10.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ବାବାଙ୍କ ନିକଟକୁ ସତେଜ ହେବା ପାଇଁ ଆସୁଛ, ଏଠାରେ ତୁମକୁ ଦୁନିଆର ବାତାବରଣ ଠାରୁ ଭିନ୍ନ ସତ୍ୟ ପିତାଙ୍କର ସଚ୍ଚା ସଂଗ ମିଳୁଛି ।”

ପ୍ରଶ୍ନ:-
ପିଲାମାନଙ୍କର ଉନ୍ନତି ପାଇଁ ବାବା ସବର୍ଦା କେଉଁ ଗୋଟିଏ ରାୟ ଦେଉଛନ୍ତି?

ଉତ୍ତର:-
ମିଠେ ବଚ୍ଚେ, କେବେ ବି ପରସ୍ପର ମଧ୍ୟରେ ସାଂସାରିକ ଦୁଃଖ ସୁଖର ବାର୍ତ୍ତାଳାପ କର ନାହିଁ । ଯଦି ତୁମକୁ କେହି ଶୁଣାଉଛି ତେବେ ଶୁଣି ନ ଶୁଣିଲା ଭଳି ହୋଇ ରୁହ । ଉତ୍ତମ ସନ୍ତାନମାନେ ନିଜର ସେବାର ଦାୟିତ୍ୱ ସମ୍ପାଦନ କରି ବାବାଙ୍କ ସ୍ମୃତିରେ ମଗ୍ନ ହୋଇ ରୁହନ୍ତି । କିନ୍ତୁ କେତେକ ସନ୍ତାନ ଫାଲତୁ ବା ବ୍ୟର୍ଥ କଥାକୁ ବହୁତ ଖୁସିରେ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇଥା’ନ୍ତି, ଏଥିରେ ବହୁତ ସମୟ ନଷ୍ଟ ହୁଏ ଏବଂ ଉନ୍ନତି ମଧ୍ୟ ହୁଏ ନାହିଁ ।

ଓମ୍ ଶାନ୍ତି ।
ଦୁଇଥର ଓମ୍ ଶାନ୍ତି କହିବା ବି ଠିକ୍ । ପିଲାମାନଙ୍କୁ ଅର୍ଥ ତ ବୁଝାଇ ଦିଆଯାଇଛି ଯେ ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ । ଯଦି ମୋର ଧର୍ମ ହିଁ ହେଉଛି ଶାନ୍ତି ତେବେ ପୁଣି ଜଙ୍ଗଲ ଇତ୍ୟାଦିରେ ଘୂରି ବୁଲିବା ଦ୍ୱାରା ଶାନ୍ତି ମିଳିପାରିବ ନାହିଁ । ବାବା କହୁଛନ୍ତି ମୁଁ ମଧ୍ୟ ଶାନ୍ତ ସ୍ୱରୂପ । ଏହା ତ ବହୁତ ସହଜ କିନ୍ତୁ ମାୟା ସହିତ ଲଢେଇ ହେବା ଦ୍ୱାରା ଟିକିଏ କଠିନ ହୋଇଯାଉଛି । ଏ କଥା ତ ସବୁ ପିଲା ଜାଣିଛନ୍ତି ଯେ ଅବିନାଶୀ ପିତାଙ୍କ ବ୍ୟତୀତ ଏହି ଜ୍ଞାନ ଆଉ କେହି ବି ଦେଇପାରିବେ ନାହିଁ । ଜ୍ଞାନ ସାଗର ଏକମାତ୍ର ବାବା ହିଁ ଅଟନ୍ତି । ଦେହଧାରୀମାନଙ୍କୁ କେବେ ବି ଜ୍ଞାନର ସାଗର କୁହାଯାଇପାରିବ ନାହିଁ । ରଚୟିତା ହିଁ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇଥା’ନ୍ତି । ତାହା ମଧ୍ୟ ତୁମ ପିଲାମାନଙ୍କୁ ହିଁ ମିଳୁଛି । କେହି କେହି ଅନନ୍ୟ ସନ୍ତାନ ମଧ୍ୟ ବାବାଙ୍କୁ ମନେ ପକାଇବା ପାଇଁ ଭୁଲି ଯାଉଛନ୍ତି କାହିଁକି ନା ବାବାଙ୍କର ସ୍ମୃତି ହେଉଛି ପାରଦ ସଦୃଶ । ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ନିଶ୍ଚିତ କ୍ରମାନୁସାରେ ରହିବେ ନା । ବିଦ୍ୟାଳୟରେ ସର୍ବଦା ନମ୍ବର ଅନୁସାରେ ଗଣାଯାଇଥାଏ । ସତ୍ୟଯୁଗରେ କେବେ ନମ୍ବର ଗଣାଯାଏ ନାହିଁ । ଏହା ମଧ୍ୟ ବିଦ୍ୟାଳୟ, ଏହାକୁ ବୁଝିବା ପାଇଁ ମଧ୍ୟ ବହୁତ ବିଶାଳ ବୁଦ୍ଧି ଥିବା ଦରକାର । ଅଧାକଳ୍ପ ଭକ୍ତି ହେଉଛି, ପୁଣି ଭକ୍ତି ପରେ ଜ୍ଞାନ ସାଗର ଜ୍ଞାନ ଦେବା ପାଇଁ ଆସିଥା’ନ୍ତି । ଭକ୍ତିମାର୍ଗରେ ଥିବା ଆତ୍ମାମାନେ କେବେ ବି ଜ୍ଞାନ ଦେଇପାରିବେ ନାହିଁ କାହିଁକି ନା ସମସ୍ତେ ଦେହଧାରୀ ଅଟନ୍ତି । ଏମିତି କୁହାଯିବ ନାହିଁ - ଶିବବାବା ଭକ୍ତି କରୁଛନ୍ତି । ତେବେ ସିଏ କାହାର ଭକ୍ତି କରିବେ! ଏକମାତ୍ର ବାବା ହିଁ ଅଟନ୍ତି, ଯାହାଙ୍କର ନିଜର ଦେହ ନାହିଁ । ସିଏ କେବେ କାହାର ଭକ୍ତି କରନ୍ତି ନାହିଁ । ବାକି ଯେଉଁମାନେ ଦେହଧାରୀ, ସେମାନେ ସମସ୍ତେ ଭକ୍ତି କରିଥା’ନ୍ତି କାରଣ ସେମାନେ ରଚନା ଅଟନ୍ତି ନା । ରଚୟିତା ହେଉଛନ୍ତି ଏକମାତ୍ର ବାବା । ବାକି ଏହି ଆଖି ଦ୍ୱାରା ଯାହା କିଛି ବି ଚିତ୍ର ଆଦି ଦେଖୁଛ ସେ ସବୁ ହେଉଛି ରଚନା । ଏହି କଥାକୁ ହିଁ ପିଲାମାନେ ଘଡି ଘଡି ଭୁଲିଯାଉଛନ୍ତି ।

ବାବା ତୁମମାନଙ୍କୁ ବୁଝାଉଛନ୍ତି - ତୁମକୁ ବେହଦର ସମ୍ପତ୍ତି ବେହଦର ବାବାଙ୍କ ବିନା ତ କାହାଠାରୁ ମିଳିପାରିବ ନାହିଁ । ବୈକୁଣ୍ଠର ରାଜ୍ୟ ଭାଗ୍ୟ ତ ତୁମମାନଙ୍କୁ ମିଳୁଛି । ୫ ହଜାର ବର୍ଷ ପୂର୍ବେ ଭାରତରେ ଏମାନଙ୍କର ବା ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ୨୫୦୦ ବର୍ଷ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀମାନଙ୍କର ରାଜଧାନୀ ଚାଲିଲା । ତୁମେ ପିଲାମାନେ ଜାଣିଛ - ଏହା ତ ହେଉଛି କାଲିର କଥା । ଏକଥା ବାବାଙ୍କ ବ୍ୟତୀତ ଆଉ କେହି ବି କହିପାରିବେ ନାହିଁ । ପତିତ-ପାବନ ସେହି ବାବା ହିଁ ଅଟନ୍ତି । ଏହି କଥାକୁ ବୁଝାଇବା ପାଇଁ ତୁମକୁ ବହୁତ ପରିଶ୍ରମ କରିବାକୁ ପଡୁଛି । ବାବା ନିଜେ କହୁଛନ୍ତି ଏହି ଜ୍ଞାନକୁ କୋଟିକରେ କେହି ଜଣେ ଜଣେ ହିଁ ବୁଝିବେ । ଏହି ଚକ୍ରର ରହସ୍ୟକୁ ମଧ୍ୟ ତୁମମାନଙ୍କୁ ବୁଝାଇ ଦିଆଯାଇଛି । ଏହି ଜ୍ଞାନ ହେଉଛି ସାରା ଦୁନିଆ ପାଇଁ । ସିଢୀ ଚିତ୍ର ମଧ୍ୟ ବହୁତ ଭଲ, ତଥାପି ବି କେହି କେହି ମନେ ମନେ ଅସନ୍ତୁ‌ଷ୍ଟ ହେଉଛନ୍ତି । ବାବା ବୁଝାଇଛନ୍ତି - ବିବାହ ଇତ୍ୟାଦି ପାଇଁ ଯେଉଁମାନେ ମଣ୍ଡପ ତିଆରି କରୁଛନ୍ତି ସେମାନଙ୍କୁ ମଧ୍ୟ ବୁଝାଇକରି ଦୃଷ୍ଟି ଦିଅ । ଆଗକୁ ଗଲେ ସମସ୍ତଙ୍କୁ ଏହି କଥା ପସନ୍ଦ ଆସିବ । ତୁମ ପିଲାମାନଙ୍କୁ ହିଁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ବାବା ତ କାହା ପାଖକୁ ଯିବେ ନାହିଁ । ଭଗବାନୁବାଚ - ସେମାନେ ହେଉଛନ୍ତି ପୂଜାରୀ, ସେମାନଙ୍କୁ କେବେ ପୂଜ୍ୟ କୁହାଯାଇପାରିବ ନାହିଁ । କାରଣ କଳିଯୁଗରେ କେହି ଜଣେ ହେଲେ ବି ପବିତ୍ର ହୋଇପାରିବେ ନାହିଁ । ପୂଜ୍ୟ ଦେବୀ-ଦେବତା ଧର୍ମର ସ୍ଥାପନା ମଧ୍ୟ ସିଏ ହିଁ କରୁଛନ୍ତି, ଯିଏ ସବୁଠାରୁ ଉଚ୍ଚ ଅର୍ଥାତ୍ ସର୍ବଦା ପୂଜ୍ୟ ଅଟନ୍ତି । ତୁମେମାନେ ତ ଅଧାକଳ୍ପ ପୂଜ୍ୟ ହେଉଛ ପୁଣି ଆଉ ଅଧାକଳ୍ପ ପୂଜାରୀ ହେଉଛ । ଏହି ବ୍ରହ୍ମାବାବା ମଧ୍ୟ ଅନେକ ଗୁରୁ କରିଥିଲେ, ଏବେ ଭାବୁଛନ୍ତି ଗୁରୁ କରିବା ତ ଭକ୍ତିମାର୍ଗ ଥିଲା । ଏବେ ସତ୍‌ଗୁରୁ ମିଳିଛନ୍ତି, ଯିଏକି ତୁମକୁ ପୂଜ୍ୟ କରୁଛନ୍ତି । ବାବା କେବଳ ଜଣକୁ ନୁହେଁ, ସମସ୍ତଙ୍କୁ ପୂଜାରୀରୁ ପୂଜ୍ୟ କରୁଛନ୍ତି । ସମସ୍ତଙ୍କର ଆତ୍ମା ପୂଜ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛି । ଏବେ ତ ତମଃପ୍ରଧାନ ପୂଜାରୀ ହୋଇଯାଇଛନ୍ତି । ଏହି କଥାକୁ ହିଁ ବୁଝିବାର ଅଛି । ବାବା କହୁଛନ୍ତି କଳିଯୁଗରେ ଜଣେ ବି ପବିତ୍ର ପୂଜ୍ୟ ହୋଇପାରିବ ନାହିଁ କାରଣ ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି । ଏହା ରାବଣ ରାଜ୍ୟ ଅଟେ ନା । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ପୁନର୍ଜନ୍ମ ନେଉଛନ୍ତି କିନ୍ତୁ ସିଏ ପୂଜ୍ୟ ଅଟନ୍ତି କାରଣ ସେଠାରେ ରାବଣ ହିଁ ନାହିଁ । ଏକଥା ତ କହୁଛନ୍ତି କିନ୍ତୁ ରାମରାଜ୍ୟ କେବେ ଏବଂ ରାବଣ ରାଜ୍ୟ କେବେ ହେଉଛି, ଏ ସମ୍ବନ୍ଧରେ କିଛି ବି ଜାଣି ନାହାଁନ୍ତି । ବର୍ତ୍ତମାନ ସମୟରେ ଦେଖ କେତେ ସଭା ସବୁ ହେଉଛି । ଅମୁକ ସଭା, ଅମୁକ ସଭା । ଯଦି କେଉଁଠାରୁ କିଛି ମିଳିଯାଉଛି ତେବେ ଗୋଟିଏକୁ ଛାଡି ଅନ୍ୟ ଆଡକୁ ଚାଲିଯାଉଛନ୍ତି । କିନ୍ତୁ ତୁମେମାନେ ଏହି ସମୟରେ ପାରସବୁଦ୍ଧି ହେଉଛ । ପୁଣି ଏଥିରେ ବି କେହି ୨୦ ପ୍ରତିଶତ କେହି ୫୦ ପ୍ରତିଶତ ହୋଇଛନ୍ତି । ବାବା ବୁଝାଇଛନ୍ତି ବର୍ତ୍ତମାନ ଏହି ସତ୍ୟଯୁଗୀ ରାଜଧାନୀ ସ୍ଥାପନ ହେଉଛି । ଏବେ ଉପରେ ରହିଯାଇଥିବା ଆତ୍ମାମାନେ ମଧ୍ୟ ତଳକୁ ଖସୁଛନ୍ତି । ସର୍କସ୍‌ରେ କେହି ଭଲ ଭଲ ଖେଳ ଦେଖାଇଥା’ନ୍ତି ତ ଆଉ କେହି କେହି ସହଜିଆ ଛୋଟିଆ ଖେଳ ଦେଖାଇଥା’ନ୍ତି । ଏହା ହେଉଛି ବେହଦର କଥା । ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଯାଉଛି । ଏଠାକୁ ତୁମେ ପିଲାମାନେ ସତେଜ ହେବା ପାଇଁ ଆସୁଛ, ପବନ ଖାଇବା ପାଇଁ ନୁହେଁ । ଏଠାକୁ (ମଧୁବନକୁ) ଯଦି କୌଣସି ପଥରବୁଦ୍ଧି ଆତ୍ମାଙ୍କୁ ନେଇ ଆସୁଛନ୍ତି, ସିଏ ତ ପୁରୁଣା ଦୁନିଆର ବାୟୁମଣ୍ଡଳରେ ହିଁ ରହିଥା’ନ୍ତି । ଏବେ ତୁମେ ପିଲାମାନେ ବାବାଙ୍କ ଶ୍ରୀମତ ଆଧାରରେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ମାୟା ଘଡି ଘଡି ତୁମର ବୁଦ୍ଧିକୁ ଘଉଡାଇ ଦେଉଛି । ଏଠାରେ ତ ବାବା ତୁମମାନଙ୍କୁ ଆକର୍ଷିତ କରୁଛନ୍ତି । ବାବା କେବେ ବି କୌଣସି ଓଲଟା କଥା କହିବେ ନାହିଁ । ବାବା ତ ସତ୍ୟ ଅଟନ୍ତି ନା । ତେବେ ତୁମେ ଏଠାରେ ସତ୍ୟର ସଙ୍ଗରେ ବସିଛ । ଆଉ ଅନ୍ୟ ସମସ୍ତେ ଅସତ୍ୟର ସଙ୍ଗରେ ଅଛନ୍ତି । ସେ ସବୁକୁ ସତସଙ୍ଗ କହିବା ମଧ୍ୟ ବଡ ଭୁଲ୍ । ତୁମେମାନେ ଜାଣିଛ ସତ୍ୟ ହେଉଛନ୍ତି ଏକମାତ୍ର ବାବା । ମନୁଷ୍ୟ ସତ୍ୟ ପରମାତ୍ମାଙ୍କର ପୂଜା କରୁଛନ୍ତି କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ଆମେ କାହାର ପୂଜା କରୁଛୁ । ତେବେ ଏହାକୁ ଅନ୍ଧଶ୍ରଦ୍ଧା ବୋଲି କୁହାଯିବ ନା । ଆଗା ଖାଁଙ୍କୁ ଦେଖ, ତାଙ୍କର କେତେ ଶିଷ୍ୟ ଅଛନ୍ତି । ସିଏ ଯେତେବେଳେ କୁଆଡେ ଯାଉଛନ୍ତି ତାଙ୍କୁ ବହୁତ ଉପହାର ମିଳୁଛି । ତାଙ୍କୁ ହୀରାରେ ଓଜନ କରୁଛନ୍ତି । ନଚେତ୍ ହୀରାରେ କେବେ ବି କାହାକୁ ଓଜନ କରାଯାଇପାରିବ ନାହିଁ । ସତ୍ୟଯୁଗରେ ତ ହୀରା ନୀଳା ତୁମମାନଙ୍କ ପାଇଁ ପଥର ସଦୃଶ ହୋଇଯିବ ଯାହାକି ତୁମ ମହଲରେ ଲାଗିବ । ଏଠାରେ ତ ଏମିତି କେହି ନାହାଁନ୍ତି, ଯାହାଙ୍କୁ ହୀରାର ଉପହାର ମିଳୁଥିବ । ମନୁଷ୍ୟମାନଙ୍କ ପାଖରେ ବହୁତ ପଇସା ଥାଏ ତେଣୁ ଦାନ କରିଥା’ନ୍ତି । କିନ୍ତୁ ସେମାନେ ସେହି ଦାନ ପାପ ଆତ୍ମାମାନଙ୍କୁ କରୁଥିବା କାରଣରୁ ଦାତାଙ୍କ ମୁଣ୍ଡ ଉପରକୁ ମଧ୍ୟ ପାପ ଆସିଯାଉଛି । କେହି କେହି ତ ଅଜାମିଳ ପରି ପାପାତ୍ମା ହୋଇଯାଉଛନ୍ତି । ଏ କଥା ଭଗବାନ ନିଜେ ଆସି ବୁଝାଉଛନ୍ତି, କୌଣସି ମନୁଷ୍ୟ ନୁହେଁ । ସେଥିପାଇଁ ବାବା କହୁଥିଲେ ତୁମର ଯେତେ ଚିତ୍ର ଇତ୍ୟାଦି ଅଛି ସେଥିରେ ଭଗବାନୁବାଚ ଶବ୍ଦ ଉଲ୍ଲେଖ ରହୁ । ସର୍ବଦା ଲେଖ - ତ୍ରିମୂର୍ତ୍ତି ଶିବ ଭଗବାନୁବାଚ । କେବଳ ଭଗବାନ କହିଲେ ମଧ୍ୟ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡିବେ । ଭଗବାନ ତ ନିରାକାର ଅଟନ୍ତି, ସେଥିପାଇଁ ତ୍ରିମୂର୍ତ୍ତି ନିଶ୍ଚିତ ଲେଖିବା ଦରକାର । ସେଥିରେ କେବଳ ଶିବବାବା ନାହାଁନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନିଜଣଙ୍କର ହିଁ ନାମ ରହିଛି । ବ୍ରହ୍ମା ଦେବତାୟ ନମଃ, ପୁଣି ତାଙ୍କୁ ଗୁରୁ ମଧ୍ୟ କହୁଛନ୍ତି । ଶିବ-ଶଙ୍କରଙ୍କୁ ମଧ୍ୟ ଏକ କହିଦେଉଛନ୍ତି । ତେବେ ଶଙ୍କର କିପରି ଜ୍ଞାନ ଦେବେ, କିପରି ଅମରକଥା ଶୁଣାଇବେ? ତୁମେ ସମସ୍ତେ ହେଉଛ ପାର୍ବତୀ । ବାବା ତୁମ ସମସ୍ତ ସନ୍ତାନମାନଙ୍କୁ ଆତ୍ମା ମନେ କରି ଜ୍ଞାନ ଦେଉଛନ୍ତି । ଭକ୍ତିର ଫଳ ଭଗବାନ ହିଁ ଦେଇଥା’ନ୍ତି । ଏକମାତ୍ର ଶିବବାବା ଶବ୍ଦ ହିଁ ବହୁତ ଭଲ ଲାଗୁଛି, ଈଶ୍ୱର ଭଗବାନ ଇତ୍ୟାଦି ଶବ୍ଦ ବି ଭଲ ଲାଗୁ ନାହିଁ । ଏକମାତ୍ର ଶିବବାବା ଶବ୍ଦ ହିଁ ବହୁତ ମିଠା ଲାଗୁଛି । ବାବା ନିଜେ କହୁଛନ୍ତି “ମିଠେ ବଚ୍ଚୋଁ” ତେବେ ସିଏ ବାବା ହେଲେ ନା ।

