03.05.26 Avyakt Bapdada Odia Murli 18.01.2010 Om Shanti Madhuban
“ବ୍ରହ୍ମାବାବାଙ୍କ ସମାନ
ନଷ୍ଟୋମୋହା ସ୍ମୃତି ସ୍ୱରୂପ ହେବା ପାଇଁ ମନର ଟାଇମ୍ ଟେବୁଲ୍ ତିଆରି କରି କର୍ମ କରିବା ସମୟରେ
କର୍ମଯୋଗୀ, ଅଶରୀରୀ ସ୍ଥିତିରେ ରହିବାର ଅଭ୍ୟାସ କର ।”
ଆଜି ଚାରିଆଡର
ପିଲାମାନଙ୍କ ଭିତରେ ବିଶେଷ ଭାବରେ ସ୍ନେହ ସମାହିତ ହୋଇ ରହିଛି । ସେଥିପାଇଁ ଆଜିର ଦିନକୁ ହିଁ
ସ୍ମୃତି ଦିବସ କହିଥାଅ । ବାପଦାଦା ଅମୃତବେଳାଠାରୁ ଦେଶ ବିଦେଶ ସବୁ ଆଡର ପିଲାମାନଙ୍କର ଦିଲ୍ରେ
ବ୍ରହ୍ମାବାବାଙ୍କ ପ୍ରତି ସ୍ନେହର ଚିତ୍ର ଦେଖୁଛନ୍ତି ଏବଂ ବାବାଙ୍କର ଦିଲ୍ରେ ମଧ୍ୟ ପ୍ରତ୍ୟେକ
ସନ୍ତାନର ସ୍ନେହପୂର୍ଣ୍ଣ ଚିତ୍ର ସମାହିତ ହୋଇ ରହିଛି । ସେଥିପାଇଁ ଆଜିର ଦିନକୁ ତୁମେମାନେ ବିଶେଷ
କରି ସ୍ନେହପୂର୍ଣ୍ଣ ସ୍ମୃତିର ଦିବସ କହୁଛ । ବାପଦାଦା ଅମୃତବେଳା ପୂର୍ବରୁ ମଧ୍ୟ ପିଲାମାନଙ୍କ
ହାତରେ ଅନେକ ଗୁଡିଏ ସ୍ନେହ ରୂପୀ ମୋତିର ମାଳା ଦେଖିଛନ୍ତି । ପ୍ରତ୍ୟେକ ସନ୍ତାନର ଦିଲ୍ ଭିତରେ
ଆପେ ଆପେ ଏହି ଗୀତ ବାଜୁଛି ଯେ “ମେରା ବାବା”, “ବ୍ରହ୍ମା ବାବା”, “ମିଠା ବାବା” ଏବଂ
ବାପଦାଦାଙ୍କ ଦିଲ୍ରେ ମଧ୍ୟ ଏହି ଗୀତ ବାଜୁଛି - “ମିଠେ ବଚ୍ଚେ”, “ପ୍ୟାରେ ବଚ୍ଚେ”, ଆଜି
ସମସ୍ତଙ୍କ ଭିତରେ ଅନ୍ୟ ଶକ୍ତି ଗୁଡିକ ପରିବର୍ତ୍ତେ ସ୍ନେହର ଶକ୍ତି ଅଧିକ ସମାହିତ ହୋଇ ରହିଛି ।
ଏହି ପରମାତ୍ମ ସ୍ନେହ ବା ଈଶ୍ୱରୀୟ ସ୍ନେହ କେବଳ ଏହି ସଂଗମଯୁଗରେ ହିଁ ଅନୁଭବ ହୋଇଥାଏ । ତେବେ ଏହି
ପରମାତ୍ମ ସ୍ନେହକୁ କେବଳ ଅନୁଭବୀ ଆତ୍ମାମାନେ ହିଁ ଜାଣିଛନ୍ତି, ଯାହାକି ପ୍ରତ୍ୟେକ ସନ୍ତାନକୁ
ସହଜଯୋଗୀ କରିଦେଇଛି । ଆଜି ବାପଦାଦା ଦେଖୁଛନ୍ତି ଯେ ସବୁ ପିଲାଙ୍କ ଭିତରେ ସ୍ନେହର ଅନୁଭବ ବହୁତ
ବହୁତ ସମାହିତ ହୋଇ ରହିଛି । ତେବେ ତୁମ ସମସ୍ତଙ୍କର ଜନ୍ମର ଆଧାର ସ୍ନେହ ଅଟେ । ଏଭଳି କେହି ବି
ପିଲା ଦେଖାଯାଉ ନାହିଁ ଯାହା ଭିତରେ ଅନ୍ୟ ଶକ୍ତି ଗୁଡିକ ହୁଏତ କମ୍ ଥାଇପାରେ କିନ୍ତୁ ବାବାଙ୍କର
ସ୍ନେହ ଏବଂ ନିମିତ୍ତ ହୋଇଥିବା ବିଶେଷ ଆତ୍ମାମାନଙ୍କର ସ୍ନେହର ଅନୁଭବ ପ୍ରାୟ ସବୁ ପିଲାଙ୍କ ଦିଲ୍ରେ
ତଥା ଚେହେରାରେ ଦେଖାଯାଉଛି । ଏବେ ତୁମ ସମସ୍ତଙ୍କୁ ଆଜି ବିଶେଷ କରି ଏଠାରେ କିଏ ଆଣି ପହଞ୍ଚାଇ
ଦେଇଛି? କେଉଁ ବିମାନରେ ବସି ଆସିଛ? ଟ୍ରେନ୍ରେ ଆସିଛ, ନା ବିମାନରେ ଆସିଛ? ସମସ୍ତଙ୍କର ଚେହେରାରେ
ଯଦି ସ୍ନେହ ଭରି ରହିଛି ତେବେ ସ୍ନେହର ବିମାନରେ ବସି ଆସିଛ ନା! ଯାହା ବି କରିବାକୁ ପଡିଥାଉ
କିନ୍ତୁ ସ୍ନେହ ରୂପକ ବିମାନରେ ବସି ସମସ୍ତେ ଏଠାରେ ପହଞ୍ଚି ଯାଇଛ ।
ଆଜିର ଦିନକୁ ସ୍ମୃତି
ଦିବସ ତ କୁହାଯାଉଛି କିନ୍ତୁ ସ୍ମୃତି ଦିବସ ସହିତ ସମର୍ଥୀ ଦିବସ ମଧ୍ୟ କୁହାଯାଉଛି । ଏବଂ ଆଜିର
ଦିନକୁ ରାଜ୍ୟ ଅଭିଷକର ଦିବସ ମଧ୍ୟ କୁହାଯାଉଛି । କାହିଁକିନା ଆଜିର ଦିନରେ ବାପଦାଦା ବିଶେଷ କରି
ବ୍ରହ୍ମାବାବା ନିମିତ୍ତ ହୋଇଥିବା ମହାବୀର ପିଲାମାନଙ୍କୁ ବିଶ୍ୱ ସେବାର ମୁକୁଟ ପିନ୍ଧାଇଛନ୍ତି ।
ବ୍ରହ୍ମାବାବା ନିଜେ ଗୁପ୍ତ ହୋଇଗଲେ ଏବଂ ପିଲାମାନଙ୍କୁ ବିଶ୍ୱ ସେବାର ସ୍ମୃତିର ତିଳକ ଦେଇଥିଲେ ।
ପିଲାମାନଙ୍କୁ କରନହାର ଅର୍ଥାତ୍ କର୍ମକର୍ତ୍ତା କରି ନିଜେ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା
ହୋଇଥିଲେ । ନିଜ ଭଳି ଫରିସ୍ତା ସ୍ୱରୂପ ହେବାର ବରଦାନ ଦେଇ ପିଲାମାନଙ୍କୁ ଆଲୋକର ମୁକୁଟ
ପିନ୍ଧାଇଥିଲେ ଏବଂ ବାପଦାଦା ଯେଉଁ ମୁକୁଟ ଏବଂ ତିଳକର ବରଦାନ ଦେଇଥିଲେ ସେହି ଅନୁସାରେ
ପିଲାମାନଙ୍କର କର୍ତ୍ତବ୍ୟକୁ ଦେଖି ଖୁସି ମଧ୍ୟ ହେଉଛନ୍ତି । ପିଲାମାନେ ସେବାର ବରଦାନକୁ
କାର୍ଯ୍ୟକାରୀ କରିଛନ୍ତି, ଏହା ଦେଖି ବାପଦାଦା ଖୁସି ଅଛନ୍ତି । ଆଜି ପର୍ଯ୍ୟନ୍ତ ଯେଉଁ ପାର୍ଟ
କରିଛ ଏବଂ ଆଗକୁ ମଧ୍ୟ କରିବ, ବ୍ରହ୍ମାବାବା ତା’ର ପଦ୍ମଗୁଣା ବିଶେଷ ଅଭିନନ୍ଦନ ଦେଉଛନ୍ତି । ବାଃ
ପିଲାମାନେ ବାଃ! ବାପଦାଦା ବିଦେଶରେ ମଧ୍ୟ ଚକ୍ର ଲଗାଇଛନ୍ତି, ଜାଣିଛ କ’ଣ ଦେଖିଛନ୍ତି? ପ୍ରତ୍ୟେକ
ସନ୍ତାନ ସ୍ନେହରେ ସମାହିତ ଅଟେ, ତେଣୁ ପିଲାମାନଙ୍କୁ ବାବାଙ୍କ ଦ୍ୱାରା ଅନେକ ପ୍ରକାରର ସମର୍ଥୀ
ମଧ୍ୟ ମିଳିଛି କାହିଁକିନା ଏହି ଦିନଟି ବିଶେଷ କରି ସ୍ନେହ ଦ୍ୱାରା ସମର୍ଥୀର ବରଦାନ ପ୍ରାପ୍ତ
କରିବାର ଦିନ ଅଟେ । ବାପଦାଦା ଦେଖିଲେ ଯେ କେହି କେହି ପିଲା ବହୁତ ଭଲ ଭାବରେ ଯୋଗର ଲଗନରେ ଏବଂ
ସେବାରେ ଲାଗି ରହିଛନ୍ତି । ଅମୃତବେଳାକୁ ମଧ୍ୟ ବହୁତ ଭଲ ଭାବରେ ଅନୁଭବ କରୁଛନ୍ତି । ଅଶରୀରୀ
ପଣିଆର ମଧ୍ୟ ଅନୁଭବ କରୁଛନ୍ତି କିନ୍ତୁ ଯେତେବେଳେ କର୍ମଯୋଗୀ ହେବାର ସମୟ ଆସୁଛି ସେତେବେଳେ ଦୁଇଟି
ଯାକ କର୍ମଯୋଗୀ ହେବାର ଏବଂ କର୍ମ କରିବାର, ଦୁଇଟିଯାକ କର୍ମକୁ ଏକାଠି କରିବା ଦ୍ୱାରା ଫରକ
ପଡିଯାଉଛି । ଯଦିଓ ପୁରୁଷାର୍ଥ କରୁଛନ୍ତି ଯେ କିପରି କର୍ମ ଏବଂ ଯୋଗର ସନ୍ତୁଳନ ରଖିବୁ କିନ୍ତୁ
ଅମୃତବେଳା ସମୟରେ ଯେପରି ଶକ୍ତିଶାଳୀ ଅବସ୍ଥାର ଅନୁଭବ କରୁଛନ୍ତି, କର୍ମ କରିବା ସମୟରେ ସେଥିରେ
ଫରକ ଆସିଯାଉଛି । ମେହନତ କରିବାକୁ ପଡୁଛି ଏବଂ ବାପଦାଦା ମଧ୍ୟ ସବୁ ପିଲାଙ୍କୁ କହିଦେଇଛନ୍ତି ଯେ
ବିଶ୍ୱର ମହାବିନାଶ ଅଚାନକ ଭାବରେ ହିଁ ହେବ, ଯଦି ସାରା ଦିନ ଯୋଗ ଉପରେ ଧ୍ୟାନ ଦେବା ପରିବର୍ତ୍ତେ
କୌଣସି ବି ଧାରଣାର କମି ରହିବା କାରଣରୁ କର୍ମଯୋଗୀର ସ୍ଥିତିରେ ଫରକ ଆସିଯାଉଛି, ତେବେ ବିଶ୍ୱର
ମହାବିନାଶର ତିଥି ତ ବାପଦାଦା ଶୁଣାଇବେ ନାହିଁ କିନ୍ତୁ ନିଜର ଜୀବନ କାଳ କେବେ ସମାପ୍ତ ହେବ, ତାହା
କ’ଣ ତୁମକୁ ଜଣା ଅଛି? କ’ଣ କାହାକୁ ଜଣାଅଛି କି ମୋ’ର ମୃତ୍ୟୁ ଅମୁକ ତାରିଖରେ ହେବ, ଜଣାଅଛି କି?
