01.09.24    Avyakt Bapdada     Odia Murli    25.11.2001     Om Shanti     Madhuban


“ଆଶୀର୍ବାଦ ଦିଅ ଆଶୀର୍ବାଦ ନିଅ, କାରଣର ନିବାରଣ କରି ସମସ୍ୟାଗୁଡିକର ସମାଧାନ କର”


ଆଜି ସ୍ନେହର ସାଗର ବାପଦାଦା ନିଜର ସ୍ନେହ ସ୍ୱରୂପ ପିଲାମାନଙ୍କର ସ୍ନେହର ଡୋରୀରେ ଟାଣି ହୋଇ ଆସିଛନ୍ତି । ପିଲାମାନଙ୍କ ସହିତ ମିଳନ କରିବା ପାଇଁ ଏବଂ ପିଲାମାନେ ଡାକିବା କ୍ଷଣି ହଜୁର ଆସି ହାଜର ହୋଇଯାଇଛନ୍ତି । ତେବେ ଅବ୍ୟକ୍ତ ମିଳନ ତ ପିଲାମାନେ ସବୁ ସମୟରେ କରୁଛନ୍ତି, କିନ୍ତୁ ପୁଣି ବି ଯଦି ସାକାରରେ ମିଳନ କରିବା ପାଇଁ ଡାକୁଛନ୍ତି ତେବେ ପିଲାମାନଙ୍କର ଏହି ବିଶାଳ ମେଳାରେ ବାପଦାଦା ପହଞ୍ଚି ଯାଇଛନ୍ତି । ବାପଦାଦାଙ୍କୁ ପିଲାମାନଙ୍କର ସ୍ନେହ-ପ୍ୟାରକୁ ଦେଖି ବହୁତ ଖୁସି ଲାଗୁଛି ଏବଂ ମନେ ମନେ ଚାରିଆଡର ପିଲାମାନଙ୍କ ପାଇଁ ଏହି ଗୀତ ଗାଉଛନ୍ତି - “ବାଃ ଶ୍ରେଷ୍ଠ ଭାଗ୍ୟବାନ ପିଲାମାନେ ବାଃ! ଭଗବାନଙ୍କର ସ୍ନେହର ପାତ୍ର ଆତ୍ମାମାନେ ବାଃ” ଏତେ ବଡ ଭାଗ୍ୟ ଏବଂ ଏତେ ସାଧାରଣ ରୂପରେ ସହଜରେ ପ୍ରାପ୍ତ ହୋଇଯିବ, ଏକଥା ସ୍ୱପ୍ନରେ ମଧ୍ୟ ଭାବି ନ ଥିଲ । କିନ୍ତୁ ଆଜି ସାକାର ରୂପରେ ନିଜର ଭାଗ୍ୟକୁ ଦେଖୁଛ । ବାପଦାଦା ଦେଖୁଛନ୍ତି ଯେ ଦୂରରେ ବସିଥିଲେ ମଧ୍ୟ ପିଲାମାନେ ବାପଦାଦାଙ୍କ ସହିତ ମିଳନ ମେଳା ପାଳନ କରୁଛନ୍ତି । ବାପଦାଦା ମଧ୍ୟ ସେମାନଙ୍କୁ ଦେଖି ମିଳନ-ମେଳା ପାଳନ କରୁଛନ୍ତି । ଅଧିକାଂଶ ମାତାମାନଙ୍କୁ ହିଁ ସୁବର୍ଣ୍ଣ ସୁଯୋଗ ମିଳିଛି ଏବଂ ବାପଦାଦାଙ୍କୁ ମଧ୍ୟ ବିଶେଷ କରି ଶକ୍ତି ସେନାକୁ ଦେଖି ଖୁସି ଲାଗୁଛି ଯେ ଚାରିକାନ୍ଥ ଭିତରେ ରହିବାବାଲା ମାତାମାନେ ବାବାଙ୍କ ଦ୍ୱାରା ବିଶ୍ୱ କଲ୍ୟାଣକାରୀ ହୋଇ ବିଶ୍ୱର ରାଜ୍ୟ ଅଧିକାରୀ ହୋଇଯାଇଛନ୍ତି । ତେବେ ରାଜ୍ୟ ଅଧିକାରୀ ହୋଇସାରିଛ ନା ଏବେ ହେଉଛ, କ’ଣ କହୁଛ? ହୋଇଯାଇଛ ନା! ବିଶ୍ୱରେ ରାଜ୍ୟ କରିବାର ଲହୁଣିର ଗୁଳା ତୁମ ସମସ୍ତଙ୍କ ହାତରେ ଅଛି ନା? ବାପଦାଦା ଦେଖୁଛନ୍ତି ଯେଉଁ ସବୁ ମାତାମାନେ ମଧୁବନରେ ପହଞ୍ଚିଯାଇଛନ୍ତି ସେମାନଙ୍କ ଭିତରେ ଗୋଟିଏ କଥାର ବହୁତ ଖୁସି ରହିଛି, ତାହା କେଉଁ ଖୁସି? ତାହା ହେଲା ବାପଦାଦା ଆମ ମାତାମାନଙ୍କୁ ବିଶେଷ ଭାବରେ ଡାକିଛନ୍ତି । ତେଣୁ ମାତାମାନଙ୍କ ସହିତ ବିଶେଷ ସ୍ନେହ ଅଛି ନା! ନିଶାର ସହିତ କହୁଛନ୍ତି - ଆମକୁ ବାପଦାଦା ଡାକିଛନ୍ତି । ଯଦି ଆମକୁ ଡାକିଛନ୍ତି ତେବେ ଆମେ କାହିଁକି ନ ଆସିବୁ! ବାପଦାଦା ମଧ୍ୟ ସମସ୍ତଙ୍କର କଥାବାର୍ତ୍ତାକୁ ଶୁଣୁଛନ୍ତି, ଏହିଭଳି ଖୁସିର ନିଶାକୁ ମଧ୍ୟ ଦେଖୁଛନ୍ତି । ଏମିତି ତ ପାଣ୍ଡବମାନେ ମଧ୍ୟ କମ୍ ନୁହଁନ୍ତି, ପାଣ୍ଡବମାନଙ୍କ ବିନା ମଧ୍ୟ ବିଶ୍ୱ କଲ୍ୟାଣର କାର୍ଯ୍ୟର ସମାପ୍ତି ହୋଇପାରିବ ନାହିଁ । କିନ୍ତୁ ଆଜି ବିଶେଷ କରି ପାଣ୍ଡବମାନେ ମାତାମାନଙ୍କୁ ଆଗରେ ରଖିଛନ୍ତି ।

