17.04.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଏହି
ଉତ୍କୃଷ୍ଟ ପାଠପଢ଼ା ଅବିନାଶୀ ବାବା ହିଁ ପଢ଼ାଉଛନ୍ତି, ତେଣୁ ବାବା ଏବଂ ତାଙ୍କର ପାଠପଢ଼ାରେ କୌଣସି
ପ୍ରକାରର ସଂଶୟ ଆସିବା ଉଚିତ୍ ନୁହେଁ, ପ୍ରଥମେ ଏହି ନିଶ୍ଚୟ ହେବା ଦରକାର କି ଆମକୁ ପଢାଇଲାବାଲା
କିଏ ।”
ପ୍ରଶ୍ନ:-
ତୁମମାନଙ୍କୁ
ନିରନ୍ତର ଯୋଗର ଯାତ୍ରାରେ ରହିବାର ଶ୍ରୀମତ କାହିଁକି ମିଳିଛି?
ଉତ୍ତର:-
କାହିଁକିନା ମାୟାରୂପୀ ଶତ୍ରୁ ଏବେ ବି ତୁମ ପଛରେ ଲାଗିଛି, ଯିଏକି ତୁମକୁ ପତିତ କରିଦେଇଛି । ଏବେ
ସିଏ ତୁମର ପିଛା ଛାଡିବ ନାହିଁ, ସେଥିପାଇଁ କୌଣସି ପ୍ରକାରର ଭୁଲ୍ କରନାହିଁ । ଯଦିଓ ତୁମେମାନେ
ବର୍ତ୍ତମାନ ସଙ୍ଗମଯୁଗରେ ଅଛ କିନ୍ତୁ ଅଧାକଳ୍ପ ତା’ର ହୋଇ ରହିଥିଲ ସେଥିପାଇଁ ସିଏ ତୁମକୁ ଏତେ
ଶୀଘ୍ର ଛାଡିବ ନାହିଁ । ଯଦି ବାବାଙ୍କର ସ୍ମୃତି ଭୁଲିଯିବ ତେବେ ମାୟା ବିକର୍ମ କରାଇଦେବ,
ସେଥିପାଇଁ ସାବଧାନ ହୋଇ ରହିବାକୁ ହେବ । କେବେହେଲେ ଆସୁରୀ ମତରେ ଚାଲିବାର ନାହିଁ ।
ଓମ୍ ଶାନ୍ତି ।
ବର୍ତ୍ତମାନ ବାବା
ବି ଅଛନ୍ତି ତ ପିଲାମାନେ ବି ଅଛନ୍ତି, ବାବା ଅନେକ ପିଲାମାନଙ୍କୁ କହିବେ “ହେ ପିଲାମାନେ” ଏବଂ ସବୁ
ପିଲାମାନେ ପୁଣି କହୁଛନ୍ତି “ଓ ବାବା” । ପିଲାମାନଙ୍କର ସଂଖ୍ୟା ତ’ ବହୁତ । ତୁମେ ଜାଣୁଛ ଏହି
ଜ୍ଞାନ ଆମ ଆତ୍ମାମାନଙ୍କ ପାଇଁ ଉଦ୍ଧିଷ୍ଟ । ଏକ ବାବାଙ୍କର କେତେ ସନ୍ତାନ ଅଛନ୍ତି । ପିଲାମାନେ
ଜାଣିଛନ୍ତି ବାବା ଆମକୁ ପାଠ ପଢ଼ାଇବାକୁ ଆସିଛନ୍ତି । ସିଏ ପ୍ରଥମେ ପ୍ରଥମେ ଆମର ପିତା, ପୁଣି
ଶିକ୍ଷକ, ପୁଣି ସତଗୁରୁ ମଧ୍ୟ ଅଟନ୍ତି । ତେବେ ବାବା ତ’ ବାବା ହିଁ ଅଟନ୍ତି । ବାବା ପୁଣି
ପବିତ୍ର କରିବା ପାଇଁ ଯୋଗର ଯାତ୍ରା ଶିଖାଉଛନ୍ତି । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ଏହା
ହେଉଛି ଏକ ଉତ୍କୃଷ୍ଟ ପାଠପଢ଼ା । ଡ୍ରାମାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବାବାଙ୍କ ବିନା କେହି
କହିପାରିବେ ନାହିଁ, ସେଥିପାଇଁ ତାଙ୍କୁ ବେହଦର ପିତା ବୋଲି କୁହାଯାଉଛି । ଏହି ନିଶ୍ଚୟ ତ’
ପିଲାମାନଙ୍କର ନିଶ୍ଚିତ ଭାବରେ ରହିଛି, ଏଥିରେ ସଂଶୟର କଥା ଉଠିପାରିବ ନାହିଁ । ତେବେ ଏହି
ଅବିନାଶୀ ପାଠକୁ ଅବିନାଶୀ ବାବାଙ୍କ ବ୍ୟତୀତ ଆଉ କେହି ବି ପଢ଼ାଇ ପାରିବେ ନାହିଁ । ଡାକୁଛନ୍ତି
ମଧ୍ୟ ହେ ବାବା ଆସ, ଆମକୁ ପବିତ୍ର ଦୁନିଆକୁ ନେଇଚାଲ, କାହିଁକିନା ଏହା ହେଉଛି ଅପବିତ୍ର ଦୁନିଆ ।
ବାବା ଆମକୁ ପବିତ୍ର ଦୁନିଆକୁ ନେଇଯାଉଛନ୍ତି । ସେଠାରେ କ’ଣ ଆମେ କହିବା କି ବାବା ଆସ, ଆମକୁ
ପବିତ୍ର ଦୁନିଆକୁ ନେଇଯାଅ । ପିଲାମାନେ ଜାଣିଛନ୍ତି ସିଏ ହେଉଛନ୍ତି ଆମ ଆତ୍ମାମାନଙ୍କର ପିତା ।
ତେଣୁ ଦେହ-ଅଭିମାନ ସମାପ୍ତ ହୋଇଯାଉଛି । ଆତ୍ମା କହୁଛି ସିଏ ମୋର ପିତା ଅଟନ୍ତି । ତେବେ ଏହି
