02.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜେ
ଯୋଗଯୁକ୍ତ ସ୍ଥିତିରେ ରହି ଅନ୍ୟମାନଙ୍କୁ ଯୋଗର ଅଭ୍ୟାସ କରାଅ, ଯୋଗ କରାଉଥିବା ଆତ୍ମାର
ବୁଦ୍ଧିଯୋଗ କେବେ ବି ଏଣେତେଣେ ଯିବା ଉଚିତ୍ ନୁହେଁ ।”
ପ୍ରଶ୍ନ:-
କେଉଁ
ପିଲାମାନଙ୍କ ଉପରେ ବହୁତ ବଡ ଦାୟିତ୍ୱ ରହିଛି? ସେମାନେ କେଉଁ କଥା ପ୍ରତି ନିଶ୍ଚିତ ଧ୍ୟାନ ଦେବା
ଉଚିତ୍?
ଉତ୍ତର:-
ଯେଉଁ ପିଲାମାନେ ନିମିତ୍ତ ଟୀଚର ହୋଇ ଅନ୍ୟମାନଙ୍କୁ ଯୋଗ କରାଉଛନ୍ତି, ସେମାନଙ୍କ ଉପରେ ବହୁତ ବଡ
ଗୁରୁ ଦାୟିତ୍ୱ ରହିଛି । ଯଦି ଯୋଗ କରାଇବା ସମୟରେ ସେମାନଙ୍କର ବୁଦ୍ଧି ଅନ୍ୟ ଆଡେ ଘୂରୁଛି ତେବେ
ସେମାନେ ସେବା ପରିବର୍ତ୍ତେ ଅପସେବା କରୁଛନ୍ତି, ସେଥିପାଇଁ ସେମାନଙ୍କୁ ଏହି ଧ୍ୟାନ ରଖିବାକୁ ହେବ
ଯେ ମୋ ଦ୍ୱାରା ସର୍ବଦା ପୁଣ୍ୟର କର୍ମ ହେଉଥାଉ ।
ଗୀତ:-
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ବାବା ସମସ୍ତ ସନ୍ତାନମାନଙ୍କୁ ପ୍ରଥମେ ସମ୍ମୁଖରେ ବସି ଲକ୍ଷ୍ୟରେ ସ୍ଥିତ ହେବା ପାଇଁ ଦୃଷ୍ଟି
ଦେଇଥା’ନ୍ତି । ଯେପରି ମୁଁ (ବ୍ରହ୍ମାବାବା) କହୁଛନ୍ତି ଶିବବାବାଙ୍କ ସ୍ମୃତିରେ ବସିଛି, ତୁମେ
ମଧ୍ୟ ଶିବ ବାବାଙ୍କ ସ୍ମୃତିରେ ବସ । ଏବେ ପ୍ରଶ୍ନ ଉଠୁଛି ଯେ ଯିଏ ଯୋଗ ଦୃଷ୍ଟି ଦେବା ପାଇଁ
ସମ୍ମୁଖରେ ବସିଛନ୍ତି, ସିଏ ସାରା ସମୟ ଶିବବାବାଙ୍କ ସ୍ମୃତିରେ ରହୁଛନ୍ତି? ଯାହାକି ଅନ୍ୟମାନଙ୍କୁ
ମଧ୍ୟ ଆକର୍ଷଣ କରିବ । ବାବାଙ୍କ ସ୍ମୃତି ଦ୍ୱାରା ବହୁତ ଶାନ୍ତିରେ ରହିବ । ଯଦି ତୁମେ ଅଶରୀରୀ
ହୋଇ ଶିବବାବାଙ୍କ ସ୍ମୃତିରେ ରହିବ, ତେବେ ଅନ୍ୟମାନଙ୍କୁ ମଧ୍ୟ ଶାନ୍ତ ଅବସ୍ଥାକୁ ନେଇଯାଇପାରିବ
କାହିଁକି ନା ତୁମେ ଟିଚର ହୋଇ ବସିଛ ନା । ଯଦି ଟିଚର ହିଁ ଠିକ୍ ଭାବରେ ସ୍ମୃତିରେ ନ ଥିବେ ତେବେ
ଅନ୍ୟମାନେ ମଧ୍ୟ ସ୍ମୃତିରେ ରହିପାରିବେ ନାହିଁ । ପ୍ରଥମେ ତ ଏହି ବିଚାର କରିବା ଦରକାର ଯେ ମୁଁ
ଯିଏକି ସେହି ପ୍ରିୟତ୍ତମ ବାବାଙ୍କର ପ୍ରେମିକା ଅଟେ, ତାଙ୍କ ସ୍ମୃତିରେ ବସିଛି? ପ୍ରତ୍ୟେକ ଏହିଭଳି
ନିଜକୁ ପଚାରନ୍ତୁ । ଯଦି ବୁଦ୍ଧି ଅନ୍ୟଆଡେ ଚାଲିଯାଉଛି, ଦେହ ଅଭିମାନ ଆସିଯାଉଛି ତେବେ ଜାଣ ସେବା
ନୁହେଁ, ଅପସେବା କରିବା ପାଇଁ ବସିଛେ । ଏସବୁ ବୁଝିବାର କଥା ନା । କିଛି ସେବା ତ କଲ ନାହିଁ,
ଏମିତି ଖାଲିଟାରେ ବସିଛ ତେବେ ନିଜର କ୍ଷତି ହିଁ କରିବ । ଯଦି ଟିଚରର ବୁଦ୍ଧିଯୋଗ ଏଣେ-ତେଣେ