ସିଏ ହାତ ଉଠାଅ । ଅଚାନକ କିଛି ବି ହୋଇପାରେ, କୌଣସି ବି ପ୍ରାକୃତିକ ଦୁର୍ବିପାକ କାରଣରୁ ଏକା
ସାଥୀରେ କେତେ ଜଣଙ୍କର ମୃତ୍ୟୁ ହୋଇଯାଉଛି । ତେଣୁ ବିଶ୍ୱର ମହାବିନାଶର ତିଥିକୁ ନେଇ କେବେ ବି
ବେପରୁଆ ହୁଅ ନାହିଁ । ତୁମର ଜଗଦମ୍ବା ମା’ର ସ୍ଳୋଗାନ ଥିଲା - କେବେ ବି କେବେ ଶବ୍ଦ କୁହ ନାହିଁ,
ଏବେ କୁହ । କାଲିକୁ କିଛି ବି ହୋଇଯାଇପାରେ ସେଥିପାଇଁ ମୋତେ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ
ହିଁ ପଡିବ । ତେଣୁ ଏହିଭଳି ପ୍ରସ୍ତୁତ ରହିବା ପ୍ରତି ସମସ୍ତଙ୍କର ଧ୍ୟାନ ଅଛି ତ? ନିଜର କର୍ମର
ହିସାବ-କିତାବକୁ ଚୁକ୍ତ କରିସାରିଲଣି? ଚାରୋଟିଯାକ ବିଷୟରେ ଜ୍ଞାନ, ଯୋଗ, ସେବା ଏବଂ ଧାରଣା,
ଚାରୋଟି ଯାକରେ ଚାରିଆଡୁ ଏହିଭଳି ପ୍ରସ୍ତୁତି ଅଛି ତ? ସମ୍ପୂର୍ଣ୍ଣ ରୂପରେ ବେହଦର ବୈରାଗ୍ୟର
ଅନୁଭବକୁ ଚେକ୍ କରିଛ ତ? ନିଜ ନିଜର ଦିଲ୍ ଭିତରେ ଚେକ୍ କରିଛ ଯେ ମୁଁ ସଦା ପ୍ରସ୍ତୁତ ଅଟେ ତ?
ନଷ୍ଟୋମୋହା ସ୍ମୃତି ସ୍ୱରୂପ ଅଟେ ତ? କାହିଁକିନା ବ୍ରହ୍ମାବାବା ମଧ୍ୟ ପୁରୁଷାର୍ଥ କରି ନିଜକୁ
ଏଭଳି କରିଛନ୍ତି ଯାହାକି ଅନୁଭବୀ ପିଲାମାନେ ହିଁ ଦେଖିଛନ୍ତି, କୌଣସି ଆଡେ ଏଭଳି ବାତାବରଣ ମଧ୍ୟ
ନଥିଲା, ଯାହାକି କୌଣସି ପ୍ରକାରର ହିସାବ କିତାବ ବାକି ରହିଥିବ, କିନ୍ତୁ ଅଚାନକ ଅଶରୀରୀ ହେବାର
ଅଭ୍ୟାସ ଆଧାରରେ ଅଶରୀରୀ ହୋଇ ଉଡିଗଲେ । କେହି କ’ଣ ଭାବିଥିଲା ଯେ ବ୍ରହ୍ମାବାବାଙ୍କର ଯିବାର ଅଛି
ବୋଲି? କିନ୍ତୁ ନଷ୍ଟୋମୋହା ହୋଇ ଚାଲିଯାଇଥିଲେ । ପିଲାମାନଙ୍କ ହାତରେ ହାତ ରହିଥିଲେ ମଧ୍ୟ କେଉଁଠି
ବି ଆକର୍ଷଣ ଥିଲା କି? ନିଜେ ଫରିସ୍ତା ହୋଇଗଲେ ଏବଂ ପିଲାମାନଙ୍କୁ ଫରିସ୍ତା କରିବାର ତିଳକ ଦେଇଗଲେ
। ଏହାର କାରଣ ହେଲା ବହୁତ ସମୟର ଅଶରୀରୀ ପଣିଆର ଅଭ୍ୟାସ । ଅନେକ ଅନୁଭବୀ ପିଲାମାନେ ଅଛନ୍ତି
ଯେଉଁମାନେ କି ସାଥୀରେ ରହୁଥିଲେ ସେମାନେ ଅନୁଭବ କରିଛନ୍ତି ଯେ କିପରି କର୍ମ କରୁ କରୁ ମଧ୍ୟ
ଅଶରୀରୀ ହୋଇ ଯାଉଥିଲେ । ତେଣୁ ତୁମମାନଙ୍କର କର୍ମଯୋଗରେ ଯେଉଁ ଫରକ ଆସିଯାଉଛି, ତା’ର କାରଣ ହେଲା
କର୍ମ କରିବା ସମୟରେ ଏହି କଥା ସ୍ମୃତିରେ ଜାଗ୍ରତ ହୋଇରହୁ ନାହିଁ ଯେ ମୁଁ ଆତ୍ମା ଅଟେ, ଏହା ତ
ସମସ୍ତଙ୍କୁ ଜଣା ଅଛି କିନ୍ତୁ ମୁଁ କେଉଁ ଆତ୍ମା ଅଟେ? ମୁଁ ଆତ୍ମା ନିର୍ଦ୍ଦେଶକର୍ତ୍ତା ଅଟେ ଏବଂ
ଏହି କର୍ମେନ୍ଦ୍ରିୟ ଗୁଡିକ କର୍ମକର୍ତ୍ତା ଅଟନ୍ତି । ଏହିଭଳି ନିର୍ନ୍ଦେଶକର୍ତ୍ତାର ସ୍ୱମାନ କର୍ମ
କରିବା ସମୟରେ ସ୍ମୃତି ସ୍ୱରୂପରେ ରହିବା ଦରକାର । ଯଦିଓ କର୍ମେନ୍ଦ୍ରିୟ ଗୁଡିକ ଦ୍ୱାରା କର୍ମ
କରାଇବାକୁ ପଡୁଛି କିନ୍ତୁ ମୁଁ ନିର୍ଦ୍ଦେଶକର୍ତ୍ତା ଅଟେ, ମାଲିକ ଅଟେ, ଯଦି ଏହି ଆସନ ଉପରେ
ସ୍ଥିତ ରହିଥିବ ତେବେ ପ୍ରତ୍ୟେକ କର୍ମେନ୍ଦ୍ରିୟ ତୁମର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ ତେଣୁ
ଆସନ ଉପରେ ସ୍ଥିତ ନ ହେବା ପର୍ଯ୍ୟନ୍ତ କେହି କାହା କଥା ମାନିବେ ନାହିଁ । ତେବେ ମୁଁ ଆତ୍ମା
ନିର୍ଦ୍ଦେଶକର୍ତ୍ତା ଅଟେ, କର୍ମେନ୍ଦ୍ରିୟ ଗୁଡିକ କର୍ମକର୍ତ୍ତା ଅଟନ୍ତି, ନିର୍ଦ୍ଦେଶକର୍ତ୍ତା
ନୁହଁନ୍ତି ।
ଯେପରି
ବ୍ରହ୍ମାବାବାଙ୍କର ଅନୁଭବ ଶୁଣିଛ ଯେ ବ୍ରହ୍ମାବାବା ଆରମ୍ଭ ସମୟରେ ଏହିଭଳି ଅଭ୍ୟାସ କରିଥିଲେ ଯେ
ପ୍ରତିଦିନ ଶୋଇବା ସମୟରେ ଏହି ସବୁ କର୍ମେନ୍ଦ୍ରିୟମାନଙ୍କର ରାଜଦରବାର ଲଗାଉଥିଲେ । ପୁରୁଣା
ପିଲାମାନେ ମଧ୍ୟ ସେହି ଡାଏରୀ ଦେଖିଥିବେ ଯେ କିପରି ପ୍ରତିଦିନ ଦରବାର ଲଗାଉଥିଲେ ଏବଂ
ନିର୍ଦ୍ଦେଶକର୍ତ୍ତା ମାଲିକ ହୋଇ ପ୍ରତ୍ୟେକ କର୍ମେନ୍ଦ୍ରିୟ ଠାରୁ ସମାଚାର ନେଉଥିଲେ ଏବଂ
ନିର୍ଦ୍ଦେଶ ଦେଉଥିଲେ । ତେବେ ଏହିଭଳି ଆରମ୍ଭ ସମୟରୁ ହିଁ ବ୍ରହ୍ମାବାବା ନିଜର ଉପରେ ଏତିକି
ଧ୍ୟାନ ଦେଉଥିଲେ ତେଣୁ ତୁମମାନଙ୍କୁ ମଧ୍ୟ ନିଜକୁ ନିର୍ଦ୍ଦେଶକର୍ତ୍ତା ମାଲିକ ମନେ କରି
କର୍ମେନ୍ଦ୍ରିୟ ମାନଙ୍କ ଦ୍ୱାରା କର୍ମ କରାଇବାକୁ ହେବ, କାହିଁକିନା ଆତ୍ମା ରାଜା ଅଟେ, ଏହି ସବୁ
କର୍ମେନ୍ଦ୍ରିୟ ଗୁଡିକ ତା’ର ସାଥୀ ଅଟନ୍ତି । ତେଣୁ ଏହିଭଳି ଚେକ୍ କରିବା ଦରକାର ଯେ ଆଜିର ଦିନରେ
ବିଶେଷ କରି ମନ-ବୁଦ୍ଧି-ସଂସ୍କାର, ସ୍ୱଭାବ କୁହ ବା ସଂସ୍କାର କୁହ, ଏମାନଙ୍କର ସ୍ଥିତି କିପରି
ଥିଲା? ଏବଂ ତୁରନ୍ତ ଚେକ୍ କରିବା ଦ୍ୱାରା କର୍ମେନ୍ଦ୍ରିୟ ଗୁଡିକର ମଧ୍ୟ ଧ୍ୟାନ ରହିବ ଯେ ଆମର
ରାଜା ଆମର ହାଲଚାଲ ପଚାରିବ । ତେଣୁ ଆତ୍ମା ରାଜା କର୍ମକର୍ତ୍ତା କର୍ମେନ୍ଦ୍ରିୟ ମାନଙ୍କୁ
ନିର୍ଦ୍ଦେଶକର୍ତ୍ତା ରୂପରେ ଚେକ୍ କରୁ । ନଚେତ୍ ଦେଖିବାକୁ ମିଳୁଛି ଯେ - କେତେକ ପିଲା କହୁଛନ୍ତି
ଯେ ଆମେ ତ କମେନ୍ଦ୍ରିୟ ଗୁଡିକୁ ଆଦେଶ ଦେଉଛୁ କିନ୍ତୁ ପୁଣି ବି ଭୁଲ୍ ହୋଇଯାଉଛି । ପୁରୁଷାର୍ଥ ତ
କରୁଛୁ କିନ୍ତୁ କୌଣସି ନା କୌଣସି ସଂସ୍କାର ବା ସ୍ୱଭାବ ନିର୍ଦ୍ଦେଶ ଅନୁସାରେ ଚାଲୁ ନାହାଁନ୍ତି ।
ତା’ର କାରଣ ହେଲା ନିଜେ ଏହି ସ୍ୱମାନ ରୂପୀ ଆସନ ଉପରେ ସ୍ଥିର ହୋଇ ରହୁନାହାଁନ୍ତି । ତେଣୁ ଆସନ
ଉପରେ ନ ବସି ଯେତେ ବି ଆଦେଶ ଦିଅ କିନ୍ତୁ ମାନିବାବାଲା ଆଦେଶ ମାନିବେ ନାହିଁ । ତେଣୁ କର୍ମ କରିବା
ସମୟରେ ନିଜର ନିର୍ଦ୍ଦେଶକର୍ତ୍ତା ମାଲିକ ପଣିଆର ଆସନ ଉପରେ ସ୍ଥିତ ରୁହ । କେତେକ ପିଲା
ବାପଦାଦାଙ୍କ ସହିତ ଏଭଳି ବାର୍ତ୍ତାଳାପ ମଧ୍ୟ କରୁଛନ୍ତି ଯେ ବାବା ଆପଣ ତ ଆମକୁ ସର୍ବଶକ୍ତିବାନ
କରିଛନ୍ତି, ଶକ୍ତିବାନ ମଧ୍ୟ ନୁହେଁ, ସର୍ବଶକ୍ତିବାନର ବରଦାନ ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ
ସମସ୍ତଙ୍କୁ ଦେଇଛନ୍ତି, କ’ଣ ନିଜର ଜନ୍ମ ସମୟର ବରଦାନ ମନେ ଅଛି ତ! ପ୍ରତ୍ୟେକ ସନ୍ତାନକୁ ବାବା
