05.05.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସର୍ବଦା ଏହି ନିଶାରେ ରୁହ ଯେ ଆମେ ସଂଗମଯୁଗୀ ବ୍ରାହ୍ମଣ ଅଟୁ, ଆମେ ଜାଣିଛୁ ଯେଉଁ ବାବାଙ୍କୁ ସମସ୍ତେ ଡାକୁଛନ୍ତି, ସେ ଆମ ସମ୍ମୁଖରେ ଅଛନ୍ତି ।”

ପ୍ରଶ୍ନ:-
ଯେଉଁ ସନ୍ତାନମାନଙ୍କର ବୁଦ୍ଧିଯୋଗ ଠିକ୍ ଥିବ, ସେମାନଙ୍କୁ କେଉଁ ସାକ୍ଷାତ୍‌କାର ହୋଇଚାଲିବ?

ଉତ୍ତର:-
ସତ୍ୟଯୁଗୀ ନୂଆ ରାଜଧାନୀରେ କ’ଣ-କ’ଣ ସବୁ ହେବ, କିପରି ଆମେ ସ୍ମୁଲରେ ପଢିବୁ, ପୁଣି କିପରି ରାଜ୍ୟ ସମ୍ଭାଳିବୁ । ଯେତେ ଯେତେ ସତ୍ୟଯୁଗ ନିକଟତର ହେବ, ସେତେ ସେତେ ଏହି ସବୁ ସାକ୍ଷାତ୍‌କାର ହେବାକୁ ଲାଗିବ କିନ୍ତୁ ଯେଉଁମାନଙ୍କର ବୁଦ୍ଧିଯୋଗ ଠିକ୍ ଥିବ, ଯେଉଁମାନେ ନିଜର ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଉଥିବେ, କର୍ମଧନ୍ଦା କରି ମଧ୍ୟ ଏକମାତ୍ର ବାବାଙ୍କର ସ୍ମୃତିରେ ରହୁଥିବେ, ସେହିମାନଙ୍କୁ ହିଁ ଏହି ସବୁର ସାକ୍ଷାତ୍‌କାର ହେବ ।

ଗୀତ:-
ଓମ୍ ନମୋ ଶିବାୟ...

ଓମ୍ ଶାନ୍ତି ।
ଭକ୍ତିମାର୍ଗରେ ଯେଉଁ ସତ୍‌ସଙ୍ଗ ହେଉଛି, ସେଠାକୁ ତ ସମସ୍ତେ ନିଶ୍ଚିତ ଯାଇଥିବେ । ସେଠାରେ ବାହେ ଗୁରୁ ଅଥବା ରାମଙ୍କ ନାମ ନେବା ପାଇଁ କୁହାଯାଇଥାଏ । ଏଠାରେ ପିଲାମାନଙ୍କୁ କିଛି କହିବାର ମଧ୍ୟ ଆବଶ୍ୟକତା ନାହିଁ, ଥରେ ମାତ୍ର କହି ଦେଇଛନ୍ତି, ବାରମ୍ବାର କହିବାର ଦରକାର ନାହିଁ । ବାବା ମଧ୍ୟ ଏକ, ତାଙ୍କର ମୁଖ୍ୟ ଶିକ୍ଷା ମଧ୍ୟ ଏକ । କ’ଣ କହୁଛନ୍ତି? ପିଲାମାନେ ମୋତେ ହିଁ ୟାଦ କର । ପ୍ରଥମେ ସାପ୍ତାହିକ ପାଠ୍ୟକ୍ରମ ସାରି ପୁଣି ଏଠାରେ ଆସି ବସୁଛନ୍ତି । ଆମେ ଯେଉଁ ପିତାଙ୍କର ସନ୍ତାନ ଅଟୁ ତାଙ୍କୁ ୟାଦ କରିବାକୁ ହେବ । ଏ କଥା ମଧ୍ୟ ତୁମେ ଏବେ ବ୍ରହ୍ମାବାବାଙ୍କ ଦ୍ୱାରା ଜାଣିଲ ଯେ ଆମ ସମସ୍ତ ଆତ୍ମାମାନଙ୍କର ପିତା ଜଣେ ଅଟନ୍ତି । ଦୁନିଆ ଏ କଥା ଜାଣିନାହିଁ । ତୁମେ ଜାଣିଛ ଆମେ ସେହି ବାବାଙ୍କର ସନ୍ତାନ ଅଟୁ, ତାଙ୍କୁ ହିଁ ସମସ୍ତେ ଗଡ଼ ଫାଦର କହୁଛନ୍ତି । ଏବେ ପିତା କହୁଛନ୍ତି ମୁଁ ତୁମକୁ ଏହି ସାଧାରଣ ଶରୀରରେ ପଢାଇବା ପାଇଁ ଆସୁଛି । ତୁମେ ଜାଣିଛ ବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି, ଆମେ ତାଙ୍କର ହୋଇଛୁ । ବାବା ହିଁ ଆସି ପତିତରୁ ପାବନ ହେବାର ରାସ୍ତା ବତାଉଛନ୍ତି । ଏହା ସାରାଦିନ ବୁଦ୍ଧିରେ ରହୁଛି । ଏମିତି ତ ସମସ୍ତେ ଶିବବାବାଙ୍କର ସନ୍ତାନ କିନ୍ତୁ ଏ କଥା ତୁମେ ଜାଣିଛ ଆଉ କେହି ଜାଣିନାହାଁନ୍ତି । ତୁମେ ଜାଣିଛ ଆମେ ହେଉଛୁ ଆତ୍ମା, ଆମକୁ ବାବା ନିର୍ଦ୍ଦେଶ ଦେଉଛନ୍ତି କି ମୋତେ ମନେପକାଅ । ମୁଁ ତୁମର ବେହଦର ପିତା ଅଟେ । ସମସ୍ତେ ଚିତ୍କାର କରିଚାଲିଛନ୍ତି କି ପତିତ-ପାବନ ଆସ, ଆମେ ପତିତ ହୋଇଯାଇଛୁ । ଏ କଥା ଦେହ କହୁନାହିଁ । ଆତ୍ମା ହିଁ ଶରୀର ଦ୍ୱାରା କହୁଛି । ୮୪ ଜନ୍ମ ମଧ୍ୟ ଆତ୍ମା ହିଁ ନେଉଛି ନା । ଏହା ବୁଦ୍ଧିରେ ରହିବା ଉଚିତ୍ ଯେ ଆମେ ହେଉଛୁ ଅଭିନେତା । ବାବା ଆମକୁ ଏବେ ତ୍ରିକାଳଦର୍ଶୀ କରାଇଛନ୍ତି । ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଇଛନ୍ତି । ବାବାଙ୍କୁ ହିଁ ସମସ୍ତେ ଡ଼ାକୁଛନ୍ତି ନା । ଏବେ ମଧ୍ୟ ଭକ୍ତମାନେ କହୁଛନ୍ତି, ହେ ପ୍ରଭୁ ଆସ କିନ୍ତୁ ତୁମେ ସଙ୍ଗମଯୁଗୀ ବ୍ରାହ୍ମଣମାନେ କହୁଛ ବାବା ତ ଆସିଯାଇଛନ୍ତି । ଏହି ସଙ୍ଗମଯୁଗକୁ ମଧ୍ୟ ତୁମେ ଜାଣିଛ, ଏହି ପୁରୁଷୋତ୍ତମ ଯୁଗର ଗାୟନ ହେଉଛି । ପୁରୁଷୋତ୍ତମ ଯୁଗ କଳିଯୁଗର ଅନ୍ତ ଏବଂ ସତ୍ୟଯୁଗର ଆରମ୍ଭର ସନ୍ଧିକାଳରେ ହେଉଛି । ସତ୍ୟଯୁଗରେ ସତ୍‌ ପୁରୁଷ, କଳିଯୁଗରେ ଅସତ ପୁରୁଷ ରହିଥା’ନ୍ତି । ସତ୍ୟଯୁଗରେ ଯେଉଁମାନେ ଜନ୍ମ ନେଇ ଯାଇଛନ୍ତି, ତାଙ୍କର ଚିତ୍ର ରହିଛି । ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ସବୁଠାରୁ ପୁରୁଣା ଚିତ୍ର, ଏହାଠାରୁ ପୁରୁଣା ଚିତ୍ର ଆଉ କିଛି ନାହିଁ । ଏପରି ତ ବହୁତ ମନୁଷ୍ୟ ବସି ଫାଲତୁ ଚିତ୍ର ଆଦି ତିଆରି କରୁଛନ୍ତି । ଏକଥା ତୁମେ ଜାଣିଛ ଯେ କେଉଁମାନେ ଆସି ଏଠାରେ ଜନ୍ମ ନେଇ ପୁଣି ଯାଇଛନ୍ତି । ଯେପରି ତଳେ ଅର୍ଥାତ୍ ରାଜସ୍ଥାନର ସିରୋହି ଜିଲ୍ଲାରେ ଅମ୍ବା ଅଥବା କାଳୀଙ୍କର ଚିତ୍ର ରହିଛି, ତେବେ ଏପରି ଅନେକ ଭୂଜାଧାରୀ କେହି କ’ଣ ବାସ୍ତବରେ ହୋଇପାରିବେ । ଅମ୍ବାଙ୍କର ମଧ୍ୟ ଦୁଇଟି ଭୂଜା ହୋଇଥିବ ନା । ମନୁଷ୍ୟମାନେ ହାତ ଯୋଡ଼ି ପୂଜା କରିଥାନ୍ତି । ଭକ୍ତିମାର୍ଗରେ ଅନେକ ପ୍ରକାରର ଚିତ୍ର ତିଆରି କରିଛନ୍ତି । ମନୁଷ୍ୟଙ୍କୁ ମଧ୍ୟ ଭିନ୍ନ-ଭିନ୍ନ ପ୍ରକାରରେ ସଜାଇଥା’ନ୍ତି ତେଣୁ ରୂପ ବଦଳିଯାଇଥାଏ । ବାସ୍ତବରେ ଏହି ଚିତ୍ର ଆଦି କିଛି ନୁହେଁ । ଏ ସବୁ ହେଉଛି ଭକ୍ତିମାର୍ଗ । ଏଠାରେ ତ’ କେହି କେହି ମଣିଷ ଛୋଟା, କେମ୍ପା ହୋଇଯାଉଛନ୍ତି । ସତ୍ୟଯୁଗରେ ଏପରି ମନୁଷ୍ୟ ନ ଥା’ନ୍ତି । ସତ୍ୟଯୁଗକୁ ମଧ୍ୟ ତୁମେ ଜାଣିଛ । ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା । ଏଠାରେ ତ’ ପୋଷାକ ଦେଖ, ପ୍ରତ୍ୟେକଙ୍କର ନିଜ ନିଜର କେତେ ପ୍ରକାରର ରହିଛି । ସେଠାରେ ତ ଯଥା ରାଜା ରାଣୀ ତଥା ପ୍ରଜା ହୋଇଥା’ନ୍ତି । ତୁମେ ସତ୍ୟଯୁଗର ଯେତେ ନିକଟତର ହେଉଥିବ, ସେତେ ତୁମକୁ ରାଜଧାନୀର ଡ଼୍ରେସ୍ ଆଦିର ମଧ୍ୟ ସାକ୍ଷାତ୍‌କାର ହେଉଥିବ, ଦେଖିବ ଆମେ ଏପରି ସ୍କୁଲରେ ପଢୁଛୁ, ଏପରି କରୁଛୁ । ସେହିମାନେ ଏହାକୁ ଦେଖିପାରିବେ, ଯେଉଁମାନଙ୍କର ବୁଦ୍ଧିଯୋଗ ସ୍ୱଚ୍ଛ ଥିବ । ନିଜର ଶାନ୍ତିଧାମ-ସୁଖଧାମକୁ ମନେ ପକାଉଥିବେ । କର୍ମଧନ୍ଦା ତ କରିବାକୁ ହିଁ ପଡ଼ିବ । ଭକ୍ତିମାର୍ଗରେ ମଧ୍ୟ ଧନ୍ଦା ଆଦି ତ କରିଥା’ନ୍ତି ନା । ଜ୍ଞାନ କିଛି ହେଲେ ନ ଥାଏ । ଏ ସବୁ ହେଉଛି ଭକ୍ତି । ଏହାକୁ କୁହାଯିବ ଭକ୍ତିର ଜ୍ଞାନ । ସେମାନେ ଏହି ଜ୍ଞାନ ଦେଇପାରିବେ ନାହିଁ ଯେ ତୁମେ ବିଶ୍ୱର ମାଲିକ କିପରି ହେବ । ଏବେ ତୁମେ ଏଠାରେ ପାଠପଢି ଭବିଷ୍ୟ ବିଶ୍ୱର ମାଲିକ ହେଉଛ । ତୁମେ ଜାଣିଛ ଏହି ପାଠପଢା ହେଉଛି ହିଁ ନୂଆ ଦୁନିଆ, ଅମର ଲୋକକୁ ଯିବା ପାଇଁ । ବାକି ବାସ୍ତବରେ ଅମରନାଥରେ ଶଙ୍କର ପାର୍ବତୀଙ୍କୁ ଅମର କଥା ଶୁଣାଇ ନ ଥିଲେ । ସେମାନେ ତ ଶିବ ଶଙ୍କରଙ୍କୁ ଏକ କରି ଦେଇଛନ୍ତି ।

ଏବେ ବାବା ତୁମକୁ ବୁଝାଉଛନ୍ତି, ଇଏ ବ୍ରହ୍ମା ମଧ୍ୟ ଶୁଣୁଛନ୍ତି । ବାବାଙ୍କ ବିନା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟ କିଏ ବା ବୁଝାଇପାରିବ । ଇଏ କୌଣସି ସାଧୁ-ସନ୍ଥ ତ ନୁହଁନ୍ତି । ଯେପରି ତୁମେ ଗୃହସ୍ଥ ବ୍ୟବହାରରେ ରହୁଥିଲ ସେହିପରି ଇଏ ମଧ୍ୟ ରହୁଥିଲେ । ସେହି ଡ଼୍ରେସ୍ ପ୍ରଭୃତି ରହିଛି । ଯେପରି ଘରେ ମା ବାପା ଓ ସନ୍ତାନ ଥା’ନ୍ତି, ଏବେ ମଧ୍ୟ ସେହିପରି ଅଛନ୍ତି ଫରକ୍ କିଛି ହେଲେ ନାହିଁ । ବାବା ଏହି ରଥରେ ବିରାଜମାନ ହୋଇ ଆସୁଛନ୍ତି ପିଲାମାନଙ୍କ ପାଖକୁ । ଏହି ରଥକୁ ଭାଗ୍ୟଶାଳୀ ରଥ ବୋଲି ଗାୟନ କରାଯାଏ । କେବେ କେବେ ଭକ୍ତିମାର୍ଗରେ ବଳଦ ଉପରେ ଆରୋହଣ କରିଥିବାର ଦର୍ଶାଇଛନ୍ତି । ମନୁଷ୍ୟମାନେ ଓଲଟା ବୁଝିନେଇଛନ୍ତି । ମନ୍ଦିରରେ କ’ଣ କେବେ ବଳଦ ରହିପାରିବ? ଶ୍ରୀକୃଷ୍ଣ ତ ହେଉଛନ୍ତି ରାଜକୁମାର, ସେ କ’ଣ ବଳଦ ଉପରେ ବସିବେ । ଭକ୍ତିମାର୍ଗରେ ମନୁଷ୍ୟ ବହୁତ ଦ୍ୱନ୍ଦ୍ୱରେ ରହୁଛନ୍ତି । ମନୁଷ୍ୟମାନଙ୍କୁ ଭକ୍ତିମାର୍ଗର ନିଶା ରହିଛି । ତୁମମାନଙ୍କୁ ଜ୍ଞାନମାର୍ଗର ନିଶା ରହିଛି । ତୁମେ କହୁଛ ଏହି ସଙ୍ଗମ ଯୁଗରେ ବାବା ଆମକୁ ପାଠ ପଢାଉଛନ୍ତି । ତୁମେ ଏହି ଦୁନିଆରେ ରହିଛ କିନ୍ତୁ ବୁଦ୍ଧି ଦ୍ୱାରା ଜାଣୁଛ ଆମେ ବ୍ରାହ୍ମଣମାନେ ସଙ୍ଗମଯୁଗରେ ଅଛୁ । ବାକି ସମସ୍ତ ମନୁଷ୍ୟ କଳିଯୁଗରେ ଅଛନ୍ତି । ଏହା ଅନୁଭବର କଥା ଅଟେ । ବୁଦ୍ଧି କହୁଛି ଆମେ କଳିଯୁଗରୁ ଏବେ ବାହାରି ଆସିଛୁ । ବାବା ଆସିଛନ୍ତି । ଏହି ପୁରୁଣା ଦୁନିଆ ହିଁ ଏବେ ବଦଳିବାକୁ ଯାଉଛି । ଏହା ତୁମର ବୁଦ୍ଧିରେ ରହିଛି, ଏ କଥା ଆଉ କେହି ଜାଣିନାହାଁନ୍ତି । ଯଦିଓ ଗୋଟିଏ ଘରେ, ଗୋଟିଏ ପରିବାରରେ ଅଛନ୍ତି ତଥାପି ମଧ୍ୟ ପିତା କହିଥାନ୍ତି ମୁଁ ସଙ୍ଗମଯୁଗୀ, ସନ୍ତାନ କହିଥା’ନ୍ତି, ଆମେ କଳିଯୁଗରେ ଅଛୁ । ଏହା ଆଶ୍ଚର୍ଯ୍ୟର କଥା ଅଟେ ନା । ପିଲାମାନେ ଜାଣିଛନ୍ତି - ଆମର ପାଠ ପଢା ସମ୍ପୂର୍ଣ୍ଣ ହେଲେ ବିନାଶ ହେବ । ବିନାଶ ହେବା ଜରୁରୀ ଅଟେ । ତୁମ ମଧ୍ୟରେ କେହି କେହି ଜାଣିଛନ୍ତି, ଯଦି ବୁଝିଯା’ନ୍ତି ଦୁନିଆ ବିନାଶ ହେବ ତେବେ ନୂଆ ଦୁନିଆର ପ୍ରସ୍ତୁତିରେ ଲାଗିଯିବେ । ବ୍ୟାଗ୍‌, ବ୍ୟାଗେଜ୍ ବାନ୍ଧିବାରେ ଲାଗିଯିବେ । ବିନାଶ ହେବା ପାଇଁ ବାକି ଅଳ୍ପ ସମୟ ଅଛି, ଏହା ପୂର୍ବରୁ ବାବାଙ୍କର ତ ହୋଇଯାନ୍ତୁ । ବ୍ରହ୍ମାବାବା କହୁଛନ୍ତି ଭୋକରେ ରହିଲେ ମଧ୍ୟ ପ୍ରଥମେ ବାବା ଭୋକରେ ରହିବେ ପରେ ପିଲାମାନେ । ଏହା ବାବାଙ୍କର ଭଣ୍ଡାର ଅଟେ । ତୁମେ ଶିବବାବାଙ୍କ ଭଣ୍ଡାରରୁ ଖାଉଛ । ବ୍ରାହ୍ମଣମାନେ ଭୋଜନ ତିଆରି କରୁଥିବାରୁ ଏହାକୁ ବ୍ରହ୍ମାଭୋଜନ କୁହାଯାଉଛି । ଯେଉଁମାନେ ପବିତ୍ର ବ୍ରାହ୍ମଣ ଅଟନ୍ତି, ୟାଦରେ ରହି ଭୋଜନ ପ୍ରସ୍ତୁତ କରୁଛନ୍ତି, ବ୍ରାହ୍ମଣମାନଙ୍କ ବ୍ୟତୀତ ଶିବବାବାଙ୍କ ୟାଦରେ କେହି ରହିପାରିବେ ନାହିଁ । ଲୌକିକ ବ୍ରାହ୍ମଣମାନେ ବାବାଙ୍କୁ ଚିହ୍ନି ନାହାଁନ୍ତି ସେମାନେ କ’ଣ ଶିବବାବାଙ୍କ ୟାଦରେ ରହିପାରିବେ! ଏହା ହେଉଛି ଶିବବାବାଙ୍କର ଭୋଜନାଳୟ, ଯେଉଁଠି ବ୍ରାହ୍ମଣମାନେ ଭୋଜନ ତିଆରି କରୁଛନ୍ତି । ବ୍ରାହ୍ମଣ ଯୋଗଯୁକ୍ତ ହୋଇ ରହୁଛନ୍ତି । ପବିତ୍ରତାକୁ ତ ଧାରଣ କରିଥା’ନ୍ତି । ବାକି ହେଉଛି ବାବାଙ୍କୁ ମନେ ପକାଇବା । ଏଥିରେ ହିଁ ମେହନତ ଲାଗୁଛି । ଏଥିରେ ଫୁଟାଣି