02.08.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କର ବାସ୍ତବିକ ସଂସ୍କାର ଅର୍ଥାତ୍ ଅନାଦି ସଂସ୍କାର ପବିତ୍ରତା ଅଟେ, ତୁମେମାନେ ରାବଣର
ସଂଗଦୋଷରେ ପଡି ପତିତ ହୋଇଯାଇଛ, ଏବେ ପୁଣି ତୁମକୁ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ
ପଡିବ ।”
ପ୍ରଶ୍ନ:-
ଅଶାନ୍ତିର କାରଣ
ଏବଂ ଏହାର ନିବାରଣର ଉପାୟ କ’ଣ?
ଉତ୍ତର:-
ଅଶାନ୍ତିର କାରଣ ହେଲା ଅପବିତ୍ରତା । ଏବେ ତୁମେମାନେ ଭଗବାନ ବାବାଙ୍କ ନିକଟରେ ପ୍ରତିଜ୍ଞା କର
ଯେ, ଆମେ ନିଜେ ପବିତ୍ର ହୋଇ ପବିତ୍ର ଦୁନିଆର ସ୍ଥାପନା କରିବୁ, ନିଜର ଦୃଷ୍ଟିକୁ ପବିତ୍ର କରିବୁ,
ଅପରାଧୀ ଅର୍ଥାତ୍ ବିକାରୀ ହେବୁ ନାହିଁ, ତେବେ ଯାଇ ଅଶାନ୍ତି ଦୂର ହୋଇପାରିବ । ତୁମେ ଶାନ୍ତି
ସ୍ଥାପନା କାର୍ଯ୍ୟରେ ନିମିତ୍ତ ହୋଇଥିବା ପିଲାମାନେ କେବେହେଲେ ଅଶାନ୍ତି ସୃଷ୍ଟି କରିପାରିବ ନାହିଁ
। ତୁମକୁ ଶାନ୍ତ ହୋଇ ରହିବାକୁ ହେବ, ମାୟାର ଗୋଲାମ ହେବା ଉଚିତ୍ ନୁହେଁ ।
ଓମ୍ ଶାନ୍ତି ।
ବାବା ବସି
ପିଲାମାନଙ୍କୁ ବୁଝାଉଛନ୍ତି ଯେ, ଗୀତାର ଭଗବାନ ଗୀତା ଶୁଣାଉଛନ୍ତି । ଥରେ ମାତ୍ର ଶୁଣାଇ ପୁଣି
ଚାଲିଯିବେ । ଏବେ ତୁମେମାନେ ଗୀତାର ଭଗବାନଙ୍କଠାରୁ ସେହି ଗୀତା ଜ୍ଞାନ ଶୁଣୁଛ ଏବଂ ରାଜଯୋଗ ମଧ୍ୟ
ଶିଖୁଛ । ଲୋକମାନେ ତ ଲେଖା ହୋଇଥିବା ଗୀତାକୁ ପଢି କଣ୍ଠସ୍ଥ କରି ମନୁଷ୍ୟମାନଙ୍କୁ ଶୁଣାଇଥା’ନ୍ତି
। ଯଦି ସିଏ ଶରୀର ଛାଡି ଦେବେ ତେବେ ଆଉ ଥରେ ପିଲା ହୋଇ ଜନ୍ମ ନେବେ ତେବେ ତ’ ଆଉ ଶୁଣାଇ ପାରିବେ
ନାହଁ । ଏବେ ବାବା ତୁମକୁ ଗୀତା ଶୁଣାଉଛନ୍ତି, ଯେ ପର୍ଯ୍ୟନ୍ତ ତୁମେମାନେ ରାଜତ୍ୱକୁ ପ୍ରାପ୍ତ ନ
କରିଛ । ଲୌକିକ ଶିକ୍ଷକ ମଧ୍ୟ ପାଠ ପଢାଇଥା’ନ୍ତି, ଯେତେବେଳ ପର୍ଯ୍ୟନ୍ତ ପାଠପଢ଼ା ନ ସରିଛି ପଢ଼ାଇ
ଚାଲିଥା’ନ୍ତି । ପାଠପଢା ଶେଷ ହୋଇଗଲେ ରୋଜଗାର କରିବାରେ ଲାଗିଯା’ନ୍ତି । ଶିକ୍ଷକଙ୍କ ପାଖରେ ପାଠ
ପଢି, ରୋଜଗାର କରି, ବୁଢା ହୋଇ, ଶରୀର ଛାଡି ପୁଣି ଆଉ ଗୋଟିଏ ଶରୀର ନେଇଥା’ନ୍ତି । ତେବେ ଲୋକମାନେ
ଯେଉଁ ଗୀତା ଶୁଣାଉଛନ୍ତି, ଏହା ଦ୍ୱାରା କ’ଣ ପ୍ରାପ୍ତି ହେଉଛି? ଏ କଥା ତ କେହି ଜାଣି ନାହାଁନ୍ତି
। ଗୀତା ଶୁଣାଇ ପୁଣି ପର ଜନ୍ମରେ ଛୋଟ ପିଲା ହୋଇ ଜନ୍ମ ହେଲେ ଆଉ ତ ଶୁଣାଇପାରିବେ ନାହିଁ ।
