02.06.24    Avyakt Bapdada     Odia Murli    18.01.20     Om Shanti     Madhuban


“ବ୍ରହ୍ମାବାବାଙ୍କ ସମାନ ତ୍ୟାଗ, ତପସ୍ୟା ଏବଂ ସେବାର ପ୍ରକମ୍ପନ ସାରା ବିଶ୍ୱରେ ବିଚ୍ଛୁରିତ କର”


ଆଜି ସମର୍ଥ ବାପଦାଦା ନିଜର ସମର୍ଥ ସନ୍ତାନମାନଙ୍କୁ ଦେଖୁଛନ୍ତି । ଆଜିର ଦିନଟି ସ୍ମୃତି ଦିବସ ତଥା ସମର୍ଥ ଦିବସ ଅଟେ । ଆଜିର ଦିନଟି ସର୍ବ ଶକ୍ତିଗୁଡିକୁ ୱିଲ୍ ଅର୍ଥାତ୍ ଇଚ୍ଛାପତ୍ର ମାଧ୍ୟମରେ ପିଲାମାନଙ୍କୁ ହସ୍ତାନ୍ତର କରିବାର ଦିବସ । ଦୁନିଆରେ ତ ଅନେକ ପ୍ରକାରର ୱିଲ୍ କରିଥାଆନ୍ତି କିନ୍ତୁ ବ୍ରହ୍ମାବାବା ଶିବବାବାଙ୍କଠାରୁ ପ୍ରାପ୍ତ କରିଥିବା ସର୍ବଶକ୍ତିଗୁଡିକୁ ପିଲାମାନଙ୍କୁ ସୂକ୍ଷ୍ମ ରୂପରେ ୱିଲ୍ କରିଦେଇଛନ୍ତି । ଏଭଳି ଅଲୌକିକ ୱିଲ୍ ଆଉ କେହି କାହାକୁ କରିପାରିବେ ନାହିଁ । ଶିବବାବା ବ୍ରହ୍ମାବାବାଙ୍କୁ ସାକାର ରୂପରେ ନିମିତ୍ତ କରିଥିଲେ, କିନ୍ତୁ ବ୍ରହ୍ମାବାବା ପିଲାମାନଙ୍କୁ ନିମିତ୍ତ ଭବର ବରଦାନ ଦେଇ ଶକ୍ତିଗୁଡିକୁ ୱିଲ୍ କରିଦେଇଛନ୍ତି । ତେଣୁ ଏହି ୱିଲ୍ ପିଲାମାନଙ୍କ ଭିତରେ ସହଜ ରୂପରେ ଶକ୍ତିଗୁଡିକୁ ଅନୁଭୂତି କରାଇ ଚାଲିଛି । ଗୋଟିଏ ହେଲା ନିଜର ପୁରୁଷାର୍ଥର ଶକ୍ତି ଏବଂ ଏହା ହେଉଛି ପରମାତ୍ମ ୱିଲ୍ ଦ୍ୱାରା ଶକ୍ତିଗୁଡିକର ପ୍ରାପ୍ତି । ଏହା ପ୍ରଭୁଙ୍କର ଦାନ ଅଟେ ବା ବରଦାନ ଅଟେ । ଏହି ପ୍ରଭୁ ବରଦାନ ହିଁ ପିଲାମାନଙ୍କୁ ଚଲାଉଛି । ବରଦାନରେ ପୁରୁଷାର୍ଥ କରିବାର ମେହନତ ନ ଥାଏ ତେଣୁ ସହଜରେ ଏବଂ ସ୍ୱତଃ ଭାବରେ ନିମିତ୍ତ କରି ଚଲାଉଛି । ଯଦିଓ ସେହି ସମୟରେ ସମ୍ମୁଖରେ ଅଳ୍ପ କିଛି ସନ୍ତାନ ଥିଲେ କିନ୍ତୁ ବାପଦାଦାଙ୍କ ଦ୍ୱାରା, ବିଶେଷ କରି ବ୍ରହ୍ମାବାବାଙ୍କ ଦ୍ୱାରା ବିଶେଷ ପିଲାମାନଙ୍କୁ ଏହି ୱିଲ୍ ପ୍ରାପ୍ତ ହୋଇଛି ଏବଂ ବାପଦାଦା ମଧ୍ୟ ଦେଖୁଛନ୍ତି ଯେ ଯେଉଁ ପିଲାମାନଙ୍କୁ ବାପଦାଦା ୱିଲ୍ କରିଛନ୍ତି ସେହି ପିଲାମାନେ ସମସ୍ତେ (ଆଦି ରତ୍ନମାନେ ଏବଂ ସେବାର ନିମିତ୍ତ ପିଲାମାନେ) ସେହି ପ୍ରାପ୍ତ ହୋଇଥିବା ୱିଲ୍‌କୁ ଭଲ ଭାବରେ କାର୍ଯ୍ୟରେ ଲଗାଇଛନ୍ତି ଏବଂ ସେହି ୱିଲ୍ କାରଣରୁ ହିଁ ଆଜି ଏହି ବ୍ରାହ୍ମଣ ପରିବାର ଦିନକୁ ଦିନ ବଢି ବଢି ଚାଲିଛି । ତେବେ ପିଲାମାନଙ୍କର ବିଶେଷତା କାରଣରୁ ହିଁ ଏହି ବୃଦ୍ଧି ହେବାର ଥିଲା ଏବଂ ହେଉଛି ମଧ୍ୟ ।

