04.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କର କର୍ତ୍ତବ୍ୟ ହେଲା ମନୁଷ୍ୟଙ୍କୁ ସଚେତନ କରିବା, ରାସ୍ତା ବତେଇବା, ଯେତେ ଯେତେ ତୁମେ
ଦେହୀ-ଅଭିମାନୀ ହୋଇ ବାବାଙ୍କର ପରିଚୟ ଶୁଣାଇବ ତୁମର ସେତେ କଲ୍ୟାଣ ହେବ ।”
ପ୍ରଶ୍ନ:-
ଗରିବ ପିଲାମାନେ
ନିଜର କେଉଁ ବିଶେଷତା ଆଧାରରେ ଧନୀମାନଙ୍କଠାରୁ ମଧ୍ୟ ଆଗକୁ ବଢିଯାଉଛନ୍ତି ?
ଉତ୍ତର:-
ଗରିବ ମାନଙ୍କ ଭିତରେ ଦାନ ପୁଣ୍ୟ କରିବାରେ ବହୁତ ଶ୍ରଦ୍ଧା ରହିଥାଏ । ଗରିବମାନେ ଭକ୍ତି ମଧ୍ୟ
ବହୁତ ଶ୍ରଦ୍ଧାପୂର୍ବକ କରିଥା’ନ୍ତି । ସାକ୍ଷାତ୍କାର ମଧ୍ୟ ଗରିବମାନଙ୍କୁ ହିଁ ହୋଇଥାଏ । ଧନୀ
ଲୋକମାନଙ୍କୁ ନିଜର ଧନର ନିଶା ଲାଗି ରହିଥାଏ । ସେମାନଙ୍କ ଦ୍ୱାରା ପାପ ମଧ୍ୟ ଅଧିକ ହୋଇଥାଏ,
ସେଥିପାଇଁ ଗରିବ ପିଲାମାନେ ଧନୀମାନଙ୍କଠାରୁ ଆଗକୁ ବଢି ଯାଇଥାଆନ୍ତି ।
ଗୀତ:-
ଓମ୍ ନମୋ ଶିବାୟ
...
ଓମ୍ ଶାନ୍ତି ।
ତୁମ ମାତ-ପିତା ହମ ବାଲକ ତେରେ.... ଏହି ଗୀତରେ ତ ନିଶ୍ଚିତ ଭାବରେ ପରମପିତା ପରମାତ୍ମାଙ୍କର ହିଁ
ମହିମାର ଗାୟନ କରାଯାଇଛି । ଏହି ମହିମା ତ ବିଲ୍କୁଲ୍ ସ୍ପଷ୍ଟ ଅଟେ, କାରଣ ସେ ହିଁ ରଚୟିତା
ଅଟନ୍ତି । ଲୌକିକ ମା-ବାପା ମଧ୍ୟ ତାଙ୍କ ପିଲାମାନଙ୍କର ରଚୟିତା ଅର୍ଥାତ୍ ଜନ୍ମଦାତା ଅଟନ୍ତି ।
ପାରଲୌକିକ ପିତାଙ୍କୁ ମଧ୍ୟ ରଚୟିତା କୁହାଯାଉଛି । ବନ୍ଧୁ, ସହାୟକ - ଏହିଭଳି ତାଙ୍କର ବହୁତ ମହିମା
ଗାୟନ କରୁଛି, କିନ୍ତୁ ଲୌକିକ ପିତାଙ୍କର ଏତେ ମହିମା ନାହିଁ । ପରମପିତା ପରମାତ୍ମାଙ୍କର ମହିମା
ହିଁ ଅଲଗା । ପିଲାମାନେ ତାଙ୍କୁ ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର କହି ମହିମା କରୁଛନ୍ତି । କାରଣ
ତାଙ୍କ ଭିତରେ ସମଗ୍ର ଜ୍ଞାନ ରହିଛି । ଏହି ପାଠପଢା କୌଣସି ପେଟ ପୋଷିବା ପାଇଁ ନୁହେଁ । ତାଙ୍କୁ
ଜ୍ଞାନର ସାଗର, ଜ୍ଞାନର ଭଣ୍ଡାର କୁହାଯାଏ । ତେବେ ନିଶ୍ଚିତ ଭାବରେ ତାଙ୍କ ପାଖରେ ଜ୍ଞାନ ରହିଛି
କିନ୍ତୁ କେଉଁ ଜ୍ଞାନ ? ଏହି ସୃଷ୍ଟିଚକ୍ର କିପରି ଘୂରୁଛି, ତାଙ୍କଠାରେ ସେହି ଜ୍ଞାନ ହିଁ ରହିଛି
। ତେଣୁ ସିଏ ହିଁ ଜ୍ଞାନର ସାଗର ପତିତ-ପାବନ ଅଟନ୍ତି । ଶ୍ରୀକୃଷ୍ଣଙ୍କୁ କେବେ ବି ପତିତ-ପାବନ ବା
ଜ୍ଞାନର ସାଗର କୁହନ୍ତି ନାହିଁ । ତାଙ୍କର ମହିମା ବିଲ୍କୁଲ୍ ଅଲଗା । କିନ୍ତୁ ଉଭୟ ଭାରତବାସୀ
ହିଁ ଅଟନ୍ତି । ଶିବବାବାଙ୍କର ମଧ୍ୟ ଭାରତରେ ହିଁ ମହିମା ହେଉଛି । ସେଥିପାଇଁ ଶିବ ଜୟନ୍ତୀ ମଧ୍ୟ
ଏହିଠାରେ ହିଁ ପାଳନ କରୁଛନ୍ତି । ଶ୍ରୀକୃଷ୍ଣଙ୍କର ଜୟନ୍ତୀ ଏବଂ ଗୀତା ଜୟନ୍ତି ମଧ୍ୟ ଏହିଠାରେ
ହିଁ ପାଳନ କରୁଛନ୍ତି । ଏହି ତିନିଟି ଜୟନ୍ତୀ ହେଲା ମୁଖ୍ୟ । ଏବେ ପ୍ରଶ୍ନ ଉଠୁଛି ପ୍ରଥମେ କାହାର
ଜୟନ୍ତୀ ହୋଇଥିବ? ଶିବଙ୍କର ନା କୃଷ୍ଣଙ୍କର? ମନୁଷ୍ୟ ତ ବିଲ୍କୁଲ୍ ବାବାଙ୍କୁ ଭୂଲି ଯାଇଛନ୍ତି ।
ଶ୍ରୀକୃଷ୍ଣଙ୍କର ଜୟନ୍ତୀକୁ ବହୁତ ସ୍ନେହର ସହିତ ଖୁବ୍ ଧୁମଧାମରେ ପାଳନ କରୁଛନ୍ତି । ଶିବ ଜୟନ୍ତୀ
