01.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ପ୍ରତ୍ୟେକ ଦିନ ବିଚାର ସାଗର ମନ୍ଥନ କର ତେବେ ଖୁସି ବଢି ଚାଲିବ, ଚାଲିବା-ବୁଲିବା ସମୟରେ ମଧ୍ୟ
ମନେ ରହୁ ଯେ ମୁଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ ।”
ପ୍ରଶ୍ନ:-
ନିଜର ଉନ୍ନତି
କରିବାର ସହଜ ସାଧନ କ’ଣ?
ଉତ୍ତର:-
ନିଜର ଉନ୍ନତି ପାଇଁ ଦୈନିକ ପୋତାମେଲ ଅର୍ଥାତ୍ ଚାର୍ଟ ରଖ । ଯାଞ୍ଚ କର - ଆଜି ସାରା ଦିନରେ କୌଣସି
ଆସୁରୀ କାମ କରିନାହିଁ ତ? ଯେପରି ବିଦ୍ୟାର୍ଥୀମାନେ ନିଜର ପାଠପଢାର ବିବରଣୀ ଖାତା ଅର୍ଥାତ୍
ରେଜିଷ୍ଟର ରଖିଥାନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ଦୈବୀଗୁଣର ରେଜିଷ୍ଟର ରଖ ତେବେ ଉନ୍ନତି
ହୋଇ ଚାଲିବ ।
ଗୀତ:-
ଦୂର ଦେଶ କେ
ରହନେ ୱାଲା.....
ଓମ୍ ଶାନ୍ତି ।
ପିଲାମାନେ ଜାଣିଛନ୍ତି ଦୂରଦେଶ କେଉଁ ସ୍ଥାନକୁ କୁହାଯାଉଛି । ଦୁନିଆରେ କେହି ଜଣେ ବି ମନୁଷ୍ୟ ଏହି
କଥା ଜାଣିନାହାଁନ୍ତି । ଭଲେ କେହି କେତେ ବି ବହୁତ ବଡ ବିଦ୍ୱାନ ବା ପଣ୍ଡିତ ହୋଇଥାନ୍ତୁ କିନ୍ତୁ
ଏହାର ଅର୍ଥ କେହି ଜାଣି ନାହାଁନ୍ତି । ତୁମେ ପିଲାମାନେ ଜାଣିଛ । ବାବା, ଯାହାଙ୍କୁ ସବୁ ମନୁଷ୍ୟ
ମାତ୍ରକେ ହେ ଭଗବାନ କହି ମନେ ପକାଉଛନ୍ତି ସେ ନିଶ୍ଚିତ ଭାବେ ଉପରେ ଅର୍ଥାତ୍ ମୂଳବତନରେ ଅଛନ୍ତି,
ଏକଥା ଆଉ କାହାକୁ ବି ଜଣା ନାହିଁ । ଏହି ଡ୍ରାମାର ରହସ୍ୟକୁ ମଧ୍ୟ ଏବେ ତୁମେ ପିଲାମାନେ ବୁଝୁଛ ।
ଆରମ୍ଭରୁ ନେଇ ଶେଷ ପର୍ଯ୍ୟନ୍ତ ଯାହା ହୋଇଯାଇଛି ଏବଂ ଯାହା ହେବାର ଅଛି, ସବୁ କିଛି ତୁମ ବୁଦ୍ଧିରେ
ଅଛି । ଏହି ସୃଷ୍ଟିଚକ୍ର କିପରି ଘୂରୁଛି ତାହା ବୁଦ୍ଧିରେ ରହିବା ଦରକାର ନା । ତୁମ
ସନ୍ତାନମାନଙ୍କ ମଧ୍ୟରେ ବି ବୁଝିବାରେ କମ୍ ବେଶି ରହିଛନ୍ତି । ବିଚାର ସାଗର ମନ୍ଥନ କରୁନାହାଁନ୍ତି
ସେଥିପାଇଁ ଖୁସିର ଅନୁଭବରେ ବୃଦ୍ଧି ହେଉନାହିଁ । ଉଠିବା-ବସିବା ସମୟରେ ବୁଦ୍ଧିରେ ରହିବା ଦରକାର
ଯେ ମୁଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ । ମୋତେ ସୃଷ୍ଟିଚକ୍ରର ଆଦିରୁ ଅନ୍ତ ପର୍ଯ୍ୟନ୍ତ ସବୁ କଥା
ଜଣାଅଛି । ତୁମେ ଏଠାରେ ବସିଥିଲେ ମଧ୍ୟ ତୁମର ମୂଳବତନ ବା ଶାନ୍ତିଧାମ କଥା ମନେ ପଡୁଛି । ତାହା
ହେଲା ସ୍ୱିଟ୍ ସାଇଲେନ୍ସ ହୋମ । ନିର୍ବାଣଧାମ, ଶାନ୍ତିଧାମ ଯେଉଁଠାରେ ଆତ୍ମାମାନେ ରହିଥାଆନ୍ତି
। ତୁମମାନଙ୍କ ବୁଦ୍ଧିରେ ଏ ସମସ୍ତ କଥା ତୁରନ୍ତ ମନେ ପଡିଯାଉଛି ଯାହାକି ଆଉ କାହାକୁ ଜଣା ନାହିଁ
। ଭଲେ କେତେ ବି ଶାସ୍ତ୍ର ଆଦି ପଢୁଛନ୍ତି ବା ଶୁଣୁଛନ୍ତି, କିନ୍ତୁ କିଛି ଲାଭ ନାହିଁ । ସେମାନେ
ସମସ୍ତେ ଉତରତୀ କଳା ଅର୍ଥାତ୍ ନିମ୍ନଗାମୀ ଅବସ୍ଥାରେ ଅଛନ୍ତି, ତୁମେ ଏବେ ଉପରକୁ ଚଢୁଛ । ଘରକୁ
ଫେରିଯିବା ପାଇଁ ନିଜେ ନିଜକୁ ପ୍ରସ୍ତୁତ କରୁଛ । ଏହି ପୁରୁଣା ବସ୍ତ୍ର ଅର୍ଥାତ୍ ଶରୀରକୁ ଛାଡି
ଆମକୁ ଘରକୁ ଯିବାକୁ ହେବ । ମନ ଭିତରେ ଖୁସି ରହୁଛି ନା! ଘରକୁ ଯିବା ପାଇଁ ଅଧାକଳ୍ପ ଭକ୍ତି କରି
ଆସିଛ । ସିଢିରେ ତଳକୁ ହିଁ ଖସିଛ । ଏବେ ବାବା ଆମକୁ ସହଜରେ ସବୁ କଥା ବୁଝାଉଛନ୍ତି । ତୁମମାନଙ୍କୁ
ଖୁସି ଲାଗିବା ଦରକାର ଯେ ସ୍ୱୟଂ ଭଗବାନ ଆମକୁ ପଢାଉଛନ୍ତି - ମନ ଭିତରେ ଏହି ଖୁସି ବହୁତ ରହିବା
ଦରକାର । ବାବା ସମ୍ମୁଖରେ ଆସି ପଢାଉଛନ୍ତି! ବାବା ଯିଏକି ସମସ୍ତଙ୍କର ପିତା ଅଟନ୍ତି ସେ ଆମକୁ
ପୁନର୍ବାର ପାଠ ପଢାଉଛନ୍ତି । ଏହିଭଳି ଅନେକ ଥର ପଢାଇଛନ୍ତି । ଯେତେବେଳେ ତୁମେ ଅଭିନୟ କରି କରି
ଚକ୍ର ପୁରା କରୁଛ ସେତେବେଳେ ବାବା ପୁଣି ଆସୁଛନ୍ତି । ବର୍ତ୍ତମାନ ତୁମେ ସ୍ୱଦର୍ଶନ ଚକ୍ରଧାରୀ ଅଟ
। ତୁମେ ବିଷ୍ଣୁପୁରୀର ଦେବତା ହେବା ପାଇଁ ପୁରୁଷାର୍ଥ କରୁଛ । ଦୁନିଆରେ ଆଉ କେହି ବି ଏହି ଜ୍ଞାନ
ଦେଇପାରିବେ ନାହିଁ । ଶିବବାବା ଆମକୁ ପଢାଉଛନ୍ତି, ଏହି ଖୁସି କେତେ ମାତ୍ରାରେ ରହିବା ଦରକାର ।
ପିଲାମାନେ ଜାଣିଛନ୍ତି ଏହି ଶାସ୍ତ୍ର ପୁରାଣ ଆଦି ସବୁ ଭକ୍ତିମାର୍ଗର ଅଟେ, ଏସବୁ ସଦ୍ଗତି ପାଇଁ
ନୁହେଁ । ଭକ୍ତିମାର୍ଗର ସାମଗ୍ରୀ ମଧ୍ୟ ଦରକାର ନା । ଭକ୍ତିମାର୍ଗର ତ ବହୁତ ସାମଗ୍ରୀ ରହିଛି ।
ବାବା କହୁଛନ୍ତି ଏହା ଦ୍ୱାରା ତୁମର ଅଧୋଗତି ହୋଇଛି । ଦୁନିଆରେ କେତେ ସ୍ଥାନରେ ଖୋଜୁଛନ୍ତି, ଏବେ
ତୁମେ ଶାନ୍ତ ହୋଇ ବସିଛ । ତୁମର ଖୋଜିବା ସବୁ ବନ୍ଦ ହୋଇଯାଇଛି । ଜାଣିଛ ଆଉ ବାକି ଅଳ୍ପ ସମୟ ଅଛି
। ଆତ୍ମାକୁ ପବିତ୍ର କରିବା ପାଇଁ ବାବା ସେହି ରାସ୍ତା ବତାଉଛନ୍ତି । କହୁଛନ୍ତି ମୋତେ ମନେ ପକାଇଲେ
ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ ଏବଂ ସତ୍ତ୍ୱପ୍ରଧାନ ଦୁନିଆକୁ ଆସି ରାଜତ୍ୱ କରିବ ।
ଏହି ରାସ୍ତା ବାବା କଳ୍ପ କଳ୍ପ ଅନେକ ଥର ଆସି ବତାଇଛନ୍ତି । ନିଜର ଅବସ୍ଥାକୁ ମଧ୍ୟ ଦେଖିବାକୁ
ପଡିବ, ବିଦ୍ୟାର୍ଥୀମାନେ ପୁରୁଷାର୍ଥ କରି ନିଜକୁ ଯୋଗ୍ୟ କରିଥା’ନ୍ତି ନା । ପାଠପଢାର ମଧ୍ୟ
ରେଜିଷ୍ଟର ଥାଏ ଏବଂ ଚାଲିଚଳନର ମଧ୍ୟ ରେଜିଷ୍ଟର ଥାଏ । ଏଠାରେ ତୁମକୁ ଦୈବୀଗୁଣ ମଧ୍ୟ ଧାରଣ
କରିବାକୁ ହେବ । ଦୈନିକ ନିଜର ଚାର୍ଟ ରଖିବା ଦ୍ୱାରା ବହୁତ ଉନ୍ନତି ହୋଇଥାଏ । ଏହାଦ୍ୱାରା ଚେକ୍
ହୋଇଯାଏ ଯେ ଆଜି ସାରା ଦିନରେ କୌଣସି ଆସୁରୀ କର୍ମ ହୋଇ ନାହିଁ ତ? ମୋତେ ତ ଦେବତା ହେବାର ଅଛି ।
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ମୁଖରେ ରଖାଯାଇଛି । କେତେ ସାଧାରଣ ଚିତ୍ର ଅଟେ । ଉପରେ
ଶିବବାବାଙ୍କର ଚିତ୍ର ରହିଛି । ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଏହି ବର୍ସା ଦେଉଛନ୍ତି, ତେଣୁ
ନିଶ୍ଚିତ ସଂଗମ ଯୁଗରେ ବ୍ରାହ୍ମଣ ବ୍ରାହ୍ମଣୀ ହୋଇଥିବେ ନା । ଦେବତାମାନେ ଥା’ନ୍ତି ସତ୍ୟଯୁଗରେ ।
ବ୍ରାହ୍ମଣ ଥା’ନ୍ତି ସଂଗମରେ । କଳିଯୁଗରେ ଶୁଦ୍ର ଅଛନ୍ତି । ବିରାଟ ରୂପର ଚିତ୍ରକୁ ମଧ୍ୟ
ବୁଦ୍ଧିରେ ଧାରଣ କର । ଏବେ ଆମେ ବ୍ରାହ୍ମଣ ଚୁଟୀ ଅର୍ଥାତ୍ ସର୍ବଶ୍ରେଷ୍ଠ ହୋଇଛୁ, ପୁଣି ଦେବତା
ହେବୁ । ବାବା ଆସି ବ୍ରାହ୍ମଣମାନଙ୍କୁ ପାଠ ପଢାଉଛନ୍ତି ଦେବତା କରିବା ପାଇଁ । ସେଥିପାଇଁ
ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ, ସେତିକି ମଧୁର ଗୁଣ ସମ୍ପନ୍ନ ମଧ୍ୟ ହେବାକୁ ପଡିବ । କାହାକୁ
ଦୁଃଖ ଦେବାର ନାହିଁ । ଯେପରି ଶରୀର ନିର୍ବାହ କରିବା ପାଇଁ ଗୃହସ୍ଥରେ ରହୁଥିବା ଆତ୍ମାଙ୍କୁ କିଛି
ନା କିଛି କର୍ମ କରିବାକୁ ପଡିଥାଏ, ସେହିପରି ଏଠାରେ ତୁମକୁ ମଧ୍ୟ ଯଜ୍ଞର ସେବା କରିବାକୁ ପଡିବ ।
ଯଜ୍ଞରେ ଯଦି କେହି ବେମାର ଅଛନ୍ତି, ସେବା କରିପାରୁ ନାହାଁନ୍ତି ତେବେ ତାଙ୍କର ମଧ୍ୟ ସେବା
କରିବାକୁ ପଡିବ । ଧରିନିଅ କେହି ବେମାର ଅଛନ୍ତି, ଶରୀର ଛାଡିଦେଲେ, ତୁମକୁ ଦୁଃଖୀ ହେବାର ବା
କାନ୍ଦିବାର କୌଣସି କଥା ନାହିଁ । ତୁମକୁ ତ ବିଲକୁଲ୍ ଶାନ୍ତିରେ ବାବାଙ୍କର ସ୍ମୃତିରେ ରହିବାକୁ
ହେବ । କୌଣସି ଶବ୍ଦ ଉଚ୍ଚାରଣ କରିବାର ନାହିଁ । ସେମାନେ ତ ଶ୍ମଶାନକୁ ନେଇଯିବା ବେଳେ ରାମ ନାମ
ସତ୍ୟ ହୈ କହି କହି ଯାଇଥାନ୍ତି । ତୁମକୁ ଏସବୁ କିଛି ବି କହିବାର ନାହିଁ । ତୁମେ ଶାନ୍ତି ଦ୍ୱାରା
ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛ । ସେମାନଙ୍କର ହେଲା ବିଜ୍ଞାନର ଶକ୍ତି, ତୁମର ହେଲା ଶାନ୍ତିର
ଶକ୍ତି ।
ତୁମେ ପିଲାମାନେ ଜ୍ଞାନ ଏବଂ ବିଜ୍ଞାନର ମଧ୍ୟ ଯଥାର୍ଥ ଅର୍ଥକୁ ଜାଣିଛ । ଜ୍ଞାନ ହେଲା ଜାଣିବା ଏବଂ
ବିଜ୍ଞାନ ହେଲା ସବୁ କିଛି ଭୁଲିଯିବା, ଏହା ଜ୍ଞାନଠାରୁ ମଧ୍ୟ ଉର୍ଦ୍ଧ୍ୱରେ । ତୁମ ପାଖରେ ଜ୍ଞାନ
ମଧ୍ୟ ଅଛି, ବିଜ୍ଞାନ ମଧ୍ୟ ଅଛି । ଆତ୍ମା ଜାଣିଛି ଯେ ମୁଁ ଶାନ୍ତିଧାମର ନିବାସୀ ଅଟେ । ପୁଣି
ସୃଷ୍ଟିର ଜ୍ଞାନ ମଧ୍ୟ ରହିଛି । ତୁମେ ରୂପ ଏବଂ ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ । ବାବା
ମଧ୍ୟ ରୂପ ବସନ୍ତ ଅଟନ୍ତି ନା । ବାବା ରୂପ ମଧ୍ୟ ଅଟନ୍ତି ଏବଂ ତାଙ୍କ ମଧ୍ୟରେ ସାରା
ସୃଷ୍ଟିଚକ୍ରର ଜ୍ଞାନ ମଧ୍ୟ ରହିଛି । ସେମାନେ ବିଜ୍ଞାନ ଭବନ ନାମ ରଖି ଦେଇଛନ୍ତି । ଅର୍ଥ କିଛି
ବି ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ବର୍ତ୍ତମାନ ସମୟରେ ବିଜ୍ଞାନ ଦ୍ୱାରା ସୁଖ ମଧ୍ୟ
