21.04.24    Avyakt Bapdada     Odia Murli    30.03.99     Om Shanti     Madhuban


“ତୀବ୍ର ପୁରୁଷାର୍ଥର ଲଗନକୁ ଜ୍ୱାଳା ସ୍ୱରୂପରେ ପରିବର୍ତ୍ତନ କରି ବେହଦର ବୈରାଗ୍ୟର ତରଙ୍ଗ ବିଚ୍ଛୁରିତ କର ।”


ଆଜି ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ତିନୋଟି ରେଖାକୁ ଦେଖୁଛନ୍ତି । ଯେଉଁଥିରୁ ଗୋଟିଏ ହେଲା ପରମାତ୍ମ ପାଳନାର ଭାଗ୍ୟର ରେଖା । ଏହିଭଳି ପରମାତ୍ମ, ପାଳନାର ଭାଗ୍ୟ ସାରା କଳ୍ପ ଭିତରେ ଏବେ ଏହି ଗୋଟିଏ ଥର ହିଁ ମିଳିଥାଏ । କେବଳ ଏହି ସଂଗମଯୁଗ ବ୍ୟତୀତ ଆଉ କେବେ ବି ଏହି ପରମାତ୍ମ ପାଳନାର ଭାଗ୍ୟ ପ୍ରାପ୍ତ ହୋଇପାରିବ ନାହିଁ । ତେବେ ଏହି ପାଳନା ମଧ୍ୟ ବହୁତ କମ୍ ପିଲାଙ୍କୁ ପ୍ରାପ୍ତ ହୋଇଥାଏ । ଦ୍ୱିତୀୟ ରେଖାଟି ହେଲା - ପରମାତ୍ମ ପାଠପଢାର ଭାଗ୍ୟର ରେଖା । ପରମାତ୍ମା ପିତାଙ୍କ ଦ୍ୱାରା ପାଠପଢିବା ମଧ୍ୟ କେତେ ବଡ ଭାଗ୍ୟ ଯାହାକି ସ୍ୱୟଂ ପରମଆତ୍ମା ଶିକ୍ଷକ ହୋଇ ପାଠ ପଢାଉଛନ୍ତି । ତୃତୀୟ ରେଖାଟି ହେଲା ପରମାତ୍ମ ପ୍ରାପ୍ତିର ରେଖା । ଟିକଏ ଭାବି ଦେଖ ତୁମକୁ କେତେ ସବୁ ପ୍ରାପ୍ତି ମିଳିଛି । ସମସ୍ତଙ୍କୁ ମନେ ଅଛି ନା - ପ୍ରାପ୍ତିଗୁଡିକର ତାଲିକା କେତେ ଲମ୍ବା! ତେଣୁ ପ୍ରତ୍ୟେକଙ୍କ ମସ୍ତକରେ ଏହି ତିନୋଟି ରେଖା ଚମକୁଛି । ନିଜକୁ ଏହିଭଳି ଭାଗ୍ୟବାନ ଆତ୍ମା ମନେ କରୁଛ? ପାଳନା, ପାଠପଢା ଏବଂ ପ୍ରାପ୍ତି । ଏହା ସହିତ ବାପଦାଦା ପିଲାମାନଙ୍କର ନିଶ୍ଚୟ ଆଧାରରେ ଆତ୍ମିକ ନିଶାକୁ ମଧ୍ୟ ଦେଖୁଛନ୍ତି । ପ୍ରତ୍ୟେକ ପରମାତ୍ମ ସନ୍ତାନ କେତେ ନିଶାରେ ରହୁଛନ୍ତି! ସାରା ବିଶ୍ୱରେ ଏବଂ ସାରା କଳ୍ପରେ ସବୁଠାରୁ ଉଚ୍ଚରୁ ଉଚ୍ଚ ମଧ୍ୟ ଅଟ, ମହାନ ମଧ୍ୟ ଅଟ ଏବଂ ସର୍ବଶ୍ରେଷ୍ଠ ପବିତ୍ର ମଧ୍ୟ ଅଟ । ତୁମମାନଙ୍କ ଭଳି ପବିତ୍ର ଆତ୍ମା ଯିଏକି ଶରୀରରେ ମଧ୍ୟ ପବିତ୍ର ଏବଂ ମନରେ ଅର୍ଥାତ୍ ସଂକଳ୍ପରେ ମଧ୍ୟ ପବିତ୍ର ତଥା ଦେବତା ରୂପରେ ସର୍ବଗୁଣ ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ ଆଉ କେହି ବି ହେଉ ନାହାଁନ୍ତି । ତା’ ସହିତ ହାଇଏଷ୍ଟ ଅର୍ଥାତ୍ ଉଚ୍ଚରୁ ଉଚ୍ଚ ମଧ୍ୟ ହୋଇଥିବ, ହୋଲୀଏଷ୍ଟ ଅର୍ଥାତ୍ ଶ୍ରେଷ୍ଠ ପବିତ୍ର ମଧ୍ୟ ହୋଇଥିବ ଏବଂ ରିଚେଷ୍ଟ ଅର୍ଥାତ୍ ସବୁଠାରୁ ଧନଶାଳୀ ମଧ୍ୟ ହୋଇଥିବ, ବାପଦାଦା ସ୍ଥାପନା ସମୟରେ ମଧ୍ୟ ପିଲାମାନଙ୍କୁ ସ୍ମରଣ କରାଇ ଦେଉଥିଲେ ଏବଂ ତୁରନ୍ତ ଖବରକାଗଜରେ ମଧ୍ୟ ବାହାର କରିଥିଲେ ଯେ ‘ଓମ୍ ମଣ୍ଡଳୀ’ “ରିଚେଷ୍ଟ ଇନ୍ ଦି ୱାଲର୍ଡ” ଅର୍ଥାତ୍ ଓମ୍ ମଣ୍ଡଳୀ ସାରା ବିଶ୍ୱରେ ସବୁଠାରୁ ଧନଶାଳୀ ଅଟେ । ଏହା ହେଉଛି ସ୍ଥାପନା ସମୟର ତୁମମାନଙ୍କର ମହିମା । ଦୁ୍‌ନିଆରେ ଯେତେ ବି କୋଟି-କୋଟି ପତି ହୋଇଥାଉ କିନ୍ତୁ ଗୋଟିଏ ଦିନରେ ତୁମମାନଙ୍କ ଭଳି ଧନଶାଳୀ ହୋଇପାରିବ ନାହିଁ । ତେବେ ତୁମମାନଙ୍କର ଏତେ ଧନବାନ ହେବାର ଆଧାର କ’ଣ? ବହୁତ ଛୋଟିଆ ବିଧି । ଲୋକମାନେ ରିଚେଷ୍ଟ ହେବା ପାଇଁ କେତେ ମେହନତ କରୁଛନ୍ତି କିନ୍ତୁ ତୁମେମାନେ କେତେ ସହଜରେ ମାଲାମାଲ୍ ହୋଇଚାଲିଛ । ଜାଣିଛ ନା ଏହାର ସାଧନ ବା ବିଧି କ’ଣ? କେବଳ ଗୋଟିଏ ଛୋଟିଆ ବିନ୍ଦୁଟିଏ ଲଗାଇବାର ଅଛି - ବାସ୍ । ବିନ୍ଦୁ ଲଗାଇ ଦେଲ, ରୋଜଗାର ହୋଇଗଲା । ଆତ୍ମା ମଧ୍ୟ ବିନ୍ଦୁ, ବାବା ମଧ୍ୟ ବିନ୍ଦୁ, ଯଦି ଆତ୍ମାକୁ ମନେ ପକାଇଲ ତେବେ ଆୟର ବୃଦ୍ଧି ହେଲା । ଏମିତି ବି ଲୌକିକରେ ମଧ୍ୟ ଦେଖ ବିନ୍ଦୁ ଅର୍ଥାତ୍ ଶୂନ ଲଗାଇବା ଦ୍ୱାରା ହିଁ ସଂଖ୍ୟା ବୃଦ୍ଧି ହୋଇଥାଏ । ଏକ ଆଗରେ ବିନ୍ଦୁ ଲଗାଇ ଦେଲେ ତାହା ୧୦ ହୋଇଯାଉଛି, ଦୁଇଟି ବିନ୍ଦୁ ଲଗାଅ ତିନୋଟି ବିନ୍ଦୁ ଲଗାଅ, ଚାରୋଟି ବିନ୍ଦୁ ଲଗାଇ, ସଂଖା ବଢି ବଢି ଚାଲିବ । ତେଣୁ ତୁମମାନଙ୍କର ସାଧନ କେତେ ସହଜ ଅଟେ! “ମୁଁ ଆତ୍ମା ଅଟେ” ଯଦି ଏହି ସ୍ମୃତିର ବିନ୍ଦୁ ଲଗାଇଲେ ତେବେ ସମ୍ପତ୍ତି ଜମା ହୋଇଗଲା । ପୁଣି “ବାବା”ଙ୍କର ସ୍ମୃତିର ବିନ୍ଦୁ ଲଗାଅ, ଆହୁରି ସମ୍ପତ୍ତି ଜମା ହେଲା । କର୍ମ କରିବା ସମୟରେ ସମ୍ବନ୍ଧ-ସମ୍ପର୍କରେ ଡ୍ରାମାର ଫୁଲଷ୍ଟପ୍ ଲଗାଅ, ବିତିଯାଇଥିବା କଥାକୁ ଯଦି ଫୁଲଷ୍ଟଫ୍‌ର ବିନ୍ଦୁ ଲଗାଇଦେଲ ତେବେ ସେଥିରେ ମଧ୍ୟ ସମ୍ପତ୍ତି ବୃଦ୍ଧି ହେଲା । ଏବେ କୁହ ସାରା ଦିନ ଭିତରେ କେତେ ଥର ବିନ୍ଦୁ ଲଗାଉଛ? ଏବଂ ବିନ୍ଦୁ ଲଗାଇବା କେତେ ସହଜ ଅଟେ! କିଛି କଷ୍ଟ ଲାଗିଲା କି? କ’ଣ ବିନ୍ଦୁ ହାତରୁ ଖସିଯାଉଛ କି?

ତେବେ ବାପଦାଦା ତୁମମାନଙ୍କୁ ରୋଜଗାର ଜମା କରିବାର ସାଧନ କେବଳ ଏତିକି କଥା ଶିଖାଉଛନ୍ତି ଯେ ବିନ୍ଦୁ ଲଗାଇଚାଲ । ତେବେ ସମସ୍ତଙ୍କୁ ବିନ୍ଦୁ ଲଗାଇବା ଜଣା ଅଛି ତ? ଯଦି ଜଣା ଅଛି ତେବେ ଗୋଟିଏ ହାତର ତାଳି ବଜାଅ । ଏହା ପକ୍କା ଅଟେ ତ! ନା କେବେ କେବେ ହାତରୁ ଖସିଯାଉଛି, କେବେ କେବେ ଲାଗିଯାଉଛି? ତେଣୁ ସବୁଠାରୁ ସହଜ କଥା ହେଲା ବିନ୍ଦୁ ଲଗାଇବା । ଯଦି କେହି ସ୍ଥୁଳ ଆଖିର ଅନ୍ଧ ହୋଇଥିବ ତେବେ ବି ସେ ଯଦି କେବଳ କାଗଜ ଉପରେ ପେନ୍‌ସିଲ୍ ବା କଲମ ରଖି ଦେବ ତେବେ ବି ବିନ୍ଦୁ ଲାଗିଯିବ । କିନ୍ତୁ ତୁମେମାନେ ତ ତ୍ରିନେତ୍ରୀ ଅଟ, ସେଥିପାଇଁ ଏହି ତିନୋଟି ଯାକ ବିନ୍ଦୁକୁ ସର୍ବଦା ବ୍ୟବହାର କର । ପ୍ରଶ୍ନବାଚକ ଚିହ୍ନ କେତେ ତେଢା ଅଟେ, ଲେଖିକରି ଦେଖ ତ, ତେଢା ଅଟେ ନା? କିନ୍ତୁ ବିନ୍ଦୁ କେତେ ସହଜ ସେଥିପାଇଁ ବାପଦାଦା ଭିନ୍ନ ଭିନ୍ନ ରୂପରେ ପିଲାମାନଙ୍କୁ ସମାନ କରିବାର ବିଧି ଶୁଣାଇଚାଲିଛନ୍ତି । ତେବେ ଏହାର ବିଧି ହେଲା ବିନ୍ଦୁ । ଏହା ବ୍ୟତୀତ ଅନ୍ୟ କୌଣସି ବିଧି ହିଁ ନାହିଁ । ଯଦି ବିଦେହୀ ମଧ୍ୟ ହେଉଛ ତେବେ ବି ଏହାର ବିଧି ହେଲା - ବିନ୍ଦୁ ହେବା । ଅଶରୀରୀ ହେଉଛ ବା କର୍ମାତୀତ ହେଉଛ - ସବୁର ବିଧି ହେଲା ବିନ୍ଦୁ ସେଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି -ଅମୃତବେଳାରେ ବାପଦାଦାଙ୍କ ସହିତ ମିଳନ କରି, ଆତ୍ମିକ ବାର୍ତ୍ତାଳାପ କରି ଯେତେବେଳେ କାର୍ଯ୍ୟ ବ୍ୟବହାରକୁ ଆସୁଛ ପ୍ରଥମେ ତିନି ବିନ୍ଦୁର ତିଳକ ମସ୍ତକରେ ଲଗାଅ, ଭକ୍ତମାନଙ୍କ ଭଳି ଲାଲ ରଙ୍ଗର ବିନ୍ଦୁ ମସ୍ତକରେ ଲଗାଇବାର ନାହିଁ କିନ୍ତୁ ସ୍ମୃତିର ତିଳକ ଲଗାଅ ଏବଂ ଚେକ୍ କର ଯେ କୌଣସି କାରଣରୁ ଏହି ସ୍ମୃତିର ତିଳକ ଯେପରି ଲିଭି ନ ଯାଏ । ଅବିନାଶୀ, ଅଲିଭା ତିଳକ ଲାଗିଛି ତ?

