15.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ସଂଗମଯୁଗ ଉତ୍ତମରୁ ଉତ୍ତମ ହେବାର ଯୁଗ, ଏହି ସମୟରେ ହିଁ ତୁମକୁ ପତିତରୁ ଅର୍ଥାତ୍ ଅପବିତ୍ରରୁ ପବିତ୍ର ହୋଇ ପବିତ୍ର ଦୁନିଆର ସ୍ଥାପନା କରିବାକୁ ହେବ ।”

ପ୍ରଶ୍ନ:-
ଅନ୍ତିମ ସମୟର ଯନ୍ତ୍ରଣାଦାୟକ ଦୃଶ୍ୟକୁ ଦେଖିବା ପାଇଁ କେଉଁ ଆଧାରରେ ଶକ୍ତି ଆସିବ?

ଉତ୍ତର:-
ଶରୀରର ଅଭିମାନକୁ ବାହାର କରିଚାଲ । ଅନ୍ତିମ ସମୟର ଦୃଶ୍ୟ ବହୁତ ଭୟଙ୍କର ଅଟେ । ତେଣୁ ବାବା ପିଲାମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ଅଶରୀରୀ ହେବା ପାଇଁ ଈଶାରା ଦେଉଛନ୍ତି । ଯେପରି ବାବା ଏହି ଶରୀରରୁ ଅଲଗା ହୋଇ ତୁମକୁ ଶିଖାଉଛନ୍ତି, ସେହିପରି ତୁମେମାନେ ମଧ୍ୟ ନିଜକୁ ଶରୀର ଠାରୁ ଅଲଗା ମନେ କର, ଅଶରୀରୀ ହେବାର ଅଭ୍ୟାସ କର । ତୁମ ବୁଦ୍ଧିରେ ରହୁ ଯେ ଏବେ ଆମକୁ ଘରକୁ ଯିବାର ଅଛି ।

ଓମ୍ ଶାନ୍ତି ।
ବର୍ତ୍ତମାନ ତୁମେ ମିଠା ମିଠା ଆତ୍ମାମାନେ ଶରୀର ସହିତ ଅଛ । ବାବା ମଧ୍ୟ ବର୍ତ୍ତମାନ ଶରୀର ସହିତ ଅଛନ୍ତି । ବାବା ଏହି ଘୋଡା ଅଥବା ଏହି ମନୁଷ୍ୟ ରୂପି ଗାଡି ଉପରେ ବିରାଜମାନ କରିଛନ୍ତି ଏବଂ ପିଲାମାନଙ୍କୁ କ’ଣ ଶିଖାଉଛନ୍ତି? ବଞ୍ଚି ଥାଉ ଥାଉ କିପରି ମରିବାକୁ ହେବ । ଏକଥା ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ଶିଖାଇ ପାରିବେ ନାହିଁ । ବାବାଙ୍କର ପରିଚୟ ସବୁ ପିଲାମାନଙ୍କୁ ମିଳିଛି, ବାବା ହିଁ ହେଉଛନ୍ତି ଜ୍ଞାନର ସାଗର ପତିତ-ପାବନ । ଜ୍ଞାନ ଦ୍ୱାରା ହିଁ ତୁମେ ଅପବିତ୍ରରୁ ପବିତ୍ର ହେଉଛ ଏବଂ ତୁମକୁ ପବିତ୍ର ଦୁନିଆର ସ୍ଥାପନା ମଧ୍ୟ କରିବାକୁ ହେବ । ଡ୍ରାମାର ଯୋଜନା ଅନୁସାରେ ଏହି ଅପବିତ୍ର ଦୁନିଆର ବିନାଶ ମଧ୍ୟ ହେବାର ଅଛି । ଯେଉଁମାନେ କେବଳ ବାବାଙ୍କୁ ଜାଣି ବ୍ରାହ୍ମଣ ହେଉଛନ୍ତି, ସେହିମାନେ ହିଁ ପବିତ୍ର ଦୁନିଆକୁ ଆସି ରାଜତ୍ୱ କରିବେ । ତେବେ ପବିତ୍ର ହେବା ପାଇଁ ବ୍ରାହ୍ମଣ ମଧ୍ୟ ନିଶ୍ଚିତ ହେବାକୁ ପଡିବ । ଏହି ସଂଗମଯୁଗ ହେଉଛି ପୁରୁଷୋତ୍ତମ ଅର୍ଥାତ୍ ଉତ୍ତମରୁ ଉତ୍ତମ ପୁରୁଷ ହେବାର ଯୁଗ । କହୁଛନ୍ତି ଉତ୍ତମ ତ ବହୁତ ସାଧୁ, ସନ୍ଥ, ମହାତ୍ମା, ମନ୍ତ୍ରୀ, ଧନୀ, ରାଷ୍ଟ୍ରପତି ଆଦି ଅଛନ୍ତି । କିନ୍ତୁ ନାଁ, ଏହା ତ ହେଉଛି କଳିଯୁଗୀ ଭ୍ରଷ୍ଟାଚାରୀ ଦୁନିଆ ପୁରୁଣା ଦୁନିଆ, ଏହି