ଯେତେବେଳେ ବଡ ହୋଇ ବୟସ୍କ ହେବେ, ଗୀତା ପାଠୀ ହେବେ ତେବେ ଯାଇ ଶୁଣାଇପାରିବେ । ଏଠାରେ ତ’ ବାବା
ଥରେମାତ୍ର ଶାନ୍ତିଧାମରୁ ଆସି ପାଠ ପଢାଇ ପୁଣି ଚାଲିଯାଉଛନ୍ତି । ବାବା କହୁଛନ୍ତି, ମୁଁ ତୁମକୁ
ରାଜଯୋଗ ଶିଖାଇ ପୁଣି ନିଜ ଘରକୁ ଚାଲିଯାଉଛି । ଯେଉଁମାନଙ୍କୁ ମୁଁ ପାଠ ପଢାଉଛି ସେମାନେ ଆସି
ନିଜର ପ୍ରାରବ୍ଧ ଭୋଗ କରୁଛନ୍ତି । ନିଜର ରୋଜଗାର କରି, ପୁରୁଷାର୍ଥର କ୍ରମାନୁସାରେ ଧାରଣ କରି
ପୁଣି ଚାଲିଯାଉଛନ୍ତି । କୁଆଡେ? ନୂଆ ଦୁନିଆକୁ । ଏହି ପାଠପଢା ନୂଆ ଦୁନିଆ ପାଇଁ ଉଦ୍ଧିଷ୍ଟ ।
ମନୁଷ୍ୟମାନେ ତ ଏ କଥା ଜାଣିନାହାଁନ୍ତି ଯେ, ପୁରୁଣା ଦୁନିଆ ବିନାଶ ହୋଇ ପୁଣି ନୂଆ ସ୍ଥାପନ ହେବ
। ତୁମେମାନେ ଜାଣିଛ, ଆମେ ନୂଆ ଦୁନିଆ ପାଇଁ ରାଜଯୋଗ ଶିଖୁଛୁ । ପୁଣି ନା ଏହି ପୁରୁଣା ଦୁନିଆ
ରହିବ ନା ପୁରୁଣା ଶରୀର ରହିବ । ଆତ୍ମା ତ ଅବିନାଶୀ ଅଟେ । ଆତ୍ମାମାନେ ପବିତ୍ର ହୋଇ ପୁଣି
ପବିତ୍ର ଦୁନିଆକୁ ଯିବେ । ନୂଆ ଦୁନିଆ ଥିଲା, ଯେଉଁଠାରେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା
ଯାହାକୁ ସ୍ୱର୍ଗ ବୋଲି କୁହାଯାଉଛି । ନୂଆ ଦୁନିଆର ସ୍ଥାପନା ଭଗବାନ ହିଁ କରନ୍ତି । ସିଏ ଗୋଟିଏ
ଧର୍ମର ସ୍ଥାପନା କରୁଛନ୍ତି । କୌଣସି ଦେବତା ଦ୍ୱାରା କରାଉନାହାଁନ୍ତି, ଦେବତା ତ ଏଠାରେ
ନାହାଁନ୍ତି । ତେବେ ନିଶ୍ଚିତ ଭାବରେ କୌଣସି ମନୁଷ୍ୟ ଦ୍ୱାରା ହିଁ ଜ୍ଞାନ ଦେବେ । ଯେଉଁମାନେ ପୁଣି
ଦେବତା ହେବେ, ସେହି ଦେବତାମାନେ ପୁର୍ନଜନ୍ମ ନେଇ-ନେଇ ଏବେ ବ୍ରାହ୍ମଣ ହୋଇଛନ୍ତି । ଏହି ରହସ୍ୟକୁ
ତୁମେମାନେ ହିଁ ଜାଣିଛ - ଭଗବାନ ତ ନିରାକାର ଅଟନ୍ତି । ଯିଏକି ନୂଆ ଦୁନିଆର ରଚନା କରୁଛନ୍ତି ।
ବର୍ତ୍ତମାନ ତ ରାବଣ ରାଜ୍ୟ ଚାଲିଛି, ତୁମେମାନେ ପଚାରୁଛ କଳିଯୁଗୀ ପତିତ ଅଟ ଅଥବା ସତ୍ୟଯୁଗୀ
ପବିତ୍ର ଅଟ ? କିନ୍ତୁ କିଛି ହେଲେ ବି ବୁଝିପାରୁନାହାଁନ୍ତି । ଏବେ ବାବା ପିଲାମାନଙ୍କୁ କହୁଛନ୍ତି
- ମୁଁ ୫ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମକୁ ବୁଝାଇଥିଲି । ମୁଁ ଆସୁଛି ତୁମକୁ ଅଧାକଳ୍ପ ସୁଖୀ
କରିବା ପାଇଁ । ପୁଣି ରାବଣ ଆସି ତୁମକୁ ଦୁଃଖୀ କରିଦେଉଛି । ଏହା ସୁଖ-ଦୁଃଖର ଖେଳ ଅଟେ । କଳ୍ପର
ଆୟୁଷ ୫ ହଜାର ବର୍ଷ । ତେଣୁ ଅଧା-ଅଧା କରିବାକୁ ପଡିବ ନା । ରାବଣ ରାଜ୍ୟରେ ସମସ୍ତେ ଦେହ-ଅଭିମାନୀ
ବିକାରୀ ହୋଇଯାଉଛନ୍ତି । ଏହି କଥାକୁ ମଧ୍ୟ ତୁମେମାନେ ଏବେ ବୁଝୁଛ । ଆଗରୁ ବୁଝୁ ନ ଥିଲ ।
କଳ୍ପ-କଳ୍ପ ଯେଉଁମାନେ ବୁଝିଥିଲେ ସେହିମାନେ ହିଁ ବୁଝୁଛନ୍ତି । ଯେଉଁମାନେ ଦେବତା ହେବେ ନାହିଁ,
ସେମାନେ ଏଠାକୁ ଆସିବେ ହିଁ ନାହିଁ । ତୁମେମାନେ ଦେବତା ଧର୍ମର ଚାରା ରୋପଣ କରୁଛ । ଯେତେବେଳେ
ସେମାନେ ଆସୁରୀ ତମଃପ୍ରଧାନ ହୋଇଯାଉଛନ୍ତି ସେତେବେଳେ ତାଙ୍କୁ ଆଉ ଦୈବୀ କୁଳର କୁହାଯିବ ନାହିଁ ।
ଯେତେବେଳେ ଏହି ବୃକ୍ଷ ନୂଆ ଥିଲା ସେତେବେଳେ ସତ୍ତ୍ୱପ୍ରଧାନ ଥିଲା । ଆମେ ସେହି ବୃକ୍ଷର ପତ୍ର ସବୁ
ଦେବୀ-ଦେବତା ଥିଲେ ପୁଣି ରଜଃ, ତମଃରେ ଆସିଲେ ଏବଂ ପୁରୁଣା ପତିତ, ଶୂଦ୍ର ହୋଇଗଲେ । ପୁରୁଣା
ଦୁନିଆରେ ପୁରୁଣା ମନୁଷ୍ୟ ହିଁ ରହିବେ । ପୁରୁଣାକୁ ପୁନଃ ନୂଆ କରିବାକୁ ପଡିବ । ଏବେ ଦେବୀ-ଦେବତା
ଧର୍ମ ପ୍ରାୟ ଲୋପ ହୋଇଗଲାଣି । ବାବା ମଧ୍ୟ କହୁଛନ୍ତି ଯେବେ-ଯେବେ ଧର୍ମର ଗ୍ଳାନୀ ହୋଇଥାଏ, ତେବେ
ପଚାରିବେ କେଉଁ ଧର୍ମର ଗ୍ଳାନୀ ହେଉଛି? ନିଶ୍ଚିତ ଭାବରେ କହିବେ ଆଦି-ସନାତନ ଦେବୀ-ଦେବତା ଧର୍ମର
ଗ୍ଳାନୀ, ଯାହା ମୁଁ ସ୍ଥାପନ କରିଥିଲି । ସେହି ଧର୍ମ ହିଁ ପ୍ରାୟଃ ଲୋପ ହୋଇଯାଇଛି, ଧର୍ମ
ପରିବର୍ତ୍ତେ ସବୁ ଅଧର୍ମ ହୋଇଗଲାଣି । ତେବେ ଯେତେବେଳେ ଧର୍ମରୁ ଅଧର୍ମର ବୃଦ୍ଧି ହୋଇଥାଏ,
ସେତେବେଳେ ବାବା ଆସିଥା’ନ୍ତି । ଏପରି କୁହାଯିବ ନାହିଁ ଯେ, ଧର୍ମର ବୃଦ୍ଧି ହେଉଛି, ଧର୍ମ ତ
ପ୍ରାୟଃ ଲୋପ ହୋଇଗଲାଣି । ବାକି ଅଧର୍ମର ବୃଦ୍ଧି ହୋଇ ଚାଲିଛି । ବୃଦ୍ଧି ତ ସବୁ ଧର୍ମର ହେଉଛି ।
ଖ୍ରୀଷ୍ଟଙ୍କ ଦ୍ୱାରା ସ୍ଥାପିତ ଖ୍ରୀଷ୍ଟିୟାନ ଧର୍ମର କେତେ ବୃଦ୍ଧି ହୋଇଛି । ବାକି ଦେବୀ-ଦେବତା
ଧର୍ମ ପ୍ରାୟଃ ଲୋପ ହୋଇଯାଇଛି । ପତିତ ହେବା କାରଣରୁ ସ୍ୱତଃ ଗ୍ଳାନୀ କରୁଛନ୍ତି । ଧର୍ମରୁ ଅଧର୍ମ
କେବଳ ଗୋଟିଏ ଧର୍ମର ଅର୍ଥାତ୍ ଦେବୀ ଦେବତା ଧର୍ମର ହୋଇଥାଏ । ଆଉ ସବୁ ଧର୍ମ ତ ଠିକ୍ ଚାଲିଛି ।
ସମସ୍ତେ ନିଜ-ନିଜର ଧର୍ମରେ ସ୍ଥାୟୀ ହୋଇ ରହିଛନ୍ତି । ଯେଉଁ ଆଦି ସନାତନ ଦେବୀ-ଦେବତା ଧର୍ମ
ନିର୍ବୀକାରୀ ଥିଲା, ତାହା ଏବେ ବିକାରୀ ହୋଇଗଲାଣି । ବାବା କହୁଛନ୍ତି - ମୁଁ ପବିତ୍ର ଦୁନିଆ
ସ୍ଥାପନ କରିଥିଲି ପୁଣି ସମସ୍ତେ ପିତତ, ଶୂଦ୍ର ହୋଇଯାଇଛନ୍ତି ଅର୍ଥାତ୍ ଏହି ଧର୍ମର ଗ୍ଳାନୀ
