08.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ - ଏ ସବୁ ବିନାଶ ହେବାକୁ ଯାଉଛି, ସେଥିପାଇଁ ଏସବୁ ପ୍ରତି ବେହଦର ବୈରାଗ୍ୟ ରଖ, ବାବା ତୁମମାନଙ୍କ ପାଇଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି ।”

ପ୍ରଶ୍ନ:-
ତୁମେମାନେ ଶାନ୍ତିରେ ବସିବାର ଅଭ୍ୟାସ କରୁଛ, ଏଥିରେ କେଉଁ ରହସ୍ୟ ଲୁକ୍‌କାୟିତ ହୋଇ ରହିଛି?

ଉତ୍ତର:-
ଯେତେବେଳେ ତୁମେ ଶାନ୍ତିରେ ବସୁଛ ସେତେବେଳେ ଶାନ୍ତିଧାମକୁ ମନେପକାଉଛ । ତୁମେ ଜାଣିଛ ନିରବ ରହିବା ଅର୍ଥାତ୍ ଶାନ୍ତିରେ ରହିବା ଅର୍ଥାତ୍ ଜିଇଁ ଥାଉ ଥାଉ ମରିଯିବା । ଏଠାରେ ବାବା ତୁମକୁ ସତ୍‌ଗୁରୁ ରୂପରେ ନିରବରେ ରହିବା ଶିଖାଉଛନ୍ତି । ତୁମେମାନେ ନିରବରେ ରହି ନିଜର ବିକର୍ମକୁ ଦଗ୍ଧ କରୁଛ । ତୁମ ଭିତରେ ଏହି ଜ୍ଞାନ ରହିଛି ଯେ ଏବେ ଆମକୁ ଘରକୁ ଯିବାକୁ ହେବ । ଅନ୍ୟ ସତ୍‌ସଙ୍ଗଗୁଡିକରେ ଶାନ୍ତିରେ ବସୁଛନ୍ତି କିନ୍ତୁ ସେମାନଙ୍କ ଭିତରେ ଶାନ୍ତିଧାମର ଜ୍ଞାନ ନାହିଁ ।

ଓମ୍ ଶାନ୍ତି ।
ମିଠା ମିଠା ସିକିଲଧା ଆତ୍ମିକ ପିଲାମାନଙ୍କ ପ୍ରତି ଶିବବାବା କହୁଛନ୍ତି । ଗୀତାରେ ଶ୍ରୀକୃଷ୍ଣ ଉବାଚ ଲେଖାଯାଇଛି..., କିନ୍ତୁ ପ୍ରକୃତରେ ତାହା ହେଉଛି ଶିବ ଭଗବାନୁବାଚ, କୃଷ୍ଣଙ୍କୁ ବାବା ବୋଲି କୁହାଯାଇପାରିବ ନାହିଁ । ଭାରତବାସୀମାନେ ଜାଣିଛନ୍ତି ଯେ ଦୁଇଜଣ ପିତା ଅଛନ୍ତି ଲୌକିକ ଏବଂ ପାରଲୌକିକ । ପାରଲୌକିକଙ୍କୁ ପରମପିତା କୁହାଯାଏ । ଲୌକିକ ପିତାଙ୍କୁ ତ ପରମପିତା କୁହାଯାଇପାରିବ ନାହିଁ । ତୁମମାନଙ୍କୁ କୌଣସି ଲୌକିକ ପିତା ବୁଝାଉନାହାଁନ୍ତି । ପାରଲୌକିକ ପିତା ହିଁ ପାରଲୌକିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପ୍ରଥମେ ପ୍ରଥମେ ତୁମେ ଶାନ୍ତିଧାମକୁ ଯାଉଛ, ଯାହାକୁ ତୁମେ ମୁକ୍ତିଧାମ, ନିର୍ବାଣଧାମ ଅଥବା ବାନପ୍ରସ୍ଥ ବୋଲି ମଧ୍ୟ କହୁଛ । ଏବେ ବାବା କହୁଛନ୍ତି - ପିଲାମାନେ, ଏବେ ତୁମକୁ ଶାନ୍ତିଧାମକୁ ଯିବାକୁ ହେବ । କେବଳ ବାବାଙ୍କୁ ହିଁ ଶାନ୍ତିର ସ୍ତମ୍ଭ ବୋଲି କୁହାଯାଏ । ତେଣୁ ତୁମମାନଙ୍କୁ ଏଠାରେ ପ୍ରଥମେ ଶାନ୍ତିରେ ବସିବାକୁ ହେବ । କୌଣସି ବି ସତ୍‌ସଙ୍ଗରେ ମଧ୍ୟ ପ୍ରଥମେ ପ୍ରଥମେ ଶାନ୍ତିରେ ବସାଇଥା’ନ୍ତି, କିନ୍ତୁ ସେମାନଙ୍କ ଶାନ୍ତିଧାମର ଜ୍ଞାନ ନାହିଁ । ସନ୍ତାନମାନେ ଜାଣିଛନ୍ତି ଏବେ ଆମ ଆତ୍ମାମାନଙ୍କୁ ଏହି ପୁରୁଣା ଶରୀର ତ୍ୟାଗ କରି ଘରକୁ ଯିବାକୁ ହେବ । କୌଣସି ବି ସମୟରେ ଆତ୍ମା