ନିଶ୍ଚୟ ତ ରହିବା ଦରକାର କି ବାବାଙ୍କ ବ୍ୟତୀତ କେହି ଏତେ ସବୁ ଜ୍ଞାନ ଦେଇପାରିବେ ନାହିଁ ।
ପ୍ରଥମେ ତ’ ଏହିପରି ନିଶ୍ଚୟ ବୁଦ୍ଧି ହେବା ଦରକାର । ନିଶ୍ଚୟ ମଧ୍ୟ ଆତ୍ମାକୁ ବୁଦ୍ଧିରେ ହିଁ
ହୋଇଥାଏ । ଆତ୍ମାକୁ ଏହି ଜ୍ଞାନ ମିଳୁଛି ଯେ, ଇଏ ଆମର ବାବା ଅଟନ୍ତି । ତେବେ ଏହି ନିଶ୍ଚୟ
ପିଲାମାନଙ୍କର ବହୁତ ପକ୍କା ହେବା ଉଚିତ୍ । ମୁଖରେ କିଛି ବି କହିବାର ଆବଶ୍ୟକତା ନାହିଁ । ମୁଁ
ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଉଛି । ଆତ୍ମାରେ ହିଁ ସମସ୍ତ ସଂସ୍କାର ରହିଛି ।
ବର୍ତ୍ତମାନ ତୁମେ ଜାଣୁଛ
ଯେ, ବାବା ଆସି ଆମକୁ ଏଭଳି ପାଠପଢ଼ାଉଛନ୍ତି, ଏଭଳି କର୍ମ ଶିଖାଉଛନ୍ତି ଯାହାଦ୍ୱାରା ଏବେ ଆମେ ଏହି
ଦୁନିଆକୁ ଆଉ ଆସିବୁ ନାହିଁ । କିନ୍ତୁ ମନୁଷ୍ୟମାନେ ତ’ ଭାବୁଛନ୍ତି କି ପୁଣି ଏହି ଦୁନିଆକୁ ହିଁ
ଆସିବାକୁ ପଡିବ କିନ୍ତୁ ତୁମେ ଏପରି ଭାବୁନାହଁ । ତୁମେ ଏହି ଅମର କଥା ଶୁଣି ଶୁଣି ଅମରପୁରୀକୁ
ଯାଉଛ, ଅମରପୁରୀ ଅର୍ଥାତ୍ ଯେଉଁଠାରେ ସର୍ବଦା ଅମର ରହିବ । ସତ୍ୟଯୁଗ-ତ୍ରେତାଯୁଗ ହେଉଛି ଅମରପୁରୀ
। ତେଣୁ ପିଲାମାନଙ୍କୁ କେତେ ଖୁସି ହେବା ଉଚିତ୍ । ଏହି ପାଠପଢ଼ା ବାବାଙ୍କ ବ୍ୟତୀତ ଆଉ କେହି ପଢ଼ାଇ
ପାରିବେ ନାହିଁ । ବାବା ଆମକୁ ପାଠ ପଢ଼ାଉଛନ୍ତି, ବାକି ଆଉ ଯେଉଁ ଶିକ୍ଷକମାନେ ଅଛନ୍ତି ସେମାନେ ତ
ହେଉଛନ୍ତି ସାଧାରଣ ମନୁଷ୍ୟ । ଏଠାରେ ତୁମେ ଯାହାକୁ ପତିତ-ପାବନ, ଦୁଃଖହର୍ତ୍ତା-ସୁଖକର୍ତ୍ତା ବୋଲି
କହୁଛ ସେହି ବାବା ଏବେ ତୁମକୁ ସମ୍ମୁଖରେ ପାଠ ପଢ଼ାଉଛନ୍ତି । ସମ୍ମୁଖକୁ ଆସିବା ବିନା ରାଜଯୋଗର
ପାଠ କିପରି ପଢ଼ାଇବେ? ବାବା କହୁଛନ୍ତି ମୁଁ ତୁମ ମିଠା ମିଠା ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ
ଏଠାକୁ ଆସିଥାଏ । ପଢାଇବା ପାଇଁ ଏହାଙ୍କ ଶରୀରରେ ପ୍ରବେଶ କରିଥାଏ । ବାସ୍ତବରେ ଭଗବାନୁବାଚ ମଧ୍ୟ
ରହିଛି ତେଣୁ ନିଶ୍ଚିତ ଭାବରେ ତାଙ୍କର ଶରୀର ଦରକାର ନା । କେବଳ ମୁଖ ନୁହେଁ କିନ୍ତୁ ସାରା ଶରୀର
ଆବଶ୍ୟକ । ବାବା ନିଜେ କହୁଛନ୍ତି - ମିଠା ମିଠା ଆତ୍ମିକ ସନ୍ତାନମାନେ, ମୁଁ କଳ୍ପ କଳ୍ପ ଏହି
ପୁରୁଷୋତ୍ତମ ସଙ୍ଗମଯୁଗରେ ସାଧାରଣ ଶରୀରରେ ଆସୁଛି । ଇଏ ବହୁତ ଗରିବ ମଧ୍ୟ ନୁହଁନ୍ତି ତ ସାହୁକାର
ମଧ୍ୟ ନୁହଁନ୍ତି କିନ୍ତୁ ବିଲ୍କୁଲ୍ ସାଧାରଣ ଅଟନ୍ତି । ତୁମମାନଙ୍କର ଏହି ନିଶ୍ଚୟ ରହିବା ଉଚିତ୍
ଯେ - ସିଏ ହେଉଛନ୍ତି ଆମର ବାବା, ଆମେମାନେ ହେଉଛୁ ଆତ୍ମା । ଆମ ଆତ୍ମାମାନଙ୍କର ସିଏ ପିତା ଅଟନ୍ତି
। ସାରା ଦୁନିଆର ଯେତେ ବି ମନୁଷ୍ୟମାତ୍ରଙ୍କର ଆତ୍ମାମାନେ ଅଛନ୍ତି, ସମସ୍ତଙ୍କର ସିଏ ହେଉଛନ୍ତି
ବାବା, ସେଥିପାଇଁ ତାଙ୍କୁ ବେହଦର ପିତା ବୋଲି କୁହାଯାଉଛି । ଯଦିଓ ଶିବଜୟନ୍ତୀ ପାଳନ କରାଯାଉଛି,
କିନ୍ତୁ ଏ ବିଷୟରେ କେହି ବି ଜାଣିନାହାଁନ୍ତି । ତୁମେ ଯଦି କାହାକୁ ବି ପଚାରିବ ଶିବଜୟନ୍ତୀ
