04.07.24          Morning Odia Murli         Om Shanti         BapDada       Madhuban


ମିଠେ ବଚ୍ଚେ:- ଭାଇ ଭଉଣୀର ଭାବନାଠାରୁ ମଧ୍ୟ ଉର୍ଦ୍ଧ୍ୱକୁ ଯାଇ ଆତ୍ମା ଆତ୍ମା ଭାଇ-ଭାଇ ମନେ କର ତେବେ ଦୃଷ୍ଟି ସିଭିଲ୍ (ଭଦ୍ର) ପବିତ୍ର ହୋଇଯିବ, ଆତ୍ମା ଯେତେବେଳେ ସିଭିଲ୍‌-ଆଇଜଡ୍ ଅର୍ଥାତ୍ ପବିତ୍ର ଦୃଷ୍ଟି ସମ୍ପନ୍ନ ହୋଇଯିବ ସେତେବେଳେ ଯାଇ କର୍ମାତୀତ ଅବସ୍ଥା ହୋଇପାରିବ ।

ପ୍ରଶ୍ନ:-
ନିଜର ଦୋଷ-ଦୁର୍ବଳତା ଗୁଡିକୁ ସମାପ୍ତ କରିବା ପାଇଁ କେଉଁ ଉପାୟ ବାହାର କରିବା ଦରକାର?

ଉତ୍ତର:-
ନିଜର ଚାଲିଚଳନର ରେଜିଷ୍ଟର ଅର୍ଥାତ୍ ହିସାବ ରଖ । ସେଥିରେ ପ୍ରତିଦିନର ଚାର୍ଟ ନୋଟ୍ କର । ହିସାବ ରଖିବା ଦ୍ୱାରା ନିଜର ଦୋଷ ଦୁର୍ବଳତାଗୁଡିକ ଜଣାପଡିବ ଏବଂ ସହଜରେ ସେଗୁଡିକୁ ସମାପ୍ତ କରିପାରିବ । ଦୁର୍ବଳତାଗୁଡିକୁ ବାହାର କରି କରି ଏଭଳି ଅବସ୍ଥାରେ ପହଞ୍ଚିବାକୁ ହେବ ଯାହାକି ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ମନେ ପଡୁ ନ ଥିବ । କୌଣସି ବି ପୁରୁଣା ବସ୍ତୁ ପ୍ରତି ମମତ୍ୱ ନ ଥିବ । ମନ ଭିତରେ କିଛି ବି ମାଗିବାର ଇଚ୍ଛା ନ ଥିବ ।

ଓମ୍ ଶାନ୍ତି ।
ଗୋଟିଏ ହେଲା ମାନବ ବୁଦ୍ଧି, ଅନ୍ୟଟି ହେଲା ଈଶ୍ୱରୀୟ ବୁଦ୍ଧି, ପୁଣି ହେବ ଦୈବୀ ବୁଦ୍ଧି । ମାନବ ବୁଦ୍ଧି ହେଉଛି ଆସୁରୀ ବୁଦ୍ଧି । ବିକାରୀ ଦୃଷ୍ଟି ରହିଛି ନା । ଗୋଟିଏ ହେଲା ପବିତ୍ର ଦୃଷ୍ଟି, ଅନ୍ୟଟି ହେଲା ବିକାରୀ ଦୃଷ୍ଟି । ଦେବତାମାନେ ହେଲେ ନିର୍ବିକାରୀ, ପବିତ୍ର ଦୃଷ୍ଟସମ୍ପନ୍ନ ଏବଂ କଳିଯୁଗୀ ମନୁଷ୍ୟମାନେ ହେଲେ ବିକାରୀ ଦୃଷ୍ଟିସମ୍ପନ୍ନ । ସେମାନଙ୍କର ଭାବନା ହିଁ ଅପବିତ୍ର ହେବ । ବିକାରୀ ଦୃଷ୍ଟି ସମ୍ପନ୍ନ ମନୁଷ୍ୟ, ରାବଣର ଜେଲରେ ପଡି ରହିଥାଆନ୍ତି । ରାବଣ ରାଜ୍ୟରେ ସମସ୍ତେ ବିକାରୀ ଦୃଷ୍ଟି ସମ୍ପନ୍ନ । ଜଣେ ହେଲେ ବି ନିର୍ବିକାରୀ ଦୃଷ୍ଟି ସମ୍ପନ୍ନ ନାହାଁନ୍ତି । ଏବେ ତୁମେମାନେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ । ଏବେ ବାବା ତୁମକୁ ଅପବିତ୍ର ଦୃଷ୍ଟିରୁ ପରିବର୍ତ୍ତନ କରି ପବିତ୍ର ଦୃଷ୍ଟି କରୁଛନ୍ତି । ବିକାରୀ ଦୃଷ୍ଟି ସମ୍ପନ୍ନଙ୍କ ମଧ୍ୟରେ ମଧ୍ୟ ଅନେକ ପ୍ରକାରର ଥାଆନ୍ତି - କେହି ଅଧା, ଆଉ କେହି ଆଉ କିପରି ହୋଇଥାନ୍ତି । ଯେବେ ତୁମର ଦୃଷ୍ଟି ପବିତ୍ର ହୋଇଯିବ, ତେବେ ତୁମର କର୍ମାତୀତ ଅବସ୍ଥା ହୋଇଯିବ, ପୁଣି ତୁମର ଭାଇ-ଭାଇର ଦୃଷ୍ଟି ହୋଇଯିବ । ଆତ୍ମା ଆତ୍ମାକୁ ଦେଖିଥାଏ, ଶରୀର ତ ରହିବ ନାହିଁ, ତେଣୁ ଦୃଷ୍ଟି ବିକାରୀ କିପରି ହୋଇପାରିବ? ସେଥିପାଇଁ ବାବା କହୁଛନ୍ତି ଭାଇ-ଭଉଣୀର ଭାବରୁ ମଧ୍ୟ ଉର୍ଦ୍ଧ୍ୱକୁ ଯାଇ କେବଳ ଆତ୍ମା ଭାଇ-ଭାଇ ମନେକର । ଏହା ମଧ୍ୟ ବହୁତ ଗୁହ୍ୟକଥା । ଏହି ଗୁହ୍ୟ କଥା କେବେ କାହାର ବୁଦ୍ଧିରେ ଆସିପାରିବ ନାହିଁ । ନିର୍ବିକାରୀ ଦୃଷ୍ଟିର ଅର୍ଥ କେବେ କାହାରି ବୁଦ୍ଧିରେ ଆସିପାରିବ ନାହିଁ । ଯଦି ଆସିଯିବ ତେବେ ଉଚ୍ଚ ପଦ ପାଇବେ । ବାବା ବୁଝାଉଛନ୍ତି ତୁମେ ନିଜକୁ ଆତ୍ମା ମନେକର ଏହି ଶରୀରକୁ ଭୁଲିବାକୁ ହେବ । ବାବାଙ୍କ ସ୍ମୃତିରେ ହିଁ ଏହି ଶରୀରକୁ ବି ଛାଡିବାକୁ ହେବ । ମୁଁ ଆତ୍ମା ବାବାଙ୍କ ପାଖକୁ ଯାଉଛି । ତୁମକୁ ଦେହ-ଅଭିମାନ ଛାଡି ପବିତ୍ର କରୁଥିବା ବାବାଙ୍କ ସ୍ମୃତିରେ ହିଁ ଶରୀର ଛାଡିବାକୁ ପଡିବ । ଯଦି ତୁମର ବିକାରୀ ଦୃଷ୍ଟି ହୋଇଥିବ ତେବେ ଅନ୍ତର୍ମନ ଖାଇବାରେ ଲାଗିବ । ଏହି ଲକ୍ଷ୍ୟ ବହୁତ ଉଚ୍ଚ । କେହି ଯେତେ ବି ଭଲ ସନ୍ତାନ ହୋଇଥିଲେ ମଧ୍ୟ କିଛି ନା କିଛି ଭୁଲ ନିଶ୍ଚତ ଭାବରେ ହୋଇଥାଏ, କାହିଁକି ନା ମାୟା ରହିଛି ନା । କର୍ମାତୀତ ତ କେହି ବି ହୋଇପାରିବେ ନାହିଁ । ଅନ୍ତିମ ସମୟରେ ଯେବେ କର୍ମାତୀତ ଅବସ୍ଥା ହୋଇଯିବ, ତେବେ ଦୃଷ୍ଟି ନିର୍ବିକାରୀ ହୋଇଯିବ । ପୁଣି ସେତେବେଳେ ଭାଇ ଭାଇର ଆତ୍ମିକ ସ୍ନେହ ରହିବ, ଏହା ମଧ୍ୟ ବହୁତ ଭଲ । ଏହା ଦ୍ୱାରା ଦୃଷ୍ଟି ବିକାରୀ ହେବ ନାହିଁ, ତେବେ ଯାଇ ଉଚ୍ଚ ପଦ ପାଇପାରିବ । ବାବା ତ ସମ୍ପୂର୍ଣ୍ଣ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ କହିଦେଇଛନ୍ତି । ପିଲାମାନେ ଜାଣିଛନ୍ତି କି ଆମ ଭିତରେ ଏହି ସବୁ ଅବଗୁଣ ରହିଛି । ରେଜିଷ୍ଟର ରଖିବା ଦ୍ୱାରା ଅବଗୁଣ ଗୁଡିକ ମଧ୍ୟ ଜଣା ପଡିଯାଏ । ହୋଇପାରେ କେହି ରେଜିଷ୍ଟର ନ ରଖିଲେ ମଧ୍ୟ ସୁଧୁରି ଯାଇ ପାରିବେ । କିନ୍ତୁ ଯେଉଁମାନେ କଚ୍ଚା ଅଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ରେଜିଷ୍ଟର ରଖିବା ଦରକାର । ଏହିପରି କଚ୍ଚା ତ ବହୁତ ଅଛନ୍ତି, କାହାକୁ କାହାକୁ ତ ଲେଖି ମଧ୍ୟ ଆସୁ ନାହିଁ । ତୁମର ଅବସ୍ଥା ଏଭଳି ହେବା ଦରକାର ଯେପରି ଆଉ କେହି ବି ମନେ ନ ପଡିବେ । ଆମେ ଆତ୍ମା ବିନା ଅଶରୀରି ଆସିଥିଲେ ଏବେ ପୁଣି ଅଶରୀରି ହୋଇ ଯିବାକୁ ହେବ । ଏହା ଉପରେ ଗୋଟିଏ କାହାଣୀ ମଧ୍ୟ ଅଛି - ଜଣେ କହିଲା ତୁମେ ଲାଠି ମଧ୍ୟ ଧର ନାହିଁ, ଏହା ମଧ୍ୟ ଅନ୍ତିମ ସମୟରେ ମନେ ପଡିବ । ସେଥିପାଇଁ କୌଣସି ବି ଜିନିଷ ପ୍ରତି ମମତ୍ତ୍ୱ ରଖିବା ଉଚିତ୍ ନୁହେଁ । ଅନେକଙ୍କର ପୁରୁଣା ବସ୍ତୁ ପ୍ରତି ମମତା ରହିଥାଏ । ଏକମାତ୍ର ବାବାଙ୍କ ବ୍ୟତୀତ କିଛି ବି ମନେ ନ ପଡୁ । ଏହା କେତେ ଉଚ୍ଚ ଲକ୍ଷ୍ୟ ଅଟେ । କେଉଁଠି ଗୋଡି ମାଟି ସଦୃଶ ଦୁନିଆର ବସ୍ତୁ ବୈଭବ ଏବଂ କାହିଁ ଏହି ଶିବବାବାଙ୍କର ହୀରାତୁଲ୍ୟ ସ୍ମୃତି । ତୁମର ମାଗିବାର ମଧ୍ୟ ଇଚ୍ଛା ରହିବା ଉଚିତ୍ ନୁହେଁ । ପ୍ରତ୍ୟେକେ ଅତି କମ୍‌ରେ ନିଶ୍ଚିତ ୬ ଘଣ୍ଟା ସେବା କରିବା ଦରକାର । ଏମିତି ତ ଲୌକିକରେ ସରକାରଙ୍କର ସେବା ୮ ଘଣ୍ଟା ହୋଇଥାଏ, କିନ୍ତୁ ପାଣ୍ଡବ ସରକାରଙ୍କର ସେବା ଅତିକମ୍‌ରେ ୫-୬ ଘଣ୍ଟା ନିଶ୍ଚିତ ଭାବରେ କର । ବିକାରୀ ମନୁଷ୍ୟ କେବେ ବି ବାବାଙ୍କୁ ମନେ ପକାଇ ପାରିବେ ନାହିଁ । ସତ୍ୟଯୁଗରେ ନିର୍ବିକାରୀ ଦୁନିଆ ହେବ । ଦେବୀ-ଦେବତାମାନଙ୍କର ମହିମା ମଧ୍ୟ ଗାୟନ କରାଯାଇଥାଏ - ସର୍ବଗୁଣ ସମ୍ପନ୍ନ, ୧୬ କଳା ସଂପୂର୍ଣ୍ଣ......