ଅପବିତ୍ର ଦୁନିଆରେ ଜଣେ କେହି ହେଲେ ବି ପବିତ୍ର ନାହାଁନ୍ତି । ଏବେ ତୁମେମାନେ ସଂଗମଯୁଗୀ ହୋଇଛ । ଦୁନିଆର ଲୋକମାନେ ପାଣିକୁ ହିଁ ପତିତ-ପାବନୀ ବୋଲି ଭାବୁଛନ୍ତି । କେବଳ ଗଙ୍ଗା ନୁହେଁ, ଯେତେ ବି ନଦୀ ସବୁ ଅଛି, ଯେଉଁଠାରେ ବି ପାଣି ଦେଖୁଛନ୍ତି, ଭାବୁଛନ୍ତି ଏହି ପାଣି ହିଁ ଆମକୁ ପବିତ୍ର କରିବ । ଏହି କଥା ସେମାନଙ୍କର ବୁଦ୍ଧିରେ ରହିଛି । କିଏ କେଉଁ ଆଡେ, ଆଉ କିଏ ଆଉ କେଉଁ ଆଡେ ପାଣିରେ ସ୍ନାନ କରିବାକୁ ଯାଉଛନ୍ତି । କିନ୍ତୁ ଏହି ପାଣି ଦ୍ୱାରା ତ କେହି ବି ପବିତ୍ର ହୋଇପାରିବେ ନାହିଁ । ଯଦି ପାଣିରେ ସ୍ନାନ କରିବା ଦ୍ୱାରା ପବିତ୍ର ହୋଇଯାଉଥା’ନ୍ତେ ତେବେ ବର୍ତ୍ତମାନ ସାରା ସୃଷ୍ଟି ହିଁ ପବିତ୍ର ହୋଇଯାଇଥା’ନ୍ତା । ଏତେ ସବୁ ଆତ୍ମା ପବିତ୍ର ଦୁନିଆରେ ହିଁ ରହିଥା’ନ୍ତେ । ଏସବୁ ତ ପୁରୁଣା ପ୍ରଥା ଚାଲିଆସୁଛି । ଏବେ ତ ସହରର ସବୁ ଆବର୍ଜନା ଇତ୍ୟାଦି ସାଗରରେ ହିଁ ଆସି ପଡୁଛି, ତେବେ ସେହି ପାଣି କିପରି ପବିତ୍ର କରାଇ ପାରିବ? ବାସ୍ତବରେ ଆତ୍ମାକୁ ହିଁ ପବିତ୍ର ହେବାକୁ ପଡିବ । ସେଥିପାଇଁ ପରମପିତା ପରମାତ୍ମାଙ୍କର ହିଁ ଆବଶ୍ୟକତା ରହିଛି ଯିଏକି ଆତ୍ମାମାନଙ୍କୁ ପବିତ୍ର କରାଇବେ । ତେଣୁ ତୁମକୁ ବୁଝାଇବାକୁ ହେବ ଯେ - ସତ୍ୟଯୁଗରେ ପବିତ୍ର ଏବଂ କଳିଯୁଗରେ ପତିତ ହୋଇଥା’ନ୍ତି । ବର୍ତ୍ତମାନ ତୁମେ ସଂଗମଯୁଗରେ ଅଛ । ଅପବିତ୍ରରୁ ପବିତ୍ର ହେବା ପାଇଁ ପୁରୁଷାର୍ଥ କରୁଛ । ତୁମେ ଜାଣିଛ ଆମେ ଶୂଦ୍ରବର୍ଣ୍ଣର ଥିଲୁ ଏବେ ବ୍ରାହ୍ମଣ ବର୍ଣ୍ଣର ହୋଇଛୁ । ଶିବବାବା ଏହି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ଆମକୁ ପବିତ୍ର କରୁଛନ୍ତି । ଆମେମାନେ ହିଁ ସଚ୍ଚା-ସଚ୍ଚା ମୁଖ ବଂଶାବଳୀ ବ୍ରାହ୍ମଣ ଅଟୁ । ଦୁନିଆରେ ଥିବା ବ୍ରାହ୍ମଣମାନେ କୁଖ ବଂଶାବଳୀ ଅଟନ୍ତି । ଇଏ ହେଉଛନ୍ତି ପ୍ରଜାପିତା ତେଣୁ ସମସ୍ତେ ପ୍ରଜା ହୋଇଗଲେ । ପ୍ରଜାଙ୍କର ପିତା ହେଉଛନ୍ତି ଏହି ବ୍ରହ୍ମା । ତେବେ ଇଏ ତ ଆଦିପିତା ହୋଇଗଲେ । ନିଶ୍ଚିତ ଭାବରେ ଇଏ ଥିଲେ ପୁଣି କେଉଁ ଆଡେ ଚାଲିଗଲେ? ପୁନର୍ଜନ୍ମ ତ ନେଉ ଥିବେ ନା । ଏକଥା ତ ବାବା ତୁମମାନଙ୍କୁ କହିଛନ୍ତି ଯେ ବ୍ରହ୍ମା ମଧ୍ୟ ପୁନର୍ଜନ୍ମ ନେଉଛନ୍ତି । ବ୍ରହ୍ମା ଏବଂ ସରସ୍ୱତୀ, ଯିଏକି ମାତା ଏବଂ ପିତା ଅଟନ୍ତି । ପୁଣି ସେହିମାନେ ହିଁ ମହାରାଜା-ମହାରାଣୀ, ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ଯାହାଙ୍କୁ ହିଁ ବିଷ୍ଣୁ ବୋଲି କୁହାଯାଉଛି । ଏହି ବିଷ୍ଣୁ ପୁଣି ୮୪ ଜନ୍ମ ପରେ ଆସି ବ୍ରହ୍ମା-ସରସ୍ୱତୀ ହେଉଛନ୍ତି । ଏହି ରହସ୍ୟକୁ ବାବା ସମସ୍ତଙ୍କୁ ବୁଝାଇଛନ୍ତି । ଜଗତଅମ୍ବା ବୋଲି କହୁଛନ୍ତି ତେବେ ତ ସିଏ ସାରା ଜଗତର ମାଆ ହୋଇଗଲେ ଲୌକିକ ମାଆ ତ ସମସ୍ତଙ୍କର ନିଜ-ନିଜର ଘରେ ଅଛନ୍ତି । କିନ୍ତୁ ଜଗତଅମ୍ବାଙ୍କୁ କେହି ବି ଜାଣିନାହାଁନ୍ତି । ଏମିତି କେବଳ ଅନ୍ଧ ଶ୍ରଦ୍ଧାରେ କହିଦେଉଛନ୍ତି । କିନ୍ତୁ କେହି ବି ଜାଣି ନାହାଁନ୍ତି । ଯାହାଙ୍କର ପୂଜା କରୁଛନ୍ତି ତାଙ୍କର କର୍ତ୍ତବ୍ୟକୁ ଜାଣିନାହାଁନ୍ତି । ବର୍ତ୍ତମାନ ତୁମେ ପିଲାମାନେ ଜାଣୁଛ ଯେ ରଚୟିତା ବାବା ହେଉଛନ୍ତି ସବୁଠାରୁ ଉଚ୍ଚ । ଏହା ହେଉଛି ସୃଷ୍ଟିରୂପୀ ଓଲଟ ବୃକ୍ଷ । ଏହାର ବୀଜ ଉପରେ ଅଛନ୍ତି । ତେଣୁ ତୁମକୁ ପବିତ୍ର କରିବା ପାଇଁ ବାବାଙ୍କୁ ଉପରୁ ତଳକୁ ଆସିବାକୁ ପଡିବ । ତୁମେମାନେ ଜାଣିଛ ବାବା ଆସିଛନ୍ତି ଆତ୍ମାକୁ ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇ ଆମକୁ ନୂଆ ଦୁନିଆର ଚକ୍ରବର୍ତ୍ତୀ ରାଜା-ରାଣୀ କରିବା ପାଇଁ । ଏହି ଚକ୍ରର ରହସ୍ୟକୁ ସାରା ଦୁନିଆରେ ତୁମ ବ୍ୟତୀତ ଅନ୍ୟ କେହି ବି ଜାଣିନାହାଁନ୍ତି । ବାବା କହୁଛନ୍ତି ୫ ହଜାର ବର୍ଷ ପରେ ପୁଣି ଆସି ତୁମମାନଙ୍କୁ ଶୁଣାଇବି । ଏହି ଡ୍ରାମା ପୂର୍ବ ନିର୍ମିତ । ଡ୍ରାମାର ରଚୟିତା, ନିର୍ଦ୍ଦେଶକ, ମୁଖ୍ୟ ଅଭିନେତା ଏବଂ ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଯିଏ ନ ଜାଣିବ ତାକୁ ତ ବୁଦ୍ଧିହୀନ ବୋଲି କୁହାଯିବ ନା । ବାବା କହୁଛନ୍ତି ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ମୁଁ ତୁମକୁ ଏହି ଜ୍ଞାନ ବୁଝାଇଥିଲି । ତୁମକୁ ନିଜର ପରିଚୟ ମଧ୍ୟ ଦେଇଥିଲି ଯେପରିକି ବର୍ତ୍ତମାନ ଦେଉଛି । ମୁଁ ତୁମକୁ ପବିତ୍ର ମଧ୍ୟ କରିଥିଲି ଯେପରି ଏବେ କରୁଛି । ତେଣୁ ତୁମେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ । ଏକମାତ୍ର ବାବା ହିଁ ସର୍ବଶକ୍ତିମାନ୍ ପତିତ-ପାବନ ଅଟନ୍ତି, ଗାୟନ ମଧ୍ୟ ରହିଛି ଅନ୍ତିମ ସମୟରେ ଯିଏ ଯାହାକୁ ସ୍ମରଣ କରେ... ବାରମ୍ବାର ସିଏ ସେହି ଯୋନିରେ ଜନ୍ମ ନେଇଥାଏ । ବର୍ତ୍ତମାନ ସମୟରେ ତୁମେ ଜନ୍ମ ତ ନେଉଛ କିନ୍ତୁ କୁକୁର, ବିଲେଇ, ଘୁଷୁରୀ ହେଉନାହଁ ।

