26.04.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଶରୀର ନିର୍ବାହ ପାଇଁ କର୍ମ କରି ମଧ୍ୟ ବେହଦର ଉନ୍ନତି କର, ଯେତେ ଭଲ ଭାବରେ ବେହଦର ପାଠ ପଢିବ, ସେତେ ଅଧିକ ଉନ୍ନତି ହେବ ।”

ପ୍ରଶ୍ନ:-
ତୁମେ ପିଲାମାନେ ଯେଉଁ ବେହଦର ପାଠ ପଢୁଛ, ସେଥିରେ ସବୁଠାରୁ ବଡ କଷ୍ଟକର ବିଷୟ କ’ଣ?

ଉତ୍ତର:-
ଏହି ପାଠପଢାରେ ସବୁଠାରୁ କଷ୍ଟକର ବିଷୟ ହେଉଛି ଭାଇ-ଭାଇର ଦୃଷ୍ଟିକୁ ପକ୍କା କରିବା । ବାବା ତୁମକୁ ଯେଉଁ ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି ସେହି ନେତ୍ର ଦ୍ୱାରା ନିଜେ ଆତ୍ମା ହୋଇ ଆତ୍ମା ଭାଇକୁ ଦେଖ । ତିଳେ ମାତ୍ର ଆଖି ଧୋକା ନ ଦେଉ । କୌଣସି ବି ଦେହଧାରୀଙ୍କ ନାମ-ରୂପ ପ୍ରତି ବୁଦ୍ଧି ଆକର୍ଷିତ ନ ହେଉ । ବୁଦ୍ଧିରେ ସାମାନ୍ୟତମ ବିକାରୀ ବା ଛି-ଛି ସଂକଳ୍ପ ନ ଚାଲୁ । ଏହା ହିଁ ମେହନତର କାମ । ଏହି ବିଷୟରେ ପାସ୍ ହେଉଥିବା ଆତ୍ମା ବିଶ୍ୱର ମାଲିକ ହୋଇଯିବେ ।

ଓମ୍ ଶାନ୍ତି ।
ଅବିନାଶୀ ବାବା ଆସି ଅବିନାଶୀ ସନ୍ତାନମାନଙ୍କୁ ବୁଝାଉଛନ୍ତି । ପ୍ରତ୍ୟେକ କଥାରେ ଗୋଟିଏ ବିନାଶୀ ଏବଂ ଅନ୍ୟଟି ଅବିନାଶୀ ମଧ୍ୟ ହୋଇଥାଏ । ଏତେ ସମୟ ତୁମେ ଲୌକିକ ଦୁନିଆରେ ଥିଲ, ଏବେ ଅଲୌକିକରେ ଅଛ । ତୁମର ପାଠପଢା ମଧ୍ୟ ଅବିନାଶୀ ଅଟେ । ଏହି ପାଠପଢା ଦ୍ୱାରା ଅବିନାଶୀ ରାଜତ୍ୱର ପ୍ରାପ୍ତି ହେଉଛି । ଏହାଠାରୁ କୌଣସି ଶ୍ରେଷ୍ଠ ପାଠ ଆଉ ନାହିଁ । କିଏ ପଢାଉଛନ୍ତି? ଅବିନାଶୀ ପିତା ଭଗବାନ ପଢାଉଛନ୍ତି । ଶରୀର ନିର୍ବାହ ପାଇଁ ସବୁ କିଛି କରିବାକୁ ହେବ । ତା’ ସହିତ ନିଜର ଉନ୍ନତି ପାଇଁ ମଧ୍ୟ କିଛି କରିବାକୁ ପଡିବ । ବହୁତ ଲୋକେ ଚାକିରୀ କରି ମଧ୍ୟ ନିଜର ଅଧିକ ଉନ୍ନତି ନିମନ୍ତେ ପାଠ ପଢିଥାନ୍ତି । ସେଠାରେ ହେଉଛି ବିନାଶୀ ଉନ୍ନତି, ଏଠାରେ ଅବିନାଶୀ ବାବାଙ୍କ ପାଖରେ ଅବିନାଶୀ ଉନ୍ନତି ହେଉଛି । ବାବା କହୁଛନ୍ତି - ଶାରିରୀକ ଏବଂ ଆତ୍ମିକ, ଉଭୟର ଉନ୍ନତି କର । ବୁଦ୍ଧି ଦ୍ୱାରା ଜାଣୁଛ ବର୍ତ୍ତମାନ ଆମକୁ ଅବିନାଶୀ ସଚ୍ଚା ରୋଜଗାର କରିବାକୁ ହେବ । ଏଠାରେ ତ ସବୁ କିଛି ମାଟିରେ ମିଶିଯିବ । ଯେତେ ବେଶି ଅବିନାଶୀ ରୋଜଗାରରେ ଭରପୂର ହୋଇ ଚାଲିବ ସେତେ ତୁମେ ବିନାଶୀ ରୋଜଗାର କଥା ଭୁଲିଯିବ । ସମସ୍ତେ ଜାଣିଯିବେ ଯେ, ବର୍ତ୍ତମାନ ବିନାଶ ହେବ । ବିନାଶ ଯେତେ ପାଖେଇ ଆସିବ ସେତେ ଭଗବାନଙ୍କୁ ମଧ୍ୟ ଖୋଜିବେ । ବିନାଶ ହେବ ଅର୍ଥାତ୍ ନିଶ୍ଚିତ ସ୍ଥାପନକର୍ତ୍ତା ମଧ୍ୟ ରହିବେ । କିନ୍ତୁ ଦୁନିଆର ମନୁଷ୍ୟ କିଛି ହେଲେ ବି ଜାଣି ନାହାଁନ୍ତି । ତୁମେ ପ୍ରଜାପିତା ବ୍ରହ୍ମାକୁମାର-କୁମାରୀ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ପାଠ ପଢୁଛ । ଛାତ୍ରମାନେ ହଷ୍ଟେଲ୍‌ରେ ରହି ପାଠ ପଢନ୍ତି । କିନ୍ତୁ ଏହି ହଷ୍ଟେଲ ତ ଭିନ୍ନ ଅଟେ । ଏହି ହଷ୍ଟେଲରେ ତ କେହି କେହି ଏମିତି ବି ରହୁଛନ୍ତି, ଯେଉଁମାନେ କି ପ୍ରଥମରୁ ଚାଲିଆସିଛନ୍ତି ସେମାନେ ରହିଯାଇଛନ୍ତି । ସେମାନେ ଏମିତି ଆସିଯାଇଛନ୍ତି । ଭିନ୍ନ ଭିନ୍ନ ପ୍ରକାର ଆତ୍ମା ଆସିଗଲେ । ଏପରି ନୁହେଁ ଯେ, ସମସ୍ତେ ଭଲ ପିଲା ହିଁ ଆସିଲେ । ଛୋଟ-ଛୋଟ ପିଲାମାନଙ୍କୁ ମଧ୍ୟ ତୁମେ ନେଇ ଆସିଥିଲ, ତୁମେମାନେ ପିଲାଙ୍କର ମଧ୍ୟ ଦାୟିତ୍ୱ ନେଉଥିଲ । ପୁଣି ସେମାନଙ୍କ ଭିତରୁ ମଧ୍ୟ କେତେକ ଚାଲିଗଲେ । ବଗିଚାରେ ଫୁଲ ବି ଦେଖ ଏବଂ ପକ୍ଷୀକୁ ବି ଦେଖ କିପରି ଚିଁ-ଚିଁ କରୁଛନ୍ତି । ବର୍ତ୍ତମାନ ମନୁଷ୍ୟ ସୃଷ୍ଟି ମଧ୍ୟ ଏହିପରି ଅଟେ । ଆମ ଭିତରେ କୌଣସି ସଭ୍ୟତା ନ ଥିଲା । ଯେଉଁମାନଙ୍କର ସଭ୍ୟତା ଥିଲା ସେମାନଙ୍କର ମହିମା ଗାନ କରୁଥିଲୁ । କହୁଥିଲୁ ଆମେ ନିର୍ଗୁଣ ଆମ ପାଖରେ କୌଣସି ଗୁଣ ନାହିଁ । ଯେତେ ବଡ ଲୋକ ଆସିଲେ ମଧ୍ୟ, ଅନୁଭବ କରୁଛନ୍ତି କି ଆମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିନାହୁଁ । ତେବେ ସେମାନେ କେଉଁ କାମର । ତୁମେମାନେ ମଧ୍ୟ କୌଣସି କାମର ନଥିଲ । ବର୍ତ୍ତମାନ ତୁମେ ଜାଣୁଛ ଏହା ବାବାଙ୍କର ଚମତ୍କାର । ବାବା ବିଶ୍ୱର ମାଲିକ କରାଉଛନ୍ତି । ଯେଉଁ ରାଜତ୍ୱ ଆମଠାରୁ କେହି ବି ଛଡାଇ ନେଇ ପାରିବେ ନାହିଁ । ସାମାନ୍ୟ ବିଘ୍ନ କେହି ବି ପକାଇ ପାରିବେ ନାହିଁ । ପୂର୍ବେ କଅଣ ଥିଲୁ ଏବେ ଆମେ କ’ଣ ହେଉଛୁ! ତେଣୁ ଏପରି ବାବାଙ୍କର ଶ୍ରୀମତକୁ ନିଶ୍ଚିତ ରୂପେ ପାଳନ କରିବା ଉଚିତ୍ । ଦୁନିଆରେ କେତେ ଗ୍ଲାନି, ହଙ୍ଗାମା ଆଦି ହେଉଛି । ଏହା କୌଣସି ନୂଆ କଥା ନୁହେଁ । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ହୋଇଥିଲା । ଶାସ୍ତ୍ରରେ ମଧ୍ୟ ଅଛି । ପିଲାମାନଙ୍କୁ କୁହାଯାଇଛି, ଭକ୍ତିମାର୍ଗର ଏ ଯେଉଁ ଶାସ୍ତ୍ର ରହିଛି, ତାକୁ ପୁଣି ଭକ୍ତିମାର୍ଗରେ ପଢିବ । ବର୍ତ୍ତମାନ ତୁମେ ଜ୍ଞାନ ଦ୍ୱାରା ସୁଖଧାମକୁ ଯାଉଛ । ସେଥିପାଇଁ ସଂପୂର୍ଣ୍ଣ ପୁରୁଷାର୍ଥ କରିବା ଉଚିତ୍ । ବର୍ତ୍ତମାନ ଯେଭଳି ପୁରୁଷାର୍ଥ କରିବ, କଳ୍ପ-କଳ୍ପ ତାହା ହିଁ କରିବ । ନିଜକୁ ଯାଞ୍ଚ କରିବା ଉଚିତ୍ - ଆମେ କେତେ ଉଚ୍ଚ ପଦ ପାଇବୁ । ପ୍ରତ୍ୟେକ ଛାତ୍ର ଜାଣିଛନ୍ତି ଯେ ଆମେ ଯେତେ ଭଲ ପଢିବୁ ସେତେ ଉଚ୍ଚ ପଦ ପାଇବୁ । ଇଏ ଆମଠାରୁ ହୁସିଆର, ଆମେ ମଧ୍ୟ ହୁସିଆର ହେବୁ । ବ୍ୟପାରୀମାନଙ୍କ ମଧ୍ୟରେ ଏହିପରି ହୋଇଥାଏ - ମୁଁ ଏହାଙ୍କଠାରୁ ଉପରକୁ ଯିବି ଅର୍ଥାତ୍ ହୁସିଆର ହେବି । ଅଳ୍ପକାଳ ସୁଖ ପାଇଁ ସେମାନେ କେତେ ପରିଶ୍ରମ କରୁଛନ୍ତି । ବାବା କହୁଛନ୍ତି - ମଧୁର ସନ୍ତାନମାନେ, ମୁଁ ତୁମର ଶ୍ରେଷ୍ଠ ପିତା । ସାକାରୀ ବାପା ମଧ୍ୟ ଅଛନ୍ତି ଓ ନିରାକାରୀ ବାବା ମଧ୍ୟ ଅଛନ୍ତି । ଉଭୟ ଏକତ୍ର ରହିଛନ୍ତି । ଉଭୟ ମିଶି କହୁଛନ୍ତି ମଧୁର ସନ୍ତାନମାନେ, ଏବେ ତୁମେ ବେହଦର ପାଠପଢାକୁ ବୁଝିଗଲଣି । ଅନ୍ୟ କେହି ତ ଜାଣି ନାହାଁନ୍ତି । ମୁଖ୍ୟ କଥା ହେଉଛି ଆମକୁ କିଏ ପାଠ ପଢାଉଛନ୍ତି? ଭଗବାନ କ’ଣ ପଢାଉଛନ୍ତି? ରାଜଯୋଗର ପାଠ । ତୁମେମାନେ ରାଜଋଷି ଅଟ । ସେମାନେ ହେଲେ ହଠଯୋଗୀ । ସେମାନେ ମଧ୍ୟ ଋଷି ଅଟନ୍ତି କିନ୍ତୁ ହଦର । ସେମାନେ କହୁଛନ୍ତି ଆମେ ଘରଦ୍ୱାର ତ୍ୟାଗ କରିଛୁ । ଏହା କ’ଣ କିଛି ଭଲ କାମ କରିଛନ୍ତି କି? ତୁମକୁ ବିକାର ପାଇଁ ହଇରାଣ କରିବାରୁ ତୁମେ ଘରଦୁଆର ଛାଡିଲ, ତାଙ୍କର କ’ଣ ଅସୁବିଧା ହେଲା? ତୁମକୁ ମାଡ ଖାଇବାକୁ ପଡିଲା ତେଣୁ ତୁମେ ପଳାଇ ଆସିଲ । ଜଣ-ଜଣଙ୍କୁ ପଚାର, କୁମାରୀମାନେ, ସ୍ତ୍ରୀମାନେ କେତେ ମାଡ ଖାଇଛନ୍ତି, ସେଥିପାଇଁ ଚାଲି ଆସିଲେ । ଆରମ୍ଭରୁ କେତେ ଆସିଥିଲେ, ଏଠାରେ ଜ୍ଞାନ ଅମୃତ ମିଳୁଥିଲା, ତେଣୁ ଚିଠି ନେଇ ଆସିଲେ ଯେ ଆମେ ଜ୍ଞାନ ଅମୃତ ପାନ କରିବାକୁ ଓମ୍ ରାଧେଙ୍କ ପାଖକୁ ଯାଉଛୁ । ବିକାରକୁ ନେଇ କେତେ ଝଗଡା, ହଙ୍ଗାମା ଆରମ୍ଭରୁ ଚାଲିଆସୁଛି । ଆସୁରୀ ଦୁନିଆର ବିନାଶ ହେଲେ ହିଁ ଏସବୁ ବନ୍ଦ ହୋଇଯିବ ଏବଂ ପୁଣି ଅଧାକଳ୍ପ ପାଇଁ ମଧ୍ୟ ବନ୍ଦ ହୋଇଯିବ ।