ବିଷୟରେ ସେତେ କାହାରିକୁ ଜଣାନାହିଁ, ନା କୌଣସି ଗାୟନ ଅଛି । ଶିବ ଆସି କ’ଣ କରିଛନ୍ତି? ତାଙ୍କର
ଜୀବନ କାହାଣୀ ବିଷୟରେ କାହାକୁ ବି ଜଣାନାହିଁ । ଶ୍ରୀକୃଷ୍ଣଙ୍କ ବିଷୟରେ ତ ବହୁତ କଥା ଲେଖି
ଦେଇଛନ୍ତି । ଗୋପିମାନଙ୍କୁ ହରଣ କରିଥିଲେ, ଏମିତି କରିଥିଲେ, ସେମିତି କରିଥିଲେ ।
ଶ୍ରୀକୃଷ୍ଣଙ୍କର ଚରିତ୍ର ବିଷୟରେ ବିଶେଷ ଭାବେ ଗୋଟିଏ ପତ୍ରିକା ମଧ୍ୟ ବାହାରୁଛି କିନ୍ତୁ
ଶିବଙ୍କର ଚରିତ୍ର ଆଦି କିଛି ବି ନାହିଁ । ଶ୍ରୀକୃଷ୍ଣଙ୍କର ଜୟନ୍ତୀ କେବେ ହେଲା ପୁଣି ଗୀତା
ଜୟନ୍ତୀ କେବେ ହେଲା? ଶ୍ରୀକୃଷ୍ଣ ଯେତେବେଳେ ବଡ଼ ହେବେ ତେବେ ଯାଇ ତ ଜ୍ଞାନ ଶୁଣାଇବେ ।
ଶ୍ରୀକୃଷ୍ଣଙ୍କର ପିଲାଦିନକୁ ତ ଦେଖାଉଛନ୍ତି, ଟୋକେଇରେ ରଖି ନଦୀ ସେ ପାରିକୁ ନେଇଗଲେ । ଟିକିଏ
ବଡ଼ ଅବସ୍ଥାରେ, ରଥ ଉପରେ ଛିଡ଼ା ହୋଇ ଚକ୍ର ଚଲାଉ ଥିବାର ଦେଖାଉଛନ୍ତି । ସେତେବେଳେ ସିଏ ୧୬-୧୭
ବର୍ଷର ହୋଇଥିବେ । ଅଧିକ ଚିତ୍ର ବାଲ୍ୟ ଅବସ୍ଥାର ହିଁ ଦେଖାଉଛନ୍ତି । ତେବେ ଗୀତା କେବେ ଶୁଣାଇଲେ
। ସେହି ସମୟରେ ତ ଶୁଣାଇ ନ ଥିବେ, କାରଣ ଭାଗବତରେ ବର୍ଣ୍ଣିତ ଅଛି ଯେ, ଅମୁକକୁ ହରଣ କଲେ, ଏମିତି
କଲେ, ସେମିତି କଲେ । ତେଣୁ ସେ ସମୟରେ ଜ୍ଞାନ ଶୁଣାଇବା ତ ଶୋଭା ପାଇବ ନାହିଁ । ଜ୍ଞାନ ତ
ସେତେବେଳେ ଶୁଣାଇବେ ଯେତେବେଳେ ବୃଦ୍ଧାବସ୍ଥା ଆସିବ ଅର୍ଥାତ୍ ଅନୁଭବୀ ହେବେ । ଗୀତା ମଧ୍ୟ କିଛି
ସମୟ ପରେ ଶୁଣାଇବେ । ତେବେ ଶିବ ଆସି କ’ଣ କଲେ, ଏକଥା କିଛି ବି ଜଣା ନାହିଁ । ସମସ୍ତେ ଯେପରି
ଅଜ୍ଞାନ ନିଦ୍ରାରେ ଶୋଇ ଯାଇଛନ୍ତି । ବାବା କହୁଛନ୍ତି ମୋର ଜୀବନ କାହାଣୀ ବିଷୟରେ କାହାକୁ ବି
ଜଣାନାହିଁ । ମୁଁ କ’ଣ କରିଛି? ମୋତେ ହିଁ ପତିତ-ପାବନ କହୁଛନ୍ତି । ଯେତେବେଳେ ମୁଁ ଆସୁଛି
ସେତେବେଳେ ମୋ ସହିତ ଗୀତା ମଧ୍ୟ ଅଛି । ମୁଁ ସାଧାରଣ ବୃଦ୍ଧ ଅନୁଭବୀ ଶରୀରରେ ଆସୁଛି । ଶିବ
ଜୟନ୍ତୀ ମଧ୍ୟ ତୁମେମାନେ ଭାରତରେ ହିଁ ପାଳନ କରୁଛ । ଶ୍ରୀକୃଷ୍ଣ ଜୟନ୍ତୀ, ଗୀତା ଜୟନ୍ତୀ - ଏହି
ତିନିଟି ହେଲା ମୁଖ୍ୟ । ରାମଙ୍କର ଜୟନ୍ତୀ ତ ପରେ ହେଉଛି । ବର୍ତ୍ତମାନ ସମୟରେ ଯାହାକିଛି ହେଉଛି
ପରେ ତାହା ପାଳନ କରାଯାଇଥାଏ । ସତ୍ୟଯୁଗ ତ୍ରେତା ଯୁଗରେ ଜୟନ୍ତୀ ଆଦି ପାଳନ ହୁଏ ନାହିଁ ।
ସୂର୍ଯ୍ୟବଂଶୀମାନଙ୍କଠାରୁ ଚନ୍ଦ୍ରବଂଶୀମାନେ ଉତ୍ତରାଧିକାରୀ ହିସାବରେ ସମ୍ପତ୍ତି ନେଇଥା’ନ୍ତି
ସେଠାରେ ଆଉ କାହାର ମହିମା ନାହିଁ । କେବଳ ରାଜାମାନଙ୍କର ରାଜ୍ୟାଭିଷେକ ପାଳନ କରୁଥିବେ ।
ଜନ୍ମଦିନ ତ ଆଜିକାଲି ସମସ୍ତେ ପାଳନ କରୁଛନ୍ତି । ତାହା ତ ସାଧାରଣ କଥା ଶ୍ରୀକୃଷ୍ଣ ଜନ୍ମ ହେଲେ,
ବଡ଼ ହେଲେ ପରେ ରାଜକାର୍ଯ୍ୟ ଚଳାଇଲେ, ଏଥିରେ ମହିମା କରିବାର ତ କୌଣସି କଥା ହିଁ ନାହିଁ ।
ସତ୍ୟଯୁଗ ତ୍ରେତା ଯୁଗରେ ସୁଖର ରାଜ୍ୟ ଚାଲିଥାଏ । ସେହି ରାଜ୍ୟ କେବେ, କିପରି ସ୍ଥାପନ ହେଲା!