ଚଳିବ ନାହିଁ । ଏପରି କେହି କହିପାରିବେ ନାହିଁ କି ମୁଁ ସଂପୂର୍ଣ୍ଣ ଯୋଗରେ ଅଛି ଅଥବା ୮୦ ପ୍ରତିଶତ ଯୋଗରେ ରହିଛି । କେହି ହେଲେ ବି ଏଭଳି କହିପାରିବେ ନାହିଁ । ଯୋଗଯୁକ୍ତ ହେବା ପାଇଁ ଜ୍ଞାନ ମଧ୍ୟ ଦରକାର । ତୁମମାନଙ୍କ ମଧ୍ୟରେ ସେହିମାନେ ହିଁ ଯୋଗୀ ଅଟନ୍ତି ଯେଉଁମାନେ ନିଜର ଦୃଷ୍ଟି ଦ୍ୱାରା କାହାକୁ ଶାନ୍ତ କରିଦେବେ । ଏହା ମଧ୍ୟ ଶକ୍ତି ଅଟେ । ଏକଦମ୍ ନିସ୍ତବ୍ଧ ହୋଇଯିବ, ଯେତେବେଳେ ତୁମେ ଅଶରୀରୀ ହୋଇ ବାବାଙ୍କ ୟାଦରେ ରହୁଛ ତାକୁ ହିଁ ସତ୍ୟ ୟାଦ କୁହାଯାଏ । ବାରମ୍ବାର ଏହି ଅଭ୍ୟାସ କରିବାକୁ ହେବ । ଯେପରି ତୁମେ ଏଠାରେ ୟାଦରେ ବସୁଛ, ଏହି ଅଭ୍ୟାସ କରାଯାଉଛି । ତଥାପି ମଧ୍ୟ ସମସ୍ତେ ୟାଦରେ ରହୁନାହାଁନ୍ତି । କୁଆଡ଼େ କୁଆଡ଼େ ବୁଦ୍ଧି ଘୁରି ଚାଲୁଛି । ଏହାଦ୍ୱାରା ସେମାନେ ନିଜର ହିଁ କ୍ଷତି କରିଦେଉଛନ୍ତି । ସନ୍ଦଲୀ ଅର୍ଥାତ୍ ଆସ୍ଥାନ ଉପରେ ସେମାନଙ୍କୁ ବସାଇବା ଉଚିତ୍‌, ଯେଉଁମାନେ ଭାବୁଛନ୍ତି ଆମେ ହେଉଛୁ ଡ଼୍ରିଲ୍ ଟୀଚର । ସେମାନେ ବାବାଙ୍କ ୟାଦରେ ସମ୍ମୁଖରେ ବସିଛନ୍ତି । ବୁଦ୍ଧିଯୋଗ ଆଉ କେଉଁ ଆଡ଼କୁ ଯାଉ ନାହିଁ । ଏକଦମ୍ ନିସ୍ତବ୍ଧ ହୋଇଯିବ । ତୁମେ ଅଶରୀରୀ ହୋଇ ବାବାଙ୍କ ୟାଦରେ ରହୁଛ । ଏହା ହେଉଛି ସତ୍ୟ ୟାଦ । ସନ୍ନ୍ୟାସୀମାନେ ମଧ୍ୟ ଶାନ୍ତିରେ ବସନ୍ତି, ସେମାନେ କାହାର ୟାଦରେ ରହୁଛନ୍ତି? ତାହା କୌଣସି ପ୍ରକୃତ ୟାଦ ନୁହେଁ । ସେମାନେ କାହାର ଉପକାର କରିପାରିବେ ନାହିଁ । ସେମାନେ ସୃଷ୍ଟିକୁ ଶାନ୍ତ କରିପାରିବେ ନାହିଁ । ବାବାଙ୍କୁ ଜାଣି ହିଁ ନାହାଁନ୍ତି । ବ୍ରହ୍ମକୁ ହିଁ ଭଗବାନ ଭାବୁଛନ୍ତି । ବ୍ରହ୍ମ ତ ଭଗବାନ ନୁହଁନ୍ତି । ଏବେ ତୁମକୁ ଶ୍ରୀମତ ମିଳୁଛି କେବଳ ମୋତେ ୟାଦ କର । ତୁମେ ଜାଣିଛ ଆମେ ୮୪ ଜନ୍ମ ନେଉଛୁ । ପ୍ରତ୍ୟେକ ଜନ୍ମରେ ଅଳ୍ପ-ଅଳ୍ପ କଳା କମି କମି ଚାଲିଛି । ଯେପରି ଚନ୍ଦ୍ରମାର କଳା କମ୍ ହୋଇଥାଏ । ଦେଖିବା ଦ୍ୱାରା ଏତେ ଜଣାପଡ଼ି ନ ଥାଏ । ଏବେ କେହି ହେଲେ ବି ସଂପୂର୍ଣ୍ଣ ହୋଇନାହାଁନ୍ତି । ଭବିଷ୍ୟତରେ ତୁମକୁ ସାକ୍ଷାତ୍‌କାର ହେବ । ଆତ୍ମା କେତେ ଛୋଟ ଅଟେ । ତା’ର ମଧ୍ୟ ସାକ୍ଷାତ୍‌କାର ହୋଇପାରେ । ନଚେତ୍ କନ୍ୟାମାନେ କିପରି ବତାଉଛନ୍ତି ଏହାଙ୍କ ଆତ୍ମାର ଲାଇଟ୍ କମ୍‌, ଏହାଙ୍କ ଆତ୍ମାର ଲାଇଟ୍ ଅଧିକ ଅଟେ । ଦିବ୍ୟଦୃଷ୍ଟି ଦ୍ୱାରା ହିଁ ଆତ୍ମାକୁ ଦେଖିଥାନ୍ତି । ଏ ସବୁ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ବାବା କହୁଛନ୍ତି ମୋ ହାତରେ କିଛି ନାହିଁ । ଡ୍ରାମା ମୋ ଦ୍ୱାରା କରାଉଛି, ଏ ସବୁ ଡ୍ରାମା ଅନୁସାରେ ଚାଲିଛି । ଭୋଗ ଆଦି ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି, ସେକେଣ୍ଡ ସେକେଣ୍ଡର ଅଭିନୟ ହେଉଛି ।

କିପରି ପବିତ୍ର ହେବ ଏବେ ବାବା ଏ କଥା ଶିକ୍ଷା ଦେଉଛନ୍ତି ସେଥିପାଇଁ ବାବାଙ୍କୁ ୟାଦ କରିବାକୁ ପଡିବ । କେତେ ଛୋଟ ଆତ୍ମା ଯିଏକି ପତିତ ହୋଇଯାଇଛି ପୁଣି ସେ ପବିତ୍ର ହେବ । ଆଶ୍ଚର୍ଯ୍ୟର କଥା ଅଟେ ନା । ପ୍ରକୃତି କହିଥା’ନ୍ତି ନା । ବାବାଙ୍କଠାରୁ ତୁମେ ସବୁ ଈଶ୍ୱରୀୟ ଶକ୍ତିର କଥା ଶୁଣୁଛ । ସବୁଠାରୁ ଈଶ୍ୱରୀୟ ଶକ୍ତିର କଥା ହେଉଛି - ଆତ୍ମା ଏବଂ ପରମାତ୍ମାର, ଯାହାକୁ କେହି ଜାଣି ନାହାଁନ୍ତି । ଋଷି-ମୁନି ଆଦି କେହି ହେଲେ ଜାଣି ନାହାଁନ୍ତି । ଏତେ ଛୋଟ ଆତ୍ମା ହିଁ ପଥର ବୁଦ୍ଧି ହୋଇଯାଇଛି, ପୁଣି ପାରସ ବୁଦ୍ଧି ହେଉଛି । ବୁଦ୍ଧିରେ ଏହି ଚିନ୍ତନ ରହୁ କି ମୁଁ ଆତ୍ମା ପଥରବୁଦ୍ଧି ହୋଇଯାଇଥିଲି, ଏବେ ପୁଣି ବାବାଙ୍କୁ ୟାଦ କରି ପାରସବୁଦ୍ଧି ହେଉଛି । ଲୌକିକ ରୀତିରେ ତ ବାପ ମଧ୍ୟ ବଡ ପୁଣି ଟୀଚର, ଗୁରୁ ମଧ୍ୟ ବଡ ହୋଇଥା’ନ୍ତି । ଇଏ ଏକ ମାତ୍ର ବିନ୍ଦୁ ବାପ, ଶିକ୍ଷକ ଓ ଗୁରୁ ମଧ୍ୟ ହୋଇଥାଆନ୍ତି । ସାରା କଳ୍ପ ଦେହଧାରୀକୁ ୟାଦ କରିଛ । ଏବେ ବାବା କହୁଛନ୍ତି - ମୋତେ ୟାଦ କର । ବାବା ତୁମର ବୁଦ୍ଧିକୁ କେତେ ସୂକ୍ଷ୍ମ ସ୍ତରକୁ ନେଇଯାଉଛନ୍ତି । ବିଶ୍ୱର ମାଲିକ ହେବା - କ’ଣ କମ୍ କଥା କି! ଏ କଥା ମଧ୍ୟ କେହି ଖିଆଲ କରୁ ନାହାଁନ୍ତି ଯେ ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗର ମାଲିକ କିପରି ହେଲେ । ତୁମେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ନୂଆ ଆତ୍ମା କେହି ଏ କଥାକୁ ବୁଝିପାରିବେ ନାହିଁ । ପ୍ରଥମେ ମୋଟା ମୋଟି ରୂପରେ ବୁଝାଯାଇ ପୁଣି ସୂକ୍ଷ୍ମତାର ସହିତ ବୁଝାଯାଉଛି । ବାବା ହେଉଛନ୍ତି ବିନ୍ଦୁ । ସେମାନେ ପୁଣି ଏତେ ବଡ-ବଡ ଲିଙ୍ଗ ରୂପ କରିଦେଇଛନ୍ତି । ମନୁଷ୍ୟମାନଙ୍କର ମଧ୍ୟ ବହୁତ ବଡ-ବଡ ଚିତ୍ର କରୁଛନ୍ତି । କିନ୍ତୁ ଏପରି ବିରାଟ ମନୁଷ୍ୟ କେହି ତ ନାହାଁନ୍ତି । ମନୁଷ୍ୟର ଶରୀର ତ ସ୍ୱାଭାବିକ ଭାବେ ଲକ୍ଷ୍ମୀ-ନାରାୟଣଙ୍କ ସଦୃଶ ଅଟେ । ଭକ୍ତି ମାର୍ଗରେ କ’ଣ-କ’ଣ ବସି ତିଆରି କରିଛନ୍ତି । ମନୁଷ୍ୟ କେତେ ଦ୍ୱନ୍ଦ୍ୱରେ ପଡୁଛନ୍ତି । ବାବା କହୁଛନ୍ତି ଯାହା ବିତିଗଲା ତାହା ପୁନର୍ବାର ହେବ । ଏବେ ତୁମେ ବାବାଙ୍କ ଶ୍ରୀମତକୁ ପାଳନ କର । ବ୍ରହ୍ମାବାବାଙ୍କୁ ମଧ୍ୟ ବାବା ଶ୍ରୀମତ ଦେଇ, ସାକ୍ଷାତ୍‌କାର କରାଇଲେ ନା । ତୁମକୁ ମୁଁ ବାଦଶାହୀ ଦେଉଛି, ଏବେ ଏହି ସେବାରେ ଲାଗିଯାଅ । ନିଜର ସମ୍ପତ୍ତି ନେବାର ପୁରୁଷାର୍ଥ କର । ଏ ସବୁ ବ୍ୟବସାୟ ଇତ୍ୟାଦି ଛାଡିଦିଅ, ତେବେ ଇଏ ମଧ୍ୟ ନିମିତ୍ତ ହୋଇଗଲେ । ସମସ୍ତେ ତ ଏପରି ନିମିତ୍ତ ହେଉ ନାହାଁନ୍ତି, ଯାହାଙ୍କର ନିଶା ଚଢିଗଲା ସେମାନେ ଆସି ବସିଗଲେ । ମୋତେ ତ ରାଜତ୍ୱ ମିଳୁଛି । ପୁଣି ଏହି ଟଙ୍କା-ପଇସା କ’ଣ କରିବି । ତେଣୁ ଏବେ ବାବା ପିଲାମାନଙ୍କୁ ପୁରୁଷାର୍ଥ କରାଉଛନ୍ତି, ରାଜଧାନୀ ସ୍ଥାପନ ହେଉଛି, କହୁଛନ୍ତି ମଧ୍ୟ ଆମେ ଲକ୍ଷ୍ମୀ-ନାରାୟଣରୁ କମ୍ ପଦ ପାଇବୁ ନାହିଁ । ତେବେ ଶ୍ରୀମତକୁ ପାଳନ କରି ଦେଖାଅ । ଚୁଁ ଚାଁ ଅର୍ଥାତ୍ ବାହାନା କର ନାହିଁ । ବାବା କ’ଣ ଏକଥା କହୁଛନ୍ତି କି ପିଲାଛୁଆଙ୍କ ଅବସ୍ଥା କ’ଣ ହେବ । ଦୁର୍ଘଟଣାରେ ଅଚାନକ କେହି ମରିଗଲେ କ’ଣ ପରିବାରର ଲୋକ ଭୋକରେ ରହିଥା’ନ୍ତି କି! କେହି ନା କେହି ମିତ୍ର-ସମ୍ବନ୍ଧୀ ଆଦି ଖାଇବାକୁ ଦେଇଥାନ୍ତି । ଏଠାରେ ଦେଖ ବାବା ପୁରୁଣା କୁଡିଆରେ ରହୁଛନ୍ତି । ତୁମେ ସନ୍ତାନମାନେ ଆସି ମହଲରେ ରହୁଛ । ବାବା କହୁଛନ୍ତି ପିଲାମାନେ ଠିକ୍ ରୀତିରେ ରୁହନ୍ତୁ, ଖାଆନ୍ତୁ, ପିଅନ୍ତୁ । ଯିଏ କିଛି ବି ଆଣିନାହାଁନ୍ତି ତାଙ୍କୁ ମଧ୍ୟ ସବୁ କିଛି ଭଲ ଭାବରେ ମିଳୁଛି । ଏହି ବ୍ରହ୍ମା ବାବାଙ୍କଠାରୁ ମଧ୍ୟ ସେମାନେ ଭଲରେ ରହୁଛନ୍ତି । ଶିବବାବା କହୁଛନ୍ତି ମୁଁ ତ ହେଉଛି ରମତୀ ଯୋଗୀ କାହାର ବି କଲ୍ୟାଣ କରିବାକୁ ଯାଇପାରିବି । ଯେଉଁମାନେ ଜ୍ଞାନୀ ସନ୍ତାନ ଅଟନ୍ତି ସେମାନେ କେବେହେଲେ ସାକ୍ଷାତ୍‌କାର ଆଦିରେ ଖୁସି ହେବେ ନାହିଁ । ଯୋଗ ବିନା ଆଉ କୌଣସି ଜିନିଷର ମହତ୍ୱ ନାହିଁ । ଏହିସବୁ ସାକ୍ଷାତ୍‌କାର ଆଦିର କଥାରେ ଖୁସି ହୋଇଯାଅ ନାହିଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗ ଦ୍ୱାରା ସ୍ଥିତିକୁ ଏପରି କରିବା ଉଚିତ୍ ଯାହାକି ଦୃଷ୍ଟି ଦ୍ୱାରା ହିଁ କାହାକୁ ଶାନ୍ତ କରିପାରିବ । ବାତାବରଣ ସମ୍ପୂର୍ଣ୍ଣ ନିସ୍ତବ୍ଧ ହୋଇଯିବ । ଏଥିପାଇଁ ଅଶରୀରୀ ହେବାର ଅଭ୍ୟାସ କରିବାକୁ ହେବ ।

