16.04.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ତୁମକୁ ସତ୍ତ୍ୱପ୍ରଧାନ ହେବାର ଅଛି ତେବେ ବାବାଙ୍କୁ ସ୍ନେହର ସହିତ ମନେ ପକାଅ, ପାରସନାଥ ଶିବବାବା
ତୁମକୁ ପାରସପୁରୀର ମାଲିକ କରିବା ପାଇଁ ଆସିଛନ୍ତି ।”
ପ୍ରଶ୍ନ:-
ତୁମେ ପିଲାମାନେ
କେଉଁ ଗୋଟିଏ କଥାର ଧାରଣା ଦ୍ୱାରା ହିଁ ମହିମା ଯୋଗ୍ୟ ହୋଇଯିବ?
ଉତ୍ତର:-
ବହୁତ-ବହୁତ ନିର୍ମାଣ-ଚିତ୍ତ ହୁଅ । ତୁମର କୌଣସି କଥାର ଅହଂକାର ରହିବା ଉଚିତ୍ ନୁହେଁ । ବହୁତ
ମିଠା ମଧ୍ୟ ହେବାକୁ ପଡିବ । ଅହଂକାର ଆସିଲେ ବହୁତ ଶତ୍ରୁ ହୋଇଯାଆନ୍ତି । ଉଚ୍ଚ ଅଥବା ନୀଚ୍ଚ,
ପବିତ୍ରତା ଆଧାରରେ ହିଁ ହୋଇଥା’ନ୍ତି । ପବିତ୍ର ହେଲେ ସମ୍ମାନ ରହିଥାଏ, ଅପବିତ୍ର ହେଲେ
ସମସ୍ତଙ୍କ ପାଖରେ ମୁଣ୍ଡ ନୁଆଁଇବାକୁ ପଡିଥାଏ ।
ଓମ୍ ଶାନ୍ତି ।
ଆତ୍ମିକ ପିତା
ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ବାବା ମଧ୍ୟ ଜାଣିଛନ୍ତି ଯେ, ମୁଁ ଏହି ପିଲାମାନଙ୍କୁ
ବୁଝାଉଛି । ଏ କଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ଯେ ଭକ୍ତିମାର୍ଗରେ ଭିନ୍ନ-ଭିନ୍ନ ନାମରେ
ଅନେକ ପ୍ରକାରର ଚିତ୍ର ତିଆରି କରିଦେଇଛନ୍ତି ଯେପରି ନେପାଳରେ ପାରସନାଥଙ୍କୁ ମାନିଥା’ନ୍ତି,
ତାଙ୍କର ବହୁତ ବଡ ମନ୍ଦିର ମଧ୍ୟ ଅଛି, କିନ୍ତୁ ସେଠାରେ କିଛି ବି ନାହିଁ । କେବଳ ୪ଟି ଦ୍ୱାର ଏବଂ
୪ଟି ମୂର୍ତ୍ତି ରହିଛି । ଚତୁର୍ଥ ଦ୍ୱାରରେ କୃଷ୍ଣଙ୍କୁ ରଖିଛନ୍ତି । ଏବେ ବୋଧହୁଏ କିଛି
ପରିବର୍ତ୍ତନ କରିଦେଇଛନ୍ତି । ତେବେ ପାରସନାଥ ତ ନିଶ୍ଚିତ ଭାବରେ ଶିବବାବାଙ୍କୁ ହିଁ କୁହାଯିବ ।
ସିଏ ହିଁ ମନୁଷ୍ୟମାନଙ୍କୁ ପାରସବୁଦ୍ଧି କରୁଛନ୍ତି । ତେଣୁ ପ୍ରଥମେ ପ୍ରଥମେ ସେମାନଙ୍କୁ
ବୁଝାଇବାକୁ ହେବ ଯେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ, ପରେ ସାରା ଦୁନିଆ । ସୂକ୍ଷ୍ମଲୋକରେ ତ
କୌଣସି ସୃଷ୍ଟି ନାହିଁ । ପଛରେ ହୋଇଥାଆନ୍ତି ଲକ୍ଷ୍ମୀ-ନାରାୟଣ ବା ବିଷ୍ଣୁ । ବାସ୍ତବରେ
ବିଷ୍ଣୁଙ୍କର ମନ୍ଦିର ମଧ୍ୟ ଭୁଲ । ତାଙ୍କୁ ଚତୁର୍ଭୁଜ ରୂପରେ ଦେଖାଇଛନ୍ତି ତେବେ ଚାରିଭୂଜାଧାରୀ
କୌଣସି ମନୁଷ୍ୟ ତ ହୋଇ ନ ଥା’ନ୍ତି । ବାବା ବୁଝାଉଛନ୍ତି ଇଏ ହେଉଛନ୍ତି ଲକ୍ଷ୍ମୀ-ନାରାୟଣ,
ଯାହାଙ୍କୁ ଯୁଗଳ ମୂର୍ତ୍ତି ବିଷ୍ଣୁଙ୍କ ରୂପରେ ଦେଖାଇଛନ୍ତି । କିନ୍ତୁ ବାସ୍ତବରେ
ଲକ୍ଷ୍ମୀ-ନାରାୟଣ ଉଭୟ ତ ଅଲଗା-ଅଲଗା ଅଟନ୍ତି । ସୂକ୍ଷ୍ମଲୋକରେ ବିଷ୍ଣୁଙ୍କର ୪ଟି ଭୂଜା ଥିବାର
ଦେଖାଉଛନ୍ତି ଅର୍ଥାତ୍ ଉଭୟଙ୍କୁ ମିଶାଇ ଚତୁର୍ଭୁଜ କରିଦେଇଛନ୍ତି, ବାକି ଏପରି କୌଣସି ମନୁଷ୍ୟ ନ
ଥା’ନ୍ତି । ମନ୍ଦିରରେ ଯେଉଁ ବିଷ୍ଣୁ ଚତୁର୍ଭୁଜ ମୂର୍ତ୍ତି ଦେଖାଉଛନ୍ତି - ତାହା ହେଲା
ସୂକ୍ଷ୍ମଲୋକର । ଚତୁର୍ଭୁଜଙ୍କୁ ଶଙ୍ଖ, ଚକ୍ର, ଗଦା, ପଦ୍ମ ଇତ୍ୟାଦି ଦେଇଛନ୍ତି । କିନ୍ତୁ
ପ୍ରକୃତରେ ଏମିତି କିଛି ନ ଥାଏ । ସ୍ୱଦର୍ଶନ ଚକ୍ର ମଧ୍ୟ ତୁମମାନଙ୍କର ଅଟେ । ନେପାଳରେ
ବିଷ୍ଣୁଙ୍କର ବହୁତ ବଡ ଚିତ୍ର କ୍ଷୀର ସାଗରରେ ଦେଖାଇଛନ୍ତି । ପୂଜା ସମୟରେ ସେଠାରେ କିଛି କ୍ଷୀର
ଢାଳି ଦେଇଥା’ନ୍ତି । ବାବା ଗୋଟି-ଗୋଟି କଥା ବହୁତ ଭଲ ଭାବରେ ବୁଝାଉଛନ୍ତି । ବିଷ୍ଣୁଙ୍କର ଅର୍ଥକୁ
କେହି ବି ଏଭଳି ଭାବରେ ବୁଝାଇପାରିବେ ନାହିଁ । କେହି ଏହାର ଅର୍ଥକୁ ମଧ୍ୟ ଜାଣିନାହାଁନ୍ତି । ଏକଥା
ତ ସ୍ୱୟଂ ଭଗବାନ ବୁଝାଉଛନ୍ତି । ଶିବବାବାଙ୍କୁ ହିଁ ଭଗବାନ ବୋଲି କୁହାଯାଉଛି । ସିଏ ତ ଜଣେ ହିଁ
ଅଟନ୍ତି କିନ୍ତୁ ଭକ୍ତିମାର୍ଗରେ ତାଙ୍କର ଅନେକ ନାମ ରଖିଦେଇଛନ୍ତି । ତୁମେ ଏବେ ଅନେକ ନାମରେ
ଡାକୁନାହଁ । ଭକ୍ତିମାର୍ଗରେ ବହୁତ ଧକ୍କା ମଧ୍ୟ ଖାଇଥା’ନ୍ତି । ତୁମେମାନେ ମଧ୍ୟ ଖାଇଛ ।
ବର୍ତ୍ତମାନ ଯଦି ତୁମେ ମନ୍ଦିରକୁ ଯିବ ତେବେ ଏହା ଉପରେ ବୁଝାଇବ ଯେ ଉଚ୍ଚରୁ ଉଚ୍ଚ ହେଉଛନ୍ତି
ଭଗବାନ, ପରମ ଆତ୍ମା, ନିରାକାର ପରମପିତା ପରମାତ୍ମା । ଆତ୍ମା ହିଁ ଏହି ଶରୀର ଦ୍ୱାରା କହୁଛି -
ହେ ପରମପିତା । ତାଙ୍କର ପୁଣି ଜ୍ଞାନର ସାଗର ଏବଂ ସୁଖର ସାଗର ବୋଲି ମଧ୍ୟ ମହିମା ରହିଛି ।
ଭକ୍ତିମାର୍ଗରେ ତ ଜଣଙ୍କର ଅନେକ ଚିତ୍ର ରହିଛି, କିନ୍ତୁ ଜ୍ଞାନ ମାର୍ଗରେ ତ ଏକମାତ୍ର ଜ୍ଞାନର
ସାଗର ହିଁ ଅଛନ୍ତି, ସିଏ ହିଁ ହେଉଛନ୍ତି ପତିତ-ପାବନ, ସମସ୍ତଙ୍କର ସଦଗତି ଦାତା । ତୁମ ବୁଦ୍ଧିରେ
ଏବେ ସାରା ଚକ୍ରର ଜ୍ଞାନ ରହିଛି । ଉଚ୍ଚରୁ ଉଚ୍ଚ ହେଉଛନ୍ତି ପରମାତ୍ମା, ତାଙ୍କ ପାଇଁ ହିଁ ଗାୟନ
ରହିଛି ଯେ ସିମର ସିମର ସୁଖ ପାଓ ଅର୍ଥାତ୍ ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ ଅଥବା ସ୍ମରଣ
କରିଚାଲ, ତେବେ ଶରୀରର ସମସ୍ତ କଳହ କ୍ଲେଶ ସମାପ୍ତ ହୋଇଯିବ, ପୁଣି ତୁମେ ଜୀବନମୁକ୍ତି ପଦ
ପ୍ରାପ୍ତ କରିବ । ଏହା ଜୀବନମୁକ୍ତି ଅଟେ ନା । ତୁମକୁ ବାବାଙ୍କଠାରୁ ଏହି ସୁଖର ସମ୍ପତ୍ତି ମିଳୁଛି
। କେବଳ ଜଣଙ୍କୁ ତ ମିଳୁ ନାହିଁ, ନିଶ୍ଚିତ ଭାବରେ ରାଜଧାନୀ ହେବ ନା ଅର୍ଥାତ୍ ବାବା ରାଜଧାନୀ
ସ୍ଥାପନ କରୁଛନ୍ତି । ସତ୍ୟଯୁଗରେ ରାଜା-ରାଣୀ, ପ୍ରଜା ସମସ୍ତେ ରହିବେ । ତୁମେ ଏବେ ଜ୍ଞାନ
ପ୍ରାପ୍ତ କରୁଛ, ତେଣୁ ଏଠାରୁ ଯାଇ ବଡ କୁଳରେ ଜନ୍ମ ନେବ । ତୁମକୁ ବହୁତ ସୁଖ ମିଳିବ । ଯେତେବେଳେ
ସତ୍ୟଯୁଗର ସ୍ଥାପନା ହୋଇଯିବ ସେତେବେଳେ ଏହି ବିକାରୀ ଆତ୍ମାମାନେ ଦଣ୍ଡ ଭୋଗ କରି ଯାଇ ସେଠାରେ
ଅର୍ଥାତ୍ ପରମଧାମରେ ନିଜ-ନିଜର ବିଭାଗରେ ରହିବେ । ପୁଣି ସେଠାରୁ ଏତେ ସବୁ ଆତ୍ମାମାନେ ଧୀରେ ଧୀରେ
ଏଠାକୁ ଆସିବାକୁ ଲାଗିବେ ଏବଂ ବୃଦ୍ଧି ହୋଇଚାଲିବେ । ଏହି କଥା ବୁଦ୍ଧିରେ ରହିବା ଦରକାର କି ଉପରୁ
ଆତ୍ମାମାନେ କିପରି ଆସୁଛନ୍ତି । ଏପରି ନୁହେଁ ଯେ ବୃକ୍ଷରେ ଦୁଇଟି ପତ୍ର ପରିବର୍ତ୍ତେ ଦଶଟି ପତ୍ର
ଏକାଥରକେ ବାହାରିଯିବା ଦରକାର । ନାଁ, କାଇଦା ଅନୁସାରେ ହିଁ ପତ୍ର ବାହାରିଥାଏ । ଏହା ମଧ୍ୟ ବହୁତ
ବଡ ବୃକ୍ଷ ଅଟେ । ହିସାବ ଦେଖାଉଛନ୍ତି ଯେ ଗୋଟିଏ ଦିନରେ ଲକ୍ଷ-ଲକ୍ଷ ସଂଖ୍ୟାରେ ବୃଦ୍ଧି ହୋଇଯାଉଛି
। ତେବେ ପ୍ରଥମେ ବୁଝାଇବାକୁ ହେବ - ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ, ପତିତ-ପାବନ, ସିଏ
ଦୁଃଖହର୍ତ୍ତା, ସୁଖକର୍ତ୍ତା ମଧ୍ୟ ଅଟନ୍ତି । ଯିଏ ବି ଅଭିନେତା ଦୁଃଖୀ ହେଉଛନ୍ତି, ସେ ସମସ୍ତଙ୍କୁ
ଆସି ସୁଖ ଦେଉଛନ୍ତି । ଦୁଃଖଦାତା ହେଉଛି ରାବଣ । ମନୁଷ୍ୟମାନେ ଏକଥା ଜାଣିନାହାଁନ୍ତି ଯେ
ବର୍ତ୍ତମାନ ବାବା ଆସିଛନ୍ତି ତେଣୁ ଆମେ ଯାଇ ତାଙ୍କଠାରୁ ଜ୍ଞାନ ନେବୁ । ଅନେକ ତ ଅଛନ୍ତି
ଯେଉଁମାନେ କି ବୁଝୁ-ବୁଝୁ ପୁଣି ବାହାରକୁ ଚାଲିଯାଉଛନ୍ତି, ଯେପରି ସ୍ନାନ କରୁ-କରୁ ପାଦ ଖସିଗଲେ
ପାଣି ଭିତରକୁ ଚାଲିଯାଇଥା’ନ୍ତି । ବାବା ତ ଅନୁଭବୀ ଅଟନ୍ତି ନା । ଏହି ସଂସାର ତ ହେଉଛି ବିଷୟ
ସାଗର । ବାବା ତୁମକୁ କ୍ଷୀର ସାଗର ଆଡକୁ ନେଇଯାଉଛନ୍ତି । କିନ୍ତୁ ମାୟା ରୂପୀ ଅଜଗର ଭଲ-ଭଲ
