03.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ଏହି ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିଛ, ତୁମକୁ ବାବାଙ୍କ ଦ୍ୱାରା ଜ୍ଞାନର ତୃତୀୟ ନେତ୍ର ମିଳିଛି, ସେଥିପାଇଁ ତୁମେ ହେଲ ଆସ୍ତିକ ।”

ପ୍ରଶ୍ନ:-
ବାବାଙ୍କର କେଉଁ ଉପାଧି ଧର୍ମସ୍ଥାପକମାନଙ୍କୁ ଦିଆଯାଇପାରିବ ନାହିଁ?

ଉତ୍ତର:-
ବାବା ହେଉଛନ୍ତି ସତ୍‌ଗୁରୁ । କୌଣସି ବି ଧର୍ମସ୍ଥାପକଙ୍କୁ ଗୁରୁ କହିପାରିବା ନାହିଁ, କାରଣ ଗୁରୁ ସିଏ, ଯିଏ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଇଥାଆନ୍ତି । ଧର୍ମସ୍ଥାପକଙ୍କ ଜନ୍ମ ପରେ, ତାଙ୍କ ଧର୍ମର ଆତ୍ମାମାନେ ପରମଧାମରୁ ତଳକୁ ଆସିଥାନ୍ତି, ସେମାନେ କାହାକୁ ଉପରକୁ ଅର୍ଥାତ୍ ଘରକୁ ନେଇ ଯାଆନ୍ତି ନାହିଁ । ଯେତେବେଳେ ବାବା ଆସିଥା’ନ୍ତି, ସେତେବେଳେ ସମସ୍ତ ଆତ୍ମାମାନଙ୍କୁ ଘରକୁ ଫେରାଇ ନେଇ ଯାଆନ୍ତି ସେଇଥିପାଇଁ ସିଏ ସମସ୍ତଙ୍କର ସଦ୍‌ଗୁରୁ ଅଟନ୍ତି ।

ଗୀତ:-
ଇସ୍ ପାପ କୀ ଦୁନିଆ ସେ....

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତର ପଦକୁ ଶୁଣିଲ । ଏହା ହେଉଛି ପାପର ଦୁନିଆ । ପିଲାମାନେ ଜାଣିଛନ୍ତି ଏହା ପାପ ଆତ୍ମାମାନଙ୍କର ଦୁନିଆ । କେତେ ଅଶୁଭ ଅକ୍ଷର ଅଟେ । କିନ୍ତୁ ମନୁଷ୍ୟମାନେ ଏକଥା ବୁଝିପାରୁ ନାହାଁନ୍ତି ଯେ ପ୍ରକୃତରେ ଏହା ପାପାତ୍ମା ମାନଙ୍କର ଦୁନିଆ ଅଟେ । ତେବେ ନିଶ୍ଚିତ ପୁଣ୍ୟାତ୍ମାମାନଙ୍କର କୌଣସି ଦୁନିଆ ମଧ୍ୟ ଥିଲା, ତାକୁ କୁହାଯାଉଛି ସ୍ୱର୍ଗ । ପାପାତ୍ମାମାନଙ୍କର ଦୁନିଆକୁ କୁହାଯାଉଛି ନର୍କ । ଭାରତରେ ହିଁ ସ୍ୱର୍ଗ ଏବଂ ନର୍କର ଚର୍ଚ୍ଚା ବହୁତ ହୁଏ । ମନୁଷ୍ୟ ମରିଗଲେ କହିଥାନ୍ତି ସ୍ୱର୍ଗବାସୀ ହେଲା, ତେଣୁ ଏଥିରୁ ପ୍ରମାଣିତ ହେଉଛି ସିଏ ନର୍କବାସୀ ଥିଲା । ପତିତ ଦୁନିଆରୁ ପାବନ ଦୁନିଆକୁ ଗଲା । କିନ୍ତୁ ମନୁଷ୍ୟଙ୍କୁ କିଛି ହେଲେ ଜଣାନାହିଁ, ଯାହା ଆସୁଛି ତାହା କହି ଦେଉଛନ୍ତି । ଯଥାର୍ଥ ଅର୍ଥ କିଛି ବି ବୁଝୁନାହାଁନ୍ତି ।

