07.04.24    Avyakt Bapdada     Odia Murli    01.03.99     Om Shanti     Madhuban


“ସମ୍ପୂର୍ଣ୍ଣ ପବିତ୍ର ହୋଇ ସଂସ୍କାରର ମିଳନ କରିବା ହିଁ ବାସ୍ତବିକ ହୋଲୀ ପାଳନ କରିବା”


ଆଜି ବାପଦାଦା ନିଜର ଚାରିଆଡର ହୋଲିଏଷ୍ଟ ଅର୍ଥାତ୍ ସର୍ବଶ୍ରେଷ୍ଠ ପବିତ୍ର ତଥା ହାଇଏଷ୍ଟ ଅର୍ଥାତ୍ ଉଚ୍ଚରୁ ଉଚ୍ଚ ସନ୍ତାନମାନଙ୍କୁ ଦେଖୁଛନ୍ତି । ସାରା ବିଶ୍ୱରେ ସମସ୍ତଙ୍କଠାରୁ ଉଚ୍ଚରୁ ଉଚ୍ଚ ଶ୍ରେଷ୍ଠ ଆତ୍ମା ତୁମମାନଙ୍କ ବ୍ୟତୀତ ଆଉ କେହି ଅଛନ୍ତି କି? କାହିଁକି ନା ତୁମେ ସମସ୍ତେ ଉଚ୍ଚରୁ ଉଚ୍ଚ ପିତାଙ୍କର ସନ୍ତାନ ଅଟ । ସାରା କଳ୍ପରେ ଚକ୍ର ଲଗାଇ ଦେଖ ଯେ ସବୁଠାରୁ ଉଚ୍ଚରୁ ଉଚ୍ଚ ପଦର ଅଧିକାରୀ ଆଉ କେହି ଦେଖାଯାଉଛନ୍ତି କି? ରାଜ୍ୟ ଅଧିକାରୀ ସ୍ୱରୂପରେ ମଧ୍ୟ ତୁମମାନଙ୍କଠାରୁ ଉଚ୍ଚ ରାଜ୍ୟ ଅଧିକାରୀ ଆଉ କେହି ହୋଇଛନ୍ତି କି? ପୁଣି ପୂଜନ ଏବଂ ଗାୟନ ହେବାରେ ମଧ୍ୟ ତୁମମାନଙ୍କର ଯେତିକି ବିଧିପୂର୍ବକ ପୂଜା ହେଉଛି ତା’ଠାରୁ ଅଧିକ ଆଉ କାହାର ହେଉଛି କି? ତେବେ ଡ୍ରାମାର କିଭଳି ଶ୍ରେଷ୍ଠ ଏବଂ ବିଚିତ୍ର ରହସ୍ୟ ନିଧାର୍ଯ୍ୟ ଅଛି ଯାହାକି ତୁମେମାନେ ନିଜର ଚୈତନ୍ୟ ସ୍ୱରୂପରେ ବର୍ତ୍ତମାନ ସମୟରେ ନିଜର ପୂଜ୍ୟ ସ୍ୱରୂପକୁ ଜ୍ଞାନ ଆଧାରରେ ଜାଣୁଛ ମଧ୍ୟ ଦେଖିଛ ମଧ୍ୟ । ଗୋଟିଏ ପଟେ ତୁମେ ସବୁ ଚୈତନ୍ୟ ଆତ୍ମାମାନେ ରହିଛ ଏବଂ ଅନ୍ୟ ପଟେ ତୁମମାନଙ୍କର ଜଡମୂର୍ତ୍ତି ପୂଜ୍ୟ ରୂପରେ ରହିଛନ୍ତି । ତେବେ ତୁମେମାନେ ନିଜର ପୂଜ୍ୟ ସ୍ୱରୂପକୁ ଦେଖିପାରୁଛ ନା? ଜଡ ରୂପରେ ମଧ୍ୟ ଅଛ ଏବଂ ଚୈତନ୍ୟ ରୂପରେ ମଧ୍ୟ ଅଛ । ତେଣୁ ଏହା ବିଚିତ୍ର ଖେଳ ହେଲା ନା! ଏବଂ ରାଜ୍ୟ କରିବା ହିସାବରେ ମଧ୍ୟ ସାରା କଳ୍ପରେ ନିର୍ବିଘ୍ନ, ଅଟଳ-ଅଖଣ୍ଡ ରାଜ୍ୟ କେବଳ ତୁମମାନଙ୍କର ହିଁ ଚାଲୁଛି । ରାଜା ତ ଅନେକ ହେଉଛନ୍ତି କିନ୍ତୁ ତୁମ ଭଳି ବିଶ୍ୱ ରାଜନ ବା ବିଶ୍ୱ ରାଜନଙ୍କର ରାଜ ପରିବାରର ସଦସ୍ୟମାନେ ସବୁଠାରୁ ଶ୍ରେଷ୍ଠ ଅଟନ୍ତି । ତେଣୁ ରାଜ୍ୟ ଶାସନ କରିବାରେ ମଧ୍ୟ ସର୍ବୋଚ୍ଚ ଅଟ, ପୂଜ୍ୟ ସ୍ୱରୂପରେ ମଧ୍ୟ ସର୍ବୋଚ୍ଚ ଅଟ । ଏହା ବ୍ୟତୀତ ବର୍ତ୍ତମାନ ସଂଗମ ଯୁଗରେ ତୁମ ଭଳି ପରମାତ୍ମ ସମ୍ପତ୍ତିର ଅଧିକାରୀ, ପରମାତ୍ମ ମିଳନର ଅଧିକାରୀ, ପରମାତ୍ମ ସ୍ନେହର ଅଧିକାରୀ ଏବଂ ପରମାତ୍ମ ପରିବାରର ସଦସ୍ୟ ହେବାର ଅଧିକାରୀ ଆଉ କେହି ହେଉଛନ୍ତି କି? ତୁମେମାନେ ହିଁ ହୋଇଥିଲ ନା? ଏବେ ପୁଣି ହୋଇଗଲଣି, ନା ହେଉଛ? ହୋଇ ବି ଯାଇଛ ଏବଂ ବର୍ତ୍ତମାନ ତ ବାବାଙ୍କ ସମ୍ପତ୍ତିରେ ସମ୍ପନ୍ନ ହୋଇ ବାବାଙ୍କ ସାଥୀରେ ନିଜର ଘରକୁ ମଧ୍ୟ ଯିବା ପାଇଁ ବାହାରିଛି । ତେବେ ସଂଗମଯୁଗର ସୁଖ, ସଂଗମଯୁଗର ପ୍ରାପ୍ତି, ସଂଗମଯୁଗର ସମୟ ବହୁତ ସୁନ୍ଦର ଲାଗୁଛି ନା! ବହୁତ ପ୍ରିୟ ଲାଗୁଛି ନା! ରାଜ୍ୟ କରିବାର ସମୟଠାରୁ ସଂଗମଯୁଗର ଏହି ସମୟ ପ୍ରିୟ ଲାଗୁଛି ନା? କ’ଣ ପ୍ରିୟ ଲାଗୁଛି ନା ଶୀଘ୍ର ଶୀଘ୍ର ଚାଲିଯିବାକୁ ଚାହୁଛଁ? ତାହା ହେଲେ ପଚାରୁଛ କାହିଁକି ବାବା ବିନାଶ କେବେ ହେବ? ଭାବୁଛ ନା - କିଏ ଜାଣେ ବିନାଶ କେବେ ହେବ? କ’ଣ ହେବ? ଆମେ କେଉଁଠି ଥିବୁ? ବାପଦାଦା କହୁଛନ୍ତି ଯେଉଁଠି ବି ଥିବ - ବାବାଙ୍କ ସ୍ମୃତିରେ ହିଁ ଥିବ, ସାଥୀରେ ହିଁ ଥିବ । ସାକାରୀ ରୂପରେ ହେଉ ବା ଆକାରୀ ରୂପରେ ହେଉ ଯଦି ସାଥୀରେ ଥିବ ତେବେ କିଛି ବି