19.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ବାବା ଆସିଛନ୍ତି ସାରା ଦୁନିଆର ହାହାକାରକୁ ଦୂର କରି, ଜୟଜୟକାର କରିବା ପାଇଁ - ପୁରୁଣା ଦୁନିଆରେ ହାହାକାର ହେଉଛି, ନୂଆ ଦୁନିଆରେ ଜୟଜୟକାର ହେବ ।”

ପ୍ରଶ୍ନ:-
କେଉଁ ପ୍ରକାରର ଈଶ୍ୱରୀୟ ନିୟମ ରହିଛି ଯାହାଦ୍ୱାରା ଗରୀବ ହିଁ ବାବାଙ୍କଠାରୁ ସଂପୂର୍ଣ୍ଣ ସମ୍ପତ୍ତି ନେଉଛନ୍ତି, ସାହୁକାର ନେଇପାରୁ ନାହାଁନ୍ତି?

ଉତ୍ତର:-
ଈଶ୍ୱରୀୟ ନିୟମ ହେଲା - ପୁରା ଭିକାରୀ ହୋଇଯାଅ । ଯାହା କିଛି ବି ତୁମ ପାଖରେ ରହିଛି ତାକୁ ଭୁଲିଯାଅ । ତେବେ ଗରୀବ ପିଲାମାନେ ସହଜରେ ସବୁ କିଛି ଭୁଲିଯାଉଛନ୍ତି କିନ୍ତୁ ସାହୁକାର ଯେଉଁମାନେ ନିଜକୁ ସ୍ୱର୍ଗରେ ଅଛନ୍ତି ବୋଲି ଭାବୁଛନ୍ତି ସେମାନେ ବୁଦ୍ଧିରୁ କିଛି ବି ଭୁଲିପାରୁ ନାହାଁନ୍ତି, ସେଥିପାଇଁ ଯେଉଁମାନଙ୍କର ଧନ, ଦୌଲତ, ମିତ୍ର, ସମ୍ବନ୍ଧୀ ମନେ ରହିଥା’ନ୍ତି ସେମାନେ ସଚ୍ଚା ଯୋଗୀ ହୋଇପାରିବେ ନାହିଁ । ସେମାନଙ୍କୁ ସ୍ୱର୍ଗ ଦୁନିଆରେ ଉଚ୍ଚ ପଦ ମିଳିପାରିବ ନାହିଁ ।

ଓମ୍ ଶାନ୍ତି ।
ମିଠା-ମିଠା ନିଶ୍ଚୟବୁଦ୍ଧି ସନ୍ତାନମାନେ ଏକଥା ଭଲ ଭାବରେ ଜାଣିଛନ୍ତି, ସେମାନଙ୍କର ପକ୍କା ନିଶ୍ଚୟ ରହିଛି ଯେ ବାବା ଆସିଛନ୍ତି, ସାରା ଦୁନିଆର ଝଗଡା ତୁଟାଇବା ପାଇଁ । ଯେଉଁମାନେ ବୁଦ୍ଧିମାନ ଚତୁର ସନ୍ତାନ, ସେମାନେ ଜାଣିଛନ୍ତି ବାବା ଏହି ଶରୀରରେ ଆସିଛନ୍ତି । ଯାହାଙ୍କର ନାମ ମଧ୍ୟ ହେଉଛି ଶିବବାବା । ସିଏ କାହିଁକି ଆସିଛନ୍ତି? ହାହାକାରକୁ ଦୂର କରି ଜୟଜୟକାର କରିବା ପାଇଁ । ମୃତ୍ୟୁଲୋକରେ କେତେ ଝଗଡା ଇତ୍ୟାଦି ହେଉଛି । ତେବେ ସମସ୍ତଙ୍କୁ ହିସାବ-କିତାବ ଚୁକ୍ତ କରି ଯିବାକୁ ହେବ । ଅମର ଲୋକରେ ଝଗଡାର କୌଣସି କଥା ନାହିଁ । ଏଠାରେ କେତେ ହଙ୍ଗାମା (ହାହାକାର) ଲାଗି ରହିଛି । କେତେ କୋର୍ଟ, ଜଜ୍ ଆଦି ରହିଛନ୍ତି । ଗଣ୍ଡଗୋଳ ଲାଗି ରହିଛି । ବିଦେଶରେ ମଧ୍ୟ ହାହାକାର ଚାଲିଛି । ସାରା ଦୁନିଆରେ ବହୁତ ଗଣ୍ଡଗୋଳ ଚାଲିଛି । ଏହାକୁ ହିଁ କୁହାଯାଉଛି ପୁରୁଣା ତମଃପ୍ରଧାନ ଦୁନିଆ, ଏଠାରେ ଆବର୍ଜନା ହିଁ ଆବର୍ଜନା ଭରି ରହିଛି । ଜଙ୍ଗଲ ହିଁ ଜଙ୍ଗଲ ରହିଛି । ସମସ୍ତଙ୍କର ବାବା ଏ ସବୁକୁ ଦୂର କରିବା ପାଇଁ ଆସିଛନ୍ତି । ବର୍ତ୍ତମାନ ପିଲାମାନଙ୍କୁ ବହୁତ ଚତୁର ବୁଦ୍ଧିମାନ ହେବାକୁ ପଡିବ । ଯଦି ସନ୍ତାନମାନଙ୍କ ମଧ୍ୟରେ ବି ଲଢେଇ-ଝଗଡା ଲାଗି ରହିବ ତେବେ ବାବାଙ୍କର ସହଯୋଗୀ କିପରି ହୋଇପାରିବେ । ବାବାଙ୍କୁ ତ ବହୁତ ସହଯୋଗୀ ସନ୍ତାନ ଦରକାର - ଯିଏକି ବହୁତ ଚତୁର, ବୁଦ୍ଧିମାନ ହୋଇଥିବେ ସେମାନଙ୍କ ମଧ୍ୟରେ କୌଣସି ପ୍ରକାରର ଗଣ୍ଡଗୋଳ ନ ଥିବ । ଏକଥା ମଧ୍ୟ ପିଲାମାନେ ବୁଝୁଛନ୍ତି ଯେ ଏହା ହେଉଛି ପୁରୁଣା ଦୁନିଆ । ଏଠାରେ ଅନେକ ଧର୍ମ ରହିଛି । ଏହି ଦୁନିଆ ମଧ୍ୟ ତମଃପ୍ରଧାନ ବିକାରୀ ହୋଇଯାଇଛି । ବର୍ତ୍ତମାନ ସାରା ଦୁନିଆ ପତିତ ହୋଇଯାଇଛି, ଏହି ପତିତ ପୁରୁଣା ଦୁନିଆରେ କେବଳ ଝଗଡା ହିଁ ଝଗଡା ଲାଗି ରହିଛି । ଏ ସବୁକୁ ଦୂର କରି, ଜୟଜୟକାର କରିବା ପାଇଁ ବାବା ଆସିଥା’ନ୍ତି । ପ୍ରତ୍ୟେକେ ଜାଣିଛନ୍ତି ଯେ ଏହି ଦୁନିଆରେ କେତେ ଦୁଃଖ ଏବଂ ଅଶାନ୍ତି ରହିଛି, ସେଥିପାଇଁ ଚାହୁଁଛନ୍ତି ବିଶ୍ୱରେ ଶାନ୍ତି ହେଉ । ଏବେ ସାରା ବିଶ୍ୱରେ କୌଣସି ମନୁଷ୍ୟ କିପରି ଶାନ୍ତି ସ୍ଥାପନ କରିପାରିବେ । ବେହଦର ବାବାଙ୍କୁ ମାଟି-ଗୋଡି ସବୁଠାରେ ରହିଛନ୍ତି ବୋଲି କହିଦେଉଛନ୍ତି । ଏହା ମଧ୍ୟ ଖେଳ ଅଟେ । ତେଣୁ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଏବେ ଜାଗି ଉଠ । ବାବାଙ୍କର ସହଯୋଗୀ ହୁଅ । ତୁମକୁ ବାବାଙ୍କଠାରୁ ନିଜର ରାଜ୍ୟଭାଗ୍ୟ ନେବାର ଅଛି । କମ୍ ନୁହେଁ, ସେଠାରେ ଅସରନ୍ତି ସୁଖ ରହିଛି । ବାବା କହୁଛନ୍ତି - ମଧୁର ସନ୍ତାନମାନେ, ଡ୍ରାମା ଅନୁସାରେ ବାବା ତୁମକୁ ପଦ୍ମାପଦ୍ମ ଭାଗ୍ୟଶାଳୀ କରିବା ପାଇଁ ଆସିଛନ୍ତି । ଭାରତରେ ଏହି ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରୁଥିଲେ । ଏହି ଭାରତ ଦିନେ ସ୍ୱର୍ଗ ଥିଲା । ସ୍ୱର୍ଗକୁ ହିଁ ଆଶ୍ଚର୍ଯ୍ୟର ଦୁନିଆ ବୋଲି କୁହାଯାଉଛି । ତ୍ରେତାକୁ ବି କୁହାଯିବ ନାହିଁ । ତେବେ ଏହିଭଳି ସ୍ୱର୍ଗକୁ ଯିବା ପାଇଁ ହେଲେ ସନ୍ତାନମାନଙ୍କୁ ପୁରୁଷାର୍ଥ କରିବାକୁ ହେବ । ତୁମକୁ ସେଠାରେ ପ୍ରଥମରୁ ହିଁ ଆସିବାକୁ ହେବ । ସନ୍ତାନମାନେ ମଧ୍ୟ ଚାହୁଁଛନ୍ତି ଆମେ ସ୍ୱର୍ଗରେ ଆସିବୁ ଲକ୍ଷ୍ମୀ ବା ନାରାୟଣ ହେବୁ । ବର୍ତ୍ତମାନ ଏହି ପୁରୁଣା ଦୁନିଆରେ ବହୁତ ହାହାକାର ହେବାର ଅଛି । ଏଠାରେ ରକ୍ତର ନଦୀ ବୋହିବ, ତା’ପରେ ପୁଣି ଘିଅର ନଦୀ ବୋହିବ । ଯାହାକୁ କ୍ଷୀର ସାଗର ବୋଲି କୁହାଯାଏ । ଏଠାରେ ମଧ୍ୟ ବଡ ବଡ ପୋଖରୀ ତିଆରି କରି ପୁଣି ଦିନ ଧାର୍ଯ୍ୟ କରି ସେଠାରେ କ୍ଷୀର ଢାଳିଥା’ନ୍ତି । ସେଥିରେ ପୁଣି ସ୍ନାନ କରିଥା’ନ୍ତି । ଶିବଲିଙ୍ଗ ଉପରେ ମଧ୍ୟ କ୍ଷୀର ଢାଳିଥା’ନ୍ତି । ସତ୍ୟଯୁଗର ମଧ୍ୟ ମହିମା ରହିଛି ଯେ ସେଠାରେ ଘିଅ, ଦୁଧର ନଦୀ ବହୁଥିଲା । କିନ୍ତୁ ବାସ୍ତବରେ ଏଭଳି କୌଣସି କଥା ନାହିଁ । ପ୍ରତ୍ୟେକ ୫ ହଜାର ବର୍ଷ ପରେ ତୁମେ ବିଶ୍ୱର ମାଲିକ ହେଉଛ । ବର୍ତ୍ତମାନ ତୁମେ ଦାସ ହୋଇଯାଇଛ, ପୁଣି ତୁମେ ମହାରାଜା ହେବ । ସାରା ପ୍ରକୃତି ତୁମର ଦାସୀ ହୋଇ ରହିବ । ସେଠାରେ କେବେହେଲେ ଅଦିନରେ ବର୍ଷା ହେବ ନାହିଁ, ନଦୀ ଉଚ୍ଛୁଳିବ ନାହିଁ । କୌଣସି ପ୍ରକାରର ଉପଦ୍ରବ ହେବ ନାହିଁ । ଏଠାରେ ଦେଖ କେତେ ଉପଦ୍ରବ ହେଉଛି । ସେଠାରେ ସମସ୍ତେ ପକ୍କା ବୈଷ୍ଣବ ହୋଇ ରହିବେ । ବିକାରୀ ବୈଷ୍ଣବ ନୁହଁନ୍ତି । ଏଠାରେ ଯଦି କେହି ଶାକାହାରୀ ହେଲେ ତାଙ୍କୁ ବୈଷ୍ଣବ କହିଥା’ନ୍ତି । କିନ୍ତୁ ନା, ବିକାର ଦ୍ୱାରା ପରସ୍ପରକୁ ବହୁତ ଦୁଃଖ ଦେଇଥା’ନ୍ତି । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଏ କଥାର ମଧ୍ୟ ଗାୟନ ରହିଛି ଯେ ଗାଉଁଲୀ ପିଲା..... କୃଷ୍ଣ ତ ଗାଉଁଲୀ ପିଲା ହୋଇପାରିବେ ନାହିଁ । ସିଏ ତ ବୈକୁଣ୍ଠର ମାଲିକ ଅଟନ୍ତି । ପୁଣି ୮୪ ଜନ୍ମ ନେଉଛନ୍ତି ।

ଏକଥା ମଧ୍ୟ ବର୍ତ୍ତମାନ ତୁମେମାନେ ଜାଣୁଛ ଯେ ଆମେ ଭକ୍ତିମାର୍ଗରେ କେତେ କେତେ ଧକ୍କା ଖାଇ, ପଇସା ବରବାଦ କରିଛୁ । ବାବା ପଚାରୁଛନ୍ତି - ମୁଁ ତୁମକୁ ଏତେ ପଇସା, ରାଜ୍ୟ ଭାଗ୍ୟ ଦେଇଥିଲି, ସେସବୁ କୁଆଡେ ଗଲା? ମୁଁ ତୁମକୁ ବିଶ୍ୱର ମାଲିକ କରିଥିଲି, ତୁମେ ପୁଣି କ’ଣ କଲ? ବାବା ତ ଡ୍ରାମାକୁ ଜାଣିଛନ୍ତି । ନୂଆ ଦୁନିଆରୁ ପୁରୁଣା ଦୁନିଆ, ପୁରୁଣା ଦୁନିଆ ପୁଣି ନୂଆ ଦୁନିଆ ହେଉଛି । ଏହା ଏକ ଚକ୍ର ଅଟେ, ଯାହା କିଛି ଅତିକ୍ରାନ୍ତ ହୋଇଯାଇଛି, ତାହାର ପୁଣି ପୁନରାବୃତ୍ତି ହେବ । ବାବା କହୁଛନ୍ତି ଏବେ ଆଉ ଅଳ୍ପ ସମୟ ବାକି ଅଛି । ତେଣୁ ତୁମେ ପୁରୁଷାର୍ଥ କରି ଭବିଷ୍ୟତ ପାଇଁ ଜମା କର । ଏହି ପୁରୁଣା ଦୁନିଆର ସବୁ କିଛି ମାଟିରେ ମିଶିଯିବ । ସାହୁକାରମାନେ ତ ଏହି ଜ୍ଞାନକୁ ବୁଝିବେ ନାହିଁ । ବାବା ଦୀନବନ୍ଧୁ ଅଟନ୍ତି । ଗରୀବମାନେ ହିଁ ସେଠାରେ ସାହୁକାର ହେବେ । ସାହୁକାରମାନେ ଗରୀବ ହେବେ । ବର୍ତ୍ତମାନ ତ ବହୁତ ପଦ୍ମପତି ରହିଛନ୍ତି । ଯଦିଓ ସେମାନେ ସେଠାରେ ଆସିବେ କିନ୍ତୁ ଗରୀବ ହେବେ । ସେମାନେ ନିଜକୁ ସ୍ୱର୍ଗରେ ଅଛନ୍ତି ବୋଲି ଭାବୁଛନ୍ତି, ଏ କଥା ସେମାନଙ୍କ ବୁଦ୍ଧିରୁ କେବେ ବି ବାହାରି ପାରିବ ନାହିଁ । କିନ୍ତୁ ଏଠାରେ ତ ବାବା କହୁଛନ୍ତି ସବୁ କିଛି ଭୁଲିଯାଅ । ପୂରା ଦରିଦ୍ର ହୋଇଯାଅ । ଆଜିକାଲି ତ କିଲୋଗ୍ରାମ, କିଲୋମିଟର ଆଦି କ’ଣ-କ’ଣ ସବୁ ବାହାର କଲେଣି । ଯିଏ ରାଜା ହୋଇ ସିଂହାସନରେ ବସିଥାଆନ୍ତି ସିଏ ତାଙ୍କ ନିଜ ଭାଷାର ପ୍ରଚଳନ କରିଥା’ନ୍ତି । ଏମାନେ ସବୁ ବିଦେଶର ନକଲ କରୁଛନ୍ତି । ନିଜର ତ କିଛି ବୁଦ୍ଧି ନାହିଁ । କାହିଁକି ନା ତମଃପ୍ରଧାନ ହୋଇଯାଇଛନ୍ତି । ଆମେରିକା ଆଦିରେ ଦେଖ ବିନାଶ ପାଇଁ ସାମଗ୍ରୀ ଆଦି ପ୍ରସ୍ତୁତ କରିବାରେ କେତେ ଧନ ଖର୍ଚ୍ଚ କରୁଛନ୍ତି । ଉଡାଜାହାଜରୁ ବୋମା ଆଦି ପକାଉଛନ୍ତି, ଏ ଦୁନିଆରେ ନିଆଁ ଲାଗିବ । ତୁମେମାନେ ଜାଣିଛ, ବାବା ଆସିଥାଆନ୍ତି ବିନାଶ ଏବଂ ସ୍ଥାପନା କରିବା ପାଇଁ । ତୁମମାନଙ୍କ ଭିତରେ ମଧ୍ୟ ବୁଝାଇଲାବାଲା କ୍ରମାନୁସାରେ ରହିଛନ୍ତି । ସମସ୍ତେ ଏକାପରି ନିଶ୍ଚୟବୁଦ୍ଧି ନୁହଁନ୍ତି । ଯେପରି ବ୍ରହ୍ମାବାବା କରିଲେ ସେହିପରି ତାଙ୍କୁ ଅନୁକରଣ କରିବା ଦରକାର । ଏହି ପୁରୁଣା ଦୁନିଆର ପାଇ ପଇସା ତୁମର କ’ଣ ହେବ । ଆଜିକାଲି କାଗଜର ନୋଟ୍ ବାହାର କରିଛନ୍ତି । ସତ୍ୟଯୁଗରେ ତ ସୁନାର ମୋହର ହେବ । ସେଠାରେ ସୁନାର ମହଲ ହେବ, ତେଣୁ ମୋହରର ସେଠାରେ ମୂଲ୍ୟ ରହିବ ନାହିଁ । ସେଠାରେ ଯେପରି ସବୁକିଛି ମାଗଣା, କାହିଁକି ନା ସେଠାରେ ଧରିତ୍ରୀ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଥାଏ । ଏବେ ତ ଦୁନିଆ ପୁରୁଣା ହୋଇଯାଇଛି । ତାହା ହେଉଛି ସତ୍ତ୍ୱପ୍ରଧାନ ନୂଆ ଦୁନିଆ । ସେଠାରେ ବିଲ୍‌କୁଲ୍ ନୂଆ ଭୂମି ହେବ । ତୁମେ ସୂକ୍ଷ୍ମଲୋକକୁ ଗଲେ ସେଠାରେ ଫଳରସ ଆଦି ପିଉଛ । କିନ୍ତୁ ସେଠାରେ ତ କୌଣସି ଗଛ ଆଦି ନାହିଁ । ନା ବ୍ରହ୍ମଲୋକରେ କୌଣସି ଗଛ ଅଛି । ଯେତେବେଳେ ତୁମେ ବୈକୁଣ୍ଠକୁ ଯାଉଛ ସେଠାରେ ତୁମକୁ ସବୁକିଛି ମିଳୁଛି । ତେବେ ତୁମକୁ ବୁଦ୍ଧି ଦ୍ୱାରା କାମ କରିବାକୁ ହେବ, ସୂକ୍ଷ୍ମଲୋକରେ କୌଣସି ବୃକ୍ଷ ଆଦି ହୋଇପାରିବ ନାହିଁ, ବୃକ୍ଷ ତ ଧରିତ୍ରୀରେ ହୋଇଥାଏ, ନା