02.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏକାନ୍ତରେ ବସି ନିଜ ସହିତ କଥାବାର୍ତ୍ତ କର, ମୁଁ ଏକ ଅବିନାଶୀ ଆତ୍ମା, ବାବାଙ୍କ ଠାରୁ ଜ୍ଞାନ ଶୁଣୁଛି, ଏହିଭଳି ଅଭ୍ୟାସ କର ।”

ପ୍ରଶ୍ନ:-
ଯେଉଁ ସନ୍ତାନମାନେ ଯୋଗରେ ଅବହେଳା କରନ୍ତି, ସେମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରିଥାଏ?

ଉତ୍ତର:-
ସେମାନେ କହିଥା’ନ୍ତି - ଆମେ ତ ଶିବବାବାଙ୍କର ହିଁ ସନ୍ତାନ । ତାଙ୍କରି ସ୍ମୃତିରେ ହିଁ ରହୁଛୁ । କିନ୍ତୁ ବାବା କହୁଛନ୍ତି ତାହା ସବୁ କାହାଣୀ ଏବଂ ଅବହେଳା ପଣିଆ ଅଟେ । ଏଥିପାଇଁ ତ ପୁରୁଷାର୍ଥ କରିବାକୁ ହେବ । ଅମୃତବେଳାରୁ ଉଠି ନିଜକୁ ଆତ୍ମା ମନେ କରି ବସିବାକୁ ହେବ । ବାବାଙ୍କ ସହିତ ଆତ୍ମିକ ବାର୍ତ୍ତାଳାପ କରିବାକୁ ପଡିବ । ଆତ୍ମା ହିଁ ବାର୍ତ୍ତାଳାପ କରିଥାଏ, ଏବେ ତୁମେମାନେ ଦେହୀ-ଅଭିମାନୀ ହେଉଛ । ଦେହୀ-ଅଭିମାନୀ ସନ୍ତାନମାନେ ହିଁ ଯୋଗର ଚାର୍ଟ ରଖିବେ, କେବଳ ଜ୍ଞାନର ବାହୁସ୍ପୋଟ ମାରିବେ ନାହିଁ ।

ଗୀତ:-
ମୁଖଡା ଦେଖଲେ ପ୍ରାଣୀ.....

ଓମ୍ ଶାନ୍ତି ।
ରୁହାନୀ ପିଲାମାନଙ୍କୁ ବୁଝାଯାଇଛି କି ଆତ୍ମାକୁ ପ୍ରାଣ ବୋଲି କୁହାଯାଏ । ଏବେ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି, ଏହି ଗୀତ ତ ଭକ୍ତିମାର୍ଗର ଅଟେ । ଏଥିରେ ତ କେବଳ ଏହାର ସାରାଂଶ ବୁଝାଇ ଦିଆଯାଉଛି । ବର୍ତ୍ତମାନ ତୁମେ ଯେତେବେଳେ ଏଠାରେ ବସୁଛ ସେତେବେଳେ ନିଜକୁ ଆତ୍ମା ବୋଲି ଭାବ । ଦେହର ଅଭିମାନ ଛାଡି ଦେବାକୁ ହେବ । ମୁଁ ଆତ୍ମା ବହୁତ ଛୋଟ ବିନ୍ଦୁ ଅଟେ । ମୁଁ ହିଁ ଏହି ଶରୀର ଦ୍ୱାରା ଅଭିନୟ କରୁଛି । ଏହି ଆତ୍ମ ଜ୍ଞାନ ଆଉ କାହା ପାଖରେ ନାହିଁ । ଏ କଥା ବାବା ବୁଝାଉଛନ୍ତି, ନିଜକୁ ଆତ୍ମା ବୋଲି ଭାବ - ମୁଁ ସୂକ୍ଷ୍ମ ଆତ୍ମା ଅଟେ । ଆତ୍ମା ହିଁ ଶରୀର ଦ୍ୱାରା ସମସ୍ତ ଅଭିନୟ କରୁଛି, ତେବେ ଦେହ-ଅଭିମାନ ତୁଟିଯିବ । ଏହି ମେହନତ କରିବାକୁ ହେବ । ଆମେ ଆତ୍ମାମାନେ ହିଁ ସମ୍ପୂର୍ଣ୍ଣ ନାଟକର ଅଭିନେତା ଅଟୁ । ପରମପିତା ପରମାତ୍ମା ସର୍ବୋଚ୍ଚ ଅଭିନେତା ଅଟନ୍ତି । ବୁଦ୍ଧିରେ ରହୁଛି ଯେ ସେ ମଧ୍ୟ ଏତେ ଛୋଟ ବିନ୍ଦୁ ଅଟନ୍ତି, କିନ୍ତୁ ତାଙ୍କର ମହିମା ମଧ୍ୟ କେତେ ଉଚ୍ଚ । ସେ ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି । କିନ୍ତୁ ସେ ରୂପରେ ଛୋଟ ବିନ୍ଦୁ ହିଁ ଅଟନ୍ତି । ଆମେ ଆତ୍ମା ମଧ୍ୟ ଛୋଟ ବିନ୍ଦୁ ଅଟୁ । ଆତ୍ମାକୁ ଦିବ୍ୟଦୃଷ୍ଟି ବିନା ଦେଖି ହେବ ନାହିଁ । ଏହି ନୂଆ-ନୂଆ କଥା ସବୁ ଏବେ ତୁମେ ଶୁଣୁଛ । ଦୁନିଆ ଏ କଥା କ’ଣ ଜାଣିବ । ତୁମମାନଙ୍କ ମଧ୍ୟରେ ବି ବହୁତ କମ୍ ଅଛନ୍ତି ଯେଉଁମାନେ ଯଥାର୍ଥ ରୀତିରେ ଜାଣୁଛନ୍ତି ଏବଂ ବୁଦ୍ଧିରେ ଧାରଣ କରୁଛନ୍ତି ଯେ ଆମେ ଆତ୍ମା ଛୋଟ ବିନ୍ଦୁ ଅଟୁ । ଆମର ପିତା ଏହି ଡ୍ରାମାରେ ମୁଖ୍ୟ ଅଭିନେତା ଅଟନ୍ତି । ବାବା ସର୍ବୋଚ୍ଚ ଅଭିନେତା ଅଟନ୍ତି, ପୁଣି ଅନ୍ୟ ସବୁ ଆତ୍ମାମାନେ ଅଭିନୟ କରିବାକୁ ଆସିଥା’ନ୍ତି । ତୁମେ ଜାଣିଛ ବାବା ଜ୍ଞାନର ସାଗର ଅଟନ୍ତି କିନ୍ତୁ ଶରୀର ବିନା ତ ଜ୍ଞାନ ଶୁଣାଇ ପାରିବେ ନାହିଁ । ସେ ମଧ୍ୟ ଶରୀର ଦ୍ୱାରା ହିଁ କଥାବାର୍ତ୍ତା କରିପାରିବେ । ଅଶରୀରି ହେବା ଦ୍ୱାରା କର୍ମେନ୍ଦ୍ରିୟ ଗୁଡିକ ଅଲଗା ହୋଇଯାଇଥାଏ । ଭକ୍ତିମାର୍ଗରେ ତ ଦେହଧାରୀଙ୍କୁ ହିଁ ସ୍ମରଣ କରିଥା’ନ୍ତି । ପରମପିତା ପରମାତ୍ମାଙ୍କର ନାମ, ରୂପ, ଦେଶ, କାଳକୁ ହିଁ ଜାଣିନାହାଁନ୍ତି । କେବଳ କହିଦେଉଛନ୍ତି ପରମାତ୍ମା ନାମ-ରୂପରୁ ଅଲଗା ଅଟନ୍ତି । ବାବା ବୁଝାଉଛନ୍ତି - ଡ୍ରାମା ଅନୁସାରେ ତୁମେ ଯେଉଁମାନେ ନମ୍ବରୱାନ ସତ୍ୱପ୍ରଧାନ ଥିଲ, ତୁମକୁ ହିଁ ପୁଣି ସତ୍ୱପ୍ରଧାନ ହେବାକୁ ପଡିବ । ତମଃପ୍ରଧାନରୁ ସତ୍ୱପ୍ରଧାନ ହେବା ପାଇଁ ତୁମକୁ ପୁଣି ଏହି ଅବସ୍ଥାକୁ ମଜବୁତ ରଖିବାକୁ ହେବ ଯେ ମୁଁ ଆତ୍ମା ଅଟେ, ଆତ୍ମା ଏହି ଶରୀର ଦ୍ୱାରା କଥାବାର୍ତ୍ତା କରୁଛି । ଆତ୍ମାରେ ଜ୍ଞାନ ରହିଛି । ଏହି ଜ୍ଞାନ ଆଉ କାହାରି ବୁଦ୍ଧିରେ ନାହିଁ ଯେ ଆମ ଆତ୍ମାରେ ୮୪ ଜନ୍ମର ପାର୍ଟ ଅବିନାଶୀ ନିର୍ଦ୍ଧାରିତ ହୋଇ ରହିଛି । ଏହା ବହୁତ ନୂଆ-ନୂଆ ପଏଣ୍ଟସ୍ । ଏକାନ୍ତରେ ବସି ନିଜ ସହିତ ଏହିପରି କଥା ହେବା ଉଚିତ୍‌ - ମୁଁ ଆତ୍ମା ଅଟେ, ବାବାଙ୍କଠାରୁ ଶୁଣୁଛି । ମୋର ଆତ୍ମା ହିଁ ଜ୍ଞାନକୁ ଧାରଣ କରୁଛି । ମୋ ଆତ୍ମାରେ ହିଁ ଅଭିନୟ ଭରି ହୋଇ ରହିଛି । ମୁଁ ଆତ୍ମା ଅବିନାଶୀ ଅଟେ । ମନ ଭିତରେ ଏହାର ପୁନରାବୃତ୍ତି କରିବା ଦରକାର । ଆମକୁ ତମଃପ୍ରଧାରୁ ସତ୍ୱପ୍ରଧାନ ହେବାକୁ ପଡିବ । ଦେହ-ଅଭିମାନୀ ମନୁଷ୍ୟମାନଙ୍କଠାରେ ଆତ୍ମାର ଜ୍ଞାନ ନାହିଁ । କିନ୍ତୁ କେତେ ବଡ-ବଡ ପୁସ୍ତକ ନିଜ ପାଖରେ ରଖୁଛନ୍ତି । କେତେ ଅଂହକାର ରହିଛି । ଏହା ହେଉଛି ତମଃପ୍ରଧାନ ଦୁନିଆ । ଏଠାରେ ଶ୍ରେଷ୍ଠ ଆତ୍ମା ତ କେହି ବି