ହେବ ନାହିଁ । ସାକାର ବାବା ତ କାହାଣୀ ଶୁଣାଇଛନ୍ତି ନା! ବିଲେଇ ଛୁଆ ଗୁଡିକ କୁମ୍ଭାରର ଭାଟି ଭିତରେ ରହି ମଧ୍ୟ ସୁରକ୍ଷିତ ଅବସ୍ଥାରେ ରହିଥିଲେ ନା! ନା ଜଳିଯାଇଥିଲେ? ସମସ୍ତେ ସୁରକ୍ଷିତ ରହିଥିଲେ । ତେଣୁ ତୁମେ ସବୁ ପରମାତ୍ମାଙ୍କର ସନ୍ତାନମାନେ ଯେଉଁମାନେ ବି ସାଥୀରେ ଥିବ ନିଶ୍ଚିତ ସୁରକ୍ଷିତ ରହିବ । ଯଦି ବୁଦ୍ଧି ଆଉ କେଉଁଠି ଥିବ ତେବେ କିଛି ନା କିଛି ସେକ ଲାଗିବ, କିଛି ନା କିଛି ପ୍ରଭାବ ପଡିବ । ଯଦି ବାବାଙ୍କ ସାଥୀରେ ଯୁଗଳ ରୂପରେ ରହିଥିବ, ଗୋଟିଏ ସେକେଣ୍ଡ ମଧ୍ୟ ଏକୁଟିଆ ହେଉ ନ ଥିବ ତେବେ ସୁରକ୍ଷିତ ରହିବ । କେବେ କେବେ କର୍ମଧନ୍ଦା କରିବା ସମୟରେ ବା ସେବା କରିବା ସମୟରେ ଏକା ଏକା ଅନୁଭବ କରୁଛ କି? କ’ଣ କରିବି ମୁଁ ତ ଏକୁଟିଆ ଅଛି, ବହୁତ କାମ ପଡିଛି! ତାହା ହେଲେ ଥକିଯିବ । ତେବେ ବାବାଙ୍କୁ କାହିଁକି ସାଥୀ କରୁ ନାହଁ । ଦୁଇ ହାତ ବାଲାଙ୍କୁ ସାଥୀ କରିନେଉଛ, ହଜାର ହାତବାଲାକୁ କାହିଁକି ସାଥୀ କରୁ ନାହଁ? କିଏ ଅଧିକ ସାହାଯ୍ୟ କରିପାରିବ? ହଜାର ଭୁଜାବାଲା, ନା ଦୁଇ ଭୁଜା ବାଲା?

ସଂଗମଯୁଗରେ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ କେବେ ବି ଏକୁଟିଆ ହୋଇପାରିବେ ନାହିଁ । କେବଳ ଯେତେବେଳେ ସେବାରେ ବା କର୍ମଯୋଗରେ ବହୁତ ବ୍ୟସ୍ତ ରହିଯାଉଛ ସେତେବେଳେ ସାଥୀରେ ରହିବାକୁ ମଧ୍ୟ ଭୁଲିଯାଉଛ, ତା’ପରେ ଥକି ପଡୁଛ । ତା’ପରେ କହୁଛ ମୁଁ ଥକିଗଲିଣି, ଏବେ କ’ଣ କରିବି! ତେଣୁ ଥକିଯାଅ ନାହିଁ ଯେବେକି ବାପଦାଦା ପରମଧାମକୁ ଛାଡି ତୁମମାନଙ୍କୁ ସବୁ ସମୟରେ ସହଯୋଗ ଦେବା ପାଇଁ ଆସିଛନ୍ତି, ନଚେତ୍ କାହିଁକି ଆସିଛନ୍ତି? ଶୋଇଲେ, ଉଠିଲେ, କର୍ମ କରିଲେ, ସେବା କରିଲେ, ସବୁଥିରେ ସହଯୋଗ ଦେବା ପାଇଁ ତ ଆସିଛନ୍ତି ନା? ବ୍ରହ୍ମାବାବା ମଧ୍ୟ ତୁମମାନଙ୍କୁ ସହଯୋଗ ଦେବା ପାଇଁ ଅବ୍ୟକ୍ତ ହୋଇଛନ୍ତି । ବ୍ୟକ୍ତ ରୂପ ଠାରୁ ଅବ୍ୟକ୍ତ ରୂପରେ ସହଯୋଗ ଦେବାର ବେଗ ବହୁତ କ୍ଷୀପ୍ର ଅଟେ, ସେଥିପାଇଁ ତ ବ୍ରହ୍ମାବାବା ମଧ୍ୟ ନିଜର ଦେଶ ଅର୍ଥାତ୍ ନିବାସ ସ୍ଥାନ ପରିବର୍ତ୍ତନ କରିନେଲେ । ତେଣୁ ଶିବବାବା ଏବଂ ବ୍ରହ୍ମାବାବା ଉଭୟ ସବୁ ସମୟରେ ତୁମମାନଙ୍କୁ ସହଯୋଗ ଦେବା ପାଇଁ ସର୍ବଦା ହାଜିର ରହିଛନ୍ତି । ତୁମେମାନେ ବାବା ବୋଲି ଭାବିବା ମାତ୍ରକେ ସହଯୋଗର ଅନୁଭବ କରିପାରିବ । ଯଦି କେବଳ ସେବା, ସେବା, ସେବା ହିଁ ସ୍ମୃତିରେ ରହିଛି, ବାବାଙ୍କୁ ଦୂରରେ ରହି ଦେଖିବା ପାଇଁ ଅଲଗା କରିଦେଉଛ, ତେବେ ବାବା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି, ଦେଖିବା କେତେ ସମୟ ଏକୁଟିଆ କରୁଛନ୍ତି । ପୁଣି ବି ଏହିଠାକୁ ତ ଆସିବେ ନା । ତେଣୁ ତାଙ୍କର ସଂଗ କେବେ ବି ଛାଡ ନାହିଁ । ନିଜର ଅଧିକାରର ଏବଂ ସ୍ନେହର ରସୀରେ ବାନ୍ଧି କରି ରଖ । ଢିଲା କରିଦେଉଛ । ସ୍ନେହକୁ ଢିଲା କରିଦେଉଛ, ଅଧିକାରକୁ ଟିକିଏ ସ୍ମୃତି ପଟଳରୁ ଦୁରେଇ ଦେଉଛ । ତେଣୁ ଏଭଳି କର ନାହିଁ । ଯେବେକି ସର୍ବଶକ୍ତିମାନ ପିତା ସର୍ବଦା ତୁମ ସଂଗରେ ରହିବା ପାଇଁ ନିଜ ଆଡୁ ପ୍ରସ୍ତାବ ଦେଉଛନ୍ତି ତେବେ ଏଭଳି ସୁଯୋଗ କ’ଣ ସାରା କଳ୍ପ ଭିତରେ ମିଳିପାରିବ? ନାହିଁ ନା! ତେଣୁ ବାପଦାଦା ମଧ୍ୟ ସାକ୍ଷୀ ହୋଇ ଦେଖୁଛନ୍ତି, ଆଚ୍ଛା ଦେଖିବା କେତେ ସମୟ ପର୍ଯ୍ୟନ୍ତ ଏକା ଏକା କରୁଛନ୍ତି!

ତେବେ ସଂଗମଯୁଗର ସୁଖ-ସୁବିଧା ଗୁଡିକୁ ବୁଦ୍ଧିରେ ସର୍ବଦା ଜାଗ୍ରତ ରଖ । ତୁମର ବୁଦ୍ଧି ସର୍ବଦା କାର୍ଯ୍ୟରେ ବ୍ୟସ୍ତ ରହୁଛି ନା, ତେଣୁ ବ୍ୟସ୍ତ ରହିବା କାରଣରୁ ସ୍ମୃତି ସୁପ୍ତ ହୋଇଯାଉଛି । ସାରା ଦିନ ଭିତରେ ତୁମେ କାହାକୁ ବି ପଚାର ବାବା ମନେ ରହୁଛନ୍ତି ନା ଭୁଲି ହୋଇଯାଉଛନ୍ତି? ତେବେ ସେ କ’ଣ ଉତ୍ତର ଦେବ । ନା । ଏହା ମଧ୍ୟ ଠିକ୍ ଯେ ମନେ ରହୁଛନ୍ତି କିନ୍ତୁ ସେହି ମନେ ରହିବା ସର୍ବଦା ଜାଗ୍ରତ ରହୁଛି ନା ସୁପ୍ତ ଅବସ୍ଥାରେ ରହୁଛି? କିଭଳି ସ୍ଥିତି ରହୁଛି? ଜାଗ୍ରତ ସ୍ଥିତି ନା ସୁପ୍ତ ସ୍ଥିତି, ଏହା ମଧ୍ୟରେ ଅନ୍ତର କ’ଣ? ସ୍ମୃତି ସର୍ବଦା ଜାଗ୍ରତ ଅବସ୍ଥାରେ କାହିଁକି ରହୁ ନାହିଁ? ସ୍ମୃତିର ଜାଗ୍ରତ ଅବସ୍ଥାର ନିଶାର ଲକ୍ଷଣ ହେଲା ଶକ୍ତି, ସହଯୋଗ, ସଫଳତା ବହୁତ ବଡ । ସ୍ମୃତିକୁ ତ ଭୁଲିପାରିବ ନାହିଁ କାହିଁକି ନା ଏହା ଗୋଟିଏ ଜନ୍ମର ସମ୍ବନ୍ଧ ନୁହେଁ । ଯଦିଓ ଶିବବାବା ସତ୍ୟଯୁଗରେ ସାଥୀରେ ନଥିବେ କିନ୍ତୁ ସମ୍ବନ୍ଧ ତ ସେହି ପିତା-ପୁତ୍ରର ହିଁ ରହିବ ନା! ତେଣୁ ଭୁଲି ପାରିବ ନାହିଁ, ଏହା ତ ଠିକ୍ କଥା । ହଁ, ଯଦି କୌଣସି ବିଘ୍ନର ବଶୀଭୂତ ହୋଇଯାଉଛ ତେବେ ଭୁଲି ହୋଇଯାଉଛି କିନ୍ତୁ ଏମିତିରେ ଯଦି ସ୍ୱାଭାବିକ ସ୍ଥିତିରେ ରହୁଛ ତେବେ ଭୁଲୁ ନାହଁ କିନ୍ତୁ ସ୍ମୃତି ସୁପ୍ତ ଅବସ୍ତାରେ ରହିଯାଉଛି । ସେଥିପାଇଁ ବାପଦାଦା କହୁଛନ୍ତି - ବାରମ୍ବାର ଚେକ୍ କରୁଥାଅ ଯେ ବାବାଙ୍କ ସହିତ ସଂଗର ଅନୁଭବ ଜାଗ୍ରତ ରୂପରେ ଅଛି ନା ସୁପ୍ତ ରୂପରେ ଅଛି? ସ୍ନେହ ତ ନିଶ୍ଚିତ ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ତୁମର ସ୍ନେହ କ’ଣ କେବେ ତୁଟିଯାଇ ପାରିବ? ନାହିଁ ନା? ତେଣୁ ସ୍ନେହ ଯଦି ତୁଟିପାରିବ ନାହିଁ ତେବେ ତା’ର ଲାଭ ତ ନିଅ । ଲାଭ ନେବାର ବିଧି ତ ଶିଖ ।

ବାପଦାଦା ଦେଖୁଛନ୍ତି ଯେ ଏହି ସ୍ନେହ ହିଁ ତୁମମାନଙ୍କୁ ବାବାଙ୍କର କରିଦେଇଛି । ସ୍ନେହ ହିଁ ମଧୁବନ ନିବାସୀ କରିଦେଇଛି । ଚାହେଁ ନିଜ ନିଜ ସ୍ଥାନରେ କିପରି ବି ରହୁଥାଅ, କେତେ ବି ମେହନତ କରୁଥାଅ, ପୁଣି ବି ମଧୁବନରେ ଆସି ପହଞ୍ଚିଯାଉଛ । ବାପଦାଦା ଜାଣିଛନ୍ତି ଏବଂ ଦେଖୁଛନ୍ତି ମଧ୍ୟ, କେତେକ ପିଲାଙ୍କୁ କଳିଯୁଗୀ ତମୋଗୁଣୀ ପରିସ୍ଥିତି ଥିବା କାରଣରୁ ଟିକେଟ୍ କରିବା ପାଇଁ ବହୁତ ମୁଶକିଲ୍ ହେଉଛି ପୁଣି ବି ବାବାଙ୍କର ସ୍ନେହ ସେମାନଙ୍କୁ ଏଠାରେ ଆଣି ପହଞ୍ଚାଇ ଦେଉଛି । ଏହା ଠିକ୍ କଥା ନା? ସ୍ନେହରେ ଟାଣି ହୋଇ ପହଞ୍ଚି ତ ଯାଉଛନ୍ତି ପୁଣି ବି ପରିସ୍ଥିତି ତ ଦିନକୁ ଦିନ ବଢି ବଢି ଚାଲିଛି । ସଚ୍ଚା ହୃଦୟବାନ ପିଲାମାନଙ୍କ ଉପରେ ସାହେବ ବାବା ନିଶ୍ଚିତ ସନ୍ତୁଷ୍ଟ ରହିଥାଆନ୍ତି, ତେଣୁ ସ୍ଥୂଳ ସହଯୋଗ ମଧ୍ୟ କେଉଁଠି ନା କେଉଁଠି କିପରି