ତାହା ତୁମମାନଙ୍କ ବୁଦ୍ଧିରେ ଅଛି । ବାବା କହୁଛନ୍ତି, ପିଲାମାନେ ମୁଁ କଳ୍ପ-କଳ୍ପ କଳ୍ପର
ସଂଗମଯୁଗରେ ଆସୁଛି । କଳିଯୁଗର ଶେଷ ହେଲା ପତିତ ଦୁନିଆ, ସତ୍ୟଯୁଗର ଆରମ୍ଭ ପବିତ୍ର ଦୁନିଆ । ମୁଁ
ତୁମର ପିତା, ତେଣୁ ତୁମମାନଙ୍କୁ ସମ୍ପତ୍ତି ନିଶ୍ଚିତ ଦେବି । କଳ୍ପପୂର୍ବରୁ ମଧ୍ୟ ତୁମକୁ ବର୍ସା
ଦେଇ ଥିଲି ସେଥିପାଇଁ ତୁମେମାନେ ଶିବ ଜୟନ୍ତୀ ପାଳନ କରିଆସୁଛ । କିନ୍ତୁ ମୋର ନାମକୁ ଭୁଲିଯିବା
କାରଣରୁ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛ । ଶିବବାବା ହିଁ ସର୍ବଶ୍ରେଷ୍ଠ ଅଟନ୍ତି ନା । ପ୍ରଥମେ ତ
ତାଙ୍କର ଜୟନ୍ତୀ ହେବ, ତା ପରେ ଯାଇ ସାକାର ମନୁଷ୍ୟମାନଙ୍କର ଜୟନ୍ତୀ ହେବ । ବାସ୍ତବରେ ଆତ୍ମାମାନେ
ତ ସମସ୍ତେ ଉପରୁ ଓହ୍ଲାଇଛନ୍ତି । ମୋର ମଧ୍ୟ ଅବତରଣ ହୋଇଛି । ଶ୍ରୀକୃଷ୍ଣ ତ ମାତା ଗର୍ଭରୁ ଜନ୍ମ
ନେଇଥିଲେ, ପାଳନା ନେଇଥିଲେ । ଏଠାରେ ସମସ୍ତଙ୍କୁ ପୁନର୍ଜନ୍ମରେ ଆସିବାକୁ ହିଁ ପଡ଼ିବ । ଶିବବାବା
ଏଠାକୁ ଆସୁଛନ୍ତି ସତ କିନ୍ତୁ ପୂନର୍ଜନ୍ମ ନେଉ ନାହାଁନ୍ତି । ତେବେ ଏସବୁ କଥା ବାବା ଆସି
ବୁଝାଉଛନ୍ତି । ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ତ୍ରିମୂର୍ତ୍ତି ଚିତ୍ର ଦେଖାଉଛନ୍ତି ନା । କୁହନ୍ତି,
ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, କାରଣ ଶିବଙ୍କର ତ ନିଜର ଶରୀର ହିଁ ନାହିଁ । ସିଏ ନିଜେ ଆସି
ଶୁଣାଉଛନ୍ତି ଯେ, ମୁଁ ୟାଙ୍କର ବୃଦ୍ଧ ଶରୀରରେ ଆସୁଛି । ଇଏ ନିଜର ଜନ୍ମକୁ ଜାଣି ନାହାଁନ୍ତି ।
ୟାଙ୍କର ବହୁତ ଜନ୍ମର ଏହା ଶେଷ ଜନ୍ମ ଅଟେ । ତେବେ ପ୍ରଥମେ ପ୍ରଥମେ ବୁଝାଇବାକୁ ପଡ଼ିବ ଯେ,
ଶିବଜୟନ୍ତୀ ବଡ଼ ନା ଶ୍ରୀକୃଷ୍ଣ ଜୟନ୍ତୀ ବଡ଼ ? ଯଦି ଶ୍ରୀକୃଷ୍ଣ ହିଁ ଗୀତା ଶୁଣାଉଛନ୍ତି, ତେବେ
ଗୀତା ଜୟନ୍ତୀ ତ ତାଙ୍କ ଜନ୍ମର ବହୁତ ବର୍ଷ ପରେ ହେବା ଉଚିତ କାରଣ ଶ୍ରୀକୃଷ୍ଣ ବଡ଼ ହେବେ । ଏହା
ସବୁ ବୁଝିବାର କଥା ନା । କିନ୍ତୁ ବାସ୍ତବରେ ଶିବଜୟନ୍ତୀ ପରେ ପରେ ତୁରନ୍ତ ଗୀତା ଜୟନ୍ତୀ ଆସୁଛି
। ଏହି ପଏଣ୍ଟକୁ ମଧ୍ୟ ବୁଦ୍ଧିରେ ରଖିବାକୁ ହେବ । ପଏଣ୍ଟ ତ ଅନେକ ଅଛି, ଯାହାକୁ ନୋଟ ନ କଲେ ମନେ
ରହିବ ନାହିଁ । ବ୍ରହ୍ମାବାବା ତାଙ୍କର କେତେ ନିକଟରେ ଅଛନ୍ତି, ତାଙ୍କର ରଥ ମଧ୍ୟ ଅଟନ୍ତି କିନ୍ତୁ
ସିଏ ମଧ୍ୟ କହୁଛନ୍ତି ଯେ, ସମୟ ଅନୁସାରେ ସବୁ ପଏଣ୍ଟ ମନେ ପଡ଼ିଯିବ, ତାହା ବହୁତ କଷ୍ଟକର କଥା ।
ବାବା ବୁଝାଉଛନ୍ତି ସମସ୍ତଙ୍କୁ ପ୍ରଥମେ ଦୁଇ ଜଣ ପିତାଙ୍କର ରହସ୍ୟ ବୁଝାଅ । ଶିବବାବାଙ୍କର ଜୟନ୍ତୀ
ପାଳନ କରାଯାଉଛି, ତେବେ ନିଶ୍ଚିତ ଭାବରେ ସିଏ ଏଠାକୁ ଆସୁଥିବେ । ଯେପରି ଯୀଶୁ ଖ୍ରୀଷ୍ଟ,
ବୁଦ୍ଧଦେବ, ଆସି ନିଜ ନିଜର ଧର୍ମ ସ୍ଥାପନ କରୁଛନ୍ତି । ତେବେ ସେମାନେ ମଧ୍ୟ ଆତ୍ମା ହିଁ ଅଟନ୍ତି,
ଯିଏ କି ଅନ୍ୟର ଶରୀରରେ ପ୍ରବେଶ କରି ଧର୍ମସ୍ଥାପନ କରୁଛନ୍ତି । ଇଏ ହେଲେ ହେଭେନ୍ଲୀ ଗଡ଼ ଫାଦର
ଅର୍ଥାତ୍ ସ୍ୱର୍ଗୀୟ, ଈଶ୍ୱର ପିତା, ସୃଷ୍ଟିର ରଚୟିତା । ତେବେ ନିଶ୍ଚିତ ନୂଆ ସୃଷ୍ଟି ରଚନା କରିବେ
। ସିଏ କେବେ ପୁରୁଣା ସୃଷ୍ଟି ରଚନା କରିବେକି! ନୂଆ ସୃଷ୍ଟିକୁ ସ୍ୱର୍ଗ କୁହାଯାଏ, ଏବେ ହେଲା
ନର୍କ । ବାବା କହୁଛନ୍ତି ମୁଁ କଳ୍ପ କଳ୍ପର ସଂଗମଯୁଗରେ ଆସି ତୁମମାନଙ୍କୁ ରାଜଯୋଗର ଜ୍ଞାନ ଦେଉଛି
। ଏହା ହେଲା ଭାରତର ପ୍ରାଚୀନ ଯୋଗ । ତେବେ ସେହି ଯୋଗ କିଏ ଶିଖାଇଥିଲେ? ଶିବବାବାଙ୍କ ନାମକୁ ତ
ଗୁପ୍ତ କରିଦେଇଛନ୍ତି । ପ୍ରଥମେ ତ କହୁଛନ୍ତି ଯେ, ଗୀତାର ଭଗବାନ ଶ୍ରୀକୃଷ୍ଣ ଆଉ ବିଷ୍ଣୁ
ଆଦିଙ୍କର ନାମ ଦେଇ ଦେଉଛନ୍ତି । ବାସ୍ତବରେ ଶିବବାବା ହିଁ ରାଜଯୋଗ ଶିଖାଇ ଥିଲେ । ଏକଥା କାହାକୁ
ଜଣା ନାହିଁ । ଶିବଜୟନ୍ତୀକୁ ନିରାକାରଙ୍କର ଜୟନ୍ତୀ ରୂପରେ ହିଁ ଦେଖାଉଛନ୍ତି । ସିଏ କିପରି ଆସିଲେ,
ଆସି କ’ଣ କଲେ? ସିଏ ତ’ ସମସ୍ତଙ୍କର ସଦ୍ଗତିଦାତା, ମୁକ୍ତିଦାତା, ଗାଇଡ଼୍ ଅର୍ଥାତ୍ ପଥ ପ୍ରଦର୍ଶକ
ଅଟନ୍ତି । ଏବେ ସର୍ବ ଆତ୍ମାଙ୍କୁ ପରମାତ୍ମା ପଥ ପ୍ରଦର୍ଶକଙ୍କର ଆବଶ୍ୟକତା ରହଛି । ସିଏ ମଧ୍ୟ
ଆତ୍ମା ହିଁ ଅଟନ୍ତି । ଯେପରି ମନୁଷ୍ୟଙ୍କର ଗାଇଡ୍ ମନୁଷ୍ୟ ହିଁ ହୋଇଥା’ନ୍ତି, ସେହିପରି
ଆତ୍ମାମାନଙ୍କର ଗାଇଡ଼୍ ମଧ୍ୟ ଆତ୍ମା ହିଁ ହେବା ଆବଶ୍ୟକ । ସିଏ ପରମଆତ୍ମା ହିଁ ଅଟନ୍ତି । ମନୁଷ୍ୟ
ତ ସମସ୍ତେ ପୁନର୍ଜନ୍ମ ନେଇ ନେଇ ପତିତ ହୋଇ ଯାଇଛନ୍ତି । ତେବେ ସମସ୍ତଙ୍କୁ ପାବନ କରି କିଏ ଘରକୁ
ନେଇଯିବେ? ବାବା କହୁଛନ୍ତି ମୁଁ ହିଁ ଆସି ପାବନ ହେବାର ଉପାୟ କହୁଛି । ତୁମେମାନେ ମୋତେ ମନେପକାଅ
। ଶ୍ରୀକୃଷ୍ଣ ତ ଏ କଥା କହିପାରିବେ ନାହିଁ ଯେ, ଦେହର ସବୁ ସମ୍ବନ୍ଧକୁ ଛାଡ଼ । କାରଣ ସିଏ ତ ନିଜେ
୮୪ ଜନ୍ମ ନେଇଛନ୍ତି । ସବୁ ପ୍ରକାରର ସମ୍ବନ୍ଧରେ ମଧ୍ୟ ଆସୁଛନ୍ତି । ବାବାଙ୍କୁ ତ ନିଜର ଶରୀର
ନାହିଁ । ତୁମକୁ ଏହି ଆତ୍ମିକ ଯାତ୍ରା ବାବା ହିଁ ଶିଖାଉଛନ୍ତି । ଏହା ହେଉଛି ଆତ୍ମିକ ପିତାଙ୍କର
ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ଜ୍ଞାନ । ଶ୍ରୀକୃଷ୍ଣ କାହାର ଆତ୍ମିକ ପିତା ତ ନୁହଁନ୍ତି
ନା । ମୁଁ ସବୁ ଆତ୍ମାମାନଙ୍କର ଆତ୍ମିକ ପିତା ଏବଂ ଗାଇଡ଼୍ ମଧ୍ୟ ଅଟେ । ମୁକ୍ତି ଦାତା, ପଥ
ପ୍ରଦର୍ଶକ, ଆନନ୍ଦର ଭଣ୍ଡାର, ସଦା ପବିତ୍ର ସବୁକିଛି ମୋ ପାଇଁ ହିଁ କୁହାଯାଉଛି । ଏବେ ମୁଁ ଏହି
ଶରୀର ଦ୍ୱାରା ତୁମ ଆତ୍ମାମାନଙ୍କୁ ଜ୍ଞାନ ଦେଉଛି । ତୁମେ ମଧ୍ୟ ଶରୀର ଦ୍ୱାରା ଜ୍ଞାନ ଗ୍ରହଣ
କରୁଛ । ସିଏ ହେଲେ ଗଡ଼ ଫାଦର(ଈଶ୍ୱର ପିତା), ସିଏ ନିଜର ରୂପ ସମ୍ବନ୍ଧରେ ମଧ୍ୟ ବତାଇଛନ୍ତି,
ଯେମିତି ଆତ୍ମା ବିନ୍ଦୁ ସେମିତି ପରମାତ୍ମା ମଧ୍ୟ ବିନ୍ଦୁ ଅଟନ୍ତି । ଏହା ମଧ୍ୟ ନିୟତ୍ତି ଅଟେ ନା
। ଏତେ ଛୋଟ ତାରକା ସଦୃଶ ଆତ୍ମା ଭିତରେ ୮୪ ଜନ୍ମର ପାର୍ଟ ଭରି ହୋଇ ରହିଛି । ବାସ୍ତବରେ ଏହାକୁ
ହିଁ ସବୁଠାରୁ ବଡ଼ ପ୍ରାକୃତିକ କଥା କୁହାଯିବ । ଏହା ହିଁ ନିୟତ୍ତି ଅଟେ । ବାବାଙ୍କର ମଧ୍ୟ
ଡ଼୍ରାମାରେ ପାର୍ଟ ରହିଛି । ଯିଏକି ଭକ୍ତିମାର୍ଗରେ ମଧ୍ୟ ତୁମର ସେବା କହୁଛନ୍ତି । ତୁମ ଆତ୍ମାରେ
୮୪ ଜନ୍ମର ପାର୍ଟ ଅବିନାଶୀ ଅଟେ, ଏହାକୁ ହିଁ କୁହାଯାଉଛି ନିୟତି, ଏହାର ବର୍ଣ୍ଣନା କିପରି
କରାଯିବ । ଆତ୍ମା ଏତେ ଛୋଟ, ଏକଥା ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଆତ୍ମା ମଧ୍ୟ ତାରକା ସଦୃଶ
କିନ୍ତୁ ସମ୍ପୂର୍ଣ୍ଣ ୮୪ ଜନ୍ମ ଭୋଗ କରୁଛି । ସୁଖ ମଧ୍ୟ ସମ୍ପୂର୍ଣ୍ଣ ଭୋଗ କରିବ । ଏହା ହିଁ
ପ୍ରକୃତି ଅଟେ । ବାବା ମଧ୍ୟ ଆତ୍ମା ହିଁ ଅଟନ୍ତି କିନ୍ତୁ ସିଏ ହେଲେ ପରମଆତ୍ମା, ତାଙ୍କ ଭିତରେ
ସୃଷ୍ଟିର ସବୁ ଜ୍ଞାନ ଭରି ହୋଇ ରହିଛି, ଯାହାକି ପିଲାମାନଙ୍କୁ ବୁଝାଉଛନ୍ତି । ଏସବୁ ହେଲା ନୂଆକଥା,
ନୂଆ ଲୋକମାନେ ଶୁଣିଲେ କହିବେ ଏମାନଙ୍କର ଜ୍ଞାନ କୌଣସି ଶାସ୍ତ୍ର ପୁରାଣରେ ମଧ୍ୟ ନାହିଁ । କିନ୍ତୁ
ଯେଉଁମାନେ କଳ୍ପ ପୂର୍ବେ ଶୁଣିଥିଲେ, ବର୍ସା ନେଇଥିଲେ ସେହିମାନେ ହିଁ ଏଠାକୁ ଆସୁଛନ୍ତି, ଧୀରେ
ଧୀରେ ବୃଦ୍ଧି ପ୍ରାପ୍ତ ହେଉଛି । ଏଥିରେ ସମୟ ଲାଗୁଛି । ପ୍ରଜା ମଧ୍ୟ ଅନେକ ହେଉଛନ୍ତି । ତାହା ତ
ବହୁତ ସହଜ । କିନ୍ତୁ ରାଜା ହେବାରେ ବହୁତ ପରିଶ୍ରମ ରହିଛି । ଯେଉଁମାନେ ବହୁତ ଧନ ଦାନ କରନ୍ତି,
ସେମାନେ ରାଜା ଘରେ ଜନ୍ମ ନେଇଥା’ନ୍ତି । ଗରିବମାନେ ମଧ୍ୟ ନିଜର ଶକ୍ତିମୁତାବକ ଯାହାକିଛି ଦାନ
କରୁଥିବେ ସେଥିରେ ସେମାନେ ମଧ୍ୟ ରାଜା ହେବେ । ଯେଉଁମାନେ ନିଷ୍ଠାପର ଭକ୍ତ ଥା’ନ୍ତି ସେମାନେ
ମଧ୍ୟ ଦାନ ପୁଣ୍ୟ କରନ୍ତି । ସାହୁକାରମାନଙ୍କ ଦ୍ୱାରା ପାପ ମଧ୍ୟ ଅଧିକ ହେଉଥିବ । କିନ୍ତୁ