କେବେଠାରୁ ପାଳନ କରାଯାଉଛି? ତେବେ କହିବେ ଏହା ପରମ୍ପରାରୁ ପାଳିତ ହୋଇଆସୁଛି । ତେବେ ତାହା ମଧ୍ୟ
କେବେଠାରୁ? କୌଣସି ତାରିଖ ତ’ ଥିବ ନା । ଏହି ଡ୍ରାମା ଅନାଦି କିନ୍ତୁ ଡ୍ରାମାରେ ଯେଉଁ ସବୁ
କାର୍ଯ୍ୟକଳାପ ହେଉଛି, ତା’ର ତିଥି ତାରିଖ ରହିବା ଦରକାର ନା । ଏକଥା ତ’ କେହି ବି ଜାଣିନାହାନ୍ତି
ଯେ ଶିବବାବା ଆସୁଛନ୍ତି, ତେଣୁ ସେତିକି ସ୍ନେହର ସହିତ ଜୟନ୍ତୀ ମଧ୍ୟ ପାଳନ କରୁନାହାନ୍ତି ।
ନେହେରୁଙ୍କର ଜୟନ୍ତୀ ବହୁତ ସ୍ନେହରେ ପାଳନ କରୁଛନ୍ତି । ଆଖିରେ ଲୁହ ମଧ୍ୟ ଆସିଯାଉଛି କିନ୍ତୁ
ଶିବଜୟନ୍ତୀ ବିଷୟରେ କାହାକୁ ବି ଜଣାନାହିଁ । ଏବେ ତୁମେମାନେ ଅନୁଭବୀ ହୋଇଗଲଣି । ଅନେକ ମନୁଷ୍ୟ
ଅଛନ୍ତି ଯେଉଁମାନେ କି ଏ ବିଷୟରେ କିଛି ବି ଜାଣି ନାହାଁନ୍ତି । ଦୁନିଆରେ ଅନେକ ସ୍ଥାନରେ କେତେ
ମେଳା ଲାଗୁଛି । ସେଠାକୁ ଯେଉଁମାନେ ଯାଉଛନ୍ତି ସେମାନେ କହିପାରିବେ ଯେ ସତ୍ୟ କ’ଣ । ଯେପରି ବାବା
ଅମରନାଥର ମଧ୍ୟ ଉଦାହରଣ ଦେଇଥିଲେ, ସେଠାକୁ ଯାଇ ଦେଖିଲେ ଯେ ସତ୍ୟ କ’ଣ । ଅନ୍ୟମାନେ ତ’ ଯାହା
କାହାଠାରୁ ଶୁଣୁଛନ୍ତି ତାହା କହିଦେଉଛନ୍ତି । କେହି ଯଦି କହିବେ ଯେ ସେଠାରେ ବରଫର ଲିଙ୍ଗ ଅଛି,
ତେବେ କହିବେ ଯେ ଏହା ସତ୍ୟ । ବର୍ତ୍ତମାନ ତୁମେମାନେ ଅନୁଭବୀ ହୋଇଯାଇଛ - ସତ୍ୟ କ’ଣ, ମିଥ୍ୟା
କ’ଣ । ଏବେ ପର୍ଯ୍ୟନ୍ତ ଯାହା ତୁମେ ଶୁଣି ଆସିଛ ବା ପଢ଼ି ଆସିଛ, ସେ ସବୁ ନ୍ୟାୟସଂଗତ ନୁହେଁ ।
ଗାୟନ ମଧ୍ୟ ରହିଛି ନା - ମିଛ ମାୟା... ଏହା ହେଉଛି ମିଥ୍ୟା ଦୁନିଆ, ତାହା ସତ୍ୟ ଦୁନିଆ ।
ସତ୍ୟଯୁଗ, ତ୍ରେତା, ଦ୍ୱାପର ଅତୀତ ହୋଇଗଲାଣି, ଏବେ କଳିଯୁଗ ଚାଲିଛି । ଏକଥା ମଧ୍ୟ ବହୁତ କମ୍
ମନୁଷ୍ୟ ଜାଣିଛନ୍ତି । ତୁମ ବୁଦ୍ଧିରେ ଏବେ ଏ ସବୁର ବିଚାର ଚାଲୁଛି । ବାବାଙ୍କ ପାଖରେ ତ ସମସ୍ତ
ଜ୍ଞାନ ରହିଛି, ସେଥିପାଇଁ ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । ତାଙ୍କ ଭିତରେ ଯେଉଁ ଜ୍ଞାନ ରହିଛି
ସିଏ ଏହି ଶରୀର ମାଧ୍ୟମରେ ଆମକୁ ଦେଇ ନିଜ ସମାନ କରୁଛନ୍ତି । ଯେପରି ଶିକ୍ଷକ ମଧ୍ୟ
ବିଦ୍ୟାର୍ଥୀମାନଙ୍କୁ ନିଜ ଭଳି କରିଥା’ନ୍ତି । ତେବେ ଅବିନାଶୀ ପିତା ମଧ୍ୟ ବହୁତ ଚେଷ୍ଟା କରି
ନିଜ ସଦୃଶ କରୁଛନ୍ତି । କିନ୍ତୁ ଲୌକିକ ପିତା ନିଜ ସଦୃଶ କରୁନାହାଁନ୍ତି । ତୁମେ ବର୍ତ୍ତମାନ
ଅବିନାଶୀ ପିତାଙ୍କ ପାଖକୁ ଆସିଛ । ସିଏ ଜାଣିଛନ୍ତି ଯେ, ମୋତେ ପିଲାମାନଙ୍କୁ ନିଜ ସମାନ କରିବାକୁ
ହେବ । ଯେପରି ଶିକ୍ଷକମାନେ ନିଜ ସମାନ କରିଥା’ନ୍ତି କିନ୍ତୁ ସେମାନେ ମଧ୍ୟ ନିଶ୍ଚିତ ଭାବେ
କ୍ରମାନୁସାରେ ହୋଇଥିବେ । ତେବେ ଶିବବାବା ମଧ୍ୟ ସେହିପରି କହୁଛନ୍ତି, ପିଲାମାନେ କ୍ରମାନୁସାରେ
ହିଁ ହେବେ । ମୁଁ ଯାହା ପାଠ ପଢ଼ାଉଛି ତାହା ହେଉଛି ଅବିନାଶୀ ପାଠପଢ଼ା । ତେଣୁ ଯିଏ ଯେତେ ପାଠ
