05.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ସୁଖ
ଶାନ୍ତିର ବରଦାନ କେବଳ ବାବାଙ୍କଠାରୁ ହିଁ ମିଳିଥାଏ, କୌଣସି ଦେହଧାରୀଙ୍କଠାରୁ ନୁହେଁ, ତେଣୁ ବାବା
ତୁମମାନଙ୍କୁ ମୁକ୍ତି-ଜୀବନମୁକ୍ତିର ରାସ୍ତା ଦେଖାଇବା ପାଇଁ ଆସିଛନ୍ତି ।”
ପ୍ରଶ୍ନ:-
ବାବାଙ୍କ ସାଥୀରେ
ଯିବାର ଏବଂ ସତ୍ୟଯୁଗ ଆରମ୍ଭରେ ଆସିବାର ପୁରୁଷାର୍ଥ କ’ଣ?
ଉତ୍ତର:-
ବାବାଙ୍କ ସାଥୀରେ ଯିବାକୁ ହେଲେ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ । ସତ୍ୟଯୁଗ ଆରମ୍ଭରେ
ଆସିବାକୁ ହେଲେ ଅନ୍ୟ ସମସ୍ତଙ୍କଠାରୁ ବୁଦ୍ଧିଯୋଗ ତୁଟେଇ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ
ହେବ । ଆତ୍ମ-ଅଭିମାନୀ ନିଶ୍ଚିତ ହେବାକୁ ପଡିବ । ଯଦି ସର୍ବଦା ଏକମାତ୍ର ବାବାଙ୍କ ମତରେ ଚାଲିବ,
ତେବେ ଉଚ୍ଚ ପଦର ଅଧିକାର ମିଳିଯିବ ।
ଗୀତ:-
ନୟନହୀନ କୋ ରାହ
ଦିଖାଓ....
ଓମ୍ ଶାନ୍ତି ।
ଏହି ଗୀତ କିଏ ଗାଇଲେ? ପିଲାମାନେ, କାରଣ ପିତା ତ ଜଣେ ହିଁ ଅଟନ୍ତି, ତାଙ୍କୁ ହିଁ ରଚୟିତା
କୁହାଯାଉଛି । ରଚନା, ରଚୟିତାଙ୍କୁ ଡାକୁଛି । ବାବା ବୁଝାଇଛନ୍ତି - ଭକ୍ତିମାର୍ଗରେ ତ ତୁମର ଦୁଇ
ଜଣ ପିତା ଥା’ନ୍ତି । ଜଣେ ହେଲେ ଲୌକିକ ପିତା, ଆଉ ଜଣେ ପାରଲୌକିକ ପିତା । ସମସ୍ତ ଆତ୍ମାଙ୍କର
ପିତା ଜଣେ ହିଁ ଅଟନ୍ତି । ଜଣେ ପିତା ହୋଇଥିବା କାରଣରୁ ସବୁ ଆତ୍ମା ନିଜକୁ ଭାଇ ଭାଇ ବୋଲି
କହୁଛନ୍ତି । ସେହି ପିତାଙ୍କୁ ଡାକୁଛନ୍ତି ହେ ଈଶ୍ୱର ପିତା, ହେ ପରମପିତା ଦୟା କର, କ୍ଷମା କର ।
ଭକ୍ତମାନଙ୍କର ରକ୍ଷକ ଏକ ଭଗବାନ ହିଁ ଅଟନ୍ତି । ପ୍ରଥମେ ତ ଏହି କଥା ବୁଝାଇବା ଦରକାର ଯେ ଆମର
ଦୁଇଜଣ ପିତା ଅଛନ୍ତି । ତେବେ ପାରଲୌକିକ ପିତା ତ ସମସ୍ତଙ୍କର ଜଣେ ହିଁ ଅଟନ୍ତି । ବାକି ଲୌକିକ
ପିତା ପ୍ରତ୍ୟେକଙ୍କର ଅଲଗା ଅଲଗା ଅଛନ୍ତି । ତେବେ ଲୌକିକ ପିତା ବଡ ନା ପାରଲୌକିକ ପିତା ବଡ?
ଲୌକିକ ପିତାଙ୍କୁ ତ କେବେ ଭଗବାନ ବା ପରମପିତା କୁହାଯିବ ନାହିଁ । ଆତ୍ମାର ପିତା ଏକମାତ୍ର
ପରମପିତା ପରମାତ୍ମା ହିଁ ଅଟନ୍ତି । ଆତ୍ମାର ନାମ କେବେ ପରିବର୍ତ୍ତନ ହୁଏ ନାହିଁ । ଶରୀରର ନାମ
ପରିବର୍ତ୍ତନ ହୋଇଥାଏ । ଆତ୍ମା ଭିନ୍ନ ଭିନ୍ନ ଶରୀର ଧାରଣ କରି ଅଭିନୟ କରିଥାଏ ଅର୍ଥାତ୍
ପୁନର୍ଜନ୍ମ ନେଇଥାଏ । ତେବେ ସର୍ବମୋଟ କେତେ ଜନ୍ମ ମିଳିଥାଏ, ତାହା ବାବା ହିଁ ଆସି ବୁଝାଉଛନ୍ତି
। ପିଲାମାନେ ତୁମେ ନିଜର ଜନ୍ମକୁ ଜାଣିନାହଁ । ବାବା ଭାରତକୁ ହିଁ ଆସିଥାନ୍ତି, ତାଙ୍କର ନାମ ହେଲା
ଶିବ । ବୁଝିଛନ୍ତି ମଧ୍ୟ ଶିବ ପରମାତ୍ମା ଅଟନ୍ତି । ଶିବଜୟନ୍ତୀ ବା ଶିବରାତ୍ରୀ ମଧ୍ୟ ପାଳନ
କରୁଛନ୍ତି । ସିଏ ନିରାକାର ଅଟନ୍ତି । ଯେପରି ଆତ୍ମା ମଧ୍ୟ ନିରାକାର ଅଟେ, ନିରାକାରରୁ ସାକାର
ଶରୀରରେ ଅଭିନୟ କରିବା ପାଇଁ ଆସିଥାଏ । ସେହିପରି ନିରାକାର ଶିବବାବା ତ ଶରୀର ବିନା ଅଭିନୟ
କରିପାରିବେ ନାହିଁ । ମନୁଷ୍ୟ ଏହି ସବୁ କଥାକୁ କିଛି ବି ବୁଝି ପାରୁ ନାହାଁନ୍ତି, ନୟନହୀନ ଅଟନ୍ତି
। ଏହି ଶରୀରର ଦୁଇଟି ନେତ୍ର ତ ସମସ୍ତଙ୍କର ଅଛି । ଜ୍ଞାନର ତୃତୀୟ ନେତ୍ର ଆତ୍ମାର ନାହିଁ, ଯାହାକୁ
ଦିବ୍ୟ ଚକ୍ଷୁ ମଧ୍ୟ କୁହାଯାଏ । ଆତ୍ମା ନିଜର ପିତାଙ୍କୁ ଭୁଲିଯାଇଥିବାରୁ, ଡାକୁଛି ନୟନହୀନକୁ
ରାସ୍ତା ଦେଖାଅ । କେଉଁଠିକାର ରାସ୍ତା? ଶାନ୍ତିଧାମ ଏବଂ ସୁଖଧାମର । ସମସ୍ତଙ୍କର ସଦଗତି ଦାତା,
ସତ୍ଗୁରୁ ଜଣେ ହିଁ ଅଟନ୍ତି । ମନୁଷ୍ୟ, ମନୁଷ୍ୟଙ୍କର ଗୁରୁ ହୋଇ ସଦଗତି ଦେଇପାରିବ ନାହିଁ । ନା
ନିଜେ ସଦ୍ଗତି ପ୍ରାପ୍ତ କରିପାରନ୍ତି ନା ଅନ୍ୟକୁ ଦେଇପାରନ୍ତି । ଏକମାତ୍ର ବାବା ହିଁ ସମସ୍ତଙ୍କୁ
ସଦଗତି ଦେଇଥା’ନ୍ତି । ସେହି ଅଲଫ ଅର୍ଥାତ୍ ବାବାଙ୍କୁ ଯାଦ କରିବାକୁ ହେବ । ବାବା ବୁଝାଉଛନ୍ତି -
କୌଣସି ମନୁଷ୍ୟ ମୁକ୍ତି-ଜୀବନମୁକ୍ତି, ଶାନ୍ତି ଏବଂ ସୁଖ ସବୁଦିନ ପାଇଁ ଦେଇପାରିବ ନାହିଁ ।
ସୁଖ-ଶାନ୍ତିର ବରଦାନ ତ ଏକମାତ୍ର ବାବା ହିଁ ଦେଇପାରିବେ । ମନୁଷ୍ୟ-ମନୁଷ୍ୟକୁ ଦେଇପାରିବ ନାହିଁ
। ଭାରତବାସୀ ଯେତେବେଳେ ସତ୍ତ୍ୱପ୍ରଧାନ ଥିଲେ ସେତେବେଳେ ସତ୍ୟଯୁଗୀ ସ୍ୱର୍ଗବାସୀ ଥିଲେ । ଆତ୍ମା
ପବିତ୍ର ଥିଲା । ଭାରତକୁ ସ୍ୱର୍ଗ କୁହାଯାଉଥିଲା, ଯେତେବେଳେ କି ଆତ୍ମାମାନେ ପବିତ୍ର
ସତ୍ତ୍ୱପ୍ରଧାନ ଥିଲେ ।
