14.04.24    Avyakt Bapdada     Odia Murli    15.03.99     Om Shanti     Madhuban


“କର୍ମାତୀତ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ନିୟନ୍ତ୍ରଣ କରିବାର ଶକ୍ତିକୁ ବଢାଅ, ସ୍ୱରାଜ୍ୟ ଅଧିକାରୀ ହୁଅ।”


ଆଜି ବାପଦାଦା ନିଜର ଚାରିଆଡର ପରମାତ୍ମ ପ୍ରିୟ ରାଜକୁମାର, ରାଜକୁମାରୀମାନଙ୍କୁ ଦେଖୁଛନ୍ତି । ଏହିଭଳି ପରମାତ୍ମ ଦୁଲାର ବା ପରମାତ୍ମ ସ୍ନେହ ବହୁତ କମ୍ ପିଲାଙ୍କୁ ପ୍ରାପ୍ତ ହୋଇଥାଏ ଅର୍ଥାତ୍ ବହୁତ କମ୍ ଆତ୍ମା ଏହିଭଳି ଭାଗ୍ୟର ଅଧିକାରୀ ହୋଇଥାଆନ୍ତି । ଏହିଭଳି ଭାଗ୍ୟବାନ ପିଲାମାନଙ୍କୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି । ରାଜ ଦୁଲାରେ ଅର୍ଥାତ୍ ରାଜା ପିଲାମାନେ । ତେଣୁ ତୁମେମାନେ ନିଜକୁ ରାଜା ମନେ କରୁଛ ତ? ତୁମମାନଙ୍କର ତ ନାମ ହିଁ ରାଜଯୋଗୀ । ତେଣୁ ରାଜଯୋଗୀ ଅର୍ଥାତ୍ ରାଜା ପିଲାମାନେ । ବର୍ତ୍ତମାନ ସମୟରେ ମଧ୍ୟ ରାଜା ଅଟ ଏବଂ ଭବିଷ୍ୟତରେ ମଧ୍ୟ ରାଜା ଅଟ । ନିଜର ଡବଲ ରାଜ୍ୟପଦକୁ ଅନୁଭବ କରୁଛ ତ? ନିଜେ ନିଜକୁ ଦେଖ ଯେ ମୁଁ ରାଜା ଅଟେ ତ! ସ୍ୱରାଜ୍ୟ ଅଧିକାରୀ ଅଟେ ତ? ପ୍ରତ୍ୟେକ ରାଜ୍ୟ କାରୋବାରୀ ଅର୍ଥାତ୍ ରାଜ-କର୍ମଚାରୀ ତୁମର ଆଦେଶ ମୁତାବକ କାର୍ଯ୍ୟ କରୁଛନ୍ତି ତ? ତେବେ ରାଜାର ବିଶେଷତା କ’ଣ ହୋଇଥାଏ, ତାହା ତ ଜାଣିଛ ନା? ଶାସନ କରିବାର ଶକ୍ତି ଏବଂ ନିୟନ୍ତ୍ରଣ କରିବାର ଶକ୍ତି - ଏହି ଦୁଇଟି ଯାକ ଶକ୍ତି ତୁମ ପାଖରେ ଅଛି ତ? ଏବେ ନିଜେ ନିଜକୁ ପଚାର ଯେ ମୋ’ର ରାଜକର୍ମଚାରୀମାନେ ଅର୍ଥାତ୍ କର୍ମେନ୍ଦ୍ରିୟ ଗୁଡିକ ସର୍ବଦା ମୋ’ର ନିୟନ୍ତ୍ରଣରେ ଚାଲୁଛନ୍ତି ତ?

ବାପଦାଦା ଆଜି ପିଲାମାନଙ୍କର ନିୟନ୍ତ୍ରଣ କରିବାର ଶକ୍ତିକୁ ଏବଂ ଶାସନ କରିବାର ଶକ୍ତିକୁ ଚେକ୍ କରୁଥିଲେ, ତେବେ ତୁମେମାନେ କୁହ କ’ଣ ଦେଖିଥିବେ? ତାହା ତ ସମସ୍ତଙ୍କୁ ଜଣା ଅଛି । ବାପଦାଦା ଏହି କଥା ଦେଖିଲେ ଯେ ଏବେ ମଧ୍ୟ ଅଖଣ୍ଡ ରାଜ୍ୟ ଅଧିକାରୀ ସ୍ଥିତି ସମସ୍ତଙ୍କର ନାହିଁ । ଅଖଣ୍ଡ ସ୍ଥିତି ମଝିରେ ମଝିରେ ଖଣ୍ଡିତ ହୋଇଯାଉଛି । ଏପରି କାହିଁକି ହେଉଛ? ସର୍ବଦା ସ୍ୱରାଜ୍ୟ ପରିବର୍ତ୍ତେ ପରରାଜ୍ୟ ମଧ୍ୟ ସ୍ଥିତିକୁ ଖଣ୍ଡିତ କରିଦେଉଛି । ତେବେ ପରରାଜ୍ୟର ଲକ୍ଷଣ ହେଲା ଏହି କର୍ମେନ୍ଦ୍ରିୟଗୁଡିକ ପର ଅଧୀନ ହୋଇଯାଆନ୍ତି । ମାୟାର ରାଜ୍ୟର ପ୍ରଭାବ ପଡିବା ଅର୍ଥାତ୍ ପରାଧୀନ ହେବା । ବର୍ତ୍ତମାନ ସମୟରେ ବହୁତ କମ୍ ପିଲାଙ୍କର ସ୍ଥିତି ଠିକ୍‌-ଠାକ୍ ଅଛି କିନ୍ତୁ ଅଧିକାଂଶ ପିଲା ବର୍ତ୍ତମାନ ମାୟାର ବିଶେଷ ପ୍ରଭାବର ଅଧୀନ ହୋଇଯାଉଛନ୍ତି । ଆତ୍ମା ଭିତରେ ଯେଉଁ ଆଦି-ଅନାଦି ସଂସ୍କାର ରହିଛି ତା’ ଭିତରେ ମଝି ସମୟର ଅର୍ଥାତ୍ ଦ୍ୱାପର ଯୁଗଠାରୁ ବର୍ତ୍ତମାନ ଅନ୍ତିମ ସମୟ ପର୍ଯ୍ୟନ୍ତର ସଂସ୍କାରର ପ୍ରଭାବରେ ପିଲାମାନେ ଆସିଯାଉଛନ୍ତି, ଅର୍ଥାତ୍ ସ୍ୱର ସଂସ୍କାର ହିଁ ସ୍ୱରାଜ୍ୟକୁ ଖଣ୍ଡିତ କରିଦେଉଛି । ସେଥିରେ ମଧ୍ୟ ବିଶେଷ ସଂସ୍କାର ହେଲା ବ୍ୟର୍ଥ ଭାବିବା, ବ୍ୟର୍ଥରେ ସମୟ ନଷ୍ଟ କରିବା ଏବଂ ବ୍ୟର୍ଥ କଥାବାର୍ତ୍ତା କରିବା, ଚାହେଁ ଶୁଣିବା ଚାହେଁ ଶୁଣାଇବା । ଗୋଟିଏ ପଟେ ହେଲା ବ୍ୟର୍ଥର ସଂସ୍କାର ଅନ୍ୟ ପଟେ ହେଲା ଅବହେଳା ପଣିଆର ସଂସ୍କାର । ଏହି ଦୁଇଟି ସଂସ୍କାର ଭିନ୍ନ ଭିନ୍ନ ରାଜକୀୟ ରୂପରେ ସ୍ୱରାଜ୍ୟକୁ ଖଣ୍ଡିତ କରିଦେଉଛି । ବହୁତ ପିଲା କହୁଛନ୍ତି ଯେ ଅନ୍ତିମ ସମୟ ତ ପାଖେଇ ଆସୁଛି କିନ୍ତୁ ଯେଉଁ ସଂସ୍କାର ଆରମ୍ଭ ସମୟରେ ପ୍ରକଟ ହେଉ ନ ଥିଲା ତାହା ଏବେ କେଉଁଠି କେଉଁଠି ପ୍ରକଟ ହୋଇଯାଉଛି । ବାତାବରଣ ଅନୁସାରେ ଆହୁରି ଅଧିକ ସଂସ୍କାର ପ୍ରକଟ ହୋଇଯାଉଛି - ଏହାର କାରଣ କ’ଣ? ଏହା ମଧ୍ୟ ମାୟାର ଆକ୍ରମଣ କରିବାର ଏକ ସାଧନ । ମାୟା ଏହି ଆଧାରରେ ହିଁ ନିଜର କରି ପରମାତ୍ମ ମାର୍ଗରୁ ନିରାଶ କରିଦେଉଛି । ତେଣୁ ପିଲାମାନେ ଭାବୁଛନ୍ତି ଯେ ଏବେ ପର୍ଯ୍ୟନ୍ତ ତ ଏହିଭଳି ସ୍ଥିତି ରହିଛି ତେବେ କିଏ ଜାଣେ ବାପ୍ ସମାନ ହେବାର ସଫଳତା ମିଳିବ କି ନାହିଁ! କୌଣସି ନା କୌଣସି କଥାରେ ଯେଉଁଠି ବି ଦୁର୍ବଳତା ଥାଏ, ମାୟା ସେହି ଦୁର୍ବତଳାର ରୂପ ନେଇ ନିରାଶ କରିବା ପାଇଁ ଚେଷ୍ଟା କରିଥାଏ । ବହୁତ ଭଲ ଭାବରେ ଚାଲୁ ଚାଲୁ କୌଣସି ନା କୌଣସି କଥାରେ ମାୟା ସଂସ୍କାର ଉପରେ ଆକ୍ରମଣ କରି ପୁରୁଣା ସଂସ୍କାରକୁ ପ୍ରକଟ କରିବାର ରୂପ ନେଇ ନିରାଶ ବା ହତାଶ କରିବା ପାଇଁ ଚେଷ୍ଟା କରିଥାଏ । ଯେବେକି ଶେଷ ସମୟରେ ତୁମର ସମସ୍ତ ଦୁର୍ବଳ ସଂସ୍କାର ଗୁଡିକ ସମାପ୍ତ ହେବାର ଅଛି ସେଥିପାଇଁ କେବେ କେବେ ଲୁଚି ରହିଥିବା ସଂସ୍କାର ଗୁଡିକ ମଧ୍ୟ ପ୍ରକଟ ହୋଇଯାଉଛନ୍ତି । କିନ୍ତୁ ବାପଦାଦା ତୁମ ସମସ୍ତ ଭାଗ୍ୟବାନ ପିଲାମାନଙ୍କୁ ଜଣାଇ ଦେଉଛନ୍ତି ଯେ - ପିଲାମାନେ ବିଚଳିତ ହୁଅ ନାହିଁ । ମାୟାର ଚତୁରତାକୁ ବୁଝିଯାଅ, ନକାରାତ୍ମକ ସହିତ ଆଳସ୍ୟ ଏବଂ ବ୍ୟର୍ଥ ଉପରେ ବିଶେଷ ଧ୍ୟାନ ଦିଅ । ଜାଣିନିଅ ଯେ ବର୍ତ୍ତମାନ ସମୟରେ ଏହା ମାୟାର ଆକ୍ରମଣ କରିବାର ସାଧନ ବା ଆଧାର ଅଟେ ।

ତେଣୁ ଏବେ ବାବାଙ୍କର ସଂଗରେ ରହିବାର ବା ଯୁଗଳ ରୂପରେ ରହିବାର ଅନୁଭବକୁ ନିଜ ଭିତରେ ଜାଗ୍ରତ କର । ଏମିତି ନୁହେଁ ଯେ ବାବା ତ ମୋର ହିଁ ଅଟନ୍ତି, ମୋ ସାଥୀରେ ହିଁ ଅଛନ୍ତି । କିନ୍ତୁ ସଂଗରେ ରହିବାର ବାସ୍ତବିକ ଅନୁଭବ ମଧ୍ୟ ପ୍ରକଟ ହେବା ଦରକାର, ତାହା ହେଲେ ମାୟା ଆକ୍ରମଣ କରିବା ପରିବର୍ତ୍ତେ ପରାସ୍ତ ହୋଇ ଚାଲିଯିବ । ଏହା ମାୟାର ପରାସ୍ତ ହେବା ଅଟେ, ଆକ୍ରମଣ ନୁହେଁ । କେବଳ ତୁମେମାନେ ବିଚଳିତ ହୁଅ ନାହିଁ, କ’ଣ ହୋଇଗଲା.... ଏମିତି କାହିଁକି ହେଲା...... । ସର୍ବଦା ସାହାସକୁ କାୟମ ରଖ, ବାବାଙ୍କର ସଙ୍ଗକୁ ସ୍ମୃତିରେ ରଖ । ଚେକ୍ କର ଯେ ବାବାଙ୍କ ସହିତ ମୋର ସଙ୍ଗ ଅଛି ତ? ବାବାଙ୍କର ସଂଗର ଅନୁଭବ ସୁପ୍ତ ରୂପରେ ନାହିଁ ତ? ଜ୍ଞାନ ତ ଅଛି ବାବା ସାଥୀରେ ଅଛନ୍ତି କିନ୍ତୁ ଜ୍ଞାନ ସହିତ ବାବାଙ୍କର ଶକ୍ତିଗୁଡିକ କ’ଣ? ଯେହେତୁ ସେ ସର୍ବଶକ୍ତିମାନ ଅଟନ୍ତି ତେଣୁ ତାଙ୍କର ଶକ୍ତିଗୁଡିକୁ ନିଜ ଭିତରେ ଜାଗ୍ରତ ରୂପରେ ଅନୁଭବ କର । ଏହାକୁ ହିଁ କୁହାଯାଏ ବାବାଙ୍କର ସଂଗର ଅନୁଭବ କରିବା । ଏଭଳି ବେପରୁଆ ହୁଅ ନାହିଁ ଯେ - ବାବାଙ୍କ ବ୍ୟତୀତ ମୋର ଆଉ ଅଛି କିଏ, ବାବା ହିଁ ତ ମୋ’ର ଅଟନ୍ତି । ଯଦି ବାବା ତୁମର ହିଁ ଅଟନ୍ତି ତେବେ ବାବାଙ୍କର ଶକ୍ତିଗୁଡିକ ମଧ୍ୟ ଅଛି ତ? ଯେପରି ଦୁନିଆର ଲୋକମାନଙ୍କୁ କହୁଛ ଯଦି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି ତେବେ ପରମାତ୍ମାଙ୍କର ଗୁଣର ଅନୁଭବ ହେବା ଉଚିତ୍‌, ଦେଖାଯିବା ଉଚିତ୍ । ସେହିପରି ବାପଦାଦା ମଧ୍ୟ ତୁମମାନଙ୍କୁ ପଚାରୁଛନ୍ତି ଯେ ଯଦି ବାବା ସାଥୀରେ ଅଛନ୍ତି ବା ଯୁଗଳ ରୂପରେ ଅଛନ୍ତି ତେବେ ବାବାଙ୍କର ଶକ୍ତି ପ୍ରତ୍ୟେକ କର୍ମରେ ଅନୁଭବ ହେଉଛି ତ? ତୁମ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ଅନୁଭବ ହେଉଛି ତ? କ’ଣ ଭାବୁଛ? ଡବଲ ବିଦେଶୀ କ’ଣ ଭାବୁଛ? ଶକ୍ତି ଅଛି? ସର୍ବଦା ରହୁଛି? ପ୍ରଥମ ପ୍ରଶ୍ନରେ ତ ସମସ୍ତେ ହଁ କରିଦେଉଛନ୍ତି । ତା’ପରେ ଯେତେବେଳେ ଦ୍ୱିତୀୟ ପ୍ରଶ୍ନ ଆସୁଛି, ସର୍ବଦା ରହୁଛି? ସେତେବେଳେ ଚିନ୍ତାରେ ପଡିଯାଉଛନ୍ତି । ତେବେ ଅଖଣ୍ଡ ତ ହେଲା ନାହିଁ ନା! ତୁମେମାନେ ଚାଲେଞ୍ଚ ମଧ୍ୟ କ’ଣ କରୁଛ? ଅଖଣ୍ଡ ରାଜ୍ୟ ସ୍ଥାପନ କରୁଛ, ନା ଖଣ୍ଡିତ ରାଜ୍ୟ ସ୍ଥାପନ କରୁଛ? କ’ଣ କରୁଛ? ଅଖଣ୍ଡ ଅଟେ ନା! ଟୀଚରମାନେ କୁହ ଅଖଣ୍ଡ ଅଟେ ନା? ତେଣୁ ଏବେ ଚେକ୍ କର ଅଖଣ୍ଡ ସ୍ୱରାଜ୍ୟ ରହିଛି ତ? ରାଜ୍ୟ ଅର୍ଥାତ୍ ପ୍ରାରବ୍ଧ ସଦାକାଳର ନେବା ଦରକାର, ନା ମଝିରେ ମଝିରେ କଟ୍ ହୋଇଗଲେ ମଧ୍ୟ କୌଣସି ଆପତ୍ତି ନାହିଁ? ଏହିଭଳି ଚାହୁଁଛ? ନେବା ବେଳେ ତ ସଦାକାଳ ପାଇଁ ଦରକାର କିନ୍ତୁ ପୁରୁଷାର୍ଥ କରିବାରେ କେବେ କେବେ ହେଲେ ମଧ୍ୟ ଚଳିବ - ଏଇଆ? ବିଦେଶୀମାନଙ୍କୁ କହିଥିଲୁ ନା ନିଜର ଜୀବନ ରୂପୀ ଶବ୍ଦକୋଷରୁ ସମ୍‌ଟାଇମ୍ ଅର୍ଥାତ୍ କେବେ କେବେ, ସମଥିଙ୍ଗ୍ ଅର୍ଥାତ୍ କିଛି କିଛି ଶବ୍ଦକୁ ବାହାର କରିଦିଅ । ତେବେ କେବେକେବେ ଶବ୍ଦ ସମାପ୍ତ ହୋଇଗଲାଣି? ଜୟନ୍ତୀ କୁହ? ଫଳାଫଳ ତ ଶୁଣାଇବ ନା! ତେଣୁ ସମ୍‌ଟାଇମ୍ ଶବ୍ଦ ସମାପ୍ତ ହେଲାଣି? ଯେଉଁମାନେ ଭାବୁଛନ୍ତି ସମ୍‌ଟାଇମ୍ ଶବ୍ଦ ସବୁଦିନ ପାଇଁ ସମାପ୍ତ ହୋଇଯାଇଛି, ସେମାନେ ହାତ ଉଠାନ୍ତୁ । ସମାପ୍ତ ହୋଇଗଲାଣି? ନା ସମାପ୍ତ ହେବ? ଲମ୍ବା ହାତ ଉଠାଅ । ସୂକ୍ଷ୍ମବତନର ଟି.ଭି.ରେ ତ ତୁମମାନଙ୍କର ହାତ ଉଠାଇବା ଆସିଯାଉଛି । ଏଠିକାର ଟି.ଭି.ରେ ସମସ୍ତଙ୍କର ହାତ ଆସି ନାହିଁ । ଏହା କଳିଯୁଗୀ ଟିଭି ଅଟେ ନା, ସେଠାରେ ତ ଯାଦୁର ଟି.ଭି. ଅଛି ସେଥିପାଇଁ ଆସିଯାଉଛି? ବହୁତ ଭଲ କଥା, କାରଣ ବହୁତ ପିଲା ହାତ ଉଠାଇଛନ୍ତି, ସେମାନଙ୍କୁ ସଦାକାଳ ପାଇଁ ଅଭିନନ୍ଦନ । ଆଚ୍ଛା! ଏବେ ଭାରତବାସୀ ପିଲାମାନେ ହାତ ଉଠାଅ ଯେଉଁମାନଙ୍କର ବାସ୍ତବିକ ରୂପରେ ସଦାକାଳର ସ୍ୱରାଜ୍ୟ ରହିଛି ଏବଂ ସମସ୍ତ କର୍ମେନ୍ଦ୍ରିୟଗୁଡିକ ନିୟମ ଏବଂ ଶୃଙ୍ଖଳା ଅନୁସାରେ ଚାଲୁଛନ୍ତି, ସେମାନେ ହାତ ଉଠାଅ । ପକ୍କା ହାତ ଉଠାଅ, କଞ୍ଚା ନୁହେଁ । ସବୁବେଳେ ମନେ ରଖିଥିବ ଯେ ମୁଁ ସଭାରେ ହାତ ଉଠାଇଛି । ପରେ ପୁଣି ବାପଦାଦାଙ୍କୁ ବହୁତ ମିଠା-ମିଠା କଥା ଶୁଣାଇଥାଆନ୍ତି । କୁହନ୍ତି ବାବା - ଆପଣ ତ ଜାଣିଛନ୍ତି ନା, କେବେ କେବେ ମାୟା ଆସିଯାଉଛି ନା! ତେଣୁ ନିଜର ହାତ ଉଠାଇବାର ଇଜ୍ଜତ ରଖିବ । ଭଲ କଥା । ପୁଣି ବି ସାହାସ ରଖିଛ ତେଣୁ ସାହସକୁ କେବେ ବି ହରାଇବ ନାହିଁ କାରଣ ତୁମମାନଙ୍କର ସାହସ ଉପରେ ହିଁ ବାପଦାଦାଙ୍କର ସାହାଯ୍ୟ ନିଶ୍ଚିତ ରହିଛି ।

ଆଜି ବାପଦାଦା ଦେଖିଲେ ଯେ ବର୍ତ୍ତମାନର ସମୟ ଅନୁସାରେ ନିଜ ଉପରେ, ନିଜର ପ୍ରତ୍ୟେକ କର୍ମେନ୍ଦ୍ରିୟ ଗୁଡିକ ଉପରେ ଅର୍ଥାତ୍ ନିଜର ନିଜ ଉପରେ ଯେଉଁଭଳି ନିୟନ୍ତ୍ରଣ କରିବାର ଶକ୍ତି ରହିବା ଦରକାର ତାହା କମ୍ ଅଛି, ଯାହାକି ଆହୁରି ଅଧିକ ରହିବା ଦରକାର । ବାପଦାଦା ତ ପିଲାମାନଙ୍କର କଥାବାର୍ତ୍ତାକୁ ଶୁଣି ମୁରୁକି ହସୁଥିଲେ, ପିଲାମାନେ କହୁଛନ୍ତି ଯେ ଶକ୍ତିଶାଳୀ ଯୋଗ ଚାରିଘଣ୍ଟା ମଧ୍ୟ ହେଉ ନାହିଁ । ବାପଦାଦା ଆଠ ଘଣ୍ଟାକୁ ଚାରିଘଣ୍ଟା କରିଦେଲେ ପୁଣି ବି ପିଲାମାନେ କହୁଛନ୍ତି ଦୁଇଘଣ୍ଟା ହେଲେ ଠିକ୍ ହେବ । ତେବେ କୁହ ଏହା କ’ଣ ନିୟନ୍ତ୍ରଣ କରିବାର ଶକ୍ତି ହେଲା କି? ଏବେଠାରୁ ଯଦି ଏହାର ଅଭ୍ୟାସ ନ ରହିବ ତେବେ ସମୟ ଅନୁସାରେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ଅଧିକାରୀ କିପରି ହୋଇପାରିବ? ହେବାକୁ ତ ପଡିବ ନା? ପିଲାମାନେ ହସୁଛନ୍ତି । ଆଜି ବାପଦାଦା ପିଲାମାନଙ୍କର କଥା ବହୁତ ଶୁଣିଛନ୍ତି । ପିଲାମାନେ ବାପଦାଦାଙ୍କୁ ମଧ୍ୟ ହସାଇ ଦେଉଛନ୍ତି, କହୁଛନ୍ତି ତିନି ମିନିଟ୍‌ର ଟ୍ରାଫିକ କଣ୍ଟ୍ରୋଲ ମଧ୍ୟ ଠିକ୍ ଭାବରେ ହେଉନାହିଁ, ଶରୀରର କଣ୍ଟ୍ରୋଲ ହୋଇଯାଉଛି, ସବୁ କାମ ବନ୍ଦ କରି ଛିଡା ହୋଇଯାଉଛୁ, ତେବେ ଟ୍ରାଫିକ୍ କଣ୍ଟ୍ରୋଲ୍‌ର ଅର୍ଥ ହେଉଛି ମନକୁ କଣ୍ଟ୍ରୋଲ କରିବା କିନ୍ତୁ ମନର କଣ୍ଟ୍ରୋଲ ଅର୍ଥାତ୍ ନିୟନ୍ତ୍ରଣ କେବେ ହେଉଛି, କେବେ ହେଉ ନାହିଁ । ଏହାର କାରଣ କ’ଣ? କଣ୍ଟ୍ରୋଲିଙ୍ଗ୍‌ ପାୱାରର କମୀ । ତେଣୁ ଏହାକୁ ଏବେ ଆହୁରି ବଢାଇବାକୁ ହେବ । ଯେପରି ହାତକୁ ଉପରକୁ ଉଠାଇବାକୁ ଚାହିଁଲେ ଉଠାଇ ଦେଉଛ । ଯଦି ଭାଙ୍ଗି ନ ଥିବ ତେବେ ଉଠାଇ ଦେଇ ପାରୁଛ ନା, ସେହିପରି ମନ ରୂପୀ ସୂକ୍ଷ୍ମ ଶକ୍ତି ମଧ୍ୟ କଣ୍ଟ୍ରୋଲରେ ରହିବା ଦରକାର । ତା’କୁ ନିୟନ୍ତ୍ରଣରେ ରଖିବାକୁ ହିଁ ପଡିବ । ଯଦି ଆଦେଶ ଦେବ ବନ୍ଦ ହୁଅ ତେବେ ବନ୍ଦ ହୋଇଯିବା ଦରକାର । ଯଦି ସେବା ବିଷୟରେ ଭାବିବାକୁ ଚାହିଁବ ତେବେ ସେବାରେ ଲାଗିଯାଉଥିବ । ପରମଧାମକୁ ଚାଲ, ତେବେ ପରମଧାମକୁ ଚାଲିଯାଉଥିବ । ସୂକ୍ଷ୍ମବତନକୁ ଚାଲ, ତେବେ ଗୋଟିଏ ସେକେଣ୍ଡରେ ଚାଲିଯାଉଥିବ । ଯାହା ଭାବୁଥିବ ତାହା ତୁମ ଆଦେଶ ଅନୁସାରେ ହେଉଥିବ । ଏବେ ଏହି ଶକ୍ତିକୁ ବଢାଅ । ଛୋଟ-ମୋଟ ସଂସ୍କାରକୁ ସମାପ୍ତ କରିବାରେ ବା ମାୟା ସହିତ ଯୁଦ୍ଧ କରିବାରେ ସମୟ ନଷ୍ଟ କର ନାହିଁ, ଆଜି ଏହି ସଂସ୍କାରକୁ ତଡିଦେଲି, କାଲି ସେହି ସଂସ୍କାରକୁ ତଡିଦେଲ । କିନ୍ତୁ ନିଜ ଭିତରେ ଯଦି ନିୟନ୍ତ୍ରଣ କରିବାର ଶକ୍ତିକୁ ଧାରଣ କରିନେବ ତେବେ ଅଲଗା ଅଲଗା ସଂସ୍କାର ଉପରେ ସମୟ ଦେବାକୁ ପଡିବ ନାହିଁ । ଭାବିବାର ନାହିଁ, କହିବାର ନାହିଁ କିମ୍ବା କରିବାର ନାହିଁ । ସଂକଳ୍ପ କରିବା ମାତ୍ରେ ବନ୍ଦ ହୋଇଯିବା ଦରକାର । ଏହା ହିଁ ହେଉଛି କର୍ମାତୀତ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାର ବିଧି । ତୁମ ସମସ୍ତଙ୍କୁ କର୍ମାତୀତ ହେବାର ଅଛି ନା? ବାପଦାଦା ମଧ୍ୟ କହୁଛନ୍ତି ତୁମମାନଙ୍କୁ ହିଁ ହେବାକୁ ପଡିବ । ଆଉ କେହି କେଉଁଠୁ ଆସିବେ ନାହିଁ, ତୁମେମାନେ ହିଁ ଅଟ । ତୁମମାନଙ୍କୁ ହିଁ ସାଥୀରେ ନେଇ କରି ଯିବି କିନ୍ତୁ କର୍ମାତୀତ ଆତ୍ମାକୁ ହିଁ ସାଥିରେ ନେଇଯିବି ନା! ତେବେ ତୁମେମାନେ ସାଥୀରେ ଯିବ । ନା ପଛେ ପଛେ ଆସିବ? (ସାଥୀରେ ଯିବୁ) ଏହା ତ ବହୁତ ଭଲ କଥା କହିଲ । ଯଦି ସାଥୀରେ ଯିବ ତେବେ ସବୁ ହିସାବ-କିତାବକୁ ଚୁକ୍ତ କରିବ ତ? ଏଥିରେ ହଁ କହୁନାହାଁନ୍ତି । କର୍ମାତୀତ ହୋଇ ସାଥୀରେ ଯିବା ନା! ସଙ୍ଗରେ ଯିବା ଅର୍ଥାତ୍ ସାଥୀ ହୋଇଯିବା । ଯୋଡି ତ ଠିକ୍ ହେବା ଦରକାର ନା! ନା ଜଣେ ଲମ୍ବା ଜଣେ ଗେଡା ହେଲେ ଚଳିବ? ସମାନ ହେବା ଦରକାର ନା! ତେବେ କର୍ମାତୀତ ତ ହେବାକୁ ହିଁ ପଡିବ, ତେଣୁ କ’ଣ କରିବ? ଏବେ ନିଜର ରାଜ୍ୟକୁ ଭଲ ଭାବରେ ସମ୍ଭାଳ । ପ୍ରତିଦିନ ନିଜର ଦରକାର ଲଗାଅ । ରାଜ୍ୟ ଅଧିକାରୀ ଅଟ ନା! ତେଣୁ ନିଜର ରାଜ୍ୟ ଦରବାର ଲଗାଅ, କର୍ମଚାରୀମାନଙ୍କୁ ହାଲ୍‌-ଚାଲ୍ ପଚାର । ଚେକ୍ କର ଏମାନେ ମୋର ଆଦେଶ ଅନୁସାରେ କର୍ମ କରୁଛନ୍ତି ତ? ବ୍ରହ୍ମାବାବା ମଧ୍ୟ ପ୍ରତିଦିନ ଦରବାର ଲଗାଉଥିଲେ ନା! ତୁମକୁ କପୀ କରିବାର ଅଛି ନା! (ଏମାନଙ୍କୁ ଶୁଣାଇବ ଏବଂ କରି ଦେଖାଇବ) । ବ୍ରହ୍ମାବାବା ମଧ୍ୟ ମେହନତ କରୁଥିଲେ । ପ୍ରତିଦିନ ଦରବାର ଲଗାଉଥିଲେ ତେବେ ଯାଇ କର୍ମାତୀତ ହେଲେ । ତେଣୁ ତୁମମାନଙ୍କୁ ଆଉ କେତେ ସମୟ ଦରକାର? ନା ସଦା ପ୍ରସ୍ତୁତ ଅଟ? ଏହି ସ୍ଥିତି ଦ୍ୱାରା ସେବା ମଧ୍ୟ ତୀବ୍ର ବେଗରେ ହେବ । କାହିଁକି ଜାଣିଛ? ଏକା ସମୟରେ ସଂକଳ୍ପ ମଧ୍ୟ ଶକ୍ତିଶାଳୀ, ବାଣୀ ମଧ୍ୟ ଶକ୍ତିଶାଳୀ, ସମ୍ବନ୍ଧ-ସମ୍ପର୍କରେ ଆସିବାରେ ଚାଲିଚଳନ ଏବଂ ଚେହେରା ମଧ୍ୟ ଶକ୍ତିଶାଳୀ । ଏକା ସମୟରେ ତିନୋଟିଯାକ ସେବା ବହୁତ ତୀବ୍ର ବେଗରେ ପରିଣାମ ଦେଖାଇବ । ଏପରି ଭାବ ନାହିଁ ଯେ ଏହି ସାଧନା ଦ୍ୱାରା ସେବା କମ୍ ହେବ, ନା । ବରଂ ସଫଳତା ସହଜରେ ଅନୁଭବ ହେବ । ଅନ୍ୟ ସମସ୍ତେ ଯେଉଁମାନେ ବି ସେବାରେ ନିମିତ୍ତ ଅଟନ୍ତି ଯଦି ସଂଗଠିତ ରୂପରେ ଏହିଭଳି ନିଜର ସ୍ଥିତିକୁ ମଜବୁତ କରିଦେବେ ତେବେ ମେହନତ କମ୍ ଏବଂ ସଫଳତା ଅଧିକ ମିଳିବ । ତେଣୁ ବିଶେଷ ଧ୍ୟାନ ଦେଇ ନିଜର କଣ୍ଟ୍ରୋଲିଙ୍ଗ୍‌ ପାୱାରକୁ ବଢାଅ । ସଂକଳ୍ପ, ସମୟ, ସଂସ୍କାର - ସବୁ ଉପରେ ନିୟନ୍ତ୍ରଣ ରହିବା ଦରକାର । ବାପଦାଦା ତ ବହୁତ ଥର କହିଛନ୍ତି ତୁମେ ସମସ୍ତେ ରାଜା ଅଟ । ଯେବେ ଇଚ୍ଛା, ଯେପରି ଇଚ୍ଛା, ଯେଉଁଠି ଇଚ୍ଛା, ଯେତେ ସମୟ ଇଚ୍ଛା ସେହି ଅନୁସାରେ ନିଜର ମନ ବୁଦ୍ଧି ନିୟମ ଏବଂ ଶୃଂଖଳା ଭିତରେ ରହୁ । ତୁମେ କହୁଥିବ ମୋତେ କରିବାର ନାହିଁ କିନ୍ତୁ ପୁଣି ବି ସେହିଭଳି ହୋଇଯାଉଥିବ ବା କରିଦେଉଥିବ ତେବେ ଏହାକୁ ତ ଶୃଂଖଳା ଭିତରେ ରହିବା କୁହାଯିବ ନାହିଁ । ତେଣୁ ହେ ସ୍ୱରାଜ୍ୟ ଅଧିକାରୀ ଆତ୍ମାମାନେ - ଏବେ ନିଜର ରାଜ୍ୟକୁ ସର୍ବଦା ପ୍ରତ୍ୟକ୍ଷ ସ୍ୱରୂପରେ ଦେଖାଅ । କ’ଣ ଭାବୁଛ - ଦେଖାଇବ ନା? ଦେଖାଉଛ ତ ନିଶ୍ଚିତ ପୁଣି ବି ବାପଦାଦା କହୁଛନ୍ତି ସେଥିରେ ‘ସଦା’ ଶବ୍ଦକୁ ଯୋଡିଦିଅ । ବାପଦାଦା ପୁଣି ଏହି ମାସର ଶେଷରେ ଆସିବେ । ଆଉ ଗୋଟିଏ ଟର୍ଣ୍ଣ ଅର୍ଥାତ୍ ପାଳି ବାକି ଅଛି । ସେହି ପାଳିରେ ଫଳାଫଳ ବିଷୟରେ ପଚାରିବେ । ଆଉ ୧୫ ଦିନ ତ ଅଛି ନା ତେବେ ୧୫ ଦିନ ଭିତରେ କିଛି ତ ଦେଖାଇବ, ନା ନାହିଁ? ଟୀଚରମାନେ କୁହ ୧୫ ଦିନରେ ଫଳାଫଳ ଆସିବ ତ?

ଆଚ୍ଛା, ମଧୁବନ ନିବାସୀ ୧୫ ଦିନରେ ଫଳାଫଳ ଦେଖାଇବେ ତ? ଏବେ କୁହ ହଁ ନା ନାହିଁ! ଏବେ ହାତ ଉଠାଅ (ସମସ୍ତେ ହାତ ଉଠାଇଲେ) ନିଜର ହାତର ଇଜ୍ଜତ ରଖିବ । ଯେଉଁମାନେ ଭାବୁଛନ୍ତି ଆମେ ଚେଷ୍ଟା କରିବୁ ସେମାନେ ହାତ ଉଠାଅ । ଜ୍ଞାନ ସରରୋବରବାଲା, ଶାନ୍ତିବନବାଲା ଉଠ । (ବାପଦାଦା ମଧୁବନ, ଜ୍ଞାନ ସରୋବର ଓ ଶାନ୍ତିବନର ମୁଖ୍ୟ ନିମିତ୍ତ ଭାଇ ଭଉଣୀମାନଙ୍କୁ ସମ୍ମୁଖକୁ ଡାକିଲେ) । ବାପଦାଦା ତ ସମସ୍ତଙ୍କ ସମ୍ମୁଖରେ ତୁମମାନଙ୍କର ସାକ୍ଷାତ୍‌କାର କରାଇବା ପାଇଁ ଡାକିଛନ୍ତି । ତୁମମାନଙ୍କୁ ଦେଖି ସମସ୍ତେ ଖୁସି ହେଉଛନ୍ତି । ଏବେ ବାପଦାଦା କ’ଣ ଚାହୁଁଛନ୍ତି, ତାହା ଶୁଣାଇବେ । ଚାହେଁ ପାଣ୍ଡବ ଭବନ, ଚାହେଁ ଶାନ୍ତିବନ, ଚାହେଁ ଜ୍ଞାନ ସରୋବର, ଚାହେଁ ହସ୍‌ପିଟାଲ ଚାରିଧାମ ତ ଅଟେ ନା । ପଞ୍ଚମ ଧାମଟି ଛୋଟ ଅଟେ । ଏହି ଚାରୋଟି ଯାକିରେ ହିଁ ବାପଦାଦାଙ୍କର ଗୋଟିଏ ଆଶା ରହିଛି - ବାପଦାଦା ତିନି ମାସ ପାଇଁ ଚାରୋଟିଯାକ ଧାମରେ ଅଖଣ୍ଡ, ନିର୍ବିଘ୍ନ, ଅଟଳ ସ୍ୱରାଜ୍ୟଧାରୀ ରାଜାମାନଙ୍କର ଫଳାଫଳ ଦେଖିବାକୁ ଚାହୁଁଛନ୍ତି । ତିନି ମାସ ପର୍ଯ୍ୟନ୍ତ କେଉଁଠାରୁ ବି ଅନ୍ୟ କୌଣସି କଥା ଯେପରି ଶୁଶିବାକୁ ନ ମିଳେ । ସମସ୍ତେ ନମ୍ବରୱାନ ସ୍ୱରାଜ୍ୟ ଅଧିକାରୀ । କ’ଣ ତିନି ମାସର ଏହିଭଳି ଫଳାଫଳ ହୋଇପାରିବ? (ନିର୍ବୈର ଭାଇଙ୍କୁ) ପାଣ୍ଡବମାନଙ୍କ ତରଫରୁ ତୁମେ ନିମିତ୍ତ ଅଟ । ହୋଇପାରିବ? ଦାଦୀ ତ ଅଛନ୍ତି କିନ୍ତୁ ତାଙ୍କ ସହିତ ଏଠାରେ ଯେଉଁମାନେ ସମ୍ମୁଖରେ ବସିଛନ୍ତି, ଏମାନେ ମଧ୍ୟ ଅଛନ୍ତି । କ’ଣ ହୋଇପାରିବ? (ଦାଦୀ କହୁଛନ୍ତି ହୋଇପାରିବ) ଯେଉଁମାନେ ପାଣ୍ଡବ ଭବନବାଲା ବସିଛନ୍ତି ସେମାନେ ହାତ ଉଠାଅ, ହୋଇପାରିବ? ଆଚ୍ଛା ଧରିନିଅ କେହି ଯଦି ଦୁର୍ବଳ ଅଛି, ତା’ର କିଛି ଏପଟ-ସେପଟ ହୋଇଗଲା, ତା’ପରେ କ’ଣ କରିବ? ତୁମେମାନେ ଭାବୁଛ ନା ସାଥୀମାନଙ୍କୁ ମଧ୍ୟ ସାଥୀରେ ରଖି ଫଳାଫଳ ଦେଖାଇବୁ, ତେବେ ସେତିକି ସାହସ ଅଛି ତ? ହୋଇପାରିବ? ନା କେବଳ ନିଜ ଉପରେ ହିଁ ସାହସ ରଖିଛ? ଅନ୍ୟମାନଙ୍କର କଥାକୁ ନିଜ ଭିରେ ସମାହିତ କରିପାରିବ? କାହାର ଭୁଲ୍‌କୁ ସହିଯାଇ ପାରିବ? ଚାରିଆଡେ ପ୍ରଚାର ନ କରି ନିଜ ଭିତରେ ଚାପି ରଖିପାରିବ! ଜୋର୍‌ରେ କୁହ ହାଁ ଜୀ । ଅଭିନନ୍ଦନ । ଏବେ ତିନି ମାସ ପରେ ରିପୋର୍ଟ ଦେଖିବା । କୌଣସି ବି ସ୍ଥାନରୁ କୌଣସି ପ୍ରକାରର ଅଭିଯୋଗ ଯେପରି ଶୁଣିବାକୁ ନ ମିଳେ । ପରସ୍ପରକୁ ଶୁଭଭାବନା, ଶୁଭକାମନାର ପ୍ରକମ୍ପନ ଦେଇ ଭୁଲ୍ ତ୍ରୁଟିକୁ ସହନ କରି ସ୍ନେହର ପ୍ରକମ୍ପନ ଦେବାକୁ ହେବ । କୌଣସି ପ୍ରକାରର ଝଗଡା ନ ହେଉ ।

ତେବେ ଡବଲ ବିଦେଶୀମାନେ ମଧ୍ୟ ଏହିଭଳି ଫଳାଫଳ ଦେଖାଇବେ ନା । ସମସ୍ତଙ୍କୁ ତ ହେବାକୁ ପଡିବ ନା । ଡବଲ ବିଦେଶୀମାନେ ଯେଉଁମାନେ ଭାବୁଛନ୍ତି ନିଜ ନିଜ ସେଣ୍ଟରରେ ସାଥୀମାନଙ୍କ ସହିତ ତିନି ମାସର ଫଳାଫଳ ଦେଖାଇବୁ ସେମାନେ ହାତ ଉଠାଅ । ଯେଉଁମାନେ ଭାବୁଛନ୍ତି ଆମେ ନିଦ୍ଦିଷ୍ଟ ଜବାବ ଦେଇପାରୁ ନାହୁଁ କିନ୍ତୁ ଚେଷ୍ଟା କରିବୁ, ଯଦି ସେଭଳି କେହି ଥାଆନ୍ତି ତେବେ ହାତ ଉଠାଇଦିଅ । ଏମାନଙ୍କର ହୃଦୟ ସ୍ୱଚ୍ଛ ଅଛି ତେଣୁ ସ୍ୱଚ୍ଛ ହୃଦୟବାଲାଙ୍କୁ ସହଯୋଗ ମିଳିଥାଏ । ଆଚ୍ଛା (ତା’ ପରେ ବାପଦାଦା ସବୁ ଜୋନ୍‌ର ଭାଇ ଭଉଣୀ ମାନଙ୍କୁ ମଧ୍ୟ ହାତ ଉଠା କରାଇଲେ ତଥା ନିଜ ନିଜ ସ୍ଥାନରେ ଛିଡା କରାଇଲେ) ପ୍ରଥମେ ମହାରାଷ୍ଟ୍ର, ଦିଲ୍ଲୀ ଏବଂ କର୍ଣ୍ଣାଟକର ଭାଇ ଭଉଣୀମାନଙ୍କୁ ଛିଡା କରାଇଲେ ଏବଂ ସେମାନଙ୍କ ଠାରୁ ପ୍ରତିଶ୍ରୁତି ନେଲେ । ତା’ପରେ ଉତ୍ତର ପ୍ରଦେଶବାଲାଙ୍କୁ ସେବାର ଅଭିନନ୍ଦନ ଦେଲେ । ଆଚ୍ଛା ।

ଚାରିଆଡର ସମସ୍ତ ସ୍ୱରାଜ୍ୟ ଅଧିକାରୀ ଆତ୍ମାମାନଙ୍କୁ, ସର୍ବଦା ଅଖଣ୍ଡ ରାଜ୍ୟର ପାତ୍ର ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କ ସମାନ କର୍ମାତୀତ ସ୍ଥିତିରେ ପହଞ୍ଚୁଥିବା, ପିତାଙ୍କୁ ଅନୁକରଣ କରୁଥିବା ତୀବ୍ର ପୁରୁଷାର୍ଥୀ ଆତ୍ମାମାନଙ୍କୁ, ସର୍ବଦା ପରସ୍ପରକୁ ଶୁଭଭାବନା, ଶୁଭକାମନାର ସହଯୋଗ ଦେଉଥିବା ଶୁଭଚିନ୍ତକ ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ବିଘ୍ନକାରୀ ଆତ୍ମାମାନଙ୍କୁ ନିଜର ଶିକ୍ଷକ ମନେ କରି ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରୁଥିବା ଅନୁଭବୀ ମୂରତ ଭବ ।

ଯେଉଁ ଆତ୍ମାମାନେ ବିଘ୍ନ ପକାଇବାର ନିମିତ୍ତ ହେଉଛନ୍ତି ସେମାନଙ୍କୁ ବିଘ୍ନକାରୀ ଆତ୍ମା ଦୃଷ୍ଟିରେ ଦେଖ ନାହିଁ, ସେମାନଙ୍କୁ ସର୍ବଦା ପାଠ ପଢାଉଥିବା ଏବଂ ଆଗକୁ ବଢାଉଥିବା ନିମିତ୍ତ ଆତ୍ମା ମନେ କର । ଅନୁଭବୀ କରୁଥିବା ଶିକ୍ଷକ ମନେ କର । ଯେବେକି କହୁଛ ନିନ୍ଦା କରିବାବାଲା ଆମର ମିତ୍ର ଅଟନ୍ତି ତେବେ ବିଘ୍ନକୁ ଅତିକ୍ରମ କରାଇ ତୁମକୁ ଅନୁଭବୀ କରାଉଥିବା ଆତ୍ମା ତୁମର ଶିକ୍ଷକ ଅଟେ, ସେଥିପାଇଁ ବିଘ୍ନ ସୃଷ୍ଟିକାରୀ ଆତ୍ମାକୁ ସେହି ଦୃଷ୍ଟିରେ ଦେଖିବା ପରିବର୍ତ୍ତେ ସଦାକାଳ ପାଇଁ ବିଘ୍ନକୁ ପାର କରାଇବାର ନିମିତ୍ତ ଏବଂ ଅଚଳ-ଅଟଳ କରିବାର ନିମିତ୍ତ ମନେ କର, ଏହା ଦ୍ୱାରା ଆହୁରି ଅଧିକ ଅନୁଭବର ଅଥୋରିଟୀର ସ୍ଥିତି ବୃଦ୍ଧି ହୋଇଚାଲିବ ।

ସ୍ଲୋଗାନ:-
ଅଭିଯୋଗର ଫାଇଲ୍‌କୁ ସମାପ୍ତ କରି ଫାଇନ୍ ଏବଂ ରିଫାଇନ୍ ହୁଅ ଅର୍ଥାତ୍ ସ୍ଥିତିକୁ ସ୍ୱଚ୍ଛ-ପବିତ୍ର କରିଦିଅ ।