11.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହା ହେଉଛି ପୂର୍ବ ପ୍ରସ୍ତୁତ ନାଟକ, ଏହି ନାଟକରୁ କେହି ଜଣେ ଆତ୍ମା ବର୍ତ୍ତି ଯାଇପାରିବ ନାହିଁ, ମୋକ୍ଷ କାହାକୁ ବି ମିଳିପାରିବ ନାହିଁ ।”

ପ୍ରଶ୍ନ:-
ଉଚ୍ଚରୁ ଉଚ୍ଚ ପତିତ-ପାବନ ବାବାଙ୍କୁ ଭୋଳାନାଥ କାହିଁକି କୁହାଯାଉଛି?

ଉତ୍ତର:-
ତୁମେ ପିଲାମାନେ ତାଙ୍କୁ ମୁଠାଏ ଚାଉଳ ଦେଇ ମହଲ ନେଇଯାଉଛ, ସେଇଥିପାଇଁ ହିଁ ବାବାଙ୍କୁ ଭୋଳାନାଥ ବୋଲି କୁହାଯାଉଛି । ତୁମେ କହୁଛ ଶିବବାବା ଆମର ପୁତ୍ର ଅଟନ୍ତି । ତେବେ ସିଏ ଏଭଳି ପୁତ୍ର ଯିଏକି କେବେ କିଛି ନିଅନ୍ତି ନାହିଁ, ସର୍ବଦା ଦେଉଥା’ନ୍ତି । ଭକ୍ତିରେ କହିଥା’ନ୍ତି - ଯିଏ ଯେପରି କର୍ମ କରୁଛି ସିଏ ସେପରି ଫଳ ପାଉଛି । କିନ୍ତୁ ଭକ୍ତିରେ ତ ଅଳ୍ପ କାଳ ପାଇଁ ମିଳିଥାଏ କିନ୍ତୁ ଜ୍ଞାନ ମାର୍ଗରେ ଭଲ ଭାବରେ ବୁଝି କରିଥା’ନ୍ତି ସେଥିପାଇଁ ଫଳ ମଧ୍ୟ ସଦାକାଳର ମିଳିଥାଏ ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନଙ୍କ ସହିତ ଆତ୍ମିକ ପିତା ଆତ୍ମିକ ବାର୍ତ୍ତାଳାପ କରୁଛନ୍ତି ଅଥବା ଏମିତି ମଧ୍ୟ କୁହାଯିବ ଯେ ଆତ୍ମିକ ପିତା ପିଲାମାନଙ୍କୁ ରାଜଯୋଗ ଶିଖାଉଛନ୍ତି । ତୁମେମାନେ ବେହଦ ପିତାଙ୍କଠାରୁ ରାଜଯୋଗ ଶିଖିବା ପାଇଁ ଆସିଛ ସେଥିପାଇଁ ତୁମର ବୁଦ୍ଧି ବାବାଙ୍କ ଆଡକୁ ଚାଲିଯିବା ଦରକାର । ଏହା ହେଉଛି ପରମାତ୍ମ ଜ୍ଞାନ ଆତ୍ମାମାନଙ୍କ ପ୍ରତି । ଭଗବାନୁବାଚ ଶାଳଗ୍ରାମମାନଙ୍କ ପ୍ରତି । ଏହି ଜ୍ଞାନ ଆତ୍ମାମାନଙ୍କୁ ହିଁ ଶୁଣିବାକୁ ହେବ ସେଥିପାଇଁ ଆତ୍ମ-ଅଭିମାନୀ ହେବାକୁ ପଡିବ । ପୂର୍ବରୁ ତୁମେମାନେ ଦେହ-ଅଭିମାନୀ ଥିଲ । ଏହି ପୁରୁଷୋତ୍ତମ ସଂଗମଯୁଗରେ ହିଁ ବାବା ଆସି ତୁମମାନଙ୍କୁ ଆତ୍ମ-ଅଭିମାନୀ କରୁଛନ୍ତି । ତୁମେ ବର୍ତ୍ତମାନ ଆତ୍ମ-ଅଭିମାନୀ ଏବଂ ଦେହ-ଅଭିମାନୀର ପାର୍ଥକ୍ୟକୁ ବୁଝିଗଲଣି । ଏକଥା ବାବା ହିଁ ଏଠାକୁ ଆସି ବୁଝାଉଛନ୍ତି, ଆତ୍ମା ହିଁ ଶରୀର ଦ୍ୱାରା ଅଭିନୟ କରୁଛି । ପାଠ ମଧ୍ୟ ଆତ୍ମା ପଢୁଛି, ଶରୀର ନୁହେଁ । କିନ୍ତୁ ଦେହ-ଅଭିମାନ କାରଣରୁ ଲୋକମାନେ ଭାବୁଛନ୍ତି ଅମୁକ ପଢାଉଛନ୍ତି । ତୁମମାନଙ୍କୁ ନିରାକାର ହିଁ ପଢାଉଛନ୍ତି, ତାଙ୍କର ନାମ ହିଁ ହେଉଛି ଶିବ । ଶିବବାବାଙ୍କର ନିଜର ଶରୀର ନ ଥାଏ । ଆଉ ସମସ୍ତେ କହିବେ ଏହା ମୋର ଶରୀର । ତେବେ ଏକଥା କିଏ କହିଲା? ଆତ୍ମା ହିଁ କହିଲା - ଏହା ମୋର ଶରୀର ଅଟେ । ଦୁନିଆରେ ଯେତେ ସବୁ ପାଠ ଅଛି ସେ ସବୁ ହେଉଛି ଶାରୀରିକ ପାଠ । ସେଥିରେ ଅନେକ ପ୍ରକାରର ବିଷୟବସ୍ତୁ ରହିଥାଏ । ବି.ଏ., ଏମ୍‌.ଏ. ଆଦି ଦୁନିଆରେ କେତେ ନାମ ରହିଛି । କିନ୍ତୁ ଏଥିରେ ଗୋଟିଏ ନାମ ରହିଛି, ପାଠ ମଧ୍ୟ ଗୋଟିଏ ପଢାଯାଉଛି । ଏକମାତ୍ର ବାବା ହିଁ ଆସି ପଢାଉଛନ୍ତି, ତେଣୁ ବାବାଙ୍କୁ ବହୁତ ମନେ ପକାଇବାକୁ ହେବ । ଆମକୁ ବେହଦର ବାବା ପାଠ ପଢାଉଛନ୍ତି, ତାଙ୍କର ନାମ କ’ଣ? ତାଙ୍କର ନାମ ହେଉଛି ଶିବ । ଏମିତି ନୁହେଁ ଯେ ସିଏ ନାମ-ରୂପରୁ ଭିନ୍ନ ଅଟନ୍ତି । ମନୁଷ୍ୟମାନଙ୍କର ନାମ ଶରୀର ଉପରେ ରଖାଯାଇଥାଏ । କହିବେ ଏହା ଅମୁକର ଶରୀର । ମନୁଷ୍ୟମାନଙ୍କ ଭଳି ଶିବବାବାଙ୍କର କୌଣସି ଶାରୀରିକ ନାମ ନାହିଁ । ମନୁଷ୍ୟମାନଙ୍କର ଶରୀର ଉପରେ ନାମ ଦିଆଯାଇଥାଏ, ଏକମାତ୍ର ନିରାକାର ପିତା ହିଁ ଅଟନ୍ତି ଯାହାଙ୍କର ନାମ ହେଉଛି ଶିବ । ସିଏ ଯେତେବେଳେ ପାଠ ପଢାଇବା ପାଇଁ ଆସୁଛନ୍ତି ସେତେବେଳେ ମଧ୍ୟ ତାଙ୍କର ନାମ ଶିବ ହିଁ ରହିଥାଏ । ଏହି ଶରୀର ତ ତାଙ୍କର ନୁହେଁ । ଭଗବାନ ହେଉଛନ୍ତି ଜଣେ ୧୦-୧୨ ଜଣ ନାହାଁନ୍ତି ସିଏ ହେଉଛନ୍ତି ଜଣେ କିନ୍ତୁ ମନୁଷ୍ୟମାନେ ତାଙ୍କୁ ୨୪ ଅବତାର ନେଉଛନ୍ତି ବୋଲି କହିଦେଉଛନ୍ତି । ବାବା କହୁଛନ୍ତି ମୋତେ ବହୁତ ଆଡେ ବୁଲାଇଛନ୍ତି । ଅନେକ ନାମ ରୂପ ସହିତ ଯୋଡି ଦେଇଛନ୍ତି, ମୁଁ କୋଣେ ଅନୁକୋଣେ ଅଛି ବୋଲି କହୁଛନ୍ତି । ଯେମତି ଭକ୍ତିମାର୍ଗରେ ନିଜେ ଭ୍ରମିତ ହେଉଛନ୍ତି ସେହିପରି ମୋତେ ମଧ୍ୟ ବିଭିନ୍ନ ନାମ ରୂପରେ ଯୋଡି ଦେଇଛନ୍ତି । ଡ୍ରାମାନୁସାରେ ତାଙ୍କର କଥା କହିବାର ଶୈଳୀ କେତେ ଶୀତଳ । ବାବା ବୁଝାଉଛନ୍ତି - ବାସ୍ତବରେ ସମସ୍ତେ ମୋର କେତେ ଅପକାର କରିଛନ୍ତି, କେତେ ଗ୍ଲାନୀ କରିଛନ୍ତି । ମନୁଷ୍ୟମାନେ କହୁଛନ୍ତି ଆମେ ନିଷ୍କାମ ସେବା କରୁଛୁ, କିନ୍ତୁ ବାବା କହୁଛନ୍ତି ମୋ ବ୍ୟତୀତ କେହି ନିଷ୍କାମ ସେବା କରିପାରିବେ ନାହିଁ । ଯିଏ କିଛି ବି ସେବା କରିଥାଏ ତାକୁ ତା’ର ଫଳ ନିଶ୍ଚିତ ମିଳିଥାଏ । ଏବେ ତୁମକୁ ଫଳ ମିଳୁଛି । ଗାୟନ ଅଛି - ଭକ୍ତିର ଫଳ ଭଗବାନ ଦେବେ, କାହିଁକି ନା ଭଗବାନ ହେଉଛନ୍ତି ଜ୍ଞାନର ସାଗର । ଅଧା କଳ୍ପ ଭକ୍ତିମାର୍ଗରେ ତୁମେ ବହୁତ କର୍ମକାଣ୍ଡ କରି କରି ଆସିଛ । ଏବେ ଏହି ଜ୍ଞାନକୁ କୁହାଯାଉଛି ପାଠପଢା । ଏହି ପାଠ ଥରେ ମାତ୍ର ପଢାଯାଉଛି ଏବଂ ଏକମାତ୍ର ବାବା ହିଁ ପଢାଉଛନ୍ତି । ବାବା ପୁରୁଷୋତ୍ତମ ସଂଗମଯୁଗରେ ଥରେ ମାତ୍ର ଆସି ତୁମକୁ ପୁରୁଷୋତ୍ତମ କରାଇ ଚାଲିଯାଉଛନ୍ତି । ଏହା ହେଉଛି ଜ୍ଞାନ ଏବଂ ତାହା ହେଉଛି ଭକ୍ତି । ଅଧାକଳ୍ପ ହେବ ତୁମେ ଭକ୍ତି କରିଆସିଛ । ଏବେ ଯେଉଁମାନେ ଭକ୍ତି କରୁନାହାଁନ୍ତି, ସେମାନଙ୍କ ମନରେ ସନ୍ଦେହ ରହୁଛି ଯେ ଜଣା ନାହିଁ ଭକ୍ତି ନ କରିବା ଦ୍ୱାରା ଅମୁକର କ’ଣ ମୃତ୍ୟୁ ହୋଇଗଲା, ରୋଗୀ ହୋଇଗଲା । କିନ୍ତୁ ଏପରି କିଛି ହୁଏ ନାହିଁ ।

ବାବା କହୁଛନ୍ତି - ପିଲାମାନେ, ତୁମେ ମୋତେ ଆବାହନ କରି କରି ଆସିଛ ଯେ ଆପଣ ଆସି ପତିତମାନଙ୍କୁ ପାବନ କରାଇ ସମସ୍ତଙ୍କର ସଦ୍‌ଗତି କରାନ୍ତୁ । ତେଣୁ ମୁଁ ଏବେ ଆସିଛି । ଭକ୍ତି ଅଲଗା, ଜ୍ଞାନ ଅଲଗା । ଭକ୍ତି ଦ୍ୱାରା ଅଧାକଳ୍ପ ରାତି ହେଉଛି, ଜ୍ଞାନ ଦ୍ୱାରା ଅଧାକଳ୍ପ ଦିନ ହେଉଛି । ରାମରାଜ୍ୟ ଏବଂ ରାବଣ ରାଜ୍ୟ ଉଭୟ ବେହଦ ଅଟେ । ଉଭୟର ସମୟର ଅବଧି ସମାନ ଅଟେ । ବର୍ତ୍ତମାନ ସମୟରେ ମନୁଷ୍ୟମାନେ ଭୋଗୀ ହୋଇଥିବା କାରଣରୁ ଦୁନିଆର ବୃଦ୍ଧି ଅଧିକ ହୋଇ ଚାଲିଛି ଏବଂ ଆୟୁଷ କମି କମି ଯାଉଛି । ପୁଣି ବୃଦ୍ଧି ନ ହେବା ପାଇଁ ଅନେକ ଯୋଜନା କରୁଛନ୍ତି । ତୁମେ ପିଲାମାନେ ଜାଣିଛ - ଏତେ ବଡ ଦୁନିଆରେ ମନୁଷ୍ୟମାନଙ୍କର ସଂଖ୍ୟା କମ୍ କରିବାର କାର୍ଯ୍ୟ ତ କେବଳ ବାବାଙ୍କର ଅଟେ । ବାବା କମ୍ କରିବା ପାଇଁ ହିଁ ଆସୁଛନ୍ତି । ତାଙ୍କୁ ଡାକୁଛନ୍ତି ମଧ୍ୟ - ବାବା ଆସି ଅଧର୍ମର ବିନାଶ କରନ୍ତୁ ଅର୍ଥାତ୍ ସୃଷ୍ଟିର ଜନସଂଖ୍ୟାକୁ କମ କରନ୍ତୁ । ଦୁନିଆ ତ ଏକଥା ଜାଣେ ନାହିଁ ଯେ ବାବା କେତେ କମ୍ କରିଦେଉଛନ୍ତି । ସେଠାରେ (ସ୍ୱର୍ଗରେ) ବହୁତ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିଥା’ନ୍ତି । ବାକି ସବୁ ଆତ୍ମାମାନେ ନିଜ ଘରକୁ ଚାଲିଯାଉଛନ୍ତି ପୁଣି ଏହି ସୃଷ୍ଟିକୁ ଅଭିନୟ କରିବା ପାଇଁ କ୍ରମାନୁସାରେ ଆସୁଛନ୍ତି । ନାଟକରେ ଅଭିନୟ ଯେତେ ବିଳମ୍ବରେ ଥିବ, ସିଏ ସେତେ ବିଳମ୍ବରେ ଘରୁ ଆସିବ । ନିଜର କର୍ମଧନ୍ଦା ସବୁ ଶେଷ କରି ବିଳମ୍ବରେ ଆସିଥାଆନ୍ତି । ଦୁନିଆର ନାଟକରେ ଅଭିନୟ କରୁଥିବା ଅଭିନେତାମାନେ ମଧ୍ୟ ନିଜ ନିଜର କର୍ମଧନ୍ଦା କରିଥା’ନ୍ତି ପୁଣି ସମୟ ଅନୁସାରେ ଅଭିନୟ କରିବା ପାଇଁ ମଞ୍ଚକୁ ଆସିଯାଆନ୍ତି । ତୁମମାନଙ୍କର ମଧ୍ୟ ଏହିଭଳି ହେଉଛି, ଯାହାଙ୍କର ଅଭିନୟ ପଛରେ ହେଉଛି ସିଏ ପଛରେ ଆସନ୍ତି । ଆଉ ଯେଉଁମାନେ ପ୍ରଥମରୁ ପାର୍ଟ କରିଥାଆନ୍ତି ସେମାନେ ସତ୍ୟଯୁଗର ଆରମ୍ଭରେ ଆସିଥାଆନ୍ତି । ଯେଉଁମାନଙ୍କର ଶେଷ ସମୟରେ ଆସିବାର ଅଛି ସେମାନେ ଦେଖ ଏବେ ମଧ୍ୟ ଆସିବାରେ ଲାଗିଛନ୍ତି । ଶାଖା ପ୍ରଶାଖା ସବୁ ତ ଅନ୍ତିମ ସମୟ ପର୍ଯନ୍ତ ଆସିବାରେ ଲାଗିଥାଆନ୍ତି ।

ବର୍ତ୍ତମାନ ସମୟରେ ତୁମମାନଙ୍କୁ ଜ୍ଞାନର କଥା ବୁଝାଯାଉଛି ଏବଂ ତୁମେମାନେ ଅମୃତବେଳାରେ ଯେଉଁ ଯୋଗରେ ବସୁଛ, ତାହା ହେଉଛି ଡ୍ରିଲ୍ । ସେହି ସମୟରେ ଆତ୍ମାକୁ ନିଜର ପିତାଙ୍କୁ ମନେ ପକାଇବାକୁ ହେବ । ଯୋଗ ଶବ୍ଦକୁ ଛାଡିଦିଅ । ଏଥିରେ ହିଁ ସମସ୍ତେ ଦ୍ୱନ୍ଦ୍ୱରେ ପଡୁଛନ୍ତି । କହୁଛନ୍ତି ମୋର ଯୋଗ ଲାଗୁନାହିଁ । ବାବା କହୁଛନ୍ତି - ଆରେ, ତୁମେ ବାବାଙ୍କୁ ମନେ ପକାଇପାରୁ ନାହଁ! କ’ଣ ଏହା ଭଲ କଥା! ଯଦି ବାବାଙ୍କୁ ମନେ ପକାଇବ ନାହିଁ ତେବେ ପବିତ୍ର କିପରି ହେବ? ବାବା ହିଁ ହେଉଛନ୍ତି ପତିତ-ପାବନ । ବାବା ଆସି ଡ୍ରାମାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ଏହା ଭିନ୍ନ ଭିନ୍ନ ଧର୍ମର ଏବଂ ଭିନ୍ନ-ଭିନ୍ନ ମନୁଷ୍ୟଙ୍କର ବୃକ୍ଷ ଅଟେ । ସାରା ସୃଷ୍ଟିରେ ଯେତେ ବି ମନୁଷ୍ୟ ଅଛନ୍ତି ସେମାନେ ସମସ୍ତେ ଅଭିନେତା ଅଟନ୍ତି । ସୃଷ୍ଟିରେ କେତେ ସଂଖ୍ୟାରେ ମନୁଷ୍ୟ ଅଛନ୍ତି, ତା’ର ହିସାବ ବାହାର କରୁଛନ୍ତି - ବର୍ଷକୁ ଏତେ କୋଟି ଜନ୍ମ ହେଉଛନ୍ତି । ପୁଣି ରହିବାକୁ ଏତେ ଜାଗା ହିଁ କାହିଁ । ତେଣୁ ବାବା କହୁଛନ୍ତି ମୁଁ ଆସୁଛି ଜନସଂଖ୍ୟାକୁ ସୀମିତ କରିବା ପାଇଁ । ଯେତେବେଳେ ସବୁ ଆତ୍ମାମାନେ ଉପରୁ ଆସି ଯାଉଛନ୍ତି, ସେତେବେଳେ ଆମର ପରମଧାମ ଘର ଖାଲି ହୋଇଯାଉଛି । ବାକି ଯେଉଁମାନେ ବଳକା ରହିଯାଇଥିବେ ସେମାନେ ମଧ୍ୟ ଆସିବେ । ସୃଷ୍ଟିରୂପି ବୃକ୍ଷ କେବେ ବି ଶୁଖିଯାଏ ନାହିଁ, ତାହା ସବୁବେଳେ ଚାଲୁ ରହିଥାଏ । ଶେଷରେ ଯେତେବେଳେ ସେଠାରେ କେହି ବି ରୁହନ୍ତି ନାହିଁ, ସେତେବେଳେ ପୁଣି ସମସ୍ତେ ଫେରିଥାଆନ୍ତି । ନୁଆ ଦୁନିଆରେ ବହୁତ କମ୍ ସଂଖ୍ୟାରେ ଥିଲେ, ଏବେ ଦେଖ ସଂଖ୍ୟା କେତେ ବଢିଯାଇଛି । ଶରୀର ତ ସମସ୍ତଙ୍କର ବଦଳି ଚାଲିଛି । ସେହିଭଳି ଜନ୍ମ ସେହିମାନେ ନେବେ ଯେଉଁଭଳି କଳ୍ପ କଳ୍ପ ନେଇଥା’ନ୍ତି । ଏହି ସୃଷ୍ଟିଚକ୍ର କିପରି ଚାଲୁଛି, ତାହା ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇପାରିବେ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ବୁଝୁଛନ୍ତି । ଏହି ବେହଦର ନାଟକ କେତେ ବିଶାଳ । ଏହା କେତେ ବୁଝିବାର କଥା । ବେହଦର ବାବା ତ ହେଉଛନ୍ତି ଜ୍ଞାନର ସାଗର । ବାକି ଅନ୍ୟ ସମସ୍ତଙ୍କର ଜ୍ଞାନ ତ ସୀମିତ । ସେମାନେ ବେଦ, ଶାସ୍ତ୍ର ଆଦି ରଚନା କରୁଛନ୍ତି, ଆଉ ଅଧିକ କିଛି ଲେଖିପାରିବେ ତାହା ତ ହୋଇପାରିବ ନାହିଁ । ତୁମେ ଜ୍ଞାନକୁ ଯଦି ଆରମ୍ଭରୁ ଲେଖିବ ତେବେ କେତେ ଲମ୍ବା ଚଉଡା ଗୀତା ହୋଇଥିବ । ଯଦି ସବୁ ଛପା ଯାଆନ୍ତା ତେବେ ଗୀତା ଘରଠାରୁ ମଧ୍ୟ ବଡ ହୋଇଯାଆନ୍ତା ସେଥିପାଇଁ କୁହାଯାଏ - ସାଗରକୁ ଯଦି କାଳି କରିବ.... ପୁଣି ଏକଥା ମଧ୍ୟ କୁହାଯାଇଛି ଯେ - ଚଢେଇମାନେ ସାଗରକୁ ଗ୍ରାସ କରିଦେଲେ.... । ବାସ୍ତବରେ ଏହା ତୁମମାନଙ୍କର ହିଁ ଦୃଷ୍ଟାନ୍ତ ଅଟେ । ତୁମେମାନେ ହେଉଛ ଚଢେଇ ଯିଏକି ସାରା ଜ୍ଞାନର ସାଗରକୁ ଗ୍ରାସ କରୁଛ । ତୁମେମାନେ ଏବେ ବ୍ରାହ୍ମଣ ହୋଇଛ । ତୁମକୁ ଏବେ ଜ୍ଞାନ ମିଳୁଛି । ଜ୍ଞାନ ଆଧାରରେ ତୁମେ ସବୁ କିଛି ଜାଣିଯାଉଛ । କଳ୍ପ କଳ୍ପ ତୁମେ ଏଠାରେ ପାଠ ପଢୁଛ, ଏଥିରେ କିଛି କମ୍ ବେଶୀ ହେବାର ନାହିଁ । ଯିଏ ଯେତିକି ପୁରୁଷାର୍ଥ କରୁଛନ୍ତି, ତାଙ୍କର ସେତିକି ପ୍ରାଲବ୍ଧ ଜମା ହେଉଛି । ତୁମେ ପ୍ରତ୍ୟେକ ନିଜକୁ ଜାଣିପାରିବ ଯେ ମୁଁ କେତେ ପୁରୁଷାର୍ଥ କରୁଛି ଏବଂ କେତେ ପଦ ପ୍ରାପ୍ତ କରିବାର ଯୋଗ୍ୟ ହୋଇଛି । ସ୍କୁଲରେ ମଧ୍ୟ କ୍ରମାନୁସାରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥା’ନ୍ତି । ଏଠାରେ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଉଭୟ ହେଉଛନ୍ତି । ଯେଉଁମାନେ ଫେଲ୍ ହୋଇଯାଉଛନ୍ତି ସେମାନେ ଚନ୍ଦ୍ରବଂଶୀ ହେଉଛନ୍ତି । ଦୁନିଆରେ କେହି ଜାଣିନାହାଁନ୍ତି ଯେ ରାମଙ୍କୁ ଧନୁ ତୀର କାହିଁକି ଦିଆଯାଇଛି? ଲଢେଇ ଝଗଡାର ଇତିହାସ ଲେଖିଦେଇଛନ୍ତି । ବାସ୍ତବରେ ବର୍ତ୍ତମାନ ହିଁ ହେଉଛି ମାରପିଟ୍‌ର ସମୟ । ତୁମେ ଜାଣିଛ ଯିଏ ଯେପରି କର୍ମ କରିଥାଆନ୍ତି ସିଏ ସେପରି ଫଳ ପାଇଥାଆନ୍ତି । ଯେପରି କେହି ଯଦି ଡାକ୍ତରଖାନା ତିଆରି କରୁଛନ୍ତି ତେବେ ପର ଜନ୍ମରେ ତାଙ୍କର ଆୟୁଷ ବଡ ହୋଇଥାଏ ଏବଂ ସିଏ ସ୍ୱାସ୍ଥ୍ୟବାନ୍ ହୋଇଥାଆନ୍ତି । କେହି ଯଦି ଧର୍ମଶାଳା ବା ସ୍କୁଲ୍ ଖୋଲୁଛନ୍ତି ତେବେ ତାଙ୍କୁ ଅଧାକଳ୍ପ ସୁଖ ମିଳିଥାଏ । ଏଠାକୁ ପିଲାମାନେ ଯେତେବେଳେ ଆସୁଛନ୍ତି ବାବା ସେମାନଙ୍କୁ ପଚାରୁଛନ୍ତି - ତୁମର କେତୋଟି ସନ୍ତାନ? ତେବେ କହୁଛନ୍ତି ଆମର ୩ଟି ଲୌକିକ ସନ୍ତାନ ଏବଂ ଆଉ ଜଣେ ଶିବବାବା କାହିଁକି ନା ସିଏ ସମ୍ପତ୍ତି ଦେଉଛନ୍ତି ଏବଂ ନେଉଛନ୍ତି ମଧ୍ୟ । ତା’ର ହିସାବ ଅଛି । ତେବେ ସିଏ ତ କିଛି ନିଅନ୍ତି ନାହିଁ, ସିଏ ତ ଦାତା ଅଟନ୍ତି । ତାଙ୍କୁ ତୁମେ ଚାଉଳ ମୁଠାଏ ଦେଇ ମହଲ ନେଇଯାଉଛ, ସେଥିପାଇଁ ସିଏ ଭୋଳାନାଥ ଅଟନ୍ତି, ପତିତ-ପାବନ ଜ୍ଞାନ ସାଗର ଅଟନ୍ତି । ଏବେ ବାବା କହୁଛନ୍ତି - ଏତେ ସବୁ ଯେଉଁ ଭକ୍ତିର ଶାସ୍ତ୍ର ରହିଛି ମୁଁ ସେଗୁଡିକର ସାର ବୁଝାଉଛି । ଭକ୍ତିର ଫଳ ତ ଅଧାକଳ୍ପ ପର୍ଯ୍ୟନ୍ତ ମିଳିଥାଏ । ସନ୍ନ୍ୟାସୀମାନେ କହୁଛନ୍ତି ଏହି ଦୁନିଆର ସୁଖ କାକ ବିଷ୍ଠା ସହ ସମାନ, ସେଥିପାଇଁ ସେମାନେ ଘରଦୁଆର ଛାଡି ଜଙ୍ଗଲକୁ ଚାଲିଯା’ନ୍ତି । କହୁଛନ୍ତି ଆମକୁ ସ୍ୱର୍ଗର ସୁଖ ଦରକାର ନାହିଁ, ଯାହା ଦ୍ୱାରା କି ପୁଣି ନର୍କକୁ ଆସିବାକୁ ପଡିବ । ଆମକୁ ମୋକ୍ଷ ଦରକାର । କିନ୍ତୁ ଏହା ମନେ ରଖ - ଏହା ହେଉଛି ବେହଦର ନାଟକ । ଏହି ନାଟକରୁ ଗୋଟିଏ ମଧ୍ୟ ଆତ୍ମା ବର୍ତ୍ତିଯାଇ ପାରିବ ନାହିଁ, ଏହା ପୂର୍ବ ପ୍ରସ୍ତୁତ ଅଟେ । ସେଥିପାଇଁ ଗାୟନ କରୁଛନ୍ତି - ବନି ବନାଇ ବନ ରହି.... କିନ୍ତୁ ଭକ୍ତିମାର୍ଗରେ ଚିନ୍ତା କରିବାକୁ ପଡିଥାଏ । ତୁମେ ଯାହା କିଛି ଅତିକ୍ରମ କରି ଆସିଛ ତାହା ପୁଣି ହେବ । ୮୪ ଜନ୍ମର ଚକ୍ର ତୁମେ ହିଁ ଲଗାଉଛ । ଏହା କେବେ ବି ବନ୍ଦ ହୁଏ ନାହିଁ । ପୂର୍ବ ପ୍ରସ୍ତୁତ ଅଟେ । ତେବେ ଏଥିରୁ ତୁମେ ନିଜର ପୁରୁଷାର୍ଥକୁ କିପରି କାଟି ଦେଇପାରିବ? ତୁମେ କେବଳ କହିଦେଲେ ସେଥିରୁ ବାହାରିପାରିବ ନାହିଁ । ମୋକ୍ଷ ପ୍ରାପ୍ତ କରିବା, ଜ୍ୟୋତିରେ ସମାହିତ ହୋଇଯିବା, ବ୍ରହ୍ମରେ ଲୀନ ହେବା - ଏସବୁ ଗୋଟିଏ କଥା । ଦୁନିଆରେ ଅନେକ ମତ ରହିଛି, ଅନେକ ଧର୍ମ ରହିଛି । ପୁଣି କହିଦେଉଛନ୍ତି ତୁମର ଗତି-ମତ ତୁମେ ହିଁ ଜାଣ । ତୁମକୁ ଶ୍ରୀମତ ଆଧାରରେ ସଦଗତି ମିଳୁଛି । ତାହା ମଧ୍ୟ ତୁମେ ହିଁ ଜାଣୁଛ । ତୁମେ କହୁଛ - ଆପଣ ଯେତେବେଳେ ଆସିବେ ସେତେବେଳେ ଆମେ ନିଜକୁ ମଧ୍ୟ ଜାଣିଯିବୁ ଏବଂ ପବିତ୍ର ରହିବୁ । ପାଠପଢି ସଦଗତି ପ୍ରାପ୍ତ କରିବୁ । ପୁଣି ଯେତେବେଳେ ସଦ୍‌ଗତି ହୋଇଯାଉଛି ତା’ପରେ ଆଉ କେହି ଡାକୁ ହିଁ ନାହାଁନ୍ତି । ବର୍ତ୍ତମାନ ସମସ୍ତଙ୍କ ଉପରେ ଦୁଃଖର ପାହାଡ ଖସିବାକୁ ଯାଉଛି । ରକ୍ତର ହୋଲି ଖେଳ ବି ଦେଖାଉଛନ୍ତି ଏବଂ ଗୋବର୍ଦ୍ଧନ ପର୍ବତକୁ ଆଙ୍ଗୁଳିରେ ଉଠାଇବାର ବି ଦେଖାଉଛନ୍ତି । ତେବେ ତୁମେ ଏହାର ବାସ୍ତବ ଅର୍ଥକୁ ଜାଣିଛ । ତୁମେ ଅଳ୍ପ କେତେକ ସନ୍ତାନମାନେ ହିଁ ଏହି ଦୁଃଖର ପାହାଡକୁ ହଟାଉଛ । ଦୁଃଖକୁ ବି ସହନ କରୁଛ ।

ତୁମକୁ ଏହି ବଶୀକରଣ ମନ୍ତ୍ରକୁ ସମସ୍ତଙ୍କୁ ଦେବାକୁ ହେବ । କହୁଛନ୍ତି ତୁଳସୀ ଦାସ ଚନ୍ଦନ ଘିସେ..... ତେବେ ରାଜତ୍ୱର ତିଳକ ତ ତୁମକୁ ନିଜ ନିଜର ପରିଶ୍ରମ ଅନୁସାରେ ମିଳୁଛି । ତୁମେ ରାଜତ୍ୱ ପ୍ରାପ୍ତ କରିବା ପାଇଁ ପାଠ ପଢୁଛ । ଏହି ରାଜଯୋଗର ପାଠ ଦ୍ୱାରା ତୁମକୁ ରାଜତ୍ୱ ମିଳୁଛି ଏବଂ ତାହା ମଧ୍ୟ ଏକମାତ୍ର ବାବା ହିଁ ପଢାଉଛନ୍ତି । ଏବେ ତୁମେ ଘରେ ବସିଛ, ଏହା କୌଣସି ରାଜ ଦରବାର ନୁହେଁ । ରାଜ ଦରବାର ତାକୁ କୁହାଯାଏ ଯେଉଁଠାରେ ରାଜା-ମହାରାଜାମାନେ ମିଳିତ ହୋଇଥାଆନ୍ତି । ଏହା ହେଉଛି ପାଠଶାଳା । ବୁଝାଯାଉଛି କି କୌଣସି ବ୍ରାହ୍ମଣୀ ଏଠାକୁ ବିକାରୀମାନଙ୍କୁ ନେଇ ଆସିପାରିବେ ନାହିଁ । ପତିତ ଆସିଲେ ବାୟୁମଣ୍ଡଳକୁ ଖରାପ କରିଦେବେ, ସେଥିପାଇଁ ଅନୁମତି ଦିଆଯାଏ ନାହିଁ । ଯେତେବେଳେ ସେମାନେ ପବିତ୍ର ହେବେ ତେବେ ଯାଇ ଅନୁମତି ମିଳିବ । ଏବେ କାହାକୁ କାହାକୁ ଅନୁମତି ଦେବାକୁ ପଡୁଛି । ଯଦି ଏଠାରୁ ଯାଇ ପତିତ ହେବେ ତେବେ ତାଙ୍କର କିଛି ଧାରଣା ହେବ ନାହିଁ । ତେବେ ଏହା ହେଲା ନିଜକୁ ନିଜେ ଅଭିଶପ୍ତ କରିବା । ବିକାର ହେଉଛି ହିଁ ରାବଣର ମତ । ତେବେ ରାମଙ୍କର ମତକୁ ଛାଡି ରାବଣ ମତରେ ଚାଲିବା ଦ୍ୱାରା ବିକାରୀ ହୋଇ ପଥର ବୁଦ୍ଧି ହୋଇଯାଉଛନ୍ତି । ଏମିତି ତ ଗରୁଡ ପୁରାଣରେ ବହୁତ ଅତିରଞ୍ଜିତ କରି ଲେଖି ଦେଇଛନ୍ତି । ବାବା କହୁଛନ୍ତି ମନୁଷ୍ୟ ମନୁଷ୍ୟ ହିଁ ହୁଏ, ପଶୁପକ୍ଷୀ ଆଦି ହୁଏ ନୁହେଁ । ପାଠପଢାରେ କୌଣସି ଅନ୍ଧଶ୍ରଦ୍ଧାର କଥା ନ ଥାଏ । ତୁମର ଏହା ହେଉଛି ପାଠପଢା । ବିଦ୍ୟାର୍ଥୀ ପାଠପଢି ଉତ୍ତୀର୍ଣ୍ଣ ହୋଇ ରୋଜଗାର କରନ୍ତି ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବଶୀକରଣର ମନ୍ତ୍ର ସମସ୍ତଙ୍କୁ ଦେବାକୁ ହେବ । ପାଠପଢାର ପରିଶ୍ରମ ଦ୍ୱାରା ରାଜ୍ୟଭାଗ୍ୟର ତିଳକ ନେବାକୁ ହେବ । ଏହି ସବୁ ଦୁଃଖର ପାହାଡକୁ ହଟାଇବାରେ ନିଜର ସହଯୋଗର ଆଙ୍ଗୁଳି ଦେବାକୁ ହେବ ।

(୨) ସଂଗମଯୁଗରେ ପୁରୁଷୋତ୍ତମ ହେବାର ପୁରୁଷାର୍ଥ କରିବାକୁ ହେବ । ବାବାଙ୍କୁ ମନେ ପକାଇବାର ଡ୍ରିଲ୍ କରିବାକୁ ହେବ । ବାକି ଯୋଗ ଯୋଗ କହି ଦ୍ୱନ୍ଦ୍ୱରେ ପଡିବାର ନାହିଁ ।

ବରଦାନ:-
ସେବାକ୍ଷେତ୍ରରେ ବିଘ୍ନକୁ ଉନ୍ନତିର ସିଢି ମନେ କରି ଆଗକୁ ଆଗକୁ ବଢିଚାଲିଥିବା ନିର୍ବିଘ୍ନ ଏବଂ ସଚ୍ଚା ସେବାଧାରୀ ଭବ ।

ସେବା ବ୍ରାହ୍ମଣ ଜୀବନକୁ ସଦାକାଳ ପାଇଁ ନିର୍ବିଘ୍ନ କରିବାର ଆଧାର ମଧ୍ୟ ଅଟେ ଏବଂ ସେବାରେ ହିଁ ବିଘ୍ନ ରୂପକ ପରୀକ୍ଷା ଅଧିକ ଆସିଥାଏ । ତେବେ ନିର୍ବିଘ୍ନ ସେବାଧାରୀକୁ ସଚ୍ଚା ସେବାଧାରୀ କୁହାଯାଏ । ସେବାରେ ବିଘ୍ନ ଆସିବା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ବିଘ୍ନ ନିଶ୍ଚିତ ଆସିବ ଏବଂ ଆସିବାରେ ଲାଗିଥିବ, କାରଣ ଏହି ସବୁ ବିଘ୍ନ ବା ପରୀକ୍ଷା ତୁମମାନଙ୍କୁ ଅନୁଭବୀ କରିଥାଏ । ତେଣୁ ଏହାକୁ ବିଘ୍ନ ମନେ ନ କରି ଯଦି ଭାବିବ ମୋ’ର ଅନୁଭବର ଉନ୍ନତି ହେଉଛି ଏବଂ ଏହିଭଳି ଦୃଷ୍ଟିରେ ଦେଖିବ ତେବେ ବିଘ୍ନ ମଧ୍ୟ ଉନ୍ନତିର ସିଢି ଅନୁଭବ ହେବ ଏବଂ ତୁମେମାନେ ଆଗକୁ ଆଗକୁ ବଢି ଚାଲିବ ।

ସ୍ଲୋଗାନ:-
କେବେ ବି ବିଘ୍ନ ରୂପ ହୁଅ ନାହିଁ, ବିଘ୍ନ ବିନାଶକ ହୁଅ ।