03.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ଭଳି ଦୟାଶୀଳ ହୋଇ ଅନେକଙ୍କୁ ରାସ୍ତା ଦେଖାଅ, ଯେଉଁ ସନ୍ତାନମାନେ ଦିନରାତି ସେବାରେ ଲାଗି
ରହୁଛନ୍ତି - ସେହିମାନେ ହିଁ ବାହାଦୁର ଅଟନ୍ତି ।”
ପ୍ରଶ୍ନ:-
ଉଚ୍ଚ ଭାଗ୍ୟ
ଗଢିବାର ମୁଖ୍ୟ ଆଧାର କେଉଁ କଥା ଉପରେ ନିର୍ଭର କରେ?
ଉତ୍ତର:-
ଯୋଗର ଯାତ୍ରା ଉପରେ । ଯିଏ ଯେତେ ବାବାଙ୍କୁ ଯୋଗ କରୁଛି ସିଏ ସେତେ ନିଜର ଭାଗ୍ୟକୁ ଉଚ୍ଚ କରୁଛି
। ତେଣୁ ଶରୀର ନିର୍ବାହ ଅର୍ଥେ କର୍ମ କରି ମଧ୍ୟ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଉଥାଅ
ତେବେ ଭାଗ୍ୟ ଉଚ୍ଚ ହୋଇଯିବ ।
ଗୀତ:-
ତକଦୀର ଜଗାକର
ଆଇ ହୁଁ...
ଓମ୍ ଶାନ୍ତି ।
ଯେତେବେଳେ ଶିଶୁମାନେ ଜନ୍ମ ନିଅନ୍ତି, ସେତେବେଳେ ସେମାନେ ନିଜର ପୂର୍ବଜନ୍ମର କର୍ମ ଅନୁସାରେ
ଭାଗ୍ୟକୁ ସାଥିରେ ନେଇ ଆସିଥା’ନ୍ତି । କେହି ସାହୁକାର ଘରେ ତ ଆଉ କେହି ଗରିବ ଘରେ ଜନ୍ମ
ନେଇଥା’ନ୍ତି । ତାଙ୍କର ପିତା ମାତା ମଧ୍ୟ ଭାବିଥା’ନ୍ତି ଯେ, ମୋର ଉତ୍ତରାଧିକାରୀ ଆସିଗଲା । ଯିଏ
ଯେଉଁ ଭଳି ଭାବରେ ଦାନପୁଣ୍ୟ କରିଥା’ନ୍ତି, ତାଙ୍କୁ ସେହି ଅନୁସାରେ ଜନ୍ମ ମିଳିଥାଏ । ଏବେ ତୁମେ
ମିଠା ମିଠା ବିଚ୍ଛେଦୀ ସନ୍ତାନମାନଙ୍କୁ ଗୋଟିଏ କଳ୍ପ ପରେ ପୁନର୍ବାର ବାବା ଆସି ଏହି କଥା
ବୁଝାଇଛନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ, ଆମେ ନିଜର ଭାଗ୍ୟ ସାଥିରେ ନେଇ ଆସିଛୁ,
ସ୍ୱର୍ଗର ରାଜତ୍ୱର ଭାଗ୍ୟ ସାଥୀରେ ନେଇ ଆସିଛୁ ଅର୍ଥାତ୍ ଜନ୍ମ ହେବା ମାତ୍ରକେ ରାଜ୍ୟ ଭାଗ୍ୟର
ଅଧିକାରୀ ହୋଇଯାଇଛୁ, ଯେଉଁମାନେ କି ଭଲ ଭାବରେ ବାବାଙ୍କୁ ଜାଣିଛୁ ଏବଂ ମନେ ପକାଉଛୁ । ଏକଥା
ସେମାନେ ଭଲ ଭାବରେ ଜାଣିଛନ୍ତି କାରଣ ଯୋଗ ସହିତ ଭାଗ୍ୟର ମଧ୍ୟ ସମ୍ପର୍କ ରହିଛି । ଯେହେତୁ
ତୁମେମାନେ ଏଠାରେ ଜନ୍ମ ନେଇଛ, ତେଣୁ ବାବାଙ୍କର ସ୍ମୃତି ମଧ୍ୟ ରହିବା ଦରକାର । ଯେତେ ବାବାଙ୍କୁ
ମନେ ପକାଇବ ସେତେ ଭାଗ୍ୟ ମଧ୍ୟ ଉଚ୍ଚ ହେବ । ଏହା କେତେ ସହଜ କଥା । ଗୋଟିଏ ସେକେଣ୍ଡରେ
ଜୀବନମୁକ୍ତି ମିଳିଯାଉଛି । ତୁମେମାନେ ଏଠାକୁ ସୁଖଧାମର ଭାଗ୍ୟ ପ୍ରାପ୍ତ କରିବା ପାଇଁ ଆସିଛ । ଏବେ
ସମସ୍ତେ ପୁରୁଷାର୍ଥ କରୁଛନ୍ତି । ପ୍ରତ୍ୟେକେ ନିଜକୁ ଦେଖୁଛନ୍ତି ଯେ, ମୁଁ କିପରି ପୁରୁଷାର୍ଥ
କରୁଛି । ମମ୍ମା ବାବା ଏବଂ ସେବାଧାରୀ ପିଲାମାନେ ଯେପରି ପୁରୁଷାର୍ଥ କରୁଛନ୍ତି ସେମାନଙ୍କୁ