ବାବା ଆସି ପିଲାମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି ଯେ ଆଉ ଟିକିଏ ଧୈର୍ଯ୍ୟ ଧର । ତୁମେମାନେ ପାପର ବୋଝରେ ବହୁତ ଭାରୀ ହୋଇଯାଇଛ । ଏବେ ମୁଁ ତୁମକୁ ପୁଣ୍ୟ ଆତ୍ମା କରି ଏଭଳି ଦୁନିଆକୁ ନେଇଯିବି, ଯାହାକୁ ସ୍ୱର୍ଗ କୁହାଯାଏ । ସେଠାରେ ନା କୌଣସି ପାପ ଥିବ, ନା କୌଣସି ଦୁଃଖ ଥିବ । ପିଲାମାନଙ୍କୁ ଆସ୍ୱସ୍ତି ମିଳିଯାଇଛି । ଆଜି ଏଠାରେ ଅଛୁ କାଲି ନିଜର ଶାନ୍ତିଧାମ, ସୁଖଧାମକୁ ଚାଲିଯିବୁ । ଯେପରି ରୋଗୀ ମନୁଷ୍ୟ ଯେତେବେଳେ ଟିକିଏ ଆରୋଗ୍ୟ ହୋଇ ଆସେ, ତାକୁ ଡାକ୍ତର ସାନ୍ତ୍ୱନା ଦେଇଥାନ୍ତି - ତୁମେ ଖୁବ୍ ଶୀଘ୍ର ଭଲ ହୋଇଯିବ । ଏବେ ଏହା ତ ହେଉଛି ଅବିନାଶୀ ଧୈର୍ଯ୍ୟ । ଅବିନାଶୀ ପିତା କହୁଛନ୍ତି ତୁମେ ତ ବହୁତ ଦୁଃଖୀ ପତିତ ହୋଇଯାଇଛ । ଏବେ ମୁଁ ତୁମ ପିଲାମାନଙ୍କୁ ଆସ୍ତିକ କରୁଛି । ପୁଣି ରଚନାର ମଧ୍ୟ ପରିଚୟ ଦେଉଛି । ଋଷି-ମୁନି ଆଦି ତ କହି ଆସିଛନ୍ତି ଯେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ, ତେବେ ଏହାକୁ କିଏ ଜାଣିଛି । କେବେ ଓ କାହା ଦ୍ୱାରା ଚିହ୍ନିପାରିବା, ଏକଥା କାହାକୁ ଜଣାନାହିଁ । ଡ୍ରାମାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ମଧ୍ୟ କେହି ଜାଣି ହିଁ ନାହାଁନ୍ତି । ବାବା କହୁଛନ୍ତି - ମୁଁ ସଂଗମଯୁଗରେ ଆସି ଡ୍ରାମା ଅନୁସାରେ ପ୍ରଥମେ ପ୍ରଥମେ ତୁମ ପିଲାମାନଙ୍କୁ ଆସ୍ତିକ କରୁଛି, ପୁଣି ତୁମକୁ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ଶୁଣାଉଛି ଅର୍ଥାତ୍ ତୁମର ଜ୍ଞାନର ତୃତୀୟ ନେତ୍ର ଖୋଲୁଛି । ଏବେ ତୁମକୁ ଜ୍ଞାନର ଆଲୋକ ମିଳିଯାଇଛି । ଯେତେବେଳେ ଆଖିରୁ ଜ୍ୟୋତି ଚାଲିଯାଏ, ସେତେବେଳେ ମନୁଷ୍ୟ ଅନ୍ଧ ହୋଇଯାଆନ୍ତି । ବର୍ତ୍ତମାନ ମନୁଷ୍ୟଙ୍କ ନିକଟରେ ଜ୍ଞାନର ତୃତୀୟ ନେତ୍ର ନାହିଁ । ମନୁଷ୍ୟ ହୋଇ ଯଦି ସେହି ଈଶ୍ୱର ପିତା ଏବଂ ତାଙ୍କର ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ଜାଣିନାହାଁନ୍ତି, ତେଣୁ ତାଙ୍କୁ ବୁଦ୍ଧିହୀନ କୁହାଯାଉଛି । ଗୀତାରେ ମଧ୍ୟ ରହିଛି - ଗୋଟିଏ ପାର୍ଶ୍ଵରେ ହେଲେ ଅନ୍ଧର ସନ୍ତାନ ଅନ୍ଧ । ଦ୍ୱିତୀୟପକ୍ଷ ହେଲେ ଦୃଷ୍ଟିଶକ୍ତି ସମ୍ପନ୍ନ । ଶାସ୍ତ୍ରରେ ଦେଖାଇଛନ୍ତି - ମହାଭାରତ ଯୁଦ୍ଧ ଲାଗିଥିଲା ଏବଂ ଏକ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଥିଲା । ବାବା ଆସି ଆତ୍ମାମାନଙ୍କୁ ରାଜଯୋଗ ଶିଖାଇଥିଲେ - ସତ୍ୟଯୁଗୀ ସ୍ୱରାଜ୍ୟ ଦେବା ପାଇଁ । ଆତ୍ମା ହିଁ କହୁଛି ମୁଁ ରାଜା ଅଟେ, ମୁଁ ବାରିଷ୍ଟର ଅଟେ । ତୁମର ଆତ୍ମା ଏବେ ଜାଣୁଛି ମୁଁ ବିଶ୍ୱର ସ୍ୱରାଜ୍ୟ ପ୍ରାପ୍ତ କରିବାକୁ ଯାଉଛି - ବିଶ୍ୱର ରଚୟିତା ବାବାଙ୍କ ଦ୍ୱାରା । ସିଏ କାହାର ରଚୟିତା ଅଟନ୍ତି? ନୂଆ ଦୁନିଆର । ବାବା ନୂଆ ସୃଷ୍ଟି ରଚନା କରୁଛନ୍ତି । ରଚୟିତା ବି ଅଟନ୍ତି ଏବଂ ତାଙ୍କ ଭିତରେ ସମସ୍ତ ଜ୍ଞାନ ମଧ୍ୟ ରହିଛି । ସାରା ବିଶ୍ୱର ଇତିହାସ କେହି ଜଣେ ହେଲେ ଜାଣିନାହାଁନ୍ତି । କାହାର ବି ଜ୍ଞାନର ତୃତୀୟ ନେତ୍ର ନାହିଁ । ବାବାଙ୍କ ବ୍ୟତୀତ କେହି ତୃତୀୟ ନେତ୍ର ଦେଇପାରିବେ ନାହିଁ । ବିଶ୍ୱର ଇତିହାସ, ଭୂଗୋଳ, ମୂଳବତନ, ସୂକ୍ଷ୍ମବତନ, ସ୍ଥୂଳବତନ... ଏ ସବୁକୁ ତୁମେ ହିଁ ଜାଣୁଛ । ମୂଳବତନ ହେଲା ଆତ୍ମାମାନଙ୍କର ଦୁନିଆ । ସନ୍ନ୍ୟାସୀମାନେ କହୁଛନ୍ତି ଆମେ ବ୍ରହ୍ମରେ ଲୀନ ହୋଇଯିବୁ ଅଥବା ଜ୍ୟୋତି ଜ୍ୟୋତିରେ ମିଶିଯିବୁ । ଏପରି ହୋଇ ନ ଥାଏ । ତୁମେ ଜାଣିଛ ସମସ୍ତେ ବ୍ରହ୍ମତତ୍ତ୍ୱରେ ଯାଇ ନିବାସ କରିବେ । ତାହା ଶାନ୍ତିଧାମ ଘର ଅଟେ । ସେମାନେ କହି ଦେଉଛନ୍ତି ବ୍ରହ୍ମ ହିଁ ଭଗବାନ ଅଟନ୍ତି, ଅନେକ ତଫାତ୍‌‍ ରହିଛି । ଯେପରି ଆକାଶ ତତ୍ତ୍ୱ ଅଟେ, ସେହିପରି ବ୍ରହ୍ମ ମଧ୍ୟ ତତ୍ତ୍ୱ ଅଟେ । ଯେଉଁଠି ଆମେ ଆତ୍ମାମାନେ ଏବଂ ପରମପିତା ପରମାତ୍ମା ନିବାସ କରିଥାଉ, ତାକୁ ସ୍ୱିଟ୍‌ ହୋମ୍ ଅର୍ଥାତ୍ ମିଠା ଘର କୁହାଯାଏ । ତାହା ହେଲା ଆତ୍ମାମାନଙ୍କର ଘର । ପିଲାମାନେ ଏବେ ଜାଣିସାରିଛନ୍ତି, ବ୍ରହ୍ମମହତତ୍ତ୍ୱରେ କେହି ଆତ୍ମା ଲୀନ ହୋଇ ନ ଥାନ୍ତି ଏବଂ ଆତ୍ମାର କେବେ ହେଲେ ବିନାଶ ହୋଇ ନ ଥାଏ । ଆତ୍ମା ଅବିନାଶୀ ଅଟେ । ଏହି ଡ୍ରାମା ମଧ୍ୟ ପୂର୍ବ ପ୍ରସ୍ତୁତ ଅବିନାଶୀ ଅଟେ । ଏହି ଡ୍ରାମାରେ କେତେ ଅଭିନେତା ଅଛନ୍ତି । ବର୍ତ୍ତମାନ ହେଲା ସଂଗମଯୁଗ, ଯେଉଁ ସମୟରେ ସବୁ ଅଭିନେତାମାନେ ଉପସ୍ଥିତ ଅଛନ୍ତି । ନାଟକ ଯେତେବେଳେ ଶେଷ ହୋଇଥାଏ, ସେତେବେଳେ ସବୁ ଅଭିନେତାମାନେ, ନିର୍ମାତା, ନିର୍ଦ୍ଦେଶକ ଆଦି ସମସ୍ତେ ଆସି ମଞ୍ଚ ଉପରେ ଉପସ୍ଥିତ ହୋଇଥା’ନ୍ତି । ଏହି ସମୟରେ ଏହି ଅବିନାଶୀ ଡ୍ରାମା ମଧ୍ୟ ଶେଷ ହେବାକୁ ଯାଉଛି ଏବଂ ଏହାର ପୁନର୍ବାର ପୁନରାବୃତ୍ତି ହେବ । ଦୁନିଆ ସେହି ହଦର ନାଟକଗୁଡିକରେ ପରିବର୍ତ୍ତନ ହୋଇପାରିବ । ନାଟକ ପୁରୁଣା ମଧ୍ୟ ହୋଇଥାଏ । ଏହି ବିଶାଳ ଡ୍ରାମା ତ ଅନାଦି ଅବିନାଶୀ ଅଟେ । ବାବା ତୁମକୁ ତ୍ରିକାଳଦର୍ଶୀ, ତ୍ରିନେତ୍ରୀ କରୁଛନ୍ତି । ଦେବତାମାନେ ତ୍ରିକାଳଦର୍ଶୀ ନୁହଁନ୍ତି, ନା ଶୁଦ୍ର ବର୍ଣ୍ଣର ମନୁଷ୍ୟମାନେ ତ୍ରିକାଳଦର୍ଶୀ ଅଟନ୍ତି । ତ୍ରିକାଳଦର୍ଶୀ ତ କେବଳ ତୁମେ ବ୍ରାହ୍ମଣ ବର୍ଣ୍ଣବାଲା ଅଟ । ଯେ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଜ୍ଞାନର ତୃତୀୟ ନେତ୍ର ମିଳିପାରିବ ନାହିଁ । ତୁମେ ଅବିନାଶୀ ବୃକ୍ଷର ଆଦି-ମଧ୍ୟ-ଅନ୍ତକୁ, ସମସ୍ତ ଧର୍ମକୁ ମଧ୍ୟ ଜାଣିଛ । ତୁମେମାନେ ମଧ୍ୟ ମାଷ୍ଟର ନଲେଜଫୁଲ ଅର୍ଥାତ୍ ଜ୍ଞାନବାନ ହୋଇଯାଉଛ । ପିତା ତ ସନ୍ତାନମାନଙ୍କୁ ନିଜ ସମାନ କରିବେ ନା । ଜ୍ଞାନର ସାଗର ତ ଏକମାତ୍ର ବାବା ହିଁ ଅଟନ୍ତି, ଯିଏକି ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି । ସମସ୍ତ ସନ୍ତାନମାନଙ୍କୁ ଆତ୍ମିକ କରି ତ୍ରିକାଳଦର୍ଶୀ କରିଦେଉଛନ୍ତି ।

ଏବେ ତୁମେ ପିଲାମାନେ ସମସ୍ତଙ୍କୁ ଏହି କଥା ବୁଝାଅ ଯେ, ଶିବବାବା ଆସିଛନ୍ତି, ତାଙ୍କୁ ମନେପକାଅ । ଯେଉଁମାନେ ଆଶିକ (ପ୍ରେମୀ) ହେଉଛନ୍ତି ସେମାନେ ବାବାଙ୍କୁ ଭଲ ଭାବରେ ସ୍ନେହ କରୁଛନ୍ତି । ତୁମ ଉପରେ ବାବାଙ୍କର ମଧ୍ୟ ସ୍ନେହ ରହିଛି । ତୁମକୁ ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି । ଗାୟନ ମଧ୍ୟ ରହିଛି ଯେ, ବିନାଶ ବେଳେ ବିପରୀତ ବୁଦ୍ଧି ବିନାଶ ହୋଇଯାଆନ୍ତି ଏବଂ ବିନାଶ କାଳରେ ପ୍ରିତ ବୁଦ୍ଧିବାଲା ବିଜୟ ପ୍ରାପ୍ତ କରନ୍ତି । ଗୀତାରେ କିଛି କିଛି ଅକ୍ଷର ସତ୍ୟ ରହିଛି । ଶ୍ରୀମତ୍ ଭଗବତ୍ ଗୀତା ହେଉଛି ସର୍ବୋତ୍ତମ ଶାସ୍ତ୍ର । ଆଦି ସନାତନ ଦେବୀ-ଦେବତା ଧର୍ମର ଶାସ୍ତ୍ର । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ମୁଖ୍ୟ ଧର୍ମଶାସ୍ତ୍ର ହିଁ ୪ଟି ଏବଂ ଅନ୍ୟ ଯେଉଁ ସବୁ ଧର୍ମବାଲା ଅଛନ୍ତି ସେମାନେ କେବଳ ନିଜର ଧର୍ମସ୍ଥାପନା କରିବା ପାଇଁ ଆସିଥାନ୍ତି । ରାଜତ୍ୱ ସ୍ଥାପନା କରିବାର କୌଣସି ଉଦ୍ଦେଶ୍ୟ ନ ଥାଏ । ସେମାନଙ୍କୁ ଗୁରୁ ମଧ୍ୟ କହିପାରିବା ନାହିଁ । ଗୁରୁଙ୍କର ତ କର୍ତ୍ତବ୍ୟ ହେଉଛି, ଘରକୁ ଫେରାଇ ନେବା । ଇବ୍ରାହିମ୍‌, ବୁଦ୍ଧ, ଖ୍ରୀଷ୍ଟ ଆଦି ତ ଆସିଥାନ୍ତି କିନ୍ତୁ ସେମାନଙ୍କ ପଛରେ ସେମାନଙ୍କର ବଂଶାବଳୀ ମଧ୍ୟ ତଳକୁ ଆସିଥାନ୍ତି । ଗୁରୁ ସିଏ ଯିଏ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଇଥାଆନ୍ତି, ଧର୍ମସ୍ଥାପକମାନେ କେବଳ ଧର୍ମସ୍ଥାପନ କରିବା ପାଇଁ ଆସିଥାନ୍ତି । ଏଠାରେ ତ ଅନେକଙ୍କୁ ଗୁରୁ ବୋଲି