06.02.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବର୍ତ୍ତମାନ ଏହା ତୁମର ଉତଥାନର ସମୟ ଅଟେ, ଭାରତ ଗରିବରୁ ସାହୁକାର ହେବାକୁ ଯାଉଛି, ତେଣୁ ତୁମେ
ବାବାଙ୍କଠାରୁ ସତ୍ୟଯୁଗୀ ରାଜ୍ୟପଦର ବର୍ସା ନେଇନିଅ” ।
ପ୍ରଶ୍ନ:-
ବାବାଙ୍କର କେଉଁ
ଉପାଧି ଅର୍ଥାତ୍ ମହିମା ଶ୍ରୀକୃଷ୍ଣଙ୍କୁ ଦିଆଯାଇପାରିବ ନାହିଁ?
ଉତ୍ତର:-
ବାବା ହେଉଛନ୍ତି ଗରିବର ବନ୍ଧୁ ଅର୍ଥାତ୍ ଦୀନବନ୍ଧୁ । ଶ୍ରୀକୃଷ୍ଣଙ୍କୁ ଏଭଳି କୁହାଯିବ ନାହିଁ ।
ସିଏ ତ ବହୁତ ଧନବାନ ଅଟନ୍ତି, ତାଙ୍କ ରାଜ୍ୟରେ ସମସ୍ତେ ସାହୁକାର ଅର୍ଥାତ୍ ଧନୀ ଅଟନ୍ତି । ବାବା
ଯେତେବେଳେ ଆସନ୍ତି ସେତେବେଳେ ସବୁଠାରୁ ଗରିବ ଭାରତ ହିଁ ଥାଏ । ଭାରତକୁ ହିଁ ବାବା ସାହୁକାର
କରିଥା’ନ୍ତି । ତୁମେମାନେ କହୁଛ ଆମର ଭାରତ ସ୍ୱର୍ଗ ଥିଲା, ଏବେ ନାହିଁ, ପୁନର୍ବାର ହେବାକୁ ଯାଉଛି
। ଗରିବ ନିବାଜ ଅର୍ଥାତ୍ ଦୀନବନ୍ଧୁ ବାବା ହିଁ ଭାରତକୁ ସ୍ୱର୍ଗ କରୁଛନ୍ତି ।
ଗୀତ:-
ଆଖିର ୱହ ଦିନ୍
ଆୟା ଆଜ୍...
ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ । ଆତ୍ମା ଗୁପ୍ତ ଏବଂ ଶରୀର ପ୍ରତ୍ୟକ୍ଷ ଅଟେ ।
ଆତ୍ମାକୁ ଏହି ଆଖି ଦ୍ୱାରା ଦେଖି ହୁଏ ନାହିଁ ଅର୍ଥାତ୍ ଗୁପ୍ତ ଅଟେ । ଅଛି ନିଶ୍ଚିତ କିନ୍ତୁ ଏହି
ଶରୀରର ଆବରଣ ମଧ୍ୟରେ ଘୋଡିଆ ହୋଇ ରହିଛି, ସେଥିପାଇଁ କୁହାଯାଏ ଆତ୍ମା ଗୁପ୍ତ । ଆତ୍ମା ନିଜେ
କହିଥାଏ ମୁଁ ନିରାକାର ଅଟେ, ଏଠାକୁ ସାକାର ଶରୀରରେ ଆସି ମଧ୍ୟ ଗୁପ୍ତ ହୋଇ ରହିଛି ।
ଆତ୍ମାମାନଙ୍କର ନିରାକାରୀ ଦୁନିଆ ରହିଛି । ସେଠାରେ ତ ଗୁପ୍ତର କଥା ନାହିଁ । ପରମପିତା ପରମାତ୍ମା
ମଧ୍ୟ ସେଠାରେ ରୁହନ୍ତି । ତାଙ୍କୁ କୁହାଯାଏ ସୁପ୍ରିମ ଅର୍ଥାତ୍ ପରମ ଯିଏକି ଉଚ୍ଚରୁ ଉଚ୍ଚ ଆତ୍ମା,
ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱରେ ରହୁଥିବା ପରମଆତ୍ମା । ବାବା କହୁଛନ୍ତି, ଯେପରି ତୁମେ ଗୁପ୍ତ, ମୋତେ
ମଧ୍ୟ ସେହିପରି ଗୁପ୍ତ ରୂପରେ ଆସିବାକୁ ପଡିବ । ମୁଁ ଗର୍ଭଜେଲ୍କୁ ଆସେ ନାହିଁ । ମୋର ସେହି ଏକ
ଶିବ ନାମ ହିଁ ରହି ଆସିଛି । ମୁଁ ଏହି ଶରୀରରେ ଆସୁଛି ତଥାପି ମଧ୍ୟ ମୋର ନାମ ପରିବର୍ତ୍ତନ
ହେଉନାହିଁ । ବ୍ରହ୍ମାଙ୍କର ଆତ୍ମାର ଯେଉଁ ଶରୀର ରହିଛି, ତାର ନାମ ପରିବର୍ତ୍ତନ ହେଉଛି । ମୋତେ ତ
ଶିବ ହିଁ କହୁଛନ୍ତି - ମୁଁ ସର୍ବ ଆତ୍ମାମାନଙ୍କର ପିତା । ତେବେ ତୁମେ ଆତ୍ମାମାନେ ଏହି ଶରୀର
ମଧ୍ୟରେ ଗୁପ୍ତ ଅଟ, ଏହି ଶରୀର ଦ୍ୱାରା କର୍ମ କରୁଛ । ମୁଁ ମଧ୍ୟ ଗୁପ୍ତ ଅଟେ । ତେବେ
ପିଲାମାନଙ୍କୁ ଏହି ଜ୍ଞାନ ଏବେ ପ୍ରାପ୍ତ ହେଉଛି ଯେ, ଆତ୍ମା ଏହି ଶରୀର ଦ୍ୱାରା ଆଚ୍ଛାଦିତ ହୋଇ
ରହିଛି । ଆତ୍ମା ଗୁପ୍ତ କିନ୍ତୁ ଶରୀର ପ୍ରତ୍ୟକ୍ଷ ଅଟେ । ମୁଁ ମଧ୍ୟ ଅଶରୀର ଅଟେ । ବାବା ଗୁପ୍ତ
ରୂପରେ ଏହି ଶରୀର ଦ୍ୱାରା ଶୁଣାଉଛନ୍ତି । ତୁମେ ମଧ୍ୟ ଗୁପ୍ତ ଅଟ, ଶରୀର ଦ୍ୱାରା ଶୁଣୁଛ ।
ତୁମେମାନେ ଜାଣିଛ ବାବା ଆସିଛନ୍ତି - ଭାରତକୁ ପୁନର୍ବାର ଗରିବରୁ ସାହୁକାର କରିବା ପାଇଁ ।
ତୁମେମାନେ କହିବ ଆମର ଭାରତ । ପ୍ରତ୍ୟେକ ନିଜର ରାଜ୍ୟ ପାଇଁ କହିବେ - ଆମର ଗୁଜରାଟ, ଆମର
ରାଜସ୍ଥାନ । ଆମର ଆମର କହିବା କାରଣରୁ ନିଜ ରାଜ୍ୟ ପ୍ରତି ମୋହ ରହିଥାଏ । ଆମର ଭାରତ ଗରିବ ଅଟେ ।
ଏ କଥା ସମସ୍ତେ ମାନୁଛନ୍ତି କିନ୍ତୁ ସେମାନଙ୍କୁ ଏ କଥା ଜଣା ନାହିଁ ଯେ ଆମର ଭାରତ କେବେ ସାହୁକାର