ଅନୁକରଣ କରିବା ଉଚିତ୍ । ସମସ୍ତଙ୍କୁ ବାବାଙ୍କର ପରିଚୟ ଦେବା ଉଚିତ୍ । ବାବାଙ୍କର ପରିଚୟ ଦେବା
ଦ୍ୱାରା ରଚନା ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ମଧ୍ୟ ଆସିଯିବ । ଋଷି, ମୁନି ଆଦି କେହି
ବି ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇପାରିବେ ନାହିଁ । ଏବେ ତୁମମାନଙ୍କ ବୁଦ୍ଧିରେ
ସାରା ଚକ୍ରର ସ୍ମୃତି ରହୁଛି । ଦୁନିଆରେ କେହି ବି ବାବା ଏବଂ ତାଙ୍କର ସମ୍ପତ୍ତିକୁ
ଜାଣିନାହାଁନ୍ତି । ତୁମେ ପିଲାମାନେ ଏବେ ବାବାଙ୍କୁ ଏବଂ ନିଜର ଭାଗ୍ୟକୁ ଜାଣିଛ । ତେଣୁ ଏବେ
ତୁମମାନଙ୍କୁ ବାବାଙ୍କୁ ମନେ ପକାଇବାକୁ ହେବ । ଶରୀର ନିର୍ବାହ ଅର୍ଥେ କର୍ମ ମଧ୍ୟ କରିବାକୁ ହେବ,
ଘରଦ୍ୱାର ମଧ୍ୟ ସମ୍ଭାଳିବାକୁ ହେବ । କେହି ଯଦି ନିର୍ବନ୍ଧନ ଅଛନ୍ତି ତେବେ ସିଏ ବହୁତ ଭଲ ସେବା
କରିପାରିବେ । ଯଦି କୌଣସି ସନ୍ତାନ-ସନ୍ତତି ନାହାନ୍ତି, ତେବେ ତାଙ୍କୁ ସେବା କରିବାର ବହୁତ ଭଲ
ସୁଯୋଗ ରହିଛି । ସ୍ତ୍ରୀମାନଙ୍କୁ ପିଲାମାନଙ୍କର ବା ପତିଙ୍କର ବନ୍ଧନ ରହିଥାଏ । ଯଦି ପିଲଛୁଆ
ନାହାଁନ୍ତି, ତେବେ ବନ୍ଧନମୁକ୍ତ ଅଟନ୍ତି ନା । ସେମାନେ ଯେପରି ବାନପ୍ରସ୍ଥୀ ହୋଇଗଲେ । ପୁଣି
ମୁକ୍ତିଧାମକୁ ଯିବା ପାଇଁ ସଙ୍ଗ ଦରକାର । ଭକ୍ତିମାର୍ଗରେ ତ ସାଧୁ ସନ୍ନ୍ୟାସୀମାନଙ୍କର ବା
ନିବୃତ୍ତି ମାର୍ଗବାଲାଙ୍କର ସଙ୍ଗ ମିଳିଥାଏ । ତେବେ ନିବୃତ୍ତିମାର୍ଗୀ ସନ୍ନ୍ୟାସୀମାନେ
ପ୍ରବୃତ୍ତିମାର୍ଗର ସମ୍ପତ୍ତି ବାବାଙ୍କଠାରୁ ଦିଆଇ ପାରିବେ ନାହିଁ । ତୁମେ ପିଲାମାନେ ହିଁ
ଦିଆଇପାରିବ । ତୁମକୁ ବାବା ଆସି ରାସ୍ତା ବତାଇଛନ୍ତି ।
ଭାରତର ୮୪ ଜନ୍ମର ଇତିହାସ-ଭୂଗୋଳ ସମ୍ବନ୍ଧରେ ସମସ୍ତଙ୍କୁ ବୁଝାଅ । ଭାରତବାସୀ ହିଁ ୮୪ ଜନ୍ମ
ନେଉଛନ୍ତି । ଏହା କୌଣସି ଜଣଙ୍କର କଥା ନୁହେଁ । ଯେଉଁମାନେ ସୂର୍ଯ୍ୟବଂଶୀ ହୁଅନ୍ତି ସେହିମାନେ
ପୁଣି ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ.... କୁଳରେ ଆସିଥା’ନ୍ତି, କିନ୍ତୁ କ୍ରମଅନୁସାରେ ପଦ ପାଇଥା’ନ୍ତି
ନା । ଭାରତର ପ୍ରଥମ ନମ୍ବରର ରାଜକୁମାର ହେଲେ ଶ୍ରୀକୃଷ୍ଣ ଯାହାଙ୍କୁ ଦୋଳୀରେ ଝୁଲାଇ ଥାଆନ୍ତି ।
ଦ୍ୱିତୀୟ ନମ୍ବରକୁ ଝୁଲାଇ ହିଁ ନ ଥାନ୍ତି କାରଣ କଳା କମ ହୋଇଯାଏ । ଯିଏ ପ୍ରଥମ ନମ୍ବରର ଅଟନ୍ତି,
ପୂଜା ତାଙ୍କର ହିଁ ହୋଇଥାଏ । ଲୋକମାନେ ଜାଣିନାହାଁନ୍ତି ଯେ, ଶ୍ରୀକୃଷ୍ଣ ଜଣେ ବା ଦୁଇ ତିନି ଜଣ
ଅଟନ୍ତି । ଶ୍ରୀକୃଷ୍ଣଙ୍କର ଡିନାଇଷ୍ଟି (କୁଳ) ଚାଲିଥାଏ, ଏକଥା କାହାକୁ ବି ଜଣାନାହିଁ । ପୂଜା
କେବଳ ପ୍ରଥମ ନମ୍ବରର ହୋଇଥାଏ । ନମ୍ବର ତ କ୍ରମ ଅନୁସାରେ ହିଁ ମିଳିଥାଏ । ତେବେ ପୁରୁଷାର୍ଥ
କରିବା ଦରକାର କି, ମୁଁ କାହିଁକି ପ୍ରଥମ ନମ୍ବରରେ ନ ଆସିବି, ମମ୍ମା ବାବାଙ୍କୁ ଅନୁକରଣ କରିବି,
ତାଙ୍କର ରାଜଧାନୀ ନେଇ ନେବି । ଯେଉଁମାନେ ଭଲ ଭାବରେ ସେବା କରିବେ, ସେମାନେ ଭଲ ଭଲ ମହାରାଜାଙ୍କ
ଘରେ ଜନ୍ମ ନେବେ । ସେଠାରେ ତ ମହାରାଜା ମହାରାଣୀ ହିଁ ଥିବେ । ସେହି ସମୟରେ ବା ସତ୍ୟଯୁଗରେ କୌଣସି
ରାଜାରାଣୀର ଉପାଧି ନ ଥାଏ । ତାହା ପରେ ଆରମ୍ଭ ହୁଏ । ଦ୍ୱାପରଯୁଗରୁ ଯେତେବେଳେ ପତିତ ହୋଇଯାଆନ୍ତି,
ସେତେବେଳେ ସେମାନଙ୍କ ମଧ୍ୟରୁ ଅଧିକ ସମ୍ପତ୍ତିବାଲାଙ୍କୁ ରାଜା କୁହାଯାଏ । ପୁଣି ମହାରାଜା ଉପାଧି
କମ ହୋଇଯାଏ ଅଥବା ପ୍ରାୟ ଲୋପ ହୋଇଯାଏ । ପୁଣି ଯେତେବେଳେ ଭକ୍ତିମାର୍ଗ ଆରମ୍ଭ ହୁଏ, ସେତେବେଳେ
ଗରିବ ଏବଂ ଧନୀଙ୍କ ଭିତରେ ଫରକ ତ ରହିଥାଏ ନା । ଏବେ ତୁମେ ପିଲାମାନେ ହିଁ ଶିବବାବାଙ୍କୁ ମନେ
ପକାଉଛ ଏବଂ ତାଙ୍କଠାରୁ ବର୍ସା ନେଉଛ । ଅନ୍ୟସବୁ ସତସଙ୍ଗରେ ମନୁଷ୍ୟମାନେ ହିଁ କଥା ଶୁଣାଇଥା’ନ୍ତି
ଅର୍ଥାତ୍ ଜ୍ଞାନ ଶୁଣାଇଥା’ନ୍ତି । ମନୁଷ୍ୟ, ମନୁଷ୍ୟଙ୍କୁ ଭକ୍ତି କରିବା ଶିଖାଇଥା’ନ୍ତି । ସେମାନେ
ଜ୍ଞାନ ଦେଇ କେବେ କାହାର ସଦଗତି କରିପାରିବେ ନାହିଁ । ବେଦ, ଶାସ୍ତ୍ର, ଆଦି ସବୁ କିଛି ହେଲା
ଭକ୍ତିମାର୍ଗର । ସଦଗତି ତ ଜ୍ଞାନ ଦ୍ୱାରା ହୋଇଥାଏ । ଦୁନିଆରେ ପୁନର୍ଜନ୍ମକୁ ମଧ୍ୟ ମାନୁଛନ୍ତି ।
ଡ୍ରାମା ମଝିରେ ତ କେହି ବି ଫେରିଯାଇ ପାରିବେ ନାହିଁ । ଶେଷ ସମୟରେ ହିଁ ବାବା ଆସି ସମସ୍ତଙ୍କୁ
ଫେରାଇ ନେଇଯାଆନ୍ତି । ଏତେ ସବୁ ଆତ୍ମା କେଉଁଠି ଯାଇ ରହିବେ? ସବୁ ଧର୍ମବାଲାଙ୍କର ବିଭାଗ ତ ଅଲଗା
ଅଲଗା ନା । ତେବେ ଏକଥା ମଧ୍ୟ ବୁଝାଇବାକୁ ହେବ । ଏକଥା ତ କାହାକୁ ବି ଜଣାନାହିଁ ଯେ
ଆତ୍ମାମାନଙ୍କର ମଧ୍ୟ ବୃକ୍ଷ ଅଛି । ତୁମ ପିଲାମାନଙ୍କ ବୁଦ୍ଧିରେ ସାରା ବୃକ୍ଷର ଜ୍ଞାନ ରହିଛି ।
ଆତ୍ମାମାନଙ୍କର ବୃକ୍ଷ ମଧ୍ୟ ରହିଛି, ଜୀବାତ୍ମାମାନଙ୍କର ମଧ୍ୟ ବୃକ୍ଷ ରହିଛି । ପିଲାମାନେ
ଜାଣିଛନ୍ତି ଯେ, ଆମେ ଏହି ପୁରୁଣା ଶରୀରକୁ ଛାଡି ଘରକୁ ଯିବା । “ମୁଁ ଆତ୍ମା” ଏହି ଶରୀରଠାରୁ
ଅଲଗା - ଏହି କଥା ଭାବିବା ଅର୍ଥାତ୍ ବଞ୍ଚି ଥାଉ ଥାଉ ମରିଯିବା । ନିଜେ ମରିଗଲେ ଦୁନିଆ ମରିଗଲା ।