ହୋଇଯାଉଛି । ଅପବିତ୍ର ହୋଇ ନିଜର ଗ୍ଳାନୀ କରୁଛନ୍ତି । ବିକାରଗ୍ରସ୍ତ ହୋଇ ପତିତ ହୋଇଯାଉଛନ୍ତି,
ତେଣୁ ନିଜକୁ ଦେବତା କହିପାରୁ ନାହାଁନ୍ତି । ବର୍ତ୍ତମାନ ସ୍ୱର୍ଗ ବଦଳରେ ଦୁନିଆ ନର୍କ ହୋଇଗଲାଣି
। ଏଠାରେ କେହି ବି ପବିତ୍ର ନାହାଁନ୍ତି । ତୁମେମାନେ କେତେ ବିକାରୀ ପତିତ ହୋଇଯାଇଛ । ବାବା
କହୁଛନ୍ତି - ମୁଁ ତୁମମାନଙ୍କୁ ପବିତ୍ର ଫୁଲ ସମାନ କରିଥିଲି କିନ୍ତୁ ରାବଣ ତୁମକୁ କଣ୍ଟା
କରିଦେଇଛି । ତେଣୁ ତୁମେମାନେ ପବିତ୍ରରୁ ପତିତ ହୋଇଯାଇଛ । ତେବେ ନିଜ ଧର୍ମର ଅବସ୍ଥା ଦେଖିବା
ଉଚିତ୍ । ବାବାଙ୍କୁ ଡାକୁଛନ୍ତି, ଆମର ଅବସ୍ଥା ଆସି ଦେଖ, ଆମେ କେତେ ପତିତ ହୋଇଯାଇଛୁ ପୁ୍ନର୍ବାର
ଆସି ଆମକୁ ପବିତ୍ର କରାଅ । ପତିତରୁ ପାବନ କରିବା ପାଇଁ ବାବା ନିଜେ ଆସୁଛନ୍ତି ତେଣୁ ପବିତ୍ର ହେବା
ଉଚିତ ଏବଂ ଅନ୍ୟମାନଙ୍କୁ ମଧ୍ୟ ପବିତ୍ର କରିବା ଉଚିତ୍ ।
ତୁମେମାନେ ନିଜକୁ ଦେଖ ଯେ, ଆମେ ସର୍ବଗୁଣ ସମ୍ପନ୍ନ ହୋଇଛୁ? ଆମର ଚଳଣି ଦେବତାମାନଙ୍କ ଭଳି ହୋଇଛି?
ଦେବତାମାନଙ୍କ ରାଜ୍ୟରେ ତ ବିଶ୍ୱରେ ଶାନ୍ତି ଥିଲା, ଏବେ ପୁଣି ବିଶ୍ୱରେ କିପରି ଶାନ୍ତି ସ୍ଥାପନା
ହେବ ତାହା ତୁମମାନଙ୍କୁ ଶିଖାଇବା ପାଇଁ ଆସିଛି । ତେଣୁ ତୁମକୁ ମଧ୍ୟ ଶାନ୍ତିରେ ରହିବାକୁ ପଡିବ ।
ମୁଁ ତୁମକୁ ଶାନ୍ତି ହେବାର ଉପାୟ ବତାଉଛି ଯେ ମୋତେ ମନେପକାଅ । ତେବେ ତୁମେମାନେ ଶାନ୍ତ ହୋଇ,
ଶାନ୍ତିଧାମକୁ ଚାଲିଯିବ । କେହି-କେହି ସନ୍ତାନ ତ ଶାନ୍ତ ରହି ପୁଣି ଅନ୍ୟମାନଙ୍କୁ ମଧ୍ୟ ଶାନ୍ତିରେ
ରହିବା ଶିଖାଉଛନ୍ତି । କେହି ପୁଣି ଅଶାନ୍ତି ମଧ୍ୟ କରିଦେଉଛନ୍ତି । ନିଜେ ଅଶାନ୍ତ ରହୁଛନ୍ତି
ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତ କରିଦେଉଛନ୍ତି । ସେମାନେ ଶାନ୍ତିର ଅର୍ଥକୁ ମଧ୍ୟ ବୁଝୁନାହାଁନ୍ତି ।
ଏଠାକୁ ଶାନ୍ତି ଶିଖିବା ପାଇଁ ଆସୁଛନ୍ତି ପୁଣି ଏଠାରୁ ଯିବା ମାତ୍ରେ ଅଶାନ୍ତ କରିଦେଉଛନ୍ତି ।
ଏମାନେ ଶାନ୍ତିର ଅର୍ଥ ବୁଝୁନାହାଁନ୍ତି । ଅଶାନ୍ତି ଅପବିତ୍ରତାରୁ ସୃଷ୍ଟି ହୋଇଥାଏ । ଏଠାକୁ ଆସି
ପ୍ରତିଜ୍ଞା କରୁଛନ୍ତି - ବାବା ମୁଁ ଆପଣଙ୍କର ଅଟେ । ଆପଣଙ୍କଠାରୁ ବିଶ୍ୱର ବାଦଶାହୀ ନେବାର ଅଛି
। ଆମେ ପବିତ୍ର ରହି ପୁଣି ବିଶ୍ୱର ମାଲିକ ନିଶ୍ଚିତ ହେବୁ । ପୁଣି ଘରକୁ ଯିବା ପରେ ମାୟାର