ବାପଦାଦା ଦେଖୁଛନ୍ତି ଯେ ନିମିତ୍ତ ହୋଇଥିବା ପିଲାମାନେ ଏବଂ ତାଙ୍କୁ ସହଯୋଗ ଦେଉଥିବା ପିଲାମାନଙ୍କ ଭିତରେ ଦୁଇଟି ବହୁତ ଭଲ ବିଶେଷତା ରହିଛି । ପ୍ରଥମ ବିଶେଷତା ହେଲା - ଚାହେଁ ସ୍ଥାପନାର ଆଦି ରତ୍ନ ହୁଅନ୍ତୁ ବା ସେବାର ନିମିତ୍ତ ହୋଇଥିବା ରତ୍ନ ହୁଅନ୍ତୁ ଉଭୟଙ୍କ ଭିତରେ ସଂଗଠନରେ ଏକତା ବହୁତ ବହୁତ ଭଲ ରହିଛି । କାହା ଭିତରେ ବି କାହିଁକି, କ’ଣ, କିପରି... ଏହି ସବୁ ସଂକଳ୍ପ ମାତ୍ରରେ ମଧ୍ୟ ନାହିଁ । ଦ୍ୱିତୀୟ ବିଶେଷତାଟି ହେଲା - ଜଣେ ଯଦି କିଛି କହୁଛି ତେବେ ଅନ୍ୟ ଜଣେ ତା’କୁ ସ୍ୱୀକାର କରି ନେଉଛି । ଏହିଭଳି ସୂକ୍ଷ୍ମ ଇଚ୍ଛା ପତ୍ର ବା ୱିଲ୍ ରୂପରେ ପ୍ରାପ୍ତ କରିଥିବା ଅତିରିକ୍ତ ଶକ୍ତିଗୁଡିକର ବିଶେଷତା ବାୟୁମଣ୍ଡଳରେ ଦେଖାଯାଉଛି ସେଥିପାଇଁ ସମସ୍ତ ନିମିତ୍ତ ହୋଇଥିବା ଆତ୍ମାମାନଙ୍କୁ ବାବା-ବାବା ହିଁ ଦେଖାଯାଉଛି ।

ବାପଦାଦା ମଧ୍ୟ ଏହିଭଳି ସମୟରେ ନିମିତ୍ତ ହୋଇଥିବା ପିଲାମାନଙ୍କୁ ଅନ୍ତରର ସହିତ ସ୍ନେହ ଦେଉଛନ୍ତି । ବାବାଙ୍କର ଚମତ୍କାରୀ ତ ନିଶ୍ଚିତ ଅଛି କିନ୍ତୁ ପିଲାମାନଙ୍କର ଚମତ୍କାରୀ ମଧ୍ୟ କମ୍ କିଛି ନୁହେଁ ଏବଂ ସେହି ସମୟର ସଂଗଠନର ଯେଉଁଭଳି ଏକତା ଥିଲା - “ଆମ ସମସ୍ତଙ୍କର ମତ ଗୋଟିଏ”, ତାହା ଆଜି ମଧ୍ୟ ସେବାକୁ ବଢାଇ ଚାଲିଛି । କାହିଁକି ଜାଣିଛ? ନିମିତ୍ତ ହୋଇଥିବା ଆତ୍ମାମାନଙ୍କର ମୂଳଦୁଆ ଅର୍ଥାତ୍ ନିଶ୍ଚୟ ପକ୍କା ଅଟେ । ତେଣୁ ବାପଦାଦା ମଧ୍ୟ ଆଜିର ଦିନରେ ପିଲାମାନଙ୍କର ଚମତ୍କାରୀର ଗାୟନ କରୁଥିଲେ । ଚାରିଆଡର ପିଲାମାନେ ବାପଦାଦାଙ୍କୁ ସ୍ନେହର ମାଳା ପିନ୍ଧାଇଥିଲେ ଏବଂ ବାବା ମଧ୍ୟ ପିଲାମାନଙ୍କର ଚମତ୍କାରୀର ଗୁଣଗାନ କରୁଥିଲେ । ଏହି ଯଜ୍ଞ ଏତେ ସମୟ ଧରି ଚାଲିବ ବୋଲି କେବେ ଭାବିଥିଲ କି? କେତେ ସମୟ ହୋଇଗଲାଣି? ସମସ୍ତଙ୍କ ଅନ୍ତରରୁ, ମୁଖରୁ ଏହି କଥା ବାହାରୁଛି, ଏବେ ଘରକୁ ଯିବା, ଏବେ ଘରକୁ ଯିବା.... କିନ୍ତୁ ବାପଦାଦା ଜାଣିଥିଲେ ଯେ ଆଗକୁ ଅବ୍ୟକ୍ତ ରୂପରେ ସେବା ହେବାର ଅଛି । କ’ଣ ସାକାର ପାର୍ଟ ଚାଲିଥିବା ସମୟରେ ଏତେ ବଡ ହଲ ତିଆରି ହୋଇଥିଲେ? ବାବାଙ୍କର ଅତି ଗେହ୍ଲା ଡବଲ ବିଦେଶୀ ପିଲାମାନେ ଆସିଥିଲେ କି? ତେଣୁ ବିଶେଷ କରି ଡବଲ ବିଦେଶୀ ପିଲାମାନଙ୍କର ଅବ୍ୟକ୍ତ ପାଳନା ଦ୍ୱାରା ଅଲୌକିକ ଜନ୍ମ ହେବାର ହିଁ ଥିଲା, ଏତେ ସବୁ ପିଲାମାନଙ୍କର ଆସିବାର ହିଁ ଥିଲା । ସେଥିପାଇଁ ବ୍ରହ୍ମାବାବାଙ୍କୁ ନିଜର ସାକାର ଶରୀର ମଧ୍ୟ ଛାଡିବାକୁ ପଡିଲା । ତେଣୁ ଡବଲ ବିଦେଶୀମାନଙ୍କ ଭିତରେ ଏହି ନିଶା ରହୁଛି ତ, ଆମେ ଅବ୍ୟକ୍ତ ପାଳନାର ପାତ୍ର ଅଟୁ?