ମିତ୍ର, ସମ୍ବନ୍ଧୀ ଆଦି ସମସ୍ତଙ୍କୁ ଛାଡିଦେଲ । ପ୍ରଥମେ ସମ୍ପୂର୍ଣ୍ଣ ଶିକ୍ଷା ଗ୍ରହଣ କରି, ପଦର
ଅଧିକାରୀ ହୋଇ ତା ପରେ ଯିବାକୁ ହେବ । ବାବାଙ୍କୁ ମନେ ପକାଇବା ତ ବହୁତ ସହଜ । ଯଦିଓ କେହି ରୋଗୀ
ବି ହୋଇଥାନ୍ତୁ, ତାଙ୍କୁ ମଧ୍ୟ କହିବା ଦରକାର ଯେ, ଶିବବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ
ହୋଇଯିବ । ଯେଉଁମାନେ ପକ୍କା ଯୋଗୀ ସେମାନଙ୍କ ପାଇଁ ଶୀଘ୍ର ଶରୀର ଛାଡିବା ମଧ୍ୟ ଭଲ ନୁହେଁ,
କାହିଁକି ନା ସେମାନେ ଯୋଗରେ ରହି ରୁହାନୀ ସେବା କରିଥା’ନ୍ତି । ଯଦି ମରିଯିବେ ତେବେ ସେବା
କରିପାରିବେ ନାହିଁ । ସେବା କରିବା ଦ୍ୱାରା ନିଜର ପଦ ଉଚ୍ଚ କରିପାରିବେ ଏବଂ ଭାଇ ଭଉଣୀଙ୍କର ସେବା
ମଧ୍ୟ ହେବ । ସେମାନେ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ପାଇପାରିବେ । ଆମେ ପରସ୍ପର ମଧ୍ୟରେ ଭାଇ
ଭାଇ, ଏକମାତ୍ର ଶିବବାବାଙ୍କର ସନ୍ତାନ ଅଟ । ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ବିକର୍ମ
ବିନାଶ ହେବ । ପୂର୍ବରୁ ମଧ୍ୟ ଏହିଭଳି କହିଥିଲି । ତୁମେ ଏହିକଥା କାହାକୁ ବି ବୁଝାଇପାରିବ,
ତାଙ୍କୁ କୁହ, ଭଉଣୀ ଏବଂ ଭାଇମାନେ - ଆପଣଙ୍କର ଆତ୍ମା ତମୋପ୍ରଧାନ ହୋଇଯାଇଛି ଯିଏକି
ସତ୍ତ୍ୱପ୍ରଧାନ ଥିଲା । ଏବେ ପୁଣି ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇ ସତ୍ତ୍ୱପ୍ରଧାନ ଦୁନିଆକୁ
ଯିବାକୁ ହେବ । ଆତ୍ମାକୁ ଯୋଗର ଯାତ୍ରା ଦ୍ୱାରା ସତ୍ତ୍ୱପ୍ରଧାନ କରିବାକୁ ହେବ । ଯୋଗର ପୁରା
ଚାର୍ଟ ରଖିବା ଉଚିତ୍ । ଜ୍ଞାନର ଚାର୍ଟ ତ ରଖିପାରିବ ନାହିଁ । ବାବା ତ ଜ୍ଞାନ ଦେଇଚାଲିଛନ୍ତି ।
ତେବେ ଯାଞ୍ଚ ରଖିବାକୁ ହେବ ଯେ, ମୋ ଉପରେ ଯେଉଁ ବିକର୍ମର ବୋଝ ରହିଛି, ତାହା କିପରି ଓହ୍ଲାଇବି,
ସେଥିପାଇଁ ଯୋଗର ଚାର୍ଟ ରଖିବାକୁ ପଡିଥାଏ । ମୁଁ କେତେ ଘଣ୍ଟା ଯୋଗ କରିଛି? ବ୍ରହ୍ମଲୋକକୁ ମଧ୍ୟ
ସ୍ମରଣ କରିଥା’ନ୍ତି ଏବଂ ନୂଆ ଦୁନିଆକୁ ମଧ୍ୟ ସ୍ମରଣ କରିଥା’ନ୍ତି । ବହୁତ ଓଲଟ ପାଲଟ ମଧ୍ୟ
ହେବାର ଅଛି । ତା’ର ମଧ୍ୟ ପ୍ରସ୍ତୁତି ଚାଲିଛି । ବୋମା ଆଦି ମଧ୍ୟ ତିଆରି ହୋଇ ଚାଲିବ । ଗୋଟିଏ
ପଟେ କହୁଛନ୍ତି କି, ଆମେ ଏଭଳି ଏଭଳି ମୃତ୍ୟୁର ସାମଗ୍ରୀ ତିଆରି କରୁଛୁ । ଅନ୍ୟପଟେ କହୁଛନ୍ତି
ମୃତ୍ୟୁର ସାମଗ୍ରୀ ତିଆରି କର ନାହିଁ । ସମୁଦ୍ର ଭିତରେ ମଧ୍ୟ ମାରିବାର ଯନ୍ତ୍ରପାତି ରଖିଛନ୍ତି,
ଉପରକୁ ଆସି ବୋମା ପକାଇ ପୁଣି ସମୁଦ୍ର ଭିତରକୁ ଚାଲିଯିବେ । ଏଭଳି ଏଭଳି ଜିନିଷ ବା ମାରଣାସ୍ତ୍ର
ତିଆରି କରିଚାଲିଛନ୍ତି । ଏସବୁ ନିଜର ବିନାଶ ପାଇଁ ହିଁ କରୁଛନ୍ତି । ମୃତ୍ୟୁ ସମ୍ମୁଖରେ ଉପସ୍ଥିତ
। କେତେ ବଡ ବଡ ମହଲ ତିଆରି କରୁଛନ୍ତି । ତୁମେ ଜାଣିଛ ଏସବୁ ମାଟିରେ ମିଶିଯିବ । କଥାରେ ଅଛି
କାହାର ଦବି ରହିବ ଧୂଳିରେ....... ଲଢେଇ ତ ନିଶ୍ଚିତ ହେବ । ଚେଷ୍ଟା କରି ସମସ୍ତଙ୍କର ପକେଟ ଖାଲି
କରିଦେବ ଅର୍ଥାତ୍ ଜବରଦସ୍ତ ଲୁଟି ନେବେ । ଚୋର ମଧ୍ୟ କେତେ ଲୁଟି ନେଉଛନ୍ତି । ଲଢେଇରେ କେତେ
ଟଙ୍କା ଖର୍ଚ୍ଚ କରୁଛନ୍ତି । ଏସବୁ ମାଟିରେ ମିଶିଯିବ । ଘରଦ୍ୱାର ସବୁ ଭାଙ୍ଗିଯିବ । ବୋମା ପଡିବା
ଦ୍ୱାରା ସୃଷ୍ଟିର ତିନିଭାଗ ସ୍ଥାନ ସମାପ୍ତ ହୋଇଯିବ ବାକି ଗୋଟିଏ ଭାଗ ରହିଯିବ । ଭାରତ ଗୋଟିଏ
ପଟରେ ଅଛି ନା । ବାକି ସମସ୍ତେ ତ ପରେ ଆସିଛନ୍ତି । ତେବେ ଭାରତ ଖଣ୍ଡ ରହିବ । ମୃତ୍ୟୁ ତ
ସମସ୍ତଙ୍କର ହେବ ନିଶ୍ଚିତ । ତେବେ ଆମେ ବାବାଙ୍କଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି କାହିଁକି ନ ନେବା,
ସେଥିପାଇଁ ବାବା କହୁଛନ୍ତି ଲୌକିକ ସମ୍ବନ୍ଧୀମାନଙ୍କ ସହିତ ମଧ୍ୟ ସମ୍ପର୍କ ରଖିବାକୁ ହେବ । ବାକି
ଯଦି କୌଣସି ବନ୍ଧନ ନାହିଁ ତେବେ ବାବା ରାଏ ଦେବେ ଯେ, ସେବାରେ କାହିଁକି ଲାଗି ନ ଯିବ । ଯଦି
ସ୍ୱତନ୍ତ୍ର ଅଛ, ତେବେ ବହୁତଙ୍କର କଲ୍ୟାଣ କରିପାରିବ । ଆଚ୍ଛା ଯଦି ବାହାରକୁ ନ ଯାଇ ପାରୁଛ, ତେବେ
ନିଜର ମିତ୍ର ସମ୍ବନ୍ଧୀମାନଙ୍କ ଉପରେ ତ ଦୟା କରିପାରିବ ଅର୍ଥାତ୍ ତାଙ୍କୁ ଜ୍ଞାନ ତ ଶୁଣାଇପାରିବ
। ପୂର୍ବରୁ କହୁଥିଲ ନା ବାବା ଦୟାକର । ଏବେ ତ ତୁମକୁ ରାସ୍ତା ମିଳିଗଲା ତେବେ ଅନ୍ୟମାନଙ୍କ ଉପରେ
ମଧ୍ୟ ଦୟା କରିବା ଉଚିତ୍, ଯେପରି ବାବା ଦୟା କରୁଛନ୍ତି । ବାବା କହୁଛନ୍ତି, ମୋତେ ମନେ ପକାଅ
ତେବେ ବିକର୍ମ ବିନାଶ ହେବ । ସନ୍ନ୍ୟାସୀମାନେ ତ ହଠଯୋଗ ଆଦିରେ କେତେ ମେହନତ କରୁଛନ୍ତି । ଏଠାରେ
ତ ସେସବୁ କିଛି ନାହିଁ । କେବଳ ଯୋଗ କର ତେବେ ପାପ ଭସ୍ମ ହୋଇଯିବ । ଏଥିରେ କୌଣସି ଅସୁବିଧା ନାହିଁ
। କେବଳ ଯୋଗର ଯାତ୍ରା କରିବାର କଥା । ବସା ଉଠା କର, କର୍ମେନ୍ଦ୍ରିୟ ଦ୍ୱାରା ଭଲେ ସବୁ କିଛି କର,
କେବଳ ବୁଦ୍ଧିର ଯୋଗ ବାବାଙ୍କ ସାଥିରେ ଲଗାଅ । ତୁମକୁ ସେହି ପ୍ରେମିକଙ୍କର ସଚ୍ଚା ସଚ୍ଚା
ପ୍ରେମିକା ହେବାକୁ ପଡିବ । ସିଏ ନିଜେ କହୁଛନ୍ତି, ହେ ପ୍ରେମିକାମାନେ, ହେ ପିଲାମାନେ!
ଭକ୍ତିମାର୍ଗରେ ତ ତୁମେ ବହୁତ ସ୍ମରଣ କରିଛ କିନ୍ତୁ ଏବେ ମୋତେ ଅର୍ଥାତ୍ ମୁଁ ପ୍ରେମିକ ମୋତେ ମନେ
ପକାଅ ତେବେ ତୁମର ପାପ ଭସ୍ମ ହୋଇଯିବ । ମୁଁ ଏହି ଗ୍ୟାରେଣ୍ଟି ଦେଉଛି । କିଛି କିଛି କଥା
ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି । ଭଗବାନଙ୍କ ଦ୍ୱାରା ଗୀତା ଶୁଣିଲେ ତୁମେମାନେ ଜୀବନମୁକ୍ତି ପାଉଛ
ଏବଂ ମନୁଷ୍ୟମାନଙ୍କ ଦ୍ୱାରା ଗୀତା ଶୁଣି ତୁମେମାନେ ଜୀବନ ବନ୍ଧନରେ ଆସିଯାଉଛ, ସିଢିରେ ତଳକୁ ତଳକୁ
ଖସି ଆସିଛ । ପ୍ରତ୍ୟେକ କଥାରେ ବିଚାର ସାଗର ମନ୍ଥନ କରିବାକୁ ହେବ । ନିଜ ବୁଦ୍ଧିରେ ବିଚାର
କରିବାକୁ ପଡିବ । ଏହା ହେଲା ବୁଦ୍ଧିର ଯାତ୍ରା । ଯାହା ଦ୍ୱାରା ବିକର୍ମ ବିନାଶ ହେବ । ବେଦ,
ଶାସ୍ତ୍ର, ଯଜ୍ଞ, ତପ ଆଦି କରିବା ଦ୍ୱାରା ପାପ ନାଶ ହେବ ନାହିଁ । ଏହା ଦ୍ୱାରା ତଳକୁ ହିଁ ଖସି
ଆସିଛ । ଏବେ ତୁମକୁ ଉପରକୁ ଯିବାକୁ ହେବ । କେବଳ ସିଢି ଚିତ୍ର ଦ୍ୱାରା କେହି ବୁଝିପାରିବେ ନାହିଁ,
ଯେ ପର୍ଯ୍ୟନ୍ତ ତା’ଉପରେ କେହି ନ ବୁଝାଇଛନ୍ତି । ଯେମିତି ଛୋଟ ପିଲାମାନଙ୍କୁ ଚିତ୍ର ଦେଖାଇ
ବୁଝାଇବାକୁ ପଡିଥାଏ, ଏହା ହାତୀ ଅଟେ । ଯେତେବେଳେ ସିଏ ହାତୀ ଦେଖିବ ତେବେ ଚିତ୍ର ମଧ୍ୟ ମନେ
ପଡିବ । ଯେପରି ତୁମମାନଙ୍କ ବୁଦ୍ଧିରେ ଆସିଯାଇଛି । ଚିତ୍ରରେ ସର୍ବଦା ଛୋଟ ଜିନିଷ ଦେଖାଇଥା’ନ୍ତି
। ତୁମେ ଜାଣିଛ ଯେ, ବୈକୁଣ୍ଠ ତ ବଡ ହୋଇଥିବ ନା । ବଡ ରାଜଧାନୀ ହୋଇଥିବ । ସେଠାରେ ହୀରା ନୀଳାର
ମହଲ ଥାଏ, ତାହା ପୁଣି ପ୍ରାୟଃ ଲୋପ ହୋଇଯାଏ । ସବୁ ଜିନିଷ ଗୁପ୍ତ ହୋଇଯାଏ । ନଚେତ୍ ଏହି ଭାରତ
ଏତେ ଗରିବ କିପରି ହେଲା । ସାହୁକାରରୁ ଗରିବ, ଗରିବରୁ ପୁଣି ସାହୁକାର ହେବାକୁ ପଡିବ । ଏହି
ଡ୍ରାମା ପୂର୍ବ ପ୍ରସ୍ତୁତ ଅଟେ ସେଥିପାଇଁ ସିଢି ଚିତ୍ର ଉପରେ ବୁଝାଯାଇଥାଏ । ଯେତେବେଳେ ନୂଆ
ନୂଆମାନେ ଆସୁଛନ୍ତି ସେମାନଙ୍କୁ ବୁଝାଇବା ଦ୍ୱାରା ଅଭ୍ୟାସ ହୋଇଯିବ, ମୁଖ ଖୋଲିଯିବ ।
ପିଲାମାନଙ୍କୁ ସେବା ଯୋଗ୍ୟ କରାଯାଉଛି । କେତେକ ସେବାକେନ୍ଦ୍ରରେ ତ ବହୁତ ପିଲା ଅଶାନ୍ତି ସୃଷ୍ଟି
କରୁଛନ୍ତି । ସେମାନଙ୍କର ବୁଦ୍ଧିଯୋଗ ବାହାରେ ଘୂରି ବୁଲିବା କାରଣରୁ ବହୁତ କ୍ଷତି କରିଦେଇଥା’ନ୍ତି
। ସେମାନେ ବାୟୁମଣ୍ଡଳକୁ ମଧ୍ୟ ଖରାପ କରି ଦେଇଥା’ନ୍ତି । କ୍ରମଅନୁସାରେ ତ ଅଛନ୍ତି ନା । ତେବେ
ବାବା କହିବେ ତୁମେ ପାଠ ପଢିଲ ନାହିଁ ଏବେ ନିଜର ଅବସ୍ଥାକୁ ଦେଖ । ଦିନକୁ ଦିନ ଅଧିକ ଅଧିକ
