04.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବନ୍ଧନମୁକ୍ତ ହୋଇ ସେବାରେ ତତ୍ପର ରୁହ, କାହିଁକି ନା ଏହି ସେବା ଦ୍ୱାରା ବହୁତ ବଡ ପ୍ରାପ୍ତି ହୋଇଥାଏ, ୨୧ ଜନ୍ମ ପାଇଁ ତୁମେ ବୈକୁଣ୍ଠର ମାଲିକ ହୋଇଯାଇଥାଅ । ’’

ପ୍ରଶ୍ନ:-
ପ୍ରତ୍ୟେକ ସନ୍ତାନମାନଙ୍କୁ କେଉଁ ଅଭ୍ୟାସ କରିବା ଦରକାର?

ଉତ୍ତର:-
ମୁରଲୀର ପଏଣ୍ଟ ଉପରେ ବୁଝାଇବାର ଅଭ୍ୟାସ । ବ୍ରାହ୍ମଣୀ ଅର୍ଥାତ୍ ଟୀଚର ଭଉଣୀ ଯଦି କୌଣସି ଆଡେ ସେବା କରିବା ପାଇଁ ଚାଲିଯାଉଛନ୍ତି, ତେବେ ତୁମେମାନେ ପରସ୍ପର ମିଶି କ୍ଲାସ କରିବା ଦରକାର । ଯଦି ମୁରଲୀ ଶୁଣାଇବା ନ ଶିଖିବ ତେବେ ଅନ୍ୟମାନଙ୍କୁ ନିଜ ସମାନ କିପରି କରିପାରିବ! ତେଣୁ ସେଣ୍ଟରରେ ବ୍ରାହ୍ମଣୀ ନ ଥିଲେ ବ୍ୟସ୍ତ ହୁଅ ନାହିଁ । ପାଠପଢା ତ ବହୁତ ସହଜ, ତେଣୁ ମିଳିମିଶି କ୍ଲାସ କରୁଥାଅ, ଏହି ଅଭ୍ୟାସ ମଧ୍ୟ ରହିବା ଉଚିତ୍ ।

ଗୀତ:-
ମୁଖଡା ଦେଖଲେ ପ୍ରାଣୀ...

ଓମ୍ ଶାନ୍ତି ।
ପିଲାମାନେ ଯେବେ ଶୁଣୁଛନ୍ତି ତେବେ ନିଜକୁ ଆତ୍ମା ନିଶ୍ଚୟ କରି ବସନ୍ତୁ ଏବଂ ମନ ମଧ୍ୟରେ ଏହି ନିଶ୍ଚୟ ରହୁ ଯେ ପିତା ପରମାତ୍ମା ଆମକୁ ଜ୍ଞାନ ଶୁଣାଉଛନ୍ତି । ଏହି ଉପଦେଶ ଅଥବା ମତ ଏକ ବାବା ହିଁ ଦେଇଥା’ନ୍ତି । ତାଙ୍କର ମତକୁ ହିଁ ଶ୍ରୀମତ ବୋଲି କୁହାଯାଉଛି । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠରୁ ଶ୍ରେଷ୍ଠ । ସେ ହେଲେ ବେହଦର ପିତା, ଯାହାଙ୍କୁ ସର୍ବୋଚ୍ଚ ଭଗବାନ କୁହାଯାଉଛି । ବହୁତ ମନୁଷ୍ୟ ଅଛନ୍ତି, ଯେଉଁମାନେ ସେହି ପ୍ରେମରେ ପରମାତ୍ମାଙ୍କୁ ପିତା ବୋଲି ଭାବୁ ନାହାଁନ୍ତି । ଯଦିଓ ଶିବଙ୍କର ଭକ୍ତି କରୁଛନ୍ତି, ବହୁତ ସ୍ନେହରେ ମନେ ପକାଉଛନ୍ତି ପରନ୍ତୁ ମନୁଷ୍ୟମାନେ କହି ଦେଉଛନ୍ତି ଯେ ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି, ତେବେ ସେମାନେ କାହା ସହିତ ସ୍ନେହ ରଖିବେ, ସେଥିପାଇଁ ବାବାଙ୍କଠାରୁ ବିପରୀତ ବୁଦ୍ଧି ହୋଇଯାଇଛନ୍ତି । ଭକ୍ତିରେ ଯେତେବେଳେ କୌଣସି ଦୁଃଖ କିମ୍ବା ରୋଗ ଆଦି ହୋଇଥାଏ ତ ପ୍ରେମ ଦେଖାଇଥାନ୍ତି । କହିଥା’ନ୍ତି ଯେ ଭଗବାନ ରକ୍ଷା କର । ପିଲାମାନେ ଜାଣିଛନ୍ତି ଯେ ଗୀତା ଶ୍ରୀମତ ଭଗବାନଙ୍କର ମୁଖ ଦ୍ୱାରା ଗାୟନ ହୋଇଛି । ଆଉ କୌଣସି ଏଭଳି ଶାସ୍ତ୍ର ନାହିଁ ଯେଉଁଥିରେ ଭଗବାନ ନିଜେ ରାଜଯୋଗ ଶିଖାଇଛନ୍ତି କିମ୍ବା ଶ୍ରୀମତ ଦେଇଛନ୍ତି । ଭାରତରେ ଏକମାତ୍ର ଗୀତାର ହିଁ ବହୁତ ପ୍ରଭାବ ରହିଛି । ଏକମାତ୍ର ଗୀତା ହିଁ ଭଗବାନଙ୍କ ଦ୍ୱାରା ଗାୟନ ହୋଇଛି, ଭଗବାନ କହିବା ମାତ୍ରେ ଏକ ନିରାକାରଙ୍କ ଆଡକୁ ହିଁ ଦୃଷ୍ଟି ଚାଲିଯାଇଥାଏ ଏବଂ ଅଙ୍ଗୁଳୀରେ ମଧ୍ୟ ଉପରକୁ ଇଙ୍ଗିତ କରିଥାନ୍ତି । ଶ୍ରୀକୃଷ୍ଣଙ୍କ ପାଇଁ ଏପରି କେବେହେଲେ କହିବେ ନାହିଁ କାହିଁକି ନା ସେ ତ ଦେହଧାରୀ ଅଟନ୍ତି ନା । ତୁମେ ଏବେ ତାଙ୍କ ସାଥିରେ ରହିଥିବା ସମ୍ବନ୍ଧକୁ ଜାଣିସାରିଛ । ତେଣୁ କୁହାଯାଉଛି ବାବାଙ୍କୁ ୟାଦ କର, ତାଙ୍କ ପ୍ରତି ପ୍ରେମ ରଖ । ଆତ୍ମା ନିଜର ପିତାଙ୍କୁ ମନେ ପକାଇଥାଏ । ଏବେ ସେହି ଭଗବାନ ପିଲାମାନଙ୍କୁ ପଢାଉଛନ୍ତି । ତେଣୁ ଏହି ନିଶା ସ୍ଥାୟୀ ଏବଂ ଅତ୍ୟଧିକ ମଧ୍ୟ ରହିବା ଦରକାର । ଏପରି ନୁହେଁ ଯେ ବ୍ରାହ୍ମଣୀ ସାମ୍‌ନାରେ ଥିଲେ ନିଶା ଚଢିବ, ବ୍ରାହ୍ମଣୀ ନାହାଁନ୍ତି ତ ନିଶା ଉଡିଯିବ । ବାସ୍ ବ୍ରାହ୍ମଣୀ ବ୍ୟତୀତ ଆମେ କ୍ଲାସ୍ କରିପାରିବୁ ନାହିଁ । କେତେକ ସେବାକେନ୍ଦ୍ର ପାଇଁ ବାବା ବୁଝାଇଥାନ୍ତି ଯେ କେଉଁଠାରେ ୫/୬ ମାସରେ ମଧ୍ୟ ଯଦି ବ୍ରାହ୍ମଣୀ ଚାଲିଯାଇଥାଆନ୍ତି ତ ପରସ୍ପର ସହିତ ମିଶି ସେବାକେନ୍ଦ୍ରକୁ ସମ୍ଭାଳିଥାନ୍ତି କାହିଁକି ନା ପାଠପଢା ତ ସହଜ ଅଟେ । କେହି ତ ପୁଣି ବ୍ରାହ୍ମଣୀ ବ୍ୟତୀତ ଯେପରି ଅନ୍ଧ, ଛୋଟା ହୋଇ ଯାଇଥାଆନ୍ତି । ବ୍ରାହ୍ମଣୀ ଚାଲିଗଲେ ସେବାକେନ୍ଦ୍ରକୁ ଯିବା ଛାଡି ଦେଇଥାଆନ୍ତି । ଆରେ ବହୁତ ବସିଛ କ’ଣ କ୍ଲାସ୍ କରି ପାରିବ ନାହିଁ । ଗୁରୁ ବାହାରକୁ ଚାଲିଗଲେ ଶିଷ୍ୟମାନେ ପୁଣି ପଛରେ ସମ୍ଭାଳିଥାନ୍ତି ନା । ପିଲାମାନଙ୍କୁ ସେବା କରିବାର ଅଛି । ଛାତ୍ରମାନଙ୍କ ମଧ୍ୟରେ ବି କ୍ରମାନ୍ୱୟରେ ତ ଥାଆନ୍ତି ନା । ବାପଦାଦା ଜାଣିଥାନ୍ତି ଯେ କେଉଁ କେଉଁ ସ୍ଥାନକୁ ଫାଷ୍ଟକ୍ଲାସ୍ ସନ୍ତାନମାନଙ୍କୁ ପଠାଇବାକୁ ହେବ । ପିଲାମାନେ ଏତେ ବର୍ଷ ଶିଖିଲେ, କିଛି ତ ଧାରଣା ହୋଇଥିବ ଯାହାଦ୍ୱାରା ପରସ୍ପର ମଧ୍ୟରେ ମିଶି କରି ସେବାକେନ୍ଦ୍ରକୁ ଚଳାଇ ପାରିବେ । ମୁରଲୀ ତ ମିଳୁଛି । ପଏଣ୍ଟସ୍‌ର ଆଧାରରେ ହିଁ ବୁଝାଉଛନ୍ତି । ଶୁଣିବାର ଅଭ୍ୟାସ ହୋଇଯାଇଛି କିନ୍ତୁ ଶୁଣାଇବାର ଅଭ୍ୟାସ ହୋଇପାରୁ ନାହିଁ । ଯେବେ ଯୋଗଯୁକ୍ତ ହୋଇ ରହିବ ତେବେ ଧାରଣା ମଧ୍ୟ ହେବ ଏବଂ ଶୁଣାଇ ପାରିବ । ସେବାକେନ୍ଦ୍ରରେ ଏଭଳି ତ କେହି ରହିବା ଦରକାର ଯେ ଯିଏକି କହିବେ ଆଚ୍ଛା, ବ୍ରାହ୍ମଣୀ ଯାଉଛନ୍ତି ତ ଯାଆନ୍ତୁ ଆମେ ସେବାକେନ୍ଦ୍ରକୁ ସମ୍ଭାଳିବୁ । ବାବା ବ୍ରାହ୍ମଣୀଙ୍କୁ ଅନ୍ୟ ଭଲ ସେବାକେନ୍ଦ୍ରକୁ ପଠାଇଛନ୍ତି ସେବା କରିବା ପାଇଁ । ବ୍ରାହ୍ମଣୀଙ୍କ ବିନା ବିଚଳିତ ହେବା ଉଚିତ୍ ନୁହେଁ । ବ୍ରାହ୍ମଣୀଙ୍କ ପରି ସେବାଧାରୀ ହେବ ନାହିଁ ତ ଅନ୍ୟକୁ ନିଜ ସମାନ କରି କିପରି ଗଢିପାରିବ, ପ୍ରଜା କିପରି ତିଆରି କରିବ । ମୁରଲୀ ତ ସମସ୍ତଙ୍କୁ ମିଳୁଛି । ପିଲାମାନଙ୍କର ଖୁସୀ ରହିବା ଦରକାର ଯେ ମୁଁ ଗଦି ଉପରେ ବସି ବୁଝାଇବି । ଅଭ୍ୟାସ କଲେ ସେବାଧାରୀ ହୋଇପାରିବ । ବାବା ପଚାରୁଛନ୍ତି ସେବାଧାରୀ ହେଲଣି? ତେବେ କେହି ବି ବାହାରୁ ନାହାଁନ୍ତି । ସେବା ପାଇଁ ଅଫିସର ଛୁଟି ନେବା ଦରକାର । ଯେଉଁଠାରୁ ବି ସେବା ପାଇଁ ଡାକରା ଆସୁଛି ସେଠାକୁ ଛୁଟି ନେଇ ଚାଲିଯିବା ଦରକାର । ଯେଉଁମାନେ ବନ୍ଧନମୁକ୍ତ ସନ୍ତାନ ସେମାନେ ଏଭଳି ସେବା କରିପାରିବେ । ସେ ସରକାରଙ୍କ ଠାରୁ ଏହି ସରକାରଙ୍କର ରୋଜଗାର ବହୁତ ଉଚ୍ଚ ଅଟେ । ଭଗବାନ ପଢାଉଛନ୍ତି, ଯାହାଦ୍ୱାରା ତୁମେ ୨୧ ଜନ୍ମ ପାଇଁ ବୈକୁଣ୍ଠର ମାଲିକ ହେଉଛ । କେତେ ଶ୍ରେଷ୍ଠ ରୋଜଗାର ଅଟେ, ବିନାଶୀ ରୋଜଗାରରୁ କ’ଣ ମିଳିବ? କେବଳ ଅଳ୍ପକାଳ ପାଇଁ ସୁଖ ମିଳିବ । ଏଠାରେ ତ ବିଶ୍ୱର ମାଲିକ ହେଉଛ । ଯାହାଙ୍କର ପକ୍କା ନିଶ୍ଚୟ ରହିଛି ସେ ତ କହିବେ ଯେ ମୁଁ ଏହି ସେବାରେ ଲାଗିଯିବି । ପରନ୍ତୁ ସମ୍ପୂର୍ଣ୍ଣ ନିଶା ଥିବା ଦରକାର । ନିଜକୁ ଦେଖିବାକୁ ହେବ ଯେ ମୁଁ କାହାକୁ ବୁଝାଇ ପାରୁଛି ! ବହୁତ ସହଜ । କଳିଯୁଗ ଶେଷରେ ଏତେ କୋଟି ମନୁଷ୍ୟ ଅଛନ୍ତି, ସତ୍ୟଯୁଗରେ ନିଶ୍ଚିତ କମ୍ ମନୁଷ୍ୟ ହେବେ । ତାହାର ସ୍ଥାପନା ପାଇଁ ନିଶ୍ଚିତ ବାବା ସଂଗମଯୁଗରେ ହିଁ ଆସିବେ । ପୁରୁଣା ଦୁନିଆର ବିନାଶ ହେବ । ମହାଭାରତ ଲଢେଇ ମଧ୍ୟ ପ୍ରସିଦ୍ଧ ଅଟେ । ଏହା ସେତେବେଳେ ହିଁ ଲାଗିଥାଏ ଯେତେବେଳେ ଭଗବାନ ଆସି ସତ୍ୟଯୁଗ ପାଇଁ ରାଜଯୋଗ ଶିଖାଇ ରାଜାମାନଙ୍କର ରାଜା କରିଥାନ୍ତି । କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରାଇଥାନ୍ତି । କହିଥାନ୍ତି ଯେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଛାଡି ମୋତେ ମନେ ପକାଅ ତେବେ ପାପ କଟିଚାଲିବ । ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବା - ଏହା ହିଁ କଷ୍ଟକର କଥା ଅଟେ । ଯୋଗର ଅର୍ଥ ଜଣେ ହେଲେ ବି ମନୁଷ୍ୟ ଜାଣନ୍ତି ନାହିଁ ।

ବାବା ବୁଝାଉଛନ୍ତି ଯେ ଭକ୍ତିମାର୍ଗର କଥା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଭକ୍ତିମାର୍ଗ ତ ଚାଲିବ । ଖେଳ ତିଆରି ହୋଇଛି - ଜ୍ଞାନ, ଭକ୍ତି, ବୈରାଗ୍ୟ । ବୈରାଗ୍ୟ ମଧ୍ୟ ଦୁଇ ପ୍ରକାରର ହୋଇଥାଏ, ଗୋଟିଏ ହେଲା ହଦର ବୈରାଗ୍ୟ, ଅନ୍ୟଟି ହେଲା ଏହି ବେହଦର ବୈରାଗ୍ୟ । ଏବେ ତୁମେ ପିଲାମାନେ ସମଗ୍ର ପୁରୁଣା ଦୁନିଆକୁ ଭୁଲିବାର ପୁରୁଷାର୍ଥ କରୁଛ କାହିଁକି ନା ତୁମେ ଜାଣୁଛ ଯେ ଆମେ ଏବେ ଶିବାଳୟ ପବିତ୍ର ଦୁନିଆକୁ ଯାଉଛୁ । ତୁମେ ସବୁ ବ୍ରହ୍ମାକୁମାର-କୁମାରୀମାନେ ଭାଇଭଉଣୀ ଅଟ । ତେଣୁ ତୁମର ବିକାରୀ ଦୃଷ୍ଟି ହୋଇପାରିବ ନାହିଁ । ଆଜିକାଲି ତ ସଭିଙ୍କର ଦୃଷ୍ଟି ବିକାରୀ ହୋଇଯାଇଛି । ତମୋପ୍ରଧାନ ଅଟନ୍ତି ନା । ଏହାର ନାମ ହିଁ ଅଟେ ନର୍କ ପରନ୍ତୁ ନିଜକୁ କେହି ନର୍କବାସୀ ବୋଲି ଭାବୁ ନାହାଁନ୍ତି । ନିଜର ପରିଚୟ ତ ଜଣା ନାହିଁ ତେଣୁ କହିଦେଇଥାନ୍ତି ସ୍ୱର୍ଗ-ନର୍କ ଏହିଠାରେ ହିଁ ଅଛି । ଯାହା ମନରେ ଯାହା ଆସିଲା ତାହା କହିଦେଉଛନ୍ତି । ଏହା କୌଣସି ସ୍ୱର୍ଗ ନୁହେଁ । ସ୍ୱର୍ଗରେ ତ ରାଜଧାନୀ ଥିଲା । ଧାର୍ମିକ, ସତ୍ୟବାଦୀ ଥିଲେ । କେତେ ଶକ୍ତି ଥିଲା । ଏବେ ପୁଣି ତୁମେ ପୁରୁଷାର୍ଥ କରୁଛ । ତେଣୁ ବିଶ୍ୱର ମାଲିକ ହୋଇଯିବ । ଏଠାକୁ ତୁମେ ଆସିଛ ବିଶ୍ୱର ମାଲିକ ହେବା ପାଇଁ । ସ୍ୱର୍ଗର ରଚୟିତା ଯାହାଙ୍କୁ ଶିବ ପରମାତ୍ମା କୁହାଯାଉଛି, ସେ ତୁମକୁ ପଢାଉଛନ୍ତି । ପିଲାମାନଙ୍କ ଭିତରେ କେତେ ନିଶା ରହିବା ଦରକାର । ଏହା ବିଲ୍‌କୁଲ୍ ସହଜ ଜ୍ଞାନ ଅଟେ । ତୁମ ସନ୍ତାନମାନଙ୍କ ଭିତରେ ମଧ୍ୟ ଯାହା ବି ପୁରୁଣା ଅଭ୍ୟାସ ରହିଛି ତାକୁ ତ୍ୟାଗ କରିଦେବା ଉଚିତ୍ । ଈର୍ଷାର ପ୍ରକୃତି ମଧ୍ୟ ବହୁତ କ୍ଷତି କରିଥାଏ । ତୁମର ସମ୍ପୂର୍ଣ୍ଣ ଆଧାର ମୁରଲୀ ଅଟେ, ତୁମେ କାହାକୁ ବି ମୁରଲୀ ଉପରେ ବୁଝାଇପାରିବ । ପରନ୍ତୁ ଭିତରେ ଇର୍ଷା ରହୁଛି ଯେ - ଇଏ କ’ଣ ବ୍ରାହ୍ମଣୀ, ଇଏ କଣ ଜାଣିଛନ୍ତି । ବାସ୍ ଦ୍ୱିତୀୟ ଦିନ ଆସିବେ ହିଁ ନାହିଁ । ଏହିଭଳି ପୁରୁଣା ଅଭ୍ୟାସ ରହିଛି, ଯେଉଁ କାରଣରୁ ଅପସେବା ମଧ୍ୟ ହୋଇଥାଏ । ଜ୍ଞାନ ତ ବହୁତ ସହଜ ଅଟେ । କୁମାରୀମାନଙ୍କର ତ କୌଣସି ଧନ୍ଦା ଆଦି ବି ନାହିଁ । ତାଙ୍କୁ ପଚରାଯାଉଛି ଯେ ଦୁନିଆର ଭୌତିକ ପାଠପଢା ଭଲ ନା ଏହି ଆତ୍ମିକ ପାଠପଢା ଭଲ? ତେବେ କହିଥାନ୍ତି ଯେ ଏହି ପାଠପଢା ବହୁତ ଭଲ ଅଟେ । କନ୍ୟାମାନେ କହିଥା’ନ୍ତି ବାବା ଏବେ ମୁଁ ସେ ପାଠ ପଢିବି ନାହିଁ । ମନ ଲାଗୁନାହିଁ । ଲୌକିକ ବାପା ଜ୍ଞାନ ମାର୍ଗରେ ନ ଥିଲେ କନ୍ୟାମାନେ ମାଡ ଖାଇଥାନ୍ତି । ପୁଣି କେତେକ କନ୍ୟା ଦୁର୍ବଳ ମଧ୍ୟ ଥାଆନ୍ତି । ବୁଝାଇବା ଦରକାର ନା - ଏହି ପାଠପଢା ଦ୍ୱାରା ମୁଁ ମହାରାଣୀ ହେବି । ସେ ପାଠପଢାରେ କ’ଣ ପାଇପଇସାର ଚାକିରୀ କରିବି । ଏହି ପାଠ ତ ଭବିଷ୍ୟତ ୨୧ ଜନ୍ମ ପାଇଁ ସ୍ୱର୍ଗର ମାଲିକ କରାଉଛି । ପ୍ରଜା ମଧ୍ୟ ସ୍ୱର୍ଗବାସୀ ତ ହେଉଛନ୍ତି ନା । ଏବେ ସବୁ ନର୍କବାସୀ ହୋଇଯାଇଛନ୍ତି ।