ଘୁରୁଥିବ ତେବେ ସିଏ ଅନ୍ୟକୁ କ’ଣ ସହଯୋଗ କରିବ । ତେଣୁ ଯେଉଁମାନେ ଟିଚର ହୋଇ ବସୁଛନ୍ତି ସେମାନେ
ନିଜକୁ ପଚାରନ୍ତୁ ଯେ ମୁଁ ପୁଣ୍ୟର କାମ କରୁଛି? ଯଦି ପାପ କର୍ମ କରିବ ତେବେ ଦୁର୍ଗତିକୁ ପ୍ରାପ୍ତ
କରିବ । ପଦଭ୍ରଷ୍ଟ ହୋଇଯିବ । ଯଦି ଏହିଭଳି ଆତ୍ମାକୁ ଗଦି ଉପରେ ବସାଉଛ ତେବେ ତୁମେ ଟିଚର ମଧ୍ୟ
ଦାୟୀ ଅଟ । ଶିବବାବା ତ ସମସ୍ତଙ୍କୁ ଜାଣିଛନ୍ତି । ଏହି ବାବା ମଧ୍ୟ ସମସ୍ତଙ୍କର ଅବସ୍ଥାକୁ
ଜାଣିଛନ୍ତି । ଶିବବାବା କହିବେ ଇଏ ଟିଚର ହୋଇ ସନ୍ଦ୍ଲି ଉପରେ ବସିଛନ୍ତି କିନ୍ତୁ ଏହାଙ୍କର
ବୁଦ୍ଧିଯୋଗ ତ ବାହାରେ ଘୁରୁଛି । ଇଏ ଅନ୍ୟକୁ କ’ଣ ସହଯୋଗ କରିବେ । ତୁମେ ବ୍ରାହ୍ମଣ ପିଲାମାନେ
ନିମିତ୍ତ ହୋଇଛ, ଶିବବାବାଙ୍କର ସନ୍ତାନ ହୋଇ ତାଙ୍କଠାରୁ ସମ୍ପତ୍ତି ନେବା ପାଇଁ । ବାବା କହୁଛନ୍ତି
ହେ ଆତ୍ମାମାନେ କେବଳ ମୋତେ ମନେ ପକାଅ । ଯଦି ଟିଚର ହୋଇ ବସୁଛ ତେବେ ଯୋଗଯୁକ୍ତ ଅବସ୍ଥାରେ ବସ ।
ଏମିତି ତ ପ୍ରତ୍ୟେକଙ୍କୁ ବାବାଙ୍କୁ ମନେ ପକାଇବାର ଅଛି । ଛାତ୍ର ମଧ୍ୟ ନିଜର ଅବସ୍ଥାକୁ
ଜାଣିପାରିବ ଯେ ମୁଁ ପାସ୍ ହେବି ନା ଫେଲ୍ ହେବି । ଟିଚର ମଧ୍ୟ ଜାଣିଥାନ୍ତି । ଯଦି କେହି ଟ୍ୟୁସନ୍
ଟିଚର ମଧ୍ୟ ରଖିଥାନ୍ତି ସିଏ ମଧ୍ୟ ଜାଣିଥାନ୍ତି । ଲୌକିକ ପାଠପଢାରେ ତ ଯଦି କେହି ସ୍ୱତନ୍ତ୍ର
ଶିକ୍ଷକ ରଖିବାକୁ ଚାହିଁବେ ତେବେ ରଖିପାରିବେ । ଯଦି ଏଠାରେ କେହି କହୁଛନ୍ତି ମୋତେ ଯୋଗରେ ବସାଅ
ତେବେ ବାବାଙ୍କ ସ୍ମୃତିରେ ବସିବାକୁ ହେବ । ବାବାଙ୍କର ଆଜ୍ଞା ହେଉଛି କେବଳ ମୋତେ ମନେ ପକାଅ ।
ତୁମେ ପ୍ରେମିକା ଅଟ ତେଣୁ ଚାଲିବା ବୁଲିବା ସମୟରେ ନିଜର ପ୍ରେମିକଙ୍କୁ ମନେ ପକାଅ ।
ସନ୍ନ୍ୟାସୀମାନେ ବ୍ରହ୍ମକୁ ମନେ ପକାଇଥା’ନ୍ତି । ଭାବୁଛନ୍ତି ଆମେ ଯାଇ ବ୍ରହ୍ମରେ ଲୀନ ହୋଇଯିବୁ
। ଯେଉଁମାନେ ଅଧିକ ମନେ ପକାଉଥିବେ ସେମାନଙ୍କର ଅବସ୍ଥା ଭଲ ଥିବ । ପ୍ରତ୍ୟେକଙ୍କ ନିକଟରେ କିଛି
ନା କିଛି ବିଶେଷତା ତ ଅଛି ନା । ତୁମକୁ କୁହାଯାଉଛି ଯେ ବାବାଙ୍କ ସ୍ମୃତିରେ ରୁହ । ନିଜକୁ ମଧ୍ୟ
ସ୍ମୃତିରେ ରହିବାର ଅଛି । ବାବାଙ୍କ ପାଖରେ କେହି କେହି ତ ସତ୍ୟବାଦୀ ମଧ୍ୟ ଅଛନ୍ତି, କେହି
ମିଥ୍ୟାବାଦୀ ମଧ୍ୟ ଅଛନ୍ତି । ନିଜେ ନିରନ୍ତର ସ୍ମୃତିରେ ରହିବା, ବଡ ମୁଶକିଲ । କେହି କେହି ତ
ବାବାଙ୍କ ସାଥୀରେ ବିଲ୍କୁଲ୍ ସତ୍ୟତାର ସହିତ ରହୁଛନ୍ତି । ବାବା ମଧ୍ୟ ନିଜର ଅନୁଭବ ତୁମକୁ