ତୁମେମାନେ ଜାଣିଛ, ବାସ୍ତବରେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ, ସତ୍ତ୍ୱପ୍ରଧାନ
ଥିଲା । ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟ ଥିଲା । ଏବେ କଳିଯୁଗର ଅନ୍ତିମ ସମୟ, ଏହାକୁ ନର୍କ
କୁହାଯାଉଛି । ଏହି ଭାରତ ସ୍ୱର୍ଗ ଥିବା ସମୟରେ ବହୁତ ଧନବାନ ଥିଲା । ହୀରା ନୀଳାର ମହଲ ଥିଲା ।
ବାବା ପିଲାମାନଙ୍କୁ ସ୍ମରଣ କରାଇ ଦେଉଛନ୍ତି । ସତ୍ୟଯୁଗ ଆରମ୍ଭରେ ଏହି ଲକ୍ଷ୍ମୀ-ନାରାୟଣଙ୍କର
ରାଜଧାନୀ ଥିଲା । ତାକୁ ସ୍ୱର୍ଗ ବା ବୈକୁଣ୍ଠ କୁହାଯାଉଥିଲା । ଏବେ ତ ସ୍ୱର୍ଗ ନାହିଁ, ଏହି କଥା
ବାବା ଆସି ବୁଝାଉଛନ୍ତି । ବାବା ଭାରତକୁ ହିଁ ଆସିଥା’ନ୍ତି । ନିରାକାର ଶିବଙ୍କର ଜୟନ୍ତୀ ମଧ୍ୟ
ପାଳନ କରୁଛନ୍ତି, କିନ୍ତୁ ସିଏ କ’ଣ କରୁଛନ୍ତି ଏକଥା କେହି ଜାଣି ନାହାଁନ୍ତି । ଆମ
ଆତ୍ମାମାନଙ୍କର ପିତା ଶିବ ଅଟନ୍ତି, ତାଙ୍କର ଆମେ ଜୟନ୍ତୀ ବା ଜନ୍ମୋତ୍ସବ ପାଳନ କରୁଛୁ ।
ବାବାଙ୍କର ଜୀବନ କାହାଣୀକୁ ମଧ୍ୟ କେହି ଜାଣିନାହାଁନ୍ତି । ଗାୟନ ମଧ୍ୟ ହେଉଛି - ଦୁଃଖ ମେଁ
ସିମିରଣ ସବ୍ କରେ (ଦୁଃଖରେ ସମସ୍ତେ ମନେ ପକାଇଥା’ନ୍ତି...) । ଡାକୁଛନ୍ତି ହେ ଈଶ୍ୱର ପିତା ଦୟା
କର । ଆମେ ବହୁତ ଦୁଃଖୀ ହୋଇଯାଇଛୁ କାରଣ ଏହା ରାବଣ ରାଜ୍ୟ ଅଟେ । ପ୍ରତି ବର୍ଷ ରାବଣକୁ
ଜଳାଉଛନ୍ତି ନା, କିନ୍ତୁ ଏକଥା କାହାକୁ ବି ଜଣାନାହିଁ ଯେ ଦଶାନନ ରାବଣ କିଏ? ଆମେ ତାକୁ କାହିଁକି
ଜଳାଉଛୁ, ଇଏ କିଭଳି ଶତ୍ରୁ ଯାହାକି ତାର କୁଶ ପୁତ୍ତଳିକା ଜଳାଉଛୁ । ଜ୍ଞାନର ତୃତୀୟ ନେତ୍ର ନ
ଥିବାରୁ ଭାରତବାସୀମାନେ ବିଲକୁଲ ଜାଣି ପାରୁ ନାହାଁନ୍ତି, ସେଥିପାଇଁ ତ ରାମରାଜ୍ୟ ଚାହୁଁଛନ୍ତି ।
୫ ବିକାର ସ୍ତ୍ରୀ ମଧ୍ୟରେ, ୫ ବିକାର ପୁରୁଷ ମଧ୍ୟରେ ଅଛି, ସେଥିପାଇଁ ଏହାକୁ ରାବଣ ସମ୍ପ୍ରଦାୟ
କୁହାଯାଉଛି । ଏହି ରାବଣ ୫ ବିକାର ହିଁ ସବୁଠାରୁ ବଡ ଶତ୍ରୁ ଅଟେ, ଯାହାର ପିତୁଳା ତିଆରି କରି
ଜଳାଉଛନ୍ତି । ଭାରତବାସୀମାନଙ୍କୁ ଏହି କଥା ଜଣା ପଡୁନାହିଁ ଯେ ଏହି ରାବଣ କିଏ, ଯାହାକୁ
ଜଳାଉଛନ୍ତି । ରାବଣ ରାଜ୍ୟ କେବେଠାରୁ ଆରମ୍ଭ ହେଲା, ଏକଥା ମଧ୍ୟ କାହାକୁ ଜଣାନାହିଁ । ବାବା
ବୁଝାଉଛନ୍ତି - ରାମରାଜ୍ୟ-ସତ୍ୟଯୁଗ, ତ୍ରେତାଯୁଗ । ରାବଣ ରାଜ୍ୟ-ଦ୍ୱାପର,କଳିଯୁଗ । ସତ୍ୟଯୁଗରେ
ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଏମାନଙ୍କୁ ଏହି ରାଜ୍ୟ କେଉଁଠୁ କିପରି ମିଳିଥିଲା ଏକଥା
କେହି ଜାଣିନାହାଁନ୍ତି । ଏସବୁ ବୁଝିବାର କଥା । ଏହା ଉପରେ ଧ୍ୟାନ ଦେବାକୁ ପଡିଥାଏ । ବାବା
ପରମପ୍ରିୟ ଅଟନ୍ତି, ସେଥିପାଇଁ ତ ତାଙ୍କୁ ଭକ୍ତିମାର୍ଗରେ ମଧ୍ୟ ଡାକୁଛନ୍ତି । ଭାରତରେ ଯେତେବେଳେ
ଏମାନଙ୍କର ବା ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ଦୁଃଖର ନାମ-ଗନ୍ଧ ନ ଥିଲା । ଏବେ
ଏହା ଦୁଃଖଧାମ ଅଟେ, କେତେ ପ୍ରକାରର ଧର୍ମ ରହିଛି । ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା, ତେବେ ଏତେ
ସବୁ ଆତ୍ମାମାନେ କୁଆଡେ ଚାଲିଗଲେ ଏକଥା କାହାକୁ ଜଣାନାହିଁ କାରଣ ନୟନହୀନ ଅଟନ୍ତି । ଶାସ୍ତ୍ର
ଗୁଡିକରୁ କାହାକୁ ବି ଜ୍ଞାନର ତୃତୀୟ ନେତ୍ର ମିଳିପାରିବ ନାହିଁ । ଜ୍ଞାନ ନେତ୍ର ଜ୍ଞାନର ସାଗର
ପରମପିତା ପରମାତ୍ମା ହିଁ ଦେଇଥା’ନ୍ତି । ଆତ୍ମାକୁ ତୃତୀୟ ନେତ୍ର ମିଳୁଛି । ଆତ୍ମା ଭୁଲି ଗଲାଣି
ଯେ ମୁଁ କେତେ ଜନ୍ମ ନେଇଛି । ସତ୍ୟଯୁଗରେ ଯେଉଁ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା ତାହା କୁଆଡେ
ଗଲା? ଗାୟନ ମଧ୍ୟ କରୁଛନ୍ତି ଯେ ମନୁଷ୍ୟ ୮୪ ଜନ୍ମ ନିଏ । ୮୪ ଜନ୍ମର ଚକ୍ର ବୋଲି କହୁଛନ୍ତି ।
କିନ୍ତୁ କେଉଁ ଆତ୍ମା ୮୪ ଜନ୍ମ ନେଉଛି? ଯେଉଁମାନେ ପ୍ରଥମେ ଭାରତରେ ଜନ୍ମ ନେଉଛନ୍ତି, ସେମାନେ
ଥିଲେ ଦେବୀ-ଦେବତା । ପୁଣି ୮୪ ଜନ୍ମ ଭୋଗ କରି ଶେଷରେ ପତିତ ହୋଇଯାଉଛନ୍ତି । ଗାୟନ ମଧ୍ୟ
କରୁଛନ୍ତି - ହେ ପତିତ ପାବନ, ତେବେ ପ୍ରମାଣିତ କରୁଛନ୍ତି ଯେ ଆମେ ପତିତ ଅଟୁ, ସେଥିପାଇଁ
ଡାକୁଛନ୍ତି ହେ ପତିତ ପାବନ ଆମକୁ ପାବନ କରିବା ପାଇଁ ଆସ । ଯିଏ ନିଜେ ହିଁ ପତିତ ସିଏ ପୁଣି
ଅନ୍ୟକୁ ପବିତ୍ର କିପରି କରିବ ।
ବାବା ବୁଝାଉଛନ୍ତି ଅଧାକଳ୍ପ ଭକ୍ତିମାର୍ଗରେ ରାବଣ ରାଜ୍ୟ, ୫ ବିକାର ଥିବା କାରଣରୁ ଭାରତ ଏତେ
ଦୁଃଖ ଭୋଗୁଛି । ୮୪ ଜନ୍ମ ତ ନେଉଛନ୍ତି । ତା’ର ମଧ୍ୟ ହିସାବ ବୁଝାଇବା ଦରକାର । ପ୍ରଥମେ
ସତ୍ୟଯୁଗରେ ସତ୍ତ୍ୱପ୍ରଧାନ ଥାନ୍ତି, ପୁଣି ତ୍ରେତା ଯୁଗରେ ସତ୍ତ୍ୱଗୁଣି ହୋଇଯା’ନ୍ତି... ଆତ୍ମାରେ
ଖାଦ ପଡିଯାଏ ଅର୍ଥାତ୍ ବିକାରର ପ୍ରବେଶତା ହୋଇଥାଏ । ବାବା ଭାରତକୁ ହିଁ ଆସୁଛନ୍ତି । ଶିବଜୟନ୍ତୀ
ପାଳନ କରୁଛନ୍ତି ନା । ଅନ୍ୟ ସବୁ ଆତ୍ମାମାନେ ତ ଗର୍ଭରୁ ହିଁ ଜନ୍ମ ନେଇଥା’ନ୍ତି । ବାବା
କହୁଛନ୍ତି ମୁଁ ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରୁଛି, ଯାହାଙ୍କର ଏହା ବହୁତ ଜନ୍ମର ଶେଷ ଜନ୍ମ
ଅଟେ । ଏହି ଜ୍ଞାନ କୌଣସି ଜଣେ ବ୍ୟକ୍ତିଙ୍କୁ ଦିଆଯାଉନାହିଁ । ଏହା ଗୀତା ପାଠଶାଳା । ମନୁଷ୍ୟକୁ
ଦେବତା କରିବା ପାଇଁ ଏଠାରେ ରାଜଯୋଗର ଶିକ୍ଷା ଦିଆଯାଉଛି । ତୁମେମାନେ ଏଠାକୁ ସ୍ୱର୍ଗର ରାଜତ୍ୱ
ପ୍ରାପ୍ତ କରିବା ପାଇଁ ଆସିଛ ଯାହା ବାବା ହିଁ ତୁମକୁ ଦେଇପାରିବେ । ଗୀତା ପଢିବା ଦ୍ୱାରା କେହି
ରାଜା ହୋଇ ନ ଥା’ନ୍ତି ଆହୁରି ଦରିଦ୍ର ହୋଇଯାଇଥା’ନ୍ତି । ବାବା ଆସି ଗୀତାର ଜ୍ଞାନ ଶୁଣାଇ ରାଜା
କରୁଛନ୍ତି, ଅନ୍ୟମାନଙ୍କ ଦ୍ୱାରା ଗୀତା ଶୁଣି ଶୁଣି ତୁମେ ଦରିଦ୍ର ହୋଇଯାଇଛ । ଭାରତରେ ଯେତେବେଳେ
ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ପବିତ୍ରତା, ଶାନ୍ତି ଏବଂ ସମୃଦ୍ଧି ଥିଲା,
ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ସେଠାରେ ହିଂସାର ନାମ ନ ଥିଲା, ପୁଣି ଦ୍ୱାପରଯୁଗଠାରୁ ହିଂସା
ଆରମ୍ଭ ହେଲା । କାମ ବିକାରରେ ଯିବା କାରଣରୁ ତୁମର ଏହିଭଳି ଅବସ୍ଥା ହୋଇଯାଇଛି । ସତ୍ୟଯୁଗରେ ଆମେ
ଶତପ୍ରତିଶତ ପବିତ୍ର ଥିଲେ, ସତ୍ତ୍ୱପ୍ରଧାନ ଥିଲେ । ଏହି ରହସ୍ୟ କେହି ବି ମନୁଷ୍ୟ ଅଥବା
ସାଧୁସନ୍ଥ ଆଦି ଜାଣିନାହାଁନ୍ତି । ବାବା ଯିଏକି ଜ୍ଞାନର ସାଗର, ପତିତ-ପାବନ ଅଟନ୍ତି ସିଏ ହିଁ ଆସି
ସତ୍ତ୍ୱପ୍ରଧାନ ହେବାର ଉପାୟ ବତାଉଛନ୍ତି । ରାବଣ ମତରେ ଚାଲିବା ଦ୍ୱାରା ମନୁଷ୍ୟର ଅବସ୍ଥା ଦେଖ
କିପରି ହୋଇଯାଇଛି । ଏବେକାର ରାଜାମାନେ ମଧ୍ୟ ସେହି ରାଜାମାନଙ୍କ ଚରଣରେ ମୁଣ୍ଡ ନୁଆଁଉଛନ୍ତି,
ଯେଉଁମାନେ ପବିତ୍ର ରାଜା ହୋଇ ରାଜ୍ୟ କରିଯାଇଛନ୍ତି ଏବଂ ତାଙ୍କର ମହିମା ଗାନ କରୁଛନ୍ତି - ଆପଣ
ସର୍ବଗୁଣ ସମ୍ପନ୍ନ, ମୁଁ ନୀଚ୍ଚ, ପାପୀ ମୋ ଭିତରେ କୌଣସି ଗୁଣ ନାହିଁ, ଆସି ଦୟା କର । ଆମକୁ
ମନ୍ଦିର ଯୋଗ୍ୟ କର । କେହି ବି ଜାଣିପାରୁ ନାହାଁନ୍ତି ଯେ ବାବା କିପରି ଆସି ପୁନର୍ବାର
ଦେବୀ-ଦେବତା ଧର୍ମର ସ୍ଥାପନା କରାଉଛନ୍ତି । ଏବେ ତୁମେ ବୁଝୁଛ ଯେ ଆମେମାନେ ହିଁ ସେହି ଦେବୀ
