12.04.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:—
ବାବାଙ୍କର ସ୍ନେହ ତ’ ସବୁ ପିଲାମାନଙ୍କ ପ୍ରତି ରହିଛି କିନ୍ତୁ ଯେଉଁମାନେ ବାବାଙ୍କର ନିର୍ଦ୍ଦେଶକୁ
ତୁରନ୍ତ ପାଳନ କରିଥାଆନ୍ତି ସେହି ପିଲାମାନେ ବାବାଙ୍କୁ ଆକର୍ଷିତ କରିଥା’ନ୍ତି । ଗୁଣବାନ୍
ପିଲାମାନେ ହିଁ ବାବାଙ୍କର ସ୍ନେହକୁ ଆକର୍ଷିତ କରିଥା’ନ୍ତି ।”
ପ୍ରଶ୍ନ:-
ବାବା କେଉଁ ଠିକା
ନେଇଛନ୍ତି?
ଉତ୍ତର:-
ସମସ୍ତଙ୍କୁ ଫୁଲ ଭଳି କରି ଘରକୁ ନେଇଯିବାର ଠିକା ଏକମାତ୍ର ବାବା ହିଁ ନେଇଛନ୍ତି । ବାବାଙ୍କ ଭଳି
ଠିକାଦର ଦୁନିଆରେ ଆଉ କେହି ନାହାଁନ୍ତି । ସିଏ ହିଁ ସମସ୍ତଙ୍କର ସଦ୍ଗତି କରିବା ପାଇଁ ଆସୁଛନ୍ତି
। ବାବା ସେବା ବିନା ରହିପାରିବେ ନାହିଁ । ତେଣୁ ପିଲାମାନଙ୍କୁ ମଧ୍ୟ ସେବା କରି ପ୍ରମାଣ ଦେବାକୁ
ହେବ । ଶୁଣି ନ ଶୁଣିଲା ପରି ହୋଇ ରହିବା ଉଚିତ୍ ନୁହେଁ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ଆତ୍ମିକ ପିଲାମାନଙ୍କୁ ବୁଝାଉଛନ୍ତି - ପିଲାମାନେ, ନିଜକୁ ଆତ୍ମା ନିଶ୍ଚୟ କରି ବସ । ଏହିକଥା
ଏକମାତ୍ର ବାବା ହିଁ ବୁଝାଉଛନ୍ତି ଅନ୍ୟ କେହି ମନୁଷ୍ୟ କାହାକୁ ବୁଝାଇ ପାରିବେ ନାହିଁ । ନିଜକୁ
ଆତ୍ମା ନିଶ୍ଚୟ କର - ଏହି ଶିକ୍ଷା ବାବା ୫ ହଜାର ବର୍ଷ ପରେ ହିଁ ଆସି ଦେଉଛନ୍ତି । ଏକଥା କେବଳ
ତୁମେ ପିଲାମାନେ ହିଁ ଜାଣିଛ । କାହାକୁ ହେଲେ ମଧ୍ୟ ଜଣାନାହିଁ ଯେ ଏହା ହେଉଛି ପୁରୁଷୋତ୍ତମ
ସଙ୍ଗମଯୁଗ । ତୁମମାନଙ୍କର ଏହିକଥା ସ୍ମୃତିରେ ରହିବା ଉଚିତ୍ ଯେ ଆମେ ସମସ୍ତେ ଏବେ ପୁରୁଷୋତ୍ତମ
ସଙ୍ଗମଯୁଗରେ ଅଛୁ, ଏହା ହିଁ ହେଉଛି ମନ୍ମନାଭବ । ବାବା କହୁଛନ୍ତି ମୋତେ ମନେପକାଅ, କାହିଁକିନା
ଏବେ ଘରକୁ ଫେରିଯିବାକୁ ହେବ । ୮୪ ଜନ୍ମ ଏବେ ପୁରା ହେବାକୁ ହେଉଛି, ଏବେ ସତ୍ତ୍ୱପ୍ରଧାନ ଅର୍ଥାତ୍
ପବିତ୍ର ହୋଇ ଘରକୁ ଫେରିଯିବାକୁ ହେବ । କେହି କେହି ତ’ ବାବାଙ୍କୁ ବିଲ୍କୁଲ୍ ମନେପକାଉ ହିଁ
ନାହାନ୍ତି । ବାବା ତ’ ପ୍ରତ୍ୟେକଙ୍କର ପୁରୁଷାର୍ଥକୁ ଭଲ ଭାବରେ ଜାଣିଛନ୍ତି, ସେମାନଙ୍କ ମଧ୍ୟରୁ
ମୁଖ୍ୟତଃ ଯେଉଁମାନେ ଏଠାରେ ରହୁଛନ୍ତି ଏବଂ ସାଧାରଣ ଭାବେ ଯେଉଁମାନେ ବାହାରେ ରହୁଛନ୍ତି । ବାବା
କହୁଛନ୍ତି - ଯଦିଓ ମୁଁ ଏଠାରେ ବସି ଦେଖୁଛି କିନ୍ତୁ ଯିଏ ମିଠା-ମିଠା ସେବାଧାରୀ ସନ୍ତାନ ଅଟନ୍ତି
ସେମାନଙ୍କୁ ମୁଁ ମନେପକାଉଛି । ଏମାନେ କେଉଁ ପ୍ରକାରର ଫୁଲ, ୟାଙ୍କ ଭିତରେ କ’ଣ କ’ଣ ଗୁଣ ରହିଛି?
ଏକଥା ମଧ୍ୟ ଦେଖୁଛି । କେହି କେହି ତ’ ଏମିତି ଅଛନ୍ତି ଯାହାଙ୍କ ଭିତରେ କିଛି ବି ଗୁଣ ନାହିଁ ।
ତେବେ ଏଭଳି ପିଲାଙ୍କୁ ବାବା ଦେଖି କ’ଣ କରିବେ । ବାବା ତ’ ଚୁମ୍ବକ ସଦୃଶ ବିଶୁଦ୍ଧ ଆତ୍ମା ଅଟନ୍ତି,
ତେଣୁ ନିଶ୍ଚିତ ସିଏ ସମସ୍ତଙ୍କୁ ଆକର୍ଷିତ କରିବେ । ବାବା ସବୁ କିଛି ଜାଣିପାରନ୍ତି, ବାବା ଯେପରି
ତୁମକୁ ନିଜର ସମସ୍ତ ହିସାବ-କିତାବ ବତାଉଛନ୍ତି ସେହିପରି ତୁମେମାନେ ମଧ୍ୟ ତାଙ୍କୁ ନିଜର
ହିସାବ-କିତାବ ବତାଇବା ଦରକାର । ବାବା କହୁଛନ୍ତି ମୁଁ ତୁମକୁ ବିଶ୍ୱର ମାଲିକ କରିବା ପାଇଁ ଆସିଛି
। ତେବେ ଯିଏ ଯେମିତି ପୁରୁଷାର୍ଥ କରିବ । ପୁରୁଷାର୍ଥ ଯାହା ବି କରୁଛ, ତାହା ବାବାଙ୍କୁ ଜଣାଇବା
ଦରକାର । ବାବା ଲେଖୁଛନ୍ତି - ସମସ୍ତଙ୍କର ବୃତ୍ତି କ’ଣ ତାହା ଲେଖି କରି ପଠାଅ ଅଥବା ତାଙ୍କ
ଦ୍ୱାରା ଲେଖାଇ କରି ପଠାଅ । ଯିଏ ଚତୁର ବୁଦ୍ଧିମାନ ବ୍ରାହ୍ମଣୀ ଅଟନ୍ତି ସିଏ ସବୁ ଲେଖି ପଠାନ୍ତି
- କ’ଣ ଧନ୍ଦା କରୁଛନ୍ତି, କେତେ ଆମଦାନୀ କରୁଛନ୍ତି? ବାବାଙ୍କ ନିଜର ସବୁ କିଛି ବତାଉଛନ୍ତି ଏବଂ
ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ବାବା ସମସ୍ତଙ୍କ ଅବସ୍ଥାକୁ ଜାଣିଛନ୍ତି ।
ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ ଫୁଲ ଅଛନ୍ତି ନା । (ବାବା ଗୋଟିଏ ଗୋଟିଏ ଫୁଲ ଦେଖାଇ) ଦେଖ,
କେତେ ସୁନ୍ଦର ଫୁଲ । ଏବେ ଦେଖ ଏଥିରେ କେତେ ସୁଗନ୍ଧ ରହିଛି, ପୁଣି ଯେତେବେଳେ ସମ୍ପୂର୍ଣ୍ଣ ଭାବରେ
ପ୍ରସ୍ଫୁଟିତ ହୋଇଯିବ ସେତେବେଳେ ତା’ର ଶୋଭା ବହୁତ ଆକର୍ଷଣୀୟ ଲାଗିବ । ତୁମେମାନେ ମଧ୍ୟ ଏହି
ଲକ୍ଷ୍ମୀ ନାରାୟଣଙ୍କ ଭଳି ଯୋଗ୍ୟ ହୋଇଯିବ । ତେଣୁ ବାବା ସମସ୍ତଙ୍କୁ ଦେଖୁଛନ୍ତି, ଏମିତି ନୁହେଁ
ଯେ ସମସ୍ତଙ୍କୁ ଶକ୍ତିର କିରଣ ଦେଉଛନ୍ତି । ଯିଏ ଯେମିତି ହୋଇଥା’ନ୍ତି ସେମିତି ଅନ୍ୟମାନଙ୍କୁ
ଆକର୍ଷିତ କରିଥା’ନ୍ତି, ଆଉ ଯେଉଁମାନଙ୍କର କୌଣସି ଗୁଣ ନାହିଁ ସିଏ କ’ଣ ବା ଆକର୍ଷିତ କରିବେ ।
ସିଏ ସେଠାରେ (ସତ୍ୟଯୁଗରେ) ଯାଇ ଛୋଟ ପଦ ପ୍ରାପ୍ତ କରିବେ । ବାବା ପ୍ରତ୍ୟେକ ଆତ୍ମାଙ୍କର ଗୁଣକୁ
ଦେଖୁଛନ୍ତି ଏବଂ ସ୍ନେହ ମଧ୍ୟ କରୁଛନ୍ତି । ସ୍ନେହରେ, ଆଖିରୁ ଲୁହ ବାହାରି ଆସିଥାଏ ନା । ଏହି
ସେବାଧାରୀ ସନ୍ତାନ କେତେ ସେବା କରୁଛନ୍ତି । ୟା’ଙ୍କୁ ସେବା ବିନା ଆରାମ କରିବାକୁ ଭଲ ଲାଗେ ନାହିଁ
। କେହି କେହି ତ’ ସେବା କରିବା ଶିଖି ହିଁ ନାହାଁନ୍ତି । ଯୋଗରେ ବସୁ ନାହାଁନ୍ତି । ଜ୍ଞାନର ଧାରଣା
କରୁ ନାହାଁନ୍ତି । ବାବା ଜାଣିଛନ୍ତି - ଇଏ କି ପଦ ପାଇବେ । କେହି ବି ଲୁଚି ରହିପାରିବେ ନାହିଁ ।
ଯେଉଁ ପିଲାମାନେ ବହୁତ ଭଲ, ବୁଦ୍ଧିମାନ୍ ଅଟନ୍ତି, ସେବାକେନ୍ଦ୍ରର ଦାୟିତ୍ୱ ନେଇଛନ୍ତି, ସେମାନେ
ପ୍ରତ୍ୟେକଙ୍କର ହିସାବ-କିତାବ ଲେଖି ପଠାଇବା ଦରକାର । ତେବେ ବାବା ଜାଣିପାରିବେ ଯେ ଇଏ କେତେ
ପୁରୁଷାର୍ଥୀ ଅଟନ୍ତି । ବାବା ତ’ ହେଉଛନ୍ତି ଜ୍ଞାନର ସାଗର, ସିଏ ପିଲାମାନଙ୍କୁ ଜ୍ଞାନ ଦେଉଛନ୍ତି
। କିଏ କେତେ ଜ୍ଞାନ ଧାରଣ କରୁଛନ୍ତି, କେତେ ଗୁଣବାନ୍ - ତାହା ତୁରନ୍ତ ଜଣା ପଡିଯାଉଛି ।