କି ଆକାଶରେ । ଯଦିଓ ଏହାର ନାମ ହେଉଛି ବ୍ରହ୍ମମହତତ୍ତ୍ୱ କିନ୍ତୁ ତାହା ହେଲା ପୋଲାର ବା ଶୂନ୍ୟ । ଯେପରି ତାରକାମାନେ ଆକାଶରେ ରହିଛନ୍ତି, ସେହିପରି ତୁମେ ଛୋଟ-ଛୋଟ ଆତ୍ମାମାନେ ମଧ୍ୟ ସେଠାରେ ରହିଥାଅ । ତାରକା ତ ଦେଖିବାକୁ ବଡ । ଏହାର ଅର୍ଥ ଏପରି ନୁହେଁ ଯେ ବ୍ରହ୍ମତତ୍ତ୍ୱରେ କୌଣସି ବଡ ବଡ ଆତ୍ମାମାନେ ରହିଛନ୍ତି । ବୁଦ୍ଧି ଦ୍ୱାରା ତୁମକୁ ଏସବୁ କଥା ବୁଝିବାକୁ ହେବ । ତୁମକୁ ବିଚାର ସାଗର ମନ୍ଥନ କରିବାକୁ ହେବ । ତେବେ ଆତ୍ମାମାନେ ମଧ୍ୟ ଉପରେ ରହିଥା’ନ୍ତି, ଯାହାର ରୂପ ସୂକ୍ଷ୍ମ ବିନ୍ଦୁ ସଦୃଶ । ଏହିସବୁ କଥା ତୁମକୁ ଧାରଣ କରିବାକୁ ହେବ, ତେବେ ଯାଇ କାହାକୁ ତୁମେ ଧାରଣା କରାଇପାରିବ । ଶିକ୍ଷକମାନେ ନିଶ୍ଚିତ ଭାବରେ ନିଜେ ପାଠ ଜାଣିଥା’ନ୍ତି, ତେଣୁ ତ ସେମାନେ ଅନ୍ୟମାନଙ୍କୁ ପଢାଇଥା’ନ୍ତି ନା । ନଚେତ୍ ତାଙ୍କୁ ଶିକ୍ଷକ ବୋଲି କାହିଁକି କୁହାଯିବ । କିନ୍ତୁ ଏଠାରେ ଶିକ୍ଷକ ମଧ୍ୟ କ୍ରମାନୁସାରେ ରହିଛନ୍ତି । ତୁମେମାନେ ବୈକୁଣ୍ଠକୁ ମଧ୍ୟ ବୁଝିପାରୁଛ । ଏପରି ନୁହେଁ ଯେ ତୁମେମାନେ ବୈକୁଣ୍ଠକୁ ଦେଖିନାହଁ । ଅନେକ ସନ୍ତାନମାନେ ବୈକୁଣ୍ଠର ସାକ୍ଷାତ୍‌କାର ମଧ୍ୟ କରିଛନ୍ତି । ସେଠାରେ କିପରି ସ୍ୱୟଂମ୍ବର ହୋଇଥାଏ, ସେଠାକାର ଭାଷା କ’ଣ, ସବୁ କିଛି ଦେଖିଛନ୍ତି । ଅନ୍ତିମ ସମୟରେ ମଧ୍ୟ ତୁମେ ସାକ୍ଷାତ୍‌କାର କରିବ କିନ୍ତୁ ସାକ୍ଷାତକାର ସେହିମାନେ କରିବେ ଯେଉଁମାନେ କି ଯୋଗଯୁକ୍ତ ହୋଇଥିବେ । ବାକି ଯେଉଁମାନଙ୍କୁ ନିଜର ମିତ୍ର-ସମ୍ବନ୍ଧୀ, ଧନ-ଦୌଲତ ଆଦି ମନେ ପଡିବ ସେମାନେ କ’ଣ ଦେଖିପାରିବେ । ସଚ୍ଚା ଯୋଗୀମାନେ ହିଁ ଅନ୍ତିମ ସମୟ ପର୍ଯ୍ୟନ୍ତ ରହିବେ, ଯେଉଁମାନଙ୍କୁ ବାବା ଦେଖି ଖୁସି ହେବେ । ବର୍ତ୍ତମାନ ଫୁଲର ବଗିଚା ତିଆରି ହେଉଛି । ଏମିତି ବି ଅନେକ ଅଛନ୍ତି ଯେଉଁମାନେ କି ୧୦-୧୫ ବର୍ଷ ଜ୍ଞାନରେ ରହି ମଧ୍ୟ ଚାଲିଯାଉଛନ୍ତି । ତେବେ ସେମାନଙ୍କୁ ଅରଖ ଫୁଲ ବୋଲି କୁହାଯିବ । ବହୁତ ଭଲ-ଭଲ କନ୍ୟା ଯେଉଁମାନେ କି ମାମ୍ମା-ବାବାଙ୍କ ପାଇଁ ମଧ୍ୟ ନିର୍ଦ୍ଦେଶ ଆଣି ଆସୁଥିଲେ, ଡ୍ରିଲ କରାଉଥିଲେ, ସେମାନେ ବି ଆଜି ନାହାଁନ୍ତି । ଏକଥା କନ୍ୟାମାନେ ବି ଜାଣିଛନ୍ତି ଏବଂ ବାପଦାଦା ମଧ୍ୟ ଜାଣିଛନ୍ତି ଯେ ମାୟା ବହୁତ ଶକ୍ତିଶାଳୀ । ଏହା ହେଉଛି ମାୟା ସହିତ ଗୁପ୍ତ ଲଢେଇ । ଗୁପ୍ତ ତୋଫାନ । ବାବା କହୁଛନ୍ତି ମାୟା ତୁମକୁ ବହୁତ ହଇରାଣ କରିବ । ଏହା ହେଉଛି ହାର-ଜିତ୍‌ର ଡ୍ରାମା । ତୁମର ଲଢେଇ କୌଣସି ହତିଆର ଦ୍ୱାରା ହେଉନାହିଁ । ଭାରତର ଏହି ପ୍ରାଚୀନ ଯୋଗ ତ ପ୍ରସିଦ୍ଧ ଅଟେ, ଯେଉଁ ଯୋଗବଳ ଦ୍ୱାରା ତୁମେ ଏଭଳି ହେଉଛ । ବାହୁବଳ ଦ୍ୱାରା କେହି ବିଶ୍ୱର ରାଜତ୍ୱ ନେଇପାରିବେ ନାହିଁ । ଏହି ଖେଳ ମଧ୍ୟ ବହୁତ ଆଶ୍ଚର୍ଯ୍ୟଜନକ । ଏହାର ଏକ କାହାଣୀ ମଧ୍ୟ ରହିଛି, ଦୁଇ ଜଣ ବିଲେଇ ଲଢେଇ କଲେ ଲହୁଣୀ ତୃତୀୟ ଜଣକୁ ମିଳିଗଲା ବୋଲି । ତେବେ ତୁମକୁ ଗୋଟିଏ ସେକେଣ୍ଡରେ ବିଶ୍ୱର ରାଜତ୍ୱ ମିଳୁଛି । କନ୍ୟାମାନେ ଏହାର ମଧ୍ୟ ସାକ୍ଷାତ୍‌କାର କରିଛନ୍ତି । କହୁଥିଲେ କୃଷ୍ଣଙ୍କୁ ଲହୁଣୀ ଖାଉଥିବାର ଦେଖିଲୁ । ବାସ୍ତବରେ ଏହାର ଭାବାର୍ଥ ହେଲା କୃଷ୍ଣ ସ୍ୱର୍ଗ ଦୁନିଆର ମାଲିକ ହେଉଛନ୍ତି । ଯୋଗବଳ ଦ୍ୱାରା ତୁମେ ବିଶ୍ୱର ରାଜତ୍ୱ ରୂପୀ ଲହୁଣୀ ନେଉଛ । ରାଜତ୍ୱ ପାଇଁ କେତେ ଯୁଦ୍ଧ ହୋଇଥାଏ ଏବଂ ସେଥିରେ କେତେ ମୃତ୍ୟୁବରଣ କରିଥା’ନ୍ତି । ବର୍ତ୍ତମାନ ଏହି ପୁରୁଣା ଦୁନିଆର ହିସାବ-କିତାବ ଚୁକ୍ତ ହେବାର ଅଛି । ଏହି ଦୁନିଆର କୌଣସି ବି ଜିନିଷ ରହିବ ନାହିଁ । ବାବାଙ୍କର ଶ୍ରୀମତ ହେଲା - ପିଲାମାନେ ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ.... ସେମାନେ ମାଙ୍କଡର ଚିତ୍ର ତିଆରି କରିଦେଇଛନ୍ତି । ଆଜିକାଲି ମନୁଷ୍ୟମାନଙ୍କର ମଧ୍ୟ ଏହିଭଳି ଚିତ୍ର ତିଆରି କରୁଛନ୍ତି । ଆଗରୁ ଚୀନ୍‌ରୁ ହାତୀଦାନ୍ତର ଜିନିଷମାନ ଆସୁଥିଲା । ଚୁଡି ମଧ୍ୟ କାଚର ପିନ୍ଧୁଥିଲେ । ଏଠାରେ ତ ଅଳଙ୍କାର ଆଦି ପିନ୍ଧିବା ପାଇଁ ନାକ କାନ ଆଦି କଣା କରୁଛନ୍ତି, ସତ୍ୟଯୁଗରେ ନାକ-କାନ ଫୋଡିବାର ଆବଶ୍ୟକତା ନାହିଁ । ଏଠାରେ ତ ମାୟା ଏପରି ଯେ ସମସ୍ତଙ୍କର ନାକ-କାନ କାଟି ଦେଉଛି । ତୁମେ ସନ୍ତାନମାନେ ଏବେ ସ୍ୱଚ୍ଛ ପବିତ୍ର ହେଉଛ । ସତ୍ୟଯୁଗରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ । କୌଣସି ପ୍ରକାର ଜିନିଷ ଲଗାଇବାର ଆବଶ୍ୟକତା ପଡିବ ନାହିଁ । ଏଠାରେ ତ ଶରୀର ହିଁ ତମଃପ୍ରଧାନ ତତ୍ତ୍ୱ ଦ୍ୱାରା ତିଆରି ହେଉଛି, ସେଥିପାଇଁ ରୋଗ ଆଦି ହେଉଛି । ସେଠାରେ ଏ ସବୁ କଥା ହେବ ନାହିଁ । ଏବେ ତୁମର ଆତ୍ମାକୁ ବହୁତ ଖୁସି ହେଉଛି କି ଆମକୁ ଅବିନାଶୀ ବାବା ରାଜଯୋଗର ପାଠପଢାଇ ନରରୁ ନାରାୟଣ ଅଥବା ଅମରପୁରୀର ମାଲିକ କରୁଛନ୍ତି । ସେଥିପାଇଁ ଗାୟନ ରହିଛି ଅତିନ୍ଦ୍ରିୟ ସୁଖ ବିଷୟରେ ଜାଣିବାକୁ ହେଲେ ଗୋପ-ଗୋପୀମାନଙ୍କୁ ପଚାର । ଭକ୍ତମାନେ ଏହି କଥାକୁ ଜାଣିନାହାଁନ୍ତି । ତୁମମାନଙ୍କ ଭିତରେ ମଧ୍ୟ ଏପରି ବହୁତ କମ୍ ଅଛନ୍ତି ଯେଉଁମାନେ କି ଏହି କଥାକୁ ସ୍ମରଣ କରି ଖୁସିରେ ରହୁଛନ୍ତି । ଅବଳାମାନଙ୍କ ଉପରେ ମଧ୍ୟ କେତେ ଅତ୍ୟାଚାର ହେଉଛି । ମହାଭାରତରେ ଦ୍ରୌପଦୀଙ୍କ ବିଷୟରେ ଯେଉଁ ଗାୟନ ରହିଛି, ସେ ସବୁ ବର୍ତ୍ତମାନ ବାସ୍ତବରେ ହେଉଛି । ଦ୍ରୌପଦୀ କାହିଁକି ଡାକିଲେ? ଏକଥା ମନୁଷ୍ୟମାନେ ଜାଣି ନାହାଁନ୍ତି । ବାବା ବୁଝାଇଛନ୍ତି - ତୁମେ ସମସ୍ତେ ହେଉଛ ଦ୍ରୌପଦୀ । ଏପରି ନୁହେଁ ଯେ ନାରୀ ସର୍ବଦା ନାରୀ ହୋଇ ହିଁ ଜନ୍ମ ନେଉଥିବ । ନା । କେବଳ ଦୁଇ ଥର ନାରୀ ହୋଇ ଜନ୍ମ ନେଇପାରିବେ, ଅଧିକ ନୁହେଁ । ମାତାମାନେ ଡାକୁଛନ୍ତି - ବାବା ରକ୍ଷା କର, ଆମକୁ ଦୁଃଶାସନ ବିକାର ପାଇଁ ହଇରାଣ କରୁଛି, ଏହାକୁ ହିଁ କୁହାଯାଏ ବୈଶ୍ୟାଳୟ । ସ୍ୱର୍ଗକୁ ଶିବାଳୟ କୁହାଯାଏ । ବେଶ୍ୟାଳୟ ରାବଣ ସ୍ଥାପନ କରୁଛି ଏବଂ ଶିବାଳୟ ଶିବବାବା ସ୍ଥାପନ କରୁଛନ୍ତି । ଆଉ ବାବା ତୁମକୁ ଜ୍ଞାନ ମଧ୍ୟ ଦେଉଛନ୍ତି, ସେଥିପାଇଁ ବାବାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି । ଏପରି ନୁହେଁ ଯେ ଜ୍ଞାନର ସାଗର ଅର୍ଥାତ୍ ସମସ୍ତଙ୍କର ହୃଦୟକୁ ଜାଣିଲାବାଲା । ଏହାଦ୍ୱାରା କ’ଣ ଫାଇଦା ମିଳିବ! ବାବା କହୁଛନ୍ତି ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମୋ ଛଡା ଆଉ କେହି ଦେଇପାରିବେ ନାହିଁ । ମୁଁ ହିଁ ଆସି ତୁମକୁ ପାଠ ପଢାଉଛି । ଏକମାତ୍ର ବାବା ହିଁ ଜ୍ଞାନର ସାଗର ଅଟନ୍ତି । ସେଠାରେ ଭକ୍ତିର ପ୍ରାରବ୍ଧ ରହିଛି, ସତ୍ୟଯୁଗ-ତ୍ରେତାରେ ଭକ୍ତି ରହିବ ନାହିଁ । ପାଠପଢା ଦ୍ୱାରା ହିଁ ରାଜଧାନୀ ସ୍ଥାପନ ହେଉଛି । ପ୍ରେସିଡେଣ୍ଟ ଆଦିଙ୍କର ଦେଖ କେତେ ମନ୍ତ୍ରୀ ରହିଛନ୍ତି, ଉପଦେଶ ଦେବା ପାଇଁ ମନ୍ତ୍ରୀ ରଖିଥା’ନ୍ତି । କିନ୍ତୁ ସତ୍ୟଯୁଗରେ ମନ୍ତ୍ରୀ ରଖିବାର କୌଣସି ଆବଶ୍ୟକତା ନାହିଁ । ବର୍ତ୍ତମାନ ବାବା ତୁମକୁ ବୁଦ୍ଧିମାନ କରୁଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ କେତେ ବୁଦ୍ଧିମାନ ଅଟନ୍ତି । ତୁମକୁ ବାବାଙ୍କଠାରୁ ବେହଦର ରାଜତ୍ୱ ମିଳୁଛି । ସେଥିପାଇଁ ବାବାଙ୍କର ଶିବ ଜୟନ୍ତୀ ପାଳନ କରାଯାଉଛି । ତେବେ ନିଶ୍ଚିତ ଭାବରେ ଶିବବାବା ଭାରତକୁ ଆସି ବିଶ୍ୱର ମାଲିକ କରାଇ ଯାଇଛନ୍ତି । ଏହା ତ ଲକ୍ଷ-ଲକ୍ଷ ବର୍ଷର କଥା ନୁହେଁ । ଏହା ତ କାଲିର କଥା । ଆଚ୍ଛା, ମୁଁ ଆଉ ଅଧିକ କ’ଣ ବୁଝାଇବି । ବାବା କହୁଛନ୍ତି ମନମନାଭବ । ବାସ୍ତବରେ ଏହା ହେଉଛି ଈଶାରାର ପାଠପଢା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ସଂପୂର୍ଣ୍ଣ ସହଯୋଗୀ ହେବା ପାଇଁ ବହୁତ ଚତୁର, ବୁଦ୍ଧିମାନ ହେବାକୁ ପଡିବ । ପରସ୍ପର ଭିତରେ କୌଣସି ପ୍ରକାରର ଖିଟ୍‌ପିଟ୍ ନ ଥିବ ।

(୨) ସ୍ଥାପନା ଏବଂ ବିନାଶର କର୍ତ୍ତବ୍ୟକୁ ଦେଖି ପୁରା ନିଶ୍ଚୟବୁଦ୍ଧି ହୋଇ ବାବାଙ୍କୁ ଅନୁକରଣ କରିବାକୁ ହେବ । ପୁରୁଣା ଦୁନିଆର ମୂଲ୍ୟହୀନ ଧନ ସମ୍ପତ୍ତିରୁ ବୁଦ୍ଧିଯୋଗ ତୁଟାଇ ପୂରା ଭିକାରୀ ହେବାକୁ ପଡିବ । ମିତ୍ର-ସମ୍ବନ୍ଧୀ, ଧନ-ଦୌଲତ ଆଦି ସବୁ କିଛି ଭୁଲିଯିବାକୁ ପଡିବ ।

ବରଦାନ:-
ସଗଂଠନ ଭିତରେ ରହି, ସମସ୍ତଙ୍କର ସ୍ନେହୀ ହୋଇ ଏକମାତ୍ର ବାବାଙ୍କୁ ହିଁ ବୁଦ୍ଧିର ସାହାରା କରିଥିବା କର୍ମଯୋଗୀ ଭବ ।

କେହି କେହି ପିଲା ସଂଗଠନ ଭିତରେ ରହି ସମସ୍ତଙ୍କର ସ୍ନେହୀ ହେବା ପରିବର୍ତ୍ତେ ସଂଗଠନ ଠାରୁ ଦୂରେଇ ରହିଥାଆନ୍ତି, ସେମାନଙ୍କ ଭିତରେ ଭୟ ରହିଥାଏ ଯେ ମୁଁ ଏହା ଭିତରେ ବାନ୍ଧି ହୋଇ ଯିବି ନାହିଁ ତ? ତେଣୁ ଦୂରେଇ ରହିବା ସବୁଠାରୁ ଭଲ । କିନ୍ତୁ ଏହା ଠିକ୍ ନୁହେଁ, କାରଣ ୨୧ ଜନ୍ମ ପର୍ଯ୍ୟନ୍ତ ଏହି ପରିବାର ଭିତରେ ହିଁ ରହିବାକୁ ହେବ । ଯଦି ସଂଗଠନକୁ ଡରି ଦୂରେଇ ରହିବ ତେବେ ଏହାକୁ ମଧ୍ୟ କର୍ମ-ସନ୍ନ୍ୟାସୀମାନଙ୍କର ସଂସ୍କାର କୁହାଯିବ । ତୁମମାନଙ୍କୁ କର୍ମଯୋଗୀ ହେବାର ଅଛି, କର୍ମସନ୍ନ୍ୟାସୀ ନୁହେଁ, ତେଣୁ ସଂଗଠନ ଭିତରେ ରୁହ, ସମସ୍ତଙ୍କର ସ୍ନେହୀ ହୁଅ କିନ୍ତୁ ବୁଦ୍ଧିର ସାହାରା ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ହେବା ଉଚିତ୍ ନୁହେଁ । କୌଣସି ଆତ୍ମାର ସଂଗ ବା ଗୁଣ ବା ବିଶେଷତା ବୁଦ୍ଧିକୁ ଯେପରି ଆକର୍ଷିତ କରୁ ନ ଥିବ ତେବେ କୁହାଯିବ କର୍ମଯୋଗୀ ପବିତ୍ର ଆତ୍ମା ।

ସ୍ଲୋଗାନ:-
ବାପଦାଦାଙ୍କର ଡାହାଣ ହାତ ହୁଅ, ବାମ ହାତ ନୁହେଁ ।