09.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ତୁମର ସବୁଆଡୁ ମୋହର ଆକର୍ଷଣ ତୁଟିଯିବା ଦରକାର କାହିଁକି ନା ଏବେ ଘରକୁ ଯିବାକୁ ହେବ, ତେଣୁ ଏଭଳି କୌଣସି ବିକର୍ମ ନ ହେଉ, ଯାହାଦ୍ୱାରା ବ୍ରାହ୍ମଣ କୁଳର ନାମ ବଦନାମ ହେବ ।”

ପ୍ରଶ୍ନ:-
ବାବା କେଉଁ ସନ୍ତାନମାନଙ୍କୁ ଦେଖି-ଦେଖି ବହୁ ହର୍ଷିତ ହୋଇଥା’ନ୍ତି ଏବଂ କେଉଁ ପିଲାମାନେ ବାବାଙ୍କ ଆଖିରେ ସମାହିତ ହୋଇ ରହିଛନ୍ତି?

ଉତ୍ତର:-
ଯେଉଁ ସନ୍ତାନମାନେ ବହୁତଙ୍କୁ ସୁଖଦାୟୀ କରୁଛନ୍ତି, ସେବା ଯୋଗ୍ୟ ଅଟନ୍ତି, ସେମାନଙ୍କୁ ଦେଖି ଦେଖି ବାବା ମଧ୍ୟ ବହୁତ ହର୍ଷିତ ହେଉଛନ୍ତି । ଯେଉଁ ପିଲାମାନଙ୍କର ବୁଦ୍ଧିରେ ରହୁଛି ଯେ ମୁଁ ଏକମାତ୍ର ବାବାଙ୍କୁ ହିଁ କହିବି, ବାବାଙ୍କ ସହିତ ହିଁ କଥା ହେବି.... ଏହିଭଳି ପିଲାମାନେ ହିଁ ବାବାଙ୍କ ଆଖିରେ ସମାହିତ ହୋଇ ରହିଥା’ନ୍ତି । ବାବା କହୁଛନ୍ତି - ମୋର ସେବା କରୁଥିବା ସନ୍ତାନମାନେ ହିଁ ମୋର ଅତିପ୍ରିୟ ଅଟନ୍ତି । ଏହିଭଳି ସନ୍ତାନମାନଙ୍କୁ ମୁଁ ମନେ ପକାଉଛି ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଏକଥା ତ ଜାଣିଛନ୍ତି ଯେ ଆମେ ବାବାଙ୍କ ସମ୍ମୁଖରେ ମଧ୍ୟ ବସିଛୁ, ସିଏ ଆମର ପିତା ଏବଂ ଶିକ୍ଷକ ରୂପରେ ପଢାଉଛନ୍ତି ମଧ୍ୟ, ସେହି ପିତା ପତିତ-ପାବନ ସଦ୍‌ଗତିଦାତା ମଧ୍ୟ ଅଟନ୍ତି, ସାଥୀରେ ମଧ୍ୟ ନେଇଯାଉଛନ୍ତି ଏବଂ ରାସ୍ତା ମଧ୍ୟ ବହୁତ ସହଜ ଦେଖାଉଛନ୍ତି । ସିଏ ପତିତରୁ ପାବନ କରିବା ପାଇଁ ଆମକୁ କୌଣସି କଷ୍ଟକର କାର୍ଯ୍ୟ ଦେଉ ନାହାଁନ୍ତି । କେଉଁ ଆଡକୁ ବି ଯାଅ, ଚାହେଁ ଭ୍ରମଣ କର, ଚାହେଁ ବିଦେଶକୁ ଯାଅ କେବଳ ନିଜକୁ ଆତ୍ମା ନିଶ୍ଚୟ କର । ତାହା ତ ସମସ୍ତେ ବୁଝୁଛନ୍ତି । ତଥାପି ବି କହୁଛନ୍ତି - ନିଜକୁ ଆତ୍ମା ନିଶ୍ଚୟ କର, ଦେହ-ଅଭିମାନକୁ ତ୍ୟାଗ କରି ଆତ୍ମ-ଅଭିମାନୀ ହୁଅ । ଆମେ ସମସ୍ତେ ଆତ୍ମା, ଆମେ ଅଭିନୟ କରିବା ପାଇଁ ଏହି ଶରୀର ଧାରଣ କରିଛୁ । ଆମେ ଗୋଟିଏ ଶରୀରରେ ଅଭିନୟ କରି ସାରିଲା ପରେ ଅନ୍ୟ ଏକ ଶରୀର ଧାରଣ କରୁଛୁ । କାହାର ଅଭିନୟ ୧୦୦ ବର୍ଷର ହୋଇଥାଏ ତ କାହାର ୮୦ ବର୍ଷର କାହାର ଦୁଇ ବର୍ଷର ମଧ୍ୟ ହୋଇଥାଏ ତ ପୁଣି ଆଉ କାହାର ୬ ମାସର ମଧ୍ୟ ହୋଇଥାଏ । କାହାର କାହାର ତ ଜନ୍ମ ନେବା ମାତ୍ରେ ହିଁ ମୃତ୍ୟୁ ହୋଇଯାଉଛି ପୁଣି ଆଉ କାହାର ଜନ୍ମ ନେବା ପୂର୍ବରୁ ଗର୍ଭରେ ହିଁ ମୃତ୍ୟୁ ହୋଇଯାଉଛି । ତେବେ ଏଠାକାର ପୁନର୍ଜନ୍ମ ଏବଂ ସତ୍ୟଯୁଗର ପୁନର୍ଜନ୍ମରେ ରାତି ଦିନର ଅନ୍ତର ରହିଛି । ଏଠାରେ ଗର୍ଭରୁ ଜନ୍ମ ନେଉଥିବାରୁ ଏହାକୁ ଗର୍ଭଜେଲ୍ କୁହାଯାଉଛି । ସତ୍ୟଯୁଗରେ ଗର୍ଭଜେଲ୍ ହୁଏ ନାହିଁ କାରଣ ସେଠାରେ ବିକର୍ମ ହୁଏ ନାହିଁ, ରାବଣ ରାଜ୍ୟ ହିଁ ନାହିଁ । ବାବା ତୁମମାନଙ୍କୁ ସବୁ କଥା ବୁଝାଉଛନ୍ତି । ବେହଦର ବାବା ଏହି ବ୍ରହ୍ମାଙ୍କ ଶରୀରରେ ଆସି ବୁଝାଉଛନ୍ତି । ତେବେ ଏହି ଶରୀରର ଆତ୍ମା (ବ୍ରହ୍ମା) ମଧ୍ୟ ଶୁଣୁଛି । ଜ୍ଞାନର ସାଗର ବାବା ହିଁ ଶୁଣାଉଛନ୍ତି, ଯାହାଙ୍କର ନିଜର ଶରୀର ନାହିଁ । ସିଏ ସଦୈବ ଶିବ ହିଁ ବୋଲାଇଥାଆନ୍ତି । ଯେପରି ସିଏ ପୁନର୍ଜନ୍ମ ରହିତ, ସେହିପରି ନାମ ରୂପ ନେବାର ମଧ୍ୟ ରହିତ ଅଟନ୍ତି । ତାଙ୍କୁ ସଦାଶିବ କୁହାଯାଏ । ସିଏ ସର୍ବଦା ଶିବ ହିଁ ଅଟନ୍ତି, ତାଙ୍କର ଶରୀରର ନାମ ନାହିଁ । ସିଏ ଏହି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଥିଲେ ମଧ୍ୟ ୟାଙ୍କର ଶରୀରର ନାମ, ତାଙ୍କ ଉପରେ ରଖାଯାଇ ନ ଥାଏ । ତୁମର ଏହା ହେଉଛି ବେହଦର ସନ୍ନ୍ୟାସ, ଦୁନିଆରେ ସେମାନେ ହେଲେ ହଦର ସନ୍ନ୍ୟାସୀ । ତେବେ ସେମାନଙ୍କର ନାମ ମଧ୍ୟ ବିଖ୍ୟାତ ହେଉଛି । ବାବା ତୁମର ନାମ ମଧ୍ୟ କେତେ ସୁନ୍ଦର ସୁନ୍ଦର ରଖିଛନ୍ତି । ଡ୍ରାମା ଅନୁସାରେ ବାବା ଯେଉଁମାନଙ୍କର ନାମ ରଖିଥିଲେ ସେମାନେ ଚାଲିଗଲେ । ବାବା ଭାବିଥିଲେ ମୋର ହୋଇଯାଇଛନ୍ତି ତେଣୁ ନିଶ୍ଚିତ ଭାବେ ସଦାକାଳ ପାଇଁ ରହିବେ କେବେ ଛାଡପତ୍ର ଦେବେ ନାହିଁ କିନ୍ତୁ ଛାଡପତ୍ର ଦେଇ ଦେଲେ, ତେବେ ଆଉ ନାମ ରଖି ଲାଭ କ’ଣ ହେଲା! ସନ୍ନ୍ୟାସୀମାନେ ମଧ୍ୟ ଘରକୁ ଫେରି ଆସିଲା ପରେ ତାଙ୍କର ପୁରୁଣା ନାମ ହିଁ ଚାଲିଥାଏ, ଘରକୁ ଫେରି ଆସନ୍ତି ନା । ଏପରି ନୁହେଁ ଯେ ସେମାନେ ସନ୍ନ୍ୟାସ କରୁଛନ୍ତି ତେଣୁ ତାଙ୍କର ମିତ୍ର ସମ୍ବନ୍ଧୀ ଇତ୍ୟାଦି ମନେ ରୁହନ୍ତି ନାହିଁ । କାହାର କାହାର ତ ସବୁ ମିତ୍ର ସମ୍ବନ୍ଧୀ ମାନେ ସର୍ବଦା ମନେ ପଡିଥା’ନ୍ତି । ସେମାନେ ମୋହର ଆକର୍ଷଣରେ ବୁଡି ରହିଥା’ନ୍ତି । କାହାର କାହାର ତ ସମ୍ବନ୍ଧ ତୁରନ୍ତ ତୁଟିଯାଇଥାଏ । ତେବେ ମୋହ ତ ତୁଟାଇବାକୁ ପଡିବ ନା । ବାବା ବୁଝାଇଛନ୍ତି କି - ଏବେ ସମସ୍ତଙ୍କୁ ଘରକୁ (ପରମଧାମକୁ) ଫେରିବାକୁ ହେବ । ବାବା ନିଜେ ବସି ବୁଝାଉଛନ୍ତି, ପ୍ରଭାତ ସମୟରେ ମଧ୍ୟ ବାବା କହୁଥିଲେ ନା । ବାବାଙ୍କୁ ଦେଖି ଦେଖି ମନରେ ସୁଖ ଆସିଥାଏ.... କାହିଁକି? କାରଣ ବାବାଙ୍କ ଆଖିରେ ପିଲାମାନେ ସମାହିତ ହୋଇ ରହିଛନ୍ତି । ଆତ୍ମାମାନେ ତ ବାବାଙ୍କ ନୟନର ପିତୁଳା ଅଟନ୍ତି । ବାବା ମଧ୍ୟ ପିଲାମାନଙ୍କୁ ଦେଖି ଦେଖି ଖୁସି ହୋଇଥା’ନ୍ତି ନା । କେହି କେହି ତ ବହୁତ ଭଲ ଆଜ୍ଞାକାରୀ ସନ୍ତାନ ହୋଇଥା’ନ୍ତି, ଯିଏକି ସେବାକେନ୍ଦ୍ରର ଦାୟିତ୍ୱ ମଧ୍ୟ ନେଇଥା’ନ୍ତି । ପୁଣି ଆଉ କେହି କେହି ବ୍ରାହ୍ମଣ ହୋଇ ମଧ୍ୟ ବିକାରଗ୍ରସ୍ତ ହୋଇିଯାଇଥା’ନ୍ତି, ତେବେ ସିଏ ଅବଜ୍ଞାକାରୀ ହେଲେ ନା । ଏହି ବ୍ରହ୍ମାବାବା ମଧ୍ୟ ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କୁ ଦେଖି ଦେଖି ହର୍ଷିତ ହେଉଛନ୍ତି । ବେହଦର ବାବା କହୁଛନ୍ତି - ଇଏ ତ କୁଳ କଳଙ୍କିତ ହୋଇଗଲା । ଏମାନେ ହିଁ ବ୍ରାହ୍ମଣ କୁଳର ନାମକୁ ବଦ୍‌ନାମ କରୁଛନ୍ତି । ବାବା ପିଲାମାନଙ୍କୁ ସର୍ବଦା ବୁଝାଇ ଚାଲିଛନ୍ତି - କାହାର ନାମ ରୂପରେ କେବେ ବି ଆକର୍ଷିତ ହୁଅ ନାହିଁ । ଏମାନଙ୍କୁ ମଧ୍ୟ ସେମି କୁଳ କଳଙ୍କିତ କୁହାଯିବ । ସେମିରୁ ପୁଣି ସମ୍ପୂର୍ଣ୍ଣ କୁଳକଳଙ୍କିତ ମଧ୍ୟ ହୋଇଯାଉଛନ୍ତି । ନିଜେ ମଧ୍ୟ ଲେଖୁଛନ୍ତି - ବାବା ମୁଁ ତଳକୁ ଖସିଗଲି, ମୁଁ କଳା ମୁହଁ କରିଦେଲି, ମାୟା ଧୋକା ଦେଇଦେଲା । ମାୟାର ତୋଫାନ ତ ବହୁତ ଆସୁଛି । ବାବା କହୁଛନ୍ତି କାମ ବିକାରଗ୍ରସ୍ତ ହେବା ମଧ୍ୟ ପରସ୍ପରକୁ ଦୁଃଖ ଦେବା ହେଲା । ସେଥିପାଇଁ ବାବା ପ୍ରତିଜ୍ଞା କରାଉଛନ୍ତି । କେତେକ ପିଲା ନିଜ ରକ୍ତରେ ପତ୍ର ଲେଖି ବାବାଙ୍କ ନିକଟକୁ ପଠାଉଥିଲେ କିନ୍ତୁ ଆଜି ସେମାନେ ନାହାଁନ୍ତି । ତେଣୁ ବାବା କହୁଛନ୍ତି ଓହୋ ମାୟା! ତୁ ବହୁତ ଶକ୍ତିଶାଳୀ ଅଟୁ । ଏଭଳି ସନ୍ତାନ ଯିଏକି ରକ୍ତରେ ପତ୍ର ଲେଖୁଥିଲେ, ତୁ ସେମାନଙ୍କୁ ମଧ୍ୟ ଖାଇଦେଲୁ । ଯେମିତି ବାବା ସମର୍ଥ, ସେମିତି ମାୟା ମଧ୍ୟ ସମର୍ଥ ଅଟେ । ଅଧାକଳ୍ପ ପାଇଁ ବାବାଙ୍କ ଠାରୁ ସମର୍ଥୀର ସମ୍ପତ୍ତି ମିଳୁଛି, ପୁଣି ଆଉ ଅଧାକଳ୍ପ ମାୟା ସେହି ସମର୍ଥୀକୁ ହରଣ କରିନେଉଛି । ଏହା ହେଉଛି ଭାରତର କଥା । ଦେବୀ-ଦେବତା ଧର୍ମର ଆତ୍ମାମାନେ ହିଁ ଧନଶାଳୀରୁ କାଙ୍ଗାଳ ହେଉଛନ୍ତି । ଏବେ ତୁମେ ଯଦି ଲକ୍ଷ୍ମୀ-ନାରାୟଣ ମନ୍ଦିରକୁ ଯିବ, ତେବେ ତୁମକୁ ଆଶ୍ଚର୍ଯ୍ୟ ଲାଗିବ କାରଣ ତୁମେ ଏହି ବଂଶାବଳୀର ଥିଲ ଏବେ ପୁଣି ସେହି ବଂଶାବଳୀକୁ ଯିବା ପାଇଁ ପାଠ ପଢୁଛ । ୟାଙ୍କର (ବ୍ରହ୍ମାଙ୍କର) ଆତ୍ମା ମଧ୍ୟ ବାବାଙ୍କଠାରୁ ପାଠ ପଢୁଛି । ଆଗରୁ ତୁମେ ଏଠି ସେଠି ମୁଣ୍ଡ ନୁଆଉଁ ଥିଲ । କିନ୍ତୁ ଏବେ ତୁମକୁ ଜ୍ଞାନ ମିଳୁଛି, ତୁମେ ସମସ୍ତଙ୍କର ୮୪ ଜନ୍ମର କାହାଣୀକୁ ମଧ୍ୟ ଜାଣୁଛ । ପ୍ରତ୍ୟେକ ନିଜ ନିଜର ଅଭିନୟ କରୁଛନ୍ତି ନା ।

ବାବା କହୁଛନ୍ତି - ପିଲାମାନେ, ସର୍ବଦା ହର୍ଷିତ ହୋଇ ରୁହ । ଏଠାକାର ହର୍ଷିତ ରହିବାର ସଂସ୍କାର ପୁଣି ସାଥୀରେ ନେଇ ଯିବ । ତୁମେ ଜାଣିଛ ଯେ ଆମେ କ’ଣ ହେବାକୁ ଯାଉଛୁ? ବେହଦର ବାବା ହିଁ ଆମକୁ ଏହି ସମ୍ପତ୍ତି ଦେଉଛନ୍ତି ଆଉ କେହି ଏହି ସମ୍ପତ୍ତି ଦେଇପାରିବେ ନାହିଁ । ଏମିତି ଜଣେ ହେଲେ ବି ମନୁଷ୍ୟ ନାହାଁନ୍ତି ଯାହାଙ୍କୁ ଜଣା ଅଛି ଯେ ଏହି ଲକ୍ଷ୍ମୀ-ନାରାୟଣ କେଉଁଆଡେ ଗଲେ । ସେମାନେ ଭାବୁଛନ୍ତି ଏମାନେ ଯେଉଁଠାରୁ ଆସିଥିଲେ ସେହିଠାକୁ ଚାଲିଗଲେ । ଏବେ ବାବା କହୁଛନ୍ତି - ପିଲାମାନେ ତୁମେ ବୁଦ୍ଧିରେ ବିଚାର କର । ତୁମେ ଭକ୍ତିମାର୍ଗରେ ମଧ୍ୟ ବେଦ-ଶାସ୍ତ୍ର ପଢୁଛ, ଏବେ ମୁଁ ତୁମକୁ ଜ୍ଞାନ ଶୁଣାଉଛି । ତେଣୁ ତୁମେ ବିଚାର କରି କୁହ - ଭକ୍ତି ଠିକ୍ ନା ମୁଁ ଠିକ୍‌? ବାବା, ରାମ ହିଁ ହେଉଛନ୍ତି ସତ୍ୟ, ରାବଣ ଅସତ୍ୟ ଅଟେ । ଆଜିକାଲି ମନୁଷ୍ୟମାନେ ପ୍ରତ୍ୟେକ କଥାରେ ଅସତ୍ୟ କହୁଛନ୍ତି । ଏହା ଜ୍ଞାନ ଆଧାରରେ ହିଁ କୁହାଯାଉଛି । ତୁମେ ବୁଝିଛ - ଆଗରୁ ଆମେମାନେ ମଧ୍ୟ ଅସତ୍ୟ କହୁଥିଲୁ । ଦାନ-ପୁଣ୍ୟ ଆଦି କରି କରି ମଧ୍ୟ ସିଢିରେ ତଳକୁ ଖସି ଆସିଛୁ । ତୁମେ ଦାନ ମଧ୍ୟ ଆତ୍ମାମାନଙ୍କୁ ଦେଇଛ । ତେଣୁ ଯଦି ପାପାତ୍ମା, ପାପାତ୍ମାଙ୍କୁ ଦାନ କରିବେ ତେବେ ପୁଣ୍ୟ ଆତ୍ମା କିପରି ହୋଇପାରିବେ? ସତ୍ୟଯୁଗରେ ଆତ୍ମାମାନଙ୍କର ନେଣ-ଦେଣ ହୁଏ ନାହିଁ । ଏଠାରେ ତ ଲକ୍ଷ ଲକ୍ଷ ଟଙ୍କା କରଜ ନେଉଛନ୍ତି । ଏହି ରାବଣ ରାଜ୍ୟରେ ପ୍ରତି ପାଦରେ ମନୁଷ୍ୟମାନଙ୍କୁ ଦୁଃଖ ମିଳୁଛି । ଏବେ ତୁମେମାନେ ସଂଗମରେ ଅଛ, ତୁମମାନଙ୍କର ତ ପ୍ରତି ପାଦରେ ପଦ୍ମର ରୋଜଗାର ଜମା ହେଉଛି । ଦେବତାମାନେ କିପରି ପଦ୍ମପତି ହେଲେ ? ଏକଥା କାହାକୁ ହେଲେ ବି ଜଣା ନାହିଁ । ସ୍ୱର୍ଗ ତ ନିଶ୍ଚିତ ଥିଲା, ତା’ର ସ୍ମାରକୀ ସବୁ ରହିଛି । ବାକି ସେମାନଙ୍କର ଏକଥା ମନେ ପଡୁନାହିଁ ଯେ ପୂର୍ବ ଜନ୍ମରେ କେଉଁ କର୍ମ କରିବା ଦ୍ୱାରା ରାଜ୍ୟ ଭାଗ୍ୟ ମିଳିଛି । ତାହା ତ ହେଉଛି ନୂଆ ସୃଷ୍ଟି । ସେଠାରେ କାହାର କୌଣସି ଫାଲତୁ ବିଚାର ଚାଲେ ନାହିଁ । ତାକୁ ହିଁ କୁହାଯାଏ ସୁଖଧାମ । ଏହା ହେଉଛି ପାଞ୍ଚ ହଜାର ବର୍ଷର କଥା । ତୁମେ ଏବେ ସୁଖ ପ୍ରାପ୍ତ କରିବା ପାଇଁ, ପବିତ୍ର ହେବା ପାଇଁ ପାଠ ପଢୁଛ । ଏବେ ଅନେକ ଉପାୟମାନ ବାହାରୁଛି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଶାନ୍ତିଧାମ ହେଉଛି ଆତ୍ମାମାନଙ୍କର ରହିବାର