ପଢ଼ିବ ତାହା କେବେ ବ୍ୟର୍ଥ ଯିବନାହିଁ । ସମୟ ଆସିବ ଯେତେବେଳେ ସେମାନେ ନିଜେ କହିବେ ମୁଁ ୪ ବର୍ଷ
ପୂର୍ବରୁ, ୮ ବର୍ଷ ପୂର୍ବରୁ କାହାଠାରୁ ଏହି ଜ୍ଞାନ ଶୁଣିଥିଲି, ବର୍ତ୍ତମାନ ପୁଣି ଆସିଛି । କେହି
କେହି ତ ସମ୍ପୂର୍ଣ୍ଣ ରୂପେ ଆକର୍ଷିତ ହୋଇ ଯାଇଥାଆନ୍ତି । ବାବା ତ ମହାଜ୍ୟୋତି ଅଟନ୍ତି ତେଣୁ
ଏମିତି ମଧ୍ୟ ଅନେକ ସମର୍ପିତ ହୋଇଯାଇଥା’ନ୍ତି, ଆଉ କେହି ପୁଣି ନିଶ୍ଚୟ ନ ଥିବା କାରଣରୁ ଘୂରି
ଘୂରି ଛାଡି ଚାଲିଯାଇଥା’ନ୍ତି । ଆରମ୍ଭରେ ବାବାଙ୍କ ପାଖରେ ବହୁତ ସନ୍ତାନ ସମର୍ପିତ ହୋଇଯାଇଥିଲେ
। ଡ୍ରାମାର ଯୋଜନା ଅନୁସାରେ ଭଟ୍ଟୀ ହେବାର ଥିଲା । ତେବେ କଳ୍ପ କଳ୍ପ ଏହିପରି ହୋଇଆସିଛି । ଯାହା
କିଛି ଅତିକ୍ରାନ୍ତ ହୋଇଗଲା, କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ଆଗକୁ ଏହା ପୁଣି ମଧ୍ୟ
ହେବ । ବାକି ଏହି ନିଶ୍ଚୟ ପକ୍କା କର ଯେ ମୁଁ ଆତ୍ମା ଅଟେ । ବାବା ଆମକୁ ପାଠ ପଢ଼ାଉଛନ୍ତି । ଏହି
ନିଶ୍ଚୟ ପକ୍କା ରଖ କେବେ ବି ଭୁଲିଯାଅ ନାହିଁ । ଏଭଳି କୌଣସି ମନୁଷ୍ୟ ନ ଥିବେ ଯିଏକି ବାପାଙ୍କୁ
ବାପା ବୋଲି ଭାବୁ ନ ଥିବେ, ଯଦିଓ ଛାଡି ପଳାଇବେ ତଥାପି ବି ଭାବିବେ ଯେ ମୁଁ ବାପାଙ୍କ ହାତ
ଛାଡିଦେଇଛି । ତେବେ ଇଏ ତ’ ହେଉଛନ୍ତି ଅବିନାଶୀ ପିତା, ତାଙ୍କୁ ତ’ ଆମେ କେବେ ବି ଛାଡିପାରିବୁ
ନାହିଁ । ଅନ୍ତିମ ସମୟ ପର୍ଯ୍ୟନ୍ତ ସାଥିରେ ରହିବୁ । ଏହି ବାବା ତ’ ସମସ୍ତଙ୍କର ସଦ୍ଗତିଦାତା
ଅଟନ୍ତି, ଯିଏକି ୫ ହଜାର ବର୍ଷ ପରେ ଆସିଛନ୍ତି । ଏକଥା ମଧ୍ୟ ତୁମେ ଜାଣିଛ, ସତ୍ୟଯୁଗରେ ବହୁତ କମ୍
ମନୁଷ୍ୟ ରହିଥା’ନ୍ତି, ବାକି ସମସ୍ତେ ଶାନ୍ତିଧାମରେ ରହିଥା’ନ୍ତି । ଏହି ଜ୍ଞାନ ମଧ୍ୟ ବାବା ହିଁ
ଶୁଣାଇଥାନ୍ତି, ଅନ୍ୟ କେହି ବି ଏହି ଜ୍ଞାନ ଶୁଣାଇ ପାରିବେ ନାହିଁ । ଏକଥା କାହାରି ବୁଦ୍ଧିରେ
ପଶିବ ନାହିଁ । ସିଏ ହେଉଛନ୍ତି ତୁମ ଆତ୍ମାମାନଙ୍କର ପିତା, ଯିଏକି ଚୈତନ୍ୟ ବୀଜରୂପ ଅଟନ୍ତି ।
ତେବେ ଇଏ କେଉଁ ଜ୍ଞାନ ଦେବେ? ସୃଷ୍ଟି ରୂପୀ ବୃକ୍ଷର ଜ୍ଞାନ ଦେବେ । ରଚୟିତା ନିଶ୍ଚିତ ଭାବରେ
ରଚନାର ଜ୍ଞାନ ହିଁ ଦେବେ ନା । ତୁମେ କ’ଣ ଜାଣିଥିଲ କି ସତ୍ୟଯୁଗ କେବେ ଥିଲା ପୁଣି କୁଆଡେ ଗଲା ।
ଏବେ ତୁମେମାନେ ସମ୍ମୁଖରେ
ବସିଛ, ବାବା ତୁମ ସହିତ କଥାବାର୍ତ୍ତା ହେଉଛନ୍ତି । ତୁମର ପକ୍କା ନିଶ୍ଚୟ ରହିଛି ଯେ - ଇଏ
ହେଉଛନ୍ତି ଆମ ସମସ୍ତ ଆତ୍ମାମାନଙ୍କର ପିତା, ଯିଏକି ଆମକୁ ରାଜଯୋଗର ପାଠ ପଢ଼ାଉଛନ୍ତି । ଇଏ କୌଣସି
ଶରୀରଧାରୀ ଶିକ୍ଷକ ନୁହଁନ୍ତି । ଏହି ଶରୀରରେ ପାଠ ପଢ଼ାଇଲାବାଲା ନିରାକାର ଶିବବାବା ବିରାଜମାନ
ଅଛନ୍ତି । ସିଏ ନିରାକାର ହୋଇ ମଧ୍ୟ ଜ୍ଞାନର ସାଗର ଅଟନ୍ତି । ମନୁଷ୍ୟମାନେ ତ’ କହିଦେଉଛନ୍ତି
ତାଙ୍କର କୌଣସି ଆକାର ନାହିଁ । ମହିମା ମଧ୍ୟ ଗାନ କରୁଛନ୍ତି - ସିଏ ଜ୍ଞାନର ସାଗର, ସୁଖର ସାଗର...
। କିନ୍ତୁ କିଛି ବି ବୁଝିପାରୁନାହାଁନ୍ତି । ଡ୍ରାମା ଅନୁସାରେ ଏମାନେ ଏସବୁ କଥାରୁ ଅର୍ଥାତ୍
ସତ୍ୟ ଜ୍ଞାନଠାରୁ ବହୁତ ଦୂରକୁ ଚାଲିଯାଇଛନ୍ତି । ବାବା ବହୁତ ନିକଟକୁ ନେଇଆସୁଛନ୍ତି । ଏହା ତ’ ୫
ହଜାର ବର୍ଷର କଥା । ତୁମେ ଜାଣୁଛ ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ବାବା ଆମକୁ ପାଠ ପଢ଼ାଇବା ପାଇଁ
ଆସିଥା’ନ୍ତି । ଏହି ଜ୍ଞାନ ଆଉ କାହାଠାରୁ ମିଳିପାରିବ ନାହିଁ । ଏହି ଜ୍ଞାନ ହିଁ ହେଉଛି ନୂଆ
ଦୁନିଆ ପାଇଁ । ଏହି ଜ୍ଞାନ କୌଣସି ମନୁଷ୍ୟ ଦେଇପାରିବେ ନାହିଁ କାହିଁକିନା ସମସ୍ତେ ତମଃପ୍ରଧାନ
ହୋଇଯାଇଛନ୍ତି । ଏମାନେ କାହାକୁ ସତ୍ତ୍ୱପ୍ରଧାନ କରିପାରିବେ ନାହିଁ । ଏମାନେ ତ’ ଆହୁରି
ତମଃପ୍ରଧାନ ହୋଇଚାଲିଛନ୍ତି ।
ତୁମେ ବର୍ତ୍ତମାନ ଜାଣୁଛ
- ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ବାବା ଆମକୁ କହୁଛନ୍ତି - ପିଲାମାନେ, କୌଣସି ପ୍ରକାରର ଭୁଲ୍
କରନାହିଁ । ବର୍ତ୍ତମାନ ମଧ୍ୟ ତୁମ ପଛରେ ଶତ୍ରୁ ଲାଗିରହିଛି, ଯିଏକି ତୁମକୁ ପତିତ କରିଦେଇଛି ।
ଇଏ ବର୍ତ୍ତମାନ ତୁମର ପିଛା ଛାଡିବ ନାହିଁ । ଯଦିଓ ତୁମେ ସଙ୍ଗମଯୁଗରେ ଅଛ କିନ୍ତୁ ଅଧାକଳ୍ପ ହେବ
ତୁମେ ତା’ର ହୋଇ ରହିଥିଲ, ତେଣୁ ସିଏ ତୁମକୁ ସହଜରେ ଛାଡିବ ନାହିଁ । ଯଦି ତୁମେ ଖବରଦାର ନ ରହିବ,
ମୋତେ ମନେ ନ ପକାଇବ ତେବେ ସିଏ ଆହୁରି ବିକର୍ମ କରାଇଦେବ । ପୁଣି କିଛି ନା କିଛି କଥାରେ ଚାପୁଡା
ଲାଗୁଥିବ । ଏବେ ତ ଦେଖ ମନୁଷ୍ୟମାନେ ନିଜକୁ ନିଜେ ଚାପୁଡା ମାରି କ’ଣରୁ କ’ଣ କହିଦେଉଛନ୍ତି!
ଶିବ-ଶଙ୍କରଙ୍କୁ ଏକ ବୋଲି କହିଦେଉଛନ୍ତି । ତେବେ ଶିବଙ୍କର ଏବଂ ଶଙ୍କରଙ୍କର କର୍ତ୍ତବ୍ୟ କ’ଣ?
ଏଥିରେ କେତେ ଅନ୍ତର ରହିଛି । ଶିବ ତ’ ହେଉଛନ୍ତି ସର୍ବୋଚ୍ଚ ଭଗବାନ, ଶଙ୍କର ଦେବତା ଅଟନ୍ତି ।
ତେବେ ପୁଣି ଶିବ-ଶଙ୍କରଙ୍କୁ ଏକ ବୋଲି କିପରି କହିଦେଉଛନ୍ତି! ଉଭୟଙ୍କର ଅଭିନୟ ହିଁ ଅଲଗା ଅଲଗା ।
ଏଠାରେ ମଧ୍ୟ ଅନେକଙ୍କର ଏହିଭଳି ନାମ ରହିଛି - ରାଧେ କୃଷ୍ଣ, ଲକ୍ଷ୍ମୀ ନାରାୟଣ, ଶିବ ଶଙ୍କର...