ଦେବତା ଧର୍ମର ଥିଲେ । ଆମେ ପୁଣି ସେହି କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେଲେ, ଏତେ-ଏତେ ଜନ୍ମ ନେଲେ
ଏବେ ୮୪ ଜନ୍ମ ପୂର୍ଣ୍ଣ ହେଲା । ପୁଣି ଏହି ଦୁନିଆର ଚକ୍ର ଘୂରିବା ଦରକାର ସେଥିପାଇଁ ତୁମକୁ ଏଠାରେ
ପୁଣି ପବିତ୍ର ହେବାକୁ ପଡିବ । ପତିତ ଆତ୍ମାମାନେ ତ ସୁଖଧାମ, ଶାନ୍ତିଧାମକୁ ଯାଇପାରିବେ ନାହିଁ ।
ବାବା ବୁଝାଉଛନ୍ତି ତୁମେ ଯେଉଁମାନେ ସତ୍ୱପ୍ରଧାନ ଥିଲ ବର୍ତ୍ତମାନ ତମୋପ୍ରଧାନ ହୋଇଯାଇଛ ।
ସୁବର୍ଣ୍ଣଯୁଗରୁ ପୁଣି କଳିଯୁଗକୁ ଆସିଯାଇଛ, ପୁଣି ତୁମକୁ ଏବେ ସୁବର୍ଣ୍ଣଯୁଗୀ ହେବାକୁ ପଡିବ ତେବେ
ଯାଇ ମୁକ୍ତିଧାମ, ସୁଖଧାମକୁ ଯାଇପାରିବ । ଭାରତ ସୁଖଧାମ ଥିଲା । ଏବେ ଦୁଃଖଧାମ ଅଟେ । ଗୀତରେ
ମଧ୍ୟ ଶୁଣିଲ, ହମ୍ ନୟନହୀନ କୋ ରାହ ବତାଓ ଅର୍ଥାତ୍ ଆମ ନୟନହୀନମାନଙ୍କୁ ରାସ୍ତା ଦେଖାଅ... ଆମେ
ଆମର ଶାନ୍ତିଧାମ ଘରକୁ କିପରି ଯିବୁ । ସେମାନେ ତ କହିଦେଉଛନ୍ତି - ପରମାତ୍ମା ସର୍ବବ୍ୟାପୀ ଅଟନ୍ତି,
ଅମୁକ ଅବତାର ନେଉଛନ୍ତି, ପର୍ଶୁରାମ ଅବତାର ହୋଇଛନ୍ତି । ତେବେ ବାବା ପର୍ଶୁରାମ ହୋଇ କାହାକୁ
ହତ୍ୟା କରିଥିବେ କି? ଏପରି ହୋଇପାରିବ ନାହିଁ । ବାବା ବୁଝାଉଛନ୍ତି ତୁମେମାନେ ଏହି ଚକ୍ରରେ କିପରି
୮୪ ଜନ୍ମ ନେଇଛ । ଏବେ ମୋତେ ଅର୍ଥାତ୍ ଅଲଫଙ୍କୁ ସ୍ମରଣ କର । ହେ ଆତ୍ମାମାନେ ଦେହୀ-ଅଭିମାନୀ ହୁଅ
। ଦେହ ଅଭିମାନୀ ହୋଇ ତୁମେ ବିଲ୍କୁଲ୍ ଦୁଃଖୀ କାଙ୍ଗାଳ, ନର୍କବାସୀ ହୋଇଯାଇଛ । ଯଦି ସ୍ୱର୍ଗବାସୀ
ହେବାକୁ ଚାହୁଁଛ ତେବେ ଆତ୍ମ-ଅଭିମାନୀ ନିଶ୍ଚିତ ହେବାକୁ ପଡିବ । ଆତ୍ମା ହିଁ ଗୋଟିଏ ଶରୀର ଛାଡି
ଆଉ ଗୋଟିଏ ନେଇଥାଏ । ଏବେ ୮୪ ଜନ୍ମ ପୂରଣ ହେଲା ପୁଣି ସତ୍ୟଯୁଗକୁ ଯିବାକୁ ହେବ । ଏବେ ମୋତେ ମନେ
ପକାଅ ଏବଂ ଅନ୍ୟ ସବୁ ସଂଗଠାରୁ ବୁଦ୍ଧିଯୋଗ ତୁଟେଇ ଦିଅ । ଭଲେ ଗୃହସ୍ଥ ବ୍ୟବହାରରେ ରୁହ କିନ୍ତୁ
ନିଜକୁ ଆତ୍ମା ନିଶ୍ଚୟ କର । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଥାଏ । ଏବେ ତୁମକୁ
ଦେହୀ-ଅଭିମାନୀ ହେବାକୁ ପଡିବ, ମୋତେ ମନେ ପକାଇଲେ ସବୁ ଖାଦ ବା ବିକାର ଭସ୍ମ ହୋଇଯିବ । ତୁମେ
ପବିତ୍ର ହୋଇଯିବ ପୁଣି ମୁଁ ସମସ୍ତ ସନ୍ତାନମାନଙ୍କୁ ସାଥିରେ ନେଇଯିବି । ଯଦି ମୋ ମତରେ ନ ଚାଲିବ