ଗରିବଙ୍କ ଭିତରେ ଭଗବାନଙ୍କ ପ୍ରତି ବହୁତ ଶ୍ରଦ୍ଧା ଥାଏ । ସେମାନେ ବହୁତ ସ୍ନେହର ସହିତ ଅଳ୍ପ କିଛି
ବି ଦାନ କରିଦେଲେ ମଧ୍ୟ ତାଙ୍କୁ ବହୁତ ମିଳିଥାଏ । ଗରିବମାନେ ଭକ୍ତି ମଧ୍ୟ ବହୁତ କରନ୍ତି ।
କହନ୍ତି ଦର୍ଶନ ଦିଅ, ନଚେତ୍ ଗଳା କାଟିଦେବୁ । ସାହୁକାର ଏପରି କହିବେ ନାହିଁ । ସାକ୍ଷାତ୍କାର
ମଧ୍ୟ ଗରିବକୁ ହିଁ ହୋଇଥାଏ ଏବଂ ସେହିମାନେ ହିଁ ଅଧିକ ଦାନପୁଣ୍ୟ କରିଥା’ନ୍ତି । ରାଜା ମଧ୍ୟ
ସେହିମାନେ ହୋଇଥା’ନ୍ତି । ପଇସା ବାଲା ଲୋକଙ୍କୁ ବହୁତ ଅହଂକାର ଥାଏ । ଏଠାରେ ମଧ୍ୟ ଗରିବମାନଙ୍କୁ
୨୧ ଜନ୍ମର ସୁଖ ମିଳୁଛି । ଗରିବ ମଧ୍ୟ ଅଧିକ ଅଛନ୍ତି । ସାହୁକାରମାନେ ଶେଷ ସମୟରେ ଆସିବେ । ତେବେ
ଭାରତ ଯିଏ କି ଏତେ ଉଚ୍ଚ ଥିଲା, ସିଏ ପୁଣି ଏତେ ଗରିବ କିପରି ହେଲା, ସେକଥା ତୁମେମାନେ ହିଁ
ଜାଣିଛ । ଯେତେବେଳେ ଦ୍ୱାପର ଆରମ୍ଭରେ ଭୂମିକମ୍ପରେ ମହଲ ଇତ୍ୟାଦି ସବୁ ନଷ୍ଟ ହୋଇଯିବ ଭାରତ ଗରିବ
ହୋଇଯିବ । ରାବଣ ରାଜ୍ୟ ହେବା ଦ୍ୱାରା ହାହାକାର ହୋଇଯାଏ, ତେଣୁ ଏହିଭଳି ଜିନିଷ ଅର୍ଥାତ୍ ମହଲ ଆଦି
ରହିପାରିବ ନାହିଁ । ପ୍ରତ୍ୟେକ ଜିନିଷର ଆୟୁଷ ତ ଥାଏ ନା । ସେଠାରେ ମନୁଷ୍ୟମାନଙ୍କର ଆୟୁଷ ଯେପରି
ଅଧିକ ଥାଏ, ସେହିପରି ଘରର ଆୟୁଷ ମଧ୍ୟ ଅଧିକ ହୋଇଥାଏ । ସୁନାର, ମାର୍ବଲର ବଡ଼ ବଡ଼ ଘର ତିଆରି ହୋଇ
ଚାଲିବ । ସୁନାର ମହଲ ତ ବହୁତ ମଜବୁତ ହେବ । ନାଟକରେ ମଧ୍ୟ ଦେଖାଇଥା’ନ୍ତି ନା - ଯୁଦ୍ଧ ଲାଗିଥାଏ,
ଘର ଦ୍ୱାର ସବୁ ଭାଙ୍ଗିରୁଜି ଯାଏ, ପୁଣି ତିଆରି ହୋଇଯାଏ । ସେଗୁଡ଼ିକ ସେହିଭଳି ତିଆରି ହୋଇଥାଏ ।
ସ୍ୱର୍ଗରେ ମହଲ ଆଦି ଯାହାକିଛି ତିଆରି କରିବେ, ଏମିତି ନୁହେଁ ଯେ, ମିସ୍ତ୍ରୀମାନେ କିପରି ତିଆରି
କରିବେ ତାହା ମଧ୍ୟ ଦେଖାଇବେ । ହଁ ଏତିକି ଜାଣୁଛନ୍ତି ଯେ କଳ୍ପପୂର୍ବ ଭଳି ଘର ତିଆରି ହେବ ।
ବିବେକ କହୁଛି ଆଗକୁ ଗଲେ ତୁମକୁ ସବୁ ସାକ୍ଷାତ୍କାର ହେବ । ତେବେ ଏସବୁ କଥାରେ ପିଲାମାନଙ୍କର
କୌଣସି ସମ୍ବନ୍ଧ ନାହିଁ । ପିଲାମାନଙ୍କୁ ତ ପାଠ ପଢିବାକୁ ହେବ । ସ୍ୱର୍ଗର ମାଲିକ ହେବାକୁ ପଡିବ
। ସ୍ୱର୍ଗ ଏବଂ ନର୍କ ତ ଅନେକ ଥର ପାଶ୍ ହୋଇଛି । ଏବେ ସ୍ୱର୍ଗ ଏବଂ ନର୍କ ଉଭୟ ପାଶ୍ ହୋଇଯାଇଛି ।
ଏବେ ହେଉଛି ସଂଗମଯୁଗ । ସତ୍ୟଯୁଗରେ ଜ୍ଞାନ ରହିବ ନାହିଁ । ବର୍ତ୍ତମାନ ତୁମମାନଙ୍କୁ ପୁରା ଜ୍ଞାନ
ମିଳିଛି । ଲକ୍ଷ୍ମୀ-ନାରାୟଣଙ୍କୁ ଏହି ଜ୍ଞାନ କିଏ ଦେଇଥିଲା, ସେକଥା ଏବେ ତୁମେମାନେ ଜାଣୁଛ ।
ଏମାନେ ଏହି ସମ୍ପତ୍ତି କାହାଠାରୁ ପାଇଥିଲେ? ସେମାନେ ଏହିଠାରେ ପାଠପଢି ସ୍ୱର୍ଗର ମାଲିକ ହେଉଛନ୍ତି
। ପୁଣି ସେଠାରେ ଯାଇ ମହଲ ଆଦି ତିଆରି କରିବେ । ସର୍ଜନ ବା ଡ଼ାକ୍ତରମାନେ ମଧ୍ୟ ବଡ଼ ବଡ଼ ଡ଼ାକ୍ତରଖାନା
ତିଆରି କରିଥା’ନ୍ତି ନା ।
ବାବା ପିଲାମାନଙ୍କୁ ଦିନକୁ ଦିନ ଜ୍ଞାନର ନୂଆ ନୂଆ ପଏଣ୍ଟ ଶୁଣାଉଛନ୍ତି । ତୁମର ଧନ୍ଦା ହେଲା
ମନୁଷ୍ୟମାନଙ୍କୁ ସଚେତନ କରିବା, ରାସ୍ତା ଦେଖାଇବା । ଯେପରି ବାବା କେତେ ସ୍ନେହରେ ବସି
ବୁଝାଉଛନ୍ତି । ଏଥିରେ ଦେହ-ଅଭିମାନର କୌଣସି କଥା ନାହିଁ । ବାବା କେବେ ବି ହେଲେ ଦେହ-ଅଭିମାନ
ହୋଇ ପାରିବେ ନାହିଁ । ତୁମକୁ ଦେହୀ ଅଭିମାନୀ ହେବାରେ ହିଁ ପରିଶ୍ରମ କରିବାକୁ ପଡ଼ୁଛି । ଯେଉଁମାନେ
ଦେହୀ-ଅଭିମାନୀ ହୋଇ ବାବାଙ୍କର ପରିଚୟ ଦେଉଛନ୍ତି, ବୁଝିବାକୁ ହେବ ଯେ, ସେମାନେ ଅନେକଙ୍କର
କଲ୍ୟାଣ କରୁଛନ୍ତି । ପ୍ରଥମେ ଦେହ-ଅଭିମାନ ଆସେ, ତା’ପରେ ପୁଣି ଅନ୍ୟାନ୍ୟ ବିକାର ସବୁ
ଆସିଥା’ନ୍ତି । ଲଢେଇ ଝଗଡ଼ା କରିବା, ନବାବଙ୍କ ଭଳି ବ୍ୟବହାର କରିବା ଏସବୁ ହେଲା ଦେହ-ଅଭିମାନ ।
ଯଦିଓ ଏହା ଆମର ରାଜଯୋଗ କିନ୍ତୁ ବହୁତ ସାଧାରଣ ଭାବରେ ରହିବାକୁ ହେବ । କିନ୍ତୁ ଟିକିଏ ଟିକିଏ
କଥାରେ ଅହଂକାର ଆସିଯାଉଛି । ଯଦି କୌଣସି ସଉକିଆ ଘଡ଼ିଟିଏ ଦେଖିଲେ ତେବେ ଇଚ୍ଛା ହେବ ପିନ୍ଧିବା
ପାଇଁ । ମନ ଭିତରେ ବିଚାର ଚାଲିବ । ଏହାକୁ ମଧ୍ୟ ଦେହ-ଅଭିମାନ କୁହାଯାଏ । ଯଦି ବହୁତ ଭଲ ଦାମୀ
ଜିନିଷ ରଖିବ ତେବେ ତା’ର ମଧ୍ୟ ଯତ୍ନ ନେବାକୁ ପଡ଼ିବ । ଯଦି ହଜିଗଲା ତେବେ ମନ ବ୍ୟସ୍ତ ହେବ ।
ଅନ୍ତିମ ସମୟରେ ଯଦି କିଛି ବି ମନେପଡ଼ିଲା ତେବେ ପଦ ଭ୍ରଷ୍ଟ ହୋଇଯିବ । ଏସବୁ ହେଲା ଦେହ -
ଅଭିମାନର ଅଭ୍ୟାସ । ସେମାନେ ପୁଣି ନିଶ୍ଚିତ ସେବା ପରିବର୍ତ୍ତେ ଅପସେବା କରିବେ । ରାବଣ ତୁମକୁ
ଦେହ-ଅଭିମାନୀ କରିଦେଇଛି । ତୁମେ ଦେଖୁଛ ବାବା କେତେ ସାଧାରଣ ଭାବରେ ଚଳୁଛନ୍ତି । ସମସ୍ତଙ୍କର
ସେବାକୁ ଦେଖାଯାଇଥାଏ । ମହାରଥୀ ପିଲାମାନଙ୍କୁ ସେବା ଦ୍ୱାରା ନିଜର ଅବସ୍ଥାକୁ ମଜଭୁତ କରିବାକୁ
ପଡ଼ିବ । ମହାରଥୀମାନଙ୍କୁ ହିଁ ଚିଠି ଲେଖାଯାଇ ଥାଏ ଯେ, ତୁମେ ଅମୁକ ଜାଗାକୁ ଯାଇ ଭାଷଣ କର । ଜଣେ
ଅନ୍ୟ ଜଣକୁ ସେବା କରିବା ପାଇଁ ଡାକିଥା’ନ୍ତି । କିନ୍ତୁ ପିଲାମାନଙ୍କ ଭିତରେ ଦେହ-ଅଭିମାନ ବହୁତ
ରହୁଛି । ଯଦିଓ ଭାଷଣ କରିବାରେ ବହୁତ ପାରଙ୍ଗମ କିନ୍ତୁ ନିଜ ଭିତରେ ଆତ୍ମିକ ସ୍ନେହ ନାହିଁ ।
ଦେହ-ଅଭିମାନ ସମ୍ବନ୍ଧକୁ ଖରାପ କରିଦେଉଛି । କୌଣସି କଥାରେ ତୁରନ୍ତ ବିଗିଡ଼ିଯିବା, ଏଭଳି ମଧ୍ୟ