ବାବାଙ୍କର ସ୍ନେହ ତ’ ସମସ୍ତଙ୍କ ପ୍ରତି ରହିଛି । ଏହା ଉପରେ ଗୋଟିଏ ଗୀତ ମଧ୍ୟ ରହିଛି - ତେରେ
କାଣ୍ଟୋ ସେ ଭି ପ୍ୟାର, ତେରେ ଫୁଲୋଁ ସେ ଭି ପ୍ୟାର.... ସମସ୍ତେ ତ’ କ୍ରମାନୁସାରେ ଅଛନ୍ତି ।
ତେବେ ତୁମର ବାବାଙ୍କ ପ୍ରତି କେତେ ସ୍ନେହ ରହିବା ଦରକାର । ବାବା ଯାହା କହୁଛନ୍ତି ତାକୁ ଯଦି
ତୁରନ୍ତ ପ୍ରତ୍ୟକ୍ଷରେ କରି ଦେଖାଇବ ତେବେ ବାବା ଜାଣିଯିବେ ଯେ ବାବାଙ୍କ ପ୍ରତି କେତେ ସ୍ନେହ ଅଛି
। ତାଙ୍କୁ ଆକର୍ଷିତ କରିବ । ବାବାଙ୍କର ଆକର୍ଷଣ ଏମିତି ରହିଛି ଯାହାକି ଏକଦମ୍ ଚୁମ୍ବକ ଭଳି
ଲାଖିଯିବ । କିନ୍ତୁ ଯଦି କଳଙ୍କ ଛାଡି ନ ଥିବ ତେବେ ଆକର୍ଷିତ ହୋଇପାରିବ ନାହିଁ । ମୁଁ ଜଣ ଜଣ କରି
ସମସ୍ତଙ୍କୁ ଦେଖୁଛି ।
ବାବାଙ୍କୁ ସେବାଯୋଗ୍ୟ
ସନ୍ତାନ ଆବଶ୍ୟକ । ବାବା ତ’ ସେବା ପାଇଁ ଆସୁଛନ୍ତି । ପତିତକୁ ପାବନ କରୁଛନ୍ତି । ଏକଥା ତୁମେ
ଜାଣିଛ, ଦୁନିଆର ମନୁଷ୍ୟମାନେ ଜାଣିନାହାନ୍ତି କାରଣ ଏବେ ତୁମେ ବହୁତ କମ୍ ସଂଖ୍ୟାରେ ଅଛ । ତେବେ
ଯେ ପର୍ଯ୍ୟନ୍ତ ମୋ ସହିତ ଯୋଗ ନ ଲଗାଇଛ ସେ ପର୍ଯ୍ୟନ୍ତ ମୋର ଆକର୍ଷଣ ହୋଇପାରିବ ନାହିଁ । ଏଭଳି
ମେହେନତ ବହୁତ କମ୍ ପିଲା କରୁଛନ୍ତି । କେତେକ ପିଲା ତ’ କିଛି ନା କିଛି କାର୍ଯ୍ୟରେ ଏକଦମ୍ ଲାଖି
ରହୁଛନ୍ତି । ଏହା ସେଭଳି ସତ୍ସଙ୍ଗ ନୁହେଁ, ଯାହା ଶୁଣିବେ କେବଳ ସତ୍ୟ ସତ୍ୟ କହିଚାଲିବେ । ସର୍ବ
ଶାସ୍ତ୍ରମୟୀ ଶିରୋମଣୀ ଏକମାତ୍ର ଗୀତା ଅଟେ । ଗୀତାରେ ହିଁ ରାଜଯୋଗ ବିଷୟରେ ଉଲ୍ଲେଖ ରହିଛି ।
ବିଶ୍ୱର ମାଲିକ ତ’ ବାବା ହିଁ ଅଟନ୍ତି । ମୁଁ ପିଲାମାନଙ୍କୁ କହିଚାଲିଛି ଯେ ଗୀତାରୁ ହିଁ ପ୍ରଭାବ
ବିସ୍ତାର ହେବ । କିନ୍ତୁ ସେତିକି ଶକ୍ତି ମଧ୍ୟ ଥିବା ଦରକାର ନା । ଯୋଗବଳର ଧାର ବହୁତ ଭଲ ଥିବା
ଦରକାର, ଯେଉଁଥିରେ ବହୁତ ପିଲାମାନେ ଦୁର୍ବଳ ଅଛନ୍ତି । ଏବେ ଆଉ ଅଳ୍ପ ସମୟ ବାକି ଅଛି । କହୁଛନ୍ତି
ମିଠ୍ରା ଘୁର୍ ତୋ ଘୁରାଏ (ମୋତେ ସ୍ନେହ କର ତେବେ ମୁଁ ମଧ୍ୟ ସ୍ନେହ କରିବି) । ଏହା ହେଉଛି
ଆତ୍ମାର ସ୍ନେହ । କେବଳ ଏକମାତ୍ର ବାବାଙ୍କ ସ୍ମୃତିରେ ରୁହ କାରଣ ଏହି ସ୍ମୃତିଦ୍ୱାରା ହିଁ
ବିକର୍ମ ବିନାଶ ହେବ । କେହି କେହି ତ’ ବାବାଙ୍କୁ ବିଲ୍କୁଲ୍ ମନେପକାଉ ନାହାନ୍ତି । ବାବା
ବୁଝାଉଛନ୍ତି - ଏଠାରେ ଭକ୍ତିର କଥା ନାହିଁ । ଏହି ବ୍ରହ୍ମାବାବା ହେଉଛନ୍ତି ଶିବବାବାଙ୍କର ରଥ,
ୟାଙ୍କ ଦ୍ୱାରା ହିଁ ବାବା ପାଠପଢ଼ାଉଛନ୍ତି । ଶିବବାବା ଏପରି କହୁନାହାଁନ୍ତି ଯେ ମୋ ପାଦ ଧୋଇ ପିଅ
। ବାବା ତ’ ହାତ ମଧ୍ୟ ଲଗାଇବାକୁ ଦିଅନ୍ତି ନାହିଁ । ଏହା ତ’ ପାଠପଢ଼ା ଅଟେ, ତେବେ ପାଦ ଛୁଇଁବା
ଦ୍ୱାରା କ’ଣ ମିଳିବ । ବାବା ତ’ ସମସ୍ତଙ୍କର ସଦ୍ଗତି କରୁଛନ୍ତି । ଏକଥା କୋଟିକରେ କେହି ଜଣେ ଜଣେ
ହିଁ ବୁଝୁଛନ୍ତି । ଯିଏ କଳ୍ପ ପୂର୍ବରୁ ବୁଝିଥିବେ, ସିଏ ହିଁ ବୁଝିବେ । ଭୋଳାନାଥ ବାବା ଆସି
ଭୋଳି-ଭୋଳି ମାତାମାନଙ୍କୁ ଜ୍ଞାନ ଦେଇ ଉପରକୁ ଉଠାଉଛନ୍ତି । ବାବା ଏକଦମ୍ ମୁକ୍ତି ଜୀବନମୁକ୍ତିକୁ
ନେଇଯାଉଛନ୍ତି । ବାବା କହୁଛନ୍ତି - କେବଳ ବିକାରକୁ ତ୍ୟାଗ କର । ଏହା ଉପରେ ହିଁ ସମସ୍ତ ଗଣ୍ଡଗୋଳ
ହେଉଛି । ତେଣୁ ବାବା କହୁଛନ୍ତି - ନିଜକୁ ଦେଖ ଯେ ମୋ’ ଭିତରେ କେଉଁ କେଉଁ ଅବଗୁଣ ରହିଛି?