ବର୍ତ୍ତମାନ ଅବିନାଶୀ ବାବା ଆସିଛନ୍ତି । କହୁଛନ୍ତି ମୁଁ ହେଉଛି ତୁମ ସବୁ ଆତ୍ମାମାନଙ୍କର ପିତା । ଏମାନେ ସମସ୍ତେ କାମ ବିକାରର ବଶବର୍ତ୍ତୀ ହୋଇ କଳା ହୋଇଯାଇଛନ୍ତି । ତେଣୁ ଏମାନଙ୍କୁ ପୁଣି ଜ୍ଞାନ ଚିତାରେ ବସାଇବାକୁ ହେବ । ତୁମେ ଜ୍ଞାନ ଚିତାରେ ବସିଛ । ଜ୍ଞାନ ଚିତାରେ ବସିଲା ପରେ ପୁଣି ତୁମେ ବିକାରଗ୍ରସ୍ତ ହୋଇ ପାରିବ ନାହିଁ । ଏମାନେ ପ୍ରତିଜ୍ଞା କରୁଛନ୍ତି ଯେ ଆମେ ପବିତ୍ର ରହିବୁ । ବାବା କୌଣସି ଦୁନିଆର ରାକ୍ଷୀ ବାନ୍ଧୁ ନାହାଁନ୍ତି । ଏହା ତ ଭକ୍ତିମାର୍ଗର ପ୍ରଥା ଯାହାକି ଚାଲିଆସୁଛି । କିନ୍ତୁ ବାସ୍ତବରେ ଏହା ହେଉଛି ବର୍ତ୍ତମାନ ସମୟର କଥା । ତୁମେ ଜାଣୁଛ ଯେ ଆମେ ପବିତ୍ର ହେବା ବିନା ପବିତ୍ର ଦୁନିଆର ମାଲିକ କିପରି ହୋଇପାରିବୁ? ତଥାପି ବି ପକ୍କା କରାଇବା ପାଇଁ ପିଲାମାନଙ୍କୁ ପ୍ରତିଜ୍ଞା କରାଯାଉଛି । କେହି କେହି ତ ରକ୍ତରେ ମଧ୍ୟ ପତ୍ର ଲେଖି ଦେଉଛନ୍ତି ତ ଆଉ କିଏ ଆଉ କିପରି ଲେଖୁଛନ୍ତି । ବାବା ଆପଣ ଆସିଛନ୍ତି, ଆମେ ଆପଣଙ୍କଠାରୁ ନିଶ୍ଚିତ ଭାବରେ ସମ୍ପତ୍ତି ନେବୁ । ବର୍ତ୍ତମାନ ନିରାକାର ସାକାରରେ ଆସିଛନ୍ତି ନା । ଯେପରି ବାବା ପରମଧାମରୁ ଓହ୍ଲାଇ ଆସୁଛନ୍ତି, ସେହିପରି ତୁମେ ଆତ୍ମାମାନେ ମଧ୍ୟ ଓହ୍ଲାଇଛ । ତୁମେ ଉପରୁ ତଳକୁ ଆସିଛ ଅଭିନୟ କରିବା ପାଇଁ । ଏକଥା ତୁମେ ଜାଣିଛ ଯେ ଏହା ହେଉଛି ସୁଖ ଏବଂ ଦୁଃଖର ଖେଳ । ଅଧାକଳ୍ପ ସୁଖ ଏବଂ ଅଧାକଳ୍ପ ଦୁଃଖ । ବାବା ବୁଝାଉଛନ୍ତି ତୁମେ ୩/୪ ଭାଗରୁ ମଧ୍ୟ ଅଧିକ ସୁଖ ଭୋଗ କରୁଛ । ଅଧାକଳ୍ପ ପରେ ମଧ୍ୟ ତୁମେ ଧନବାନ୍ ଥିଲ । ତୁମେ କେତେ ବଡ ବଡ ମନ୍ଦିର ଇତ୍ୟାଦି ତିଆରି କରାଇଛ । ଦୁଃଖ ତ ତୁମେ ପରେ ଭୋଗ କରୁଛ, ଯେତେବେଳେ କି ବିଲ୍‌କୁଲ୍ ତମଃପ୍ରଧାନ ଭକ୍ତି ହୋଇଯାଉଛି । ବାବା ବୁଝାଉଛନ୍ତି ତୁମେ ପ୍ରଥମେ ପ୍ରଥମେ ଅବ୍ୟଭିଚାରୀ ଭକ୍ତ ଥିଲ, କେବଳ ଜଣଙ୍କର ହିଁ ଭକ୍ତି କରୁଥିଲ । ଯେଉଁ ବାବା ତୁମକୁ ଦେବତା କରାଉଛନ୍ତି, ସୁଖଧାମକୁ ନେଇଯାଉଛନ୍ତି, ତୁମେ କେବଳ ତାଙ୍କର ପୂଜା ହିଁ କରୁଥିଲ ପରେ ପୁଣି ଏହି ବ୍ୟଭିଚାରୀ ଭକ୍ତି ଆରମ୍ଭ ହେଲା । ପ୍ରଥମେ କେବଳ ଜଣଙ୍କର ହିଁ ପୂଜା କରୁଥିଲ ପରେ ପୁଣି ଦେବତାମାନଙ୍କର ପୂଜା କରିଲେ, ବର୍ତ୍ତମାନ ତ ୫ ଭୂତରେ ନିର୍ମିତ ଶରୀରର ମଧ୍ୟ ପୂଜା କରୁଛନ୍ତି । ଚୈତନ୍ୟ ସହିତ ଜଡର ମଧ୍ୟ ପୂଜା କରୁଛନ୍ତି । ତେବେ ୫ ତତ୍ତ୍ୱରେ ଗଢା ହୋଇଥିବା ଶରୀରକୁ ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ବୋଲି ଭାବୁଛନ୍ତି । ମନ୍ଦିରରେ ଦେବତାମାନଙ୍କୁ ତ କେବଳ ବ୍ରାହ୍ମଣମାନେ ହିଁ ଛୁଇଁଥା’ନ୍ତି ଅର୍ଥାତ୍ ପୂଜା କରିଥା’ନ୍ତି । ତୁମର ତ ଢେର ଗୁରୁ ଅଛନ୍ତି । ଏହି ସବୁ କଥା ବାବା ଆସି ବୁଝାଉଛନ୍ତି । ଏହି ଦାଦା (ବ୍ରହ୍ମାବାବା) ମଧ୍ୟ କହୁଛନ୍ତି ମୁଁ ମଧ୍ୟ ଭକ୍ତିମାର୍ଗରେ ସବୁ କିଛି କରିଛି । ଭିନ୍ନ ଭିନ୍ନ ହଠଯୋଗ ଆଦି ଯଥା - କାନ, ନାକ ମୋଡିବା ଇତ୍ୟାଦି ସବୁ କିଛି କରିଛି । ଶେଷରେ ସବୁକିଛି ଛାଡିବାକୁ ପଡିଲା । ଭାବିଲି ମୁଁ ସେ ଧନ୍ଦା କିରବି ନା ଏ ଧନ୍ଦା କରିବି? ସୁସ୍ତି ଆସିଯାଉଥିଲା, ଅସ୍ଥିର ଦୁଃଖ । ହୋଇଯାଉଥିଲି । ପ୍ରାଣାୟାମ ଆଦି ଶିଖିବାରେ ବହୁତ କଷ୍ଟ ହେଉଥିଲା । ଅଧାକଳ୍ପ ହେବ ଭକ୍ତିମାର୍ଗରେ ଥିଲି, ଏବେ ସବୁକିଛି ଜଣାପଡିଲା । ବାବା ବିଲ୍‌କୁଲ୍ ଠିକ୍ କଥା କହୁଛନ୍ତି । ସେମାନେ କହୁଛନ୍ତି ଭକ୍ତି ପରମ୍ପରାରୁ ଚାଲି ଆସୁଛି । ତେବେ ସତ୍ୟଯୁଗରେ ଭକ୍ତି କିପରି ହେବ । ଏ କଥା ମନୁଷ୍ୟମାନେ ବିଲ୍‌କୁଲ୍ ବୁଝୁ ନାହାଁନ୍ତି । ମୁଢମତି ଅଟନ୍ତି ନା । ସତ୍ୟଯୁଗରେ ତ ଏଭଳି କହିବେ ନାହିଁ । ବାବା କହୁଛନ୍ତି ମୁଁ ପ୍ରତି ୫ ହଜାର ବର୍ଷ ପରେ ଆସୁଛି । ମୁଁ ଏହାଙ୍କର ଶରୀରର ହିଁ ଆଧାର ନେଉଛି ଯିଏକି ନିଜର ଜନ୍ମକୁ ଜାଣିନାହାଁନ୍ତି । ଏହି ବ୍ରହ୍ମା ହିଁ ପ୍ରଥମ ନମ୍ବରର ସୁନ୍ଦର ଥିଲେ, ସିଏ ହିଁ ଏବେ ଅପବିତ୍ର ଶ୍ୟାମଳ ହୋଇଯାଇଛନ୍ତି । ଆତ୍ମା ଭିନ୍ନ-ଭିନ୍ନ ଶରୀର ଧାରଣ କରିଥାଏ । ତେଣୁ ବାବା କହୁଛନ୍ତି ଯାହାଙ୍କର ଶରୀରରେ ମୁଁ ପ୍ରବେଶ କରୁଛି, ଏବେ ମଧ୍ୟ ତାଙ୍କ ଶରୀରରେ ହିଁ ରହିଛି । କ’ଣ ଶିଖାଇବା ପାଇଁ? ବଞ୍ଚି ଥାଉ ଥାଉ ମରିଯିବା । ଏହି ଦୁନିଆରୁ ତ ମରିବାକୁ ହେବ ନା । କିନ୍ତୁ ଏବେ ତୁମକୁ ପବିତ୍ର ହୋଇ ମରିବାକୁ ହେବ । ମୋର ଅଭିନୟ ହେଉଛି ତୁମକୁ ପବିତ୍ର କରିବା । ତୁମେ ଭାରତବାସୀମାନେ ଡାକୁଛ - ହେ ପତିତ-ପାବନ ଆସ । ଆଉ କେହି ଏଭଳି କହିପାରିବେ ନାହିଁ ଯେ - ହେ ମୁକ୍ତିଦାତା, ଆମକୁ ଦୁଃଖର ଦୁନିଆରୁ ଉଦ୍ଧାର କରିବାକୁ ଆସ । ସମସ୍ତେ ମୁକ୍ତିଧାମକୁ ଯିବା ପାଇଁ ହିଁ ପୁରୁଷାର୍ଥ କରୁଛନ୍ତି । କେବଳ ତୁମେମାନେ ସୁଖଧାମକୁ ଯିବା ପାଇଁ ପୁରୁଷାର୍ଥ କରୁଛ । ତାହାସବୁ ହେଉଛି ପ୍ରବୃତ୍ତିମାର୍ଗ ପାଇଁ । ତୁମେ ଜାଣିଛ ଆମେ ପ୍ରବୃତ୍ତିମାର୍ଗବାଲା ପବିତ୍ର ଥିଲୁ ପୁଣି ଅପବିତ୍ର ହୋଇଯାଇଛୁ । ତେବେ ପ୍ରବୃତ୍ତିମାର୍ଗର ମନୁଷ୍ୟମାନଙ୍କର କାମ ନିବୃତ୍ତି ମାର୍ଗବାଲାମାନେ କରିପାରିବେ ନାହିଁ । ଯଜ୍ଞ, ତପ, ଦାନ ଆଦି ସବୁକିଛି ପ୍ରବୃତ୍ତିମାର୍ଗର ମନୁଷ୍ୟମାନେ ହିଁ କରିଥା’ନ୍ତି । ତୁମେ ଏବେ ଅନୁଭବ କରୁଛ ଯେ ଏବେ ଆମେ ସମସ୍ତଙ୍କୁ ଜାଣିଛୁ । ଶିବବାବା ଆମ ସମସ୍ତଙ୍କୁ ଘରେ ବସି ପାଠ ପଢାଉଛନ୍ତି । ଏହି ଅବିନାଶୀ ପିତା ଅବିନାଶୀ ସୁଖର ଦାତା ଅଟନ୍ତି । ତୁମେ ବହୁତ ସମୟ ପରେ ତାଙ୍କ ସହିତ ମିଶୁଛ ତେଣୁ ତୁମ ଆଖିରୁ ଖୁସିର ଲୁହ ଝରିଯାଉଛି । ବାବା ଶବ୍ଦ କହିବା ମାତ୍ରେ ହିଁ ରୁମ ଟାଙ୍କୁରି ଉଠୁଛି - ଓହୋ! ବାବା ଆସିଛନ୍ତି ଆମମାନଙ୍କର ସେବା କରିବା ପାଇଁ । ଆମକୁ ବାବା ଏହି ରାଜଯୋଗର ପାଠ ପଢାଇ ପବିତ୍ର ଫୁଲ ସଦୃଶ କରି ସାଥୀରେ ନେଇଯାଉଛନ୍ତି । ବାବା ଏହି ବିକାରୀ ଛି ଛି ଦୁନିଆରୁ ଆମକୁ ସାଥୀରେ ନେଇଯିବେ । ଭକ୍ତିମାର୍ଗରେ ତୁମର ଆତ୍ମା କହୁଥିଲା ଯେ ବାବା ଆପଣ ଆସିଲେ ଆମେ ଆପଣଙ୍କ ପାଖରେ ସମର୍ପଣ ହୋଇଯିବୁ । ଆମେ କେବଳ ଆପଣଙ୍କର ହିଁ ହୋଇ ରହିବୁ ଅନ୍ୟ କାହାର ନୁହେଁ । କ୍ରମାନୁସାରେ ତ ନିଶ୍ଚିତ ରହିବେ । ସମସ୍ତଙ୍କର ନିଜ-ନିଜର ଅଭିନୟ ରହିଛି । କେହି-କେହି ତ ବାବାଙ୍କୁ ବହୁତ ଭଲ ପାଉଛନ୍ତି, ଯିଏକି ଆମକୁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି । ସତ୍ୟଯୁଗରେ କାନ୍ଦିବାର କଥା ହିଁ ନାହିଁ । ଏଠାରେ ତ କେତେ କନ୍ଦାକଟା କରୁଛନ୍ତି । କାହାର ମୃତ୍ୟୁ ହୋଇଗଲେ କହୁଛନ୍ତି ସ୍ୱର୍ଗକୁ ଗଲା ଯଦି ସ୍ୱର୍ଗକୁ ଗଲା ତେବେ କାନ୍ଦିବା କ’ଣ ଦରକାର । ଆହୁରି ବାଜା ବଜାଇବା ଉଚିତ୍ । ସେଠାରେ ତ ବାଜା ବଜାଇ ଖୁସିରେ ଶରୀର ଛାଡିଥା’ନ୍ତି । ତମଃପ୍ରଧାନ ଶରୀର ଖୁସୀରେ ଛାଡି ଦେଇଥାଆନ୍ତି । ଏହି ପ୍ରଥା ମଧ୍ୟ ସେହିଠାରୁ ଆରମ୍ଭ ହୋଇଛି । ଏଠାରେ ତୁମେ କହୁଛ ଆମକୁ ନିଜ ଘରକୁ ଯିବାକୁ ହେବ । ସେଠାରେ ଜାଣିପାରିବ ଯେ ଆମେ ପୁନର୍ଜନ୍ମ ନେବୁ । ତେବେ ବାବା ଆମକୁ ସବୁ କଥା ବୁଝାଇ ଦେଉଛନ୍ତି । ଭ୍ରମରୀର ଉଦାହରଣ ମଧ୍ୟ ତୁମ ପାଇଁ ଉଦ୍ଦିଷ୍ଟ । ତୁମେ ବ୍ରାହ୍ମଣୀମାନେ ବିଷ୍ଠାର କୀଟକୁ ଜ୍ଞାନ ଶୁଣାଉଛ । ତୁମକୁ ତ ବାବା କହୁଛନ୍ତି ଏହି ଶରୀରକୁ ମଧ୍ୟ ଛାଡି, ବଞ୍ଚି ଥାଉ ଥାଉ ଜୀବଦଶାରୁ ମରିଯିବାକୁ ହେବ । ବାବା କହୁଛନ୍ତି ନିଜକୁ ଆତ୍ମା ମନେ କର, ଏବେ ଆମକୁ ଘରକୁ ଯିବାର ଅଛି, ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଇବାକୁ ହେବ । ଏହି ଦେହକୁ ମଧ୍ୟ ଭୁଲିବାକୁ ହେବ । ବାବା ତ ବହୁତ ମିଠା ଅଟନ୍ତି । ବାବା କହୁଛନ୍ତି ମୁଁ ତୁମ ସନ୍ତାନମାନଙ୍କୁ ବିଶ୍ୱର ମାଲିକ କରିବା ପାଇଁ ଆସିଛି । ଏବେ ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଅ । ବାବା ଏବଂ ସୁଖଧାମକୁ ମନେ ପକାଇବାକୁ ହେବ । ଏହା ହେଉଛି ଦୁଃଖଧାମ । ଶାନ୍ତିଧାମ ହେଉଛି ଆମ ଆତ୍ମାମାନଙ୍କର ଘର । ଏଠାକୁ ଆସି ଆମେ ଅଭିନୟ କରୁଛୁ, ଏବେ ଆମକୁ ଘରକୁ ଯିବାକୁ ହେବ । ସତ୍ୟଯୁଗରେ ଆମର ଏହି ବିକାରୀ ଶରୀର ରହିବ ନାହିଁ । ବର୍ତ୍ତମାନ ଏହା ବିଲ୍‌କୁଲ୍ ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲାଣି । ବର୍ତ୍ତମାନ ବାବା ଆମକୁ ସମ୍ମୁଖରେ ବସି ଇଙ୍ଗିତର ଆଧାରରେ ଶିଖାଉଛନ୍ତି ଯେ ପିଲାମାନେ ମୁଁ ବି ଆତ୍ମା ଏବଂ ତୁମେମାନେ ମଧ୍ୟ ଆତ୍ମା । ମୁଁ ଶରୀରରୁ ଅଲଗା ହୋଇ ତୁମକୁ ମଧ୍ୟ ସେହି କଥା ଶିଖାଉଛି । ତୁମେ ମଧ୍ୟ ନିଜକୁ ଶରୀର ଠାରୁ ଅଲଗା ବୋଲି ମନେ କର । ଏବେ ଆମକୁ ଘରକୁ ଯିବାକୁ ହେବ । ବର୍ତ୍ତମାନ ତ ଏଠାରେ ରହିବାର ନାହିଁ । ଏ କଥା ମଧ୍ୟ ତୁମେ ଜାଣିଛ ଯେ ବର୍ତ୍ତମାନ ବିନାଶ ହେବାର ଅଛି । ଏହି ଭାରତରେ ରକ୍ତର ନଦୀ ବୋହିବ । ପୁଣି ଏହି ଭାରତରେ ହିଁ କ୍ଷୀରର ନଦୀ ମଧ୍ୟ ବୋହିବ । ବର୍ତ୍ତମାନ ଏଠାରେ ସମସ୍ତ ଧର୍ମର ମନୁଷ୍ୟମାନେ ଏକତ୍ର ଅଛନ୍ତି । ଏମାନେ ସମସ୍ତେ ପରସ୍ପର ସହିତ ଲଢେଇ କରି ମୃତ୍ୟୁ ମୁଖରେ ପଡିବେ । ଏହିପରି ମୃତ୍ୟୁ ଅନ୍ତିମ ସମୟରେ ହିଁ ହେବ । ପାକିସ୍ଥାନରେ କ’ଣ-କ’ଣ ସବୁ ହେଉଥିଲା । ବହୁତ ଭୟାନକ ଦୃଶ୍ୟ ଥିଲା । ଯଦି କେହି ଦେଖିବେ ତେବେ ବେହୋସ ହୋଇଯିବେ । ବର୍ତ୍ତମାନ ବାବା ତୁମକୁ ନଷ୍ଟମୋହା କରି ଶକ୍ତିଶାଳୀ କରୁଛନ୍ତି । ଶରୀରର ଅଭିମାନରୁ ମଧ୍ୟ ମୁକ୍ତ କରିଦେଉଛନ୍ତି ।

