01.07.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଶାନ୍ତିଧାମ ହେଉଛି ପବିତ୍ର ଆତ୍ମାମାନଙ୍କର ଘର, ଯଦି ସେହି ଘରକୁ ଯିବାକୁ ଚାହୁଁଛ ତେବେ ସମ୍ପୂର୍ଣ୍ଣ ପବିତ୍ର ହୁଅ ।”

ପ୍ରଶ୍ନ:-
ବାବା ସବୁ ପିଲାଙ୍କୁ କେଉଁ ଗ୍ୟାରେଣ୍ଟି ଦେଉଛନ୍ତି?

ଉତ୍ତର:-
ମିଠା ମିଠା ପିଲାମାନେ ଯଦି ତୁମେମାନେ ମୋତେ ମନେ ପକାଇବ ତେବେ ମୁଁ ଗ୍ୟାରେଣ୍ଟି କରୁଛି ଯେ ଅନ୍ତିମ ସମୟରେ କୌଣସି ଦଣ୍ଡ ଭୋଗ ନ କରି ମୋ ସହିତ ଘରକୁ ଯାଇପାରିବ । ହୃଦୟକୁ କେବଳ ନିଜର ପିତାଙ୍କ ସହିତ ଯୋଡି ଦିଅ, ପୁରୁଣା ଦୁନିଆକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଏହି ଦୁନିଆରେ ରହି ପବିତ୍ର ହୋଇ ଦେଖାଅ, ତେବେ ବାବା ତୁମକୁ ବିଶ୍ୱର ରାଜତ୍ୱ ନିଶ୍ଚିତ ଦେବେ ।

ଓମ୍ ଶାନ୍ତି ।
ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତା ପରମାତ୍ମା ପଚାରୁଛନ୍ତି, ଏ କଥା ତ ପିଲାମାନେ ଜାଣିଛନ୍ତି ଯେ, ବାବା ଆମମାନଙ୍କୁ ଘରକୁ ନେଇଯିବା ପାଇଁ ଆସିଛନ୍ତି । ଏବେ ଘରକୁ ଯିବା ପାଇଁ ଇଚ୍ଛା ହେଉଛି ? ତାହା ତ ସବୁ ଆତ୍ମାମାନଙ୍କର ଘର । ଏଠାରେ ସବୁ ଜୀବ ଆତ୍ମାମାନଙ୍କର ଘର ଗୋଟିଏ ନୁହେଁ । ଏ କଥା ତ ତୁମେ ଜାଣିଛ ଯେ, ବାବା ଏବେ ଆସିଛନ୍ତି । ତୁମେମାନେ ନିମନ୍ତ୍ରଣ ଦେଇ ବାବାଙ୍କୁ ଡାକିଛ ଏବଂ କହିଛ ଆମକୁ ଘର ଅର୍ଥାତ୍ ଶାନ୍ତିଧାମକୁ ନେଇଚାଲ । ଏବେ ବାବା କହୁଛନ୍ତି - ତୁମେମାନେ ନିଜର ମନକୁ ପଚାର, ହେ ଆତ୍ମା, ତୁମେ ଏବେ ପତିତ ହୋଇଯାଇଛ, ଘରକୁ କିପରି ଯିବ? ତେଣୁ ପବିତ୍ର ନଶ୍ଚିତ ହେବାକୁ ପଡିବ । ଏବେ ଆମକୁ ଘରକୁ ଯିବାକୁ ହେବ, ବାବା ଅନ୍ୟ କୌଣସି କଥା କହୁ ନହାଁନ୍ତି । ଭକ୍ତିମାର୍ଗରେ ତୁମେମାନେ ଏତେ ସମୟ ପୁରୁଷାର୍ଥ କଲ, କାହିଁକି ? ମୁକ୍ତି ପାଇବା ପାଇଁ । ତେଣୁ ଏବେ ବାବା ପଚାରୁଛନ୍ତି ତୁମର ଘରକୁ ଯିବାର ବିଚାର ଚାଲୁଛି ? ପିଲାମାନେ କହୁଛନ୍ତି - ବାବା ସେଥିପାଇଁ ତ ଏତେ ଭକ୍ତି କରିଛୁ ? ଏ କଥା ମଧ୍ୟ ତୁମେମାନେ ଜାଣିଛ ଯେତେ ସବୁ ଜୀବାତ୍ମା ଅଛନ୍ତି, ସମସ୍ତଙ୍କୁ ନେଇଯିବାକୁ ହେବ । କିନ୍ତୁ ସମସ୍ତଙ୍କୁ ପବିତ୍ର ହୋଇ ଘରକୁ ଯିବାକୁ ହେବ, ପୁଣି ପବିତ୍ର ଆତ୍ମାମାନେ ହିଁ ପ୍ରଥମେ ପ୍ରଥମେ ଏଠାକୁ ଆସିବେ । ଅପବିତ୍ର ଆତ୍ମା ତ ଘରେ ଅର୍ଥାତ୍ ପରମଧାମରେ ରହିପାରିବେ ନାହିଁ । ଏଠାରେ ଯେତେ କୋଟି କୋଟି ଆତ୍ମାମାନେ ଅଛନ୍ତି, ସମସ୍ତଙ୍କୁ ଘରକୁ ନିଶ୍ଚିତ ଯିବାକୁ ହେବ । ସେହି ଘରକୁ ଶାନ୍ତିଧାମ ବା ବାନପ୍ରସ୍ଥ କୁହାଯାଉଛି । ଆମ ଆତ୍ମାମାନଙ୍କୁ ପବିତ୍ର ହୋଇ ପବିତ୍ର ଶାନ୍ତିଧାମ ଯିବାକୁ ହେବ, ବାସ୍ । ଏହା କେତେ ସହଜ କଥା । ତାହା ହେଲା ଆତ୍ମାମାନଙ୍କର ପବିତ୍ର ଶାନ୍ତିଧାମ, ସତ୍ୟଯୁଗ ହେଲା ଜୀବ ଆତ୍ମାମାନଙ୍କର ପବିତ୍ର ସୁଖଧାମ । ଏହା ପତିତ ଜୀବ ଆତ୍ମାମାନଙ୍କର ଦୁଃଖଧାମ । ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ହିଁ ନାହିଁ । ଶାନ୍ତିଧାମ, ଯେଉଁଠାରେ କି ସବୁ ପବିତ୍ର ଆତ୍ମାମାନେ ନିବାସ କରିଥା’ନ୍ତି । ତାହା ଆତ୍ମାମାନଙ୍କର ପବିତ୍ର ଦୁନିଆ - ପବିତ୍ର ନିରାକାରୀ ଦୁନିଆ । ଏହି ପୁରୁଣା ଦୁନିଆ ସବୁ ପତିତ ଜୀବ ଆତ୍ମାମାନଙ୍କର ଦୁନିଆ । ଏଠାରେ ସମସ୍ତେ ପତିତ, ସେଥିପାଇଁ ବାବା ଆସିଛନ୍ତି ଆତ୍ମାମାନଙ୍କୁ ପବିତ୍ର କରି, ପବିତ୍ର ଦୁନିଆ ଶାନ୍ତିଧାମ ନେଇଯିବା ପାଇଁ । ଏଠାରେ ଯେଉଁମାନେ ରାଜଯୋଗ ଶିଖୁଛନ୍ତି ସେହିମାନେ ହିଁ ପବିତ୍ର ସୁଖଧାମକୁ ଯିବେ । ଏହା ତ ବହୁତ ସହଜ, ଏଥିରେ କୌଣସି ବି କଥାର ବିଚାର କରିବା ଉଚିତ୍ ନୁହେଁ । କେବଳ ବୁଦ୍ଧି ଦ୍ୱାରା ବୁଝିବାକୁ ହେବ । ଆମ ଆତ୍ମାମାନଙ୍କର ପିତା ଆମକୁ ପବିତ୍ର ଶାନ୍ତିଧାମକୁ ନେଇଯିବା ପାଇଁ ଆସିଛନ୍ତି । ସେଠାକୁ ଯିବାର ରାସ୍ତା ଭୁଲିଯାଇଥିଲୁ, ଯାହାକି ବାବା ଆସି ବତାଉଛନ୍ତି । ଏହିଭଳି ମୁଁ କଳ୍ପ-କଳ୍ପ ଆସି କହୁଛି -ହେ ପିଲାମାନେ, ତୁମେ ଶିବବାବଙ୍କୁ ମନେପକାଅ । ସିଏ ହିଁ ଏକମାତ୍ର ସତ୍‌ଗୁରୁ ଯିଏକି ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ସିଏ ହିଁ ଆସି ପିଲାମାନଙ୍କୁ ସନ୍ଦେଶ ଅଥବା ଶ୍ରୀମତ ଦେଉଛନ୍ତି । କହୁଛନ୍ତି - ପିଲାମାନେ, ଏବେ ତୁମକୁ କ’ଣ କରିବାକୁ ହେବ ? ଅଧାକଳ୍ପ ପର୍ଯ୍ୟନ୍ତ ତୁମେମାନେ ବହୁତ ଭକ୍ତି କରି ଦୁଃଖ ପାଇଛ । ବହୁତ ଖର୍ଚ୍ଚ କରି-କରି କଙ୍ଗାଳ ହୋଇଯାଇଛ । ଆତ୍ମା ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ ହୋଇଯାଇଛି । ବାସ୍‌, ଏତିକି କଥା ହିଁ ବୁଝିବାକୁ ହେବ । ବାବା ପଚାରୁଛନ୍ତି - ଏବେ ଘରକୁ ଯିବାର ଅଛି ନା ନାହିଁ ? ତୁମେ କହୁଛ, ହଁ ବାବା, ନିଶ୍ଚିତ ଯିବାକୁ ହେବ । ତାହା ଆମର ମିଠା ଘର ଶାନ୍ତିଧାମ । ଏ କଥା ମଧ୍ୟ ତୁମେମାନେ ଏବେ ଜାଣୁଛ ଯେ, ବାସ୍ତବରେ ଆମେ ପତିତ, ସେଥିପାଇଁ ଯାଇପାରିବୁ ନାହିଁ । ତେଣୁ ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମର ପାପ କଟିଯିବ । ମୁଁ କଳ୍ପ-କଳ୍ପ ତୁମକୁ ଏହି ସନ୍ଦେଶ ଦେଉଛି । ତୁମେ ନିଜକୁ ଆତ୍ମା ମନେ କର, ଏହି ଦେହ ତ ଏହିଠାରେ ହିଁ ସମାପ୍ତ ହୋଇଯିବ, ବାକି ଆତ୍ମାମାନଙ୍କୁ ହିଁ ଘରକୁ ଯିବାକୁ ହେବ । ତାକୁ ନିରାକାରୀ ଦୁନିଆ ବୋଲି କୁହାଯାଉଛି । ନିରାକାରୀ ଆତ୍ମାମାନେ ହିଁ ସେଠାରେ ରହିଥା’ନ୍ତି । ତାହା ହେଉଛି ଆତ୍ମାମାନଙ୍କର ଘର । ନିରାକାର ବାବା ମଧ୍ୟ ସେଠାରେ ରହିଥା’ନ୍ତି । ବାବା ସବୁଠାରୁ ପଛରେ ଆସୁଛନ୍ତି କାହିଁକି ନା ତାଙ୍କୁ ସମସ୍ତଙ୍କୁ ଘରକୁ ଫେରାଇ ନେବାକୁ ହେବ । ଏଠାରେ କେହି ଜଣେ ହେଲେ ବି ପତିତ ଆତ୍ମା ରହିବେ ନାହିଁ, ଏଥିରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ଅଥବା ଅସୁବିଧାର କଥା ହିଁ ନାହିଁ । ଗାୟନ ମଧ୍ୟ କରୁଛନ୍ତି ହେ ପତିତ ପାବନ ଆସି ଆମକୁ ପବିତ୍ର କରି ସାଥିରେ ନେଇ ଯାଅ । ଶିବବାବା ସମସ୍ତଙ୍କର ପିତା ଅଟନ୍ତି ନା । ପୁଣି ଯେତେବେଳେ ଆମେ ନୂଆ ଦୁନିଆକୁ ଅଭିନୟ କରିବାକୁ ଆସିବୁ ସେତେବେଳେ ବହୁତ କମ୍ ଆତ୍ମା ରହିବେ । ତେବେ ଏତେ କୋଟି କୋଟି ଆତ୍ମା କେଉଁଠାରେ ରହିବେ? ଏ କଥା ମଧ୍ୟ ତୁମେମାନେ ଜାଣିଛ, ସତ୍ୟଯୁଗରେ କମ୍ ଜୀବ ଆତ୍ମାମାନେ ଥିଲେ, ଦୁନିଆ ବହୁତ ଛୋଟ ଥିଲା, ପୁଣି ଧିରେ-ଧିରେ ବୃଦ୍ଧି ହେଉଛି । ଏହି ବୃକ୍ଷରେ ଭିନ୍ନ-ଭିନ୍ନ ପ୍ରକାରର ଧର୍ମ ରହିଛି । ଏହାକୁ ହିଁ କଳ୍ପ ବୃକ୍ଷ ବୋଲି କୁହାଯାଉଛି । ଯଦି କିଛି ବି ନ ବୁଝିପାରୁଛ ତେବେ ତୁମେ ପଚାରିପାରିବ । ଅନେକ କହୁଛନ୍ତି - ବାବା ଆମେ କଳ୍ପର ଆୟୁଷ ୫ ହଜାର ବର୍ଷ ବୋଲି କିପରି ମାନିବୁ? ଆରେ ବାବା ତ ସତ୍ୟ ହିଁ ଶୁଣାଉଛନ୍ତି । ଏହି ସୃଷ୍ଟି ରୂପି ଚକ୍ରର ହିସାବ ମଧ୍ୟ ବତାଉଛନ୍ତି ।

କଳ୍ପର ସଙ୍ଗମ ଯୁଗରେ ବାବା ଆସି ଦୈବୀ ରାଜଧାନୀ ସ୍ଥାପନା କରୁଛନ୍ତି, ଯାହାକି ଏବେ ନାହିଁ । ସତ୍ୟଯୁଗରେ ପୁଣି ଗୋଟିଏ ଦୈବୀ ରାଜଧାନୀ ହେବ । ବାବା ବର୍ତ୍ତମାନ ସମୟରେ ତୁମକୁ ରଚୟିତା ଏବଂ ରଚନାର ଜ୍ଞାନ ଶୁଣାଉଛନ୍ତି । ବାବା କହୁଛନ୍ତି - ମୁଁ ପ୍ରତି କଳ୍ପରେ ସଙ୍ଗମଯୁଗରେ ଆସୁଛି ଏବଂ ନୂଆ ଦୁନିଆର ସ୍ଥାପନା କରୁଛି । ତେଣୁ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ । ଡ୍ରାମା ଅନୁସାରେ ଦୁନିଆ ନୂଆରୁ ପୁରୁଣା, ପୁରୁଣାରୁ ନୂଆ ହେଉଛି । ଯାହାକି ସମାନ ୪ ଭାବରେ ବିଭକ୍ତ, ଯାହାକୁ ସ୍ୱସ୍ତିକ ଚକ୍ର ବୋଲି କୁହାଯାଉଛି । ଏହାର ମର୍ମକୁ କେହି ବି ଜାଣନ୍ତି ନାହିଁ । ଭକ୍ତିମାର୍ଗରେ ଯେପରି କଣ୍ଢେଇ ଖେଳ ଖେଳୁଛନ୍ତି । ଅସରନ୍ତି ଚିତ୍ର ରହିଛି, ଦୀପାବଳୀରେ ସ୍ୱତନ୍ତ୍ର ଭାବରେ ଦୋକାନ ଖୋଲିଥା’ନ୍ତି, ଅନେକ ପ୍ରକାରର ଚିତ୍ର ରହିଛି । ଏବେ ତୁମେମାନେ ବୁଝିଗଲଣି ଜଣେ ହେଉଛନ୍ତି ଶିବବାବା ଏବଂ ଆମେ ସମସ୍ତେ ତାଙ୍କର ସନ୍ତାନ । ପୁଣି ଏଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ, ରାମ-ସୀତାଙ୍କର ରାଜ୍ୟ, ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଥା’ନ୍ତି । ଯାହା ସହିତ ତୁମମାନଙ୍କର କୌଣସି ସମ୍ପର୍କ ନାହିଁ । ସେମାନେ ନିଜ-ନିଜର ସମୟରେ ଆସୁଛନ୍ତି ପୁଣି ସମସ୍ତଙ୍କୁ ଘରକୁ ଯିବାକୁ ହେବ । ତୁମ ସନ୍ତାନମାନଙ୍କୁ ମଧ୍ୟ ଏବେ ଘରକୁ ଯିବାକୁ ହେବ । ଏହି ସାରା ଦୁନିଆ ବିନାଶ ହେବାକୁ ଯାଉଛି । ଏଠାରେ ଆଉ କ’ଣ ଅଛି । ତେଣୁ ଏହି ଦୁନିଆରେ ଆଉ ମନ ଲାଗୁନାହିଁ । ତେବେ ଏକମାତ୍ର ପ୍ରେମିକଙ୍କ ସହିତ ମନ ଲଗାଇବାକୁ ହେବ । ସିଏ କହୁଛନ୍ତି ଏକମାତ୍ର ମୋ ସହିତ ମନ ଲଗାଅ ତେବେ ତୁମେ ପବିତ୍ର ହୋଇଯିବ । ଏବେ ବହୁତ ସମୟ ଚାଲିଗଲାଣି ଆଉ କମ୍ ସମୟ ଅଛି । ସମୟ ଅତିକ୍ରାନ୍ତ ହୋଇଚାଲିଛି । ଯୋଗଯୁକ୍ତ ହୋଇ ନ ରହିଲେ ଅନ୍ତିମ ସମୟରେ ବହୁତ ପଶ୍ଚାତାପ କରିବାକୁ ପଡିବ । ଦଣ୍ଡ ଭୋଗ କରିବାକୁ ପଡିବ ଏବଂ ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ଏକଥା ମଧ୍ୟ ବର୍ତ୍ତମାନ ତୁମେମାନେ ଜାଣୁଛ ଯେ, ଆମକୁ ଘର ଛାଡି ଆସିବା କେତେ ସମୟ ହୋଇଗଲାଣି । ବର୍ତ୍ତମାନ ସମସ୍ତେ ଘରକୁ ଯିବା ପାଇଁ ହିଁ ମୁଣ୍ଡ ପିଟୁଛନ୍ତି ନା । ବାବା ମଧ୍ୟ ତୁମକୁ ଘରେ ଅର୍ଥାତ୍ ପରମଧାମରେ ହିଁ ମିଳିବେ, ସତ୍ୟଯୁଗରେ ମିଳିବେ ନାହିଁ । ମୁକ୍ତିଧାମକୁ ଯିବା ପାଇଁ ମନୁଷ୍ୟ କେତେ ମେହନତ କରୁଛନ୍ତି, ତାକୁ ଭକ୍ତମାର୍ଗ କୁହାଯାଉଛି । ଏବେ ଡ୍ରାମାନୁସାରେ ଭକ୍ତିମାର୍ଗ ଶେଷ ହେବାକୁ ଯାଉଛି । ବାବା କହୁଛନ୍ତି - ଏବେ ମୁଁ ତୁମକୁ ଘରକୁ ନେଇ ଯିବା ପାଇଁ ଆସିଛି । ତୁମକୁ ମୁଁ ନିଶ୍ଚିତ ଭାବରେ ଘରକୁ ନେଇଯିବି । କିନ୍ତୁ ଯିଏ ଯେତେ ପବିତ୍ର ହେବ ସିଏ ସେତେ ସେଠାରେ ଉଚ୍ଚପଦ ପାଇବ । ଏଥିରେ ସଂଶୟର କୌଣସି କଥା ନାହିଁ । ବାବା କହୁଛନ୍ତି- ପିଲାମାନେ, ତୁମେମାନେ ମୋତେ ମନେ ପକାଅ, ମୁଁ ତୁମକୁ ଗ୍ୟାରେଣ୍ଟି ଦେଉଛି ତୁମେ କୌଣସି ଦଣ୍ଡ ଭୋଗ ନ କରି ଘରକୁ ଚାଲିଯିବ । ଯୋଗ ଦ୍ୱାରା ତୁମର ବିକର୍ମ ବିନାଶ ହେବ । ଯଦି ଯୋଗ ନ କରିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ପ୍ରତ୍ୟେକ ୫ ହଜାର ବର୍ଷରେ ଥରେ ମୁଁ ଏହି କଥା ହିଁ ଆସି ତୁମକୁ ବୁଝାଉଛି । ମୁଁ ଅନେକ ଥର ତୁମକୁ ଘରକୁ ନେଇ ଯିବା ପାଇଁ ଆସିଛି । ତୁମେମାନେ ହିଁ ହାରିବା ଏବଂ ଜିତିବାର ଅଭିନୟ କରୁଛ । ପୁଣି ମୁଁ ନେଇଯିବା ପାଇଁ ଆସୁଛି । ଏହା ହେଲା ପତିତ ଦୁନିଆ, ସେଥିପାଇଁ ଗାୟନ ମଧ୍ୟ କରୁଛନ୍ତି ହେ ପତିତ-ପାବନ ଆସ, ଆମେ ବିକାରୀ ପତିତ ହୋଇଯାଇଛୁ, ଆମକୁ ଆସି ନିର୍ବିକାରୀ କର । ଏହା ବିକାରୀ ଦୁନିଆ । ଏବେ ତୁମମାନଙ୍କୁ ସଂପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡିବ । ଯେଉଁମାନେ ପଛରେ ଆସୁଛନ୍ତି ସେମାନେ ଦଣ୍ଡ ଭୋଗ କରି ଯିବେ, ସେଥିପାଇଁ ପୁଣି ଏଭଳି ଦୁନିଆକୁ ଆସୁଛନ୍ତି ଯେଉଁଠାରେ ଦୁଇକଳା କମ୍ ହୋଇଯାଉଛି । ତେଣୁ ସେମାନଙ୍କୁ ସଂପୂର୍ଣ୍ଣ ପବିତ୍ର ବୋଲି କୁହାଯିବ ନାହିଁ । ସେଥିପାଇଁ ଏବେ ସଂପୂର୍ଣ୍ଣ ପୁରୁଷାର୍ଥ ମଧ୍ୟ କରିବା ଦରକାର । ଏପରି ନ ହେଉ ଯେ, ଆମର ପଦ କମ୍ ହୋଇଯାଉ । ଯଦିଓ ସେଠାରେ ରାବଣ ରାଜ୍ୟ ନାହିଁ କିନ୍ତୁ ପଦ ତ କ୍ରମାନୁସାରେ ରହିଛି ନା । ଆତ୍ମାରେ ଖାଦ ମିଶିଲେ ପୁଣି ସେହିପରି ଶରୀର ମିଳିବ । ଆତ୍ମା ସତ୍ୟଯୁଗୀରୁ ତ୍ରେତାଯୁଗୀ ହୋଇଯିବ । ସତ୍ୟଯୁଗୀ ଆତ୍ମାରେ ତ୍ରେତାଯୁଗୀ ସଂସ୍କାର ରୂପକ ଖାଦ ମିଶିଯାଏ । ତା’ପରେ ଦିନକୁ ଦିନ ଅଧିକରୁ ଅଧିକ ୫ ବିକାର ରୂପକ ଖାଦ ମିଶିବା ଦ୍ୱାରା ଆତ୍ମା ନକଲି ଗହଣା ଭଳି ସମ୍ପୂର୍ଣ୍ଣ ବିକାରୀ ହୋଇଯାଏ । ବାବା ବହୁତ ଭଲ ଭାବରେ ବୁଝାଉଛନ୍ତି । କେହି ଯଦି ନ ବୁଝିପାରୁଛ ତେବେ ହାତ ଉଠାଅ । ଯେଉଁମାନେ ୮୪ ଜନ୍ମର ଚକ୍ର ଲଗାଇଛନ୍ତି, ବାବା ସେହିମାନଙ୍କୁ ହିଁ ବୁଝାଇବେ । ବାବା କହୁଛନ୍ତି - ଏହାଙ୍କର ୮୪ ଜନ୍ମର ଅନ୍ତିମରେ ମୁଁ ଆସି ପ୍ରବେଶ କରୁଛି । ଏହି ବ୍ରହ୍ମାଙ୍କୁ ହିଁ ପୁଣି ପ୍ରଥମ ନମ୍ବରରେ ଆସିବାକୁ ପଡିବ । ଯିଏ ପ୍ରଥମ ନମ୍ବରରେ ଥିଲେ ସିଏ ଏବେ ଶେଷରେ ଅଛନ୍ତି । ଏହାଙ୍କୁ ହିଁ ପୁଣି ପ୍ରଥମ ନମ୍ବରରେ ଆସିବାକୁ ହେବ । ଯିଏ ବହୁତ ଜନ୍ମର ଶେଷ ସମୟରେ ପତିତ ହୋଇଯାଇଛନ୍ତି, ମୁଁ ପତିତ-ପାବନ ତାଙ୍କ ଶରୀରରେ ହିଁ ଆସୁଛି, ତାଙ୍କୁ ହିଁ ପବିତ୍ର କରାଉଛି । ବାବା କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି ।

ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ଗୀତାର ଜ୍ଞାନ ତୁମେମାନେ ବହୁତ ଶୁଣିଛ ଏବଂ ଶୁଣାଇଛ କିନ୍ତୁ ତାହାଦ୍ୱାରା ତୁମର ସଦ୍‌ଗତି ହେଲା ନାହିଁ । ଅନେକ ସନ୍ନ୍ୟାସୀ ମଧ୍ୟ ତୁମକୁ ମିଠା ମିଠା ଶବ୍ଦରେ ଶାସ୍ତ୍ର ଶୁଣାଇଛନ୍ତି, ଯେଉଁ ଭାଷଣକୁ ଶୁଣିବା ପାଇଁ ବଡ ବଡ ଲୋକମାନେ ମଧ୍ୟ ଏକତ୍ର ହୋଇଥାଆନ୍ତି । ଏ ସବୁ ହେଲା କର୍ଣ୍ଣରସ । ଭକ୍ତିମାର୍ଗ ହିଁ କର୍ଣ୍ଣରସ ଅଟେ । ଏଠାରେ ତ ବାବାଙ୍କୁ ମନେ ପକାଇବାକୁ ହେବ । ଭକ୍ତିମାର୍ଗ ଏବେ ଶେଷ ହେବାକୁ ଯାଉଛି । ବାବା କହୁଛନ୍ତି - ମୁଁ ତୁମମାନଙ୍କୁ ଜ୍ଞାନ ଦେବା ପାଇଁ ଆସୁଛି ଯେଉଁ ଜ୍ଞାନକୁ କେହି ବି ଜାଣି ନାହାଁନ୍ତି । ମୁଁ ହିଁ ଜ୍ଞାନର ସାଗର । ନଲେଜକୁ ହିଁ ଜ୍ଞାନ କୁହାଯାଉଛି । ବାବା ତୁମକୁ ସବୁ କିଛି ପଢାଉଛନ୍ତି । ୮୪ ଜନ୍ମର ଚକ୍ର ସମ୍ବନ୍ଧରେ ମଧ୍ୟ ବୁଝାଉଛନ୍ତି, ତୁମ ପାଖରେ ସମସ୍ତ ଜ୍ଞାନ ରହିଛି । ତୁମେ ସ୍ଥୂଳଲୋକଠାରୁ ସୂକ୍ଷ୍ମଲୋକ ଅତିକ୍ରମ କରି ପୁଣି ବ୍ରହ୍ମଲୋକକୁ ଯାଉଛ । ଏଠାରେ ପ୍ରଥମେ-ପ୍ରଥମେ ଲକ୍ଷ୍ମୀ-ନାରାୟଣଙ୍କର ବଂଶାବଳୀ ଚାଲିବ । ସେଠାରେ ବିକାରୀ ସନ୍ତାନ ରହିବେ ନାହିଁ, ରାବଣ ରାଜ୍ୟ ହିଁ ରହିବ ନାହିଁ । ତେବେ ସେଠାରେ ଯୋଗବଳ ଦ୍ୱାରା ହିଁ ସବୁ କିଛି ହୋଇଥାଏ, ତୁମକୁ ଏ ସବୁର ସାକ୍ଷାତକାର ହେବ - ଏବେ ଛୋଟ ପିଲା ହୋଇ ଗର୍ଭ ମହଲକୁ ଯିବାକୁ ହେବ । ତେଣୁ ଖୁସିରେ ଯାଇଥା’ନ୍ତି । ଏଠାରେ କେତେ କାନ୍ଦୁଛନ୍ତି, ଚିତ୍କାର କରୁଛନ୍ତି, କାହିଁକି ନା ଏଠାରେ ତ ଗର୍ଭ ଜେଲକୁ ଯାଉଛନ୍ତି ନା । କିନ୍ତୁ ସେଠାରେ କାନ୍ଦିବାର କୌଣସି କଥା ନାହିଁ । ଶରୀର ତ ନିଶ୍ଚିତ ଭାବରେ ବଦଳିବ । ଯେପରି ସର୍ପର ଉଦାହରଣ ରହିଛି, ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ । ଅଧିକ ପଚାରିବାର ଆବଶ୍ୟକତା ନାହିଁ । ସମ୍ପୂର୍ଣ୍ଣ ପବିତ୍ର ହେବାର ପୁରୁଷାର୍ଥରେ ଲାଗିଯିବା ଉଚିତ୍ । ବାବାଙ୍କୁ ମନେ ପକାଇବା ପାଇଁ କଣ କଷ୍ଟ ଲାଗୁଛି କି ! ତୁମେ ବାବାଙ୍କ ସମ୍ମୁଖରେ ବସିଛ ନା । ମୁଁ ତୁମର ପିତା ତୁମକୁ ସୁଖର ବର୍ସା ଦେଉଛି । ତେବେ ତୁମେମାନେ କ’ଣ ଏହି ଗୋଟିଏ ଜନ୍ମ ମୋର ସ୍ମୃତିରେ ରହିପାରିବ ନାହିଁ ! ଏଠାରେ ସବୁ କିଛି ଭଲ ଭାବରେ ବୁଝୁଛନ୍ତି କିନ୍ତୁ ଘରକୁ ଯାଇ ସ୍ତ୍ରୀ ଆଦିର ଚେହେରା ଦେଖିଲେ ମାୟା ଗ୍ରାସ କରିଯାଉଛି । ବାବା କହୁଛନ୍ତି - କାହା ପ୍ରତି ମମତା ରଖ ନାହିଁ । ଏବେ ତ ସବୁ କିଛି ସମାପ୍ତ ହେବାକୁ ଯାଉଛି । ତେଣୁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଚାଲିବା-ବୁଲିବା ଭିତରେ ମଧ୍ୟ ବାବା ଏବଂ ରାଜଧାନୀକୁ ମନେ ପକାଇବାକୁ ହେବ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ପଡିବ । ସତ୍ୟଯୁଗରେ ଏହିଭଳି ଖରାପ ଖାଦ୍ୟ ମାଂସ ଆଦି ରହିବ ନାହିଁ । ସେଥିପାଇଁ ବାବା କହୁଛନ୍ତି, ବିକାର ଗୁଡିକୁ ମଧ୍ୟ ଛାଡି ଦିଅ । ମୁଁ ତୁମକୁ ବିଶ୍ୱର ରାଜତ୍ୱ ଦେଉଛି, ତେବେ ତୁମର କେତେ ଆମଦାନୀ ହେଉଛି । ତେବେ ତୁମେମାନେ କାହିଁକି ପବିତ୍ର ନ ରହିବ । କେବଳ ଗୋଟିଏ ଜନ୍ମ ପବିତ୍ର ରହିବା ଦ୍ୱାରା କେତେ ବଡ ଆମଦାନୀ ହେଉଛି । ଯଦିଓ ଏକାଠି ରହୁଛ କିନ୍ତୁ ଜ୍ଞାନ ତରବାରୀକୁ ମଝିରେ ରଖ । ଯଦି ପବିତ୍ର ରହି ଦେଖାଇବ ତେବେ ସବୁଠାରୁ ଉଚ୍ଚ ପଦ ପାଇବ, କାହିଁକି ନା ବାଳବ୍ରହ୍ମଚାରୀ ହୋଇଛ ନା । ତା’ସହିତ ଜ୍ଞାନ ମଧ୍ୟ ଥିବା ଦରକାର । ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ କରିବାକୁ ହେବ । ସନ୍ନ୍ୟାସୀମାନଙ୍କୁ ଦେଖାଇବାକୁ ହେବ ଯେ କିପରି ଆମେ ଏକାଠି ରହି ମଧ୍ୟ ପବିତ୍ର ରହୁଛୁ ତେବେ ସେମାନେ ବୁଝିଯିବେ ଯେ, ଏହାଙ୍କ ପାଖରେ ବହୁତ ବଡ ଶକ୍ତି ରହିଛି । ବାବା କହୁଛନ୍ତି - ତୁମେମାନେ ଏହି ଗୋଟିଏ ଜନ୍ମ ପବିତ୍ର ରହିବା ଦ୍ୱାରା ୨୧ ଜନ୍ମ ବିଶ୍ୱର ମାଲିକ ହେବ । ତୁମକୁ କେତେ ବଡ ପୁରସ୍କାର ମିଳୁଛି ତେଣୁ ତୁମେ କାହିଁକି ପବିତ୍ର ରହି ନ ଦେଖାଇବ । ଏବେ ସମୟ ମଧ୍ୟ ବହୁତ କମ ଅଛି । ଚାରିଆଡେ ଜ୍ଞାନର ମଧ୍ୟ ପ୍ରଚାର ହେବ । ଖବରକାଗଜରେ ମଧ୍ୟ ବାହାରିବ । ରିୟଲସ୍‌ଲ ଦେଖିଛ ନା । ଗୋଟିଏ ପରମାଣୁ ବୋମା ଦ୍ୱାରା କ’ଣ ଅବସ୍ଥା ହେଲା । ଏବେ ମଧ୍ୟ ଡାକ୍ତରଖାନାରେ ପଡିଛନ୍ତି । ଏବେ ତ ଏଭଳି ବମ୍ ଆଦି ତିଆରି କରୁଛନ୍ତି ଯାହା ଦ୍ୱାରା କୌଣସି କଷ୍ଟ ହେବ ନାହିଁ, ତୁରନ୍ତ ସମାପ୍ତ ହୋଇଯିବେ । ପୁଣି ଏହାର ରିୟଲସଲ ହୋଇ ଫାଇନାଲ୍ ହେବ । ଦେଖିବେ ତୁରନ୍ତ ମରୁଛନ୍ତି ନା ନାହିଁ ? ପୁଣି ଅନ୍ୟ ସବୁ ଯୁକ୍ତି ରଚନା କରିବେ । ଡାକ୍ତରଖାନା ଆଦି କିଛି ରହିବ ନାହିଁ । କିଏ ସେବା କରିବ । କେହି ବ୍ରାହ୍ମଣ ଭୋଜନ ଇତ୍ୟାଦି ଖୁଆଇବାକୁ ନ ଥିବେ । ବୋମା ପଡିବ, ସବୁ ଖଲାସ । ଭୂମିକମ୍ପରେ ସମସ୍ତେ ମାଟିରେ ତଳେ ଦବିଯିବେ । ଏସବୁ ପାଇଁ ସମୟ ଲାଗିବ ନାହିଁ । ଏଠାରେ ଢେର ମନୁଷ୍ୟ ଅଛନ୍ତି । ସତ୍ୟଯୁଗରେ ବହୁତ କମ୍ ରହିବେ । ତେବେ ଏତେ ସବୁ କିପରି ବିନାଶ ହେବେ । ଆଗକୁ ଗଲେ ଦେଖିବ, ସେଠାରେ ଆରମ୍ଭରେ ମାତ୍ର ୯ ଲକ୍ଷ ରହିବେ ।

ଫକୀର ମଧ୍ୟ ତୁମେମାନେ, ସାହେବ ମଧ୍ୟ ତୁମର ବହୁତ ପ୍ରିୟ । ଏବେ ସବୁ କିଛି ଛାଡି ନିଜକୁ ଆତ୍ମା ମନେ କରୁଛ, ଏହିଭଳି ଫକିରମାନେ ବାବାଙ୍କୁ ବହୁତ ପ୍ରିୟ ଲାଗିଥା’ନ୍ତି । ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିବେ । ବାବା ତ ବହୁତ କଥା ଶୁଣାଉଛନ୍ତି । ଯେତେ ବି ଅଭିନେତା ଅଛନ୍ତି, ସବୁ ଆତ୍ମାମାନେ ହେଲେ ଅବିନାଶୀ ଏବଂ ସମସ୍ତେ ନିଜ-ନିଜର ଅଭିନୟ କରିବାକୁ ଏଠାକୁ ଆସୁଛନ୍ତି । କଳ୍ପ-କଳ୍ପ ତୁମେମାନେ ହିଁ ଆସି ବାବାଙ୍କର ଛାତ୍ର ହୋଇ ପାଠ ପଢୁଛ । ତୁମେମାନେ ଜାଣିଛ, ବାବା ଆମକୁ ପବିତ୍ର କରି ସାଥିରେ ନେଇଯିବେ । ବାବା ମଧ୍ୟ ଡ୍ରାମାରେ ବନ୍ଧା ହୋଇଛନ୍ତି । ସମସ୍ତଙ୍କୁ ନିଶ୍ଚିତ ଘରକୁ ନେଇଯିବେ, ସେଥିପାଇଁ ତୁମର ନାମ ହେଲା ପାଣ୍ଡବ ସେନା । ତୁମେ ପାଣ୍ଡବମାନେ କ’ଣ କରୁଛ ? ତୁମେ ବାବାଙ୍କଠାରୁ ରାଜ୍ୟ ଭାଗ୍ୟ ନେଉଛ, ଅବିକଳ କଳ୍ପ ପୂର୍ବ ଭଳି, ପୁରୁଷାର୍ଥର କ୍ରମାନୁସାରେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ପ୍ରିୟ ପାତ୍ର ହେବା ପାଇଁ ସମ୍ପୂର୍ଣ୍ଣ ଭିକାରୀ ହେବାକୁ ପଡିବ । ଦେହକୁ ମଧ୍ୟ ଭୁଲି ନିଜକୁ ଆତ୍ମା ମନେ କରିବା ହିଁ ଭିକାରୀ ହେବା । ବାବାଙ୍କଠାରୁ ସର୍ବଶ୍ରେଷ୍ଠ ପୁରସ୍କାର ନେବା ପାଇଁ ସମ୍ପୂର୍ଣ୍ଣ ପବିତ୍ର ହୋଇ ଦେଖାଇବାକୁ ହେବ ।

(୨) ଏବେ ଘରକୁ ଫେରିବାକୁ ହେବ ସେଥିପାଇଁ ଏହି ପୁରୁଣା ଦୁନିଆରେ ମନ ଲଗାଇବାର ନାହିଁ । ଏକମାତ୍ର ପ୍ରେମିକଙ୍କ ସହିତ ମନ ଲଗାଇବାର ଅଛି । ବାବା ଏବଂ ରାଜଧାନୀକୁ ମନେ ପକାଇବାର ଅଛି ।

ବରଦାନ:-
ବ୍ରାହ୍ମଣ ଜୀବନରେ ସର୍ବଦା ଚିୟରଫୁଲ୍ ଅର୍ଥାତ୍ ପ୍ରସନ୍ନ ଏବଂ କେୟାରଫୁଲ୍ ଅର୍ଥାତ୍ ସତର୍କ ସ୍ଥିତିରେ ରହୁଥିବା ଯୁଗଳ ରୂପଧାରୀ ହୁଅ ।

ଯଦି କୌଣସି ବି ପରିସ୍ଥିତିରେ ତୁମର ମୁଡ୍ ଅର୍ଥାତ୍ ମନୋସ୍ଥିତି ପରିବର୍ତ୍ତନ ହୋଇଯାଉଛି ତେବେ ତାକୁ ସଦାକାଳର ପ୍ରସନ୍ନତା କୁହାଯିବ ନାହିଁ । କାରଣ ବ୍ରାହ୍ମଣ ଜୀବନରେ ସର୍ବଦା ଚିୟରଫୁଲ ଏବଂ କେୟାରଫୁଲ୍ ମୁଡ୍ ରହିବା ଦରକାର । ତୁମର ମୁଡ୍ କେବେ ବି ବଦଳିବା ଉଚିତ୍ ନୁହେଁ । ଯେତେବେଳେ କାହାର ମୁଡ୍ ବଦଳିଯାଏ, କୁହନ୍ତି ମୋତେ ଟିକିଏ ଏକାନ୍ତ ଦରକାର । ଆଜି ମୋ’ର ମୁଡ୍ ଏହିଭଳି ଅଛି । ତେବେ କାହାର ମୁଡ୍ ସେତେବେଳେ ବଦଳିଥାଏ ଯେତେବେଳେ ସେ ଏକୁଟିଆ ହୋଇଯାଏ, ଯଦି ସର୍ବଦା ବାବାଙ୍କ ସହିତ ଯୁଗଳ ରୂପଧାରୀ ହୋଇ ରହିବ ତେବେ ମୁଡ୍ ବଦଳିବ ନାହିଁ ।

ସ୍ଲୋଗାନ:-
କୌଣସି ବି ଉତ୍ସବ ପାଳନ କରିବା ଅର୍ଥ ଯୋଗଯୁକ୍ତ ସ୍ଥିତି ସହିତ ସେବାର ଉମଙ୍ଗ-ଉତ୍ସାହରେ ରହିବା ।