01.04.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ଯିଏ ଅଟନ୍ତି, ଯେପରି ଅଟନ୍ତି ପିଲାମାନଙ୍କ ଭିତରେ ମଧ୍ୟ କ୍ରମଅନୁସାରେ ଚିହ୍ନିଛନ୍ତି, ଯଦି ସମସ୍ତେ ଚିହ୍ନିଯିବେ ତେବେ ବହୁତ ଭିଡ ଲାଗିଯିବ ।”

ପ୍ରଶ୍ନ:-
ଚତୁର୍ଦ୍ଦିଗରେ ପ୍ରତ୍ୟକ୍ଷତାର ସମାଚାର କେତେବେଳେ ପ୍ରସାରିତ ହେବ?

ଉତ୍ତର:-
ଯେତେବେଳେ ମନୁଷ୍ୟମାନଙ୍କୁ ଜଣାପଡିଯିବ ଯେ ସ୍ୱୟଂ ଭଗବାନ ଏହି ପୁରୁଣା ଦୁନିଆର ବିନାଶ କରାଇ ନୂଆ ଦୁନିଆର ସ୍ଥାପନା କରିବାକୁ ଆସିଛନ୍ତି । (୨) ଆମ ସମସ୍ତଙ୍କର ସଦ୍‌ଗତିଦାତା ବାବା ଆମକୁ ଭକ୍ତିର ଫଳ ଦେବା ପାଇଁ ଆସିଛନ୍ତି । ଏହି କଥାର ନିଶ୍ଚୟ ହୋଇଗଲେ ପ୍ରତ୍ୟକ୍ଷତା ହୋଇଯିବ । ଚତୁର୍ଦ୍ଦିଗରେ ହଲଚଲ ଆରମ୍ଭ ହୋଇଯିବ ।

ଗୀତ:-
ଯୋ ପିଆ କେ ସାଥ ହେ...

ଓମ୍ ଶାନ୍ତି ।
ପିଲାମାନେ ଗୀତର ଦୁଇଟି ଧାଡି ଶୁଣିଲେ । ଜୋ ପିୟା କେ ସାଥ ହେ... ଅର୍ଥାତ୍ ଯିଏ ପିୟାଙ୍କ ସାଥିରେ ଅଛନ୍ତି ତେବେ ପିୟା କିଏ? ଏ କଥା ଦୁନିଆ ଜାଣିନାହିଁ । ଯଦିଓ ଅନେକ ସନ୍ତାନ ଅଛନ୍ତି, ସେମାନଙ୍କ ଭିତରେ ମଧ୍ୟ ବହୁତ ଅଛନ୍ତି, ଯେଉଁମାନେ କି ଜାଣିନାହାଁନ୍ତି ଯେ, କିଭଳି ବାବାଙ୍କୁ ମନେ ପକାଇବା ଦରକାର । ସେପରି ଠିକ୍ ଭାବରେ ମନେ ପକାଇପାରୁ ନାହାଁନ୍ତି । ବାରମ୍ବାର ଭୁଲି ଯାଉଛନ୍ତି । ବାବା ବୁଝାଉଛନ୍ତି ପିଲାମାନେ ନିଜକୁ ଆତ୍ମା ମନେ କର, ମୁଁ ବିନ୍ଦୁ ସ୍ୱରୂପ ଅଟେ । ବାବା, ଜ୍ଞାନର ସାଗର, ତାଙ୍କୁ ହିଁ ସ୍ମରଣ କରିବାକୁ ହେବ । ମନେ ପକାଇବାର ଅଭ୍ୟାସ ଏଭଳି ପଡିଯିବା ଦରକାର, ଯେପରି ବାବାଙ୍କର ସ୍ମୃତି ନିରନ୍ତର ସ୍ଥାୟୀ ହୋଇ ରହିବ । ଶେଷ ସମୟରେ ଏକଥା ସ୍ମୃତିରେ ରହିବା ଉଚିତ୍ ଯେ, ମୁଁ ଆତ୍ମା ଅଟେ, ଶରୀର ତ ଅଛି କିନ୍ତୁ ଏହି ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ ଯେ ମୁଁ ଆତ୍ମା ଅଟେ । ବାବାଙ୍କର ନିର୍ଦ୍ଦେଶ ମିଳିଛି, ମୁଁ ଯିଏ ମୋତେ ସେହି ରୂପରେ କ୍ୱଚିତ୍ କେହି କେହି ମନେ ପକାଉଛନ୍ତି । ପିଲାମାନଙ୍କ ଭିତରେ ବହୁତ ଦେହ-ଅଭିମାନ ଆସିଯାଉଛି । ବାବା ବୁଝାଇଛନ୍ତି, କେହି ବି ହୁଅନ୍ତୁ, ତାଙ୍କୁ ଯେ ପର୍ଯ୍ୟନ୍ତ ବାବାଙ୍କର ପରିଚୟ ନ ଦେଇଛ, ସେ ପର୍ଯ୍ୟନ୍ତ ସିଏ କିଛି ବି ବୁଝିପାରିବେ ନାହିଁ । ପ୍ରଥମେ ତ ସେମାନଙ୍କୁ ଏକଥା ଜଣାପଡୁ ଯେ, ସେହି ନିରାକାର ଆମର ପିତା, ଗୀତାର ଭଗବାନ ଅଟନ୍ତି, ସିଏ ହିଁ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ସିଏ ବର୍ତ୍ତମାନ ସମସ୍ତଙ୍କର ସଦଗତି କରିବାର ପାର୍ଟ କରୁଛନ୍ତି । ଯଦି ଏହି କଥା ଉପରେ ନିଶ୍ଚୟ ବୁଦ୍ଧି ହୋଇଯିବେ, ତେବେ ଯେତେ ସବୁ ସାଧୁ-ସନ୍ଥ ଆଦି ଅଛନ୍ତି ସମସ୍ତେ ଗୋଟିଏ ସେକେଣ୍ଡରେ ଏଠାକୁ ଆସିଯିବେ । ଭାରତରେ ବହୁତ ହଲଚଲ ହୋଇଯିବ । ଯଦି ଏବେ ଜଣାପଡିଯିବ ଏବଂ ନିଶ୍ଚୟ ହୋଇଯିବ ଯେ, ଏହି ଦୁନିଆ ଏବେ ବିନାଶ ହେବାକୁ ଯାଉଛି ତେବେ ବମ୍ବେ ଠାରୁ ଆବୁ ପର୍ଯ୍ୟନ୍ତ ଧାଡି ଲାଗିଯିବ । କିନ୍ତୁ ଏତେ ଶୀଘ୍ର କାହାର ନିଶ୍ଚୟ ହୋଇପାରିବ ନାହିଁ । ତୁମେମାନେ ଜାଣିଛ ଯେ, ବିନାଶ ହେବାର ଅଛି, ଏମାନେ ସମସ୍ତେ ଘୋର ନିଦ୍ରାରେ ଶୋଇ ହିଁ ରହିବେ । ପୁଣି ଶେଷ ସମୟରେ ତୁମର ପ୍ରଭାବ ବିସ୍ତାର ହେବ । ଏହା କୌଣସି ମାଉସୀ ଘର କଥା ନୁହେଁ ଅର୍ଥାତ୍ ସହଜ କଥା ନୁହେଁ ଯେ, ନିଶ୍ଚୟ ହୋଇଯିବ କି ଗୀତାର ଭଗବାନ ପରମପିତା ପରମାତ୍ମା ଶିବ ଅଟନ୍ତି । ଏହି କଥା ପ୍ରସିଦ୍ଧ ହୋଇଗଲେ ସାରା ଭାରତରେ ଚହଳ ପଡିଯିବ । ଏବେ ଯଦି ତୁମେମାନେ ଜଣଙ୍କୁ ବୁଝାଇବ ତେବେ ଆଉ ଜଣେ କହିବ ତୁମକୁ ଯାଦୁ ଲାଗିଯାଇଛି । ଏହି ବୃକ୍ଷ ବହୁତ ଧୀରେ ଧୀରେ ବଢିବ । ଏବେ ଆଉ କିଛି ସମୟ ବାକି ରହିଛି ତଥାପି ବି ପୁରୁଷାର୍ଥ କରିବାରେ କୌଣସି ଆପତ୍ତି ନାହିଁ । ତୁମେ ବଡ ବଡ ଲୋକମାନଙ୍କୁ ବୁଝାଉଛ କିନ୍ତୁ ସେମାନେ କ’ଣ କିଛି ବୁଝୁଛନ୍ତି । ପିଲାମାନଙ୍କ ଭିତରେ ମଧ୍ୟ କେତେକ ଏହି ଜ୍ଞାନକୁ ବୁଝିପାରୁ ନାହାଁନ୍ତି । ବାବାଙ୍କୁ ମନେ ପକାଉ ନାହାଁନ୍ତି, ତେଣୁ ସେହିଭଳି ଅବସ୍ଥା ମଧ୍ୟ ନାହିଁ । ବାବା ଜାଣିଛନ୍ତି, ନିଶ୍ଚୟ କାହାକୁ କୁହାଯାଏ । ଏବେ ତ କେହି କେହି ଶତକଡା ୧ ବା ୨ ପ୍ରତିଶତ ମଧ୍ୟ ବଡ କଷ୍ଟରେ ବାବାଙ୍କୁ ୟାଦ କରୁଛନ୍ତି । ଯଦିଓ ଏଠାରେ ବସିଛନ୍ତି କିନ୍ତୁ ବାବାଙ୍କ ସାଥିରେ ସେହିଭଳି ସ୍ନେହ ରହୁନାହିଁ । ବାସ୍ତବରେ ବାବାଙ୍କ ସହିତ ବହୁତ ସ୍ନେହ ରହିବା ଦରକାର, ସେଥିପାଇଁ ଭାଗ୍ୟ ଦରକାର । ଯଦି ବାବାଙ୍କ ପ୍ରତି ସ୍ନେହ ଥିବ ତେବେ ଭାବିବେ ଯେ, ମୋତେ ପାଦେ ପାଦେ ଶ୍ରୀମତରେ ଚାଲିବାକୁ ହେବ । ମୁଁ ବିଶ୍ୱର ମାଲିକ ହେବି । ଅଧାକଳ୍ପର ଦେହ-ଅଭିମାନ ପକ୍କା ହୋଇ ଯାଇଛି, ତେଣୁ ଏବେ ଦେହୀ-ଅଭିମାନୀ ହେବାରେ ବହୁତ କଷ୍ଟ ଲାଗୁଛି । ନିଜକୁ ଆତ୍ମା ମନେ କରି ପରମପ୍ରିୟ ବାବାଙ୍କୁ ମନେ ପକାଇବା କୌଣସି ମାଉସୀ ଘର କଥା ନୁହେଁ । ଯେଉଁମାନେ ଯୋଗଯୁକ୍ତ ହୋଇ ରହୁଛନ୍ତି ସେମାନଙ୍କର ଚେହେରା ହିଁ ଉଜ୍ୱଳ ଦେଖାଯିବ । ଯେପରି କନ୍ୟା ବିବାହ କରିବା ସମୟରେ ଗହଣା ଇତ୍ୟାଦି ପିନ୍ଧିଥାଏ, ତେଣୁ ତା’ର ଚେହେରାରେ ଏକଦମ୍ ଖୁସି ଆସିଯାଇଥାଏ । କିନ୍ତୁ ଏଠାରେ ତ ପତି ଅର୍ଥାତ୍ ବାବାଙ୍କୁ ମନେ ହିଁ ପକାଉନାହାଁନ୍ତି, ତେଣୁ ଚେହେରା ଏଭଳି ଝାଉଁଳି ଯାଉଛି ଯେ ସେକଥା ନ କହିଲେ ଭଲ । କନ୍ୟା ଯେତେବେଳେ ବିବାହ କରିଥାଏ ସେତେବେଳେ ତାର ଚେହେରା ପ୍ରଫୁଲ୍ଲିତ ହୋଇଯାଇଥାଏ । କାହା କାହାର ତ ବିବାହ ପରେ ମଧ୍ୟ ଚେହେରା ମୁର୍ଦ୍ଦାରଙ୍କ ଭଳି ରହିଥାଏ । ଭିନ୍ନ ଭିନ୍ନ ପ୍ରକାରର ଅଛନ୍ତି । କେହି କେହି ତ ଅନ୍ୟ ଘରକୁ ଯାଇ ଦ୍ୱନ୍ଦ୍ୱରେ ପଡିଯାଇଥାଆନ୍ତି । ତେବେ ଏଠାରେ ମଧ୍ୟ ସେହିଭଳି ହେଉଛି । ତେବେ ବାବାଙ୍କୁ ମନେ ପକାଇବା ପାଇଁ ପରିଶ୍ରମ କରିବାକୁ ହେବ । ଅତୀନ୍ଦ୍ରିୟ ସୁଖର କଥା ଗୋପୀ ବଲ୍ଲଭଙ୍କର ଗୋପ ଗୋପୀମାନଙ୍କୁ ପଚାର, ଏହା ଶେଷ ସମୟର ଗାୟନ ଅଟେ । ନିଜକୁ ଗୋପ-ଗୋପୀ ମନେ କରିବା ଏବଂ ନିରନ୍ତର ବାବାଙ୍କୁ ସ୍ମରଣ କରିବା, ଏବେ ତୁମର ସେହିଭଳି ଅବସ୍ଥା ହେବାକୁ ଯାଉଛି । ବାବାଙ୍କର ପରିଚୟ ସମସ୍ତଙ୍କୁ ଦେବାକୁ ହେବ । ବାବା ଆସି ଯାଇଛନ୍ତି ଏବଂ ସମ୍ପତ୍ତି ଦେଉଛନ୍ତି । କେବଳ ଏତିକି ଶବ୍ଦରେ ସାରା ଜ୍ଞାନ ଆସିଯାଉଛି । ଲକ୍ଷ୍ମୀ-ନାରାୟଣଙ୍କର ଯେତେବେଳେ ୮୪ ଜନ୍ମ ପୁରା ହୋଇଗଲା, ସେତେବେଳେ ବାବା, ଅନ୍ତିମ ସମୟରେ ଆସି ସେମାନଙ୍କୁ ରାଜଯୋଗର ଶିକ୍ଷା ଦେଇ ରାଜତ୍ୱ ପ୍ରଦାନ କଲେ । ଲକ୍ଷ୍ମୀ-ନାରାୟଣଙ୍କର ଏହି ଚିତ୍ର ନମ୍ବରୱାନ ଅଟେ । ତୁମେମାନେ ଜାଣିଛ ସେମାନେ ପୂର୍ବ ଜନ୍ମରେ ସେହି ଭଳି କର୍ମ କରିଥିଲେ, ସେହି କର୍ମ ବାବା ଏବେ ଶିଖାଉଛନ୍ତି । କହୁଛନ୍ତି ମନମନାଭବ, ପବିତ୍ର ରୁହ । କୌଣସି ବି ପାପ କର୍ମ କର ନାହିଁ କାରଣ ତୁମେମାନେ ଏବେ ସ୍ୱର୍ଗର ମାଲିକ, ପୁଣ୍ୟ ଆତ୍ମା ହେବାକୁ ଯାଉଛ । ଅଧାକଳ୍ପ ହେବ ମାୟା ରାବଣ ତୁମମାନଙ୍କ ଦ୍ୱାରା ପାପ କରାଇ ଆସିଛି । ଏବେ ନିଜକୁ ପଚାରିବାକୁ ହେବ - ମୋ ଦ୍ୱାରା କୌଣସି ପାପ ହେଉନାହିଁ ତ? ମୁଁ ପୁଣ୍ୟର କାମ କରିଚାଲିଛି? ଅନ୍ଧମାନଙ୍କର ଲାଠି ହୋଇଛି? ବାବା କହୁଛନ୍ତି ମନମନାଭବ । ଏକଥା ମଧ୍ୟ ପଚାରିବାକୁ ହେବ ଯେ, ମନମନାଭବ ଶବ୍ଦ କିଏ କହିଛନ୍ତି? ତେବେ ସେମାନେ କହିବେ ଏକଥା ଶ୍ରୀକୃଷ୍ଣ କହିଛନ୍ତି । କିନ୍ତୁ ତୁମେମାନେ ଜାଣିଛ ଯେ, ଏକଥା ପରମପିତା ପରମାତ୍ମା ଶିବ କହିଛନ୍ତି । ଏଥିରେ ରାତି ଦିନର ଫରକ ରହିଛି । ଶିବଜୟନ୍ତୀ ସହିତ ଗୀତା ଜୟନ୍ତୀ ରହିଛି । ଗୀତା ଜୟନ୍ତୀ ସାଥୀରେ ଶ୍ରୀକୃଷ୍ଣ ଜୟନ୍ତୀ ରହିଛି ।