ବ୍ରହ୍ମାବାବାଙ୍କର ତ୍ୟାଗ ଡ୍ରାମାରେ ବିଶେଷ ଭାବରେ ନିଧାର୍ଯ୍ୟ ଅଛି । ଆରମ୍ଭରୁ ହିଁ ବ୍ରହ୍ମାବାବାଙ୍କର ତ୍ୟାଗ ଏବଂ ତୁମମାନଙ୍କର ଭାଗ୍ୟର ନିଧାର୍ଯ୍ୟ ଅଛି । ସବୁଠାରୁ ନମ୍ବର ୱାନ ତ୍ୟାଗର ଉଦାହରଣ ବ୍ରହ୍ମାବାବା ହେଲେ । ତ୍ୟାଗ ତାକୁ କୁହାଯାଏ ଯାହାକି ସବୁ କିଛି ପ୍ରାପ୍ତ ଥିଲେ ମଧ୍ୟ ତ୍ୟାଗ କରାଯାଇଥିବ । ସମୟ ଅନୁସାରେ ବା ସମସ୍ୟା ଅନୁସାରେ ତ୍ୟାଗ କରିବା ଶ୍ରେଷ୍ଠ ତ୍ୟାଗ ନୁହେଁ । ଆରମ୍ଭରୁ ହିଁ ଦେଖିଛ ଶରୀର, ମନ, ଧନ, ସମ୍ବନ୍ଧ, ସବୁ କିଛି ଥାଇ ମଧ୍ୟ ତ୍ୟାଗ କରି ଦେଇଥିଲେ । ଶାରୀରିକ ତ୍ୟାଗ ମଧ୍ୟ କରିଥିଲେ, ସବୁ ପ୍ରକାରର ସାଧନ-ସୁବିଧା ଥିଲେ ମଧ୍ୟ ନିଜେ ପୁରୁଣାରେ ହିଁ ରହୁଥିଲେ । ସାଧନ ଗୁଡିକର ବ୍ୟବହାର ମଧ୍ୟ ଆରମ୍ଭ ହୋଇଯାଇଥିଲା । ସବୁ କିଛି ଥାଇ ମଧ୍ୟ ସାଧନାରେ ଅଟଳ ରହିଥିଲେ । ବ୍ରହ୍ମାଙ୍କର ଏହିଭଳି ତପସ୍ୟା ତୁମମାନଙ୍କର ଭାଗ୍ୟର ନିର୍ମାଣ କରିଦେଇଛି । ଡ୍ରାମା ଅନୁସାରେ ଏହିଭଳି ତ୍ୟାଗର ଦୃଷ୍ଟାନ୍ତର ସ୍ୱରୂପ ବ୍ରହ୍ମାବାବା ହିଁ ହୋଇଥିଲେ ଏବଂ ଏହି ତ୍ୟାଗ ହିଁ ସଂକଳ୍ପ ଶକ୍ତି ଦ୍ୱାରା ସେବା କରିବାର ବିଶେଷ ପାର୍ଟ ଆରମ୍ଭ କରିଥିଲା । ଯାହାର ଫଳ ସ୍ୱରୂପ ନୂଆ ନୂଆ ପିଲାମାନେ ସଂକଳ୍ପ ଶକ୍ତିର ସେବା ଦ୍ୱାରା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛନ୍ତି । ଏବେ ଶୁଣିଲ ତ ବ୍ରହ୍ମାବାବାଙ୍କର ତ୍ୟାଗର କାହାଣୀ? ବ୍ରହ୍ମାଙ୍କର ତପସ୍ୟାର ଫଳ ତୁମମାନଙ୍କୁ ମିଳୁଛି । ତାଙ୍କର ତପସ୍ୟାର ପ୍ରଭାବ ଏହି ମଧୁବନ ଭୂମିରେ ମିଶିଯାଇଛି । ତାଙ୍କ ସହିତ ପିଲାମାନେ ମଧ୍ୟ ଅଛନ୍ତି ପିଲାମାନଙ୍କର ମଧ୍ୟ ତପସ୍ୟା ରହିଛି, କିନ୍ତୁ ନିମିତ୍ତ ତ ବ୍ରହ୍ମାବାବାଙ୍କୁ କୁହାଯିବ ନା । ଯେଉଁମାନେ ବି ମଧୁବନ ତପସ୍ୱୀ ଭୂମିକୁ ଆସୁଛନ୍ତି ଏବଂ ବ୍ରାହ୍ମଣ ପିଲାମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ ଏଠିକାର ବାୟୁମଣ୍ଡଳ, ଏଠିକାର ପ୍ରକମ୍ପନ ସହଜ ଯୋଗୀ କରିଦେଉଛି । ଯୋଗ ଲଗାଇବାର ମେହନତ କରିବାକୁ ପଡୁ ନାହିଁ, ସହଜରେ ଯୋଗ ଲାଗି ଯାଉଛି ଏବଂ କିପରି ବି ଆତ୍ମା ହୋଇଥାଉ ନା କାହିଁକି, ସେ କିଛି ନା କିଛି ଅନୁଭବ ନେଇ କରି ହିଁ ଯାଉଛି । ଜ୍ଞାନକୁ ବୁଝି ନ ପାରିଲେ ମଧ୍ୟ ଅଲୌକିକ ସ୍ନେହ ଏବଂ ଶାନ୍ତିର ଅନୁଭବ ନିଶ୍ଚିତ କରୁଛନ୍ତି । କିଛି ନା କିଛି ପରିବର୍ତ୍ତନ କରିବାର ସଂକଳ୍ପ ନିଶ୍ଚିତ କରିଯାଉଛନ୍ତି । ଏହା ହିଁ ହେଉଛି ବ୍ରହ୍ମା ଏବଂ ବ୍ରାହ୍ମଣ ପିଲାମାନଙ୍କର ତପସ୍ୟାର ପ୍ରଭାବ । ଏହା ସହିତ ସେବାର ବିଧି - ଭିନ୍ନ ଭିନ୍ନ ପ୍ରକାରର ସେବା ପିଲାମାନଙ୍କ ଦ୍ୱାରା ସ୍ଥୂଳ ରୂପରେ କରାଇ ଦେଖାଇଛନ୍ତି । ସେହି ସବୁ ବିଧି ଗୁଡିକୁ ଏବେ ତୁମେମାନେ ବିସ୍ତାର ରୂପରେ କରୁଛ । ତେଣୁ ଯେପରି ବ୍ରହ୍ମାବାବାଙ୍କର ତ୍ୟାଗ, ତପସ୍ୟା, ସେବାର ଫଳ ତୁମମାନଙ୍କୁ ମିଳୁଛି, ସେହିପରି ପ୍ରତ୍ୟେକ ସନ୍ତାନ ନିଜର ତ୍ୟାଗ, ତପସ୍ୟା ଏବଂ ସେବାର ପ୍ରକମ୍ପନ ସାରା ବିଶ୍ୱରେ ବିଚ୍ଛୁରିତ କରନ୍ତୁ । ଯେପରି ବିଜ୍ଞାନର ବଳ ନିଜର ପ୍ରଭାବ ପ୍ରତ୍ୟକ୍ଷ ରୂପରେ ଦେଖାଉଛି ସେହିପରି ବିଜ୍ଞାନ ଅର୍ଥାତ୍ ସାଇନ୍‌ସର ମଧ୍ୟ ରଚୟିତା ସାଇଲେନ୍ସ ପାୱାର ଅର୍ଥାତ୍ ଶାନ୍ତିର ଶକ୍ତି ଅଟେ । ତେଣୁ ସାଇଲେନ୍ସ ବଳକୁ ଏବେ ପ୍ରତ୍ୟକ୍ଷ ରୂପରେ ଦେଖାଇବାର ସମୟ ଆସିଛି । ତେବେ ଏହି ସାଇଲେନ୍ସ ପାୱାରର ଭାଇବ୍ରେଶନକୁ ତୀବ୍ର ଗତିରେ ଖେଳାଇବାର ସାଧନ ହେଲା ମନ-ବୁଦ୍ଧିର ଏକାଗ୍ରତା । ତେଣୁ ଏକାଗ୍ରତାର ଅଭ୍ୟାସକୁ ବଢାଇବାକୁ ହେବ । ଏକାଗ୍ରତାର ଶକ୍ତି ଦ୍ୱାରା ହିଁ ଶ୍ରେଷ୍ଠ ବାୟୁମଣ୍ଡଳ ନିର୍ମାଣ କରିପାରିବ । ତୁମର ହଲଚଲ୍ କାରଣରୁ ହିଁ ଶକ୍ତିଶାଳୀ ଭାଇବ୍ରେଶନ ନିର୍ମାଣ ହୋଇପାରୁ ନାହିଁ ।