ମାଷ୍ଟର ସର୍ବଶକ୍ତିବାନର ବରଦାନ ଦେଇଛନ୍ତି । ତେଣୁ ଏହି ବରଦାନ କିଏ ଦେଇଛନ୍ତି? ସ୍ୱୟଂ
ସର୍ବଶକ୍ତିବାନ ପରମାତ୍ମା ହିଁ ଦେଇଛନ୍ତି । ପୁଣି ବି ଅଭିଯୋଗ କରୁଛ ଯେ ଯେତେବେଳେ ଯେଉଁ ଶକ୍ତି
ଦରକାର ସେ ଆସୁ ନାହିଁ, ଆଦେଶକୁ ମାନୁ ନାହିଁ । ତାହା କାହିଁକି ହେଉଛି! ଯେବେକି ସର୍ବଶକ୍ତିବାନ
ପରମାତ୍ମାଙ୍କର ବରଦାନ ଅଟେ, ତାଙ୍କଠାରୁ ତ ବଡ ଆଉ କେହି ନାହାଁନ୍ତି । ତେବେ ବରଦାନର ସ୍ଥିତିରେ
ସ୍ଥିତ ରହି ଯଦି ଆଦେଶ ଦେବ ତେବେ ଏଭଳି କେବେ ବି ହୋଇପାରିବ ନାହିଁ ଯେ ତୁମେ ଆଦେଶ ଦେଉଥିବ
କିନ୍ତୁ ଶକ୍ତି ଗୁଡିକ ତୁମର ଆଦେଶକୁ ମାନୁ ନଥିବ । ପ୍ରଥମେ ତ ଆତ୍ମା ମାଲିକ ଅଟେ, ଦ୍ୱିତୀୟରେ
ସର୍ବଶକ୍ତିବାନ ବାବାଙ୍କର ବରଦାନ ମଧ୍ୟ ମିଳିଛି, ତେଣୁ ସେହି ସ୍ୱରୂପରେ ସ୍ଥିତି ହୋଇ ମୁଁ ମାଲିକ
ଅଟେ, ମୋତେ ବରଦାନ ମଧ୍ୟ ମିଳିଛି - ଏହିଭଳି ଦୁଇଟିଯାକ ସ୍ୱରୂପର ସ୍ମୃତିରେ ସ୍ଥିତ ହୋଇ ଆଦେଶ
ଦିଅ । କୌଣସି ଶକ୍ତି ତୁମ ଆଦେଶକୁ ମାନିବ ନାହିଁ - ଏହା ଅସମ୍ଭବ ଅଟେ, କାହିଁକିନା ବରଦାନ ସହିତ
ପିତାଙ୍କର ସମ୍ପତ୍ତି ଉପରେ ମଧ୍ୟ ଅଧିକାର ରହିଛି । ସଂଗମଯୁଗରେ ତୁମମାନଙ୍କୁ ସର୍ବଶକ୍ତିବାନର
ଉପାଧି ମଧ୍ୟ ମିଳିଛି, କେବଳ ସେହି ସ୍ଥିତିରେ ସ୍ଥିତ ରହୁନାହଁ, ବା ସବୁବେଳେ ରହୁ ନାହିଁ, ଏଥିରେ
କେବେ କେବେ ହୋଇଯାଉଛି, ତେଣୁ ଏହି କେବେ କେବେ ଶବ୍ଦକୁ ନିଜର ବ୍ରାହ୍ମଣ ଡିକ୍ସିନାରୀରୁ ବାହାର
କରିଦିଅ । ଏବେ ଏବେ ହାଜିର । ତୁମେମାନେ କହୁଛ ନା, ବାବା ଯେତେବେଳେ ଆମେ ଆପଣଙ୍କୁ ମନେ ପକାଉଛୁ,
ଆପଣ ତୁରନ୍ତ ହାଜିର ହୋଇଯାଉଛନ୍ତି । କ’ଣ ଅନୁଭବ ଅଛି ତ? ହାତ ଉଠାଅ । ଅନୁଭବ କରିଛ ତ? ଏବେ ଦେଖ,
ହାତ ତ ଉଠାଇ ଦେଉଛ, ବାବା ଆସି ହାଜିର ହୋଇଯାଉଛନ୍ତି, ହଜୁର ହାଜିର ହୋଇଯାଉଛନ୍ତି, ତେବେ ଏହି
ଶକ୍ତିଗୁଡିକ ହାଜିର ହେବା କ’ଣ ବଡ କଥା? ଏହି ସବୁ ଶକ୍ତିଗୁଡିକ ମଧ୍ୟ ତୁମମାନଙ୍କୁ ବାବାଙ୍କର
ସମ୍ପତ୍ତି ରୂପରେ ମିଳିଛି । ତେଣୁ ମାଲିକ ହୋଇ ଆଦେଶ କର । ଯେହେତୁ ମାଲିକ ହୋଇ ଆଦେଶ ଦେଉ ନାହିଁ
ତେଣୁ ଶକ୍ତି ମଧ୍ୟ ମିଳୁନାହିଁ ଏବଂ ତୁମେମାନେ ମଧ୍ୟ ଶକ୍ତିହୀନ ସ୍ଥିତିରେ ରହି ଆଦେଶ ଦେଉଛ,
ଯେହେତୁ ସେତେବେଳେ ତୁମେମାନେ ମାଲିକ ନୁହଁ ତେଣୁ ତୁମ ଆଦେଶକୁ କାହିଁକି ମାନିବେ!
ତେଣୁ ବାପଦାଦା ଏବେ କ’ଣ
ଚାହୁଁଛନ୍ତି? ଜାଣିଛ ନା! ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ରାଜା
ସନ୍ତାନ ହୋଇ ସ୍ୱରାଜ୍ୟ ଅଧିକାରୀ ହୋଇ ସ୍ୱରାଜ୍ୟର ଆସନକୁ କେବେ ବି ନ ଛାଡୁ, ତେବେ ରାଜା ତ ସାରା
ଦିନ ରାଜା ହୋଇ ରହିଥାଏ ନା! ନା କେବେ ରାଜା ଅଟେ, କେବେ ନୁହେଁ! ସିଂହାସନ ଉପରେ ବସିବ କି ନ
ବସିବ ତାହା ଅଲଗା କଥା କିନ୍ତୁ ଘରେ ରହୁଥିଲେ ମଧ୍ୟ ମୁଁ ରାଜା ଅଟେ ଏକଥା ତ ଭୁଲିବ ନାହିଁ ନା!