କହିଦେଉଛନ୍ତି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ମଧ୍ୟ ଗୁରୁ କହି ପାରିବା ନାହିଁ । ଏକମାତ୍ର ଶିବବାବା ହିଁ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ସମସ୍ତେ ଏକ ରାମଙ୍କୁ ହିଁ ଡାକୁଛନ୍ତି । ଶିବବାବାଙ୍କୁ ମଧ୍ୟ ରାମ କୁହାଯାଏ । ଦୁନିଆରେ ଅନେକ ଭାଷା ଥିବାରୁ ଅନେକ ନାମ ମଧ୍ୟ ରଖି ଦେଇଛନ୍ତି । ପ୍ରକୃତ ନାମ ହେଲା ଶିବ । ତାଙ୍କୁ ସୋମନାଥ ମଧ୍ୟ କୁହାଯାଏ । ସୋମରସ ପାନ କରାଇଥିଲେ ଅର୍ଥାତ୍ ଜ୍ଞାନ ଧନ ପ୍ରଦାନ କରିଥିଲେ । ବାକି ପାଣି ଆଦିର ତ କୌଣସି କଥା ହିଁ ନାହିଁ । ତୁମକୁ ସମ୍ମୁଖରେ ଆସି ଜ୍ଞାନବାନ, ଆନନ୍ଦମୟ କରିଦେଉଛନ୍ତି । ବାବା ତ ଜ୍ଞାନର ସାଗର ଅଟନ୍ତି । ସେ ତୁମ ପିଲାମାନଙ୍କୁ ଜ୍ଞାନର ନଦୀ ସଦୃଶ କରୁଛନ୍ତି । ସାଗର ହେଲା ଗୋଟିଏ । ଗୋଟିଏ ସାଗରରୁ ଅନେକ ନଦୀ ବାହାରିଥାଏ । ଏବେ ତୁମେ ସଂଗମ ଯୁଗରେ ଅଛ । ଏହି ସମୟରେ ଏହି ସାରା ଧରଣୀ ବା ପୃଥିବୀ ରାବଣର ସ୍ଥାନ ଅଟେ । କେବଳ ଏକମାତ୍ର ଲଙ୍କା ନଥିଲା, ସାରା ବିଶ୍ୱ ଉପରେ ରାବଣର ରାଜ୍ୟ ଚାଲିଛି । ରାମରାଜ୍ୟରେ ବହୁତ କମ୍ ମନୁଷ୍ୟ ରହିବେ । ଏହି କଥା କେବଳ ବର୍ତ୍ତମାନ ତୁମ ବୁଦ୍ଧିରେ ଅଛି । ବାବା ବୁଝାଇଛନ୍ତି - ମୁଁ ତିନିଟି ଧର୍ମର ସ୍ଥାପନା କରୁଛି - ବ୍ରାହ୍ମଣ, ଦେବତା, କ୍ଷତ୍ରିୟ । ତାପରେ ବୈଶ୍ୟ, ଶୁଦ୍ର, ବର୍ଣ୍ଣରେ ଅନ୍ୟ ସମସ୍ତେ ଆସି ନିଜ ନିଜର ଧର୍ମ ସ୍ଥାପନ କରିଥାନ୍ତି । ଅନେକ ଧର୍ମର ବିନାଶ ମଧ୍ୟ ବାବା କରାଇଥା’ନ୍ତି । ଭାରତରେ ତ୍ରିମୂର୍ତ୍ତିର ଚିତ୍ର ମଧ୍ୟ ତିଆରି କରୁଛନ୍ତି । କିନ୍ତୁ ସେଥିରେ ଶିବଙ୍କର ଚିତ୍ରକୁ ଗୁପ୍ତ କରିଦେଇଛନ୍ତି । ଶିବଙ୍କ ଚିତ୍ର ଦ୍ୱାରା ହିଁ ପ୍ରମାଣିତ ହେଉଛି ଯେ ପରମପିତା ପରମାତ୍ମା ଶିବ, ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ବିଷ୍ଣୁଙ୍କ ଦ୍ୱାରା ପାଳନା କରାଉଛନ୍ତି, ତାଙ୍କୁ କରି କରାଇଲାବାଲା ମଧ୍ୟ କୁହାଯାଏ । ନିଜେ ବାବା ମଧ୍ୟ କର୍ମ କରୁଛନ୍ତି, ତୁମ ପିଲାମାନଙ୍କୁ ମଧ୍ୟ ଶିଖାଉଛନ୍ତି । କର୍ମ, ଅକର୍ମ, ବିକର୍ମର ଗତି ମଧ୍ୟ ବୁଝାଉଛନ୍ତି । ରାବଣ ରାଜ୍ୟରେ ତୁମେ ଯେଉଁ ସବୁ କର୍ମ କରୁଛ ତାହା ବିକର୍ମ ହୋଇଯାଉଛି । ସତ୍ୟଯୁଗରେ ଯେଉଁ କର୍ମ କରୁଛ ତାହା ଅକର୍ମ ହୋଇଯାଏ । ଏଠାରେ ତ ବିକର୍ମ ହିଁ ହୋଇଥାଏ କାରଣ ରାବଣର ରାଜ୍ୟ ଅଟେ । ସତ୍ୟଯୁଗରେ ୫ ବିକାର ଆଦୌ ନ ଥାଏ । ପ୍ରତ୍ୟେକ କଥା ବସ୍ତୁ ବୁଝିବାର ଅଛି ଏବଂ ଗୋଟିଏ ସେକେଣ୍ଡରେ ବୁଝାଇ ଦିଆଯାଉଛି । ଓମର ଅର୍ଥ ଦୁନିଆରେ ତ ବହୁତ ବିସ୍ତାର ଭାବେ ବୁଝାଉଛନ୍ତି । ବାବା କହୁଛନ୍ତି - ଓମ୍ ଅର୍ଥାତ୍ ମୁଁ ଆତ୍ମା ଏବଂ ଏହା ମୋର ଶରୀର । କେତେ ସହଜ ଅଟେ । ଆଉ ତୁମେମାନେ ଜାଣୁଛ ଯେ ଆମେମାନେ ସୁଖଧାମକୁ ଯାତ୍ରା କରୁଛୁ । ଶ୍ରୀକୃଷ୍ଣଙ୍କର ମନ୍ଦିରକୁ ସୁଖଧାମ କହିଥାନ୍ତି । ସୁଖଧାମ ତ କୃଷ୍ଣପୁରୀ ହିଁ ଅଟେ । ମାତାମାନେ କୃଷ୍ଣପୁରୀକୁ ଯିବା ପାଇଁ ବହୁତ ପ୍ରଚେଷ୍ଟା କରୁଛନ୍ତି । ତୁମେ ଏବେ ଭକ୍ତି କରୁନାହଁ । ତୁମକୁ ଜ୍ଞାନ ମିଳିଛି । ଆଉ କୌଣସି ମନୁଷ୍ୟମାତ୍ରଙ୍କ ଠାରେ ଏହି ଜ୍ଞାନ ନାହିଁ । ମୁଁ ତୁମକୁ ପବିତ୍ର କରି ଚାଲିଯାଉଛି, ପୁଣି ତୁମକୁ କିଏ ପତିତ କରି ଦେଉଛି? ଏହି କଥା କେହି କହିପାରିବେ ନାହିଁ । ପୁରୁଷ ଅଥବା ନାରୀ ସମସ୍ତେ ଭକ୍ତ ଅଟନ୍ତି, ସମସ୍ତେ ସୀତା ଅଟନ୍ତି । ସମସ୍ତଙ୍କର ସଦ୍‌ଗତି କରିଲାବାଲା ବାବା ହିଁ ଅଟନ୍ତି । ସମସ୍ତେ ରାବଣର ବନ୍ଦୀ ଶାଳାରେ ଅଛନ୍ତି । ଏହା ଦୁଃଖଧାମ ହିଁ ଅଟେ । ବାବା ତୁମକୁ ସୁଖଧାମର ମାଲିକ କରୁଛନ୍ତି । ଏହିଭଳି ବାବାଙ୍କୁ ୫ ହଜାର ବର୍ଷ ପରେ କେବଳ ତୁମେମାନେ ହିଁ ଦେଖୁଛ । ଲକ୍ଷ୍ମୀ-ନାରାୟଣଙ୍କର ଆତ୍ମା ନିକଟରେ ଏବେ ଜ୍ଞାନ ଅଛି ଯେ - ମୁଁ ଛୋଟ ଅବସ୍ଥାରେ ଏହିଭଳି (କୃଷ୍ଣ) ହେବି ପୁଣି ବଡ ହେବି, ପୁଣି ଏହିପରି ଶରୀର ଛାଡିବି । ପୁଣି ଅନ୍ୟ ଶରୀର ନେବି । ଅନ୍ୟ କାହା ପାଖରେ ଏହି ଜ୍ଞାନ ନାହିଁ ।

ବାବା କହୁଛନ୍ତି - ତୁମେ ସମସ୍ତେ ପାର୍ବତୀ ଅଟ, ଶିବବାବା ତୁମକୁ ଅମର କଥା ଶୁଣାଉଛନ୍ତି - ଅମର କରିବା ପାଇଁ, ଅମରଲୋକକୁ ନେଇଯିବା ପାଇଁ । ଏହା ମୃତ୍ୟୁଲୋକ ଅଟେ । ତୁମେ ସବୁ ପାର୍ବତୀମାନେ ଅମର ନାଥଙ୍କ ଦ୍ୱାରା ଅମର କଥା ଶୁଣୁଛ । ତୁମେ ପ୍ରକୃତରେ ଅମର ହେଉଛ । କେବଳ ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମ ଆତ୍ମା ଅମର ହେଉଛି, ଯେଉଁଠି ଦୁଃଖର କଥା ନ ଥାଏ । ଯେପରି ସର୍ପ ଗୋଟିଏ ଆବରଣ ଛାଡି ଆଉ ଗୋଟିଏ ଧାରଣ କରିଥାଏ । ଏହି ସବୁ ଦୃଷ୍ଟାନ୍ତ ଏହି ଜ୍ଞାନମାର୍ଗର ଅଟେ । ଭ୍ରମରୀର ଦୃଷ୍ଟାନ୍ତ, ଏଇଠିକାର ଅଟେ । ତୁମେ ବ୍ରାହ୍ମଣମାନେ କ’ଣ କରୁଛ - ବିକାରୀ ମନୁଷ୍ୟ ରୂପକ କୀଟକୁ ପରିବର୍ତ୍ତନ କରି ଦେବତା କରୁଛ । ଏହା