଉଛି । କିନ୍ତୁ ମୁସ୍କିଲ୍‌ର କଥା ଏଇଆ ଯେ ମାୟା ଭୁଲାଇ ଦେଉଛି । କୌଣସି ନା କୌଣସି ବିଘ୍ନ ସୃଷ୍ଟି କରି ଦେଉଛି । ଯେପରିକି ପିଲାମାନେ ଡରିଯାନ୍ତୁ । ସେଥିମଧ୍ୟରୁ ପ୍ରଥମ ନମ୍ବର ହେଉଛି ବିକାରଗ୍ରସ୍ଥ ହେବା । ଆଖି ଧୋକା ଦେଇ ଦେଉଛି । ତେବେ ଏଠାରେ ଆଖି ତାଡି ଦେବାର କଥା କୁହାଯାଉ ନାହିଁ । ବାବା ଜ୍ଞାନର ନେତ୍ର ଦେଉଛନ୍ତି ତେଣୁ ଜ୍ଞାନ ଏବଂ ଅଜ୍ଞାନର ଯୁଦ୍ଧ ଚାଲୁଛି । ଜ୍ଞାନ ଅର୍ଥାତ୍ ବାବା, ଅଜ୍ଞାନ ଅର୍ଥାତ୍ ମାୟା । ଏହି ଯୁଦ୍ଧ ବହୁତ ଭୟଙ୍କର । ଅଧୋଗତି ହେଉଥିବା ସମୟରେ ବୁଝିପାରନ୍ତି ନାହିଁ । ପରେ ବୁଝିପାରନ୍ତି ଯେ, ମୋର ଅଧଃଗତି ହୋଇଯାଇଛି ମୁଁ ନିଜର ବହୁତ ଅକଲ୍ୟାଣ କରିଛି, ମାୟା ଥରେ ହରାଇ ଦେଲେ ପୁନର୍ବାର ନିଜର ଉନ୍ନତି କରିବା ମୁସ୍କିଲ୍ ହୋଇଯାଏ । ଅନେକ ପିଲା କହିଥାଆନ୍ତି ଆମେ ଧ୍ୟାନରେ ଯାଉଛୁ । କିନ୍ତୁ ସେଥିରେ ମଧ୍ୟ ମାୟା ପ୍ରବେଶ କରିଯାଉଛି ଏକଥା କିନ୍ତୁ ଜଣା ପଡି ନ ଥାଏ । ମାୟାର ବଶୀଭୂତ ହୋଇ ଚୋରୀ କରିଥା’ନ୍ତି । ମିଥ୍ୟା କହିଥା’ନ୍ତି । ଯଦି ମାୟାର ବଶବର୍ତ୍ତୀ ହୋଇଗଲେ ତେବେ କ’ଣ ନ କରନ୍ତି । ସେ ସବୁ କଥା ନ କହିଲେ ଭଲ । ମାୟା ବହୁତ ଖରାପ ଅବସ୍ଥାକୁ ନେଇଯାଇଥାଏ । ଶୁଦ୍ଧ ପବିତ୍ର ହେଉ ହେଉ ପୁଣି ଅଶୁଦ୍ଧ ଅପବିତ୍ର ହୋଇଯାଉଛନ୍ତି । ମାୟା ଏଭଳି ଶକ୍ତିଶାଳୀ ଯେ ଘଡି ଘଡି ନିମ୍ନଗାମୀ କରାଇ ଦେଇଥାଏ ।