ନୁହଁନ୍ତି । ତୁମେ ଜାଣିଛ ଯେ ଏବେ ଆମକୁ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଏହି କଥାକୁ ମନ ଭିତରେ ଘୋଷିବା ଉଚିତ୍ । ଜ୍ଞାନ ଶୁଣାଇଲାବାଲା ତ ବହୁତ ଅଛନ୍ତି । କିନ୍ତୁ ସେହିଭଳି ଭାବରେ ୟାଦ କରିପାରୁ ନାହାଁନ୍ତି । ଭିତରେ ବହୁତ ଅନ୍ତର୍ମୂଖତା ରହିବା ଦରକାର । ଆମକୁ ବାବାଙ୍କ ସ୍ମୃତିରେ ପତିତରୁ ପାବନ ହେବାକୁ ପଡିବ, କେବଳ ପଣ୍ଡିତ ହେବାର ନାହିଁ । ଏହି ସମ୍ବନ୍ଧରେ ଜଣେ ପଣ୍ଡିତଙ୍କର ଉଦାହରଣ ମଧ୍ୟ ରହିଛି - ମାତାମାନଙ୍କୁ କହୁଥିଲେ ରାମ ରାମ କହିଲେ ପାର ହୋଇଯିବ । ଏପରି ବାହସ୍ପୋଟିଆ ହୁଅ ନାହିଁ । ଏହିପରି ବହୁତ ଅଛନ୍ତି ।

ବହୁତ ଭଲ ବୁଝାଉଛନ୍ତି, କିନ୍ତୁ ଯୋଗ କିଛି ହେଲେ ନାହିଁ । ସାରାଦିନ ଦେହ-ଅଭିମାନରେ ରହିଥାନ୍ତି । ନଚେତ୍ ବାବାଙ୍କ ପାଖକୁ ଚାର୍ଟ ପଠାଇବା ଉଚିତ୍‌ - ମୁଁ ଏହି ସମୟରେ ଉଠୁଛି, ଏତେ ୟାଦ କରୁଛି । କିଛି ସମାଚାର ଦେଉନାହାଁନ୍ତି । ଜ୍ଞାନର ବହୁତ ଫୁଟାଣୀ ମାରୁଛନ୍ତି । ଯୋଗ କିଛି ହେଲେ ନାହିଁ । ଯଦିଓ ବଡ-ବଡ ଲୋକମାନଙ୍କୁ ଜ୍ଞାନ ଦେଉଛନ୍ତି, କିନ୍ତୁ ଯୋଗରେ ଦୁର୍ବଳ ଅଟନ୍ତି । ଅମୃତବେଳାରୁ ଉଠି ବାବାଙ୍କୁ ୟାଦ କରିବାକୁ ହେବ । ବାବା ଆପଣ କେତେ ପରମପ୍ରିୟ ଅଟନ୍ତି । କିପରି ଏହି ବିଚିତ୍ର ଡ୍ରାମା ତିଆରି ହୋଇଛି । କେହି ବି ଏହି ରହସ୍ୟକୁ ଜାଣି ନାହାଁନ୍ତି । ନା ଆତ୍ମାକୁ, ନା ପରମାତ୍ମାଙ୍କୁ ଜାଣିଛନ୍ତି । ବର୍ତ୍ତମାନ ସମୟରେ ମନୁଷ୍ୟମାନେ ପଶୁଙ୍କଠାରୁ ମଧ୍ୟ ହୀନ ହୋଇଯାଇଛନ୍ତି । ମୁଁ ମଧ୍ୟ ଏହିପରି ଥିଲି । ମାୟାର ରାଜ୍ୟରେ କେତେ ଦୁର୍ଦ୍ଦଶା ହୋଇଯାଇଛି । ଏହି ଜ୍ଞାନ ତୁମେ କାହାକୁ ବି ଦେଇପାରିବ । କୁହ, ତୁମେ ଆତ୍ମା ଏବେ ତମଃପ୍ରଧାନ ହୋଇଯାଇଛ, ତୁମକୁ ସତ୍ତ୍ୱପଧାନ ହେବାକୁ ପଡିବ, ପ୍ରଥମେ ତ ନିଜକୁ ଆତ୍ମା ବୋଲି ଭାବ । ଗରୀବମାନଙ୍କ ପାଇଁ ତ ଆହୁରି ସହଜ । ସାହୁକାରମାନଙ୍କର ତ ବହୁତ ଝିନ୍‌ଝଟ୍ ରହିଥାଏ ।

ବାବା କହୁଛନ୍ତି - ମୁଁ ସାଧାରଣ ଶରୀରରେ ହିଁ ଆସୁଛି । ନା ବହୁତ ଗରୀବ, ନା ବହୁତ ସାହୁକାର । ଏବେ ତୁମେ ଜାଣୁଛ କଳ୍ପ-କଳ୍ପ ବାବା ଆସି ଆମକୁ ଏହି ଶିକ୍ଷା ଦେଉଛନ୍ତି କି ପବିତ୍ର କିପରି ହେବ । ବାକି ତୁମର ବ୍ୟବସାୟ ଆଦିରେ ଖିଟ୍‌ପିଟ୍ ରହିଛି, ସେଥିପାଇଁ ବାବା ଆସିନାହାଁନ୍ତି । ତୁମେ ତ ଡାକୁଛ ହେ ପତିତ-ପାବନ ଆସ, ତେଣୁ ବାବା ପବିତ୍ର ହେବା ପାଇଁ ଯୁକ୍ତି ବତାଉଛନ୍ତି । ଏହି ବ୍ରହ୍ମା ନିଜେ ମଧ୍ୟ କିଛି ଜାଣି ନ ଥିଲେ । ଅଭିନେତା ହୋଇ ଯଦି ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ନ ଜାଣିବେ ତେବେ ତାଙ୍କୁ କ’ଣ କୁହାଯିବ । ଆମେ ଆତ୍ମା ଏହି ସୃଷ୍ଟି ଚକ୍ରର ଅଭିନେତା ଅଟୁ, ଏ କଥା ମଧ୍ୟ କେହି ଜାଣିନାହାଁନ୍ତି । ଯଦିଓ କହିଦେଉଛନ୍ତି ଯେ ଆତ୍ମା ମୂଳବତନରେ ନିବାସ କରୁଛି ପରନ୍ତୁ ଅନୁଭବରୁ ଏପରି କହୁନାହାଁନ୍ତି । ତୁମେ ତ ଏବେ ବାସ୍ତବରେ ଜାଣୁଛ - ମୁଁ ଆତ୍ମା ମୂଳବତନର ନିବାସୀ ଅଟେ । ମୁଁ ଆତ୍ମା ଅବିନାଶୀ ଅଟେ । ଏ କଥା ତ ବୁଦ୍ଧିରେ ମନେ ରହିବା ଉଚିତ୍ । ଅନେକଙ୍କର ଯୋଗ ବିଲ୍‌କୁଲ୍ ରହୁ ନାହିଁ । ଦେହ-ଅଭିମାନ କାରଣରୁ ପୁଣି ଭୁଲ୍‌ ମଧ୍ୟ ବହୁତ ହେଉଛି । ମୂଳ କଥା ହିଁ ହେଉଛି ଦେହୀ-ଅଭିମାନୀ ହେବା । ଏହି ଚିନ୍ତା ରହିବା ଉଚିତ୍ ଯେ ଆମକୁ ସତ୍ୱପ୍ରଧାନ ହେବାକୁ ପଡିବ । ଯେଉଁ ସନ୍ତାନମାନଙ୍କର ସତ୍ତ୍ୱପ୍ରଧାନ ହେବାର ଲଗନ ଅଛି, ତାଙ୍କ ମୁଖରୁ କେବେ ପଥର ଅର୍ଥାତ୍ କଟୁବଚନ ବାହାରିବ ନାହିଁ । କୌଣସି ଭୁଲ୍ ହୋଇଗଲେ ତୁରନ୍ତ ବାବାଙ୍କୁ ରିପୋର୍ଟ କରିବେ । ବାବା ମୋ ଦ୍ୱାରା ଏହି ଭୁଲ୍ ହୋଇଯାଇଛି । କ୍ଷମା କରିଦେବେ । ସେମାନେ ଭୁଲ୍‌କୁ ଲୁଚାଇବେ ନାହିଁ । ଲୁଚାଇବା ଦ୍ୱାରା ତାହା ଆହୁରି ବୃଦ୍ଧି ହୋଇଥାଏ । ବାବାଙ୍କୁ ସମାଚାର ଦେଇଚାଲ । ବାବା ଲେଖିଦେବେ ତୁମର ଯୋଗ ଠିକ୍ ନାହିଁ । ମୁଖ୍ୟ କଥା ହେଉଛି ପବିତ୍ର ହେବା । ତୁମମାନଙ୍କ ବୁଦ୍ଧିରେ ୮୪ ଜନ୍ମର କାହାଣୀ ରହିଛି । ଯେତେ ସମ୍ଭବ ଏହି ଚିନ୍ତା ଲାଗି ରହୁ ଯେ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଦେହ-ଅଭିମାନକୁ ତ୍ୟାଗ କରିବାକୁ ହେବ । ତୁମେ ରାଜଋଷି ଅଟ । ହଠଯୋଗୀ କେବେ ରାଜଯୋଗ ଶିଖାଇ ପାରିବେ ନାହିଁ । ରାଜଯୋଗ ବାବା ହିଁ ଶିଖାଉଛନ୍ତି । ଜ୍ଞାନ ମଧ୍ୟ ବାବା ହିଁ ଦେଉଛନ୍ତି । ବାକି ବର୍ତ୍ତମାନ ଭକ୍ତି ତମଃପ୍ରଧାନ ହୋଇଯାଇଛି । ଜ୍ଞାନ କେବଳ ବାବା ସଂଗମରେ ହିଁ ଆସି ଶୁଣାଉଛନ୍ତି । ବାବା ଆସିଛନ୍ତି ତେଣୁ ଭକ୍ତି ସଂପୂର୍ଣ୍ଣ ହୋଇଯିବ । ଏହି ଦୁନିଆର ହିଁ ବିନାଶ ହୋଇଯିବ । ଜ୍ଞାନ ଏବଂ ଯୋଗ ଦ୍ୱାରା ସତ୍ୟଯୁଗର ସ୍ଥାପନା ହେଉଛି । ଭକ୍ତି ଜିନିଷ ହିଁ ଅଲଗା ଅଟେ । ମନୁଷ୍ୟମାନେ ପୁଣି କହିଦେଉଛନ୍ତି ଦୁଃଖ-ସୁଖ ଏହିଠାରେ ହିଁ ରହିଛି । ଏବେ ତୁମ ପିଲାମାନଙ୍କ ଉପରେ ବହୁତ ବଡ ଦାୟିତ୍ୱ ରହିଛି । ନିଜର କଲ୍ୟାଣ କରିବାର ଯୁକ୍ତି ରଚନା କରିଚାଲ । ଏ କଥା ମଧ୍ୟ ବୁଝାଯାଇଛି ଯେ ପବିତ୍ର ଦୁନିଆ ହେଉଛି ଶାନ୍ତିଧାମ ଏବଂ ସୁଖଧାମ । ଏହା ହେଉଛି ଅଶାନ୍ତିଧାମ, ଦୁଃଖଧାମ । ପ୍ରଥମ ମୁଖ୍ୟ କଥା ହେଲା ଯୋଗ । ଯୋଗ ନ ଥିଲେ କେବଳ ପଣ୍ଡିତଙ୍କ ଭଳି ଜ୍ଞାନ ଶୁଣାଉଛନ୍ତି । ଆଜିକାଲି ତ ରିଦ୍ଧି-ସିଦ୍ଧି (ତନ୍ତ୍ରବିଦ୍ୟା) ମଧ୍ୟ ବହୁତ ବାହାରିଲାଣି । ଏହା ସହିତ ଜ୍ଞାନର କୌଣସି ସମ୍ପର୍କ ନାହିଁ । ମନୁଷ୍ୟମାନେ କେତେ ମିଥ୍ୟାରେ ବୁଡି ରହିଛନ୍ତି । ପତିତ ହୋଇଯାଇଛନ୍ତି । ବାବା ନିଜେ କହୁଛନ୍ତି ମୁଁ ପତିତ ଦୁନିଆ, ପତିତ ଶରୀରରେ ଆସୁଛି । ଏଠାରେ ତ କେହି ପବିତ୍ର ନାହାଁନ୍ତି । ବ୍ରହ୍ମା ତ ନିଜକୁ ଭଗବାନ କହୁନାହାଁନ୍ତି । ଇଏ ତ କହୁଛନ୍ତି ମୁଁ ମଧ୍ୟ ପତିତ ଅଟେ, ପବିତ୍ର ହେଲେ ଫରିସ୍ତା ହୋଇଯିବି । ତୁମେ ମଧ୍ୟ ପବିତ୍ର ଫରିସ୍ତା ହୋଇଯିବ । ତେଣୁ ଏହା ହିଁ ମୂଳ କଥା ଯେ ଆମେ ପବିତ୍ର କିପରି ହେବା । ତେଣୁ ବାବାଙ୍କୁ ମନେ ପକାଇବା ବହୁତ ଜରୁରୀ । ଯେଉଁ ସନ୍ତାନମାନେ ମନେ ପକାଇବାରେ ଅଳସୁଆ ଅଟନ୍ତି ସେମାନେ କହିଥା’ନ୍ତି - ଆମେ ତ ଶିବବାବାଙ୍କର ସନ୍ତାନ ଅଟୁ । ୟାଦରେ ହିଁ ଅଛୁ । କିନ୍ତୁ ବାବା କହୁଛନ୍ତି ଏ ସବୁ ଗପ ଅଟେ । ଅବହେଳାପଣ ଅଟେ । ଏଥିରେ ତ ପୁରୁଷାର୍ଥ କରିବାକୁ ହେବ, ସକାଳୁ ଉଠି ନିଜକୁ ଆତ୍ମା ଭାବି ବସିଯିବା ଉଚିତ୍ । ରୁହରିହାନ କରିବାକୁ ହେବ । ଆତ୍ମା ହିଁ କଥାବାର୍ତ୍ତା କରୁଛି ନା । ଏବେ ତୁମେ ଦେହୀ ଅଭିମାନୀ ହେଉଛ । ଯଦି କିଏ କାହାର କଲ୍ୟାଣ କରିଥା’ନ୍ତି, ତେବେ ତାଙ୍କର ମହିମା ମଧ୍ୟ କରାଯାଇଥାଏ ନା । କିନ୍ତୁ ତାହା ହେଉଛି ଦେହର ମହିମା । ଏହା ତ ହେଉଛି ନିରାକାର ପରମପିତା ପରମାତ୍ମାଙ୍କର ମହିମା । ଏହାକୁ ମଧ୍ୟ ତୁମେ ବୁଝୁଛ । ଏହି ସିଡିର ଚିତ୍ର ଅନ୍ୟ କାହାରି ବୁଦ୍ଧିରେ ନାହିଁ । ଆମେ ୮୪ ଜନ୍ମ କିପରି ନେଉଛୁ, କିପରି ତଳକୁ ଓହ୍ଲାଇ ଆସୁଛୁ । ଏବେ ତ ପାପର କଳସୀ ଭରି ଗଲାଣି, ତାହା ଖାଲି କିପରି ହେବ? ସେଥିପାଇଁ ବାବାଙ୍କୁ ଡାକୁଛନ୍ତି । ତୁମେ ହେଉଛ ପାଣ୍ଡବ ସମ୍ପ୍ରଦାୟ । ତୁମେମାନେ ଧାର୍ମିକ ହେବା ସହ ରାଜନୈତିକ ମଧ୍ୟ ଅଟ । ବାବା ସବୁ ଧର୍ମର କଥା ବୁଝାଉଛନ୍ତି । ଏ କଥା ଅନ୍ୟ କେହି ବୁଝାଇପାରିବେ ନାହିଁ । ବାକି ସେହିସବୁ ଧର୍ମ ସ୍ଥାପନକର୍ତ୍ତାମାନେ କ’ଣ କରୁଛନ୍ତି, ତାଙ୍କ ପଛରେ ତ ଅନ୍ୟ ସମସ୍ତ ଆତ୍ମାମାନଙ୍କୁ ମଧ୍ୟ ତଳକୁ ଆସିବାକୁ ପଡୁଛି । ବାକି ସେମାନେ କୌଣସି ମୋକ୍ଷ ଦେଉ ନାହାଁନ୍ତି । ବାବା ହିଁ ଅନ୍ତିମ ସମୟରେ ଆସି ସମସ୍ତଙ୍କୁ ପବିତ୍ର କରି ଘରକୁ ଫେରାଇ ନେଇଯାଉଛନ୍ତି, ସେଥିପାଇଁ ସେହି ଜଣଙ୍କ ବିନା ଆଉ କାହାର ମହିମା ନାହିଁ । ବ୍ରହ୍ମା ଅଥବା ତୁମର ମଧ୍ୟ କୌଣସି ମହିମା ନାହିଁ । ବାବା ନ ଆସିଥିଲେ ତୁମେ ମଧ୍ୟ କ’ଣ କରିଥା’ନ୍ତ । ଏବେ ବାବା ତୁମକୁ ଆରୋହଣ କଳାକୁ ନେଇଯାଉଛନ୍ତି । ଗାୟନ ମଧ୍ୟ କରୁଛନ୍ତି ତେରେ ଭାନେ ସର୍ବ କା ଭଲା ଅର୍ଥାତ୍ ତୁମ ପାଇଁ ସମସ୍ତଙ୍କର କଲ୍ୟାଣ ହେଉଛି । କିନ୍ତୁ ଅର୍ଥ ବୁଝିପାରୁ ନାହାଁନ୍ତି । ମହିମା ତ ବହୁତ କରୁଛନ୍ତି ।

ଏବେ ବାବା ବୁଝାଉଛନ୍ତି ଆତ୍ମା ତ ଅକାଳ ଅଟେ । ଭ୍ରୃକୁଟୀ ହେଉଛି ତାର ସିଂହାସନ । ଆତ୍ମା ଅବିନାଶୀ ଅଟେ । ତାକୁ କେବେ କାଳ ଖାଇପାରେ ନାହିଁ । ଆତ୍ମାକୁ ଗୋଟିଏ ଶରୀର ଛାଡି ଅନ୍ୟ ଶରୀରରେ ଅଭିନୟ କରିବାକୁ ହୁଏ । ବାକି ନେବା ପାଇଁ କୌଣସି କାଳ ଆସୁନାହିଁ । କେହି ଶରୀର ଛାଡିଲେ ତୁମକୁ ଦୁଃଖ ହେଉ ନାହିଁ । ଆତ୍ମା ଶରୀର ଛାଡି ଅନ୍ୟ ପାର୍ଟ ବଜାଇବାକୁ ଗଲେ, କାନ୍ଦିବାର କ’ଣ ବା ଆବଶ୍ୟକତା ଅଛି । ଆମେ ଆତ୍ମା ଭାଇ-ଭାଇ ଅଟୁ । ଏହା ମଧ୍ୟ ତୁମେ ଏବେ ଜାଣୁଛ । ଗାୟନ କରିଥା’ନ୍ତି ଆତ୍ମାମାନେ ଏବଂ ପରମାତ୍ମା ଅଲଗା ରହିଲେ ବହୁକାଳ.... ବାବା କେଉଁଠି କିପରି ଆସି ମିଶିଥା’ନ୍ତି । ଏ କଥା ମଧ୍ୟ କେହି ଜାଣିନାହାଁନ୍ତି । ଏବେ ତୁମକୁ ସବୁ କଥାର ଜ୍ଞାନ ମିଳୁଛି । କେବେଠାରୁ ଶୁଣି ଆସୁଛ । ବାବା କୌଣସି ଶାସ୍ତ୍ର ଆଦି ଶୁଣାଉ ନାହାଁନ୍ତି କେବଳ ବୁଝାଇବା ନିମନ୍ତେ ଉଦାହରଣ ଦେଉଛନ୍ତି । ବାବା ସତ୍ୟ ତେଣୁ ସତ୍ୟ ଦୁନିଆ ରଚନା କରୁଛନ୍ତି । ସତ୍ୟ ଶୁଣାଉଛନ୍ତି । ସତ୍ୟରେ ବିଜୟ ଏବଂ ମିଥ୍ୟାରେ ପରାଜୟ ହୋଇଥାଏ । ସତ୍ୟ ବାବା ସତ୍ୟଖଣ୍ଡର ସ୍ଥାପନା କରୁଛନ୍ତି । ରାବଣଠାରୁ ତୁମେ ବହୁତ ହାରିଛ । ଏହି ସବୁ ଖେଳ ତିଆରି ହୋଇଛି । ଏବେ ତୁମେ ଜାଣୁଛ ଆମର ରାଜ୍ୟ ସ୍ଥାପନ ହେଉଛି ପୁଣି ଅନ୍ୟ ଧର୍ମାବଲମ୍ବୀମାନେ ରହିବେ ନାହିଁ । ଏମାନେ ତ ସମସ୍ତେ ପଛରେ ଆସିଛନ୍ତି । ଏହି ସୃଷ୍ଟିଚକ୍ରକୁ ବୁଦ୍ଧିରେ ରଖିବା କେତେ ସହଜ ଅଟେ । ଯେଉଁମାନେ ପୁରୁଷାର୍ଥୀ ସନ୍ତାନ ଅଟନ୍ତି ସେମାନେ ଏଥିରେ ଖୁସି ହେବେ ନାହିଁ ଯେ ଆମେ ଜ୍ଞାନ ବହୁତ ଭଲ ଶୁଣାଉଛୁ । ତା ସହିତ ଯୋଗଯୁକ୍ତ ହେବେ ଦୈବୀଗୁଣ ମଧ୍ୟ ଧାରଣ କରିବେ । ତୁମକୁ ବହୁତ-ବହୁତ ମିଠା ହେବାକୁ ପଡିବ । କାହାକୁ ହେଲେ ଦୁଃଖ ଦିଅ ନାହିଁ । ସ୍ନେହର ସହିତ ବୁଝାଇବା ଉଚିତ୍ । ପବିତ୍ରତା ପାଇଁ ମଧ୍ୟ କେତେ ହଙ୍ଗାମା ହେଉଛି । ଏହା ମଧ୍ୟ ଡ୍ରାମା ଅନୁସାରେ ହେଉଛି । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ ନା । ଏପରି ନୁହେଁ ଯେ ଡ୍ରାମାରେ ଥିବ ତ ମିଳିବ । ନାଁ, ମେହନତ କରିବାକୁ ହେବ । ଦେବତାମାନଙ୍କ ସଦୃଶ ଦୈବୀଗୁଣ ଧାରଣ କରିବାକୁ ହେବ । ଲୁଣପାଣି ହେବା ଅନୁଚିତ୍ । ଦେଖିବା ଉଚିତ୍ ଯେ ଆମେ ନିଜର ଓଲଟା ଚଳଣି ଦ୍ୱାରା ବାବାଙ୍କର ସମ୍ମାନ ହାନି କରୁ ନାହୁଁ? ସଦ୍‌ଗୁରୁଙ୍କର ନିନ୍ଦୁକକୁ ଠାବ ମିଳିବ ନାହିଁ । ଇଏ ତ ସତ୍ ପିତା, ସତ୍ ଶିକ୍ଷକ ମଧ୍ୟ ଅଟନ୍ତି । ଆତ୍ମାକୁ ଏବେ ସ୍ମୃତି ଆସୁଛି । ବାବା ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି । ନିଶ୍ଚିତ ରୂପେ ପୂର୍ବରୁ ଜ୍ଞାନ ଦେଇକରି ଯାଇଛନ୍ତି, ସେଥିପାଇଁ ତ ଗାୟନ ହେଉଛି । ଏହାଙ୍କ ଆତ୍ମାରେ କୌଣସି ଜ୍ଞାନ ଥିଲା କି? ଆତ୍ମା କ’ଣ, ଡ୍ରାମା କ’ଣ - କେହି ବି ଜାଣିନାହାଁନ୍ତି । ମନୁଷ୍ୟମାନଙ୍କୁ ତ ଜାଣିବା ଦରକାର ନା । ରୁଦ୍ର ଯଜ୍ଞ ରଚନା କଲେ ଆତ୍ମାମାନଙ୍କର ପୂଜା କରିଥା’ନ୍ତି, ତାଙ୍କର ପୂଜା ଭଲ ନା ଦୈବୀ ଶରୀରର ପୂଜା କରିବା ଭଲ? ଏହି ଶରୀର ତ ୫ ତତ୍ତ୍ୱରେ ନିର୍ମିତ, ସେଥିପାଇଁ ଏକମାତ୍ର ଶିବବାବାଙ୍କର ପୂଜା ହିଁ ଅବ୍ୟଭିଚାରୀ ପୂଜା ଅଟେ । ବର୍ତ୍ତମାନ ସେହି ଜଣଙ୍କଠାରୁ ହିଁ ଶୁଣିବାକୁ ହେବ, ସେଥିପାଇଁ କୁହାଯାଉଛି ଖରାପ କଥା ଶୁଣ ନାହିଁ... ନିନ୍ଦା ଯୋଗ୍ୟ କୌଣସି କଥା ଶୁଣ ନାହିଁ । ଏକମାତ୍ର ମୋ ଠାରୁ ହିଁ ଶୁଣ । ଏହା ହେଉଛି ଅବ୍ୟଭିଚାରୀ ଜ୍ଞାନ । ମୁଖ୍ୟ କଥା ହେଉଛି ଯେତେବେଳେ ଦେହ ଅଭିମାନ ତୁଟିଯିବ ସେତେବେଳେ ହିଁ ତୁମେ ଶୀତଳ ହୋଇଯିବ । ଯଦି ବାବାଙ୍କ ସ୍ମୃତିରେ ରହିବ, ତେବେ ମୁଖରେ ମଧ୍ୟ ଓଲଟା-ସିଧା କଥା କହିବ ନାହିଁ, କୁଦୃଷ୍ଟି ଯିବ ନାହିଁ । ଦେଖି ମଧ୍ୟ ଯେପରି ଦେଖିବ ନାହିଁ । ଆମର ଜ୍ଞାନର ତୃତୀୟ ନେତ୍ର ଖୋଲି ହୋଇ ରହିଛି । ବାବା ଆସି ତ୍ରିନେତ୍ରୀ, ତ୍ରିକାଳଦର୍ଶୀ କରିଛନ୍ତି । ଏବେ ତୁମ ପାଖରେ ତିନି କାଳ ଏବଂ ତିନି ଲୋକର ଜ୍ଞାନ ରହିଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନ ଶୁଣାଇବା ସହିତ ଯୋଗଯୁକ୍ତ ହୋଇ ମଧ୍ୟ ରହିବାକୁ ହେବ । ଶିଷ୍ଠାଚାର ଧାରଣ କରିବାକୁ ହେବ । ବହୁତ ମିଠା ହେବାକୁ ପଡିବ । ମୁଖରୁ କେବେହେଲେ ପଥର ଅର୍ଥାତ୍ କଟୁବଚନ ବାହାର କରିବା ଉଚିତ୍ ନୁହେଁ ।