ମିଳୁଛି ଏବଂ ଦୁଃଖ ମଧ୍ୟ ମିଳୁଛି । ସେଠାରେ କେବଳ ସୁଖ ହିଁ ସୁଖ ରହିଛି । ଏଠାରେ ହେଲା
ଅଳ୍ପକାଳର ସୁଖ । ବାକି ତ ଦୁଃଖ ହିଁ ଦୁଃଖ । ଘର ପରିବାରରେ ମନୁଷ୍ୟ କେତେ ଦୁଃଖୀ ହୋଇ ରହିଥାଏ ।
କେହି କେହି ଏ କଥା ମଧ୍ୟ ଭାବୁଛନ୍ତି, ମରିଯା’ନ୍ତି କି ଏହି ଦୁଃଖ ଦୁନିଆରୁ ମୁକ୍ତି ପାଇଯା’ନ୍ତି
। ତୁମେ ପିଲାମାନେ ତ ଜାଣିଛ ଯେ ବାବା ଆସିଛନ୍ତି ଆମକୁ ସ୍ୱର୍ଗବାସୀ କରିବା ପାଇଁ । କେତେ ଖୁସିରେ
ଗଦଗଦ ହେବା ଦରକାର । କଳ୍ପ କଳ୍ପ ବାବା ଆମକୁ ସ୍ୱର୍ଗବାସୀ କରିବା ପାଇଁ ଆସୁଛନ୍ତି । ତେଣୁ ଏପରି
ବାବାଙ୍କର ମତରେ ଚାଲିବା ଦରକାର ନା ।
ବାବା କହୁଛନ୍ତି ମିଠେ ବଚ୍ଚେ କାହାକୁ କେବେ ବି ଦୁଃଖ ଦିଅ ନାହିଁ । ଗୃହସ୍ଥ ବ୍ୟବହାରରେ ରହି
ପବିତ୍ର ହୁଅ । ଆମେ ଭାଇ-ଭଉଣୀ ଅଟୁ, ଏହା ହେଲା ସ୍ନେହର ସମ୍ବନ୍ଧ । ଏହାଦ୍ୱାରା ଅନ୍ୟ କୌଣସି
ଖରାପ ଦୃଷ୍ଟି ରହିପାରିବ ନାହିଁ । ପ୍ରତ୍ୟେକଙ୍କର ବେମାରୀ ଅଲଗା ଅଲଗା, ବାବା ସେହି ଅନୁସାରେ
ପରାମର୍ଶ ମଧ୍ୟ ଦେଇଥା’ନ୍ତି । କେହି କେହି ପିଲାମାନେ ପଚାରୁଛନ୍ତି ବାବା ଏପ୍ରକାରର ପରିସ୍ଥିତି
ସୃଷ୍ଟି ହେଉଛି, ଏହି ପରିସ୍ଥିତିରେ କ’ଣ କରିବୁ? ବାବା ବୁଝାଉଛନ୍ତି ଭାଇ-ଭଉଣୀଙ୍କ ମଧ୍ୟରେ
ଦୃଷ୍ଟି ଖରାପ ହେବା ଉଚିତ୍ ନୁହେଁ । କୌଣସି ପ୍ରକାରର ଝଗଡା ମଧ୍ୟ ନ ହେଉ । ମୁଁ ତୁମ
ଆତ୍ମାମାନଙ୍କର ବାବା ଅଟେ ନା । ଶିବବାବା ବ୍ରହ୍ମାଙ୍କ ଶରୀର ଦ୍ୱାରା କହୁଛନ୍ତି । ପ୍ରଜାପିତା
ବ୍ରହ୍ମା ତ ଶିବବାବାଙ୍କର ସନ୍ତାନ ହୋଇଗଲେ, ତାଙ୍କର ସାଧାରଣ ଶରୀରରେ ହିଁ ଶିବବାବା ଆସୁଛନ୍ତି
ନା । ବିଷ୍ଣୁ ତ ହେଲେ ସତ୍ୟଯୁଗୀ । ବାବା କହୁଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ନୂଆ
ଦୁନିଆ ରଚନା କରିବା ପାଇଁ ଆସିଛି । ବାବା ପଚାରୁଛନ୍ତି ତୁମେ ବିଶ୍ୱର ମହାରାଜା-ମହାରାଣୀ ହେବାକୁ
ଚାହୁଁଛ? ପିଲାମାନେ କହୁଛନ୍ତି ହଁ ବାବା, କାହିଁକି ନହେବୁ । ହଁ, ଏଥିପାଇଁ ପବିତ୍ର ରହିବାକୁ
ପଡିବ । ପିଲାମାନେ କହୁଛନ୍ତି ବାବା ଏହା ତ ମୁସକିଲ୍ ଅଟେ । ଆରେ ତୁମକୁ ବିଶ୍ୱର ମାଲିକ କରୁଛି,
ତୁମେ ପବିତ୍ର ରହିପାରିବ ନାହିଁ । ତୁମକୁ ଲଜ୍ୟା ଲାଗୁନାହିଁ? ଲୌକିକ ପିତା ମଧ୍ୟ ବୁଝାଇଥାନ୍ତି
ନା ଖରାପ କର୍ମ କର ନାହିଁ । ଏହି ବିକାର ପାଇଁ ହିଁ ବିଘ୍ନ ପଡୁଛି । ଆରମ୍ଭରୁ ନେଇ ଆଜି
ପର୍ଯ୍ୟନ୍ତ ଏଇଥିପାଇଁ ହିଁ ହଙ୍ଗାମା ହୋଇ ଆସିଛି । ବାବା କହୁଛନ୍ତି ମଧୁର ସନ୍ତାନଗଣ ବିକାର ଉପରେ
ହିଁ ବିଜୟ ପ୍ରାପ୍ତ କରିବାକୁ ହେବ । ମୁଁ ଆସିଛି ପବିତ୍ର କରିବା ପାଇଁ । ତୁମମାନଙ୍କୁ ଠିକ୍ ଭୁଲ୍,