ତେଣୁ କର୍ମଯୋଗୀ ଏବଂ ଅମୃତବେଳାର ଯଥାର୍ଥ ଯୋଗର ଶକ୍ତିଶାଳୀ ସ୍ଥିତି ଭିତରେ ଫରକ ରହିବା ଉଚିତ୍
ନୁହେଁ । ଯଦିଓ କାମ ଅଲଗା ଅଲଗା ଅଟେ କିନ୍ତୁ ତୁମେ କିଏ ଅଟ? ତୁମେ ତ ବିଶ୍ୱର ପରବିର୍ତ୍ତକ ଅଟ,
ବିଶ୍ୱ କଲ୍ୟାଣକାରୀ ଅଟ ସେଥିପାଇଁ ବାବା ମଧ୍ୟ ଏହି କଥା ଚାହୁଁଛନ୍ତି ଯେ ଚାଲିବା ବୁଲିବା ସମୟରେ
ମଧ୍ୟ ରାଜା ପଣିଆକୁ ଭୁଲ ନାହିଁ କି ଆସନକୁ ମଧ୍ୟ ଛାଡ ନାହିଁ । କାରଣ ଆସନ ଉପରେ ବସିବା ବିନା
କେହି ବି ତୁମର ଆଦେଶକୁ ମାନିବେ ନାହିଁ । ଆଜିକାଲି ଦେଖ ଆସନ ପାଇବା ପାଇଁ କେବେ କ’ଣ ମେହନତ
କରୁଛନ୍ତି । ନିଜର ହକ୍ ନେବା ପାଇଁ କେତେ ଚେଷ୍ଟା କରୁଛନ୍ତି । ନିଜର ଅଧିକାରକୁ କେହି ଛାଡିବାକୁ
ଚାହାଁନ୍ତି ନାହିଁ । ତେଣୁ ତୁମେମାନେ ମଧ୍ୟ ନିଜର ପରମାତ୍ମ ଅଧିକାର, ମୁଁ କିଏ! ସବୁ ସମୟରେ ଯାହା
ବି କାର୍ଯ୍ୟ କରଛ, କାର୍ଯ୍ୟ କରିବା ସମୟରେ ମଧ୍ୟ ନିଜର ମନ ପାଇଁ ଟାଇମ୍ ଟେବୁଲ୍ ତିଆରି କର । ଏହି
କାର୍ଯ୍ୟ କରିବା ସମୟରେ ମୋ’ର ମନ ଭିତରେ କେଉଁ ସ୍ୱମାନର ସ୍ମୃତି ରହିବ! ଆଜିର ଦିନରେ କେଉଁ
ଲକ୍ଷ୍ୟ ରଖିବି? ପ୍ରତ୍ୟେକ କାର୍ଯ୍ୟ କରିବା ସମୟରେ ତୁମ ପାଖରେ ଯେଉଁ ସବୁ ସ୍ୱମାନ ଗୁଡିକର
ତାଲିକା ରହିଛି, ଯଦିଓ ଭିନ୍ନ ଭିନ୍ନ ପ୍ରକାରରେ ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିପାରିବ, ଯେପରି
ସ୍ଥୂଳ କର୍ମ ପାଇଁ ଟାଇମ୍ ଟେବୁଲ୍ ନିଧାର୍ଯ୍ୟ କରୁଛ ସେହିପରି ମନ ପାଇଁ ମଧ୍ୟ ଟାଇମ୍ ଟେବୁଲ୍
ନିଧାର୍ଯ୍ୟ କର । ଜାଣିଛ ତ, ଏହି ସମୟରେ ମୋତେ ଏହି କାମ କରିବାର ଅଛି, ତା’ ସହିତ ମୋତେ କେଉଁ
ସ୍ୱମାନରେ ରହିବାର ଅଛି? ମାଲିକ ପଣିଆର ଅଧିକାର କେଉଁ ସ୍ୱମାନ ରୂପରେ ରଖିବି, ମନ ପାଇଁ ଏହାର
ଟାଇମ୍ ଟେବୁଲ୍ ପ୍ରସ୍ତୁତି କର । କ’ଣ ଟାଇମ୍ ଟେବୁଲ୍ ତିଆରି କରିବା ଜଣା ଅଛି ତ! ମାତାମାନଙ୍କୁ
ଜଣା ଅଛି ତ? ମାତାମାନେ ନିଜେ ନିଜ ପାଇଁ ଟାଇମ୍ ଟେବୁଲ୍ ଅର୍ଥାତ୍ ସମୟ ସାରଣୀ ପ୍ରସ୍ତୁତ କର ।
ଆଚ୍ଛା, ରୋଷେଇ କରିବାର ଅଛି, ସେହି ସମୟରେ କେଉଁ ସ୍ୱମାନକୁ ନିଜର ବୁଦ୍ଧିରେ ଜାଗ୍ରତ କରି
ରଖିବାକୁ ହେବ? ସ୍ୱମାନର ମାଳା ତ ବହୁତ ବଡ ଅଟେ । ତା’କୁ ଗଣୁଥାଅ ଏବଂ ତା’ର ସ୍ୱରୂପରେ ସ୍ଥିତ
ହେଉଥାଅ । ତେଣୁ ଏବେ ତ ବହୁତ କାଳର ଅଭ୍ୟାସ ରହିବା ଆବଶ୍ୟକ ଅଟେ । କେହି କେହି ପିଲା କହୁଛନ୍ତି
ଏବେ ପର୍ଯ୍ୟନ୍ତ ତ ବିନାଶର କୌଣସି ଚିହ୍ନ ଦେଖାଯାଉନାହିଁ । ଏବେ ସୁଦ୍ଧା ତ କୌଣସି ତାରିଖ
ନିଧାର୍ଯ୍ୟ ହୋଇନାହିଁ । ଏହା ଭିତରେ ଆମେ କରିନେବୁ, ନିଶ୍ଚିତ ହୋଇଯିବ... ଏସବୁ ହେଲା ଅବହେଳା
ପଣିଆର ଭାଷା । ସନ୍ଦେଶ ଦେବାରେ ମଧ୍ୟ ତୁମେମାନେ ବିଶ୍ୱ କଲ୍ୟାଣକାରୀ ଅଟ । ତେବେ କେହି କେହି
ପିଲା କହୁଛନ୍ତି ଏବେ ତ ଆହୁରି ବହୁତ ସମୟ ବାକି ଅଛି । ଆଉ କିଛି ଦିନ ପରେ ସନ୍ଦେଶ ଦେବୁ, କିନ୍ତୁ
ନା, ଯାହାକୁ ବି ପଛରେ ସନ୍ଦେଶ ଦେବ ସେ ମଧ୍ୟ ତୁମକୁ ଉଲୁଗୁଣା ଦେବ, ଜାଣିଛ କେଉଁ ଉଲୁଗୁଣା ଦେବ?
ତୁମେ ଆମକୁ ପୂର୍ବରୁ କାହିଁକି ଜଣାଇଲ ନାହିଁ, ଯାହାକି ଆମେ ମଧ୍ୟ କିଛି ପୁରୁଷାର୍ଥ
କରିପାରିଥାଆନ୍ତୁ! ଏବେ ତ ଶେଷ ସମୟରେ ହିଁ ଆମକୁ ଶୁଣାଉଛ । ତେଣୁ ଆମେ ଏବେ କେବଳ ବାବାଙ୍କୁ ଜାଣି
ହେ ପ୍ରଭୁ ତୁମର ଲୀଳା ଅପରମଅପାର ଅଟେ - ଏହି କଥା ହିଁ କହିପାରିବୁ, ପଦ ତ ପାଇପାରିବୁ ନାହିଁ ।
କାହିଁକି ଜାଣିଛ? ବହୁତ ସମୟର ମଧ୍ୟ ସହଯୋଗ ଦରକାର । ତୁମେ ସମସ୍ତେ ଉତ୍ତରାଧିକାରୀ ଅର୍ଥାତ୍ ୱାରିସ୍ମାନେ
ବସିଛ ନା! ଯେଉଁମାନେ ନିଜକୁ ୱାରିସ୍ ମନେ କରୁଛନ୍ତି ସେମାନେ ହାତ ଉଠାଅ, କ’ଣ ୱାରିସ୍ ଅଟ ତ?