ଏବେ ବାପଦାଦା ସବୁ ପିଲାଙ୍କୁ ପୁରୁଷାର୍ଥ କରିବାର ଏକ ବହୁତ ସହଜ ବିଧି ଶୁଣାଉଛନ୍ତି । ମାତାମାନଙ୍କୁ ସହଜ ଦରକାର ନା! ତେଣୁ ବାପଦାଦା ସବୁ ମାତାମାନଙ୍କୁ ଏବଂ ପିଲାମାନଙ୍କୁ କହୁଛନ୍ତି, ପୁରୁଷାର୍ଥର ସବୁଠାରୁ ସହଜ ସାଧନ ହେଲା - ଚାଲିବା-ବୁଲିବା ସମୟରେ, ସମ୍ବନ୍ଧ-ସମ୍ପର୍କରେ ଆସିବାରେ, ପ୍ରତ୍ୟେକ ଆତ୍ମାକୁ କେବଳ ହୃଦୟର ସହିତ ଶୁଭଭାବନାର ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ । ଚାହେଁ ତୁମକୁ କେହି କିଛି ବି ଦେଉ, ଅଭିଶାପ ମଧ୍ୟ ଦେଉ କିନ୍ତୁ ତୁମେ ସେହି ଅଭିଶାପକୁ ମଧ୍ୟ ନିଜର ଶୁଭଭାବନାର ଶକ୍ତି ଦ୍ୱାରା ଆଶୀର୍ବାଦରେ ପରିବର୍ତ୍ତନ କରିଦିଅ । ତୁମ ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ଆଶୀର୍ବାଦର ଅନୁଭୂତି ହେଉ । ସେହି ସମୟରେ ତୁମେ ଅନୁଭବ କର ଯେ ଯିଏ ମୋତେ ଅଭିଶାପ ଦେଉଛି ସେହି ଆତ୍ମା ବର୍ତ୍ତମାନ କୌଣସି ନା କୌଣସି ବିକାରର ବଶୀଭୂତ ଅଟେ । ତେବେ ବଶୀଭୂତ ଆତ୍ମା ପ୍ରତି ବା ପରବଶ ଆତ୍ମା ପ୍ରତି କେବେ ବି ଅଭିଶାପ ବାହାରିବ ନାହିଁ ବରଂ ସହଯୋଗ ଦେବାର ଆଶୀର୍ବାଦ ବାହାରିବ । କେବଳ ଏହି ଗୋଟିଏ କଥା ମନେ ରଖ ଯେ ମୋତେ ନିରନ୍ତର ଗୋଟିଏ ହିଁ କାର୍ଯ୍ୟ କରିବାର ଅଛି - ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା, କର୍ମ ଦ୍ୱାରା ଏବଂ ସମ୍ବନ୍ଧ-ସମ୍ପର୍କ ଦ୍ୱାରା ଆଶୀର୍ବାଦ ଦେବାକୁ ହେବ ଏବଂ ଆଶୀର୍ବାଦ ନେବାକୁ ହେବ । ଯଦି କୌଣସି ଆତ୍ମା ପ୍ରତି କୌଣସି ପ୍ରକାରର ବ୍ୟର୍ଥ ସଂକଳ୍ପ ବା ନକାରାତ୍ମକ ସଂକଳ୍ପ ଆସିଲା ତେବେ ଏହି କଥା ମନେ ପକାଅ ଯେ ମୋ’ର କର୍ତ୍ତବ୍ୟ କ’ଣ? ଯେପରି କେଉଁଠି ଯଦି ନିଆଁ ଲାଗିଯାଉଛି ଏବଂ ସେଠାରେ ନିଆଁ ଲିଭାଳି ମଧ୍ୟ ଅଛନ୍ତି ତେବେ ସେମାନେ ନିଆଁକୁ ଦେଖି ସେଥିରେ ପାଣି ଢାଳିବାର.... ନିଜର କର୍ତ୍ତବ୍ୟକୁ ଭୁଲିଯାଉ ନାହାଁନ୍ତି, ସେମାନଙ୍କ ଭିତରେ ସ୍ମୃତି ରହୁଛି ଯେ ଆମେ ନିଆଁ ଲିଭାଳି ଅଟୁ, ଆମର କର୍ତ୍ତବ୍ୟ ହେଲା ନିଆଁରେ ପାଣି ଢାଳିବା, ଠିକ୍ ସେହିପରି ଯଦି କେହି କୌଣସି ବିକାରର ଅଗ୍ନିର ବଶୀଭୂତ ହୋଇ ସେଭଳି କୌଣସି କାର୍ଯ୍ୟ କରୁଛି ଯାହାକି ତୁମକୁ ଭଲ ଲାଗୁ ନାହିଁ ତେବେ ତୁମେ ନିଜର କର୍ତ୍ତବ୍ୟକୁ ମନେ ରଖିଥାଅ ଯେ ମୋ’ର କର୍ତ୍ତବ୍ୟ ହେଉଛି ଯେକୌଣସି ପ୍ରକାରର ଅଗ୍ନିକୁ ଲିଭାଇବା ଏବଂ ତା’କୁ ଆଶୀର୍ବାଦ ଦେବା । ଶୁଭକାମନାଯୁକ୍ତ ଭାବନାର ସହଯୋଗ ଦେବା । ବାସ୍ - କେବଳ ଗେଟିଏ ଶବ୍ଦ ହିଁ ମନେ ରଖ, ମାତାମାନଙ୍କୁ କେବଳ ଗୋଟିଏ ସହଜିଆ ଶବ୍ଦ ହିଁ ମନେ ରଖିବାକୁ ହେବ - “ଆଶୀର୍ବାଦ ଦେବା, ଆଶୀର୍ବାଦ ନେବା” । କ’ଣ ମାତାମାନେ ଏତିକି କାମ କରିପାରିବ ତ? (ସମସ୍ତେ ହାତ ଉଠାଉଛନ୍ତି) କରିପାରିବ ନା, କରିବାକୁ ହିଁ ହେବ? ପାଣ୍ଡବମାନେ କରିପାରିବ? ପାଣ୍ଡବମାନେ କହୁଛନ୍ତି - କରିବାକୁ ହିଁ ହେବ । ଗାୟନ ମଧ୍ୟ ରହିଛି - ପାଣ୍ଡବ ଅର୍ଥାତ୍ ସଦା ବିଜୟୀ ଏବଂ ଶକ୍ତିମାନେ ସର୍ବଦା ବିଶ୍ୱ କଲ୍ୟାଣୀ ନାମରେ ପ୍ରସିଦ୍ଧ ଅଟନ୍ତି ।

ବାପଦାଦାଙ୍କୁ ଚାରିଆଡର ପିଲାମାନଙ୍କ ଠାରୁ ଏବେ ପର୍ଯ୍ୟନ୍ତ ଗୋଟିଏ ଆଶା ବାକି ରହିଛି, ଶୁଣାଇବୁ ତାହା କେଉଁ ଆଶା? ଜାଣିଗଲଣି ନା! ଟୀଚରମାନେ ଜାଣିଗଲଣି ନା! ସବୁ ପିଲାମାନେ ଯଥାଶକ୍ତି ପୁରୁଷାର୍ଥ ତ କରୁଛ, ବାପଦାଦା ମଧ୍ୟ ପୁରୁଷାର୍ଥକୁ ତ ଦେଖି ହର୍ଷିତ ହେଉଛନ୍ତି । କିନ୍ତୁ ଆଉ ଗୋଟିଏ ଆଶା ବାକି ରହିଛି ଯେ ପୁରୁଷାର୍ଥରେ ଏବେ ଆହୁରି ତୀବ୍ରଗତି ଦରକାର । ପୁରୁଷାର୍ଥ ତ କରୁଛ କିନ୍ତୁ ଆଉ ଟିକିଏ ତୀବ୍ରଗତି ଏବେ ନିହାତି ଦରକାର । ଏହାର ବିଧି ହେଲା - “କାରଣ” ଶବ୍ଦକୁ ସମାପ୍ତ କରି ନିବାରଣ ସ୍ୱରୂପ ହୋଇଯାଅ । କାରଣ ତ ସମୟ ଅନୁସାରେ ଆସୁଛି ଏବଂ ଆସିବ ମଧ୍ୟ କିନ୍ତୁ ତୁମେମାନେ ସର୍ବଦା ନିବାରଣ ସ୍ୱରୂପ ହୁଅ, କାହିଁକି ନା ତୁମମାନଙ୍କୁ ବିଶ୍ୱର ସର୍ବ ସମସ୍ୟାର ନିବାରଣ କରି ସବୁ ଆତ୍ମାଙ୍କୁ ଅଥବା ଅଧିକାଂଶ ଆତ୍ମାଙ୍କୁ ନିର୍ବାଣ ଧାମକୁ ପଠାଇବାକୁ ହେବ । ତେଣୁ ଯେତେବେଳେ ତୁମେ ନିଜକୁ ନିବାରଣ ସ୍ୱରୂପ କରିବ ସେତେବେଳେ ହିଁ ବିଶ୍ୱର ଆତ୍ମାମାନଙ୍କର ସର୍ବ ସମସ୍ୟାର ନିବାରଣ କରି ସେମାନଙ୍କୁ ନିବାଣଧାମକୁ ପଠାଇପାରିବ । ଏବେ ସାରା ବିଶ୍ୱର ଆତ୍ମାମାନେ ମୁକ୍ତି ଚାହୁଁଛନ୍ତି ତେଣୁ ବାବାଙ୍କ ଦ୍ୱାରା ସେମାନଙ୍କୁ ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଇବାବାଲା ନିମିତ୍ତ ମଧ୍ୟ ତୁମେମାନେ ହିଁ ଅଟ । ତେଣୁ ନିମିତ୍ତ ଆତ୍ମାମାନଙ୍କୁ ପ୍ରଥମେ ନିଜର ଭିନ୍ନ ଭିନ୍ନ ସମସ୍ୟାଗୁଡିକର କାରଣକୁ ନିବାରଣ କରି ନିଜକୁ ମୁକ୍ତ କରିବାକୁ ହେବ, ତା’ପରେ ଯାଇ ସାରା ବିଶ୍ୱକୁ ମୁକ୍ତିର ସମ୍ପତ୍ତି ପ୍ରାପ୍ତ କରାଇପାରିବ । ତେଣୁ ତୁମେ ସମସ୍ତେ ମୁକ୍ତ ଅଟ ତ? କୌଣସି ପ୍ରକାରର ସମସ୍ୟା ରୂପୀ କାରଣ ଯେପରି ସମ୍ମୁଖକୁ ଆସୁ ନ ଥିବ,ଏହି କାରଣରୁ ଏପରି ହେଲା, ଏହି କାରଣରୁ ଏପରି ହେଲା..... ଯଦି କୌଣସି କାରଣ ସମ୍ମୁଖକୁ ଆସୁଛି ତେବେ ତୁରନ୍ତ ତା’ର ନିବାରଣ ଚିନ୍ତା କର, ଏହି କଥା ଭାବ ଯେ ଯଦି ମୁଁ ସାରା ବିଶ୍ୱର କାରଣରୁ ନିବାରଣ କରିବା ବାଲା ତେବେ କ’ଣ ମୋ’ ନିଜର ଏହି ଛୋଟ ଛୋଟ ସମସ୍ୟାଗୁଡିକର ନିବାରଣ କରିପାରିବି ନାହିଁ! ତେବେ ଯାଇ ତୁମ ସମ୍ମୁଖରେ ଆତ୍ମାମାନଙ୍କର ଧାଡି ଲାଗିବ, କହିବେ “ହେ ମୁକ୍ତିଦାତା ଆମକୁ ମୁକ୍ତି ଦିଅ” । କାହିଁକି ନା ତୁମେମାନେ ମୁକ୍ତିଦାତା ପିତାଙ୍କର ପ୍ରତ୍ୟକ୍ଷ ରୂପରେ ସନ୍ତାନ ଅଟ, ଅଧିକାରୀ ସନ୍ତାନ ଅଟ । ତେଣୁ ମାଷ୍ଟର ମୁକ୍ତିଦାତା ଅଟ ନା । ଏବେ ଆତ୍ମାମାନଙ୍କର ଲମ୍ବା ଧାଡି ଆଗରେ ତୁମମାନଙ୍କ ଆଡୁ ଗୋଟିଏ ପ୍ରତିବନ୍ଧକ ରୂପୀ ଫାଟକ ବନ୍ଦ ରହିଛି । ଧାଡି ତ ପ୍ରସ୍ତୁତ ହୋଇ ଛିଡା ହୋଇଛି କିନ୍ତୁ ତୁମ ଆଡୁ କେଉଁ ଫାଟକ ବନ୍ଦ ଅଛି? ପୁରୁଷାର୍ଥରେ ଗୋଟିଏ ଦୁର୍ବଳତାର ଶବ୍ଦ ରୂପୀ ଫାଟକ ବନ୍ଦ ଅଛି? ତାହା ହେଲା “କାହିଁକି” । ଏହି କାହିଁକିର ପ୍ରଶ୍ନବାଚକ ଚିହ୍ନ(?), ଏହି କାହିଁକି ଶବ୍ଦଟି ହିଁ ବିଶ୍ୱର ଆତ୍ମାମାନଙ୍କର ଲମ୍ବାଧାଡିକୁ ସମ୍ମୁଖକୁ ଆସିବାକୁ ଦେଉ ନାହିଁ । ତେଣୁ ବାପଦାଦା ଏବେ ଦେଶ ବିଦେଶର ସବୁ ପିଲାଙ୍କୁ ଏହି କଥା ସ୍ମରଣ କରାଇ ଦେଉଛନ୍ତି ଯେ ତୁମେମାନେ ପ୍ରଥମେ ନିଜର କାହିଁକି ରୂପୀ ସର୍ବ ସମସ୍ୟାର ଦରବାଜାକୁ ସମାପ୍ତ କର । କରିପାରିବ ତ? ଟୀଚରମାନେ କରିପାରିବ ତ? ପାଣ୍ଡବମାନେ କରିପାରିବ ତ? ସମସ୍ତେ ହାତ ଉଠାଉଛନ୍ତି ନା କେହି କେହି ଉଠାଉଛନ୍ତି? ବିଦେଶୀମାନେ ତ ସଦା ପ୍ରସ୍ତୁତ ଅଟନ୍ତି ନା । ହଁ ନା ନାହିଁ? ଯଦି ହଁ ତେବେ ସିଧା ହାତ ଉଠାଅ । କେହି କେହି ଅଳ୍ପ ଅଳ୍ପ ହାତ ଉଠାଉଛନ୍ତି । ଏବେ କୌଣସି ବି ସେବାକେନ୍ଦ୍ରରେ ଯେପରି କୌଣସି ସମସ୍ୟାର ଚିହ୍ନ ବର୍ଣ୍ଣ ନ ରହୁ । କ’ଣ ଏପରି ହୋଇପାରିବ? ସମସ୍ତେ ଭାବ ଯେ ମୋତେ ହିଁ କରିବାକୁ ହେବ । ଟୀଚରମାନେ, ବିଦ୍ୟାର୍ଥୀମାନେ, ଗୃହସ୍ଥୀମାନେ, ମଧୁବନ ନିବାସୀମାନେ, ସମସ୍ତେ ଭାବ ଯେ ମୋତେ ହିଁ କରିବାକୁ ହେବ । କରିପାରିବ ନା! ସମସ୍ୟା ଶବ୍ଦ ହିଁ ସମାପ୍ତ ହୋଇଯାଉ, କାରଣ ସମାପ୍ତ ହୋଇ ନିବାରଣ ହୋଇଯାଉ, ଏହା ହୋଇପାରିବ? ତେବେ କେଉଁ କଥା ନ ହୋଇପାରିବ, ପ୍ରଥମେ ପ୍ରଥମେ ସ୍ଥାପନା ସମୟରେ ଆସିଥିବା ପିଲାମାନେ କ’ଣ ପ୍ରତିଜ୍ଞା କରିଥିଲେ, ଯାହାକୁ ସେମାନେ କରି ଦେଖାଇଛନ୍ତି ମଧ୍ୟ! ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ନା? ତେବେ ବର୍ତ୍ତମାନ କେତେ ବର୍ଷ ବିତିଗଲାଣି? ସ୍ଥାପନା ହେବାର କେତେ ବର୍ଷ ବିତିଗଲାଣି? (୮୮ ବର୍ଷ) ତେବେ ଏତେ ବର୍ଷ ପରେ କ’ଣ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିବ ନାହିଁ? ହୋଇପାରିବ ନା? ମୁଖ୍ୟ ମୁଖ୍ୟ ଟୀଚରମାନେ ହାତ ଉାଠାଅ । ପଞ୍ଜାବବାଲା ହାତ ଉଠାଉ ନାହାଁନ୍ତି, କ’ଣ କିଛି ସନ୍ଦେହ ଅଛି କି! ଟିକିଏ ଭାବୁଛନ୍ତି । କିଛି ଭାବ ନାହିଁ । କରିବାକୁ ହିଁ ହେବ । ଅନ୍ୟମାନଙ୍କ କଥା ଚିନ୍ତା କର ନାହିଁ । ପ୍ରତ୍ୟେକ ନିଜ କଥା ଚିନ୍ତା କର । ନିଜ କଥା ତ ଚିନ୍ତା କରିପାରିବ ନା? (ସମସ୍ତେ ହାତ ଉଠାଇଲେ) ସମସ୍ତଙ୍କୁ ଅଭିନନ୍ଦନ । ଆଚ୍ଛା, ଯେଉଁମାନେ ଭାବୁଛନ୍ତି ହୋଇପାରିବ ସେମାନେ ଦିଲ୍‌ର ସହିତ ହାତ ଉଠାଅ, ଦେଖା ଦେଖିରେ ନୁହେଁ । ଏମିତି ନୁହେଁ ଯେ ସମସ୍ତେ ହାତ ଉଠାଉଛନ୍ତି ତେଣୁ ମୁଁ ବି ଉଠାଇ ଦେବି । ଯଦି ଦିଲ୍‌ର ସହିତ ଦୃଢ ସଂକଳ୍ପ କରିବ ଯେ କାରଣ ଗୁଡିକୁ ସମାପ୍ତ କରି ମୋତେ ନିବାରଣ ସ୍ୱରୂପ ହେବାକୁ ହିଁ ପଡିବ, ତେବେ ଯାହା ବି ହୋଇଯାଉ, ସହନ କରିବାକୁ ପଡୁ, ମାୟାର ସମ୍ମୁଖୀନ କରିବାକୁ ପଡୁ, ପରସ୍ପର ସହିତ ସମ୍ବନ୍ଧ-ସମ୍ପର୍କରେ ଆସିବାରେ ସହନ ମଧ୍ୟ କରିବାକୁ ପଡୁ କିନ୍ତୁ ମୋତେ ସମସ୍ୟା ସ୍ୱରୂପ ହେବାର ନାହିଁ । ଏହା ହୋଇପାରିବ? ଯଦି ଦୃଢ ନିଶ୍ଚୟ ଅଛି ତେବେ ପଛରୁ ଆଗ ପର୍ଯ୍ୟନ୍ତ ସମସ୍ତେ ହାତ ଉଠାଅ । (ବାପଦାଦା ସମସ୍ତଙ୍କୁ ହାତ ଉଠା କରାଇଲେ ଏବଂ ସାରା ଦୃଶ୍ୟକୁ ଟି.ଭି.ରେ ଦେଖିଲେ) ଭଲ ହେଲା ନା, ବ୍ୟାୟାମ ମଧ୍ୟ ହୋଇଗଲା । ତେବେ ହାତ ଏଥିପାଇଁ ଉଠାଇଥାଆନ୍ତି, ଯେପରି ଏବେ ପରସ୍ପରକୁ ଦେଖି ହାତ ଉଠାଇବା ପାଇଁ ଉମଙ୍ଗ-ଉତ୍ସାହ ଆସୁଛି ନା! ସେହିପରି ଯେତେବେଳେ ବି କୌଣସି ସମସ୍ୟା ଆସୁଛି ତେବେ ସମ୍ମୁଖରେ ବାପଦାଦାଙ୍କୁ ଦେଖ ଏବଂ ଦିଲ୍‌ର ସହିତ କୁହ ବାବା, ତେବେ ବାବା ତୁରନ୍ତ ଉପସ୍ଥିତ ହୋଇଯିବେ ଏବଂ ସମସ୍ୟା ସମାପ୍ତ ହୋଇଯିବ । ସମସ୍ୟା ତୁମ ସମ୍ମୁଖରୁ ହଟିଯିବ ଏବଂ ବାପଦାଦା ସମ୍ମୁଖରେ ଉପସ୍ଥିତ ହୋଇଯିବେ । ତୁମେ ତ “ମାଷ୍ଟର ସର୍ବଶକ୍ତିମାନ” ଅଟ । ନିଜର ଏହି ଉପାଧି ଅଥବା ସ୍ୱମାନକୁ ସବୁ ସମୟରେ ମନେ ପକାଅ । ନଚେତ୍ ବାପଦାଦା ଏବେ ୟାଦପ୍ୟାର ଦେବା ବେଳେ ମାଷ୍ଟର ସର୍ବ ଶକ୍ତିବାନ ନ କହି କେଳବ ସର୍ବଶକ୍ତିବାନ କହିବେ କି? ଶକ୍ତିମାନ ପିଲାମାନଙ୍କୁ ୟାଦପ୍ୟାର କହିଲେ ତୁମକୁ ଭଲ ଲାଗିବ? ଯେବେକି ତୁମେମାନେ ମାଷ୍ଟର ସର୍ବଶକ୍ତିବାନ ଅଟ, ତେବେ ମାଷ୍ଟର ସର୍ବଶକ୍ତିବାନ କ’ଣ ନ କରିପାରିବ? କେବଳ ନିଜର ସ୍ୱମାନକୁ ଏବଂ କର୍ତ୍ତବ୍ୟକୁ ମନେ ରଖ । ସ୍ୱମାନ ହେଲା “ମାଷ୍ଟର ସର୍ବଶକ୍ତିବାନ” ଏବଂ କର୍ତ୍ତବ୍ୟ ହେଲା “ବିଶ୍ୱକଲ୍ୟାଣକାରୀ” । ତେବେ ସର୍ବଦା ନିଜର ସ୍ୱମାନକୁ ଏବଂ କର୍ତ୍ତବ୍ୟକୁ ମନେ ରଖିବା ଦ୍ୱାରା ଶକ୍ତିଗୁଡିକ ଆପେ ଆପେ ପ୍ରକଟ ହୋଇଯିବ । ତେଣୁ ମାଷ୍ଟର ହୁଅ ଅର୍ଥାତ୍ ମାଲିକ ହୁଅ । ନିଜର ଶକ୍ତିଗୁଡିକର ମଧ୍ୟ ମାଲିକ ହୁଅ, ସର୍ବ ଶକ୍ତିକୁ ଆଦେଶ ଦିଅ, ଯଥା ସମୟରେ ଆଦେଶ ଦେଇ କାର୍ଯ୍ୟରେ ଲଗାଅ । ଏମିତି ତ ଶକ୍ତିଗୁଡିକୁ ଧାରଣ ମଧ୍ୟ କରୁଛ ଏବଂ ଅଛି ମଧ୍ୟ କିନ୍ତୁ କମୀ ଏତିକି ରହୁଛି ଯାହାକି ଯଥା ସମୟରେ ସେଗୁଡିକୁ ବ୍ୟବହାର କରିବା ଜଣା ନାହିଁ । ସମୟ ବିତିଗଲା ପରେ ମନେ ପଡୁଛି, ଏଭଳି କରିଥିଲେ ବହୁତ ଭଲ ହୋଇଥାଆନ୍ତା । ତେଣୁ ଏବେ ଅଭ୍ୟାସ କର, ଯେଉଁ ସବୁ ଶକ୍ତିଗୁଡିକ ନିଜ ଭିତରେ ସମାହିତ ହୋଇ ରହିଛି ସେଗୁଡିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଅ । ଯେପରି ଏହି କର୍ମେନ୍ଦ୍ରିୟ ଗୁଡିକୁ ନିଜର ଆଦେଶ ମୁତାବକ ବା ଇଚ୍ଛା ଅନୁସାରେ ଚଲାଉଛ ନା, ହାତକୁ, ପାଦକୁ ଚଲାଉଛ ନା! ସେହିପରି ପ୍ରତ୍ୟେକ ଶକ୍ତିକୁ ନିର୍ଦ୍ଦେଶ ଅନୁସାରେ ଚଲାଅ । କାର୍ଯ୍ୟରେ ଲଗାଅ । ନିଜ ଭିତରେ ସାଇତି ରଖିଛ କିନ୍ତୁ କାର୍ଯ୍ୟରେ ବହୁତ କମ ଲଗାଉଛ, ସେଗୁଡିକୁ ସମୟ ଅନୁସାରେ କାର୍ଯ୍ୟରେ ଲଗାଇବା ଦ୍ୱାରା ସେମାନେ ଆପେ ଆପେ କାର୍ଯ୍ୟ କରିବା ଆରମ୍ଭ କରିଦେବେ । ଏହା ସହିତ ସର୍ବଦା ଖୁସିରେ ମଧ୍ୟ ରୁହ । କେବେ କେବେ କେହି କେହି ପିଲାଙ୍କର ଚେହେରା ବହୁତ ଚିନ୍ତାଗ୍ରସ୍ତ ଅବସ୍ତାରେ ରହୁଛି ବା ଟିକିଏ ଗମ୍ଭୀର ଥିବାର ଦେଖାଯାଉଛି । ତେଣୁ ସର୍ବଦା ଖୁସିରେ ରୁହ, ନାଚ, ଗାଅ, ତୁମକୁ ଏହି ବ୍ରାହ୍ମଣ ଜୀବନ ସର୍ବଦା ଖୁସି ମନରେ ନାଚିବା ପାଇଁ ଏବଂ ନିଜର ଭାଗ୍ୟର ତଥା ଭଗବାନଙ୍କର ଗୀତ ଗାଇବା ପାଇଁ ହିଁ ମିଳିଛି । ତେଣୁ ନାଚିବା ଗାଇବାବାଲା ଯଦି ଏଭଳି ଗମ୍ଭୀର ଅବସ୍ଥାରେ ନାଚିବେ ତେବେ ଲୋକେ କହିବେ ୟାଙ୍କୁ ନାଚ ଜଣା ନାହିଁ । ଏମିତି ତ ଗମ୍ଭୀର ରହିବା ବହୁତ ଭଲ ଗୁଣ କିନ୍ତୁ ଅତ୍ୟଧିକ ଗମ୍ଭୀରତା ଟିକିଏ ଚିନ୍ତାରେ ରହିବା ଭଳି ଜଣାଯାଏ ।

ବାପଦାଦା ଏବେ ଶୁଣିବାକୁ ପାଇଲେ ଯେ ଦିଲ୍ଲୀରେ ଉଦ୍‌ଘାଟନ ସମାରୋହ ହେବାକୁ ଯାଉଛି । (ଡିସେମ୍ବର ୯ ତାରିଖ ୨୦୦୧କୁ ଦିଲ୍ଲୀର ଗୁଡଗାଁଓରେ ଓମ୍ ଶାନ୍ତି ରିଟ୍ରୀଟ୍ ସେଣ୍ଟରର ଉଦ୍‌ଘାଟନ ସମାରୋହ ହେବ) କିନ୍ତୁ ବାପଦାଦା ଏବେ କେଉଁ ଉଦ୍‌ଘାଟନ ଦେଖିବାକୁ ଚାହୁଁଛନ୍ତି? ତା’ର ତାରିଖକୁ ନିଧାର୍ଯ୍ୟ କର, ଏହି ସବୁ ଛୋଟ ଛୋଟ ଉଦ୍‌ଘାଟନ ତ ହୋଇ ହିଁ ଯିବ । କିନ୍ତୁ ବାପଦାଦା ଏହି ଉଦ୍‌ଘାଟନ ଦେଖିବାକୁ ଚାହୁଁଛନ୍ତି ଯେ “ସମସ୍ତେ ବିଶ୍ୱରୂପୀ ମଞ୍ଚ ଉପରେ ବାବାଙ୍କ ସମାନ ସାକ୍ଷାତ୍ ଫରିସ୍ତା ରୂପରେ ସମ୍ମୁଖକୁ ଆସିଯାଆନ୍ତୁ ଏବଂ ପରଦା ଖୋଲିଯାଉ । ଏହିଭଳି ଉଦ୍‌ଘାଟନ ତୁମମାନଙ୍କୁ ମଧ୍ୟ ଭଲ ଲାଗୁଛି ନା! ବାର୍ତ୍ତାଳାପ କରିବା ସମୟରେ ମଧ୍ୟ ସମସ୍ତେ କହିଚାଲିଛନ୍ତି ଏବଂ ବାବା ମଧ୍ୟ ଶୁଣି ଚାଲିଛନ୍ତି, ବାସ ଏବେ ତ କେବଳ ଏତିକି ଇଚ୍ଛା - ବାବାଙ୍କୁ କିପରି ପ୍ରତ୍ୟକ୍ଷ କରିବୁ, କିନ୍ତୁ ବାବାଙ୍କର ଇଚ୍ଛା ପ୍ରଥମେ ପିଲାମାନେ ପ୍ରତ୍ୟକ୍ଷ ହୋଇଯାଆନ୍ତୁ । ତେବେ ବାବା ମଧ୍ୟ ପିଲାମାନଙ୍କ ସହିତ ପ୍ରତ୍ୟକ୍ଷ ହେବେ, ଏକା ଏକା ହେବେ ନାହିଁ । ତେଣୁ ବାପଦାଦା ଏହି ଉଦ୍‌ଘାଟନ ଦେଖିବାକୁ ଚାହୁଁଛନ୍ତି । ଏଥିରେ ସମସ୍ତଙ୍କର ଉମଙ୍ଗ-ଉତ୍ସାହ ମଧ୍ୟ ବହୁତ ଭଲ ରହିଛି, କିନ୍ତୁ ଯେତେବେଳେ କର୍ମଯୋଗୀ ହୋଇ କର୍ମକ୍ଷେତ୍ରକୁ ଆସିଯାଉଛନ୍ତି ସେତେବେଳେ ଟିକିଏ ଫରକ ଆସିଯାଉଛି । ତେଣୁ ମାତାମାନେ ଏବେ କ’ଣ କରିବ? ମାତାମାନଙ୍କର ସଂଗଠନ ମଧ୍ୟ ବହୁତ ବଡ ଏବଂ ମାତାମାନଙ୍କୁ ଦେଖି ବାପଦାଦାଙ୍କୁ ମଧ୍ୟ ବହୁତ ଖୁସି ଲାଗୁଛି । ପୂର୍ବରୁ କେହି ବି ମାତାମାନଙ୍କୁ ଏତିକି ଆଗକୁ ବଢାଇ ନାହାଁନ୍ତି ତେଣୁ ବାପଦାଦା ମାତାମାନଙ୍କୁ ଆଗକୁ ବଢୁଥିବାର ଦେଖି ଖୁସି ହେଉଛନ୍ତି । ମାତାମାନଙ୍କ ଭିତରେ ବିଶେଷ ଭାବରେ ଏହି ସଂକଳ୍ପ ରହୁଛି ଯେ ଆଜି ପର୍ଯ୍ୟନ୍ତ ଯେଉଁ କଥା କେହି ବି କରି ନାହାଁନ୍ତି ତାହା ଆମେ ମାତାମାନେ ବାବାଙ୍କ ସହିତ ମିଶି କରି ଦେଖାଇବୁ । କ’ଣ କରି ଦେଖାଇବ ତ? ଏବେ ଗୋଟିଏ ହାତର ତାଳି ବଜାଅ । ମାତାମାନେ ସବୁ କିଛି କରିପାରିବେ । ମାତାମାନଙ୍କ ଭିତରେ ଉମଙ୍ଗ-ଉତ୍ସାହ ଭଲ ରହିଛି । ଆଉ କିଛି ବୁଝନ୍ତୁ କି ନ ବୁଝନ୍ତୁ କିନ୍ତୁ ଏତିକି ତ ବୁଝିଯାଇଛନ୍ତି ଯେ ମୁଁ ବାବାଙ୍କର ଏବଂ ବାବା ମୋ’ର । ଏତିକି ତ ବୁଝିଯାଇଛନ୍ତି ନା! ମେରା ବାବା, ତ ସମସ୍ତେ କହୁଛନ୍ତି ନା! ତେଣୁ ସମସ୍ତେ ଦିଲ୍‌ରେ ସର୍ବଦା ଏହି ଗୀତ ଗାଉଥାଅ - ମେରା ବାବା, ମେରା ବାବା, ମେରା ବାବା....

ଆଚ୍ଛା, ବାପଦାଦା ଏବେ ଗୋଟିଏ ସେକେଣ୍ଡ ଦେଉଛନ୍ତି, ସମସ୍ତେ ସଜାଗ ହୋଇ ବସ । ବାପଦାଦାଙ୍କ ସହିତ ସମସ୍ତଙ୍କର ୧୦୦ ପ୍ରତିଶତ ସ୍ନେହ ଅଛି ନା । ଏଥିରେ ତ କମ୍ ବେଶୀ ନାହିଁ ନା । ତେବେ ୧୦୦ ପ୍ରତିଶତ ସ୍ନେହ ଅଛି ତ? ତେଣୁ ୧୦୦ ପ୍ରତିଶତ ସ୍ନେହର ପ୍ରତିଦାନ ଦେବା ପାଇଁ ପ୍ରସ୍ତୁତ ଅଛ ତ? ୧୦୦ ପ୍ରତିଶତ ସ୍ନେହ ଅଛି ନା! ଯେଉଁମାନଙ୍କର ଟିକିଏ କମ୍ ଅଛି ସେମାନେ ହାତ ଉଠାଇ ଦିଅ । ତାହାହେଲେ ଭଲ ହେବ । ଯଦି କମ୍ ଅଛି ତେବେ ହାତ ଉଠାଅ । ୧୦୦ ପ୍ରତିଶତରୁ କମ୍ ସ୍ନେହ ଥିଲେ ତାହା ଉଠାଅ । କେବଳ ସ୍ନେହର କଥା ହିଁ କୁହାଯାଉଛି (ଜଣେ-ଦୁଇଜଣ ହାତ ଉଠାଇଲେ) ଆଚ୍ଛା ସ୍ନେହ ନାହିଁ, କୌଣସି ଆପତ୍ତି ନାହିଁ, ଆଗକୁ ହୋଇଯିବ । ଯିବେ ବି କୁଆଡେ, ସ୍ନେହ ତ କରିବାକୁ ହିଁ ପଡିବ । ଆଚ୍ଛା, ଏବେ ସମସ୍ତେ ସଜାଗ ହୋଇ ବସିଛ ନା! ଏବେ ସମସ୍ତେ ସ୍ନେହର ପ୍ରତିଦାନ ସ୍ୱରୂପ ଗୋଟିଏ ସେକେଣ୍ଡ ପାଇଁ ବାବାଙ୍କ ସମ୍ମୁଖରେ ଅନ୍ତର୍ମୁଖୀ ହୋଇ ନିଜେ ନିଜ ସହିତ ଦିଲ୍ ଭିତରେ ଏହି ସଂକଳ୍ପ କର ଯେ ଏବେ ଠାରୁ ମୁଁ ନିଜ ପ୍ରତି ବା ଅନ୍ୟମାନଙ୍କ ପ୍ରତି କେବେ ବି ସମସ୍ୟା ସ୍ୱରୂପ ହେବି ନାହିଁ । ଏହି ଦୃଢ ସଂକଳ୍ପ ସ୍ନେହର ପ୍ରତିଦାନ ରୂପରେ କରିପାରିବ? ଯେଉଁମାନେ ଭାବୁଛନ୍ତି ଯାହା ବି ହୋଇଯାଉ, ମୁଁ ନିଶ୍ଚିତ କରିବି, ଯଦି କିଛି ହୋଇ ବି ଗଲା ତେବେ ଗୋଟିଏ ସେକେଣ୍ଡ ଭିତରେ ନିଜକୁ ପରିବର୍ତ୍ତନ କରିନେବି । ଏଥିରେ ଯେଉଁମାନେ ଦୃଢ ସଂକଳ୍ପ କରିପାରିବେ ସେମାନେ ସଚ୍ଚା ହୃଦୟରେ ଦୃଢ ସଂକଳ୍ପ କରିନିଅ ତାହାହେଲେ ବାପଦାଦା ମଧ୍ୟ ସହଯୋଗ ଦେବେ କିନ୍ତୁ ସହଯୋଗୀ ନେବାର ବିଧି ହେଲା - ଦୃଢ ସଂକଳ୍ପର ସ୍ମୃତି । ମୁଁ ବାପଦାଦାଙ୍କ ସମ୍ମୁଖରେ ସଂକଳ୍ପ କରିଛି, ଏହି ସ୍ମୃତିର ବିଧି ଦ୍ୱାରା ହିଁ ସହଯୋଗ ମିଳିବ । ତେବେ ତ କରିପାରିବ ନା? ମୁଣ୍ଡ ହଲାଅ । ଦେଖ, ସଂକଳ୍ପ ଦ୍ୱାରା କ’ଣ ନ ହୋଇପାରିବ, ଏଥିରେ ଡରିଯାଅ ନାହିଁ, ବାପଦାଦାଙ୍କଠାରୁ ଅତିରିକ୍ତ ସାହାଯ୍ୟ ମଧ୍ୟ ନିଶ୍ଚିତ ମିଳିବ । ଆଚ୍ଛା!