ଏହି ଶରୀରକୁ ତ୍ୟାଗ କରିଦେବ ସେଥିପାଇଁ ଏବେ ବାବା ଯାହା ପଢ଼ାଉଛନ୍ତି ତାକୁ ଭଲ ଭାବରେ ପଢ଼ିବାକୁ ହେବ । ସିଏ ହିଁ ହେଉଛନ୍ତି ପରମ ଶିକ୍ଷକ, ତ ସଦ୍‌ଗତି ଦାତା ଗୁରୁ ମଧ୍ୟ, ତେଣୁ ତାଙ୍କ ସାଥିରେ ହିଁ ଯୋଗ ଲଗାଇବାକୁ ହେବ । ଇଏ ଜଣେ ହିଁ ତିନୋଟି ଯାକ ସେବା କରୁଛନ୍ତି । ଏଭଳି ସେବା ଅନ୍ୟ କେହି ବି କରିପାରିବେ ନାହିଁ । ଏହି ଏକମାତ୍ର ବାବା ଗହନ ଶାନ୍ତିରେ ରହିବାର ଶିକ୍ଷା ଦେଉଛନ୍ତି । ତେବେ ଜିଇଁ ଥାଉ ଥାଉ ମରିଯିବାକୁ ହିଁ ନୀରବତା ବୋଲି କୁହାଯାଏ । ତୁମେ ଜାଣିଛ ଯେ ଏବେ ଆମକୁ ଶାନ୍ତିଧାମ ଘରକୁ ଯିବାକୁ ହେବ । ତେବେ ଯେ ପର୍ଯ୍ୟନ୍ତ ଆତ୍ମାମାନେ ପବିତ୍ର ହୋଇନାହାଁନ୍ତି, ସେ ପର୍ଯ୍ୟନ୍ତ ଘରକୁ କେହି ଫେରିଯାଇପାରିବେ ନାହିଁ । କିନ୍ତୁ ସମସ୍ତଙ୍କୁ ତ’ ଯିବାକୁ ପଡିବ, ସେଥିପାଇଁ ପାପ କର୍ମର ଦଣ୍ଡ ଶେଷ ସମୟରେ ମିଳୁଛି, ପୁଣି ପଦ ମଧ୍ୟ ଭ୍ରଷ୍ଟ ହୋଇଯାଉଛି । ତେଣୁ ପଦ ଭ୍ରଷ୍ଟ ହେବା ସହିତ ଲାତ ମଧ୍ୟ ଖାଇବାକୁ ପଡୁଛି କାରଣ ମାୟାଠାରୁ ହାରିଯାଉଛନ୍ତି । ବାବା ମାୟା ଉପରେ ବିଜୟ ପ୍ରାପ୍ତ କରାଇବା ପାଇଁ ହିଁ ଆସୁଛନ୍ତି । କିନ୍ତୁ ଅବହେଳାପଣିଆର ଶିକାର ହେବା କାରଣରୁ ବାବାଙ୍କୁ ମନେପକାଉନାହାଁନ୍ତି । ଏଠାରେ ତ’ ଏକମାତ୍ର ବାବାଙ୍କୁ ହିଁ ମନେପକାଇବାକୁ ହେବ । ଭକ୍ତିମାର୍ଗରେ ମଧ୍ୟ ବହୁତ ଏଣେ ତେଣେ ଘୂରି ବୁଲୁଛନ୍ତି, ଯାହାଙ୍କ ସାମ୍‌ନାରେ ମୁଣ୍ଡ ନୁଆଁଉଛନ୍ତି ତାଙ୍କୁ ହିଁ ଜାଣିନାହାଁନ୍ତି । ତେବେ ବାବା ଆସି ଏଣେ ତେଣେ ଘୂରି ବୁଲିବାରୁ ମୁକ୍ତ କରୁଛନ୍ତି । ଜ୍ଞାନକୁ ଦିନ ଏବଂ ଭକ୍ତିକୁ ରାତି ବୋଲି ବୁଝାଇ ଦିଆଯାଇଛି । ରାତିରେ ହିଁ ଧକ୍କା ଖାଇଥା’ନ୍ତି । ଜ୍ଞାନ ଦ୍ୱାରା ଦିନ ଅର୍ଥାତ୍ ସତ୍ୟଯୁଗ-ତ୍ରେତା । ଭକ୍ତି ଅର୍ଥାତ୍ ରାତି, ଦ୍ୱାପରଯୁଗ - କଳିଯୁଗ । ଏହା ହିଁ ହେଉଛି ସାରା ଡ୍ରାମାର ଅବଧି । ଅଧା ସମୟ ଦିନ ଏବଂ ଆଉ ଅଧା ସମୟ ରାତି ଅର୍ଥାତ୍ ପ୍ରଜାପିତା ବ୍ରହ୍ମାକୁମାର କୁମାରୀମାନଙ୍କର ଦିନ ଏବଂ ରାତି । ଏହା ହେଉଛି ବେହଦର କଥା । ଅବିନାଶୀ ପିତା ଅବିନାଶୀ ସଙ୍ଗମରେ ହିଁ ଆସୁଛନ୍ତି ସେଥିପାଇଁ ଶିବରାତ୍ରି ବୋଲି କୁହାଯାଏ । ମନୁଷ୍ୟ ଏକଥା ବୁଝୁନାହାଁନ୍ତି କି ଶିବରାତ୍ରି କାହାକୁ କୁହାଯାଏ? ତୁମମାନଙ୍କ ବ୍ୟତୀତ ଅନ୍ୟ କେହି ଜଣେ ହେଲେ ବି ଶିବରାତ୍ରିର ମହତ୍ତ୍ୱକୁ ଜାଣିନାହାଁନ୍ତି କାରଣ ଏହା ହେଉଛି କଳିଯୁଗ ଏବଂ ସତ୍ୟଯୁଗର ମଝି ସମୟ । ଯେତେବେଳେ ରାତ୍ରି ଶେଷ ହୋଇ ଦିନ ଆରମ୍ଭ ହୁଏ ସେହି ସମୟକୁ ପୁରୁଷୋତ୍ତମ ସଂଗମଯୁଗ ବୋଲି କୁହାଯାଏ । ଏହା ପୁରୁଣା ଦୁନିଆ ଏବଂ ନୂଆ ଦୁନିଆର ମଝି ସମୟ । ବାବା ଆସୁଛନ୍ତି ମଧ୍ୟ ପୁରୁଷୋତ୍ତମ ସଙ୍ଗମଯୁଗରେ । ଏମିତି ନୁହେଁ ଯେ ଯୁଗେ ଯୁଗେ ଆସୁଛନ୍ତି । ସତ୍ୟଯୁଗ-ତ୍ରେତାଯୁଗର ସଙ୍ଗମକୁ ମଧ୍ୟ ସଙ୍ଗମଯୁଗ କହିଦେଉଛନ୍ତି । ବାବା କହୁଛନ୍ତି ଏହା ଭୁଲ୍ ଅଟେ ।

ଶିବବାବା କହୁଛନ୍ତି ମୋତେ ମନେପକାଅ ତେବେ ତୁମର ପାପ ବିନାଶ ହୋଇଯିବ, ଏହାକୁ ହିଁ ଯୋଗଅଗ୍ନି କୁହାଯାଏ । ତୁମେ ସମସ୍ତେ ବ୍ରାହ୍ମଣ ଅଟ ନା । ତୁମେ ଅନ୍ୟମାନଙ୍କୁ ପବିତ୍ର ହେବାପାଇଁ ଯୋଗ ଶିଖାଉଛ । ଦୁନିଆର ବ୍ରାହ୍ମଣମାନେ ତ’ କାମ ଅଗ୍ନିରେ ଚଢିବାର ରାସ୍ତା ଦେଖାଉଛନ୍ତି ଅର୍ଥାତ୍ ବିକାରୀ କରାଉଛନ୍ତି । ସେହି ବ୍ରାହ୍ମଣ ଏବଂ ତୁମମାନଙ୍କ ଭିତରେ ରାତି ଦିନର ପାର୍ଥକ୍ୟ ରହିଛି । ସେମାନେ ହେଉଛନ୍ତି କୋଳ ବଂଶାବଳୀ, ତୁମେମାନେ ହେଉଛ ମୁଖ ବଂଶାବଳୀ । ତେଣୁ ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିବାକୁ ହେବ । ଏମିତି ବି ଯଦି କେହି ଆସୁଛନ୍ତି ତେବେ ତାଙ୍କୁ ବୁଝାଇବାକୁ ପଡୁଛି ଯେ ଅବିନାଶୀ ପିତାଙ୍କୁ ମନେପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ଏବଂ ଅବିନାଶୀ ବାବାଙ୍କର ସମ୍ପତ୍ତି ମିଳିଯିବ । ତା’ ସହିତ ଯେତେ ଯେତେ ନିଜେ ଦୈବୀଗୁଣ ଧାରଣ କରିବ, ଅନ୍ୟମାନଙ୍କୁ ମଧ୍ୟ ଧାରଣ କରାଇପାରିବ ସେତେ ଉଚ୍ଚପଦ ପ୍ରାପ୍ତ କରିବ । ବାବା ତ’ ପତିତମାନଙ୍କୁ ପବିତ୍ର କରିବା ପାଇଁ ହିଁ ଆସୁଛନ୍ତି । ତେଣୁ ତୁମମାନଙ୍କୁ ମଧ୍ୟ ଏହି ସେବା କରିବାକୁ ହେବ । ବର୍ତ୍ତମାନ ତ’ ସମସ୍ତେ ପତିତ । ଗୁରୁମାନେ କେବେ ବି କାହାକୁ ପବିତ୍ର କରିପାରିବେ ନାହିଁ । ପତିତ-ପାବନ ନାମ ହେଉଛି କେବଳ ଶିବବାବାଙ୍କର । ସିଏ ଏହି ଭାରତରେ ହିଁ ଆସୁଛନ୍ତି । ଯେତେବେଳେ ଡ୍ରାମା ଅନୁସାରେ ସମସ୍ତେ ସମ୍ପୂର୍ଣ୍ଣ ଭାବେ ପତିତ ହୋଇଯାଉଛନ୍ତି, ସେତେବେଳେ ବାବା ଆସୁଛନ୍ତି । ବାବା ପ୍ରଥମେ ତୁମମାନଙ୍କୁ ଅଲଫ୍‌ର ଅର୍ଥ ବୁଝାଉଛନ୍ତି ଏବଂ କହୁଛନ୍ତି ମୋତେ ମନେପକାଅ । ତୁମେ ତାଙ୍କୁ ପତିତ ପାବନ ବୋଲି କହୁଛ ନା । ତେବେ ଆତ୍ମିକ ପିତାଙ୍କୁ ହିଁ ପତିତ-ପାବନ ବୋଲି କୁହାଯାଏ । ହେ ଭଗବାନ ଅଥବା ହେ ବାବା ବୋଲି ସମସ୍ତେ କହୁଛନ୍ତି ନା । କିନ୍ତୁ ତାଙ୍କର ପରିଚୟ କାହାକୁ ହେଲେ ଜଣାନାହିଁ । ଏବେ ତୁମ ସଙ୍ଗମଯୁଗୀମାନଙ୍କୁ ହିଁ ତାଙ୍କର ପରିଚୟ ମିଳିଛି । ଦୁନିଆରେ ସମସ୍ତେ ହେଉଛନ୍ତି ନର୍କବାସୀ । କିନ୍ତୁ ତୁମେମାନେ ନର୍କବାସୀ ନୁହଁ । ହଁ, ଯଦି କେହି ମାୟାଠାରୁ ହାରିଯାଉଛନ୍ତି ତେବେ ସିଏ ଏକଦମ୍ ତଳକୁ ଖସି ପଡୁଛନ୍ତି ଅର୍ଥାତ୍ ନରର୍କବାସୀ ହୋଇଯାଉଛନ୍ତି । କରିଥିବା ରୋଜଗାର ସବୁ ସମାପ୍ତ ହୋଇଯାଉଛି । ତେଣୁ ମୂଳକଥା ହେଉଛି ପତିତରୁ ପବିତ୍ର ହେବାରେ । ଏହା ହେଉଛି ହିଁ ପତିତ ଦୁନିଆ । ତାହା ହେଉଛି ପବିତ୍ର ଦୁନିଆ, ନୂଆ ଦୁନିଆ, ଯେଉଁଠାରେ ଦେବତାମାନେ ରାଜତ୍ୱ କରିଥା’ନ୍ତି । ଏବେ ତୁମମାନଙ୍କୁ ଏ ସବୁକିଛି ଜଣାପଡିଗଲାଣି । ପ୍ରଥମତଃ ଦେବତାମାନେ ହିଁ ସବୁଠାରୁ ଅଧିକ ଜନ୍ମ ନେଇଥା’ନ୍ତି । ସେମାନଙ୍କ ମଧ୍ୟରେ ମଧ୍ୟ ଯେଉଁମାନେ ସୂର୍ଯ୍ୟବଂଶୀ ଆତ୍ମା, ସେମାନେ ପ୍ରଥମେ ଆସନ୍ତି ଏବଂ ୨୧ ପିଢ଼ି ପର୍ଯ୍ୟନ୍ତ ସମ୍ପତ୍ତି ପ୍ରାପ୍ତ କରନ୍ତି । ତେବେ ପବିତ୍ରତା-ସୁଖ-ଶାନ୍ତି ହିଁ ହେଉଛି ବେହଦର ସମ୍ପତ୍ତି । ସତ୍ୟଯୁଗକୁ ସମ୍ପୂର୍ଣ୍ଣ ସୁଖଧାମ କୁହାଯାଏ । ତ୍ରେତାଯୁଗ ହେଉଛି ସେମି ଅର୍ଥାତ୍ ଆଂଶିକ ସୁଖ, କାରଣ ସେଠାରେ ଦୁଇକଳା କମ୍ ହୋଇଯାଇଥାଏ । ତେବେ କଳା କମ୍ ହେବା ଦ୍ୱାରା ଉଜ୍ୱଳତା ମଧ୍ୟ କମ୍ ହୋଇଯାଇଥାଏ । ଚନ୍ଦ୍ରର ମଧ୍ୟ କଳା କମ୍ ହୋଇଯାଇଥିବାରୁ ଉଜ୍ୱଳତା ମଧ୍ୟ କମିଯାଏ । ଶେଷରେ ଛୋଟ ଗାର ସଦୃଶ ରହିଯାଏ । ସମ୍ପୂର୍ଣ୍ଣ ଶୂନ୍ୟ ହୁଏ ନାହିଁ । ସେହିଭଳି ତୁମର ମଧ୍ୟ ଶୂନ୍ୟ ହୁଏ ନାହିଁ । ଏହାକୁ ହିଁ କୁହାଯାଏ ଅଟାରେ ଲୁଣ ପରି ।

ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି । ଏହା ହେଉଛି ଆତ୍ମାମାନଙ୍କର ଏବଂ ପରମାତ୍ମାଙ୍କର ମେଳା । ଏହାକୁ ବୁଦ୍ଧି ଦ୍ୱାରା ହିଁ ଜାଣିବାକୁ ହୋଇଥାଏ । ତେବେ ପରମାତ୍ମା କେବେ ଆସୁଛନ୍ତି? ଯେତେବେଳେ ଦୁନିଆରେ ବହୁତ ଆତ୍ମା ଅର୍ଥାତ୍ ବହୁତ ମନୁଷ୍ୟ ହୋଇଯାଆନ୍ତି ସେତେବେଳେ ପରମାତ୍ମା ମିଳନ ମେଳା କରିବା ପାଇଁ ଆସିଥା’ନ୍ତି । ତେବେ ଆତ୍ମାମାନଙ୍କର ଏବଂ ପରମାତ୍ମାଙ୍କର ମେଳା କାହିଁକି ହୁଏ? ଦୁନିଆରେ ଯେତେ ସବୁ ମେଳା ହେଉଛି ସେସବୁ ମଇଳା ହେବା ପାଇଁ । ବର୍ତ୍ତମାନ ସମୟରେ ତୁମେ ସୃଷ୍ଟିରୂପି ବଗିଚାର ମାଲିକଙ୍କ ଦ୍ୱାରା କଣ୍ଟାରୁ ଫୁଲ ହେଉଛ । ତେବେ କିପରି ହେଉଛ? ଯୋଗ ବଳ ଆଧାରରେ । ବାବାଙ୍କୁ ସର୍ବଶକ୍ତିମାନ କୁହାଯାଏ ନା । ଯେମିତି ବାବା ସର୍ବଶକ୍ତିମାନ ଅଟନ୍ତି, ସେହିପରି ରାବଣ ମଧ୍ୟ କିଛି କମ୍ ଶକ୍ତିମାନ ନୁହେଁ । ବାବା ନିଜେ ମଧ୍ୟ କହୁଛନ୍ତି ଯେ ମାୟା ବହୁତ ବଳବାନ୍‌, ବହୁତ ଚତୁର । କେତେକ ସନ୍ତାନ କହୁଛନ୍ତି - ବାବା ଆମେ ଆପଣଙ୍କୁ ମନେପକାଉଛୁ, କିନ୍ତୁ ମାୟା ଆପଣଙ୍କ ସ୍ମୃତିକୁ ଭୁଲାଇଦେଉଛି । ତେଣୁ ପରସ୍ପରର ଶତ୍ରୁ ହେଲେ ନା । ବାବା ଆସି ମାୟା ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି, ପୁଣି ମାୟା ହରାଇଦେଉଛି । ଶାସ୍ତ୍ରରେ ଦେବତା ଏବଂ ଅସୁରମାନଙ୍କ ଭିତରେ ଯୁଦ୍ଧ ହୋଇଥିଲା ବୋଲି ଦେଖାଇଛନ୍ତି । କିନ୍ତୁ ବାସ୍ତବରେ ଏଭଳି କିଛି ହେଉନାହିଁ । ଯୁଦ୍ଧ ତ’ ବର୍ତ୍ତମାନ ହେଉଛି । ତୁମେ ବାବାଙ୍କୁ ମନେପକାଉ ଥିବାରୁ ଦେବତା ହୋଇଯାଉଛ । ମାୟା ଯୋଗରେ ବିଘ୍ନ ପକାଇଥାଏ, ପାଠପଢ଼ାରେ ନୁହେଁ । ଯୋଗରେ ହିଁ ବିଘ୍ନ ପଡିଥାଏ । ମାୟା ବାରମ୍ବାର ଭୁଲାଇଦେଉଛି ନା । ଦେହ-ଅଭିମାନୀ ହେବା ଦ୍ୱାରା ମାୟାର ଚାପୁଡା ଲାଗିଯାଉଛି । ଯେଉଁମାନେ କାମ ବିକାରରେ ବଶୀଭୂତ ହୋଇ ରହିଛନ୍ତି ସେମାନଙ୍କ ପାଇଁ ବହୁତ କଡା ଶବ୍ଦ କୁହାଯାଇଥାଏ । ଏହା ହେଉଛି ହିଁ ରାବଣ ରାଜ୍ୟ । ବାବା ଏଠାରେ ପବିତ୍ର ହେବା ପାଇଁ ବୁଝାଯାଉଛନ୍ତି ତଥାପି ବି ପବିତ୍ର ହେଉନାହାଁନ୍ତି । ବାବା କହୁଛନ୍ତି - ପିଲାମାନେ, ବିକାରଗ୍ରସ୍ତ ହୁଅ ନାହିଁ, କଳା ମୁହଁ କରନାହିଁ । ତଥାପି ମଧ୍ୟ ଲେଖୁଛନ୍ତି ବାବା ମୋତେ ମାୟା ହରାଇଦେଲା ଅର୍ଥାତ୍ କଳା ମୁହଁ କରିଦେଲି । ଗୋରା ଏବଂ କଳା ଅକ୍ଷର ରହିଛି ନା । ବିକାରୀମାନେ କଳା (ପତିତ) ଅଟନ୍ତି ଏବଂ ନିର୍ବିକାରୀମାନେ ଗୋରା (ପବିତ୍ର) ହୋଇଥା’ନ୍ତି । ଶ୍ୟାମ-ସୁନ୍ଦରର ଅର୍ଥ ମଧ୍ୟ ତୁମମାନଙ୍କ ବ୍ୟତୀତ ଦୁନିଆରେ ଆଉ କେହି ଜାଣିନାହାଁନ୍ତି । କୃଷ୍ଣଙ୍କୁ ମଧ୍ୟ ଶ୍ୟାମ ସୁନ୍ଦର କହୁଛନ୍ତି । ତେଣୁ ବାବା ତାଙ୍କର ଏହି ନାମର ଅର୍ଥକୁ ବୁଝାଉଛନ୍ତି । ସିଏ ସ୍ୱର୍ଗର ପ୍ରଥମ ରାଜକୁମାର ଥିଲେ । ସୁନ୍ଦରତାରେ ସେ ଏକ ନମ୍ବରରେ ଉତ୍ତୀର୍ଣ୍ଣ ହୋଇଥା’ନ୍ତି । ପୁଣି ପୁନର୍ଜନ୍ମ ନେଇ ନେଇ ତଳକୁ ଖସି ଖସି କଳା ହୋଇଯାଉଛନ୍ତି । ସେଥିପାଇଁ ତାଙ୍କର ନାମ ଶ୍ୟାମ ସୁନ୍ଦର ରଖାଯାଇଛି । ଏହାର ଅର୍ଥକୁ ମଧ୍ୟ ବାବା ବୁଝାଉଛନ୍ତି । ଶିବବାବା ତ’ ସର୍ବଦା ସୁନ୍ଦର ଅଟନ୍ତି । ସିଏ ଆସି ତୁମମାନଙ୍କୁ ସୁନ୍ଦର କରୁଛନ୍ତି । ପତିତ ଅର୍ଥାତ୍ କଳା, ପବିତ୍ର ଅର୍ଥାତ୍ ସୁନ୍ଦର । ସେଠାରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ତୁମେମାନେ ଏଠାକୁ ସ୍ୱର୍ଗର ମାଲିକ ହେବାପାଇଁ ଆସିଛ । ଗାୟନ ମଧ୍ୟ ରହିଛି - ଶିବ ଭଗବାନୁବାଚ, ମାତାମାନେ ହିଁ ସ୍ୱର୍ଗର ଦୁଆର ଖୋଲୁଛନ୍ତି ସେଥିପାଇଁ ବନ୍ଦେ ମାତରମ୍‌ର ଗାୟନ ରହିଛି । ଯଦି ବନ୍ଦେ ମାତରମ୍‌ର ଗାୟନ ଅଛି ତେବେ ପିତା ମଧ୍ୟ ନିଶ୍ଚିତ ଭାବରେ ଥିବେ । ତେବେ ବାବା ଏବେ ମାତାମାନଙ୍କର ମହିମାକୁ ବଢ଼ାଉଛନ୍ତି । ସେଥିପାଇଁ ପ୍ରଥମେ ଲକ୍ଷ୍ମୀ, ପଛରେ ନାରାୟଣ ବୋଲି କୁହାଯାଇଥାଏ । କିନ୍ତୁ ଏଠାରେ (କଳିଯୁଗରେ) ପ୍ରଥମେ ମିଷ୍ଟର, ପଛରେ ମିସେସ୍ । ଡ୍ରାମାର ରହସ୍ୟ ହିଁ ଏହିଭଳି ଭାବରେ ତିଆରି ହୋଇଛି । ରଚୟିତା ବାବା ପ୍ରଥମେ ନିଜର ପରିଚୟ ଦେଉଛନ୍ତି । ଜଣେ ହେଉଛନ୍ତି ହଦର ଲୌକିକ ପିତା, ଅନ୍ୟ ଜଣେ ହେଉଛନ୍ତି ବେହଦର ପାରଲୌକିକ ପିତା । ସମସ୍ତେ ଅବିନାଶୀ ପିତାଙ୍କୁ ମନେପକାଉଛନ୍ତି କାରଣ ତାଙ୍କଠାରୁ ଅବିନାଶୀ ସମ୍ପତ୍ତି ମିଳୁଛି । ଏଠାରେ ବିନାଶୀ ସମ୍ପତ୍ତି ମିଳୁଥିଲେ ମଧ୍ୟ ଅବିନାଶୀ ପିତାଙ୍କୁ ମନେପକାଉଛନ୍ତି । କହୁଛନ୍ତି - ବାବା ଆପଣ ଯେତେବେଳେ ଆସିବେ ସେତେବେଳେ ଅନ୍ୟ ସଙ୍ଗଠାରୁ ସମ୍ବନ୍ଧ ତୁଟାଇ କେବଳ ଆପଣଙ୍କ ସହିତ ସମ୍ବନ୍ଧ ଯୋଡିବୁ । ତେବେ ଏକଥା କିଏ କହୁଛି? ଆତ୍ମା ହିଁ କହୁଛି ନା । ଆତ୍ମା ହିଁ ଏହି କର୍ମେନ୍ଦ୍ରିୟ ଦ୍ୱାରା ଅଭିନୟ କରୁଛି । ପ୍ରତ୍ୟେକ ଆତ୍ମା ଯେପରି ଯେପରି କର୍ମ କରିଥା’ନ୍ତି ସେହିପରି ସେହି ଅନୁସାରେ ଜନ୍ମ ନେଇଥା’ନ୍ତି । ସାହୁକାର ଏବଂ ଗରିବ ହୋଇଥା’ନ୍ତି । ଏହା ମଧ୍ୟ କର୍ମର ଫଳ ନା । ଏହି ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଅଟନ୍ତି । ତେବେ ଏମାନେ କ’ଣ କର୍ମ କରିଛନ୍ତି, ଏକଥା ତ’ ତୁମେମାନେ ଜାଣିଛ, ତେଣୁ ଅନ୍ୟମାନଙ୍କୁ ମଧ୍ୟ ବୁଝାଇପାରିବ ।

ବାବା କହୁଛନ୍ତି ଏହି ଆଖିଦ୍ୱାରା ତୁମେ ଯାହା ସବୁ ଦେଖୁଛ, ସେଗୁଡିକ ପ୍ରତି ବୈରାଗ୍ୟ ରଖ । କାରଣ ସେ ସବୁ ବିନାଶ ହୋଇ ଯିବ । ଯେପରି ନୂଆ ଘର ତିଆରି କଲେ ପୁରୁଣା ଠାରୁ ବୈରାଗ୍ୟ ଆସିଥାଏ । ପିଲାମାନେ କହିବେ ବାବା ଆମମାନଙ୍କ ପାଇଁ ନୂଆ ଘର ତିଆରି କରିଛନ୍ତି, ତେଣୁ ଆମେ ସେଠାକୁ ଯିବୁ । ଏହି ପୁରୁଣା ଘର ତ’ ଭାଙ୍ଗି ତୁଟିଯିବ । ଏ ସବୁ ହେଉଛି ବେହଦର କଥା । ପିଲାମାନେ ଜାଣିଛନ୍ତି ବାବା ସ୍ୱର୍ଗର ସ୍ଥାପନା କରିବା ପାଇଁ ଆସିଛନ୍ତି । ଏହା ହେଉଛି ପୁରୁଣା ଛି ଛି ଦୁନିଆ ।

