02.05.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଜ୍ଞାନର ବୁଲବୁଲ୍ ହୋଇ ନିଜ ସମାନ କରିବାର ସେବା କର, ଯାଞ୍ଚ କର ଯେ କେତେ ଜଣଙ୍କୁ ମୁଁ ନିଜ ସମାନ କରିଛି, ମୋର ଯୋଗର ଚାର୍ଟ କିପରି ଅଛି?

ପ୍ରଶ୍ନ:-
ଭଗବାନ ନିଜର ପିଲାମାନଙ୍କ ପାଖରେ କେଉଁ ପ୍ରତିଜ୍ଞା କରିଛନ୍ତି ଯାହାକି କୌଣସି ମନୁଷ୍ୟ କରିପାରିବ ନାହିଁ?

ଉତ୍ତର:-
ଭଗବାନ ପ୍ରତିଜ୍ଞା କରୁଛନ୍ତି - ପିଲାମାନେ, ମୁଁ ତୁମମାନଙ୍କୁ ନିଜର ଘରକୁ ନିଶ୍ଚିତ ନେଇଯିବି । ତୁମେ ଶ୍ରୀମତ ଅନୁସାରେ ଚାଲି ଯଦି ପବିତ୍ର ହୋଇଯିବ ତେବେ ମୁକ୍ତି ଏବଂ ଜୀବନମୁକ୍ତିକୁ ଯାଇ ପାରିବ । ନଚେତ୍ ପ୍ରତ୍ୟେକଙ୍କୁ ମୁକ୍ତିଧାମକୁ ତ ଯିବାକୁ ହିଁ ହେବ । କେହି ଚାହାଁନ୍ତୁ ବା ନ ଚାହାଁନ୍ତୁ, ଜବରଦସ୍ତୀ ହିସାବ-କିତାବ ଚୁକ୍ତ କରାଇ ନେଇଯିବି । ବାବା କହୁଛନ୍ତି - ଯେତେବେଳେ ମୁଁ ଆସୁଛି ସେତେବେଳେ ତୁମ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ହୋଇଯାଉଛି, ତେଣୁ ମୁଁ ସମସ୍ତଙ୍କୁ ଘରକୁ ନେଇଯାଉଛି ।

ଓମ୍ ଶାନ୍ତି ।
ବର୍ତ୍ତମାନ ପିଲାମାନେ ପାଠପଢା ଉପରେ ଧ୍ୟାନ ଦେବା ଉଚିତ୍ । ଯେଉଁ ଗାୟନ ରହିଛି ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ... ଏହି ସବୁ ଗୁଣକୁ ଧାରଣ କରିବାକୁ ହେବ । ଯାଞ୍ଚ କରିବାକୁ ହେବ, ଆମ ପାଖରେ ଏହି ଗୁଣ ଅଛି କି? କାହିଁକି ନା ଯେଉଁମାନେ ଗୁଣବାନ ହେଉଛନ୍ତି, ତୁମ ପିଲାମାନଙ୍କର ଧ୍ୟାନ ତାଙ୍କ ଆଡକୁ ହିଁ ଯିବ । ତେବେ ପଢିବା ପଢାଇବା ଉପରେ ହିଁ ସବୁ ନିର୍ଭର କରୁଛି । ତେଣୁ ନିଜ ମନକୁ ପଚାରିବା ଉଚିତ୍ ଯେ, ଆମେ କେତେ ଜଣଙ୍କୁ ପାଠ ପଢାଉଛୁ? ସଂପୂର୍ଣ୍ଣ ଦେବତା ତ କେହି ହୋଇନାହାଁନ୍ତି । ଚନ୍ଦ୍ରମା ସଂପୂର୍ଣ୍ଣ ହୋଇଗଲେ କେତେ ଆଲୋକ ପ୍ରଦାନ କରିଥାଏ । ସେହିପରି ଏଠାରେ ମଧ୍ୟ ଦେଖାଯାଏ - ପୁରୁଷାର୍ଥର କ୍ରମାନୁସାରେ ଚାଲୁଛନ୍ତି? ଏକଥା କେବଳ ପିଲାମାନେ ଏବଂ ଶିକ୍ଷକ ହିଁ ଜାଣିଛନ୍ତି । ପ୍ରତ୍ୟେକ ସନ୍ତାନ ପ୍ରତି ବାବାଙ୍କର ଦୃଷ୍ଟି ରହୁଛି । ବାବା ଦେଖୁଛନ୍ତି ପିଲାମାନେ କ’ଣ କରୁଛନ୍ତି? ମୋ ଅର୍ଥେ କ’ଣ ସବୁ ସେବା କରୁଛନ୍ତି? ସବୁ ଫୁଲମାନଙ୍କୁ ବାବା ଦେଖୁଛନ୍ତି । ଏମିତି ତ ସମସ୍ତେ ଫୁଲ ଅଟନ୍ତି କାହିଁକି ନା ଏହା ଏକ ବଗିଚା ନା । ପ୍ରତ୍ୟେକ ନିଜର ଅବସ୍ଥାକୁ ଜାଣିଛନ୍ତି । ନିଜର ଖୁସିକୁ ଜାଣିଛନ୍ତି । ଅତିନ୍ଦ୍ରିୟ ସୁଖମୟ ଜୀବନ ପ୍ରତ୍ୟେକଙ୍କର ନିଜସ୍ୱ ହୋଇଥାଏ । ପ୍ରଥମତଃ ବାବାଙ୍କୁ ବହୁତ-ବହୁତ ମନେ ପକାଇବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ପୁଣି ବାବା ମଧ୍ୟ ମନେ ପକାଇଥା’ନ୍ତି । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ମୁଁ ତୁମକୁ ବହୁତ ସହଜ ଉପାୟ ବତାଉଛି - ଯୋଗର ଯାତ୍ରାରେ ରୁହ । ପ୍ରତ୍ୟେକ ନିଜର ମନକୁ ପଚାରନ୍ତୁ ଆମର ଯୋଗର ଚାର୍ଟ ଠିକ୍ ଅଛି? ଅନ୍ୟକୁ ନିଜ ସମାନ କରୁଛି? କାରଣ ତୁମେ ସମସ୍ତେ ଜ୍ଞାନର ବୁଲବୁଲ୍ ଅଟ ନା । କେହି ଶୁଆ, ଆଉ କିଏ ଆଉ କ’ଣ ଅଟନ୍ତି? ତୁମକୁ ପାରା ନୁହେଁ ଶୁଆ ହେବାର ଅଛି । ନିଜର ମନକୁ ପଚାରିବା ବହୁତ ସହଜ । ମୁଁ ବାବାଙ୍କୁ କେତେ ମନେ ପକାଉଛନ୍ତି? କେତେ ଅତିନ୍ଦ୍ରିୟ ସୁଖରେ ରହୁଛି? ଆମକୁ ମନୁଷ୍ୟରୁ ଦେବତା ହେବାକୁ ପଡିବ । ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି । ପୁରୁଷ ହୁଅନ୍ତୁ ଅଥବା ସ୍ତ୍ରୀ ଉଭୟ ମନୁଷ୍ୟ ସଦୃଶ ହିଁ ଦେଖାଯାଇଥା’ନ୍ତି । ପୁଣି ତୁମେ ଦୈବୀଗୁଣ ଧାରଣ କରି ମନୁଷ୍ୟରୁ ଦେବତା ହେଉଛ । ତୁମ ବ୍ୟତୀତ ଆଉ କେହି ଦେବତା ହେଉ ନାହାଁନ୍ତି । ଏଠାକୁ ସମସ୍ତେ ଦୈବୀକୁଳର ସଦସ୍ୟ ହେବା ପାଇଁ ହିଁ ଆସୁଛନ୍ତି, ସେଠାରେ ମଧ୍ୟ ତୁମେମାନେ ଦୈବୀ କୁଳର ସଦସ୍ୟ ହେବ । ସେଠାରେ ତୁମ ଭିତରେ କୌଣସି ରାଗ-ଦ୍ୱେଷର ଭାବନା ରହିବ ନାହିଁ । ତେଣୁ ଏଭଳି ଦୈବୀ ପରିବାରର ହେବା ପାଇଁ ଖୁବ୍ ପୁରୁଷାର୍ଥ କରିବାକୁ ହେବ । ପାଠ ମଧ୍ୟ କାଇଦା ଅନୁସାରେ ପଢିବାକୁ ପଡିବ । ପାଠପଢା, କେବେ ବି ବନ୍ଦ କରିବା ଉଚିତ୍ ନୁହେଁ । ବେମାର ଥିଲେ ମଧ୍ୟ ବୁଦ୍ଧିରେ ଶିବବାବାଙ୍କର ସ୍ମୃତି ରହୁ, ଏଥିରେ ତ ମୁଖ ଦ୍ୱାରା କହିବାର କୌଣସି କଥା ହିଁ ନାହିଁ । ଆତ୍ମା ଜାଣିଛି ଯେ, ଆମେ ଶିବବାବାଙ୍କର ସନ୍ତାନ ଅଟୁ, ବାବା ଆମକୁ ସାଥୀରେ ନେଇଯିବା ପାଇଁ ଆସିଛନ୍ତି । ଏହି ଅଭ୍ୟାସ ବହୁତ ଭଲ ଭାବରେ ପକ୍କା କରିବାକୁ ହେବ । ଯେଉଁଠାରେ ବି ଥାଅ କିନ୍ତୁ ବାବାଙ୍କ ସ୍ମୃତିରେ ରୁହ । ବାବା ଶାନ୍ତିଧାମ-ସୁଖଧାମକୁ ନେଇଯିବା ପାଇଁ ଆସିଛନ୍ତି । ଏହା କେତେ ସହଜ ଅଟେ । ଅନେକ ଅଛନ୍ତି ଯେଉଁମାନେ କି ଅଧିକ ଧାରଣା କରିପାରିବେ ନାହିଁ । ଆଚ୍ଛା