ସ୍ଥାନ, ତାକୁ ସ୍ୱିଟ୍ ହୋମ୍ କୁହାଯାଏ । ଯେମିତି କେହି ବିଦେଶରୁ ଫେରିଲା ବେଳେ ଭାବନ୍ତି ଯେ ଏବେ ଆମେ ଆମର ସ୍ୱିଟ୍‌ହୋମକୁ (ମିଠାଘର)କୁ ଯାଉଛୁ । ତୁମର ସ୍ୱିଟ୍‌ହୋମ ହେଉଛି ଶାନ୍ତିଧାମ । ବାବା ମଧ୍ୟ ଶାନ୍ତିର ସାଗର ଅଟନ୍ତି, ତାଙ୍କର ଅଭିନୟ ହିଁ ଅନ୍ତିମ ସମୟରେ ହେଉଛି । ତେବେ ସିଏ କେତେ ସମୟ ଶାନ୍ତିରେ ରହୁଥିବେ । ବାବାଙ୍କର ଏଠାରେ ବହୁତ ଅଳ୍ପ ସମୟର ଅଭିନୟ ରହିଛି । ଏହି ଡ୍ରାମାରେ ହିରୋ-ହିରୋଇନ୍‌ର ଅଭିନୟ ହେଉଛି ତୁମମାନଙ୍କର । ତୁମେମାନେ ହିଁ ବିଶ୍ୱର ମାଲିକ ହେଉଛ । ଏହି ନିଶା ଆଉ କାହାର କେବେ ହୋଇପାରିବ ନାହିଁ । ଅନ୍ୟ କାହାର ଭାଗ୍ୟରେ ସ୍ୱର୍ଗର ସୁଖ ହିଁ ନାହିଁ, ତାହା ତ କେବଳ ତୁମ ସନ୍ତାନମାନଙ୍କୁ ହିଁ ମିଳୁଛି । ଯେଉଁ ପିଲାମାନଙ୍କୁ ବାବା ଦେଖୁଛନ୍ତି, କହୁଛନ୍ତି ବାବା - ମୁଁ ଆପଣଙ୍କୁ ହିଁ ସବୁକଥା କହିବି, ଆପଣଙ୍କ ସହିତ ହିଁ କଥା ହେବି...... ବାବା ମଧ୍ୟ କହୁଛନ୍ତି - ମୁଁ ତୁମ ସନ୍ତାନ ମାନଙ୍କୁ ଦେଖି ଦେଖି ବହୁତ ହର୍ଷିତ ହେଉଛି । ମୁଁ ୫ ହଜାର ବର୍ଷ ପରେ ଆସିଛି, ତୁମମାନଙ୍କୁ ଦୁଃଖଧାମରୁ ସୁଖଧାମକୁ ନେଇଯାଉଛି କାରଣ ତୁମେ କାମ ଚିତାରେ ଚଢି ଜଳି ଜଳି ଭସ୍ମ ହୋଇଯାଇଛ । ଏବେ ଦୁନିଆର ମନୁଷ୍ୟମାନଙ୍କୁ ମଧ୍ୟ ଦୁଃଖର କବରରୁ ବାହାର କରିବାକୁ ହେବ । ଆତ୍ମାମାନେ ତ ସମସ୍ତେ ଏଠାରେ ଉପସ୍ଥିତ ଅଛନ୍ତି । ସେମାନଙ୍କୁ ପବିତ୍ର କରିବାକୁ ହେବ ।

ବାବା କହୁଛନ୍ତି - ପିଲାମାନେ, ବୁଦ୍ଧିରେ ଏକମାତ୍ର ସତଗୁରୁଙ୍କୁ ମନେ ପକାଅ ଏବଂ ଅନ୍ୟ ସମସ୍ତଙ୍କୁ ଭୁଲିଯାଅ । ତୁମକୁ ଜଣଙ୍କ ସହିତ ସମ୍ବନ୍ଧ ରଖିବାକୁ ହେବ । ତୁମେମାନେ ପୂର୍ବରୁ ମଧ୍ୟ କହୁଥିଲ ଯେ ଆପଣ ଆସିଲେ ମୁଁ ଆପଣଙ୍କ ବ୍ୟତୀତ ଆଉ କାହାକୁ ମନେ ପକାଇବି ନାହିଁ, ଆପଣଙ୍କ ମତରେ ହିଁ ଚାଲି ଶ୍ରେଷ୍ଠ ହେବି । ଗାୟନ ମଧ୍ୟ କରୁଛନ୍ତି - ସବୁଠାରୁ ଉଚ୍ଚ ହେଉଛନ୍ତି ଭଗବାନ । ତାଙ୍କର ମତ ମଧ୍ୟ ସବୁଠାରୁ ଉଚ୍ଚ । ବାବା ସ୍ୱୟଂ କହୁଛନ୍ତି ମୁଁ ଯେଉଁ ଜ୍ଞାନ ତୁମମାନଙ୍କୁ ଏବେ ଦେଉଛି ସେସବୁ ପ୍ରାୟତଃ ଲୋପ ପାଇଯିବ । ଭକ୍ତିମାର୍ଗର ଶାସ୍ତ୍ର ତ ପରମ୍ପରାରୁ ଚାଲି ଆସୁଛି । କହୁଛନ୍ତି ସେବେଠାରୁ ରାବଣ ମଧ୍ୟ ଚାଲି ଆସିଛି । ତୁମେ ଲୋକମାନଙ୍କୁ ପଚାର ଯେ ରାବଣକୁ କେବେଠାରୁ ଜଳାଉଛ ଏବଂ କାହିଁକି ଜଳାଉଛ? ସେମାନଙ୍କୁ ତ କିଛି ବି ଜଣାନାହିଁ । ଅର୍ଥ ନ ଜାଣିବା କାରଣରୁ କେତେ ଉତ୍ସବ ଇତ୍ୟାଦି ପାଳନ କରୁଛନ୍ତି । ବହୁତ ଅତିଥିମାନଙ୍କୁ ନିମନ୍ତ୍ରଣ ଦେଉଛନ୍ତି । ରାବଣକୁ ଜଳାଇବାର ଉତ୍ସବ ପାଳନ କରୁଛନ୍ତି । ତୁମେ ବୁଝିପାରୁ ନାହିଁ କି ରାବଣର ପିତୁଳା କେବେଠାରୁ ତିଆରି କରିଆସୁଛନ୍ତି? ଦିନକୁ ଦିନ ରାବଣର ପିତୁଳା ବଡ ବଡ କରି ତିଆରି କରି ଚାଲିଛନ୍ତି, କହୁଛନ୍ତି ଏହା ପରମ୍ପରା ଅନୁସାରେ ଚାଲି ଆସୁଛି । କିନ୍ତୁ ଏମିତି ତ ହୋଇପାରିବ ନାହିଁ । ଆଉ କେତେ ଦିନ ପର୍ଯ୍ୟନ୍ତ ରାବଣକୁ ଏମିତି ଜଳାଇ ଚାଲିବେ? ତୁମେ ତ ଜାଣିଛ ବାକି ଆଉ ଅଳ୍ପ ସମୟ ରହିଛି, ତା’ପରେ ଏହାର ରାଜ୍ୟ ହିଁ ରହିବ ନାହିଁ । ବାବା କହୁଛନ୍ତି ଏହି ରାବଣ ହେଉଛି ତୁମର ସବୁଠାରୁ ବଡ ଶତ୍ରୁ, ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ମନୁଷ୍ୟମାନଙ୍କ ବୁଦ୍ଧିରେ ତ ଅନେକ କଥା ରହିଛି । ତୁମେ ଜାଣିଛ ପ୍ରତି ସେକେଣ୍ଡରେ ଯାହା ସବୁ ହେଉଛି ସେସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ତୁମେ ତିଥି ତାରିଖ ମଧ୍ୟ ବାହାର କରି ସାରା ହିସାବ ବାହାର କରିପାରିବ ଯେ ଆମର କେତେ ଘଣ୍ଟା, କେତେ ବର୍ଷ, କେତେ ମାସ ଅଭିନୟ ଚାଲୁଛି । ଏହି ସମସ୍ତ ଜ୍ଞାନ ବୁଦ୍ଧିରେ ରହିବା ଦରକାର । ବାବା ହିଁ ଆମକୁ ଏସବୁ କିଛି ବୁଝାଉଛନ୍ତି । ବାବା କହୁଛନ୍ତି - ମୁଁ ହେଉଛି ପତିତ-ପାବନ । ତୁମେମାନେ ମୋତେ ପବିତ୍ର କରିବା ପାଇଁ ହିଁ ଡାକୁଛ । ତେବେ ପବିତ୍ର ଦୁନିଆ ଶାନ୍ତିଧାମ ଏବଂ ସୁଖଧାମରେ ହିଁ ହୋଇଥାଏ । ଏବେ ତ ସମସ୍ତେ ପତିତ ଅଟନ୍ତି । ତେଣୁ ଏବେ ସର୍ବଦା ବାବା-ବାବା କହିଚାଲ । ଏକଥା କେବେ ଭୁଲିଯାଅ ନାହିଁ, ତେବେ ସର୍ବଦା ଶିବବାବା ମନେ ପଡିବେ ଯେ ଇଏ ହେଉଛନ୍ତି ଆମର ବାବା । ପ୍ରଥମେ ପ୍ରଥମେ ହେଉଛନ୍ତି ଏହି ବେହଦର ବାବା । କେବଳ ବାବା କହିବା ଦ୍ୱାରା ହିଁ ସମ୍ପତ୍ତିର ଖୁସି ମିଳିଯାଉଛି । କେବଳ ଭଗବାନ ବା ଈଶ୍ୱର କହିବା ଦ୍ୱାରା କେବେ ବି ଏଭଳି ବିଚାର ଆସିବ ନାହିଁ । ସମସ୍ତଙ୍କୁ କୁହ ଯେ ବେହଦର ବାବା ବ୍ରହ୍ମାଙ୍କ ଦ୍ୱାରା ବୁଝାଉଛନ୍ତି । ଇଏ ତାଙ୍କର ରଥ ଅଟନ୍ତି । ୟାଙ୍କ ଦ୍ୱାରା ବାବା କହୁଛନ୍ତି ମୁଁ ତୁମ ସନ୍ତାନମାନଙ୍କୁ ଏହିଭଳି କରୁଛି । ଏହି ବ୍ୟାଜ୍‌ରେ ହିଁ ସାରା ଜ୍ଞାନ ଭରି ହୋଇ ରହିଛି । ଅନ୍ତିମ ସମୟରେ କେବଳ ଶାନ୍ତିଧାମ ଏବଂ ସୁଖଧାମ ମନେ ରହିବ । ଏହି ଦୁଃଖଧାମକୁ ତ ଧୀରେ ଧୀରେ ଭୁଲିଯିବ । ଏକଥା ମଧ୍ୟ ଜାଣିଛ ଯେ ସମସ୍ତେ କ୍ରମାନୁସାରେ ନିଜ ନିଜ ସମୟରେ ହିଁ ଆସିବେ । ଇସ୍‌ଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ୍ ଆଦି କେତେ ଅଛନ୍ତି, ଅନେକ ଭାଷା ମଧ୍ୟ ରହିଛି । ପ୍ରଥମେ ତ କେବଳ ଗୋଟିଏ ଧର୍ମ ଥିଲା ସେଥିରୁ ପୁଣି କେତେ ଶାଖା ସବୁ ବାହାରିଛି । କେତେ ଲଢେଇ ଆଦି ମଧ୍ୟ ଲାଗୁଛି । ସମସ୍ତେ ତ ଲଢେଇ କରୁଛନ୍ତି କାରଣ ଅନାଥ ହୋଇଯାଇଛନ୍ତି ନା । ଏବେ ବାବା କହୁଛନ୍ତି ମୁଁ ତୁମକୁ ଯେଉଁ ରାଜ୍ୟ ଦେଉଛି ତାକୁ କେବେ ବି କେହି ତୁମଠାରୁ ଛଡାଇ ନେଇପାରିବ ନାହିଁ । ବାବା ତୁମକୁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି ଯାହାକୁ କେହି ଛଡାଇ ନେଇପାରିବେ ନାହିଁ । ସେଥିପାଇଁ ତୁମକୁ ଏହି ଜ୍ଞାନ ମାର୍ଗରେ ଅଖଣ୍ଡ, ଅଚଳ, ଅଟଳ ହୋଇ ରହିବାକୁ ହେବ । ମାୟାର ତୋଫାନ ତ ନିଶ୍ଚିତ ଆସିବ । ଯିଏ ସମସ୍ତଙ୍କଠାରୁ ଆଗରେ ରହିବେ ଅର୍ଥାତ୍ ଶ୍ରେଷ୍ଠ ପୁରୁଷାର୍ଥୀ ହୋଇଥିବେ ସିଏ ତ ସବୁ ପରୀକ୍ଷାର ଅନୁଭବ କରିବେ ନା । ବେମାରୀ ଆଦି ସବୁ ଦିନ ପାଇଁ ସମାପ୍ତ ହେବାକୁ ଯାଉଛି, ତେଣୁ ଯଦି କୌଣସି କର୍ମର ହିସାବ କିତାବ, ବେମାରୀ ଇତ୍ୟାଦି ଅଧିକ ଆସୁଛି ତେବେ ଏଥିରେ ଡରିବାର ନାହିଁ । ଏ ସବୁ ପୂର୍ବ ଜନ୍ମର କର୍ମଫଳ, ପୁଣି ପରବର୍ତ୍ତୀ ଜନ୍ମରେ ଏସବୁ କିଛି ହେଲେ ବି ହେବ ନାହିଁ । ଏବେ ତ ଯେତେ ରୋଗ ବେମାରୀ ଅଛି ସବୁ ବାହାରିବ । ବୃଦ୍ଧମାନଙ୍କୁ ମଧ୍ୟ ମାୟା ଯୁବକ କରିଦେବ । ବାନପ୍ରସ୍ଥୀମାନେ ଯେଉଁଠି ରହିଥା’ନ୍ତି ସେଠାରେ କେହି ମହିଳା ରହି ନ ଥା’ନ୍ତି । ସନ୍ନ୍ୟାସୀମାନେ ମଧ୍ୟ ଜଙ୍ଗଲକୁ ଚାଲି ଯାଉଛନ୍ତି । ସେଠାରେ ମଧ୍ୟ ମହିଳାମାନେ ନ ଥା’ନ୍ତି । ସେମାନେ କାହାର ମୁହଁକୁ ଦେଖନ୍ତି ନାହିଁ । ଭିକ୍ଷା ନେଲେ ଏବଂ ଚାଲିଗଲେ । ଆଗରୁ ତ ମହିଳାମାନଙ୍କୁ ବିଲ୍‌କୁଲ୍ ଦେଖୁ ହିଁ ନ ଥିଲେ । ସେମାନେ ଭାବୁଥିଲେ ନିଶ୍ଚିତ ତାଙ୍କ ଆଡକୁ ବୁଦ୍ଧି ଚାଲିଯିବ । ଭାଇ ଭଉଣୀର ସମ୍ବନ୍ଧରେ ମଧ୍ୟ ବୁଦ୍ଧି ଚାଲିଯାଉଛି ତେଣୁ ବାବା କହୁଛନ୍ତି ଆତ୍ମା ଭାଇ-ଭାଇକୁ ଦେଖ । ଶରୀରର ନାମ ମଧ୍ୟ ନେବା ଉଚିତ୍ ନୁହେଁ । ଏହା ହିଁ ହେଉଛି ସବୁଠାରୁ ଉଚ୍ଚ ଲକ୍ଷ୍ୟ । ତୁମକୁ ତ ଏକଦମ୍ ଚୁଟି ଅର୍ଥାତ୍ ସର୍ବୋଚ୍ଚ ସ୍ତରକୁ ଯିବାକୁ ହେବ । ଏବେ ସେହି ରାଜଧାନୀ ସ୍ଥାପନ ହେଉଛି, ତେଣୁ ଏଥିରେ ବହୁତ ପରିଶ୍ରମ କରିବାକୁ ହେବ । ସମସ୍ତେ କହୁଛନ୍ତି ଆମେ ତ ଲକ୍ଷ୍ମୀ-ନାରାୟଣ ହେବୁ । ତେଣୁ ବାବା କହୁଛନ୍ତି ସେହିଭଳି ହୁଅ । ଶ୍ରୀମତରେ ଚାଲ । ମାୟାର ତୋଫାନ ତ ଆସିବ, କିନ୍ତୁ କର୍ମେନ୍ଦ୍ରିୟ ଦ୍ୱାରା କିଛି