ତୁମେ ପିଲାମାନେ ଏବେ ତ୍ରିମୂର୍ତ୍ତି ଶିବଙ୍କ ସମ୍ମୁଖରେ ବସିଛ । ତୁମେମାନେ ହିଁ ବିଜୟ ପ୍ରାପ୍ତ କରୁଛ । ବାସ୍ତବରେ ଏହି ତ୍ରିମୂର୍ତ୍ତି ଚିତ୍ର ତୁମର କୋର୍ଟ ଅଫ୍ ଆର୍ମସ୍ ଅର୍ଥାତ୍ କୁଳ ଚିହ୍ନ ଅଟେ । ତୁମ ବ୍ରାହ୍ମଣମାନଙ୍କର ଏହି କୁଳ ହେଉଛି ସବୁଠାରୁ ଉଚ୍ଚ । ସେଥିପାଇଁ ବ୍ରାହ୍ମଣମାନଙ୍କର ଚୁଟି ଦେଖାଇଥା’ନ୍ତି ନା । ଏବେ ରାଜତ୍ୱର ସ୍ଥାପନ ହେଉଛି । ତେଣୁ ଏହି ଚିହ୍ନକୁ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ଶିବବାବା ଆମକୁ ଦେବୀ-ଦେବତା କରିବା ପାଇଁ ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗର ପାଠ ପଢ଼ାଉଛନ୍ତି । ବିନାଶ ତ’ ନିଶ୍ଚିତ ହେବ । ଦୁନିଆ ଯେତେବେଳେ ତମଃପ୍ରଧାନ ହୋଇଯାଉଛି ସେତେବେଳେ ବିନାଶ ହେବା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ସହଯୋଗ କରିଥାଏ । ଏହି ବୁଦ୍ଧି ସାହାଯ୍ୟରେ ବିଜ୍ଞାନର କେତେ କରାମତି ଦେଖାଉଛନ୍ତି । ବାସ୍ତବରେ ପେଟରୁ କୌଣସି ମୁଶଳ (କ୍ଷେପଣାସ୍ତ୍ର) ବାହାରି ନ ଥିଲା । ଏହି ବିଜ୍ଞାନ ହିଁ ସାରା କୁଳର ବିନାଶ କରୁଛି । ବାବା ତୁମମାନଙ୍କୁ ବୁଝାଇଛନ୍ତି ଯେ ସର୍ବୋଚ୍ଚ ହେଉଛନ୍ତି ଶିବବାବା । ପୂଜା ମଧ୍ୟ ଏକମାତ୍ର ଶିବବାବାଙ୍କର ଏବଂ ଦେବତାମାନଙ୍କର କରିବା ଆବଶ୍ୟକ । ତୁମ ବ୍ରାହ୍ମଣମାନଙ୍କର ପୂଜା ହୋଇପାରିବ ନାହିଁ କାରଣ ତୁମର ଆତ୍ମା ଯଦିଓ ପବିତ୍ର କିନ୍ତୁ ଶରୀର ତ’ ପବିତ୍ର ନୁହେଁ, ସେଥିପାଇଁ ବ୍ରାହ୍ମଣମାନେ ପୂଜନ ଯୋଗ୍ୟ ହୋଇପାରିବେ ନାହିଁ । ତୁମେମାନେ ମହିମା ଯୋଗ୍ୟ ଅଟ । ପୁଣି ଯେତେବେଳେ ତୁମେ ଦେବତା ହେଉଛ ସେତେବେଳେ ଆତ୍ମା ମଧ୍ୟ ପବିତ୍ର ଏବଂ ଶରୀର ମଧ୍ୟ ନୂଆ ଅର୍ଥାତ୍ ପବିତ୍ର ମିଳୁଛି । ବର୍ତ୍ତମାନ ସମୟରେ ତୁମେ ମହିମା ଯୋଗ୍ୟ ଅଟ । ସେଥିପାଇଁ ବନ୍ଦେ ମାତରମ୍‌ର ଗାୟନ ହେଉଛି ନା । ତେବେ ମାତାମାନଙ୍କର ସେନା କ’ଣ କରୁଛନ୍ତି? ମାତାମାନେ ହିଁ ସମସ୍ତଙ୍କୁ ଶ୍ରୀମତ ଅନୁସାରେ ଜ୍ଞାନ ଦେଉଛନ୍ତି, ସମସ୍ତଙ୍କୁ ଜ୍ଞାନର ଅମୃତ ପାନ କରାଉଛନ୍ତି । ଜ୍ଞାନକୁ ଯଥାର୍ଥ ଭାବେ ତୁମେମାନେ ହିଁ ବୁଝୁଛ । ଶାସ୍ତ୍ରଗୁଡିକରେ ତ’ ବହୁତ କାହାଣୀ ଲେଖି ଦିଆଯାଇଛି ଏବଂ ଦୁନିଆରେ ସେ ସବୁକୁ ହିଁ ଶୁଣାଉଛନ୍ତି । କେବଳ ତୁମେମାନେ ହିଁ ସତ୍ୟ ସତ୍ୟ କହି ଚାଲିଛ । ଯଦି ତୁମେ ବସି ଅନ୍ୟମାନଙ୍କୁ ଶୁଣାଇବ ତେବେ ସେମାନେ ମଧ୍ୟ ସତ୍ୟ ସତ୍ୟ କହିବେ । ଏବେ ତ’ ତୁମେମାନେ ସତ୍ୟ ସତ୍ୟ କହିପାରିବ ନାହିଁ । ବର୍ତ୍ତମାନ ମନୁଷ୍ୟମାନେ ଏମିତି ପଥରବୁଦ୍ଧି ହୋଇଯାଇଛନ୍ତି, ଯେ ସେମାନେ ଯାହା ଶୁଣୁଛନ୍ତି ସେ ସବୁକୁ ସତ୍ୟ ସତ୍ୟ ବୋଲି କହିବାରେ ଲାଗିଛନ୍ତି । ପଥରବୁଦ୍ଧି