01.10.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ମାୟାକୁ ଭୟ କର ନାହିଁ, ସିଏ ତୁମମାନଙ୍କୁ କେତେ ବି ଭୁଲାଇବାକୁ ଚେଷ୍ଟା କରୁ କିନ୍ତୁ ତୁମେ ଥକି ଯାଅ ନାହିଁ, ଅମୃତବେଳାରେ ଉଠି ବାବାଙ୍କୁ ମନେ ପକାଇବାର ପୂରା ପୂରା ପୁରୁଷାର୍ଥ କର ।”

ପ୍ରଶ୍ନ:-
ପୁରୁଷାର୍ଥରେ ଅଧିକ ନମ୍ବର କେଉଁ ପିଲାମାନେ ନେଇଥାନ୍ତି?

ଉତ୍ତର:-
ଯେଉଁମାନେ ବାବାଙ୍କ ଉପରେ ପୂରା-ପୂରା ବଳି ଚଢିଥା’ନ୍ତି ଅର୍ଥାତ୍ ସ୍ୱାହା ହୋଇଯାଇଥା’ନ୍ତି, ସବୁଠାରୁ ଆଗକୁ ସେହିମାନେ ହିଁ ଯାଇଥାନ୍ତି । ବାବାଙ୍କ ନିକଟରେ ପିଲାମାନେ ସମର୍ପଣ ହୋଇଥା’ନ୍ତି ଏବଂ ପିଲାମାନଙ୍କ ନିକଟରେ ବାବା ମଧ୍ୟ ସମର୍ପଣ ହୋଇଥା’ନ୍ତି । ତୁମେମାନେ ନିଜର ମୂଲ୍ୟହୀନ ବସ୍ତୁ ଗୁଡିକୁ ଅର୍ଥାତ୍ ପୁରୁଣା ତନ-ମନ-ଧନ ବାବାଙ୍କୁ ଦେଉଛ ଏବଂ ବାବା ତୁମମାନଙ୍କୁ ବିଶ୍ୱର ରାଜତ୍ୱ ଦେଉଛନ୍ତି, ସେଥିପାଇଁ ତାଙ୍କୁ ଦୀନବନ୍ଧୁ ବୋଲି କୁହାଯାଉଛି । ଗରୀବ ଭାରତକୁ ହିଁ ଦାନ ଦେବା ପାଇଁ ବାବା ଆସିଛନ୍ତି ।

ଗୀତ:-
ନୟନହୀନ କୋ ରାହ ଦିଖାଓ ....

ଓମ୍ ଶାନ୍ତି ।
ମିଠା-ମିଠା ଅତି ମିଠା, ଏହିପରି କହିବେ ନା! ବେହଦର ବାବା ଏବଂ ଏହା ତାଙ୍କର ବେହଦର ସ୍ନେହ ଅଟେ । ବାବା କହୁଛନ୍ତି ମିଠା ମିଠା ସିକିଲଧେ ସନ୍ତାନମାନେ ଗୀତ ଶୁଣିଲେ । ଏକମାତ୍ର ବାବା ହିଁ ରାସ୍ତା ଦେଖାଉଛନ୍ତି । ଭକ୍ତିମାର୍ଗରେ ରାସ୍ତା ବତାଇଲାବାଲା କେହି ନାହାଁନ୍ତି । କେବଳ ଧକ୍କା ଖାଇଥା’ନ୍ତି । ଯଦିଓ ଏବେ ରାସ୍ତା ମିଳିଛି ତଥାପି ମାୟା ବାବାଙ୍କ ସାଥିରେ ବୁଦ୍ଧିଯୋଗ ଲଗାଇବାକୁ ଦେଉନାହିଁ । ଜାଣିଛନ୍ତି ମଧ୍ୟ ଏକମାତ୍ର ବାବାଙ୍କୁ ମନେ ପକାଇବା ଦ୍ୱାରା ସବୁ ଦୁଃଖ ଦୂର ହୋଇଯିବ, ଚିନ୍ତାର କୌଣସି କଥା ରହିବ ନାହିଁ, ତଥାପି ବି ଭୁଲିଯାଉଛନ୍ତି । ବାବା କହୁଛନ୍ତି - ନିଜକୁ ଆତ୍ମା ଭାବି ପତିତ-ପାବନ ବାବାଙ୍କୁ ମନେ ପକାଅ । ବାବା ଜ୍ଞାନର ସାଗର ଅଟନ୍ତି ନା । ସିଏ ହିଁ ଗୀତା ଜ୍ଞାନ ଦାତା ଅଟନ୍ତି । ସ୍ୱର୍ଗର ସମ୍ପତ୍ତି ଅଥବା ସଦ୍‌ଗତି ଦେଉଛନ୍ତି । କୃଷ୍ଣଙ୍କୁ ଜ୍ଞାନର ସାଗର କହିପାରିବା ନାହିଁ । ସାଗର ଜଣେ ହିଁ ଅଟନ୍ତି । ଏହି ଧରିତ୍ରୀର ଚାରିପଟେ ସାଗର ହିଁ ସାଗର ରହିଛି । ସମ୍ପୂର୍ଣ୍ଣ ସାଗର ଗୋଟିଏ । ପୁଣି ତାକୁ ଭାଗ ଭାଗ କରି ବିଭିନ୍ନ ନାମରେ ନାମିତ କରାଯାଇଛି । ତୁମେ ବିଶ୍ୱର ମାଲିକ ହେଉଛ ତେବେ ସାରା ସାଗର, ଧରିତ୍ରୀର ମାଲିକ ତୁମେ ହେଉଛ । ଏପରି କେହି କହିପାରିବେ ନାହିଁ, ଏହା ଆମର ଅଞ୍ଚଳ ଅଟେ । ଆମ ସୀମା ଭିତରକୁ ଆସ ନାହିଁ । ଏଠାରେ ତ ସାଗରକୁ ମଧ୍ୟ ଭାଗ-ଭାଗ କରିଦେଇଛନ୍ତି । ତୁମେମାନେ ଜାଣୁଛ ସାରା ବିଶ୍ୱ ହିଁ ଭାରତ ଥିଲା, ଯାହାର ତୁମେମାନେ ମାଲିକ ଥିଲ । ଗୀତ ବି ରହିଛି ଯେ ବାବା ଆମେ ଆପଣଙ୍କଠାରୁ ବିଶ୍ୱର ବାଦଶାହୀ ନେଉଛୁ ଯାହାକୁ କେହି ଛଡାଇ ନେଇ ପାରିବେ ନାହିଁ । ଏଠାରେ ଦେଖ ପାଣି ପାଇଁ ମଧ୍ୟ ଲଢେଇ ହେଉଛି । ଜଣେ ଜଣଙ୍କଠାରୁ ପାଣି ନେବା ପାଇଁ ଲକ୍ଷ-ଲକ୍ଷ ଟଙ୍କା ଦେବାକୁ ପଡୁଛି । ତୁମ ପିଲାମାନଙ୍କୁ ସାରା ବିଶ୍ୱର ରାଜତ୍ୱ କଳ୍ପ ପୂର୍ବ ଭଳି ମିଳୁଛି । ବାବା ଜ୍ଞାନର ତୃତୀୟ ନେତ୍ର ଦେଇଛନ୍ତି । ଜ୍ଞାନର ଦାତା ହିଁ ପରମପିତା ପରମାତ୍ମା ଅଟନ୍ତି । ସିଏ ଏହି ସମୟରେ ଆସି ଜ୍ଞାନ ଦେଉଛନ୍ତି । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କ ପାଖରେ ଏହି ଜ୍ଞାନ ରହିବ ନାହିଁ । ହଁ, ଏହା କହିପାରିବା ଯେ ପୂର୍ବ ଜନ୍ମରେ ଜ୍ଞାନ ନେଇ ଏହିପରି ହୋଇଛନ୍ତି । ସେତେବେଳେ ତୁମେ ହିଁ ଥିଲ । ତୁମେମାନେ କହୁଛ ଆପଣ ସେହି ବାବା ଅଟନ୍ତି । ଆପଣ ଆମକୁ ବିଶ୍ୱର ମାଲିକ କରାଇଥିଲେ । ବାବା କହୁଛନ୍ତି - ମୋର ମତ କୌଣସି ଲମ୍ବା ଚଉଡା ନୁହେଁ । ହଦର ପାଠ କେତେ ଲମ୍ବା ଚଉଡା ହୋଇଥାଏ । ଏହା ତ ବହୁତ ସହଜ ଅଟେ । ଚରୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣି ତୁମେ ଅନ୍ୟମାନଙ୍କୁ ବୁଝାଉଛ । କିପରି ତୁମେ ୮୪ ଜନ୍ମର ଚକ୍ର ଲଗାଇଛ । ଏବେ ବାବାଙ୍କ ପାଖକୁ ଫେରିବାକୁ ହେବ । ଏକଥା ବି ବାବା କହିଛନ୍ତି - ମାୟାର ତୋଫାନ ବହୁତ ଆସିବ, ଏହାକୁ ଭୟ କର ନାହିଁ । ସକାଳୁ (ଅମୃତବେଳା)ରେ ଉଠି ବସିଲେ, ବୁଦ୍ଧି ଅନ୍ୟ ସବୁ କଥାକୁ ଚାଲିଯାଇଥାଏ । ଦୁଇ ମିନିଟ୍ ମଧ୍ୟ ବାବାଙ୍କ ସ୍ମୃତି ରହିବ ନାହିଁ । ବାବା କହୁଛନ୍ତି ଥକିଯାଅ ନାହିଁ । ଆଚ୍ଛା ଯଦି ଆଜି ଗୋଟିଏ ମିନିଟ୍ ବାବାଙ୍କ ସ୍ମୃତିରେ ରହିଲ, ପୁଣି କାଲି ବସ, ପରଦିନ ବସ । ନିଜ ଭିତରେ ଏହି କଥା ନିଶ୍ଚିତ ପକ୍କା କର ଯେ ମୋତେ ବାବାଙ୍କୁ ମନେ ପକାଇବାକୁ ହେବ । ଯଦି କେହି ବିକାରଗ୍ରସ୍ତ ହେଉଥିବ ତେବେ ତ ବହୁତ ତୋଫାନ ଆସିବ । ପବିତ୍ରତା ହିଁ ମୁଖ୍ୟ ଅଟେ । ଆଜି ଏହି ଦୁନିଆ ପତିତ ବେଶ୍ୟାଳୟ ହୋଇଯାଇଛି । କାଲି ପୁଣି ପବିତ୍ର ଶିବାଳୟ ହେବ । ତୁମେମାନେ ଜାଣିଛ ଯେ ଏହା ଆମର ପୁରୁଣା ଶରୀର ଅଟେ । ଯଦି ବାବାଙ୍କୁ ମନେ ପକାଉଥିବା ତେବେ ଯେ କୌଣସି ସମୟରେ ବି ଶରୀର ଛାଡିଲେ ସ୍ୱର୍ଗକୁ ଯିବାର ଯୋଗ୍ୟ ହୋଇଯିବା । ବାବାଙ୍କଠାରୁ କିଛି ନା କିଛି ଜ୍ଞାନ ତ ଶୁଣିଛ ନା । ଏପରି ବି ଅଛନ୍ତି ଯେଉଁମାନେ ଏଠାରୁ ପଳାଇଯାଇଛନ୍ତି ତଥାପି