ତେବେ ଏତେ ଉଚ୍ଚ ପଦ ପାଇ ପାରିବ ନାହିଁ । ଏହି ଲକ୍ଷ୍ମୀ-ନାରାୟଣଙ୍କର ହିଁ ଉଚ୍ଚ ପଦ ଅଟେ ।
ଯେତେବେଳେ ଏମାନଙ୍କର ରାଜ୍ୟ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଦ୍ୱାପରଯୁଗଠାରୁ
ଅନ୍ୟ ସବୁ ଧର୍ମ ଆସିଥା’ନ୍ତି । ସତ୍ୟଯୁଗରେ ମନୁଷ୍ୟ ମଧ୍ୟ ଅଳ୍ପଥା’ନ୍ତି । ଏବେ ତ ଅନେକ ଧର୍ମ
ହୋଇଯିବା କାରଣରୁ ମନୁଷ୍ୟ କେତେ ଦୁଃଖୀ ହୋଇଯାଇଛନ୍ତି । ସେହି ଦେବତାମାନେ ଏବେ ପତିତ ହୋଇଯାଇଥିବା
କାରଣରୁ ନିଜକୁ ଦେବତା ବୋଲି କହୁନାହାଁନ୍ତି । ହିନ୍ଦୁ ନାମ ରଖି ଦେଇଛନ୍ତି । ହିନ୍ଦୁ ତ କୌଣସି
ଧର୍ମ ନୁହେଁ । ବାବା ବୁଝାଉଛନ୍ତି ରାବଣ ହିଁ ତୁମକୁ ଏହିଭଳି କରିଦେଇଛି । ତୁମେ ଯେତେବେଳେ
ଯୋଗ୍ୟ ଦେବୀ ଦେବତା ଥିଲ ସେତେବେଳେ ସାରା ବିଶ୍ୱ ଉପରେ ତୁମର ରାଜ୍ୟ ଥିଲା, ସମସ୍ତେ ସୁଖୀ ଥିଲେ
। ଏବେ ଦୁଃଖୀ ହୋଇଯାଇଛନ୍ତି । ଭାରତ ସ୍ୱର୍ଗ ଥିଲା ତାହା ଏବେ ନର୍କ ହୋଇଯାଇଛି । ପୁନର୍ବାର
ନର୍କକୁ ସ୍ୱର୍ଗରେ ପରିଣତ କରିବାର କାର୍ଯ୍ୟ ବାବାଙ୍କ ବିନା ଆଉ କେହି କରିପାରିବେ ନାହିଁ ।
ଦେବତାମାନଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଏ । ଏଠାକାର ମନୁଷ୍ୟ ତ ସମ୍ପୂର୍ଣ୍ଣ ବିକାରୀ
ଅଟନ୍ତି, ଏମାନଙ୍କୁ ପତିତ କୁହାଯାଉଛି । ଭାରତ ଶିବାଳୟ ଥିଲା, ଶିବବାବାଙ୍କ ଦ୍ୱାରା ସ୍ଥାପନା
କରାଯାଇଥିଲା । ବାବା ଆସି ସ୍ୱର୍ଗ ନିର୍ମାଣ କରୁଛନ୍ତି, ପୁଣି ଏହାକୁ ରାବଣ ନର୍କ କରିଦେଉଛି ।
ରାବଣ ଅଭିଶାପ ଦେଉଛି, ବାବା ୨୧ ଜନ୍ମ ପାଇଁ ସମ୍ପତ୍ତି ଦେଉଛନ୍ତି । ଏବେ ତୁମେ ପ୍ରତ୍ୟେକ
ସନ୍ତାନ ବାବାଙ୍କୁ ହିଁ ସ୍ମରଣ କର, କୌଣସି ଦେହଧାରୀକୁ ନୁହେଁ । ଦେହଧାରୀକୁ ଭଗବାନ କୁହାଯିବ
ନାହିଁ । ଭଗବାନ ତ ଜଣେ ହିଁ ଅଟନ୍ତି । ବାବା ତ ବେହଦର ଅବିନାଶୀ ସମ୍ପତ୍ତି ଦେଉଛନ୍ତି ପୁଣି
ରାବଣ ଅଭିଶପ୍ତ କରିଦେଉଛି । ବର୍ତ୍ତମାନ ଭାରତ ଅଭିଶପ୍ତ ହୋଇଯାଇଛି, ବହୁତ ଦୁଃଖୀ ହୋଇଯାଇଛି ।
ଏବେ ତୁମକୁ ରାବଣ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ଗାୟନ ମଧ୍ୟ ଅଛି - ଦାନ ଦେଲେ ଗ୍ରହଣ
ଛାଡିଯିବ । ସେହି ଚନ୍ଦ୍ରଗ୍ରହଣ ତ ପୃଥିବୀର ଛାୟା ଅଟେ । ଏବେ ବାବା କହୁଛନ୍ତି ତୁମ ଉପରେ ପାଞ୍ଚ
ବିକାର ରୂପୀ ରାବଣର ଗ୍ରହଣ ଲାଗିଛି । ତେଣୁ ଏହି ପାଞ୍ଚବିକାରକୁ ଦାନ ରୂପରେ ଦେଇ ଦେବାକୁ ହେବ ।
