02.03.25    Avyakt Bapdada     Odia Murli    15.10.2004     Om Shanti     Madhuban


“ଜଣଙ୍କୁ ପ୍ରତ୍ୟକ୍ଷ କରିବା ପାଇଁ ଏକରସ ସ୍ଥିତିରେ ସ୍ଥିତ ହୁଅ, ସ୍ୱମାନରେ ରୁହ, ସମସ୍ତଙ୍କୁ ସମ୍ମାନ ଦିଅ”


ଆଜି ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ତିନୋଟି ଭାଗ୍ୟର ତାରକା ଚମକୁଥିବାର ଦେଖୁଛନ୍ତି । ଗୋଟିଏ ହେଲା ପରମାତ୍ମ ପାଳନାର ଭାଗ୍ୟ, ପରମାତ୍ମ ପାଠପଢ଼ାର ଭାଗ୍ୟ ଏବଂ ପରାମାତ୍ମ ବରଦାନର ଭାଗ୍ୟ । ଏହିଭଳି ତିନୋଟି ତାରକା ସମସ୍ତଙ୍କ ମସ୍ତକରେ ଦେଖୁଛନ୍ତି । କ’ଣ ତୁମେମାନେ ମଧ୍ୟ ନିଜର ଭାଗ୍ୟର ଚମକୁଥିବା ତାରକାକୁ ଦେଖୁଛ ତ? ଦେଖାଯାଉଛି ତ? ଏହିଭଳି ଶ୍ରେଷ୍ଠ ଭାଗ୍ୟର ତାରକା ସାରା ବିଶ୍ୱ ଭିତରେ ଅନ୍ୟ କାହାର ମସ୍ତକରେ ଚମକୁଥିବାର ଦେଖାଯିବ ନାହିଁ । ତେବେ ଏହି ଭାଗ୍ୟର ତାରକା ତ ସମସ୍ତଙ୍କ ମସ୍ତକରେ ଚମକୁଛି, କିନ୍ତୁ କେଉଁଠି କେଉଁଠି ଚମକରେ ଅନ୍ତର ଦେଖାଯାଉଛି । କାହାର ଚମକ ବହୁତ ଶକ୍ତିଶାଳୀ ଅଟେ ତ ଆଉ କାହାର ମଧ୍ୟମ ଧରଣର ଅଟେ । କିନ୍ତୁ ଭାଗ୍ୟ-ବିଧାତା ସମସ୍ତଙ୍କୁ ଏକାଭଳି ହିଁ ଭାଗ୍ୟ ଦେଇଛନ୍ତି । କାହାକୁ ସ୍ପେଶାଲ ଭାଗ୍ୟ ଦେଇନାହାନ୍ତି । ପାଳନା ମଧ୍ୟ ଏକାଭଳି, ପାଠପଢ଼ା ମଧ୍ୟ ସମସ୍ତଙ୍କୁ ଏକାଠି ପଢାଇଛନ୍ତି, ବରଦାନ ମଧ୍ୟ ଏକାଭଳି ସମସ୍ତଙ୍କୁ ମିଳିଛି । ସାରା ବିଶ୍ୱର କୋଣ ଅନୁକୋଣରେ ସର୍ବଦା ଗୋଟିଏ ହିଁ ପାଠ ପଢ଼ାଯାଉଛି । ଏହା ମଧ୍ୟ ଚମତ୍କାରୀ ଅଟେ ଯାହାକି ଗୋଟିଏ ହିଁ ମୁରଲୀ, ଗୋଟିଏ ତାରିଖ ଏବଂ ଅମୃତବେଳାର ସମୟ ମଧ୍ୟ ନିଜ ନିଜର ଦେଶର ସମୟ ଅନୁସାରେ ହେଲେ ମଧ୍ୟ ଗୋଟିଏ ହିଁ ଅଟେ ଏବଂ ବରଦାନ ମଧ୍ୟ ଗୋଟିଏ ହିଁ ଅଟେ । ସ୍ଲୋଗାନ ମଧ୍ୟ ଗୋଟିଏ ହିଁ ଅଟେ । ଏଥିରେ କୌଣସି ଫରକ ଅଛି କି? ଆମେରିକା ଏବଂ ଲଣ୍ଡନ ଭିତରେ କୌଣସି ଫରକ ଅଛି କି? ନାହିଁ ନା । ତେବେ ଭାଗ୍ୟର ତାରକାର ଚମକରେ ଅନ୍ତର କାହିଁକି ରହିଛି?

ଅମୃତବେଳାର ପାଳନା ମଧ୍ୟ ବାପଦାଦା ଚାରିଆଡ଼ର ପିଲାମାନଙ୍କ ପାଇଁ ଏକାଭଳି ଦେଉଛନ୍ତି । ନିରନ୍ତର ଯୋଗ କରିବାର ବିଧି ମଧ୍ୟ ସମସ୍ତଙ୍କୁ ସେହି ଗୋଟିଏ ହିଁ ମିଳିଛି, ପୁଣି ବି କ୍ରମାନ୍ୱୟ କାହିଁକି ହେଉଛି? ଯଦି ବିଧି ଗୋଟିଏ ତେବେ ସିଦ୍ଧି ପ୍ରାପ୍ତିରେ ଅନ୍ତର କାହିଁକି ରହୁଛି? ବାପଦାଦାଙ୍କର ଚାରିଆଡ଼ର ପିଲାମାନଙ୍କ ପ୍ରତି ସ୍ନେହ ମଧ୍ୟ ଏକାଭଳି ହିଁ ଅଟେ । ପୁରୁଷାର୍ଥ ହିସାବରେ ଶେଷ ନମ୍ବରରେ ରହିଥିବା ପିଲା ପ୍ରତି ମଧ୍ୟ ସ୍ନେହ ସମାନ ହିଁ ଅଟେ, ବରଂ ଶେଷ ନମ୍ବର ବାଲା ପ୍ରତି ସ୍ନେହ ସହିତ ଦୟାର ଭାବନା ମଧ୍ୟ ରହିଛି ଯେ ଏହି ଲାଷ୍ଟ ନମ୍ବର ପିଲାଟି ଫାଷ୍ଟ ଅର୍ଥାତ ତୀବ୍ର ପୁରୁଷାର୍ଥ କରି ଫାଷ୍ଟ ନମ୍ବର ଅର୍ଥାତ୍ ପ୍ରଥମ ନମ୍ବରରେ ଆସିଯାଉ । ତେବେ ତୁମେମାନେ ମଧ୍ୟ ଦୂର ଦୂରାନ୍ତରୁ ଆସି ଯେଉଁମାନେ ଏଠାରେ ପହଂଚିଯାଇଛ, କିପରି ପହଂଚିଛ? ପରମାତ୍ମ ସ୍ନେହ ତୁମମାନଙ୍କୁ ଟାଣି ଆଣିଛିନା! ସ୍ନେହର ଡୋରୀରେ ଟାଣି ହୋଇ ଆସିଯାଇଛ । ତେଣୁ ବାପଦାଦାଙ୍କର ସମସ୍ତଙ୍କ ସହିତ ସ୍ନେହ ରହିଛି । ସମସ୍ତେ ଏହିଭଳି ଭାବୁଛ, ନା ମନ ଭିତରେ ପ୍ରଶ୍ନ ଉଠୁଛି ମୋ ପ୍ରତି ସମାନ ସ୍ନେହ ଅଛି ନା କମ୍ ଅଛି? ବାପଦାଦାଙ୍କର ସ୍ନେହ ପ୍ରତ୍ୟେକ ସନ୍ତାନ ପ୍ରତି ପରସ୍ପରଠାରୁ ଅଧିକ ଅଟେ ଏବଂ ଏହି ପରମାତ୍ମ ସ୍ନେହ ହିଁ ସବୁ ପିଲାଙ୍କର ବିଶେଷ ପାଳନାର ଆଧାର ଅଟେ । ଏମିତି ତ ସମସ୍ତେ ଭାବୁଛ ବାପଦାଦାଙ୍କ ପ୍ରତି ମୋର ବହୁତ ସ୍ନେହ ଅଛି, ନା ଅନ୍ୟମାନଙ୍କର ସ୍ନେହ ଅଧିକ ଅଟେ, ମୋ’ର କମ୍‌? ଏହିଭଳି ଭାବୁଛ କି? ମୋ’ର ବହୁତ ସ୍ନେହ ଅଛି, ଭାବୁଛ ନା? ଏହା ଠିକ୍ କଥା ନା? କ’ଣ ପାଣ୍ଡବମାନେ ଏହା ଠିକ୍ କଥା ନା? ସମସ୍ତେ କହୁଛ “ମେରା ବାବା”, ଏମିତି ତ କହୁନାହଁ ଯେ ସେଣ୍ଟର ଇନ୍‌ଚାର୍ଜଙ୍କର ବାବା, ଦାଦୀଙ୍କର ବାବା, ଜାନକୀ ଦାଦୀଙ୍କର ବାବା, କହୁଛ କି? ନାହିଁ ନା । ମେରା ବାବା କହୁଛ । ଯଦି ତୁମେ ମୋ’ର ବାବା ବୋଲି କହିଲ ଏବଂ ବାବା ମଧ୍ୟ କହିଲେ ମୋ’ର ସନ୍ତାନ ତେବେ ସେହି ଗୋଟିଏ ମୋ’ର ଶବ୍ଦରେ ହିଁ ପିଲାମାନେ ବାବାଙ୍କର ହୋଇଗଲେ ଏବଂ ବାବା ପିଲାମାନଙ୍କର ହୋଇଗଲେ । କୌଣସି ମେହନତ ଲାଗିଲା କି? ଲାଗିଲା ମେହନତ୍‌? କିଛି କିଛି ଲାଗିଲା କି? ନାହିଁ ନା? କେବେ କେବେ ତ ଲାଗୁଛି ନା? କ’ଣ ମେହନତ ଲାଗୁଛି ନା ନାହିଁ? ଲାଗୁଛି । ତେବେ ମେହନତ ଲାଗିଲେ ପୁଣି କ’ଣ କରୁଛ? ଥକି ଯାଉଛ କି? ଯଦି ଦିଲର ସହିତ ଅତି ସ୍ନେହର ସହିତ କହିବ “ମେରା ବାବା” ତେବେ ମେହନତ୍ ମୋହବତ୍‌ରେ ପରିବର୍ତ୍ତିତ ହୋଇଯିବ । ତେବେ ତୁମେମାନେ ମେରା ବାବା କହିବା ମାତ୍ରେ ହିଁ ବାବାଙ୍କ ପାଖରେ ତୁମର ଶବ୍ଦ ପହଂଚି ଯାଉଛି ଏବଂ ବାବା ମଧ୍ୟ ଅତିରିକ୍ତ ସାହାଯ୍ୟ ଦେଉଛନ୍ତି । କିନ୍ତୁ ଏହା ଦିଲର ସଉଦା ଅଟେ, ମୁଖର ସଉଦା ନୁହେଁ । ଦିଲ୍‌ର ସଉଦା । ତେବେ ଏହି ଦିଲ୍‌ର ସଉଦା କରିବାରେ ତ ସମସ୍ତେ ବୁଦ୍ଧିମାନ ଅଟ ନା? ଜଣାଅଛି ନା? କ’ଣ ପଛବାଲାଙ୍କୁ ଜଣାଅଛି? ସେଥିପାଇଁ ତ ପହଂଚିଯାଇଛ ନା । କିନ୍ତୁ ସବୁଠାରୁ ଦୂର ଦେଶବାଲା କିଏ? କ’ଣ ଆମେରିକା? ସବୁଠାରୁ ଦୂରଦେଶୀ ତ ବାପଦାଦା ଅଟନ୍ତି । ଜଣେ ଆକାରୀ ବତନରୁ ଆସୁଛନ୍ତି, ଆଉ ଜଣେ ପରମଧାମରୁ ଆସୁଛନ୍ତି, ତେବେ ଆମେରିକା କ’ଣ ଏହାଠାରୁ ଆଗକୁ ଅଛି କି? ଆଉ କିଛି ବି ନାହିଁ ।

ତେବେ ଦୂରଦେଶୀ ପିତା ଏହି ସାକାର ଦୁନିଆର ଦୂରଦେଶୀ ପିଲାମାନଙ୍କ ସହିତ ମିଶୁଛନ୍ତି । ଏହି ନିଶା ତ ଅଛି ନା? ଆଜି ଆମ ପାଇଁ ବାପଦାଦା ଆସିଛନ୍ତି! ଭାରତବାସୀ ତ ବାବାଙ୍କର ହିଁ ଅଟନ୍ତି କିନ୍ତୁ ଡବଲ ବିଦେଶୀମାନଙ୍କୁ ଦେଖି ବାପଦାଦା ବିଶେଷ ଖୁସି ହେଉଛନ୍ତି । କାହିଁକି ଜାଣିଛ? ବାପଦାଦା ଦେଖୁଛନ୍ତି ଯେ ଭାରତରେ ତ ବାବା ଆସିଛନ୍ତି ସେଥିପାଇଁ ଭାରତବାସୀ ପିଲାମାନଙ୍କ ଭିତରେ ଏହାର ଅତିରିକ୍ତ ନିଶା ବା ଖୁସି ରହିଛି କିନ୍ତୁ ଡବଲ ବିଦେଶୀମାନଙ୍କ ସହିତ ସ୍ନେହ ଏଥିପାଇଁ ରହିଛି ଯେ ଭିନ୍ନ ଭିନ୍ନ ସଂସ୍କୃତିର ବା ଧର୍ମର ହୋଇ ମଧ୍ୟ ବ୍ରାହ୍ମଣ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି । ହୋଇଯାଇଛ ନା? ଏବେ ଆଉ ଏଭଳି ସଂକଳ୍ପ ଆସୁନାହିଁ ତ - ଏହା ଭାରତୀୟ କଲଚର୍ ଅର୍ଥାତ୍ ସଂସ୍କୃତି ଅଟେ, ଆମର କଲ୍‌ଚର୍ ଆମର ପରମ୍ପରା ତ ଭିନ୍ନ ଅଟେ? ନା । ଏବେ ବାପଦାଦା ଫଳାଫଳ ରୂପରେ ଦେଖୁଛନ୍ତି ଯେ ସମସ୍ତେ ଗୋଟିଏ କଲ୍‌ଚର୍‌ର ହୋଇଯାଇଛନ୍ତି । ଚାହେଁ ଯେଉଁ ଦେଶର ବି ହୋଇଥା’ନ୍ତୁ ନା କାହିଁକି, ସାକାର ଶରୀର ପାଇଁ ଦେଶ ଭିନ୍ନ ଭିନ୍ନ ଅଟେ କିନ୍ତୁ ଆତ୍ମା ବ୍ରାହ୍ମଣ କଲ୍‌ଚର୍‌ର ଅଟେ । ଆଉ ଗୋଟିଏ କଥା ଡବଲ ବିଦେଶୀମାନଙ୍କର ବାପଦାଦାଙ୍କୁ ବହୁତ ଭଲ ଲାଗେ, ଜାଣିଛ ତାହା କ’ଣ? (ଅତି ଶୀଘ୍ର ସେବାରେ ଲାଗିଯାଇଥା’ନ୍ତି) ଆଉ କ’ଣ କୁହ? (ଚାକିରୀ ମଧ୍ୟ କରୁଛନ୍ତି, ସେବା ମଧ୍ୟ କରୁଛନ୍ତି) ଏମିତି ତ ଭାରତରେ ମଧ୍ୟ କରୁଛନ୍ତି । ଭାରତରେ ମଧ୍ୟ ପିଲାମାନେ ଚାକିରୀ କରୁଛନ୍ତି । (ଯାହା ବି ହୋଇଯାଉ ସତ୍ୟତା ପୂର୍ବକ ନିଜର ଦୁର୍ବଳତାକୁ ଶୁଣାଇ ଦିଅନ୍ତି, ସ୍ପଷ୍ଟବାଦୀ ଅଟନ୍ତି) ଆଚ୍ଛା, ତେବେ କ’ଣ ଭାରତବାସୀ ସ୍ପଷ୍ଟବାଦୀ ନୁହନ୍ତି? ବାପଦାଦା ଏହି କଥା ଦେଖିଛନ୍ତି ଯେ ଯେତେ ଦୂରରେ ରହୁଥିଲେ ମଧ୍ୟ ବାବାଙ୍କର ସ୍ନେହ ଥିବା କାରଣରୁ ସ୍ନେହରେ ଅଧିକାଂଶ ପିଲା ପାସ୍ ଅଟନ୍ତି । ଏହାର ତ ଭାରତବାସୀଙ୍କର ନିଶ୍ଚିତ ସୌଭାଗ୍ୟ ଅଟେ କିନ୍ତୁ ସେମାନେ ଦୂରରେ ରହୁଥିଲେ ମଧ୍ୟ ସ୍ନେହରେ ସମସ୍ତେ ପାସ୍ ହୋଇଯାଇଛନ୍ତି । ଯଦି ବାପଦାଦା ପଚାରିବେ ତେବେ ସ୍ନେହରେ କୌଣସି କମୀ ବେଶୀ ଅଛି କି? ବାବାଙ୍କ ପ୍ରତି ସ୍ନେହର ବିଷୟ ଉପରେ ଶତକଡ଼ାର ହିସାବ ଅଛି କି? ଯେଉଁମାନେ ଭାବୁଛନ୍ତି ସ୍ନେହରେ ୧୦୦ ପ୍ରତିଶତ ଅଟନ୍ତି ସେମାନେ ହାତ ଉଠାଅ । (ସମସ୍ତେ ହାତ ଉଠାଇଲେ) ଆଚ୍ଛା - ୧୦୦ ପ୍ରତିଶତ ସ୍ନେହ ଅଛି ତ? ଭାରତବାସୀ ଉଠାଇ ନାହାନ୍ତି କି? ଦେଖ ଭାରତକୁ ତ ସବୁଠାରୁ ବଡ଼ ଭାଗ୍ୟ ମିଳିଛି ଯାହାକି ବାବା ଭାରତକୁ ହିଁ ଆସିଛନ୍ତି । ଏଥିରେ ବାବାଙ୍କୁ ଆମେରିକା ପସନ୍ଦ ଆସିଲା ନାହିଁ କିନ୍ତୁ ଭାରତ ପସନ୍ଦ ଆସିଲା ଇଏ (ଆମେରିକାର ଗାୟତ୍ରୀ ଭଉଣୀ) ସମ୍ମୁଖରେ ବସିଛି ନା ତେଣୁ ଆମେରିକାର ନାମ କୁହାଯାଉଛି । କିନ୍ତୁ ଦୂରରେ ରହିଥିଲେ ମଧ୍ୟ ସ୍ନେହ ବହୁତ ଅଧିକ । ଯଦିଓ ସମସ୍ୟା ଆସୁଛି ପୁଣି ବି ବାବା, ବାବା କହି ସମସ୍ୟାକୁ ସମାପ୍ତ କରି ଦେଉଛନ୍ତି । ତେବେ ସ୍ନେହ ବିଷୟରେ ତ ବାପଦାଦା ମଧ୍ୟ ପାସ୍ କରିଦେଲେ କିନ୍ତୁ ଏବେ ଆଉ କେଉଁଥିରେ ପାସ୍ ହେବାର ଅଛି? ହେବାର ତ ଅଛି ନା! ଅଟ ମଧ୍ୟ ଏବଂ ହେବ ମଧ୍ୟ । ତେବେ ବର୍ତ୍ତମାନର ସମୟ ଅନୁସାରେ ବାପଦାଦା ଏହିକଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଭିତରେ ସ୍ୱ-ପରିବର୍ତ୍ତନର ଶକ୍ତିର ମାତ୍ରା, ଯେପରି ସ୍ନେହର ଶକ୍ତିରେ ହାତ ଉଠାଇଥିଲ, ସମସ୍ତେ ହାତ ଉଠାଇଥିଲ ନା, ତେବେ ସେତିକି ତୀବ୍ରଗତି ସ୍ୱ-ପରିବର୍ତ୍ତନରେ ଅଛି ତ? ଏଥିରେ ଅଧା ହାତ ଉଠିବ, ନା ପୂରା ଉଠିବ? କ’ଣ ଉଠିବ? ପରିବର୍ତ୍ତନ ମଧ୍ୟ କରୁଛ କିନ୍ତୁ ସମୟ ଲାଗୁଛି । ତେବେ ସମୟର ସମୀପତା ଅନୁସାରେ ସ୍ୱ-ପରିବର୍ତ୍ତନର ଶକ୍ତି ଏଭଳି ତୀବ୍ର ହେବା ଦରକାର ଯେପରି କାଗଜ ଉପରେ ବିନ୍ଦୁ ଲଗାଇବା ପାଇଁ କେତେ ସମୟ ଲାଗୁଛି? କେତେ ସମୟ ଲାଗୁଛି? ଗୋଟିଏ ସେକେଣ୍ଡ ବି ନୁହେଁ । ଠିକ୍ ଅଛି ନା! ତେବେ ଏହିଭଳି ତୀବ୍ରଗତି ଅଛି ତ? କ’ଣ ଏଥିରେ ହାତ ଉଠାଇବା ପାଇଁ କହିବା? ଏଥିରେ ଅଧା ହାତ ଉଠିବ । ଯେହେତୁ ସମୟର ଗତି ବହୁତ ତୀବ୍ର ଅଟେ ତେଣୁ ସ୍ୱ-ପରିବର୍ତ୍ତନର ଶକ୍ତି ମଧ୍ୟ ସେତିକି ତୀବ୍ର ହେବା ଦରକାର । ତେଣୁ ଯେତେବେଳେ ପରିବର୍ତ୍ତନ ଶବ୍ଦ କହୁଛ ସେଥିରେ ପରିବର୍ତ୍ତନ ପୂର୍ବରୁ ପ୍ରଥମେ ସ୍ୱ ଶବ୍ଦକୁ ସର୍ବଦା ମନେ ରଖିଥାଅ । କେବଳ ପରିବର୍ତ୍ତନ ନୁହେଁ ସ୍ୱ-ପରିବର୍ତ୍ତନ । ବାପଦାଦାଙ୍କର ମନେ ଅଛି ଯେ ପିଲାମାନେ ଗୋଟିଏ ବର୍ଷ ପାଇଁ ବାପଦାଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସଂସ୍କାର ପରିବର୍ତ୍ତନ ଦ୍ୱାରା ସଂସାର ପରିବର୍ତ୍ତନ କରିବୁ । ମନେ ଅଛି ତ? ସଂସ୍କାର ପରିବର୍ତ୍ତନ ଦ୍ୱାରା ସଂସାର ପରିବର୍ତ୍ତନ କରିବାର ବର୍ଷ ମଧ୍ୟ ପାଳନ କରିଛ । ତେବେ ସଂସାରର ଗତି ତ ଅତି ଆଡ଼କୁ ଯାଉଛି କିନ୍ତୁ ସଂସ୍କାର ପରିବର୍ତ୍ତନର ଗତି ସେତିକି ତୀବ୍ର ବେଗୀ ଅଟେ ତ? ଏମିତି ତ ବିଦେଶର ବିଶେଷତା ହେଲା, ସାଧାରଣ ରୀତିରେ ମଧ୍ୟ ବିଦେଶ ତୀବ୍ର ଗତିରେ ଚାଲେ ଏବଂ ତୀବ୍ର ଗତିରେ କାର୍ଯ୍ୟ କରେ । ତେଣୁ ବାବା ପଚାରୁଛନ୍ତି ଯେ ସଂସ୍କାର ପରିବର୍ତ୍ତନ କରିବାରେ ତୀବ୍ରଗତି ଅଛି ତ? ତେଣୁ ବାପଦାଦା ସ୍ୱ-ପରିବର୍ତ୍ତନର ଗତି ଏବେ ତୀବ୍ର ଦେଖିବାକୁ ଚାହୁଁଛନ୍ତି । ସମସ୍ତେ ପଚାରୁଛ ନା ! ବାପଦାଦା କ’ଣ ଚାହୁଁଛନ୍ତି? ପରସ୍ପର ଭିତରେ ଆଲୋଚନା କରୁଛ ନା, କ’ଣ ପରସ୍ପରକୁ ପଚାରୁଛ ବାପଦାଦା କ’ଣ ଚାହୁଁଛନ୍ତି? ତେବେ ବାପଦାଦା ଏହି କଥା ଚାହୁଁଛନ୍ତି । ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ଲାଗିଯାଉ । ଯେପରି କାଗଜ ଉପରେ ବିନ୍ଦୁ ଲାଗିଯାଉଛି ନା, ତା’ଠାରୁ ମଧ୍ୟ ଆହୁରି ଶୀଘ୍ର । ପରିବର୍ତ୍ତନ କ୍ଷେତ୍ରରେ ଯାହା ଅଯଥାର୍ଥ ଅଟେ ସେଥିରେ ବିନ୍ଦୁ ଲାଗିଯାଉ । କ’ଣ ବିନ୍ଦୁ ଲଗାଇବା ଜଣାଅଛି ତ? ଜଣା ତ ଅଛି ନା! କିନ୍ତୁ କେବେ କେବେ ପ୍ରଶ୍ନବାଚକ ଚିହ୍ନ ଲାଗିଯାଉଛି । ଲଗାଉଛ ବିନ୍ଦୁ କିନ୍ତୁ ହୋଇଯାଉଛି ପ୍ରଶ୍ନବାଚକ ଚିହ୍ନ । ଏସବୁ କ’ଣ, ଏସବୁ କାହିଁକି ..... ଏହି କାହିଁକି ଏବଂ କ’ଣ ବିନ୍ଦୁକୁ ପ୍ରଶ୍ନବାଚକରେ ପରିବର୍ତ୍ତନ କରିଦେଉଛି । ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି - ହ୍ୱାଇ-ହ୍ୱାଇ ଅର୍ଥାତ୍ କ’ଣ କ’ଣ କର ନାହିଁ, ତେବେ କ’ଣ କରିବ? ଫ୍ଲାଏ କର ଅର୍ଥାତ୍ ଉଡ଼, ନଚେତ୍ ବାଃ ବାଃ କର କିନ୍ତୁ ହ୍ୱାଇ-ହ୍ୱାଇ କରନାହିଁ । କିନ୍ତୁ ହ୍ୱାଇ-ହ୍ୱାଇ କରିବା ଶୀଘ୍ର ଆସି ଯାଉଛି ନା! କ’ଣ ଠିକ୍ କଥା ନା? ତେଣୁ ଯେତେବେଳେ ହ୍ୱାଇ ଶବ୍ଦ ଆସୁଛି ତାକୁ ବାଃ-ବାଃ କରିଦିଅ । ଯିଏ ବି ଯାହା କରୁ ବା କିଛି କହୁ, ତୁମେ କୁହ ବାଃ ଡ୍ରାମା ବାଃ । ଇଏ କାହିଁକି କହିଲା, ଇଏ କାହିଁକି କରିଲା, ନା । ଇଏ କରିଲେ ଯାଇ ମୁଁ କରିବି, ନା ।