ଆଜି ବାପଦାଦା ଦେଖୁଥିଲେ ଯେ ଏବେ ଏକାଗ୍ରତାର ଶକ୍ତିର ଆବଶ୍ୟକତା ଅଧିକ ରହିଛି । ତେଣୁ ସବୁ ପିଲାଙ୍କର ଗୋଟିଏ ହିଁ ଦୃଢ ସଂକଳ୍ପ ହେଉ ଯେ ଏବେ ଆମର ଭାଇ ଭଉଣୀମାନଙ୍କର ଦୁଃଖର ପରିସ୍ଥିତି ଗୁଡିକ ପରିବର୍ତ୍ତନ ହୋଇଯାଉ । ସମସ୍ତଙ୍କ ଅନ୍ତରରେ ଦୟାଭାବ ଜାଗ୍ରତ ହେଉ । ଯେବେକି ବିଜ୍ଞାନର ଶକ୍ତି ଦୁନିଆରେ ହଲଚଲ୍ ସୃଷ୍ଟି କରି ଦେଇପାରୁଛି ତେବେ ଏତେ ସବୁ ବ୍ରାହ୍ମଣମାନଙ୍କର ଶାନ୍ତିର ଶକ୍ତି ଦ୍ୱାରା, ଦୟାର ଭାବନା ଦ୍ୱାରା ବା ସଂକଳ୍ପ ଦ୍ୱାରା ହଲଚଲ୍‌କୁ ପରିସ୍ଥିତି ପରିବର୍ତ୍ତନ ହୋଇପାରିବ ନାହିଁ! ଯଦି କରିବାକୁ ହିଁ ପଡିବ ଏବଂ ହେବ ମଧ୍ୟ ନିଶ୍ଚିତ, ତେବେ ଏହି କଥା ଉପରେ ବିଶେଷ ଧ୍ୟାନ ଦିଅ । ଯେବେକି ତୁମେମାନେ ଉଚ୍ଚରୁ ଉଚ୍ଚ ଆଦି ପିତାଙ୍କର ସନ୍ତାନ ଅଟ, ସମସ୍ତେ ତୁମମାନଙ୍କର ହିଁ କୁଟୁମ୍ବ ଅଟନ୍ତି, ଶାଖା ଅଟନ୍ତି, ପରିବାର ଅଟନ୍ତି ଏବଂ ତୁମେମାନେ ହିଁ ସବୁ ଭକ୍ତଙ୍କର ଇଷ୍ଟ ଦେବ ଅଟ । କ’ଣ ଏହି ନିଶା ଅଛି ତ, ଆମେମାନେ ହିଁ ଇଷ୍ଟ ଦେବ ଅଟୁ? ତେଣୁ ତୁମର ଭକ୍ତମାନେ ଚିତ୍କାର କରିବାରେ ଲାଗିଛନ୍ତି, ଆଉ ତୁମେମାନେ ବସି ଶୁଣୁଛ! ସେମାନେ ହେ ଇଷ୍ଟ ଦେବ କହି ଚିତ୍କାର କରୁଛନ୍ତି, ତୁମେମାନେ କେବଳ ଶୁଣୁଛ, କିଛି ଜବାବ ଦେଉ ନାହଁ? ତେଣୁ ବାପଦାଦା କହୁଛନ୍ତି ହେ ଭକ୍ତମାନଙ୍କର ଇଷ୍ଟ ଦେବ, ଇଷ୍ଟ ଦେବୀମାନେ ଏବେ ସେମାନଙ୍କର ଡାକରାକୁ ଶୁଣ, ତା’ର ଉତ୍ତର ଦିଅ, କେବଳ ଶୁଣ ନାହିଁ । ତେବେ ତୁମେମାନେ କେଉଁ ଉତ୍ତର ଦେବ? ପରିବର୍ତ୍ତନର ବାୟୁମଣ୍ଡଳ ସୃଷ୍ଟି କର । ସେମାନଙ୍କୁ ତୁମମାନଙ୍କର ଉତ୍ତର ନ ମିଳିବା କାରଣରୁ ସେମାନେ ମଧ୍ୟ ବେପରୁଆ ହୋଇଯାଉଛନ୍ତି । କିଛି ସମୟ ଚିତ୍କାର କରୁଛନ୍ତି, ପୁଣି ଚୁପ୍ ହୋଇଯାଉଛନ୍ତି ।

ତେବେ ବ୍ରହ୍ମାବାବାଙ୍କର ପ୍ରତ୍ୟେକ କାର୍ଯ୍ୟର ଉତ୍ସାହକୁ ତ ସମସ୍ତେ ଦେଖିଛ । ଆରମ୍ଭ ସମୟରେ ଯେଉଁ ଭଳି ଉମଙ୍ଗ ଉତ୍ସାହ ଥିଲା, ମିଠା ଘରର ଚାବୀ ଦରକାର । ଏବେ ମଧ୍ୟ ବ୍ରହ୍ମାବାବା ଶିବବାବାଙ୍କୁ ସେହି କଥା କହୁଛନ୍ତି - ଏବେ ଘରର ଚାବୀ ଦିଅ । କିନ୍ତୁ ସାଥୀରେ ଯିବାବାଲା ମଧ୍ୟ ପ୍ରସ୍ତୁତ ହେବା ଦରକାର ନା । ଏକୁଟିଆ ଯାଇ କ’ଣ କରିବ! ତେଣୁ ଏବେ ତୁମମାନଙ୍କୁ ମଧ୍ୟ ସାଥୀରେ ଯିବାର ଅଛି, ନା ପଛେ ପଛେ ଯିବାର ଅଛି? ସାଥୀରେ ଯିବାର ଅଛି ନା? ତେଣୁ ବ୍ରହ୍ମାବାବା କହୁଛନ୍ତି ପିଲାମାନଙ୍କୁ ପଚାର ଯଦି ବାବା ଚାବୀ ଦେଇ ଦେବେ ତେବେ ତୁମେମାନେ ପ୍ରସ୍ତୁତ ଅଛ ତ? ସଦା ପ୍ରସ୍ତୁତ ଅଟ, ନା କେବଳ ପ୍ରସ୍ତୁତ ଅଟ? ରେଡି ନୁହେଁ, ଏଭରରେଡୀ । ତ୍ୟାଗ, ତପସ୍ୟା, ସେବା ତିନୋଟିଯାକ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛ ତ? ଏଥିରେ ବ୍ରହ୍ମାବାବା ମୁରୁକୀ ହସୁଛନ୍ତି, ପିଲାମାନେ ସ୍ନେହର ଲୁହ ବହୁତ ବୁହାଇ ଦେଉଛନ୍ତି ଏବଂ ବ୍ରହ୍ମାବାବା ସେହି ଲୁହକୁ ମୋତି ଭଳି ହୃଦୟ ରୂପୀ ଡବା ଭିତରେ ସାଇତି ରଖୁଛନ୍ତି ହେଲେ ତାଙ୍କ ମନ ଭିତରେ ଗୋଟିଏ ସଂକଳ୍ପ ନିଶ୍ଚିତ ଚାଲୁଛି ଯେ ପିଲାମାନେ ଏଭରରେଡୀ କେବେ ହେବେ? ତିଥି ତ ଶୁଣାଇ ଦିଅନ୍ତୁ! ତୁମେମାନେ କହିବ ଆମେମାନେ ତ ଏଭରରେଡୀ ଅଛୁ କିନ୍ତୁ ତୁମର ଯେଉଁ ସାଥୀମାନେ ଅଛନ୍ତି ସେମାନଙ୍କୁ ତ ପ୍ରସ୍ତୁତ କର, ନା ସେମାନଙ୍କୁ ଛାଡି ଚାଲିଯିବ? ତୁମେ କହିବ ବ୍ରହ୍ମାବାବା ତ ଆମକୁ ଛାଡି ଚାଲିଯାଇଛନ୍ତି ନା! କିନ୍ତୁ ତାଙ୍କୁ ତ ଏହି ସବୁ ରଚନା ମାନଙ୍କୁ ବାହାର କରିବାର ଥିଲା । ତୀବ୍ରଗତିରେ ସେବାର ବୃଦ୍ଧି କରିବାର ଦାୟିତ୍ୱ ମଧ୍ୟ ତାଙ୍କ ଉପରେ ଥିଲା । ତେଣୁ ସମସ୍ତେ ଏଭରରେଡୀ ଅଛ ତ, ଜଣେ ନୁହେଁ? ସମସ୍ତଙ୍କୁ ସାଥୀରେ ନେଇଯିବାକୁ ପଡିବ ନା! ନା ଏକା ଏକା ଯିବ? ତେଣୁ ସମସ୍ତେ ଏଭରରେଡୀ ଅଟ, ନା ଆଗକୁ ହୋଇଯିବ? କୁହ! ଅତି କମ୍‌ରେ ୯ ଲକ୍ଷ ଆତ୍ମା ତ ସାଥୀରେ ଯାଆନ୍ତୁ । ନଚେତ୍ ରାଜ୍ୟ କାହା ଉପରେ କରିବ? କ’ଣ ନିଜ ଉପରେ ରାଜ୍ୟ କରିବ? ତେଣୁ ସବୁ ପିଲାଙ୍କ ପ୍ରତି ବ୍ରହ୍ମାବାବାଙ୍କର ଏହି ଶୁଭକାମନା ରହିଛି ଯେ ନିଜେ ଏଭରରେଡୀ ହୁଅ ଏବଂ ସମସ୍ତଙ୍କୁ ଏଭରରେଡୀ କର ।

ଆଜି ସୂକ୍ଷ୍ମବତନରେ ମଧ୍ୟ ସ୍ଥାପନାର ସବୁ ଆଦି ରତ୍ନମାନେ ଏବଂ ସେବାର ଆଦିରତ୍ନମାନେ ସୂକ୍ଷ୍ମ ସ୍ୱରୂପରେ ପ୍ରକଟ ହୋଇଥିଲେ । ଆଡଭାନ୍ସ ପାର୍ଟିର ଆତ୍ମାମାନେ କହୁଛନ୍ତି ଆମେ ତ କେବେଠାରୁ ପ୍ରସ୍ତୁତ ହୋଇ ରହିଛୁ । କେଉଁ କାମ ପାଇଁ ପ୍ରସ୍ତୁତ ଅଛ? ସେମାନେ କହୁଛନ୍ତି ଏମାନେ ଯଦି ପ୍ରତ୍ୟକ୍ଷତାର ନାଗରା ବଜାଇବେ ତେବେ ଆମେ ସମସ୍ତେ ପ୍ରତ୍ୟକ୍ଷ ହୋଇଯିବୁ ଏବଂ ନୂତନ ସୃଷ୍ଟିର ରଚନାର ନିମିତ୍ତ ହୋଇଯିବୁ । ଆମେ ତ ଆବାହାନ କରୁଛୁ ଯେ ନୂତନ ସୃଷ୍ଟିର ରଚନାକର୍ତ୍ତା ଆତ୍ମାମାନେ ଆସନ୍ତୁ । ଏବେ ସାରା କାର୍ଯ୍ୟ ତୁମମାନଙ୍କ ଉପରେ ନିର୍ଭର କରୁଛି । ତେଣୁ ଏବେ ପ୍ରତକ୍ଷ୍ୟରେ ନାଗରା ବଜାଅ । ଆସିଗଲେ, ଆସିଗଲେ.... ର ନାଗରା ବଜାଅ । କ’ଣ ନାଗରା ବଜାଇବା ଜଣା ଅଛି ତ? ବଜାଇବାକୁ ତ ପଡିବ ନା! ଏବେ ବ୍ରହ୍ମାବାବା କହୁଛନ୍ତି ତାରିଖ ନିଧାର୍ଯ୍ୟ କର । କରିପାରିବ ତ? ବାବା କହୁଛନ୍ତି ତୁମେମାନେ ହିଁ ନିଧାର୍ଯ୍ୟ କର ଏବଂ ଆଜି ହିଁ କର । ସମ୍ମିଳନୀର ତାରିଖ ନିଧାର୍ଯ୍ୟ କରୁଛ ତେଣୁ ଏହାର ମଧ୍ୟ ସମ୍ମିଳନୀ କର ନା! ବିଦେଶୀମାନେ କ’ଣ ଭାବୁଛ? ଏହାର ତାରିଖ ନିଧାର୍ଯ୍ୟ ହୋଇପାରିବ? ନିଧାର୍ଯ୍ୟ କରିବ ତ? ହଁ ନା ନାହିଁ! ଦାଦୀ ଜାନକୀଙ୍କ ସହିତ ପରାମର୍ଶ କରି କରିବ । ଆଚ୍ଛା!

ଦେଶ ବିଦେଶ ଚାରିଆଡର ବାପଦାଦାଙ୍କର ଅତି ସମୀପ, ଅତି ପ୍ରିୟ ଏବଂ ଅନ୍ୟମାନଙ୍କଠାରୁ ଅଲଗା ମଧ୍ୟ, ବାପଦାଦା ଦେଖୁଛନ୍ତି ଯେ ସବୁ ପିଲା ଲଗନରେ ମଗନ ହୋଇ ଲବଲୀନ୍ ସ୍ୱରୂପରେ ବସିଛନ୍ତି, ଶୁଣୁଛନ୍ତି ଏବଂ ମିଳନର ଝୁଲଣାରେ ଝୁଲୁଛନ୍ତି । ଦୂରରେ ମଧ୍ୟ ନାହାଁନ୍ତି ଏବଂ ନୟନର ସମ୍ମୁଖରେ ମଧ୍ୟ ନାହାଁନ୍ତି, କିନ୍ତୁ ନୟନରେ ହିଁ ସମାହିତ ହୋଇଯାଇଛନ୍ତି । ତେବେ ଏହିଭଳି ସମ୍ମୁଖରେ ମିଳନ କରୁଥିବା ଏବଂ ଅବ୍ୟକ୍ତ ରୂପରେ ଲବଲୀନ ରହୁଥିବା ପିଲାମାନଙ୍କୁ, ସର୍ବଦା ବାବାଙ୍କ ସମାନ ତ୍ୟାଗ, ତପସ୍ୟା ଏବଂ ସେବାର ପ୍ରମାଣ ଦେଖାଉଥିବା ସୁପୁତ୍ର ସନ୍ତାନମାନଙ୍କୁ, ସର୍ବଦା ଏକାଗ୍ରତାର ଶକ୍ତି ଦ୍ୱାରା ବିଶ୍ୱର ପରିବର୍ତ୍ତନ କରୁଥିବା ବିଶ୍ୱ ପରିବର୍ତ୍ତକ ପିଲାମାନଙ୍କୁ, ସର୍ବଦା ପିତାଙ୍କ ସମାନ ତୀବ୍ର ପୁରୁଷାର୍ଥ ଦ୍ୱାରା ଉଡୁଥିବା ଡବଲ ଲାଇଟ୍ ପିଲାମାନଙ୍କୁ ବାପଦାଦାଙ୍କର ବହୁତ ବହୁତ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ରାଜସ୍ଥାନର ସେବାଧାରୀ:- ରାଜସ୍ଥାନକୁ ବହୁତ ଭଲ ସେବାର ସୁଯୋଗ ମିଳିଛି । ରାଜସ୍ଥାନର ନାମ ଯେପରି ଅଟେ ସେହିପରି ରାଜା ହେବା ଯୋଗ୍ୟ ଆତ୍ମାମାନଙ୍କୁ ମଧ୍ୟ ବାହାର କର । ପ୍ରଜା ନୁହେଁ ରାଜ ପରିବାର ରାଜାମାନଙ୍କୁ ବାହାର କର । ତେବେ ଯାଇ ନାମ ଅନୁସାରେ ସେବାର କ୍ୱାଲିଟୀ ଦେଖାଯିବ । ଏଠାରେ କେହି ସେମିତି ଲୁଚି ରହିଥିବା ରାଜାମାନେ ଅଛନ୍ତି କି, ନା ଏବେ ବାଦଲ ଭିତରେ ଅଛନ୍ତି? ଏମିତି ବି ତୁମେ ବ୍ୟବସାୟୀମାନଙ୍କର ଉପରେ ଏବେ ବିଶେଷ ଧ୍ୟାନ ଦିଅ କାରଣ ଏହି ମନ୍ତ୍ରୀମାନେ ଏବଂ ତାଙ୍କର ସେକ୍ରେଟାରୀମାନେ ତ ସବୁବେଳେ ବଦଳି ଯାଉଛନ୍ତି ତେଣୁ ବ୍ୟବସାୟୀମାନେ ବାବାଙ୍କ ସହିତ ବ୍ୟବସାୟ କରିବାରେ ମଧ୍ୟ ଆଗକୁ ବଢିପାରିବେ । ଏହାଛଡା ବ୍ୟବସାୟୀମାନଙ୍କର ସେବା କରିବା ଦ୍ୱାରା ସେମାନଙ୍କର ପରିବାରର ମାତାମାନେ ମଧ୍ୟ ସହଜରେ ଆସିପାରିବେ । ଏକା ଏକା ମାତାମାନେ ଚାଲିପାରିବେ ନାହିଁ କିନ୍ତୁ ଘରର ମେରି ଖୁଣ୍ଟ ଯଦି ଆସିଗଲା ତେବେ ପରିବାର ମଧ୍ୟ ଆପେ ଆପେ ଧୀରେ ଧୀରେ ବଢିଚାଲିବ, ସେଥିପାଇଁ ରାଜସ୍ଥାନକୁ ରାଜା କ୍ୱାଲିଟିୀର ଆତ୍ମା ବାହାର କରିବାକୁ ପଡିବ । ଏମିତି କୁହ ନାହିଁ ଯେ ସେପରି କେହି ନାହାଁନ୍ତି । ଟିକିଏ ଖୋଜିବାକୁ ପଡିବ, କିନ୍ତୁ ଅଛନ୍ତି ସେମାନଙ୍କ ପଛରେ ଟିକିଏ ସମୟ ଦେବାକୁ ପଡିବ । ବହୁତ ବ୍ୟସ୍ତରେ ରହୁଛନ୍ତି ନା! ସେପରି କୌଣସି ବିଧି ବାହାର କର ଯାହା ଦ୍ୱାରା ସେମାନେ ନିକଟକୁ ଆସିବେ! ବାକି ଆଉ ସବୁ ବହୁତ ଭଲ ସେବାର ସୁଯୋଗ ନେଇଛ । ସବୁ ଜୋନ୍ ମଧ୍ୟ ଏହି ସୁଯୋଗ ନେଉଛନ୍ତି କାରଣ ପାଖକୁ ଆସିବାର ଏବଂ ବହୁତଙ୍କ ଠାରୁ ଆଶୀର୍ବାଦ ନେବାର ଏହା ବହୁତ ଭଲ ସାଧନ ଅଟେ । ଚାହେଁ ସମସ୍ତେ ତୁମକୁ ଦେଖନ୍ତୁ ବା ନ ଦେଖନ୍ତୁ, ଜାଣନ୍ତୁ ବା ନ ଜାଣନ୍ତୁ କିନ୍ତୁ ସେବା ଯେତେ ଭଲ ହୋଇଥାଏ ସେହି ଅନୁସାରେ ଆପେ ଆପେ ଆଶୀର୍ବାଦ ବାହାରିଥାଏ ଏବଂ ସେହି ଆଶୀର୍ବାଦ ଖୁବ୍ ଶୀଘ୍ର ପହଞ୍ଚି ଯାଇଥାଏ । କାରଣ ଆନ୍ତରିକ ଆଶୀର୍ବାଦ ଅଟେ ନା! ତେଣୁ ଖୁବ୍ ଶୀଘ୍ର ଦିଲ୍ ନିକଟରେ ପହଞ୍ଚିଯାଏ । ବାପଦାଦା ତ କହୁଛନ୍ତି ସବୁଠାରୁ ସହଜ ପୁରୁଷାର୍ଥ ହେଲା ଆଶୀର୍ବାଦ ଦିଅ ଏବଂ ଆଶୀର୍ବାଦ ନିଅ । ଆଶୀର୍ବାଦ ଜମା କରି କରି ଯେତେବେଳେ ଖାତା ଭରପୁର ହୋଇଯିବ ସେତେବେଳେ ଆଉ ମାୟା ମଧ୍ୟ ବିଘ୍ନ ପକାଇ ପାରିବ ନାହିଁ, କାହିଁକି ନା ଜମାର ବଳ ମିଳିଯିବ । ତେଣୁ ନିଜେ ସର୍ବଦା ସନ୍ତୁଷ୍ଟ ରୁହ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କର । ପ୍ରତ୍ୟେକ ଆତ୍ମାର ସ୍ୱଭାବର ରହସ୍ୟକୁ ଜାଣି ତା’କୁ ସନ୍ତୁଷ୍ଟ କର । ଏମିତି କୁହ ନାହିଁ ଯେ ଇଏ ତ ସବୁବେଳେ ଅସନ୍ତୁଷ୍ଟ ହେଉଛି । ତୁମେ ନିଜେ ହିଁ ଏହାର ରାଜ ଅର୍ଥାତ୍ ରହସ୍ୟକୁ ଜାଣିଯାଅ । ତା’ର ନାଡିକୁ ଜାଣିଯାଅ ତା’ପରେ ତାକୁ ଆଶୀର୍ବାଦ ରୂପକ ଔଷଧ ଦିଅ, ତେବେ ସବୁ କିଛି ସହଜ ହୋଇଯିବ । ଏହା ଠିକ୍ କଥା ନା! ରାଜସ୍ଥାନର ଟୀଚରମାନେ ଉଠ । ସେବାର ଅଭିନନ୍ଦନ ସ୍ୱୀକାର କର । ସମସ୍ତେ ଏବେ ଏହି ସହଜ ପୁରୁଷାର୍ଥ କର - କେବଳ ଆଶୀର୍ବାଦ ଦେଇଚାଲ । ନେବାର ସଂକଳ୍ପ କର ନାହିଁ, ତୁମେ ଦେଇଚାଲ ଆପେ ଆପେ ତୁମକୁ ମିଳିଚାଲିବ କାରଣ ଦେବା ହିଁ ନେବା ଅଟେ । ଠିକ୍ ଅଛି ନା! ଏହିଭଳି କରିବ ନା! ତୁମେ ତ ଦାତାଙ୍କର ସନ୍ତାନ ଅଟ, କେହି ତୁମକୁ ଦେଲେ ଯାଇ ତୁମେ ଦେବ, ଏହା ନୁହେଁ । ତୁମେ ଦାତା ହୋଇ ଦେଇଚାଲ, ତାହା ହେଲେ ଆପେ ଆପେ ମିଳିବାକୁ ଲାଗିବ । ଆଚ୍ଛା!