ଥିଲା, କିପରି ଥିଲା । ତୁମ ପିଲାମାନଙ୍କୁ ବହୁତ ନିଶା ରହିଛି ଯେ ଆମର ଭାରତ ବହୁତ ଧନୀ ଥିଲା,
ଦୁଃଖର ପ୍ରଶ୍ନ ନ ଥିଲା । ସତ୍ୟଯୁଗରେ ଅନ୍ୟ କୌଣସି ଧର୍ମ ନ ଥିଲା । ଗୋଟିଏ ହିଁ ଦେବୀ-ଦେବତା
ଧର୍ମ ଥିଲା, ଏକଥା କାହାକୁ ଜଣାନାହିଁ । ଏହି ଯେଉଁ ବିଶ୍ୱର ଇତିହାସ ଭୂଗୋଳ ରହିଛି ସେ ସମ୍ବନ୍ଧରେ
କେହି କିଛି ବି ଜାଣିନାହାଁନ୍ତି । ବର୍ତ୍ତମାନ ତୁମେମାନେ ଭଲ ଭାବରେ ବୁଝି ପାରୁଛ ଯେ, ଆମର ଭାରତ
ବହୁତ ସାହୁକାର ଥିଲା । ଏବେ ବହୁତ ଗରିବ ହୋଇଯାଇଛି । ଏବେ ପୁଣି ବାବା ଆସିଛନ୍ତି ସାହୁକାର କରିବା
ପାଇଁ । ଭାରତ ସତ୍ୟଯୁଗରେ ବହୁତ ସାହୁକାର ଥିଲା ଯେତେବେଳେ ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା
ପୁଣି ସେହି ରାଜ୍ୟ କୁଆଡେ ଚାଲିଗଲା । ଏ କଥା କେହି ଜାଣିନାହାଁନ୍ତି । ଋଷି ମୁନି ଆଦି ମଧ୍ୟ
କହୁଥିଲେ ଯେ ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ । ବାବା କହୁଛନ୍ତି ସତ୍ୟଯୁଗରେ ମଧ୍ୟ
ଦେବୀଦେବତାମାନଙ୍କୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ନ ଥିଲା । ଯଦି ସେମାନଙ୍କୁ ବି
ଜଣାଥାନ୍ତା ଯେ, ଆମେ ସିଢିରେ ଖସି ଖସି କଳିଯୁଗକୁ ଚାଲିଯିବୁ ତେବେ ରାଜା ହେବାର ସୁଖ ମଧ୍ୟ ରହି
ନ ଥା’ନ୍ତା, ଚିନ୍ତାରେ ପଡିଯାଇଥା’ନ୍ତେ । ଏବେ ତୁମକୁ ଚିନ୍ତା ଲାଗିଛି ଯେ ଆମେ ସତ୍ତ୍ୱପ୍ରଧାନ
ଥିଲୁ, ପୁଣି ଆମେ ସତ୍ତ୍ୱପ୍ରଧାନ କିପରି ହେବୁ! ଆମେ ଆତ୍ମାମାନେ ଯିଏକି ନିରାକାରୀ ଦୁନିଆରେ
ରହୁଥିଲୁ, ସେଠାରୁ ପୁଣି କିପରି ସୁଖଧାମକୁ ଆସିଲୁ ଏ କଥା ଜାଣିବା ମଧ୍ୟ ଜ୍ଞାନ ଅଟେ । ଏବେ ଆମ
ପାଇଁ ଉତ୍ଥାନର ସମୟ ଆସିଛି । ଏହା ୮୪ ଜନ୍ମର ସିଢି ଅଟେ । ଡ୍ରାମା ଅନୁସାରେ ପ୍ରତ୍ୟେକ ଅଭିନେତା