ହେବା ଉଚିତ୍ ନୁହେଁ । ସେଥିପାଇଁ ବାବା କହୁଛନ୍ତି, ଯଦି କାହାକୁ କିଛି ପଚାରିବାର ଅଛି ତେବେ
ବାବାଙ୍କୁ ଆସି ପଚାର । ଯଦି କେହି ପଚାରିବେ ବାବା ଆପଣଙ୍କର କେତେ ଜ’ଣ ପିଲା ? ତେବେ ବାବା କହିବେ
ପିଲା ତ ଅଗଣିତ କିନ୍ତୁ କେହି କୁପୁତ୍ର, କେହି ସୁପୁତ୍ର ମଧ୍ୟ ଅଛନ୍ତି । ତେବେ ଏଭଳି ବାବାଙ୍କର
ତ ଆଜ୍ଞାକାରୀ, ବିଶ୍ୱସ୍ତ ହୋଇ ରହିବା ଉଚିତ୍ ନା । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଦେହ-ଅଭିମାନରେ ଆସି କୌଣସି ପ୍ରକାରର ଫେଶନ କରିବାର ନାହିଁ । କୌଣସି ଜିନିଷର ଅଧିକ ସଉକ ରଖିବାର
ନାହିଁ । ବହୁତ ବହୁତ ସାଧାରଣ ଭାବରେ ଚଳିବାକୁ ହେବ ।
(୨) ପରସ୍ପର ଭିତରେ
ବହୁତ-ବହୁତ ସ୍ନେହର ସହିତ ଚଳିବାକୁ ହେବ, କେବେ ହେଲେ ସମ୍ବନ୍ଧ ଖରାପ କରିବା ଉଚିତ୍ ନୁହେଁ ।
ବାବାଙ୍କର ସୁପୁତ୍ର ସନ୍ତାନ ହେବାର ଅଛି । ଅହଂକାରରେ କେବେ ହେଲେ ଆସିବାର ନାହିଁ ।
ବରଦାନ:-
ନିଜ ଭାଗ୍ୟର ଏବଂ
ଭାଗ୍ୟ ବିଧାତାଙ୍କର ଗୁଣଗାନ କରୁଥିବା ସଦା ପ୍ରସନ୍ନଚିତ୍ତ ଭବ ।
ସମସ୍ତ ବ୍ରାହ୍ମଣ
ପିଲାମାନଙ୍କୁ ଜନ୍ମ ହେବା ମାତ୍ରକେ ଜନ୍ମସିଦ୍ଧ ଅଧିକାର ରୂପରେ ମୁକୁଟ, ତିଳକ ଏବଂ ସିଂହାସନ
ପ୍ରାପ୍ତ ହୋଇଥାଏ । ତେଣୁ ଏହିଭଳି ଚମକୁଥିବା ଭାଗ୍ୟର ତାରକାକୁ ଦେଖି ନିଜର ଭାଗ୍ୟର ଏବଂ
ଭାଗ୍ୟବିଧାତାଙ୍କର ଗୁଣ ଗାନ କର, ଯାହାଦ୍ୱାରା ତୁମେ ଗୁଣ ସମ୍ପନ୍ନ ହୋଇଯିବ । କିନ୍ତୁ ନିଜର
ଦୁର୍ବଳତା ଗୁଡିକର ଗୁଣଗାନ କର ନାହିଁ, କେବଳ ଭାଗ୍ୟର ହିଁ ଗୁଣ ଗାନ କର । ଯଦି ସର୍ବଦା
ପ୍ରଶ୍ନଠାରୁ ଉର୍ଦ୍ଧ୍ୱରେ ରହିବ, ତେବେ ଯାଇ ସର୍ବଦା ପ୍ରସନ୍ନଚିତ୍ତ ହୋଇ ରହିବାର ବରଦାନ
ପ୍ରାପ୍ତ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ ସହଜରେ ପ୍ରସନ୍ନ କରିପାରିବ ।
ସ୍ଲୋଗାନ:-
ଏକନମୀ ଏବଂ
ଇକୋନମୀ ଅର୍ଥାତ୍ ମିତବ୍ୟୟୀ ହୋଇ ଚାଲିବା ହିଁ ବ୍ରାହ୍ମଣ ଜୀବନରେ ସଫଳତାର ଆଧାର ଅଟେ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ନିଶ୍ଚୟ ସର୍ବଦା
ନିଶ୍ଚିନ୍ତ ହିଁ କରିଥାଏ ଏବଂ ଯିଏ ସର୍ବଦା ନିଶ୍ଚିନ୍ତ ସ୍ଥିତିରେ ରହି କାର୍ଯ୍ୟ କରିଥାଏ ସେ
ସବୁଥିରେ ସଫଳତା ପ୍ରାପ୍ତ କରିଥାଏ, କାହିଁକିନା ନିଶ୍ଚିନ୍ତ ସ୍ଥିତିରେ ବୁଦ୍ଧି ଯଥାର୍ଥ
ନିର୍ଣ୍ଣୟ ନେଇଥାଏ । ତେବେ ଯଥାର୍ଥ ନିଶ୍ଚୟର ଆଧାର ହେଲା - ନିଶ୍ଚୟ ବୁଦ୍ଧି, ନିଶ୍ଚିନ୍ତ ବୁଦ୍ଧି,
ସେଥିରେ ଭାବିବାର ମଧ୍ୟ ଆବଶ୍ୟକତା ନ ଥାଏ ।