ଭଲମନ୍ଦ ବିଚାର କରିବା ପାଇଁ ବୁଦ୍ଧି ମିଳିଛି । ଏହି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି ତୁମ ପାଠପଢାର
ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ସ୍ୱର୍ଗବାସୀ ମାନଙ୍କ ନିକଟରେ ଦୈବୀଗୁଣ ଏବଂ ନର୍କବାସୀଙ୍କ ନିକଟରେ
ଅବଗୁଣ ରହିଥାଏ । ଏବେ ରାବଣର ରାଜ୍ୟ ଚାଲିଛି, ଏକଥା ମଧ୍ୟ କେହି ବୁଝିପାରୁ ନାହାଁନ୍ତି । ରାବଣକୁ
ପ୍ରତିବର୍ଷ ଜଳାଉଛନ୍ତି । କାରଣ ଶତ୍ରୁ ଅଟେ ନା । ଜଳାଇ ହିଁ ଆସୁଛନ୍ତି କିନ୍ତୁ ବୁଝିନାହାଁନ୍ତି
ଯେ ଇଏ କିଏ? ଆମେ ସମସ୍ତେ ରାବଣ ରାଜ୍ୟର ଅଟୁ ନା ତେଣୁ ଆମେ ନିଶ୍ଚୟ ଅସୁର ହେଲୁ । କିନ୍ତୁ ନିଜକୁ
କେହି ଅସୁର ବୋଲି ଭାବୁ ନାହାଁନ୍ତି । ବହୁତ ମଧ୍ୟ କହିଥାନ୍ତି ଏହା ରାକ୍ଷସ ରାଜ୍ୟ ଅଟେ ଯଥା
ରାଜା-ରାଣୀ ତଥା ପ୍ରଜା । କିନ୍ତୁ ଏତିକି ବି ବୁଦ୍ଧି ନାହିଁ । ବାବା ଆସି ବୁଝାଉଛନ୍ତି ଯେ
ରାମରାଜ୍ୟ ଅଲଗା ଏବଂ ରାବଣ ରାଜ୍ୟ ଅଲଗା । ଏବେ ତୁମେ ସର୍ବଗୁଣ ସମ୍ପନ୍ନ ହେଉଛ । ବାବା କହୁଛନ୍ତି
ମୋର ଯେଉଁ ଭକ୍ତମାନେ ଦେବତାମାନଙ୍କ ମନ୍ଦିରକୁ ଯାଇ ପୂଜା କରୁଛନ୍ତି ସେମାନଙ୍କୁ ଜ୍ଞାନ ଶୁଣାଅ
ବାକି ନାସ୍ତିକ ମାନଙ୍କ ପାଇଁ ମୁଣ୍ଡ ଖରାପ କର ନାହିଁ । ମନ୍ଦିରମାନଙ୍କରେ ତୁମକୁ ବହୁତ ଭକ୍ତ
ମିଳିବେ । ନାଡି ମଧ୍ୟ ଦେଖିବାକୁ ହେବ ଅର୍ଥାତ୍ ମନୋଭାବକୁ ମଧ୍ୟ ନିରୀକ୍ଷଣ କରିବାକୁ ହେବ ।
ଡାକ୍ତରମାନେ ଦେଖିବା ମାତ୍ରେ କହିଦିଅନ୍ତି ଯେ ଏହାଙ୍କର ରୋଗ କ’ଣ । ଦିଲ୍ଲୀରେ ଅଜମଲ ଖାଁ ନାମକ
ଜଣେ ଏହିଭଳି ବିଖ୍ୟାତ ବୈଦ୍ୟ ଥିଲେ । ବାବା ତ ତୁମକୁ ୨୧ ଜନ୍ମ ପାଇଁ ସଦା ନିରୋଗୀ, ସଦା
ସମ୍ପତ୍ତିବାନ କରିଦେଉଛନ୍ତି । ଏଠାରେ ତ ସମସ୍ତେ ରୋଗୀ, ଅସୁସ୍ଥମାନେ ରହିଛନ୍ତି । ସେଠାରେ ତ
କେବେ ରୋଗ ହୁଏ ନାହିଁ । ତୁମେ ସଦା ସୁସ୍ଥ, ସଦା ସମ୍ପତ୍ତିବାନ ହେଉଛ । ତୁମେ ନିଜର ଯୋଗବଳ
ଦ୍ୱାରା କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରୁଛ । ତୁମକୁ ଏହି କର୍ମେନ୍ଦ୍ରିୟମାନେ କେବେ ବି
ଧୋକା ଦେଇପାରିବେ ନାହିଁ । ବାବା ବୁଝାଉଛନ୍ତି ପିଲାମାନେ ଭଲ ଭାବରେ ବାବାଙ୍କୁ ମନେ ପକାଅ,
ଦେହୀ-ଅଭିମାନୀ ହୋଇ ରୁହ ତେବେ କର୍ମେନ୍ଦ୍ରିୟଗୁଡିକ ଧୋକା ଦେବେ ନାହିଁ । ଏହିଠାରେ ହିଁ ତୁମେ
ବିକାରଗୁଡିକ ଉପରେ ବିଜୟ ପ୍ରାପ୍ତ କରୁଛ । ସେଠାରେ କାହାର କୁଦୃଷ୍ଟି ନ ଥାଏ । ରାବଣର ରାଜ୍ୟ
ହିଁ ନ ଥାଏ । ତାହା ହେଲା ହିଁ ଅହିଂସକ ଦେବୀ-ଦେବତାମାନଙ୍କର ଧର୍ମ । ଲଢେଇ ଆଦିର କୌଣସି କଥା
ହିଁ ନାହିଁ । ଏହି ଯୁଦ୍ଧ ମଧ୍ୟ ଶେଷ ଯୁଦ୍ଧ ହେବ ଯାହାଦ୍ୱାରା ସ୍ୱର୍ଗର ଦ୍ୱାର ଖୋଲିବ । ପୁଣି
କେବେ ଲଢେଇ ଲାଗିବ ହିଁ ନାହିଁ । ଏହି ଯଜ୍ଞ ମଧ୍ୟ ଶେଷ ଯଜ୍ଞ ଅଟେ । ପୁଣି ଅଧାକଳ୍ପ ପର୍ଯ୍ୟନ୍ତ