କ୍ରମାନୁସାରେ ନିଜ ନିଜ ସମୟରେ ଆସି ଅଭିନୟ କରିବେ । ଏବେ ତୁମେ ପିଲାମାନେ ଜାଣୁଛ ଯେ ଗରିବର
ବନ୍ଧୁ କାହାକୁ କୁହାଯାଉଛି, ଏ କଥା ଦୁନିଆକୁ ଜଣା ନାହିଁ । ଗୀତରେ ମଧ୍ୟ ଶୁଣିଲ - ଆଖିର ୱହ ଦିନ୍
ଆୟା ଆଜ୍ ଅର୍ଥାତ୍ ଶେଷରେ ସେହିଦିନ ଆଜି ଆସିଛି ଯେଉଁ ଦିନକୁ ଅପେକ୍ଷା କରିଥିଲୁ.... ସବୁ
ଭକ୍ତମାନେ ଅପେକ୍ଷା କରିଥିଲେ । ଭଗବାନ କେବେ ଆସି ଆମ ଭକ୍ତମାନଙ୍କୁ ଏହି ଭକ୍ତିମାର୍ଗରୁ ମୁକ୍ତ
କରି ସଦ୍ଗତିକୁ ନେଇଯିବେ - ଏ କଥା ଏବେ ବୁଝିଲ । ବାବା ପୁନର୍ବାର ଏହି ଶରୀରକୁ ଆସିଯାଇଛନ୍ତି ।
ଶିବଜୟନ୍ତୀ ମଧ୍ୟ ପାଳନ ହେଉଛି, ତେବେ ନିଶ୍ଚିତ ଆସୁଛନ୍ତି । ଏପରି ବି କହୁ ନାହାଁନ୍ତି ଯେ ମୁଁ
ଶ୍ରୀକୃଷ୍ଣଙ୍କ ଶରୀରରେ ଆସୁଛି । ନା । ବାବା କହୁଛନ୍ତି, ଶ୍ରୀକୃଷ୍ଣଙ୍କର ଆତ୍ମା ତ ୮୪ ଜନ୍ମ
ନେଇଛି । ତାଙ୍କର ବହୁତ ଜନ୍ମର ଶେଷର ଏହା ଅନ୍ତିମ ଜନ୍ମ ଅଟେ । ଯିଏ ପ୍ରଥମ ନମ୍ବରରେ ଥିଲା ସିଏ
ଏବେ ଶେଷରେ ଅଛି, ତତ୍ ତ୍ୱମ୍ । ମୁଁ ତ ସାଧାରଣ ଶରୀରରେ ହିଁ ଆସୁଛି । ତୁମକୁ ଆସି ବତାଉଛି -
ତୁମେ କିପରି ୮୪ ଜନ୍ମ ଭୋଗ କରିଛ । ସର୍ଦ୍ଦାର (ଶିଖ୍) ମାନେ ମଧ୍ୟ ଭାବୁଛନ୍ତି ଏକ ଓଁକାର
ପରମପିତା ପରମାତ୍ମା ବାବା ଅଟନ୍ତି । ନିଶ୍ଚିତ ଭାବରେ ସିଏ ହିଁ ମନୁଷ୍ୟରୁ ଦେବତା କରିଥା’ନ୍ତି ।
ତେବେ ଆମେ କାହିଁକି ଦେବତା ନ ହେବା । ଯେଉଁମାନେ ଦେବତା ହୋଇଥିବେ ସେମାନେ ପୁଣି ପୁରୁଷାର୍ଥ
କରିବାରେ ଲାଗିପଡିବେ । ଦେବୀ-ଦେବତା ଧର୍ମର ବୋଲି ତ କେହି ଜଣେ ହେଲେ ବି ନିଜକୁ ଭାବୁନାହାଁନ୍ତି
। ଅନ୍ୟ ଧର୍ମ ଗୁଡିକର ଇତିହାସ ବହୁତ ଛୋଟ । କାହାର ୫୦୦ ବର୍ଷର ତ କାହାର ୧୨୫୦ ବର୍ଷର । ତୁମର
ଇତିହାସ ହେଉଛି ୫ ହଜାର ବର୍ଷର । ଦେବତା ଧର୍ମ ବାଲା ହିଁ ସ୍ୱର୍ଗରେ ଆସିବେ । ଅନ୍ୟ ଧର୍ମ ସବୁ ତ
ପରେ ଆସିଥା’ନ୍ତି । ଦେବତା ଧର୍ମର ଆତ୍ମାମାନେ ମଧ୍ୟ ଏବେ ଡ୍ରାମା ଅନୁସାରେ ଅନ୍ୟ ଧର୍ମକୁ
ପରିବର୍ତ୍ତିତ ହୋଇଯାଇଛନ୍ତି । ପୁଣି ବି ପରିବର୍ତ୍ତିତ ହେବେ ଏବଂ ପୁନର୍ବାର ନିଜ ନିଜ ଧର୍ମକୁ
ଫେରିଆସିବେ ।
ବାବା ବୁଝାଉଛନ୍ତି - ପିଲାମାନେ, ତୁମେ ତ ବିଶ୍ୱର ମାଲିକ ଥିଲ । ତୁମେ ମଧ୍ୟ ବୁଝୁଛ ଯେ, ବାବା
ସ୍ୱର୍ଗ ସ୍ଥାପନା କରିବାକୁ ଯାଉଛନ୍ତି ତେବେ ଆମେ କାହିଁକି ସ୍ୱର୍ଗକୁ ନ ଯିବୁ, ବାବାଙ୍କଠାରୁ ଆମେ
ବର୍ସା ନିଶ୍ଚିତ ନେବୁ - ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ ଇଏ ଆମ ଧର୍ମର ଅଟନ୍ତି । ଯିଏ ଏହି
ଧର୍ମର ହୋଇ ନ ଥିବ ସିଏ ଏଠାକୁ ଆସିବ ହିଁ ନାହିଁ । କହିବେ ଅନ୍ୟ ଧର୍ମକୁ ଆମେ କାହିଁକି ଯିବୁ ।
ତୁମେ ପିଲାମାନେ ଜାଣିଛ ସତ୍ୟଯୁଗ ନୂଆ ଦୁନିଆରେ ଦେବତାମାନଙ୍କର ବହୁତ ସୁଖ ଥିଲା । ସୁନାର ମହଲ
ଥିଲା । ସୋମନାଥଙ୍କର ମନ୍ଦିରରେ କେତେ ସୁନା ଥିଲା । ଏଭଳି ଅନ୍ୟ କୌଣସି ଧର୍ମ ନାହିଁ । ସୋମନାଥ
ମନ୍ଦିର ଭଳି ଏତେ ଧନଶାଳୀ ମନ୍ଦିର କେଉଁଠି ନ ଥିବ । ସେହି ମନ୍ଦିରରେ ବହୁତ ହୀରାନୀଳା ଆଦି ଥିଲା
। ବୁଦ୍ଧ ଆଦିଙ୍କର କୌଣସି ହୀରା ନୀଳାର ମହଲ ତ ନ ଥିଲା । ତୁମ ପିଲାମାନଙ୍କୁ ଯେଉଁ ବାବା ଏତେ
ଉଚ୍ଚ କରିଛନ୍ତି ତୁମେ ତାଙ୍କର କେତେ ଇଜ୍ଜତ ରଖିଛ! ଇଜ୍ଜତ ତ ରଖିବାକୁ ପଡିବ ନା । ଭାବୁଛନ୍ତି
ସିଏ ନିଶ୍ଚିତ କିଛି ଭଲ କର୍ମ କରିଯାଇଛନ୍ତି । ଏବେ ତୁମେ ଜାଣୁଛ ସବୁଠାରୁ ଭଲ କର୍ମ ପତିତ ପାବନ
ବାବା ହିଁ କରିଯାଇଥାନ୍ତି । ତୁମେ ଆତ୍ମାମାନେ କହୁଛ ଯେ ସବୁଠାରୁ ଉତ୍ତମରୁ ଉତ୍ତମ ସେବା ବେହଦର
