01.05.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ସିଦ୍ଧ କରି ବତାଅ ଯେ ବେହଦର ପିତା, ଆମର ପିତା ମଧ୍ୟ ଅଟନ୍ତି, ଶିକ୍ଷକ ମଧ୍ୟ ଅଟନ୍ତି ଏବଂ ସତ୍‌ଗୁରୁ ମଧ୍ୟ ଅଟନ୍ତି, ତେଣୁ ସେ ସର୍ବବ୍ୟାପୀ ହୋଇପାରିବେ ନାହିଁ ।”

ପ୍ରଶ୍ନ:-
ବର୍ତ୍ତମାନ ସମୟରେ ଦୁନିଆରେ ଅତି ଦୁଃଖ କାହିଁକି ହେଉଛି, ଏହାର କାରଣ କ’ଣ?

ଉତ୍ତର:-
ସାରା ଦୁନିଆ ଉପରେ ବର୍ତ୍ତମାନ ରାହୁର ଦଶା ପଡିଛି, ଯେଉଁ କାରଣରୁ ହିଁ ଦୁଃଖ ମିଳୁଛି । ବୃକ୍ଷପତି ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ସମସ୍ତଙ୍କ ଉପରେ ବୃହସ୍ପତିର ଦଶା ପଡୁଛି । ସତ୍ୟ-ତ୍ରେତା ଯୁଗରେ ବୃହସ୍ପତିର ଦଶା ଥାଏ, ରାବଣର ଚିହ୍ନ-ବର୍ଣ୍ଣ ନ ଥାଏ ସେଥିପାଇଁ ସେଠାରେ ଦୁଃଖ ମଧ୍ୟ ନ ଥାଏ । ବାବା ଆସିଛନ୍ତି ସୁଖଧାମର ସ୍ଥାପନା କରିବା ପାଇଁ, ତେଣୁ ସେଠାରେ କୌଣସି ଦୁଃଖ ରହିବ ନାହିଁ ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନଙ୍କୁ ଆତ୍ମିକ ବାବା ବସି ବୁଝାଉଛନ୍ତି କାହିଁକିନା ସବୁ ପିଲାମାନେ ଏକଥା ଜାଣିଛନ୍ତି - ଆମେ ଆତ୍ମା, ନିଜ ଘରୁ, ବହୁତ ଦୂରରୁ ଏଠାକୁ ଆସୁଛୁ । ଆସି ଏହି ଶରୀରରେ ପ୍ରବେଶ କରୁଛୁ, ଅଭିନୟ କରିବା ପାଇଁ । ଆତ୍ମା ହିଁ ଅଭିନୟ କରିଥାଏ । ଏଠାରେ ପିଲାମାନେ ନିଜକୁ ଆତ୍ମା ଭାବି ଶିବବାବାଙ୍କର ସ୍ମୃତିରେ ବସିଛନ୍ତି, କାହିଁକିନା ବାବା ବୁଝାଇଛନ୍ତି ଯୋଗ ବଳ ଦ୍ୱାରା ହିଁ ତୁମର ଜନ୍ମ ଜନ୍ମାନ୍ତରର ପାପ ଭସ୍ମ ହେବ । ଏହାକୁ ଯୋଗ ବୋଲି ମଧ୍ୟ କହିବା ଉଚିତ୍ ନୁହେଁ । ସନ୍ନ୍ୟାସୀମାନେ ହିଁ ଯୋଗ ଶିଖାଇଥା’ନ୍ତି । ଛାତ୍ରଙ୍କର ଶିକ୍ଷକ ସହିତ ଏବଂ ପିଲାଙ୍କର ବାପ ସହିତ ଯୋଗ ରହିଥାଏ । ଏହା ହେଲା ଆତ୍ମାମାନଙ୍କର ପରମାତ୍ମା ଅର୍ଥାତ୍ ପିଲାଙ୍କର ବାପାଙ୍କ ସହିତ ମେଳା, ଏହା ଏକ କଲ୍ୟାଣକାରୀ ମିଳନ । ବାକି ତ ସବୁ ଅକଲ୍ୟାଣକାରୀ, କାହିଁକିନା ଏହା ପତିତ ଦୁନିଆ ନା । ତୁମେ ଯେତେବେଳେ ପ୍ରଦର୍ଶନୀ ବା ମ୍ୟୁଜିୟମରେ ବୁଝାଉଛ ସେତେବେଳେ ଆତ୍ମା ଏବଂ ପରମାତ୍ମାଙ୍କର ପରିଚୟ ଦେବା ଠିକ୍ ହେବ । ଆତ୍ମାମାନେ ସବୁ ସନ୍ତାନ ଅଟନ୍ତି ଏବଂ ଇଏ ପରମପିତା ପରମ ଆତ୍ମା ଯିଏକି ପରମଧାମରେ ରହିଥା’ନ୍ତି । କୌଣସି ବି ସନ୍ତାନ ନିଜର ଲୌକିକ ପିତାଙ୍କୁ ପରମପିତା ବୋଲି କହିପାରିବ ନାହିଁ । ହେ ପରମପିତା ପରମାତ୍ମା କହି ଦୁଃଖରେ ହିଁ ମନେପକାଇଥା’ନ୍ତି । ପରମ ଆତ୍ମା ପରମଧାମରେ ହିଁ ରହିଥା’ନ୍ତି । ତେବେ ତୁମେ ଯେତେବେଳେ ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ ବୁଝାଉଛ ସେତେବେଳେ କେବଳ ଏହି କଥା ବୁଝାଅ ନାହିଁ କି, ଆମର ଦୁଇଜଣ ପିତା ଅଛନ୍ତି । ସିଏ ପିତା ଏବଂ ଶିକ୍ଷକ ମଧ୍ୟ ଅଟନ୍ତି - ଏ କଥା ମଧ୍ୟ ନିଶ୍ଚିତ ଭାବରେ ବୁଝାଇବାକୁ ହେବ । ଆମେ ସମସ୍ତେ ଭାଇ ଭାଇ ଅଟୁ ଏବଂ ପରମାତ୍ମା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି । ଭକ୍ତିମାର୍ଗରେ ସମସ୍ତେ ଈଶ୍ୱର ପିତାଙ୍କୁ ମନେପକାଇଥା’ନ୍ତି, କାହିଁକିନା ଭଗବାନଙ୍କଠାରୁ ଭକ୍ତିର ଫଳ ମିଳିଥାଏ ଅଥବା ପିତାଙ୍କଠାରୁ ପିଲାମାନେ ସମ୍ପତ୍ତି ନେଇଥା’ନ୍ତି । ଭଗବାନ ପିଲାମାନଙ୍କୁ ଭକ୍ତିର ଫଳ ଦେଇଥା’ନ୍ତି । କ’ଣ ଦିଅନ୍ତି? ବିଶ୍ୱର ମାଲିକ କରୁଛନ୍ତି । ପରନ୍ତୁ ତୁମକୁ ସେ କେବଳ ପିତା ଅଟନ୍ତି ବୋଲି ପ୍ରମାଣିତ କରିବାର ନାହିଁ, ସିଏ ପିତା ସହିତ ଶିକ୍ଷା ଦେଲାବାଲା ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ଏହିଭଳି ବୁଝାଅ ତେବେ ସର୍ବବ୍ୟାପୀର ବିଚାର ସମାପ୍ତ ହୋଇଯିବ, ତେଣୁ ବୁଝାଇବା ସମୟରେ ଏହି ସବୁ କଥାକୁ ଯୋଡି କରି କୁହ । ଏହି ବାବା ଜ୍ଞାନର ସାଗର ଯିଏକି ଆସି ରାଜଯୋଗର ଶିକ୍ଷା ଦେଉଛନ୍ତି । ସେମାନଙ୍କୁ କୁହ, ସିଏ ଶିକ୍ଷାଦାତା ଶିକ୍ଷକ ଅଟନ୍ତି, ତେବେ ସର୍ବବ୍ୟାପୀ କିପରି ହୋଇପାରିବେ? ଶିକ୍ଷକ ଏବଂ ବିଦ୍ୟାର୍ଥୀ ନିଶ୍ଚିତ ଭାବରେ ଅଲଗା ଅଲଗା ଅଟନ୍ତି । ଯେପରି ପିତା ଏବଂ ପୁତ୍ର ଅଲଗା । ଆତ୍ମାମାନେ ପିତା ପରମାତ୍ମାଙ୍କୁ ମନେପକାଇଛନ୍ତି ଏବଂ ତାଙ୍କର ମହିମା ମଧ୍ୟ କରୁଛନ୍ତି । ବାବା ହିଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ବାବା ଆସି ଆମକୁ ମନୁଷ୍ୟ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ବାବା ବର୍ତ୍ତମାନ ସ୍ୱର୍ଗର ସ୍ଥାପନା କରୁଛନ୍ତି, ଆମେ ସମସ୍ତେ ସ୍ୱର୍ଗବାସୀ ହେଉଛୁ, ତା’ ସହିତ ଏକଥା ମଧ୍ୟ ବୁଝାଉଛନ୍ତି ଯେ, ଆମର ଦୁଇ ଜଣ ପିତା ଅଛନ୍ତି । ଲୌକିକ ପିତା ପାଳନା କରିଥା’ନ୍ତି ପୁଣି ଶିକ୍ଷକଙ୍କ ପାଖକୁ ପାଠ ପଢ଼ିବା ପାଇଁ ଯିବାକୁ ପଡିଥାଏ । ପୁଣି ୬୦ ବର୍ଷ ପରେ ବାନପ୍ରସ୍ଥ ଅବସ୍ଥାରେ ଗୁରୁ କରିବାକୁ ପଡିଥାଏ । ତେଣୁ ସେଠାରେ ପିତା, ଶିକ୍ଷକ, ଗୁରୁ ଅଲଗା ଅଲଗା ହୋଇଥା’ନ୍ତି । ଏହି ବେହଦର ପିତା ତ’ ସବୁ ଆତ୍ମାମାନଙ୍କର ପିତା ଜ୍ଞାନର ସାଗର ଅଟନ୍ତି । ମନୁଷ୍ୟ ସୃଷ୍ଟିର ବୀଜରୂପ ସତ୍‌-ଚିତ୍‌-ଆନନ୍ଦ ସ୍ୱରୂପ ଅଟନ୍ତି । ବାବା ସୁଖ ଏବଂ ଶାନ୍ତିର ସାଗର ଅଟନ୍ତି । ଶିବବାବାଙ୍କର ହିଁ ମହିମା କର, କାହିଁକି ନା ଦୁନିଆରେ ମତଭେଦ ବହୁତ ଅଛି ନା । ଯଦି ସିଏ ସର୍ବବ୍ୟାପୀ ତେବେ ଶିକ୍ଷକ ହୋଇ ପାଠ ପଢ଼ାଇବେ କିପରି? ପୁଣି ବାବା ସତଗୁରୁ ମଧ୍ୟ ଅଟନ୍ତି, ସମସ୍ତଙ୍କର ଗାଇଡ୍ ହୋଇ ନେଇଯାଉଛନ୍ତି । ବାବା ଆମକୁ ଶିକ୍ଷା ଦେଉଛନ୍ତି ଅର୍ଥାତ୍ ଯୋଗ କରିବା ଶିଖାଉଛନ୍ତି । ଭାରତର ପ୍ରାଚୀନ ରାଜଯୋଗର ଗାୟନ ମଧ୍ୟ ରହିଛି । ପୁରୁଣାରୁ ପୁରୁଣା ହେଲା ସଙ୍ଗମଯୁଗ । ନୂଆ ଏବଂ ପୁରୁଣା ଦୁନିଆର ମଧ୍ୟବର୍ତ୍ତୀ ସମୟ । ତୁମେମାନେ ଜାଣିଛ, ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ବାବା ଆସି ଆମକୁ ନିଜର କରି ଆମର ଶିକ୍ଷକ, ସତଗୁରୁ ମଧ୍ୟ ହୋଇଥିଲେ । ସିଏ କେବଳ ଆମର ବାବା ନୁହଁନ୍ତି, ସିଏ ତ’ ଜ୍ଞାନର ସାଗର ଅର୍ଥାତ୍ ଶିକ୍ଷକ ହୋଇ ଆମକୁ ଶିକ୍ଷା ମଧ୍ୟ ଦେଉଛନ୍ତି । ବାବା ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି, କାହିଁକିନା ସିଏ ବୀଜରୂପ, ବୃକ୍ଷପତି ଅଟନ୍ତି । ସିଏ ଯେତେବେଳେ ଭାରତକୁ ଆସୁଛନ୍ତି ସେତେବେଳେ ଭାରତ ଉପରେ ବୃହସ୍ପତିର ଦଶା ପଡୁଛି । ସତ୍ୟଯୁଗରେ ସମସ୍ତେ ସର୍ବଦା ସୁଖୀ ଦେବୀ-ଦେବତା ହୋଇଥା’ନ୍ତି, ସମସ୍ତଙ୍କ ଉପରେ ବୃହସ୍ପତିର ଦଶା ପଡିଥାଏ । ପୁଣି ଦୁନିଆ ଯେତେବେଳେ ତମଃପ୍ରଧାନ ହୋଇଯାଏ ସେତେବେଳେ ସମସ୍ତଙ୍କ ଉପରେ ରାହୁର ଦଶା ପଡିଥାଏ । ବୃକ୍ଷପତିଙ୍କୁ କେହି ମଧ୍ୟ ଜାଣିନାହାଁନ୍ତି । ଯଦି ନ ଜାଣିବେ ତେବେ ସମ୍ପତ୍ତି କିପରି ମିଳିବ ।

ତୁମେମାନେ ଯେତେବେଳେ ଏଠାରେ ବସୁଛ ସେତେବେଳେ ଅଶରୀରୀ ହୋଇ ବସ । ଆମକୁ ତ’ ଏହି ଜ୍ଞାନ ମିଳିଛି ଯେ, ଆତ୍ମା ଏବଂ ଘର ଅଲଗା ଅଲଗା । ୫ ତତ୍ତ୍ୱରେ ଶରୀର ତିଆରି ହୋଇଗଲେ, ଏଥିରେ ଆତ୍ମା ପ୍ରବେଶ କରିଥାଏ । ଏଠାରେ ସମସ୍ତଙ୍କର ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି । ପ୍ରଥମେ ପ୍ରଥମେ ଏହି ମୁଖ୍ୟ କଥା ବୁଝାଇବାକୁ ହେବ ଯେ, ଶିବବାବା ପରମ ପିତା, ପରମ ଶିକ୍ଷକ ଅଟନ୍ତି, ତେବେ ଲୌକିକ ପିତା, ଶିକ୍ଷକ, ଗୁରୁଙ୍କ ମଧ୍ୟରେ ଥିବା ପ୍ରଭେଦ ବୁଝାଇବା ଦ୍ୱାରା ତୁରନ୍ତ ବୁଝିଯିବେ, ତର୍କ କରିବେ ନାହିଁ । ଆତ୍ମାର ପିତାଙ୍କ ପାଖରେ ହିଁ ସମସ୍ତ ଜ୍ଞାନ ରହିଛି, ତାଙ୍କ ପାଖରେ ଏହି କୁଶଳତା ରହିଛି । ଶିବବାବା ହିଁ ଆମକୁ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ଆଗରୁ ଋଷି-ମୁନି ଆଦି କହୁଥିଲେ ଆମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିନାହୁଁ । କାହିଁକିନା ସେହି ସମୟରେ ସେମାନେ ସତ୍ତ୍ୱ ଥିଲେ । ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜଃ, ତମଃରେ ଆସିଥାଏ । ସବୁକିଛି ନୂଆରୁ ପୁରୁଣା ନିଶ୍ଚିତ ଭାବରେ ହୋଇଥାଏ । ତୁମେମାନେ ଏହି ସୃଷ୍ଟିଚକ୍ରର ଆୟୁଷକୁ ମଧ୍ୟ ଜାଣିଛ । ଏହାର ଆୟୁଷ କେତେ ଏହା ମନୁଷ୍ୟମାନେ ଭୁଲିଯାଇଛନ୍ତି । ବାକି ଏହି ଶାସ୍ତ୍ର ଆଦି ସବୁ ଭକ୍ତିମାର୍ଗ ପାଇଁ ରଚନା କରିଛନ୍ତି । ବହୁତ କାହାଣୀ ଲେଖି ଦେଇଛନ୍ତି । ସମସ୍ତଙ୍କର ପିତା ଏବଂ ସଦ୍‌ଗତିଦାତା ଜଣେ କିନ୍ତୁ ଗୁରୁ ଅନେକ ଅଛନ୍ତି । ସଦ୍‌ଗତିଦାତା ସତ୍‌ଗୁରୁ କେବଳ ଜଣେ ହିଁ ହୋଇଥା’ନ୍ତି । ସଦ୍‌ଗତି କିପରି ହୋଇଥାଏ - ଏ କଥା ମଧ୍ୟ ତୁମମାନଙ୍କର ବୁଦ୍ଧିରେ ଅଛି । ତେବେ ଆଦି ସନାତନ ଦେବୀ-ଦେବତା ଧର୍ମକୁ ହିଁ ସଦ୍‌ଗତି କୁହାଯାଇଥାଏ, ସେଠାରେ କମ୍ ମନୁଷ୍ୟ ରହିବେ, ଏବେ ତ’ କେତେ ଢ଼େର ମନୁଷ୍ୟ ଅଛନ୍ତି । ସେଠାରେ କେବଳ ଦେବତାମାନଙ୍କର ରାଜ୍ୟ ହେବ ପୁଣି ବଂଶାବଳୀ ବୃଦ୍ଧି ହୋଇଚାଲିବ । ଲକ୍ଷ୍ମୀ-ନାରାୟଣ ପ୍ରଥମ, ଦ୍ୱିତୀୟ, ତୃତୀୟ ଏହିଭଳି ଚାଲିବ । ପ୍ରଥମ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଚାଲିବା ସମୟରେ ବହୁତ କମ୍ ମନୁଷ୍ୟ ରହିବେ, ଏହି ଖିଆଲ ମଧ୍ୟ କେବଳ ତୁମର ହିଁ ଚାଲୁଛି । ଏ କଥା ତୁମେମାନେ ଜାଣିଛ ଭଗବାନ ତୁମ ଆତ୍ମାମାନଙ୍କର ଏକମାତ୍ର ପିତା ଅଟନ୍ତି, ସିଏ ଅବିନାଶୀ ଅଟନ୍ତି । ବିନାଶୀ ପିତାଙ୍କଠାରୁ ବିନାଶୀ ସମ୍ପତ୍ତି ମିଳିଥାଏ, ଅବିନାଶୀ ବାବାଙ୍କଠାରୁ ଅବିନାଶୀ ସମ୍ପତ୍ତି ୨୧ ପିଢ଼ି ସ୍ୱର୍ଗର ରାଜତ୍ୱ ମିଳିଥାଏ । ୨୧ ପିଢ଼ି ଅର୍ଥାତ୍ ବୁଢ଼ା ହେଲା ପରେ ଶରୀର ଛାଡିଥା’ନ୍ତି । ସେଠାରେ ନିଜକୁ ଆତ୍ମା ଭାବିବେ, ଏଠାରେ ଦେହ-ଅଭିମାନୀ କାରଣରୁ ଜାଣିନାହାଁନ୍ତି ଯେ ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । ତେବେ ବର୍ତ୍ତମାନ ଦେହ-ଅଭିମାନୀ ଆତ୍ମାମାନଙ୍କୁ ଆତ୍ମ-ଅଭିମାନୀ କିଏ କରିବ? ବର୍ତ୍ତମାନ ସମୟରେ ଜଣେ ମଧ୍ୟ ଆତ୍ମ ଅଭିମାନୀ ନାହାନ୍ତି । ବାବା ହିଁ ଆସି ଆତ୍ମ-ଅଭିମାନୀ କରୁଛନ୍ତି । ସତ୍ୟଯୁଗରେ ଏକଥା ଜାଣିଥିବେ ଯେ, ଆତ୍ମା ଏହି ପୁରୁଣା ଶରୀରକୁ ଛାଡି ଯାଇ ଛୋଟ ପିଲା ହୋଇ ଜନ୍ମ ହେବ । ସର୍ପର ଉଦାହରଣ ମଧ୍ୟ ରହିଛି, ଏହି ସର୍ପ, ଭ୍ରମରୀ ଆଦିର ଉଦାହରଣ ସବୁ ଏଠାକାର ଏବଂ ବର୍ତ୍ତମାନ ସମୟର ଅଟେ । ଯାହା ପୁଣି ଭକ୍ତିମାର୍ଗରେ ମଧ୍ୟ କାମରେ ଆସିଥାଏ । ବାସ୍ତବରେ ବ୍ରାହ୍ମଣୀ ତ ତୁମେମାନେ ଅଟ ଯିଏକି ବିଷ୍ଠାର କୀଟକୁ ଜ୍ଞାନର ଭୁଁ-ଭୁଁ କରି ମନୁଷ୍ୟରୁ ଦେବତା କରିଦେଉଛ । ବାବାଙ୍କ ପାଖରେ ଜ୍ଞାନ ଅଛି ନା । ସିଏ ହିଁ ଜ୍ଞାନର ସାଗର, ଶାନ୍ତିର ସାଗର ଅଟନ୍ତି । ସମସ୍ତେ ଶାନ୍ତି ମାଗୁଛନ୍ତି ନା । ଶାନ୍ତି ଦିଅ... କାହାକୁ ଡାକୁଛନ୍ତି? ଯିଏ ଶାନ୍ତିର ଦାତା ଅଥବା ସାଗର ଅଟନ୍ତି, ତାଙ୍କର ମହିମା ମଧ୍ୟ ଗାନ କରୁଛନ୍ତି କିନ୍ତୁ ଏହା ଅର୍ଥ ରହିତ । ଯଦିଓ କହିଦେଉଛନ୍ତି କିନ୍ତୁ କିଛି ବି ବୁଝୁନାହାଁନ୍ତି । ବାବା କହୁଛନ୍ତି - ଏହି ବେଦ ଶାସ୍ତ୍ର ଆଦି ସବୁ ଭକ୍ତିମାର୍ଗର ଅଟେ । ୬୩ ଜନ୍ମ ଭକ୍ତି କରିବାକୁ ହିଁ ହେବ, କେତେ ଢ଼େର ଶାସ୍ତ୍ର ରହିଛି, ଶାସ୍ତ୍ର ପଢ଼ିବା ଦ୍ୱାରା ମୋତେ କେହି ପାଇପାରିବେ ନାହିଁ । ମୋତେ ଡାକୁଛନ୍ତି - ଆସି ପବିତ୍ର କର । ଏହା ତମଃପ୍ରଧାନ ଆବର୍ଜନାପୂର୍ଣ୍ଣ ଦୁନିଆ, ଯାହାକି କୌଣସି କାମର ନୁହେଁ । ଏଠାରେ କେତେ ଦୁଃଖ ରହିଛି, ଏହି ଦୁଃଖ କେଉଁଠାରୁ ଆସିଲା? ବାବା ତ’ ତୁମକୁ ବହୁତ ସୁଖ ଦେଇଥିଲେ ପୁଣି ତୁମେ ଶିଢ଼ିରେ କିପରି ତଳକୁ ଖସିଲ? ଜ୍ଞାନ ଏବଂ ଭକ୍ତିର ଗାୟନ ମଧ୍ୟ ରହିଛି ନା, ଜ୍ଞାନ ବାବା ଶୁଣାଉଛନ୍ତି, ରାବଣ ଭକ୍ତି ଶିଖାଉଛି । ତେବେ ନା ବାବା ଦୃଶ୍ୟମାନ ହୋଇଥା’ନ୍ତି ନା ରାବଣ । ଉଭୟଙ୍କୁ ଏହି ଆଖିଦ୍ୱାରା ଦେଖି ହୁଏ ନାହିଁ । ଆତ୍ମାକୁ ହିଁ ଜାଣିଥା’ନ୍ତି, ଆମେ ସବୁ ଆତ୍ମା ତେବେ ଆତ୍ମାର ପିତା ମଧ୍ୟ ନିଶ୍ଚିତ ଥିବେ । ବାବା ପୁଣି ଶିକ୍ଷକ ମଧ୍ୟ ହେଉଛନ୍ତି, ଆଉ କେହି ଏପରି ହୋଇ ନ ଥା’ନ୍ତି ।