ତୋଫାନରେ ଫସି ଯାଉଛନ୍ତି । ଯୁଦ୍ଧ ହେଉଛି ନା । ତେଣୁ ଏମାନେ ପୁଣି ମାୟାର ଗୋଲାମ ହୋଇ ପତିତ ହେବା
ପାଇଁ ଚାହୁଁଛନ୍ତି । ଅବଳାମାନଙ୍କ ଉପରେ ମଧ୍ୟ ସେହିମାନେ ହିଁ ଅତ୍ୟାଚାର କରୁଛନ୍ତି ଯେଉଁମାନେ
ପ୍ରତିଜ୍ଞା କରୁଛନ୍ତି କି ଆମେ ପବିତ୍ର ରହିବୁ କିନ୍ତୁ ପୁଣି ମାୟାର ଆକ୍ରମଣ ହେବା ଦ୍ୱାରା
ପ୍ରତିଜ୍ଞା ଭୁଲିଯାଉଛନ୍ତି । ଏମାନେ ଭଗବାନଙ୍କ ପାଖରେ ପ୍ରତିଜ୍ଞା କରୁଛନ୍ତି କି ଆମେ ପବିତ୍ର
ହୋଇ ପବିତ୍ର ଦୁନିଆର ସମ୍ପତ୍ତି ନେବୁ, ଆମର ଦୃଷ୍ଟିକୁ ବିକାରରୁ ମୁକ୍ତ କରି ନିର୍ବିକାରୀ ରଖିବୁ
। ବିକାରଗ୍ରସ୍ତ ହେବୁ ନାହିଁ, ବିକାରୀ ଦୃଷ୍ଟି ଛାଡିଦେବୁ । ତଥାପି ବି ମାୟା ରାବଣ ପାଖରୁ
ହାରିଯାଉଛନ୍ତି । ତେଣୁ ଯେଉଁମାନେ ନିର୍ବିକାରୀ ହେବା ପାଇଁ ଚାହୁଁଛନ୍ତି ତାଙ୍କୁ ହଇରାଣ
କରୁଛନ୍ତି । ସେଥିପାଇଁ କୁହାଯାଉଛି ଅବଳାମାନଙ୍କ ଉପରେ ଅତ୍ୟାଚାର ହେଉଛି, ପୁରୁଷମାନେ ତ ବଳବାନ
ହୋଇଥାନ୍ତି, ସ୍ତ୍ରୀ ନିର୍ବଳ ହୋଇଥାଏ । ଯୁଦ୍ଧ ଆଦି କରିବାକୁ ମଧ୍ୟ ପୁରୁଷମାନେ ହିଁ ଯାଇଥା’ନ୍ତି
କାହିଁକି ନା ଏମାନେ ବଳବାନ ଅଟନ୍ତି । ସ୍ତ୍ରୀ ବହୁତ ନରମ ସ୍ୱଭାବର ହୋଇଥା”ନ୍ତି ।
ସ୍ତ୍ରୀମାନଙ୍କର କର୍ତ୍ତବ୍ୟ ହିଁ ଅଲଗା । ଏମାନେ ଘରର ଦାୟିତ୍ୱ ନିଅନ୍ତି, ସନ୍ତାନକୁ ଜନ୍ମ ଦେଇ
ତା’ର ପାଳନା କରନ୍ତି । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ସେଠାରେ ଗୋଟିଏ ସନ୍ତାନ ହେବ କିନ୍ତୁ
ବିକାରର ଅଂଶ ବି ରହିବ ନାହିଁ । ଏଠାରେ ତ ସନ୍ନ୍ୟାସୀ ମଧ୍ୟ କେବେ-କେବେ କହି ଦେଉଛନ୍ତି ଯେ -
ଗୋଟିଏ ସନ୍ତାନ ତ ନିଶ୍ଚିତ ହେବା ଦରକାର - ବିକାରୀ ଦୃଷ୍ଟିବାଲା ଅନ୍ୟକୁ ଠକିବା ପାଇଁ ଏହିପରି
ଶିକ୍ଷା ଦେଉଛନ୍ତି । ବାବା କହୁଛନ୍ତି, ବର୍ତ୍ତମାନ ସମୟର ସନ୍ତାନ କେଉଁ କାମର, ଯେତେବେଳେ କି
ବିନାଶ ସମ୍ମୁଖରେ ଉପସ୍ଥିତ, ସବୁକିଛି ସମାପ୍ତ ହୋଇଯିବ । ମୁଁ ଆସିଛି ପୁରୁଣା ଦୁନିଆର ବିନାଶ
କରାଇବା ପାଇଁ । ତାହା ତ’ ସନ୍ନ୍ୟାସୀମାନଙ୍କର କଥା, ସେମାନେ ତ ବିନାଶର କଥା ଜାଣି ନାହାଁନ୍ତି ।
ତୁମକୁ ଅବିନାଶୀ ବାବା ବୁଝାଉଛନ୍ତି ଏବେ ବିନାଶ ହେବାକୁ ଯାଉଛି । ତେଣୁ ତୁମର ପିଲାମାନେ
ଉତ୍ତରାଧିକାରୀ ହୋଇପାରିବେ ନାହିଁ । ତୁମେମାନେ ଭାବୁଛ ଆମ କୁଳର ରକ୍ଷା ହେଉ କିନ୍ତୁ ପତିତ