ମହାରଥୀମାନଙ୍କୁ ମଧ୍ୟ ଗ୍ରାସ କରିଦେଇଥାଏ । ବଞ୍ଚି ଥାଉ ଥାଉ ବାବାଙ୍କ କୋଳରୁ ମରି ରାବଣର କୋଳକୁ
ଚାଲିଯାଉଛନ୍ତି ଅର୍ଥାତ୍ ଏହି ଦିବ୍ୟ ଜନ୍ମରୁ ମରିଯାଉଛନ୍ତି । ତୁମମାନଙ୍କ ବୁଦ୍ଧିରେ ଅଛି ଯେ
ଉଚ୍ଚରୁ ଉଚ୍ଚ ବାବା ଆସି ଏହି ରଚନା କରୁଛନ୍ତି । ସୂକ୍ଷ୍ମଲୋକର ତ କୌଣସି ଇତିହାସ-ଭୂଗୋଳ ନାହିଁ
। ଯଦିଓ ତୁମେ ସୂକ୍ଷ୍ମଲୋକକୁ ଯାଇ ସାକ୍ଷାତ୍କାର କରୁଛ, ସେଠାରେ ଚତୁର୍ଭୁଜଙ୍କୁ ଦେଖୁଛ ।
ଚିତ୍ରରେ ମଧ୍ୟ ରହିଛି ନା । ଯଦି ଏହିସବୁ କଥା ବୁଦ୍ଧିରେ ରହିଛି ତେଣୁ ନିଶ୍ଚିତ ଭାବରେ ସାକ୍ଷାତ୍କାର
ହେବ । କିନ୍ତୁ ବାସ୍ତବରେ ଏଭଳି କୌଣସି ଜିନିଷ ନାହିଁ । ଏସବୁ ହେଉଛି ଭକ୍ତିମାର୍ଗର ଚିତ୍ର ।
ବର୍ତ୍ତମାନ ପର୍ଯ୍ୟନ୍ତ ଭକ୍ତିମାର୍ଗ ଚାଲିଛି । ଭକ୍ତିମାର୍ଗ ଶେଷ ହୋଇଗଲେ ଏହି ଚିତ୍ର ଆଦି ରହିବ
ନାହିଁ । ସ୍ୱର୍ଗରେ ତୁମେ ଏସବୁ କଥା ଭୁଲିଯିବ । ଏବେ ତୁମ ବୁଦ୍ଧିରେ ଅଛି ଯେ
ଲକ୍ଷ୍ମୀ-ନାରାୟଣଙ୍କର ଯୁଗଳ ରୂପ ହିଁ ହେଉଛି ବିଷ୍ଣୁ ଚତୁଃର୍ଭୁଜ ରୂପ । ଲକ୍ଷ୍ମୀ-ନାରାୟଣଙ୍କର
ପୂଜା ଅର୍ଥାତ୍ ଚତୁର୍ଭୂଜଙ୍କର ପୂଜା । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ହେଉ ଅଥବା ଚତୁର୍ଭୁଜଙ୍କର
ମନ୍ଦିର ହେଉ, କଥା ଏକ । ଏହି ଦୁଇଜଣଙ୍କ ସମ୍ବନ୍ଧରେ ଆଉ କେହି ବି ଜାଣି ନାହାଁନ୍ତି । ତୁମେ
ଜାଣିଛ ସତ୍ୟଯୁଗରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ, ତାକୁ ବିଷ୍ଣୁଙ୍କର ରାଜ୍ୟ ବୋଲି ତ
କହିପାରିବା ନାହିଁ । ଇଏ ପାଳନା ମଧ୍ୟ କରୁଛନ୍ତି । ସେମାନେ ସାରା ବିଶ୍ୱର ମାଲିକ ହୋଇଥିବାରୁ
ସାରା ବିଶ୍ୱର ପାଳନା ମଧ୍ୟ କରୁଛନ୍ତି ।
ଶିବ ଭଗବାନୁବାଚ - ମୁଁ
ତୁମମାନଙ୍କୁ ରାଜଯୋଗ ଶିଖାଉଛି । ତୁମେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ ତେବେ ଏହି
ଯୋଗ ଅଗ୍ନି ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ । ଏ ସବୁ କଥାକୁ ବିସ୍ତାର ରୂପରେ ବୁଝାଇବାକୁ
ହେବ । କୁହ, ଏହା ମଧ୍ୟ ଗୀତା ଅଟେ, କେବଳ ଗୀତାରେ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ଏହା ତ
ଭୁଲ୍ ଅଟେ, ଏଥିରେ ସମସ୍ତଙ୍କର ଗ୍ଲାନୀ କରିଦେଇଛନ୍ତି, ସେଥିପାଇଁ ଭାରତ ତମଃପ୍ରଧାନ ହୋଇଯାଇଛି ।