(୨) ଅର୍ନ୍ତମୂଖୀ ହୋଇ ଏକାନ୍ତରେ ବସି ନିଜେ ନିଜ ସହିତ ଆତ୍ମିକ ବାର୍ତ୍ତାଳାପ କରିବାକୁ ହେବ । ପବିତ୍ର ହେବାର ଉପାୟ ବାହାର କରିବାକୁ ହେବ । ସକାଳୁ-ସକାଳୁ ଉଠି ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଇବାକୁ ହେବ ।

ବରଦାନ:-
ନିଜର ୱାୟାର ଲେସ୍ ସେଟ୍ ଦ୍ୱାରା ବିନାଶ କାଳରେ ଅନ୍ତିମ ନିର୍ଦ୍ଦେଶଗୁଡିକୁ ଗ୍ରହଣ କରିବାବାଲା ଭାଇସ୍‌ଲେସ୍ ଅର୍ଥାତ୍ ନିର୍ବିକାରୀ ହୁଅ ।

ବିନାଶ ସମୟରେ ଅନ୍ତିମ ନିର୍ଦ୍ଦେଶକୁ କ୍ୟାଚ୍ କରିବା ପାଇଁ ବୁଦ୍ଧି ଭାଇସ୍‌ଲେସ୍ ହେବା ଆବଶ୍ୟକ । ଦୁନିଆର ଲୋକମାନେ ଯେପରି ୱାୟାର ଲେସ୍ ସେଟ୍ ଦ୍ୱାରା ଜଣେ ଅନ୍ୟ ଜଣଙ୍କ ପର୍ଯ୍ୟନ୍ତ ନିଜର କଥା ଗୁଡିକୁ ପହଞ୍ଚାଇ ପାରୁଛନ୍ତି ସେହିପରି ତୁମମାନଙ୍କର ଭାଇସ୍‌ଲେସ୍ ଅର୍ଥାତ୍ ସମ୍ପୂର୍ଣ୍ଣ ନିର୍ବିକାରୀ ବୁଦ୍ଧି ହିଁ ୱାୟାରଲେସ୍ ସେଟ୍ ଅଟେ । ଏହି ୱାୟାରଲେସ୍ ଦ୍ୱାରା ତୁମକୁ ସନ୍ଦେଶ ମିଳିବ ଯେ ଅମୁକ ସୁରକ୍ଷିତ ସ୍ଥାନରେ ପହଞ୍ଚିଯାଅ । ଯେଉଁ ପିଲାମାନେ ବାବାଙ୍କର ସ୍ମୃତିରେ ରହୁଥିବା ନିର୍ବିକାରୀ ବୁଦ୍ଧି ହୋଇଥିବେ, ଯେଉଁମାନଙ୍କର ଅଶରୀରୀ ହେବାର ଅଭ୍ୟାସ ହୋଇଥିବ, ସେମାନେ ମହାବିନାଶରେ ବିନାଶ ହେବେ ନାହିଁ କିନ୍ତୁ ନିଜର ଇଚ୍ଛା ଅନୁସାରେ ଶରୀର ତ୍ୟାଗ କରିବେ ।

ସ୍ଲୋଗାନ:-
ଯୋଗକୁ ଭୁଲି କର୍ମରେ ବ୍ୟସ୍ତ ରହିଯିବା - ଏହା ହିଁ ହେଉଛି ଅବହେଳା ପଣିଆ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ପବିତ୍ରତାର ରାଜକୀୟତା ଅର୍ଥାତ୍ ଏକବ୍ରତା ହେବା । ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ଏହି ବ୍ରାହ୍ମଣ ଜୀବନରେ ସମ୍ପୂର୍ଣ୍ଣ ପବିତ୍ର ହେବା ପାଇଁ ଏକବ୍ରତାର ପାଠକୁ ପକ୍କା କରିନିଅ । ମନୋବୃତ୍ତିରେ ଶୁଭଭାବନା, ଶୁଭକାମନା ରହୁ, ଦୃଷ୍ଟି ଦ୍ୱାରା ସମସ୍ତଙ୍କୁ ଆତ୍ମିକ ରୂପରେ ବା ଫରିସ୍ତା ରୂପରେ ଦେଖ । କର୍ମ ଦ୍ୱାରା ପ୍ରତ୍ୟେକ ଆତ୍ମାକୁ ସୁଖ ଦିଅ ଏବଂ ସୁଖ ନିଅ । ଯଦି କେହି ତୁମକୁ ଦୁଃଖ ଦିଏ, ଗାଳି ଦିଏ ବା ଅପମାନିତ କରେ ତେବେ ବି ତୁମେ ସହନଶୀଳତାର ଦେବୀ ବା ସହନଶୀଳତାର ଦେବତା ହୋଇଯାଅ ।