ଆଜିକାଲି ବାପଦାଦା ଦେଖୁଛନ୍ତି, ଶୁଣାଇ ଦେବା? ପରିବର୍ତ୍ତନ କରିବାର ଅଛି ନା! ତେବେ ଆଜିକାଲି ଚାହେଁ ଭାରତ ହେଉ ବା ବିଦେଶ ହେଉ ଉଭୟ ପଟେ ଗୋଟିଏ ପ୍ରକାରର କଥାର ଲହର ଦେଖାଯାଉଛି, ଜାଣିଛ ତାହା କ’ଣ? ଏହା ହେବା ଉଚିତ୍‌, ଏହା ମିଳିବା ଉଚିତ୍‌, ଇଏ ଏହିଭଳି କରିବା ଉଚିତ୍‌....... ମୁଁ ଯାହା କହୁଛି ବା ଭାବୁଛି ତାହା ହିଁ ହେବା ଉଚିତ୍ ..... । ତେବେ ଏହା ହେବା ଉଚିତ୍‌, ତାହା ହେବା ଉଚିତ୍‌... ଏହିଭଳି ସଂକଳ୍ପ ଯଦି ମନ ଭିତରେ ମଧ୍ୟ ରହିଥିବ ତେବେ ଏହି ବ୍ୟର୍ଥ ବିଚାର କେବେ ବି ଭଲ ହେବା ପାଇଁ ଦେବ ନାହିଁ । ତେଣୁ ବାପଦାଦା ମଧ୍ୟ ସମସ୍ତଙ୍କର ଅଳ୍ପ ସମୟର ବ୍ୟର୍ଥ ସଂକଳ୍ପର ଚାର୍ଟକୁ ନୋଟ୍ କରିଛନ୍ତି ଏବଂ ଚେକ୍ କରିଛନ୍ତି । ବାପଦାଦାଙ୍କ ପାଖରେ ତ ଶକ୍ତିଶାଳୀ ଯନ୍ତ୍ରପାତି ଅଛି ନା । ତୁମମାନଙ୍କର କମ୍ପ୍ୟୁଟର ଭଳି ନାହିଁ କାହିଁକିନା ତୁମ କମ୍ପ୍ୟୁଟର ତ ଗାଳି ବି ଦେଉଛି, କିନ୍ତୁ ବାପଦାଦାଙ୍କ ପାଖରେ ଚେକିଂ ମେଶିନାରୀ ବହୁତ କ୍ଷୀପ୍ରଗତି ବାଲା ରହିଛି । ତେଣୁ ବାପଦାଦା ଦେଖିଲେ ଯେ ଅଧିକାଂଶ ପିଲାଙ୍କର ବ୍ୟର୍ଥ ସଂକଳ୍ପ ସାରା ଦିନ ଭିତରେ ମଝିରେ ମଝିରେ ଚାଲୁଛି । ତେବେ କଥା କ’ଣ କି ଏହି ବ୍ୟର୍ଥ ସଂକଳ୍ପର ଓଜନ ଟିକିଏ ଭାରୀ ଅଟେ ଏବଂ ସମର୍ଥ ସଂକଳ୍ପର ଓଜନ ତା’ଠାରୁ କମ୍ । ତେଣୁ ମଝିରେ ମଝିରେ ଯେଉଁ ସବୁ ବ୍ୟର୍ଥ ସଂକଳ୍ପ ଚାଲୁଛି ସେଗୁଡ଼ିକ ବୁଦ୍ଧିକୁ ଭାରୀ କରିଦେଉଛି, ପୁରୁଷାର୍ଥକୁ ମଧ୍ୟ ଭାରୀ କରିଦେଉଛି । ଯେହେତୁ ବୋଝ ଅଟେ ତେଣୁ ନିଜ ଆଡ଼କୁ ଟାଣି ନେଉଛି ସେଥିପାଇଁ ଶୁଭ-ସଂକଳ୍ପ ଯାହାକି ସ୍ୱ-ଉନ୍ନତିର ଲିଫ୍ଟ ଅଟେ, ସିଢ଼ି ବି ନୁହେଁ ଲିଫ୍ଟ ଅଟେ ତାହା କମ୍ ହୋଇଯିବା କାରଣରୁ ମେହନତର ସିଢ଼ି ଚଢ଼ିବାକୁ ପଡ଼ୁଛି । ତେଣୁ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିବା ପାଇଁ ଅମୃତବେଳା ଠାରୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ କେବଳ ଦୁଇଟି ଶବ୍ଦକୁ ମନେ ପକାଅ ଏବଂ ତା’କୁ ସଂକଳ୍ପରେ, ବାଣୀରେ ଏବଂ କର୍ମରେ କାର୍ଯ୍ୟକାରୀ କର । ବାସ୍ତବିକ ରୂପରେ କାମରେ ଲଗାଅ । ସେହି ଦୁଇଟି ଶବ୍ଦ ହେଲା - ସ୍ୱମାନ ଏବଂ ସମ୍ମାନ । ସ୍ୱମାନରେ ରହିବାର ଅଛି ଏବଂ ସମ୍ମାନ ଦେବାର ଅଛି । ଯିଏ ଯେମିତି ବି ହୋଇଥାଉ କିନ୍ତୁ ମୋତେ ସମ୍ମାନ ଦେବାର ଅଛି । ସମ୍ମାନ ଦେବା ଏବଂ ସ୍ୱମାନରେ ସ୍ଥିତ ହେବା । ଦୁଇଟିଯାକର ସନ୍ତୁଳନ ଦରକାର । କେତେ ବେଳେ ସ୍ୱମାନରେ ଅଧିକ ରହୁଛ କିନ୍ତୁ ସମ୍ମାନ ଦେବାରେ କମୀ ରହିଯାଉଛି । ଏମିତି ବି ନୁହେଁ ଯେ କେହି ସମ୍ମାନ ଦେଲେ ଯାଇ ମୁଁ ଦେବି, ନା । ମୋତେ ଦାତା ହେବାର ଅଛି । ଶିବଶକ୍ତି ପାଣ୍ଡବ ସେନା ଦାତାଙ୍କର ସନ୍ତାନ ଦାତା ଅଟନ୍ତି । ସିଏ ଦେଲେ ଯାଇ ମୁଁ ଦେବି, ଏହା ତ ବ୍ୟବସାୟ ହୋଇଗଲା, ଦାତା ହେଲା ନାହିଁ । ତେଣୁ ତୁମେମାନେ ବ୍ୟବସାୟୀ ଅଟ ନା, ଦାତା ଅଟ? ଦାତା କେବେହେଲେ ନେବତା ହେବ ନାହିଁ । ନିଜର ବୃତ୍ତିରେ ଏବଂ ଦୃଷ୍ଟିରେ ଏହି ଲକ୍ଷ୍ୟ ରଖ ଯେ ମୋତେ, ଅନ୍ୟମାନଙ୍କୁ ନୁହେଁ, ମୋତେ ସର୍ବଦା ସମସ୍ତଙ୍କ ପ୍ରତି, ଚାହେଁ ଅଜ୍ଞାନୀ ହୋଇଥାଉ, ଚାହେଁ ଜ୍ଞାନୀ ହୋଇଥାଉ ସମସ୍ତଙ୍କ ପ୍ରତି, ଅଜ୍ଞାନୀ ଆତ୍ମାଙ୍କ ପ୍ରତି ପୁଣି ବି ଶୁଭଭାବନା ରଖୁଛ କିନ୍ତୁ ଜ୍ଞାନୀ ତୁ ଆତ୍ମାଙ୍କ ପ୍ରତି ପରସ୍ପର ଭିତରେ ସବୁ ସମୟରେ ଶୁଭଭାବନା, ଶୁଭକାମନା ରହୁ । ନିଜର ଦୃଷ୍ଟି ଏବଂ ବୃତି ଏହିଭଳି ହୋଇଯାଉ । ବାସ୍ ଦୃଷ୍ଟିରେ ଯେପରି ସ୍ଥୂଳ ବିନ୍ଦୁ ରହିଛି, ବିନ୍ଦୁ କେବେ ଲୁଚିଯାଉଛି କି! ଆଖି ଭିତରୁ ଯଦି ବିନ୍ଦୁ ଚାଲିଯିବ ତେବେ କ’ଣ ହୋଇଯିବ? ଦେଖିପାରିବ? ତେବେ ଯେପରି ଆଖି ଭିତରେ ବିନ୍ଦୁ ସମାହିତ ଅଟେ ସେହିପରି ଆତ୍ମା ବିନ୍ଦୁ ଏବଂ ବାବା ବିନ୍ଦୁ ମଧ୍ୟ ତୁମ ନୟନରେ ସମାହିତ ହୋଇ ରହିଥା’ନ୍ତୁ । ଯେପରି ଦେଖିବାବାଲା ବିନ୍ଦୁ କେବେବି ଅଲଗା ହେଉନାହିଁ ସେହିପରି ଆତ୍ମା ଭିତରେ ବାବାଙ୍କର ସ୍ମୃତିରୂପକ ବିନ୍ଦୁ ସ୍ମୃତି ପଟଳରୁ, ଦୃଷ୍ଟିରୁ କେବେବି ଦୂରେଇ ନଯାଉ । ଫଲୋ ଫାଦର କରିବାର ଅଛି ନା! ତେବେ ବାବାଙ୍କର ଦୃଷ୍ଟିରେ ବା ବୃତିରେ ଯେପରି ପ୍ରତ୍ୟେକ ସନ୍ତାନ ପାଇଁ ସ୍ୱମାନ ରହିଛି ଏବଂ ସମ୍ମାନ ରହିଛି ସେହିପରି ନିଜର ଦୃଷ୍ଟିରେ ଏବଂ ବୃତ୍ତିରେ ସ୍ୱମାନ ତଥା ସମ୍ମାନ ରହୁ । ସମ୍ମାନ ଦେବା ଦ୍ୱାରା ତୁମ ମନ ଭିତରେ ଯାହା ସବୁ ରହୁଛି - ଇଏ ପରିବର୍ତ୍ତନ ହୋଇଯାଉ, ଇଏ ଏପରି ନ କରୁ, ଇଏ ଏହିଭଳି ହୋଇଯାଉ; ଏସବୁ ଶିକ୍ଷା ଦ୍ୱାରା ହୋଇପାରିବ ନାହିଁ ବରଂ ସମ୍ମାନ ଦେବାଦ୍ୱାରା ସେହିଭଳି କରିବାକୁ ଲାଗିବେ । ତୁମର ବୃତ୍ତି ଦ୍ୱାରା ପରିବର୍ତ୍ତନ ହେବେ, କହିବା ଦ୍ୱାରା ହେବେନାହିଁ । ତେଣୁ ଏବେ କ’ଣ କରିବ? ସ୍ୱମାନ ଏବଂ ସମ୍ମାନ, ଦୁଇଟିଯାକ ମନେ ରହିବ, ନା କେବଳ ସ୍ୱମାନ ମନେ ରହିବ । ତେବେ ଅନ୍ୟକୁ ସମ୍ମାନ ଦେବା ଅର୍ଥ ସମ୍ମାନ ନେବା । କାହାକୁ ବି ସମ୍ମାନ ଦେବା ଅର୍ଥ ନିଜେ ସମ୍ମାନୀୟ ହେବା । ତେବେ ଆତ୍ମିକ ସ୍ନେହର ଲକ୍ଷଣ ହେଲା - ଅନ୍ୟର କମୀକୁ ନିଜର ଶୁଭଭାବନା, ଶୁଭକାମନା ଦ୍ୱାରା ପରିବର୍ତ୍ତନ କରିବା । ବାପଦାଦା ତ ଏବେ ପୂର୍ବ ସନ୍ଦେଶରେ ଜଣାଇଥିଲେ ଯେ ବର୍ତ୍ତମାନ ସମୟରେ ନିଜର ସ୍ୱରୂପକୁ ଦୟାଶୀଳ କର । ଶେଷ ଜନ୍ମରେ ମଧ୍ୟ ତୁମମାନଙ୍କର ଜଡ଼ ଚିତ୍ର ଦୟାଶୀଳ ହୋଇ ଭକ୍ତମାନଙ୍କ ଉପରେ ଦୟା କରିଚାଲିଛି । ଯଦି ଚିତ୍ର ଏତେ ଦୟାଳୁ ଅଟେ ତେବେ ଚୈତନ୍ୟରେ କ’ଣ ନ ହୋଇଥିବ? ଚୈତନ୍ୟ ତ ଦୟାର ଖଣି ହୋଇଥିବ । ତେଣୁ ଏବେ ଦୟାର ଖଣି ହୋଇଯାଅ । ଯିଏ ବି ଆସୁ ତା’କୁ ଦୟା ମିଳୁ - ଏହା ହିଁ ହେଉଛି ସ୍ନେହର ପ୍ରତୀକ । ତେବେ କରିବାକୁ ତ ହେବ ନା! ନା କେବଳ ଶୁଣିବାର ଅଛି? କରିବାକୁ ହିଁ ପଡ଼ିବ, ହେବାକୁ ହିଁ ପଡ଼ିବ । ତେବେ ବାପଦାଦା କ’ଣ ଚାହୁଛନ୍ତି ତା’ର ଉତ୍ତର ଦେଉଛନ୍ତି । ପ୍ରଶ୍ନ ପଚାରୁଛ ନା, ତେଣୁ ବାପଦାଦା ଉତ୍ତର ଦେଉଛନ୍ତି ।

ବର୍ତ୍ତମାନ ସମୟରେ ସେବାରେ ତ ବୃଦ୍ଧି ଭଲ ହେଉଛି, ଚାହେଁ ବିଦେଶରେ, ଚାହେଁ ଭାରତରେ କିନ୍ତୁ ବାପଦାଦା ଚାହୁଁଛନ୍ତି ଯେ ଏଭଳି କୌଣସି ନିମିତ୍ତ ଆତ୍ମା ବାହାର କର ଯିଏକି କିଛି ବିଶେଷ କାର୍ଯ୍ୟ କରିଦେଖାଉ ଏଭଳି କେହି ସହଯୋଗୀ ହୁଅନ୍ତୁ ଯାହାକି ଆଜି ପର୍ଯ୍ୟନ୍ତ ଯେଉଁ କଥା କରିବାକୁ ଚାହୁଁଛ ତାହା କରି ଦେଖାଇବ । ପ୍ରୋଗ୍ରାମ୍ ଗୁଡ଼ିକ ତ ବହୁତ କରି ସାରିଲଣି, ଯେଉଁଠାରେ ବି ପ୍ରୋଗ୍ରାମ ସବୁ କରିଛ ସେହି ପ୍ରୋଗ୍ରାମଗୁଡ଼ିକ ପାଇଁ ସବୁ ଆଡ଼ର ପିଲାମାନଙ୍କୁ ବାପଦାଦା ଅଭିନନ୍ଦନ ଜଣାଉଛନ୍ତି । କିନ୍ତୁ ଏବେ ଆଉ କୌଣସି ନବୀନତା କରି ଦେଖାଅ ଯାହାକି ତୁମ ତରଫରୁ ତୁମମାନଙ୍କ ଭଳି ବାବାଙ୍କୁ ପ୍ରତ୍ୟକ୍ଷ କରିବେ । ଏହା ପରମାତ୍ମାଙ୍କର ପାଠପଢ଼ା ଅଟେ ଏହା ତାଙ୍କ ମୁଖରୁ ବାହାରୁ ଏବଂ ବାବା-ବାବା ଶବ୍ଦ ମଧ୍ୟ ଅନ୍ତରରୁ ବାହାରୁ । ତେବେ ସେମାନେ ସହଯୋଗୀ ତ ହେଉଛନ୍ତି କିନ୍ତୁ ଏବେ ଯେଉଁ ଗୋଟିଏ କଥା ବାକି ରହିଛି ଯେ ସମସ୍ତେ କୁହନ୍ତୁ କେବଳ ଏହିମାନେ ହିଁ ଅଟନ୍ତି, ଏହିମାନେ ହିଁ ଅଟନ୍ତି....... ଏହି କଥା ପ୍ରଚାର ହୋଇଯାଉ । ବ୍ରହ୍ମାକୁମାରୀମାନେ ଭଲ କାମ କରୁଛନ୍ତି ଏବଂ କରିପାରିବେ, ଏକଥା ତ କହୁଛନ୍ତି କିନ୍ତୁ କେବଳ ଏହିମାନେ ହିଁ ଅଟନ୍ତି ଏବଂ ଏହା ହିଁ ହେଉଛି ପରମାତ୍ମାଙ୍କର ଜ୍ଞାନ, ଏହିଭଳି ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଶବ୍ଦ ନିର୍ଭୀକ ଭାବରେ କୁହନ୍ତୁ । ତୁମେମାନେ ତ କହୁଛ ଏହା ପରମାତ୍ମାଙ୍କର କାର୍ଯ୍ୟ, ପରମାତ୍ମା ହିଁ କାର୍ଯ୍ୟ କରାଉଛନ୍ତି କିନ୍ତୁ ସିଏ କୁହନ୍ତୁ ଯେ ଯେଉଁ ପରମାତ୍ମା ପିତାଙ୍କୁ ସମସ୍ତେ ଡାକୁଛନ୍ତି, ଏହା ତାଙ୍କର ହିଁ ଜ୍ଞାନ । ଏବେ ଏହାର ଅନୁଭବ କରାଅ । ଯେପରି ତୁମ ମନ ଭିତରେ ସବୁ ସମୟରେ କ’ଣ ରହୁଛି? ବାବା, ବାବା, ବାବା, ... ଏହିଭଳି କୌଣସି ସଙ୍ଗଠନ ବାହାରୁ । ଏମାନେ ଭଲ, ଏମାନେ କରିପାରିବେ, ଏପର୍ଯ୍ୟନ୍ତ ତ ଆସିଲେଣି, କିଛିଟା ପରିବର୍ତ୍ତନ ହେଲାଣି କିନ୍ତୁ ଶେଷ ପରିବର୍ତ୍ତନ ହେଲା - ଏହି ଗୋଟିଏ, ଏହି ଗୋଟିଏ, ଏହି ଗୋଟିଏ । ଏହା ସେତେବେଳେ ହେବ ଯେତେବେଳେ ବ୍ରାହ୍ମଣ ପରିବାର ବାଲା ଏକରସ ସ୍ଥିତିବାଲା ହୋଇଯିବେ । ଏବେ ତ ସ୍ଥିତି ବଦଳିବାରେ ଲାଗିଛି । ତୁମମାନଙ୍କର ଏକରସ ସ୍ଥିତି ଏକ ଅର୍ଥାତ୍ ଜଣଙ୍କୁ ହିଁ ପ୍ରତ୍ୟକ୍ଷ କରିବ । ଏହା ଠିକ୍ କଥା ନା! ତେଣୁ ଡବଲ ବିଦେଶୀମାନେ ଦୃଷ୍ଟାନ୍ତ ହୁଅ । ସମ୍ମାନ ଦେବାରେ ଏବଂ ସ୍ୱମାନରେ ରହିବାରେ ଉଦାହରଣ ହୁଅ । ନମ୍ବର ନେଇଯାଅ । ଚାରିଆଡ଼େ ଯେମିତି ମୋହଜୀତ୍ ପରିବାରର ଦୃଷ୍ଟାନ୍ତ ଶୁଣାଉଛ ନା, ଯାହାକି ତାଙ୍କର ଚପରାସୀଠାରୁ ନୌକର ଚାକର ସମସ୍ତେ ମୋହଜିତ୍ ଥିଲେ । ସେହିପରି ଯେଉଁ ଆଡ଼କୁ ବି ଯାଆନ୍ତୁ, ଆମେରିକା ଯାଆନ୍ତୁ, ଅଷ୍ଟ୍ରେଲିୟା ଯାଆନ୍ତୁ ସବୁ ଦେଶରେ ଏକରସ, ଏକମତ, ସ୍ୱମାନରେ ରହିବା ବାଲା ଏବଂ ସମ୍ମାନ ଦେବା ବାଲା ଦେଖନ୍ତୁ, ଏଥିରେ ନମ୍ବର ନିଅ । କ’ଣ ନେଇପାରିବ ନା?

ଚାରିଆଡ଼ର ବାବାଙ୍କର ନୟନରେ ସମାହିତ ହୋଇଥିବା ନୟନର ଜ୍ୟୋତି ପିଲାମାନଙ୍କୁ, ସର୍ବଦା ଏକରସ ସ୍ଥିତିରେ ସ୍ଥିତ ରହୁଥିବା ପିଲାମାନଙ୍କୁ, ସର୍ବଦା ଭାଗ୍ୟର ତାରକା ଚମକୁଥିବା ଭାଗ୍ୟମାନ ପିଲାମାନଙ୍କୁ, ସର୍ବଦା ସ୍ୱମାନ ଏବଂ ସମ୍ମାନକୁ ଏକାଠି ରଖୁଥିବା ପିଲାମାନଙ୍କୁ, ସର୍ବଦା ପୁରୁଷାର୍ଥର ଗତିକୁ ତୀବ୍ର କରୁଥିବା ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆଶୀର୍ବାଦ ଏବଂ ନମସ୍ତେ ।

ବରଦାନ:-
ସଚ୍ଚା ସାଥୀଙ୍କର ସଙ୍ଗରେ ରହୁଥିବା ସମସ୍ତଙ୍କଠାରୁ ଭିନ୍ନ ନିର୍ମୋହୀ ଆତ୍ମା ହୁଅ ।

ପ୍ରତିଦିନ ଅମୃତବେଳାରେ ସର୍ବ ସମ୍ବନ୍ଧର ସୁଖ ବାପଦାଦାଙ୍କ ଠାରୁ ଗ୍ରହଣ କରି ଅନ୍ୟମାନଙ୍କୁ ଦାନ କର । ନିଜେ ସର୍ବ ସୁଖର ଅଧିକାରୀ ହୁଅ ଏବଂ ଅନ୍ୟମାନଙ୍କୁ ମଧ୍ୟ କର । କୌଣସି ବି କାର୍ଯ୍ୟରେ ସାକାର ସାଥୀ ମନେ ନ ପଡ଼ନ୍ତୁ ପ୍ରଥମେ ବାବାଙ୍କର ହିଁ ସ୍ମୃତି ଆସୁ କାହିଁକିନା ତୁମର ସଚ୍ଚା ମିତ୍ର ବାବା ହିଁ ଅଟନ୍ତି । ଯଦି ସଚ୍ଚା ସର୍ବଦା ସାଥୀଙ୍କର ସଙ୍ଗରେ ରହିବ ତେବେ ଅତି ସହଜରେ ସମସ୍ତଙ୍କଠାରୁ ସ୍ୱତନ୍ତ୍ର ଅନନ୍ୟ ଆତ୍ମା ହୋଇଯିବ । ଯେଉଁମାନେ ସର୍ବ-ସମ୍ବନ୍ଧରେ ପ୍ରତ୍ୟେକ କାର୍ଯ୍ୟରେ ଏକମାତ୍ର ବାବାଙ୍କୁ ହିଁ ମନେପକାଇଥା’ନ୍ତି ସେମାନେ ସହଜରେ ନିର୍ମୋହୀ ହୋଇଯାଆନ୍ତି । ସେମାନଙ୍କର କୌଣସି ଆଡ଼େ ଆକର୍ଷଣ ନଥାଏ ଅର୍ଥାତ୍ ଢଳି ନଥା’ନ୍ତି ସେଥିପାଇଁ ସେମାନେ କେବେ ବି ମାୟାଠାରୁ ପରାଜିତ ହୋଇପାରିବେ ନାହିଁ ।

ସ୍ଲୋଗାନ:-
ମାୟାକୁ ଦେଖିବା ପାଇଁ ବା ଜାଣିବା ପାଇଁ ତ୍ରିକାଳଦର୍ଶୀ ଏବଂ ତ୍ରିନେତ୍ରୀ ହୁଅ ତେବେ ଯାଇ ବିଜୟୀ ହେବ ।

ଅବ୍ୟକ୍ତ ଈଶାରା - ସତ୍ୟତା ଏବଂ ସଭ୍ୟତା ରୂପୀ କଲଚରକୁ ଆପଣାଅ (୨) ସତ୍ୟତାର ଚିହ୍ନ ହେଲା ସଭ୍ୟତା । ଯଦି ତୁମେ ସଚ୍ଚା ଅଟ, ସତ୍ୟତାର ଶକ୍ତି ତୁମ ଭିତରେ ଅଛି ତେବେ ସଭ୍ୟତାକୁ କେବେବି ଛାଡ଼ ନାହିଁ । ସତ୍ୟତାକୁ ପ୍ରମାଣିତ କର କିନ୍ତୁ ସଭ୍ୟତା ପୂର୍ବକ କର । ଯଦି ସଭ୍ୟତାକୁ ଛାଡ଼ି ଅସଭ୍ୟତାରେ ଆସି ସତ୍ୟକୁ ପ୍ରମାଣିତ କରିବାକୁ ଚାହିଁବ ତେବେ ତାହା ପ୍ରମାଣିତ ହୋଇପାରିବ ନାହିଁ । ଅସଭ୍ୟତାର ଲକ୍ଷଣ ହେଲା ଜିଦ୍ କରିବା ଏବଂ ସଭ୍ୟତାର ଲକ୍ଷଣ ହେଲା ନିର୍ମାନ ଅର୍ଥାତ୍ ନମ୍ରତା । ସତ୍ୟକୁ ପ୍ରମାଣିତ କରିବା ବାଲା ସର୍ବଦା ନିଜେ ନିର୍ମାନ୍ ହୋଇ ସଭ୍ୟତା ପୂର୍ବକ ବ୍ୟବହାର କରିବ ।