ବାପଦାଦା ପିଲାମାନଙ୍କର ସ୍ନେହକୁ ମଧ୍ୟ ଦେଖୁଛନ୍ତି । କେତେ ସ୍ନେହରେ ଦୌଡି ଦୌଡି ଆସି ପହଞ୍ଚି ଯାଇଛନ୍ତି । ଏହା ଛଡା ଆଜି ହଲ ଭିତରେ ମିଳନ କରିବା ପାଇଁ ମଧ୍ୟ କେତେ ମେହନତ କରି, କେତେ ସ୍ନେହର ସହିତ ନିଦକୁ ଭୋକ-ଶୋଷକୁ ଭୁଲି ଆଗ ଧାଡିରେ ପାଖରେ ବସିବା ପାଇଁ ପୁରୁଷାର୍ଥ କରିଛନ୍ତି । ବାପଦାଦା ସବୁ କିଛି ଦେଖୁଛନ୍ତି, ପିଲାମାନେ କ’ଣ କ’ଣ ସବୁ କରୁଛନ୍ତି, ସାରା ଡ୍ରାମା ଦେଖୁଛନ୍ତି । ବାପଦାଦା ପିଲାମାନଙ୍କର ସ୍ନେହ ଆଗରେ ନିଜକୁ ସ୍ୱାହା କରିଦେଉଛନ୍ତି ଏବଂ ପିଲାମାନଙ୍କୁ ଏହି କଥା କହୁଛନ୍ତି ଯେପରି ସାକାରରେ ମିଳନ କରିବା ପାଇଁ ଦୌଡି ଦୌଡି ଆସୁଛ ସେହିପରି ବାପ୍ ସମାନ ହେବା ପାଇଁ ମଧ୍ୟ ତୀବ୍ର ପୁରୁଷାର୍ଥ କର, ଏଠାରେ ଭାବୁଛ ନା ସବୁଠାରୁ ଆଗ ନମ୍ବର ମିଳିଯାଉ । ପୁଣି ବି ସମସ୍ତଙ୍କୁ ତ ମିଳୁ ନାହିଁ । କାରଣ ଏହା ସାକାରୀ ଦୁନିଆ ଅଟେ ନା! ତେଣୁ ସାକାରୀ ଦୁନିଆର ନିୟମକୁ ଦେଖିବାକୁ ପଡିବ । ବାପଦାଦା ମଧ୍ୟ ସେତେବେଳେ ଭାବୁଛନ୍ତି ଯେ ସମସ୍ତେ ଆଗରେ ଆଗରେ ବସିଯାଆନ୍ତେ କି କିନ୍ତୁ ଏପରି କ’ଣ ହୋଇପାରିବ? କିନ୍ତୁ ହେଉଛି, ଜାଣିଛ କିପରି ହେଉଛି? ପଛରେ ବସିଥିବା ପିଲାମାନଙ୍କୁ ବାପଦାଦା ସର୍ବଦା ତାଙ୍କ ନୟନରେ ସମାହିତ ହୋଇ ଥିବାର ଦେଖୁଛନ୍ତି । ତେବେ ସବୁଠାରୁ ନିକଟ ହେଲା ନୟନ । ତେଣୁ ତୁମେମାନେ ପଛରେ ବସି ନାହଁ । ନିକଟରେ ହିଁ ଅଛ । ଶରୀର ହିସାବରେ ହୁଏତ ପଛରେ ବସିଛ କିନ୍ତୁ ଆତ୍ମା ସବୁଠାରୁ ଆଗରେ ଅଛି । ବାପଦାଦା ମଧ୍ୟ ଆଗବାଲାଙ୍କ ଅପେକ୍ଷା ସବୁଠାରୁ ଅଧିକ ପଛବାଲାଙ୍କୁ ହିଁ ଦେଖୁଛନ୍ତି । ଦେଖ ପାଖବାଲାଙ୍କୁ ଏହି ସ୍ଥୂଳ ନେତ୍ର ଦ୍ୱାରା ଦେଖିବାର ସୁଯୋଗ ମିଳିଛି କିନ୍ତୁ ପଛବାଲାଙ୍କୁ ତାଙ୍କର ସ୍ଥୂଳ ନେତ୍ର ଦ୍ୱାରା ଦେଖିବା ପାଇଁ ସୁଯୋଗ ନାହିଁ ସେଥିପାଇଁ ବାପଦାଦା ନିଜର ନୟନରେ ସେମାନଙ୍କୁ ସମାହିତ କରିନେଇଛନ୍ତି ।

ବାପଦାଦାଙ୍କୁ ମଧ୍ୟ ହସ ଲାଗୁଛି ଯେ ଦିନ ଦୁଇଟା ଠାରୁ ଲାଇନ୍ ଲାଗିବା ଆରମ୍ଭ ହୋଇଯାଉଛି । ବାପଦାଦା ଜାଣୁଛନ୍ତି ଯେ ପିଲାମାନେ ଛିଡା ହୋଇ ହୋଇ ଥକି ମଧ୍ୟ ଯାଉଛନ୍ତି ସେଥିପାଇଁ ବାପଦାଦା ସବୁ ପିଲାଙ୍କୁ ସ୍ନେହ ରୂପକ ମାଲିସ୍ ମଧ୍ୟ କରିଦେଉଛନ୍ତି । ଗୋଡର ମାଲିସ୍ ହୋଇଯାଉଛି । ତେବେ ବାପଦାଦାଙ୍କର ମାଲିସ୍ କରିବା ଦେଖିଛ ନା ବହୁତ ଭିନ୍ନ ମଧ୍ୟ ଅଟେ ଏବଂ ବହୁତ ପ୍ରିୟ ମଧ୍ୟ ଅଟେ । ତେଣୁ ଆଜି ସମସ୍ତେ ଏହି ସିଜିନ୍ ଅର୍ଥାତ୍ ମିଳନ ଋତୁର ଶେଷ ସୁଯୋଗ ନେବା ପାଇଁ ଚାରିଆଡୁ ଦୌଡି ଦୌଡି ଆସି ପହଞ୍ଚିଯାଇଛ । ବହୁତ ଭଲ କଥା । ବାବାଙ୍କ ସହିତ ମିଳନ କରିବାର ଉମଙ୍ଗ-ଉତ୍ସାହ ସର୍ବଦା ଆଗକୁ ବଢାଇଥାଏ । କିନ୍ତୁ ବାପଦାଦା ତ ପିଲାମାନଙ୍କୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭୁଲିପାରିବେ ନାହିଁ । ଯଦିଓ ବାବା ଜଣେ ଅଟନ୍ତି କିନ୍ତୁ ପିଲାମାନେ ଅନେକ ଅଛନ୍ତି ପୁଣି ବି ଅନେକ ସନ୍ତାନ ହେଲେ ବି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭୁଲୁ ନାହାଁନ୍ତି, କାହିଁକି ନା ବହୁତ ଦିନ ପରେ ମିଳିଛ ଅର୍ଥାତ୍ ସିକିଲଧା ସନ୍ତାନ ଅଟ । ଦେଖ କେଉଁଠୁ-କେଉଁଠୁ ଦେଶ-ବିଦେଶର କୋଣ-ଅନୁକୋଣରୁ ବାବା ତୁମମାନଙ୍କୁ ଖୋଜି ଖୋଜି ବାହାର କରିଛନ୍ତି । କ’ଣ ତୁମେମାନେ ବାବାଙ୍କୁ ଖୋଜି-ଖୋଜି ପାଇଥିଲ? ଏଣେ ତେଣେ ଭଟକୁଥିଲ କିନ୍ତୁ ପାଇ ନ ଥିଲ କିନ୍ତୁ ବାବା ଆସି ଭିନ୍ନ ଭିନ୍ନ ଦେଶରୁ, ଗାଁ-ଗଣ୍ଡାରୁ, ସହର ଭିତରୁ, ଯେଉଁଠି ଯେଉଁଠି ବାବାଙ୍କର ପିଲାମାନେ ଅଛନ୍ତି ସେଠାରୁ ଖୋଜି ବାହାର କରିଦେଲେ ଏବଂ ନିଜର କରିନେଲେ । ତୁମେମାନେ ଗୋଟିଏ ଗୀତ ଗାଉଛ ନା - ମୁଁ ବାବାଙ୍କର ବାବା ମୋ’ର । ନା ଜାତି ଦେଖିଲେ, ନା ଦେଶ ଦେଖିଲେ, ନା ରଙ୍ଗ ଦେଖିଲେ, ସମସ୍ତଙ୍କ ମସ୍ତକରେ ଗୋଟିଏ ହିଁ ଆତ୍ମିକ ରଙ୍ଗକୁ ଦେଖିଲେ - ତାହା ହେଲା ଜ୍ୟୋତିବିନ୍ଦୁ । ଡବଲ ବିଦେଶୀମାନେ କ’ଣ ଭାବୁଛନ୍ତି? ବାବା ତୁମମାନଙ୍କର ଜାତିକୁ ଦେଖିଛନ୍ତି? କଳା କି ଗୋରା, ଶ୍ୟାମ କି ସୁନ୍ଦର, କିଛି ଦେଖିଛନ୍ତି? କିଛି ବି ଦେଖିନାହାଁନ୍ତି । କେବଳ ଏତିକି ଦେଖିଛନ୍ତି - ଇଏ ମୋର ଅଟେ । ତେବେ କୁହ ବାବାଙ୍କର ସ୍ନେହ ଅଧିକ, ନା ତୁମମାନଙ୍କର ଅଧିକ? କାହାର ଅଧିକ? (ଉଭୟଙ୍କର) ପିଲାମାନେ ଉତ୍ତର ଦେବାରେ ମଧ୍ୟ ଚତୁର ଅଟନ୍ତି, କହୁଛନ୍ତି ବାବା ଆପଣ ତ କହୁଛନ୍ତି ସ୍ନେହ ସ୍ନେହକୁ ଆକର୍ଷିତ କରିଥାଏ, ତେଣୁ ଆପଣଙ୍କର ମଧ୍ୟ ସ୍ନେହ ଅଛି, ଆମର ମଧ୍ୟ ସ୍ନେହ ଅଛି ସେଥିପାଇଁ ତ ଆକର୍ଷିତ କରୁଛି ନା! ତେଣୁ ପିଲାମାନେ ବହୁତ ଚତୁର ଅଟନ୍ତି ଏବଂ ବାବାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ପିଲାମାନେ ଏତିକି ସାହାସ ତଥା ଉମଙ୍ଗ-ଉତ୍ସାହବାଲା ଅଟନ୍ତି ।

ବାପଦାଦାଙ୍କ ପାଖକୁ ବହୁତ ପିଲାଙ୍କର ୧୫ ଦିନର ଚାର୍ଟର ଫଳାଫଳ ଆସିଛି । ଗୋଟିଏ କଥା ତ ବାପଦାଦା ଚାରିଆଡର ପିଲାମାନଙ୍କର ଫଳାଫଳରେ ଦେଖୁଛନ୍ତି ଯେ ଅଧିକାଂଶ ପିଲାଙ୍କର ଏଥିପ୍ରତି ଧ୍ୟାନ ଅଛି । ଯଦିଓ ନିଜେ ମଧ୍ୟ ଶତକଡା ହିସାବରେ ଯେତିକି ଫଳାଫଳ ଚାହୁଁଛନ୍ତି ସେତିକି ନାହିଁ ପୁଣି ବି ସେଥିପ୍ରତି ଧ୍ୟାନ ଦେବା ସହିତ ଭିତରେ ଭିତରେ ଯେଉଁମାନେ ତୀବ୍ର ପୁରୁଷାର୍ଥୀ ପିଲାମାନେ ଅଛନ୍ତି ସେମାନେ ନିଜର ପ୍ରତିଜ୍ଞାକୁ ପୂରା କରିବାର ଲକ୍ଷ ପଥରେ ଆଗକୁ ବଢିଚାଲିଛନ୍ତି ଏବଂ ଆଗକୁ ବଢି ବଢି ଶେଷରେ ଲକ୍ଷ୍ୟ ସ୍ଥଳରେ ନିଶ୍ଚିତ ପହଞ୍ଚିଯିବେ । ଅଳ୍ପ ସଂଖ୍ୟକ ପିଲା ଏବେ ମଧ୍ୟ କେବେ ଅବହେଳା ପଣିଆର, କେବେ ଆଳସ୍ୟର ଅଧୀନ ହୋଇ ଏଥିପ୍ରତି କମ୍ ଧ୍ୟାନ ଦେଉଛନ୍ତି । ସେମାନଙ୍କର ଗୋଟିଏ ବିଶେଷ ସ୍ଳୋଗାନ ମଧ୍ୟ ଅଛି - ହୋଇ ହିଁ ଯିବୁ....ନିଶ୍ଚିତ ହେବୁ, କହିବେ ନାହିଁ । ହୋଇ ହିଁ ଯିବୁ - ଏହା ହେଉଛି ଅବହେଳାପଣିଆର ଭାଷା । ହେବାକୁ ହିଁ ପଡିବ । ଏହା ହେଲା ତୀବ୍ରପୁରୁଷାର୍ଥ । ବାପଦାଦା ତ ଅନେକ ପ୍ରତିଜ୍ଞା ଶୁଣୁଛନ୍ତି । ବାରମ୍ବାର ବହୁତ ଭଲ-ଭଲ ପ୍ରତିଜ୍ଞା ମଧ୍ୟ କରୁଛନ୍ତି । ପିଲାମାନେ ସାହସର ସହିତ ପ୍ରତିଜ୍ଞା କରୁଛନ୍ତି ଯାହାକି ସେହି ସମୟରେ ବାପଦାଦାଙ୍କୁ ମଧ୍ୟ ପିଲାମାନେ ଦିଲ୍ ଖୁସ୍ ମିଠେଇ ଖୁଆଇ ଦେଉଛନ୍ତି ଏବଂ ବାବା ମଧ୍ୟ ଖାଇ ଦେଉଛନ୍ତି । କିନ୍ତୁ ବାଇଦା ଅର୍ଥାତ୍ ପ୍ରତିଜ୍ଞାର ଅର୍ଥ ହେଲା ପୁରୁଷାର୍ଥରେ ଅଧିକରୁ ଅଧିକ ଫାଇଦା । ଯଦି ଫାଇଦା ନାହିଁ ତେବେ ବାଇଦା ସମର୍ଥ ନୁହେଁ । ତେଣୁ ବାଇଦା ପଛେ କର କାହିଁକି ନା ଦୁଲ୍‌ଖୁସ୍ ମିଠେଇ ତ ଖୁଆଉଛ ନା! ତା’ ସହିତ ତୀବ୍ର, ପୁରୁଷାର୍ଥର ଲଗନକୁ ଅଗ୍ନି ରୂପକୁ ଆଣ ଅର୍ଥାତ୍ ପ୍ରଜ୍ୱଳିତ କର । ଜ୍ୱାଳାମୁଖୀ ହୁଅ । ସମୟ ଅନୁସାରେ ବାକି ରହିଥିବା ମନର ବା ସମ୍ବନ୍ଧ-ସମ୍ପର୍କର ଯାହାବି ହିସାବ-କିତାବ ଅଛି ସେଗୁଡିକୁ ଜ୍ୱାଳା ସ୍ୱରୁପ ଯୋଗଦ୍ୱାରା ଭସ୍ମ କର । ଲଗନ ତ ନିଶ୍ଚିତ ରହିଛି, ଏଥିରେ ବାପଦାଦା ମଧ୍ୟ ସହମତ ଅଛନ୍ତି କିନ୍ତୁ ଏବେ ଲଗନକୁ ଅଗ୍ନି ରୂପରେ ପରିବର୍ତ୍ତନ କର ।

ବିଶ୍ୱରେ ଗୋଟିଏ ପଟେ ଭ୍ରଷ୍ଟାଚାର, ଅତ୍ୟାଚାରର ଅଗ୍ନି ରହିଛି, ତେଣୁ ଆଉ ଗୋଟିଏ ପଟେ ତୁମମାନଙ୍କର ଶକ୍ତିଶାଳୀ ଯୋଗ ଅର୍ଥାତ୍ ଲଗନର ଅଗ୍ନି-ଜ୍ୱାଳାରୂପ ଧାରଣ କରିବା ଆବଶ୍ୟକ କାରଣ ତୁମମାନଙ୍କର ଜ୍ୱାଳାରୂପ ହିଁ ଏହି ଭ୍ରଷ୍ଟାଚାର, ଅତ୍ୟାଚାରର ଅଗ୍ନିକୁ ସମାପ୍ତ କରିବ ଏବଂ ସର୍ବ ଆତ୍ମାମାନଙ୍କୁ ସହଯୋଗ ଦେବ । ତୁମମାନଙ୍କର ଲଗନ ଯଦି ଜ୍ୱାଳାରୂପ ଧାରଣ କରିଥିବ ଅର୍ଥାତ୍ ଯୋଗ ଶକ୍ତିଶାଳୀ ରହିଥିବ ତେବେ ଏହି ଯୋଗାଗ୍ନି ସେହି ଅଗ୍ନିକୁ ସମାପ୍ତ କରିବ ଏବଂ ଅନ୍ୟ ପଟେ ଆତ୍ମାମାନଙ୍କୁ ପରମାତ୍ମ ସନ୍ଦେଶର, ଶୀତଳ ସ୍ୱରୂପର ଅନୁଭୂତି ମଧ୍ୟ କରାଇବ, ତା ସହିତ ବେହଦର ବୈରାଗ୍ୟ ବୃତ୍ତିର ଅଗ୍ନିକୁ ମଧ୍ୟ ପ୍ରଜ୍ୱଳିତ କରାଇବ । ଗୋଟିଏ ପଟେ ଭସ୍ମ ମଧ୍ୟ କରିବ, ଅନ୍ୟ ପଟେ ଶୀତଳ ମଧ୍ୟ କରିବ । ବେହଦର ବୈରାଗ୍ୟର ବାତାବରଣ ମଧ୍ୟ ସୃଷ୍ଟି କରିବ । ପିଲାମାନେ କହୁଛନ୍ତି... ମୋ’ର ଯୋଗ ତ ନିଶ୍ଚିତ ଅଛି, ବାବାଙ୍କ ବ୍ୟତୀତ ମୋର ଆଉ କେହି ବି ନାହାଁନ୍ତି, ଏହା ମଧ୍ୟ ବହୁତ ଭଲ କଥା, କିନ୍ତୁ ସମୟକୁ ଦୃଷ୍ଟିରେ ରଖି ଏବେ ଜ୍ୱାଳା ସ୍ୱରୂପ ହୁଅ । ଶକ୍ତିମାନଙ୍କର ସ୍ମାରକୀ ଚିତ୍ରରେ ଯେଉଁ ସବୁ ଶକ୍ତି ରୂପ ବା ମହାଶକ୍ତି ରୂପ ବା ସର୍ବ ଶସ୍ତ୍ରଧାରୀ ରୂପ ଦେଖାଇଛନ୍ତି, ଏବେ ସେହି ମହାଶକ୍ତି ରୂପକୁ ପ୍ରତ୍ୟକ୍ଷ କର । ଚାହେଁ ପାଣ୍ଡବ ହୁଅନ୍ତୁ ବା ଶକ୍ତିମାନେ ହୁଅନ୍ତୁ ସମସ୍ତେ ସାଗରରୁ ବାହାରିଥିବା ନଦୀ ଅଟ, ସାଗର ନୁହେଁ, ନଦୀ ଅଟ । ଜ୍ଞାନ ଗଙ୍ଗା ଅଟ । ତେଣୁ ଜ୍ଞାନ ଗଙ୍ଗାମାନେ ଏବେ ଆତ୍ମାମାନଙ୍କୁ ନିଜର ଜ୍ଞାନର ଶୀତଳତା ଦ୍ୱାରା ପାପର ଅଗ୍ନିରୁ ମୁକ୍ତ କର । ଏହା ହେଉଛି ବର୍ତ୍ତମାନ ସମୟରେ ବ୍ରାହ୍ମଣମାନଙ୍କର କାର୍ଯ୍ୟ ।

ସମସ୍ତେ ପଚାରୁଛନ୍ତି ଯେ ଏହି ବର୍ଷ କେଉଁ ସେବା କରିବା? ତେବେ ବାପଦାଦା ସର୍ବ ପ୍ରଥମ ସେବା ରୂପରେ ଏହି କଥା କହୁଛନ୍ତି ଯେ ବର୍ତ୍ତମାନର ସମୟାନୁସାରେ ସବୁ ପିଲା ବାନପ୍ରସ୍ଥ ଅବସ୍ଥାରେ ଅଛ, ତେଣୁ ବାନପ୍ରସ୍ଥୀମାନେ ନିଜର ସମୟ ସାଧନ ସବୁ କିଛି ପିଲାମାନଙ୍କୁ ଦେଇ ନିଜେ ବାନପ୍ରସ୍ଥୀ ହୋଇଯାଆନ୍ତି । ତେଣୁ ତୁମେ ସମସ୍ତେ ମଧ୍ୟ ନିଜର ସମୟ ରୂପୀ ସମ୍ପତ୍ତି, ଶ୍ରେଷ୍ଠ ସଂକଳ୍ପରୂପୀ ସମ୍ପତ୍ତି ଏବେ ଅନ୍ୟମାନଙ୍କ ପ୍ରତି ଲଗାଅ । ଏଗୁଡିକୁ ନିଜ ପ୍ରତି କମ୍ ଲଗାଅ । ଅନ୍ୟମାନଙ୍କ ପ୍ରତି ଲଗାଇବା ଦ୍ୱାରା ନିଜେ ମଧ୍ୟ ସେହି ସେବାର ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରିବାର ନିମିତ୍ତ ହୋଇଯିବ । ମାନସିକ ସେବା, ବାଣୀର ସେବା ଏବଂ ସବୁଠାରୁ ଅଧିକ ଚାହେଁ ବ୍ରାହ୍ମଣ ହୁଅନ୍ତୁ ବା ଅନ୍ୟ ଯିଏବି ସମ୍ବନ୍ଧ-ସମ୍ପର୍କରେ ଆସୁଛନ୍ତି ସେମାନଙ୍କୁ କିଛି ନା କିଛି ମାଷ୍ଟର ଦାତା ହୋଇ ଦେଇଚାଲ । ନିଃସ୍ୱାର୍ଥ ଭାବରେ ଖୁସି ଦିଅ, ଶାନ୍ତି ଦିଅ, ଆନନ୍ଦର ଅନୁଭୂତି କରାଅ, ପ୍ରେମର ଅନୁଭୂତି କରାଅ । ମୋତେ ଦେବାର ହିଁ ଅଛି ଏବଂ ଦେବାର ଅର୍ଥ ହେଲା ଆପେ ଆପେ ପ୍ରାପ୍ତ ହେବା ଅର୍ଥାତ୍ ନେବା । ଯିଏବି ଯେତେବେଳେ ଯେଉଁ ରୂପରେ ସମ୍ବନ୍ଧ-ସମ୍ପର୍କରେ ଆସୁଛି କିଛି ନା କିଛି ନେଇକରି ହିଁ ଯାଉ । ତୁମେ ମାଷ୍ଟର ଦାତାମାନଙ୍କ ପାଖକୁ ଆସି ଖାଲି ଖାଲି ଫେରି ନ ଯାଉ । ଯେପରି ବ୍ରହ୍ମାବାବାଙ୍କୁ ଦେଖିଥିଲ - ଚାଲିବା ବୁଲିବା ସମୟରେ ମଧ୍ୟ କୌଣସି ପିଲା ଯଦି ସମ୍ମୁଖକୁ ଆସିଗଲା ତେବେ କିଛି ନା କିଛି ଅନୁଭୂତି ନ କରି ଖାଲି ଯାଉ ନ ଥିଲା । ଏହାକୁ ଚେକ୍ କର, ଯିଏବି ମୋ ପାଖକୁ ଆସୁଛି ବା ମୋ ସହିତ ମିଶୁଛି, କିଛି ପାଉଛି ନା ଖାଲି ହାତରେ ଫେରି ଯାଉଛି? ତେଣୁ ଯେଉଁମାନେ ନିଜେ ସମ୍ପତ୍ତିରେ ଭରପୁର ଥାଆନ୍ତି ସେମାନେ ଦାନ ନ କରି ରହିପାରିବେ ନାହିଁ । ତେଣୁ ଅବିନାଶୀ, ଅଖଣ୍ଡ ଦାତା ହୁଅ । କେହି ତୁମକୁ କିଛି ନ ମାଗୁ । ଦାତା କେବେ ବି ଅପେକ୍ଷା କରେ ନାହିଁ ଯେ ଇଏ ମାଗିଲେ ଯାଇ ମୁଁ ଦେବି । ନା । ଅବିନାଶୀ ମହାଦାନୀ, ମହାଦାତା ନିଜେ ନିଜେ ଦେଇଥାଆନ୍ତି । ତେଣୁ ଏହି ବର୍ଷରେ ମହାନ ଦାତା ହେବାର ସେବା ପ୍ରଥମେ କର । ତୁମେମାନେ ଦାତାଙ୍କଠାରୁ ପ୍ରାପ୍ତ କରିଥିବା ସମ୍ପତ୍ତି ହିଁ ହେଉଛ । ବ୍ରାହ୍ମଣମାନେ ଭିକାରୀ ନୁହଁନ୍ତି ବରଂ ସହଯୋଗୀ ଅଟନ୍ତି, ତେଣୁ ପରସ୍ପର ଭିତରେ ବ୍ରାହ୍ମଣମାନଙ୍କୁ ଦାନ ଦେବାର ନାହିଁ, ସହଯୋଗ ଦେବାର ଅଛି । ଏହା ହେଉଛି ପ୍ରଥମ ନମ୍ବର ସେବା । ଏହା ସହିତ ବାପଦାଦା ବିଦେଶର ପିଲାମାନଙ୍କର ଖୁସିର ଖବର ମଧ୍ୟ ଶୁଣିଛନ୍ତି ତେଣୁ ବାପଦାଦା ଦେଖୁଛନ୍ତି ଯେ ଯେଉଁମାନେ ଏହି ସୃଷ୍ଟି ଉପରେ ବାବାଙ୍କର ସନ୍ଦେଶକୁ ପ୍ରଚାର କରିବାର ନିମିତ୍ତ ଅଟନ୍ତି ବାପଦାଦା ଯେଉଁମାନଙ୍କୁ ମାଇକ୍ ନାମ ଦେଇଛନ୍ତି, ବିଦେଶର ପିଲାମାନେ ମିଳିମିଶି ସେହି କାର୍ଯ୍ୟ କରିଛନ୍ତି । ଯେହେତୁ ଯୋଜନା କରିସାରିଛନ୍ତି ତେଣୁ ସାକାରରେ ତ ନିଶ୍ଚିତ ହେବ । କିନ୍ତୁ ଭାରତରେ ମଧ୍ୟ ଯେଉଁ ୧୩ଟି ଜୋନ୍ ରହିଛି, ପ୍ରତ୍ୟେକ ଜୋନ୍‌ରୁ ଅତି କମ୍‌ରେ ଜଣେ ହେଉ ପଛକେ ଏହିଭଳି ବିଶେଷ ନିମିତ୍ତ ସେବାଧାରୀ ହୁଅନ୍ତୁ, ଯାହାକୁ ମାଇକ୍ କୁହ ବା ଆଉ କିଛି କୁହ, ସନ୍ଦେଶ ପ୍ରଚାର କରିବାବାଲା କାହାକୁ ନା କାହାକୁ ନିମିତ୍ତ କର । ଏହା ତ ବାପଦାଦା ଅତିକମ୍ ହିସାବରେ କହିଲେ କିନ୍ତୁ ବଡ ବଡ ଦେଶରେ ଯଦି ଏହିଭଳି ନିମିତ୍ତ ହେବାବାଲା ଅଛନ୍ତି ତେବେ କେବଳ ଜୋନ୍ ବାଲା ନୁହଁନ୍ତି କିନ୍ତୁ ବଡ ବଡ ଦେଶରୁ ମଧ୍ୟ ଏହିଭଳି ସେବାଧାରୀ ମାଇକ୍ ପ୍ରସ୍ତୁତ କରି କାର୍ଯ୍ୟକ୍ରମ କରିବାକୁ ହେବ । ବାପଦାଦା ବିଦେଶର ପିଲାମାନଙ୍କୁ ଆନ୍ତରିକ ଅଭିନନ୍ଦନ ଦେଉଛନ୍ତି, ଏବେ ମୁଖ ଦ୍ୱାରା ମଧ୍ୟ ଅଭିନନ୍ଦନ ଦେଉଛନ୍ତି କାରଣ ବାସ୍ତବିକ ରୂପରେ କରିବାର ଯୋଜନା ବିଦେଶୀମାନେ ହିଁ ପ୍ରଥମେ ବାପଦାଦାଙ୍କ ସମ୍ମୁଖକୁ ଆଣିଛନ୍ତି । ଏମିତି ତ ବାପଦାଦା ଜାଣିଛନ୍ତି ଯେ ଭାରତରେ ତ ଆହୁରି ସହଜ ଅଟେ କିନ୍ତୁ ଏବେ କିଛି ବିଶେଷ ଯୋଗ୍ୟତା ସମ୍ପନ୍ନ ଆତ୍ମାମାନଙ୍କର ସେବା କରି ସେମାନଙ୍କୁ ସହଯୋଗୀ କରି ନିକଟକୁ ଆଣ । ସହଯୋଗୀ ତ ବହୁତ ଅଛନ୍ତି କିନ୍ତୁ ସେମାନଙ୍କର ସଂଗଠନ ତିଆରି କରି ତାଙ୍କୁ ଆହୁରି ଅଧିକ ନିକଟକୁ ଆଣ ।

ଏହା ସହିତ ବ୍ରାହ୍ମଣ ଆତ୍ମାମାନଙ୍କ ଭିତରେ ଆହୁରି ଅଧିକ ନିକଟକୁ ଆଣିବା ପାଇଁ, ସବୁଆଡେ ତଥା ମଧୁବନରେ ଜ୍ୱାଳା ସ୍ୱରୂପର ବାୟୁମଣ୍ଡଳ ନିର୍ମାଣ କର, ଯାହାକୁ ତୁମେମାନେ ଯୋଗ ଭଟ୍ଟୀ କହୁଛ ତାହା ମଧ୍ୟ କର । ଚାହେଁ ପରସ୍ପର ଭିତରେ ସଂଗଠନରେ ଜ୍ଞାନର ଆଲୋଚନା ଦ୍ୱାରା ଜ୍ୱାଳା ସ୍ୱରୂପର ଅନୁଭବ କରାଅ ଏବଂ ଆଗକୁ ବଢାଅ । ତୁମେମାନେ ଯେତେବେଳେ ଏହିଭଳି ସେବାରେ ଲାଗିଯିବ ସେତେବେଳେ ଛୋଟ ଛୋଟ କଥା ସବୁ ଯେଉଁଥିରେ ତୁମର ସମୟ ଖର୍ଚ୍ଚ ହେଉଛି, ମେହନତ ଖର୍ଚ୍ଚ ହେଉଛି, ଦୁଃଖୀ ମଧ୍ୟ ହେଉଛ, ସେଗୁଡିକ ଏଭଳି ଲାଗିବ ଯେପରି ଜ୍ୱାଳାମୁଖୀ ହାଇଏଷ୍ଟ ଷ୍ଟେଜ ହିସାବରେ ଏଥିରେ ସମୟ ଦେବା, ମେହନତ କରିବା, କଣ୍ଢେଇ ଖେଳ ଭଳି ଅନୁଭବ ହେବ । ତେଣୁ ସ୍ୱତଃ ହିଁ ଅତି ସହଜରେ ସେଥିରୁ ମୁକ୍ତ ହୋଇଯିବ । ବାପଦାଦା କହିଛନ୍ତି ନା ବାପଦାଦାଙ୍କୁ ସବୁଠାରୁ ଅଧିକ ଦୟା ସେତେବେଳେ ଲାଗିଥାଏ ଯେତେବେଳେ ଦେଖନ୍ତି ମାଷ୍ଟର ସର୍ବଶକ୍ତିମାନ ପିଲାମାନେ ଛୋଟ ଛୋଟ କଥାରେ ମେହନତ କରୁଛନ୍ତି । ଜ୍ୱାଳାମୁଖୀ ଯୋଗ ରୂପର ସ୍ନେହ କମ୍ ଅଛି ସେଥିପାଇଁ ମେହନତ ଅଧିକ ଲାଗୁଛି । ତେଣୁ ଏବେ ମେହନତରୁ ମୁକ୍ତ ହୁଅ, ବେପରୁଆ ହୁଅ ନାହିଁ କିନ୍ତୁ ମେହନତ ଠାରୁ ମୁକ୍ତ ହୁଅ । ଏଭଳି ଭାବ ନାହିଁ ଯେ ମେହନତ ତ କରିବାର ନାହିଁ ତେଣୁ ଆରାମରେ ଶୋଇପଡ । କିନ୍ତୁ ସ୍ନେହ ଆଧାରରେ ମେହନତକୁ ସମାପ୍ତ କର । ବେପରୁଆ ଭାବରେ ନୁହେଁ । ବୁଝିପାରିଲ! କ’ଣ କରିବ?

ଆଗକୁ ବାପଦାଦା ତ ନିଶ୍ଚିତ ଆସିବେ । ପିଲାମାନେ ପଚାରୁଛନ୍ତି ଆଗକୁ କ’ଣ ହେବ? ବାପଦାଦା ଆସିବେ କି ନାହିଁ? ବାପଦାଦା ନା ତ କରୁନାହାଁନ୍ତି, ହାଁ ଜୀ କରୁଛନ୍ତି । ପିଲାମାନେ କହୁଛନ୍ତି ହଜୁର, ବାବା କହୁଛନ୍ତି ଜୀ ହାଜିର । ତେଣୁ ବୁଝିପାରିଲ କ’ଣ କରିବାକୁ ହେବ, କ’ଣ ନ କରିବାକୁ ହେବ? ମେହନତକୁ ମୋହବତ୍‌ରେ କଟ୍ କର । ଏବେ ମେହନତ ମୁକ୍ତ ବର୍ଷ ପାଳନ କର - ମୋହବତ୍ ଦ୍ୱାରା, ଆଳସ୍ୟ ପଣିଆ ଦ୍ୱାରା ନୁହେଁ । ଏକଥା ଭଲ ଭାବରେ ମନେ ରଖ ଆଳସ୍ୟ ଦ୍ୱାରା ନୁହେଁ ।

ଠିକ୍ ଅଛି ତ, ସବୁ ସଂକଳ୍ପ ପୂରଣ ହେଲା ତ? କିଛି ରହିଗଲା କି? (ଦାଦି ଜାନକୀଙ୍କ ସହିତ) ବାବା ପଚାରୁଛନ୍ତି କିଛି ବାକି ରହିଗଲା କି? ଦାଦୀ ତ ମୁରୁକୀ ହସୁଛନ୍ତି । ଖେଳ ଶେଷ ହୋଇଗଲା? ଏହି ସବୁ ଅପରେଶନ୍ ଗୁଡିକୁ କ’ଣ କୁହାଯିବ? ଖେଳ ଭିତରେ ଖେଳ । ଖେଳ ଭଲ ହେଲା ତ?