ଏବେ ବାବା କହୁଛନ୍ତି ଯେ ତୁମେ ସର୍ବଗୁଣ ସମ୍ପନ୍ନ ଥିଲ । ଏବେ ତୁମେମାନେ ହିଁ କେତେ ତମୋପ୍ରଧାନ ହୋଇଯାଇଛ । ସିଢିରୁ ଖସି ଆସିଛ । ଭାରତ ଯାହାକୁ ସୁନାର ଚଢେଇ କୁହାଯାଉଥିଲା, ଏବେ ତ ଏହାର ମୂଲ୍ୟ କିଛି ବି ନାହିଁ । ଭାରତ ଶତ ପ୍ରତିଶତ ସାହୁକାର ଥିଲା । ଏବେ ୧୦୦ ପ୍ରତିଶତ ଗରୀବ ଅଟେ । ତୁମେ ଜାଣୁଛ ଯେ ଆମେ ବିଶ୍ୱର ମାଲିକ ପାରସନାଥ ଥିଲୁ । ପୁଣି ୮୪ ଜନ୍ମ ନେଇ ନେଇ ଏବେ ପଥରନାଥ ହୋଇଯାଇଛୁ । ମନୁଷ୍ୟ ତ ଅଟୁ ନା କିନ୍ତୁ ଗୁଣ ଅନୁଯାୟୀ ପାରସନାଥ ଏବଂ ପଥରନାଥ କୁହାଯାଇଥାଏ । ଗୀତ ମଧ୍ୟ ଶୁଣିଛ - ନିଜ ଭିତରକୁ ଦେଖ ଆମେ କେତେ ପର୍ଯ୍ୟନ୍ତ ଯୋଗ୍ୟ ହୋଇଛୁ । ନାରଦର ଉଦାହରଣ ରହିଛି ନା । ଦିନକୁ ଦିନ ତଳକୁ ତଳ ଖସିଚାଲିଛନ୍ତି । ତଳକୁ ଓହ୍ଲାଇ ଓହ୍ଲାଇ ଏକଦମ୍ ପଙ୍କରେ ଗଳା ପର୍ଯ୍ୟନ୍ତ ବୁଡିଯାଇଛନ୍ତି । ଏବେ ତୁମେ ବ୍ରାହ୍ମଣ ସମସ୍ତଙ୍କ ଚୁଟୀକୁ ଧରି ପଙ୍କ ଭିତରୁ ବାହାରକୁ ବାହାର କରୁଛ । ଉଦ୍ଧାର କରିବା ପାଇଁ ଆଉ କୌଣସି ସ୍ଥାନକୁ ଧରିବାର ଜାଗା ତ ନାହିଁ । ତେଣୁ ଚୁଟିକୁ ଧରିବା ସହଜ ଅଟେ । ପଙ୍କରୁ ବାହାର କରିବା ପାଇଁ ଚୁଟିକୁ ଧରିବାକୁ ପଡିଥାଏ । ପଙ୍କରେ ଏଭଳି ପୋତି ହୋଇ ଯାଇଛନ୍ତି ଯେ ତାହା ନ କହିଲେ ଭଲ । ଭକ୍ତିର ରାଜ୍ୟ ଅଟେ ନା । ଏବେ ତୁମେ କହୁଛ ଯେ ବାବା ଆମେ କଳ୍ପ ପୂର୍ବେ ବି ଆପଣଙ୍କ ପାଖକୁ ଆସିଥିଲୁ - ରାଜ୍ୟଭାଗ୍ୟ ପ୍ରାପ୍ତ କରିବା ପାଇଁ । ଲକ୍ଷ୍ମୀ-ନାରାୟଣଙ୍କ ମନ୍ଦିର ଯଦିଓ ତିଆରି କରୁଛନ୍ତି ପରନ୍ତୁ ତାଙ୍କୁ ଏ କଥା ଜଣା ନାହିଁ ଯେ ଇଏ ବିଶ୍ୱର ମାଲିକ କିପରି ହେଲେ । ଏବେ ତୁମେ କେତେ ବୁଦ୍ଧିମାନ ହୋଇଛ । ତୁମେ ଜାଣୁଛ ଯେ ଏମାନେ ରାଜ୍ୟଭାଗ୍ୟ କିପରି ପାଇଲେ । ପୁଣି ୮୪ ଜନ୍ମ କିପରି ନେଲେ । ବିରଳା କେତେ ମନ୍ଦିର ତିଆରି କରୁଛନ୍ତି । ଯେପରି କଣ୍ଢେଇ ତିଆରି କରୁଛନ୍ତି । ସେମାନେ ଛୋଟ ଛୋଟ କଣ୍ଢେଇ କରନ୍ତି, ଏମାନେ ପୁଣି ବଡ କଣ୍ଢେଇ ତିଆରି କରିଥାନ୍ତି । ଚିତ୍ର ତିଆରି କରି ପୂଜା କରନ୍ତି । ସେମାନଙ୍କର କର୍ତ୍ତବ୍ୟକୁ ନ ଜାଣିବା ତ ଯେପରି କଣ୍ଢେଇ ପୂଜା ହୋଇଗଲା ନା । ଏବେ ତୁମେ ଜାଣୁଛ ଯେ ବାବା ଆମକୁ କେତେ ସାହୁକାର କରିଥିଲେ ଏବେ କେତେ କଙ୍ଗାଳ ହୋଇଯାଇଛୁ । ଯିଏ ପୂଜ୍ୟ ଥିଲେ, ସେମାନେ ଏବେ ପୂଜାରୀ ହୋଇଯାଇଛନ୍ତି । ଭକ୍ତମାନେ ଭଗବାନଙ୍କ ପାଇଁ କହିଥା’ନ୍ତି ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ । ଆପଣ ହିଁ ସୁଖ ଦେଉଛନ୍ତି ଆପଣ ହିଁ ଦୁଃଖ ଦେଉଛନ୍ତି । ସବୁ କିଛି ଆପଣ ହିଁ କରୁଛନ୍ତି । ବାସ୍ ଏହିଥିରେ ହିଁ ମଜ୍ଜି ଯାଇଛନ୍ତି । କହିଥା’ନ୍ତି ଆତ୍ମା ନିର୍ଲେପ ଅଟେ, କିଛି ବି ଖାଅ ପିଅ ମୌଜ କର, ଶରୀରରେ ଲେପ ଛେପ ଲାଗିଥାଏ ଅର୍ଥାତ୍ ଅଶୁଦ୍ଧ ହୋଇଥାଏ ତାହା ଗଙ୍ଗାସ୍ନାନ କଲେ ଶୁଦ୍ଧ ହୋଇଯିବ । ଯାହା ଚାହୁଁଛ ତାହା ଖାଅ । କ’ଣ-କ’ଣ ଫେସନ ରହିଛି । ବାସ୍ ଯିଏ ଯେଉଁ ପରମ୍ପରା ତିଆରି କଲେ ତାହା ଧାରାରେ ଚାଲିଆସିଲା । ଏବେ ବାବା ବୁଝାଉଛନ୍ତି ଯେ ବିଷୟ ସାଗରରୁ ଶିବାଳୟକୁ ଚାଲ । ସତ୍ୟଯୁଗକୁ କ୍ଷୀରର ସାଗର କୁହାଯାଏ । ଏହା ହେଉଛି ବିଷୟ ସାଗର । ତୁମେ ଜାଣୁଛ ଯେ ଆମେ ୮୪ ଜନ୍ମ ନେଇ ନେଇ ପତିତ ହୋଇଯାଇଛୁ, ତେବେ ତ ପତିତପାବନ ବାବାଙ୍କୁ ଡାକୁଛୁ । ଚିତ୍ର ଆଧାରରେ ଏଥିପାଇଁ ବୁଝାଯାଉଛି ଯେ ମନୁଷ୍ୟମାନେ ସହଜରେ ବୁଝିଯିବେ । ସିଢି ଚିତ୍ରରେ ସମ୍ପୂର୍ଣ୍ଣ ୮୪ ଜନ୍ମର ବୃତ୍ତାନ୍ତ ରହିଛି । ଯଦି ଏତେ ସହଜ କଥା ବି କାହାକୁ ବୁଝାଇ ପାରିବ ନାହିଁ, ତେବେ ବାବା ବୁଝିଯିବେ ଯେ ଭଲ ଭାବରେ ପଢୁ ନାହାଁନ୍ତି । ଉନ୍ନତି କରୁ ନାହାଁନ୍ତି ।

ତୁମ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ ହେଲା - ଭ୍ରମରି ପରି କୀଟକୁ ଭୁଁ-ଭୁଁ କରି ନିଜ ସମାନ କରିବା ଏବଂ ତୁମର ପୁରୁଷାର୍ଥ ହେଲା - ସର୍ପ ସମାନ ପୁରୁଣା ଶରୀର ଛାଡି ନୂଆ ନେବା । ତୁମେ ଜାଣୁଛ ଯେ ଏହା ପୁରୁଣା ସଢିଯାଇଥିବା ଶରୀର ଅଟେ, ଏହାକୁ ଛାଡିବାର ଅଛି । ଏହି ଦୁନିଆ ବି ପୁରୁଣା ଅଟେ । ଶରୀର ବି ପୁରୁଣା ଅଟେ । ଏହାକୁ ଛାଡି ଏବେ ନୂଆ ଦୁନିଆକୁ ଯିବାକୁ ହେବ । ତୁମର ଏହି ପାଠପଢା ନୂଆ ଦୁନିଆ ସ୍ୱର୍ଗ ପାଇଁ ଅଟେ । ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ । ସାଗରର ଗୋଟିଏ ଲହଡିରେ ସମଗ୍ର ସଂସାର ଟଳମଳ ହୋଇଯିବ । ବିନାଶ ତ ହେବ ହିଁ ହେବ । ପ୍ରାକୃତିକ ବିପର୍ଯ୍ୟୟ କାହାକୁ ବି ଛାଡି ନ ଥାଏ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜ ଭିତରେ ଥିବା ଈର୍ଷା ଆଦିର ପୁରୁଣା ଅଭ୍ୟାସଗୁଡିକୁ ଛାଡି ପରସ୍ପର ମଧ୍ୟରେ ବହୁତ ସ୍ନେହରେ ମିଳିମିଶି ରହିବାକୁ ହେବ । ଈର୍ଷାର ବଶୀଭୂତ ହୋଇ ପାଠ ପଢାକୁ ଛାଡିବାର ନାହିଁ ।