ବ୍ୟବସାୟୀମାନେ ପ୍ରତ୍ୟେକ ଦିନ ନିଜର ଲାଭ କ୍ଷତିର ହିସାବ ଦେଖିଥା’ନ୍ତି । ତୁମେମାନେ ସେହିଭଳି
ନିଜର ହିସାବ ରଖ - ମୁଁ କେତେ ସମୟ ଅତି ସ୍ନେହୀ ବାବା, ଯିଏ ଆମକୁ ବିଶ୍ୱର ମାଲିକ କରୁଛନ୍ତି
ତାଙ୍କୁ ମନେପକାଇଛି? ଯଦି କମ୍ ସମୟ ମନେପକାଇଥିବ ତେବେ ନିଜକୁ ଲଜ୍ଜ୍ୟା ଆସିବ ଯେ ମୁଁ ଏଭଳି
ବାବାଙ୍କୁ ମନେପକାଇନାହିଁ । ମୋର ବାବା ସବୁଠାରୁ ଭିନ୍ନ ଏବଂ ଚମତ୍କାରୀ ଅଟନ୍ତି । ସାରା
ସୃଷ୍ଟିରେ ସ୍ୱର୍ଗ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ଦୁନିଆର ମନୁଷ୍ୟ ତ’ ସ୍ୱର୍ଗକୁ ଲକ୍ଷ ଲକ୍ଷ ବର୍ଷ
ବୋଲି କହିଦେଉଛନ୍ତି କିନ୍ତୁ ତୁମେମାନେ ୫ ହଜାର ବର୍ଷ କହୁଛ । ତେବେ ଏଥିରେ କେତେ ରାତି ଦିନର
ପାର୍ଥକ୍ୟ ରହିଛି । ତେବେ ଯିଏ ବହୁତ ପୁରୁଣା ଭକ୍ତ ତାଙ୍କ ପ୍ରତି ବାବା ମଧ୍ୟ ଆକର୍ଷିତ ହେଉଛନ୍ତି
। କାରଣ ସିଏ ବହୁତ ଭକ୍ତି କରିଛନ୍ତି ନା । ବ୍ରହ୍ମାବାବା ଏହି ଜନ୍ମରେ ମଧ୍ୟ ଗୀତା ପଢ଼ୁଥିଲେ ଏବଂ
ନାରାୟଣଙ୍କ ଚିତ୍ରକୁ ମଧ୍ୟ ରଖୁଥିଲେ । ଲକ୍ଷ୍ମୀଙ୍କୁ ଦାସୀପଣିଆରୁ ମୁକ୍ତ କରିଦେଇ କେତେ ଖୁସି
ହୋଇଯାଉଥିଲେ । ଯେମିତି କି ମୁଁ ଏହି ଶରୀର ଛାଡି ଯାଇ ସତ୍ୟଯୁଗରେ ଅନ୍ୟ ଏକ ଶରୀର ନେବି । ସେମିତି
ବାବାଙ୍କୁ ମଧ୍ୟ ଖୁସି ରହୁଛି ଯେ ମୁଁ ସେଠାରେ ଯାଇ ରାଜକୁମାର ହେବି । ସିଏ ପିଲାମାନଙ୍କୁ ମଧ୍ୟ
ପୁରୁଷାର୍ଥ କରାଉଛନ୍ତି । ତେବେ ବିନା ପୁରୁଷାର୍ଥରେ କିପରି ରାଜକୁମାର ହେବେ । ତୁମେ ମଧ୍ୟ ଯଦି
ବାବାଙ୍କୁ ଭଲ ଭାବରେ ମନେପକାଇବ ତେବେ ସ୍ୱର୍ଗର ସମ୍ପତ୍ତି ପ୍ରାପ୍ତ କରିବ । କେହି କେହି ନା
ପଢୁଛନ୍ତି ନା ଦୈବୀଗୁଣ ଧାରଣ କରୁଛନ୍ତି । ନିଜର ହିସାବ-କିତାବ ହିଁ ରଖୁନାହାଁନ୍ତି । ତେବେ
ହିସାବ-କିତାବ ସର୍ବଦା ସେହିମାନେ ରଖିବେ ଯେଉଁମାନଙ୍କୁ ଉଚ୍ଚ ପଦ ଅର୍ଥାତ୍ ଶ୍ରେଷ୍ଠ ପଦ ନେବାର
ଥିବ । ନହେଲେ କେବଳ ଦେଖାଣିଆ ଭାବେ କରିବେ । ୧୫-୨୦ ଦିନ ପରେ ଲେଖିବା ହିଁ ଛାଡି ଦେଇଥା’ନ୍ତି ।
ଏଠାରେ ତ’ ପରୀକ୍ଷା ଆଦି ସବୁ ଗୁପ୍ତ । ପ୍ରତ୍ୟେକଙ୍କର ଯୋଗ୍ୟତାକୁ ବାବା ଜାଣିଛନ୍ତି । ଯଦି
ବାବାଙ୍କର କଥାକୁ ତୁରନ୍ତ ମାନିନେବେ ତେବେ ତାଙ୍କୁ ଆଜ୍ଞାକାରୀ, ବିଶ୍ୱସ୍ତ ବୋଲି କୁହାଯିବ ।
ବାବା କହୁଛନ୍ତି ଏବେ ପିଲାମାନଙ୍କୁ ବହୁତ କାର୍ଯ୍ୟ କରିବାର ଅଛି । କେତେ କେତେ ଭଲ ଭଲ ପିଲା
ମଧ୍ୟ ବାବାଙ୍କୁ ଛାଡପତ୍ର ଦେଇ ଚାଲିଗଲେ । କିନ୍ତୁ ଶିବବାବା କାହାକୁ କେବେ ଛାଡପତ୍ର ଦେବେ ନାହିଁ
। ଇଏ ତ’ ସବୁଠାରୁ ବଡ ଠିକା ନେବା ପାଇଁ ଡ୍ରାମାନୁସାରେ ଆସିଛନ୍ତି । ମୁଁ ହେଉଛି ସବୁଠାରୁ ବଡ
ଠିକାଦାର । ସମସ୍ତଙ୍କୁ ଫୁଲ ଭଳି ଗୁଲ୍ଗୁଲ୍ (ସୁନ୍ଦର) କରି ଘରକୁ ନେଇଯିବି । ତୁମେମାନେ ଜାଣିଛ
ଯେ ପତିତରୁ ପାବନ କରୁଥିବା ଠିକାଦାର ଏକମାତ୍ର ବାବା ହିଁ ଅଟନ୍ତି । ସିଏ ଏବେ ତୁମ ସମ୍ମୁଖରେ
ବସିଛନ୍ତି । କେତେକଙ୍କର ଏହା ଉପରେ ବହୁତ ନିଶ୍ଚୟ ରହିଛି, ଆଉ ଅନ୍ୟ କେତେକଙ୍କର ବିଲ୍କୁଲ୍
ନିଶ୍ଚୟ ନାହିଁ । ଆଜି ଏଠାରେ ଅଛନ୍ତି, କାଲି ଚାଲିଯିବେ, ତାଙ୍କର ସ୍ୱଭାବ ହିଁ ସେହିପରି । ତେବେ
ମନ ଭିତରେ ନିଶ୍ଚିତ ପଶ୍ଚାତାପ ଆସିବ - ଆମେ ବାବାଙ୍କ ପାଖରେ ରହି, ବାବାଙ୍କର ହୋଇ କ’ଣ କରୁଛୁ ।
ଯଦି କିଛି ବି ସେବା କରିବ ନାହିଁ ତେବେ ତାଙ୍କୁ କ’ଣ ମିଳିବ । ରୋଟି ସେକିବା, ତରକାରୀ ପ୍ରସ୍ତୁତ
କରିବା ଏହା ତ’ ପୂର୍ବରୁ ମଧ୍ୟ କରୁଥିଲ । ନୂଆ ସେବା କ’ଣ କରିଛ? ସେବାର ପ୍ରମାଣ ଦେବାକୁ ହେବ,
କେତେ ଜଣଙ୍କୁ ବାବାଙ୍କର ପରିଚୟ ଦେଲ ।
ଏହି ଡ୍ରାମା ବହୁତ
ଚମତ୍କାର ଭାବେ ତିଆରି ହୋଇଛି । ଯାହାକିଛି ହେଉଛି ତାକୁ ତୁମେ ବାସ୍ତବରେ ଦେଖୁଛ ।
ଶାସ୍ତ୍ରଗୁଡିକରେ ତ’ ଶ୍ରୀକୃଷ୍ଣଙ୍କର ଚରିତ୍ର ଲେଖିଦେଇଛନ୍ତି କିନ୍ତୁ ଚରିତ୍ର ସବୁ ହେଉଛି
ଏକମାତ୍ର ବାବାଙ୍କର । ସିଏ ହିଁ ସମସ୍ତଙ୍କର ସଦଗତି କରୁଛନ୍ତି । ୟା’ଙ୍କ ପରି ଚରିତ୍ର ଆଉ କାହାର
ହୋଇପାରିବ ନାହିଁ । ଚରିତ୍ର ତ’ କିଛି ଭଲ ହୋଇଥିବା ଦରକାର । ବାକି ହରଣ କରିନେଇଯିବା, ଚୋରି
କରିବା ଏହା କୌଣସି ଚରିତ୍ର ନୁହେଁ । ସମସ୍ତଙ୍କର ସଦ୍ଗତିଦାତା ହେଉଛନ୍ତି ଏକମାତ୍ର ବାବା । ସିଏ
କଳ୍ପ କଳ୍ପ ଆସି ସ୍ୱର୍ଗର ସ୍ଥାପନା କରିଥା’ନ୍ତି । ଏଥିରେ ଲକ୍ଷ ଲକ୍ଷ ବର୍ଷର କୌଣସି କଥା ହିଁ
ନାହିଁ ।
ବର୍ତ୍ତମାନ ପିଲାମାନଙ୍କୁ
ଛି ଛି ଖରାପ ଅଭ୍ୟାସ ଗୁଡିକୁ ଛାଡିବାକୁ ପଡିବ । ନଚେତ୍ କି ପଦ ପାଇବ? ପ୍ରିୟତମ ବାବା ତୁମ ଭିତରେ
ଗୁଣ ଦେଖିଲେ ତ ଆକର୍ଷିତ ହେବେ ନା । ତେବେ ସେମାନଙ୍କ ପ୍ରତି ଆକର୍ଷିତ ହେବେ ଯେଉଁମାନେ ତାଙ୍କର
ସେବା କରୁଥିବେ । ଯେଉଁମାନେ କିଛି ସେବା କରୁନାହାନ୍ତି ସେମାନେ କେଉଁ କାମର । ଏହି କଥାଗୁଡିକୁ
ବହୁତ ଭଲ ଭାବରେ ବୁଝିବାକୁ ହେବ । ବାବା ବୁଝାଉଛନ୍ତି - ତୁମେ ହେଉଛ ମହାନ୍ ଭାଗ୍ୟଶାଳୀ, ତୁମ
ସଦୃଶ ଭାଗ୍ୟଶାଳୀ ଆଉ କେହି ବି ନାହାନ୍ତି । ଯଦିଓ ତୁମେ ସ୍ୱର୍ଗକୁ ଯିବ, ସେଥିପାଇଁ ଉଚ୍ଚ
ପ୍ରାରବ୍ଧ ଜମା କରିବା ଉଚିତ୍ । ଏହା ହେଉଛି କଳ୍ପ କଳ୍ପାନ୍ତରର କଥା । ଧିରେ ଧିରେ ପଦ ମଧ୍ୟ କମି
