05.03.25 Morning Odia Murli Om Shanti BapDada Madhuban
“ମିଠେବଚ୍ଚେ:- ଖୁସି ଭଳି
ଭୋଜନ ନାହିଁ, ତେଣୁ ତୁମେମାନେ ଚାଲିଲା ବୁଲିଲା ବେଳେ ମଧ୍ୟ ଖୁସି ମନରେ ବାବାଙ୍କୁ ମନେ ପକାଅ
ତେବେ ପବିତ୍ର ହୋଇଯିବ ।”
ପ୍ରଶ୍ନ:-
କୌଣସି କର୍ମ
ବିକର୍ମ ନ ହେଉ ତା’ର ଉପାୟ କ’ଣ ?
ଉତ୍ତର:-
ବିକର୍ମରୁ ରକ୍ଷା ପାଇବାର ଉପାୟ ହେଲା ଶ୍ରୀମତ୍ । ବାବାଙ୍କର ଯେଉଁ ପ୍ରଥମ ଶ୍ରୀମତ୍ ରହିଛି ଯେ
ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ, ଏହି ଶ୍ରୀମତକୁ ପାଳନ କରିବା ଦ୍ୱାରା ତୁମେ
ବିକର୍ମାଜିତ୍ ହୋଇଯିବ ।
ଓମ୍ ଶାନ୍ତି ।
ରୁହାନୀ
ସନ୍ତାନମାନେ ଏଠାରେ ମଧ୍ୟ ବସିଛନ୍ତି ଏବଂ ସବୁ ସେବାକେନ୍ଦ୍ର ମାନଙ୍କରେ ମଧ୍ୟ ଅଛନ୍ତି । ସବୁ
ସନ୍ତାନମାନେ ଜାଣନ୍ତି ଯେ ଏବେ ରୁହାନୀ ବାବା ଆସିଛନ୍ତି,ସେ ଆମକୁ ଏହି ପୁରୁଣା ଛି-ଛି ପତିତ
ଦୁନିଆରୁ ଘରକୁ ନେଇଯିବେ । ବାବା କେବଳ ଆସିଛନ୍ତି ପବିତ୍ର କରିବା ପାଇଁ ଏବଂ ଆତ୍ମାମାନଙ୍କ ସହ
କଥା ହେବା ପାଇଁ । ଆତ୍ମା ହିଁ କାନ ଦ୍ୱାରା ଶୁଣିଥାଏ କାରଣ ବାବାଙ୍କର ନିଜର ଶରୀର ତ ନାହିଁ ତେଣୁ
ବାବା କହୁଛନ୍ତି ମୁଁ ଶରୀରର ଆଧାର ନେଇ ନିଜର ପରିଚୟ ଦେଉଛି । ମୁଁ ଏହି ସାଧାରଣ ଶରୀରରେ ଆସି
ତୁମମାନଙ୍କୁ ପବିତ୍ର ହେବାର ଉପାୟ ବତାଉଛି । ତାହା ମଧ୍ୟ ପ୍ରତିକଳ୍ପରେ ଆସି ତୁମକୁ ଏହି ଯୁକ୍ତି
ବ୍ରହ୍ମାଙ୍କ ଦ୍ୱାରା ବତାଉଛି । ଏହି ରାବଣ ରାଜ୍ୟରେ ତୁମେ କେତେ ଦୁଃଖି ହୋଇଯାଇଛ । ରାବଣ ରାଜ୍ୟ
ଶୋକ ବାଟିକାରେ ତୁମେ ଅଛ । କଳିଯୁଗକୁ ହିଁ କୁହାଯାଏ ଦୁଃଖଧାମ । ସୁଖଧାମ ହେଲା କୃଷ୍ଣପୁରୀ,
ସ୍ୱର୍ଗ । ତାହା ତ ଏବେ ନାହିଁ । ପିଲାମାନେ ଭଲ ଭାବରେ ଜାଣିଛନ୍ତି ଯେ ଏବେ ବାବା ଆସିଛନ୍ତି ଆମକୁ
ପଢାଇବା ପାଇଁ ।
ବାବା କହୁଛନ୍ତି ତୁମେ
ନିଜ ଘରେ ମଧ୍ୟ ଇଶ୍ୱରୀୟ ପାଠଶାଳା ଖୋଲି ପାରିବ । ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ପବିତ୍ର
କରାଇବାକୁ ହେବ । ତୁମେ ପବିତ୍ର ହେଲେ ଦୁନିଆ ମଧ୍ୟ ପବିତ୍ର ହୋଇଯିବ । ଏବେ ତ ଏହା ଭ୍ରଷ୍ଟାଚାରୀ
ପତିତ ଦୁନିଆ ଅଟେ । ଏବେ ଏହା ରାବଣର ରାଜଧାନୀ । ଏହି କଥାକୁ ଯିଏ ଭଲ ଭାବରେ ବୁଝିଛନ୍ତି ସେ ପୁଣି
ଅନ୍ୟମାନଙ୍କୁ ଭଲ ଭାବରେ ବୁଝାଉଛନ୍ତି । ବାବା ତ କେବଳ କହୁଛନ୍ତି - ପିଲାମାନେ, ନିଜକୁ ଆତ୍ମା