କୌଣସି ଯଜ୍ଞ ହେବ ହିଁ ନାହିଁ । ଏଥିରେ ଦୁନିଆର ସମସ୍ତ ଆବର୍ଜନା ସ୍ୱାହା ହୋଇଯାଉଛି । ଏହି
ଯଜ୍ଞରୁ ହିଁ ବିନାଶର ଜ୍ୱାଳା ବାହାରିବ ଯେଉଁଥିରେ ସାରା ଦୁନିଆ ବିନାଶ ହୋଇଯିବ । ପୁଣି
ତୁମମାନଙ୍କୁ ସାକ୍ଷାତ୍କାର ମଧ୍ୟ କରାଯାଇଛି, ସ୍ୱର୍ଗର ସୁବିରସ ଇତ୍ୟାଦି ମଧ୍ୟ ବହୁତ
ସ୍ୱାଦିଷ୍ଟ ଏବଂ ଫାଷ୍ଟକ୍ଳାସ ହୋଇଥାଏ । ସେହି ରାଜ୍ୟର ସ୍ଥାପନା ଏବେ ତୁମେମାନେ କରୁଛ ତେବେ
ତୁମକୁ କେତେ ଖୁସି ରହିବା ଦରକାର ।
ତୁମର ନାମ ମଧ୍ୟ ଶିବଶକ୍ତି ଭାରତ ମାତା ଅଟେ । ଶିବଙ୍କଠାରୁ ତୁମେ ଶକ୍ତି ନେଉଛ କେବଳ ଯୋଗବଳ
ଦ୍ୱାରା । ଏଣେ ତେଣେ ଧକ୍କା ଖାଇବାର କୌଣସି ଆବଶ୍ୟକତା ନାହିଁ । ସେମାନେ ଭାବୁଛନ୍ତି ଯେଉଁମାନେ
ଭକ୍ତି କରୁନାହାଁନ୍ତି ସେମାନେ ନାସ୍ତିକ । ତୁମେ କହୁଛ ଯେ ଯିଏ ରଚୟିତା ବାବା ଏବଂ ରଚନାକୁ
ଜାଣିନାହାଁନ୍ତି ସେମାନେ ନାସ୍ତିକ ଅଟନ୍ତି, ତୁମେମାନେ ଏବେ ଆସ୍ତିକ ହୋଇଛ । ତ୍ରିକାଳଦର୍ଶୀ
ମଧ୍ୟ ହୋଇଛ । ତିନିଲୋକ ଏବଂ ତିନି କାଳକୁ ଜାଣି ଯାଇଛ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ବାବାଙ୍କଠାରୁ
ଏହି ସମ୍ପତ୍ତି ମିଳିଛି । ଏବେ ତୁମେ ସେହିଭଳି ହେବାକୁ ଯାଉଛ । ଏହି ସବୁ କଥା ବାବା ହିଁ
ବୁଝାଉଛନ୍ତି । ଶିବବାବା ନିଜେ କହୁଛନ୍ତି ଯେ ମୁଁ ଏହାଙ୍କ ମଧ୍ୟରେ ପ୍ରବେଶ କରି ବୁଝାଉଛି ।
ନଚେତ୍ ମୁଁ ତ ନିରାକାର ଅଟେ ବୁଝାଇବି କିପରି । କ’ଣ ପ୍ରେରଣା ଦ୍ୱାରା ପାଠପଢା ଯାଏ କି? ପଢାଇବା
ପାଇଁ ତ ମୁଖ ଦରକାର ନା । ଗୋମୁଖ ତ ଇଏ ବ୍ରହ୍ମା ଅଟନ୍ତି । ଇଏ ବଡ ମମ୍ମା ଅଟନ୍ତି ନା, ମାନବ
ସମାଜର ମାତା ଅଟନ୍ତି । ବାବା କହୁଛନ୍ତି ମୁଁ ଏହାଙ୍କ ଦ୍ୱାରା ତୁମମାନଙ୍କୁ ସୃଷ୍ଟିର
ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛି, ଯୁକ୍ତି ବତାଉଛି । ଏଥିରେ ଆଶୀର୍ବାଦ କରିବାର କୌଣସି କଥା
ନାହିଁ । ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ । ତୁମକୁ ଶ୍ରୀମତ ମିଳୁଛି । ଏଥିରେ କୃପା
ଇତ୍ୟାଦିର କୌଣସି କଥା ନାହିଁ । କହୁଛନ୍ତି ବାବା ବାରମ୍ବାର ଭୁଲି ହୋଇଯାଉଛି, କୃପା କର । ଆରେ,
ବାବାଙ୍କୁ ମନେ ପକାଇବାର କାମ ତ ତୁମର । ମୁଁ କି କୃପା କରିବି । ମୋ ପାଇଁ ତ ସମସ୍ତେ ପିଲା
ଅଟନ୍ତି । କୃପା କରିବି ତ ସମସ୍ତେ ରାଜା ହୋଇଯିବେ । ପଦ ତ ପାଠପଢା ଅନୁସାରେ ପାଇବେ । ତୁମକୁ ତ
ପାଠ ପଢିବାକୁ ପଡିବ ନା । ତୁମେ ପୁରୁଷାର୍ଥ କରିଚାଲ । ପରମ ପ୍ରିୟ ବାବାଙ୍କୁ ମନେ ପକାଇବାକୁ
ହେବ । ପତିତ ଆତ୍ମା ତ ଘରକୁ ଫେରି ଯାଇପାରିବ ନାହିଁ । ବାବା କହୁଛନ୍ତି ଯେତେ ବାବାଙ୍କୁ ମନେ