ବି ଆସି ନିଜର ବର୍ସା ନେଉଛନ୍ତି । ଏକଥା ମଧ୍ୟ ବୁଝାଯାଇଛି ଯେ ଅନ୍ତିମ ମତ ଅନୁସାରେ ଗତି ହେବ । ଧରିନିଅ କେହି ଶରୀର ଛାଡିଦେଲେ, ଯଦି ଜ୍ଞାନର ସଂସ୍କାର ନେଇଯାଇଛନ୍ତି ତେବେ ପିଲାଦିନୁ ହିଁ ତାଙ୍କର ଏଥିପ୍ରତି ଆକର୍ଷଣ ରହିବ । ଯଦିଓ ତାଙ୍କର କର୍ମେନ୍ଦ୍ରିୟ ଛୋଟ ହୋଇଥିବ, କିଛି କଥା କହିପାରିବେ ନାହିଁ କିନ୍ତୁ ଜ୍ଞାନ ପ୍ରତି ଆକର୍ଷିତ ହେବେ । ସେମାନଙ୍କର ପିଲାଦିନରୁ ହିଁ ସଂସ୍କାର ଭଲ ହେବ । ସେମାନେ ସୁଖଦାୟୀ ହେବେ । ଆତ୍ମାକୁ ହିଁ ବାବା ଶିଖାଉଛନ୍ତି ନା । ଯେପରି ବାବା ମିଲେଟ୍ରୀବାଲାଙ୍କର ଉଦାହରଣ ଦେଇ ବୁଝାଉଛନ୍ତି । ସେମାନେ ସଂସ୍କାର ନେଇଥିବାରୁ ଲଢେଇରେ ଯାଇ ଭର୍ତ୍ତି ହୋଇଥାନ୍ତି । ଯେପରି ଶାସ୍ତ୍ର ପଢିଲାବାଲା ସଂସ୍କାର ନେଇ ଯାଇଥିବାରୁ ତାଙ୍କର ଛୋଟ ଦିନରୁ ହିଁ ଶାସ୍ତ୍ର କଣ୍ଠସ୍ଥ ହୋଇଯାଇଥାଏ । ତାଙ୍କର ବହୁତ ମହିମା ବି ହୋଇଥାଏ । ସେହିପରି ଏହିଠାରୁ ଯେଉଁମାନେ ଯାଇଥାନ୍ତି ତାଙ୍କର ପିଲାଦିନରୁ ହିଁ ମହିମା ହୋଇଥାଏ । ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ ନା । ବାକି ରହିଯାଇଥିବା ହିସାବ-କିତାବ ଚୁକ୍ତ କରିବାକୁ ପଡିଥାଏ । ସେମାନେ ସ୍ୱର୍ଗକୁ ତ ଆସିବେ ନା । ବାବାଙ୍କ ପାଖକୁ ଆସି ମାଲେକମ୍ ସଲାମ କରିବେ । ପ୍ରଜା ତ ଢେର ହେବେ । ବାବାଙ୍କଠାରୁ ତ ବର୍ସା ନେବେ । ଅନ୍ତିମ ସମୟରେ କହିବେ ନା ଅହୋ ପ୍ରଭୁ ତେରୀ ଲୀଳା.... ।

ଏବେ ତୁମେମାନେ ବୁଝୁଛ - ଅହୋ ବାବା ଆପଣଙ୍କ ଲୀଳା ଡ୍ରାମାର ଯୋଜନା ଅନୁସାରେ ଏହିପରି ଅଟେ । ବାବା ଆପଣଙ୍କର ଅଭିନୟ ସବୁ ମନୁଷ୍ୟଙ୍କ ଠାରୁ ଅଲଗା ଅଟେ । ଯେଉଁମାନେ ବାବାଙ୍କର ଭଲ ସେବା କରୁଛନ୍ତି ତାଙ୍କୁ ପୁଣି ପୁରସ୍କାର ମଧ୍ୟ ବହୁତ ଭଲ ମିଳିଥାଏ । ସେମାନେ ବିଜୟ ମାଳାରେ ଆସିଥାନ୍ତି । ଏହା ହେଉଛି ଆତ୍ମିକ ଜ୍ଞାନ, ଯାହାକୁ ଆତ୍ମିକ ପିତା, ଆତ୍ମାମାନଙ୍କୁ ଦେଉଛନ୍ତି । ମନୁଷ୍ୟମାନେ ତ ସବୁ ଶରୀରକୁ ହିଁ ମନେ ପକାଇବେ, କହିବେ ଶିବାନନ୍ଦ, ଗଙ୍ଗେଶ୍ୱରାନନ୍ଦ.... ଆଦି ଏହି ଜ୍ଞାନ ଦେଉଛନ୍ତି । ଏଠାରେ ତ କହିବା ନିରାକାର ଶିବବାବା ହିଁ ଜ୍ଞାନ ଦେଉଛନ୍ତି । ମୁଁ ସର୍ବୋଚ୍ଚ ଅଟେ । ମୋ ଆତ୍ମାର ନାମ ହେଉଛି ଶିବ । ଶିବ ପରମାତ୍ମାୟ ନମଃ କହିଥାନ୍ତି । ପୁଣି ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ କହିବେ ଦେବତାୟ ନମଃ, ଏମାନେ ମଧ୍ୟ ରଚନା ଅଟନ୍ତି, ଏମାନଙ୍କଠାରୁ କୌଣସି ବର୍ସା ମିଳିପାରିବ ନାହିଁ । ତୁମେମାନେ ପରସ୍ପର ମଧ୍ୟରେ ଭାଇ-ଭାଇ ଅଟ । ଭାଇକୁ ମନେ ପକାଇବା