ବର୍ତ୍ତମାନ ହେଉଛି କଳିଯୁଗୀ ଦୁନିଆର ଅନ୍ତିମ ସମୟ, ଏହାକୁ ତମଃପ୍ରଧାନ ଲୌହଯୁଗୀ ଦୁନିଆ ବୋଲି
କୁହାଯାଉଛି । ଯେଉଁମାନେ ସତ୍ତ୍ୱପ୍ରଧାନ ଥିଲେ, ସେହିମାନେ ହିଁ ୮୪ଜନ୍ମ ନେଇଛନ୍ତି । ଜନ୍ମ-ମରଣ
ଚକ୍ରରେ ତ ସମସ୍ତଙ୍କୁ ନିଶ୍ଚିତ ଭାବରେ ଆସିବାକୁ ପଡିବ । ଯେତେବେଳେ ସଂପୂର୍ଣ୍ଣ ରୂପେ ୮୪ ଜନ୍ମ
ନେଇଯାଉଛନ୍ତି ସେତେବେଳେ ପୁଣି ବାବାଙ୍କୁ ଆସିବାକୁ ପଡୁଛି ପ୍ରଥମ ନମ୍ବରରେ । ଏଠାରେ କେବଳ
ଜଣଙ୍କର କଥା କୁହାଯାଉ ନାହିଁ, ତାଙ୍କର ତ ସାରା ରାଜଧାନୀ ଥିଲା ନା, ତାହା ପୁଣି ଥରେ ନିଶ୍ଚିତ
ହେବ । ବାବା ସମସ୍ତଙ୍କ ପାଇଁ କହୁଛନ୍ତି ତୁମେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ ତେବେ
ଯୋଗ ଅଗ୍ନି ଦ୍ୱାରା ତୁମର ସବୁ ପାପ କଟିଯିବ । କାମ ବିକାର ରୂପି ଚିତାରେ ବସି ସମସ୍ତେ କଳା
ହୋଇଯାଇଛନ୍ତି । ଏବେ କଳାରୁ ଗୋରା କିପରି ହେବେ? ସେ କଥା ତ ବାବା ହିଁ ଶିଖାଉଛନ୍ତି ।
କୃଷ୍ଣଙ୍କର ଆତ୍ମା ମଧ୍ୟ ନିଶ୍ଚିତ ଭାବରେ ଭିନ୍ନ-ଭିନ୍ନ ନାମ-ରୂପ ନେଇ ଆସୁଥିବେ । ଯିଏ
ଲକ୍ଷ୍ମୀ-ନାରାୟଣ ଥିଲେ ତାଙ୍କୁ ହିଁ ପୁଣି ୮୪ ଜନ୍ମ ପରେ ସେଇ ବ୍ରହ୍ମା ହେବାକୁ ପଡିବ । ତେବେ
ତାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ବାବା ଆସି ପ୍ରବେଶ କରୁଛନ୍ତି । ପୁଣି ସିଏ ସତ୍ତ୍ୱପ୍ରଧାନ
ବିଶ୍ୱର ମାଲିକ ହେଉଛନ୍ତି । ତୁମେମାନେ ପାରସନାଥଙ୍କୁ ପୂଜା କରୁଛ ଏବଂ ଶିବଙ୍କୁ ମଧ୍ୟ ପୂଜା
କରୁଛ । ତେବେ ନିଶ୍ଚିତ ଭାବରେ ତାଙ୍କୁ ଶିବ ହିଁ ଏହିପରି ପାରସନାଥ କରିଥିବେ । ଶିକ୍ଷକଙ୍କର ତ
ଆବଶ୍ୟକତା ରହିଛି ନା । ସିଏ ତ ହେଉଛନ୍ତି ଜ୍ଞାନର ସାଗର । ଏବେ ସତ୍ତ୍ୱପ୍ରଧାନ ପାରସନାଥ ହେବାର
ଅଛି, ତେଣୁ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଅ । ସିଏ ହିଁ ସମସ୍ତଙ୍କର ଦୁଃଖ ହରଣ କରି
ସୁଖ ଦେଇଥା’ନ୍ତି । ଏହା ହେଉଛି କଣ୍ଟାର ଜଙ୍ଗଲ, ବାବା ଆସିଛନ୍ତି ଫୁଲର ବଗିଚା କରିବା ପାଇଁ ।
ବାବା ନିଜର ପରିଚୟ ଦେଇ କହୁଛନ୍ତି, ମୁଁ ଏହି ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରୁଛି, ଯିଏକି