ଏବେ ତୁମେ ୨୧ ଜନ୍ମ ପାଇଁ ସଦ୍‌ଗତି ପ୍ରାପ୍ତ କରୁଛ । ପୁଣି ଗୁରୁଙ୍କର କୌଣସି ଆବଶ୍ୟକତା ହିଁ ରହିବ ନାହିଁ । ବାବା ସମସ୍ତଙ୍କର ପିତା, ପୁଣି ଶିକ୍ଷାଦାତା ଶିକ୍ଷକ ମଧ୍ୟ ଅଟନ୍ତି । ଆଉ ମଧ୍ୟ ସମସ୍ତଙ୍କର ସଦ୍‌ଗତି ଦାତା ସତଗୁରୁ, ପରମ ଗୁରୁ ମଧ୍ୟ ଅଟନ୍ତି । ତେବେ ତିନି ଜଣଙ୍କୁ ତ’ ସର୍ବବ୍ୟାପୀ କୁହାଯାଇପାରିବ ନାହିଁ, ସିଏ ତ’ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ ବତାଉଛନ୍ତି । ମନୁଷ୍ୟମାନେ ମନେ ମଧ୍ୟ ପକାଉଛନ୍ତି - ହେ, ପତିତ ପାବନ ଆସ, ସମସ୍ତଙ୍କର ସଦ୍‌ଗତିଦାତା ଆସ, ସମସ୍ତଙ୍କର ଦୁଃଖକୁ ହରଣ କରି ସୁଖ ଦିଅ । ହେ ଈଶ୍ୱର ପିତା, ହେ ମୁକ୍ତିଦାତା, ପୁଣି ସାଥିରେ ନେଇଯିବା ପାଇଁ ଆମର ପଥପ୍ରଦର୍ଶକ ମଧ୍ୟ ହୁଅ । ଏହି ରାବଣ ରାଜ୍ୟରୁ ଆମକୁ ଉଦ୍ଧାର କର । ରାବଣ ରାଜ୍ୟ କୌଣସି ଲଙ୍କାରେ ନାହିଁ । ସାରା ଧରିତ୍ରୀ ଉପରେ ବର୍ତ୍ତମାନ ରାବଣରାଜ୍ୟ ଚାଲିଛି । ରାମରାଜ୍ୟ କେବଳ ସତ୍ୟଯୁଗରେ ହିଁ ହୋଇଥାଏ । ଭକ୍ତିମାର୍ଗରେ ମନୁଷ୍ୟ କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି ।

ଏବେ ତୁମକୁ ଶ୍ରେଷ୍ଠ ହେବା ପାଇଁ ଶ୍ରୀମତ ମିଳୁଛି । ସତ୍ୟଯୁଗରେ ଭାରତ ଶ୍ରେଷ୍ଠାଚାରୀ, ପୂଜ୍ୟ ଥିଲା । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ତାଙ୍କୁ ପୂଜା କରି ଆସୁଛନ୍ତି । ଭାରତ ଉପରେ ବୃହସ୍ପତିର ଦଶା ପଡିଥିବା ସମୟରେ ସତ୍ୟଯୁଗ ଥିଲା, ଏବେ ରାହୁର ଦଶା ପଡିଥିବାରୁ ଦେଖ ଭାରତର ଅବସ୍ଥା କ’ଣ ହୋଇଗଲାଣି । ସମସ୍ତେ ନାସ୍ତିକ ହୋଇଯାଉଛନ୍ତି । ବାବା ଆସି ଆସ୍ତିକ କରୁଛନ୍ତି, ରାବଣ ପୁଣି ନାସ୍ତିକ କରିଦେଉଛି । କହୁଛନ୍ତି ମଧ୍ୟ ଆମର ରାମରାଜ୍ୟ ଦରକାର, ତେବେ ସମସ୍ତେ ରାବଣ ରାଜ୍ୟରେ ଅଛନ୍ତି, ତେଣୁ ନର୍କବାସୀ ମଧ୍ୟ ଅଟନ୍ତି ନା । ରାବଣରାଜ୍ୟକୁ ନର୍କ କୁହାଯାଉଛି । ସ୍ୱର୍ଗ ଏବଂ ନର୍କ ଅଧା ଅଧା ଚାଲୁଛି । ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ - ରାମରାଜ୍ୟ ଏବଂ ରାବଣ ରାଜ୍ୟ କାହାକୁ କୁହାଯାଉଛି? ତେଣୁ ପ୍ରଥମେ ପ୍ରଥମେ ଏହି ନିଶ୍ଚୟ ହେବା ଦରକାର ଯେ, ଶିବବାବା ଆମର ପିତା, ଆମେସବୁ ଆତ୍ମାମାନେ ପରସ୍ପର ଭାଇ ଭାଇ ଅଟୁ । ବାବାଙ୍କଠାରୁ ସମସ୍ତଙ୍କୁ ସମ୍ପତ୍ତି ମିଳିବାର ହକ ରହିଛି ଏବଂ ମିଳିଥିଲା ମଧ୍ୟ । ବାବା ଆମକୁ ରାଜଯୋଗ ଶିଖାଇ ସୁଖଧାମର ମାଲିକ କରିଥିଲେ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଗଲେ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି, ବୃକ୍ଷପତି ହେଉଛନ୍ତି ଚୈତନ୍ୟ, ସତ୍‌-ଚିତ୍‌-ଆନନ୍ଦ ସ୍ୱରୂପ, ଆତ୍ମା ସତ୍ୟ ଏବଂ ଚୈତନ୍ୟ ମଧ୍ୟ ଅଟେ । ବାବା ମଧ୍ୟ ସତ୍‌, ଚୈତନ୍ୟ, ବୃକ୍ଷପତି ଅଟନ୍ତି । ଏହା ଏକ ଓଲଟା ବୃକ୍ଷ ନା, ଏହାର ବୀଜ ଉପରେ ରହିଛି । ବାବା ହିଁ ଆସି ଆମକୁ ବୁଝାଉଛନ୍ତି ଯେତେବେଳେ ତୁମେ ତମଃପ୍ରଧାନ ହୋଇଯାଉଛ ସେତେବେଳେ ମୁଁ ତୁମକୁ ସତ୍ତ୍ୱପ୍ରଧାନ କରିବା ପାଇଁ ଆସୁଛି । ବର୍ତ୍ତମାନ ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି, ଏବେ ତୁମକୁ କହୁଛନ୍ତି ହିଷ୍ଟ୍ରି-ଜୋଗ୍ରାଫି... ଇଂରାଜୀ ଅକ୍ଷର କୁହ ନାହିଁ । ହିନ୍ଦୀରେ ଇତିହାସ ଭୂଗୋଳ ବୋଲି କୁହନ୍ତି । ଇଂରାଜୀ ତ’ ସମସ୍ତେ ପଢ଼ୁଛନ୍ତି, ଭାବୁଛନ୍ତି ଭଗବାନ ସଂସ୍କୃତରେ ଗୀତା ଶୁଣାଇଥିଲେ । ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର ଥିଲେ, ସେଠାରେ ଏହି ଭାଷା ଥିଲା, ଏଭଳି ତ’ ଲେଖାଯାଇନାହିଁ । ତେବେ ଭାଷା ନିଶ୍ଚିତ ଭାବରେ ଥିଲା, ଯିଏ ଯିଏ ରାଜା ହୋଇଥା’ନ୍ତି ତାଙ୍କର ନିଜସ୍ୱ ଭାଷା ରହିଥାଏ । ତେଣୁ ସତ୍ୟଯୁଗୀ ରାଜାମାନଙ୍କର ନିଜସ୍ୱ ଭାଷା ହେବ । ସେଠାରେ ସଂସ୍କୃତ ରହିବ ନାହିଁ । ସତ୍ୟଯୁଗର ନୀତି ପ୍ରଥା ହିଁ ଅଲଗା । କଳିଯୁଗୀ ମନୁଷ୍ୟମାନଙ୍କର ନୀତି ପ୍ରଥା ହିଁ ଅଲଗା । ତୁମେ ସମସ୍ତେ ମୀରା ଅଟ, ଯେଉଁମାନେ କି କଳିଯୁଗୀ ଲୋକଲାଜ କୁଳ-ମର୍ଯ୍ୟାଦାକୁ ପସନ୍ଦ କରୁନାହଁ । ତୁମେ କଳିଯୁଗୀ ଲୋକଲାଜକୁ ତ୍ୟାଗ କରୁଥିବାରୁ କେତେ ଝଗଡା ହେଉଛି । ତୁମକୁ ବାବା ଶ୍ରୀମତ ଦେଇଛନ୍ତି - କାମ ମହାଶତ୍ରୁ ଅଟେ, ଏହା ଉପରେ ବିଜୟ ପ୍ରାପ୍ତ କର । ଯେଉଁମାନେ ହେଉଛନ୍ତି ସେମାନଙ୍କର ଚିତ୍ର ମଧ୍ୟ ସମ୍ମୁଖରେ ଅଛି । ତୁମକୁ ଅବିନାଶୀ ବାବାଙ୍କଠାରୁ ରାୟ ମିଳୁଛି ଯେ, ବିଶ୍ୱରେ ଶାନ୍ତି କିପରି ସ୍ଥାପନ ହେବ? ଶାନ୍ତି ଦିଅ କହିଲେ ବାବା ହିଁ ମନେପଡୁଛନ୍ତି । ବାବା ହିଁ ଆସି କଳ୍ପ କଳ୍ପ ବିଶ୍ୱରେ ଶାନ୍ତି ସ୍ଥାପନ କରୁଛନ୍ତି । ତେବେ କଳ୍ପର ଆୟୁଷ ଲମ୍ବା କରିଦେଇଥିବାରୁ ମନୁଷ୍ୟ କୁମ୍ଭକର୍ଣ୍ଣର ନିଦ୍ରାରେ ଯେପରି ଶୋଇ ଯାଇଛନ୍ତି ।