ପିଲାମାନେ କହୁଛନ୍ତି - ବାବା ଆମେ ଘଡି ଘଡି ଭୁଲିଯାଉଛୁ । ଏକମାତ୍ର ବାବା ହିଁ ଆସି ପୁରୁଷାର୍ଥ କରାଉଛନ୍ତି କିନ୍ତୁ ଯଦି କାହାର ଭାଗ୍ୟରେ ନ ଥିବ ତେବେ ପୁରୁଷାର୍ଥ ମଧ୍ୟ କରିପାରିବେ ନାହିଁ । ଏଠାରେ କାହାର ବିଶେଷ ଧ୍ୟାନ ଦେଇପାରିବେ ନାହିଁ । ନା ବାବା କାହାକୁ ସମସ୍ତଙ୍କଠାରୁ ଅଧିକ ପାଠ ପଢାଉଛନ୍ତି । ଦୁନିଆର ପାଠପଢାରେ ତ ଏକ୍ସଟ୍ରା ପାଠ ପଢାଇବା ପାଇଁ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥା’ନ୍ତି । ବାବା ତ ଭାଗ୍ୟ ଗଢିବା ପାଇଁ ସମସ୍ତଙ୍କୁ ଏକାଭଳି ପଢାଉଛନ୍ତି । ଜଣ ଜଣଙ୍କୁ ଅଲଗା ଅଲଗା ପଢାଇବା କେତେ ଦୂର ସମ୍ଭବ ହେବ? କେତେ ଅଧିକ ସଂଖ୍ୟାରେ ପିଲାମାନେ ଅଛନ୍ତି । ଦୁନିଆର ପାଠପଢାରେ ଯଦି କେହି ବଡ ଲୋକର ପିଲା ହୋଇଥିବେ, ଅଧିକ ଖର୍ଚ୍ଚ କରିବାର ସାମର୍ଥ୍ୟ ଥିବ ତେବେ ତାଙ୍କୁ ଅଧିକ ପାଠ ପଢାଇଥା’ନ୍ତି । ଶିକ୍ଷକ ମଧ୍ୟ ଜାଣିଥାନ୍ତି ଯେ, ଇଏ ଶିକ୍ଷାରେ ଦୁର୍ବଳ ତେଣୁ ତାଙ୍କୁ ଶିକ୍ଷା ଦେଇ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ପାଇଁ ଯୋଗ୍ୟ କରିଥା’ନ୍ତି । କିନ୍ତୁ ବାବା ଏଭଳି କରୁନାହାଁନ୍ତି । ବାବା ସମସ୍ତଙ୍କୁ ଏକାଭଳି ପାଠ ପଢାଉଛନ୍ତି । ତାହା ହେଉଛି ଶିକ୍ଷକଙ୍କର ଅଧିକ ପୁରୁଷାର୍ଥ କରାଇବା । ଏଠାରେ ବାବା କାହାକୁ ଅଲଗା ଅଧିକ କିଛି ପୁରୁଷାର୍ଥ କରାଉ ନାହାଁନ୍ତି । ଅଧିକ ପୁରୁଷାର୍ଥ ଅର୍ଥାତ୍ ଶିକ୍ଷକ କିଛି ନା କିଛି କୃପା କରୁଛନ୍ତି । ହଁ ଏଥିପାଇଁ ପଇସା ନେଇଥା’ନ୍ତି । ବିଶେଷ ସମୟ ଦେଇ ପାଠ ପଢାଇଥା’ନ୍ତି ଯାହାଦ୍ୱାରା ସେ ଅଧିକ ପାଠପଢି ବୁଦ୍ଧିମାନ ହୋଇଯା’ନ୍ତି, ଏଠାରେ ତ ଅଧିକ କିଛି ପଢିବାର କଥା ହିଁ ନାହିଁ । ୟାଙ୍କର ତ ଗୋଟିଏ କଥା । ଗୋଟିଏ ହିଁ ମହାମନ୍ତ୍ର ଦେଇଥା’ନ୍ତି - ମନମନଭାବ । ବାବାଙ୍କୁ ମନେ ପକାଇବା ଦ୍ୱାରା କ’ଣ ହୋଇଥାଏ, ଏହା ତ ତୁମେ ପିଲାମାନେ ବୁଝୁଛ । ବାବା ତ ପତିତ-ପାବନ ଅଟନ୍ତି । ଜାଣୁଛ ତାଙ୍କୁ ମନେ ପକାଇବା ଦ୍ୱାରା ଆମେ ପବିତ୍ର ହୋଇଯିବୁ । ଆଚ୍ଛା - ଶୁଭରାତ୍ରୀ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସାରା ଦୁନିଆ ଏବେ ଶ୍ମଶାନ ହେବାକୁ ଯାଉଛି, ବିନାଶ ସମ୍ମୁଖରେ ଉପସ୍ଥିତ । ସେଥିପାଇଁ ବାବାଙ୍କ ବ୍ୟତୀତ ଅନ୍ୟ କାହା ସହିତ ସମ୍ବନ୍ଧ ରଖିବାର ନାହିଁ । ଶେଷ ସମୟରେ ଯେପରି ଏକମାତ୍ର ବାବା ହିଁ ମନେ ରହିବେ ।

