06.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯେଉଁମାନେ ଶ୍ରୀମତ ଅନୁସାରେ ଭଲ ଭାବରେ ସେବା କରୁଛନ୍ତି ସେହିମାନଙ୍କୁ ହିଁ ରାଜତ୍ୱର ପୁରସ୍କାର ମିଳୁଛି, ତୁମେ ପିଲାମାନେ ଏବେ ବାବାଙ୍କର ସହଯୋଗୀ ହୋଇଛ ସେଥିପାଇଁ ତୁମକୁ ବହୁତ ବଡ ପୁରସ୍କାର ମିଳୁଛି ।”

ପ୍ରଶ୍ନ:-
ବାବାଙ୍କର ଜ୍ଞାନର ନୃତ୍ୟ କେଉଁ ପିଲାମାନଙ୍କ ସମ୍ମୁଖରେ ବହୁତ ଭଲ ହୋଇଥାଏ?

ଉତ୍ତର:-
ଯେଉଁମାନଙ୍କର ଜ୍ଞାନ ଆହରଣ କରିବାର ବହୁତ ସଉକ ଅଛି, ଯେଉଁମାନଙ୍କର ଯୋଗର ନିଶା ରହିଛି, ସେମାନଙ୍କ ସମ୍ମୁଖରେ ବାବାଙ୍କର ଜ୍ଞାନର ନୃତ୍ୟ ଅର୍ଥାତ୍ ଜ୍ଞାନ ଶୁଣାଇବା ବହୁତ ଭଲ ହେଉଛି । ଏହା ଏକ ବିଚିତ୍ର ପାଠଶାଳା, ଏଠାରେ ବିଦ୍ୟାର୍ଥୀମାନେ କ୍ରମାନୁସାରେ ଅଛନ୍ତି । କେତେକଙ୍କ ଭିତରେ ତ ଟିକିଏ ବି ଜ୍ଞାନ ନାହିଁ, କେବଳ ଭାବନା ରହିଛି, ସେମାନେ ସେହି ଭାବନା ଆଧାରରେ ମଧ୍ୟ ସମ୍ପତ୍ତିର ଅଧିକାରୀ ହୋଇଯାଉଛନ୍ତି ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନଙ୍କୁ ଆତ୍ମିକ ବାବା ବୁଝାଉଛନ୍ତି, ଏହାକୁ ହିଁ ଆତ୍ମିକ ଜ୍ଞାନ ଅଥବା ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ । ଆଧ୍ୟାତ୍ମିକ ଜ୍ଞାନ ଏକମାତ୍ର ବାବାଙ୍କଠାରେ ଥାଏ ଆଉ କୌଣସି ମନୁଷ୍ୟମାନଙ୍କଠାରେ ନ ଥାଏ । ଆତ୍ମିକ ଜ୍ଞାନ କେବଳ ଜଣେ ହିଁ ଦେଇଥା’ନ୍ତି, ଯାହାଙ୍କୁ ଜ୍ଞାନର ସାଗର କୁହାଯାଏ । ପ୍ରତ୍ୟେକ ମନୁଷ୍ୟଙ୍କ ଭିତରେ ନିଜ ନିଜର ବିଶେଷତା ରହିଥାଏ ନା । ଯେମିତି ବାରିଷ୍ଟର, ବାରିଷ୍ଟର ଅଟନ୍ତି । ଡାକ୍ତର, ଡାକ୍ତର ଅଟନ୍ତି । ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବା ଅଭିନୟ ଅଲଗା ଅଲଗା । ପ୍ରତ୍ୟେକ ଆତ୍ମାକୁ ନିଜ ନିଜର ଅଭିନୟ ମିଳିଛି ଏବଂ ତାହା ମଧ୍ୟ ଅବିନାଶୀ ଅଟେ । କେତେ ଛୋଟିଆ ଆତ୍ମାରେ ଏତେ ସବୁ ଅଭିନୟ ଭରି ହୋଇ ରହିଛି । କେତେ ଆଶ୍ଚର୍ଯ୍ୟର କଥା ନା । ଗାୟନ ମଧ୍ୟ କରୁଛନ୍ତି - ଭ୍ରୃକୁଟୀ ମଝିରେ ଚମକୁଛି ଅଜବ ତାରକା.... ଏପରି ମଧ୍ୟ ଗାୟନ ହେଉଛି ଯେ ନିରାକାର ଆତ୍ମାର ଏହି ଶରୀର ହେଉଛି ସିଂହାସନ । ଆତ୍ମା ବହୁତ ଛୋଟ ବିନ୍ଦୁ ସ୍ୱରୂପ । ସମସ୍ତ ଆତ୍ମା ଜଣେ ଜଣେ ଅଭିନେତା ଅଟନ୍ତି । ଗୋଟିଏ ଜନ୍ମର ଚେହେରା ଏବଂ ଅଭିନୟ ଅନ୍ୟ ଜନ୍ମର ଚେହେରା ବା ଅଭିନୟ ସହିତ ମିଶିପାରିବ ନାହିଁ । କାହାକୁ ମଧ୍ୟ ଜଣା