ଦୁନିଆର କୌଣସି ଚିହ୍ନବର୍ଣ୍ଣ ରହିବ ନାହିଁ । ତୁମେ ଜାଣିଛ ଯେ, ଆମେ ପବିତ୍ର ଦୁନିଆର ଥିଲୁ,
ମନୁଷ୍ୟମାନେ ମଧ୍ୟ ମନେ ପକାଉଛନ୍ତି, କାହିଁକି ନା ଦୁନିଆ ପାବନ ଥିଲା, ଯାହାକୁ ସ୍ୱର୍ଗ
କୁହାଯାଉଥିଲା । କିନ୍ତୁ ଏବେ ତମଃପ୍ରଧାନ ହୋଇଥିବା କାରଣରୁ ବୁଝିପାରୁ ନାହାଁନ୍ତି । ସେମାନଙ୍କର
ଦୃଷ୍ଟି ହିଁ ବିକରୀ ହୋଇଯାଇଛି । ସେଥିପାଇଁ ଏହାକୁ ଧର୍ମର ଗ୍ଳାନୀ ବୋଲି କୁହାଯାଉଛି । ଆଦି
ସନାତନ ଧର୍ମରେ ଏପରି କଥା ହୋଇ ନ ଥାଏ । ଡାକୁଛନ୍ତି ହେ ପତିତ-ପାବନ ଆସ, ଆମେ ପତିତ ଦୁଃଖୀ
ହୋଇଯାଇଛୁ । ବାବା ବୁଝାଉଛନ୍ତି - ମୁଁ ତୁମକୁ ପବିତ୍ର କରିଥିଲି ପୁଣି ମାୟା ରାବଣ ତୁମକୁ ପତିତ
କରିଦେଇଛି । ବର୍ତ୍ତମାନ ପୁଣି ଥରେ ପବିତ୍ର ହୁଅ । ତୁମେ ପବିତ୍ର ହେବାକୁ ପ୍ରୟାସ କରୁଛ, ପୁଣି
ମାୟାର ଯୁଦ୍ଧ ଚାଲୁଛି । ତୁମେ ବାବାଙ୍କଠାରୁ ବର୍ସା ନେବାର ପୁରୁଷାର୍ଥ କରୁଛ କିନ୍ତୁ ଯଦି ମୁହଁ
କଳା କରିଦେଲ ତେବେ ବର୍ସା କିପରି ପାଇବ । ବାବା ଆତ୍ମାକୁ ପବିତ୍ର କରିବା ପାଇଁ ଆସିଛନ୍ତି । ଯେଉଁ
ଦେବତାମାନେ ପବିତ୍ର ଥିଲେ, ସେମାନେ ପତିତ କଳା ହୋଇଯାଇଛନ୍ତି । ଦେବତାମାନଙ୍କର ଶରୀରକୁ ହିଁ କଳା
ଦେଖାଉଛନ୍ତି, ଖ୍ରୀଷ୍ଟ, ବୁଦ୍ଧ ଆଦିଙ୍କ ଚିତ୍ର କେବେ କଳା ହେବାର ଦେଖିଛ? ଦେବୀ-ଦେବତାମାନଙ୍କର
ଚିତ୍ର ହିଁ କଳା ତିଆରି ହୋଇଥାଏ । ଯିଏ ସମସ୍ତଙ୍କର ସଦ୍ଗତି ଦାତା ପରମପିତା ପରମାତ୍ମା ଅଟନ୍ତି,
ଯାହାଙ୍କୁ ପରମପିତା ପରମାତ୍ମା - ଆପଣ ଆସି ଆମକୁ ଉଦ୍ଧାର କରନ୍ତୁ ବୋଲି କହୁଛନ୍ତି । ସିଏ କ’ଣ
କେବେ କଳା ହୋଇପାରିବେ, ସିଏ ତ ସଦା ସର୍ବଦା ପବିତ୍ର ଗୋରା ଅଟନ୍ତି । କୃଷ୍ଣ ପରବର୍ତ୍ତୀ ଜନ୍ମରେ
ଆଉ ଗୋଟିଏ ଶରୀର ନେଲେ ମଧ୍ୟ ପବିତ୍ର ଅଟନ୍ତି ନା । ଦେବତାମାନଙ୍କୁ ହିଁ ମହାନ୍ ଆତ୍ମା ବୋଲି
କୁହାଯାଇଛି । କୃଷ୍ଣ ତ ଦେବତା ଅଟନ୍ତି । ବର୍ତ୍ତମାନ କଳିଯୁଗ ଚାଲିଛି, ତେବେ କଳିଯୁଗରେ ମହାନ
ଆତ୍ମା କେଉଁଠାରୁ ଆସିବେ । ଶ୍ରୀକୃଷ୍ଣ ତ ସତ୍ୟଯୁଗର ପ୍ରଥମ ରାଜକୁମାର ଥିଲେ । ତାଙ୍କ ପାଖରେ
ଦୈବୀଗୁଣ ଥିଲା । ବର୍ତ୍ତମାନ ତ ଦେବତା କେହି ନାହାଁନ୍ତି । ଯଦିଓ ସାଧୁ ସନ୍ଥମାନେ ପବିତ୍ର
ହେଉଛନ୍ତି ତଥାପି ବିକାର ଦ୍ୱାରା ତ’ ପୁର୍ନଜନ୍ମ ନେଇଛନ୍ତି । ପୁଣି ସେମାନଙ୍କୁ ସନ୍ନ୍ୟାସ ଧାରଣ