ଶୁଣାଉଛନ୍ତି ଯେ କିଛି ସମୟ ୟାଦରେ ରହୁଛି ପୁଣି ଭୁଲି ଯାଉଛି, କାରଣ ବହୁତ ଦାୟିତ୍ୱ ରହିଛି ।
ଅନେକ ସନ୍ତାନମାନଙ୍କର ଦାୟିତ୍ୱ ନେବାକୁ ପଡୁଛି । ତୁମମାନଙ୍କୁ ଏକଥା ମଧ୍ୟ ଜଣାପଡୁନାହିଁ ଯେ ଏହି
ମୁରଲୀ ଶିବବାବା ଶୁଣାଉଛନ୍ତି ନା ବ୍ରହ୍ମା ଶୁଣାଉଛନ୍ତି କାରଣ ଦୁଇଜଣଯାକ ଏକାଠି ଅଛନ୍ତି ନା ।
ଇଏ ବ୍ରହ୍ମା ମଧ୍ୟ କହୁଛନ୍ତି ମୁଁ ମଧ୍ୟ ଶିବବାବାଙ୍କୁ ମନେ ପକାଉଛି । ଏହି ବାବା ମଧ୍ୟ
ପିଲାମାନଙ୍କୁ ଯୋଗରେ ବସାଉଛନ୍ତି । ଯେତେବେଳେ ଏହି ବ୍ରହ୍ମାବାବା ଯୋଗରେ ବସୁଛନ୍ତି ତୁମେ ଦେଖୁଛ
ବାୟୁମଣ୍ଡଳ କିପରି ଶାନ୍ତ ନିସ୍ତବ ହୋଇଯାଉଛି । ଅନେକଙ୍କୁ ଆକର୍ଷିତ କରାଉଛନ୍ତି । ପିତା ଅଟନ୍ତି
ନା । କହୁଛନ୍ତି ପିଲାମାନେ ତୁମେ ମଧ୍ୟ ବାବାଙ୍କ ସ୍ମୃତିରେ ରୁହ । ନିଜକୁ ମଧ୍ୟ ସ୍ମୃତିରେ
ରହିବାର ଅଛି, କେବଳ ପଣ୍ଡିତ ହେବାର ନାହିଁ । ସ୍ମୃତିରେ ନ ରହିଲେ ଅନ୍ତିମ ସମୟରେ ଫେଲ ହୋଇଯିବ ।
ବାବା ମମ୍ମାଙ୍କର ତ ଉଚ୍ଚ ପଦ ରହିଛି, ବାକି ମାଳା ତ ଏବେ ତିଆରି ହୋଇନାହିଁ । ଏ ପର୍ଯ୍ୟନ୍ତ
ଗୋଟିଏ ମଧ୍ୟ ଦାନା ବା ଆତ୍ମା ସମ୍ପୂର୍ଣ୍ଣ ହୋଇ ନାହାଁନ୍ତି । ଆଗରୁ ବାବା ମାଳା ତିଆରି କରୁଥିଲେ
ପିଲାମାନଙ୍କ ସ୍ଥିତିକୁ ଉପରକୁ ଉଠାଇବା ପାଇଁ । କିନ୍ତୁ ଦେଖାଗଲା ଯେ ମାୟା ବହୁତଙ୍କୁ ହରାଇ ଦେଲା
। ସବୁକିଛି ସେବା ଉପରେ ନିର୍ଭର କରୁଛି । ତେଣୁ ଯିଏ ସମ୍ମୁଖରେ ଯୋଗ କରାଇବା ପାଇଁ ବସୁଛନ୍ତି
ତାଙ୍କୁ ବିଚାର କରିବାର ଅଛି ଯେ ମୁଁ ଭଲ ଟିଚର ହୋଇ ବସିବି । ନଚେତ୍ କହିଦେବା ଦରକାର ଯେ ମୋର
ବୁଦ୍ଧି ଏଣେ-ତେଣେ ଚାଲିଯାଉଛି, ତେଣୁ ମୁଁ ଏଠି ବସିବାର ଯୋଗ୍ୟ ନୁହେଁ । ନିଜେ କହିଦେବା ଉଚିତ୍
। ଏମିତି ବି ନୁହେଁ ଯେ କେହି ବି ଆସି ନିଜେ ନିଜେ ବସି ପଡିବେ । କେହି କେହି ଅଛନ୍ତି ଯେଉଁମାନେ
ମୁଖରେ ମୁରଲୀ ଶୁଣାଉନାହାଁନ୍ତି କିନ୍ତୁ ଯୋଗରେ ରହୁଛନ୍ତି । କିନ୍ତୁ ଏଠାରେ ତ ଜ୍ଞାନ ଯୋଗ ଉଭୟରେ
ଆଗୁଆ ହେବା ଦରକାର । ତୁମର ପତି ଅତି ସୁନ୍ଦର ଅଟନ୍ତି, ତେଣୁ ତାଙ୍କୁ ତ ବହୁତ ୟାଦ କରିବା ଦରକାର
। ଏଥିରେ ହିଁ ପରିଶ୍ରମ ରହିଛି ବାକି ପ୍ରଜା ହେବା ତ ସହଜ କଥା । ଦାସ ଦାସୀ ହେବା କିଛି ବଡ କଥା
ନୁହେଁ । ସେମାନେ ଜ୍ଞାନକୁ ଧାରଣ କରିପାରି ନ ଥାନ୍ତି । ଯେମିତି ଦେଖ ଯଜ୍ଞରେ ଭଣ୍ଡାରୀ ବଚ୍ଚୀ (ଭୋଲି
ବଚ୍ଚୀ) ଭଣ୍ଡାର ସମ୍ଭାଳୁଛନ୍ତି, ସମସ୍ତଙ୍କୁ ଖୁସି କରିଦେଉଛନ୍ତି, କାହାକୁ ଦୁଃଖ ଦେଉନାହାଁନ୍ତି,
ସମସ୍ତେ ତାଙ୍କର ମହିମା କରୁଛନ୍ତି ବାଃ ଶିବବାବାଙ୍କର ଭଣ୍ଡାରୀ ତ ନମ୍ବରୱାନ ଅଟନ୍ତି ।
ଅନେକଙ୍କର ହୃଦୟକୁ ଖୁସି କରିଦେଉଛନ୍ତି । ବାବା ମଧ୍ୟ ପିଲାମାନଙ୍କର ଦିଲ୍କୁ ଖୁସି ଦେଇ
ଆସୁଛନ୍ତି । ବାବା କହୁଛନ୍ତି ଯେ ମୋତେ ମନେ ପକାଅ ଏବଂ ଏହି ଚକ୍ରକୁ ବୁଦ୍ଧିରେ ରଖ । ଏବେ
ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ କରିବାର ଅଛି । ନିଷ୍ଠାପର ଭାବରେ ସେବା କରିବା ଦରକାର । ତୁମକୁ
ବହୁତ ଦୟାଶୀଳ ହେବା ଦରକାର । ମନୁଷ୍ୟ ମୁକ୍ତିଜୀବନମୁକ୍ତି ପାଇବା ପାଇଁ ବହୁତ ଧକ୍କା ଖାଉଛନ୍ତି
। କାହାକୁ ବି ସଦ୍ଗତି ବିଷୟରେ ଜଣାନାହିଁ । ଭାବୁଛନ୍ତି ଯେ ଯେଉଁଠାରୁ ଆସିଛୁ ସେହିଠାକୁ
ଫେରିଯିବୁ । ସୃଷ୍ଟିକୁ ନାଟକ ବୋଲି ଭାବୁଛନ୍ତି କିନ୍ତୁ ସେହି ଅନୁସାରେ ଚାଲୁନାହାଁନ୍ତି । ଦେଖ
କେଉଁଠି କେଉଁଠି ମୁସଲମାନମାନେ ମଧ୍ୟ କ୍ଲାସକୁ ଆସୁଛନ୍ତି । କହୁଛନ୍ତି ଆମେ ବାସ୍ତବରେ
ଦେବୀ-ଦେବତା ଧର୍ମର ଅଟୁ କିନ୍ତୁ ପରେ ମୁସଲମାନ ଧର୍ମକୁ ଚାଲିଯାଇଛୁ । ଆମେ ୮୪ ଜନ୍ମ ନେଇଛୁ ।
ସିନ୍ଧ୍ରେ ଓମ୍ ମଣ୍ଡଳୀକୁ ମଧ୍ୟ ୫-୬ଜଣ ମୁସଲମାନ ଆସୁଥିଲେ । ଏବେ ମଧ୍ୟ ଆସୁଛନ୍ତି । ତେବେ ଆଗକୁ
ରହିପାରିବେ କି ନାହିଁ ତାହା ତ ଦେଖାଯିବ କାରଣ ମାୟା ତ ପରୀକ୍ଷା ନେଇଥାଏ । କେହି ତ ପକ୍କା ହୋଇ
ରହିଯାଆନ୍ତି ଆଉ କେହି ରହିପାରନ୍ତି ନାହିଁ । ଯେଉଁମାନେ ବାସ୍ତବିକ ଭାବରେ ବ୍ରାହ୍ମଣ ଧର୍ମର
ହୋଇଥିବେ, ୮୪ ଜନ୍ମ ନେଇଥିବେ ସେମାନେ ତ କେବେ ବି ହଲିବେ ନାହିଁ । ବାକି ମାନେ କୌଣସି ନା କୌଣସି
କାରଣରୁ ଚାଲିଯିବେ । ଦେହ-ଅଭିମାନ ମଧ୍ୟ ବହୁତ ଆସିଯାଉଛି । ତୁମମାନଙ୍କୁ ବହୁତଙ୍କର କଲ୍ୟାଣ
କରିବାକୁ ହେବ । ନଚେତ୍ ପଦ କ’ଣ ପାଇବ । ଘରଦ୍ୱାର ତ ଛାଡିଛ, ନିଜର କଲ୍ୟାଣ ପାଇଁ । ବାବାଙ୍କ
ଉପରେ କୌଣସି ଦୟା କରୁନାହଁ । ଯଦି ବାବାଙ୍କର ହୋଇଛ, ତେବେ ସେହିଭଳି ସେବା ମଧ୍ୟ କରିବା ଦରକାର ।
ତୁମକୁ ତ ରାଜପଦର ପୁରସ୍କାର ମିଳୁଛି, ୨୧ ଜନ୍ମ ପାଇଁ ସଦା ସୁଖର ରାଜତ୍ୱ ମିଳୁଛି । କେବଳ ମାୟା
ଉପରେ ବିଜୟପ୍ରାପ୍ତ କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶିଖାଇବାକୁ ହେବ । କେହି କେହି ଫେଲ
ମଧ୍ୟ ହୋଇଯାଉଛନ୍ତି । ଭାବୁଛନ୍ତି ରାଜ୍ୟପଦ ପାଇବା ତ ବହୁତ କଷ୍ଟକର । ବାବା କହୁଛନ୍ତି ଯେ ଏପରି
ଭାବିବା ତ ଦୁର୍ବଳତା ଅଟେ । ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବା ବହୁତ ସହଜ ।
ପିଲାମାନଙ୍କ ଭିତରେ ରାଜ୍ୟପଦ ନେବାର ସାହାସ ଆସୁନାହିଁ ତେଣୁ ଭୀରୁ ହୋଇ ବସିଯାଉଛନ୍ତି । ନା ନିଜେ
ନେଉଛନ୍ତି ନା ଅନ୍ୟକୁ ନେବା ପାଇଁ ସହଯୋଗ ଦେଉଛନ୍ତି । ତେବେ ପରିଣାମ କ’ଣ ହେବ! ବାବା
ବୁଝାଉଛନ୍ତି ଯେ ରାତି ଦିନ ସେବା କର । କଂଗ୍ରେସୀମାନେ ମଧ୍ୟ ଦେଶକୁ ସ୍ୱାଧୀନ କରାଇବା ପାଇଁ
ମେହନତ କରିଥିଲେ । କେତେ କଷ୍ଟ ସହନ କଲେ ତେବେ ଯାଇ ତ ବିଦେଶୀଙ୍କ ଠାରୁ ରାଜ୍ୟ ନେଲେ । ତୁମକୁ
ବି ରାବଣଠାରୁ ରାଜ୍ୟ ନେବାର ଅଛି । ସିଏ ତ ସମସ୍ତଙ୍କର ଶତ୍ରୁ । ଦୁନିଆକୁ ଜଣାନାହିଁ ଯେ ଆମେ
ରାବଣର ମତରେ ଚାଲୁଛୁ, ତେଣୁ ଦୁଃଖୀ ହେଉଛୁ । କାହାକୁ ବି ସଚ୍ଚା ସଚ୍ଚା ସ୍ଥାୟୀ ଆନ୍ତରିକ ସୁଖ
ନାହିଁ । ଶିବବାବା କହୁଛନ୍ତି ମୁଁ ତୁମମାନଙ୍କୁ ସଦା ସୁଖୀ କରିବା ପାଇଁ ଆସିଛି । ତେବେ ଶ୍ରୀମତରେ
ଚାଲି ଶ୍ରେଷ୍ଠ ହେବାର ଅଛି । ସମସ୍ତ ଭାରତବାସୀ ନିଜର ଧର୍ମକୁ ଭୁଲି ଯାଇଛନ୍ତି । ଯଥା ରାଜା ରାଣୀ
ତଥା ପ୍ରଜା । ସମସ୍ତେ ଭୁଲିଯାଇଛନ୍ତି । ଏବେ ତୁମମାନଙ୍କୁ ଜ୍ଞାନ ମିଳୁଛି - ସୃଷ୍ଟିର ଚକ୍ର
କିପରି ଘୂରୁଛି । ତାହା ବି ବାରମ୍ବାର ଭୁଲି ଯାଉଛ । ବୁଦ୍ଧିରେ ଧାରଣ ହେଉନାହିଁ । ଯଦିଓ
ବ୍ରାହ୍ମଣ ବହୁତ ହେଉଛନ୍ତି କିନ୍ତୁ କେତେକ ଧାରଣାରେ ଦୁର୍ବଳ ହୋଇଥିବା କାରଣରୁ ବିକାରର ବଶୀଭୂତ
ହୋଇଯାଉଛନ୍ତି । କହୁଛନ୍ତି ଆମେ ବି.କେ. କିନ୍ତୁ ବାସ୍ତବରେ ବି.କେ. ନୁହଁନ୍ତି । ବାକି ଯେଉଁମାନେ
ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦେଶ ଅନୁସାରେ ଚାଲୁଛନ୍ତି, ଅନ୍ୟମାନଙ୍କୁ ନିଜ ସମାନ କରୁଛନ୍ତି
ସେହିମାନେ ହିଁ ଉଚ୍ଚ ପଦ ପାଇପାରିବେ । ବିଘ୍ନ ତ ଆସିବ । କେତେକ ଜ୍ଞାନାମୃତ ପାନ କରୁ କରୁ ଛାଡି
ଚାଲିଯାଉଛନ୍ତି ଏବଂ ବିଘ୍ନ ପକାଉଛନ୍ତି । ଏହାର ମଧ୍ୟ ଗାୟନ ଅଛି, ସେମାନଙ୍କ ପଦ କ’ଣ ହେବ? କେତେ
ମାତା ମାନେ ତ ବିକାର ପାଇଁ, ମାଡ ମଧ୍ୟ ଖାଉଛନ୍ତି । କହୁଛନ୍ତି ବାବା ଏହି ଦୁଃଖକୁ ଟିକେ ସହନ
କରିଯିବୁ । ମୋର ବାବା ହିଁ ମୋର ପତି ଅଟନ୍ତି ନା । ମାଡ ଖାଇଲେ ମଧ୍ୟ ମୁଁ ଶିବବାବାଙ୍କୁ ୟାଦ