ଦ୍ୱାରା ବର୍ସା ମିଳିବ ନାହିଁ । ଇଏ (ବ୍ରହ୍ମାଦାଦା) ବି ତୁମମାନଙ୍କର ଭାଇ ଅଟନ୍ତି, ଛାତ୍ର ଅଟନ୍ତି ନା । ଇଏ ପାଠ ପଢୁଛନ୍ତି, ଏହାଙ୍କଠାରୁ ବର୍ସା ମିଳିବ ନାହିଁ । ଇଏ ନିଜେ ହିଁ ଶିବବାବାଙ୍କଠାରୁ ବର୍ସା ପାଉଛନ୍ତି । ପ୍ରଥମେ ଏହି ବ୍ରହ୍ମା ଶୁଣୁଛନ୍ତି । ବ୍ରହ୍ମା ଶିବବାବାଙ୍କୁ କହୁଛନ୍ତି ବାବା ମୁଁ ତ ଆପଣଙ୍କର ପ୍ରଥମ ସନ୍ତାନ ଅଟେ । ଆପଣଙ୍କଠାରୁ ମୁଁ କଳ୍ପ-କଳ୍ପ ବର୍ସା ନେଉଛି । କଳ୍ପ-କଳ୍ପ ମୁଁ ଆପଣଙ୍କର ରଥ ହେଉଛି । ଶିବଙ୍କର ରଥ ହେଉଛନ୍ତି ବ୍ରହ୍ମା । ବ୍ରହ୍ମାଙ୍କ ଦ୍ୱାରା ହିଁ ବିଷ୍ଣୁପୁରୀର ସ୍ଥାପନା ହେଉଛି । ଏଥିରେ ତୁମେ ବ୍ରାହ୍ମଣମାନେ ମଧ୍ୟ ସହଯୋଗୀ ଅଟ, ପୁଣି ତୁମେମାନେ ଯାଇ ମାଲିକ ହେବ । ଏବେ ତୁମେମାନେ ଜାଣୁଛ ଯେ ଆମେ ୫ ହଜାର ବର୍ଷ ପୂର୍ବ ଭଳି ବାବାଙ୍କ ଦ୍ୱାରା ରାଜ୍ୟ ଭାଗ୍ୟ ନେଉଛୁ, ଯେଉଁମାନେ କଳ୍ପ ପୂର୍ବରୁ ରାଜ୍ୟ ଭାଗ୍ୟ ନେଇଥିଲେ, ସେହିମାନେ ହିଁ ଆସିବେ । ପ୍ରତ୍ୟେକଙ୍କର ପୁରୁଷାର୍ଥରୁ ଜଣା ପଡିଯାଇଥାଏ - କିଏ ମହାରାଜା-ମହାରାଣୀ ହେବେ, କିଏ ପ୍ରଜା ହେବେ । ଶେଷ ସମୟରେ ତୁମକୁ ସବୁ ସାକ୍ଷାତ୍‌କାର ହେବ । ପୁରୁଷାର୍ଥ ଉପରେ ସମସ୍ତ ଆଧାର ରହିଛି । ସମର୍ପଣ ମଧ୍ୟ ହେବାକୁ ପଡିଥାଏ । ବାବା କହୁଛନ୍ତି - ମୁଁ ଦୀନବନ୍ଧୁ ଅଟେ । ତୁମେ ଗରୀବମାନେ ହିଁ ମୋ ନିକଟରେ ସମର୍ପଣ ହେଉଛ । ଦାନ ସର୍ବଦା ଗରୀବମାନଙ୍କୁ ହିଁ ଦିଆଯାଇଥାଏ । ଧରିନିଅ କେହି କଲେଜ ତିଆରି କରୁଛନ୍ତି, ଏହା କୌଣସି ଗରୀବ ଲୋକଙ୍କୁ ଦାନ କରିବା ହେଲା ନାହିଁ । ଏହା ଈଶ୍ୱରଙ୍କ ଅର୍ଥେ ଦାନ ହେଲା ନାହିଁ, କିନ୍ତୁ ଦାନ ତ କରୁଛନ୍ତି ନା । କଲେଜ ଖୋଲିଥିବାରୁ ତାଙ୍କୁ ଫଳ ମିଳିଥାଏ । ସେମାନେ ପର ଜନ୍ମରେ ଭଲ ପାଠ ପଢିବେ । ଏହି ଆଶୀର୍ବାଦ ତାଙ୍କୁ ମିଳିଥାଏ । ଭାରତରେ ହିଁ ସବୁଠାରୁ ଅଧିକ ଦାନପୁଣ୍ୟ କରିଥା’ନ୍ତି । ଏହି ସମୟରେ ତ ବହୁତ ଦାନ ହୋଇଥାଏ । ତୁମେମାନେ ବାବାଙ୍କୁ ଦାନ କରୁଛ । ବାବା ପୁଣି ତୁମମାନଙ୍କୁ ଦାନ ଦେଉଛନ୍ତି । ତୁମଠାରୁ କଖପନ (ମୂଲ୍ୟହୀନ ବସ୍ତୁଗୁଡିକୁ) ନେଇ ତୁମକୁ ବିଶ୍ୱର ବାଦଶାହୀ ଦେଉଛନ୍ତି । ଏହି ସମୟରେ ତୁମେ ଶରୀର-ମନ-ଧନ ସବୁ ବାବାଙ୍କୁ ଦାନରେ ଦେଉଛ । ଲୋକମାନେ ତ ମରିବା ପୂର୍ବରୁ ଇଚ୍ଛାପତ୍ର ଲେଖି ଦେଇ ଯାଇଥାନ୍ତି । ଅମୁକ ଆଶ୍ରମକୁ ଦେଇଦେବ ନ ହେଲେ ଏହାକୁ ଆର୍ଯ୍ୟ ସମାଜ ବାଲା ନେଇଯିବେ । ବାସ୍ତବରେ ଗରୀବମାନଙ୍କୁ ଦାନ ଦିଆଯାଇଥାଏ, ଯେଉଁମାନେ ଭୋକିଲା ଥା’ନ୍ତି । ଏବେ ଭାରତ ଗରୀବ ଅଟେ ନା । ସ୍ୱର୍ଗରେ ଭାରତ କେତେ ସାହୁକାର ହୋଇଥାଏ । ତୁମେମାନେ ଜାଣିଛ ଯେ ସେଠାରେ ଶସ୍ୟ ଧନ ଆଦି ସବୁ ତୁମ ପାଖରେ ଯେତିକି ଥିବ ସେତିକି ଆଉ କାହା ପାଖରେ ନ ଥିବ । ସେଠାରେ ତ ପଇସାର ନେଣ-ଦେଣ ହେବ ନାହିଁ । ମୁଠାଏ ଚାଉଳ ଦାନ କରିଥାନ୍ତି, ତେବେ ଏହାର ପ୍ରତିଦାନରେ ୨୧ ଜନ୍ମ ପାଇଁ ମହଲ ମିଳିଯାଇଥାଏ । ସମ୍ପତ୍ତି ମଧ୍ୟ ମିଳିଯିବ । ଏବେ ତତ୍ତ୍ୱ ମଧ୍ୟ ତମୋପ୍ରଧାନ ହୋଇଥିବା କାରଣରୁ ଦୁଃଖ ଦେଉଛି, ସେଠାରେ ତତ୍ତ୍ୱ ସତ୍ତ୍ୱପ୍ରଧାନ ହୋଇଥାଏ । ତୁମେମାନେ ଜାଣିଛ - ସତ୍ୟଯୁଗରେ କିଏ-କିଏ ଆସିବେ । ପୁଣି ଦ୍ୱାପରରେ ଅମୁକ-ଅମୁକ ଆସିବେ । କଳିଯୁଗର ଅନ୍ତ ସମୟରେ ଛୋଟ ଛୋଟ ଶାଖାପ୍ରଶାଖା, ମଠ ପନ୍ଥ ଆଦି ବାହାରି ଥାଆନ୍ତି । ଏବେ ତୁମମାନଙ୍କ ବୁଦ୍ଧିରେ ବୃକ୍ଷ, ଡ୍ରାମା ଆଦିର ଜ୍ଞାନ ରହିଛି । ତୁମେମାନେ ବାବାଙ୍କର ଅଭିନୟକୁ ମଧ୍ୟ ଜାଣିଛ । ମହାଭାରତ ଲଢେଇରେ ଦେଖାଇଥା’ନ୍ତି - ୫ ପାଣ୍ଡବ ବଞ୍ଚିଗଲେ । ଆଚ୍ଛା ପୁଣି କ’ଣ ହେଲା? ନିଶ୍ଚିତ ଯେଉଁମାନେ ରାଜଯୋଗ ଶିଖିଛନ୍ତି ସେହିମାନେ ଯାଇ ରାଜତ୍ୱ କରିବେ ନା । ଆଗରୁ ତୁମେମାନେ ମଧ୍ୟ କିଛି ଜାଣି ନ ଥିଲ । ବ୍ରହ୍ମାବାବା ମଧ୍ୟ ଗୀତା ଆଦି ପଢୁଥିଲେ । ନାରାୟଣଙ୍କର ଭକ୍ତି କରୁଥିଲେ । ଗୀତା ଶାସ୍ତ୍ର ପ୍ରତି ମଧ୍ୟ ବହୁତ ସ୍ନେହ ଥିଲା । ଯେତେବେଳେ ଟ୍ରେନରେ ଯାଉଥିଲେ ସେତେବେଳେ ମଧ୍ୟ ଗୀତା ପଢୁଥିଲେ । ଏବେ ଦେଖୁଛନ୍ତି କିଛି ବି ବୁଝି ନାହାଁନ୍ତି, ଡିବି ମେଁ ଠିକରୀ (ବୁଦ୍ଧି ରୂପୀ ଡବା ଭିତରେ ପଥର) । ଭକ୍ତିମାର୍ଗରେ ଯାହା କିଛି କରିଆସିଲେ କିନ୍ତୁ ଉଦ୍ଧାର ତ ହେଲା ନାହିଁ । ଦୁନିଆରେ ତ କେତେ ଗଣ୍ଡଗୋଳ ହେଉଛି । ଏଠାରେ ବି ସମସ୍ତେ ପବିତ୍ର ହୋଇପାରିବେ ନାହିଁ, ସେଥିପାଇଁ ଗଣ୍ଡଗୋଳ କରୁଛନ୍ତି । ବାବା ଯିଏ ଶରଣ ପଶୁଛନ୍ତି ତାଙ୍କୁ ସ୍ୱୀକାର ମଧ୍ୟ କରୁଛନ୍ତି ତଥାପି ବି କହୁଛନ୍ତି ବେମାରୀ ବହୁତ ଜୋରରେ ଆସିବ । ପିଲାଛୁଆ ମନେ ପଡିବେ, ଏଥିରେ ନଷ୍ଟୋମୋହା ହେବାକୁ ପଡିବ । ବୁଝିବାକୁ ହେବ ଯେ ଆମେ ମରିଯାଇଛୁ । ବାବାଙ୍କର ହୋଇଗଲୁ ଅର୍ଥାତ୍ ଏହି ଦୁନିଆରୁ ମରିଗଲୁ । ତେବେ ପୁଣି ଏହି ଶରୀରର ଅଭିମାନ ରହି ନ ଥାଏ । ବାବା କହୁଛନ୍ତି - ଦେହ ସହିତ ଯାହା ବି ସମ୍ବନ୍ଧ ରହିଛି, ସେସବୁକୁ ଭୁଲିବାକୁ ହେବ । ଏହି ଦୁନିଆରେ ଯାହା କିଛି ଦେଖୁଛ ତାହା ଯେପରି କିଛି ବି ନୁହେଁ । ଏହି ପୁରୁଣା ଶରୀରକୁ ମଧ୍ୟ ଛାଡିବାକୁ ପଡିବ । ଆମକୁ ନିଜର ଘରକୁ ଯିବାକୁ ହେବ । ଘରକୁ ଯାଇ ପୁଣି ଆସି ନୂଆ ସୁନ୍ଦର ଶରୀର ନେବୁ । ଏବେ ଆମେ ଶ୍ୟାମଳ (ପତିତ) ହୋଇଯାଇଛୁ ପୁଣି ସୁନ୍ଦର (ପବିତ୍ର) ହେବୁ । ଭାରତ ଏବେ ଶ୍ୟାମଳ ଅଛି, ପୁଣି ସୁନ୍ଦର ହେବ । ଏବେ ଭାରତ କଣ୍ଟାର ଜଙ୍ଗଲ ହୋଇଯାଇଛି । ସମସ୍ତେ ପରସ୍ପରକୁ ଦୁଃଖ ଦେଉଛନ୍ତି । ଯଦି କୌଣସି କଥାରେ ବିଗିଡି ଯାଉଛନ୍ତି ତେବେ ଗାଳି ଦେଉଛନ୍ତି, ଲଢେଇ କରୁଛନ୍ତି । ପିଲାମାନଙ୍କୁ ଘରେ ରହି ବହୁତ ମଧୁର ସ୍ୱଭାବ ଯୁକ୍ତ ହେବାକୁ ପଡିବ । ନଚେତ୍ ମନୁଷ୍ୟମାନେ କହିବେ ଇଏ ତ ୫ ବିକାର ଦାନ ଦେଇଛନ୍ତି ପୁଣି କ୍ରୋଧ କାହିଁକି କରୁଛନ୍ତି । ବୋଧ ହୁଏ କ୍ରୋଧର ଦାନ ଦେଇନାହାଁନ୍ତି । ବାବା କହୁଛନ୍ତି - ପିଲାମାନେ ମୋତେ ୫ ବିକାର ଦାନରେ ଦେଇଦିଅ ତେବେ ତୁମମାନଙ୍କର ଗ୍ରହଣ ଛାଡିଯିବ । ଚନ୍ଦ୍ରମାରେ ଗ୍ରହଣ ଲାଗିଥାଏ ନା । ତୁମେମାନେ ଏବେ ସମ୍ପୂର୍ଣ୍ଣ ହେବାକୁ ଯାଉଛ ତେଣୁ ବାବା କହୁଛନ୍ତି ଏହି ବିକାର ଦାନରେ ଦେଇଦିଅ । ତୁମମାନଙ୍କୁ ସ୍ୱର୍ଗର ବାଦଶାହୀ ମିଳୁଛି । ଆତ୍ମାକୁ ବାବାଙ୍କଠାରୁ ବର୍ସା ମିଳୁଛି । ଆତ୍ମା କହୁଛି ଏହି ପୁରୁଣା ଦୁନିଆରେ ଆଉ ବାକି କମ୍ ସମୟ ରହିଛି । ତେଣୁ କାମ ସବୁ ସାରି ଦେବାକୁ ହେବ । କୌଣସି ପ୍ରକାରର ମନ୍ଦ ଖିଆଲ ମଧ୍ୟ ବାହାର କରିଦେବା ଦରକାର । ବାବା ଜାଣିଛନ୍ତି ଅନେକ ପ୍ରକାରର ଖିଆଲ ଆସିବ । ଧନ୍ଦାର ଖିଆଲ ଆସିବ । ଭକ୍ତିମାର୍ଗରେ ଭକ୍ତି କରିବା ସମୟରେ ଗ୍ରାହକ, କର୍ମଧନ୍ଦା ଆଦି ଯଦି ମନେ ପଡିଥାଏ ତେବେ ନିଜକୁ ଚୁମୁଟି ଦେଇଥାନ୍ତି । ମୁଁ ନାରାୟଣଙ୍କର ସ୍ମୃତିରେ ବସିଛି ପୁଣି ଏହି କଥା କାହିଁକି ମନେ ପଡୁଛି! ତେବେ ଏଠାରେ ମଧ୍ୟ ସେହିପରି ହୋଇଥାଏ । ଯେବେ ଏହି ଆତ୍ମିକ ସେବାରେ ଭଲ ଭାବରେ ଲାଗିଯିବ ତେବେ ବୁଝାଇ ଦିଆଯାଏ - ଆଚ୍ଛା! ଏହି ଧନ୍ଦାଧୋରୀ ସବୁ ଛାଡି ତୁମେ ବାବାଙ୍କ ସେବାରେ ଲାଗିଯାଅ । ବାବା କହୁଛନ୍ତି ସବୁ କିଛି ଛାଡିଲେ ତେବେ ମୁକ୍ତ ହେବ । ତେଣୁ ଦେହ-ଅଭିମାନକୁ ଛାଡିଚାଲ । କେବଳ ବାବାଙ୍କୁ ମନେ ପକାଅ ତେବେ ମାଙ୍କଡରୁ ମନ୍ଦିର ଯୋଗ୍ୟ ହୋଇଯିବ । ଭ୍ରମରର, କଇଁଛର ମଧ୍ୟ ସବୁ ଉଦାହରଣ ବାବା ଦେଉଛନ୍ତି ଯାହାର ପୁଣି ଭକ୍ତିମାର୍ଗରେ ଲୋକମାନେ ଦୃଷ୍ଟାନ୍ତ ଦେଇଥାନ୍ତି । ଏବେ ତୁମେ ଜାଣୁଛ ସେହି ପୋକମାନେ କିଏ । ତୁମେମାନେ ହେଉଛ ବ୍ରାହ୍ମଣୀ । ତୁମେମାନେ ଜ୍ଞାନର ଭୁଁ-ଭୁଁ କରୁଛ । ଏହି ଦୃଷ୍ଟାନ୍ତ ବର୍ତ୍ତମାନ ସମୟର ଅଟେ । ସେମାନେ ଏ କଥା କହିପାରିବେ ନାହିଁ । ପର୍ବପର୍ବାଣୀ ଆଦି ସବୁ ବର୍ତ୍ତମାନ ସମୟର ଅଟେ । ସତ୍ୟଯୁଗ ତ୍ରେତାରେ କୌଣସି ପର୍ବପର୍ବାଣୀ ହୋଇ ନ ଥାଏ । ଏ ସବୁ ହେଲା ଭକ୍ତିମାର୍ଗର ।

ଏବେ ଦେଖ କୃଷ୍ଣ ଜୟନ୍ତୀ ଥିଲା । ମାଟିର କୃଷ୍ଣ ତିଆରି କରି, ତାଙ୍କର ପୂଜା କରି ପୁଣି ଯାଇ ହ୍ରଦରେ ବୁଡାଇ ଦେଇଥା’ନ୍ତି । ଏବେ ତୁମେ ଜାଣୁଛ ସେମାନେ କ’ଣ କରୁଛନ୍ତି । ଏହା ହେଉଛି ଅନ୍ଧଶ୍ରଦ୍ଧା । ତୁମେ କାହାକୁ ବୁଝାଇଲେ, ସିଏ ବୁଝିବେ ନାହିଁ । ଯଦି କାହାକୁ ବେମାର ଆଦି ହେଲା ତେବେ କହିବେ ଦେଖ ତୁମେ କୃଷ୍ଣଙ୍କର ପୂଜା ଛାଡିଦେଲ ସେଥିପାଇଁ ଏହି ଅବସ୍ଥା ହେଲା । ଏହିପରି ବହୁତ ଆଶ୍ଚର୍ଯ୍ୟ ହୋଇ ଶୁଣୁଛନ୍ତି, କହୁଛନ୍ତି ପୁଣି ପଳାଇ ଯାଉଛନ୍ତି ସେଥିପାଇଁ ବ୍ରାହ୍ମଣମାନଙ୍କର ମାଳା ତିଆରି ହୋଇପାରିବ ନାହିଁ । ଏହି ବ୍ରାହ୍ମଣ କୂଳ ଭୁଷଣ ସବୁଠାରୁ ଶ୍ରେଷ୍ଠ ଅଟନ୍ତି । କିନ୍ତୁ ସେମାନଙ୍କର ମାଳା ତିଆରି ହୋଇପାରିବ ନାହିଁ । ତୁମମାନଙ୍କ ବୁଦ୍ଧିରେ ଅଛି ଏହା ଶିବବାବାଙ୍କର ମାଳା ଅଟେ ପୁଣି ଆମେ ଯାଇ ସତ୍ୟଯୁଗରେ ବିଷ୍ଣୁଙ୍କ ମାଳାର ଦାନା ହେବୁ । ତୁମର ଗୋଟିଏ ଗୋଟିଏ ଅକ୍ଷର ଏପରି ଅଟେ ଯାହାକୁ କେହି ବୁଝିପାରିବେ ନାହିଁ । ବାବା ପାଠପଢାଇ ଚାଲିଛନ୍ତି । ବ୍ରାହ୍ମଣମାନଙ୍କର ସଂଖ୍ୟା ବୃଦ୍ଧି ହୋଇ ଚାଲିଛି । ପ୍ରଦର୍ଶନୀ ଦେଖିବାକୁ କେତେ ଆସୁଛନ୍ତି । କହୁଛନ୍ତି ମଧ୍ୟ ଆମେ ଆସି ବୁଝିବୁ ପୁଣି ଘରକୁ ଗଲା ପରେ ସବୁ କିଛି ବୁଦ୍ଧିରୁ ଭୁଲିଯାଇଥାଆନ୍ତି । ଯାହା କିଛି ଶୁଣିଥିଲେ ତାହା ସେଇଠି ରହିଗଲା । କହିଥାନ୍ତି ଯେ ଭଗବାନଙ୍କ ସହିତ ମିଶିବା ପାଇଁ ବହୁତ ଭଲ ରାସ୍ତା ବତାଉଛନ୍ତି । କିନ୍ତୁ ଆମେ ସେଥିରେ ଚାଲିବୁ, ବର୍ସା ନେବୁ ଏ କଥା ବୁଦ୍ଧିରେ ଆସୁନାହିଁ । ବ୍ରହ୍ମାକୁମାରୀମାନେ ବହୁତ ଭଲ ସେବା କରୁଛନ୍ତି । ବାସ୍‌, ଆରେ ତୁମେମାନେ ବି ବୁଝ ନା । ଶାରିରୀକ ସେବା କରିଚାଲିଛ । ଏବେ ଏହି ଆତ୍ମିକ ସେବା କର । ସମାଜର ସେବା ତ ସବୁ ମନୁଷ୍ୟମାନେ କରୁଛନ୍ତି । ମାଗଣାରେ ତ କେହି ସେବା କରୁନାହାଁନ୍ତି । ନଚେତ୍ ଖାଇବେ କେଉଁଠାରୁ । ଏବେ ତୁମେ ପିଲାମାନେ ବହୁତ ଭଲ ସେବା କରୁଛ । ଭାରତ ପାଇଁ ତୁମର ବହୁତ ଦୟା ଆସୁଛି । ଆମ ଭାରତ କ’ଣ ଥିଲା ପୁଣି ରାବଣ ଏହାକୁ କେଉଁ ଗତିକୁ ନେଇ ଆସିଛ । ବର୍ତ୍ତମାନ ଆମେ ବାବାଙ୍କର ଶ୍ରୀମତରେ ଚାଲି ନିଶ୍ଚିତ ବର୍ସା ନେବୁ ।

ଏବେ ତୁମେମାନେ ଜାଣୁଛ ଯେ ଆମେ ହେଉଛୁ ସଂଗମଯୁଗୀ, ବାକି ସମସ୍ତେ ହେଲେ କଳିଯୁଗୀ । ଆମେ ସେପାରିକୁ ଯାଉଛୁ । ଯେଉଁମାନେ ବାବାଙ୍କ ସ୍ମୃତିରେ ଭଲ ଭାବରେ ରହିବେ ସେମାନେ ଏହିପରି ବସି-ବସି ବାବାଙ୍କ ସ୍ମୃତିରେ ଶରୀର ଛାଡିଦେବେ । ବାସ୍ ପୁଣି ଆତ୍ମା ଆଉ ଏହି ପୁରୁଣା ଦୁନିଆକୁ ଫେରିବ ନାହିଁ । ବସି-ବସି ବାବାଙ୍କ ସ୍ମୃତିରେ ଶରୀର ଛାଡିଲେ । ଏଠାରେ ହଠଯୋଗ ଆଦିର କୌଣସି କଥା ନାହିଁ । ଯେପରି ଦେଖୁଛ ଧ୍ୟାନରେ ବସି-ବସି ଚାଲିଯାଉଛନ୍ତି, ସେହିପରି ତୁମେ ମଧ୍ୟ ବସି-ବସି ଏହି ଶରୀର ଛାଡି ଦେବ । ସୂକ୍ଷ୍ମବତନ ଯାଇ ପୁଣି ବାବାଙ୍କ ପାଖକୁ ଚାଲିଯିବ । ଯେଉଁମାନେ ଯୋଗର ଯାତ୍ରାରେ ରହିବାର ବହୁତ ପରିଶ୍ରମ କରିବେ ସେମାନେ ଏହିପରି ଶରୀର ଛାଡିବେ । ତାଙ୍କୁ ସାକ୍ଷାତ୍‌କାର ହୋଇଯାଇଥାଏ । ଯେପରି ଆରମ୍ଭରୁ ତୁମକୁ ବହୁତ ସାକ୍ଷାତ୍‌କାର ହୋଇଥିଲା ସେହିପରି ଶେଷ ସମୟରେ ମଧ୍ୟ ତୁମେ ବହୁତ ଦେଖିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମନ୍ଦିର ଯୋଗ୍ୟ ଅର୍ଥାତ୍ ପୂଜ୍ୟ ହେବା ପାଇଁ ଦେହ ଅଭିମାନକୁ ଛାଡିବାକୁ ହେବ । ଆତ୍ମିକ ସେବାରେ ଲାଗିଯିବାକୁ ହେବ ।

(୨) ଏବେ ଘରକୁ ଯିବାର ସମୟ, ସେଥିପାଇଁ ଯାହା ବି ହିସାବ-କିତାବ ବାକି ଅଛି, ବ୍ୟବସାୟ ଆଦିର ଚିନ୍ତା ଅଛି ସେଗୁଡିକୁ ସମାପ୍ତ କରି ଦେବାକୁ ହେବ । ଯୋଗର ଯାତ୍ରାରେ ରହିବାର ମେହନତ କରିବାକୁ ହେବ ।

ବରଦାନ:-
ସତ୍‌ସଙ୍ଗ ଦ୍ୱାରା ଆତ୍ମିକ ରଙ୍ଗ ଲଗାଉଥିବା ସଦା ହର୍ଷିତ ଏବଂ ଡବଲ ଲାଇ୍‌ଟ୍ ଭବ ।

ଯେଉଁ ପିଲାମାନେ ବାବାଙ୍କୁ ନିଜର ଦିଲ୍‌ର ସଚ୍ଚା ସାଥୀ କରିନିଅନ୍ତି ସେମାନଙ୍କୁ ପରମାତ୍ମ ସଂଗର ଆତ୍ମିକ ରଙ୍ଗ ସଦା ସର୍ବଦା ଲାଗି ରହିଥାଏ । ବୁଦ୍ଧି ଦ୍ୱାରା ସତ୍ ପିତା, ସତ୍ ଶିକ୍ଷକ ଏବଂ ସତ୍‌ଗୁରୁଙ୍କର ସଂଗ କରିବା ହିଁ ସତ୍‌ସଙ୍ଗ ଅଟେ । ଯେଉଁମାନେ ଏହି ସତସଙ୍ଗରେ ରହିଥାଆନ୍ତି ସେମାନେ ସର୍ବଦା ହର୍ଷିତ ଏବଂ ଡବଲ ଲାଇଟ୍ ସ୍ଥିତିରେ ରହିଥାଆନ୍ତି । ସେମାନଙ୍କୁ କୌଣସି ବି ପ୍ରକାରର ବୋଝର ଅନୁଭବ ହୋଇ ନ ଥାଏ । ସେମାନେ ଏପରି ଅନୁଭବ କରିଥାଆନ୍ତି ଯେପରି ସଦା ଭରପୂର ଅଛନ୍ତି । ଖୁସିର ଖଣି ମୋ ସାଥୀରେ ଅଛି । ଯାହା ସବୁ ବାବାଙ୍କର ସେଗୁଡିକ ମୋ’ର ହୋଇଗଲା ।

ସ୍ଲୋଗାନ:-
ନିଜର ମିଠା ବାଣୀ ଏବଂ ଉମଙ୍ଗ-ଉତ୍ସାହର ସହଯୋଗ ଦ୍ୱାରା ନିରାଶ ଆତ୍ମାମାନଙ୍କୁ ଶକ୍ତିଶାଳୀ କର ।

ଅବ୍ୟକ୍ତ ଈଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।

ପରୋପକାରର ଭାବନାରେ ସମ୍ପନ୍ନ ହେବା ପାଇଁ ପ୍ରତ୍ୟେକ ଆତ୍ମାର ଗୁଣକୁ ହିଁ ଦେଖ । କାହାର ଦୋଷ ଦୁର୍ବଳତା ବା ଅବଗୁଣକୁ ଦେଖୁଥିଲେ ମଧ୍ୟ ନିଜର ଶୁଭଭାବନା ଦ୍ୱାରା, ସହଯୋଗର କାମନା ଦ୍ୱାରା ସେହି ଆତ୍ମାକୁ ମଧ୍ୟ ଗୁଣବାନ କରିବାର ଶକ୍ତିର ଦାନ ଦିଅ । ନିଜର ସମୟକୁ, ସୁଖକୁ, ନାମ, ମାନ-ମର୍ଯ୍ୟାଦା ପ୍ରାପ୍ତ କରିବାର ଇଚ୍ଛାକୁ ସ୍ୱାହା କରିବା ସହିତ ନେବାର ଇଚ୍ଛାକୁ ତ୍ୟାଗ କରୁଥିବା ମହାଦାନୀ ହୁଅ, ତେବେ କୁହାଯିବ ପରୋପକାରର ଭାବନାରେ ସମ୍ପନ୍ନ ଆତ୍ମା ।