କରିବାକୁ ପଡୁଛି । ଦେବତାମାନେ ତ ସଦା ସର୍ବଦା ପବିତ୍ର ଅଟନ୍ତି । ବର୍ତ୍ତମାନ ଏଠାରେ ରାବଣ
ରାଜ୍ୟ ଚାଲିଛି । ରାବଣର ୧୦ଟି ମୁଣ୍ଡ ଦେଖାଉଛନ୍ତି - ୫ଟି ସ୍ତ୍ରୀର ୫ଟି ପୁରୁଷର । ଏ କଥା ମଧ୍ୟ
ବୁଝୁଛନ୍ତି ଯେ ପ୍ରତ୍ୟେକଙ୍କ ଭିତରେ ୫ ବିକାର ରହିଛି, ଦେବତାମାନେ ବିକାରୀ, ଏ କଥା କେହି
କହିପାରିବେ ନାହିଁ । ତାହା ହେଉଛି ସୁଖଧାମ । ଯଦି ସେଠାରେ ବି ରାବଣ ଥାଆନ୍ତା ତେବେ ଦୁଃଖଧାମ
ହୋଇଯାଇଥାନ୍ତା । ମନୁଷ୍ୟମାନେ ଭାବୁଛନ୍ତି ଦେବତାମାନେ ମଧ୍ୟ ସନ୍ତାନ ଜନ୍ମ କରୁଛନ୍ତି ତେଣୁ
ସେମାନେ ମଧ୍ୟ ବିକାରୀ ନା । କିନ୍ତୁ ସେମାନଙ୍କୁ ଏ କଥା ଜଣାନାହିଁ ଯେ - ଗାୟନ ରହିଛି ଦେବତାମାନେ
ସଂପୂର୍ଣ୍ଣ ନିର୍ବିକାରୀ ଅଟନ୍ତି । ସେଥିପାଇଁ ତାଙ୍କର ପୂଜା ହେଉଛି । ସନ୍ନ୍ୟାସୀମାନଙ୍କର ମଧ୍ୟ
ମିଶନ ରହିଛି । କେବଳ ପୁରୁଷମାନଙ୍କୁ ସନ୍ନ୍ୟାସ କରାଇ ମିଶନ ବଢାଇଥା’ନ୍ତି । ବାବା ପୁଣି
ପ୍ରବୃତ୍ତି ମାର୍ଗର ନୂଆ ମିଶନ ଗଢୁଛନ୍ତି । ସ୍ତ୍ରୀ ପୁରୁଷ ଉଭୟଙ୍କୁ ହିଁ ପବିତ୍ର କରୁଛନ୍ତି ।
ପୁଣି ତୁମେ ଯାଇ ଦେବତା ହେବ । ତୁମେ ଏଠାକୁ ସନ୍ନ୍ୟାସୀ ହେବା ପାଇଁ ଆସିନାହଁ । ସେମାନେ
ଗୃହସ୍ଥୀଙ୍କ ନିକଟରେ ଜନ୍ମ ନେଇ ପୁଣି ସନ୍ନ୍ୟାସୀ ହେବା ପାଇଁ ବାହାରିଯାଆନ୍ତି । ପବିତ୍ରତା
ତୁମର ସଂସ୍କାର ଅଟେ । ତୁମେ ତ ବିଶ୍ୱର ମାଲିକ ହେବା ପାଇଁ ଆସିଛ । ଏବେ ତୁମେ ଅପବିତ୍ର ହୋଇଯାଇଛ,
ପୁଣି ତୁମକୁ ପବିତ୍ର ହେବାକୁ ପଡିବ । ବାବା ପବିତ୍ର ଗୃହସ୍ଥ ଆଶ୍ରମ ଗଢୁଛନ୍ତି । ପବିତ୍ର
ଦୁନିଆକୁ ସତ୍ୟଯୁଗ, ପତିତ ଦୁନିଆକୁ କଳିଯୁଗ କୁହାଯାଇଥାଏ । ଏଠାରେ କେତେ ପାପ ଆତ୍ମାମାନେ
ରହିଛନ୍ତି । ସତ୍ୟଯୁଗରେ ଏଭଳି ଆତ୍ମା ରହିବେ ନାହିଁ । ବାବା କହୁଛନ୍ତି ଯେବେ-ଯେବେ ଭାରତରେ
ଧର୍ମର ଗ୍ଳାନୀ ହୋଇଥାଏ ଅର୍ଥାତ୍ ଦେବୀ-ଦେବତା ଧର୍ମାବଲମ୍ବୀ ପତିତ ହୋଇଯାଆନ୍ତି ସେତେବେଳେ ନିଜର
ଗ୍ଳାନୀ କରାଇଥା’ନ୍ତି । ବାବା କହୁଛନ୍ତି, ମୁଁ ତୁମକୁ ପବିତ୍ର କରିଥିଲି ପୁଣି ତୁମେ ପତିତ ହେଲ,
ତେଣୁ ସଂପୂର୍ଣ୍ଣ ଶକ୍ତିହୀନ ହୋଇଗଲ । ତୁମେମାନେ ଯେତେବେଳେ ଏହିଭଳି ପତିତ ହୋଇଯାଉଛ ସେତେବେଳେ
ପୁଣି ତୁମକୁ ପବିତ୍ର କରିବା ପାଇଁ ମୋତେ ଆସିବାକୁ ପଡୁଛି । ଏହା ଡ୍ରାମାର ଚକ୍ର ଅଟେ ଯାହାକି
ଘୂରି ଚାଲିଛି । ସ୍ୱର୍ଗକୁ ଯିବା ପାଇଁ ପୁଣି ଦୈବୀଗୁଣ ମଧ୍ୟ ଆବଶ୍ୟକ । ତୁମ ପାଖରେ କ୍ରୋଧ ରହିବା