ବି ବିକର୍ମ କରିବା ଉଚିତ୍ ନୁହେଁ । ଦେବାଳିଆ ତ ଏମିତି ବି ହୋଇ ଚାଲିଛନ୍ତି । ଏପରି ନୁହେଁ ଯେ ଜ୍ଞାନରେ ଆସିବା ଦ୍ୱାରା ଦେବାଳିଆ ହୋଇଗଲେ । ଏହିଭଳି ତ ପୂର୍ବରୁ ମଧ୍ୟ ଚାଲିଆସୁଛି । ବାବା ତ କହୁଛନ୍ତି ମୁଁ ତୁମକୁ ପତିତରୁ ପବିତ୍ର କରିବା ପାଇଁ ଆସିଛି । କେହି କେହି ବହୁତ ଭଲ ସେବା କରୁଛନ୍ତି, ଅନ୍ୟକୁ ବୁଝାଉଛନ୍ତି ପୁଣି ଦେବାଳିଆ ହୋଇଯାଉଛନ୍ତି, ମାୟା ବହୁତ ଶକ୍ତିଶାଳୀ ଅଟେ । ଭଲ ଭଲ ପିଲାମାନେ ମଧ୍ୟ ତଳକୁ ଖସିଯାଉଛନ୍ତି । ବାବା ଆସି ବୁଝାଉଛନ୍ତି - ମୋର ସେବା କରୁଥିବା ସନ୍ତାନମାନେ ହିଁ ମୋତେ ପ୍ରିୟ ଲାଗିଥାଆନ୍ତି । ଯେଉଁମାନେ ଅନେକଙ୍କୁ ସୁଖୀ କରାଇଥା’ନ୍ତି, ସେମାନଙ୍କୁ ମୁଁ ମଧ୍ୟ ମନେ ପକାଇଥାଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କାହାର ନାମ ରୂପରେ ଆକର୍ଷିତ ହୋଇ କୁଳ କଳଙ୍କିତ ହେବାର ନାହିଁ । ମାୟାଠାରୁ ଧୋକା ଖାଇ ପରସ୍ପରକୁ ଦୁଃଖ ଦେବାର ନାହିଁ । ବାବାଙ୍କଠାରୁ ସମର୍ଥୀ ହେବାର ସମ୍ପତ୍ତି ନେବାର ଅଛି ।

(୨) ସଦା ସର୍ବଦା ହର୍ଷିତ ରହିବାର ସଂସ୍କାର ଏହିଠାରୁ ହିଁ ଭରିବାକୁ ହେବ । ଏବେ ଆଉ ପାପ ଆତ୍ମାମାନଙ୍କ ସହିତ କୌଣସି ବି ନେଣ-ଦେଣ କରିବାର ନାହିଁ । ରୋଗ ବେମାରୀ ଆଦିକୁ ଡରିବାର ନାହିଁ ଏବଂ ସବୁ ହିସାବ କିତାବକୁ ଏବେଠାରୁ ହିଁ ଚୁକ୍ତ କରିବାର ଅଛି ।

ବରଦାନ:-
ନିଜର ଇଚ୍ଛା ଶକ୍ତି ଦ୍ୱାରା ଗୋଟିଏ ସେକେଣ୍ଡରେ ବ୍ୟର୍ଥକୁ ବିନ୍ଦୁ ଲଗାଇ ବନ୍ଦ କରୁଥିବା ଅଶରୀରୀ ଭବ ।

ଗୋଟିଏ ସେକେଣ୍ଡରେ ଅଶରୀରୀ ହେବା ଆଧାର ହେଲା ବେହଦର ବୈରାଗ୍ୟ ବୃତ୍ତି । ଏହି ବୈରାଗ୍ୟ ଏଭଳି ଯୋଗ୍ୟ ଧରଣୀ ଅଟେ ଯାହାକି ସେଥିରେ ଯେଉଁଭଳି ସଂକଳ୍ପ ରୂପୀ ମଞ୍ଜି ପୋତିବ ତାହା ଖୁବ୍ ଶୀଘ୍ର ଫଳିଭୂତ ହୋଇଯିବ । ତେଣୁ ଏବେ ତୁମ ଭିତରେ ଏଭଳି ଇଚ୍ଛା ଶକ୍ତି ରହିବା ଦରକାର ଯାହାକି ସଂକଳ୍ପ କରିବା ମାତ୍ରକେ ବ୍ୟର୍ଥ ସମାପ୍ତ ହୋଇଯାଉଥିବ । ଯେବେ ଇଚ୍ଛା, ଯେଉଁଠାରେ ଇଚ୍ଛା, ଯେଉଁ ସ୍ଥିତିରେ ସ୍ଥିତ ହେବାର ଇଚ୍ଛା କରିବ ଗୋଟିଏ ସେକେଣ୍ଡ ଭିତରେ ସ୍ଥିତ ହୋଇପାରୁଥିବ, ସେବା ତୁମର ସ୍ଥିତିକୁ ହଲଚ୍‌ଲ୍ କରୁ ନ ଥିବ । ଯଦି ଏହିଭଳି ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପର ବିନ୍ଦୁ ଲଗାଇ ପାରିବ ତେବେ ଅତି ସହଜରେ ଅଶରୀରୀ ହୋଇପାରିବ ।

ସ୍ଲୋଗାନ:-
ଯଦି ବାବାଙ୍କ ସମାନ ହେବାକୁ ଚାହୁଁଛ ତେବେ ବିଗିଡି ଯାଇଥିବା କଥାକୁ ସଜାଡିବା ବାଲା ହୁଅ ।