ପ୍ରଥମେ ପ୍ରଥମେ ମନୁଷ୍ୟମାନଙ୍କର ଏହି ନିଶ୍ଚୟ ପକ୍କା କରାଅ ଯେ, ସିଏ ଆମର ପିତା, ଶିକ୍ଷକ ମଧ୍ୟ ଅଟନ୍ତି । ତେବେ ଶିକ୍ଷକଙ୍କୁ ସର୍ବବ୍ୟାପୀ ବୋଲି କିପରି କୁହାଯିବ? ତୁମେମାନେ ଜାଣିଛ, ବାବା କିପରି ଆସି ଆମକୁ ପାଠ ପଢ଼ାଉଛନ୍ତି । ତୁମେ ତାଙ୍କର ଜୀବନ କାହାଣୀକୁ ଜାଣିଛ । ବାବା ନର୍କକୁ ସ୍ୱର୍ଗ କରିବା ପାଇଁ ଆସୁଛନ୍ତି । ବାବା ଶିକ୍ଷକ ମଧ୍ୟ ଅଟନ୍ତି ପୁଣି ସାଥିରେ ମଧ୍ୟ ନେଇଯିବେ । ଆତ୍ମାମାନେ ତ’ ଅବିନାଶୀ ଅଟନ୍ତି, ନିଜର ଅଭିନୟ ସଂପୂର୍ଣ୍ଣ କରି ଘରକୁ ଯାଇଥା’ନ୍ତି । ତେଣୁ ଘରକୁ ନେଲାବାଲା ଗାଇଡ୍ ମଧ୍ୟ ଦରକାର ନା । ବାବା ଦୁଃଖରୁ ଉଦ୍ଧାର କରି ପୁଣି ଗାଇଡ୍ ହୋଇ ସମସ୍ତଙ୍କୁ ନେଇଯାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କଳିଯୁଗୀ ଲୋକଲାଜ କୁଳ ମର୍ଯ୍ୟାଦାକୁ ଛାଡି ଈଶ୍ୱରୀୟ କୁଳର ମର୍ଯ୍ୟାଦାକୁ ଧାରଣ କରିବାକୁ ହେବ । ଅଶରୀରୀ ବାବା ଯାହା ଶୁଣାଉଛନ୍ତି ତାକୁ ଅଶରୀରୀ ହୋଇ ଶୁଣିବାର ଅଭ୍ୟାସକୁ ପକ୍କା କରିବାକୁ ହେବ ।

(୨) ବେହଦର ବାବା ଏକାଧାରାରେ ପିତା, ଶିକ୍ଷକ, ସଦ୍‌ଗୁରୁ ଅଟନ୍ତି, ଏହି ରହସ୍ୟକୁ ସବୁ ଆତ୍ମାମାନଙ୍କୁ ବୁଝାଇବାକୁ ହେବ । ଏହି କଥାକୁ ପ୍ରମାଣିତ କରିବାକୁ ହେବ ଯେ, ବେହଦର ବାବା ସର୍ବବ୍ୟାପୀ ନୁହଁନ୍ତି ।

ବରଦାନ:-
ଦେହ-ଅଭିମାନଯୁକ୍ତ ଚପଳତାରୁ ମୁକ୍ତ ହୋଇ ଆତ୍ମିକ ସ୍ୱାଭିମାନରେ ରହୁଥିବା ପ୍ରୀତବୁଦ୍ଧି ଭବ ।

କେତେକ ପିଲା ଦେହ-ଅଭିମାନ ଯୁକ୍ତ ସ୍ୱଭାବ-ସଂସ୍କାରର ଚପଳତା ବହୁତ କରିଥାଆନ୍ତି । ଯେଉଁଠାରେ ମୋ’ର ସ୍ୱଭାବ, ମୋ’ର ସଂସ୍କାର ଶବ୍ଦ ଆସିଥାଏ ସେହିଠାରେ ହିଁ ଏହିଭଳି ଚପଳତା ଅର୍ଥାତ୍ ଚଗଲାମି ଆରମ୍ଭ ହୋଇଥାଏ । ଏହି ମୋ’ର ଶବ୍ଦ ହିଁ ସମସ୍ତଙ୍କୁ ଚକ୍ର ବିହ୍ୱ ଭିତରକୁ ନେଇ ଯାଇଥାଏ । କିନ୍ତୁ ଯାହା ବାବାଙ୍କଠାରୁ ଭିନ୍ନ ଅଟେ ତାହା କେବେ ବି ମୋ’ର ହୋଇପାରିବ ନାହିଁ, କାରଣ ମୋ’ର ସ୍ୱଭାବ ବାବାଙ୍କର ସ୍ୱଭାବଠାରୁ ଭିନ୍ନ ହୋଇପାରିବ ନାହିଁ । ସେଥିପାଇଁ ଏହିଭଳି ଦେହ-ଅଭିମାନ ଯୁକ୍ତ ଅଳ୍ପକାଳର ବିନାଶୀ ଚପଳତାଠାରୁ ମୁକ୍ତ ହୋଇ ଆତ୍ମିକ ସ୍ୱାଭିମାନରେ ଅର୍ଥାତ୍ ସ୍ୱମାନରେ ରୁହ । ପ୍ରୀତ ବୁଦ୍ଧି ହୋଇ ବାବାଙ୍କୁ ଭଲ ପାଇବାର ଚପଳତା ପଛକେ କର ।

ସ୍ଲୋଗାନ:-
ଯଦି ବାବାଙ୍କର ସହିତ, ସେବା ସହିତ ଏବଂ ପରିବାର ସହିତ ମୋହବତ୍ ଅର୍ଥାତ୍ ଭଲ ପାଇବା ଅଛି ତେବେ ମେହନତ କରିବାରୁ ମୁକ୍ତ ହୋଇଯିବ ।