ଉଚିତ୍ ନୁହେଁ । କ୍ରୋଧ ଥିଲେ ତାଙ୍କୁ ଅସୁର ବୋଲି କୁହାଯିବ । ତୁମର ଅବସ୍ଥା ବହୁତ ଶାନ୍ତଚିତ୍ତ
ହେବା ଦରକାର । କ୍ରୋଧ କଲେ କୁହାଯିବ ଏହାଙ୍କ ପାଖରେ କ୍ରୋଧର ଭୂତ ରହିଛି । ଯାହାଙ୍କ ପାଖରେ
କୌଣସି ପ୍ରକାରର ଭୂତ ଥିବ ସେମାନେ ଦେବତା ହୋଇପାରିବେ ନାହିଁ । ନରରୁ ନାରାୟଣ ହୋଇପାରିବେ ନାହିଁ
। ଦେବତାମାନେ ତ ନିର୍ବିକାରୀ ଅଟନ୍ତି ଯେପରି ରାଜା-ରାଣୀ ସେହିପରି ପ୍ରଜାମାନେ ମଧ୍ୟ ନିର୍ବିକାରୀ
ଅଟନ୍ତି, ଭଗବାନ ବାବା ହିଁ ଆସି ସଂମ୍ପୂର୍ଣ୍ଣ ନିର୍ବିକାରୀ କରୁଛନ୍ତି । ଆଚ୍ଛା-
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେହେତୁ
ବାବାଙ୍କ ନିକଟରେ ପବିତ୍ରତାର ପ୍ରତିଜ୍ଞା କରିଛ ତେଣୁ ନିଜକୁ ମାୟାର ଆକ୍ରମଣଠାରୁ ସୁରକ୍ଷିତ
ରଖିବାକୁ ହେବ । କେବେହେଲେ ମାୟାର ଗୋଲାମ ହେବା ଉଚିତ୍ ନୁହେଁ କିମ୍ବା ଏହି ପ୍ରତିଜ୍ଞାକୁ ଭୁଲିବା
ଉଚିତ୍ ନୁହେଁ କାହିଁକି ନା ଏବେ ପବିତ୍ର ଦୁନିଆକୁ ଯିବାକୁ ହେବ ।
(୨) ଦେବତା ହେବା ପାଇଁ
ହେଲେ ନିଜର ଅବସ୍ଥାକୁ ବହୁତ ବହୁତ ଶାନ୍ତଚିତ୍ତ କରିବାକୁ ହେବ । କୌଣସି ବି ଭୂତକୁ ପ୍ରବେଶ
ହେବାକୁ ଦେବା ଉଚିତ୍ ନୁହେଁ । ଦୈବୀଗୁଣ ଧାରଣ କରିବା ଉଚିତ୍ ।
ବରଦାନ:-
ଫରିସ୍ତା
ସ୍ୱରୂପର ସ୍ମୃତି ଦ୍ୱାରା ବାବାଙ୍କର ଛତ୍ରଛାୟାର ଅନୁଭବ କରୁଥିବା ବିଘ୍ନଜିତ୍ ଭବ ।
ଅମୃତବେଳାରେ ଉଠିବା
ମାତ୍ରକେ ସ୍ମୃତିରେ ଆଣ ଯେ ମୁଁ ଫରିସ୍ତା ଅଟେ । ବ୍ରହ୍ମାବାବାଙ୍କୁ ପ୍ରତିଦିନ ଯଦି ଏହି ମନ
ପସନ୍ଦିଆ ଉପହାରଟି ଦେବ ତେବେ ପ୍ରତିଦିନ ଅମୃତବେଳାରେ ବାପଦାଦା ତୁମକୁ ନିଜର ବାହୁ ବନ୍ଧନରେ
ବାନ୍ଧି ଦେବେ ତୁମେ ଅନୁଭବ କରିବ ଯେ ମୁଁ ବାବାଙ୍କର ବାହୁ ବନ୍ଧନରେ ଅଛି ଏବଂ ଅତିନ୍ଦ୍ରୀୟ ସୁଖର
ଝୁଲଣାରେ ଝୁଲୁଛି । ଯେଉଁମାନେ ସର୍ବଦା ଫରିସ୍ତା ସ୍ୱରୂପର ସ୍ମୃତିରେ ରହିବେ ସେମାନଙ୍କ ସମ୍ମୁଖକୁ
ଯଦି କୌଣସି ପରିସ୍ଥିତି ବା ବିଘ୍ନ ଆସିବ ତେବେ ବାବା ସେମାନଙ୍କ ପାଇଁ ଛତ୍ରଛାୟା ହୋଇଯିବେ । ତେଣୁ
ବାବାଙ୍କର ଛତ୍ରଛାୟାର ବା ସ୍ନେହର ଅନୁଭୂତି କରିବା ସହିତ ବିଘ୍ନଜିତ୍ ହୁଅ ।
ସ୍ଲୋଗାନ:-
ସୁଖ ସ୍ୱରୂପ
ଆତ୍ମା ନିଜର ସ୍ୱସ୍ଥିତି ଦ୍ୱାରା ପରିସ୍ଥିତି ଉପରେ ସହଜରେ ବିଜୟ ପ୍ରାପ୍ତ କରିନେଇଥାଏ ।