04.05.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଯାହା ଶୁଣାଉଛନ୍ତି, ତାହା ତୁମ ହୃଦୟରେ ଛାପି ହୋଇଯିବା ଉଚିତ୍‌, ତୁମେ ଏଠାକୁ ଆସିଛ ସୂର୍ଯ୍ୟବଂଶୀ କୁଳରେ ଉଚ୍ଚପଦ ପାଇବା ପାଇଁ, ତେଣୁ ତୁମକୁ ଧାରଣା ମଧ୍ୟ କରିବାକୁ ହେବ ।”

ପ୍ରଶ୍ନ:-
ସଦାସର୍ବଦା ସତେଜ ରହିବାର ଉପାୟ କ’ଣ?

ଉତ୍ତର:-
ଯେପରି ଗରମ ସମୟରେ ପଙ୍ଖା ଚାଲିବା ଦ୍ୱାରା ସତେଜ କରିଦେଇଥାଏ, ସେହିଭଳି ସର୍ବଦା ସ୍ୱଦର୍ଶନ ଚକ୍ର ଘୂରାଉଥାଅ ତେବେ ସତେଜ ହୋଇ ରହିପାରିବ । ପିଲାମାନେ ପଚାରୁଛନ୍ତି - ସ୍ୱଦର୍ଶନ ଚକ୍ରଧାରୀ ହେବା ପାଇଁ କେତେ ସମୟ ଲାଗିଥାଏ? ବାବା କହୁଛନ୍ତି - ପିଲାମାନେ, ଗୋଟିଏ ସେକେଣ୍ଡ ଲାଗିବ । ତୁମମାନଙ୍କୁ ନିଶ୍ଚିତ ଭାବେ ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡିବ କାହିଁକିନା ଏହାଦ୍ୱାରା ହିଁ ତୁମେ ଚକ୍ରବର୍ତ୍ତୀ ରାଜା ହେବ । ସ୍ୱଦର୍ଶନ ଚକ୍ର ଘୂରାଉଥିବା ପିଲାମାନେ ହିଁ ସୂର୍ଯ୍ୟବଂଶୀ ହୋଇଥା’ନ୍ତି ।

ଓମ୍ ଶାନ୍ତି ।
ପଙ୍ଖା ଘୂରିଲେ ସମସ୍ତେ ସତେଜ ହୋଇଥା’ନ୍ତି । ସେହିପରି ତୁମେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସିଲେ ବହୁତ ସତେଜ ହୋଇଯିବ । କିନ୍ତୁ ସ୍ୱଦର୍ଶନ ଚକ୍ରଧାରୀର ଅର୍ଥକୁ ମଧ୍ୟ କେହି ଜାଣିନାହାଁନ୍ତି, ତେଣୁ ସେମାନଙ୍କୁ ବୁଝାଇବା ଦରକାର । ଯଦି ନ ବୁଝିବେ ତେବେ ଚକ୍ରବର୍ତ୍ତୀ ରାଜା ହୋଇପାରିବେ ନାହିଁ । ସ୍ୱଦର୍ଶନ ଚକ୍ରଧାରୀଙ୍କର ନିଶ୍ଚୟ ଥିବ ଯେ ଆମେ ଚକ୍ରବର୍ତ୍ତୀ ରାଜା ହେବା ପାଇଁ ସ୍ୱଦର୍ଶନ ଚକ୍ରଧାରୀ ହୋଇଛୁ । କୃଷ୍ଣଙ୍କ ପାଖରେ ମଧ୍ୟ ଚକ୍ର ଥିବାର ଦେଖାଉଛନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଯୁଗଳ ଚିତ୍ରରେ ମଧ୍ୟ ଚକ୍ର ଦେଖାଇଛନ୍ତି, କେବଳ ନାରାୟଣଙ୍କୁ ମଧ୍ୟ ସ୍ୱଦର୍ଶନ ଚକ୍ର ଦେଉଛନ୍ତି । ତେଣୁ ସ୍ୱଦର୍ଶନ ଚକ୍ରକୁ ମଧ୍ୟ ବୁଝିବାକୁ ହେବ, ତେବେ ଯାଇ ଚକ୍ରବର୍ତ୍ତୀ ରାଜା ହୋଇପାରିବ । ଏ କଥା ତ’ ବହୁତ ସହଜ । ପିଲାମାନେ ପଚାରୁଛନ୍ତି - ବାବା, ସ୍ୱଦର୍ଶନ ଚକ୍ରଧାରୀ ହେବା ପାଇଁ କେତେ ସମୟ ଲାଗିବ? ବାବା କହୁଛନ୍ତି ପିଲାମାନେ, ଗୋଟିଏ ସେକେଣ୍ଡ । ପୁଣି ତୁମେ ବିଷ୍ଣୁବଂଶୀ ହେଉଛ । ଦେବତାମାନଙ୍କୁ ବିଷ୍ଣୁବଂଶୀ ହିଁ କୁହାଯିବ । ବିଷ୍ଣୁବଂଶୀ ହେବା ପାଇଁ ପ୍ରଥମେ ତ’ ଶିବବଂଶୀ ହେବାକୁ ପଡିବ, ପୁଣି ବାବା ବସି ସୂର୍ଯ୍ୟବଂଶୀ କରୁଛନ୍ତି । ଏହି ଅକ୍ଷର ତ’ ବହୁତ ସହଜ । ଆମେ ନୂଆ ବିଶ୍ୱରେ ସୂର୍ଯ୍ୟବଂଶୀ ହେଉଛୁ । ଆମେ ନୂଆ ଦୁନିଆର ମାଲିକ ଚକ୍ରବର୍ତ୍ତୀ ହେଉଛୁ ସ୍ୱଦର୍ଶନ ଚକ୍ରଧାରୀ ହୋଇ ବିଷ୍ଣୁବଂଶୀ ହେବାରେ ଗୋଟିଏ ସେକେଣ୍ଡ ଲାଗିଥାଏ । ଯାହା ଶିବବାବା ହିଁ କରାଇଥା’ନ୍ତି । ତେବେ ଶିବବାବା ଆମକୁ ବିଷ୍ଣୁବଂଶୀ କରୁଛନ୍ତି, ଯାହାକି ଆଉ କେହି କରାଇ ପାରିବେ ନାହିଁ । ଏକଥା ପିଲାମାନେ ଜାଣିଛନ୍ତି ଯେ, ସତ୍ୟଯୁଗରେ ହିଁ ବିଷ୍ଣୁବଂଶୀ ହେବେ, ଏଠାରେ ନୁହେଁ । ଏହା ହେଉଛି ବିଷ୍ଣୁବଂଶୀ ହେବାର ଯୁଗ, ତୁମେ ଏଠାକୁ ଆସୁଛ ବିଷ୍ଣୁବଂଶକୁ ଯିବା ପାଇଁ, ଯାହାକୁ ସୂର୍ଯ୍ୟବଂଶୀ କୁହାଯାଉଛି । ଜ୍ଞାନ-ସୂର୍ଯ୍ୟବଂଶୀ ଅକ୍ଷର ବହୁତ ଭଲ । ବିଷ୍ଣୁ ଥିଲେ ସତ୍ୟଯୁଗର ମାଲିକ ଏଥିରେ ଲକ୍ଷ୍ମୀ ନାରାୟଣ ଉଭୟ ଆସିଯାଉଛନ୍ତି । ଏଠାକୁ ପିଲାମାନେ ଆସିଛନ୍ତି, ଲକ୍ଷ୍ମୀ ନାରାୟଣ ଅଥବା ବିଷ୍ଣୁବଂଶୀ ହେବା ପାଇଁ । ଏଥିରେ ବହୁତ ଖୁସି ମଧ୍ୟ ହେଉଛନ୍ତି । ନୂଆ ଦୁନିଆ, ନୂଆ ବିଶ୍ୱରେ, ସୁବର୍ଣ୍ଣଯୁଗୀ ବିଶ୍ୱରେ ବିଷ୍ଣୁବଂଶୀ ହେବାକୁ ହେବ । ଏହାଠାରୁ ଉଚ୍ଚ ପଦ ଆଉ କିଛି ନାହିଁ, ତେଣୁ ଏଥିରେ ତ’ ବହୁତ ଖୁସି ହେବା ଦରକାର ।

ପ୍ରଦର୍ଶନୀରେ ତୁମେମାନେ ବୁଝାଉଛ । ଏହା ହିଁ ତୁମର ଲକ୍ଷ୍ୟ-ଉଦ୍ଦେଶ୍ୟ ଅଟେ । କୁହ, ଏହା ବହୁତ ବଡ ବିଶ୍ୱ ବିଦ୍ୟାଳୟ ଅଟେ । ଯାହାକୁ ଆତ୍ମିକ ଆଧ୍ୟାତ୍ମିକ ବିଶ୍ୱବିଦ୍ୟାଳୟ ବୋଲି କୁହାଯାଉଛି । ଏହି ଚିତ୍ରରେ ହିଁ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି । ପିଲାମାନଙ୍କୁ ଏହି କଥା ବୁଦ୍ଧିରେ ରଖିବାକୁ ହେବ । କିପରି ଭାବେ ଲେଖିବା ଦରକାର ଯାହା ଦ୍ୱାରା ପିଲାମାନଙ୍କୁ ବୁଝାଇବାରେ ଗୋଟିଏ ସେକେଣ୍ଡ ଲାଗିବ । ତୁମେ ହିଁ ବୁଝାଇପାରିବ, ସେଥିରେ ମଧ୍ୟ ଲେଖାଯାଇଛି ଆମେ ନିଶ୍ଚିତ ଭାବରେ ବିଷ୍ଣୁବଂଶୀ ଦେବୀ ଦେବତା ଥିଲୁ ଅର୍ଥାତ୍ ଦେବୀ-ଦେବତା କୂଳର ଥିଲୁ, ସ୍ୱର୍ଗର ମାଲିକ ଥିଲୁ । ବାବା ବୁଝାଉଛନ୍ତି - ମିଠା ମିଠା ପିଲାମାନେ, ଭାରତରେ ତୁମେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ସୂର୍ଯ୍ୟବଂଶୀ ଦେବୀ-ଦେବତା