05.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କୁ ସ୍ନେହର ସହିତ ମନେ ପକାଅ, ତେବେ ତୁମେ କୃତାର୍ଥ ହୋଇଯିବ, ପରମାତ୍ମାଙ୍କ ଦୃଷ୍ଟି ଦ୍ୱାରା କୃତାର୍ଥ ହେବା ଅର୍ଥାତ୍ ବିଶ୍ୱର ମାଲିକ ହୋଇଯିବା ।”

ପ୍ରଶ୍ନ:-
ନଜର୍ ସେ ନିହାଲ୍ କିନ୍ଦା ସ୍ୱାମୀ ସଦଗୁରୁ... ଏହାର ବାସ୍ତବିକ ଭାବାର୍ଥ କ’ଣ?

ଉତ୍ତର:-
ଆତ୍ମାକୁ ବାବାଙ୍କ ଦ୍ୱାରା ଯେତେବେଳେ ତୃତୀୟ ନେତ୍ର ମିଳୁଛି ଏବଂ ସେହି ନେତ୍ର ଦ୍ୱାରା ବାବାଙ୍କୁ ଜାଣିଯାଉଛି ସେତେବେଳେ ଆତ୍ମା କୃତାର୍ଥ ବା ଧନ୍ୟ ହୋଇଯାଉଛି ଅର୍ଥାତ୍ ସଦ୍‌ଗତି ମିଳିଯାଉଛି । ବାବା କହୁଛନ୍ତି - ସନ୍ତାନମାନେ, ତୁମେମାନେ ଦେହୀ-ଅଭିମାନୀ ହୋଇ ଦୃଷ୍ଟି ଦ୍ୱାରା ମୋ ସହିତ ସମ୍ବନ୍ଧ ଯୋଡ ଅର୍ଥାତ୍ ମୋତେ ମନେ ପକାଅ, ଅନ୍ୟମାନଙ୍କଠାରୁ ସମ୍ବନ୍ଧ ତୁଟାଇ ମନ ବୁଦ୍ଧିକୁ ମୋ ସହିତ ଲଗାଅ ତେବେ ବେହାଲ ଅର୍ଥାତ୍ କାଙ୍ଗାଳରୁ ନିହାଲ ଅର୍ଥାତ୍ ସାହୁକାର ହୋଇଯିବ ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ କାହା ନିକଟକୁ ଆସୁଛ? ଆତ୍ମିକ ପିତାଙ୍କ ନିକଟକୁ । ତୁମେମାନେ ଜାଣିଛ - ଆମେ ଶିବବାବାଙ୍କ ନିକଟକୁ ଯାଉଛୁ ଏବଂ ଏକଥା ମଧ୍ୟ ଜାଣିଛ ଯେ, ଶିବବାବା ହେଉଛନ୍ତି ସମସ୍ତ ଆତ୍ମାମାନଙ୍କର ପିତା । ଏକଥା ମଧ୍ୟ ନିଶ୍ଚୟ ରହିବା ଦରକାର ଯେ, ସିଏ ପରମ ଶିକ୍ଷକ ଏବଂ ପରମ ସଦ୍‌ଗୁରୁ ମଧ୍ୟ ଅଟନ୍ତି । ସୁପ୍ରିମକୁ ପରମ କୁହାଯାଏ । ତୁମକୁ ସେହି ଜଣଙ୍କୁ ହିଁ ମନେ ପକାଇବାକୁ ହେବ । ସିଏ ହିଁ ତୁମକୁ ଦୃଷ୍ଟି ଦେଉଛନ୍ତି । ଗାୟନ ମଧ୍ୟ ରହିଛି - ସଦ୍‌ଗୁରୁ ସ୍ୱାମୀ ନିଜର ଦୃଷ୍ଟି ଦ୍ୱାରା କୃତାର୍ଥ କରିଛନ୍ତି, ଏହାର ଅର୍ଥକୁ ଜାଣିବା ଦରକାର । ଦୃଷ୍ଟି ଦ୍ୱାରା କୃତାର୍ଥ ବା ଧନ୍ୟ କାହାକୁ କରିଛନ୍ତି । ନିଶ୍ଚିତ ଭାବରେ ସାରା ଦୁନିଆ ପାଇଁ କୁହାଯିବ କାରଣ ସିଏ ହେଉଛନ୍ତି ସମସ୍ତଙ୍କର ସଦ୍‌ଗତି ଦାତା । ସମସ୍ତଙ୍କୁ ଏହି ପତିତ ଦୁନିଆରୁ ନେଇ ଯାଉଛନ୍ତି । ତେବେ ଦୃଷ୍ଟି କାହାର? କ’ଣ ଏହି ଆଖିର । ନା । ଏବେ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । ଯାହାଦ୍ୱାରା ଆତ୍ମା ଜାଣୁଛି ଯେ, ସିଏ ହେଉଛନ୍ତି ଆମ ସମସ୍ତ ଆତ୍ମାମାନଙ୍କର ପିତା । ବାବା ଆତ୍ମାମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ, ତୁମେ ସମସ୍ତେ ମୋତେ ମନେ ପକାଅ । ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି ଆତ୍ମା ହିଁ ପତିତ ତମଃପ୍ରଧାନ ହୋଇଯାଇଛି । ଏବେ ଏହା ହେଉଛି ତୁମର ୮୪ ତମ ଜନ୍ମ, ଏହି ନାଟକ ଏବେ ପୁରା ହେବାକୁ ଯାଉଛି । ଏହି ନାଟକ ସମ୍ପୂର୍ଣ୍ଣ ମଧ୍ୟ ନିଶ୍ଚିତ ହେବା ଦରକାର । ପ୍ରତି କଳ୍ପରେ ଏହି ଦୁନିଆ ନୂଆରୁ ପୁରୁଣା ହୋଇଥାଏ ଏବଂ ତା’ର ନାମ ମଧ୍ୟ ଅଲଗା ଅଲଗା ରହିଥାଏ । ନୂଆ ଦୁନିଆର ନାମ ହେଉଛି ସତ୍ୟଯୁଗ । ବାବା ବୁଝାଉଛନ୍ତି, ପ୍ରଥମେ ତୁମେ ନୂଆ ଦୁନିଆରେ ଥିଲ, ପୁଣି ପୁନର୍ଜନ୍ମ ନେଇ ନେଇ ୮୪ ଜନ୍ମ ଅତିକ୍ରମ କରିଛ, ତେଣୁ ତୁମ ଆତ୍ମା ତମଃପ୍ରଧାନ ହୋଇଯାଇଛି । ଏବେ ଯଦି ତୁମେ ବାବାଙ୍କୁ ମନେ ପକାଇବ ତେବେ କୃତାର୍ଥ ହୋଇଯିବ । ବାବା ତୁମ ସମ୍ମୁଖକୁ ଆସି କହୁଛନ୍ତି, ମୋତେ ମନେ ପକାଅ, ମୁଁ କିଏ ? ମୁଁ ହେଉଛି ପରମପିତା ପରମାତ୍ମା । ବାବା କହୁଛନ୍ତି - ତୁମେ ଦେହୀ-ଅଭିମାନୀ ହୋଇ ରୁହ, ଦେହ-ଅଭିମାନୀ ନୁହେଁ । ଆତ୍ମ-ଅଭିମାନୀ ହୋଇ ତୁମେ ମୋ ସହିତ ବୁଦ୍ଧିଯୋଗ ଲଗାଅ ତେବେ ତୁମେ କୃତାର୍ଥ ହୋଇଯିବ । ସବୁବେଳେ ବାବାଙ୍କୁ ମନେ ପକାଉଥାଅ । ଏଥିରେ କୌଣସି କଷ୍ଟ ନାହିଁ । ଏଠାରେ ଆତ୍ମା ହିଁ ପାଠ ପଢିଥାଏ, ଆତ୍ମା ହିଁ ଅଭିନୟ କରିଥାଏ । ଆତ୍ମା କେତେ ଛୋଟ । ଯେତେବେଳେ ଏଠାକୁ ଆସିଥାଏ ସେତେବେଳେ ୮୪ ଜନ୍ମର ଅଭିନୟ କରିଥାଏ । ପୁଣି ସେହି ଅଭିନୟର ପୁନରାବୃତ୍ତି କରିବାକୁ ପଡିଥାଏ । ଆତ୍ମା ୮୪ ଜନ୍ମର ଅଭିନୟ କରି ପତିତ ହୋଇଯାଏ । ଏବେ ଆତ୍ମାରେ କୌଣସି ଶକ୍ତି ନାହିଁ । ଆତ୍ମା ଏବେ ସମ୍ପନ୍ନ ନୁହେଁ, ଆତ୍ମା ବେହାଲ ଅର୍ଥାତ୍ କାଙ୍ଗାଳ ହୋଇଯାଇଛି । ପୁଣି ସମ୍ପନ୍ନ କିପରି ହେବ? ଏହି ଶବ୍ଦ ହେଉଛି ଭକ୍ତିମାର୍ଗର ଶବ୍ଦ ଯାହା ଉପରେ ବାବା ବୁଝାଉଛନ୍ତି । ବେଦ, ଶାସ୍ତ୍ର, ଦେବତାମାନଙ୍କ ଚିତ୍ର ଉପରେ ମଧ୍ୟ ବାବା ବୁଝାଉଛନ୍ତି । ତୁମେମାନେ ଏହି ଚିତ୍ର ସବୁ ଶ୍ରୀମତ ଅନୁସାରେ ତିଆରି କରିଛ । ଆସୁରୀ ମତ ଅନୁସାରେ ତ ଅନେକ ମୂର୍ତ୍ତି ତିଆରି କରିଛନ୍ତି । ତାହା ତ ମାଟି ଏବଂ ପଥରର ମୂର୍ତ୍ତି । ତା’ର କୌଣସି ଜୀବନ କାହାଣୀ ନାହିଁ । ଏଠାରେ ବାବା ଆସି ରାଜଯୋଗର ପାଠ ପଢାଉଛନ୍ତି । ଭଗବାନୁବାଚ ରହିଛି ତେଣୁ ତାହା ତାଙ୍କର ଜ୍ଞାନ ହୋଇଗଲା । ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ଜାଣିଥା’ନ୍ତି ଯେ, ଇଏ ହେଉଛନ୍ତି ଆମର ଅମୁକ ଶିକ୍ଷକ । ତୁମେମାନେ ଜାଣିଛ, ବେହଦର ବାବା ଏଠାକୁ ଥରେ ମାତ୍ର ଆସି ଏହି ଚମତ୍କାର ପାଠ ପଢାଉଛନ୍ତି । ଏହି ପାଠପଢା ଏବଂ ସେ ପାଠପଢା ଭିତରେ ରାତି ଦିନର ପାର୍ଥକ୍ୟ ରହିଛି । ସେହି ପାଠ ପଢି ପଢି ବେହଦର ରାତ୍ରି ହୋଇଯାଉଛି, କିନ୍ତୁ ଏହି ପାଠପଢା ଦ୍ୱାରା ଦିନ ହୋଇଯାଉଛି । ସେ ପାଠପଢା ତ ଜନ୍ମ ଜନ୍ମାନ୍ତର ପଢି ଆସିଛ । ଏଠାରେ ତ ବାବା ସ୍ପଷ୍ଟ ରୂପେ ବୁଝାଉଛନ୍ତି, ଆତ୍ମା ଯେତେବେଳେ ପବିତ୍ର ହେବ, ସେତେବେଳେ ଯାଇ ଧାରଣା ହେବ । କୁହାଯାଏ ଯେ, ବାଘୁଣୀର କ୍ଷୀର କେବଳ ସୁନା ପାତ୍ରରେ ହିଁ ରହିପାରିବ । ତୁମେମାନେ ବୁଝିପାରୁଛ ଯେ, ଏବେ ଆମେ ସୁନାର ପାତ୍ର ହେଉଛୁ ଅର୍ଥାତ୍ ଆମର ବୁଦ୍ଧି ରୂପି ପାତ୍ର ପବିତ୍ର ହେଉଛି । ତେବେ ମନୁଷ୍ୟମାନେ ତ ହେବେ ନା । ଆତ୍ମାକୁ ସମ୍ପୂର୍ଣ୍ଣ ପବିତ୍ର କରିବାକୁ ହେବ । ଆତ୍ମା ୨୪ କ୍ୟାରେଟ ସୁନା ଥିଲା ଏବେ ୯ କ୍ୟାରେଟ୍ ହୋଇଯାଇଛି । ଆତ୍ମାର ଜ୍ୟୋତି ଜାଗ୍ରତ ହୋଇ ରହିଥିଲା ଏବେ ଲିଭିଯାଇଛି । ଜାଗ୍ରତ ଜ୍ୟୋତି ଏବଂ ଲିଭିଯାଇଥିବା ଜ୍ୟୋତି ଭିତରେ ବହୁତ ପାର୍ଥକ୍ୟ ରହିଛି । ଜ୍ୟୋତି କିପରି ଜାଗ୍ରତ ହେଉଛି ଏବଂ ପଦର ପ୍ରାପ୍ତି କିପରି ହେଉଛି - ତାହା ବାବା ବୁଝାଉଛନ୍ତି । ବାବା କହୁଛନ୍ତି - ତୁମେମାନେ ମୋତେ ମନେ ପକାଅ । ଯେଉଁମାନେ ମୋତେ ଭଲ ଭାବରେ ମନେ ପକାଇବେ ସେହିମାନଙ୍କୁ ମୁଁ ମଧ୍ୟ ବହୁ‌ତ ଭଲ ଭାବରେ ମନେ ପକାଇବି । ଏକଥା ମଧ୍ୟ ତୁମେମାନେ ଜାଣିଛ ଯେ ଦୃଷ୍ଟି ଦ୍ୱାରା ସାହୁକାର କେବଳ ବାବା ହିଁ କରିଥା’ନ୍ତି । ଏହାଙ୍କର (ବ୍ରହ୍ମାବାବାଙ୍କର) ଆତ୍ମା ମଧ୍ୟ ସମ୍ପନ୍ନ ହେଉଛି । ତୁମେ ସମସ୍ତେ ହେଉଛ ପତଙ୍ଗ ଏବଂ ବାବା ହେଉଛନ୍ତି ପରମ ଜ୍ୟୋତି । କେହି କେହି ପତଙ୍ଗ କେବଳ ଚାରିପାଖରେ ଘୂରିବା ପାଇଁ ଆସିଥାଆନ୍ତି । କେହି କେହି ଭଲ ଭାବରେ ଜାଣିଯାଆନ୍ତି, ତେଣୁ ବଞ୍ଚି ଥାଉ ଥାଉ ମରିଯାଆନ୍ତି । କେହି କେହି ପୁଣି ଚାରିପାଖରେ ଘୂରି ଘୂରି ଚାଲିଯାଆନ୍ତି । ପୁଣି କେବେ କେବେ ଆସନ୍ତି, ପୁଣି ଚାଲିଯା’ନ୍ତି । ତେବେ ଏସବୁ ହେଉଛି ଏହି ସଂଗମଯୁଗର ଗାୟନ । ବର୍ତ୍ତମାନ ଯାହା କିଛି ବି ହେଉଛି ତାହା ହିଁ ପୁଣି ଶାସ୍ତ୍ରରେ ବର୍ଣ୍ଣିତ ହେଉଛି । ବାବା କଳ୍ପରେ କେବଳ ଥରେ ମାତ୍ର ଆସିଥା’ନ୍ତି ଏବଂ ସତ୍ୟଯୁଗୀ ସମ୍ପତ୍ତି ଦେଇ ଚାଲିଯାଆନ୍ତି । ତେବେ ବେହଦର ବାବା ନିଶ୍ଚିତ ଭାବରେ ବେହଦର ସମ୍ପତ୍ତି ଦେବେ ନା । ୨୧ ପିଢିର ମଧ୍ୟ ଗାୟନ ରହିଛି । ସତ୍ୟଯୁଗରେ ସମ୍ପତ୍ତି କିଏ ଦେବେ? ରଚୟିତା ଭଗବାନ ପରମପିତା ପରମାତ୍ମା ହିଁ ନିଜ ରଚନାକୁ ଅଧା କଳ୍ପ ପାଇଁ ସମ୍ପତ୍ତି ଦେଉଛନ୍ତି । ସେଥିପାଇଁ ସମସ୍ତେ ତାଙ୍କୁ ହିଁ ମନେ ପକାଉଛନ୍ତି । ସିଏ ପିତା ମଧ୍ୟ ତ ଶିକ୍ଷକ ବି ଏବଂ ସ୍ୱାମୀ ସଦଗୁରୁ ବି ଅଟନ୍ତି । ଯଦିଓ ତୁମେ ଅନ୍ୟ କାହାକୁ ବି ସ୍ୱାମୀ ସଦ୍‌ଗୁରୁ କହୁଛ କିନ୍ତୁ ସତ୍ୟ ତ ଏକ ପରମପିତା ପରମାତ୍ମା ହିଁ ଅଟନ୍ତି ନା । ସତ୍ୟ ସର୍ବଦା ଏକମାତ୍ର ପିତା ପରମାତ୍ମାଙ୍କୁ ହିଁ କୁହାଯାଏ । ସେହି ସତ୍ୟ ପିତା ଆସି ଏଠାରେ କ’ଣ କରୁଛନ୍ତି? ସିଏ ହିଁ ଆସି ପୁରୁଣା ଦୁନିଆକୁ ନୂଆ ଦୁନିଆ ଅର୍ଥାତ୍ ସତ୍ୟ ଦୁନିଆର ସ୍ଥାପନା କରୁଛନ୍ତି । ଆମେ ସେହି ସତ୍ୟ ଭୂଖଣ୍ଡ ପାଇଁ ପୁରୁଷାର୍ଥ କରୁଛୁ । ଯେତେବେଳେ ଏଠାରେ ସତ୍ୟ ଭୂଖଣ୍ଡ ଥିଲା ସେତେବେଳେ ଅନ୍ୟ କୌଣସି ଭୂଖଣ୍ଡ ନ ଥିଲା । ସେ ସବୁ ପରେ ଆସୁଛନ୍ତି । ସେହି ସତ୍ୟ ଦୁନିଆ ସମ୍ବନ୍ଧରେ କେହି ବି କିଛି ଜାଣି ନାହାଁନ୍ତି । ବାକି ବର୍ତ୍ତମାନ ଯେଉଁ ସବୁ ଭୂଖଣ୍ଡ ରହିଛି ସେ ସବୁକୁ ସମସ୍ତେ ଜାଣିଛନ୍ତି । ସମସ୍ତେ ନିଜ ନିଜର ଧର୍ମସ୍ଥାପକମାନଙ୍କୁ ଜାଣିଛନ୍ତି । କିନ୍ତୁ ସୂର୍ଯ୍ୟବଂଶ, ଚନ୍ଦ୍ରବଂଶ ଏବଂ ଏହି ସଂଗମଯୁଗୀ ବ୍ରାହ୍ମଣ କୂଳକୁ କେହି ହେଲେ ଜାଣିନାହାଁନ୍ତି । ପ୍ରଜାପିତା ବ୍ରହ୍ମାଙ୍କୁ ସମସ୍ତେ ମାନୁଛନ୍ତି, କହୁଛନ୍ତି ଆମେ ବ୍ରାହ୍ମଣମାନେ ବ୍ରହ୍ମାଙ୍କର ବଂଶାବଳୀ ଅଟୁ । କିନ୍ତୁ ସେମାନେ ହେଲେ କୋଳ ବଂଶାବଳୀ ଏବଂ ତୁମେମାନେ ମୁଖ ବଂଶାବଳୀ । ସେମାନେ ହେଉଛନ୍ତି ଅପବିତ୍ର, ତୁମେ ମୁଖ ବଂଶାବଳୀ ପବିତ୍ର । ତୁମେ ମୁଖ ବଂଶାବଳୀ ହୋଇ ପୁଣି ଏହି ବିକାରୀ ରାବଣ ଦୁନିଆରୁ ଚାଲିଯାଉଛ । ସେଠାରେ ଏହି ରାବଣର ରାଜ୍ୟ ରହିବ ନାହିଁ । ଏବେ ତୁମେମାନେ ନୂଆ ଦୁନିଆକୁ ଯାଉଛ । ସେହି ଦୁନିଆକୁ ପବିତ୍ର ଦୁନିଆ କୁହାଯାଉଛି । ଦୁନିଆ ଗୋଟିଏ କିନ୍ତୁ ତାହା ନୂଆରୁ ପୁରୁଣା ହେଉଛି ଏବଂ କିପରି ହେଉଛି ତାହା ମଧ୍ୟ ତୁମେମାନେ ଜାଣିଛ । ଅନ୍ୟ କାହା ବୁଦ୍ଧିରେ ଏ ସବୁ କଥା ନାହିଁ । ଲକ୍ଷ ଲକ୍ଷ ବର୍ଷର କଥାକୁ ତ କେହି ବି ଜାଣିପାରିବେ ନାହିଁ । କିନ୍ତୁ ଏହା ତ କମ୍ ସମୟର କଥା । ଏ ସମ୍ବନ୍ଧରେ ବାବା ତୁମମାନଙ୍କୁ ବୁଝାଉଛନ୍ତି ।