(୨) ଏହି ପୁରୁଣା ତମୋପ୍ରଧାନ ଶରୀରର ଅଭିମାନ ଛାଡି ଦେବାକୁ ହେବ । ଭ୍ରମରୀ ପରି ଜ୍ଞାନର ଭୂଁ-ଭୂଁ କରି କୀଟମାନଙ୍କୁ ନିଜ ଭଳି କରିବାର ସେବା କରିବାକୁ ହେବ । ଏହି ଆତ୍ମିକ ବ୍ୟବସାୟରେ ଲାଗିଯିବାକୁ ହେବ ।

ବରଦାନ:-
ମାନସିକ ବନ୍ଧନଠାରୁ ମୁକ୍ତ ହୋଇ ଅତିନ୍ଦ୍ରିୟ ସୁଖର ଅନୁଭୁତି କରୁଥିବା ମୁକ୍ତିଦାତା ହୁଅ ।

ଅତିନ୍ଦ୍ରିୟ ସୁଖର ଝୁଲଣାରେ ଝୁଲିବା - ଏହା ହିଁ ହେଉଛି - ସଂଗମଯୁଗୀ ବ୍ରାହ୍ମଣମାନଙ୍କର ବିଶେଷତା । କିନ୍ତୁ ମନର ସଂକଳ୍ପର ବନ୍ଧନ ଆନ୍ତରିକ ଖୁସି ବା ଅତିନ୍ଦ୍ରିୟ ସୁଖର ଅନୁଭବ କରିବାକୁ ଦିଏ ନାହିଁ । ବ୍ୟର୍ଥ ସଂକଳ୍ପ, ଈର୍ଷା, ଅବହେଳାପଣିଆ ବା ଆଳସ୍ୟର ସଂକଳ୍ପର ବନ୍ଧନରେ ବାନ୍ଧି ହେବା ହିଁ ମାନସିକ ବନ୍ଧନ ଅଟେ । ଏହିଭଳି ଆତ୍ମାମାନେ ଅଭିମାନର ବଶୀଭୂତ ହୋଇ ଅନ୍ୟମାନଙ୍କର ଦୋଷକୁ ହିଁ ଦେଖିଥାନ୍ତି, ସେମାନଙ୍କର ହୃଦ୍‌ବୋଧ କରିବାର ଶକ୍ତି ସମାପ୍ତ ହୋଇଯାଏ । ସେଥିପାଇଁ ପ୍ରଥମେ ଏହି ସୂକ୍ଷ୍ମ ବନ୍ଧନରୁ ମୁକ୍ତ ହୁଅ ତେବେ ଯାଇ ମୁକ୍ତିଦାତା ହୋଇପାରିବ ।

ସ୍ଲୋଗାନ:-
ସବୁପ୍ରକାରର ଖୁସିର ଖଣି ଦ୍ୱାରା ଏଭଳି ଭରପୁର ରୁହ ଯାହାକି ତୁମ ପାଖରେ ଦୁଃଖର ଢେଉ ମଧ୍ୟ ପହଞ୍ଚି ପାରିବ ନାହିଁ ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ଯେ କୌଣସି ଶ୍ରେଷ୍ଠ ସଂକଳ୍ପ ରୂପୀ ବୀଜକୁ ଫଳୀଭୂତ କରିବାର ସହଜ ଉପାୟ ଗୋଟିଏ ହିଁ ଅଟେ – ତାହା ହେଲା ସର୍ବଦା ବୀଜରୂପ ବାବାଙ୍କ ଠାରୁ ସବୁ ସମୟରେ ସର୍ବଶକ୍ତିର ବଳ ସେହି ବୀଜ ମଧ୍ୟରେ ଭରପୁର କରିବା । ତେବେ ବୀଜରୂପ ବାବାଙ୍କ ଦ୍ୱାରା ତୁମମାନଙ୍କର ସଂକଳ୍ପ ରୂପୀ ବୀଜ ସହଜରେ ଏବଂ ସ୍ୱତଃ ବୃଦ୍ଧି ପ୍ରାପ୍ତ କରିବା ସହିତ ଫଳିଭୂତ ହୋଇଯିବ ଏବଂ ସଂକଳ୍ପ ଶକ୍ତି ଜମା ହୋଇଯିବ ।