ଦୁଇଟିଯାକ ନାମ ଏକାଠି ରଖିଦେଇଛନ୍ତି । ତେବେ ପିଲାମାନେ ଜାଣିଛନ୍ତି ଯେ ଏ ପର୍ଯ୍ୟନ୍ତ ବାବା ଯାହା
ସବୁ ବୁଝାଇଛନ୍ତି ତାହାର ପୁଣି ପୁନରାବୃତ୍ତି ହେବ । ବାକି ଆଉ ଅଳ୍ପ ଦିନ ରହିଛି । ତେବେ ବାବା
କ’ଣ ଏଠାରେ ସବୁଦିନ ପାଇଁ ବସିଥିବେ । ପିଲାମାନେ କ୍ରମାନୁସାରେ ପାଠ ପଢ଼ି ପୁଣି କର୍ମାତୀତ
ହୋଇଯିବେ । ଡ୍ରାମା ଅନୁସାରେ ମାଳା ମଧ୍ୟ ତିଆରି ହୋଇଯିବ । କେଉଁ ପ୍ରକାରର ମାଳା? ସବୁ
ଆତ୍ମାମାନଙ୍କର ମାଳା ତିଆରି ହୋଇଯିବ ତା’ପରେ ପୁଣି ଘରକୁ ଫେରିଯିବେ । ପ୍ରଥମ ନମ୍ବରର ମାଳା ତ’
ତୁମର ଅଟେ । ଶିବବାବାଙ୍କର ମାଳା ତ’ ବହୁତ ଲମ୍ବା । ପରମଧାମରୁ କ୍ରମାନୁସାରେ ଅଭିନୟ କରିବା ପାଇଁ
ଆସିଥା’ନ୍ତି । ତୁମେ ସମସ୍ତେ ବାବା ବାବା ବୋଲି କହୁଛ । ତୁମେ ସବୁ ଗୋଟିଏ ମାଳାର ଦାନା ଅଟ ।
ସମସ୍ତଙ୍କୁ ତ ବିଷ୍ଣୁଙ୍କ ମାଳାର ଦାନା ବୋଲି କୁହାଯିବ ନାହିଁ । ଏହା ବାବା ଆସି ପଢାଉଛନ୍ତି ।
ତୁମକୁ ସୂର୍ଯ୍ୟବଂଶୀ ହେବାକୁ ହିଁ ପଡିବ । ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଯାହାକି ଅତିକ୍ରାନ୍ତ
ହୋଇଯାଇଛନ୍ତି ସେମାନେ ପୁଣିଥରେ ହେବେ । ତେବେ ପାଠପଢ଼ା ଅନୁସାରେ ହିଁ ସେଠାରେ ପଦବୀ ମିଳିଥାଏ ।
ବାବାଙ୍କର ପାଠପଢା ବିନା ଏହି ପଦ ମିଳିପାରିବ ନାହିଁ । ଏହାର ଚିତ୍ର ତ ମନ୍ଦିର ମାନଙ୍କରେ ଅଛି,
କିନ୍ତୁ କେହି ବି ଏଭଳି କାର୍ଯ୍ୟକରି ଦେଖାଉନାହାଁନ୍ତି କି ଆମେ ଏହିଭଳି ହୋଇପାରିବୁ ।
ସତ୍ୟନାରାୟଣଙ୍କର କଥା ମଧ୍ୟ ଶୁଣୁଛନ୍ତି । ଗରୁଡ ପୁରାଣରେ ଏହିଭଳି ସବୁ ଅନେକ କଥା ରହିଛି ଯାହାକି
ମନୁଷ୍ୟମାନଙ୍କୁ ଶୁଣାଉଛନ୍ତି । ବାବା କହୁଛନ୍ତି ଏହା ହେଉଛି ବିଷୟ ବୈତରଣୀ ନଦୀ ରୌରବ ନର୍କ ।
ବିଶେଷ କରି ଭାରତକୁ ହିଁ ଏହିପରି କୁହାଯାଉଛି । ଭାରତବାସୀଙ୍କ ଉପରେ ମଧ୍ୟ ବୃହସ୍ପତିର ଦଶା ପଡୁଛି
। ବୃକ୍ଷପତି ବାବା ମଧ୍ୟ ଭାରତବାସୀମାନଙ୍କୁ ହିଁ ପାଠ ପଢ଼ାଉଛନ୍ତି । ଅବିନାଶୀ ବାବା ଆସି ଆମକୁ
ଅବିନାଶୀ କଥା ବୁଝାଉଛନ୍ତି । ବିଭିନ୍ନ ପ୍ରକାର ଦଶା ପଡିଥାଏ ନା । ରାହୁର ଦଶା ମଧ୍ୟ ରହିଛି,
ସେଥିପାଇଁ କହୁଛନ୍ତି ଦାନ ଦେଲେ ଗ୍ରହଣ ଛାଡିଯିବ । ବାବା ମଧ୍ୟ କହୁଛନ୍ତି ଏହି କଳିଯୁଗର ଅନ୍ତିମ
ସମୟରେ ରାହୁର ଦଶା ସମସ୍ତଙ୍କ ଉପରେ ପଡିଛି, ଏବେ ମୁଁ ବୃକ୍ଷପତି ଆସିଛି ଭାରତ ଉପରେ ପୁନର୍ବାର
ବୃହସ୍ପତିର ଦଶା ଚଳାଇବା ପାଇଁ । ସତ୍ୟଯୁଗରେ ଭାରତ ଉପରେ ବୃହସ୍ପତିର ଦଶା ଥିଲା । ଏବେ ରାହୁର
ଦଶା ପଡିଛି । ଏ ସବୁ ହେଲା ବେହଦର । ଏହା କୌଣସି ଶାସ୍ତ୍ର ଆଦିରେ ନାହିଁ । ଏହି ପତ୍ରିକାକୁ