କରୁଛି । ସେମାନେ ମଧ୍ୟ ବହୁତ ଖୁସିରେ ରହୁଛନ୍ତି । ଏହିଭଳି ଅସରନ୍ତି ଖୁସିରେ ରହିବା ଉଚିତ୍ ।
କାହିଁକି ନା ବାବାଙ୍କ ଠାରୁ ଆମେ ସମ୍ପତ୍ତି ନେଉଛୁ ଅନ୍ୟମାନଙ୍କୁ ମଧ୍ୟ ନିଜଭଳି କରିଚାଲିଛୁ ।
ବାବାଙ୍କର ଏହି ସିଢି ଚିତ୍ର ବହୁତ ମନେ ରହୁଛି । ବାବା ଏହାକୁ ବଡ ମହତ୍ୱ ଦେଉଛନ୍ତି । ଯେଉଁ
ପିଲାମାନେ ବିଚାର ସାଗର ମନ୍ଥନ କରି ଏହିଭଳି ସବୁ ତିଆରି କରୁଛନ୍ତି, ବାବା ମଧ୍ୟ ତାଙ୍କୁ ବହୁତ
ଧନ୍ୟବାଦ ଦେଉଛନ୍ତି ନହେଲେ ଏଭଳି ମଧ୍ୟ କହିବା - ବାବା ହିଁ ସେହି ପିଲାମାନଙ୍କୁ ଏହା ଅନୁଭବ
କରାଇଛନ୍ତି । ସିଢି ଚିତ୍ର ବହୁତ ସୁନ୍ଦର ତିଆରି କରିଛନ୍ତି । ତୁମେ ୮୪ ଜନ୍ମକୁ ଜାଣିବା ଦ୍ୱାରା
ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଇଛ । ଏହା ଫାଷ୍ଟକ୍ଲାସ ଚିତ୍ର ଅଟେ । ତ୍ରିମୂର୍ତ୍ତି,
ଗୋଲାଚିତ୍ରଠାରୁ ମଧ୍ୟ ଏଥିରେ ଭଲ ଜ୍ଞାନ ରହିଛି । ଏବେ ଆମେ ଉପରକୁ ଚଢୁଛୁ । କେତେ ସହଜ କଥା ।
ବାବା ଆସି ଲିଫ୍ଟ ଦେଉଛନ୍ତି ଅର୍ଥାତ୍ ସହଜରେ ଉପରକୁ ଉଠାଉଛନ୍ତି । ଆମେ ଶାନ୍ତିରେ ବାବାଙ୍କ ଠାରୁ
ସମ୍ପତ୍ତି ନେଉଛୁ । ସିଢିର ଜ୍ଞାନ ବହୁତ ଭଲ । ଏହା ବୁଝାଇବାକୁ ହେବ ଯେ ତୁମେ ତ ହିନ୍ଦୁ ନୁହଁ
ତୁମେ ଦେବୀ ଦେବତା ଧର୍ମର ଅଟ । ଯଦି କହିବେ ସତରେ କ’ଣ ଆମେ ୮୪ ଜନ୍ମ ନେଇଛୁ ତେବେ କୁହ ଆରେ ତୁମେ
କାହିଁକି ବୁଝୁନ କି ଆମେମାନେ ୮୪ ଜନ୍ମ ନେଇଛୁ ବୋଲି । ଏବେ ସିଢି ଚିତ୍ରକୁ ମନେ ପକାଅ ତେବେ ପୁଣି
ପ୍ରଥମ ନମ୍ବରରେ ଆସିଯିବ । ଆମ କୁଳର ହୋଇଥିଲେ ଏଭଳି ପ୍ରଶ୍ନ କରିବ ନାହିଁ ଯେ ସମସ୍ତେ କ’ଣ ୮୪
ଜନ୍ମ ନେବେ । ଆରେ, ତୁମେ କାହିଁକି ଭାବୁଛ ଯେ ଆମେ ଡେରିରେ ଆସିଛୁ । ବାବା ସବୁ ପିଲାମାନଙ୍କୁ
କହୁଛନ୍ତି ତୁମେ ଭାରତବାସୀ ୮୪ ଜନ୍ମ ନେଇଛ । ଏବେ ପୁଣି ନିଜର ସମ୍ପତ୍ତି ନିଅ, ସ୍ୱର୍ଗକୁ ଚାଲ ।
ତୁମେ ପିଲାମାନେ ଯୋଗରେ ବସିବା ସମୟରେ ସିଢି ଚିତ୍ରକୁ ମନେ ପକାଇଲେ ବହୁତ ଖୁସି ଲାଗିବ । ଆମେ ୮୪
ଜନ୍ମର ଯାତ୍ରା ପୂର୍ଣ୍ଣ କରିଛୁ । ଏବେ ଆମେ ଫେରିଯାଉଛୁ । କେତେ ଖୁସି ଲାଗୁଛି । ସେବା କରିବାରେ
ମଧ୍ୟ ଉତ୍ସାହ ରହିବା ଉଚିତ୍ । ବୁଝାଇବାର ଉପାୟ ମଧ୍ୟ ବହୁତ ମିଳୁଛି । ସିଢି ଚିତ୍ର ସମ୍ବନ୍ଧରେ
ବୁଝାଅ । ଚିତ୍ର ତ ସବୁ ଥିବା ଦରକାର ନା । ତ୍ରମୂର୍ତ୍ତି ଚିତ୍ର ମଧ୍ୟ ଦରକାର । ବାବା ମଧ୍ୟ
କହୁଛନ୍ତି ଯେ ତୁମେ ମୋର ଭକ୍ତମାନଙ୍କ ପାଖକୁ ଯାଅ, ସେମାନଙ୍କୁ ଏହି ଜ୍ଞାନ ଶୁଣାଅ । ସେମାନେ