(୨) ଶ୍ୟାମରୁ ସୁନ୍ଦର, ପତିତରୁ-ପବିତ୍ର ହେବାର ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏହି ସମୟ ହିଁ ହେଉଛି ଉତ୍ତମ ପୁରୁଷ ହେବାର ସମୟ । ସଦାସର୍ବଦା ଏହି ସ୍ମୃତିରେ ରହି ନିଜକୁ କଉଡିରୁ ହୀରା ସଦୃଶ କରିବାକୁ ହେବ ।

ବରଦାନ:-
ଜ୍ଞାନ ଧନ ଆଧାରରେ ପ୍ରକୃତିର ସମସ୍ତ ସାଧନଗୁଡିକୁ ପ୍ରାପ୍ତ କରୁଥିବା ପଦମାପଦମପତି ଭବ ।

ଜ୍ଞାନ ଧନ ସ୍ଥୂଳ ଧନର ପ୍ରାପ୍ତି ସ୍ୱତଃ ହିଁ କରାଇଥାଏ । ଯେଉଁଠାରେ ଜ୍ଞାନର ଧନ ରହିଛି ସେଠାରେ ପ୍ରକୃତି ଆପେ ଆପେ ଦାସୀ ହୋଇଯାଏ । ଜ୍ଞାନ ଧନ ଦ୍ୱାରା ପ୍ରକୃତିର ସମସ୍ତ ସାଧନ ସ୍ୱତଃ ହିଁ ପ୍ରାପ୍ତ ହୋଇଯାଏ ସେଥିପାଇଁ ଜ୍ଞାନ ଧନ ସବୁ ପ୍ରକାରର ଧନର ରାଜା ଅଟେ । ଯେଉଁଠାରେ ରାଜା ଅଛନ୍ତି ସେଠାରେ ସବୁ ପ୍ରକାରର ପଦାର୍ଥ ସ୍ୱତଃ ହିଁ ପ୍ରାପ୍ତ ହୋଇଥାଏ । ଏହି ଜ୍ଞାନ ଧନ ହିଁ ପଦ୍ମାପଦ୍ମପତି କରିବାବାଲା ଅଟେ । ପରମାର୍ଥ ଅର୍ଥାତ୍ ଈଶ୍ୱରୀୟ ସେବାରେ ଏବଂ ବ୍ୟବହାର ଅର୍ଥାତ୍ ଲୌକିକ କାର୍ଯ୍ୟ ବ୍ୟବହାରରେ ମଧ୍ୟ ସ୍ୱତଃ ହିଁ ସଫଳତା ପ୍ରାପ୍ତ ହୋଇଥାଏ । ତେବେ ଜ୍ଞାନ ଧନରେ ଏତେ ଶକ୍ତି ଅଛି ଯାହାକି ଅନେକ ଜନ୍ମ ପର୍ଯ୍ୟନ୍ତ ରାଜାମାନଙ୍କର ରାଜା କରିଦିଏ ।

ସ୍ଲୋଗାନ:-
“ମୁଁ କଳ୍ପ କଳ୍ପର ବିଜୟୀ ଅଟେ” - ଯଦି ଏହିଭଳି ଆତ୍ମିକ ନିଶା ଜାଗ୍ରତ ହୋଇଯିବ ତେବେ ସହଜରେ ମାୟାଜିତ୍ ହୋଇଯିବ ।