ଥିଲ । ଏହି କଥା କେବଳ ଏବେ ହିଁ ପିଲାମାନଙ୍କର ବୁଦ୍ଧିରେ ଆସୁଛି । ଶିବବାବା ପିଲାମାନଙ୍କୁ କହୁଛନ୍ତି - ହେ ପିଲାମାନେ, ତୁମେ ସତ୍ୟଯୁଗରେ ସୂର୍ଯ୍ୟବଂଶୀ ଥିଲ । ଶିବବାବା ସୂର୍ଯ୍ୟବଂଶୀ କୁଳ ସ୍ଥାପନ କରିବାକୁ ଆସିଥିଲେ । ବାସ୍ତବରେ ଭାରତ ସ୍ୱର୍ଗ ଥିଲା । ଏହିମାନେ ହିଁ ପୂଜ୍ୟ ଥିଲେ, ପୂଜାରୀ କେହି ବି ନ ଥିଲେ । ପୂଜାର କୌଣସି ସାମଗ୍ରୀ ମଧ୍ୟ ନ ଥିଲା । ଏହିସବୁ ଶାସ୍ତ୍ରରେ ହିଁ ପୂଜାର ନୀତି ନିୟମ ଆଦି ଲେଖାଯାଇଛି । ଏହା ହିଁ ପୂଜାର ସାମଗ୍ରୀ ଅଟେ । ତେଣୁ ଅବିନାଶୀ ବାବା ଶିବବାବା ବସି ଆମକୁ ସବୁକଥା ବୁଝାଉଛନ୍ତି । ସେ ହେଉଛନ୍ତି ଜ୍ଞାନର ସାଗର, ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ତାଙ୍କୁ ବୃକ୍ଷପତି ଅଥବା ବୃହସ୍ପତି ମଧ୍ୟ କହୁଛନ୍ତି । ବୃହସ୍ପତିର ଦଶା ସବୁଠାରୁ ଉଚ୍ଚ ହୋଇଥାଏ । ବୃକ୍ଷପତି ତୁମକୁ ବୁଝାଉଛନ୍ତି - ତୁମେ ପୂଜ୍ୟ ଦେବୀ ଦେବତା ଥିଲ । ଏବେ ପୂଜାରୀ ହୋଇଛ । ଯେଉଁ ଦେବତାମାନେ ନିର୍ବିକାରୀ ଥିଲେ, ସେମାନେ କୁଆଡେ ଗଲେ? ଏମାନେ ନିଶ୍ଚିତ ପୁନର୍ଜନ୍ମ ନେଇ ନେଇ ତଳକୁ ଆସିଥିବେ, ତେଣୁ ଗୋଟିଏ ଗୋଟିଏ ଅକ୍ଷରକୁ ନୋଟ୍ କରିବା ଉଚିତ୍ । ହୃଦୟରେ ହେଉ ବା କାଗଜରେ ହେଉ? ଏକଥା କିଏ ବୁଝାଉଛନ୍ତି? ଶିବବାବା । ଇଏ ହିଁ ସ୍ୱର୍ଗ ରଚନା କରୁଛନ୍ତି । ଶିବବାବା ହିଁ ପିଲାମାନଙ୍କୁ ସ୍ୱର୍ଗର ବର୍ସା ଦେଉଛନ୍ତି । ଯାହା ବାବାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ । ଲୌକିକ ପିତା ତ’ ଦେହଧାରୀ ଅଟନ୍ତି, ତୁମେମାନେ ନିଜକୁ ଆତ୍ମା ଭାବି ପାରଲୌକିକ ପିତାଙ୍କୁ ମନେପକାଉଛ - ତୁମେ ତାଙ୍କୁ ବାବା କହୁଛ ତେଣୁ ବାବା ମଧ୍ୟ ପ୍ରତ୍ୟୁତ୍ତର ଦେଉଛନ୍ତି - ହେ ପିଲାମାନେ । ତେଣୁ ସିଏ ବେହଦର ପିତା ହୋଇଗଲେ ନା । ବାବା କହୁଛନ୍ତି ପିଲାମାନେ, ତୁମେ ସୂର୍ଯ୍ୟବଂଶୀ ଦେବୀ ଦେବତା ପୂଜ୍ୟ ଥିଲ ପୁଣି ତୁମେ ପୂଜାରୀ ହୋଇଛ, ଏହା ରାବଣ ରାଜ୍ୟ । ପ୍ରତ୍ୟେକ ବର୍ଷ ରାବଣକୁ ଜଳାଉଛନ୍ତି, ତଥାପି ମଧ୍ୟ ରାବଣ ମରୁନାହିଁ । ୧୨ ମାସ ପରେ ପୁଣି ରାବଣକୁ ଜଳାଇଥା’ନ୍ତି ଅର୍ଥାତ୍ ପ୍ରମାଣିତ କରୁଛନ୍ତି ଯେ, ଆମେ ରାବଣ ସମ୍ପ୍ରଦାୟର ଅଟୁ, ରାବଣ ଅର୍ଥାତ୍ ୫ ବିକାରର ରାଜ୍ୟ ଯାହା ଏବେ ସ୍ଥାୟୀ ହୋଇ ରହିଛି । ସତ୍ୟଯୁଗରେ ସମସ୍ତେ ଶ୍ରେଷ୍ଠାଚାରୀ ଥିଲେ, ଏବେ କଳିଯୁଗୀ ପୁରୁଣା ଭ୍ରଷ୍ଟାଚାରୀ ଦୁନିଆ ହୋଇଯାଇଛି, ଏହି ଚକ୍ର ଏହିଭଳି ଘୂରିଚାଲିଛି । ବର୍ତ୍ତମାନ ତୁମେ ପ୍ରଜାପିତା ବ୍ରହ୍ମାବଂଶୀ ସଙ୍ଗମଯୁଗରେ ବସିଛ ତୁମ ବୁଦ୍ଧିରେ ଅଛି ଯେ, ଆମେ ବ୍ରାହ୍ମଣ ଅଟୁ, ଏବେ ଆଉ ଶୂଦ୍ର କୁଳର ନୋହୁଁ । ବର୍ତ୍ତମାନ ଆସୁରୀ ରାଜ୍ୟ ଚାଲିଛି । ସମସ୍ତେ ବାବାଙ୍କୁ ହେ ଦୁଃଖହର୍ତ୍ତା, ସୁଖକର୍ତ୍ତା ବୋଲି କହୁଛନ୍ତି । ତେବେ ସୁଖ କେଉଁଠାରେ ଅଛି? ସତ୍ୟଯୁଗରେ । ଦୁଃଖ କେଉଁଠି ଅଛି? ଦୁଃଖ ତ’ କଳିଯୁଗରେ ଅଛି । ଶିବବାବା ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି, ସିଏ ସୁଖର ହିଁ ବର୍ସା ଦେଉଛନ୍ତି । ସତ୍ୟଯୁଗକୁ ସୁଖଧାମ କୁହାଯାଉଛି । ସେଠାରେ ଦୁଃଖର ନାମ ହିଁ ନାହିଁ, ସେଠାରେ ତୁମର ଆୟୁଷ ମଧ୍ୟ ଅଧିକ ହେବ ତେଣୁ କାନ୍ଦିବାର କୌଣସି ଆବଶ୍ୟକତା ରହିବ ନାହିଁ । ଠିକ୍ ସମୟରେ ପୁରୁଣା ଶରୀର ଛାଡି ନୂଆ ନେବେ, ଜାଣିବେ ଯେ ଆମର ଶରୀର ଏବେ ବୃଦ୍ଧ ହେଲା । ପ୍ରଥମେ ପିଲା ସତ୍ତ୍ୱଗୁଣୀ ହୋଇଥାଏ ସେଥିପାଇଁ ପିଲାଙ୍କୁ ବ୍ରହ୍ମଜ୍ଞାନୀଠାରୁ ଉଚ୍ଚ ଭାବନ୍ତି, କାହିଁକି ନା ସିଏ ତ’ ପୁଣି ବିକାରୀ ଗୃହସ୍ଥୀରୁ ସନ୍ନ୍ୟାସୀ ହୋଇଥା’ନ୍ତି । ତେଣୁ ତାଙ୍କୁ ବିକାର ବିଷୟରେ ସମସ୍ତ କଥା ଜଣାଥାଏ । କିନ୍ତୁ ଛୋଟ ପିଲାମାନଙ୍କୁ ବିକାର ବିଷୟରେ କିଛି ଜଣା ନ ଥାଏ । ବର୍ତ୍ତମାନ ସାରା ଦୁନିଆରେ ଭ୍ରଷ୍ଠାଚାରୀ ରାବଣ ରାଜ୍ୟ ଚାଲିଛି । ସତ୍ୟଯୁଗରେ ଶ୍ରେଷ୍ଠାଚାରୀ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା, କିନ୍ତୁ ଏବେ ନାହିଁ । ପୁଣି ଥରେ ଇତିହାସର ପୁନରାବୃତ୍ତି ହେବ । ତେବେ ଶ୍ରେଷ୍ଠାଚାରୀ କିଏ କରିବ? ଏଠାରେ ତ’ ଜଣେ ହେଲେ ବି ଶ୍ରେଷ୍ଠାଚାରୀ ନାହାଁନ୍ତି । ଏଥିରେ ବୁଦ୍ଧି ବିଶାଳ ହେବା ଦରକାର । ଏହା ହେଲା ପାରସବୁଦ୍ଧି ହେବାର ଯୁଗ । ବାବା ଆସି ପଥରବୁଦ୍ଧିରୁ ପାରସବୁଦ୍ଧି କରୁଛନ୍ତି । କଥାରେ କୁହାଯାଏ ସଙ୍ଗ ଉଦ୍ଧାର କରେ କୁସଙ୍ଗ ବୁଡାଇମାରେ । ସତ୍ ବାବାଙ୍କ ବ୍ୟତୀତ ବାକି ଦୁନିଆ ହେଲା କୁସଙ୍ଗ । ବାବା କହୁଛନ୍ତି ମୁଁ ତୁମକୁ ସଂପୂର୍ଣ୍ଣ ନିର୍ବିକାରୀ କରାଇ ଯାଉଛି, ପୁଣି ତୁମକୁ ସମ୍ପୂର୍ଣ୍ଣ ବିକାରୀ କିଏ କରୁଛି? କହୁଛନ୍ତି ଆମେ କ’ଣ ଜାଣିଛୁ! ଆରେ ନିର୍ବିକାରୀ କିଏ କରୁଛି? ନିଶ୍ଚିତ ଭାବରେ ବାବା ହିଁ କରିବେ ନା । ବିକାରୀ କିଏ କରୁଛି? ଏ କଥା କେହି ଜାଣିନାହାନ୍ତି । ବାବା ଆସି ବୁଝାଉଛନ୍ତି, ମନୁଷ୍ୟମାନେ ତ’ କିଛି ବି ଜାଣିନାହାଁନ୍ତି । କାହିଁକିନା ଏହା ରାବଣରାଜ୍ୟ ଅଟେ । ଯଦି କାହାର ବାପା ମରିଯାଉଛନ୍ତି, ତେବେ ତାଙ୍କୁ ପଚାର କୁଆଡେ ଗଲେ? କହିବେ ସ୍ୱର୍ଗବାସୀ ହେଲେ । ଆଚ୍ଛା, ତେବେ ଏହାର ଅର୍ଥ ହେଲା ସିଏ ନର୍କରେ ଥିଲେ ନା । ତେଣୁ ତୁମେ ମଧ୍ୟ ନର୍କବାସୀ ଅଟ ନା । ଏହି କଥା ବୁଝାଇବା କେତେ ସହଜ । କିନ୍ତୁ ନିଜକୁ କେହି ବି ନର୍କବାସୀ ବୋଲି ଭାବୁନାହାଁନ୍ତି । ନର୍କକୁ ବେଶ୍ୟାଳୟ, ସ୍ୱର୍ଗକୁ ଶିବାଳୟ କୁହାଯାଏ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ତୁମେମାନେ ବିଶ୍ୱର ମାଲିକ ମହାରାଜା-ମହାରାଣୀ ଥିଲ, ପୁଣି ତୁମକୁ ପୁନର୍ଜନ୍ମ ନେବାକୁ ପଡିବ । ତୁମେ ସବୁଠାରୁ ଅଧିକ ପୁନର୍ଜନ୍ମ ନେଇଛ । ଏଥିପାଇଁ ହିଁ ଗାୟନ ରହିଛି - ଆତ୍ମା ପରମାତ୍ମା ଅଲଗ ରହେ ବହୁକାଲ । ତୁମର ମନେ ଅଛି ପ୍ରଥମେ ପ୍ରଥମେ ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମର ଆତ୍ମାମାନେ ହିଁ ଆସିଥିଲ ପୁଣି ୮୪ ଜନ୍ମ ନେଇ ପତିତ ହୋଇଛ, ପୁଣି ତୁମକୁ ପବିତ୍ର ହେବାକୁ ପଡିବ । ଡାକୁଛନ୍ତି ମଧ୍ୟ ପତିତ ପାବନ ଆସ, ତେଣୁ ସାର୍ଟିଫିକେଟ୍ ଦେଉଛନ୍ତି କି ଏକମାତ୍ର ପରମ ସତଗୁରୁ ଆସି ଆମକୁ ପବିତ୍ର କରୁଛନ୍ତି । ବାବା ନିଜେ କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀରରେ ଆସି ତୁମକୁ ପବିତ୍ର କରୁଛି । ବାକି ୮୪ ଲକ୍ଷ ଯୋନି ଆଦି ନାହିଁ । କେବଳ ୮୪ ଜନ୍ମ ନେଉଛନ୍ତି । ଏହି ଲକ୍ଷ୍ମୀ ନାରାୟଣଙ୍କର ପ୍ରଜାମାନେ ସତ୍ୟଯୁଗରେ ଥିଲେ, ଏବେ ନାହାଁନ୍ତି ତେବେ କୁଆଡେ ଗଲେ? ସେମାନଙ୍କୁ ମଧ୍ୟ ୮୪ ଜନ୍ମ ନେବାକୁ ପଡିବ । ଯିଏ ପ୍ରଥମ ନମ୍ବରରେ ଆସିଥା’ନ୍ତି ସିଏ ପୁଣି ପୁରା ୮୪ ଜନ୍ମ ନେଇଥା’ନ୍ତି । ତେଣୁ ସେହିମାନେ ହିଁ ପ୍ରଥମେ ଯିବା ଦରକାର । ଦେବୀ ଦେବତାମାନଙ୍କର ଇତିହାସର ପୁନରାବୃତ୍ତି ହେଉଛି । ତେଣୁ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜ୍ୟର ନିଶ୍ଚିତ ଭାବରେ ପୁନରାବୃତ୍ତି ହେବ । ବର୍ତ୍ତମାନ ବାବା ତୁମକୁ ଯୋଗ୍ୟ କରୁଛନ୍ତି । ତୁମେ କହୁଛ ଆମେ ଏହି ପାଠଶାଳା ଅଥବା ବିଶ୍ୱ ବିଦ୍ୟାଳୟକୁ ଆସିଛୁ, ଯେଉଁଠାରେ କି ଆମେ ନରରୁ ନାରାୟଣ ହେଉଛୁ । ଏହା ହିଁ ଆମର ଲକ୍ଷ୍ୟ-ଉଦ୍ଦେଶ୍ୟ ଅଟେ । ଯେଉଁମାନେ ଭଲ ଭାବରେ ପୁରୁଷାର୍ଥ କରିବେ ସେହିମାନେ ହିଁ ପାସ୍ କରିବେ । ଯେଉଁମାନେ ପୁରୁଷାର୍ଥ କରିବେ ନାହିଁ, ତେଣୁ କେହି ପ୍ରଜାରେ ବହୁତ ସାହୁକାର ହୋଇଥାଆନ୍ତି, କେହି କମ୍ । ବର୍ତ୍ତମାନ ରାଜଧାନୀ ସ୍ଥାପନ ହେଉଛି । ତୁମେମାନେ ଜାଣିଛ ଆମେ ଶ୍ରୀମତ ଆଧାରରେ ଶ୍ରେଷ୍ଠ ହେଉଛୁ । ଶ୍ରୀ ଶ୍ରୀ ଶିବବାବାଙ୍କର ମତରେ ଶ୍ରୀ ଲକ୍ଷ୍ମୀ ନାରାୟଣ ବା ଦେବୀ-ଦେବତା ହେଉଛୁ । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ । ବର୍ତ୍ତମାନ କାହାକୁ ଶ୍ରୀ ବୋଲି କୁହାଯାଇପାରିବ ନାହିଁ । କିନ୍ତୁ ଏଠାକୁ ଯିଏ ଆସୁଛନ୍ତି ସମସ୍ତଙ୍କୁ ଶ୍ରୀ କହିଦେଉଛନ୍ତି । ଶ୍ରୀ ଅମୁକ... ତେବେ ଦେବୀ ଦେବତାମାନଙ୍କ ବ୍ୟତୀତ ଆଉ କେହି ଶ୍ରେଷ୍ଠ ହୋଇପାରିବେ ନାହିଁ । ଭାରତ ଦିନେ ଶ୍ରେଷ୍ଠରୁ ଶ୍ରେଷ୍ଠ ଥିଲା । ରାବଣ ରାଜ୍ୟରେ ଭାରତର ମହିମା ହିଁ ସମାପ୍ତ କରିଦେଇଛନ୍ତି । ଭାରତର ବହୁତ ମହିମା ସହିତ ନିନ୍ଦା ମଧ୍ୟ କରୁଛନ୍ତି । ଭାରତ ବିଲ୍‌କୁଲ୍ ଧନବାନ୍ ଥିଲା, ଏବେ ବିଲ୍‌କୁଲ୍ କାଙ୍ଗାଳ ହୋଇଯାଇଛି । ଦେବତାମାନଙ୍କ ସମ୍ମୁଖକୁ ଯାଇ ସେମାନଙ୍କର ମହିମାର ଗାୟନ କରୁଛନ୍ତି - ଆମେ ନିର୍ଗୁଣ, ଆମ ପାଖରେ କୌଣସି ଗୁଣ ନାହିଁ । ଯଦିଓ ଏକଥା ଦେବତାମାନଙ୍କୁ କହୁଛନ୍ତି କିନ୍ତୁ ସେମାନେ କ’ଣ ଦୟାର ସାଗର ଥିଲେ କି! ଦୟାର ସାଗର ତ’ ଜଣଙ୍କୁ କୁହାଯାଉଛି, ଯିଏକି ମନୁଷ୍ୟରୁ ଦେବତା କରୁଛନ୍ତି । ବର୍ତ୍ତମାନ ସିଏ ତୁମର ପିତା, ଶିକ୍ଷକ, ସତଗୁରୁ ମଧ୍ୟ ଅଟନ୍ତି । ବାବା ଗ୍ୟାରେଣ୍ଟି ଦେଉଛନ୍ତି - ମୋତେ ମନେପକାଇଲେ ତୁମର ଜନ୍ମଜନ୍ମାନ୍ତରର ପାପ ଭସ୍ମ ହେବ ଏବଂ ମୁଁ ତୁମକୁ ସାଥିରେ ନେଇଯିବି । ପୁଣି ତୁମକୁ ନୂଆ ଦୁନିଆକୁ ମଧ୍ୟ ଯିବାକୁ ହେବ । ଏହା ୫ ହଜାର ବର୍ଷର ଚକ୍ର । ନୂଆ ଦୁନିଆ ଥିଲା ପୁଣି ଥରେ ନିଶ୍ଚିତ ଭାବରେ ଆସିବ । ଏହି ଦୁନିଆ ପୁଣି ଅପବିତ୍ର ହେବ ପୁଣି ବାବା ଆସି ଏହାକୁ ପବିତ୍ର କରିବେ । ବାବା କହୁଛନ୍ତି, ରାବଣ ପତିତ କରୁଛି, ମୁଁ ତୁମକୁ ପବିତ୍ର କରିବା ପାଇଁ ଆସିଛି, ବାକି ଏମାନେ ତ’ ଯେପରି କଣ୍ଢେଇମାନଙ୍କର ପୂଜା କରୁଛନ୍ତି, ସେମାନେ ଏକଥା ଜାଣିନାହାଁନ୍ତି ଯେ, ରାବଣକୁ ୧୦ଟି ମୁଣ୍ଡ ଥିବାର କାହିଁକି ଦେଖାଉଛନ୍ତି? ବିଷ୍ଣୁଙ୍କର ମଧ୍ୟ ୪ଟି ଭୂଜା ଥିବାର ଦେଖାଇଛନ୍ତି । କିନ୍ତୁ ଏଭଳି ମନୁଷ୍ୟ କେବେ କ’ଣ ହୋଇପାରିବେ, ଯଦି ୪ ଭୂଜା ବାଲା ମନୁଷ୍ୟ ଥା’ନ୍ତେ ତେବେ ତାଙ୍କଠାରୁ ଯେଉଁ ପିଲା ଜନ୍ମ ହୋଇଥା’ନ୍ତେ ସେମାନେ ମଧ୍ୟ ଏହିଭଳି ହେବା ଦରକାର । ଏଠାରେ ତ’ ସମସ୍ତଙ୍କର ଦୁଇଟି ଭୂଜା ରହିଛି । ତେଣୁ ଏମାନେ କିଛି ବି ଜାଣିନାହାଁନ୍ତି । କେବଳ ଭକ୍ତିମାର୍ଗର ଶାସ୍ତ୍ରକୁ କଣ୍ଠସ୍ଥ କରିଦେଇଛନ୍ତି । ସେମାନଙ୍କର କେତେକ ଶିଷ୍ୟ ହୋଇଯାଉଛନ୍ତି, ଏହା କେତେ ଚମତ୍କାର କଥା ନା । ଏଠାରେ ତ’ ବାବା ଜ୍ଞାନର ଅଧିକାରୀ ଅଟନ୍ତି । କୌଣସି ମନୁଷ୍ୟ ଜ୍ଞାନର ଅଧିକାରୀ ହୋଇପାରିବେ ନାହିଁ । କେବଳ ତୁମେ ହିଁ ମୋତେ ଜ୍ଞାନର ସାଗର ବୋଲି କହୁଛ - ସର୍ବଶକ୍ତିମାନ ଅଧିକାରୀ... ଏହା ହିଁ ବାବାଙ୍କର ମହିମା ଅଟେ । ତୁମେ ବାବାଙ୍କୁ ମନେପକାଇବା ଦ୍ୱାରା ବାବାଙ୍କଠାରୁ ଶକ୍ତି ନେଉଛ, ଯାହାଦ୍ୱାରା ବିଶ୍ୱର ମାଲିକ ହୋଇଯାଉଛ । ତୁମେମାନେ ଜାଣୁଛ, ଆମ ପାଖରେ ବହୁତ ଶକ୍ତି ଥିଲା, ଆମେ ନିର୍ବିକାରୀ ଥିଲୁ । ସାରା ବିଶ୍ୱ ଉପରେ ଏକାକୀ ରାଜତ୍ୱ କରୁଥିଲୁ ତେଣୁ ତାଙ୍କୁ ସର୍ବଶକ୍ତିମାନ କୁହାଯିବ ନା । ଏହି ଲକ୍ଷ୍ମୀ-ନାରାୟଣ ସାରା ବିଶ୍ୱର ମାଲିକ ଥିଲେ । ଏହି ଶକ୍ତି ତାଙ୍କୁ କେଉଁଠାରୁ ମିଳିଲା? ବାବାଙ୍କଠାରୁ । ବାବା ସର୍ବୋଚ୍ଚ ଭଗବାନ ଅଟନ୍ତି ନା । କେତେ ସହଜ ଭାବରେ ବୁଝାଉଛନ୍ତି । ଏହି ୮୪ ଜନ୍ମର ଚକ୍ରକୁ ବୁଝିବା ବହୁତ ସହଜ ନା । ଯାହାଦ୍ୱାରା ହିଁ ତୁମକୁ ରାଜତ୍ୱ ମିଳୁଛି । ପତିତମାନଙ୍କୁ ବିଶ୍ୱର ରାଜତ୍ୱ ମିଳିପାରିବ ନାହିଁ । ପତିତମାନେ ସେମାନଙ୍କ ପାଖରେ ମୁଣ୍ଡ ନୁଆଁଇଥା’ନ୍ତି । ଭାବୁଛନ୍ତି ଆମେ ତାଙ୍କର ଭକ୍ତ ଅଟୁ । ପବିତ୍ର ଦେବୀ-ଦେବତାମାନଙ୍କୁ ପ୍ରଣାମ କରୁଛନ୍ତି । ଭକ୍ତିମାର୍ଗ ମଧ୍ୟ ଅଧାକଳ୍ପ ଚାଲିଥାଏ । ବର୍ତ୍ତମାନ ତୁମକୁ ଭଗବାନ ମିଳିଛନ୍ତି । ଭଗବାନୁବାଚ - ମୁଁ ତୁମକୁ ରାଜଯୋଗ ଶିଖାଇ, ଭକ୍ତିର ଫଳ ଦେବା ପାଇଁ ଆସିଛି । ଗାୟନ ମଧ୍ୟ କରୁଛନ୍ତି ଭଗବାନ କୌଣସି ନା କୌଣସି ରୂପରେ ଆସିବେ । ବାବା କହୁଛନ୍ତି - ମୁଁ କ’ଣ କୌଣସି ବଳଦ ଗାଡିରେ ଆସିବି । ଯିଏ ସବୁଠାରୁ ଉଚ୍ଚ ଥିଲେ, ସିଏ ପୁଣି ୮୪ ଜନ୍ମ ପୁରା କରିଛନ୍ତି, ତାଙ୍କ ଶରୀରରେ ମୁଁ ଆସୁଛି । ସତ୍ୟଯୁଗରେ ହିଁ ଉତ୍ତମ ପୁରୁଷ ହୋଇଥା’ନ୍ତି, କଳିଯୁଗରେ ସମସ୍ତେ କନିଷ୍ଠ, ତମଃପ୍ରଧାନ ହୋଇଯାଇଛନ୍ତି । ଏବେ ତୁମେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ । ବାବା ଆସି ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କରୁଛନ୍ତି । ଏହା ଏକ ଖେଳ ଅଟେ, ଯଦି ଏହାକୁ ନ ବୁଝିବ ତେବେ ସ୍ୱର୍ଗକୁ କେବେ ଆସିପାରିବ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକମାତ୍ର ବାବାଙ୍କର ସଙ୍ଗ ଦ୍ୱାରା ନିଜକୁ ପାରସବୁଦ୍ଧି କରିବାକୁ ହେବ । ସଂପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡିବ । କୁସଙ୍ଗରୁ ଦୂରରେ ରହିବାକୁ ହେବ ।

(୨) ସର୍ବଦା ଏହି ଖୁସିରେ ରହିବାକୁ ହେବ ଯେ ଆମେ ସ୍ୱଦର୍ଶନ ଚକ୍ରଧାରୀରୁ ନୂଆ ଦୁନିଆର ମାଲିକ ଚକ୍ରବର୍ତ୍ତୀ ରାଜା ହେବାକୁ ଯାଉଛୁ । ଶିବବାବା ଆମକୁ ଜ୍ଞାନ ସୂର୍ଯ୍ୟବଂଶୀ କରିବା ପାଇଁ ଆସିଛନ୍ତି । ଏହା ହିଁ ଆମର ଲକ୍ଷ୍ୟ ଅଟେ ।

ବରଦାନ:-
ବିଘ୍ନ ଗୁଡିକୁ ମନୋରଞ୍ଚନର ଖେଳ ମନେ କରି ଅତିକ୍ରମ କରୁଥିବା ନିର୍ବିଘ୍ନ ବିଜୟୀ ଭବ ।

ବିଘ୍ନ ଆସିବା ମଧ୍ୟ ଏକ ଶୁଭ ଲକ୍ଷଣ ଅଟେ କିନ୍ତୁ ବିଘ୍ନ ତୁମକୁ ହରାଇ ନ ଦେଉ, କାରଣ ତୁମମାନଙ୍କୁ ମଜବୁତ କରିବା ପାଇଁ ହିଁ ବିଘ୍ନ ଆସିଥାଏ ସେଥିପାଇଁ ବିଘ୍ନକୁ ଦେଖି ଭୟଭୀତ ହେବା ପରିବର୍ତ୍ତେ ତାକୁ ମନୋରଞ୍ଚନର ଖେଳ ମନେ କରି ପାର ହୋଇଯାଅ - ତେବେ କୁହାଯିବ ନିର୍ବିଘ୍ନ ବିଜୟୀ । ଯେବେକି ସର୍ବଶକ୍ତିମାନ ବାବାଙ୍କର ସଂଗ ମିଳିଛି ତେଣୁ ଭୟଭୀତ ହେବା ଭଳି କୌଣସି କଥା ହିଁ ନାହିଁ । କେବଳ ବାବାଙ୍କୁ ମନେ ପକାଇବାରେ ଏବଂ ସେବାରେ ବ୍ୟସ୍ତ ରୁହ ତାହାହେଲେ ନିର୍ବିଘ୍ନ ହୋଇ ରହିପାରିବ । ଯେତେବେଳେ ବୁଦ୍ଧି ଖାଲି ରହିଥାଏ ସେତେବେଳେ ହିଁ ବିଘ୍ନ ବା ମାୟା ଆସିଥାଏ, ତେଣୁ ସର୍ବଦା ବ୍ୟସ୍ତ ରହିଲେ ମାୟା ହେଉ ବା ବିଘ୍ନ ହେଉ ଆପେ ଆପେ ଦୂରେଇ ଯିବେ ।

ସ୍ଲୋଗାନ:-
ସୁଖର ଖାତା ଜମା କରିବାକୁ ହେଲେ ମର୍ଯ୍ୟାଦାପୂର୍ବକ ହୃଦୟରୁ ସମସ୍ତଙ୍କୁ ସୁଖ ଦିଅ ।