ମନୁଷ୍ୟମାନଙ୍କର ହିଁ କଥା ଅଟେ । ଭ୍ରମରୀର ତ କେବଳ ଏକ ଦୃଷ୍ଟାନ୍ତ ଅଟେ । ତୁମେ ବ୍ରାହ୍ମଣ ପିଲାମାନେ ଏବେ ବାବାଙ୍କ ଦ୍ୱାରା ଅମର କଥା ଶୁଣୁଛ, ଅନ୍ୟମାନଙ୍କ ପାଖରେ ଜ୍ଞାନର ଭୂଁ-ଭୂଁ କରୁଛ, ଯାହାଦ୍ୱାରା ମନୁଷ୍ୟରୁ ଦେବତା, ସ୍ୱର୍ଗର ପରୀ ହୋଇଯିବେ । କିନ୍ତୁ ଏମିତି ନୁହେଁ ଯେ, ମାନ ସରୋବରରେ ବୁଡ ପକାଇଦେଲେ କେହି ପରୀ ହୋଇଯିବେ । ଏ ସବୁ କଥା ମିଥ୍ୟା ଅଟେ । ତୁମେ ମିଥ୍ୟା ହିଁ ଶୁଣି-ଶୁଣି ଆସିଛ ଏବେ ବାବା ସତ୍ୟ କଥା ଶୁଣାଉଛନ୍ତି । ଏବେ ବାବା କହୁଛନ୍ତି - ନିଜକୁ ଆତ୍ମା ମନେ କର । ତୁମେ ବୁଝିପାରିଛ - ନିରାକାର ପରମପିତା ପରମାତ୍ମା ଏହି ମୁଖ ଦ୍ୱାରା ଶୁଣାଉଛନ୍ତି, ମୁଁ ଏହି କାନ ଦ୍ୱାରା ଶୁଣୁଛି । ଆତ୍ମ ଅଭିମାନୀ ହେବାର ଅଛି, ପୁଣି ପରମାତ୍ମା ମଧ୍ୟ ଅନୁଭବ କରାଉଛନ୍ତି - ମୁଁ କିଏ? ଅନ୍ୟ କେହି ଆତ୍ମ-ଅଭିମାନୀ କରାଇପାରିବେ ନାହିଁ । ବାବାଙ୍କ ବ୍ୟତୀତ ଆଉ କେହି କହି ପାରିବେ ନାହିଁ ଯେ ତୁମେ ଆତ୍ମା ଅଭିମାନୀ ହୁଅ । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ତାଙ୍କର ଜୟନ୍ତୀ କିପରି ହେଉଛି, ଏକଥା ଜାଣିନାହାଁନ୍ତି । ବାବା ହିଁ ନିଜେ ଆସି ବୁଝାଉଛନ୍ତି - ମୁଁ ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରୁଛି । ନଚେତ୍ ବ୍ରହ୍ମା ପୁଣି କେଉଁଠୁ ଆସିବେ? ପତିତ ଶରୀର ହିଁ ଆବଶ୍ୟକ । ସୂକ୍ଷ୍ମବତନବାସୀ ବ୍ରହ୍ମାଙ୍କ ମଧ୍ୟରେ ବିରାଜମାନ ହୋଇ ବ୍ରାହ୍ମଣଙ୍କୁ ତ ରଚନା କରିବେ ନାହିଁ । ବାବା କହୁଛନ୍ତି ମୁଁ ପତିତ ଶରୀର ପତିତ ଦୁନିଆରେ ଆସୁଛି । ଗାୟନ ମଧ୍ୟ ରହିଛି - ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ପୁଣି ଯାହାର ସ୍ଥାପନା କରନ୍ତି, ଯେଉଁମାନେ ଏହି ଜ୍ଞାନ ପ୍ରାପ୍ତ କରନ୍ତି ସେମାନେ ଦେବତା ହୋଇଯାଆନ୍ତି । ମନୁଷ୍ୟ ବ୍ରହ୍ମାଙ୍କର ଚିତ୍ର ଦେଖି ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି; କହୁଛନ୍ତି ଏହା ତ ଦାଦା ଲେଖରାଜଙ୍କର ଚିତ୍ର । ପ୍ରଜାପିତା ବ୍ରହ୍ମା ତ ନିଶ୍ଚିତ ଏହିଠାରେ ହିଁ ଥିବେ । ସୂକ୍ଷ୍ମବତନରେ କିପରି ପ୍ରଜା ରଚନା କରିବେ । ପ୍ରଜାପିତାଙ୍କର ସନ୍ତାନ ହଜାର ହଜାର ସଂଖ୍ୟାରେ ବ୍ରହ୍ମାକୁମାର ବ୍ରହ୍ମାକୁମାରୀ ଅଛନ୍ତି । ଏହା କ’ଣ କେବେ ମିଥ୍ୟା ହୋଇପାରିବ । ଆମେ ଶିବ ବାବାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରୁଛୁ । ତୁମ ପିଲାମାନଙ୍କୁ ବୁଝାଯାଇଛି ଯେ ସିଏ ସୂକ୍ଷ୍ମବତନବାସୀ ଅବ୍ୟକ୍ତ ବ୍ରହ୍ମା ଅଟନ୍ତି । ପ୍ରଜାପିତା ତ ସାକାରରେ ଆବଶ୍ୟକ । ଏହି ପତିତ ବ୍ରହ୍ମା ହିଁ ତ ପାବନ ହୋଇଥା’ନ୍ତି । ତତ୍‌‌ତ୍ୱମ୍ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମ-ଅଭିମାନୀ ହୋଇ ଏହି ସ୍ଥୂଳ କାନ ଦ୍ୱାରା ଅମର କଥା ଶୁଣିବାକୁ ହେବ । ଜ୍ଞାନର ଭୂଁ-ଭୂଁ କରି ନିଜ ସମାନ କରାଇବାର ସେବାରେ ତତ୍ପର ରହିବାକୁ ହେବ ।

(୨) ବାପ ସମାନ ଜ୍ଞାନବାନ୍ ଓ ଆନନ୍ଦମୟ ହେବାକୁ ପଡିବ । ସୋମରସ ପାନ କରିବା ସହିତ ପାନ କରାଇବାକୁ ପଡିବ ।

ବରଦାନ:-
ମାୟାର ବିଘ୍ନ ଗୁଡିକୁ ଖେଳ ଭଳି ଅନୁଭବ କରୁଥିବା ମାଷ୍ଟର ବିଶ୍ୱ ନିର୍ମାତା ଭବ ।

ଯେପରି କୌଣସି ବି ବୟସ୍କ ବ୍ୟକ୍ତିଙ୍କ ଆଗରେ ଛୋଟ ଛୋଟ ପିଲାମାନେ ନିଜର ପିଲାଳିଆ ଅଜ୍ଞାନତା ଅକାରଣରୁ ଯଦି କିଛି ବି କହିଦିଅନ୍ତି ବା କିଛି ବି ଭୁଲ୍ କର୍ମ କରିଦିଅନ୍ତି ତେବେ ବୟସ୍କ ଲୋକମାନେ ଭାବନ୍ତି ଯେ ଇଏ ତ ନିର୍ଦ୍ଦୋଷ ଅଜ୍ଞାନୀ ବାଳକ ଅଟେ, ତାଙ୍କ ଉପରେ କୌଣସି ପ୍ରଭାବ ପଡେ ନାହିଁ, ସେହିପରି ତୁମେ ଯେବେ ନିଜକୁ ମାଷ୍ଟର ବିଶ୍ୱ ନିର୍ମାତା ମନେ କରିବ ତେବେ ଏହି ସବୁ ମାୟାର ବିଘ୍ନ ଗୁଡିକ ପିଲାମାନଙ୍କର ଖେଳ ଭଳି ଅନୁଭବ ହେବ । ଯଦି ମାୟା କୌଣସି ବି ଆତ୍ମା ଦ୍ୱାରା ବିଘ୍ନ ବା ପରୀକ୍ଷାର ରୂପ ନେଇ ଆସିଯାଏ, ତେବେ ସେଥିରେ ବିଚଳିତ ହେବେ ନାହିଁ ବରଂ ତାଙ୍କୁ ନିର୍ଦ୍ଦୋଷ ବୋଲି ଭାବିବେ ।

ସ୍ଲୋଗାନ:-
ସ୍ନେହ, ଶକ୍ତି ଏବଂ ଈଶ୍ୱରୀୟ ଆକର୍ଷଣ ଯଦି ନିଜ ଭିତରେ ଭରି ନେବ ତେବେ ସହଜଯୋଗୀ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ଏବେ ଜ୍ୱାଳାମୁଖୀ ହୋଇ ଆସୁରୀ ସଂସ୍କାର, ଆସୁରୀ ସ୍ୱଭାବ ଗୁଡିକୁ ଭସ୍ମ କର । ଯେପରି ଦେବୀମାନଙ୍କର ସ୍କାରକୀ ଚିତ୍ରରେ ଦେଖାଇଛନ୍ତି ଯେ ଜ୍ୱାଳା ରୂପ ଦ୍ୱାରା ଅସୁରମାନଙ୍କୁ ସଂହାର କରିଛନ୍ତି । ତେବେ ଅସୁର ତ କୌଣସି ବ୍ୟକ୍ତି ନୁହେଁ କିନ୍ତୁ ଆସୁରୀ ଶକ୍ତିଗୁଡିକୁ ସମାପ୍ତ କରିଛନ୍ତି । ଏହା ତୁମମାନଙ୍କର ବର୍ତ୍ତମାନର ଜ୍ୱାଳା ସ୍ୱରୂପ ସ୍ଥିତିର ସ୍ମାରକୀ ଅଟେ । ତେଣୁ ଏବେ ଏଭଳି ଯୋଗର ଜ୍ୱାଳା ପ୍ରଜ୍ୱଳିତ କର ଯେଉଁଥିରେ ଏହି କଳିଯୁଗୀ ସଂସାର ଜଳିପୋଡି ପାଉଁଶ ହୋଇଯିବ ।