(ଡ୍ରିଲ୍‌) ଗୋଟିଏ ସେକେଣ୍ଡରେ ବିନ୍ଦୁ ସ୍ୱରୂପ ହୋଇ ମନ ବୁଦ୍ଧିକୁ ଏକାଗ୍ର କରିବାର ଅଭ୍ୟାସ ବାରମ୍ବାର କର । ଷ୍ଟପ୍ କହିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ବ୍ୟର୍ଥ ଦେହ-ଅଭିମାନଠାରୁ ଅଲଗା ହୋଇ ମନ ବୁଦ୍ଧି ଏକାଗ୍ର ହୋଇଯାଉ । ଏହିଭଳି ନିୟନ୍ତ୍ରଣ କିରବାର ଶକ୍ତିକୁ ସାରା ଦିନ ଭିତରେ ବ୍ୟବହାର କରିଦେଖ । ଏମିତି ନୁହେଁ ଯେ ତୁମେ ଆଦେଶ ଦେଉଥିବ କଣ୍ଟ୍ରୋଲ୍‌ରେ ରୁହ କିନ୍ତୁ ଦୁଇ ମିନିଟ୍ ପରେ କଣ୍ଟ୍ରୋଲ୍ ହେଉଥିବ, ୫ ମିନିଟ୍ ପରେ କଣ୍ଟ୍ରୋଲ ହେଉଥିବ, ସେଥିପାଇଁ ମଝିରେ ମଝିରେ କଣ୍ଟ୍ରୋଲିଙ୍ଗ୍ ପାୱାରକୁ ବ୍ୟବହାର କରି ଦେଖୁଥାଅ । ଗୋଟିଏ ସେକେଣ୍ଡ ଭିତରେ ହେଉଛି ନା ଗୋଟିଏ ମିନିଟ୍ ଲାଗୁଛି, ନା ଅଧିକ ମିନିଟ୍ ଲାଗୁଛି । ଏହାକୁ ଚେକ୍ କରିଚାଲ । ଏବେ ସମସ୍ତଙ୍କୁ ତିନି ମାସର ଚାର୍ଟକୁ ପକ୍କା କରିବାକୁ ହେବ । ସାର୍ଟିଫିକେଟ୍ ନେବାକୁ ହେବ । ପ୍ରଥମେ ନିଜେ ନିଜକୁ ସାର୍ଟିଫିକେଟ୍ ଦେବ ତା’ପରେ ବାପଦାଦା ଦେବେ । ଆଚ୍ଛା

ଚାରିଆଡର ପରମାତ୍ମା ପାଳନାର ଅଧିକାରୀ ଆତ୍ମାମାନଙ୍କୁ, ପରମାତ୍ମ ପାଠପଢାର ଅଧିକାରୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ପରମାତ୍ମ ପ୍ରାପ୍ତିଗୁଡିକରେ ସମ୍ପନ୍ନ ଆତ୍ମାମାନଙ୍କୁ, ସର୍ବଦା ବିନ୍ଦୁ ଲଗାଇବାର ବିଧି ଦ୍ୱାରା ତୀବ୍ର ପୁରୁଷାର୍ଥ କରୁଥିବା ଆତ୍ମାମାନଙ୍କୁ, ସର୍ବଦା ମେହନତଠାରୁ ମୁକ୍ତ ରହୁଥିବା ତଥା ମୋହବତ୍‌ ଅର୍ଥାତ୍ ସ୍ନେହରେ ବୁଡି ରହିଥିବା ଆତ୍ମାମାନଙ୍କୁ, ଜ୍ୱାଳା ସ୍ୱରୂପ ବିଶେଷ ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ବନ୍ଧ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ଶୁଦ୍ଧ ଏବଂ ସମର୍ଥ ସଂକଳ୍ପର ଶକ୍ତି ଦ୍ୱାରା ବ୍ୟର୍ଥ ପ୍ରକମ୍ପନକୁ ସମାପ୍ତ କରୁଥିବା ସଚ୍ଚା ସେବାଧାରୀ ଭବ ।

କଥାରେ ଅଛି ସଂକଳ୍ପ ମଧ୍ୟ ସୃଷ୍ଟିର ନିର୍ମାଣ କରିଦିଏ । ଯେତେବେଳେ ଦୁର୍ବଳ ଏବଂ ବ୍ୟର୍ଥ ସଂକଳ୍ପ କରୁଛ ସେତେବେଳେ ବ୍ୟର୍ଥ ବାତାବରଣର ସୃଷ୍ଟିର ନିର୍ମାଣ ହୋଇଯାଉଛି । ସଚ୍ଚା ସେବାଧାରୀ ସେହିମାନେ ଅଟନ୍ତି ଯେଉଁମାନେ ନିଜର ଶୁଦ୍ଧ ଏବଂ ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ପୁରୁଣା ଭାଇବ୍ରେଶନ ଅର୍ଥାତ୍ ବିଚାରର ତରଙ୍ଗ ଦ୍ୱାରା ସୃଷ୍ଟି ହେଉଥିବା ବାତାବରଣକୁ ମଧ୍ୟ ସମାପ୍ତ କରିଦିଅନ୍ତି । ଯେପରି ବୈଜ୍ଞାନିକମାନେ ଅସ୍ତ୍ର ଦ୍ୱାରା ଅସ୍ତ୍ରକୁ ସମାପ୍ତ କରିଦେଉଛନ୍ତି, ଗୋଟିଏ ବିମାନ ଦ୍ୱାରା ଅନ୍ୟ ବିମାନକୁ ଖସାଇ ଦେଉଛନ୍ତି ସେହିପରି ତୁମମାନଙ୍କର ଶୁଦ୍ଧ ଏବଂ ସମର୍ଥ ସଂକଳ୍ପର ଭାଇବ୍ରେଶନ୍‌, ବ୍ୟର୍ଥ ଭାଇବ୍ରେଶନକୁ ସମାପ୍ତ କରିଦେଉ, ଏବେ ଏହିଭଳି ସେବା କର ।

ସ୍ଲୋଗାନ:-
ବିଘ୍ନ ରୂପକ ସୁନାର ସୂକ୍ଷ୍ମ ସୂତା ଠାରୁ ମୁକ୍ତ ହୁଅ । ମୁକ୍ତିବର୍ଷ ପାଳନ କର ।

ସୂଚନା:- ଆଜି ମାସର ତୃତୀୟ ରବିବାର ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ, ସମସ୍ତ ବ୍ରହ୍ମାବତ୍ସ ସଂଗଠିତ ରୂପରେ ସଂଧ୍ୟା ୬ଟା ୩୦ ମି ଠାରୁ ୭ଟା ୩୦ ମି. ପର୍ଯ୍ୟନ୍ତ ବିଶେଷ କରି ନିଜର ପୂଜ୍ୟ ସ୍ୱରୂପରେ ସ୍ଥିତ ହୋଇ ନିଜକୁ ଇଷ୍ଟ ଦେବ, ଇଷ୍ଟ ଦେବୀ ମନେ କରି ନିଜର ଭକ୍ତମାନଙ୍କର ମନୋକାମନା ପୂରଣ କରିବେ ତଥା ନିଜର ଦୃଷ୍ଟି ଦ୍ୱାରା କୃତାର୍ଥ କରିବାର ସେବା କରିବେ । ଦର୍ଶନୀୟ ମୂର୍ତ୍ତି ହୋଇ ସମସ୍ତଙ୍କୁ ଦର୍ଶନ ଦେବା ସହିତ ପ୍ରସନ୍ନ କରିବାର ମଧ୍ୟ ସେବା କରିବେ ।