ଆଚ୍ଛା, ଯଦି ୱାରିସ୍ ଅଟ ତେବେ ତୁମକୁ ପୂରା ସମ୍ପତ୍ତି ନେବାର ଅଛି ନା ଅଳ୍ପ ନେଲେ ବି ଚଳିବ?
ସମସ୍ତେ କହିବେ ଆମକୁ ପୂରା ସମ୍ପତ୍ତି ଦରକାର । ତେବେ ପୂରା ସମ୍ପତ୍ତି ପାଇବାର ଅର୍ଥ ହେଲା ପୂରା
୨୧ ଜନ୍ମ, ଆଦିଠାରୁ ଅନ୍ତ ପର୍ଯ୍ୟନ୍ତ ରାଜକୀୟ ପ୍ରଜା ମଧ୍ୟ ନୁହେଁ, ରାଜ ପରିବାରରେ ଜନ୍ମ ନେବା
। ସିଂହାସନ ଉପରେ ତ ଜଣେ ହିଁ ବସିବ ଅର୍ଥାତ୍ ଗୋଟିଏ ଯୋଡି ହିଁ ବସିବେ । କିନ୍ତୁ ସେଠାରେ
ଯେତେବେଳେ ବି ସଭା ବସିବ ସେତେବେଳେ ରାଜ ପରିବାରର ବିଶେଷ ନିମିତ୍ତ ଆତ୍ମାମାନେ ମଧ୍ୟ ମୁକୁଟଧାରୀ
ହୋଇ ସଭାରେ ବସିବେ । ବିନା ମୁକୁଟରେ ବସିବେ ନାହିଁ ଏବଂ ସବୁ କାର୍ଯ୍ୟରେ ମଧ୍ୟ ପରାମର୍ଶଦାତା
ଭାବରେ, ଏମିତି ନୁହେଁ ଯେ କେବଳ ରାଜା ଏକା ହିଁ ରାଜ୍ୟ ଚଳାଇବ, ରାଜା ମଧ୍ୟ ସେମାନଙ୍କ ସହିତ
ବିଚାର ପରାମର୍ଶ କରି ରାଜ୍ୟ କରିବ । ସେଥିପାଇଁ ଯଦି ସମ୍ପୂର୍ଣ୍ଣ ସମ୍ପତ୍ତି ନେବାର ଅଛି ତେବେ
ପ୍ରଥମ ଜନ୍ମଠାରୁ ଆରମ୍ଭ କରି ୨୧ ଜନ୍ମ ପର୍ଯ୍ୟନ୍ତ ପୂରା, ଅଧା ମଧ୍ୟ ନୁହେଁ, ମଝିରେ ତ ଯିବାର
ନାହିଁ କାରଣ ଅକାଳମୃତ୍ୟୁ ତ ହେବାର ନାହିଁ । ତେଣୁ ପୂରା ପୂରା ସମ୍ପତ୍ତି ନେବ ନା ଅଳ୍ପରେ ମଧ୍ୟ
ଖୁସି ହୋଇଯିବ? ତୁମମାନଙ୍କର ମାତେଶ୍ୱରୀ ଜଗଦମ୍ବା ମଧ୍ୟ ସର୍ବଦା ଏହି ଲକ୍ଷ୍ୟ ରଖୁଥିଲେ ଯେ
ବାପଦାଦା ଯେଉଁ ଶ୍ରୀମତ ଦେଇଛନ୍ତି ଚାହେଁ ମନ ପାଇଁ, ଚାହେଁ ବାଣୀ ପାଇଁ, ଚାହେଁ କର୍ମ ପାଇଁ
ସେଗୁଡିକୁ ମୋତେ କରିବାକୁ ହିଁ ହେବ । ସେହିଭଳି ସମ୍ପୂର୍ଣ୍ଣ ସମ୍ପତ୍ତି ନେବାବାଲା ପିଲାମାନେ
ମଧ୍ୟ ଏହି ଲକ୍ଷ୍ୟ ବୁଦ୍ଧିରେ ରଖ ଯେ ଅଚାନକ, ଏଭରରେଡୀ ଏବଂ ବହୁତ ସମୟ, ଏହି ତିନୋଟି ଯାକ ଶବ୍ଦକୁ
ଏକାଠି ମନେ ରଖ, ସେଥିପାଇଁ ବାପଦାଦା ସମସ୍ତ ଆଶାର ପ୍ରଦୀପ ପିଲାମାନଙ୍କ ପ୍ରତି ଏହି ବରଦାନ
ଦେଉଛନ୍ତି ଯେ ସର୍ବଦା ଏହି ତିନୋଟି ଯାକ ଶବ୍ଦକୁ ମନେ ରଖି ସମସ୍ତେ ଆଶାର ପ୍ରଦୀପ ହେବାର
ପ୍ରତ୍ୟକ୍ଷ ପ୍ରମାଣ ଦେଖାଅ । ଆଚ୍ଛା!
ବିଦେଶୀମାନେ ମଧ୍ୟ
ମାନସୀକ ସେବା ଦ୍ୱାରା ସହଯୋଗୀ ଅଟନ୍ତି ନା! ବାପଦାଦା ଦେଖୁଛନ୍ତି ଯେ ସବୁ ଧର୍ମରେ ବୃଦ୍ଧି ହେଉଛି,
କେବଳ ଗୋଟିଏ ହିନ୍ଦୁ ଧର୍ମ ନୁହେଁ କିନ୍ତୁ ମୁସଲମାନ, ବୌଦ୍ଧୀ, ଖ୍ରୀଷ୍ଟିୟାନ ସବୁ ଧର୍ମରେ ଧୀରେ
ଧୀରେ ଲୋକମାନେ ଆଧ୍ୟାତ୍ମିକତାରେ ରୁଚି ଦେଖାଉଛନ୍ତି । ପୂର୍ବରୁ ତ ବ୍ରହ୍ମାକୁମାରୀଙ୍କ ନାମ ଶୁଣି
ଡରିଯାଉଥିଲେ, ଏମାନେ କ’ଣ ଖାଲି ବିନାଶ ବିନାଶ କହୁଛନ୍ତି, କିନ୍ତୁ ଏବେ କ’ଣ କହୁଛନ୍ତି? ଏବେ
କହୁଛନ୍ତି କୁହ ବିନାଶ କେବେ ହେବ, କିପରି ହେବ ଏବଂ ଆମେ କ’ଣ କରିବୁ? ତେବେ ହେବ ତ ନିଶ୍ଚିତ,
ଏଥିରେ ତ ଗ୍ୟାରେଣ୍ଟି ଦିଆଯାଇଛି । ତୁମେମାନଙ୍କ ଭିତରେ ତ ଗ୍ୟାରେଣ୍ଟି ରହିଛି ନା, ଚାହେଁ
ବିଦେଶୀ, ଚାହେଁ ଭାରତବାସୀ ଗ୍ୟାରେଣ୍ଟି କରୁଛ ନା! କେବଳ ବାପଦାଦା ଯେଉଁ ସଂକେତ ଦେଇଛନ୍ତି ଯେ
ପୁରୁଷାର୍ଥକୁ ତୀବ୍ର କର । ଏବେ ପୁରୁଷାର୍ଥ ନୁହେଁ, ପୁରୁଷାର୍ଥର ସମୟ ଯାଇ ସାରିଲାଣି, ଏବେ ତ
ତୀବ୍ର ପୁରୁଷାର୍ଥ କରିବାର ସମୟ ଏବଂ କେବେ କେବେ ଉପରେ ନିର୍ଭର କର ନାହିଁ, ଏବେ, ଏବେ କରିବାକୁ
ହେବ, ଏବେ ହିଁ ହେବାକୁ ପଡିବ । ତେଣୁ ହେବ ସୁନିଶ୍ଚିତ । ଆଚ୍ଛା!