ବାବା କହୁଛନ୍ତି - ମୁଁ ସେତେବେଳ ଆସେ ଯେତେବେଳେ ବିଶେଷ ଭାବରେ ଭାରତରେ ଧର୍ମଗ୍ଲାନି ହୋଇଥାଏ । ଅନ୍ୟ ସ୍ଥାନମାନଙ୍କରେ ତ କେହି ଜାଣି ହିଁ ନାହାଁନ୍ତି ଯେ, ନିରାକାର ପରମାତ୍ମା କାହାକୁ କୁହାଯାଉଛି । କେବଳ ବଡ ବଡ ଲିଙ୍ଗ ଆକୃତି କରି ଦେଇଛନ୍ତି । ତୁମମାନଙ୍କୁ ବାବା ବୁଝାଉଛନ୍ତି - ଆତ୍ମାର ଆକୃତି କେବେ ଛୋଟ ବଡ ହୋଇ ନ ଥାଏ । ଯେପରି ଆତ୍ମା ଅବିନାଶୀ ସେହିପରି ବାବା ମଧ୍ୟ ଅବିନାଶୀ କିନ୍ତୁ ସିଏ ହେଉଛନ୍ତି ପରମଆତ୍ମା । ପରମ ଅର୍ଥାତ୍ ଯିଏ ସଦା ପବିତ୍ର ଏବଂ ନିର୍ବିକାରୀ । ତୁମେ ଆତ୍ମାମାନେ ମଧ୍ୟ ନିର୍ବିକାରୀ ଥିଲ ଏବଂ ଦୁନିଆ ମଧ୍ୟ ନିର୍ବିକାରୀ ଥିଲା । ସେମାନଙ୍କୁ ହିଁ ସମ୍ପୂର୍ଣ୍ଣ ନିର୍ବିକାରୀ ବୋଲି କୁହାଯାଉଛି । ନୂଆ ଦୁନିଆ ପୁଣି ପୁରୁଣା ହୋଇଥାଏ ଏବଂ ଧୀରେ ଧୀରେ କଳା କମି କମି ଯାଏ । ଚନ୍ଦ୍ରବଂଶୀ ରାଜ୍ୟରେ ଦୁଇକଳା କମ ହୋଇଯାଏ ପୁଣି ଧୀରେ ଧୀରେ ଦୁନିଆ ପୁରୁଣା ହୋଇଯାଏ । ପରେ ପୁଣି ଅନ୍ୟ ସବୁ ଭୂଖଣ୍ଡକୁ ଆତ୍ମାମାନେ ଆସିବାକୁ ଲାଗନ୍ତି । ଏହାକୁ ମୂଳ ନାଟକର ବାଇପ୍ଲଟ୍ ଅର୍ଥାତ୍ ଶାଖା କୁହାଯାଏ କିନ୍ତୁ ସେମାନେ ମୂଳନାଟକ ସହିତ ଯୋଡି ହୋଇଯାଆନ୍ତି । ତେବେ ଡ୍ରାମା ଅନୁସାରେ ଯାହା କିଛି ବି ହେଉଛି ତାହାର ପୁଣି ବି ପୁନରାବୃତ୍ତି ହେବ । ଯେପରି ବୌଦ୍ଧଧର୍ମର ଯଦି କେହି ବଡ ଗୁରୁ ଆସୁଛନ୍ତି ତେବେ କେତେ ଲୋକଙ୍କୁ ନିଜ ଧର୍ମକୁ ନେଇଯାଉଛନ୍ତି । ହିନ୍ଦୁମାନେ ନିଜେ ହିଁ ନିଜର ଧର୍ମକୁ ପରିବର୍ତ୍ତନ କରିଦେଉଛନ୍ତି କାରଣ କର୍ମଭ୍ରଷ୍ଟ ହେବା ଦ୍ୱାରା ଧର୍ମ ମଧ୍ୟ ଭ୍ରଷ୍ଟ ହୋଇଯାଉଛି । ସମସ୍ତେ ବାମମାର୍ଗକୁ ଚାଲିଯାଉଛନ୍ତି । ଜଗନ୍ନାଥ ମନ୍ଦିରକୁ ମଧ୍ୟ ଯାଉଛନ୍ତି କିନ୍ତୁ କାହାର କିଛି ବିଚାର ଚାଲୁ ନାହିଁ । ନିଜେ ବିକାରୀ ହୋଇଯାଉଛନ୍ତି, ତେଣୁ ସେମାନଙ୍କୁ ମଧ୍ୟ ବିକାରୀ ରୂପେ ଦେଖାଇ ଦେଉଛନ୍ତି । ଏ କଥା ବୁଝୁନାହାଁନ୍ତି ଯେ ଦେବତାମାନେ ଯେତେବେଳେ ବାମମାର୍ଗକୁ ଯାଉଛନ୍ତି ସେତେବେଳେ ବିକାରୀ ହୋଇଯାଉଛନ୍ତି । ଏସବୁ ଚିତ୍ର ହେଉଛି ସେହି ସମୟର । ଦେବତା ନାମ ତ ବହୁତ ଭଲ । ହିନ୍ଦୁ ତ ହିନ୍ଦୁସ୍ଥାନର ନାମ ଅଟେ । କିନ୍ତୁ ସେମାନେ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି । ଏହା କେତେ ବଡ ଭୁଲ୍ । ସେଥିପାଇଁ ବାବା କହୁଛନ୍ତି - ଯଦା ଯଦା ହିଁ ଧର୍ମସ୍ୟ.... । ବାବା ଭାରତରେ ଆସୁଛନ୍ତି । ଏପରି କେବେ ବି କହୁନାହାଁନ୍ତି ଯେ, ମୁଁ ହିନ୍ଦୁସ୍ଥାନରେ ଆସୁଛି । ଏହାର ନାମ ହେଉଛି ଭାରତ, ହିନ୍ଦୁସ୍ଥାନ, ହିନ୍ଦୁ ଧର୍ମ ନୁହେଁ । ମୁସଲମାନମାନେ ଏହାର ନାମ ହିନ୍ଦୁସ୍ଥାନ ରଖି ଦେଇଛନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏହି ସବୁ କଥାକୁ ବହୁତ ଭଲ ଭାବରେ ବୁଝିବା ଦରକାର । ଏହା ମଧ୍ୟ ଜ୍ଞାନ ଅଟେ । ପୁନର୍ଜନ୍ମ ନେଇ ନେଇ, ବାମମାର୍ଗରେ ଆସି ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି ପୁଣି ସେହିମାନଙ୍କ ସମ୍ମୁଖକୁ ଯାଇ କହୁଛନ୍ତି ଯେ, ଆପଣ ସର୍ବଗୁଣ ସମ୍ପନ୍ନ, ମୁଁ ବିକାରୀ ପାପୀ, ଅନ୍ୟ କୌଣସି ଦେଶରେ ଏଭଳି କହି ନ ଥା’ନ୍ତି ଯେ, ଆମେ ବିକାରୀ ପାପୀ ଅଟୁ, ଏଭଳି କହିବା କେବେ ଶୁଣି ନ ଥିବ । ଶିଖ ଧର୍ମର ଲୋକମାନେ ମଧ୍ୟ ନିଜର ଧର୍ମ ଗ୍ରନ୍ଥ ସମ୍ମୁଖରେ ବସୁଛନ୍ତି କିନ୍ତୁ ସେମାନେ ଏଭଳି କେବେ ବି କୁହନ୍ତି ନାହିଁ ଯେ, ଗୁରୁ ନାନକ ଆପଣ ନିର୍ବିକାରୀ ଆମେ ସମସ୍ତେ ବିକାରୀ । ନାନକ ପନ୍ଥୀମାନେ ହାତରେ କଙ୍କଣ ପିନ୍ଧନ୍ତି ଏବଂ ତାହା ହେଉଛି ନିର୍ବିକାରୀ ପଣିଆର ପ୍ରତୀକ । କିନ୍ତୁ ସେମାନେ ବିକାର ବିନା ରହିପାରନ୍ତି ନାହିଁ । କେବଳ ମିଥ୍ୟା ପ୍ରତୀକ ଭାବରେ କଙ୍କଣ ପିନ୍ଧି ଦେଇଛନ୍ତି । ଯେପରି ହିନ୍ଦୁମାନେ ପଇତା ପିନ୍ଧନ୍ତି, ଏହା ହେଉଛି ପବିତ୍ରତାର ପ୍ରତୀକ । କିନ୍ତୁ ଏବେ ତ ଧର୍ମକୁ ମଧ୍ୟ ମାନୁ ନାହାଁନ୍ତି । ବର୍ତ୍ତମାନ ତ ଭକ୍ତିମାର୍ଗ ଚାଲୁଛି, ଏହାକୁ କୁହାଯାଉଛି ଭକ୍ତିମାର୍ଗ । ସତ୍ୟଯୁଗୀ ଦେବତାମାନେ ହେଲେ ସମ୍ପୂର୍ଣ୍ଣ ନିର୍ବିକାରୀ । କଳିଯୁଗରେ କେହି ହେଲେ ବି ନିର୍ବିକାରୀ ହୋଇପାରିବେ ନାହିଁ । ପ୍ରବୃତ୍ତି ମାର୍ଗର ସ୍ଥାପନା ତ କେବଳ ବାବା ହିଁ କରିଥା’ନ୍ତି । ବାକି ସମସ୍ତେ ହେଉଛନ୍ତି ଭକ୍ତିମାର୍ଗର ଗୁରୁ । ସେମାନେ ତାଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି । ବାବା କହୁଛନ୍ତି, ଯାହା କିଛି ବି ତୁମେମାନେ ପଢିଛ ତାଦ୍ୱାରା ମୁଁ ତୁମମାନଙ୍କୁ ପ୍ରାପ୍ତ ହୁଏ ନାହିଁ । ମୁଁ ଯେତେବେଳେ ଏଠାକୁ ଆସେ ସେତେବେଳେ ସମସ୍ତଙ୍କୁ ଦୃଷ୍ଟି ଦ୍ୱାରା କୃତାର୍ଥ କରିଦିଏ । ସେଥିପାଇଁ ଗାୟନ ମଧ୍ୟ ରହିଛି - ନଜର୍ ସେ ନିହାଲ୍ କିନ୍ଦା ସ୍ୱାମୀ ସତ୍‌ଗୁରୁ । ଶିବବାବା ନିଜର ଦୃଷ୍ଟି ଦ୍ୱାରା ପିଲାମାନଙ୍କୁ କୃତାର୍ଥ କରୁଛନ୍ତି । ଏଠାକୁ ତୁମେ କାହିଁକି ଆସିଛ? କୃତାର୍ଥ ହେବା ପାଇଁ, ବିଶ୍ୱର ମାଲିକ ହେବା ପାଇଁ, ତେଣୁ ବାବାଙ୍କୁ ମନେ ପକାଅ ତେବେ କୃତାର୍ଥ ହୋଇଯିବ । ଅନ୍ୟ କେହି ହେଲେ କେବେ ବି ଏଭଳି କହିବେ ନାହିଁ ଯେ, ତୁମେମାନେ ଏଭଳି କଲେ ଏହିଭଳି ହୋଇଯିବ । କେବଳ ବାବା ହିଁ କହୁଛନ୍ତି ତୁମେ ଏହିଭଳି ହେବ । ଏମାନେ ଲକ୍ଷ୍ମୀ-ନାରାୟଣ କିପରି ହେଲେ? କାହାକୁ ବି ଜଣା ନାହିଁ? ବାବା ତୁମମାନଙ୍କୁ ସବୁକିଛି କହୁଛନ୍ତି, ଏମାନେ ୮୪ ଜନ୍ମ ନେଇ ପତିତ ହୋଇଯାଇଛନ୍ତି ପୁଣି ତୁମମାନଙ୍କୁ ଏହିଭଳି କରିବା ପାଇଁ ମୁଁ ଏଠାକୁ ଆସିଛି ।

ବାବା ନିଜର ପରିଚୟ ମଧ୍ୟ ଦେଉଛନ୍ତି ଏବଂ ଦୃଷ୍ଟି ଦ୍ୱାରା କୃତାର୍ଥ ମଧ୍ୟ କରୁଛନ୍ତି । ଏହି କଥା କାହା ପାଇଁ କୁହାଯାଇଥାଏ । ଏକମାତ୍ର ସଦ୍‌ଗୁରୁଙ୍କ ପାଇଁ । ଆଉ ସବୁ ଗୁରୁ ତ ବହୁତ ଅଛନ୍ତି ଏବଂ ମାତାମାନେ ତ ବିଚାରୀ ଅବଳା ଏବଂ ଭୋଳା ଅଟନ୍ତି । ତୁମେମାନେ ମଧ୍ୟ ଭୋଳାନାଥଙ୍କର ସନ୍ତାନ ଅଟ । ଶଙ୍କରଙ୍କ ପାଇଁ କୁହାଯାଏ ଆଖି ଖୋଲିବା ମାତ୍ରକେ ତ ବିନାଶ ହୋଇଗଲା । ତେବେ ଏହା ତ ପାପ ହୋଇଗଲା ନା । ବାବା କେବେ ବି ଏଭଳି କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇ ନ ଥା’ନ୍ତି । ବିନାଶ ତ ଅନ୍ୟ କୌଣସି ଜିନିଷ ଦ୍ୱାରା ହେବ ନା । ବାବା ଏଭଳି ନିର୍ଦ୍ଦେଶ ଦେଇ ନ ଥା’ନ୍ତି । ଏସବୁ ତ ବିଜ୍ଞାନର ଉଦ୍ଭାବନା, ସେମାନେ ଜାଣିଛନ୍ତି ଆମେ ନିଜର କୁଳର ବିନାଶ ନିଜେ ହିଁ କରୁଛୁ । ସେମାନେ ମଧ୍ୟ ଏହି କର୍ତ୍ତବ୍ୟ କରିବା ପାଇଁ ବନ୍ଧାୟମାନ ଅଟନ୍ତି । ଏସବୁକୁ ଛାଡି ପାରିବେ ନାହିଁ । ସେମାନଙ୍କର ନାମ କେତେ ପ୍ରସିଦ୍ଧ ହେଉଛି । ଚନ୍ଦ୍ରପୃଷ୍ଠକୁ ମଧ୍ୟ ଯାଉଛନ୍ତି କିନ୍ତୁ ତା’ଦ୍ୱାରା କିଛି ଲାଭ ହେଉନାହିଁ ।

ମିଠା ମିଠା ସନ୍ତାନମାନେ, ତୁମେମାନେ ମଧ୍ୟ ବାବାଙ୍କଠାରୁ ଦୃଷ୍ଟି ନିଅ ଅଥବା ହେ ଆତ୍ମା, ନିଜର ପିତାଙ୍କୁ ମନେ ପକାଅ ତେବେ ସମ୍ପନ୍ନ ହୋଇଯିବ । ବାବା କହୁଛନ୍ତି - ଯେଉଁମାନେ ମୋତେ ମନେ ପକାଇଥା’ନ୍ତି ସେମାନଙ୍କୁ ମୁଁ ମଧ୍ୟ ମନେ ପକାଇଥାଏ । ଯେଉଁମାନେ ମୋର ସେବା କରନ୍ତି, ମୁଁ ମଧ୍ୟ ସେମାନଙ୍କୁ ମନେ ପକାଇଥାଏ ତେଣୁ ସେମାନଙ୍କୁ ଶକ୍ତି ମିଳିଥାଏ । ଯେଉଁମାନେ ଏଠାରେ ବସିଛନ୍ତି ସେହିମାନେ ସମ୍ପନ୍ନ ହୋଇଯିବେ ଏବଂ ସେମାନେ ରାଜା ହୋଇଯିବେ । ଗାୟନ ମଧ୍ୟ ରହିଛି ଅନ୍ୟ ସାଙ୍ଗ ଛାଡି ଏକଙ୍କ ସହିତ ସଙ୍ଗ କର । ସିଏ ହେଉଛନ୍ତି ଏକମାତ୍ର ନିରାକାର ବାବା, ସିଏ କହୁଛନ୍ତି, ମୋତେ ମନେ ପକାଅ । ତୁମେମାନେ ମଧ୍ୟ କହୁଛ ହେ ପତିତ-ପାବନ.... ଏକଥା କାହାକୁ କହୁଛ? ବ୍ରହ୍ମାଙ୍କୁ, ବିଷ୍ଣୁଙ୍କୁ ନା ଶଙ୍କରଙ୍କୁ? ନା । ପତିତ-ପାବନ ତ ଜଣେ ହିଁ ଅଟନ୍ତି । ସିଏ ସର୍ବଦା ପବିତ୍ର । ତାଙ୍କୁ ହିଁ ସର୍ବଶକ୍ତିମାନ୍ ବୋଲି କୁହାଯାଉଛି । ବାବା ହିଁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି, ଅନ୍ୟ ସମସ୍ତେ ଶାସ୍ତ୍ର ଇତ୍ୟାଦିକୁ ଜାଣିଛନ୍ତି । ସନ୍ନ୍ୟାସୀମାନେ ଶାସ୍ତ୍ର ପଢି ପଢି ଉପାଧି ନେଉଛନ୍ତି । କିନ୍ତୁ ବାବାଙ୍କୁ ତ ପ୍ରଥମରୁ ହିଁ ଉପାଧି ମିଳିଛି । ତାଙ୍କୁ କ’ଣ ଶାସ୍ତ୍ର ପଢି ଉପାଧି ନେବାକୁ ହେବ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବଞ୍ଚି ଥାଉ ଥାଉ ପରମାତ୍ମ ଜ୍ୟୋତି ଉପରେ ସ୍ୱାହା ହେଉଥିବା ପତଙ୍ଗ ହେବାକୁ ପଡିବ, କେବଳ ଅଗ୍ନି ଚାରି ପାଖରେ ଘୁରି ଘୁରି ଫେରିଯାଉଥିବା ପତଙ୍ଗ ନୁହେଁ ।

(୨) ଅନ୍ୟ ସବୁ ସଙ୍ଗ ଛାଡି ଏକମାତ୍ର ବାବାଙ୍କ ସାଙ୍ଗରେ ରହିବାକୁ ହେବ । ଏକମାତ୍ର ବାବାଙ୍କର ସ୍ମୃତି ଦ୍ୱାରା ନିଜକୁ କୃତାର୍ଥ କରିବାକୁ ହେବ ।

ବରଦାନ:-
ଆନ୍ତରିକ ହୃଦ୍‌ବୋଧ ଦ୍ୱାରା ଦିଲାରାମ ବାବାଙ୍କର ଆଶୀର୍ବାଦ ପ୍ରାପ୍ତ କରୁଥିବା ସ୍ୱ-ପରିବର୍ତ୍ତକ ଭବ ।

ନିଜକୁ ପରିବର୍ତ୍ତନ କରିବା ପାଇଁ ସଚ୍ଚା ହୃଦୟରେ ଦୁଇଟି କଥାକୁ ହୃଦ୍‌ବୋଧ କରିବା ନିହାତି ଦରକାର - ଗୋଟିଏ ହେଲା ନିଜର ଦୋଷ-ଦୁର୍ବଳତାଗୁଡିକୁ ହୃଦ୍‌ବୋଧ କରିବା ଏବଂ ଦ୍ୱିତୀୟରେ ଯେଉଁଭଳି ପରିସ୍ଥିତି ବା ବ୍ୟକ୍ତି ନିମିତ୍ତ ହେଉଛନ୍ତି ସେମାନଙ୍କର ଇଚ୍ଛା ଏବଂ ମନର ଭାବନାକୁ ହୃଦ୍‌ବୋଧ କରିବା । ପରିସ୍ଥିତି ରୂପୀ ପରୀକ୍ଷାର କାରଣକୁ ଜାଣି ନିଜକୁ ସେଥିରେ ଉତ୍ତୀର୍ଣ୍ଣ ହେବାର ଶ୍ରେଷ୍ଠ ସ୍ୱରୂପର ହୃଦ୍‌ବୋଧ ହେବା ଉଚିତ୍ ଯେ ମୋର ସ୍ୱସ୍ଥିତି ଶ୍ରେଷ୍ଠ ଅଟେ, ପରିସ୍ଥିତି ମୋ ପାଇଁ ପରୀକ୍ଷା ଅଟେ - ଏହିଭଳି ହୃଦ୍‌ବୋଧ ହିଁ ସହଜରେ ପରିବର୍ତ୍ତନ କରାଇ ଦେଇଥାଏ ଏବଂ ସଚ୍ଚା ହୃଦୟର ସହିତ ଯଦି ହୃଦ୍‌ବୋଧ କରିନେଲ ତେବେ ଦିଲାରାମ ବାବାଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଯିବ ।

ସ୍ଲୋଗାନ:-
ଯେଉଁମାନେ ସର୍ବଦା ପ୍ରସ୍ତୁତ ରହିଥାଆନ୍ତି ଏବଂ ପ୍ରତ୍ୟେକ କାର୍ଯ୍ୟରେ ଜୀ ହଦୁର କହି ହାଜିର ରହିଥାଆନ୍ତି ସେହିମାନେ ହିଁ ବାବାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଅଟନ୍ତି ।