ତେବେ ତୁମମାନଙ୍କର ଅବସ୍ଥା କେତେ ଉପରାମ ରହିବା ଦରକାର । କୌଣସି ବି ବିକାରୀ ବସ୍ତୁ ପ୍ରତି ମମତ୍ତା ରହିବା ଉଚିତ୍ ନୁହେଁ । ଶରୀର ପ୍ରତି ମଧ୍ୟ ମମତା ନ ରହୁ, ଏହିଭଳି ଯୋଗୀ ହେବାକୁ ପଡିବ । ଯେତେବେଳେ ସତକୁ ସତ ଏହିଭଳି ଯୋଗୀ ହୋଇଯିବ ସେତେବେଳେ ତୁମେ ଯେପରି ସତେଜ ବା ତାଜା ରହିବ । ତୁମେ ଯେତେ ସତ୍ତ୍ୱପ୍ରଧାନ ହୋଇ ଚାଲିବ ସେତେ ଖୁସିର ନିଶା ଚଢି ଚାଲିବ । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମର ଏହିପରି ଖୁସି ଥିଲା । ସତ୍ୟଯୁଗରେ ମଧ୍ୟ ସେହି ଖୁସି ରହିବ । ଏଠାରେ ବି଼ ଖୁସିରେ ରହିବ ଏବଂ ସେହି ଖୁସି ତୁମ ସାଥିରେ ଯିବ । ସେଥିପାଇଁ ଅନ୍ତ ମତି ଅନୁସାରେ ଗତି ବୋଲି କୁହାଯାଇଥାଏ ନା । ବର୍ତ୍ତମାନ ତୁମକୁ ମତ ମିଳୁଛି ପୁଣି ଗତି ସତ୍ୟଯୁଗରେ ହେବ । ଏହିଭଳି ବହୁତ ବିଚାର ସାଗର ମନ୍ଥନ କରିବାକୁ ପଡିଥାଏ ।

ବାବା ତ ଦୁଃଖହର୍ତ୍ତା, ସୁଖକର୍ତ୍ତା ଅଟନ୍ତି । ତୁମେ ନିଜକୁ ବାବାଙ୍କର ସନ୍ତାନ ବୋଲି କହୁଛ, ତେଣୁ କାହାକୁ ବି ଦୁଃଖ ଦେବା ଉଚିତ୍ ନୁହେଁ । ସମସ୍ତଙ୍କୁ ସୁଖର ରାସ୍ତା ବତାଇବା ଦରକାର । ଯଦି ସୁଖ ନ ଦେଉଛ ତେବେ ନିଶ୍ଚିତ ଭାବରେ ଦୁଃଖ ଦେଉଥିବ । ଏହା ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ, ଯେବେକି ତୁମେ ସତ୍ତ୍ୱପ୍ରଧାନ ହେବା ପାଇଁ ପୁରୁଷାର୍ଥ କରୁଛ । ପୁରୁଷାର୍ଥ ମଧ୍ୟ କ୍ରମାନୁସାରେ ହୋଇଥାଏ । ଯେତେବେଳେ ପିଲାମାନେ ବହୁତ ଭଲ ସେବା କରିଥାନ୍ତି ସେତେବେଳେ ବାବା ସେମାନଙ୍କର ମହିମା କରିଥାନ୍ତି ଯେ ଅମୁକ ସନ୍ତାନ ଯୋଗୀ ଅଟେ । ଯେଉଁମାନେ ସେବାଧାରୀ ସନ୍ତାନ, ସେମାନେ ନିର୍ବିକାରୀ ଜୀବନ ଅତିବାହିତ କରିଥାନ୍ତି ଯାହାଙ୍କର ଟିକିଏ ହେଲେ ବି ଓଲଟା-ପାଲଟା ବିଚାର ଆସି ନ ଥାଏ, ସେହିମାନେ ହିଁ ଅନ୍ତିମ ସମୟରେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବେ । ତୁମେ ବ୍ରାହ୍ମଣମାନେ ହିଁ ନିର୍ବିକାରୀ ଦୃଷ୍ଟି ସମ୍ପନ୍ନ ହେଉଛ । ମନୁଷ୍ୟମାନଙ୍କୁ କେବେ ଦେବତା କୁହାଯାଇ ପାରିବ ନାହିଁ । ଯାହାଙ୍କର ଦୃଷ୍ଟି ବିକାରୀ ହୋଇଥିବ ସିଏ ନିଶ୍ଚିତ ପାପ କରିବେ । ସତ୍ୟଯୁଗୀ ଦୁନିଆ ପବିତ୍ର ଦୁନିଆ । ଏହା ହେଉଛି ପତିତ ଦୁନିଆ । ଏହାର ଅର୍ଥକୁ ମଧ୍ୟ ବୁଝିପାରୁ ନାହାଁନ୍ତି । ଯେତେବେଳେ ବ୍ରାହ୍ମଣ ହେବେ ସେତେବେଳେ ବୁଝିପାରିବେ । କହୁଛନ୍ତି ଜ୍ଞାନ ତ ବହୁତ ଭଲ, ଯେତେବେଳେ ଫୁରୁସତ ମିଳିବ ସେତେବେଳେ ଆସିବୁ । ବାବା ଜାଣିଛନ୍ତି ଇଏ କେବେ ବି ଆସିବେ ନାହିଁ । ତେବେ ଏଭଳି କହିବା ଅର୍ଥାତ୍ ବାବାଙ୍କୁ ଅସମ୍ମାନ କରିବା । ମନୁଷ୍ୟରୁ ଦେବତା ହେଉଛ ତେଣୁ ତୁରନ୍ତ ପୁରୁଷାର୍ଥରେ ଲାଗି ପଡିବା ଦରକାର ନା । ଯଦି କାଲି କରିବି ବୋଲି କହିଲ ତେବେ ମାୟା ନାକକୁ ଧରି ଏକଦମ ଖାଲରେ ପକାଇ ଦେବ । କାଲି-କାଲି କହିଲେ କାଳ ଖାଇଯିବ । ଶୁଭ କାର୍ଯ୍ୟରେ ବିଳମ୍ବ କରିବା ଉଚିତ୍ ନୁହେଁ । କାଳ ତ ମୁଣ୍ଡ ଉପରେ ଛିଡା ହୋଇଛି । କେତେ ମନୁଷ୍ୟ ଅଚାନକ ମୃତ୍ୟୁମୁଖରେ ପଡୁଛନ୍ତି । ଏବେ ଯଦି ବୋମା ପଡିବ ତେବେ କେତେ ମନୁଷ୍ୟ ମରିବେ! ଯେପରି ଭୂମିକମ୍ପ ହେଉଛି ତେବେ ପୂର୍ବରୁ କଣ ଜଣାପଡୁଛି କି । ସେହିପରି ଡ୍ରାମା ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ଯାହାକୁ ତ କେହି ଜାଣି ବି ପାରିବେ ନାହିଁ । ଏହାଦ୍ୱାରା ବହୁତ କ୍ଷତି ହୋଇଥାଏ । ପୁଣି ସରକାର ରେଳ ଆଦିର ଭଡା ମଧ୍ୟ ବଢାଇ ଦେଇଥାନ୍ତି । ମନୁଷ୍ୟମାନଙ୍କୁ ତ ଯିବାକୁ ହିଁ ପଡିବ । ସବୁବେଳେ ବିଚାର କରୁଛନ୍ତି କି କିପରି ଆମଦାନୀ ବଢାଇବା, ଯାହାକୁ ମନୁଷ୍ୟମାନେ ଦେଇପାରିବେ । ଏବେ ଶସ୍ୟ ଇତ୍ୟାଦି କେତେ ମହଙ୍ଗା ହୋଇଗଲାଣି । ତେଣୁ ବାବା ବୁଝାଉଛନ୍ତି - ନିର୍ବିକାରୀ ଦୃଷ୍ଟି ସମ୍ପନ୍ନଙ୍କୁ ପବିତ୍ର ଆତ୍ମା ବୋଲି କୁହାଯିବ । ଏବେ ତ ସାରା ଦୁନିଆର ମନୁଷ୍ୟମାନଙ୍କର ଅପବିତ୍ର ଦୃଷ୍ଟି ରହିଛି । ତୁମେ ଏବେ ପବିତ୍ର ଦୃଷ୍ଟି ସମ୍ପନ୍ନ ହେଉଛ । ଏଥିପାଇଁ ପରିଶ୍ରମ କରିବାକୁ ହେବ, ଉଚ୍ଚ ପଦ ପାଇବା ମାଉସୀ ଘର କଥା ନୁହେଁ । ଯାହାଙ୍କର ଦୃଷ୍ଟି ବହୁତ ପବିତ୍ର ହେବ ସିଏ ହିଁ ଉଚ୍ଚ ପଦ ପାଇବେ । ତୁମେ ତ ଏଠାକୁ ଆସିଛ ନରରୁ-ନାରାୟଣ ହେବା ପାଇଁ । କିନ୍ତୁ ଯେଉଁମାନଙ୍କର ଦୃଷ୍ଟି ପବିତ୍ର ହେଉ ନାହିଁ, ସେମାନେ ଜ୍ଞାନକୁ ଧାରଣ କରିପାରିବେ ନାହିଁ ଏବଂ ପଦ ମଧ୍ୟ କମ୍ ପାଇବେ । ବର୍ତ୍ତମାନ ସବୁ ମନୁଷ୍ୟମାନଙ୍କର ଦୃଷ୍ଟି ବିକାରୀ । ସତ୍ୟଯୁଗରେ ହେବ ନିର୍ବିକାରୀ ଦୃଷ୍ଟି ।

ବାବା ବୁଝାଉଛନ୍ତି - ମିଠେ ବଚ୍ଚେ, ତୁମେ ଯଦି ଦେବୀ-ଦେବତା ସ୍ୱର୍ଗର ମାଲିକ ହେବାକୁ ଚାହୁଁଛ ତେବେ ବହୁତ ପବିତ୍ର ଦୃଷ୍ଟି ସମ୍ପନ୍ନ ହେବାକୁ ପଡିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ, ତେବେ ୧୦୦ ପ୍ରତିଶତ ଦେହୀ-ଅଭିମାନୀ ହୋଇପାରିବ । ସମସ୍ତଙ୍କୁ ଏହାର ଅର୍ଥକୁ ବୁଝାଇବାକୁ ହେବ । ସତ୍ୟଯୁଗରେ ପାପର କୌଣସି କଥା ରହିବ ନାହିଁ । ସେମାନେ ସର୍ବଗୁଣ ସମ୍ପନ୍ନ, ସମ୍ପୁର୍ଣ୍ଣ ପବିତ୍ର ହେବେ, ଚନ୍ଦ୍ରବଂଶୀଙ୍କର ମଧ୍ୟ ଦୁଇ କଳା କମ୍ ହୋଇଥାଏ । ଶେଷ ସମୟରେ ଚନ୍ଦ୍ରମାର ଆଲୋକ ମଧ୍ୟ ଗୋଟିଏ ଧାର ସଦୃଶ ରହିଥାଏ । ଏକଦମ୍ ଶୂନ୍ୟ ହୋଇ ନ ଥାଏ । ଯେପରି କହିଥାନ୍ତି ପ୍ରାୟଃ ଲୋପ ହୋଇଗଲା । ବାଦଲରେ ଦେଖାଯାଏ ନାହିଁ । ସେହିପରି ବାବା କହୁଛନ୍ତି ତୁମର ଜ୍ୟୋତି ମଧ୍ୟ ପୁରା ଲିଭି ଯାଏ ନାହିଁ । କିଛି ନା କିଛି ଲାଇଟ୍ ରହିଥାଏ । ସୁପ୍ରିମ ବ୍ୟାଟେରୀଠାରୁ ତୁମେ ପୁଣି ଶକ୍ତି ନେଉଛ । ବାବା ନିଜେ ଆସି ଶିଖାଉଛନ୍ତି କି ତୁମେ ମୋ ସହିତ କିପରି ଯୋଗ ରଖିପାରିବ । ଶିକ୍ଷକ ପାଠ ପଢାଇଲେ ବୁଦ୍ଧି ଯୋଗ ଶିକ୍ଷକଙ୍କ ସହିତ ରହିଥାଏ ନା । ଶିକ୍ଷକ ଯାହା ପଢାଇଥାନ୍ତି ତାହା ହିଁ ପଢିଥାନ୍ତି । ଆମେ ମଧ୍ୟ ପାଠ ପଢି ଶିକ୍ଷକ ଅଥବା ବାରିଷ୍ଟର ହେବୁ, ଏଥିରେ କୃପା ବା ଆର୍ଶୀବାଦର କୌଣସି କଥା ହିଁ ନାହିଁ । ନତମସ୍ତକ ହେବାର ମଧ୍ୟ ଆବଶ୍ୟକତା ନାହିଁ । ହଁ, କେହି ହରି ଓମ୍ ଅଥବା ରାମ-ରାମ କହିଲେ ପ୍ରତ୍ୟୁତ୍ତରରେ ତାଙ୍କୁ କହିବାକୁ ପଡିଥାଏ । ଏହା ମଧ୍ୟ ଏକ ସମ୍ମାନ ଦେବା ହୋଇଥାଏ । ଅହଂକାର ଦେଖାଇବା ଉଚିତ୍ ନୁହେଁ । ତୁମେ ଜାଣିଛ ଆମକୁ ତ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । କେହି ଭକ୍ତି ଛାଡି ଦେଲେ ମଧ୍ୟ ହଙ୍ଗାମା ହୋଇଯାଇଥାଏ । ଯେଉଁମାନେ ଭକ୍ତି କରିବା ଛାଡି ଦେଇଥାନ୍ତି ତାଙ୍କୁ ନାସ୍ତିକ ବୋଲି ଭାବିଥାନ୍ତି । ସେମାନଙ୍କର ନାସ୍ତିକ କହିବା ଏବଂ ତୁମର ନାସ୍ତିକ କହିବାରେ କେତେ ଫରକ ରହିଛି । ତୁମେ କହୁଛ ସେମାନେ ବାବାଙ୍କୁ ଜାଣିନାହାଁନ୍ତି, ସେଥିପାଇଁ ସେମାନେ ନାସ୍ତିକ, ବାପା-ମାଆ ଛେଉଣ୍ଡ ହୋଇଯାଇଛନ୍ତି, ସେଥିପାଇଁ ସମସ୍ତେ ପରସ୍ପର ମଧ୍ୟରେ ଲଢେଇ-ଝଗଡା କରୁଛନ୍ତି । ଘରେ-ଘରେ ଝଗଡା ଅଶାନ୍ତି ରହିଛି । କ୍ରୋଧର ଚିହ୍ନ ହେଲା ଅଶାନ୍ତି, କିନ୍ତୁ ସତ୍ୟଯୁଗରେ କେତେ ଅପାର ଶାନ୍ତି ରହିଛି । ମନୁଷ୍ୟ କହୁଛନ୍ତି ଭକ୍ତିରେ ବହୁତ ଶାନ୍ତି ମିଳିଥାଏ । କିନ୍ତୁ ତାହା ହେଲା ଅଳ୍ପ ସମୟ ପାଇଁ । ସଦାସର୍ବଦା ଶାନ୍ତି ଦରକାର ନା । ତୁମେ ସନାଥରୁ ଅନାଥ ହୋଇଯାଉଛ ତେଣୁ ଶାନ୍ତିରୁ ପୁଣି ଅଶାନ୍ତିକୁ ଆସିଯାଉଛ । ବେହଦର ବାବା ତୁମକୁ ଅବିନାଶୀ ସୁଖର ସମ୍ପତ୍ତି ଦେଉଛନ୍ତି । ବିନାଶୀ ପିତାଙ୍କଠାରୁ ବିନାଶୀ ସୁଖର ସମ୍ପତ୍ତି ମିଳିଥାଏ । ବାସ୍ତବରେ ତାହା ହେଲା ଦୁଃଖର, କାମ ବିକାରର ସମ୍ପତ୍ତି, ଯେଉଁଥିରେ ଦୁଃଖ ହିଁ ଦୁଃଖ ରହିଛି, ସେଥିପାଇଁ ବାବା କହୁଛନ୍ତି - ତୁମେ ଆଦି-ମଧ୍ୟ-ଅନ୍ତ ଦୁଃଖ ପାଉଛ ।

ବାବା କହୁଛନ୍ତି ତୁମେ ମୋତେ ଅର୍ଥାତ୍ ପତିତ-ପାବନ ବାବାଙ୍କୁ ମନେ ପକାଅ, ଏହାକୁ ହିଁ ସହଜ ଯୋଗ ଏବଂ ସୃଷ୍ଟିଚକ୍ରର ସହଜ ଜ୍ଞାନ କୁହାଯାଉଛି । ତୁମେ ନିଜକୁ ଆଦି ସନାତନ ଦେବୀ-ଦେବତା ଧର୍ମର ମନେ କରିଲେ ନିଶ୍ଚିତ ଭାବରେ ସ୍ୱର୍ଗକୁ ଆସିବ । ସ୍ୱର୍ଗରେ ସମସ୍ତେ ନିର୍ବିକାରୀ ଦୃଷ୍ଟି ସମ୍ପନ୍ନ ଥିଲେ, ଦେହ-ଅଭିମାନୀକୁ ଅପବିତ୍ର ଦୃଷ୍ଟି ସମ୍ପନ୍ନ ବୋଲି କୁହାଯାଇଥାଏ । ପବିତ୍ର ଦୃଷ୍ଟି ହେଲେ କୌଣସି ପ୍ରକାରର ବିକାର ରହି ନ ଥାଏ । ବାବା କେତେ ସହଜ କରି ବୁଝାଉଛନ୍ତି କିନ୍ତୁ ପିଲାମାନଙ୍କର ଏକଥା ମଧ୍ୟ ମନେ ରହୁନାହିଁ, କାହିଁକି ନା ଦୃଷ୍ଟି ବିକାରୀ ଅପବିତ୍ର ହୋଇଯାଇଛି । ତେଣୁ ଏହି ବିକାରୀ ଦୁନିଆ ହିଁ ତାଙ୍କର ମନେ ପଡୁଛି । ବାବା କହୁଛନ୍ତି ଏହି ଦୁନିଆକୁ ଭୁଲିଯାଅ । ଆଚ୍ଛା

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :
(୧) ଏଭଳି ଯୋଗୀ ହେବାକୁ ପଡିବ ଯାହାକି ଶରୀର ପ୍ରତି ଟିକିଏ ବି ମମତ୍ତ୍ୱ ନ ଥିବ । କୌଣସି ବି ଛି-ଛି ବା ନିକୃଷ୍ଟ ଜିନିଷ ପ୍ରତି ଆସକ୍ତି ରହୁ ନ ଥିବ, ଅବସ୍ଥା ଏହିଭଳି ଉପରାମ ରହୁଥିବ । ଖୁସିର ପାରଦ ସର୍ବଦା ଚଢି ରହିଥାଉ ।

(୨) ମୃତ୍ୟୁ ସର୍ବଦା ପାଖେ ପାଖେ ରହିଛି ସେଥିପାଇଁ ଶୁଭକାର୍ଯ୍ୟରେ ବିଳମ୍ବ କରିବାର ନାହିଁ, କାଲି ଉପରେ ଛାଡିବାର ନାହିଁ ।

ବରଦାନ:-
ମହାଚତୁର ପିତାଙ୍କ ସହିତ ଚତୁରତା କରିବା ପରିବର୍ତ୍ତେ ହୃଦ୍‌ବୋଧ କରିବାର ଶକ୍ତି ଦ୍ୱାରା ସର୍ବ ପାପରୁ ମୁକ୍ତ ଭବ ।

କେତେକ ପିଲା ମହାଚତୁର ପିତାଙ୍କ ସହିତ ମଧ୍ୟ ଚତୁରତା କରୁଛନ୍ତି - ନିଜର କାର୍ଯ୍ୟ ହାସଲ କରିବା ପାଇଁ ବା ନିଜର ନାମ ବିଖ୍ୟାତ କରିବା ପାଇଁ ସେହି ସମୟରେ ନିଜର ଭୁଲ୍‌କୁ ହୃଦ୍‌ବୋଧ କରିନେଉଛନ୍ତି କିନ୍ତୁ ସେହିଭଳି ହୃଦ୍‌ବୋଧ କରିନେବାରେ କୌଣସି ଶକ୍ତି ନ ଥାଏ ସେଥିପାଇଁ କୌଣସି ପରିବର୍ତ୍ତନ ହୁଏ ନାହିଁ । କେହି କେହି ଏପରି ମଧ୍ୟ ଅଛନ୍ତି ଯେଉଁମାନେ କି ଜାଣୁଛନ୍ତି ଯେ ଏହା ଠିକ୍ ନୁହେଁ କିନ୍ତୁ ଭାବୁଛନ୍ତି ମୋର ବଦନାମୀ ନ ହେଉ ସେଥିପାଇଁ ନିଜର ବିବେକକୁ ହତ୍ୟା କରିଦେଉଛନ୍ତି, ଏହା ମଧ୍ୟ ପାପର ଖାତାରେ ଜମା ହୋଇଯାଉଛି, ସେଥିପାଇଁ ଏହିଭଳି ଚତୁରତାକୁ ଛାଡି ସଚ୍ଚା ହୃଦୟର ହୃଦ୍‌ବୋଧ ଦ୍ୱାରା ନିଜକୁ ପରିବର୍ତ୍ତନ କରି ପାପରୁ ମୁକ୍ତ ହୁଅ ।

ସ୍ଲୋଗାନ:-
ଜୀବନରେ ରହି ଭିନ୍ନ ଭିନ୍ନ ବନ୍ଧନଗୁଡିକରୁ ମୁକ୍ତ ରହିବା ହିଁ ଜୀବନମୁକ୍ତ ସ୍ଥିତି ଅଟେ ।