ତୁମେମାନେ ଜାଣିଛ, ଆମେ ଭବିଷ୍ୟତରେ ରାଜକୁମାର ହେବୁ । ଆମେମାନେ ଭିକାରୀରୁ ରାଜକୁମାର ହେବାକୁ ଯାଉଛୁ । ଏହା ହିଁ ରାଜଯୋଗର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ତୁମେମାନେ ଏକଥା ସିଦ୍ଧ କରି କୁହ ଯେ, ଗୀତାର ଭଗବାନ ଶ୍ରୀକୃଷ୍ଣ ନ ଥିଲେ, ସିଏ ତ ନିରାକାର ଥିଲେ । ତେବେ ସର୍ବବ୍ୟାପୀର ଜ୍ଞାନ ସମାପ୍ତ ହୋଇଯିବ । ସମସ୍ତଙ୍କର ସଦଗତି ଦାତା ପତିତ-ପାବନ ବାବା ହିଁ ଅଟନ୍ତି । ମନୁଷ୍ୟମାନେ ଏକଥା ମଧ୍ୟ କହୁଛନ୍ତି ଯେ, ସିଏ ମୁକ୍ତିଦାତା ଅଟନ୍ତି, ପୁଣି ବି ସର୍ବବ୍ୟାପୀ କହିଦେଉଛନ୍ତି । ସେମାନେ ଯାହା କହୁଛନ୍ତି, କିଛି ବି ବୁଝିନାହାଁନ୍ତି । ଧର୍ମ ବିଷୟରେ ଯାହା ଆସୁଛି ତାହା କହିଦେଉଛନ୍ତି । ମୁଖ୍ୟ ଧର୍ମ ହେଲା ତିନୋଟି । ଦେବୀ ଦେବତା ଧର୍ମ ତ ଅଧାକଳ୍ପ ପର୍ଯ୍ୟନ୍ତ ଚାଲିଥାଏ । ତୁମେମାନେ ଜାଣିଛ ବାବା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମ ସ୍ଥାପନ କରୁଛନ୍ତି । କିନ୍ତୁ ଏକଥା ଦୁନିଆ ଜାଣିନାହିଁ । ସେମାନେ ତ ସତ୍ୟଯୁଗକୁ ହିଁ ଲକ୍ଷ ଲକ୍ଷ ବର୍ଷ ବୋଲି କହି ଦେଉଛନ୍ତି । ଆଦି ସନାତନ ଦେବୀ-ଦେବତା ଧର୍ମ ସବୁଠାରୁ ଉଚ୍ଚ, କିନ୍ତୁ ସେମାନେ ନିଜର ଧର୍ମକୁ ଭୂଲି ଧର୍ମଭ୍ରଷ୍ଟ ହୋଇଯାଇଛନ୍ତି । ଖ୍ରୀଷ୍ଟିୟାନମାନେ ନିଜର ଧର୍ମକୁ ଛାଡି ନ ଥାଆନ୍ତି । ସେମାନେ ଜାଣିଛନ୍ତି ଯେ, ଖ୍ରୀଷ୍ଟ ହିଁ ଆମର ଧର୍ମର ସ୍ଥାପନା କରିଛନ୍ତି । ଇସ୍‌ଲାମୀ, ବୌଦ୍ଧୀ ଏବଂ ଖ୍ରୀଷ୍ଟିୟାନ ସବୁ ହେଲା ମୁଖ୍ୟ ଧର୍ମ । ବାକି ଛୋଟ ଛୋଟ ଧର୍ମ ତ ବହୁତ ଅଛନ୍ତି । ତେବେ ବୃଦ୍ଧି କେବେଠାରୁ ହେଲା? ଏକଥା କେହି ଜାଣିନାହାଁନ୍ତି । ମହମ୍ମଦଙ୍କୁ ଆସିବାର ଏବେ ଅଳ୍ପ ସମୟ ହୋଇଛି, ଇସ୍‌ଲାମୀମାନେ ତାଙ୍କଠାରୁ ପୁରୁଣା । ଖ୍ରୀଷ୍ଟିୟାନମାନେ ମଧ୍ୟ ବହୁତ ପ୍ରସିଦ୍ଧ । ବାକି ଆହୁରି କେତେ ଅଛନ୍ତି । ସମସ୍ତଙ୍କର ନିଜ-ନିଜର ଧର୍ମ ରହିଛି । ତେବେ ଭିନ୍ନ ଭିନ୍ନ ଧର୍ମ, ଭିନ୍ନ ଭିନ୍ନ ନାମ ହେବା କାରଣରୁ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ଏ କଥା ଜାଣିନାହାଁନ୍ତି ଯେ, ମୁଖ୍ୟ ଧର୍ମ ଶାସ୍ତ୍ର ହିଁ ହେଉଛି ଚାରିଟି । ସେଥିରେ ଦୈବୀ ଧର୍ମ, ବ୍ରାହ୍ମଣ ଧର୍ମ ମଧ୍ୟ ଆସିଯାଉଛି । ବ୍ରାହ୍ମଣରୁ ଦେବତା, ଦେବତାରୁ କ୍ଷତ୍ରିୟ ଏକଥା କେହି ଜାଣିନାହାଁନ୍ତି । ଗାୟନ ମଧ୍ୟ କରୁଛନ୍ତି, ବ୍ରାହ୍ମଣ ଦେବତାୟେ ନମଃ । ପରମପିତା ବ୍ରାହ୍ମଣ, ଦେବତା, କ୍ଷତ୍ରିୟ ଧର୍ମର ସ୍ଥାପନା କରିଛନ୍ତି, ଶାସ୍ତ୍ରରେ ମଧ୍ୟ ଏହି କଥା ବର୍ଣ୍ଣିତ ଅଛି, କିନ୍ତୁ ତାକୁ ଶୁଆ ଭଳି ପଢୁଛନ୍ତି ।

ଏହା ହେଉଛି କଣ୍ଟାର ଜଙ୍ଗଲ । ଭାରତ ଫୁଲର ବଗିଚା ଥିଲା, ଏକଥା ମଧ୍ୟ ମାନୁଛନ୍ତି । କିନ୍ତୁ ତାହା କେବେ ଥିଲା, କିପରି ଏବଂ କିଏ କରିଥିଲେ, ପରମାତ୍ମା କ’ଣ, ଏକଥା କେହି ଜାଣି ନାହାଁନ୍ତି । ତେଣୁ ତାଙ୍କୁ ଅନାଥ କୁହାଯିବ ନା । ସେଥିପାଇଁ ଏତେ ସବୁ ଲଢେଇ ଝଗଡା ଆଦି ଲାଗୁଛି । ମନୁଷ୍ୟମାନେ କେବଳ ଭକ୍ତି କରି ଖୁସି ହୋଇଯାଉଛନ୍ତି । ଏବେ ବାବା ଆସିଛନ୍ତି ଦିନ କରିବା ପାଇଁ, ଗୋଟିଏ ମୁହୂର୍ତ୍ତରେ ତୁମମାନଙ୍କୁ ଜୀବନମୁକ୍ତ କରିଦେଉଛନ୍ତି । ଗାୟନ ମଧ୍ୟ ଅଛି, ଜ୍ଞାନ ଅଞ୍ଜନ ସତ୍‌ଗୁରୁ ଦେଲେ, ଅଜ୍ଞାନ ଅନ୍ଧକାର ବିନାଶ । ଏବେ ତୁମେମାନେ ଜାଣିଛ, ଆମେ ଆଲୋକରେ ଅଛୁ । ବାବା ଆସି ଆମମାନଙ୍କୁ ତୃତୀୟ ନେତ୍ର ଦେଇଛନ୍ତି । ଯଦିଓ ଦେବତାମାନଙ୍କର ତୃତୀୟ ନେତ୍ର ଅଛି ବୋଲି ଦେଖାଇଛନ୍ତି, କିନ୍ତୁ ଅର୍ଥ କିଛି ବି ଜାଣିନାହାଁନ୍ତି । ବାସ୍ତବରେ ତୃତୀୟ ନେତ୍ର ତୁମର ଅଛି । କିନ୍ତୁ ସେମାନେ ଦେବତାମାନଙ୍କୁ ଦେଇ ଦେଇଛନ୍ତି । ଗୀତାରେ ବ୍ରାହ୍ମଣମାନଙ୍କ ବିଷୟରେ କୌଣସି କଥା ବର୍ଣ୍ଣିତ ହୋଇ ନାହିଁ । ସେଥିରେ ତ କୌରବ ପାଣ୍ଡବଙ୍କର ଲଢେଇ, ଘୋଡା ଗାଡି ଇତ୍ୟାଦିର କଥା ସବୁ ଲେଖି ଦେଇଛନ୍ତି, କାରଣ ମନୁଷ୍ୟମାନେ କିଛି ବି ଜାଣିନାହାଁନ୍ତି । ଯଦି ତୁମେମାନେ ବୁଝାଇବ, ତେବେ କହିବେ ତୁମେ ଶାସ୍ତ୍ର ପୁରାଣକୁ ମାନୁନାହଁ । ତୁମେମାନେ କହିପାରିବ ଆମେ ଶାସ୍ତ୍ର-ପୁରାଣକୁ ମାନିବୁ ନାହିଁ କାହିଁକି, ଆମେ ଜାଣିଛୁ ଏସବୁ ଭକ୍ତିମାର୍ଗର ସାମଗ୍ରୀ ଅଟେ । ଗାୟନ ମଧ୍ୟ ରହିଛି ଜ୍ଞାନ ଏବଂ ଭକ୍ତି । ଯେତେବେଳେ ରାବଣ ରାଜ୍ୟ ହୁଏ, ସେତେବେଳେ ଭକ୍ତି ଆରମ୍ଭ ହୁଏ । ଭାରତବାସୀ ବାମମାର୍ଗରେ ଯାଇ ଧର୍ମଭ୍ରଷ୍ଟ କର୍ମଭ୍ରଷ୍ଟ ହୋଇଯାଆନ୍ତି, ସେଥିପାଇଁ ଏବେ ନିଜକୁ ହିନ୍ଦୁ ବୋଲି କହିଦେଉଛନ୍ତି, କାରଣ ସମସ୍ତେ ପତିତ ହୋଇଯାଇଛନ୍ତି । ତେବେ ସମସ୍ତଙ୍କୁ ପତିତ କରିଛି କିଏ? ରାବଣ । ସେଥିପାଇଁ ରାବଣକୁ ଜଳାଉଛନ୍ତି ମଧ୍ୟ, ଭାବୁଛନ୍ତି ଏହା ପରମ୍ପରାରୁ ଚାଲିଆସୁଛି । କିନ୍ତୁ ସତ୍ୟଯୁଗରେ ତ ରାବଣର ରାଜ୍ୟ ହିଁ ନ ଥିଲା । କିଛି ବି ବୁଝୁନାହାଁନ୍ତି । ମାୟା ମନୁଷ୍ୟମାନଙ୍କୁ ବିଲ୍‌କୁଲ୍ ପଥର ବୁଦ୍ଧି କରି ଦେଉଛି । ତେବେ ପଥରରୁ ପାରସ ବାବା ହିଁ କରନ୍ତି । ବାବା ଏହି କଳିଯୁଗରେ ଆସିଲେ ହିଁ ସତ୍ୟଯୁଗର ସ୍ଥାପନା କରିପାରିବେ । ବାବା ଏହିସବୁ କଥା ବୁଝାଉଛନ୍ତି କିନ୍ତୁ ବହୁତ କଷ୍ଟରେ କାହା କାହାର ବୁଦ୍ଧିରେ ଧାରଣା ହେଉଛି ।

ତୁମ କୁମାରୀମାନଙ୍କର ଏବେ ବାବାଙ୍କ ସହିତ ନିର୍ବନ୍ଧ ହେଉଛି । ବାବା ତୁମମାନଙ୍କୁ ପାଟରାଣୀ କରୁଛନ୍ତି । ତୁମମାନଙ୍କୁ ଚୋରାଇ ଆଣୁଛନ୍ତି ଅର୍ଥାତ୍ ତୁମମାନଙ୍କୁ କହୁଛନ୍ତି, ତୁମେ ମୋର ଥିଲ ଏବେ ତୁମେ ମୋତେ ଭୂଲି ଯାଇଛ । ଦେହ-ଅଭିମାନୀ ହୋଇ ମାୟାର ହୋଇଯାଇଛ । ବାକି ଚୋରାଇ ଆଣିବା ବା ହରଣ କରିବାର ତ କୌଣସି କଥା ନାହିଁ । ବାବା କେବଳ ଗୋଟିଏ କଥା କହୁଛନ୍ତି, ମୋତେ ମନେ ପକାଅ । ଯୋଗ କରିବାରେ ହିଁ ମେହନତ ରହିଛି । ଏମିତି ବହୁତ ସନ୍ତାନ ଅଛନ୍ତି, ଯେଉଁମାନେ କି ଦେହ-ଅଭିମାନରେ ଆସି ବିକର୍ମ କରୁଛନ୍ତି । ବାବା ଜାଣିଛନ୍ତି, ଏହି ଆତ୍ମା ମୋତେ ବିଲକୁଲ୍ ମନେ ପକାଉ ହିଁ ନାହିଁ । ଦେହ-ଅଭିମାନରେ ଆସି ବହୁତ ପାପ କରୁଛନ୍ତି ତେଣୁ ପାପର ଘଡା ୧୦୦ ଗୁଣା ଭରିଯାଉଛି । ଅନ୍ୟମାନଙ୍କୁ ରାସ୍ତା ଦେଖାଇବା ପରିବର୍ତ୍ତେ ନିଜେ ହିଁ ରାସ୍ତା ଭୂଲି ଯାଉଛନ୍ତି । ଆହୁରି ଅଧିକ ଦୁର୍ଗତିକୁ ପ୍ରାପ୍ତ କରୁଛନ୍ତି । ଏହା ତ ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । କଥାରେ ଅଛି ଚଢେ ତୋ ଚାଖେ ବୈକୁଣ୍ଠ ରସ, ଗିରେ ତୋ ଚକନାଚୁର । ବର୍ତ୍ତମାନ ରାଜତ୍ୱର ସ୍ଥାପନା ହେଉଛି । ଦେଖ ଏଥିରେ କେତେ ଫରକ ଆସିଯାଉଛି । କେହି କେହି ତ ପାଠପଢି ଆକାଶକୁ ଅର୍ଥାତ୍ ବହୁତ ଉଚ୍ଚକୁ ଚଢିଯାଉଛନ୍ତି, ଆଉ କେହି ତଳେ ପଡିଯାଉଛନ୍ତି । ଯଦି କାହାର ବୁଦ୍ଧି ଦୁର୍ବଳ ଥାଏ ତେବେ ସେ ପାଠ ଭଲ ଭାବରେ ପଢିପାରେ ନାହିଁ । କେହି କେହି କହୁଛନ୍ତି, ବାବା ମୁଁ କାହାକୁ ବୁଝାଇ ପାରିବି ନାହିଁ । ବାବା କହୁଛନ୍ତି, ଆଚ୍ଛା କେବଳ ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ ତେବେ ମୁଁ ତୁମକୁ ସୁଖ ଦେବି । କିନ୍ତୁ ବାବାଙ୍କୁ ମନେ ହିଁ ପକାଉ ନାହାଁନ୍ତି । ଯଦି ବାବାଙ୍କୁ ସ୍ମରଣ କରୁଥା’ନ୍ତେ, ତେବେ ଅନ୍ୟମାନଙ୍କୁ ମଧ୍ୟ କରାଉଥା’ନ୍ତେ । ଯଦି ବାବାଙ୍କୁ ସ୍ମରଣ କରୁଥାନ୍ତେ, ତେବେ ପାପ ନଷ୍ଟ ହୋଇଥା’ନ୍ତା । ଯଦି ବାବାଙ୍କୁ ମନେ ନ ପକାଇବ ତେବେ ତୁମେମାନେ ସୁଖଧାମକୁ ଯାଇପାରିବ ନାହିଁ । କାରଣ ୨୧ ଜନ୍ମର ବର୍ସା ନିରାକାର ବାବାଙ୍କଠାରୁ ମିଳିପାରିବ । ବାକି ତ ସବୁ ଅଳ୍ପକାଳର ସୁଖ ଦେଇଥା’ନ୍ତି । କାହାକୁ ଯଦି ରିଦ୍ଧି-ସିଦ୍ଧି ଅର୍ଥାତ୍ ମନ୍ତ୍ର-ତନ୍ତ୍ର ଦ୍ୱାରା ସନ୍ତାନ ମିଳିଗଲା ବା ଆଶୀର୍ବାଦ ଦ୍ୱାରା ଲଟେରୀ ମିଳିଗଲା, ତେବେ ବିଶ୍ୱାସ ଦୃଢ ହୋଇଯାଇଥାଏ । କାହାକୁ ଯଦି ଦୁଇ ଚାରି କୋଟିର ଫାଇଦା ହୋଇଗଲା, ତେବେ ବହୁତ ମହିମା କରିବେ । କିନ୍ତୁ ସେସବୁ ତ ହେଲା ଅଳ୍ପ କାଳ ପାଇଁ । ୨୧ ଜନ୍ମ ପାଇଁ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ତ ମିଳିପାରିବ ନାହିଁ ନା । କିନ୍ତୁ ମନୁଷ୍ୟ ଏକଥା ଜାଣିନାହାଁନ୍ତି । କାହାକୁ ଦୋଷ ମଧ୍ୟ ଦେଇପାରିବେ ନାହିଁ । କାରଣ ମନୁଷ୍ୟମାନେ ଅଳ୍ପକାଳର ସୁଖରେ ହିଁ ଖୁସି ହୋଇଯାଇଥାନ୍ତି । ବାବା ତୁମ ସନ୍ତାନମାନଙ୍କୁ ରାଜଯୋଗର ଶିକ୍ଷା ଦେଇ ସ୍ୱର୍ଗର ରାଜତ୍ୱ ଦେଉଛନ୍ତି । କେତେ ସହଜ କଥା । କେହି କେହି ତ ବିଲ୍‌କୁଲ୍ ବୁଝାଇ ପାରୁ ନାହାଁନ୍ତି । ଆଉ କେହି ତ ବୁଝାଉଛନ୍ତି କିନ୍ତୁ ଯୋଗ ଠିକ୍ ନ ଥିବା କାରଣରୁ ତୀର ଲାଗୁନାହିଁ ଅର୍ଥାତ୍ ଅନ୍ୟମାନଙ୍କୁ କିଛି ବି ଅନୁଭବ ହେଉନାହିଁ । ଦେହ-ଅଭିମାନରେ ଆସିବା କାରଣରୁ କିଛି ନା କିଛି ପାପ ହୋଇ ଚାଲିଛି । ତେବେ ମୁଖ୍ୟ କଥା ହେଲା ଯୋଗବଳ । ତୁମେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ପ୍ରାଚୀନ ଯୋଗ ଭଗବାନ ହିଁ ଶିଖାଇଥିଲେ, ଶ୍ରୀକୃଷ୍ଣ ନୁହଁନ୍ତି । ଯୋଗର ଯାତ୍ରା ବହୁତ ଭଲ । ଯଦି ତୁମେମାନେ ଗୋଟିଏ ଡ୍ରାମା ଦେଖି କରି ଆସିବ ତେବେ ସେ ସବୁ ସମ୍ମୁଖକୁ ଆସିଯିବ । କିନ୍ତୁ କାହାକୁ ବୁଝାଇବା ପାଇଁ ସମୟ ଲାଗିବ । ଏହା ମଧ୍ୟ ସେହିପରି । ବୀଜ ଅର୍ଥାତ୍ ବାବା ଏବଂ ବୃକ୍ଷ ଅର୍ଥାତ୍ ସୃଷ୍ଟି । ଏହି ସୃଷ୍ଟିଚକ୍ର ବହୁତ ସ୍ପଷ୍ଟ । ଶାନ୍ତିଧାମ, ସୁଖଧାମ, ଦୁଃଖଧାମ... । ତେବେ ଏହା ଗୋଟିଏ ସେକେଣ୍ଡର କଥା ହେଲା ନା । କିନ୍ତୁ ସେକଥା ମନେ ରହିଲେ ତ । ମୁଖ୍ୟ କଥା ହେଲା ବାବାଙ୍କର ପରିଚୟ । ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ସବୁ କିଛି ଜାଣିଯିବ । ଆଚ୍ଛା!