ସାକ୍ଷାତ୍କାର ହେବାକୁ ଲାଗିବ । ପାପ କରିଲାବାଲାଙ୍କୁ ଦଣ୍ଡ ମଧ୍ୟ ମିଳିଚାଲିବ । ସେତେବେଳେ ପୁଣି
କହିବେ ମୁଁ କାହିଁକି ତୁଚ୍ଛାଟାରେ ପାପ କଲି । ବାବାଙ୍କୁ ଶୁଣାଇ ପ୍ରାୟଶ୍ଚିତ କରିବା ଦ୍ୱାରା
ଦଣ୍ଡ କିଛିଟା କମ୍ ହୋଇଯାଇପାରେ । ନଚେତ୍ ବୃଦ୍ଧି ହେବାକୁ ଲାଗିବ । ଏହିଭଳି ବହୁତ ହେଉଛି । ନିଜେ
ମଧ୍ୟ ଅନୁଭବ କରୁଛନ୍ତି ପୁଣି କହୁଛନ୍ତି କ’ଣ କରିବି - ମୋର ତ ଏହି ଅଭ୍ୟାସ ଛାଡୁନାହିଁ । ତା’
ଅପେକ୍ଷା ତ ଘରେ ଯାଇ ରହିବା ଭଲ । କେହି କେହି ତ ବହୁତ ଭଲ ସେବା କରୁଛନ୍ତି । ଆଉ କେହି ଅପସେବା
ମଧ୍ୟ କରୁଛନ୍ତି । ଆମ ସେନାବାହିନୀରେ କିଏ କିଏ ବାହାଦୁର ଅର୍ଥାତ୍ ଭଲ ପୁରୁଷାର୍ଥୀ ଅଛନ୍ତି,
ବାବା ସେମାନଙ୍କର ନାମ ଶୁଣାଉଛନ୍ତି । ବାକି ଏଠାରେ ଯୁଦ୍ଧ ଆଦିର କୌଣସି କଥା ନାହିଁ । ଏସବୁ ହେଲା
ବେହଦର କଥା । ବାବା ନିଶ୍ଚିତ ଭଲ ଭାବରେ ପିଲାମାନଙ୍କର ମହିମା କରିବେ । ପିଲାମାନଙ୍କୁ ବହୁତ
ଦୟାଶୀଳ, କଲ୍ୟାଣକାରୀ ହେବାକୁ ପଡିବ । ଅନ୍ଧମାନଙ୍କର ବାଡି ଅର୍ଥାତ୍ ସାହାରା ହେବାକୁ ପଡିବ ।
ସମସ୍ତଙ୍କୁ ରାସ୍ତା ଦେଖାଇବାକୁ ହେବ ଯେ, ଯଦି ବାବାଙ୍କୁ ମନେ ପକାଇବ ତେବେ ବିକର୍ମ ବିନାଶ ହେବ
। ପାପାତ୍ମା ଏବଂ ପୁଣ୍ୟତ୍ମା ବୋଲି କୁହାଯାଏ ନା । ଏମିତି ନୁହେଁ କି ସମସ୍ତଙ୍କ ଭିତରେ ପରମାତ୍ମା
ଅଛନ୍ତି ବା ଆତ୍ମା କେବେ ପରମାତ୍ମା ହୋଇଯିବ । ଏହା ସବୁ ଭୁଲ କଥା । ପରମାତ୍ମାଙ୍କ ଉପରେ କ’ଣ
ପାପ ଲାଗିପାରିବ । ତାଙ୍କର ତ ଡ୍ରାମାରେ ସେବା କରିବାର ପାର୍ଟ ରହିଛି । ମନୁଷ୍ୟ ହିଁ ପାପାତ୍ମା
ଓ ପୁଣ୍ୟାତ୍ମା ହୋଇଥା’ନ୍ତି । ଯେଉଁମାନେ ଦିନେ ସତ୍ତ୍ୱପ୍ରଧାନ ଥିଲେ ସେମାନେ ପୁଣି ତମୋପ୍ରଧାନ
ହୋଇଯାଇଛନ୍ତି । ବାବା ତାଙ୍କ (ବ୍ରହ୍ମାଙ୍କ) ଶରୀରରେ ଆସି ଆମମାନଙ୍କୁ ସତ୍ତ୍ୱପ୍ରଧାନ କରୁଛନ୍ତି,
ତେଣୁ ତାଙ୍କ ମତରେ ଚାଲିବା ଦରକାର ନା ।
ଏବେ ବାବା ତୁମ ସନ୍ତାନମାନଙ୍କୁ ବିଶାଳ ବୁଦ୍ଧି କରିଛନ୍ତି । ବର୍ତ୍ତମାନ ତୁମେମାନେ ଜାଣୁଛ ଯେ,
ରାଜଧାନୀ କିପରି ସ୍ଥାପନା ହେଉଛି । ବାବା ହିଁ ବ୍ରହ୍ମାଙ୍କ ଶରୀରରେ ଆସି ବ୍ରହ୍ମାମୁଖ ବଂଶାବଳୀ
ପିଲାମାନଙ୍କୁ ରାଜଯୋଗ ଶିଖାଇ ଦେବୀ-ଦେବତା କରୁଛନ୍ତି । ପୁଣି ସେମାନେ ପୁନର୍ଜନ୍ମ ନେଇ ନେଇ
ସିଢିରେ ତଳକୁ ଖସି ଆସୁଛନ୍ତି । ଏବେ ପୁଣି ସବୁ କିଛିର ପୁନରାବୃତ୍ତି କରିବାକୁ ହେବ । ବାବା ପୁଣି
ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରାଉଛନ୍ତି । ଯୋଗବଳ ଦ୍ୱାରା ତୁମେ ୫ ବିକାର ଉପରେ ବିଜୟ