ମଧ୍ୟ ସେହିମାନେ ବୁଝିପାରିବେ, ଯେଉଁମାନେ ପୂର୍ବରୁ କିଛି ନା କିଛି ବୁଝିଥିବେ । ପତ୍ରିକା ପଢ଼ିବା
ଦ୍ୱାରା ସେମାନେ ଅଧିକ ବୁଝିବା ପାଇଁ ଦୌଡିବେ । ବାକି ଅନ୍ୟମାନେ ତ’ କିଛି ବି ବୁଝିପାରିବେ ନାହିଁ
। ଯିଏ ଟିକିଏ ପଢ଼ି ପୁଣି ଜ୍ଞାନ ଛାଡିଦେଇଛନ୍ତି ତାଙ୍କୁ ସାମାନ୍ୟ ଜ୍ଞାନ ରୂପକ ଘୃତ ଦେବା ଦ୍ୱାରା
ସେମାନେ ପୁଣି ସଜାଗ ହୋଇଉଠିବେ । ଜ୍ଞାନକୁ ଘୃତ ମଧ୍ୟ କୁହାଯାଇଥାଏ । ଲିଭିଯାଇଥିବା ଆତ୍ମା ରୂପୀ
ଦୀପରେ ବାବା ଆସି ଜ୍ଞାନରୂପୀ ଘୃତ ଢାଳୁଛନ୍ତି । ବାବା କହୁଛନ୍ତି - ସନ୍ତାନମାନେ ମାୟାର ତୋଫାନ
ତ ଆସିବ, ଦୀପକୁ ଲିଭାଇଦେବ । କେହି କେହି ପତଙ୍ଗ ମହାଜ୍ୟୋତିରେ ଜଳି ମରିଯା’ନ୍ତି, ଆଉ କେହି ପୁଣି
ଘୁରି ଘୂରି ଚାଲିଯାଇଥାନ୍ତି । ସେହି କଥା ହିଁ ବର୍ତ୍ତମାନ ବାସ୍ତବରେ ଚାଲିଛି । ଏଠାରେ ସମସ୍ତ
ପତଙ୍ଗ କ୍ରମାନୁସାରେ ରହିଛନ୍ତି । ପ୍ରଥମେ ପ୍ରଥମେ ଏକଦମ୍ ଘରଦ୍ୱାର ଛାଡି ଚାଲି ଆସି ପତଙ୍ଗ
ହୋଇଗଲେ । ତେଣୁ ଏମାନଙ୍କୁ ଏକଦମ୍ ଲଟେରୀ ମିଳିଗଲା । ଯାହାକିଛି କରିଦେଇଛ ତୁମେ ପୁଣି ସେହିଭଳି
ହିଁ କରିବ । ଯଦିଓ ଏଠାରୁ ଚାଲିଯାଇଛନ୍ତି, କିନ୍ତୁ ଏପରି ଭାବ ନାହିଁ ଯେ ଏମାନେ ସ୍ୱର୍ଗରେ ଆସିବେ
ନାହିଁ, ଏମାନେ ପତଙ୍ଗ ହୋଇଥିଲେ, ବାବାଙ୍କର ପ୍ରିୟତମା ହୋଇଥିଲେ, ପୁଣି ମାୟା ହରାଇଦେଲା, ତେଣୁ
ଏମାନେ କମ୍ ପଦ ପାଇବେ । ସମସ୍ତେ କ୍ରମାନୁସାରେ ତ ନିଶ୍ଚିତ ରହିବେ । ଅନ୍ୟ କୌଣସି ସତସଙ୍ଗରେ
ଏକଥା କାହାରି ବୁଦ୍ଧିରେ ନ ଥିବ, ଯେପରି ତୁମ ମାନଙ୍କ ବୁଦ୍ଧିରେ ଅଛି । ବାବାଙ୍କ ପାଖରେ ନୂଆ
ଦୁନିଆ ପାଇଁ ଆମେ ସମସ୍ତେ ପୁରୁଷାର୍ଥର କ୍ରମାନୁସାରେ ପାଠ ପଢ଼ୁଛୁ । ଆମେ ଅବିନାଶୀ ବାବାଙ୍କର
ସମ୍ମୁଖରେ ବସିଛୁ । ଏକଥା ମଧ୍ୟ ତୁମେ ଜାଣିଛ ସେ ଆତ୍ମା ଦେଖାଯାଏ ନାହିଁ । ଆତ୍ମା ତ’ ଅବ୍ୟକ୍ତ
ଜିନିଷ ଅଟେ । ଏହାକୁ ଦିବ୍ୟଦୃଷ୍ଟି ଦ୍ୱାରା ହିଁ ଦେଖାଯାଇଥାଏ । ଆମେ ଆତ୍ମା ମଧ୍ୟ ଛୋଟ ବିନ୍ଦୁ
ସମାନ ଅଟୁ । କିନ୍ତୁ ଦେହ-ଅଭିମାନ ଛାଡି ନିଜକୁ ଆତ୍ମା ଭାବିବା - ଏହା ହେଲା ସବୁଠାରୁ ଉଚ୍ଚ
ପାଠପଢ଼ା । ବିନାଶୀ ପାଠରେ ମଧ୍ୟ ଯେଉଁ ବିଷୟବସ୍ତୁଟି କଷ୍ଟସାଧ୍ୟ ହୋଇଥାଏ, ସେହିଥିରେ ହିଁ ଫେଲ୍
ହୋଇଯାଆନ୍ତି । କିନ୍ତୁ ଏହି ବିଷୟଟି ବହୁତ ସହଜ, ପରନ୍ତୁ କେତେକଙ୍କୁ ଏହା କଷ୍ଟକର ଅନୁଭବ ହେଉଛି
।
ଏବେ ତୁମେ ଜାଣୁଛ
ଶିବବାବା ସମ୍ମୁଖରେ ବସିଛନ୍ତି । ତୁମେ ମଧ୍ୟ ନିରାକାର ଆତ୍ମା ଅଟ କିନ୍ତୁ ତୁମେ ଶରୀର ସହିତ
ରହିଛ । ଏହି ସବୁ କଥା ବେହଦର ବାବା ହିଁ ଶୁଣାଉଛନ୍ତି, ଆଉ କେହି ବି ଏକଥା ଶୁଣାଇପାରିବେ ନାହିଁ
। ତେବେ ତୁମେ ପୁଣି କ’ଣ କରିବ? ତାଙ୍କୁ ଧନ୍ୟବାଦ ଦେବ ନା । ବାବା କହୁଛନ୍ତି ଏହା ଅନାଦି ଡ୍ରାମା
