05.02.25          Morning Odia Murli         Om Shanti         BapDada       Madhuban
“ମିଠେ ବଚ୍ଚେ:- ଏହି 
ଶରୀର ରୂପକ ବସ୍ତ୍ରକୁ ଏହିଠାରେ ହିଁ ଛାଡ଼ିବାକୁ ହେବ, ସେଥିପାଇଁ ଏଥିରୁ ମମତ୍ତ୍ୱ ତୁଟାଇ ଦିଅ, 
କେହି ବି ମିତ୍ର-ସମ୍ବନ୍ଧୀ ଯେପରି ମନେ ନ ପଡ଼ନ୍ତୁ ।”
ପ୍ରଶ୍ନ:-
ଯେଉଁ 
ପିଲାମାନଙ୍କ ଭିତରେ ଯୋଗବଳ ରହିଛି, ସେମାନଙ୍କର ଲକ୍ଷଣ କିପରି ହୋଇଥିବ?
ଉତ୍ତର:-
ସେମାନଙ୍କୁ କୌଣସି କଥାରେ ସାମାନ୍ୟତମ ଆଘାତ ବି ଲାଗିବ ନାହିଁ, କାହାରି ପ୍ରତି ମୋହ ନ ଥିବ । 
ଧରିନିଅ ଆଜି କିଏ ଶରୀର ଛାଡ଼ି ଦେଲେ ତେବେ ତାଙ୍କୁ ଦୁଃଖ ଲାଗିବ ନାହିଁ, କାହିଁକିନା ଜାଣିଛନ୍ତି 
ଡ୍ରାମାରେ ଏହାଙ୍କର ଏତିକି ହିଁ ପାର୍ଟ ଥିଲା । ଆତ୍ମା ଗୋଟିଏ ଶରୀର ଛାଡ଼ି ଯାଇ ଆଉ ଗୋଟିଏ ଧାରଣ 
କରିବ ।
ଓମ୍ ଶାନ୍ତି ।
ଏହି ଜ୍ଞାନ 
ବହୁତ ଗୁପ୍ତ, ଏଥିରେ ନମସ୍କାର ମଧ୍ୟ କରିବାକୁ ପଡ଼ୁନାହିଁ । ଦୁନିଆରେ ନମସ୍କାର ଅଥବା ରାମ-ରାମ 
ଆଦି କହିଥା’ନ୍ତି । ଏଠାରେ ଏ ସବୁ କଥା ଚାଲିପାରିବ ନାହିଁ କାହିଁକିନା ଏହା ଏକ ପରିବାର ଅଟେ । 
ପରିବାରରେ ଜଣେ-ଅନ୍ୟ ଜଣଙ୍କୁ ନମସ୍କାର ଅଥବା ଶୁଭ ସକାଳ କହିବେ - ଏ କଥା ଶୋଭା ପାଏ ନାହିଁ । ଘରେ 
ତ ଖାଇ-ପିଇ ଅଫିସ୍କୁ ଗଲ, ପୁଣି ଆସିଲ, ଏହିଭଳି ଚାଲି ଆସୁଛି । ନମସ୍କାର କରିବାର ଆବଶ୍ୟକତା ପଡେ 
ନାହିଁ । ଗୁଡ଼ମର୍ଣ୍ଣିଙ୍ଗ୍ କହିବାର ଫେସନ ମଧ୍ୟ ୟୁରୋପବାସୀମାନଙ୍କଠାରୁ ବାହାରିଛି । ନଚେତ୍ ଆଗରୁ 
ଏ ସବୁ କିଛି ଚାଲୁ ନ ଥିଲା । କୌଣସି ସତ୍ସଙ୍ଗରେ ପରସ୍ପର ସହିତ ମିଶିଲେ ନମସ୍କାର କରିଥା’ନ୍ତି, 
ପାଦ ତଳେ ପଡ଼ିଥା’ନ୍ତି । ତେବେ ପାଦ ତଳେ ପଡ଼ିବା ନମ୍ରତା ନିମନ୍ତେ ଶିଖାଇଥା’ନ୍ତି । ଏଠାରେ ତ 
ତୁମ ପିଲାମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡ଼ିବ । ଆତ୍ମା, ଆତ୍ମାକୁ କ’ଣ କରିବ? ତଥାପି ମଧ୍ୟ 
କହିବାକୁ ତ ପଡ଼ିଥାଏ । ଯେପରି ବାବାଙ୍କୁ କହୁଛନ୍ତି - ବାବା ନମସ୍ତେ । ଏବେ ବାବା ମଧ୍ୟ କହୁଛନ୍ତି 
- ମୁଁ ସାଧାରଣ ବ୍ରହ୍ମାଙ୍କ ଶରୀର ଦ୍ୱାରା ତୁମମାନଙ୍କୁ ପାଠ ପଢ଼ାଉଛି, ୟାଙ୍କ ଦ୍ୱାରା ନୂଆ 
ଦୁନିଆର ସ୍ଥାପନା କରାଉଛି । କିପରି? ତାହା ତ ଯେତେବେଳେ ବାବା ସମ୍ମୁଖକୁ ଆସିବେ ସେତେବେଳେ 
ବୁଝାଇବେ, ନଚେତ୍ କେହି କିପରି ବୁଝିପାରିବେ । ବାବା ସମ୍ମୁଖରେ ବସି ବୁଝାଉଛନ୍ତି, ତେଣୁ 
ପିଲାମାନେ ବୁଝି ପାରୁଛନ୍ତି । ଉଭୟଙ୍କୁ ନମସ୍କାର କରିବାକୁ ପଡ଼ିବ - ବାପଦାଦା ନମସ୍ତେ । ବାହାର 
ଲୋକମାନେ ଏହି କଥା ଶୁଣିଲେ ଦ୍ୱନ୍ଦ୍ୱରେ ପଡ଼ିବେ କି ଏମାନେ “ବାପଦାଦା” ବୋଲି କ’ଣ କହୁଛନ୍ତି । 
ବହୁତ ଲୋକଙ୍କର ଦୁଇଟି ନାମ ମଧ୍ୟ ରହିଥାଏ ନା । ଯେପରି ଲକ୍ଷ୍ମୀ-ନାରାୟଣ ଅଥବା ରାଧେ କୃଷ୍ଣ ...ଏହିଭଳି 
ନାମ ମଧ୍ୟ ଅଛି । ଏହା ତ ଯେପରି ସ୍ତ୍ରୀ-ପୁରୁଷ ଏକାଠି ହୋଇଗଲେ । ଇଏ ତ ହେଉଛନ୍ତି ବାପଦାଦା । 
ଏହି କଥାକୁ ତୁମେ ପିଲାମାନେ ହିଁ ବୁଝିପାରିବ । ବାବା ନିଶ୍ଚିତ ବଡ଼ ଅଟନ୍ତି । ଯଦିଓ ଦୁଇଟି ନାମ 
ରହିଛି କିନ୍ତୁ ଜଣେ ତ ଅଟନ୍ତି ନା । ପୁଣି ଦୁଇଜଣଙ୍କର ନାମ କାହିଁକି ରଖିଦେଇଛନ୍ତି? ଏବେ ତୁମେ 
ପିଲାମାନେ ଜାଣୁଛ ଏହା ଭୁଲ୍ ନାମ ଅଟେ । ବାବାଙ୍କୁ ଆଉ ତ କେହି ଚିହ୍ନି ପାରିବେ ନାହିଁ । ତୁମେ 
ବାପଦାଦା ନମସ୍ତେ ବୋଲି କହୁଛ । ବାବା ପୁଣି କହୁଛନ୍ତି ଶାରୀରିକ ଏବଂ ଆତ୍ମିକ ପିଲାମାନେ ନମସ୍ତେ 
କିନ୍ତୁ ଏତେ ଲମ୍ବା ହୋଇଯାଉଥିବାରୁ ଏହା ଶୋଭା ପାଉ ନାହିଁ । ଅକ୍ଷର ତ ଠିକ୍ ଅଛି । ତୁମେ ଏବେ 
ଶାରୀରିକ ସନ୍ତାନ ସହିତ ଆତ୍ମିକ ସନ୍ତାନ ମଧ୍ୟ ଅଟ । ଶିବବାବା ସବୁ ଆତ୍ମାମାନଙ୍କର ପିତା ଅଟନ୍ତି 
ଏବଂ ପୁଣି ପ୍ରଜାପିତା ମଧ୍ୟ ନିଶ୍ଚିତ ପିତା ଅଛନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ 
ଭାଇ-ଭଉଣୀ ଅଟନ୍ତି । ତେବେ ଏହା ପ୍ରବୃତ୍ତି ମାର୍ଗ ହୋଇଯାଉଛି । ତୁମେ ସମସ୍ତେ ହେଉଛ 
ବ୍ରହ୍ମାକୁମାର-କୁମାରୀ । ବ୍ରହ୍ମାକୁମାର-କୁମାରୀ ହେବା ଦ୍ୱାରା ପ୍ରଜାପିତା ମଧ୍ୟ ସିଦ୍ଧ 
ହୋଇଯାଉଛି । ଏଥିରେ ଅନ୍ଧଶ୍ରଦ୍ଧାର କୌଣସି କଥା ନାହିଁ । କୁହ ବ୍ରହ୍ମାକୁମାର-କୁମାରୀମାନଙ୍କୁ 
ବାବାଙ୍କଠାରୁ ସମ୍ପତ୍ତି ମିଳୁଛି । ବ୍ରହ୍ମାଙ୍କଠାରୁ ମିଳୁନାହିଁ, ବ୍ରହ୍ମା ମଧ୍ୟ ଶିବବାବାଙ୍କର 
ସନ୍ତାନ ଅଟନ୍ତି । ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା, ବିଷ୍ଣୁ, ଶଙ୍କର - ଏମାନେ ହେଲେ ରଚନା । 
ଏମାନଙ୍କର ରଚୟିତା ହେଉଛନ୍ତି ଶିବ । ଶିବଙ୍କ ନିମନ୍ତେ ତ କେହି କହିପାରିବେ ନାହିଁ ଯେ ୟାଙ୍କର 
ସୃଷ୍ଟିକର୍ତ୍ତା କିଏ? ଶିବଙ୍କର ସୃଷ୍ଟି କର୍ତ୍ତା କେହି ନାହାଁନ୍ତି । ବ୍ରହ୍ମା, ବିଷ୍ଣୁ, 
ଶଙ୍କର ଏମାନେ ହେଲେ ରଚନା । ଏମାନଙ୍କ ଉପରେ ମଧ୍ୟ ରହିଛନ୍ତି ଶିବ, ଯିଏକି ସବୁ ଆତ୍ମାମାନଙ୍କର 
ପିତା । ଯଦି ସିଏ ସୃଷ୍ଟିକର୍ତ୍ତା ହେଲେ ତେବେ ପୁଣି ପ୍ରଶ୍ନ ଉଠୁଛି ଯେ କେବେ ସୃଷ୍ଟି କରିଥିଲେ, 
ନା? ଇଏ ତ ଅନାଦି ଅଟନ୍ତି । ଏତେ ଆତ୍ମାମାନଙ୍କୁ କେବେ ସୃଷ୍ଟି କଲେ? ଏହି ପ୍ରଶ୍ନ ଉଠିପାରିବ 
ନାହିଁ । ଏହି ଅନାଦି ଡ୍ରାମା ଚାଲିଆସୁଛି, ଏହା ଅନ୍ତହୀନ ଅଟେ । ଏହାର କେବେ ଅନ୍ତ ହେଉନାହିଁ । 
ଏହି କଥା ତୁମ ପିଲାମାନଙ୍କ ମଧ୍ୟରେ କ୍ରମାନୁସାରେ ବୁଝୁଛନ୍ତି । ଏହା ବହୁତ ସହଜ ଅଟେ । ଏକମାତ୍ର 
ବାବାଙ୍କ ବିନା ଆଉ କାହା ପ୍ରତି ଆକର୍ଷଣ ନ ରହୁ, କେହି ବି ମରନ୍ତୁ ଅଥବା ବଞ୍ଚନ୍ତୁ । ଗାୟନ 
ମଧ୍ୟ ରହିଛି ଆମ୍ମା ମରିଗଲେ ମଧ୍ୟ ହାଲୁଆ ଖାଅ .... ଧରିନିଅ କେହି ବି ମୃତ୍ୟୁବରଣ କଲେ, ଏଥିରେ 
ଚିନ୍ତା କରିବାର କୌଣସି କଥା ନାହିଁ କାହିଁକିନା ଏହି ଡ୍ରାମା ଅନାଦି ତିଆରି ହୋଇଛି । 
ଡ୍ରାମାନୁସାରେ ତାଙ୍କୁ ଏହି ସମୟରେ ଯିବାର ହିଁ ଥିଲା, ଏଥିରେ କ’ଣ କରାଯାଇପାରିବ । ଟିକିଏ ହେଲେ 
ଦୁଃଖୀ ହେବାର କଥା ନାହିଁ । ଏହା ହେଉଛି ଯୋଗବଳର ଅବସ୍ଥା । ନିୟମ କହୁଛି ଟିକିଏ ହେଲେ ମଧ୍ୟ 
ଧକ୍କା ଆସିବା ଉଚିତ୍ ନୁହେଁ । ସମସ୍ତେ ଅଭିନେତା ଅଟନ୍ତି । ନିଜ-ନିଜର ପାର୍ଟ କରି ଚାଲିଛନ୍ତି । 
ପିଲାମାନଙ୍କୁ ଏହି ଜ୍ଞାନ ମିଳିଯାଇଛି ।
ବାବାଙ୍କୁ କହୁଛନ୍ତି - 
ହେ ପରମପିତା ପରମାତ୍ମା ଆସି ଆମକୁ ନେଇଯାଅ । ଏତେ ସବୁ ଶରୀରର ବିନାଶ କରାଇ ସବୁ ଆତ୍ମାମାନଙ୍କୁ 
ସାଥିରେ ନେଇଯିବା, ଏହା ତ ବହୁତ ବଡ଼ କାମ ହେଲା । ଏଠାରେ ତ କେହି ଜଣେ ମୃତ୍ୟୁବରଣ କରିଲେ ୧୨ ମାସ 
ପର୍ଯ୍ୟନ୍ତ କାନ୍ଦିଥା’ନ୍ତି । ବାବା ତ ଏତେ ଢ଼େର ଆତ୍ମାମାନଙ୍କୁ ନେଇଯିବେ । ସମସ୍ତେ ଏଠାରେ 
ଶରୀର ତ୍ୟାଗ କରିବେ । ପିଲାମାନେ ଜାଣିଛନ୍ତି ମହାଭାରତ ଲଢ଼େଇ ଲାଗିଲେ ମଶାମାଛି ସଦୃଶ ସମସ୍ତେ 
ଯିବେ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବ । ଏହି ସାରା ଦୁନିଆ ପରିବର୍ତ୍ତନ ହେବାକୁ ଯାଉଛି । 
ଏବେ ଦେଖ ଇଂଲଣ୍ଡ, ରଷିଆ ଆଦି କେତେ ବଡ଼-ବଡ଼ ଦେଶ ରହିଛି । ସତ୍ୟଯୁଗରେ କ’ଣ ଏସବୁ ଥିଲା? ଦୁନିଆରେ 
ଏହା ମଧ୍ୟ କାହାରି ବୁଦ୍ଧିରେ ଆସୁନାହିଁ ଯେ ଆମ ରାଜ୍ୟରେ ଏମାନେ କେହି ବି ନ ଥିଲେ । ଗୋଟିଏ ହିଁ 
ଧର୍ମ, ଗୋଟିଏ ହିଁ ରାଜ୍ୟ ଥିଲା, ତୁମମାନଙ୍କ ମଧ୍ୟରେ ମଧ୍ୟ କ୍ରମାନୁସାରେ ଅଛନ୍ତି ଯାହାଙ୍କ 
ବୁଦ୍ଧିରେ ଏହି କଥା ଭଲ ଭାବରେ ରହୁଛି । ଯଦି ଧାରଣା ହେବ ତେବେ ସେହି ନିଶା ସର୍ବଦା ଚଢ଼ି ରହିବ । 
କିନ୍ତୁ କେତେ ଜଣଙ୍କର ନିଶା ବହୁତ ମୁସ୍କିଲ୍ରେ ଚଢିଥାଏ । ମିତ୍ର-ସମ୍ବନ୍ଧୀ ଆଦି ସମସ୍ତଙ୍କୁ 
ପାଖରୁ ସ୍ମୃତି ହଟାଇ ଏକମାତ୍ର ବେହଦର ଖୁସୀ ସ୍ଥାୟୀ ହୋଇଯାଉ, ଏହା ବହୁତ ଚମତ୍କାରୀ କଥା ଅଟେ । 
ହଁ, ଏହା ମଧ୍ୟ ଅନ୍ତିମ ସମୟରେ ହେବ । ଶେଷ ସମୟରେ ହିଁ ସମସ୍ତେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ 
କରିବେ । ଶରୀରରୁ ମଧ୍ୟ ଅଭିମାନ ତୁଟିଯିବ । ବାସ୍ ଏବେ ଆମେ ଯାଉଛୁ, ଏ କଥା ଯେପରି ସାଧାରଣ 
ହୋଇଯିବ । ଯେପରି ନାଟକରେ ଅଭିନେତାମାନେ ଅଭିନୟ କରି ପୁଣି ଘରକୁ ଯାଇଥା’ନ୍ତି । ଏହି ଦେହ ରୂପକ 
ବସ୍ତ୍ର ତ ତୁମକୁ ଏହିଠାରେ ହିଁ ଛାଡ଼ିବାକୁ ହେବ । ଏହି ବସ୍ତ୍ର ଏହିଠାରୁ ନେଇ, ଏହିଠାରେ ହିଁ 
ପୁଣି ଛାଡ଼ୁଛନ୍ତି । ଏହି ସବୁ ନୂଆ କଥା ତୁମର ବୁଦ୍ଧିରେ ଅଛି, ଆଉ କାହାରି ବୁଦ୍ଧିରେ ନାହିଁ । 
ଅଲଫ ଏବଂ ବେ । ଅଲଫ (ବାବା) ସବୁଠାରୁ ଉପରେ ଅଛନ୍ତି । କହୁଛନ୍ତି ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା 
ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶ, ବିଷ୍ଣୁଙ୍କ ଦ୍ୱାରା ପାଳନା । ଆଚ୍ଛା, ବାକି ଶିବଙ୍କର କାମ 
କ’ଣ? ସର୍ବୋଚ୍ଚ ଶିବବାବାଙ୍କୁ କେହି ବି ଜାଣିନାହାଁନ୍ତି । କହିଦେଉଛନ୍ତି ସିଏ ତ ସର୍ବବ୍ୟାପୀ 
ଅଟନ୍ତି । ଇଏ ସବୁ ତାଙ୍କର ହିଁ ରୂପ ଅଟେ । ସାରା ଦୁନିଆର ବୁଦ୍ଧିରେ ଏହା ପକ୍କା ହୋଇଗଲାଣି, 
ସେଥିପାଇଁ ସମସ୍ତେ ତମଃପ୍ରଧାନ ହୋଇ ଯାଇଛନ୍ତି । ବାବା କହୁଛନ୍ତି - ସାରା ଦୁନିଆ ଦୁର୍ଗତିକୁ 
ପ୍ରାପ୍ତ କଲାଣି । ପୁଣି ମୁଁ ହିଁ ଆସି ସମସ୍ତଙ୍କୁ ସଦ୍ଗତି ଦେଉଛି । ଯଦି ସିଏ ସର୍ବବ୍ୟାପୀ 
ଅଟନ୍ତି ତେବେ କ’ଣ ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି? ଗୋଟିଏ ପଟେ କହୁଛନ୍ତି ସମସ୍ତେ ଭାଇ-ଭାଇ, 
ପୁଣି କହି ଦେଉଛନ୍ତି ସମସ୍ତେ ପିତା ଅଟନ୍ତି । କିଛି ହେଲେ ବୁଝିପାରୁନାହାଁନ୍ତି । ଏବେ ତୁମ 
ସନ୍ତାନମାନଙ୍କୁ ବେହଦର ବାବା କହୁଛନ୍ତି, ପିଲାମାନେ, ମୋତେ ମନେପକାଅ ତେବେ ତୁମର ବିକର୍ମ ବିନାଶ 
ହୋଇଯିବ । ତୁମକୁ ଏହି ଦାଦା ଅଥବା ମମ୍ମାଙ୍କୁ ମଧ୍ୟ ମନେପକାଇବା ଅନୁଚିତ୍ । କହୁଛନ୍ତି ନା ମମ୍ମା, 
ନା ବାବା, କାହାର ହେଲେ କିଛି ମହିମା ନାହିଁ । ଶିବବାବା ନ ଥିଲେ ଏହି ବ୍ରହ୍ମା ମଧ୍ୟ କ’ଣ 
କରିପାରିଥାନ୍ତେ? ୟାଙ୍କୁ ମନେ ପକାଇଲେ କ’ଣ ହେବ! ହଁ, ତୁମେ ଜାଣିଛ ୟାଙ୍କ ଦ୍ୱାରା ଆମେ 
ବାବାଙ୍କଠାରୁ ବର୍ସା ଅର୍ଥାତ୍ ସମ୍ପତ୍ତି ନେଉଛୁ, ୟାଙ୍କଠାରୁ ନୁହେଁ । ଇଏ ମଧ୍ୟ ତାଙ୍କଠାରୁ 
ବର୍ସା ନେଉଛନ୍ତି, ତେଣୁ ତାଙ୍କୁ (ଶିବବାବାଙ୍କୁ) ମନେ ପକାଇବାକୁ ହେବ । ଇଏ ତ ମଝିରେ ଦଲାଲ 
ଅଟନ୍ତି । ପୁଅ ଏବଂ ଝିଅର ନିର୍ବନ୍ଧ ହେଲା ପରେ ଉଭୟ ଉଭୟଙ୍କୁ ମନେ ପକାଇଥା’ନ୍ତି ନା । ଯିଏ 
ବିବାହ କରାଇଥା’ନ୍ତି ସେ ତ ମଝିରେ ଦଲାଲ ହୋଇଗଲେ । ୟାଙ୍କ ଦ୍ୱାରା ବାବା ତୁମ ଆତ୍ମାମାନଙ୍କର 
ନିର୍ବନ୍ଧ ନିଜ ସହିତ କରାଉଛନ୍ତି ସେଥିପାଇଁ ଗାୟନ ମଧ୍ୟ ରହିଛି ଦଲାଲ ରୂପରେ ସତ୍ଗୁରୁ 
ମିଳିଛନ୍ତି । ସତ୍ଗୁରୁ କୌଣସି ଦଲାଲ ନୁହଁନ୍ତି । ସତ୍ଗୁରୁ ତ ନିରାକାର ଅଟନ୍ତି । ଯଦିଓ ଗୁରୁ 
ବ୍ରହ୍ମା, ଗୁରୁ ବିଷ୍ଣୁ କହୁଛନ୍ତି କିନ୍ତୁ ସେ କୌଣସି ଗୁରୁ ନୁହଁନ୍ତି । ସତ୍ଗୁରୁ ଏକମାତ୍ର 
ବାବା ହିଁ ଅଟନ୍ତି ଯିଏକି ସମସ୍ତଙ୍କର ସଦ୍ଗତି କରୁଛନ୍ତି । ବାବା ତୁମମାନଙ୍କୁ ଶିଖାଉଛନ୍ତି 
ସେଥିପାଇଁ ତୁମେ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଉଛ ଏବଂ ସମସ୍ତଙ୍କୁ କହୁଛ କି ସବୁ ଦେଖି ମଧ୍ୟ 
ଦେଖ ନାହିଁ । ବୁଦ୍ଧି ଶିବବାବାଙ୍କଠାରେ ଲାଗିରହୁ । ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ସବୁ 
ଶ୍ମଶାନ ପାଲଟିଯିବ । ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ନା କି ବ୍ରହ୍ମାଙ୍କୁ । 
ବୁଦ୍ଧି କହୁଛି ଏହାଙ୍କଠାରୁ ବର୍ସା ମିଳିବ ନାହିଁ । ବର୍ସା ତ ବାବାଙ୍କଠାରୁ ମିଳିବ । ବାବାଙ୍କ 
ପାଖକୁ ହିଁ ଯିବାକୁ ହେବ । ଛାତ୍ର କ’ଣ ଛାତ୍ରକୁ ମନେ ପକାଇବ । ଛାତ୍ର ତ ଶିକ୍ଷକଙ୍କୁ ମନେ 
ପକାଇବ ନା । ସ୍କୁଲରେ ଯେଉଁମାନେ ତୀକ୍ଷ୍ଣ ବୁଦ୍ଧି ହୋଇଥା’ନ୍ତି ସେମାନେ ପୁଣି ଅନ୍ୟମାନଙ୍କୁ 
ମଧ୍ୟ ଉଠାଇବା ପାଇଁ ଚେଷ୍ଟା କରିଥା’ନ୍ତି । ବାବା ବି କହୁଛନ୍ତି ପରସ୍ପରକୁ ଉପରକୁ ଉଠାଇବାକୁ 
ଚେଷ୍ଟା କର କିନ୍ତୁ ଭାଗ୍ୟରେ ନାହିଁ ତେଣୁ ପୁରୁଷାର୍ଥ ମଧ୍ୟ କରୁନାହାଁନ୍ତି । ଅଳ୍ପରେ ହିଁ 
ସନ୍ତୁଷ୍ଟ ହୋଇଯାଉଛନ୍ତି । ବୁଝାଇବା ଦରକାର ପ୍ରଦର୍ଶନୀକୁ ବହୁତ ଆସୁଛନ୍ତି, ବହୁତଙ୍କୁ ବୁଝାଇବା 
ଦ୍ୱାରା ଉନ୍ନତି ମଧ୍ୟ ଅଧିକ ହେବ । ନିମନ୍ତ୍ରଣ ଦେଇ ମଗାଉଛନ୍ତି । ତେଣୁ ବଡ଼-ବଡ଼ ବୁଦ୍ଧିମାନ ଲୋକେ 
ଆସୁଛନ୍ତି । ବିନା ନିମନ୍ତ୍ରଣରେ ତ ଅନେକ ପ୍ରକାର ଲୋକ ଆସିଯାଉଛନ୍ତି । କଣ-କଣ ସବୁ ଓଲଟା ସିଧା 
ଗପୁଛନ୍ତି । ରାଜକୀୟ ମନୁଷ୍ୟମାନଙ୍କର ଚାଲି-ଚଳଣି ମଧ୍ୟ ରାଜକୀୟ ହୋଇଥାଏ । ରାଜକୀୟ ସ୍ୱଭାବର 
ଲୋକମାନେ ରାଜକୀୟତାର ସହିତ ଭିତରକୁ ଆସିଥା’ନ୍ତି । ଚଳଣିରେ ମଧ୍ୟ ବହୁତ ଫରକ ରହିଥାଏ । ତାଙ୍କର 
ଚାଲିବା, କଥା କହିବାରେ କୌଣସି ଶିଷ୍ଟାଚାର ନ ଥାଏ । ମେଳାରେ ତ ସବୁ ପ୍ରକାରର ମନୁଷ୍ୟ 
ଆସିଥା’ନ୍ତି, କାହାକୁ ମନା କରାଯାଉ ନାହିଁ ସେଥିପାଇଁ କେଉଁଠି ମଧ୍ୟ ପ୍ରଦର୍ଶନୀ ହେଲେ 
ନିମନ୍ତ୍ରଣ କାର୍ଡ ଦେଇ ଡାକିଲେ ବହୁତ ରୟାଲ ଭଲ-ଭଲ ଲୋକମାନେ ଆସିବେ । ପୁଣି ସେମାନେ 
ଅନ୍ୟମାନଙ୍କୁ ମଧ୍ୟ ଯାଇ ଶୁଣାଇବେ । କେବେ ମହିଳାମାନଙ୍କର ପ୍ରୋଗ୍ରାମ ରଖ ତେବେ କେବଳ ମହିଳାମାନେ 
ହିଁ ଆସି ଦେଖିବେ - କାହିଁକି ନା କେଉଁଠି କେଉଁଠି ମହିଳାମାନେ ମଧ୍ୟ ବହୁତ ପର୍ଦା ଭିତରେ ମୁହଁ 
ଲୁଚାଇ ରହିଥା’ନ୍ତି । ତେଣୁ କେବଳ ମହିଳାମାନଙ୍କର ହିଁ ପ୍ରୋଗ୍ରାମ ହେବା ଉଚିତ୍ । ପୁରୁଷ କେହି 
ହେଲେ ବି ନ ଆସନ୍ତୁ । ବାବା ବୁଝାଇଛନ୍ତି ପ୍ରଥମେ-ପ୍ରଥମେ ତୁମକୁ ବୁଝାଇବାକୁ ହେବ ଯେ ଶିବବାବା 
ନିରାକାର ଅଟନ୍ତି । ଶିବବାବା ଏବଂ ପ୍ରଜାପିତା ବ୍ରହ୍ମା ଉଭୟ ବାବା ହେଲେ ନା । ଉଭୟ ତ ସମାନ 
ହୋଇପାରିବେ ନାହିଁ, ଯାହା ଫଳରେ ଦୁଇଜଣ ବାବାଙ୍କଠାରୁ ବର୍ସା ମିଳିବ । ବର୍ସା ଜେଜେଙ୍କଠାରୁ ଅଥବା 
ବାବାଙ୍କ ଠାରୁ ମିଳିବ । ଜେଜେଙ୍କ ସମ୍ପତ୍ତିରେ ହକ ଥାଏ । ଯେମତି ବି କୁପୁତ୍ର ହୁଅନ୍ତୁ ନା 
କାହିଁକି ତଥାପି ମଧ୍ୟ ଜେଜେଙ୍କଠାରୁ ବର୍ସା ମିଳିଯିବ । ଏହି କାଇଦା ଏବେଠାରୁ ହିଁ ଆରମ୍ଭ 
ହୋଇଥିଲା । ଜାଣିଥା’ନ୍ତି ଯେ ଏହାଙ୍କୁ ପଇସା ମିଳିବା ଦ୍ୱାରା ଗୋଟିଏ ବର୍ଷ ଭିତରେ ଉଡ଼ାଇ ଦେବେ । 
କିନ୍ତୁ ଗଭର୍ଣ୍ଣମେଣ୍ଟର (ସରକାରଙ୍କର) ନିୟମ ଏପରି ରହିଛି ଯେ ଦେବାକୁ ହିଁ ପଡ଼ୁଛି । 
ଗଭର୍ଣ୍ଣମେଣ୍ଟ କିଛି କରିପାରିବ ନାହିଁ । ବାବା ତ ଅନୁଭବୀ ଅଟନ୍ତି । ଜଣେ ରାଜାଙ୍କର ପୁତ୍ର ଥିଲା, 
ଯିଏକି ୧ କୋଟି ଟଙ୍କା ୧୨ ମାସରେ ଶେଷ କରିଦେଲା । ଏପରି ମଧ୍ୟ ଅଛନ୍ତି । ଶିବବାବା ତ ଦେଖିଛନ୍ତି 
ବୋଲି କେବେ ହେଲେ କହିବେ ନାହିଁ । ଏହି (ଦାଦା) କହୁଛନ୍ତି ମୁଁ ଏହିପରି ଉଦାହରଣ ବହୁତ ଦେଖିଛି । 
ଏହି ଦୁନିଆ ତ ବହୁତ ଖରାପ । ଏହା ହେଉଛି ପୁରୁଣା ଦୁନିଆ, ପୁରୁଣା ଘର । ପୁରୁଣା ଘରକୁ ସର୍ବଦା 
ଭାଙ୍ଗିବାକୁ ପଡ଼ିଥାଏ । ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ ମହଲ ଦେଖ କିପରି ଫାଷ୍ଟକ୍ଲାସ ଅଟେ ।
ଏବେ ତୁମେ ବାବାଙ୍କ 
ଦ୍ୱାରା ବୁଝୁଛ ଏବଂ ତୁମେ ମଧ୍ୟ ନରରୁ ନାରାୟଣ ହେଉଛ । ଏହା ହେଉଛି ହିଁ ସତ୍ୟ ନାରାୟଣଙ୍କ କଥା । 
ଏହି କଥା ତୁମେ ପିଲାମାନେ ହିଁ ବୁଝୁଛ । ତୁମମାନଙ୍କ ମଧ୍ୟରେ ଏବେ ସଂପୂର୍ଣ୍ଣ ଫୁଲ କେହି 
ହୋଇନାହାଁନ୍ତି, ଏଥିରେ ଚଳଣି ବହୁତ ରାଜକୀୟ ହେବା ଉଚିତ୍ । ତୁମେ ଦିନକୁ ଦିନ ଉନ୍ନତି ପ୍ରାପ୍ତ 
କରୁଛ । ଫୁଲ ହୋଇ ଚାଲିଛ ।
ତୁମେ ବହୁତ ସ୍ନେହର 
ସହିତ “ବାପଦାଦା” ବୋଲି କହୁଛ । ଏହା ମଧ୍ୟ ତୁମର ନୂଆ ଭାଷା ଅଟେ, ଯାହା ମନୁଷ୍ୟମାନଙ୍କ ବୁଦ୍ଧିରେ 
ଆସିପାରିବ ନାହିଁ । ଧରିନିଅ ବାବା କୁଆଡ଼େ ବି ଗଲେ ପିଲାମାନେ କହିବେ ବାପଦାଦା ନମସ୍ତେ, ବାବା 
ପ୍ରତ୍ୟୁତ୍ତର ଦେବେ ଶାରୀରିକ ଏବଂ ଆତ୍ମିକ ପିଲାମାନଙ୍କୁ ନମସ୍ତେ । ଏପରି କହିବାକୁ ପଡ଼ିବ ନା । 
କେହି ଶୁଣିଲେ କହିବେ ଏହା ତ ନୂଆ କଥା, ବାପଦାଦା ଏକତ୍ର କିପରି କହୁଛନ୍ତି । ବାପ ଏବଂ ଦାଦା ଉଭୟ 
କ’ଣ କେବେ ଏକ ହୋଇପାରିବେ? ନାମ ମଧ୍ୟ ଦୁଇଜଣଙ୍କର ଅଲଗା ରହିଛି । ଶିବବାବା, ବ୍ରହ୍ମା ଦାଦା, 
ତୁମେ ଏହି ଦୁଇଜଣଙ୍କର ସନ୍ତାନ ଅଟ । ତୁମେ ଜାଣିଛ ଏହାଙ୍କ ଭିତରେ ଶିବବାବା ବସିଛନ୍ତି । ଆମେ 
ବାପଦାଦାଙ୍କର ସନ୍ତାନ ଅଟୁ । ଏହି କଥା ବି ବୁଦ୍ଧିରେ ମନେ ରହିଲେ ଖୁସିର ନିଶା ଚଢ଼ି ରହିବ ଏବଂ 
ଡ୍ରାମା ଉପରେ ମଧ୍ୟ ପକ୍କା ରହିବାକୁ ହେବ । ଧରିନିଅ କେହି ଶରୀର ଛାଡ଼ିଲେ, ପୁଣି ସିଏ ଯାଇ ଅନ୍ୟ 
ଏକ ଅଭିନୟ କରିବେ । ପ୍ରତ୍ୟେକ ଆତ୍ମାକୁ ଅବିନାଶୀ ପାର୍ଟ ମିଳିଛି, ଏଥିରେ କିଛି ବି ଚିନ୍ତା 
କରିବାର ଆବଶ୍ୟକତା ନାହିଁ । ତାଙ୍କୁ ଯାଇ ଅନ୍ୟ ପାର୍ଟ କରିବାକୁ ହେବ । ତାଙ୍କୁ ତ ଫେରାଇ ଅଣା 
ଯାଇ ପାରିବ ନାହିଁ । ଡ୍ରାମା ଅଟେ ନା । ଏଥିରେ କାନ୍ଦିବାର କୌଣସି କଥା ନାହିଁ । ଏହିପରି ଅବସ୍ଥା 
ହେଲେ ଯାଇ ନିର୍ମୋହୀ ରାଜା ହୋଇପାରିବେ । ସତ୍ୟଯୁଗରେ ସମସ୍ତେ ନିର୍ମୋହୀ ହେବେ । ଏଠାରେ କେହି 
ମରିଗଲେ କେତେ କାନ୍ଦୁଛନ୍ତି । ବାବାଙ୍କୁ ପାଇଗଲ, ତେଣୁ କାନ୍ଦିବା ଦରକାର ନାହିଁ । ବାବା କେତେ 
ଭଲ ରାସ୍ତା ବତାଉଛନ୍ତି । କନ୍ୟାମାନଙ୍କ ନିମନ୍ତେ ତ ଏହା ବହୁତ ଭଲ । ବାପା ଫାଲ୍ତୁରେ ପଇସା 
ଖର୍ଚ୍ଚ କରିବେ ଏବଂ ତୁମେ ଯାଇ ନର୍କରେ ପଡ଼ିବ । ଏହା ଅପେକ୍ଷା କୁହ ଆମେ ଏହି ପଇସାରେ 
ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ ସହିତ ଡାକ୍ତରଖାନା ଖୋଲିବୁ । ବହୁତଙ୍କର କଲ୍ୟାଣ କରିଲେ ତୁମର ବି 
ପୁଣ୍ୟ ହେବ ଏବଂ ଆମର ମଧ୍ୟ ପୁଣ୍ୟ ହୋଇଯିବ । ପିଲାମାନେ ନିଜେ ମଧ୍ୟ ଉତ୍ସାହରେ ରହୁଛନ୍ତି ଯେ ଆମେ 
ଭାରତକୁ ସ୍ୱର୍ଗ କରିବା ପାଇଁ ଶରୀର-ମନ-ଧନ ସବୁ ଖର୍ଚ୍ଚ କରିବୁ । ଏବେ ତ ନିଶା ରହିବା ଦରକାର । 
ଦେବାର ଥିଲେ ଦିଅ, ନ ଦେବାକୁ ଇଚ୍ଛା ଅଛି ତ ନ ଦିଅ । ତୁମେ ନିଜର କଲ୍ୟାଣ ଏବଂ ଅନେକଙ୍କର 
କଲ୍ୟାଣ କରିବାକୁ ଚାହୁଁ ନାହଁ? ଏତିକି ମସ୍ତି ରହିବା ଦରକାର । ଖାସ୍ ଭାବରେ କୁମାରୀମାନେ ଛିଡ଼ା 
ହେବା ଉଚିତ୍ । ଆଚ୍ଛା—
ମିଠା ମିଠା ସିକିଲଧେ 
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ 
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର 
:—
(୧) ନିଜର ଚାଲି 
ଚଳନକୁ ବହୁତ ରାଜକୀୟ କରିବାକୁ ହେବ । ବହୁତ ଶାଳୀନତାର ସହିତ କଥାବାର୍ତ୍ତା କରିବାକୁ ହେବ । 
ନମ୍ରତାର ଗୁଣ ଧାରଣ କରିବାକୁ ହେବ ।
(୨) ଏହି ଆଖିରେ ଯାହା 
କିଛି ଦେଖାଯାଉଛି - ଏ ସବୁ ମାଟିରେ ମିଶିଯିବ ସେଥିପାଇଁ ଏହାକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ । 
ଏକମାତ୍ର ଶିବବାବାଙ୍କୁ ହିଁ ମନେ ପକାଇବାକୁ ହେବ, କୌଣସି ଦେହଧାରୀକୁ ନୁହେଁ ।
ବରଦାନ:- 
ମାଷ୍ଟର ଜ୍ଞାନର 
ସାଗର ହୋଇ କଣ୍ଢେଇ ଖେଳ ଗୁଡିକୁ ସମାପ୍ତ କରୁଥିବା ସ୍ମୃତି ସ୍ୱରୂପ ତଥା ସମର୍ଥ ସ୍ୱରୂପ ହୁଅ ।
ଭକ୍ତିମାର୍ଗରେ ଯେପରି 
ମୂର୍ତ୍ତି ତିଆରି କରି ପୂଜା ଅର୍ଚନା କରନ୍ତି ପୁଣି ତାକୁ ବୁଡେଇ ଦିଅନ୍ତି ତେଣୁ ତାକୁ ତୁମେ 
କଣ୍ଡେଇ ପୂଜା ବୋଲି କହୁଛ । ସେହିପରି ତୁମମାନଙ୍କ ସମ୍ମୁଖକୁ ଯଦି କୌଣସି ନିର୍ଜିବ, ଅସାର 
କଥାଗୁଡିକ ଯଥା ଈର୍ଷା, ଅନୁମାନ, କ୍ଷଣିକ ଉତ୍ତେଜନା ଇତ୍ୟାଦି ଆସୁଛି ଏବଂ ତୁମେମାନେ ତା’ର 
ବିସ୍ତାର କରି ଅନୁଭବ କରୁଛ ବା ଅନ୍ୟକୁ କରାଉଛ ଯେ ଏହା ହିଁ ସତ୍ୟ ଅଟେ ତେବେ ଏହା ମଧ୍ୟ ଯେପରି 
ସେଥିରେ ପ୍ରାଣ ଭରିଦେବା ସହିତ ସମାନ ଅଟେ । ତା’ପରେ ସେଗୁଡିକୁ ଜ୍ଞାନର ସାଗର ପିତାଙ୍କର ସ୍ମୃତି 
ଦ୍ୱାରା, ବିତିଯାଇଥିବା କଥାକୁ ଭୁଲିଯାଇ ସ୍ୱଉନ୍ନତି ରୂପୀ ଲହଡିରେ ବୁଡାଇ ମଧ୍ୟ ଦେଉଛ କିନ୍ତୁ 
ଏଥିରେ ସମୟ ତ ନଷ୍ଟ ହେଲା ନା, ସେଥିପାଇଁ ପ୍ରଥମରୁ ହିଁ ମାଷ୍ଟର ଜ୍ଞାନ ସାଗର ହୋଇ ସ୍ମୃତି 
ସ୍ୱରୂପ ତଥା ସମର୍ଥୀ ସ୍ୱରୂପ ଭବର ବରଦାନ ଦ୍ୱାରା ଏଭଳି କଣ୍ଢେଇ ଖେଳଗୁଡିକୁ ସମାପ୍ତ କର ।
ସ୍ଲୋଗାନ:-
ଯେଉଁମାନେ 
ଆବଶ୍ୟକତା ସମୟରେ ସହଯୋଗୀ ହୋଇଥାଆନ୍ତି ସେମାନଙ୍କୁ ଗୋଟିଏର ପଦ୍ମଗୁଣା ଫଳ ମିଳିଥାଏ ।