ଏବେ ତୁମେ ବେହଦ ବାବାଙ୍କଠାରୁ ପ୍ରାଲବ୍ଧ ନେଉଛ । ଅବନାଶୀ ବାବା ସମସ୍ତଙ୍କୁ ଅବିନାଶୀ ପ୍ରାଲବ୍ଧ ଦେଉଛନ୍ତି । ବିନାଶୀ ପିତା ବିନାଶୀ ପ୍ରାଲବ୍ଧ ଦେଉଛନ୍ତି । ସଂସାରରେ କେବଳ ନିଜର ପୁତ୍ରଙ୍କୁ ହିଁ ସମ୍ପତ୍ତି ମିଳିଥାଏ । ଏଠାରେ ବାବା କହୁଛନ୍ତି - ତୁମେ ଝିଅ ହୁଅ ବା ପୁଅ ହୁଅ, ଉଭୟ ସମ୍ପତ୍ତିର ହକଦାର ଅଟ । ଲୌକିକ ପିତାଙ୍କ ପାଖରେ ଭେଦ ଭାବ ରହିଥାଏ, କେବଳ ପୁତ୍ରକୁ ଉତ୍ତରାଧିକାରୀ କରାଇଥା’ନ୍ତି । ସ୍ତ୍ରୀକୁ ହାଫ୍ ପାର୍ଟନର (ଅର୍ଦ୍ଧାଙ୍ଗିନୀ) କୁହାଯାଉଛି । କିନ୍ତୁ ତାଙ୍କୁ କିଛି ଭାଗ ଦେଉ ନାହାଁନ୍ତି । ପୁତ୍ରମାନେ ସେମାନଙ୍କୁ ସମ୍ଭାଳିଥା’ନ୍ତି । ପିତାଙ୍କର ପୁତ୍ରମାନଙ୍କ ପ୍ରତି ମୋହ ଥାଏ । ଏହି ବାବା ତ କାଇଦା ଅନୁସାରେ ସମସ୍ତ ଆତ୍ମାମାନଙ୍କୁ ବର୍ସା ଦେଉଛନ୍ତି । ଏଠାରେ ପୁତ୍ର ଏବଂ କନ୍ୟାର ଭେଦ ଭାବ ନାହିଁ । ତୁମେ କେତେ ସୁଖର ସମ୍ପତ୍ତି ବେହଦର ବାବାଙ୍କଠାରୁ ନେଉଛ । ତଥାପି ମଧ୍ୟ ସଂପୂର୍ଣ୍ଣ ରୂପେ ପଢୁନାହଁ । ପାଠପଢାକୁ ଛାଡି ଦେଉଛ । କନ୍ୟାମାନେ ଲେଖୁଛନ୍ତି - ବାବା ଅମୁକ ନିଜ ରକ୍ତରେ ପ୍ରତିଜ୍ଞା ପତ୍ର ଲେଖି ଦେଇଥିଲେ । କିନ୍ତୁ ଏବେ ଆସୁନାହାଁନ୍ତି । ନିଜ ରକ୍ତରେ ବି ଲେଖୁଛନ୍ତି - ବାବା, ଆପଣ ସ୍ନେହ କରନ୍ତୁ ଅଥବା ଧକ୍କା ଦିଅନ୍ତୁ, ଆମେ ଆପଣଙ୍କୁ କେବେ ଛାଡିବୁ ନାହିଁ । କିନ୍ତୁ ପାଳନା ନେଇ ପୁଣି ଚାଲିଯାଉଛନ୍ତି । ବାବା ବୁଝାଉଛନ୍ତି - ଏସବୁ ଡ୍ରାମା । କେହି ‘ଆଶ୍ଚର୍ଯ୍ୟ ଭାବେ ପଳାୟନ କରିଥା’ନ୍ତି । ଏଠାରେ ଆସି ବସୁଛନ୍ତି ତେଣୁ ନିଶ୍ଚୟ ରହୁଛି, ଏଭଳି ଅବିନାଶୀ ବାବାଙ୍କୁ ଆମେ କିପରି ଛାଡିବୁ! ଇଏ ତ ପାଠପଢା ଅଟେ । ବାବା ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି, ମୁଁ ସାଥିରେ ନେଇଯିବି । ସତ୍ୟଯୁଗ ଆଦିରେ ଏତେ ସବୁ ମନୁଷ୍ୟ ନ ଥିଲେ । ବର୍ତ୍ତମାନ ସଂଗମଯୁଗରେ ସମସ୍ତେ ଅଛନ୍ତି, ସତ୍ୟଯୁଗରେ ବହୁତ କମ୍ ରହିବେ । ଏତେ ଧର୍ମାବଲମ୍ବୀ କେହି ରହିବେ ନାହିଁ । ତାର ସମସ୍ତ ପ୍ରସ୍ତୁତି ଚାଲିଛି । ଏହି ଶରୀର ଛାଡି ଶାନ୍ତିଧାମକୁ ଚାଲିଯିବେ । ହିସାବ-କିତାବ ଚୁକ୍ତ କରି ଯେଉଁ ସ୍ଥାନରୁ ପାର୍ଟ କରିବାକୁ ଆସିଥିଲେ, ସେହି ସ୍ଥାନକୁ ଚାଲିଯିବେ । ଦୁନିଆରେ ଦୁଇ ଘଣ୍ଟାର ନାଟକ ହେଉଛି, କିନ୍ତୁ ଏହା ବିଶାଳ ନାଟକ । ତୁମେ ଜାଣିଛ ଆମେ ସେହି ପରମଧାମ ନିବାସୀ ଅଟୁ ଏବଂ ଏକ ବାବାଙ୍କର ସନ୍ତାନ ଅଟୁ । ବାଣୀରୁ ଉର୍ଦ୍ଧ୍ୱ ରହିବାର ସ୍ଥାନ ହେଉଛି ନିର୍ବାଣଧାମ । ସେଠାରେ କୌଣସି ଶବ୍ଦ ନାହିଁ । ମନୁଷ୍ୟ ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯାଉଛନ୍ତି । ବାବା କହୁଛନ୍ତି ଆତ୍ମା ଅବିନାଶୀ, ଏହାର କେବେ ବିନାଶ ହୋଇପାରିବ ନାହିଁ । କେତେ ଜୀବାତ୍ମା ରହିଛନ୍ତି । ଅବିନାଶୀ ଆତ୍ମା ଜୀବ ଅର୍ଥାତ୍ ଶରୀର ଦ୍ୱାରା ଅଭିନୟ କରୁଛି । ସମସ୍ତ ଆତ୍ମା ଡ୍ରାମାର ଅଭିନେତା । ରହିବାର ସ୍ଥାନ ବ୍ରହ୍ମାଣ୍ଡ, ତାହା ଆତ୍ମାମାନଙ୍କର ଘର ଅଟେ । ଆତ୍ମା ଅଣ୍ଡା ସଦୃଶ ଦେଖାଯାଏ । ବ୍ରହ୍ମାଣ୍ଡ ହେଉଛି ତାର ରହିବାର ସ୍ଥାନ । ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝିବା ଉଚିତ୍ । ନ ବୁଝିଥିଲେ ମଧ୍ୟ ଆଗକୁ ଗଲେ ସ୍ୱତଃ ବୁଝିଯିବେ, ଯଦି ଶୁଣିବା ଛାଡିଦେବେ ତେବେ କିଛି ବି ବୁଝିପାରିବେ ନାହିଁ । ତୁମେ ଜାଣିଛ ପୁରୁଣା ଦୁନିଆ ଶେଷ ହୋଇ ନୂଆ ଦୁନିଆର ସ୍ଥାପନା ହେଉଛି । ବାବା କହୁଛନ୍ତି - କାଲି ତୁମେ ବିଶ୍ୱର ମାଲିକ ଥିଲ, ଏବେ ପୁଣି ବିଶ୍ୱର ମାଲିକ ହେବାକୁ ଆସିଛ । ଗୀତ ମଧ୍ୟ ଅଛି - ବାବା ଆମକୁ ଏପରି ମାଲିକ କରାଉଛନ୍ତି, ଯାହାକୁ କେହି ଆମଠାରୁ ଛଡାଇ ନେଇ ପାରିବେ ନାହିଁ । ଆକାଶ, ପୃଥିବୀ ଆଦି ଉପରେ ମଧ୍ୟ ଆମର ଅଧିକାର ରହିବ । ଏହି ଦୁନିଆରେ ଦେଖ କ’ଣ କ’ଣ ହେଉଛି । ସମସ୍ତେ ହେଉଛନ୍ତି ସ୍ୱାର୍ଥର ସାଥୀ । ସେଠାରେ ଏପରି ହେବ ନାହିଁ । ଯେପରି ଲୌକିକ ପିତା ସନ୍ତାନଙ୍କୁ କହିଥାନ୍ତି - ଏହି ସବୁ ଧନ ସମ୍ପତ୍ତି ସବୁ କିଛି ତୁମକୁ ଦେଇ ଯାଉଛି, ଏହାକୁ ଠିକ୍ ରୂପେ ସମ୍ଭାଳିବ । ବେହଦର ବାବା ମଧ୍ୟ କହୁଛନ୍ତି ତୁମକୁ ଧନ ସମ୍ପତ୍ତି ସବୁ କିଛି ଦେଉଛି । ତୁମେ ମୋତେ ଡାକିଛ ଯେ, ପବିତ୍ର ଦୁନିଆକୁ ନେଇଚାଲ, ତେବେ ନିଶ୍ଚିତ ପବିତ୍ର କରାଇ ବିଶ୍ୱର ମାଲିକ କରାଇବି । ବାବା କେତେ ଯୁକ୍ତିର ସହିତ ବୁଝାଉଛନ୍ତି । ଏହାର ନାମ ହେଉଛି ସହଜ ଜ୍ଞାନ ଏବଂ ସହଜ ରାଜଯୋଗ । ଏହା ସେକେଣ୍ଡର କଥା । ସେକେଣ୍ଡରେ ମୁକ୍ତି ଜୀବନମୁକ୍ତି । ତୁମେ ଏବେ କେତେ ଦୂରଦର୍ଶୀ ହୋଇଗଲଣି । ସର୍ବଦା ଏହି ଚିନ୍ତନ ରହୁ ଯେ, ଆମେ ବେହଦ ବାବାଙ୍କ ଠାରୁ ପାଠ ପଢୁଛୁ । ଆମେ ନିଜ ପାଇଁ ରାଜ୍ୟ ସ୍ଥାପନ କରୁଛୁ, ଆମେ ଉଚ୍ଚ ପଦ କାହିଁକି ନ ପାଇବୁ । କମ୍ ପଦ କାହିଁକି ପାଇବୁ । ରାଜଧାନୀ ସ୍ଥାପନ ହେଉଛି । ଏଠାରେ ମଧ୍ୟ ପଦ ରହିଛି, ଢେର ଦାସ ଦାସୀ ରହିବେ । ସେମାନେ ମଧ୍ୟ ବହୁତ ସୁଖ ପାଇବେ । ସାଥିରେ ମହଲରେ ରହିବେ । ପିଲାମାନଙ୍କୁ ସମ୍ଭାଳିବେ । କେତେ ଖୁସିରେ ରହିବେ । କେବଳ ନାମ ହିଁ ଦାସ ଦାସୀ ରହିବ । ରାଜା-ରାଣୀ ଯାହା ଖାଇବେ, ଦାସ-ଦାସୀ ମଧ୍ୟ ତାହା ହିଁ ଖାଇବେ । ପ୍ରଜାଙ୍କୁ ତାହା ମିଳିବ ନାହିଁ, ଦାସ-ଦାସୀଙ୍କର ମଧ୍ୟ ବହୁତ ସମ୍ମାନ ରହିବ, କିନ୍ତୁ ଏଥିରେ ମଧ୍ୟ କ୍ରମ ଅନୁଯାୟୀ ରହିବେ । ତୁମେମାନେ ସାରା ବିଶ୍ୱର ମାଲିକ ହେଉଛ । ଏଠାକାର ରାଜାମାନଙ୍କ ପାଖରେ ମଧ୍ୟ ଦାସ-ଦାସୀ ଅଛନ୍ତି । ରାଜ ସଭାରେ ରାଜକୁମାରମାନେ ଯେତେବେଳେ, ପରସ୍ପର ସହିତ ମିଶିବେ ସେତେବେଳେ ଫୁଲରେ ସଜାଇ ହୋଇ ମୁକୁଟଧାରୀ ହୋଇ ବସିବେ । ସେମାନଙ୍କ ମଧ୍ୟରେ କ୍ରମାନୁସାରେ ବଡ ଶୋଭନୀୟ ସଭା ଲାଗିଥାଏ । ସେଥିରେ ରାଣୀମାନେ ବସନ୍ତି ନାହିଁ । ସେମାନେ ପରଦା ପଛରେ ରହନ୍ତି । ଏହି ସବୁ କଥା ବାବା ବୁଝାଉଛନ୍ତି । ତୁମେ ତାଙ୍କୁ ପ୍ରାଣଦାତା ସହିତ ଜୀବନଦାତା ମଧ୍ୟ କହୁଛ, କାରଣ ସିଏ ଆମକୁ ବାରମ୍ବାର ଶରୀର ତ୍ୟାଗ କରିବାରୁ ରକ୍ଷା କରୁଛନ୍ତି । ସେଠାରେ ମରିବାର ଚିନ୍ତା ରହିବ ନାହିଁ । ଏଠାରେ କେତେ ଚିନ୍ତା ରହୁଛି । ସାମାନ୍ୟ କିଛି ହେଲେ ଡାକ୍ତରଙ୍କୁ ଡାକନ୍ତି କାଳେ ମରିଯିବି । ସେଠାରେ ଭୟର କୌଣସି କଥା ରହିବ ନାହିଁ । ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ ତେଣୁ ନିଶା ରହିବା ଉଚିତ୍ । ଶିକ୍ଷକଙ୍କ ସହଯୋଗ ରଖିବା ଅର୍ଥ ଯୋଗର ଯାତ୍ରାରେ ରହିବା । ବାପ-ଟିଚର-ସତଗୁରୁଙ୍କୁ ମନେ ପକାଉଛ ଅର୍ଥାତ୍ ଠିକ୍ ଅଛ । ଯେତେ ଶ୍ରୀମତକୁ ପାଳନ କରିବ, ମନ-ବଚନ-କର୍ମରେ ପବିତ୍ର ହେବ । ବୁଦ୍ଧିରେ ବିକାରୀ ସଂକଳ୍ପ ମଧ୍ୟ ନ ଆସୁ । ଭାଇ-ଭାଇର ଦୃଷ୍ଟି ରଖିଲେ ହିଁ ଏହା ସମ୍ଭବ ହେବ । ଭଉଣୀ-ଭାଇ ଦୃଷ୍ଟି ଦ୍ୱାରା ମଧ୍ୟ ଛି-ଛି ହୋଇଯାଉଛନ୍ତି । ଆଖି ସବୁଠାରୁ ଅଧିକ ଧୋକା ଦେଉଛି, ସେଥିପାଇଁ ବାବା ତୃତୀୟ ନେତ୍ର ଦେଇଛନ୍ତି ତେଣୁ ନିଜକୁ ଆତ୍ମା ଭାବି ଭାଇ-ଭାଇର