ତୁମକୁ ମନ୍ଦିରରେ ହିଁ ମିଳିବେ । ମନ୍ଦିରମାନଙ୍କରେ ମଧ୍ୟ ସିଢି ଚିତ୍ର ଉପରେ ବୁଝାଇପାରିବ । ସାରା
ଦିନ ବୁଦ୍ଧିରେ ଏହି କଥା ରହୁ ଯେ ଆମେ କିପରି ବାବାଙ୍କର ପରିଚୟ ଦେବା, କାହାର କଲ୍ୟାଣ କରିବା ।
ଦିନକୁ ଦିନ ବୁଦ୍ଧିର ତାଲା ଖୋଲି ଖୋଲି ଚାଲିବ । ଯେଉଁମାନଙ୍କୁ ସମ୍ପତ୍ତି ପାଇବାର ଥିବ ସେମାନେ
ଆସିବେ । ଦିନକୁ ଦିନ ନୂଆ ନୂଆ ଆତ୍ମାମାନେ ଆସି ଜ୍ଞାନ ଯୋଗ ଶିକ୍ଷା କରୁଛନ୍ତି । କାହା କାହା
ଉପରେ ମାୟାର ପ୍ରଭାବ ପଡିଗଲେ ବାବାଙ୍କୁ ବୁଝାଇବାକୁ ପଡିଥାଏ । କିନ୍ତୁ ସେମାନେ ବୁଝିପାରନ୍ତି
ନାହିଁ ଯେ ମୋ ଉପରେ ଗ୍ରହଚାରୀ ରହିଛି ତେଣୁ ମୋ ଦ୍ୱାରା ସେବା ହେଉନାହିଁ । ସାରା ଦାୟିତ୍ୱ
ତୁମମାନଙ୍କ ଉପରେ ହିଁ ରହିଛି । ନିଜ ସମାନ ବ୍ରାହ୍ମଣ ତିଆରି କରିଚାଲ । ସେବାରେ ରହିବା ଦ୍ୱାରା
ବହୁତ ଖୁସି ମିଳିଥାଏ । ବହୁତଙ୍କର କଲ୍ୟାଣ ହୋଇଥାଏ । ବାବାଙ୍କୁ ବମ୍ବେରେ ସେବା କରିବାରେ ବହୁତ
ମଜା ଆସୁଥିଲା । ବହୁତ ନୂଆ ନୂଆ ଆତ୍ମା ଆସୁଥିଲେ । ବାବାଙ୍କର ତ ବହୁତ ମନ ହେଉଛି ଯେ ସେବା
କରନ୍ତି କି । ପିଲାମାନଙ୍କୁ ମଧ୍ୟ ଏହିଭଳି ଦୟାଶୀଳ ହେବା ଉଚିତ୍ । ସେବାରେ ଲାଗିଯିବା ଉଚିତ୍ ।
ମନରେ ଏହି କଥା ରହିବା ଦରକାର ଯେ କାହାକୁ ନିଜ ସମାନ ନ କରିବା ପର୍ଯ୍ୟନ୍ତ ଅର୍ଥାତ୍ ବାବାଙ୍କ
ପରିଚୟ ନ ଦେବା ଯାଏ ଭୋଜନ ମଧ୍ୟ କରିବାର ନାହିଁ । ପ୍ରଥମେ ପୁଣ୍ୟ ତ କରେ । ପ୍ରଥମେ ପାପ
ଆତ୍ମାଙ୍କୁ ପୁଣ୍ୟାତ୍ମା କରିବା ପରେ ଯାଇ ରୁଟି ଖାଇବି । ତେବେ ସେବାରେ ସର୍ବଦା ଲାଗି ରହିବା
ଦରକାର । ପ୍ରଥମେ କାହାର ଜୀବନକୁ ସଫଳ କରିବି ତେବେ ଯାଇ ରୁଟି ଖାଇବି । ନିଜ ସମାନ ବ୍ରାହ୍ମଣ
କରିବାର ଚେଷ୍ଟା କରିବା ଦରକାର ।
ପିଲାମାନଙ୍କ ପାଇଁ ପତ୍ରିକା ବାହାରୁଛି କିନ୍ତୁ ବି.କେ.ମାନେ ଏତେ ପଢୁ ନାହାଁନ୍ତି । ଭାବୁଛନ୍ତି
ଆମକୁ ଏସବୁ ପଢିବା ଦରକାର ନାହିଁ । ଏସବୁ ତ ବାହାର ଲୋକଙ୍କ ପାଇଁ । ବାବା କହୁଛନ୍ତି ବାହାରବାଲା
ତ ବିନା ଟିଚରରେ କିଛି ବି ବୁଝିପାରିବେ ନାହିଁ । ତେଣୁ ଏହା ହେଉଛି ବ୍ରହ୍ମାକୁମାର
କୁମାରୀମାନଙ୍କ ପାଇଁ । ଯାହାକି ଏମାନେ ପଢି ସତେଜ୍ ହୋଇଯିବେ । କିନ୍ତୁ ଏମାନେ ପଢୁନାହାଁନ୍ତି ।
ସବୁ ସେଣ୍ଟରବାଲାଙ୍କୁ ବାବା ପଚାରୁଛନ୍ତି ଯେ ପୁରା ମ୍ୟାଗାଜିନ୍ (ପତ୍ରିକା) କିଏ ପଢୁଛନ୍ତି?