ଶିବବାବା ତୁମ ସନ୍ତାନମାନଙ୍କୁ ମନେ ପକାଉଛନ୍ତି, ବ୍ରହ୍ମାବାବା ମନେ ପକାଉ ନାହାଁନ୍ତି, କାରଣ ଶିବବାବା ଜାଣିଛନ୍ତି ମୋର ସୁପୁତ୍ର କିଏ? ଯୋଗ୍ୟ ସେବାଧାରୀ ସୁପୁତ୍ରମାନଙ୍କୁ ତ ବାବା ମନେ ପକାଉଛନ୍ତି । ଇଏ କାହିଁକି କାହାକୁ ମନେ ପକାଇବେ । ତାଙ୍କ ଆତ୍ମାକୁ ତ ନିର୍ଦ୍ଦେଶ ମିଳିଛି ଯେ, କେବଳ ମୋତେ ମନେ ପକାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଭାଗ୍ୟବାନ ହେବା ପାଇଁ ଏକମାତ୍ର ବାବାଙ୍କ ସହିତ ସଚ୍ଚା ସଚ୍ଚା ସ୍ନେହ ରଖିବାକୁ ହେବ । ବାବାଙ୍କ ସହିତ ସ୍ନେହ ରଖିବା ଅର୍ଥ ପ୍ରତି ପାଦରେ ଜଣଙ୍କର ହିଁ ଶ୍ରୀମତରେ ଚାଲିବା ।

(୨) ପ୍ରତିଦିନ ପୁଣ୍ୟର କାମ ଅବଶ୍ୟ କରିବାକୁ ହେବ । ସବୁଠାରୁ ବଡ ପୁଣ୍ୟ ହେଲା ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା । ବାବାଙ୍କୁ ମନେ ପକାଇବା ଏବଂ ସମସ୍ତଙ୍କୁ ବାବାଙ୍କର ସ୍ମୃତି ଦେବା ।

ବରଦାନ:-
ନିଜର ଦୃଷ୍ଟି ଏବଂ ବୃତ୍ତିର ପରିବର୍ତ୍ତନ ଦ୍ୱାରା ସୃଷ୍ଟିକୁ ପରିବର୍ତ୍ତନ କରୁଥିବା ସାକ୍ଷାତ୍‌କାର ମୂରତ ଭବ ।

ନିଜର ବୃତ୍ତି ଅର୍ଥାତ୍ ମନୋବୃତ୍ତିର ପରିବର୍ତ୍ତନ ଦ୍ୱାରା ଦୃଷ୍ଟିକୁ ଦିବ୍ୟ କରିଦିଅ ଯାହା ଦ୍ୱାରା ଅନେକ ଆତ୍ମା ନିଜର ଯଥାର୍ଥ ରୂପ, ଯଥାର୍ଥ ଘର ତଥା ଯଥାର୍ଥ ରାଜଧାନୀକୁ ଦେଖିପାରିବେ । ଏହିଭଳି ଯଥାର୍ଥ ସାକ୍ଷାତ୍‌କାର କରାଇବାକୁ ହେଲେ ତୁମର ବୃତ୍ତିରେ ଟିକିଏ ବି ଦେହ ଅଭିମାନର ଚଞ୍ଚଳତା ରହିବା ଉଚିତ୍ ନୁହେଁ । ତେଣୁ ବୃତ୍ତିର ପରିବର୍ତ୍ତନ ଦ୍ୱାରା ଦୃଷ୍ଟିକୁ ଦିବ୍ୟ କରିଦିଅ ତେବେ ଯାଇ ସୃଷ୍ଟିର ପରିବର୍ତ୍ତନ ହେବ । ଦେଖିବାବାଲା ଅନୁଭବ କରିବେ ଯେ ଏହା କୌଣସି ସାଧାରଣ ନୟନ ନୁହେଁ, ଯାଦୁର ଡିବା ଅଟେ । ତୁମର ଏହି ନୟନ ସାକ୍ଷାତ୍‌କାରର ସାଧନ ପାଲଟିଯିବ ।

ସ୍ଲୋଗାନ:-
ସେବାର ଉମଙ୍ଗ-ଉତ୍ସାହ ସହିତ ବେହଦର ବୈରାଗ୍ୟ ବୃତ୍ତି ହିଁ ସଫଳତାର ଆଧାର ଅଟେ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।

ମଧୁରତାର ଗୁଣକୁ ଧାରଣ କରିବାବାଲା ଏଠାରେ ମଧ୍ୟ ମହାନ ହୋଇଥାଏ ଏବଂ ସେଠାରେ ଅର୍ଥାତ୍ ସ୍ୱର୍ଗ ଦୁନିଆରେ ମଧ୍ୟ ଉଚ୍ଚ ପଦ ପାଇଥାଏ । ମଧୁରତାବାଲାଙ୍କୁ ସମସ୍ତେ ମହାନ ଦୃଷ୍ଟିରେ ଦେଖିଥାଆନ୍ତି । ତେଣୁ ମଧୁରତାର ଏହି ବିଶେଷ ଗୁଣଟି ସବୁ ପିଲାଙ୍କ ଭିତରେ ରହିବା ଉଚିତ୍ । ତେବେ ମଧୁରତା ରୂପକ ମଧୁ ଯେଉଁମାନଙ୍କ ପାଖରେ ଅଛି, ସେମାନଙ୍କର ସବୁ କାର୍ଯ୍ୟରେ ସଫଳତା ହିଁ ସଫଳତା ରହିଥାଏ । ସେମାନଙ୍କ ଜୀବନରୁ ଅସଫଳତା ସମାପ୍ତ ହୋଇଯାଏ ।