ଏବଂ ପାରସବୁଦ୍ଧିର ଗାୟନ ମଧ୍ୟ ରହିଛି ନା । ପାରସବୁଦ୍ଧି ଅର୍ଥାତ୍ ପାରସନାଥ । ନେପାଳରେ ପାରସନାଥଙ୍କର ଚିତ୍ର ରହିଛି ନା । କିନ୍ତୁ ପାରସପୁରୀର ନାଥ ହେଉଛନ୍ତି ଏହି ଲକ୍ଷ୍ମୀ ନାରାୟଣ । ବର୍ତ୍ତମାନ ୟାଙ୍କର ହିଁ ରାଜଧାନୀ ସ୍ଥାପନ ହେଉଛି । ତେବେ ମୂଳ କଥା ହେଉଛି ରଚୟିତା ଏବଂ ରଚନାର ରହସ୍ୟକୁ ଜାଣିବା, ଯାହା ପାଇଁ ଋଷି ମୁନିମାନେ ମଧ୍ୟ ନେତି ନେତି ବୋଲି କହିଯାଇଛନ୍ତି । ଏବେ ତୁମେ ବାବାଙ୍କ ଦ୍ୱାରା ସବୁକିଛି ଜାଣୁଛ ଅର୍ଥାତ୍ ଆସ୍ତିକ ହୋଇଛ । ମାୟା ରାବଣ ହିଁ ତୁମକୁ ନାସ୍ତିକ କରିଦେଇଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ସର୍ବଦା ଏହି ସ୍ମୃତି ରହୁ କି ଆମେ ବ୍ରହ୍ମା ମୁଖବଂଶାବଳୀ ବ୍ରାହ୍ମଣ ଅଟୁ, ଆମର କୁଳ ସବୁଠାରୁ ଉଚ୍ଚ । ତେଣୁ ଆମକୁ ନିଜେ ପବିତ୍ର ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବାକୁ ହେବ । ପତିତ-ପାବନ ବାବାଙ୍କର ସହଯୋଗୀ ହେବାକୁ ପଡିବ ।

(୨) ଯୋଗ କରିବାରେ କେବେ ଅବହେଳା କରିବାର ନାହିଁ । ଦେହ-ଅଭିମାନ କାରଣରୁ ହିଁ ମାୟା ଯୋଗରେ ବିଘ୍ନ ପକାଇଥାଏ । ସେଥିପାଇଁ ପ୍ରଥମେ ଦେହ-ଅଭିମାନକୁ ଛାଡିବାକୁ ହେବ । ଯୋଗ ଅଗ୍ନି ଦ୍ୱାରା ପାପ ନାଶ କରିବାକୁ ହେବ ।

ବରଦାନ:-
ସାଧନଗୁଡିକର ପ୍ରବୃତ୍ତି ଭିତରେ ରହି ପଦ୍ମଫୁଲ ଭଳି ନ୍ୟାରା ଏବଂ ପ୍ୟାରା ରହୁଥିବା ବେହଦର ବୈରାଗୀ ଭବ ।

ତୁମ ପାଖରେ ଯଦି କୌଣସି ସାଧନ ଅଛି ତେବେ ତାକୁ ଖୁସି ଖୁସିରେ ବ୍ୟବହାର କର କାରଣ ଏହା ତୁମ ପାଇଁ ହିଁ ଉଦ୍ଧିଷ୍ଟ, କିନ୍ତୁ ନିଜର ସାଧନାକୁ କେବେ ବି ସୁପ୍ତ କର ନାହିଁ, ଏଥିରେ ସମ୍ପୂର୍ଣ୍ଣ ସନ୍ତୁଳନ ରହିବା ଦରକାର । ସାଧନଗୁଡିକୁ ବ୍ୟବହାର କରିବା ଖରାପ କଥା ନୁହେଁ, ଏହା ତ ତୁମମାନଙ୍କର ଶ୍ରେଷ୍ଠ କର୍ମର ତ୍ୟାଗ, ଯୋଗ କରିବାର ଫଳ ଅଟେ । କିନ୍ତୁ ସାଧନଗୁଡିକ ପ୍ରବୃତ୍ତିରେ ରହି ମଧ୍ୟ ପଦ୍ମଫୁଳ ଭଳି ନ୍ୟାରା ଅର୍ଥାତ୍ ସ୍ୱତନ୍ତ୍ର ହୁଅ ଏବଂ ବାବାଙ୍କର ପ୍ୟାରା ମଧ୍ୟ ହୁଅ । ସେଗୁଡିକୁ ବ୍ୟବହାର କରୁଥିଲେ ମଧ୍ୟ ପ୍ରଭାବରେ ପ୍ରଭାବିତ ହୁଅ ନାହିଁ ଅର୍ଥାତ୍ ବଶୀଭୂତ ହୁଅ ନାହିଁ କିମ୍ବା ବେହଦର ବୈରାଗ୍ୟ ବୃତ୍ତି ସୁପ୍ତ ହୋଇ ନ ଯାଉ । ପ୍ରଥମେ ନିଜ ଭିତରେ ଏହାକୁ ଜାଗ୍ରତ କର ତା’ପରେ ସାରା ବିଶ୍ୱରେ ବାତାବରଣ ସୃଷ୍ଟି କର ।

ସ୍ଲୋଗାନ:-
ଦୁଃଖୀ ଆତ୍ମାକୁ ନିଜର ଶ୍ରେଷ୍ଠ ସ୍ୱମାନରେ ସ୍ଥିତ କରିଦେବା ହିଁ ସବୁଠାରୁ ଉତ୍ତମ ସେବା ।