ଚାରିଆଡର ତୀବ୍ର
ପୁରୁଷାର୍ଥୀ, ସର୍ବଦା ଉମଙ୍ଗ-ଉତ୍ସାହର ସହିତ ଆଗକୁ ପାଦ ବଢାଉଥିବା ପିଲାମାନଙ୍କୁ ବାପଦାଦା
ସ୍ମୃତି ଦିବସର ଶୁଭେଚ୍ଛା ଦେଉଛନ୍ତି । ବାପଦାଦାଙ୍କର ଦିଲ୍ ଭିତରେ ପ୍ରତ୍ୟେକ ସନ୍ତାନ ସମାହିତ
ଅଟେ ଏବଂ ପ୍ରତ୍ୟେକ ସନ୍ତାନ ଭିତରେ ବାବା ମଧ୍ୟ ସମାହିତ ଅଟନ୍ତି, ତେଣୁ ଅଭିନନ୍ଦନ, ଅଭିନନ୍ଦନ
ଏବଂ ଅଭିନନ୍ଦନ ସହିତ ନମସ୍ତେ ମଧ୍ୟ ।
ବରଦାନ:-
ନିଜର ଶକ୍ତିଶାଳୀ
ସ୍ଥିତି ଦ୍ୱାରା ରଚନାର ସର୍ବ ଆକର୍ଷଣ ଠାରୁ ଦୂରରେ ରହୁଥିବା ମାଷ୍ଟର ରଚୟିତା ଭବ ।
ଯେତେବେଳେ ତୁମେମାନେ
ମାଷ୍ଟର ରଚୟିତା ବା ମାଷ୍ଟର ନଲେଜଫୁଲର ଶକ୍ତିଶାଳୀ ସ୍ଥିତିର ନିଶାରେ ସ୍ଥିତ ରହିବ ସେତେବେଳେ
ଯାଇ ରଚନାର ସର୍ବ ଆକର୍ଷଣଠାରୁ ଉର୍ଦ୍ଧ୍ୱରେ ରହିପାରିବ କାହିଁକିନା ଏବେ ରଚନା ଆହୁରି ଅଧିକ
ଭିନ୍ନ ଭିନ୍ନ ରଙ୍ଗ-ଢଙ୍ଗ, ରୂପ ରଚିବାକୁ ଯାଉଛି ସେଥିପାଇଁ ଏବେ ପିଲାଳିଆମିର ଭୁଲ୍କୁ, ଅବହେଳା
ପଣିଆର ଭୁଲ୍କୁ, ଆଳସ୍ୟର ଭୁଲ୍କୁ, ବେପରୁଆ ହେବାର ଭୁଲ୍କୁ ଯାହାବି ଏବେ ରହିଯାଇଛି ସେଗୁଡିକୁ
ଭୁଲି ନିଜର ଶକ୍ତିଶାଳୀ, ଶକ୍ତି ସ୍ୱରୁପକୁ, ଶସ୍ତ୍ରଧାରୀ ସ୍ୱରୂପକୁ, ସର୍ବଦା ଜାଗ୍ରତ ଜ୍ୟୋତି
ହୋଇ ରହିବାର ସ୍ୱରୂପକୁ ପ୍ରତ୍ୟକ୍ଷ କର, ତେବେ କୁହାଯିବ ମାଷ୍ଟର ରଚୟିତା ।
ସ୍ଲୋଗାନ:-
ମାନସୀକ
ସ୍ଥିତିରେ ଏତେ ଶକ୍ତ ହୁଅ ଯାହାକି କୌଣସି ବି ପରିସ୍ଥିତି ତାକୁ ତରଳାଇ ପାରିବ ନାହିଁ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର । ଯେକୌଣସି ବାତବରଣରେ ବା ବାୟୁମଣ୍ଡଳ ଭିତରେ
ରୁହ କିନ୍ତୁ ତୁମର ସ୍ଥିତି ସର୍ବଦା ଅଚଳ-ଅଟଳ ଏବଂ ଏକରସ ରହିଥାଉ । କେବେ ନିମିତ୍ତ ହୋଇଥିବା
ଆତ୍ମା ଯଦି କୌଣସି ରାୟ ବା ନିର୍ଦ୍ଦେଶ ଦେଉଛନ୍ତି ସେଥିରେ ଦ୍ୱନ୍ଦ୍ୱରେ ପଡ ନାହିଁ । କାହିଁକିନା
ଯେଉଁମାନେ ନିମିତ୍ତ ହୋଇଛନ୍ତି ସେମାନେ ଅନୁଭବୀ ହୋଇ ସାରିଛନ୍ତି । ଯଦି ସେମାନଙ୍କର କୌଣସି
ନିର୍ଦ୍ଦେଶକୁ ତୁମେ ସ୍ପଷ୍ଟ ଭାବରେ ବୁଝିପାରୁ ନାହଁ କେବେ ବି ହଲଚଲ୍ରେ ଆସ ନାହିଁ । ଧୈର୍ଯ୍ୟର
ସହିତ କୁହ ମୁଁ ଏହାକୁ ବୁଝିବାକୁ ଚେଷ୍ଟା କରିବି, ତେବେ ଯାଇ ତୁମର ସ୍ଥିତି ଏକରସ, ଅଚଳ ଅଟଳ
ରହିବ ।