(୨) ଜ୍ଞାନର ପ୍ରକୃତ ନିଶାରେ ରହିବାକୁ ହେଲେ ମନେ ରଖିବାକୁ ହେବ ଯେ ଆମେ ହେଉଛୁ ସଂଗମଯୁଗୀ, ଏବେ ଏହି ପୁରୁଣା ଦୁନିଆ ବଦଳିଯିବ, ଆମେ ନିଜର ଘରକୁ ଫେରିଯିବୁ । ସର୍ବଦା ଶ୍ରୀମତରେ ଚାଲିବାକୁ ହେବ, କୌଣସି ପ୍ରକାରର ବାହାନାବାଜି କରିବା ଉଚିତ୍ ନୁହେଁ ।

ବରଦାନ:-
ପରମାତ୍ମ ମିଳନ ଦ୍ୱାରା ଆତ୍ମିକ ବାର୍ତ୍ତାଳାପର ସଠିକ୍ ଉତ୍ତର ପ୍ରାପ୍ତ କରୁଥିବା ବାବାଙ୍କ ସମାନ ବହୁରୂପୀ ହୁଅ ।

ବାବା ଯେପରି ବହୁରୂପୀ ଅଟନ୍ତି, ଗୋଟିଏ ସେକେଣ୍ଡ ଭିତରେ ନିରାକାରୀ ଅବସ୍ଥାରୁ ଆକାରୀ ବସ୍ତ୍ର ଧାରଣ କରି ନେଉଛନ୍ତି ସେହିଭଳି ତୁମେମାନେ ମଧ୍ୟ ଏହି ମାଟିରେ ତିଆରି ବସ୍ତ୍ରକୁ ତ୍ୟାଗ କରି ଆକାରୀ ଫରିସ୍ତା ସ୍ୱରୂପର ପୋଷାକ ବା ଚମକିଲା ପୋଷାକ ଧାରଣ କରିନିଅ, ତେବେ ସହଜରେ ମିଳନ ମଧ୍ୟ ହୋଇଯିବ ଏବଂ ବାପଦାଦାଙ୍କ ସହିତ ଆତ୍ମିକ ବାର୍ତ୍ତାଳାପର ପ୍ରତ୍ୟୁତ୍ତର ମଧ୍ୟ ସ୍ପଷ୍ଟ ଭାବରେ ବୁଝି ହୋଇଯିବ କାହିଁକି ନା ଏହି ଫରିସ୍ତା ସ୍ୱରୂପର ଡ୍ରେସ୍ ପୁରୁଣା ଦୁ‌ନିଆର ବିକାରୀ ମନୋବୃତ୍ତି ବା ବାତାବରଣ ଠାରୁ, ମାୟାର ନିଆଁ ବା ପାଣି ଠାରୁ ମଧ୍ୟ ସୁରକ୍ଷିତ କରିଥାଏ । ଏହି ସ୍ୱରୂପରେ ରହିବା ଦ୍ୱାରା ମାୟା କୌଣସି ବାଧା ଉପୁଜାଇ ପାରି ନ ଥାଏ ।

ସ୍ଲୋଗାନ:-
ଦୃଢତାର ଶକ୍ତି ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଥାଏ ।

ଅବ୍ୟକ୍ତ ଈଶାରା:- ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର ।

ବ୍ରହ୍ମାକୁମାରର ଅର୍ଥ ହେଉଛି - ସର୍ବଦା ପବିତ୍ରତାର ବ୍ୟକ୍ତିତ୍ୱ ଏବଂ ରାଜକୀୟତାରେ ରହିବା । ଏହି ପବିତ୍ରତାର ବ୍ୟକ୍ତିତ୍ୱ ବିଶ୍ୱର ଆତ୍ମାମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବ ଏବଂ ଏହି ପବିତ୍ରତାର ରାଜକୀୟତା ଧର୍ମରାଜ ପୁରୀର ରୟାଲିରୁ ଅର୍ଥାତ୍ ଦଣ୍ଡରୁ ମୁକ୍ତ କରିଦେବ ଏବଂ ବର୍ତ୍ତମାନର ଏହି ରୟାଲିଟୀ ଅନୁସାରେ ଭବିଷ୍ୟତର ରୟାଲ ଫ୍ୟାମିଲୀରେ ଅର୍ଥାତ୍ ରାଜପରିବାରରେ ଆସିପାରିବ । ଯେପରି ଶାରୀରିକ ବ୍ୟକ୍ତିତ୍ୱ ଦେହ-ଅଭିମାନ ଆଡକୁ ନେଇଯାଇଥାଏ, ସେହିପରି ପବିତ୍ରତାର ବ୍ୟକ୍ତିତ୍ୱ ତୁମମାନଙ୍କୁ ଦେହୀ-ଅଭିମାନୀ କରି ବାବାଙ୍କର ନିକଟତର କରିଥାଏ ।