ନିଜର ଜନ୍ମକୁ ଜାଣିନାହିଁ । ଭଗବାନୁବାଚ - ମୁଁ ତୁମକୁ ରାଜଯୋଗ ଶିଖାଉଛି । ତେଣୁ ଏହା ଈଶ୍ୱରୀୟ
ବିଶ୍ୱ ବିଦ୍ୟାଳୟ । ଏଠାରେ ରାଜା-ରାଣୀ ହେବାର ଲକ୍ଷ୍ୟ ରହିଛି, ତେଣୁ ପ୍ରଜା ମଧ୍ୟ ନିଶ୍ଚିତ
ଭାବରେ ହେବେ । ମନୁଷ୍ୟମାନେ ଯୋଗ ଯୋଗ ବୋଲି ବହୁତ କହୁଛନ୍ତି । ନିବୃତ୍ତି ମାର୍ଗର ସନ୍ନ୍ୟାସୀ ତ
ଅନେକ ପ୍ରକାରର ହଠଯୋଗ କରିଥା’ନ୍ତି, ତେବେ ସେମାନେ କେବେ ବି ରାଜଯୋଗ ଶିଖାଇ ପାରିବେ ନାହିଁ ।
ବାବାଙ୍କର ହେଉଛି ଗୋଟିଏ ପ୍ରକାରର ଯୋଗ । କେବଳ କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ
। ଆମର ଏବେ ୮୪ ଜନ୍ମ ପୂରା ହେଲା, ବର୍ତ୍ତମାନ ଘରକୁ ଯିବାକୁ ହେବ । ତେଣୁ ବର୍ତ୍ତମାନ ପବିତ୍ର
ହେବାକୁ ପଡିବ । ସେଥିପାଇଁ ଏକମାତ୍ର ବାବାଙ୍କୁ ମନେ ପକାଅ, ବାକି ସମସ୍ତଙ୍କୁ ଛାଡିଦିଅ ।
ଭକ୍ତିମାର୍ଗରେ ତୁମେ ଗାୟନ କରୁଥିଲ ଯେ ଆମେ ଆଉ ସବୁ ସଙ୍ଗ ଛାଡି ତୁମ ସହିତ ସମ୍ବନ୍ଧ ରଖିବୁ ।
ତେଣୁ ନିଶ୍ଚିତ ଭାବରେ ତାଙ୍କଠାରୁ କିଛି ସମ୍ପତ୍ତି ମିଳିଥିଲା ନା । ଅଧାକଳ୍ପ ହେଉଛି ସ୍ୱର୍ଗ
ତା’ ପରେ ପୁଣି ନର୍କ ହୋଇଯାଉଛି । ରାବଣ ରାଜ୍ୟ ଆରମ୍ଭ ହୋଇଯାଉଛି । ଅନ୍ୟମାନଙ୍କୁ ଏହିଭଳି ଭାବରେ
ବୁଝାଇବା ଉଚିତ୍ । ନିଜକୁ ଦେହ ମନେ କର ନାହିଁ । ଆତ୍ମା ତ ଅବିନାଶୀ ଅଟେ, ଆତ୍ମାରେ ହିଁ ସମସ୍ତ
ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି, ଯାହାକି ଏଠାରେ ଆସି ତୁମେ କରୁଛ । ବର୍ତ୍ତମାନ ଶିବବାବାଙ୍କୁ
ମନେପକାଅ ତେବେ ତୁମର ଜୀବନରୂପୀ ନୌକା ପାରି ହୋଇଯିବ । ସନ୍ନ୍ୟାସୀମାନେ ପବିତ୍ର ହୋଇଥିବାରୁ
ଦୁନିଆରେ ତାଙ୍କର କେତେ ସମ୍ମାନ ରହିଛି । ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥା’ନ୍ତି ।
ପବିତ୍ରତାର ଧାରଣା ଆଧାରରେ ହିଁ ଉଚ୍ଚ-ନୀଚ୍ଚ ହୋଇଥା’ନ୍ତି । ଦେବତାମାନେ ତ ସବୁଠାରୁ ଉଚ୍ଚ ।
ସନ୍ନ୍ୟାସୀମାନେ ଗୋଟିଏ ଜନ୍ମ ପବିତ୍ର ରୁହନ୍ତି ପୁଣି ପରବର୍ତ୍ତୀ ଜନ୍ମ ବିକାରରୁ ହିଁ
ନେଇଥା’ନ୍ତି । ଦେବତାମାନେ ତ ସତ୍ୟଯୁଗରେ ହିଁ ରହିଥା’ନ୍ତି । ବର୍ତ୍ତମାନ ତୁମେ ନିଜେ ରାଜଯୋଗର
ପାଠ ପଢି ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢାଉଛ । କେହି କେହି ନିଜେ ପଢୁଛନ୍ତି କିନ୍ତୁ ଅନ୍ୟମାନଙ୍କୁ
ବୁଝାଇ ପାରୁନାହାଁନ୍ତି, କାହିଁକି ନା ସେମାନଙ୍କର ଧାରଣା ହେଉନାହିଁ । ତେଣୁ ବାବା କହୁଛନ୍ତି ଯଦି
ତୁମର ଭାଗ୍ୟରେ ନାହିଁ ତେବେ ବାବା କ’ଣ କରିବେ । ବାବା ଯଦି ସମସ୍ତଙ୍କୁ ଆଶୀର୍ବାଦ କରିବେ ତେବେ
ସମସ୍ତେ ସ୍କଲାରସିପ୍ (ବୃତ୍ତି) ପାଇଯିବେ । ସେମାନେ ତ ଭକ୍ତିମାର୍ଗରେ କେବଳ ଆଶୀର୍ବାଦ ହିଁ
କରିଥା’ନ୍ତି । ସନ୍ନ୍ୟାସୀ ମଧ୍ୟ ଏହିପରି କରିଥା’ନ୍ତି । ତାଙ୍କୁ ଯାଇ କହୁଛନ୍ତି ଯେ ମୋତେ
ଆଶୀର୍ବାଦ କର, ମୋର ସନ୍ତାନଟିଏ ହେଉ । ତେବେ ସେମାନେ କହିଥା’ନ୍ତି ଆଚ୍ଛା, ତୁମର ପୁତ୍ର
ସନ୍ତାନଟିଏ ହେବ । ଯଦି କନ୍ୟା ସନ୍ତାନ ହେଲା ତେବେ କହିବେ ଭାଗ୍ୟ । ଯଦି ପୁତ୍ର ହେଲା ତେବେ
ବାହା-ବାହା କହି ପାଦ ତଳେ ପଡିଯିବେ । ଆଚ୍ଛା ତା’ର ମୃତ୍ୟୁ ହୋଇଗଲା, ତେବେ କାନ୍ଦ-ବୋବାଳି
ଆରମ୍ଭ କରି ଦିଅନ୍ତି ଏବଂ ଗୁରୁଙ୍କୁ ଗାଳି ଦେବାରେ ଲାଗିପଡନ୍ତି । ତେବେ ଗୁରୁ କହନ୍ତି ଯେ ଏହା
ତୁମ ଭାଗ୍ୟରେ ଥିଲା, ତେବେ ତାଙ୍କୁ ପଚାରନ୍ତି ପୂର୍ବରୁ କାହିଁକି ଏକଥା କହିଲ ନାହିଁ । ଯଦି କେହି
ମୃତ୍ୟୁ ମୁଖରୁ ବଞ୍ଚିଯାଏ ତେବେ ଏହାକୁ ମଧ୍ୟ ଡ୍ରାମା ବୋଲି କହନ୍ତି । ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ଥିଲା । ଆତ୍ମା କେଉଁଠାରେ ଲୁଚିଯାଇଥାଏ । ଡାକ୍ତରମାନେ ମଧ୍ୟ ଭାବନ୍ତି ଯେ ଏହାର
ମୃତ୍ୟୁ ହୋଇଯାଇଥିଲା, ପୁଣି ବଞ୍ଚିଲା କିପରି । କେହି କେହି ତ ଜୁଇରୁ ମଧ୍ୟ ଉଠି ଆସି ଥାଆନ୍ତି ।
ତେଣୁ କେହି ଯଦି କୌଣସି ସନ୍ନ୍ୟାସୀଙ୍କୁ ଗୁରୁ କରିଦେଲେ ତେବେ ବହୁତ ଲୋକ ତାଙ୍କୁ ଗୁରୁ କରିବାରେ
ଲାଗିପଡନ୍ତି ।
ତୁମମାନଙ୍କୁ ବହୁତ
ନିର୍ମାଣଚିତ୍ତ ହୋଇ ଚାଲିବାକୁ ହେବ । ଅହଂକାର ଯେପରି ଟିକିଏ ବି ନ ରହୁ । ଆଜିକାଲି ଯଦି କାହା
ଆଗରେ ଟିକିଏ ବି ଅହଂକାର ଦେଖାଇଲ ତେବେ ଶତ୍ରୁତା ବଢିଲା, ତେଣୁ ବହୁତ ନମ୍ରତାର ସହିତ ଚାଲିବା
ଉଚିତ୍ । ନେପାଳରେ ମଧ୍ୟ ଏହି ଜ୍ଞାନର ପ୍ରଭାବ ପଡିବ । ଏବେ ତୁମମାନଙ୍କ ମହିମାର ସମୟ ଆସି ନାହିଁ
। ନଚେତ୍ ସନ୍ନ୍ୟାସୀମାନଙ୍କର ଆଖଡା ରହିବ ନାହିଁ । ଯଦି ପ୍ରଭାବଶାଳୀ ଲୋକମାନେ ଜାଗ୍ରତ ହୋଇ
ସଭାରେ ବସି ଏହି କଥା ଶୁଣାଇବେ ତେବେ ତାଙ୍କ ପଛରେ ଅନେକ ଜ୍ଞାନମାର୍ଗରୁ ଆସିଯିବେ । କେହି ଏମ.ପି.