ପ୍ରଥମେ ଏହି କଥା ଦାନ ଦିଅ ଯେ ମୁଁ କେବେ କାମ ବିକାରଗ୍ରସ୍ତ ହେବି ନାହିଁ । ଏହି କାମ ବିକାର
ହିଁ ମନୁଷ୍ୟଙ୍କୁ ପତିତ କରିଦେଉଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବା ଯେଉଁ
ଜ୍ଞାନ ଦେଉଛନ୍ତି, ତା’କୁ ପୁରା ଧ୍ୟାନର ସହିତ ପଢିବାକୁ ହେବ । ଜ୍ଞାନର ତୃତୀୟ ନେତ୍ର ଦ୍ୱାରା
ନିଜର ୮୪ ଜନ୍ମକୁ ଜାଣି ବର୍ତ୍ତମାନ ଏହି ଶେଷ ଜନ୍ମରେ ପବିତ୍ର ହେବାକୁ ପଡିବ ।
(୨) ରାବଣର ଅଭିଶାପରୁ
ରକ୍ଷା ପାଇବା ପାଇଁ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ । ୫ ବିକାରକୁ ସମ୍ପୂର୍ଣ୍ଣ
ରୂପେ ଦାନ ଦେବାକୁ ହେବ । ଏକମାତ୍ର ବାବାଙ୍କ ମତରେ ହିଁ ଚାଲିବାକୁ ହେବ ।
ବରଦାନ:-
ମୁକୁଟ ଏବଂ
ତିଳକକୁ ଧାରଣ କରି ବାପଦାଦାଙ୍କର ସହଯୋଗୀ ହେଉଥିବା ହୃଦୟ ସିଂହାସନ ଅଧିକାରୀ ଭବ ।
ଯେତେବେଳେ କେହି
ସିଂହାସନ ଉପରେ ବସିଥାଏ, ସେତେବେଳେ ତିଳକ ଏବଂ ମୁକୁଟ ତାର ସଂକେତ ରୂପରେ ରହିଥାଏ । ସେହିପରି
ଯେଉଁମାନେ ହୃଦୟ ସିଂହାସନର ଅଧିକାରୀ ଅଟନ୍ତି, ସେମାନଙ୍କର ମସ୍ତକରେ ସର୍ବଦା ଅବିନାଶୀ ଆତ୍ମିକ
ସ୍ଥିତି ରୂପକ ତିଳକ ଦୂରରୁ ହିଁ ଚମକୁଥିବାର ଦେଖାଯାଇଥାଏ ଏବଂ ସର୍ବ ଆତ୍ମାଙ୍କର କଲ୍ୟାଣର
ଶୁଭଭାବନା ସେମାନଙ୍କର ନୟନରୁ ବା ମୁଖ ମଣ୍ଡଳରୁ ଦେଖାଯାଇଥାଏ । ସେମାନଙ୍କର ପ୍ରତ୍ୟେକ ସଂକଳ୍ପ,
ବାଣୀ ଏବଂ କର୍ମ ବାବାଙ୍କ ସମାନ ହୋଇଥାଏ ।
ସ୍ଲୋଗାନ:-
ସରଳତା ପୂର୍ବକ
ଯୋଗ କରିବା ପାଇଁ ସରଳତାର ଗୁଣକୁ ଧାରଣ କର ଏବଂ ନିଜର ସଂସ୍କାର ଗୁଡିକୁ ସରଳ କରିଦିଅ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଯେଉଁମାନଙ୍କର ବାସ୍ତବିକ
ଜୀବନରେ ଡ୍ରାମା ଜ୍ଞାନର ଧାରଣା ହୋଇଥିବ ସେମାନେ କେବେ ବି ହଲଚଲ୍ ହୋଇପାରିବେ ନାହିଁ । ତେବେ
ସର୍ବଦା ଏକରସ, ଅଚଳ, ଅଟଳ ହେବାର ବିଶେଷ ଶକ୍ତି ହେଲା ଡ୍ରାମାର ପଏଣ୍ଟ । ଏହାକୁ ଶକ୍ତି ରୂପରେ
ଧାରଣ କରିଥିବା ଆତ୍ମା କେବେ ବି ହାରିପାରିବ ନାହିଁ, କାରଣ ଏହି କଲ୍ୟାଣକାରୀ ଡ୍ରାମାର ପ୍ରତ୍ୟେକ
ଦୃଶ୍ୟରେ କୌଣସି ନା କୌଣସି କଲ୍ୟାଣ ଅନ୍ତର୍ନିହିତ ଅଟେ । ତେଣୁ ଧେର୍ଯ୍ୟଶୀଳ ହୋଇ,
ସାକ୍ଷୀଦ୍ରଷ୍ଟା ହୋଇ ଦେଖିବାର ଅଭ୍ୟାସ କରିଦେଲେ ଅଚଳ ଅଟଳ ହୋଇ ରହିପାରିବ ।