ଯେଉଁମାନେ ଏହି କଳ୍ପରେ ପ୍ରଥମ ଥର ଆସିଛନ୍ତି ସେମାନେ ହାତ ଉଠାନ୍ତୁ । ପ୍ରାୟ ଅଧାଅଧି ପିଲା ପୂର୍ବରୁ ଆସିଥାଆନ୍ତି, ଆଉ ଅଧେ ନୂଆ ଆସିଥାଆନ୍ତି । ଆଚ୍ଛା - ପଛବାଲା, ଯେଉଁମାନେ କଡରେ ବସିଛ ସମସ୍ତେ ସହଜଯୋଗୀ ଅଟ ତ? ଯଦି ସହଜ ଯୋଗୀ ଅଟ ତେବେ ଗୋଟିଏ ହାତ ଉଠାଅ । ଆଚ୍ଛା!

ବିଦାୟ ସମୟରେ:- (ବାପଦାଦାଙ୍କୁ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗମ୍ ରଥଯାତ୍ରାର ସମାଚର ଶୁଣାଇଲେ) ଚାରିଆଡର ଯାତ୍ରାର ସମାଚାର ସବୁ ମଝିରେ ମଝିରେ ବାପଦାଦାଙ୍କ ପାଖରେ ପହଞ୍ଚି ଯାଉଛି । ଆଚ୍ଛା - ସମସ୍ତେ ଉମଙ୍ଗ-ଉତ୍ସାହର ସହିତ ସେବାର ପାର୍ଟ କରିଚାଲିଛନ୍ତି । ଭକ୍ତମାନଙ୍କୁ ଆଶୀର୍ବାଦ ମିଳିଯାଉଛି ଏବଂ ଯେଉଁ ଭକ୍ତମାନଙ୍କର ଭକ୍ତିର ପାର୍ଟ ଶେଷ ହୋଇଯାଇଥିବ ସେମାନଙ୍କୁ ବାବାଙ୍କର ପରିଚୟ ମିଳିଯିବ ଏବଂ ପରିଚୟ ପାଇବାବାଲାଙ୍କ ଭିତରୁ ଯେଉଁମାନଙ୍କୁ ସନ୍ତାନ ହେବାର ଥିବ ସେମାନେ ମଧ୍ୟ ଜଣାପଡିଯିବ । ବାକି ସେବା ବହୁତ ଭଲ ହେଉଛି । ସେବା କରିବା ପାଇଁ ଦ୍ୱାଦଶ ଜ୍ୟୋର୍ତିଲିଙ୍ଗର ଯେଉଁ ରଥ ବାହାର କରିଛ ତାହା ସମସ୍ତଙ୍କୁ ବହୁତ ଭଲ ଆକର୍ଷିତ କରୁଛି । ଫଳସ୍ୱରୂପ ଏବେ କିଏ କିଏ କେଉଁ ବର୍ଗରୁ ବାହାରୁଛନ୍ତି ତାହା ମଧ୍ୟ ଜଣାପଡିବ । କିନ୍ତୁ ଭକ୍ତମାନଙ୍କୁ ମଧ୍ୟ ତୁମମାନଙ୍କର ଦୃଷ୍ଟି ମିଳିଲା, ପରିଚୟ ମିଳିଲା - ଏହା ମଧ୍ୟ ବହୁତ ଭଲ ସାଧନ ଅଟେ । ଏବେ ଆଗକୁ ଗଲେ ସେମାନଙ୍କର ସେବା କରି ସେମାନଙ୍କୁ ଆଗକୁ ବଢାଇ ଚାଲିବ । ଯେଉଁମାନେ ବି ସବୁ ରଥଯାତ୍ରାରେ ସେବା କରୁଛନ୍ତି, ଅକ୍ଳାନ୍ତ ସେବା କରୁଛନ୍ତି, ସେମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା । ବାପଦାଦା ତ ସମସ୍ତଙ୍କୁ ଦେଖି ଚାଲିଛନ୍ତି ଏବଂ ସଫଳତା ତ ତୁମର ଜନ୍ମ ସିଦ୍ଧ ଅଧିକାର ଅଟେ । ଆଚ୍ଛା!

ମରିଶସ୍‌ରେ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟକୁ ସେଠାକାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ଏକତା ପୁରସ୍କାର ମିଳିଛି । ଏମିତି ବି ପୂର୍ବରୁ ମଧ୍ୟ ମରିଶସ୍‌ରେ ଭି.ଆଇ.ପି. ମାନଙ୍କ ସହିତ ଭଲ ସମ୍ପର୍କ ରହି ଆସିଛି ଏବଂ ପ୍ରଭାବ ମଧ୍ୟ ଭଲ ଅଛି ସେଥିପାଇଁ ଗୁପ୍ତ ସେବାର ଫଳ ମିଳୁଛି । ସେଥିପାଇଁ ସମସ୍ତଙ୍କୁ ବିଶେଷ ଅଭିନନ୍ଦନ । ଆଚ୍ଛା, ଓମ୍ ଶାନ୍ତି ।

ବରଦାନ:-
ପ୍ରତି ନିଶ୍ୱାସରେ ଯୋଗ ସହିତ ସେବାର ସନ୍ତୁଳନ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ କରୁଥିବା ସଦା ପ୍ରସନ୍ନଚିତ୍ତ ଆତ୍ମା ହୁଅ ।

ଯେପରି ଯୋଗର ସଂଯୋଗ ସଦାସର୍ବଦା ଯୋଡି ହୋଇ ରହିବା ପାଇଁ ତା’ ଉପରେ ବିଶେଷ ଧ୍ୟାନ ଦେଉଛ ସେହିପରି ସେବାରେ ମଧ୍ୟ ସଦାସର୍ବଦା ସଂଯୋଗ ଲାଗି ରହିଥାଉ । ପ୍ରତି ନିଶ୍ୱାସରେ ଯୋଗ ଏବଂ ପ୍ରତି ନିଶ୍ୱାସରେ ସେବା ହେଉଥାଉ - ଏହାକୁ କୁହାଯାଏ ସନ୍ତୁଳନ ରଖିବା, ଏହିଭଳି ସନ୍ତୁଳନ ରଖିପାରିଲେ ସର୍ବଦା ଆଶୀର୍ବାଦର ଅନୁଭବ କରିଚାଲିବ ଏବଂ ଅନ୍ତରରୁ ସର୍ବଦା ଏହି ଶବ୍ଦ ବାହାରିବ ଯେ ମୁଁ ଆଶୀର୍ବାଦରେ ହିଁ ପାଳିତ ହେଉଛି । ମେହନତ କରିବାରୁ ଏବଂ ଯୁଦ୍ଧ କରିବାରୁ ମଧ୍ୟ ମୁକ୍ତ ହୋଇଯିବ । କାହିଁକି, କ’ଣ, କିପରି ଏହି ସବୁ ପ୍ରଶ୍ନ ଠାରୁ ମୁକ୍ତ ହୋଇ ସର୍ବଦା ପ୍ରସନ୍ନଚିତ୍ତ ରହିପାରିବ । ତା’ପରେ ସଫଳତା ତୁମର ଜନ୍ମ ସିଦ୍ଧ ଅଧିକାର ରୂପରେ ଅନୁଭବ ହେବ ।

ସ୍ଲୋଗାନ:-
ଯଦି ବାବାଙ୍କଠାରୁ ପୁରସ୍କାର ନେବାକୁ ଚାହୁଁଛ ତେବେ ନିଜଠାରୁ ଏବଂ ସାଥୀମାନଙ୍କ ଠାରୁ ସର୍ବଦା ନିର୍ବିଘ୍ନ ରହିବାର ପ୍ରମାଣ ପତ୍ର ସାଥୀରେ ରହିବା ଦରକାର ।