ଏହିଭଳି ସମସ୍ତ ତୀବ୍ର ପୁରୁଷାର୍ଥୀ ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କର ସ୍ନେହର ପ୍ରତିଦାନ ଦେଉଥିବା ସାହସୀ ପିଲାମାନଙ୍କୁ, ସର୍ବଦା ନିଜର ବିଶେଷତାଗୁଡିକ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ବିଶେଷ ଆତ୍ମା କରୁଥିବା ପୁଣ୍ୟାତ୍ମା ସନ୍ତାନମାନଙ୍କୁ, ସର୍ବଦା ସମସ୍ୟା ଗୁଡିକୁ ସମାଧାନ କରି ଆଗକୁ ଉଡିଚାଲିଥିବା ସମାଧାନ ସ୍ୱରୂପ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବିଦାୟ ସମୟରେ :- ଆଜି ବିଶେଷ କରି ଯେଉଁମାନେ ମଧୁବନରେ ସୁରକ୍ଷା ସେବାରେ ବ୍ୟସ୍ତ ଅଛନ୍ତି ସେମାନେ ବାପଦାଦାଙ୍କ ସମ୍ମୁଖକୁ ଆସିଯାଉଛନ୍ତି । ତେବେ ଯଜ୍ଞକୁ ସୁରକ୍ଷା ଦେବାବାଲା ମଧ୍ୟ ବହୁତ ବଡ କର୍ତ୍ତବ୍ୟ କରୁଛନ୍ତି, ଦୂରରେ ରହି ମଧ୍ୟ ସେମାନେ ମନେ ପକାଉଛନ୍ତି । ତେବେ ବିଶେଷ ଭାବରେ ଯେଉଁମାନେ କୌଣସି ବି ସେବା ଅର୍ଥେ ଉପରେ ବସି ରହିଛନ୍ତି, ଚାହେଁ ଜ୍ଞାନ ସରୋବର ହେଉ, ପାଣ୍ଡବ ଭବନ ହେଉ ବା ଶାନ୍ତିବନରେ ହେଉ ଯେଉଁମାନେ ବି ସୁରକ୍ଷା ବିଭାଗରେ ସେବା ଦେଉଛନ୍ତି ସେମାନଙ୍କୁ ବାପଦାଦା ବିଶେଷ ଶୁଭେଚ୍ଛା ଦେଉଛନ୍ତି । ସମସ୍ତେ ବହୁତ ଭଲ ମେହନତ କରୁଛନ୍ତି । ଆଚ୍ଛା - ସବୁ ଦେଶ-ବିଦେଶର ପିଲାମାନେ, ଯେଉଁମାନେ ବି ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ସେମାନେ ଭାବନ୍ତୁ ଯେ ଆମକୁ ମଧ୍ୟ ବାପଦାଦା ବିଶେଷ ଭାବରେ ଶୁଭେଚ୍ଛା ଦେଇଛନ୍ତି । ଆଚ୍ଛା!

ବରଦାନ:-
ପୁରୁଣା ସଂସ୍କାରର ଏବଂ ସାଂସାରିକ ସମ୍ବନ୍ଧର ଆକର୍ଷଣଠାରୁ ମୁକ୍ତ ରହୁଥିବା ଡବଲ ଲାଇଟ୍ ଫରିସ୍ତା ହୁଅ ।

ଫରିସ୍ତା ଅର୍ଥାତ୍ ପୁରୁଣା ସଂସାରର ଆକର୍ଷଣ ଠାରୁ ମୁକ୍ତ । ନା କୌଣସି ସମ୍ବନ୍ଧ ରୂପରେ ଆକର୍ଷଣ ରହୁ, ନା ନିଜର ଦେହ ବା କୌଣସି ଦେହଧାରୀ ବ୍ୟକ୍ତି ପ୍ରତି ବା ବସ୍ତୁ ପ୍ରତି ଆକର୍ଷଣ ରହୁ । ସେହିପରି ନିଜର ପୁରଣା ସଂସ୍କାରର ଆକର୍ଷଣଠାରୁ ମଧ୍ୟ ମୁକ୍ତ ହୁଅ । ସଂକଳ୍ପ, ବୃତ୍ତି ବା ବାଣୀ ରୂପରେ ମଧ୍ୟ କୌଣସି ଆକର୍ଷଣ ନ ରହୁ । ଯେତେବେଳେ ଏହିଭଳି ସର୍ବ ଆକର୍ଷଣଠାରୁ ଅଥବା ବ୍ୟର୍ଥ ସମୟ, ବ୍ୟର୍ଥ ସଂଗ, ବ୍ୟର୍ଥ ବାତାବରଣଠାରୁ ମଧ୍ୟ ମୁକ୍ତ ହୋଇଯିବ ତେବେ କୁହାଯିବ ଡବଲ ଲାଇଟ୍ ଫରିସ୍ତା ।

ସ୍ଲୋଗାନ:-
ଶାନ୍ତିର ଶକ୍ତି ଦ୍ୱାରା ସର୍ବ ଆତ୍ମାଙ୍କର ପାଳନା କରୁଥିବା ଆତ୍ମାମାନେ ହିଁ ଆତ୍ମିକ ସମାଜ ସେବୀ ଅଟନ୍ତି ।