ପକାଇବ ସେତେ ପବିତ୍ର ହେବ । ପବିତ୍ର ଆତ୍ମା ଏଠାରେ ରହିପାରିବ ନାହିଁ । ପବିତ୍ର ହେଲେ ପୁଣି ନୂଆ
ଶରୀର ଦରକାର । ପବିତ୍ର ଆତ୍ମାକୁ ଅପବିତ୍ର ଶରୀର ମିଳିବାର ନିୟମ ନାହିଁ । ସନ୍ନ୍ୟାସୀମାନେ ମଧ୍ୟ
ବିକାରରୁ ଜନ୍ମ ନେଇଥା’ନ୍ତି ନା । ଏହି ଦେବତାମାନେ ବିକାରରୁ ଜନ୍ମ ନେଉ ନାହାଁନ୍ତି ଯଦ୍ୱାରା
ପବିତ୍ର ହେବା ପାଇଁ ସନ୍ନ୍ୟାସ କରିବାକୁ ପଡିବ । ଏମାନେ ତ ଉଚ୍ଚ ହେଲେ ନା । ସଚ୍ଚା ସଚ୍ଚା
ମହାତ୍ମା ଏହି ଦେବତାମାନେ, ଯିଏକି ସର୍ବଦା ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି । ସେଠାରେ ରାବଣ
ରାଜ୍ୟ ନ ଥାଏ । ତାହା ସତ୍ୱପ୍ରଧାନ ରାମରାଜ୍ୟ ଅଟେ । ବାସ୍ତବରେ ରାମ ମଧ୍ୟ କହିବା ଉଚିତ୍ ନୁହେଁ,
ଇଏ ତ ଶିବବାବା ଅଟନ୍ତି ନା । ଏହାକୁ କୁହାଯାଏ ରାଜସ୍ୱ ଅଶ୍ୱମେଧ ଅବିନାଶୀ ରୁଦ୍ର ଜ୍ଞାନ ଯଜ୍ଞ ।
ରୁଦ୍ର ବା ଶିବ ଏକ ଅଟନ୍ତି । ଶ୍ରୀକୃଷ୍ଣଙ୍କର ଏଥିରେ ତ ନାମ ନାହିଁ । ଶିବବାବା ଆସି ଜ୍ଞାନ
ଶୁଣାଉଛନ୍ତି ତେଣୁ ସେମାନେ ରୁଦ୍ର ଯଜ୍ଞର ରଚନା କରିବା ସମୟରେ ମାଟିର ଶିବଲିଙ୍ଗ ଏବଂ ଶାଳଗ୍ରାମ
ତିଆରି କରିଥାନ୍ତି । ପୂଜା କରି ସାରି ପୁଣି ଭାଙ୍ଗି ଦେଇଥାନ୍ତି । ଯେପରି ବାବା ଦେବୀମାନଙ୍କର
ଉଦାହରଣ ଦିଅନ୍ତି । ଦେବୀମାନଙ୍କୁ ଶୃଙ୍ଗାର କରି, ଖୁଆଇ ପିଆଇ ପୂଜା କରି ପୁଣି ବୁଡେଇ ଦିଅନ୍ତି
। ସେହିପରି ଶିବବାବା ଏବଂ ଶାଳଗ୍ରାମମାନଙ୍କର ବଡ ସ୍ନେହରେ ଏବଂ ପବିତ୍ର ଭାବରେ ପୂଜା କରି ପୁଣି
ବିସର୍ଜନ କରି ଦିଅନ୍ତି । ଏ ହେଉଛି ସାରା ଭକ୍ତିର ବିସ୍ତାର । ଏବେ ବାବା ପିଲାମାନଙ୍କୁ
ବୁଝାଉଛନ୍ତି ଯେତିକି ବାବାଙ୍କର ସ୍ମୃତିରେ ରହିବ ସେତିକି ଖୁସିରେ ରହିବ । ପ୍ରତ୍ୟେକ ଦିନ ରାତିରେ
ନିଜର ଚାର୍ଟ ଦେଖିବା ଦରକାର । କୌଣସି ଭୂଲ୍ କରି ନାହିଁ ତ? ନିଜର କାନ ଧରିବା ଦରକାର - ବାବା ଆଜି
ମୋ ଦ୍ୱାରା ଏହି ଭୂଲ୍ ହୋଇଗଲା, କ୍ଷମା କରିଦିଅ । ବାବା କହୁଛନ୍ତି ସତ୍ୟ କଥା ଲେଖିଲେ ଅଧା ପାପ
କଟିଯିବ । ବାବା ତ ଅଛନ୍ତି ନା । ଯଦି ନିଜର କଲ୍ୟାଣ କରିବାକୁ ଚାହୁଁଛ ତେବେ ଶ୍ରୀମତରେ ଚାଲ ।
ପୋତାମେଲ ରଖିବା ଦ୍ୱାରା ବହୁତ ଉନ୍ନତି ହେବ । ଖର୍ଚ୍ଚ ତ କିଛି ନାହିଁ । ଉଚ୍ଚ ପଦ ପାଇବାର ଅଛି
ତ ମନ-ବଚନ-କର୍ମରେ କାହାରିକୁ ଦୁଃଖ ଦିଅ ନାହିଁ । କେହି କିଛି କହିଲେ ଶୁଣି ନ ଶୁଣିଲା ପରି
ରହିଯାଅ । ଏହି ମେହନତ କରିବାକୁ ହେବ । ବାବା ଆସୁଛନ୍ତି କେବଳ ତୁମ ପିଲାମାନଙ୍କର ଦୁଃଖ ଦୂର କରି
ସଦାକାଳ ସୁଖ ଦେବା ପାଇଁ । ତେଣୁ ପିଲାମାନଙ୍କୁ ମଧ୍ୟ ଏହିପରି ହେବାକୁ ପଡିବ । ସବୁଠାରୁ ଭଲ ସେବା
ମନ୍ଦିରମାନଙ୍କରେ ହେବ । ସେଠାରେ ତୁମକୁ ଆତ୍ମାମାନେ ଧର୍ମ ମନୋବୃତ୍ତିରେ ସମ୍ପନ୍ନ ମିଳିବେ ।