ମ୍ୟାଗାଜିନ୍ରୁ କ’ଣ ବୁଝୁଛନ୍ତି? କେତେ ଠିକ୍ ଲାଗୁଛି? ମ୍ୟାଗାଜିନ୍ରେ ଲେଖା ଦେଇଥିବା
ଲେଖକଙ୍କୁ ମଧ୍ୟ ଧନ୍ୟବାଦ ଦେବା ଦରକାର ଯେ ଆପଣ ବହୁତ ଭଲ ଲେଖା ଲେଖିଛନ୍ତି, ଆପଣଙ୍କୁ ଧନ୍ୟବାଦ
ଦେଉଛୁ । ମେହନତ କରିବାକୁ ହେବ । ପତ୍ରିକା ପଢିବାକୁ ହେବ । ଏହା ହେଉଛି ପିଲାମାନଙ୍କୁ ସତେଜ
କରିବା ପାଇଁ ପତ୍ରିକା । କିନ୍ତୁ ପିଲାମାନେ ପଢୁନାହାଁନ୍ତି । ଯେଉଁମାନଙ୍କର ନାମ ବିଖ୍ୟାତ ଅଟେ,
ସେମାନଙ୍କୁ ସମସ୍ତେ ଡାକୁଛନ୍ତି । ବାବା, ଭାଷଣ କରିବା ପାଇଁ ଆମ ପାଖକୁ ଅମୁକଙ୍କୁ ପଠାନ୍ତୁ ।
ତେବେ ବାବା ବୁଝିଯାଉଛନ୍ତି ଯେ ନିଜକୁ ଭାଷଣ କରିବା ଜଣାନାହିଁ ସେଥିପାଇଁ ତ ଡାକୁଛନ୍ତି । ତେଣୁ
ସେବାଯୋଗ୍ୟ ପିଲାମାନଙ୍କୁ କେତେ ସମ୍ମାନ ଦେବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ରାଜପଦର
ପୁରସ୍କାର ନେବା ପାଇଁ ସମସ୍ତଙ୍କ ହୃଦୟକୁ ଖୁସି କରିବାକୁ ହେବ । ବହୁତ ବହୁତ ଦୟାଶୀଳ ହୋଇ ନିଜର
ଏବଂ ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ନିଷ୍ଠାପର ଭାବରେ ସେବା କରିବାକୁ ହେବ ।
(୨) ଦେହ-ଅଭିମାନରେ ଆସି
ଅପସେବା କରିବାର ନାହିଁ । ସର୍ବଦା ପୁଣ୍ୟ କର୍ମ କରିବାର ଅଛି । ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ
ବ୍ରାହ୍ମଣ କରିବାର ସେବା କରିବାକୁ ହେବ । ଯୋଗ୍ୟ ସେବାଧାରୀମାନଙ୍କୁ ସମ୍ମାନ ଦେବାକୁ ହେବ ।
ବରଦାନ:-
ମନନ ଶକ୍ତି
ଦ୍ୱାରା ବ୍ୟର୍ଥ ସଂକଳ୍ପର ବୋଝକୁ ସମାପ୍ତ କରୁଥିବା ସଦା ଶକ୍ତିଶାଳୀ ଆତ୍ମା ହୁଅ ।
ଆତ୍ମା ଉପରେ ବ୍ୟର୍ଥର
ହିଁ ବୋଝ ରହିଛି । ବ୍ୟର୍ଥ ସଂକଳ୍ପ, ବ୍ୟର୍ଥ ବାଣୀ, ବ୍ୟର୍ଥ କର୍ମ ଏହାଦ୍ୱାରା ହିଁ ଆତ୍ମା ଭାରୀ
ହୋଇଯାଇଥାଏ । ଏବେ ଏହି ବୋଝଗୁଡିକୁ ସମାପ୍ତ କର । ଏଥିପାଇଁ ସର୍ବଦା ସେବାରେ ହିଁ ବ୍ୟସ୍ତ ରୁହ ।
ମନନ ଶକ୍ତିକୁ ବଢାଅ । ମନନ ଶକ୍ତି ଦ୍ୱାରା ଆତ୍ମା ଶକ୍ତିଶାଳୀ ହୋଇଯିବ । ଯେପରି ଭୋଜନକୁ ହଜମ
କରିବା ଦ୍ୱାରା ରକ୍ତ ତିଆରି ହୋଇଥାଏ, ସେହିପରି ଜ୍ଞାନକୁ ମନନ ଚିନ୍ତନ କରିବା ଦ୍ୱାରା ଆତ୍ମାର
ଶକ୍ତି ବୃଦ୍ଧି ହୋଇଥାଏ ।
ସ୍ଲୋଗାନ:-
ଯେଉଁମାନେ ନିଜର
ସ୍ୱଭାବକୁ ସରଳ କରିଦିଅନ୍ତି, ସେମାନଙ୍କର ସମୟ ବ୍ୟର୍ଥରେ ଯାଏ ନାହିଁ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ଯିଏ ନିଶ୍ଚୟ ବୁଦ୍ଧି
ହୋଇଥିବ, ସେ ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହୁଥିବ । ତା’ର କୌଣସି ପ୍ରକାରର ଚିନ୍ତନ ବା ଚିନ୍ତା
ନ ଥିବ । କ’ଣ ହେଲା, କାହିଁକି ହେଲା? ଏଭଳି ତ ହେବା କଥା ନୁହେଁ.... ଏସବୁ ହେଲା ବ୍ୟର୍ଥ
ଚିନ୍ତନ । ନିଶ୍ଚୟ ବୁଦ୍ଧି ଆତ୍ମା ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହିଥାଏ । ସେ କେବେ ବି
ବ୍ୟର୍ଥ ଚିନ୍ତନ କରି ନ ଥାଏ । ସର୍ବଦା ସ୍ୱ ଚିନ୍ତନରେ ରହୁଥିବା ଆତ୍ମା ନିଜର ସ୍ୱସ୍ଥିତି ଦ୍ୱାରା
ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରିନେଇଥାଏ ।