04.05.25    Avyakt Bapdada     Odia Murli    20.02.2005     Om Shanti     Madhuban


“ଦିଲ୍‌ରେ ମେରା ବାବା କୁହ ଏବଂ ସର୍ବ ଅବିନାଶୀ ସମ୍ପତ୍ତିର ମାଲିକ ହୋଇ ଚିନ୍ତାମୁକ୍ତ ସମ୍ରାଟ ହୁଅ”


ଆଜି ଭାଗ୍ୟ ବିଧାତା ବାପଦାଦା ନିଜର ସମସ୍ତ ପିଲାମାନଙ୍କର ମସ୍ତକରେ ଭାଗ୍ୟର ରେଖାଗୁଡିକୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନର ମସ୍ତକରେ ଚମକୁଥିବା ଦିବ୍ୟ ତାରକା ରୂପୀ ରେଖା ଦୃଶ୍ୟମାନ ହେଉଛି । ପ୍ରତ୍ୟେକଙ୍କର ନୟନରେ ସ୍ନେହ ଏବଂ ଶକ୍ତିର ରେଖାକୁ ଦେଖୁଛନ୍ତି । ମୁଖରେ ଶ୍ରେଷ୍ଠ ମଧୁର ବାଣୀର ରେଖାକୁ ଦେଖୁଛନ୍ତି । ସମସ୍ତଙ୍କ ଓଠରେ ମଧୁର ସ୍ମିତହାସ୍ୟର ରେଖା ମଧ୍ୟ ଚମକୁଛି । ଦିଲ୍ ଅର୍ଥାତ୍ ହୃଦୟରେ ଦିଲାରାମଙ୍କର ସ୍ନେହରେ ଲବଲୀନ ହେବାର ରେଖା ଦେଖୁଛନ୍ତି । ହାତ ଦୁଇଟିରେ ସର୍ବଦା ସର୍ବ ସମ୍ପତ୍ତିରେ ସମ୍ପନ୍ନତାର ରେଖାକୁ ଦେଖୁଛନ୍ତି । ପାଦରେ ପ୍ରତି କଦମରେ ପଦମର ରୋଜଗାରର ରେଖାକୁ ଦେଖୁଛନ୍ତି । ଏଭଳି ଶ୍ରେଷ୍ଠ ଭାଗ୍ୟ ସାରା କଳ୍ପ ଭିତରେ କାହାର ବି ନାହିଁ, ଯାହାକି ତୁମମାନଙ୍କୁ ଏହି ସଂଗମଯୁଗରେ ପ୍ରାପ୍ତ ହୋଇଛି । ଏହିଭଳି ନିଜର ଭାଗ୍ୟକୁ ଅନୁଭବ କରୁଛ ତ? ଏତେ ଶ୍ରେଷ୍ଠ ଭାଗ୍ୟର ଆତ୍ମିକ ନିଶା ଅନୁଭବ କରୁଛ ତ? ବାଃ ମୋର ଭାଗ୍ୟ!ର ଗୀତ ତୁମ ଅନ୍ତରରେ ଆପେ-ଆପେ ବାଜୁଛି ତ । ଏହି ସଂଗମଯୁଗର ଭାଗ୍ୟ ଅବିନାଶୀ ଭାଗ୍ୟ ପାଲଟିଯାଏ । କାହିଁକି ଜାଣିଛ? ଅବିନାଶୀ ପିତାଙ୍କ ଦ୍ୱାରା ତୁମମାନଙ୍କୁ ଅବିନାଶୀ ଭାଗ୍ୟ ପ୍ରାପ୍ତ ହେଉଛି । କିନ୍ତୁ କେବଳ ଏହି ସଂଗମଯୁଗରେ ହିଁ ପ୍ରାପ୍ତ ହେଉଛି । ଏହି ସଂଗମଯୁଗରେ ହିଁ ଅନୁଭୂତି କରୁଛ ଯେ ସଂଗମଯୁଗର ଏହି ବିଶେଷ ପ୍ରାପ୍ତି ଅତି ଶ୍ରେଷ୍ଠ ଅଟେ । ତେବେ ଏହିଭଳି ଶ୍ରେଷ୍ଠ ଭାଗ୍ୟର ଅନୁଭବ ସ୍ମୃତିରେ ସର୍ବଦା ଜାଗ୍ରତ ରହୁଛି ନା କେବେ ସୁପ୍ତ, କେତେ ଜାଗ୍ରତ ରହୁଛି? ଏଥିପାଇଁ ପୁରୁଷାର୍ଥ ମଧ୍ୟ କ’ଣ କରିଛ? ଏତେ ବଡ ଭାଗ୍ୟର ପ୍ରାପ୍ତି ପାଇଁ ପୁରୁଷାର୍ଥ ମଧ୍ୟ କେତେ ସହଜ ଅଟେ । କେବଳ ଦିଲ୍ ଭିତରେ ଜାଣିଲ, ମାନିଲ ଏବଂ ନିଜର କରିନେଲ । “ମେରା ବାବା” କହିଲ । ଅନ୍ତରର ସହିତ ଚିହ୍ନିଗଲ, ମୁଁ ବାବାଙ୍କର ବାବା ମୋ’ର । ତେବେ ମୋ’ର ବୋଲି ଭାବିବା ଅର୍ଥ ଅଧିକାରୀ ହୋଇଯିବା ଏବଂ ଅଧିକାର ମଧ୍ୟ କେତେ ବିଶାଳ ଅଟେ! ଟିକିଏ ଚିନ୍ତା କର, ଯଦି କେହି ତୁମକୁ ପଚାରିବ କ’ଣ ସବୁ ମିଳିଛି? ତେବେ କ’ଣ କହିବ? ଯାହା ପାଇବାର ଥିଲା ତାହା ପାଇଗଲୁ । ପରମାତ୍ମା ପିତାଙ୍କର ଭଣ୍ଡାରରେ କୌଣସି ବି ବସ୍ତୁ ଅପ୍ରାପ୍ତ ନୁହେଁ, ତେବେ ଏହିଭଳି ପ୍ରାପ୍ତି ସ୍ୱରୂପର ଅନୁଭବ କରିସାରିଲଣି ନା ଏବେ କରୁଛ? ଭବିଷ୍ୟତର କଥା ତ ଅଲଗା କିନ୍ତୁ ପ୍ରାପ୍ତି ସ୍ୱରୂପର ଅନୁଭବ କେବଳ ଏହି ସଂଗମଯୁଗରେ ହିଁ କରିପାରିବ । ଯଦି ସଂଗମଯୁଗରେ ଅନୁଭବ କରି ନ ପାରିଲ ତେବେ ଭବିଷ୍ୟତରେ ମଧ୍ୟ ହୋଇପାରିବ ନାହିଁ । କାହିଁକି ଜାଣିଛ? ଭବିଷ୍ୟତ ତ ପ୍ରାରବ୍ଧ ଅଟେ କିନ୍ତୁ ସେହି ପ୍ରାରବ୍ଧ ମଧ୍ୟ ଏହି ସମୟର ପୁରୁଷାର୍ଥର ଶ୍ରେଷ୍ଠ କର୍ମ ଦ୍ୱାରା ହିଁ ତିଆରି ହେଉଛି । ଏମିତି ନୁହେଁ ଯେ ଶେଷ ସମୟରେ ହିଁ ଅନୁଭବ ସ୍ୱରୂପ ହେବ । ସଂଗମଯୁଗର ଏହି ଅନୁଭବ ବହୁତ କାଳର ଅଟେ । ତେବେ ଜୀବନମୁକ୍ତ ସ୍ଥିତିର ବିଶେଷ ଅନୁଭବ ଏବେ ହିଁ କରିବ । ଚିନ୍ତାମୁକ୍ତ ସମ୍ରାଟ ହେବାର ଅନୁଭବ ମଧ୍ୟ ଏବେ ହିଁ କରୁଛ । ତେବେ ସମସ୍ତେ ଚିନ୍ତାମୁକ୍ତ ସମ୍ରାଟ ଅଟ ନା କୌଣସି ଚିନ୍ତା ଅଛି? ଯେଉଁମାନେ ଚିନ୍ତାମୁକ୍ତ ସମ୍ରାଟ ହୋଇଯାଇଛନ୍ତି, ସେମାନେ ହାତ ଉଠାଅ । କ’ଣ ହୋଇସାରିଛ ନା ଏବେ ହେଉଛ? ହୋଇଯାଇଛ ନା! ଆଉ ଚିନ୍ତା କ’ଣ ଅଛି? ଯେବେ କି ଦାତାଙ୍କର ସନ୍ତାନ ହୋଇଯାଇଛ ତେବେ ଆଉ ଚିନ୍ତା କ’ଣ ଅଛି? ବାବା ମୋ’ର ଅଟନ୍ତି - ଏହାକୁ ସ୍ୱୀକାର କରିନେବା ଅର୍ଥ ଚିନ୍ତାର ବୋଝ ଗୁଡିକୁ ମୁଣ୍ଡ ଉପରୁ ଓହ୍ଲାଇ ଦେବା । କ’ଣ ଆଉ କୌଣସି ବୋଝ ଅଛି କି? ଅଛି କି? ପ୍ରକୃତିର ଖେଳ ମଧ୍ୟ ଦେଖୁଛ, ମାୟାର ଖେଳ ମଧ୍ୟ ଦେଖୁଛ କିନ୍ତୁ ଚିନ୍ତାମୁକ୍ତ ସମ୍ରାଟ ହୋଇ ଦେଖୁଛ, ସାକ୍ଷୀ ହୋଇ ଖେଳ ଦେଖୁଛ । ଦୁନିଆର ଲୋକମାନେ ତ ଭୟ କରୁଛନ୍ତି, କିଏ ଜାଣେ କ’ଣ ହେବ! କ’ଣ ତୁମମାନଙ୍କୁ ମଧ୍ୟ ଡର ଲାଗୁଛି କି? ଡରିଯାଉଛ କି? ନିଶ୍ଚୟ ମଧ୍ୟ ଅଛି ଏବଂ ନିଶ୍ଚିତ ମଧ୍ୟ ଅଟେ, ଯାହା ବି ହେବ ତାହା ଭଲରୁ ଭଲ ହିଁ ହେବ । କାହିଁକି ଜାଣିଛ? ତ୍ରିକାଳଦର୍ଶୀ ହୋଇ ପ୍ରତ୍ୟେକ ଦୃଶ୍ୟକୁ ଦେଖୁଛ । ଆଜି କ’ଣ ଅଛି, କାଲି କ’ଣ ହେବାକୁ ଯାଉଛି, ଏହାକୁ ଭଲ ଭାବରେ ଜାଣିସାରିଛ, ଜ୍ଞାନୀ ଆତ୍ମା ଅଟ ନା! ସଂଗମ ପରେ କ’ଣ ହେବ ତାହା ମଧ୍ୟ ତୁମମାନଙ୍କ ସମ୍ମୁଖରେ ସ୍ପଷ୍ଟ ଅଟେ ନା! ନବଯୁଗ ତ ନିଶ୍ଚିତ ଆସିବ । ଦୁନିଆରେ ଲୋକମାନେ କହିବେ ସତରେ କ’ଣ ଆସିବ? ପ୍ରଶ୍ନବାଚକ ଚିହ୍ନ ଲଗାଇବେ, କିନ୍ତୁ ତୁମେମାନେ କ’ଣ କହୁଛ? ଆସି କରି ହିଁ ରହିଛି, ସେଥିପାଇଁ କ’ଣ ହେବ? ଏହି ପ୍ରଶ୍ନ ହିଁ ଉଠୁ ନାହିଁ । ଆମକୁ ଜଣା ଅଛି ସୁବର୍ଣ୍ଣଯୁଗ ନିଶ୍ଚିତ ଆସିବ । କଳିଯୁଗର ରାତି ପାହି ଯିବା ପରେ, ଏବେ ସଂଗମଯୁଗର ପ୍ରଭାତ ସମୟ ଚାଲିଛି, ଅମୃତବେଳା ଚାଲିଛି, ଅମୃତବେଳା ପରେ ଦିନ ନିଶ୍ଚିତ ଆସିବ । ଯାହାର ନିଶ୍ଚୟ ଥିବ ସେ ନିଶ୍ଚିନ୍ତ ସ୍ଥିତିରେ ରହିବ, କୌଣସି ଚିନ୍ତା ନଥିବ, ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ । ବିଶ୍ୱର ରଚୟିତାଙ୍କ ଦ୍ୱାରା ରଚନାର ସ୍ପଷ୍ଟ ଜ୍ଞାନ ମିଳିଯାଇଛି ।

ବାପଦାଦା ଦେଖୁଛନ୍ତି ସବୁ ପିଲା ସ୍ନେହର, ସହଯୋଗର ଏବଂ ସମ୍ପର୍କର ସ୍ନେହରେ ବାନ୍ଧି ହୋଇ ନିଜର ଘରେ ପହଞ୍ଚି ଯାଇଛନ୍ତି । ବାପଦାଦା ସମସ୍ତ ସ୍ନେହୀ-ସହଯୋଗୀ ପିଲାମାନଙ୍କୁ, ସମ୍ପର୍କରେ ଥିବା ପିଲାମାନଙ୍କୁ ନିଜର ଅଧିକାର ନେବା ପାଇଁ ନିଜ ଘରେ ପହଞ୍ଚି ଯାଇଥିବାରୁ ଅଭିନନ୍ଦନ ଦେଉଛନ୍ତି । ଅଭିନନ୍ଦନ, ଅଭିନନ୍ଦନ । କ’ଣ ପିଲାମାନଙ୍କର ବାପଦାଦାଙ୍କ ପ୍ରତି ଅଧିକ ସ୍ନେହ ଅଛି ନା, ବାପଦାଦାଙ୍କର ପିଲାମାନଙ୍କ ପ୍ରତି ଅଧିକ ସ୍ନେହ ଅଛି? କାହାର ଅଧିକ ସ୍ନେହ ଅଛି? ତୁମମାନଙ୍କର ନା ବାବାଙ୍କର? ବାବା କହୁଛନ୍ତି ପିଲାମାନଙ୍କର ଅଧିକ ସ୍ନେହ ରହିଛି । ଦେଖ, ପିଲାମାନଙ୍କର ସ୍ନେହ ଥିବାରୁ ତ କେଉଁଠୁ କେଉଁଠୁ ଆସି ପହଞ୍ଚିଯାଇଛନ୍ତି ନା! କେତେ ଦେଶରୁ ଆସିଛନ୍ତି? (୫୦ଟି ଦେଶରୁ) ତେବେ ୫୦ଟି ଦେଶରୁ ଆସିଛନ୍ତି କିନ୍ତୁ ସବୁଠାରୁ ଦୂର ଦେଶରୁ କିଏ ଆସିଛନ୍ତି? କ’ଣ ଆମେରିକାବାଲା ସବୁଠାରୁ ଦୂରରୁ ଆସିଛନ୍ତି? ତେବେ ତୁମେମାନେ ମଧ୍ୟ ଦୂରରୁ ଆସିଛ କିନ୍ତୁ ବାପଦାଦା ତ ପରମଧାମରୁ ଆସିଛନ୍ତି । ତା’ ତୁଳନାରେ ଆମେରିକାକୁ କ’ଣ କୁହାଯିବ? ଆମେରିକା ଦୂର, ନା ପରମଧାମ ଦୂର? ତେବେ ସବୁଠାରୁ ଦୂରଦେଶୀ ବାପଦାଦା ହିଁ ଅଟନ୍ତି । କିନ୍ତୁ ପିଲାମାନେ ମନେ ପକାଇବା ମାତ୍ରକେ ବାବା ଆସି ହାଜର ହୋଇଯାଉଛନ୍ତି ।

ତେବେ ବାବା ବର୍ତ୍ତମାନ ପିଲାମାନଙ୍କଠାରୁ କ’ଣ ଚାହୁଁଛନ୍ତି? ପିଲାମାନେ ପଚାରୁଛନ୍ତି ନା - ବାବା କ’ଣ ଚାହୁଁଛନ୍ତି? ତେବେ ବାପଦାଦା ନିଜର ମିଠା ମିଠା ପିଲାମାନଙ୍କଠାରୁ ଏହି କଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ସ୍ୱରାଜ୍ୟ ଅଧିକାରୀ ରାଜା ଯୋଇଯାଆନ୍ତୁ । କ’ଣ ସମସ୍ତେ ରାଜା ଅଟ ତ? ସ୍ୱରାଜ୍ୟ ଅଛି ତ? ସ୍ୱ ଉପରେ ରାଜ୍ୟ ତ କରୁଛ ନା! ଯେଉଁମାନେ ଭାବୁଛନ୍ତି ଆମେ ସ୍ୱରାଜ୍ୟ ଅଧିକାରୀ ରାଜା ଅଟୁ ସେମାନେ ହାତ ଉଠାଅ, ବହୁତ ଭଲ କଥା । ବାପଦାଦାଙ୍କୁ ପିଲାମାନଙ୍କୁ ଦେଖି ସ୍ନେହ ଆସିଯାଉଛି ଯେ ୬୩ ଜନ୍ମ ଧରି ବହୁତ ମେହନତ କରିଆସିଛନ୍ତି, ଦୁଃଖ ଅଶାନ୍ତିରୁ ମୁକ୍ତ ହେବା ପାଇଁ । ତେଣୁ ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଏବେ ସ୍ୱରାଜ୍ୟ ଅଧିକାରୀ ରାଜା ହୋଇଯାଆନ୍ତୁ । ମନ-ବୁଦ୍ଧି-ସଂସ୍କାରର ମାଲିକ ହୁଅନ୍ତୁ, ରାଜା ହୁଅନ୍ତୁ । ଯେବେ ଇଚ୍ଛା, ଯେଉଁଠି ଇଚ୍ଛା, ଯେପରି ଇଚ୍ଛା ମନ-ବୁଦ୍ଧି-ସଂସ୍କାରକୁ ସେହିପରି ପରିବର୍ତ୍ତନ କରିପାରୁଥିବ । ଦୁଶ୍ଚିନ୍ତା ମୁକ୍ତ ଜୀବନର ଅନୁଭବ ସର୍ବଦା ଜାଗ୍ରତ ଅବସ୍ଥାରେ ରହୁ । ବାପଦାଦା ଦେଖୁଛନ୍ତି କେବେ କେବେ ଅନୁଭବ ସୁପ୍ତ ମଧ୍ୟ ହୋଇଯାଉଛି । ଭାବୁଛନ୍ତି ଏଭଳି କରିବାର ନାହିଁ, ଏହା ଠିକ୍ ଏହା ଭୁଲ୍‌, ଭାବୁଛନ୍ତି କିନ୍ତୁ ସ୍ୱରୂପରେ ଆଣିପାରୁ ନାହାଁନ୍ତି । ଭାବିବା ଅର୍ଥ ସୁପ୍ତ ଅବସ୍ଥାରେ ରହିବା, ସ୍ୱରୂପରେ ଆଣିବା ଅର୍ଥ ଜାଗ୍ରତ ଅବସ୍ଥାରେ ରହିବା । ତେବେ ସମୟକୁ ଅପେକ୍ଷା ତ କରି ନାହଁ ନା! କେବେ କେବେ କରୁଛ । ବାର୍ତ୍ତାଳାପ କରିବା ସମୟରେ ଅନେକ ପିଲା କହୁଛନ୍ତି ସମୟ ଆସିଲେ ଆମେ ଠିକ୍ ହୋଇଯିବୁ, ତେବେ ସମୟ ତ ତୁମର ରଚନା ଅଟେ । ତୁମେମାନେ ତ ମାଷ୍ଟର ରଚୟିତା ଅଟ! ତେଣୁ ମାଷ୍ଟର ରଚୟିତା, ରଚନା ଆଧାରରେ ଚାଲିବେ ନାହିଁ । କାହିଁକି ନା ସମୟକୁ ସମାପ୍ତିର ପାଖାପାଖି କରିବାର ଦାୟିତ୍ୱ ତୁମେ ମାଷ୍ଟର ରଚୟିତା ମାନଙ୍କର ହିଁ ଅଟେ ।

ଏବେ ଗୋଟିଏ ସେକେଣ୍ଡରେ ମନର ମାଲିକ ହୋଇ ମନକୁ ଆଦେଶ ଦେଇ ପାରିବ? ନିର୍ଦ୍ଦେଶ ଦେଇପାରିବ? ମନକୁ ଏକାଗ୍ର କରି ପାରିବ? ଫୁଲ୍‌ଷ୍ଟପ୍‌ର ବିନ୍ଦୁ ଲଗାଇପାରିବ, ନା ଫୁଲ ଷ୍ଟପ୍ ଲଗାଇଲେ ମଧ୍ୟ ପ୍ରଶ୍ନବାଚକ ଚିହ୍ନ ଲାଗିଯିବ । କାହିଁକି, କଣ, କିପରି, ଏହା କ’ଣ, ତାହା କ’ଣ - ନା, ବିସ୍ମୟର ଚିହ୍ନ ମଧ୍ୟ ଲାଗିବା ଉଚିତ୍ ନୁହେଁ । ବିଲ୍‌କୁଲ୍ ଫୁଲ୍‌ଷ୍ଟପ୍ । ଗୋଟିଏ ସେକେଣ୍ଡରେ ବିନ୍ଦୁ ହୋଇଯାଅ । ଆଉ କୌଣସି ମେହନତ କର ନାହିଁ, କେବଳ ଗୋଟିଏ ଶବ୍ଦକୁ ଅଭ୍ୟାସ କର “ପଏଣ୍ଟ” ଅର୍ଥାତ୍ ବିନ୍ଦୁ । ବିନ୍ଦୁ ସ୍ୱରୂପ ହେବାର ଅଛି ଏବଂ ବ୍ୟର୍ଥକୁ ବିନ୍ଦୁ ଲଗାଇବାର ଅଛି ଏବଂ ଯେଉଁ ମହାବାକ୍ୟ ଶୁଣୁଛ ତା’ର ପଏଣ୍ଟ ଗୁଡିକୁ ମନନ ଚିନ୍ତନ କରିବାର ଅଛି, ଆଉ କୌଣସି କଷ୍ଟକର କାମ କର ନାହିଁ । ପଏଣ୍ଟକୁ ମନେ ପକାଅ, ପଏଣ୍ଟ ଲଗାଅ ଏବଂ ପଏଣ୍ଟ ହୋଇଯାଅ । ଏହି ଅଭ୍ୟାସ ସାରା ଦିନ ଭିତରେ ମଝିରେ ମଝିରେ କର । ଯେତେ ବି ବ୍ୟସ୍ତ ଥାଅ କିନ୍ତୁ ଏହାକୁ ଅଭ୍ୟାସ କର, ଗୋଟିଏ ସେକେଣ୍ଡରେ ବିନ୍ଦୁ ହୋଇପାରିବ? ଗୋଟିଏ ସେକେଣ୍ଡରେ ବିନ୍ଦୁ ଲଗାଇ ପାରିବ? ଯଦି ଏହି ଅଭ୍ୟାସକୁ ବାରମ୍ବାର କରିଚାଲିବ ତେବେ ଯାଇ ଅନ୍ତିମ ସମୟରେ ପୂରା ନମ୍ବର ନେଇପାରିବ । ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବ । ଏହା ହିଁ ହେଉଛି ପରମାତ୍ମା ପିତାଙ୍କର ପାଠପଢା ଏବଂ ପରମାତ୍ମା ପିତାଙ୍କର ପାଳନା ।

ତେଣୁ ଯେଉଁମାନେ ବି ଆସିଛ, ଚାହେଁ ପ୍ରଥମ ଥର ପାଇଁ ଆସିଥାଅ ନା କାହିଁକି । ତେବେ ଯେଉଁମାନେ ପ୍ରଥମ ଥର ମିଳନ କରିବା ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ । ବହୁତ ଆସିଛନ୍ତି, ସ୍ୱାଗତମ୍ । ଏବେ ଯେପରି ପ୍ରଥମ ଥର ପାଇଁ ଆସିଛ ସେହିପରି ପ୍ରଥମ ସ୍ଥାନ ମଧ୍ୟ ନିଅ । ସୁଯୋଗ ଅଛି, ତୁମେମାନେ ଭାବୁଥିବ ଆମେ ତ ଏବେ ଏବେ ପ୍ରଥମ ଥର ପାଇଁ ଆସିଛୁ, ଆମ ପୂର୍ବରୁ ଆସିଥିବାବାଲା ତ ବହୁତ ଅଛନ୍ତି କିନ୍ତୁ ଡ୍ରାମାରେ ଏଥିପାଇଁ ସୁଯୋଗ ମଧ୍ୟ ରହିଛି ଯେ ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ ଦ୍ୱାରା ପ୍ରଥମ ସ୍ଥାନ ଗ୍ରହଣ କରିପାରିବ । ସୁଯୋଗ ଅର୍ଥାତ୍ ଚାନ୍ସ ଅଛି ଏବଂ ଚାନ୍ସ ନେବାବାଲାଙ୍କୁ ବାପଦାଦା ଚାନ୍ସଲର୍ କହିଥାଆନ୍ତି । ତେଣୁ ଚାନ୍ସଲର୍ ହୁଅ । କ’ଣ ଚାନ୍ସଲର ହେବ ତ? ହେବ ତ? ଯେଉଁମାନେ ଭାବୁଛନ୍ତି ଆମେ ହେବୁ, ସେମାନେ ହାତ ଉଠାଅ । କ’ଣ ଚାନ୍ସଲର ହେବ? ବାଃ! ଅଭିନନ୍ଦନ । ବାପଦାଦା ଦେଖୁଛନ୍ତି ଏଠାକୁ ଯେଉଁମାନେ ବି ଆସିଛନ୍ତି ସେମାନେ ସମସ୍ତେ ହାତ ଉଠାଇଛନ୍ତି । ଅଧିକାଂଶ ହାତ ଉଠାଇଛନ୍ତି, ଅଭିନନ୍ଦନ, ଅଭିନନ୍ଦନ । ବାପଦାଦା ମଧ୍ୟ ଏଠାକୁ ଆସିଥିବା ତୁମ ସମସ୍ତ ମିଠା ମିଠା ପ୍ୟାରା ପ୍ୟାରା ସନ୍ତାନମାନଙ୍କୁ ବିଶେଷ ଭାବରେ ମନେ ପକାଇଛନ୍ତି, କାହିଁକି ଜାଣିଛ? (ଆଜି ସଭାରେ ଦେଶ-ବିଦେଶର ବହୁତ ଭି.ଆଇ.ପି. ମାନେ ବସିଛନ୍ତି) କାହିଁକି ନିମନ୍ତ୍ରଣ ଦିଆଯାଇଛି ଜାଣିଛ? ଦେଖ, ନିମନ୍ତ୍ରଣ ତ ବହୁତ ଜଣଙ୍କୁ ମିଳିଛି କିନ୍ତୁ ତୁମେ କେତେ ଜଣ ହିଁ ଆସି ପହଞ୍ଚିଯାଇଛ । ତେବେ ବାପଦାଦା କାହିଁକି ମନେ ପକାଇଛନ୍ତି ଜାଣିଛ? କାହିଁକି ନା ବାପଦାଦା ଜାଣିଛନ୍ତି ଯେଉଁମାନେ ବି ଏଠାକୁ ଆସିଛନ୍ତି ସେମାନଙ୍କ ଭିତରେ ସ୍ନେହୀ, ସହଯୋଗୀରୁ ସହଜଯୋଗୀ ହେବାର କ୍ୱାଲିଟୀ ରହିଛି । ଯଦି ସାହସ କରିବ, ତେବେ ତୁମେମାନେ ମଧ୍ୟ ସହଜଯୋଗୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ସହଜଯୋଗର ମେସେଜ୍ ଅର୍ଥାତ୍ ସନ୍ଦେଶ ଦେଇପାରିବ । ମେସେଜ୍ ଦେବା ଅର୍ଥ ଗଡଲୀ ମେସେଞ୍ଜର ହେବା ଅର୍ଥାତ୍ ଈଶ୍ୱରୀୟ ସନ୍ଦେଶବାହାକ ହୋଇ ଆତ୍ମାମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବା । ପୁଣି ବି ସେମାନେ ତ ତୁମମାନଙ୍କର ହିଁ ଭାଇ ଭଉଣୀ ଅଟନ୍ତି ନା! ତେବେ ନିଜର ଭାଇଭଉଣୀଙ୍କୁ ଗଡଲୀ ମେସେଜ୍ ଦେବା ଅର୍ଥ ସେମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବା । ଏହାଦ୍ୱାରା ବହୁତ ଆଶୀର୍ବାଦ ମିଳିଥାଏ । କୌଣସି ବି ଆତ୍ମାକୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବାରେ ଆଶୀର୍ବାଦ ବହୁତ ମିଳିଥାଏ ଯାହାଦ୍ୱାରା ଅତିନ୍ଦ୍ରିୟ ସୁଖ ଏବଂ ଆନ୍ତରିକ ଖୁସିର ଅନୁଭବ ବହୁତ ହୋଇଥାଏ । କାହିଁକି ଜାଣିଛ? କାହିଁକି ନା ତୁମେ ଖୁସି ବାଣ୍ଟିଲ ନା । ଖୁସି ବାଣ୍ଟିବା ଦ୍ୱାରା ଖୁସି ବଢିଥାଏ । କ’ଣ ସମସ୍ତେ ଖୁସି ଅଛ ତ? ବାପଦାଦା ବିଶେଷ କରି ଅତିଥିମାନଙ୍କୁ ନୁହେଁ, ଅଧିକାରୀ ମାନଙ୍କୁ ପଚାରୁଛନ୍ତି । ନିଜକୁ ଅତିଥି ମନେ କର ନାହିଁ, ଅଧିକାରୀ ମନେ କର । ତେଣୁ ସମସ୍ତେ ଖୁସି ଅଛ ତ? ବିଶେଷ କରି ନିମନ୍ତ୍ରିତ ଅତିଥିମାନଙ୍କୁ ପଚରାଯାଉଛି, କହିବା ହିସାବରେ ଅତିଥି ବୋଲି କୁହାଯାଉଛି କିନ୍ତୁ ପ୍ରକୃତରେ ଅତିଥି ବା ମେହମାନ ନୁହେଁ, ନିଜେ ମହାନ ହୋଇ ଅନ୍ୟମାନଙ୍କୁ ମହାନ କରିବାବାଲା ଅଟ । ତେଣୁ ନିଜେ ନିଜକୁ ପଚାର ମୁଁ ଖୁସି ଅଛି ତ? ଯଦି ଖୁସି ଅଛ ତେବେ ହାତ ହଲାଅ । ସମସ୍ତେ ଖୁସି ଅଛନ୍ତି, ତେବେ ଏଠାରୁ ଗଲା ପରେ କ’ଣ କରିବ? ଖୁସି ବାଣ୍ଟିବ ନା! ସମସ୍ତଙ୍କୁ ଖୁବ୍ ଖୁସି ବାଣ୍ଟିବ । ଯେତେ ବାଣ୍ଟିବ ସେତେ ବଢିବ, ଠିକ୍ କଥା ନା! ଆଚ୍ଛା - ଖୁବ୍ ତାଳି ବଜାଅ । (ସମସ୍ତେ ଖୁବ୍ ତାଳି ବଜାଇଲେ) ଯେପରି ଏବେ ତାଳି ବଜାଇଲ ସେହିପରି ସର୍ବଦା ଖୁସିର ତାଳି ଆପେ ଆପେ ବାଜୁଥାଉ । ଆଚ୍ଛା!

ବାପଦାଦା ସର୍ବଦା ଟୀଚରମାନଙ୍କୁ କହିଥାଆନ୍ତି, ଟୀଚର ଅର୍ଥାତ୍ ଯାହାଙ୍କର ଫିଚର ଦ୍ୱାରା ଅର୍ଥାତ୍ ଚେହେରା ଦ୍ୱାରା ବିଶ୍ୱର ଫ୍ୟୁଚର ଅର୍ଥାତ୍ ଭବିଷ୍ୟତ ଦେଖାଯାଉଥିବ । ଏହିଭଳି ଟୀଚର ଅଟ ନା! ତୁମମାନଙ୍କୁ ଦେଖି ସ୍ୱର୍ଗୀୟ ସୁଖର ଅନୁଭୂତି ହେଉ । ଶାନ୍ତିର ଅନୁଭୂତି ହେଉ । ଚାଲିବା ବୁଲିବା ସମୟରେ ଫରିସ୍ତା ଭଳି ଦେଖାଯାଅ । ଏହିଭଳି ଟୀଚର ଅଟ ନା! ବହୁତ ଭଲ ଅଟ, ଚାହେଁ ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥରେ ରହୁଥାଅ ବା ସେବାର ନିମିତ୍ତ ହୋଇଥାଅ କିନ୍ତୁ ସମସ୍ତେ ବାପଦାଦାଙ୍କ ସମାନ ହେଉଥିବା ନିଶ୍ଚୟ ବୁଦ୍ଧି ବିଜୟୀ ଅଟ । ଆଚ୍ଛା!

ଚାରିଆଡର ଚାହେଁ ସାକାର ରୂପରେ ସମ୍ମୁଖରେ ଅଛନ୍ତି, ଚାହେଁ ଦୂରରେ ବସିଥିଲେ ମଧ୍ୟ ଦିଲର ନିକଟରେ ଅଛନ୍ତି, ଏହିଭଳି ସର୍ବଦା ଶ୍ରେଷ୍ଠ ଭାଗ୍ୟବାନ ଆତ୍ମାମାନଙ୍କୁ, ସର୍ବଦା ନିମିତ୍ତ ହୋଇ ନିର୍ମାଣର କାର୍ଯ୍ୟକୁ ସଫଳ କରୁଥିବା ବିଶେଷ ଆତ୍ମାମାନଙ୍କୁ, ସର୍ବଦା ବାବାଙ୍କ ସମାନ ହେବାର ଉମଙ୍ଗ-ଉତ୍ସାହରେ ଆଗକୁ ବଢୁଥିବା ସାହସୀ ପିଲାମାନଙ୍କୁ, ସର୍ବଦା ପ୍ରତିପାଦରେ ପଦ୍ମର ରୋଜଗାର ଜମା କରୁଥିବା ବହୁତ ବହୁତ ଅର୍ଥାତ୍ ସାରା ବିଶ୍ୱରେ ପଦ୍ମଗୁଣା ଧନବାନ, ଭରପୂର ଆତ୍ମାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ଡବଲ ବିଦେଶୀ ନିମିତ୍ତ ବରିଷ୍ଠ ଭଉଣୀମାନଙ୍କ ସହିତ:- ସେବାର ବହୁତ ଭଲ ପ୍ରମାଣ ହେଉଛ । ଏହାଦ୍ୱାରା ହିଁ ଅଧିକ ପ୍ରଚାର ପ୍ରସାର ହେବ । ଅନୁଭବ ଶୁଣାଇବା ଦ୍ୱାରା ଅନ୍ୟମାନଙ୍କର ମଧ୍ୟ ଅନୁଭବର ବୃଦ୍ଧି ହୋଇଥାଏ । ତେଣୁ ବାପଦାଦା ଖୁସି ଅଛନ୍ତି, ବିଦେଶର ସେବାରେ ନିମିତ୍ତ ହୋଇଥିବା ଆତ୍ମାମାନେ ବହୁତ ଉମଙ୍ଗ-ଉତ୍ସାହର ସହିତ ସେବାରେ ବ୍ୟସ୍ତ ରହୁଛନ୍ତି । ସମସ୍ତଙ୍କୁ ନିଜର ପଣିଆର ଅନୁଭବ କରାଉଛନ୍ତି ଏବଂ ଏଥିରେ ସବୁ ଆଡର ପିଲାମାନେ ଅଛନ୍ତି । କୌଣସି ଗୋଟିଏ ଅଞ୍ଚଳର ନୁହଁନ୍ତି, ଲଣ୍ଡନର ବା ଆମେରିକାର ନୁହଁନ୍ତି ବେହଦ ବିଶ୍ୱର ସେବାଧାରୀ ଅଟନ୍ତି । ଦାୟିତ୍ୱ ତ ସାରା ବିଶ୍ୱର ନେଇଛ ନା ତେଣୁ ବାପଦାଦା ଅଭିନନ୍ଦନ ଦେଉଛନ୍ତି । କରୁଛ ମଧ୍ୟ, ଆଗକୁ ଆହୁରି ଭଲରୁ ଭଲ ଉଡି ଚାଲିବ ଏବଂ ଉଡାଇ ଚାଲିବ । ଆଚ୍ଛା!

ବ୍ୟକ୍ତିଗତ ସାକ୍ଷାତ୍‌:- ସମସ୍ତେ ହୋଲୀ ଅର୍ଥାତ୍ ପବିତ୍ର ଏବଂ ହ୍ୟାପୀ ଅର୍ଥାତ୍ ସୁଖୀ ହଂସ ଅଟ । ତେବେ ହଂସର କାମ କ’ଣ? ହଂସ ଭିତରେ ନିର୍ଣ୍ଣୟ ଶକ୍ତି ବହୁତ ଥାଏ । ତେଣୁ ତୁମେମାନେ ମଧ୍ୟ ହେଲୀ ହ୍ୟାପୀ ହଂସ, ବ୍ୟର୍ଥକୁ ସମାପ୍ତ କରିବା ବାଲା ଏବଂ ନିଜେ ସମର୍ଥ ହୋଇ ଅନ୍ୟମାନଙ୍କୁ ମଧ୍ୟ ସମର୍ଥ କରିବାବାଲା ଅଟ । ସମସ୍ତେ ସଦା ସୁଖୀ ଅଟ ତ? ସଦାକାଳର ସୁଖୀ ଆତ୍ମା ଅଟ । ଏବେ ଆଉ କେବେ ବି ଦୁଃଖକୁ ଆସିବାକୁ ଦେବ ନାହିଁ । ନିଜେ ପ୍ରଥମେ ଦୁଃଖକୁ ଛାଡପତ୍ର ଦେବା ପରେ ତ ଅନ୍ୟମାନଙ୍କର ଦୁଃଖ ନିବାରଣ କରିପାରିବ ନା! ତେଣୁ ସୁଖୀ ରହିବାକୁ ହେବ ଏବଂ ସୁଖ ଦେବାକୁ ହେବ । ଏହି କାମ ତ କରିବ ନା! ଏଠାରେ ଯେଉଁ ସୁଖ ପାଇଲ ତାକୁ ଜମା ରଖିବାକୁ ହେବ । କେବେ ବି କିଛି ବି ହେଉ - କହିବ ବାବା, ମିଠା ବାବା, ଦୁଃଖ ନେଇଯାଅ । ନିଜ ପାଖରେ କେବେ ବି ରଖିବ ନାହିଁ । ଖରାପ ଜିନିଷକୁ କେବେ ପାଖରେ ରଖନ୍ତି କି? ତେବେ ଦୁଃଖ ଖରାପ ଜିନିଷ ଅଟେ ନା! ତେଣୁ ଦୁଃଖକୁ ବାହାର କରିଦିଅ, ସର୍ବଦା ସୁଖୀ ରୁହ । ତେଣୁ ଏହା ସୁଖୀ ଗ୍ରୃପ ଏବଂ ସୁଖଦାୟୀ ଗ୍ରୃଫ ଅଟେ । ଚାଲିବା, ବୁଲିବା ସମୟରେ ମଧ୍ୟ ସୁଖ ଦେଇଚାଲ । ତେବେ ତୁମକୁ କେତେ ଆଶୀର୍ବାଦ ମିଳିବ । ତେବେ ଏହି ଗ୍ରୃପ ଆଶୀର୍ବାଦ ପାଇବାର ପାତ୍ର ଅଟେ । କ’ଣ ସମସ୍ତେ ଖୁସି ଅଛ ତ! ଏବେ ଟିକିଏ ହସିଦିଅ । ବାସ୍ ସର୍ବଦା ହସୁଥାଅ, ଖୁସିରେ ନାଚୁଥାଅ । ଆଚ୍ଛା!

ବରଦାନ:-
ଯୋଗ ଏବଂ ସେବାର ସନ୍ତୁଳନ ଦ୍ୱାରା ଚଢିବାର କଳାର ଅନୁଭବ କରିବାବାଲା ରାଜ୍ୟ ଅଧିକାରୀ ଭବ ।

ଯଦି ଯୋଗ ଏବଂ ସେବାର ସନ୍ତୁଳନ ଠିକ୍ ଥିବ ତେବେ ପ୍ରତି ପାଦରେ ଚଢିବାର କଳାର ଅନୁଭବ କରିଚାଲିବ ଏବଂ ପ୍ରତି ସଂକଳ୍ପରେ ଯଦି ସେବା କରିବ ତେବେ ବ୍ୟର୍ଥରୁ ମୁକ୍ତ ହୋଇଯିବ । ତେଣୁ ସେବା ତୁମମାନଙ୍କର ଜୀବନର ଏକ ଅଙ୍ଗ ହୋଇଯାଉ । ଯେପରି ଶରୀରରେ ସବୁ ଅଙ୍ଗ ଜରୁରୀ ଅଟେ ସେହିପରି ବ୍ରାହ୍ମଣ ଜୀବନର ବିଶେଷ ଅଙ୍ଗ ସେବା ଅଟେ । ବହୁତ ସେବାର ସୁଯୋଗ ମିଳିବା, ସ୍ଥାନ ମିଳିବା, ସଂଗ ମିଳିବା ଏହା ମଧ୍ୟ ଭାଗ୍ୟର ଚିହ୍ନ । ଏହିଭଳି ସେବାର ସୁବର୍ଣ୍ଣ ସୁଯୋଗ ପାଉଥିବା ଆତ୍ମାମାନେ ହିଁ ରାଜ୍ୟ ଅଧିକାରୀ ହୋଇଥାଆନ୍ତି ।

ସ୍ଲୋଗାନ:-
ପରମାତ୍ମ ସ୍ନେହର ପାଳନାର ସ୍ୱରୂପ ହେଲା – ସହଜଯୋଗୀ ଜୀବନ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର । ପବିତ୍ରତା ତୁମ ବ୍ରାହ୍ମଣମାନଙ୍କର ବଡରୁ ବଡ ଶୃଙ୍ଗାର ଅଟେ, ସମ୍ପୂର୍ଣ୍ଣ ପବିତ୍ରତା ତୁମମାନଙ୍କର ଜୀବନର ସବୁଠାରୁ ବଡରୁ ବଡ ସମ୍ପତ୍ତି ଅଟେ, ରାଜକୀୟତା ଅଟେ ଏବଂ ବ୍ୟକ୍ତିତ୍ୱ ମଧ୍ୟ ଅଟେ, ଏହାକୁ ଧାରଣ କରି ଯଦି ସଦାସର୍ବଦା ପ୍ରସ୍ତୁତ ରହିବ ତେବେ ପ୍ରକୃତି ତା’ର କାମ ଆରମ୍ଭ କରିଦେବ । ପବିତ୍ରତାର ବ୍ୟକ୍ତିତ୍ୱରେ ସମ୍ପନ୍ନ ଆତ୍ମାମାନଙ୍କୁ ସଭ୍ୟତାର ଦେବୀ କୁହାଯାଏ ।