ବି ହେଉ ମିଳିଯାଉଛି । ଚାହେଁ ଡବଲ ବିଦେଶୀ ହୁଅନ୍ତୁ ବା ଭାରତବାସୀ ହୁଅନ୍ତୁ ସମସ୍ତଙ୍କୁ ବାବାଙ୍କର ଏହି ସ୍ନେହ ପରିସ୍ଥିତି ରୂପୀ ପାଚେରୀକୁ ଅତିକ୍ରମ କରାଇ ଦେଉଛି । ଏହିଭଳି ହେଉଛି ନା? ନିଜ ନିଜର ସେବାକେନ୍ଦ୍ରରେ ମଧ୍ୟ ଦେଖ, ଏଭଳି ପିଲାମାନେ ମଧ୍ୟ ଅଛନ୍ତି ଯେଉଁମାନେ କି ଏଠାରୁ ଯିବା ସମୟରେ ଭାବୁଛନ୍ତି କିଏ ଜାଣେ ମୁଁ ଆସନ୍ତା ବର୍ଷକୁ ଆସିପାରିବି କି ନାହିଁ, କିନ୍ତୁ ପୁଣି ବି ଆସି ପହଞ୍ଚିଯାଉଛନ୍ତି । ଏହା ହିଁ ହେଉଛି ସ୍ନେହର ପ୍ରମାଣ । ଆଚ୍ଛା!

ଆଜି ସମସ୍ତେ ହୋଲୀ ପାଳନ କରିଲ? କରିସାରିଛ ତ? ବାପଦାଦା ତ ହୋଲୀ ପାଳନ କରୁଥିବା ହୋଲୀ ହଂସମାନଙ୍କୁ ଦେଖୁଛନ୍ତି । ସବୁ ପିଲାଙ୍କର ଗୋଟିଏ ହିଁ ଉପାଧି-ହୋଲୀଏଷ୍ଟ ଅର୍ଥାତ୍ ସର୍ବଶ୍ରେଷ୍ଠ ପବିତ୍ର । ଦ୍ୱାପର ଯୁଗଠାରୁ ଆରମ୍ଭ କରି କୌଣସି ବି ଧର୍ମାତ୍ମା ବା ମହାତ୍ମା ସମସ୍ତଙ୍କୁ ହୋଲୀଏଷ୍ଟ କରିନାହାଁନ୍ତି । ନିଜେ ହେଉଛନ୍ତି କିନ୍ତୁ ନିଜର ଅନୁଗାମୀମାନଙ୍କୁ ବା ସାଥୀ-ସହଯୋଗୀମାନଙ୍କୁ ମଧ୍ୟ ହୋଲୀଏଷ୍ଟ କରୁନାହାଁନ୍ତି କିନ୍ତୁ ଏଠାରେ ପବିତ୍ରତା ବ୍ରାହ୍ମଣ ଜୀବନର ମୁଖ୍ୟ ଆଧାର ଅଟେ । ତୁମର ପାଠପଢା ମଧ୍ୟ କ’ଣ? ତୁମମାନଙ୍କର ଗୋଟିଏ ସ୍ଳୋଗାନ ମଧ୍ୟ ରହିଛି । “ପବିତ୍ର ହୁଅ - ଯୋଗୀ ହୁଅ” । ଏହି ସ୍ଳୋଗାନ ଅଛି ନା? ପବିତ୍ରତା ହିଁ ମହାନତା । ପବିତ୍ରତା ହିଁ ଯୋଗୀ ଜୀବନର ଆଧାର । କେବେକେବେ ପିଲାମାନେ ଅନୁଭବ ମଧ୍ୟ କରୁଛନ୍ତି ଯେ ଚାଲୁ ଚାଲୁ ଯଦି ସଂକଳ୍ପରେ ମଧ୍ୟ ଅପବିତ୍ରତା ଅର୍ଥାତ୍ ବ୍ୟର୍ଥ ବା ନକାରାତ୍ମ ସଂକଳ୍ପ ବା ପରଚିନ୍ତନର ସଂକଳ୍ପ ଚାଲୁଛି ତେବେ ଯେତେ ଚାହିଁଲେ ମଧ୍ୟ ଶକ୍ତିଶାଳୀ ଯୋଗ ହୋଇପାରୁ ନାହିଁ । କାହିଁକି ନା ସଂକଳ୍ପରେ ମଧ୍ୟ ଟିକିଏ ଯଦି କୌଣସି ପ୍ରକାରର ଅପବିତ୍ରତାର ଅଂଶ ରହିଲା ତେବେ ପବିତ୍ର ପିତାଙ୍କର ସ୍ମତି ଯେଉଁଭଳି ହେବା ଦରକାର, ଯାହା ହେବା ଦରକାର ତାହା ହୋଇପାରିବ ନାହିଁ । ଯେପରି ଦିନ ଏବଂ ରାତି ଏକାଠି ରହିପାରିବ ନାହିଁ ସେହିପରି ବାପଦାଦା ବର୍ତ୍ତମାନ ସମୟରେ ପବିତ୍ରତା ଉପରେ ବାରମ୍ବାର ଧ୍ୟାନ ଆକର୍ଷଣ କରାଉଛନ୍ତି । କିଛି ଦିନ ପୂର୍ବରୁ ବାପଦାଦା କେବଳ କର୍ମରେ ପବିତ୍ରତାର ଧାରଣା ଉପରେ ଶିକ୍ଷା ଦେଉଥିଲେ କିନ୍ତୁ ଏବେ ସମୟ ସମ୍ପୂର୍ଣ୍ଣତାର ପାଖାପାଖି ହୋଇ ଆସୁଥିବା କାରଣରୁ ଏବେ ସଂକଳ୍ପରେ ମଧ୍ୟ ଅପବିତ୍ରତାର ଅଂଶ ଧୋକା ଦେଇଦେବ । ତେଣୁ ମନ-ବଚନ-କର୍ମ, ସମ୍ବନ୍ଧ-ସମ୍ପର୍କ ସବୁଥିରେ ପବିତ୍ରତା ଅତି ଆବଶ୍ୟକ ଅଟେ । ତେଣୁ ସଂକଳ୍ପକୁ ମଧ୍ୟ ହାଲୁକାରେ ନିଅ ନାହିଁ କାରଣ ସଂକଳ୍ପ ବାହାରକୁ ଦେଖାଯାଉ ନାହିଁ କିନ୍ତୁ ଧୋକା ବହୁତ ଦେଉଛି । ବ୍ରାହ୍ମଣ ଜୀବନର ପ୍ରକୃତ ସମ୍ପତ୍ତି ଯାହାକି ଆନ୍ତରିକ ସୁଖ ସ୍ୱରୂପ, ଶାନ୍ତ ସ୍ୱରୂପ ସ୍ଥିତି ଏବଂ ମନର ସନ୍ତୁଷ୍ଟତା ଅଟେ, ଏସବୁର ଅନୁଭବ କରିବା ପାଇଁ ସଂକଳ୍ପର ପବିତ୍ରତା ଅତ୍ୟନ୍ତ ଜରୁରୀ । ବାହ୍ୟ ସାଧନଗୁଡିକ ଦ୍ୱାରା ବା ସେବା ଦ୍ୱାରା ଅଳ୍ପ ସମୟ ପାଇଁ ନିଜକୁ ଖୁସି କରିଦେବା - ଏହା ମଧ୍ୟ ନିଜକୁ ଧୋକା ଦେବା ଅଟେ ।