କମି ଯାଏ । ତେବେ ଏଥିରେ ଖୁସି ହେବା ଉଚିତ୍ ନୁହେଁ ଯେ ଯାହା ମିଳିଲା ତାହା ଠିକ୍ । ତୁମକୁ
ପୁରୁଷାର୍ଥ ବହୁତ ଭଲ ଭାବରେ କରିବାକୁ ହେବ । ସେବାର ପ୍ରମାଣ ଦେବାକୁ ହେବ - କେତେଜଣଙ୍କୁ ନିଜ
ସମାନ କରିଛ? ତୁମର ପ୍ରଜା କେଉଁଠି ଅଛନ୍ତି? ଏହିସବୁ ସେବାର ପ୍ରମାଣ ଦେବା ଦରକାର । ବାବା,
ଶିକ୍ଷକ ହୋଇ ସମସ୍ତଙ୍କୁ ପୁରୁଷାର୍ଥ କରାଉଛନ୍ତି । କିନ୍ତୁ କେତେକଙ୍କର ଭାଗ୍ୟରେ ହିଁ ନାହିଁ ।
ସବୁଠାରୁ ବଡ ଆଶୀର୍ବାଦ ହେଲା ବାବା ନିଜର ଶାନ୍ତିଧାମ ଦେଶକୁ ଛାଡି ଏହି ପତିତ ଦୁନିଆ ଏବଂ ପତିତ
ଶରୀରରେ ଆସୁଛନ୍ତି । ନଚେତ୍ ତୁମକୁ ରଚୟିତା ଏବଂ ରଚନାର ଜ୍ଞାନ କିଏ ଶୁଣାଇବେ? ଏକଥା ମଧ୍ୟ
କାହାରି ବୁଦ୍ଧିରେ ଆସୁନାହିଁ ଯେ ସତ୍ୟଯୁଗରେ ରାମରାଜ୍ୟ ଏବଂ କଳିଯୁଗରେ ରାବଣରାଜ୍ୟ ହେଉଛି ।
ରାମରାଜ୍ୟରେ ଗୋଟିଏ ରାଜ୍ୟ ଥିଲା କିନ୍ତୁ ରାବଣ ରାଜ୍ୟରେ ଅନେକ ରାଜ୍ୟ ରହିଛି ସେଥିପାଇଁ ତୁମେ
ଲୋକମାନଙ୍କୁ ପଚାରୁଛ ଯେ ତୁମେ ନର୍କବାସୀ ନା ସ୍ୱର୍ଗବାସୀ? କିନ୍ତୁ ମଣିଷମାନେ ଏହା
ବୁଝିପାରୁନାହାନ୍ତି ଯେ ସେମାନେ ବର୍ତ୍ତମାନ କେଉଁଠି ଅଛନ୍ତି? ଏହା ହେଉଛି କଣ୍ଟାର ଜଙ୍ଗଲ, ତାହା
ହେଉଛି ଫୁଲର ବଗିଚା । ତେବେ ଏବେ ତୁମକୁ ମାତା ପିତା ଏବଂ ଅନନ୍ୟ ସନ୍ତାନମାନଙ୍କୁ ଅନୁସରଣ
କରିବାକୁ ହେବ, ତେବେ ଯାଇ ଉଚ୍ଚ ହୋଇ ପାରିବ । ବାବା ତ’ ବହୁତ ବୁଝାଉଛନ୍ତି । କିନ୍ତୁ କେହି
ବୁଝିଲାବାଲା ହୋଇଥିଲେ ହିଁ ବୁଝିବେ । କେହି କେହି ସନ୍ତାନ ଶୁଣିବା ପରେ ଭଲ ଭାବରେ ବିଚାର ସାଗର
ମନ୍ଥନ କରିଥା’ନ୍ତି । କିନ୍ତୁ ଆଉ କେହି କେହି ତ’ ଶୁଣି ନ ଶୁଣିଲା ଭଳି ରହିଯାଉଛନ୍ତି । ସବୁଆଡେ
ଲେଖାହୋଇଛି - ଶିବବାବା ୟାଦ ହେ (ଶିବବାବାଙ୍କର ସ୍ମୃତିରେ ଅଛନ୍ତି)? ତେବେ ସମ୍ପତ୍ତି ମଧ୍ୟ
ନିଶ୍ଚିତ ସ୍ମୃତିରେ ଆସିବ । ଦୈବୀଗୁଣ ଥିଲେ ହିଁ ଦେବତା ହୋଇପାରିବ । ଯଦି କ୍ରୋଧ ଥିବ, ଆସୁରୀ
ଅବଗୁଣ ଥିବ ତେବେ ଉଚ୍ଚପଦ ପ୍ରାପ୍ତ କରିପାରିବ ନାହିଁ । ସତ୍ୟଯୁଗରେ ୫ ବିକାର ରୂପୀ ଭୂତ ନ ଥାଏ
। ସେଠାରେ ରାବଣ ହିଁ ନାହିଁ ତେଣୁ ରାବଣର ଭୂତ କେଉଁଠାରୁ ଆସିବ । ଦେହ-ଅଭିମାନ, କାମ କ୍ରୋଧ...
ଏ ସବୁ ହେଉଛି ବଡ ବଡ ଭୂତ । ଏଗୁଡିକୁ ବାହାର କରିବାର ଗୋଟିଏ ହିଁ ଉପାୟ ରହିଛି, ତାହା ହେଉଛି -
ବାବାଙ୍କର ସ୍ମୃତି । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ସବୁ ଭୂତ ଛାଡି ପଳାଇଯିବେ । ଆଚ୍ଛା!
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ରାତ୍ରି କ୍ଲାସ୍
ଅନେକ ପିଲାଙ୍କର
ଇଚ୍ଛା ହେଉଛି - ମୁଁ ମଧ୍ୟ ଅନ୍ୟମାନଙ୍କୁ ନିଜ ସମାନ କରିବାର ସେବା କରିବି, ନିଜର ପ୍ରଜା ତିଆରି
କରିବି । ଯେମିତି ଆମର ଅନ୍ୟ ଭାଇମାନେ ସେବା କରୁଛନ୍ତି ସେମିତି ମୁଁ ମଧ୍ୟ କରିବି । ଏଥିରେ
ମାତାମାନେ ତ’ ଅଧିକ ସଂଖ୍ୟାରେ ଅଛନ୍ତି । ଜ୍ଞାନର କଳଷ ମଧ୍ୟ ତାଙ୍କମାନଙ୍କ ଉପରେ ରଖାଯାଇଛି ।
ବାକି ଏହା ତ’ ହେଉଛି ପ୍ରବୃତ୍ତିମାର୍ଗ । ଏଥିରେ ସ୍ତ୍ରୀ-ପୁରୁଷ ଉଭୟ ଦରକାର ନା । ବାବା
ପଚାରୁଛନ୍ତି ତୁମର କେତୋଟି ସନ୍ତାନ ଅଛନ୍ତି? ବାବା ଦେଖୁଛନ୍ତି ସେମାନେ ଠିକ୍ ଉତ୍ତର ଦେଉଛନ୍ତି
। କହୁଛନ୍ତି - ୫ ଲୌକିକ ସନ୍ତାନ, ଆଉ ଜଣେ ଶିବବାବା । କେହି କେହି ତ’ କେବଳ କଥାରେ କହିଦେଉଛନ୍ତି
। କେହି କେହି ପୁଣି ବାବାଙ୍କୁ ବାସ୍ତବରେ ନିଜର ସନ୍ତାନ କରୁଛନ୍ତି । ତେବେ ଯେଉଁମାନେ ବାବାଙ୍କୁ
ନିଜର ଉତ୍ତରାଧିକାରୀ କରୁଛନ୍ତି ସେହିମାନେ ବିଜୟ ମାଳାରେ ଗୁନ୍ଥା ହେବେ । ଯିଏ ପ୍ରକୃତ
ଉତ୍ତରାଧିକାରୀ କରୁଛନ୍ତି ସିଏ ନିଜେ ମଧ୍ୟ ଉତ୍ତରାଧିକାରୀ ହେଉଛନ୍ତି । ସଚ୍ଚି ଦିଲ ପର ସାହେବ
ରାଜି... ବାକି ଅନ୍ୟ ସମସ୍ତେ ତ’ କେବଳ କଥାରେ କହିଦେଉଛନ୍ତି । ବର୍ତ୍ତମାନ ପାରଲୌକିକ ପିତା ହିଁ
ସମସ୍ତଙ୍କୁ ସମ୍ପତ୍ତି ଦେଉଛନ୍ତି ସେଥିପାଇଁ ତାଙ୍କର ସ୍ମୃତିରେ ରହିବାକୁ ହେବ, ଯାହାଙ୍କଠାରୁ
ହିଁ ୨୧ ଜନ୍ମର ସମ୍ପତ୍ତି ମିଳୁଛି । ବୁଦ୍ଧିରେ ଏହି ଜ୍ଞାନ ରହିଛି ଯେ ଏସବୁ କିଛି ତ ରହିବାର
ନାହିଁ । ବାବା ପ୍ରତ୍ୟେକଙ୍କର ଅବସ୍ଥାକୁ ଦେଖୁଛନ୍ତି, କି - ଇଏ ପ୍ରକୃତ ଉତ୍ତରାଧିକାରୀ
କରିଛନ୍ତି ନା ଉତ୍ତରାଧିକାରୀ କରିବାର ବିଚାର କରୁଛନ୍ତି । ଉତ୍ତରାଧିକାରୀ କରିବାର ଅର୍ଥକୁ ଭଲ
ଭାବରେ ବୁଝୁଛନ୍ତି । ଆଉ ଅନେକ ଅଛନ୍ତି ଯିଏକି ବୁଝୁଥିଲେ ମଧ୍ୟ ନିଜର ଉତ୍ତରାଧିକାରୀ
କରିପାରୁନାହାନ୍ତି, କାହିଁକିନା ମାୟାର କବଳରେ ଅଛନ୍ତି । ବର୍ତ୍ତମାନ ସମୟରେ ଈଶ୍ୱରଙ୍କ
ଛତ୍ରଛାୟାରେ ରହିବେ ନଚେତ୍ ମାୟାର ଛତ୍ରଛାୟାରେ ରହିବେ । ଯେଉଁମାନେ ଈଶ୍ୱରଙ୍କ ବଶବର୍ତ୍ତୀ
ହୋଇଥିବେ ସେମାନେ ବାବାଙ୍କୁ ନିଜର ଉତ୍ତରାଧିକାରୀ କରିନେବେ । ମାଳା ୮ଟି ର ବି ହେଉଛି ଏବଂ ୧୦୮ର
ବି ହେଉଛି । ତେବେ ୮ର ମାଳାରେ ଯେଉଁମାନେ ଆସୁଥିବେ ସେମାନେ ତ’ ବହୁତ ଚମତ୍କାର କରୁଥିବେ ।
ବାବାଙ୍କୁ ନିଜର ପ୍ରକୃତ ଉତ୍ତରାଧିକାରୀ କରୁଥିବେ । ଯଦିଓ ଉତ୍ତରାଧିକାରୀ କରୁଛନ୍ତି କିନ୍ତୁ
ନିଜେ ତ ତାଙ୍କଠାରୁ ସମ୍ପତ୍ତି ମଧ୍ୟ ନେଉଛନ୍ତି । ତେଣୁ ବାବାଙ୍କୁ ଉତ୍ତରାଧିକାରୀ କରୁଥିବା
ଶ୍ରେଷ୍ଠ ଆତ୍ମାମାନଙ୍କର କର୍ମ ମଧ୍ୟ ସେହିଭଳି ଶ୍ରେଷ୍ଠ ହୋଇଥିବ । କୌଣସି ବିକର୍ମ ହେଉ ନ ଥିବ ।
ଯେତେସବୁ ବିକାର ଅଛି ସେ ସବୁ ବିକର୍ମ ଅଟେ ନା । ବାବାଙ୍କୁ ଛାଡି ଯଦି ଅନ୍ୟ କାହାକୁ ମନେପକାଇବ
- ତେବେ ଏହା ମଧ୍ୟ ବିକର୍ମ ହେଲା । ବାବା ଅର୍ଥାତ୍ ବାବା । ବାବା ବ୍ରହ୍ମାଙ୍କ ମୁଖଦ୍ୱାରା
କହୁଛନ୍ତି - କେବଳ ମୋତେ ମନେପକାଅ । ତେବେ ଏହା ତାଙ୍କର ନିର୍ଦ୍ଦେଶ ହେଲା ନା । ତେଣୁ ତାଙ୍କୁ
ମନେପକାଇବା - ଏଥିରେ ହିଁ ବହୁତ ମେହେନତ ଲାଗୁଛି । ଯଦି ଏକମାତ୍ର ପିତାଙ୍କୁ ମନେପକାଇବ ତେବେ
ମାୟା ଏତେ ହଇରାଣ କରିବ ନାହିଁ । ତେବେ ମାୟା ମଧ୍ୟ ବହୁତ ଶକ୍ତିଶାଳୀ । ତୁମେ ବୁଝିପାରୁଛ ଯେ