ପ୍ରଦର୍ଶନୀକୁ ମଧ୍ୟ ବହୁତ ଆତ୍ମା ଆସୁଛନ୍ତି । ପ୍ରୋଜେକ୍ଟର ଠାରୁ ମଧ୍ୟ ପ୍ରଦର୍ଶନୀ ଓ ମେଳା
ଇତ୍ୟାଦିରେ ଭଲ ସେବା ହେଉଛି । ମେଳାରେ ଖର୍ଚ୍ଚ ହୋଇଥାଏ, ତେଣୁ ଫାଇଦା ମଧ୍ୟ ରହିଛି ନା । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଠିକ୍-ଭୁଲ୍
ବିଚାର କରିବାର ବୁଦ୍ଧି ଦେଇଛନ୍ତି, ସେହି ବୁଦ୍ଧିର ଆଧାରରେ ଦୈବୀଗୁଣ ଧାରଣ କରିବାକୁ ହେବ ।
କାହାକୁ ବି ଦୁଃଖ ଦେବାର ନାହିଁ । ପରସ୍ପର ମଧ୍ୟରେ ଭାଇ-ଭଉଣୀର ସଚ୍ଚା ସ୍ନେହ ରହୁ, କେବେ ହେଲେ
କୁଦୃଷ୍ଟି ନ ହେଉ ।
(୨) ବାବାଙ୍କର
ପ୍ରତ୍ୟେକ ନିର୍ଦ୍ଦେଶକୁ ପାଳନ କରି ଭଲ ଭାବରେ ପାଠପଢି ନିଜ ଉପରେ ନିଜେ ହିଁ କୃପା କରିବାକୁ ହେବ
। ନିଜର ଉନ୍ନତି ପାଇଁ ଚାର୍ଟ ରଖିବାକୁ ହେବ । କେହି ଯଦି ଦୁଃଖ ଦେଲା ଭଳି କଥା କହୁଛି ତେଣୁ ଶୁଣି
ନ ଶୁଣିବା ଭଳି ରହିଯିବାକୁ ହେବ ।
ବରଦାନ:-
ଈଶ୍ୱରୀୟ
ସଭ୍ୟତାର ସଂସ୍କାର ଦ୍ୱାରା ପ୍ରତ୍ୟେକଙ୍କର ବିଶେଷତାକୁ ବର୍ଣ୍ଣନା କରୁଥିବା ପୁଣ୍ୟ ଆତ୍ମା ହୁଅ ।
ସର୍ବଦା ନିଜକୁ ବିଶେଷ
ଆତ୍ମା ମନେ କରି ପ୍ରତ୍ୟେକ ସଂକଳ୍ପ ବା କର୍ମ କରିବା ଏବଂ ପ୍ରତ୍ୟେକଙ୍କ ଭିତରେ ବିଶେଷତାକୁ
ଦେଖିବା, ତାକୁ ବର୍ଣ୍ଣନା କରିବା, ସମସ୍ତଙ୍କୁ ବିଶେଷ ଆତ୍ମା କରିବାର ଶୁଭ ଏବଂ କଲ୍ୟାଣକାରୀ
କାମନା ରଖିବା - ଏହା ହିଁ ହେଉଛି ଈଶ୍ୱରୀୟ ରାଜକୀୟତା ବା ସଭ୍ୟତା । ରାଜକୀୟ ଆତ୍ମାମାନେ
ଅନ୍ୟମାନଙ୍କ ଦ୍ୱାରା ତ୍ୟାଗ କରାଯାଉଥିବା ଜିନିଷକୁ ନିଜ ଭିତରେ ଧାରଣ କରିପାରିବେ ନାହିଁ,
ସେଥିପାଇଁ ସର୍ବଦା ଧ୍ୟାନ ରହୁ ଯେ କାହାର ଦୁର୍ବଳତା ବା ଅବଗୁଣକୁ ଦେଖିବାର ନେତ୍ର ଯେପରି ସର୍ବଦା
ବନ୍ଦ ରହେ । ତେଣୁ ପରସ୍ପରର ଗୁଣ ଗାନ କର, ସ୍ନେହ ଏବଂ ସହଯୋଗର ପୁଷ୍ପର ଆଦାନ ପ୍ରଦାନ କର, ତେବେ
ପୁଣ୍ୟ ଆତ୍ମା ପାଲଟିଯିବ ।
ସ୍ଲୋଗାନ:-
ବରଦାନର ଶକ୍ତି
ପରିସ୍ଥିତି ରୂପୀ ଅଗ୍ନିକୁ ମଧ୍ୟ ପାଣି କରିଦିଏ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
ନିରାକାରୀ ସ୍ୱରୂପର
ମୁଖ୍ୟ ଶିକ୍ଷାର ବରଦାନ ହେଲା “କର୍ମାତୀତ ଭବ” । ଆକାରୀ ସ୍ୱରୂପ ଅଥବା ଫରିସ୍ତା ସ୍ଥିତିର ବରଦାନ
ହେଲା ଡବଲ ଲାଇଟ୍ ଭବ! ଡବଲ ଲାଇଟ୍ ଅର୍ଥାତ୍ ସର୍ବ କର୍ମବନ୍ଧନଗୁଡିକରୁ ହାଲୁକା ଏବଂ ଲାଇଟ୍
ଅର୍ଥାତ୍ ସର୍ବଦା ପ୍ରକାଶମୟ ସ୍ୱରୂପରେ ସ୍ଥିତ ରହୁଥିବା ଆତ୍ମା । ଏହିଭଳି ଡବଲ ଲାଇଟ୍ ସ୍ଥିତିରେ
ସ୍ଥିତ ରହୁଥିବା ଆତ୍ମାମାନେ ସହଜରେ କର୍ମାତୀତ ସ୍ଥିତିକୁ ପ୍ରାପ୍ତ କରିପାରିବେ । ତେଣୁ ସେବା
ଭିତରେ ରହୁଥିଲେ ମଧ୍ୟ ଏବେ ଏହି ଧୁନ୍ ଲଗାଅ ଅର୍ଥାତ୍ ତୀବ୍ର ଇଚ୍ଛା ପ୍ରକଟ କର ଯେ ମୋତେ
ସମ୍ପନ୍ନ ବା କର୍ମାତୀତ ହେବାକୁ ହିଁ ପଡିବ ।