ବାପଦାଦା ଦେଖୁଛନ୍ତି କେବେକେବେ ପିଲାମାନେ ଏହି ଆଧାରରେ ନିଜକୁ ଭଲ ବୋଲି ଭାବି, ମୁଁ ଖୁସିରେ ଅଛି ଭାବି ନିଜକୁ ଧୋକା ଦେଇଥାଆନ୍ତି ଏବଂ ଏବେ ମଧ୍ୟ ଦେଉଛନ୍ତି । ତେବେ ଦେଇଥାଆନ୍ତି ଏବଂ ଦେଉଛନ୍ତି, ଏହା ମଧ୍ୟ ଏକ ଗୁଢ ରହସ୍ୟ ଅଟେ । ଏଠାରେ କ’ଣ ହେଉଛି ନା, ବାବା ତ ଦାତା ଅଟନ୍ତି, ସମସ୍ତେ ଦାତାଙ୍କର ସନ୍ତାନ ମଧ୍ୟ ଅଟନ୍ତି, ତେଣୁ ଯଦିଓ ସେବା ଯୁକ୍ତିଯୁକ୍ତ ମଧ୍ୟ ନୁହେଁ, ମିଶ୍ରିତ ଅଟେ, କିଛି ଯୋଗଯୁକ୍ତ ଆଉ କିଛି ବାହାରର ସାଧନ ଗୁଡିକ ଆଧାରରେ ବା ନିଜର ଖୁସି ଆଧାରରେ କରୁଛନ୍ତି, ଦିଲ୍ ଆଧାରରେ ଅର୍ଥାତ୍ ଆନ୍ତରିକତା ପୁର୍ବକ ନୁହେଁ କିନ୍ତୁ ଦିମାଗ ଆଧାରରେ ଅର୍ଥାତ୍ ଜ୍ଞାନ ଆଧାରରେ ସେବା କରୁଛନ୍ତି ତେଣୁ ସେବାର ପ୍ରତ୍ୟକ୍ଷ ଫଳ ସେମାନଙ୍କୁ ମଧ୍ୟ ମିଳୁଛି । କାହିଁକି ନା ବାବା ତ ଦାତା ଅଟନ୍ତି ଏବଂ ସେମାନେ ସେହିଥିରେ ହିଁ ଖୁସି ହୋଇଯାଉଛନ୍ତି ଯେ ବାଃ ମୋତେ ତ ଫଳ ମିଳିଗଲା, ମୋର ସେବା ବହୁତ ଭଲ ଅଟେ । କିନ୍ତୁ ସେହି ମାନସିକ ସନ୍ତୁଷ୍ଟତା ସଦାକାଳ ରହି ନ ଥାଏ ତେଣୁ ଆତ୍ମା ଶକ୍ତିଶାଳୀ ଯୋଗର ଅନୁଭବ କରିପାରେ ନାହିଁ, ସେଥିରୁ ବଞ୍ଚିତ ରହିଯାଏ । ବାକି ଏମିତି ନୁହେଁ ଯେ ତାଙ୍କୁ କିଛି ବି ମିଳୁନାହିଁ, ତାହା ନୁହେଁ । କିଛି ନା କିଛି ମିଳୁଛି କିନ୍ତୁ ଜମା ହେଉ ନାହିଁ । ରୋଜଗାର କରିଲେ ଏବଂ ଖାଇ-ପିଇ ଶେଷ କରିଦେଲେ । ସେଥିପାଇଁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସେବା ତ ବହୁତ ଭଲ କରୁଛନ୍ତି, ଫଳ ମଧ୍ୟ ଭଲ ମିଳିଯାଉଛି କିନ୍ତୁ ଖାଇ-ପିଇ ସମାପ୍ତ କରିଦେଉଛନ୍ତି । ଆଉ ଜମା କ’ଣ ରହୁଛି? ଭଲ ସେବା କରିଲ, ଭଲ ଫଳାଫଳ ମିଳିଲା, କିନ୍ତୁ ତାହା କେବଳ ସେବାର ଫଳ ମିଳିଲା, ଜମା ହେଲା ନାହିଁ । ସେଥିପାଇଁ ଜମା କରିବାର ବିଧି ହେଲା - ମନ-ବଚନ-କର୍ମରେ ପବିତ୍ରତା । ମୂଳଦୁଆ ହିଁ ପବିତ୍ରତା ଅଟେ । ସେବା କରିବାରେ ମଧ୍ୟ ମୂଳଦୁଆ ହେଉଛି ପବିତ୍ରତା । ଉଦ୍ଦେଶ୍ୟ ମଧ୍ୟ ବିଲ୍‌କୁଲ୍ ସ୍ୱଚ୍ଛ ଏବଂ ସ୍ପଷ୍ଟ ହେବା ଦରକାର । ଅନ୍ୟ କୌଣସି ପ୍ରକାରର ଭାବନାର ମିଶ୍ରଣ ନ ଥିବ । ଭାବନା ମଧ୍ୟ ପବିତ୍ର, ଭାବ ଅର୍ଥାତ୍ ଉଦ୍ଦେଶ୍ୟ ମଧ୍ୟ ପବିତ୍ର । ହୋଲୀ ଶବ୍ଦର ଅର୍ଥ ହେଉଛି - ପବିତ୍ରତା । ଅପବିତ୍ରତାକୁ ଜଳାଇ ଦେବା - ପବିତ୍ରତାକୁ ଧାରଣ କରିବା । ସେଥିପାଇଁ ପ୍ରଥମେ ଜଳାଉଛନ୍ତି ତା’ପରେ ପାଳନ କରୁଛନ୍ତି, ସର୍ବଶେଷରେ ପବିତ୍ର ହୋଇ ସଂସ୍କାର ମିଳନର ରାସ କରୁଛନ୍ତି । ତେଣୁ ହୋଲୀର ଅର୍ଥ ହେଲା - ଜଳାଇବା ଏବଂ ପାଳନ କରିବା । ବାହାର ଲୋକମାନେ ତ ପରସ୍ପରକୁ ଗଳାରେ ଲଗାଇଥାଆନ୍ତି କିନ୍ତୁ ଏଠାରେ ହେଲା ସଂସ୍କାରର ମିଳନ, ଏହା ହିଁ ହେଉଛି ମଂଗଳ ମିଳନ । ତେବେ ଏହିଭଳି ହୋଲୀ ପାଳନ କରିଛ, ନା କେବଳ ନାଚ କରିଦେଲ ପରସ୍ପର ଉପରେ ଗୋଲାପ ଜଳ ଛିଞ୍ଚି ଦେଲ? ଏହା ମଧ୍ୟ ଭଲ କଥା, ତେଣୁ ଖୁବ୍ ପାଳନ କର । ବାପଦାଦା ମଧ୍ୟ ଖୁସି ହେଉଛନ୍ତି । ଗୋଲାପ ଜଳ ପଛକେ ଛିଞ୍ଚି ହୁଅ, ନାଚ ମଧ୍ୟ କର କିନ୍ତୁ ସବୁବେଳ ପାଇଁ ନାଚୁଥାଅ । କେବଳ ୫-୧୦ ମିନିଟ୍‌ର ନାଚ ନୁହେଁ । ପରସ୍ପର ଭିତରେ ଦିବ୍ୟଗୁଣର ପ୍ରକମ୍ପନକୁ ବିଚ୍ଛୁରିତ କରିବା ହିଁ ଗୋଲାପ ଜଳ ଛିଞ୍ଚିବା ଏବଂ ଜଳାଇବାର ଅର୍ଥ ତ ତୁମେମାନେ ଜାଣିଛ, କାହାକୁ ଜଳାଇବ? ଏବେ ପର୍ଯ୍ୟନ୍ତ ମଧ୍ୟ ଜଳାଇବାରେ ଲାଗିଛ । ପିଲାମାନେ ପ୍ରତି ବର୍ଷ ଏଠାରେ ହାତ ଉଠାଇ ଯାଉଛନ୍ତି, ଭାବୁଛନ୍ତି ବାସ୍‌, ଦୃଢ ସଂକଳ୍ପ ହୋଇଗଲା । ବାପଦାଦା ମଧ୍ୟ ଖୁସି ହୋଇଯାଉଛନ୍ତି, ପିଲାମାନେ ସାହସ ତ ରଖୁଛନ୍ତି ନା । ତେଣୁ ସାହାସ ପାଇଁ ବାପଦାଦା ଅଭିନନ୍ଦନ ମଧ୍ୟ ଦେଉଛନ୍ତି । ସାହାସ ରଖିବା ମଧ୍ୟ ପ୍ରଥମ ପାଦ ଅଟେ, କିନ୍ତୁ ବାପଦାଦାଙ୍କର ଶୁଭ ଆଶା କ’ଣ? ସମୟକୁ ବା ତାରିଖକୁ ଦେଖ ନାହିଁ । ୨୦୦୦ରେ ହେବ, କି ୨୦୦୧ରେ ହେବ, କି ୨୦୦୫ରେ ହେବ ଏସବୁ ଚିନ୍ତା କର ନାହିଁ । ଠିକ୍ ଅଛି ସଦାପ୍ରସ୍ଥୁତ ମଧ୍ୟ ନ ହୁଅ, ତାକୁ ମଧ୍ୟ ବାପଦାଦା ବାଦ୍ ଦେଉଛନ୍ତି କିନ୍ତୁ ଚିନ୍ତା କର ବହୁତ କାଳର ସଂସ୍କାର ତ ଦରକାର ନା । ତୁମେମାନେ ହିଁ ଅନ୍ୟମାନଙ୍କୁ ଶୁଣାଉଛ ଯେ ବହୁତ କାଳର ପୁରୁଷାର୍ଥ ବହୁତ କାଳର ରାଜ୍ୟ ଅଧିକାରୀ କରିବ । ଯଦି ସମୟ ଆସିଲେ ଯାଇ ଦୃଢ ସଂକଳ୍ପ କରିବ ତେବେ ତାହା ବହୁତ କାଳର ହେଲା, ନା ଅଳ୍ପକାଳର ହେଲା! କେଉଁଥିରେ ଗଣା ହେବ? ଅଳ୍ପ କାଳରେ ଗଣା ହେବ ନା! ତେବେ ଅବିନାଶୀ ପିତାଙ୍କଠାରୁ ସମ୍ପତ୍ତି କ’ଣ ନେଲ? ଅଳ୍ପକାଳର । ଏହା କ’ଣ ଭଲ ଲାଗୁଛି? ଲାଗୁନାହିଁ ନା! ତେଣୁ ବହୁତ କାଳର ଅଭ୍ୟାସ ହେବା ଦରକାର, କେତେ କାଳ ପର୍ଯ୍ୟନ୍ତ କରିବୁ ସେ କଥା ଚିନ୍ତା କର ନାହିଁ, ଯେତେ ଅଧିକ ବହୁତ କାଳର ଅଭ୍ୟାସ ଥିବ, ଶେଷ ସମୟରେ ସେତେ ଅଧିକ ଧୋକା ଖାଇବାରୁ ରକ୍ଷା ପାଇଯିବ । ଯଦି ବହୁତ କାଳର ଅଭ୍ୟାସ ନାହିଁ ତେବେ ବତ୍ତର୍ମାନର ବହୁତ କାଳର ସୁଖ, ବହୁତ କାଳର ଶ୍ରେଷ୍ଠ ସ୍ଥିତିର ଅନୁଭବରୁ ମଧ୍ୟ ବଞ୍ଚିତ ହୋଇଯାଉଛ । ସେଥିପାଇଁ କ’ଣ କରିବାକୁ ହେବ? ବହୁତ କାଳ କରିବାକୁ ହେବ ନା! ଯଦି କାହା ବୁଦ୍ଧିରେ ସମୟକୁ ବା ନିଦ୍ଧିଷ୍ଟ କୌଣସି ତାରିଖକୁ ଅପେକ୍ଷା କରିବାର କଥା ରହିଛି ତେବେ ଅପେକ୍ଷା କରିବା ଛାଡି, ବ୍ୟବସ୍ଥା କରିବାରେ ଲାଗିପଡ । ବହୁତ କାଳର ଅଭ୍ୟାସର ବ୍ୟବସ୍ଥାରେ ଲାଗିପଡ । ତାରିଖକୁ ମଧ୍ୟ ତୁମମାନଙ୍କୁ ହିଁ ଧାର୍ଯ୍ୟ କରିବାକୁ ହେବ । ସମୟ ତ ଏବେ ମଧ୍ୟ ପ୍ରସ୍ତୁତ ହୋଇ ରହିଛି, କାଲି ମଧ୍ୟ ବିନାଶ ହୋଇପାରିବ କିନ୍ତୁ ସମୟ ତୁମମାନଙ୍କ ପାଇଁ ଅଟକି ରହିଛି । ତୁମେମାନେ ପ୍ରଥମେ ସମ୍ପନ୍ନ ହୋଇଯାଅ, ବିନାଶର ପରଦା ତ ନିଶ୍ଚିତ ହଟିବ । ତୁମେମାନେ ଅଟକାଇ ରଖିଛ ତେଣୁ ଅଟକି ରହିଛି । ପ୍ରଥମେ ରାଜ୍ୟ ଅଧିକାରୀ ଆତ୍ମାମାନେ ତ ପ୍ରସ୍ତୁତ ହୋଇଯାଅ ନା? ସିଂହାସନ ତ ଖାଲି ରହିବା ଉଚିତ୍ ନୁହେଁ ନା! କ’ଣ ଏକୁଟିଆ ବିଶ୍ୱ ମହାରାଜା ସିଂହାସନ ଉପରେ ବସିବ! ଏହା କ’ଣ ସୁନ୍ଦର ଲାଗିବ? ରାଜ ପରିବାର ମଧ୍ୟ ଦରକାର, ପ୍ରଜା ମଧ୍ୟ ଦରକାର, ସବୁ ଦରକାର । କେବଳ ବିଶ୍ୱମହାରାଜା ସିଂହାସିନ ଉପରେ ବସି ଖୋଜୁଥିବ ମୋ’ର ରାଜ ପରିବାରୀମାନେ କୁଆଡେ ଗଲେ! ସେଥିପାଇଁ ବାପଦାଦାଙ୍କର କେବଳ ଗୋଟିଏ ହିଁ ଶୁଭ ଆଶା ରହିଛି ଯେ ସବୁ ପିଲାମାନେ, ଚାହେଁ ନୂଆ ହୋଇଥାଆନ୍ତୁ ବା ପୁରୁଣା ହୋଇଥାଆନ୍ତୁ ଯେଉଁମାନେ ବି ନିଜକୁ ବ୍ରହ୍ମାକୁମାର ବା ବ୍ରହ୍ମାକୁମାରୀ ବୋଲାଉଛନ୍ତି, ଚାହେଁ ମଧୁବନ ନିବାସୀ, ଚାହେଁ ବିଦେଶ ନିବାସୀ, ଚାହେଁ ଭାରତ ନିବାସୀ - ପ୍ରତ୍ୟେକ ସ୍ଥାନର ପିଲାମାନେ ବହୁତ କାଳର ଅଭ୍ୟାସ କରି ବହୁତ କାଳର ଅଧିକାରୀ ହୋଇଯାଆନ୍ତୁ । କେବେ-କେବେ ବାଲା ନୁହେଁ । କ’ଣ ଏହା ପସନ୍ଦ ହେଉଛି? ଗୋଟିଏ ହାତର ତାଳି ବଜାଅ । ପଛବାଲା ବହୁତ ଚତୁର ଅଟନ୍ତି, ଖୁବ୍ ଧ୍ୟାନ ଦେଇ ଶୁଣୁଛନ୍ତି । ବାପଦାଦା ତ ପଛବାଲାଙ୍କୁ ନିଜ ସମ୍ମୁଖରେ ବସିବାର ଦେଖୁଛନ୍ତି । ଆଗବାଲା ତ ଆଗରେ ହିଁ ଅଛନ୍ତି । (ମେଡିଟେଶନ୍ ହଲ୍‌ରେ ବସି ମୁରଲୀ ଶୁଣୁଛନ୍ତି ) ତଳବାଲା ତ ବାପଦାଦାଙ୍କର ମସ୍ତକରେ ମୁକୁଟ ହୋଇ ବସିଛନ୍ତି । ସେମାନେ ମଧ୍ୟ ତାଳି ବଜାଉଛନ୍ତି । ତଳେ ହିଷ୍ଟ୍ରି ହଲ୍‌ରେ ବସିଥିବା ପିଲାମାନଙ୍କୁ ତ୍ୟାଗର ଭାଗ୍ୟ ତ ନିଶ୍ଚତ ମିଳବ । ତୁମମାନଙ୍କୁ ସମ୍ମୁଖରେ ବସିବାର ଭାଗ୍ୟ ମିଳିଛି ଏବଂ ସେମାନଙ୍କର ତ୍ୟାଗର ଭାଗ୍ୟ ତ ନିଶ୍ଚିତ ମିଳିବ । ତୁମମାନଙ୍କୁ ସମ୍ମୁଖରେ ବସିବାର ଭାଗ୍ୟ ମିଳିଛି ଏବଂ ସେମାନଙ୍କର ତ୍ୟାଗର ଭାଗ୍ୟ ଜମା ହେଉଛି । ଆଚ୍ଛା ବାପଦାଦାଙ୍କର ଗୋଟିଏ ଆଶା ତ ଶୁଣିଲ ନା! ପସନ୍ଦ ଅଟେ ନା! ତେବେ ଆସନ୍ତା ବର୍ଷକୁ କ’ଣ ଦେଖିବା? ଏହିଭଳି ପୁଣି ହାତ ଉଠାଇବ! ଯଦି ହାତ ଉଠାଉଛ ତେବେ ଉଠାଅ, ଦୁଇଟିଯାକ ହାତ ଉଠାଅ କିନ୍ତୁ ମନର ହାତ ମଧ୍ୟ ଉଠାଅ । ଦୃଢ ସଂକଳ୍ପର ହାତ ସଦାକାଳ ପାଇଁ ଉଠାଅ ।

ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ସମ୍ପୂର୍ଣ୍ଣ ପବିତ୍ରାର ଚମକୁଥିବା ମଣିକୁ ଦେଖିବାକୁ ଚାହୁଁଛନ୍ତି । ନୟନରେ ପବିତ୍ରତାର ଝଲକ, ଦୁଇଟିଯାକ ନୟନରେ ପବିତ୍ରତାର ତାରକା ଆତ୍ମିକ ସ୍ଥିତିରେ ଚମକୁଥିବାର ଦେଖିବାକୁ ଚାହୁଛଁନ୍ତି । ବାଣୀରେ ମଧ୍ୟ ମଧୁରତା ସମ୍ପନ୍ନ, ବିଶେଷତା ସମ୍ପନ୍ନ ଅମୂଲ୍ୟବାଣୀ ଶୁଣିବାକୁ ଚାହୁଁଛନ୍ତି । କର୍ମରେ ସନ୍ତୁଷ୍ଟତା ଏବଂ ନିର୍ମାଣତା ସର୍ବଦା ଦେଖିବାକୁ ଚାହୁଁଛନ୍ତି । ଭାବନରେ ସବର୍ଦା ଶୁଭଭାବନା ଏବଂ ଆତ୍ମିକ ଭାବ, ଭାଇ ଭାଇର ଭାବ ରହୁ । ତୁମମାନଙ୍କ ମସ୍ତକରେ ସର୍ବଦା ଲାଇଟ୍‌ର ମୁକୁଟ ଏବଂ ଫରିସ୍ତା ପଣିଆର ମୁକୁଟ ଦେଖାଯାଉ ଅର୍ଥାତ୍ ଅନୁଭବ ହେଉ । ବାପଦାଦା ଏହିଭଳି ସଜବାଜ ହୋଇଥିବା ମୂର୍ତ୍ତିମାନଙ୍କୁ ଦେଖିବାକୁ ଚାହୁଁଛନ୍ତି ଏବଂ ଏହିଭଳି ମୂର୍ତ୍ତି ହିଁ ଶ୍ରେଷ୍ଠ ପୂଜ୍ୟ ହୋଇପାରିବ । ଭକ୍ତମାନେ ତ ତୁମର ଜଡଚିତ୍ର ତିଆରି କରିବେ କିନ୍ତୁ ବାପଦାଦା ତୁମମାନଙ୍କର ଚୈତନ୍ୟ ଚିତ୍ର ଦେଖିବାକୁ ଚାହୁଁଛନ୍ତି ।

ଆଚ୍ଛା - ଚାରିଆଡର ସର୍ବଦା ବାପଦାଦାଙ୍କର ସାଥୀରେ ରହୁଥିବା ସଦାକାଳର ନିକଟତକମ ସାଥୀମାନଙ୍କୁ, ସର୍ବଦା ବହୁତ କାଳର ପୁରୁଷାର୍ଥ ଦ୍ୱାରା ବହୁତ କାଳର ସଂଗମଯୁଗୀ ଅଧିକାର ଏବଂ ଭବିଷ୍ୟତର ରାଜ୍ୟ ଅଧିକାର ପ୍ରାପ୍ତ କରୁଥିବା ଅତି ଜ୍ଞାନବାନ୍ ଆତ୍ମାମାନଙ୍କୁ, ସର୍ବଦା ନିଜକୁ ଶକ୍ତିଗୁଡିକରେ ତଥା ସର୍ବଗୁଣରେ ସଜବାଜ କରି ରଖିଥିବା ବାବାଙ୍କର ଆଶାର ପ୍ରଦୀପ ଆତ୍ମାମାନଙ୍କୁ, ସର୍ବଦା ନିଜକୁ ହୋଲୀଏଷ୍ଟ ଏବଂ ହାଇଏଷ୍ଟ ସ୍ଥିତିରେ ସ୍ଥିତ ରଖୁଥିବା ବାବାଙ୍କ ସମାନ ଅତି ସ୍ନେହୀ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବିଦେଶରେ ବା ଦେଶ ଭିତରେ ଦୂରରେ ବସିଥିଲେ ମଧ୍ୟ ସମ୍ମୁଖରେ ଅନୁଭବ କରୁଥିବା ସମସ୍ତ ଗେହ୍ଲା ସନ୍ତାନମାନଙ୍କୁ ବାପଦାଦାଙ୍କର ବହୁତ-ବହୁତ-ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ।

ବରଦାନ:-
ସମୟକୁ ନିଜର ଶିକ୍ଷକ କରିବା ପରିବର୍ତ୍ତେ ବାବାଙ୍କୁ ଶିକ୍ଷକ କରୁଥିବା ମାଷ୍ଟର ରଚୟିତା ଭବ ।

କେତେକ ପିଲାଙ୍କ ଭିତରେ ସେବାର ଉମଙ୍ଗ-ଉତ୍ସାହ ତ ଅଛି କିନ୍ତୁ ବୈରାଗ୍ୟ ବୃତ୍ତି ପ୍ରତି ଧ୍ୟାନ ନାହିଁ, ଏଥିରେ ବେପରୁଆ ଅଟନ୍ତି । ଚାଲୁଛି ତ....ହେଉଛି ତ.... ହୋଇ ତ ଯିବ.... ସମୟ ଆସିଲେ ଠିକ୍ ହୋଇଯିବ.... ଏହିଭଳି ଭାବିବା ଅର୍ଥ ସମୟକୁ ନିଜର ଶିକ୍ଷକ କରିବା । ପିଲାମାନେ ବାବାଙ୍କୁ ମଧ୍ୟ ମିଥ୍ୟା ଆଶ୍ୱସନା ଦେଉଛନ୍ତି - ଆପଣ ଚିନ୍ତା କରନ୍ତୁ ନାହିଁ, ସମୟ ଆସିଲେ ଠିକ୍ ହୋଇଯିବ, ମୁଁ କରିଦେବି, ଆଗକୁ ବଢିଯିବି । କିନ୍ତୁ ତୁମେମାନେ ମାଷ୍ଟର ରଚୟିତା ଅଟ, ସମୟ ତୁମର ରଚନା ଅଟେ । ରଚନା ନିଜର ମାଷ୍ଟର ରଚୟିତାଙ୍କର ଶିକ୍ଷକ ହେବ - ଏହା ଶୋଭା ପାଉ ନାହିଁ ।

ସ୍ଲୋଗାନ:-
ବାବାଙ୍କର ପାଳନାର ପ୍ରତିଦାନ ହେଲା - ସ୍ୱ-କୁ ଏବଂ ସମସ୍ତଙ୍କୁ ପରିବର୍ତ୍ତନ କରିବାରେ ସହଯୋଗୀ ହେବା ।