ମାୟା ବଡ ବଡ ବିକର୍ମ କରାଇ ଦେଉଛି । ବଡ ବଡ ମହାରଥିମାନଙ୍କୁ ମଧ୍ୟ ତଳେ ପକାଇ ଚିତ୍ କରିଦେଉଛି ।
ଦିନକୁ ଦିନ ସେବାକେନ୍ଦ୍ର ଗୁଡିକର ବୃଦ୍ଧି ହୋଇଚାଲିବ । ଗୀତା ପାଠଶାଳା ଅଥବା ମ୍ୟୁଜିୟମ୍ ଖୋଲି
ଚାଲିବ । ସେତେବେଳେ ସାରା ଦୁନିଆର ମଣିଷମାନେ ବାବାଙ୍କ କଥାକୁ ବି ମାନିବେ ଏବଂ ବ୍ରହ୍ମାଙ୍କର
କଥାକୁ ମଧ୍ୟ ମାନିବେ । ବ୍ରହ୍ମାଙ୍କୁ ହିଁ ପ୍ରଜାପିତା କୁହାଯାଏ । ଆତ୍ମାମାନଙ୍କୁ ତ’ ପ୍ରଜା
କୁହାଯାଏ ନାହିଁ । ତେବେ ମନୁଷ୍ୟ ସୃଷ୍ଟି କିଏ ରଚନା କରୁଛନ୍ତି? ଯଦି ପ୍ରଜାପିତା ବ୍ରହ୍ମାଙ୍କର
ନାମ ହିଁ ଆସୁଛି ତେବେ ଇଏ ସାକାର ହେଲେ ଏବଂ ଶିବବାବା ହେଲେ ନିରାକାର । ସିଏ ତ’ ଅନାଦି । ଏହି
ବ୍ରହ୍ମାଙ୍କୁ ମଧ୍ୟ ଅନାଦି କୁହାଯିବ । ତେବେ ଉଭୟଙ୍କର ନାମ ସବୁଠାରୁ ଶ୍ରେଷ୍ଠ ହେଲା ନା । ଇଏ
ହେଲେ ଆତ୍ମିକ ପିତା, ସିଏ ହେଲେ ପ୍ରଜାପିତା । ଉଭୟ ବସି ତୁମକୁ ପାଠ ପଢ଼ାଉଛନ୍ତି । ତେବେ ଏହା
କେତେ ଉଚ୍ଚ ପାଠପଢ଼ା ହେଲା! ପିଲାମାନଙ୍କର କେତେ ନିଶା ଚଢ଼ିରହିବା ଦରକାର! ଖୁସି କେତେ ରହିବା
ଦରକାର । କିନ୍ତୁ ମାୟା ସେହି ନିଶା ବା ଖୁସିରେ ରହିବାକୁ ଦେଉନାହିଁ । ଯଦି ବିଦ୍ୟାର୍ଥୀମାନେ
ଏହିଭଳି ବିଚାର ସାଗର ମନ୍ଥନ କରିଚାଲିବେ ତେବେ ବହୁତ ସେବା ମଧ୍ୟ କରିପାରିବେ । ଖୁସି ମଧ୍ୟ
ରହିପାରିବ, କିନ୍ତୁ ସେଥିପାଇଁ ଏବେ ଆହୁରି ସମୟ ବାକି ଅଛି । ଯେତେବେଳେ କର୍ମାତୀତ ଅବସ୍ଥା
ହୋଇଯିବ ସେତେବେଳେ ଖୁସି ମଧ୍ୟ ରହିବ । ଆଚ୍ଛା - ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ
ବାପଦାଦାଙ୍କର ସ୍ନେହଭରା ସ୍ମୃତି ଏବଂ ଶୁଭରାତ୍ରୀ । ଆଚ୍ଛା—
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପ୍ରତିଦିନ
ରାତିରେ ନିଜର ହିସାବ-କିତାବ ଦେଖ ଯେ ଅତି ମିଠା ବାବାଙ୍କୁ ସାରା ଦିନ ଭିତରେ ମୁଁ କେତେ ସମୟ
ମନେପକାଇଛି? ନିଜର ପ୍ରଚାର କରିବା ପାଇଁ ହିସାବ ରଖିବାର ନାହିଁ, ଗୁପ୍ତ ପୁରୁଷାର୍ଥ କରିବାର ଅଛି
।
(୨) ବାବା ଯାହାସବୁ
ଶୁଣାଉଛନ୍ତି, ତାହା ଉପରେ ବିଚାର ସାଗର ମନ୍ଥନ କରିବାକୁ ହେବ । ସେବା କରି ପ୍ରମାଣ ଦେବାକୁ ହେବ
। ଶୁଣି ନ ଶୁଣିବା ପରି ରହିବାର ନାହିଁ । ନିଜ ଭିତରେ ଯଦି କିଛି ଆସୁରୀ ଅବଗୁଣ ରହିଛି ତେବେ ତାକୁ
ଯାଞ୍ଚ କରି ବାହାର କରିଦେବାର ଅଛି ।
ବରଦାନ:-
ବୈରାଗ୍ୟ ବୃତ୍ତି
ଦ୍ୱାରା ଏହି ଅସାର ସଂସାର ପ୍ରତି ଅନାସକ୍ତ ରହୁଥିବା ସଚ୍ଚା ରାଜଋଷି ଭବ ।
ରାଜଋଷି ଅର୍ଥାତ୍
ରାଜକାର୍ଯ୍ୟ କରୁଥିଲେ ମଧ୍ୟ ବେହଦର ବୈରାଗୀ, ଦେହ ଏବଂ ଦେହର ପୁରୁଣା ଦୁନିଆ ପ୍ରତି ଟିକିଏ ବି
ମୋହ ନ ଥିବ କାହିଁକି ନା ସେମାନଙ୍କୁ ଜଣା ଅଛି ଯେ ଏହି ପୁରୁଣା ଦୁନିଆ ଅସାର ଅଟେ, ଏଥିରେ କୌଣସି
ସାର ନାହିଁ । ଏହି ଅସାର ସଂସାର ଭିତରେ ଆମକୁ ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ସଂସାର ମିଳିଗଲା,
ସେଥିପାଇଁ ସେହି ସଂସାର ପ୍ରତି ବେହଦର ବୈରାଗ୍ୟ ବୃତ୍ତି ରଖ ଅର୍ଥାତ୍ କୌଣସି ପ୍ରକାରର ମୋହ ରଖ
ନାହିଁ । ଯେତେବେଳେ କାହା ପ୍ରତି ମୋହ ରଖିବା ବା ଢଳି ପଡିବା ନ ଥିବ ସେତେବେଳେ କୁହାଯିବ ରାଜଋଷି
ବା ତପସ୍ୱୀ ।
ସ୍ଲୋଗାନ:-
ଯୁକ୍ତିଯୁକ୍ତ
ବାଣୀ ତାକୁ କୁହାଯିବ ଯାହା ମଧୁର ଏବଂ ଶୁଭଭାବନା ସମ୍ପନ୍ନ ହୋଇଥିବ ।