ଯଦି ତୁମର ମହିମା କରିବେ କି ଭାରତର ରାଜଯୋଗ ଏହି ବ୍ରହ୍ମାକୁମାର କୁମାରୀମାନଙ୍କ ବ୍ୟତୀତ ଆଉ କେହି
ଶିଖାଇ ପାରିବେ ନାହିଁ, କିନ୍ତୁ ବର୍ତ୍ତମାନ ଏପରି କେହି ଜଣେ ହେଲେ ବାହାରି ନାହାଁନ୍ତି । ତେଣୁ
ପିଲାମାନଙ୍କୁ ବହୁତ ବୁଦ୍ଧିମାନ, ଚମତ୍କାରୀ ହେବାକୁ ପଡିବ । ଅମୁକ-ଅମୁକ କିଭଳି ଭାଷଣ କରୁଛନ୍ତି
ଶିଖିବା ଦରକାର । ସେବା କରିବାର ଉପାୟ ବାବା ଶିଖାଉଛନ୍ତି । ବାବା ଯେଉଁ ମୁରଲୀ ଶୁଣାଉଛନ୍ତି,
କଳ୍ପ-କଳ୍ପ ଠିକ୍ ସେହିଭଳି ମୁରଲୀ ଶୁଣାଇଥିବେ । ଡ୍ରାମାରେ ମଧ୍ୟ ଏହା ହିଁ ନିଧାର୍ଯ୍ୟ ଅଛି ।
ତେଣୁ ପ୍ରଶ୍ନ ଉଠିପାରିବ ନାହିଁ ଯେ - ଏମିତି କାହିଁକି? ଡ୍ରାମା ଅନୁସାରେ ଯାହା ବୁଝାଇବାର ଥିଲା
ତାହା ବୁଝାଇଲି । ଏବେ ପର୍ଯ୍ୟନ୍ତ ମଧ୍ୟ ବୁଝାଇବାରେ ଲାଗିଛି । ବାକି ଲୋକମାନେ ତ ଅନେକ ପ୍ରଶ୍ନ
କରିବେ । ତେଣୁ ସେମାନଙ୍କୁ କୁହ, ପ୍ରଥମେ ମନମନାଭବ ହୋଇଯାଅ । ବାବାଙ୍କୁ ଜାଣିବା ଦ୍ୱାରା ତୁମେ
ସବୁକିଛି ଜାଣିଯିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସେବା
କରିବାର ଉପାୟ ଶିଖି ବହୁତ-ବହୁତ ବୁଦ୍ଧିମାନ ଏବଂ ଚମତ୍କାରୀ ହେବାକୁ ପଡିବ । ନିଜେ ଧାରଣା କରି
ଅନ୍ୟମାନଙ୍କୁ କରାଇବାକୁ ହେବ । ପାଠପଢା ଦ୍ୱାରା ନିଜର ଭାଗ୍ୟ ନିଜେ ଗଢିବାକୁ ହେବ ।
(୨) କୌଣସି କଥାରେ
ଟିକିଏ ବି ଅଂହକାର ଦେଖାଇବାର ନାହିଁ, ବହୁତ ବହୁତ ନିର୍ମାଣଚିତ୍ତ ହେବାର ଅଛି । ମାୟା ରୂପୀ
କୁମ୍ଭୀର ଠାରୁ ନିଜକୁ ସୁରକ୍ଷିତ ରଖିବାର ଅଛି ।
ବରଦାନ:-
ବିତିଯାଇଥିବା
କଥାକୁ ଶ୍ରେଷ୍ଠ ବିଧି ଦ୍ୱାରା ଅତିକ୍ରମ କରି ସ୍ମରଣୀୟ ହେଉଥିବା ସମ୍ମାନର ସହିତ ଉତ୍ତୀର୍ଣ୍ଣ ଭବ
।
କଥାରେ ଅଛି “ପାଷ୍ଟ ଇଜ୍
ପାଷ୍ଟ” ଅର୍ଥାତ୍ ଯାହା କିଛି ଘଟିଯାଇଛି ତାହା ନିଶ୍ଚିତ ଭୁଲି ହୋଇଯିବ । ସେହି ସମୟ ଏବଂ ସେହି
ଦୃଶ୍ୟ ମଧ୍ୟ ଅତିକ୍ରମ କରିଯିବ କିନ୍ତୁ ତୁମେମାନେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ପ୍ରତ୍ୟେକ
ସଂକଳ୍ପକୁ, ସମୟକୁ ଅତିକ୍ରମ କର ଅର୍ଥାତ୍ ବିତିଯାଇଥିବା କଥାକୁ ଏଭଳି ଶ୍ରେଷ୍ଠ ବିଧିରେ ଅତିକ୍ରମ
କର ଯାହାକି ଅତୀତକୁ ସ୍ମୃତିରେ ଆଣିବା ମାତ୍ରକେ ଅନ୍ତର ଭିତରୁ ବାଃ ବାଃର ଶବ୍ଦ ବାହାରୁଥିବ ।
ଅନ୍ୟ ଆତ୍ମାମାନେ ତୁମର ବିତିଯାଇଥିବା କାହାଣୀରୁ ଶିକ୍ଷା ଗ୍ରହଣ କରିବେ । ତୁମମାନଙ୍କର ଅତୀତ
ସ୍ମରଣୀୟ ହୋଇ ରହିଥାଉ ତାହା ହେଲେ ସମସ୍ତେ କୀର୍ତ୍ତନ ଅର୍ଥାତ୍ କୀର୍ତ୍ତିଗାନ କରିବେ ।
ସ୍ଲୋଗାନ:-
ଯଦି ସ୍ୱ-କଲ୍ୟାଣର
ଶ୍ରେଷ୍ଠ ଯୋଜନା ପ୍ରସ୍ତୁତ କରିବ ତେବେ ବିଶ୍ୱ ସେବାକୁ ଶକ୍ତିଶାଳୀ ପ୍ରକମ୍ପନ ପ୍ରାପ୍ତ ହେବ ।