ଦୃଷ୍ଟିରେ ଦେଖ । ଏହାକୁ କୁହାଯାଉଛି ଜ୍ଞାନର ତୃତୀୟ ନେତ୍ର । ଭାଇ-ଭଉଣୀ ଭାବିବା ଦ୍ୱାରା ମଧ୍ୟ ଫେଲ୍ ହୋଇଯାଉଛନ୍ତି, ତେଣୁ ବାବା ଅନ୍ୟ ଯୁକ୍ତି ବତାଉଛନ୍ତି - ନିଜକୁ ଭାଇ ଭାଇ ଭାବ । ଏଥିରେ ବହୁତ ମେହନତ ରହିଛି । ଲୌକିକ ପାଠପଢାରେ ମଧ୍ୟ ବିଷୟବସ୍ତୁ ରହିଥାଏ ନା । କେତେକ ବିଷୟ ବହୁତ କଷ୍ଟକର ହୋଇଥାଏ । ଏହା ମଧ୍ୟ ପାଠପଢା ଅଟେ । ଏହି ପାଠପଢାରେ ମଧ୍ୟ ସବୁଠାରୁ ଉଚ୍ଚ ବିଷୟ ରହିଛି - ତୁମେ କାହାର ନାମ-ରୂପରେ ପ୍ରଭାବିତ ହୁଅ ନାହିଁ । ଏହା ବହୁତ ବଡ ପରୀକ୍ଷା । ତୁମେ ବିଶ୍ୱର ମାଲିକ ହେବ । ମୁଖ୍ୟ କଥା ବାବା କହୁଛନ୍ତି ପରସ୍ପରକୁ ଭାଇ ଭାଇ ଭାବ । ତେଣୁ ପିଲାମାନଙ୍କୁ ବହୁତ ପୁରୁଷାର୍ଥ କରିବା ଉଚିତ୍ । କିନ୍ତୁ ଚାଲୁ-ଚାଲୁ କେତେକ ବିଶ୍ୱାସଘାତକ ମଧ୍ୟ ହୋଇଯାଉଛନ୍ତି । ଏଠାରେ ମଧ୍ୟ ସେହିପରି ହେଉଛି । ଭଲ ଭଲ ସନ୍ତାନମାନଙ୍କୁ ମାୟା ନିଜର କରିନେଉଛି । ସେଥିପାଇଁ ବାବା କହୁଛନ୍ତି - ମୋତେ ଫାରକତି (ନିଷ୍କୃତି) ଦେଇ ଦେଉଛନ୍ତି, ଡାଇଭର୍ସ ଅର୍ଥାତ୍ ଛାଡପତ୍ର ଦେଇ ଦେଉଛନ୍ତି । ପିତା ଏବଂ ସନ୍ତାନଙ୍କ ମଧ୍ୟରେ ନିଷ୍କୃତି ହୋଇଥାଏ ଏବଂ ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ ଛାଡପତ୍ର ହୁଏ । ବାବା କହୁଛନ୍ତି ମୋତେ ନିଷ୍କୃତି ଓ ଛାଡପତ୍ର ଦୁଇଟିଯାକ ମିଳୁଛି । ଭଲ ଭଲ କନ୍ୟାମାନେ ମଧ୍ୟ ଛାଡପତ୍ର ଦେଇ ରାବଣର ହୋଇଯାଉଛନ୍ତି । ଏହା ଆଶ୍ଚର୍ଯ୍ୟଜନକ ଖେଳ ଅଟେ ନା । ମାୟା କ’ଣ କରି ନ ଦେଉଛି । ବାବା କହୁଛନ୍ତି - ମାୟା ବହୁତ କଠୋର ଅଟେ । ଗାୟନ ଅଛି ହାତୀକୁ କୁମ୍ଭୀର ଖାଇଲା । ବହୁତ ଭୁଲ୍ କରୁଛନ୍ତି । ବାବାଙ୍କ ସହିତ ଅଶୋଭନୀୟ ଆଚରଣ କରୁଛନ୍ତି ତେଣୁ ମାୟା ପୂର୍ଣ୍ଣ ରୂପେ ବଶୀଭୂତ କରିଦେଉଛି । ମାୟା ଏପରି ଯେ କାହାକୁ କାହାକୁ ଏକଦମ୍ ଧରି ନେଉଛି । ଆଚ୍ଛା ।

ସନ୍ତାନମାନଙ୍କୁ କେତେ ଶୁଣାଇବି । ମୁଖ୍ୟ କଥା ହେଉଛି ଅଲଫ । ମୁସଲମାନମାନେ ମଧ୍ୟ କହନ୍ତି - ସକାଳୁ ଉଠି ଅଲଫ୍‌ଙ୍କୁ ସ୍ମରଣ କର । ଏହି ବେଳା ଶୋଇବାର ବେଳା ନୁହେଁ । ଏହି ଉପାୟରେ ହିଁ ବିକର୍ମ ବିନାଶ ହୋଇଥାଏ । ଅନ୍ୟ କୌଣସି ଉପାୟ ନାହିଁ । ବାବା ତୁମ ସହିତ କେତେ ବିଶ୍ୱସ୍ତ ଅଟନ୍ତି । କେବେ ତୁମକୁ ଛାଡିବେ ନାହିଁ । ବାବା ତୁମମାନଙ୍କୁ ସୁଧାରି ସାଥିରେ ନେଇଯିବା ପାଇଁ ଆସିଛନ୍ତି । ଯୋଗର ଯାତ୍ରା ଦ୍ୱାରା ହିଁ ତୁମେମାନେ ସତ୍ତ୍ୱପ୍ରଧାନ ହେବ ଏବଂ ଅନ୍ୟ ପାର୍ଶ୍ଵରେ ଜମା ମଧ୍ୟ ହୋଇ ଚାଲିବ । ବାବା କହୁଛନ୍ତି ନିଜର ଚାର୍ଟ ରଖ - ବାବାଙ୍କୁ କେତେ ମନେ ପକାଉଛ, କେତେ ସେବା କରୁଛ । ବ୍ୟାପାରୀମାନେ ନିଜର କ୍ଷତି ହେଉଥିବାର ଦେଖିଲେ ଖବରଦାର ହୋଇଯା’ନ୍ତି । ତୁମେମାନେ ମଧ୍ୟ ନିଜର କ୍ଷତି କରିବା ଉଚିତ୍ ନୁହେଁ । ନଚେତ୍ କଳ୍ପ-କଳ୍ପାନ୍ତରର ଘାଟା ହୋଇଯିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମନ-ବଚନ-କର୍ମରେ ପବିତ୍ର ହେବାକୁ ପଡିବ, ବୁଦ୍ଧିରେ ବିକାରୀ ସଂକଳ୍ପ ମଧ୍ୟ ନ ଆସୁ, ସେଥିପାଇଁ ଆମେ ସବୁ ଆତ୍ମା ଭାଇ-ଭାଇ ଅଟୁ, ଏହି ଅଭ୍ୟାସକୁ ପକ୍କା କରିବାକୁ ହେବ । କାହାର ନାମ-ରୂପରେ ଆକର୍ଷିତ ହେବାର ନାହିଁ ।

(୨) ଯେପରି ବାବା ବିଶ୍ୱସ୍ତ ହୋଇ, ସନ୍ତାନମାନଙ୍କୁ ସୁଧାରି ନିଜ ସାଥିରେ ନେଇଯାଉଛନ୍ତି ସେହିପରି ବିଶ୍ୱସ୍ତ ହୋଇ ରହିବାକୁ ହେବ । କେବେ ବି ଛାଡପତ୍ର ଦେବାର ନାହିଁ ।

ବରଦାନ:-
ସର୍ବଦା ହାଲୁକା ହୋଇ ବାବାଙ୍କର ନୟନରେ ସମାହିତ ହେଉଥିବା ସହଜଯୋଗୀ ଭବ ।

ସଂଗମଯୁଗରେ ଯେଉଁ ସବୁ ଖୁସିର ଖଣି ମିଳିଥାଏ ତାହା ଅନ୍ୟ କୌଣସି ଯୁଗରେ ମିଳିପାରିବ ନାହିଁ । ଏହି ସମୟ ପିତା ଏବଂ ସନ୍ତାନମାନଙ୍କର ମିଳନର ସମୟ ତେଣୁ ଏଠାରେ ପୈତୃକ ସମ୍ପତ୍ତି ଏବଂ ବରଦାନ ମଧ୍ୟ ପ୍ରାପ୍ତ ହେଉଛି । ତେବେ ପୈତୃକ ଏବଂ ବରଦାନ ମଧ୍ୟ ପ୍ରାପ୍ତ ହେଉଛି । ତେବେ ପୈତୃକ ସମ୍ପତ୍ତି ହେଉ ବା ବରଦାନ ହେଉ ଦୁଇଟି ଯାକରେ ମେହନତ କରିବାକୁ ପଡି ନ ଥାଏ ସେଥିପାଇଁ ତୁମମାନଙ୍କର ଉପାଧି ହେଲା ସହଜଯୋଗୀ । ବାପଦାଦା ପିଲାମାନଙ୍କର ମେହନତ କରିବା ଦେଖିପାରନ୍ତି ନାହିଁ ତେଣୁ କୁହନ୍ତି ପିଲାମାନେ ନିଜର ସମସ୍ତ ବୋଝ ବାବାଙ୍କୁ ଦେଇ ନିଜେ ହାଲୁକା ହୋଇଯାଅ । ଏତେ ହାଲୁକା ହୋଇଯାଅ ଯାହାକି ବାବା ନିଜେ ନୟନରେ ବସାଇ ସାଥୀରେ ଘରକୁ ନେଇଯିବେ । ତେବେ ବାବାଙ୍କ ସହିତ ସ୍ନେହ ଥିବାର ଚିହ୍ନ ହେଲା - ସର୍ବଦା ହାଲୁକା ହୋଇ ବାବାଙ୍କର ନୟନରେ ସମାହିତ ହୋଇଯିବା ।

ସ୍ଲୋଗାନ:-
ଯଦି ନକାରାତ୍ମକ ଚିନ୍ତନର ରାସ୍ତା ବନ୍ଦ କରିଦେବ ତେବେ ସଫଳତା ସ୍ୱରୂପ ହୋଇଯିବ ।