ରଚନା ହୋଇଛି । ମୁଁ କିଛି ନୂଆ କଥା କହୁନାହିଁ । ମୁଁ ଡ୍ରାମା ଅନୁସାରେ ତୁମମାନଙ୍କୁ ପାଠ ପଢ଼ାଉଛି
। ଧନ୍ୟବାଦ ତ’ ଭକ୍ତିମାର୍ଗରେ ଦେଇଥା’ନ୍ତି । ଶିକ୍ଷକ କହିବ ଯଦି ଛାତ୍ର ଭଲ ପାଠ ପଢ଼ିବେ ତେବେ
ଆମର ନାମ ବିଖ୍ୟାତ ହେବ । ସେଥିପାଇଁ ଛାତ୍ରକୁ ଧନ୍ୟବାଦ ଦିଆଯାଇଥାଏ । ଯେଉଁମାନେ ଭଲ ଭାବରେ ପାଠ
ପଢ଼ି ପୁଣି ପଢ଼ାଇଥା’ନ୍ତି ତାଙ୍କୁ ଧନ୍ୟବାଦ ଦିଆଯାଇଥାଏ । ଛାତ୍ର ପୁଣି ଶିକ୍ଷକଙ୍କୁ ଧନ୍ୟବାଦ
ଦେଇଥା’ନ୍ତି । ବାବା କହୁଛନ୍ତି - ମିଠା ସନ୍ତାନମାନେ, ମୁଁ ତୁମକୁ ଆଶୀର୍ବାଦ କରୁଛି, ବିଜୟୀ
ହୁଅ । ତୁମେ ଏହିଭଳି ସେବା କରିଚାଲ । କଳ୍ପ ପୂର୍ବରୁ ମଧ୍ୟ ତୁମେ ଏହିଭଳି ସେବା କରିଥିଲ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରାସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଦା ସର୍ବଦା
ତୁମ ଭିତରେ ଏହି ନିଶା ଏବଂ ନିଶ୍ଚୟ ରହୁ ଯେ ଆମକୁ କେହି ଦେହଧାରୀ ଶିକ୍ଷକ ପାଠ ପଢ଼ାଉନାହାଁନ୍ତି
। ସ୍ୱୟଂ ଜ୍ଞାନର ସାଗର ନିରାକାର ବାବା ଶିକ୍ଷକ ହୋଇ ଆମକୁ ପାଠ ପଢ଼ାଉଛନ୍ତି । ଏହି ପାଠପଢ଼ା
ଦ୍ୱାରା ହିଁ ଆମକୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ।
(୨) ଆତ୍ମା ରୂପୀ ଦୀପକ
ପ୍ରତ୍ୟହ ଜ୍ଞାନର ଘୃତ ଢ଼ାଳିବାକୁ ହେବ । ଜ୍ଞାନଘୃତ ଦ୍ୱାରା ସର୍ବଦା ଏଭଳି ପ୍ରଜ୍ୱଳିତ ହୋଇ ରହିବା
ଉଚିତ୍ ଯାହାକି ମାୟାର କୌଣସି ବି ପ୍ରକାରର ତୋଫାନ ହଲାଇ ପାରିବ ନାହିଁ । ପୂରା ପୂରା ପତଙ୍ଗ ହୋଇ
ପରମାତ୍ମ ଜ୍ୟୋତି ଉପରେ ସ୍ୱାହା ହେବାକୁ ପଡିବ ।
ବରଦାନ:-
ସର୍ବଦା
ଏକମାତ୍ର ବାବାଙ୍କର ସ୍ନେହରେ ସମାହିତ ହୋଇ ରହିଥିବା ସହଯୋଗୀ ତଥା ସହଜଯୋଗୀ ଆତ୍ମା ଭବ ।
ଯେଉଁ ପିଲାମାନଙ୍କର
ବାବାଙ୍କ ସହିତ ଅତି ସ୍ନେହ ରହିଛି ସେମାନେ ସର୍ବଦା ବାବାଙ୍କର ଶ୍ରେଷ୍ଠ କାର୍ଯ୍ୟରେ ସହଯୋଗୀ
ହୋଇଥିବେ ଏବଂ ଯିଏ ଯେତିକି ସହଯୋଗୀ ହୋଇଥାଏ ସେତିକି ସହଜଯୋଗୀ ମଧ୍ୟ ହୋଇଥାଏ । ବାବାଙ୍କର
ସ୍ନେହରେ ବୁଡି ରହିଥିବା ସହଯୋଗୀ ଆତ୍ମାମାନେ କେବେ ବି ମାୟାର ସହଯୋଗୀ ହୋଇପାରିବେ ନାହିଁ ।
ସେମାନଙ୍କର ପ୍ରତ୍ୟେକ ସଂକଳ୍ପରେ ବାବା ଏବଂ ସେବା ହିଁ ରହିଥାଏ । ସେମାନେ ଶୋଇଥିବା ଅବସ୍ଥାରେ
ମଧ୍ୟ ଆରାମ ଅନୁଭବ କରିଥାଆନ୍ତି ଏବଂ ଶାନ୍ତି ତଥା ଶକ୍ତିର ମଧ୍ୟ ଅନୁଭବ କରିଥାଆନ୍ତି ।
ସେମାନଙ୍କ ପାଇଁ ନିଦ୍ରା ଅବସ୍ଥା ମଧ୍ୟ ନିଦ୍ରା ନୁହେଁ ଯେପରି ବହୁତ ରୋଜଗାର କରି ଖୁସି ମନରେ
ଟିକିଏ ବିଶ୍ରାମ କରୁଛନ୍ତି, ଏଭଳି ପରିବର୍ତ୍ତନ ହୋଇଯାଇଥାଏ ।
ସ୍ଲୋଗାନ:-
ପ୍ରେମର ଅଶ୍ରୁ
ହୃଦୟର ଫରୁଆରେ ମୋତି ପାଲଟିଯାଏ ।