ବାବା ଦେଖୁଛନ୍ତି, ପିଲାମାନେ ଯୋଗ କରୁ ନାହାଁନ୍ତି, ବହୁତ ଶକ୍ତିହୀନ ହୋଇଯାଇଛନ୍ତି ସେଥିପାଇଁ ସେବା ମଧ୍ୟ ଆଗକୁ ବଢିପାରୁ ନାହିଁ । ବାବାଙ୍କୁ ବାରମ୍ବାର ପତ୍ର ଲେଖୁଛନ୍ତି - ବାବା, ଆମେ ଆପଣଙ୍କୁ ଭୁଲିଯାଉଛୁ, ବୁଦ୍ଧିଯୋଗ ଆପଣଙ୍କ ସହିତ ଲାଗୁନାହିଁ । ବାବା କହୁଛନ୍ତି ଯୋଗ ଶବ୍ଦକୁ ଛାଡିଦିଅ । ଯିଏ ବିଶ୍ୱର ରାଜତ୍ୱ ଦେଉଛନ୍ତି ତୁମେ ଏଭଳି ବାବାଙ୍କୁ ଭୁଲିଯାଉଛ! ଆଗରୁ ଭକ୍ତିମାର୍ଗରେ ବ୍ରହ୍ମାବାବାଙ୍କର ଯଦି ବୁଦ୍ଧି ଅନ୍ୟ ଆଡକୁ ଚାଲିଯାଉଥିଲା ତେବେ ସେ ନିଜକୁ ଚୁମୁଟି ଦେଉଥିଲେ । ବାବା କହୁଛନ୍ତି ତୁମେ ଆତ୍ମା ଅବିନାଶୀ ଅଟ । କେବଳ ତୁମେ ପବିତ୍ର ଏବଂ ଅପବିତ୍ର ହେଉଛ । ବାକି ଆତ୍ମା କିଛି ଛୋଟ-ବଡ ହୋଇ ନ ଥାଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜ ସହିତ ନିଜେ କଥା ହୁଅ - ଓହୋ! ବାବା ଆମର ସେବା କରିବା ପାଇଁ ଆସିଛନ୍ତି । ସିଏ ଆମକୁ ଘରେ ବସି ପାଠ ପଢାଉଛନ୍ତି । ଅବିନାଶୀ ପିତା ଅବିନାଶୀ ସୁଖର ଦାତା ଅଟନ୍ତି । ତାଙ୍କ ସହିତ ଆମେ ବର୍ତ୍ତମାନ ମିଶୁଛୁ । ଏହିଭଳି ସ୍ନେହର ସହିତ ବାବା ବୋଲି କୁହ ଯାହାକି ଖୁସିରେ ଆଖିରୁ ପ୍ରେମାଶ୍ରୁ ବହିଯାଉ ଏବଂ ଲୋମ ଟାଙ୍କୁରି ଉଠୁ ।

(୨) ଏବେ ଆମକୁ ଘରକୁ ଯିବାର ଅଛି ସେଥିପାଇଁ ସମସ୍ତଙ୍କ ଠାରୁ ମମତ୍ୱ ତୁଟାଇ ବଞ୍ଚି ଥାଉ ଥାଉ ମରିବାକୁ ହେବ । ଏହି ଦେହକୁ ମଧ୍ୟ ଭୁଲିବାକୁ ହେବ । ଏହାଠାରୁ ଅଲଗା ହେବାର ଅଭ୍ୟାସ କରିବାକୁ ପଡିବ ।

ବରଦାନ:-
ବିତି ଯାଇଥିବା କଥାକୁ ବା ମନୋଭାବକୁ ସମାପ୍ତ କରି ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତ କରୁଥିବା ସ୍ୱଚ୍ଛ ଆତ୍ମା ଭବ ।

ସେବା କ୍ଷେତ୍ରରେ ସ୍ୱଚ୍ଛ ବୁଦ୍ଧି, ସ୍ୱଚ୍ଛ ମନୋବୃତ୍ତି ଏବଂ ସ୍ୱଚ୍ଛ କର୍ମ ସଫଳତାର ସହଜ ଆଧାର ଅଟେ । ଯେତେବେଳେ ବି କୌଣସି ସେବାର କାର୍ଯ୍ୟ ଆରମ୍ଭ କରୁଛ ସେଥିରେ ପ୍ରଥମେ ଚେକ୍ କର ଯେ ବୁଦ୍ଧିରେ କୌଣସି ଆତ୍ମାର ବିତିଯାଇଥିବା କଥାର ସ୍ମୃତି ନାହିଁ ତ! ସେହିଭଳି ବୃତ୍ତିରେ ବା ଦୃଷ୍ଟିରେ ତା’କୁ ଦେଖିବା ଦ୍ୱାରା ବା କଥାବାର୍ତ୍ତା କରିବା ଦ୍ୱାରା କେବେ ବି ସମ୍ପୂର୍ଣ୍ଣ ସଫଳତା ମିଳିପାରିବ ନାହିଁ, ସେଥିପାଇଁ ବିତିଯାଇଥିବା କଥାକୁ ବା ମନୋଭାବକୁ ସମାପ୍ତ କରି ସ୍ୱଚ୍ଛ ଆତ୍ମା ହୁଅ ତେବେ ଯାଇ ସମ୍ପୂର୍ଣ୍ଣ ସଫଳତା ପ୍ରାପ୍ତ ହେବ ।

ସ୍ଲୋଗାନ:-
ଯିଏ ସ୍ୱ ପରିବର୍ତ୍ତନ କରିଥାଏ, ବିଜୟର ମାଳା ତା’ରି ଗଳାରେ ପଡିଥାଏ ।