ନାହିଁ ଯେ, ଆମେ ଅତୀତରେ କ’ଣ ଥିଲୁ ପୁଣି ଭବିଷ୍ୟତରେ କ’ଣ ହେବୁ । ଏ କଥା ବାବା ସଂଗମଯୁଗରେ ଆସି ବୁଝାଉଛନ୍ତି । ଅମୃତବେଳାରେ ତୁମେ ପିଲାମାନେ ଯେତେବେଳେ ଯୋଗରେ ବସୁଛ ସେତେବେଳେ ଲିଭିଯାଇଥିବା ଆତ୍ମା ପ୍ରଜ୍ୱଳିତ ହୋଇଯାଉଛି କାରଣ ଆତ୍ମାରେ ବହୁତ କଳଙ୍କି ଲାଗି ରହିଛି । ବାବା ବଣିଆର କାମ ମଧ୍ୟ କରୁଛନ୍ତି । ପତିତ ଆତ୍ମା ଅର୍ଥାତ୍ ଯେଉଁମାନଙ୍କ ଆତ୍ମା ରୂପି ସୁନାରେ ଖାଦ ମିଶ୍ରିତ ହୋଇଯାଇଛି ବାବା ସେମାନଙ୍କୁ ପବିତ୍ର କରୁଛନ୍ତି । ଖାଦ ତ ପଡୁଛି ନା । ଚାନ୍ଦି, ତମ୍ବା, ଲୁହା ଏହିପରି ନାମ ସବୁ ଖାଦର ରହିଛି ନା । ସ୍ୱର୍ଣ୍ଣିମ ଯୁଗ, ରୌପ୍ୟ ଯୁଗ... ସତ୍ତ୍ୱପ୍ରଧାନ, ସତ୍ତ୍ୱ, ରଜଃ, ତମଃ.... ଏହି କଥା କୌଣସି ମନୁଷ୍ୟ ଅଥବା ଗୁରୁମାନେ ବୁଝାଇପାରିବେ ନାହିଁ । ଏକଥା ଏକମାତ୍ର ସତଗୁରୁ ହିଁ ବୁଝାଇ ପାରିବେ । ସତଗୁରୁଙ୍କର ଅକାଳ ତଖତ୍ କୁହାଯାଏ ନା । ସତଗୁରୁଙ୍କୁ ମଧ୍ୟ ସିଂହାସନ ଆବଶ୍ୟକ ନା । ଯେପରି ତୁମ ଆତ୍ମାମାନଙ୍କର ନିଜ ନିଜର ଭ୍ରୃକୁଟୀ ସିଂହାସନ ଅଛି ସେହିପରି ତାଙ୍କୁ ମଧ୍ୟ ସିଂହାସନ ନେବାକୁ ପଡୁଛି । ସିଏ କହୁଛନ୍ତି ମୁଁ କେଉଁ ସିଂହାସନ ନେଉଛି - ଏକଥା ଦୁନିଆରେ କାହାକୁ ଜଣାନାହିଁ । ସେମାନେ ତ ନେତି ନେତି କହି ଆସୁଛନ୍ତି । କହୁଛନ୍ତି ଆମେ ଜାଣିନାହୁଁ । ତୁମେ ପିଲାମାନେ ମଧ୍ୟ କହୁଛ - ପ୍ରଥମେ ଆମେମାନେ ମଧ୍ୟ କିଛି ଜାଣିନଥିଲୁ । ଯିଏ କିଛି ବି ବୁଝିପାରୁନାହାଁନ୍ତି ତାଙ୍କୁ ବୁଦ୍ଧିହୀନ କୁହାଯାଏ । ଭାରତବାସୀ ଭାବୁଛନ୍ତି ଆମେ ପୂର୍ବରୁ ବହୁତ ବୁଦ୍ଧିବାନ ଥିଲୁ । ବିଶ୍ୱର ରାଜ୍ୟଭାଗ୍ୟ ଆମ ହାତରେ ଥିଲା କିନ୍ତୁ ଏବେ ଅଜ୍ଞାନୀ ହୋଇଯାଇଛୁ । ବାବା କହୁଛନ୍ତି - ଯଦିଓ ତୁମେମାନେ ଶାସ୍ତ୍ର ଆଦି ପଢିଛ, ଏବେ ସେସବୁକୁ ଭୁଲିଯାଅ । କେବଳ ଏକମାତ୍ର ବାବାଙ୍କୁ ମନେ ପକାଅ । ଗୃହସ୍ଥ ବ୍ୟବହାରରେ ବି ଭଲେ ରୁହ । ସନ୍ନ୍ୟାସୀମାନଙ୍କର ଅନୁଗାମୀମାନେ ମଧ୍ୟ ନିଜ ନିଜର ଘରେ ହିଁ ରହିଥା’ନ୍ତି ନା । କେହି କେହି ପ୍ରକୃତ ଅନୁଗାମୀ ହୋଇଥା’ନ୍ତି ଯେଉଁମାନେ କି ତାଙ୍କ ସାଥୀରେ ରହିଥା’ନ୍ତି । ବାକି ଅନ୍ୟମାନେ କିଏ କେଉଁଠି ତ ଆଉ କିଏ କେଉଁଠି ରହିଥା’ନ୍ତି । ତେବେ ଏସବୁ କଥା ବାବା ଆସି ବୁଝାଉଛନ୍ତି । ଏହାକୁ କୁହାଯାଏ ଜ୍ଞାନର ନୃତ୍ୟ । ଯୋଗ ତ ହେଉଛି ନିରବତା । ଜ୍ଞାନର ହିଁ ନୃତ୍ୟ ହୋଇଥାଏ । ଯୋଗରେ ତ ବିଲ୍‌କୁଲ୍ ଶାନ୍ତ ହୋଇ ବସିବାକୁ ପଡେ । ତାକୁ ସମ୍ପୂର୍ଣ୍ଣ ନିରବତା କୁହାଯାଏ । ତିନି ମିନିଟ୍ ସମ୍ପୂର୍ଣ୍ଣ ନିରବରେ ରହିବା ପାଇଁ କୁହାଯାଏ । କିନ୍ତୁ ଏହାର ଅର୍ଥକୁ ମଧ୍ୟ କେହି ଜାଣନ୍ତି ନାହିଁ । ସନ୍ନ୍ୟାସୀମାନେ ଶାନ୍ତି ପାଇବା ପାଇଁ ଜଙ୍ଗଲକୁ ଚାଲିଯାଉଛନ୍ତି କିନ୍ତୁ ସେଠାରେ ତ ଶାନ୍ତି ମିଳିପାରିବ ନାହିଁ । ଗୋଟିଏ କାହାଣୀ ମଧ୍ୟ ଅଛି - ରାଣୀଙ୍କ ହାର ଗଳାରେ ପଡିଛି କିନ୍ତୁ ସିଏ ଖୋଜିବାରେ ଲାଗିଛନ୍ତି.... ଏହି ଉଦାହରଣ ଶାନ୍ତି ପାଇଁ ଦିଆଯାଇଛି । ବାବା ବର୍ତ୍ତମାନ ସମୟରେ ଯେଉଁ ସବୁ କଥା ବୁଝାଉଛନ୍ତି ସେହି ସବୁ କଥା ଭକ୍ତିମାର୍ଗରେ ଦୃଷ୍ଟାନ୍ତ ରୂପରେ ପ୍ରଚଳିତ ହୋଇ ଆସୁଛି । ବାବା ବର୍ତ୍ତମାନ ସମୟରେ ଆସି ପୁରୁଣା ଦୁନିଆକୁ ପରିବର୍ତ୍ତନ କରି ନୂଆ ଦୁନିଆ କରୁଛନ୍ତି । ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ କରୁଛନ୍ତି । ଏ କଥା ତ ତୁମେମାନେ ବୁଝିପାରୁଛ । ବାକି ଏହି ଦୁନିଆ ତମୋପ୍ରଧାନ ପତିତ ହୋଇଯାଇଛି କାହିଁକି ନା ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି । ଦେବତାମାନେ ତ ବିକାରରୁ ଜନ୍ମ ନିଅନ୍ତି ନାହିଁ । ତାକୁ କୁହାଯାଏ ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ । ଦୁନିଆରେ ସମସ୍ତେ ଭାଇସ୍‌ଲେସ୍ ୱାର୍ଲଡ ଅର୍ଥାତ୍ ନିର୍ବିକାରୀ ଦୁନିଆ କହୁଛନ୍ତି କିନ୍ତୁ ତା’ର ଅର୍ଥକୁ କେହି ବି ବୁଝି ନାହାଁନ୍ତି । ତୁମେମାନେ ହିଁ ପୂଜ୍ୟରୁ ପୂଜାରୀ ହୋଇଛ । ବାବାଙ୍କ ପାଇଁ କେବେ ଏହିଭଳି କୁହାଯାଏ ନାହିଁ କାରଣ ବାବା କେବେ ପୂଜାରୀ ହୁଅନ୍ତି ନାହିଁ । ମନୁଷ୍ୟମାନେ ତ ପରମାତ୍ମା କୋଣ ଅନୁକୋଣରେ ଅଛନ୍ତି ବୋଲି କହିଦେଉଛନ୍ତି । ତେଣୁ ବାବା କହୁଛନ୍ତି - ଭାରତରେ ଯେତେବେଳେ ଧର୍ମର ଅଧିକ ଗ୍ଲାନୀ ହେଉଛି ସେତେବେଳେ ମୁଁ ଆସୁଛି.... । ଦୁନିଆରେ ମନୁଷ୍ୟ ତ କେବଳ ଶ୍ଲୋକ ପଢୁଛନ୍ତି କିନ୍ତୁ ଅର୍ଥ କିଛି ବି ଜାଣିନାହାଁନ୍ତି । ସେମାନେ ଭାବୁଛନ୍ତି ଶରୀର ହିଁ ପତିତ ହେଉଛି, ଆତ୍ମା ହେଉନାହିଁ ।

ବାବା କହୁଛନ୍ତି - ପ୍ରଥମେ ଆତ୍ମା ପତିତ ହେଉଛି ତେଣୁ ଶରୀର ମଧ୍ୟ ପତିତ ହୋଇଯାଉଛି । ଯେପରି ସୁନାରେ ଖାଦ ମିଶିଥିଲେ ଅଳଙ୍କାର ମଧ୍ୟ ସେହିପରି ଖାଦ ମିଶା ହୋଇଥାଏ । କିନ୍ତୁ ସେ ସବୁ ଭକ୍ତିମାର୍ଗରେ ହୋଇଥାଏ । ବାବା ବୁଝାଉଛନ୍ତି - ପ୍ରତ୍ୟେକଙ୍କ ଭିତରେ ଆତ୍ମା ବିରାଜମାନ ହୋଇଛି । ସେଥିପାଇଁ ଜୀବ ଆତ୍ମା ବୋଲି କୁହାଯାଏ, ଜୀବ ପରମାତ୍ମା ନୁହେଁ । ମହାନ୍ ଆତ୍ମା କୁହାଯାଏ, ମହାନ ପରମାତ୍ମା କୁହାଯାଏ ନାହିଁ । ଆତ୍ମା ହିଁ ଭିନ୍ନ ଭିନ୍ନ ଶରୀର ନେଇ ଏଠାରେ ଅଭିନୟ କରୁଛି । ଯୋଗ ସମ୍ପୂର୍ଣ୍ଣ ନିରବରେ କରାଯାଏ । ପୁଣି ଏଠାରେ ଜ୍ଞାନର ନୃତ୍ୟ ହେଉଛି । ବାବାଙ୍କର ଜ୍ଞାନର ନୃତ୍ୟ ସେହିମାନଙ୍କ ସମ୍ମୁଖରେ ହେବ ଯେଉଁମାନେ ଜ୍ଞାନର ପିପାସୁ ହୋଇଥିବେ । ବାବା ଜାଣିଛନ୍ତି - କାହାର କେତେ ଜ୍ଞାନ ଅଛି, କେତେ ଯୋଗର ନିଶା ରହିଛି । ଶିକ୍ଷକ ତ ଜାଣୁଥିବେ ନା । ବାବା ମଧ୍ୟ ଜାଣିଛନ୍ତି କିଏ-କିଏ ଭଲ ଗୁଣବାନ୍ ସନ୍ତାନ । ଭଲ ଭଲ ପିଲାମାନଙ୍କୁ ହିଁ ଭାଷଣ କରିବା ପାଇଁ ଅନେକ ସ୍ଥାନରୁ ଡାକରା ଆସିଥାଏ । ପିଲାମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି । ପ୍ରଜା ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ହେଉଛନ୍ତି । ଏହା ସ୍କୁଲ୍ ଅଥବା ପାଠଶାଳା ଅଟେ ନା । ପାଠଶାଳାରେ ସର୍ବଦା ବିଦ୍ୟାର୍ଥୀମାନେ କ୍ରମାନୁସାରେ ବସିଥା’ନ୍ତି । ଶିକ୍ଷକ ଜାଣିଥା’ନ୍ତି ଯେ - ଅମୁକ ବିଦ୍ୟାର୍ଥୀ ବହୁତ ବୁଦ୍ଧିମାନ, ଅମୁକ ମଧ୍ୟମ ଧରଣର । ଏଠାରେ ତ ଏହା ବେହଦର କ୍ଲାସ୍‌, ଏଥିରେ କାହାକୁ କ୍ରମାନୁସାରେ ବସାଯାଇ ପାରିବ ନାହିଁ । ବାବା ଜାଣିଛନ୍ତି ମୋ ସମ୍ମୁଖରେ ଯିଏ ବସିଛନ୍ତି ତାଙ୍କ ଭିତରେ କିଛି ବି ଜ୍ଞାନ ନାହିଁ । କେବଳ ଭାବନା ରହିଛି । ବାକି ନା ଜ୍ଞାନ ଅଛି ନା ଯୋଗ କରୁଛନ୍ତି । କେବଳ ଏତିକି ନିଶ୍ଚୟ ଅଛି - ଇଏ ହେଉଛନ୍ତି ବାବା, ୟାଙ୍କଠାରୁ ଆମକୁ ସମ୍ପତ୍ତି ନେବାକୁ ହେବ । ସମ୍ପତ୍ତି ତ ସମସ୍ତଙ୍କୁ ମିଳିବ । କିନ୍ତୁ ରାଜତ୍ୱରେ କ୍ରମାନୁସାରେ ପଦ ରହିଛି । ଯେଉଁମାନେ ବହୁତ ଭଲ ସେବା କରୁଛନ୍ତି ସେମାନଙ୍କୁ ବହୁତ ଭଲ ଭଲ ପୁରସ୍କାର ମିଳୁଛି । ଦୁନିଆରେ ତ ସମସ୍ତଙ୍କୁ ପୁରସ୍କାର ଦେଉଛନ୍ତି, ଯିଏ ରାୟ ଦେଉଛନ୍ତି, ଯିଏ ପରିଶ୍ରମ କରୁଛନ୍ତି, ସମସ୍ତଙ୍କୁ ପୁରସ୍କାର ମିଳିଯାଉଛି । ଏବେ ତୁମେ ଜାଣୁଛ ଯେ, ବିଶ୍ୱରେ ପ୍ରକୃତ ଶାନ୍ତି କିପରି ହେବ? ବାବା କହିଛନ୍ତି - ସେମାନଙ୍କୁ ପ୍ରଥମେ ପଚାର ଯେ ବିଶ୍ୱରେ ଶାନ୍ତି କେବେ ଥିଲା? କେବେ ଶୁଣିଛ ବା ଦେଖିଛ? ତୁମେ କେଉଁ ପ୍ରକାରର ଶାନ୍ତି ମାଗୁଛ? ତାହା କେବେ ଥିଲା? ତୁମେ ପ୍ରଶ୍ନ ପଚାରିପାରିବ, କାହିଁକି ନା ତୁମେମାନେ ଜାଣିଛ, ଯିଏ ପ୍ରଶ୍ନ ପଚାରେ କିନ୍ତୁ ନିଜେ ଜାଣି ନ ଥାଏ ତେବେ ତାଙ୍କୁ କ’ଣ କୁହାଯାଏ? ତୁମେମାନେ ଖବରକାଗଜ ମାଧ୍ୟମରେ ପଚାର ଯେ, ତୁମେ କେଉଁ ପ୍ରକାର ଶାନ୍ତି ମାଗୁଛ? ଶାନ୍ତିଧାମ ସବୁ ଆତ୍ମାମାନଙ୍କର ରହିବାର ସ୍ଥାନ । ବାବା କହୁଛନ୍ତି - ପ୍ରଥମେ ଶାନ୍ତିଧାମକୁ ମନେ ପକାଅ, ଦ୍ୱିତୀୟରେ ସୁଖଧାମକୁ ମନେ ପକାଅ । ମନୁଷ୍ୟମାନଙ୍କ ପାଖରେ ସୃଷ୍ଟିଚକ୍ରର ପୂରା ଜ୍ଞାନ ନ ଥିବା କାରଣରୁ କେତେ କାହାଣୀ ଇତ୍ୟାଦି ବନାଇ ଦେଇଛନ୍ତି ।

ତୁମେ ପିଲାମାନେ ଜାଣିଛ, ଆମେ ଦ୍ୱିମୁକୁଟଧାରୀ ହେଉଛୁ । ଆମେମାନେ ପୂର୍ବରୁ ଦେବତା ଥିଲୁ, ଏବେ ପୁଣି ମନୁଷ୍ୟ ହୋଇଛୁ । ଦେବତାମାନଙ୍କୁ ଦେବତା କୁହାଯାଏ, ମନୁଷ୍ୟମାନଙ୍କୁ ନୁହେଁ କାହିଁକି ନା ସେମାନେ ଦୈବୀ ଗୁଣଧାରୀ ଅଟନ୍ତି ନା । ଯାହାଙ୍କ ଭିତରେ ଅବଗୁଣ ରହିଛି ସେମାନେ କହୁଛନ୍ତି - ମୁଁ ନିର୍ଗୁଣ ମୋ ପାଖରେ କୌଣସି ଗୁଣ ନାହିଁ । ଶାସ୍ତ୍ର ଗୁଡିକରୁ ଯେଉଁ କଥା ସବୁ ଶୁଣିଛନ୍ତି ତା’ର କେବଳ ଗାୟନ କରୁଛନ୍ତି - ଅଚ୍ୟୁତମ୍ କେଶବମ୍‌.... । ଯେପରି ଶୁଆକୁ ଶିଖାଇଥା’ନ୍ତି । କହୁଛନ୍ତି, ବାବା ଆସି ଆମମାନଙ୍କୁ ପବିତ୍ର କର । ବାସ୍ତବରେ ବ୍ରହ୍ମଲୋକକୁ ଦୁନିଆ କୁହାଯିବ ନାହିଁ । ସେଠାରେ ତୁମେ ଆତ୍ମାମାନେ ରହୁଛ । ବାସ୍ତବରେ ଆତ୍ମା ଏହି ଦୁନିଆରେ ହିଁ ଅଭିନୟ କରିଥାଏ । ତାହା ହେଉଛି ଶାନ୍ତିଧାମ । ବାବା ବୁଝାଉଛନ୍ତି - ମୁଁ ଆସି ତୁମମାନଙ୍କୁ ନିଜର ପରିଚୟ ଦେଉଛି । ମୁଁ ତାଙ୍କ ଶରୀରରେ ଆସୁଛି ଯିଏକି ନିଜର ଜନ୍ମକୁ ମଧ୍ୟ ଜାଣିନାହାଁନ୍ତି । ସିଏ ମଧ୍ୟ ଏବେ ଶୁଣୁଛନ୍ତି । ମୁଁ ୟାଙ୍କ ଶରୀରରେ ପ୍ରବେଶ କରୁଛି । ଏହା ପୁରୁଣା ପତିତ ଦୁନିଆ, ରାବଣର ଦୁନିଆ । ଯିଏ ପ୍ରଥମ ନମ୍ବର ପବିତ୍ର ଥିଲେ ସିଏ ପୁଣି ଶେଷ ନମ୍ବରରେ ଅଛନ୍ତି, ଏବେ ସମ୍ପୂର୍ଣ୍ଣ ପତିତ ହୋଇ ଯାଇଛନ୍ତି । ମୁଁ ତାଙ୍କୁ ନିଜର ରଥ କରୁଛି । ପ୍ରଥମ ଆତ୍ମା ହିଁ ଶେଷ ଅବସ୍ଥାରେ ଆସି ପହଞ୍ଚିଛନ୍ତି । ପୁଣି ତାଙ୍କୁ ହିଁ ପ୍ରଥମରେ ଯିବାକୁ ହେବ । ଚିତ୍ରରେ ମଧ୍ୟ ବୁଝାଯାଇଛି - ବ୍ରହ୍ମା ଦ୍ୱାରା ମୁଁ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି । ଏମିତି ତ କହୁନାହାଁନ୍ତି ଯେ, ମୁଁ ଦେବୀ-ଦେବତା ଧର୍ମରେ ଆସୁଛି । ମୁଁ ଯେଉଁ ଶରୀରରେ ପ୍ରବେଶ କରୁଛି ସିଏ ଯାଇ ନାରାୟଣ ହେଉଛନ୍ତି । ବିଷ୍ଣୁ ଆଉ କେହି ନୁହଁନ୍ତି, ସିଏ ହିଁ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ ଅଥବା ରାଧା-କୃଷ୍ଣଙ୍କ ଯୋଡି । ତେବେ ବିଷ୍ଣୁ କିଏ - ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ସବୁ ବେଦ, ଶାସ୍ତ୍ର, ଚିତ୍ର ଇତ୍ୟାଦିର ରହସ୍ୟକୁ ବୁଝାଉଛି । ମୁଁ ଯାହାଙ୍କ ଶରୀରରେ ପ୍ରବେଶ କରୁଛି ସିଏ ହିଁ ଏହିଭଳି ହେଉଛନ୍ତି । ତାହା ମଧ୍ୟ ପ୍ରବୃତ୍ତି ମାର୍ଗ ଅଟେ ନା । ଏହି ବ୍ରହ୍ମା ସରସ୍ୱତୀ ହିଁ ସେଠାରେ ପୁଣି ସେହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ମୁଁ ଏହି ବ୍ରହାଙ୍କ ଶରୀରରେ ପ୍ରବେଶ କରି ବ୍ରାହ୍ମଣମାନଙ୍କୁ ଜ୍ଞାନ ଦେଉଛି । ତେଣୁ ଏହି ବ୍ରହ୍ମା ମଧ୍ୟ ଶୁଣୁଛନ୍ତି । ଇଏ ପ୍ରଥମେ ଶୁଣୁଛନ୍ତି ଯିଏକି ବଡ ନଦୀ ବ୍ରହ୍ମପୁତ୍ର । ମେଳା ମଧ୍ୟ ସାଗର ଏବଂ ବ୍ରହ୍ମପୁତ୍ର ନଦୀ ତଟରେ ହୋଇଥାଏ । ଯେଉଁଠି ସାଗର ଏବଂ ନଦୀର ସଂଗମ ହୋଇଥାଏ ସେଠାରେ ବହୁତ ବଡ ବଡ ମେଳା ଲାଗିଥାଏ । ମୁଁ ୟାଙ୍କ ଶରୀରରେ ପ୍ରବେଶ କରୁଛି । ଇଏ ହିଁ ସେଠାରେ ଯାଇ ତାହା ହେଉଛନ୍ତି । ୟାଙ୍କୁ ବ୍ରହ୍ମାରୁ ବିଷ୍ଣୁ ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି । ୟାଙ୍କୁ ସାକ୍ଷାତ୍‌କାର ହୋଇଯାଉଛି ଏବଂ ତୁରନ୍ତ ନିଶ୍ଚୟ ମଧ୍ୟ ହୋଇଯାଉଛି ଯେ, ମୁଁ ଏହିଭଳି ବିଶ୍ୱର ମାଲିକ ହେବାକୁ ଯାଉଛି । ଏହି ପୁରୁଣା ଧନ ସମ୍ପତ୍ତି କେଉଁ କାମର? ତେଣୁ ସବୁକିଛି ଛାଡିଦେଲେ । ତୁମମାନଙ୍କୁ ମଧ୍ୟ ପ୍ରଥମେ ଜଣା ପଡିଲା ଯେ - ବର୍ତ୍ତମାନ ବାବା ଆସିଛନ୍ତି, ଏହି ଦୁନିଆ ବିନାଶ ହେବାକୁ ଯାଉଛି ତେଣୁ ଘର ଛାଡି ଶୀଘ୍ର ବାବାଙ୍କ ନିକଟକୁ ଚାଲି ଆସିଲ । ତୁମମାନଙ୍କୁ ଘର ଛାଡି ପଳାଇ ଆସିବାକୁ ବାବା କହି ନ ଥିଲେ । ହଁ, ଭଟ୍ଟୀ ହେବାର ଥିଲା । ଦୁନିଆରେ କହୁଛନ୍ତି - ଶ୍ରୀକୃଷ୍ଣ ହରଣ କରି ନେଇଥିଲେ । ଆଚ୍ଛା, ଯଦି ଶ୍ରୀକୃଷ୍ଣ ହରଣ କରି ନେଲେ ତେବେ ସିଏ ନିଜର ପାଟରାଣୀ କରିଥିବେ ନା । ତୁମେମାନେ ଏହି ଜ୍ଞାନ ଦ୍ୱାରା ବିଶ୍ୱର ମହାରାଜା-ମହାରାଣୀ ହେଉଛ । ତେବେ ଏହା ତ ଭଲ କଥା, ଏଥିରେ ଗାଳି ଖାଇବାର ଦରକାର ନାହିଁ । ପୁଣି କହୁଛନ୍ତି କଳଙ୍କି ଲାଗିବ, ତେବେ ଯାଇ ତ କଳଙ୍ଗୀଧର ହେବ । ତେବେ କଳଙ୍କି ତ ଶିବବାବାଙ୍କ ଉପରେ ଲାଗୁଛି । ତାଙ୍କର କେତେ ଗ୍ଲାନୀ କରୁଛନ୍ତି । କହୁଛନ୍ତି ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା । ତେଣୁ ଏବେ ବାବା ବୁଝାଉଛନ୍ତି - ବାସ୍ତବରେ ଏଭଳି କିଛି ହେଉନାହିଁ । ଆମେ ଆତ୍ମା ଏବେ ବ୍ରାହ୍ମଣ ହୋଇଛୁ । ବ୍ରାହ୍ମଣ ହେଉଛି ସବୁଠାରୁ ଉଚ୍ଚ କୁଳ । ଏହାକୁ ରାଜଧାନୀ କୁହାଯିବ ନାହିଁ । ରାଜଧାନୀ ଅର୍ଥାତ୍ ଯେଉଁଠାରେ ରାଜତ୍ୱ ହୋଇଥାଏ । ଏହା ହେଉଛି ତୁମର କୁଳ । ଏହା ତ ବହୁତ ସହଜ, ଆମେ ବ୍ରାହ୍ମଣରୁ ଦେବତା ହେବାକୁ ଯାଉଛୁ, ସେଥିପାଇଁ ଦୈବୀଗୁଣ ନିଶ୍ଚିତ ଧାରଣ କରିବାକୁ ହେବ । ତୁମେମାନେ କ’ଣ ଦେବତାମାନଙ୍କ ନିକଟରେ ସିଗାରେଟ୍‌, ବିଡି ଆଦି ଭୋଗ ଲଗାଉଛ କି? ଶ୍ରୀନାଥ ଦ୍ୱାରରେ ଘିଅରେ ବହୁତ ବ୍ୟଞ୍ଜନ ତିଆରି କରିଥା’ନ୍ତି । ସେଠାରେ ଭୋଗ ଏତେ ଲଗାଇଥା’ନ୍ତି ଯେ ଯାହା ପାଇଁ ଦୋକାନ ସବୁ ଖୋଲାଯାଇଛି । ଯାତ୍ରୀମାନେ ଯାଇ କିଣିଥା’ନ୍ତି । ମନୁଷ୍ୟମାନଙ୍କର ବହୁତ ଭାବନା ରହିଥାଏ । ସତ୍ୟଯୁଗରେ ତ ଏଭଳି କିଛି ହେବ ନାହିଁ । ଏଭଳି ମଶା ମାଛି ଆଦି ହେବେ ନାହିଁ, ଯାହା ଦ୍ୱାରା ଜିନିଷ ଖରାପ ହୋଇଯିବ । ସେଠାରେ ଏଭଳି ରୋଗ ବେମାରୀ ଆଦି କିଛି ହେବ ନାହିଁ । ବଡ ବଡ ଲୋକଙ୍କ ଘର ବହୁତ ପରିଷ୍କାର ପରିଚ୍ଛନ୍ନ ହୋଇଥାଏ । ସେଠାରେ ଏମିତି କିଛି କଥା ହିଁ ନଥାଏ । ରୋଗ ବେମାରି ଆଦି ହୋଇ ନ ଥାଏ । ସବୁ ବେମାରୀ ଆଦି ତ ଦ୍ୱାପର ଯୁଗରୁ ଆରମ୍ଭ ହୋଇଛି । ବର୍ତ୍ତମାନ ବାବା ଆସି ତୁମମାନଙ୍କୁ ସଦା ସ୍ୱାସ୍ଥ୍ୟବାନ କରୁଛନ୍ତି । ତେଣୁ ଏବେ ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରୁଛ, ଯାହା ଦ୍ୱାରା ସଦା ସ୍ୱାସ୍ଥ୍ୟବାନ ହେଉଛ । ଆୟୁଷ ମଧ୍ୟ ବଢୁଛି । ଏ ସବୁ କାଲିର କଥା । ତୁମର ୧୫୦ ବର୍ଷ ଆୟୁଷ ଥିଲା ନା । ଏବେ ତ ହାରାହାରି ୪୦-୫୦ ବର୍ଷ ବଞ୍ଚୁଛନ୍ତି କାହିଁକି ନା ସେତେବେଳେ ଯୋଗୀ ଥିଲେ, ଆଉ ଏବେ ଭୋଗୀ ହୋଇଯାଇଛନ୍ତି ।

ତୁମେମାନେ ହେଉଛ ରାଜଯୋଗୀ, ରାଜଋଷି ତେଣୁ ତୁମେମାନେ ପବିତ୍ର ଅଟ । କିନ୍ତୁ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ମାସ ଅଥବା ବର୍ଷ ନୁହେଁ । ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ପୁରୁଷୋତ୍ତମ ସଂଗମଯୁଗରେ ହିଁ ଆସୁଛି । ବାବା ଏହି କଥାକୁ ପ୍ରତିଦିନ ବୁଝାଉଛନ୍ତି । ପୁଣି ବି କହୁଛନ୍ତି ଯେ, ଗୋଟିଏ କଥା କେବେ ବି ଭୁଲିଯାଅ ନାହିଁ - ଯଦି ପବିତ୍ର ହେବାକୁ ଚାହୁଁଛ ତେବେ ମୋତେ ମନେ ପକାଅ, ନିଜକୁ ଆତ୍ମା ମନେ କର । ଦେହର ସବୁ ଧର୍ମକୁ ତ୍ୟାଗ କର । ଏବେ ତୁମମାନଙ୍କୁ ଘରକୁ ଫେରିବାକୁ ହେବ । ମୁଁ ଆସିଛି ତୁମର ଆତ୍ମାକୁ ସଫା କରିବା ପାଇଁ, ଯାହାଦ୍ୱାରା ଶରୀର ମଧ୍ୟ ପବିତ୍ର ମିଳିବ । ଏଠାରେ ତ ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି । ଆତ୍ମା ଯେତେବେଳେ ସମ୍ପୂର୍ଣ୍ଣ ପବିତ୍ର ହୋଇଯାଉଛି ସେତେବେଳେ ତୁମେ ନିଜର ପୁରୁଣା ଜୋତା ଅର୍ଥାତ୍ ଶରୀରକୁ ତ୍ୟାଗ କରି ଦେଉଛ । ପୁଣି ତୁମମାନଙ୍କୁ ନୂଆ ଶରୀର ମିଳୁଛି । ତୁମମାନଙ୍କର ହିଁ ଗାୟନ ରହିଛି - ବନ୍ଦେ ମାତରମ୍ । ତୁମେ ମାତାମାନେ ଧରିତ୍ରୀକୁ ମଧ୍ୟ ପବିତ୍ର କରୁଛ ଏବଂ ସ୍ୱର୍ଗର ଦ୍ୱାର ମଧ୍ୟ ଖୋଲୁଛ । କିନ୍ତୁ ଏହି କଥାକୁ କେହି ଜାଣିନାହାଁନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମା ରୂପକ ଜ୍ୟୋତିକୁ ପ୍ରଜ୍ୱଳିତ କରିବା ପାଇଁ ଅମୃତବେଳାରୁ ଉଠି ଯୋଗର ଯାତ୍ରାରେ ବସିବାକୁ ହେବ । ଯୋଗ ଦ୍ୱାରା ହିଁ କଳଙ୍କି ଛାଡିବ । ଆତ୍ମାରେ ଯେଉଁ ସବୁ ଖାଦ ରହିଛି ତାକୁ ବାବାଙ୍କ ସ୍ମୃତିରେ ରହି ବାହାର କରିବାକୁ ହେବ ଏବଂ ସଚ୍ଚା ସୁନା ହେବାକୁ ପଡିବ ।

(୨) ବାବାଙ୍କଠାରୁ ଉଚ୍ଚ ପଦର ପୁରସ୍କାର ନେବା ପାଇଁ ଭାବନା ସହିତ ଜ୍ଞାନବାନ ଏବଂ ଗୁଣବାନ ମଧ୍ୟ ହେବାକୁ ପଡିବ । ସେବା କରି ଦେଖାଇବାକୁ ହେବ ।

ବରଦାନ:-
ନିଜର ଚାଲି ଚଳନରେ ଏବଂ ଚେହେରାରେ ପବିତ୍ରତା ରୂପୀ ଶୃଙ୍ଗାରର ଝଲକ ଦେଖାଉଥିବା ଶୃଙ୍ଗାରୀ ମୂରତ ଭବ ।

ବ୍ରାହ୍ମଣ ଜୀବନର ଶୃଙ୍ଗାର ହେଲା ପବିତ୍ରତା । ସବୁ ସମୟରେ ପବ୍ରିତତା ରୂପୀ ଶୃଙ୍ଗାରର ଅନୁଭୂତି ନିଜର ଚେହେରା ଦ୍ୱାରା ଏବଂ ଚାଲିଚଳନ ଦ୍ୱାରା ଅନ୍ୟମାନଙ୍କୁ ହେବା ଦରକାର । ଦୃଷ୍ଟିରେ, ମୁଖରେ, ହାତରେ,ପାଦରେ ସର୍ବଦା ପବିତ୍ରତାର ଶୃଙ୍ଗାର ପ୍ରତ୍ୟକ୍ଷ ରୂପରେ ଦେଖାଯିବା ଦରକାର । ସମସ୍ତେ ଏହି କଥା କୁହନ୍ତୁ ଯେ ଏମାନଙ୍କ ଚେହେରାରୁ ପବିତ୍ରତା ପରିଲକ୍ଷିତ ହେଉଛି । ନୟନରେ ପବିତ୍ରତାର ଝଲକ ରହିଛି ଏବଂ ମୁଖରେ ପବିତ୍ରତାର ସ୍ମିତହାସ୍ୟ ରହିଛି । ଏହା ବ୍ୟତୀତ ଅନ୍ୟ କୌଣସି କଥା ସେମାନଙ୍କୁ ଦେଖା ନ ଯାଉ - ଏହାକୁ ହିଁ କୁହାଯାଏ ପବିତ୍ରତା ରୂପୀ ଗହଣା ଦ୍ୱାରା ଶୃଙ୍ଗାରିତ ହୋଇଥିବା ମୂର୍ତ୍ତି ।

ସ୍ଲୋଗାନ:-
ବ୍ୟର୍ଥ ସମ୍ବନ୍ଧ-ସମ୍ପର୍କ ମଧ୍ୟ ଜମାର ଖାତାକୁ ଖାଲି କରିଦିଏ ସେଥିପାଇଁ ବ୍ୟର୍ଥକୁ ସମାସ୍ତ କର ।