ବାବା ବୁଝାଉଛନ୍ତି - ଆତ୍ମାମାନଙ୍କ ମଧ୍ୟରେ ହିଁ ସଂସ୍କାର ଭରା ଯାଇଥାଏ । ଆତ୍ମା ନିର୍ଲେପ ନୁହେଁ । ଯଦି ନିର୍ଲେପ ହୋଇଥା’ନ୍ତା ତେବେ ପତିତ କାହିଁକି ହୋଇଥା’ନ୍ତା । ନିଶ୍ଚିତ ଭାବେ ଲେପ-ଛେପ ଲାଗୁଛି, ସେଥିପାଇଁ ତ ପତିତ ହେଉଛି । ଭ୍ରଷ୍ଟାଚାରୀ ବୋଲି କହୁଛନ୍ତି ନା । ଦେବତାମାନେ ହେଉଛନ୍ତି ଶ୍ରେଷ୍ଠାଚାରୀ । ତାଙ୍କର ମହିମାର ଗାୟନ କରୁଛନ୍ତି - ଆପଣ ସର୍ବଗୁଣ ସମ୍ପନ୍ନ, ଆମେ ନୀଚ୍ଚ ପାପୀ ଅଟୁ, ସେଥିପାଇଁ ନିଜକୁ ଦେବତା ବୋଲି କହିପାରିବେ ନାହିଁ । ଏବେ ବାବା ଆସି ମନୁଷ୍ୟମାନଙ୍କୁ ଦେବତା କରୁଛନ୍ତି । ଗୁରୁନାନକଙ୍କ ଗ୍ରନ୍ଥରେ ମଧ୍ୟ ଏହି ମହିମାର ଉଲ୍ଲେଖ ରହିଛି । ଶିଖ୍‌ମାନେ କହୁଛନ୍ତି - ସତ୍‌ଶ୍ରୀ ଅକାଳ । ଯିଏ ଅକାଳ ମୂରତ ଅଟନ୍ତି ସିଏ ହିଁ ପ୍ରକୃତ ସତଗୁରୁ ଅଟନ୍ତି । ତେଣୁ ସେହି ଜଣଙ୍କୁ ହିଁ ମାନିବା ଦରକାର । ସେମାନେ ଜଣକୁ ସତଗୁରୁ ବୋଲି କହୁଛନ୍ତି କିନ୍ତୁ ପୂଜା ଅନ୍ୟ ଜଣଙ୍କର କରୁଛନ୍ତି । ଅର୍ଥ କିଛି ବି ଜାଣିନାହାଁନ୍ତି । ଏବେ ବାବା ଯିଏ ସତଗୁରୁ ଅଟନ୍ତି, ଅକାଳ ଅଟନ୍ତି, ସିଏ ନିଜେ ଆସି ଆମମାନଙ୍କୁ ବୁଝାଉଛନ୍ତି । ବୁଝିବାରେ ମଧ୍ୟ ତୁମମାନଙ୍କ ଭିତରେ କ୍ରମାନୁସାରେ ଅଛନ୍ତି । ସମ୍ମୁଖରେ ବସି ମଧ୍ୟ କିଛି ବି ବୁଝୁନାହାଁନ୍ତି । କେହି କେହି ଏଠାରୁ ବାହାରକୁ ଗଲା ପରେ ସବୁ କିଛି ଭୁଲିଯାଉଛନ୍ତି । ବାବା ତ ମନା କରୁଛନ୍ତି - ପିଲାମାନେ, କେବେହେଲେ ସାଂସାରିକ ଦୁଃଖ ସୁଖର କଥା ଶୁଣ ନାହିଁ । କେହି କେହି ତ ଏହିଭଳି କଥା ବହୁତ ଖୁସିରେ ଶୁଣୁଛନ୍ତି ଏବଂ ଅନ୍ୟମାନଙ୍କୁ ଶୁଣାଉଛନ୍ତି । ଆଉ ବାବାଙ୍କ ମହାବାକ୍ୟକୁ ଭୁଲିଯାଉଛନ୍ତି । ବାସ୍ତବରେ ଯିଏ ଉତ୍ତମ ସନ୍ତାନ ଅଟନ୍ତି ସେମାନେ ନିଜ ସେବାର ଦାୟିତ୍ୱକୁ ଭଲ ଭାବରେ ତୁଲାଇ ନିଜ ମସ୍ତିରେ ରହିଥା’ନ୍ତି । ବାବା ବୁଝାଉଛନ୍ତି - କୃଷ୍ଣ ଏବଂ ଖ୍ରୀଷ୍ଟିୟାନ୍‌ଙ୍କର ବହୁତ ଭଲ ସମ୍ବନ୍ଧ ରହିଛି । କୃଷ୍ଣଙ୍କର ରାଜତ୍ୱ ହେଉଛି ନା । ଲକ୍ଷ୍ମୀ-ନାରାୟଣ ନାମ ତ ପରେ ହେଉଛି । ବୈକୁଣ୍ଠ ନାମ କହିବା ମାତ୍ରକେ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କର ନାମ ମନେ ପଡିଯାଉଛି । ଲକ୍ଷ୍ମୀ-ନାରାୟଣ ମଧ୍ୟ ସେତେ ମନେ ପଡନ୍ତି ନାହିଁ କାରଣ ଶ୍ରୀକୃଷ୍ଣ ଛୋଟ ପିଲା ଅଟନ୍ତି । ଛୋଟ ପିଲା ପବିତ୍ର ହୋଇଥା’ନ୍ତି ନା । ସତ୍ୟଯୁଗରେ ପିଲା କିପରି ଜନ୍ମ ହୁଏ, ଏହା ତ ତୁମେମାନେ ସାକ୍ଷାତ୍‌କାର କରିଛ । ନର୍ସ ଠିଆ ହୋଇ ରହିଥିବ, ଜନ୍ମ ହେବା ମାତ୍ରକେ ସେ ତା’ର ଦାୟିତ୍ୱ ନେବ । ବାଲ୍ୟ, ଯୁବାବସ୍ଥା, ବୃଦ୍ଧ ଅବସ୍ଥା ଦେଇ ଆତ୍ମା ଗତି କରିଥାଏ । ଯାହା ହେଲା ତାହା ଡ୍ରାମା । ସେଥିରେ କିଛି ବି ସଂକଳ୍ପ ଚାଲେ ନାହିଁ । ଏହି ଡ୍ରାମା ତ ପୂର୍ବ ପ୍ରସ୍ତୁତ ନା । ଆମର ମଧ୍ୟ ଡ୍ରାମାର ଯୋଜନା ଅନୁସାରେ ଅଭିନୟ ଚାଲୁଛି । ମାୟାର ପ୍ରବେଶତା ହେବା ସହିତ ବାବାଙ୍କର ମଧ୍ୟ ପ୍ରବେଶତା ହେଉଛି । ତେଣୁ କେହି କେହି ବାବାଙ୍କ ମତ ଅନୁସାରେ ଚାଲୁଛନ୍ତି ତ ପୁଣି ଆଉ କେହି କେହି ରାବଣର ମତ ଅନୁସାରେ ଚାଲୁଛନ୍ତି । ତେବେ ରାବଣ କି ପ୍ରକାର ଜିନିଷ, ତାକୁ କେବେ ଦେଖିଛ? କେବଳ ତା’ର ଚିତ୍ରକୁ ଦେଖୁଛ । ଶିବବାବାଙ୍କର ରୂପ ତ ବିନ୍ଦୁ ସ୍ୱରୂପ ଅଟେ । କିନ୍ତୁ ରାବଣର ରୂପ କ’ଣ! ଯେତେବେଳେ ୫ ବିକାର ରୂପୀ ଭୂତ ଆସି ପ୍ରବେଶ କରୁଛି ସେତେବେଳେ ତାକୁ ରାବଣ କୁହାଯାଉଛି । ଏହା ହେଉଛି ଭୂତମାନଙ୍କର ଦୁନିଆ ବା ଅସୁରଙ୍କର ଦୁନିଆ । ତୁମେ ଜାଣିଛ ଆମର ଆତ୍ମା ଏବେ ସୁଧୁରି ଚାଲିଛି । ଏଠାରେ ତ ଶରୀର ମଧ୍ୟ ଆସୁରୀ ଅଟେ । ବର୍ତ୍ତମାନ ଆତ୍ମା ସୁଧୁରି ସୁଧୁରି ପବିତ୍ର ହୋଇଯିବ । ତା’ପରେ ଏହି ଶରୀରକୁ ତ୍ୟାଗ କରିଦେବ । ପୁଣି ସେଠାରେ ତୁମକୁ ସତ୍ତ୍ୱପ୍ରଧାନ ଶରୀର ମିଳିଯିବ । କଞ୍ଚନ କାୟା ମିଳିଯିବ । ତେବେ ସତ୍ତ୍ୱପ୍ରଧାନ ଶରୀର ସେତେବେଳେ ମିଳିବ ଯେତେବେଳେ ଆତ୍ମା ବି କଞ୍ଚନ ହୋଇଥିବ । ଯଦି ସୁନା କଞ୍ଚନ ହୋଇଥିବ ତେବେ ଅଳଙ୍କାର ମଧ୍ୟ ସେହିଭଳି କଞ୍ଚନ ହେବ । ଆଜିକାଲି ସୁନାରେ ମଧ୍ୟ ଖାଦ ମିଶାଉଛନ୍ତି । ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଆଦି-ମଧ୍ୟ-ଅନ୍ତର ଜ୍ଞାନ ଘୁରି ଚାଲିଛି । ମନୁଷ୍ୟମାନେ ତ କିଛି ବି ଜାଣି ନାହାଁନ୍ତି । କହୁଛନ୍ତି ଋଷି ମୁନି ସମସ୍ତେ ନେତି-ନେତି କରି କରି ଚାଲିଗଲେ । ଆମେ କହୁଛୁ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଯଦି ପଚାରିବ ସେମାନେ ମଧ୍ୟ ନେତି-ନେତି କହିବେ । କିନ୍ତୁ ଏମାନଙ୍କୁ ପଚରା ହିଁ ଯାଏ ନାହିଁ । ଏମାନଙ୍କୁ ପଚାରିବ କିଏ? ଗୁରୁମାନଙ୍କୁ ହିଁ ପଚରାଯାଏ । ତୁମେ ସେମାନଙ୍କୁ ଏହି ପ୍ରଶ୍ନ ପଚାରିପାରିବ । ତୁମେ ଲୋକମାନଙ୍କୁ ବୁଝାଇବା ପାଇଁ କେତେ କଷ୍ଟ କରୁଛ । ଗଳା ମଧ୍ୟ ଖରାପ ହୋଇଯାଉଛି । ବାବା ତ ସେହି ପିଲାମାନଙ୍କୁ ହିଁ ବୁଝାଇବେ ନା ଯେଉଁମାନେ ବୁଝିଥିଲେ । ବାକି ଅନ୍ୟମାନଙ୍କୁ କ’ଣ ଫାଲତୁରେ ବୁଝାଇବେ କି! ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ସେବାର କର୍ତ୍ତବ୍ୟ ସମ୍ପାଦନ କରି ମସ୍ତିରେ ରହିବାର ଅଛି । କୌଣସି ବ୍ୟର୍ଥ କଥା ନିଜେ ଶୁଣିବାର ନାହିଁ କି ଅନ୍ୟମାନଙ୍କୁ ଶୁଣାଇବାର ନାହିଁ । ଏକମାତ୍ର ବାବାଙ୍କର ମହାବାକ୍ୟକୁ ହିଁ ସ୍ମୃତିରେ ରଖିବାର ଅଛି, ତାଙ୍କୁ କେବେ ବି ଭୁଲିଯିବାର ନାହିଁ ।

(୨) ସଦାସର୍ବଦା ଖୁସିରେ ରହିବାକୁ ହେଲେ ରଚୟିତା ଏବଂ ରଚନାର ଜ୍ଞାନ ବୁଦ୍ଧିରେ ଘୂରୁଥାଉ ଅର୍ଥାତ୍ ସେହି କଥାର ହିଁ ସ୍ମରଣ ଚାଲୁଥାଉ । କୌଣସି କଥାରେ ବ୍ୟର୍ଥ ସଂକଳ୍ପ ନ ଚାଲୁ, ସେଥିପାଇଁ ଡ୍ରାମାକୁ ଭଲ ଭାବରେ ବୁଝି ଅଭିନୟ କରିବାକୁ ହେବ ।

ବରଦାନ:-
ନିଜର ମୁଁ ପଣିଆକୁ “ବାବା”ଙ୍କ ଭିତରେ ସମାହିତ କରିଦେଇଥିବା ନିରନ୍ତର ଯୋଗୀ ସହଜଯୋଗୀ ଭବ ।

ଯେଉଁ ପିଲାମାନଙ୍କର ପ୍ରତିଟି ନିଶ୍ୱାସରେ ବାବାଙ୍କ ସହିତ ସ୍ନେହ ଭରି ରହିଛି, ପ୍ରତିଟି ନିଃଶ୍ୱାସରେ ବାବା-ବାବା ସଂକଳ୍ପ ରହିଛି ସେମାନଙ୍କୁ ଯୋଗ କରିବାରେ ମେହନତ କରିବାକୁ ପଡି ନ ଥାଏ । ସେମାନଙ୍କର ଯୋଗ କରିବାର ପ୍ରମାଣ ହେଲା କେବେ ବି ତାଙ୍କ ମୁଖରୁ “ମୁଁ” ଶବ୍ଦ ବାହାରିପାରିବ ନାହିଁ । “ମୁଁ ପଣିଆ” ବାବା ଶବ୍ଦ ଭିତରେ ସମାହିତ ହୋଇଯାଉ । ବାବା ଆଧାର ଅଟନ୍ତି, ବାବା କରାଇଛନ୍ତି, ବାବା ସର୍ବଦା ସାଥୀରେ ଅଛନ୍ତି, ଆପଣଙ୍କ ସହିତ ରହିବି, ଖାଇବି, ଚାଲିବି-ବୁଲିବି.... ଏହିଭଳି ସଂକଳ୍ପ ସର୍ବଦା ଜାଗ୍ରତ ଅବସ୍ଥାରେ ରହିଥାଉ, ତେବେ କୁହାଯିବ ସହଜଯୋଗୀ ।

ସ୍ଲୋଗାନ:-
ମୁଁ-ମୁଁ କରିବା ଅର୍ଥ ମାୟା ରୂପୀ ବିଲେଇକୁ ଡାକି ଆଣିବା, ବାବା-ବାବା କହିବା ଦ୍ୱାରା ମାୟା ତୁରନ୍ତ ଛାଡି ଚାଲିଯିବ ।