ପ୍ରାପ୍ତ କରି ଜଗତଜିତ୍ ହେଉଛ । ବାକି ଲଢେଇ ଆଦିର କୌଣସି କଥା ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ବନ୍ଧନମୁକ୍ତ ହୋଇ ବାବାଙ୍କ ସେବାରେ ଲାଗିଯିବାକୁ ହେବ, ତେବେ ଯାଇ ଭାଗ୍ୟ ଉଚ୍ଚ ହୋଇପାରିବ ।
ଦୟାଶୀଳ ହୋଇ ଅନେକଙ୍କୁ ରାସ୍ତା ଦେଖାଇବାକୁ ହେବ । ଅନ୍ଧମାନଙ୍କର ଲାଠି ହେବାକୁ ପଡିବ ।
(୨) ଏହି ଶରୀରରୁ ମୋହ
ତୁଟେଇ ବଞ୍ଚି ଥାଉ ଥାଉ ମରିବାକୁ ହେବ କାହିଁକି ନା ଏବେ ଘରକୁ ଫେରିଯିବାକୁ ହେବ । ରୋଗ ସମୟରେ
ମଧ୍ୟ ଏକମାତ୍ର ବାବାଙ୍କର ସ୍ମୃତି ରହିଲେ ବିକର୍ମ ବିନାଶ ହୋଇଯିବ ।
ବରଦାନ:-
କଲ୍ୟାଣର ଭାବନା
ଦ୍ୱାରା ପ୍ରତ୍ୟେକ ଆତ୍ମାର ସଂସ୍କାରଗୁଡିକୁ ପରିବର୍ତ୍ତନ କରୁଥିବା ନିଶ୍ଚୟବୁଦ୍ଧି ଭବ ।
ଯେପରି ବାବାଙ୍କ ଉପରେ
୧୦୦ ପ୍ରତିଶତ ନିଶ୍ଚୟବୁଦ୍ଧି ଅଟ, ଯିଏ ଯେତେ ବି ହଲଚଲ୍ କରିବାକୁ ଚେଷ୍ଟା କରିଲେ ମଧ୍ୟ ତୁମେ
ହଲଚଲ ହୋଇପାରିବ ନାହିଁ, ସେହିପରି ଦୈବୀ ପରିବାର ବା ସଂସାରୀ ଆତ୍ମାମାନଙ୍କ ଦ୍ୱାରା ଯେତେ ବି
ପରୀକ୍ଷା ଆସୁ, କ୍ରୋଧିତ ହୋଇ ତୁମ ସହିତ ମୁହାଁମୁହିଁ ହୁଅନ୍ତୁ ବା ତୁମକୁ ଅପମାନ ଦିଅନ୍ତୁ ବା
ଗାଳି ଦିଅନ୍ତୁ - ସେଥିରେ ମଧ୍ୟ ତୁମେ ହଲଚଲ୍ ହୋଇପାରିବ ନାହିଁ, ଏଥିରେ କେବଳ ପ୍ରତ୍ୟେକ
ଆତ୍ମାଙ୍କ ପ୍ରତି କଲ୍ୟାଣର ଭାବନା ରହିବା ଦରକାର, ତୁମର ଏହିଭଳି ଭାବନା ସେମାନଙ୍କର ସଂସ୍କାରକୁ
ପରିବର୍ତ୍ତନ କରିଦେବ । ଏଥିରେ କେବଳ ଅଧୈର୍ଯ୍ୟ ହେବାର ନାହିଁ, ସମୟ ଅନୁସାରେ ଫଳ ନିଶ୍ଚିତ
ମିଳିବ - ଏହା ଡ୍ରାମାର ନିଧାର୍ଯ୍ୟ ଅଟେ ।
ସ୍ଲୋଗାନ:-
ପବିତ୍ରତାର
ଶକ୍ତି ଦ୍ୱାରା ନିଜର ସଂକଳ୍ପକୁ ଶୁଦ୍ଧ ଏବଂ ଜ୍ଞାନ ସ୍ୱରୂପ କରି ଦୋଷ-ଦୁର୍ବଳତା ଗୁଡିକୁ ସମାପ୍ତ
କର ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ଯଦି ବାଣୀରେ ସର୍ବଦା
ସତ୍ୟତା ଏବଂ ମଧୁରତା ଥିବ, ତେବେ ବାଣୀର ନମ୍ବର ଜମା ହୋଇ ଚାଲିବ । ମଧୁରତାର ଗୁଣ ଯଦି ଜୀବନରେ
ଥିବ ତେବେ ପ୍ରତ୍ୟେକ ବାଣୀ ମୋତି ଭଳି ହୋଇଯିବ । ଏଭଳି ଲାଗିବ ଯେପରି କଥାକୁ କହୁ ନାହାଁନ୍ତି
କିନ୍ତୁ ମୋତିର ବର୍ଷା କରୁଛନ୍ତି । ସେମାନେ ଏଭଳି କଥା କହୁଥିବେ ଯାହାକି ଶୁଣିବାବାଲା ଭାବିବେ
ଯେ ଆମେ ମଧ୍ୟ ଏହିଭଳି କଥା କହିବୁ । ସମସ୍ତଙ୍କୁ ତୁମ କଥା ଶୁଣି ଶିଖିବା ପାଇଁ ବା ଅନୁକରଣ କରିବା
ପାଇଁ ପ୍ରେରଣା ମିଳିବ । ଏହିଭଳି ମଧୁରବାଣୀର ପ୍ରକମ୍ପନ ସମସ୍ତଙ୍କୁ ସ୍ୱତଃ ହିଁ ଆକର୍ଷିତ
କରିଥାଏ ।