ତେବେ ବାବାଙ୍କୁ ମନେ ପକାଅ । ଏଠାରେ ସବୁ ସନ୍ତାନମାନେ ବସିଛନ୍ତି, କିନ୍ତୁ କ୍ରମାନୁସାରେ ରହିଛନ୍ତି । ହଁ, ଆମକୁ ନିଶ୍ଚିତ ରୂପେ ହେବାକୁ ପଡିବ । ସେଥିପାଇଁ ଶିବବାବାଙ୍କୁ ନିଶ୍ଚିତ ଭାବେ ମନେ ପକାଉଛନ୍ତି । ସମସ୍ତେ ଅନ୍ୟ ସଙ୍ଗ ଛାଡି ଜଣଙ୍କ ସହିତ ସଙ୍ଗ ଯୋଡୁଛନ୍ତି । ଆଉ କାହାର ସ୍ମୃତି ମଧ୍ୟ ଆସୁ ନ ଥିବ । କିନ୍ତୁ ଏଥିରେ ଅନ୍ତିମ ସମୟ ପର୍ଯ୍ୟନ୍ତ ପୁରୁଷାର୍ଥ କରିବାକୁ ପଡିବ । ସେଥିପାଇଁ ପରିଶ୍ରମ ମଧ୍ୟ କରିବାକୁ ହେବ । ଅନ୍ତରରେ ସର୍ବଦା ଏକମାତ୍ର ଶିବବାବାଙ୍କର ହିଁ ସ୍ମୃତି ରହୁ । କେଉଁଆଡେ ବି ବୁଲିବାକୁ ଗଲେ ମଧ୍ୟ ବୁଦ୍ଧିରେ ଏକମାତ୍ର ବାବାଙ୍କର ହିଁ ୟାଦ ରହୁ, ଏଥିରେ ମୁଖରେ କିଛି କହିବାର ମଧ୍ୟ ଆବଶ୍ୟକତା ପଡିନଥାଏ, ଏହା ବହୁତ ସହଜ ପାଠପଢା ଅଟେ । ବାବା ପାଠ ପଢାଇ ତୁମକୁ ନିଜ ସମାନ କରୁଛନ୍ତି, ଏହିଭଳି ଅବସ୍ଥା ତୁମମାନଙ୍କୁ ତିଆରି କରିବାକୁ ହେବ । ଯେପରି ସତ୍ତ୍ୱପ୍ରଧାନ ଅବସ୍ଥାରେ ଆସିଥିଲ, ସେହି ଅବସ୍ଥାକୁ ପୁଣି ଯିବାକୁ ହେବ । ଏକଥା ବୁଝାଇବା କେତେ ସହଜ । ଘରର କାମଧନ୍ଦା କରି, ସବୁ କିଛି କରି ମଧ୍ୟ ନିଜକୁ ଫୁଲ ସମାନ କରିବାକୁ ହେବ । ଯାଞ୍ଚ କରିବାକୁ ହେବ ଯେ, ଆମ ଭିତରେ କିଛି ଗଡବଡ ନାହିଁ ତ? ନିଜର ଯାଞ୍ଚ କରିବା ପାଇଁ ହୀରାର ଦୃଷ୍ଟାନ୍ତ ବହୁତ ଭଲ । ତୁମେ ନିଜ ପାଇଁ ନିଜେ ମ୍ୟାଗ୍ନିଫାୟ ଗ୍ଲାସ (ଜବକାଚ) ଅଟ । ତେଣୁ ନିଜର ଯାଞ୍ଚ କରିବାକୁ ହେବ ଯେ, ମୋ ଭିତରେ ଟିକିଏ ହେଲେ ବି ଦେହ-ଅଭିମାନ ନାହିଁ ତ? ଯଦିଓ ବର୍ତ୍ତମାନ ସମସ୍ତେ ପୁରଷାର୍ଥୀ ଅଟନ୍ତି, କିନ୍ତୁ ଲକ୍ଷ୍ୟ-ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି ନା । ତୁମକୁ ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ । ବାବା କହୁଛନ୍ତି, ଯଦିଓ ଖବରକାଗଜରେ ବାହାର କରିବାରେ ଖର୍ଚ୍ଚ ହେଉଛି କିନ୍ତୁ ଏହି ସନ୍ଦେଶ ସମସ୍ତଙ୍କୁ ମିଳିଯାଉ । ସମସ୍ତଙ୍କୁ କୁହ, ଏକମାତ୍ର ବାବାଙ୍କୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ଏବଂ ତୁମେମାନେ ପବିତ୍ର ମଧ୍ୟ ହୋଇଯିବ । ଏବେ କେହି ପବିତ୍ର ହୋଇନାହାଁନ୍ତି । ବାବା ବୁଝାଇଥିଲେ ନୂଆ ଦୁନିଆରେ ହିଁ ପବିତ୍ର ଆତ୍ମାମାନେ ରହିବେ । ଏହି ପୁରୁଣା ଦୁନିଆ ଅପବିତ୍ର ଅଟେ । ଏଠାରେ ଜଣେ ହେଲେ ବି ପବିତ୍ର ନାହାଁନ୍ତି । ଆତ୍ମା ପବିତ୍ର ହୋଇଗଲେ ପୁରୁଣା ଶରୀର ଛାଡି ଦେଇଥାଏ, ଏହି ଅପବିତ୍ର ଶରୀର ଛାଡିବାକୁ ହିଁ ହେବ । ଯୋଗ କରି କରି ତୁମର ଆତ୍ମା ଏକଦମ୍ ପବିତ୍ର ହୋଇଯିବ । ଶାନ୍ତିଧାମରୁ ଏକଦମ୍ ପବିତ୍ର ଆତ୍ମା ଆସି ଗର୍ଭମହଲରେ ପ୍ରବେଶ କଲା । ପୁଣି ଏତେ ସମୟ ଅଭିନୟ କଲୁ । ଏବେ ଚକ୍ର ପୂରା ହେଲା ପୁଣି ତୁମେ ଆତ୍ମାମାନେ ନିଜର ଘରକୁ ଯିବ । ସେଠାରୁ ପୁଣି ସୁଖଧାମକୁ ଆସିବ । ସେଠାରେ ଗର୍ଭ, ମହଲ ସମାନ ହୋଇଥାଏ । ତଥାପି ବି ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ, ଏହା ହେଉଛି ପାଠପଢା । ଏବେ ନର୍କ ବେଶ୍ୟାଳୟ ବିନାଶ ହୋଇ ଶିବାଳୟ ସ୍ଥାପନ ହେଉଛି । ଏବେ ତ ସମସ୍ତଙ୍କୁ ଘରକୁ ଫେରିବାକୁ ହେବ ।

ତୁମେ ମଧ୍ୟ ଜାଣିଛ ଯେ, ଆମେ ଏହି ଶରୀର ଛାଡି ଯାଇ ନୂଆ ଦୁନିଆରେ ରାଜକୁମାର-କୁମାରୀ ହେବୁ । କେହି-କେହି ଭାବୁଛନ୍ତି ଆମେ ପ୍ରଜାରେ ଆସିବୁ, ଏଥିରେ ବୁଦ୍ଧିର ଲାଇନ୍ ଏକଦମ୍ କ୍ଲିଅର ହେବା ଦରକାର । ଏକମାତ୍ର ବାବାଙ୍କର ହିଁ ସ୍ମୃତିରେ ରହୁ । ଆଉ କିଛି ବି ମନେ ନ ପଡୁ । ଏହାକୁ ପବିତ୍ର ଭିକାରୀ କୁହାଯାଉଛି । ଯେପରି ଶରୀର ମଧ୍ୟ ମନେ ନ ପଡୁ । ଏହା ପୁରୁଣା, ବିକାରୀ ଶରୀର ଅଟେ ନା । ଏଠାରେ ବଞ୍ଚି ଥାଉ ଥାଉ ମରିବାକୁ ହେବ, ଏକଥା ବୁଦ୍ଧିରେ ରହିବା ଉଚିତ୍ । ଏବେ ଆମକୁ ଘରକୁ ଫେରିବାକୁ ହେବ । ତୁମେମାନେ ନିଜର ଘରକୁ ଭୁଲିଯାଇଥିଲ, ଏବେ ବାବା ପୁଣି ତୁମକୁ ମନେ ପକାଇ ଦେଉଛନ୍ତି । ନାଟକ ଶେଷ ହେବାକୁ ଯାଉଛି, ବାବା ବୁଝାଉଛନ୍ତି ତୁମେ ସମସ୍ତେ ବାନପ୍ରସ୍ଥି ଅଟ । ସାରା ବିଶ୍ୱରେ ଯେତେ ବି ମନୁଷ୍ୟ ମାତ୍ରକେ ଅଛନ୍ତି, ଏହି ସମୟରେ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା ଅଟେ । ମୁଁ ଆସି, ସବୁ ଆତ୍ମାମାନଙ୍କୁ ବାଣୀରୁ ଉର୍ଦ୍ଧ୍ୱକୁ ନେଇଯାଉଛି । ବାବା କହୁଛନ୍ତି - ଏବେ ଛୋଟ-ବଡ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ବାନପ୍ରସ୍ଥ କାହାକୁ କୁହାଯାଏ, ଏକଥା ମଧ୍ୟ ତୁମେମାନେ ଜାଣି ନ ଥିଲ । କେବଳ ଏମିତି ଯାଇ ଗୁରୁ କରୁଥିଲ । ତୁମେ ଲୌକିକ ଗୁରୁମାନଙ୍କ ଦ୍ୱାରା ଅଧାକଳ୍ପ ପୁରୁଷାର୍ଥ କରି ଆସିଛ, କିନ୍ତୁ କିଛି ହେଲେ ବି ଜ୍ଞାନ ପାଇ ପାରିଲ ନାହିଁ । ଏବେ ବାବା ସ୍ୱୟଂ କହୁଛନ୍ତି ତୁମ ଛୋଟ-ବଡ ସମସ୍ତଙ୍କର ବାନପ୍ରସ୍ଥ ଅବସ୍ଥା । ମୁକ୍ତି ତ ସମସ୍ତଙ୍କୁ ମିଳିବ । ଛୋଟ-ବଡ ସମସ୍ତେ ଶେଷ ହୋଇଯିବେ । ବାବା ଆସିଛନ୍ତି ସମସ୍ତଙ୍କୁ ଘରକୁ ନେଇଯିବା ପାଇଁ । ଏଥିରେ ପିଲାମାନେ ବହୁତ ଖୁସି ହେବା ଉଚିତ୍ । ଏଠାରେ ଦୁଃଖ ପାଉଛନ୍ତି ସେଥିପାଇଁ ନିଜର ଘର ଶାନ୍ତିଧାମକୁ ମନେ ପକାଉଛନ୍ତି । ଘରକୁ ଯିବାକୁ ଚାହୁଁଛନ୍ତି କିନ୍ତୁ ବୁଦ୍ଧି ତ ନାହିଁ । କହୁଛନ୍ତି ଆମ ଆତ୍ମାମାନଙ୍କର ଏବେ ଶାନ୍ତି ଦରକାର । ବାବା କହୁଛନ୍ତି କେତେ ସମୟ ପାଇଁ ଦରକାର? ଏଠାରେ ତ ପ୍ରତ୍ୟେକଙ୍କୁ ନିଜ-ନିଜର ଅଭିନୟ କରିବାକୁ ହେବ । ତେଣୁ କେହି ଶାନ୍ତିରେ ରହିପାରିବେ ନାହିଁ । ଅଧାକଳ୍ପ ଏହି ଗୁରୁମାନେ ତୁମକୁ ବହୁତ ମେହନତ କରାଇଛନ୍ତି, ମେହନତ କରି କରି ବୁଲି-ବୁଲି ତୁମେ ଆହୁରି ଅଶାନ୍ତ ହୋଇଯାଇଛ । ଏବେ ଶାନ୍ତିଧାମର ମାଲିକ ଏଠାକୁ ଆସି ସମସ୍ତଙ୍କୁ ଘରକୁ ନେଇଯାଉଛନ୍ତି । ପାଠ ମଧ୍ୟ ପଢାଉଛନ୍ତି । ନିର୍ବାଣଧାମ ଯିବା ପାଇଁ, ମୁକ୍ତି ପାଇବା ପାଇଁ ହିଁ ଭକ୍ତି କରୁଛନ୍ତି । ଏକଥା କେବେ କାହାର ବୁଦ୍ଧିକୁ ଆସିବ ନାହିଁ ଯେ, ଆମେ ସୁଖଧାମକୁ ଯିବୁ । ସମସ୍ତେ ବାନପ୍ରସ୍ଥକୁ ଯିବା ପାଇଁ ହିଁ ପୁରୁଷାର୍ଥ କରୁଛନ୍ତି । ତୁମେ ତ ସୁଖଧାମକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ଜାଣିଛ ଯେ, ପ୍ରଥମେ ବାଣୀରୁ ଉର୍ଦ୍ଧ୍ୱ ଅବସ୍ଥା ନିଶ୍ଚିତ ଆବଶ୍ୟକ । ଭଗବାନ ମଧ୍ୟ ପିଲାମାନଙ୍କ ପାଖରେ ପ୍ରତିଜ୍ଞା କରୁଛନ୍ତି - ମୁଁ ତୁମମାନଙ୍କୁ ମୋ ଘରକୁ ନିଶ୍ଚିତ ନେଇଯିବି, ଯାହା ପାଇଁ ତୁମେ ଅଧାକଳ୍ପ ଭକ୍ତି କରିଛ । ଏବେ ଶ୍ରୀମତରେ ଚାଲିଲେ ମୁକ୍ତି-ଜୀବନମୁକ୍ତିକୁ ପ୍ରାପ୍ତ କରିବ । ନଚେତ୍ ଶାନ୍ତିଧାମ ତ ସମସ୍ତଙ୍କୁ ଯିବାକୁ ହେବ । କେହି ଯିବାକୁ ଚାହାଁନ୍ତୁ ଅଥବା ନ ଚାହାଁନ୍ତୁ, ଡ୍ରାମା ଅନୁସାରେ ସମସ୍ତଙ୍କୁ ନିଶ୍ଚିତ ଭାବରେ ଯିବାକୁ ହେବ । ତୁମେ ପସନ୍ଦ କର, ନ କର, ମୁଁ ଆସିଛି ସମସ୍ତଙ୍କୁ ଘରକୁ ନେଇ ଯିବା ପାଇଁ । ମୁଁ ଜବରଦସ୍ତ ହିସାବ-କିତାବ ଚୁକ୍ତ କରାଇ ନେଇଯିବି । ତୁମେ ସମସ୍ତେ ସତ୍ୟଯୁଗକୁ ଯିବ, ବାକି ସମସ୍ତେ ବାଣୀରୁ ଉର୍ଦ୍ଧ୍ୱ ଶାନ୍ତିଧାମରେ ରହିବେ । କାହାକୁ ହେଲେ ଛାଡିବି ନାହିଁ । ନ ଗଲେ ଦଣ୍ଡ ଦେଇ ବାଡେଇ ପିଟି ମଧ୍ୟ ସାଥିରେ ନେଇଯିବି । ଡ୍ରାମାରେ ଏହିଭଳି ହିଁ ପାର୍ଟ ରହିଛି । ସେଥିପାଇଁ ନିଜର ରୋଜଗାର କରିଚାଲ ତେବେ ପଦ ମଧ୍ୟ ଭଲ ମିଳିବ । ଅନ୍ତିମ ସମୟରେ ଆସୁଥିବା ଆତ୍ମା କି ସୁଖ ପାଇବେ । ବାବା ସମସ୍ତଙ୍କୁ କହୁଛନ୍ତି ଘରକୁ ନିଶ୍ଚିତ ଯିବାକୁ ହେବ । ଶରୀରକୁ ଦାହ କରି ବାକି ସବୁ ଆତ୍ମାମାନଙ୍କୁ ନେଇଯିବି । ଆତ୍ମାମାନଙ୍କୁ ହିଁ ମୋ ସାଥୀରେ ଯିବାକୁ ହିଁ ହେବ । ମୋ ମତରେ ଚାଲି ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ ହେଲେ ପଦ ମଧ୍ୟ ଭଲ ମିଳିବ । ତୁମେ ମୋତେ ଡାକିଛ ନା ଆସି ଆମ ସମସ୍ତଙ୍କୁ ମୃତ୍ୟୁ ଦିଅ, ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । କେହି ବି ରହିବେ ନାହିଁ । ଏହି ବିକାରୀ ଶରୀର ରହିବ ନାହିଁ । ତୁମେ ଘରକୁ ନେଇଯିବା ପାଇଁ ମୋତେ ଡାକିଛ । ତେଣୁ ଏବେ ବାବା କହୁଛନ୍ତି - ପିଲାମାନେ, ଏହି ବିକାରୀ ଦୁନିଆରୁ ତୁମକୁ ଘରକୁ ନେଇଯିବି । ତୁମର ସ୍ମାରକୀ ମଧ୍ୟ ରହିଛି । ଦିଲୱାଡା ମନ୍ଦିର ରହିଛି ନା - ଦିଲ ନେଲାବାଲାଙ୍କର ମନ୍ଦିର, ଆଦିଦେବ ବସିଛନ୍ତି । ଶିବବାବା ମଧ୍ୟ ଅଛନ୍ତି, ବାପଦାଦା ଉଭୟ ଅଛନ୍ତି, ଏହାଙ୍କ ଶରୀରରେ ବାବା ବିରାଜମାନ ଅଛନ୍ତି । ତୁମେମାନେ ସେଠାକୁ ଯାଇ ଆଦିଦେବଙ୍କୁ ଦେଖୁଛ । ତୁମର ଆତ୍ମା ଜାଣିଛି ଏଠାରେ ବାପଦାଦା ବସିଛନ୍ତି ।

ବର୍ତ୍ତମାନ ସମୟରେ ତୁମେମାନେ ଯେଉଁ ପାର୍ଟ କରୁଛ ତାହାର ସ୍ମୃତି ଚିହ୍ନ ସ୍ୱରୂପ ଏହି ସ୍ମାରକୀ ରହିଛି । ମହାରଥୀ, ଘୋଡା ସବାର, ପଦାତିକ ମଧ୍ୟ ଅଛନ୍ତି । ତାହା ଜଡ, ଏହା ଚୈତନ୍ୟ, ଉପରେ ବୈକୁଣ୍ଠ ରହିଛି । ତୁମେ ମଡେଲ ଦେଖି ଆସୁଛ, ଦିଲୱାଡା ମନ୍ଦିର କିପରି, ତୁମେ ତ ଜାଣିଛ, କଳ୍ପ-କଳ୍ପ ଏହିଭଳି ମନ୍ଦିର ହିଁ ତିଆରି ହେଉଛି, ଯାହାକୁ ତୁମେମାନେ ଯାଇ ଦେଖିବ । କେହି କେହି ଦ୍ୱନ୍ଦ୍ୱରେ ପଡୁଛନ୍ତି । ଏହି ପାହାଡ ସବୁ ଭାଙ୍ଗି ତୁଟିଯାଇଛି ପୁଣି ଥରେ ହେବ! କିପରି? ଏହି ଖିଆଲ ଆସିବା ଉଚିତ୍ ନୁହେଁ । ଏବେ ତ ସ୍ୱର୍ଗ ନାହିଁ, ପୁଣି ତାହା କିପରି ଆସିବ? ପୁରୁଷାର୍ଥ ଦ୍ୱାରା ସବୁ ତିଆରି ହୋଇଥାଏ ନା । ତୁମେ ଏବେ ସ୍ୱର୍ଗକୁ ଯିବା ପାଇଁ ପ୍ରସ୍ତୁତି କରୁଛ । କେହି-କେହି ଦ୍ୱନ୍ଦ୍ୱରେ ପଡି ପାଠପଢା ଛାଡି ଦେଉଛନ୍ତି । ବାବା କହୁଛନ୍ତି - ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ହିଁ ନାହିଁ । ସେଠାରେ ସବୁ କିଛି ଆମେ ନିଜ ପାଇଁ ତିଆରି କରିବା । ସେହି ଦୁନିଆ ସମ୍ପୂର୍ଣ୍ଣ ସତ୍ତ୍ୱପ୍ରଧାନ ହେବ । ସେଠାକାର ଫଳ ଫୁଲ ଆଦି ସବୁ ଦେଖିକରି ଆସୁଛନ୍ତି, ଫଳରସ ପିଉଛନ୍ତି । ସୂକ୍ଷ୍ମଲୋକ, ବ୍ରହ୍ମଲୋକରେ ତ ଏସବୁ କିଛି ନାହିଁ । ବାକି ଏସବୁ ବୈକୁଣ୍ଠରେ ଅଛି । ବିଶ୍ୱ ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଏହି ନିଶ୍ଚୟ ପକ୍କା ହେବା ଦରକାର । ବାକି ଯଦି କାହାର ଭାଗ୍ୟରେ ନ ଥିବ ତେବେ କହିବେ ଏହା କିପରି ହୋଇପାରିବ । ଯେଉଁ ହୀରାନୀଳା ସବୁ ଦେଖିବାକୁ ମଧ୍ୟ ମିଳୁନାହିଁ ତାହା ପୁଣି କିପରି ହେବ! ପୂଜ୍ୟ କିପରି ହେବେ? ବାବା କହୁଛନ୍ତି - ଏହା ପୂଜ୍ୟ ଏବଂ ପୂଜାରୀର ଖେଳ ଅଟେ । ଆମେ ହିଁ ବ୍ରାହ୍ମଣ, ଦେବତା, କ୍ଷତ୍ରିୟ.... ଏହି ସୃଷ୍ଟିଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେଉଛ । ତୁମେ ଜାଣୁଛ, ତେଣୁ କହୁଛ - ବାବା, କଳ୍ପ ପୂର୍ବରୁ ମଧ୍ୟ ଆପଣଙ୍କ ସହିତ ମିଶିଥିଲୁ । ଆମର ସ୍ମାରକୀ ମନ୍ଦିର ସମ୍ମୁଖରେ ରହିଛି । ଏହା ପରେ ହିଁ ସ୍ୱର୍ଗର ସ୍ଥାପନା ହେବ । ତୁମର ଏହି ଚିତ୍ର ବହୁତ ଚମତ୍କାର ଅଟେ, କେତେ ରୁଚିର ସହିତ ଆସି ଦେଖୁଛନ୍ତି । ଏଭଳି ସାରା ଦୁନିଆରେ କେହି ବି କେଉଁଠି ଦେଖିନାହାଁନ୍ତି । ନା ଏଭଳି ଚିତ୍ର କେହି ତିଆରି କରି ଜ୍ଞାନ ଦେଇପାରିବେ । ଏହାର ନକଲ କେହି କରି ପାରିବେ ନାହିଁ । ଏହି ଚିତ୍ର ହିଁ ସମ୍ପତ୍ତି ଅଟେ, ଯାହାଦ୍ୱାରା ତୁମେମାନେ ପଦମାପଦମ ଭାଗ୍ୟଶାଳୀ ହେଉଛ । ତୁମେମାନେ ଜାଣିଛ ଆମର ପାଦ-ପାଦରେ ପଦ୍ମର ରୋଜଗାର ଜମା ହେଉଛି । ଏହା ହେଉଛି ତୁମର ପାଠପଢାର କଦମ । ଯେତେ ଯୋଗ କରିବ, ଯେତେ ପଢିବ ସେତେ ପଦ୍ମ ଜମା ହେବ । ଗୋଟିଏ ପଟେ ମାୟା ମଧ୍ୟ ଖୁବ୍ ଜୋରରେ ଆସିବ, ତୁମେ ଏହି ସମୟରେ ହିଁ ଶ୍ୟାମ-ସୁନ୍ଦର ହେଉଛ । ସତ୍ୟଯୁଗରେ ତୁମେ ସୁନ୍ଦର ଥିଲ, ତାହା ସୁବର୍ଣ୍ଣ ଦୁନିଆ ଥିଲା, କଳିଯୁଗରେ ଶ୍ୟାମଳ, ସମ୍ପୂର୍ଣ୍ଣ ଲୌହ ଦୁନିଆ ହୋଇଯାଇଛି । ପ୍ରତ୍ୟେକ ଜିନିଷ ଏହିଭଳି ହୋଇଥାଏ । ଏଠାରେ ଧରିତ୍ରୀ ମଧ୍ୟ ଟାଙ୍ଗରା ହୋଇଗଲାଣି । ସତ୍ୟଯୁଗରେ ଧରିତ୍ରୀ ମଧ୍ୟ ଫାଷ୍ଟକ୍ଲାସ ହେବ, ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ ହେବ । ଏଭଳି ରାଜଧାନୀର ତୁମେମାନେ ମାଲିକ ହେଉଛ । ତୁମେମାନେ ଅନେକ ଥର ମାଲିକ ହୋଇଛ ନା । ତଥାପି ମଧ୍ୟ ଏଭଳି ରାଜଧାନୀର ମାଲିକ ହେବା ପାଇଁ ସଂପୂର୍ଣ୍ଣ ପୁରୁଷାର୍ଥ କରିବା ଦରକାର । ପୁରୁଷାର୍ଥ ବିନା ପ୍ରାଲବ୍ଧ କିପରି ପାଇବ । ଏଥିରେ କିଛି ଅସୁବିଧା ନାହିଁ ।

ବର୍ତ୍ତମାନ ମୁରଲୀ ଛପା ହେଉଛି, ଆଗକୁ ଆହୁରି ଲକ୍ଷ-ଲକ୍ଷ, କୋଟି-କୋଟି ଅନ୍ଦାଜରେ ଛପା ହେବ । ପିଲାମାନେ କହିବେ ଯାହା କିଛି ପଇସା ଅଛି, ସବୁ ଯଜ୍ଞରେ ଲଗାଇ ଦେବୁ, ପଇସା ରଖି କ’ଣ କରିବୁ? ତୁମେମାନେ ଆଗକୁ ଗଲେ ଦେଖିବ କ’ଣ-କ’ଣ ସବୁ ହେଉଛି । ବିନାଶର ପ୍ରସ୍ତୁତି ମଧ୍ୟ ଦେଖିବ । ରିହର୍ସଲ ହୋଇ ଚାଲିବ । ତା’ ପରେ ପୁଣି ଶାନ୍ତି ହୋଇଯିବ । ପିଲାମାନଙ୍କର ବୁଦ୍ଧିରେ ସବୁ ଜ୍ଞାନ ରହିଛି, ଏହା ତ ବହୁତ ସହଜ । କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏହି ଶରୀରକୁ ବି ଭୁଲି ପୂରା ପବିତ୍ର ଏବଂ ନିସ୍ୱ ହେବାକୁ ପଡିବ । ବୁଦ୍ଧିର ଲାଇନ୍ କ୍ଲିଅର ରଖିବାକୁ ହେବ । ବୁଦ୍ଧିରେ ରହୁ ଯେ - ଏବେ ନାଟକ ଶେଷ ହେଲା, ଆମେ ନିଜର ଶାନ୍ତିଧାମ ଘରକୁ ଯାଉଛୁ ।

(୨) ପାଠପଢାର ପ୍ରତ୍ୟେକ ପାଦରେ ପଦ୍ମର ରୋଜଗାର ରହିଛି, ସେଥିପାଇଁ ପ୍ରତ୍ୟେକ ଦିନ ଭଲ ଭାବରେ ପାଠପଢିବାକୁ ହେବ । ଦେବତା କୁଳର ସଦସ୍ୟ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ନିଜକୁ ନିଜେ ପଚାରିବାକୁ ହେବ ଯେ, ମୁଁ କେତେ ଅତିନ୍ଦ୍ରିୟ ସୁଖର ଅନୁଭବ କରୁଛି? ଖୁସି ରହୁଛି?

ବରଦାନ:-
ବୁଦ୍ଧି ରୂପକ ସଂଗ ଏବଂ ସହଯୋଗ ରୂପକ ହାତ ଦ୍ୱାରା ମଉଜର ଅନୁଭବ କରୁଥିବା ସୌଭାଗ୍ୟଶାଳୀ ଆତ୍ମା ଭବ ।

ଯେପରି ସହଯୋଗର ପ୍ରତୀକ ରୂପରେ ହାତରେ ହାତ ମିଶାଇବା ଦେଖାଇଥାଆନ୍ତି, ସେହିପରି ବାବାଙ୍କର ସଦା ସହଯୋଗୀ ହେବା ହିଁ ହାତରେ ହାତ ମିଶାଇବା ଏବଂ ସର୍ବଦା ବୁଦ୍ଧି ଦ୍ୱାରା ସାଥୀରେ ରହିବାର ଅର୍ଥ ହେଲା ମନର ଲଗନ ସର୍ବଦା ଜଣଙ୍କ ସହିତ ରହିଥିବ । ସର୍ବଦା ଏହି ସ୍ମୃତିରେ ରହୁ ଯେ ଈଶ୍ୱରୀୟ ବଗିତାରେ ମୁଁ ବାବାଙ୍କର ହାତ ଧରି ଚାଲୁଛି । ଏହାଦ୍ୱାରା ସର୍ବଦା ମନୋରଞ୍ଜନରେ ରହିବ, ସର୍ବଦା ଖୁସିରେ ରହିବା ସହିତ ସମ୍ପନ୍ନ ଅବସ୍ଥାରେ ମଧ୍ୟ ରହିବ । ଏହିଭଳି ସୌଭାଗ୍ୟଶାଳୀ ଆତ୍ମାମାନେ ସଦାସର୍ବଦା ମଉଜର ଅନୁଭବ କରିଚାଲିଥାଆନ୍ତି ।

ସ୍ଲୋଗାନ:-
ଆଶୀର୍ବାଦର ଖାତା ଜମା କରିବାର ଆଧାର ହେଲା - ସନ୍ତୁଷ୍ଟ ରହିବା ଏବଂ ସନ୍ତୁଷ୍ଟ କରିବା ।