ଭାବି ମୋତେ ମନେପକାଅ ଏବଂ ଅନ୍ୟମାନଙ୍କୁ ମଧ୍ୟ ଏପରି ବୁଝାଅ । କୁହ ବାବା ଆସିଛନ୍ତି, କହୁଛନ୍ତି
ମୋତେ ମନେପକାଅ ତେବେ ତୁମେ ପବିତ୍ର ହୋଇଯିବ । କୌଣସି ପ୍ରକାରର ଆସୁରୀ କର୍ମ କର ନାହିଁ । ମାୟା
ତୁମ ଦ୍ୱାରା ଯେଉଁ ଛି-ଛି କର୍ମ କରାଇବ ସେହି କର୍ମ ନିଶ୍ଚୟ ବିକର୍ମ ହେବ । ସର୍ବ ପ୍ରଥମେ
ଦୁନିଆର ମନୁଷ୍ୟମାନେ କହୁଛନ୍ତି ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ଏହା ମଧ୍ୟ ମାୟା କୁହାଇଲା ନା
। ମାୟା ତୁମ ଦ୍ୱାରା ପ୍ରତ୍ୟେକ କଥାରେ ବିକର୍ମ କରାଇବ । କର୍ମ-ଅକର୍ମ-ବିକର୍ମର ରହସ୍ୟ ବି
ବୁଝାଇଛି । ଶ୍ରୀମତକୁ ପାଳନ କରି ଅଧାକଳ୍ପ ତୁମେ ସୁଖ ଭୋଗୁଛ, ଅଧାକଳ୍ପ ପୁଣି ରାବଣର ମତରେ ଦୁଃଖ
ଭୋଗୁଛ । ଏହି ରାବଣ ରାଜ୍ୟରେ ତୁମେ ଯେଉଁ ଭକ୍ତି କରୁଛ , ସେଥିରେ ଅଧଃଗତି ହୋଇଛି । ତୁମେ ଏହି
ସବୁ କଥାକୁ ଜାଣି ନ ଥିଲ, ପୁରାପୁରି ପଥରବୁଦ୍ଧି ଥିଲ । ପଥର ବୁଦ୍ଧି ଓ ପାରସବୁଦ୍ଧିର ଗାୟନ ଅଛି
ନା । ଭକ୍ତି ମାର୍ଗରେ ବି କୁହନ୍ତି - ହେ ଈଶ୍ୱର, ଏହାକୁ ଭଲ ବୁଦ୍ଧି ଦିଅ, ତେବେ ଇଏ ଲଢେଇ ଆଦି
ବନ୍ଦ କରିଦେବେ । ତୁମେ ପିଲାମାନେ ଜାଣିଛ ବାବା ଏବେ ବହୁତ ଭଲ ବୁଦ୍ଧି ଦେଉଛନ୍ତି । ବାବା
କହୁଛନ୍ତି - ମିଠେ ବଚ୍ଚେ , ତୁମର ଆତ୍ମା ପତିତ ହୋଇଯାଇଛି, ତାକୁ ଯୋଗର ଯାତ୍ରା ଦ୍ୱାରା ପବିତ୍ର
କରିବାକୁ ହେବ । ଯଦିଓ ଭ୍ରମଣରେ ଯାଉଛ, ବାବାଙ୍କର ସ୍ମୃତିରେ ତୁମେ କେତେ ଦୂର ବି ଚାଲି-ଚାଲି ଗଲେ,
ତୁମେ ନିଜ ଶରୀରକୁ ମଧ୍ୟ ଭୁଲିଯିବ । ଗାୟନ ଅଛି ନା - ଖୁସୀ ଜେସି ଖୁରାକ ନେହିଁ ଅର୍ଥାତ୍ ଖୁସି
ଭଳି ଭୋଜନ ନାହିଁ । ମନୁଷ୍ୟ ଧନ ରୋଜଗାର କରିବା ପାଇଁ କେତେ ଦୂର-ଦୂରକୁ ଖୁସିରେ ଯାଇଥାନ୍ତି ।
ଏଠାରେ ତୁମେ କେତେ ଧନବାନ, ସମ୍ପତ୍ତିବାନ ହେଉଛ । ବାବା କହୁଛନ୍ତି - ମୁଁ କଳ୍ପ କଳ୍ପ ଆସି
ତୁମମାନଙ୍କୁ ନିଜର ପରିଚୟ ଦେଉଛି । ଏହି ସମୟରେ ସମସ୍ତେ ପତିତ ଅଟନ୍ତି, ସେଥିପାଇଁ ବାବାଙ୍କୁ
ଡାକି ଚାଲିଛନ୍ତି ପବିତ୍ର କରିବା ପାଇଁ ଆସ । ଆତ୍ମା ହିଁ ବାବାଙ୍କୁ ଡାକିଥାଏ । ରାବଣ ରାଜ୍ୟରେ,
ଶୋକ ବାଟିକାରେ ସମସ୍ତେ ଦୁଃଖି ଅଟନ୍ତି । ସାରା ଦୁନିଆରେ ରାବଣର ରାଜ୍ୟ ଚାଲିଛି । ଏହି ସମୟରେ
ସୃଷ୍ଟି ତମଃପ୍ରଧାନ ଅଟେ । ସତ୍ତ୍ୱପ୍ରଧାନ ଦେବତାମାନଙ୍କର ଚିତ୍ର ମଧ୍ୟ ଅଛି । ଗାୟନ ମଧ୍ୟ
ସେହିମାନଙ୍କର ହେଉଛି । ଶାନ୍ତିଧାମ, ସୁଖଧାମକୁ ଯିବା ପାଇଁ ମନୁଷ୍ୟ କେତେ ମୁଣ୍ଡ ପିଟୁଛନ୍ତି ।
ଏହା କ’ଣ କେହି ଜାଣୁଛନ୍ତି କି - ଭଗବାନ କିପରି ଆସି ଆମକୁ ଭକ୍ତିର ଫଳ ଦେଉଛନ୍ତି । ତୁମେ ଏବେ
ବୁଝୁଛ ଆମକୁ ଭଗବାନଙ୍କଠାରୁ ଫଳ ମିଳୁଛି । ଭକ୍ତିର ଦୁଇଟି ଫଳ - ଗୋଟିଏ ହେଲା ମୁକ୍ତି,
ଦ୍ୱିତୀୟଟି ଜୀବନମୁକ୍ତି । ଏହାକୁ ବୁଝିବା ବହୁତ ସୂକ୍ଷ୍ମ କଥା । ଯେଉଁମାନେ ଆରମ୍ଭରୁ ଶେଷ
ପର୍ଯ୍ୟନ୍ତ ବହୁତ ଭକ୍ତି କରିଥିବେ, ସେହିମାନେ ଜ୍ଞାନକୁ ଭଲ ଭାବରେ ଗ୍ରହଣ କରିବେ ଏବଂ ଶ୍ରେଷ୍ଠ
ଫଳ ମଧ୍ୟ ପ୍ରାପ୍ତ କରିବେ । ଯଦି ଭକ୍ତି କମ୍ କରିଥିବେ ତେବେ ଜ୍ଞାନ ବି କମ୍ ବୁଝିବେ, ଫଳ ବି କମ୍
ପାଇବେ ସବୁ କଥାର ହିସାବ ଅଛି ନା । କ୍ରମାନୁସାରେ ପଦ ଅଛି ନା । ବାବା କହୁଛନ୍ତି - ମୋର ହୋଇ
ବିକାରଗ୍ରସ୍ତ ହେଲ ଅର୍ଥାତ୍ ମୋତେ ଛାଡିଦେଲ । ଏକଦମ୍ ତଳେ ଯାଇ ପଡିବ । କେହି ତ ପଡିଗଲେ ପୁଣି
ଉଠିପଡନ୍ତି । କିଏ ତ ପୁରା ନର୍ଦ୍ଦମାରେ ପଡିଯାଆନ୍ତି, ବୁଦ୍ଧି ଜମା ସୁଧୁରେ ନାହିଁ । କାହାର ମନ
ଭିତରେ ଭିତରେ ପଶ୍ଚାତାପରେ ଜଳିଥାଏ । ଦୁଃଖ ହେଉଥାଏ, ମୁଁ ଭଗବାନଙ୍କ ପାଖରେ ପ୍ରତିଜ୍ଞା କରିଥିଲି
ପୁଣି ଧୋକା ଦେଲି, ବିକାରଗ୍ରସ୍ତ ହୋଇଗଲି । ବାବାଙ୍କର ହାତ ଛାଡି ଦେଲି, ମାୟାର ହୋଇଗଲି ।
ସେମାନେ ପୁଣି ବାୟୁମଣ୍ଡଳକୁ ଖରାପ୍ କରିଦିଅନ୍ତି, ଅଭିଶପ୍ତ ହୋଇଯାଆନ୍ତି । ବାବାଙ୍କ ସହ
ଧର୍ମରାଜ ମଧ୍ୟ ଅଛନ୍ତି ନା । ସେହି ସମୟରେ ଜଣା ନ ଥାଏ କି ମୁଁ କ’ଣ କରୁଛି, ପଛରେ ପଶ୍ଚାତାପ
ହୋଇଥାଏ । ଏହିପରି ବହୁତ ଅଛନ୍ତି, କାହାକୁ ହତ୍ୟା କରିଦିଅନ୍ତି ପୁଣି ଜେଲ୍କୁ ଯିବାକୁ ପଡିଥାଏ,
ପରେ ପଶ୍ଚାତାପ କରିଥାନ୍ତି - ମୁଁ ବିନା ଦୋଷରେ ତାଙ୍କୁ ମାରିଛି । କ୍ରୋଧବଶତଃ ବହୁତଙ୍କୁ
ମାରୁଛନ୍ତି । ବହୁତ ସମାଚାର ଖବରକାଗଜରେ ଆସୁଛି । ତୁମେ ତ ଖବର କାଗଜ ପଢୁନାହଁ । ଦୁନିଆରେ କ’ଣ
କ’ଣ ହେଉଛି ତୁମକୁ ଜଣାପଡୁନାହିଁ । ଦିନକୁ ଦିନ ପରିସ୍ଥିତି ଖରାପ ହୋଇ ଚାଲିଛି । ସିଢି ତଳକୁ
ଖସିବାକୁ ହିଁ ହେବ । ତୁମେ ଡ୍ରାମାର ଏହି ରହସ୍ୟକୁ ଜାଣିଛ । ବୁଦ୍ଧିରେ ଏହି କଥା ଅଛି ଯେ ଆମେ
ବାବାଙ୍କୁ ହିଁ ମନେପକାଇବୁ । ଏପରି କିଛି ଛି ଛି ନିକୃଷ୍ଟ କର୍ତ୍ତବ୍ୟ କରିବୁ ନାହିଁ ଯେଉଁଥିରେ
ରେଜିଷ୍ଟର ଅର୍ଥାତ୍ ଚରିତ୍ରର ରେକର୍ଡ ଖରାପ ହେବ । ବାବା କହୁଛନ୍ତି ମୁଁ ତୁମର ଶିକ୍ଷକ ଅଟେ ନା
। ଶିକ୍ଷକଙ୍କ ପାଖରେ ଛାତ୍ରର ପାଠପଢାର ଓ ଚାଲି ଚଳନର ରେକର୍ଡ ରହିଥାଏ ନା । କାହାର ଚାଲିଚଳଣି
ବହୁତ ଭଲ ତ କାହାର ତା’ଠାରୁ କମ୍, କାହାର ବିଲ୍କୁଲ୍ ଖରାପ ହୋଇଥାଏ । କ୍ରମାନୁସାରେ
ହୋଇଥାଆନ୍ତି ନା । ଇଏ ମଧ୍ୟ ଶ୍ରେଷ୍ଠ ପିତା କେତେ ଶ୍ରେଷ୍ଠ ପାଠ ପଢାଉଛନ୍ତି । ସେ ମଧ୍ୟ
ପ୍ରତ୍ୟେକଙ୍କର ଚାଲି ଚଳନକୁ ଜାଣିଛନ୍ତି । ତୁମେ ନିଜେ ମଧ୍ୟ ଜାଣିପାରିବ - ମୋ ଭିତରେ ଏହି ସବୁ
ଅଭ୍ୟାସ ଅଛି, ଏହି କାରଣରୁ ମୁଁ ଫେଲ୍ ହୋଇଯିବି । ବାବା ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝାଉଛନ୍ତି
। ସମ୍ପୂର୍ଣ୍ଣ ଭାବେ ପାଠ ପଢିବ ନାହିଁ, କାହାକୁ ଦୁଃଖ ଦେବ ତେବେ ଦୁଃଖି ହୋଇ ମରିବ । ପଦ ମଧ୍ୟ
ଭ୍ରଷ୍ଟ ହେବ, ଦଣ୍ଡ ମଧ୍ୟ ବହୁତ ଭୋଗ କରିବ ।
ମିଠେ ବଚ୍ଚେ, ନିଜର ଏବଂ
ଅନ୍ୟର ଭାଗ୍ୟ ତିଆରି କରିବାର ଅଛି ତ ଦୟାଶୀଳ ସଂସ୍କାରକୁ ଧାରଣ କର । ଯେମିତି ବାବା ଦୟାଶୀଳ
ଅଟନ୍ତି, ଶିକ୍ଷକ ହୋଇ ତୁମକୁ ପଢାଉଛନ୍ତି । କେହି କେହି ସନ୍ତାନ ଭଲ ଭାବରେ ପଢୁଛନ୍ତି ଏବଂ
ପଢାଉଛନ୍ତି , ଏଥିରେ ଦୟାଶୀଳ ହେବାକୁ ପଡିଥାଏ । ଶିକ୍ଷକ ଦୟାଶୀଳ ଅଟନ୍ତି ନା । ରୋଜଗାରର ରାସ୍ତା
ବତାଇଥାନ୍ତି କି କିପରି ତୁମେ ଭଲ ପଦ ପାଇପାରିବ । ସେ ପାଠପଢାରେ ତ ଅନେକ ପ୍ରକାର ଶିକ୍ଷକ
ଥା’ନ୍ତି । ଇଏ ତ ଜଣେ ହିଁ ଶିକ୍ଷକ ଅଟନ୍ତି । ପାଠପଢା ମଧ୍ୟ ଗୋଟିଏ - ମନୁଷ୍ୟରୁ ଦେବତା ହେବାର
ପାଠପଢା । ଏଥିରେ ମୁଖ୍ୟ ହେଲା ପବିତ୍ରତାର କଥା । ସମସ୍ତେ ପବିତ୍ରତାର ମାଗୁଣି ରଖିଥା’ନ୍ତି ।
ବାବା ତ ରାସ୍ତା ବତାଉଛନ୍ତି କିନ୍ତୁ ଯାହାର ଭାଗ୍ୟରେ ହିଁ ନାହିଁ ସେ ପୁରୁଷାର୍ଥ କ’ଣ କରିପାରିବ
! ଭଲ ମାର୍କ ପାଇବାର ହିଁ ନାହିଁ, ତେବେ ଶିକ୍ଷକ ପୁରୁଷାର୍ଥ ମଧ୍ୟ କ’ଣ କରାଇବେ ! ଇଏ ବେହଦର
ଶିକ୍ଷକ ଅଟନ୍ତି ନା । ବାବା କହୁଛନ୍ତି ତୁମକୁ ଆଉ କେହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଇତିହାସ
ଭୂଗୋଳ ବୁଝାଇ ପାରିବେ ନାହିଁ । ତୁମକୁ ସବୁ କଥା ବିସ୍ତାରରେ ବୁଝାଯାଉଛି । ତୁମର ହେଲା ବେହଦର
ବୈରାଗ୍ୟ । ଏହା ମଧ୍ୟ ତୁମକୁ ସେତେବେଳେ ଶିଖାଯାଉଛି, ଯେତେବେଳେ କି ପତିତ ଦୁନିଆର ବିନାଶ,
ପବିତ୍ର ଦୁନିଆର ସ୍ଥାପନା ହେବାର ଅଛି । ସନ୍ନ୍ୟାସୀ ତ ନିବୃତ୍ତି ମାର୍ଗର ଅଟନ୍ତି, ବାସ୍ତବରେ
ତାଙ୍କୁ ତ ଜଙ୍ଗଲରେ ରହିବା ଉଚିତ୍ । ପ୍ରଥମେ ପ୍ରଥମେ ଋଷି ମୁନୀ ଆଦି ସବୁ ଜଙ୍ଗଲରେ ରହୁଥିଲେ,
ସେତେବେଳେ ତାଙ୍କର ସତ୍ତ୍ୱପ୍ରଧାନ ତାକତ ଥିଲା, ତେଣୁ ମନୁଷ୍ୟମାନଙ୍କୁ ଆକର୍ଷଣ କରୁଥିଲେ । କେବେ
କେବେ ତାଙ୍କ କୁଟିଆରେ ମଧ୍ୟ ଭୋଜନ ପହଞ୍ଚାଇ ଦେଉଥିଲେ । ସନ୍ନ୍ୟାସୀମାନଙ୍କର କେବେ ମନ୍ଦିର ତିଆରି
କରନ୍ତି ନାହିଁ । ମନ୍ଦିର ସର୍ବଦା ଦେବତାମାନଙ୍କର ତିଆରି କରନ୍ତି । ତୁମେ କୌଣସି ପ୍ରକାରର ଭକ୍ତି
କରୁନାହଁ । ତୁମେ ଯୋଗଯୁକ୍ତ ରହୁଛ । ତାଙ୍କର ତ ଜ୍ଞାନ ହେଲା ବ୍ରହ୍ମତତ୍ତ୍ୱକୁ ମନେପକାଇବା ।
ବାସ୍! ବ୍ରହ୍ମରେ ଲୀନ ହୋଇଯିବା । କିନ୍ତୁ ବାବାଙ୍କ ବିନା ତ ସେଠାକୁ କେହି ନେଇ ଯାଇପାରିବେ
ନାହିଁ । ବାବା ଆସନ୍ତି ହିଁ ସଙ୍ଗମଯୁଗରେ । ଏଠାକୁ ଆସି ଦେବୀଦେବତା ଧର୍ମର ସ୍ଥାପନା କରନ୍ତି ।
ବାକି ସମସ୍ତଙ୍କର ଆତ୍ମା ଘରକୁ ଫେରିଯାନ୍ତି କାରଣ ତୁମ ପାଇଁ ନୂଆ ଦୁନିଆ ଦରକାର ନା । ପୁରୁଣା
ଦୁନିଆର କିଛି ବି ରହିବାର ନାହିଁ । ତୁମେ ସାରା ବିଶ୍ୱର ମାଲିକ ହେଉଛ । ଏହା ତ ତୁମେ ଜାଣିଛ
ଯେତେବେଳେ ଆମର ରାଜ୍ୟ ଥିଲା ତ ସାରା ବିଶ୍ୱରେ ଆମେ ହିଁ ଥିଲୁ, ଅନ୍ୟ କୌଣସି ଖଣ୍ଡ ଅର୍ଥାତ୍
ରାଷ୍ଟ୍ର ନ ଥିଲା । ସେଠାରେ ଭୂସମ୍ପତ୍ତି ତ ବହୁତ ରହିଥାଏ । ଏଠାରେ ସ୍ଥଳଭାଗ କେତେ ଅଛି ତଥାପି
ମଧ୍ୟ ସମୁଦ୍ରକୁ ଶୁଖାଇ ସ୍ଥଳଭାଗ ନିର୍ମାଣ କରୁଛନ୍ତି କାରଣ ମନୁଷ୍ୟଙ୍କର ସଂଖ୍ୟା ବଢିଚାଲିଛି ।
ଏହି ସମୁଦ୍ରକୁ ଶୁଖାଇବା ଆଦି ବିଦେଶରୁ ଶିଖିଛନ୍ତି । ବମ୍ବେ ପ୍ରଥମେ କ’ଣ ଥିଲା କି! ଭବିଷ୍ୟତରେ
ମଧ୍ୟ ରହିବ ନାହିଁ । ବାବା ତ ଅନୁଭବି ଅଟନ୍ତି ନା ! ଧରିନିଅ ଭୂମିକମ୍ପ ହେଲା ବା ମୂସଳଧାରାରେ
ବର୍ଷା ହେଲା ତେବେ କ’ଣ କରିବେ ! ବାହାରକୁ ତ ବାହାରି ପାରିବେ ନାହିଁ । ପ୍ରାକୃତିକ ବିପର୍ଯ୍ୟୟ
ତ ବହୁତ ଆସିବ । ନ ହେଲେ ଏତେ ବଡ ବିନାଶ କିପରି ହେବ । ସତ୍ୟଯୁଗରେ ତ କେବଳ ଅଳ୍ପ ଭାରତବାସୀ ହିଁ
ଥାଆନ୍ତି । ଆଜି କ’ଣ ଅଛି, କାଲି କ’ଣ ହେବ । ଏହା ସବୁ ତୁମେ ହିଁ ଜାଣିଛ । ଏହି ଜ୍ଞାନ ଆଉ କେହି
ଦେଇପାରିବେ ନାହିଁ । ବାବା କହୁଛନ୍ତି ତୁମେ ପତିତ ହୋଇଯାଇଛ, ତେଣୁ ମୋତେ ଡାକୁଛ କି ଆସି ପବିତ୍ର
କର, ନିଶ୍ଚୟ ମୋତେ ଆସିବାକୁ ହେବ, ତେବେ ତ ପବିତ୍ର ଦୁନିଆର ସ୍ଥାପନା ହେବ । ତୁମେ ପିଲାମାନେ
ଜାଣିଛ ବାବା ଆସି ଯାଇଛନ୍ତି । କେତେ ଭଲ ରାସ୍ତା ବତାଉଛନ୍ତି । ଭଗବାନୁବାଚ, ମନମନାଭବ । ଦେହ
ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ମୋତେ ମନେପକାଅ । ଏଥିରେ ହିଁ ପରିଶ୍ରମ ରହିଛି । ଜ୍ଞାନ
ତ ବହୁତ ସହଜ ଅଟେ । ଛୋଟ ପିଲା ବି ତୁରନ୍ତ ମନେରଖିଦେବେ । କିନ୍ତୁ ନିଜକୁ ଆତ୍ମା ଭାବି ବାବାଙ୍କୁ
ମନେ ପକାଇବା, ତାହା ଅସମ୍ଭବ । ବଡମାନଙ୍କର ବୁଦ୍ଧିରେ ରହିପାରୁ ନାହିଁ ,ତେବେ ଛୋଟ ପିଲାମାନେ
କେମିତି ମନେ ପକାଇ ପାରିବେ ? ଯଦିଓ ଶିବବାବା-ଶିବବାବା କହୁଛନ୍ତି କିନ୍ତୁ ବାଳୁତ ବୁଦ୍ଧି ଅଟନ୍ତି
ନା । ଆମେ ବି ବିନ୍ଦୁ, ବାବା ବି ବିନ୍ଦୁ ଅଟନ୍ତି, ଏହା ସ୍ମୃତିରେ ଆଣିବା ମୁସ୍କିଲ୍ କଥା ।
ଏହିଭଳି ଯଥାର୍ଥ ରୀତିରେ ମନେ ପକାଇବାକୁ ହେବ । ମୋଟା ଜିନିଷ ତ ନୁହଁ । ବାବା କହୁଛନ୍ତି ଯେ
ଯଥାର୍ଥ ରୂପରେ ମୁଁ ବିନ୍ଦୁ ଅଟେ । ତେଣୁ ମୁଁ ଯିଏ, ଯେମିତି ମୋତେ ସେହିପରି ସ୍ମରଣ କରିବା - ଏହା
ବଡ କଷ୍ଟକର ଅଟେ ।
ସେମାନେ ତ କହିଦିଅନ୍ତି
ପରମାତ୍ମା ବ୍ରହ୍ମ ତତ୍ତ୍ୱ ଅଟନ୍ତି କିନ୍ତୁ ଆମେ କହୁଛୁ ସେ ତ ଏକଦମ୍ ବିନ୍ଦୁ ଅଟନ୍ତି ।
ରାତି-ଦିନର ପାର୍ଥକ୍ୟ ହେଲା ନା । ବ୍ରହ୍ମ ତତ୍ତ୍ୱ, ଆମେ ଆତ୍ମାମାନେ ଯେଉଁଠି ରହିଥାଉ, ତାକୁ
ପରମାତ୍ମା କହି ଦେଉଛନ୍ତି । ବୁଦ୍ଧିରେ ଏହା ରହିବା ଦରକାର - ମୁଁ ଆତ୍ମା ଅଟେ, ବାବାଙ୍କର
ସନ୍ତାନ ଅଟେ, ଏହି କାନ ଦ୍ୱାରା ଶୁଣୁଛି, ବାବା ଏହାଙ୍କ ମୁଖ ଦ୍ୱାରା ଶୁଣାଉଛନ୍ତି ଯେ ମୁଁ
ପରମଆତ୍ମା ଅଟେ, ପରେ ତେ ପରେ ଅର୍ଥାତ୍ ଉର୍ଦ୍ଧ୍ୱରେ ରହିଥାଏ । ତୁମେ ବି ବହୁ ଉର୍ଦ୍ଧ୍ୱରେ ରହୁଛ
କିନ୍ତୁ ଜନ୍ମମରଣରେ ଆସୁଛ, ମୁଁ ଜନ୍ମ ମରଣରେ ଆସେ ନାହିଁ । ତୁମେ ଏବେ ନିଜର ୮୪ ଜନ୍ମକୁ ମଧ୍ୟ
ବୁଝିଛ । ବାବାଙ୍କର ପାର୍ଟକୁ ବି ବୁଝିଛ । ଆତ୍ମା କେବେ ଛୋଟ-ବଡ ହୋଇ ନ ଥାଏ । କେବଳ କଳିଯୁଗକୁ
ଆସି ମଇଳା ହୋଇଥାଏ । ଏତେ ଛୋଟ ଆତ୍ମାରେ ସମସ୍ତ ଜ୍ଞାନ ରହିଛି । ବାବା ବି କେତେ ଛୋଟ ଅଟନ୍ତି ନା
। କିନ୍ତୁ ତାଙ୍କୁ ପରମଆତ୍ମା କୁହାଯାଏ । ସେ ଜ୍ଞାନର ସାଗର ଅଟନ୍ତି, ତୁମକୁ ଆସି ବୁଝାଉଛନ୍ତି ।
ଏବେ ତୁମେ ଯାହା କିଛି ପଢୁଛ କଳ୍ପ ପୂର୍ବେ ମଧ୍ୟ ପଢିଥିଲ, ଯାହାଦ୍ୱାରା ତୁମେ ଦେବତା ହୋଇଥିଲ ।
ତୁମମାନଙ୍କ ମଧ୍ୟରେ ସବୁଠାରୁ ଫଟା କପାଳ ତାଙ୍କର ଯିଏ ପତିତ ହୋଇ ନିଜର ବୁଦ୍ଧିକୁ ଖରାପ
କରିଥା’ନ୍ତି, କାରଣ ସେମାନଙ୍କ ଭିତରେ ଜ୍ଞାନର ଧାରଣା ହୋଇପାରେ ନାହିଁ । ହୃଦୟ ଭିତରେ କଷ୍ଟ
ହେଉଥାଏ । ଅନ୍ୟମାନଙ୍କୁ କହିପାରିବେ ନାହିଁ ଯେ ପବିତ୍ର ହୁଅ । ଭିତରେ ବୁଝିଥା’ନ୍ତି ପବିତ୍ର
ହେଉ ହେଉ ମୁଁ ହାରିଗଲି । ସାରା ରୋଜଗାର ନଷ୍ଟ ହୋଇଗଲା । ପୁଣି ସୁଧୁରିବା ପାଇଁ ବହୁତ ସମୟ
ଲାଗିଯାଏ । ଗୋଟିଏ ଚୋଟ ହିଁ ବହୁତ ଜୋରରେ ଘାଇଲା କରିଦିଏ । ରେଜିଷ୍ଟର ଅର୍ଥାତ୍ ରେକର୍ଡ ଖରାପ
ହୋଇଯାଏ । ବାବା କହିଥା’ନ୍ତି ତୁମେ ମାୟା ଠାରୁ ହାରିଗଲ ତୁମର କପାଳ ଫଟା । ତୁମକୁ ମାୟାଜିତ୍
ଜଗତଜିତ୍ ହେବାକୁ ପଡିବ । ଜଗତଜିତ୍ ମହାରାଜା-ମହାରାଣୀଙ୍କୁ ହିଁ କୁହାଯାଇଥାଏ, ପ୍ରଜାଙ୍କୁ ନୁହେଁ
। ଏବେ ଦୈବୀ ସ୍ୱର୍ଗର ସ୍ଥାପନା ହେଉଛି । ତେଣୁ ନିଜ ପାଇଁ ଯିଏ କରିବେ ସିଏ ପାଇବେ । ଯେତେ
ପବିତ୍ର ହେବେ ଅନ୍ୟକୁ ବି କରାଇପାରିବେ, ବହୁତ ଦାନ କରୁଥିବା ଆତ୍ମାଙ୍କୁ ଫଳ ବି ମିଳିଥାଏ ନା ।
ଦାନୀଙ୍କର ମହିମା ହୋଇଥାଏ । ପର ଜନ୍ମରେ ଅଳ୍ପ କାଳର ସୁଖ ପାଇଥାନ୍ତି । ଏଠାରେ ତ ୨୧ ଜନ୍ମର କଥା
। ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ । ତେଣୁ ଯିଏ ପବିତ୍ର ହୋଇଥିଲେ ସିଏ ହିଁ ହେବେ । ଚାଲୁ
ଚାଲୁ ମାୟା ଚାପୁଡା ମାରି ପୂରା ତଳକୁ ଖସାଇଦିଏ । ମାୟା ବି କମ୍ ବଳବାନ୍ ନୁହେଁ । ୮-୧୦ ବର୍ଷ
ପବିତ୍ର ରହିଲେ, ପବିତ୍ରତା ପାଇଁ ଝଗଡା ହେଲା, ଅନ୍ୟମାନଙ୍କୁ ମଧ୍ୟ ପତିତ ହେବାରୁ ଉଦ୍ଧାର କଲେ
ଏବଂ ପୁଣି ନିଜେ ହାରିଗଲେ । ଏହାକୁ ଭାଗ୍ୟ କହିବା ନା । ବାବାଙ୍କର ହୋଇ ପୁଣି ମାୟାର
ହୋଇଯାଇଥାନ୍ତି, ତେବେ ଶତ୍ରୁ ହୋଇଗଲେ ନା । ଖୁଦା ଦୋସ୍ତଙ୍କର ଏକ କାହାଣୀ ଅଛି ନା । ବାବା ଆସି
ପିଲାମାନଙ୍କୁ ସ୍ନେହ କରିଥା’ନ୍ତି, ସାକ୍ଷାତ୍କାର କରାଇଥା’ନ୍ତି, ବିନା ଭକ୍ତିରେ ମଧ୍ୟ
ସାକ୍ଷାତ୍କାର ହୋଇଥାଏ । ତେଣୁ ସାଙ୍ଗ କରିଦେଲେ ନା । କେତେ ସାକ୍ଷାତ୍କାର ହେଉଥିଲା ପୁଣି ଜାଦୁ
ଭାବି ହଙ୍ଗାମା କରିବାକୁ ଲାଗିଲେ, ତେଣୁ ସାକ୍ଷାତ୍କାର ବନ୍ଦ କରିଦେଲେ ନା । ଶେଷ ସମୟରେ ମଧ୍ୟ
ତୁମେ ବହୁତ ସାକ୍ଷାତ୍କାର କରିବ । ଆଗରୁ କେତେ ମଜା ହେଉଥିଲା । ତାହା ଦେଖି ଦେଖି ବି କେତେ
ଚାଲିଗଲେ । ଇଟାଭାଟୀରୁ କେତେକ ଇଟା (ପକ୍କା) ସମ୍ପୂର୍ଣ୍ଣ ହୋଇ ବାହାରିଲା, କେତେକ କଞ୍ଚା
ଅର୍ଥାତ୍ ଅସମ୍ପୂର୍ଣ୍ଣ ହୋଇ ରହିଗଲେ । କିଏ ତ’ ଏକଦମ୍ ଭାଙ୍ଗିଗଲେ । କେତେ ଚାଲିଗଲେ । ଏବେ
ସେମାନେ ଲକ୍ଷପତି କରୋଡପତି ହୋଇଯାଇଛନ୍ତି । ଭାବୁଛନ୍ତି ଆମେ ତ’ ସ୍ୱର୍ଗରେ ବସିଛୁ । ଏବେ ଏଠାରେ
ସ୍ୱର୍ଗ କିପରି ହୋଇପାରିବ । ସ୍ୱର୍ଗ ତ ନୂଆ ଦୁନିଆରେ ହୋଇଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଶ୍ରେଷ୍ଠ ଭାଗ୍ୟ ଗଢିବା ପାଇଁ ଦୟାଶୀଳ ହୋଇ ନିଜେ ଭଲ ଭାବରେ ପଢିବା ସହିତ ଅନ୍ୟମାନଙ୍କୁ ମଧ୍ୟ
ପଢାଇବାକୁ ହେବ । କେବେ ବି କୌଣସି କୁଅଭ୍ୟାସର ବଶବର୍ତ୍ତୀ ହୋଇ ନିଜର ଚରିତ୍ରକୁ ଖରାପ କରିବାର
ନାହିଁ ।
(୨) ମନୁଷ୍ୟରୁ ଦେବତା
ହେବା ପାଇଁ ମୁଖ୍ୟ ହେଲା ପବିତ୍ରତା, ସେଥିପାଇଁ କେବେ ବି ପତିତ ହୋଇ ନିଜର ବୁଦ୍ଧିକୁ ମଳିନ
କରିବାର ନାହିଁ । ଏପରି କର୍ମ ନ ହେଉ ଯାହାକି ମନକୁ ଖାଉଥିବ ଏବଂ ପଶ୍ଚାତାପ କରିବାକୁ ପଡିବ ।
ବରଦାନ:-
ବୀଜରୂପ ସ୍ଥିତି
ଦ୍ୱାରା ସାରା ବିଶ୍ୱକୁ ଲାଇଟ୍ ରୂପୀ ପାଣି ଦେଉଥିବା ବିଶ୍ୱକଲ୍ୟାଣକାରୀ ହୁଅ ।
ବୀଜରୂପ ସ୍ଥିତି ହିଁ
ସବୁଠାରୁ ଶକ୍ତିଶାଳୀ ସ୍ଥିତି ଅଟେ । ଏହି ସ୍ଥିତି ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଭଳି କାର୍ଯ୍ୟ
କରିଥାଏ । ଏହି ସ୍ଥିତି ଆଧାରରେ ସାରା ବିଶ୍ୱରେ ଲାଇଟ୍ ଅର୍ଥାତ୍ ଆଲୋକ ଖେଳାଇବାରେ ନିମିତ୍ତ
ହେଉଛ । ଯେପରି ବୀଜ ଆଧାରରେ ସ୍ୱତଃ ହିଁ ସାରା ବୃକ୍ଷକୁ ପାଣି ମିଳିଯାଏ, ସେହିପରି ଯେତେବେଳେ
ତୁମେମାନେ ବୀଜରୂପ ସ୍ଥିତିରେ ସ୍ଥିତ ହୋଇଯାଉଛ ସେତେବେଳେ ସାରା ବିଶ୍ୱକୁ ଲାଇଟ୍ ରୂପୀ ପାଣି
ମିଳିଯାଉଛି । କିନ୍ତୁ ସାରା ବିଶ୍ୱ ପର୍ଯ୍ୟନ୍ତ ନିଜର ଆଲୋକ ବିଚ୍ଛୁରିତ କରିବା ପାଇଁ ବିଶ୍ୱ
କଲ୍ୟାଣକାରୀର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହେବା ଆବଶ୍ୟକ । ଏଥିପାଇଁ ଲାଇଟ୍ ହାଉସ୍ ହୁଅ,
ସାଧାରଣ ବଲବ୍ ନୁହେଁ । ପ୍ରତ୍ୟେକ ସଂକଳ୍ପରେ ସ୍ମୃତି ରହୁ ଯେ ବିଶ୍ୱର କଲ୍ୟାଣ ହେଉ ।
ସ୍ଲୋଗାନ:-
ସବୁ
ପରିସ୍ଥିତିରେ ନିଜକୁ ଖାପ ଖୁଆଇ ନେବାର ଶକ୍ତି ହିଁ ହଲ୍ଚଲ୍ ପରିସ୍ଥିତିରେ ପାସ୍ ୱିଥ୍ ଅନର
ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ କରିଦେବ ।
ଅବ୍ୟକ୍ତ ଈଶାରା:-
ସତ୍ୟତା ଏବଂ ସଭ୍ୟତା ରୂପୀ ସଂସ୍କୃତିକୁ ଆପଣାଅ
(୫) ପରମାତ୍ମ
ପ୍ରତ୍ୟକ୍ଷତାର ଆଧାର ସତ୍ୟତା ଅଟେ । ସତ୍ୟତା ଦ୍ୱାରା ହିଁ ପ୍ରତ୍ୟକ୍ଷତା ହେବ । ପ୍ରଥମତଃ ନିଜର
ସ୍ଥିତିର ସତ୍ୟତା, ଅନ୍ୟଟି ସେବାର ସତ୍ୟତା । ସତ୍ୟତାର ଆଧାର ହେଲା - ସ୍ୱଚ୍ଛତା ଏବଂ ନିର୍ଭୟତା
। ଏହି ଦୁଇଟି ଧାରଣାର ଆଧାରରେ ସତ୍ୟତା ଦ୍ୱାରା ପରମାତ୍ମ ପ୍ରତ୍ୟକ୍ଷତାର ନିମିତ୍ତ ହୁଅ । କୌଣସି
ବି ପ୍ରକାରର ଅସ୍ୱଚ୍ଛତା ଅର୍ଥାତ୍ ସାମାନ୍ୟ ଟିକେ ବି ସତ୍ୟତା ସ୍ୱଚ୍ଛତାର ଅଭାବ ରହିଲେ
କର୍ତ୍ତବ୍ୟର ସିଦ୍ଧି ହୋଇପାରିବ ନାହିଁ ।