ବାବା ଆସି କରିଥା’ନ୍ତି । ଆମକୁ ଗରିବରୁ ଧନୀ, ଭିକାରୀରୁ ରାଜକୁମାର କରିଦେଉଛନ୍ତି । ଯିଏ ଭାରତକୁ
ସ୍ୱର୍ଗରେ ପରିଣତ କରୁଛନ୍ତି, ଏବେ ତାଙ୍କୁ କେହି ସମ୍ମାନ ଦେଉନାହାଁନ୍ତି । ତୁମେ ଜାଣିଛ ଯାହାର
ସର୍ବଶ୍ରେଷ୍ଠ ମନ୍ଦିର ରୂପରେ ଗାୟନ ରହିଛି ତାକୁ କିପରି ଲୁଟି ନେଲେ । ଲକ୍ଷ୍ମୀ-ନାରାୟଣଙ୍କର
ମନ୍ଦିରକୁ କେବେ କେହି ଲୁଟି ନାହାଁନ୍ତି । ସୋମନାଥଙ୍କର ମନ୍ଦିରକୁ ଲୁଟିଛନ୍ତି । ଭକ୍ତିମାର୍ଗରେ
ମଧ୍ୟ ବହୁତ ଧନବାନ ଥା’ନ୍ତି । ରାଜାମାନଙ୍କ ଭିତରେ ମଧ୍ୟ ବଡ ସାନ ଥା’ନ୍ତି ନା । ଯେଉଁମାନେ
ଉଚ୍ଚପଦର ଅଧିକାରୀ ହୋଇଥା’ନ୍ତି ତାଙ୍କୁ ଛୋଟ ରାଜାମାନେ ସମ୍ମାନ ଦେଇଥା’ନ୍ତି । ରାଜ ଦରବାରରେ
ମଧ୍ୟ କ୍ରମ ଅନୁସାରେ ବସିଥା’ନ୍ତି । ବାବା ତ ଅନୁଭବୀ ଅଟନ୍ତି ନା । ଏହା ତ ପତିତ ରାଜାମାନଙ୍କର
ଦରବାର ଅଟେ । ତେବେ ପାବନ ରାଜାମାନଙ୍କର ଦରବାର କିପରି ହୋଇଥିବ । ଯେବେକି ସେମାନଙ୍କ ପାଖରେ ଏତେ
ଧନ ସମ୍ପତ୍ତି ଥିଲା ତେବେ ସେମାନଙ୍କର ଘର ମଧ୍ୟ ସେତିକି ସୁନ୍ଦର ହୋଇଥିବ । ଏବେ ତୁମେ ଜାଣୁଛ ଯେ
ବାବା ଆମକୁ ରାଜଯୋଗର ପାଠ ପଢାଉଛନ୍ତି । ସ୍ୱର୍ଗର ସ୍ଥାପନା କରାଉଛନ୍ତି । ଆମେ ସ୍ୱର୍ଗର
ମହାରାଜା-ମହାରାଣୀ ହେଉଛୁ ପୁଣି ଆମେ ତଳକୁ ଖସି ଖସି ଯେତେବେଳେ ଭକ୍ତ ହୋଇଯିବା ସେତେବେଳେ ପ୍ରଥମେ
ପ୍ରଥମେ ଶିବବାବାଙ୍କର ପୂଜାରୀ ହେବା । ଯିଏ ସ୍ୱର୍ଗର ମାଲିକ କରିଥିଲେ ତାଙ୍କର ହିଁ ପୂଜା କରିବା
। ସିଏ ଆମକୁ ବହୁତ ଧନବାନ କରୁଛନ୍ତି । ଏବେ ଭାରତ କେତେ ଗରିବ ହୋଇଯାଇଛି, ଯେଉଁ ଜମି ୫୦୦
ଟଙ୍କାରେ କିଣିଥିଲେ ତାର ମୂଲ୍ୟ ଆଜି ୫ ହଜାରରୁ ଅଧିକ ହୋଇଗଲାଣି । ଏ ସବୁ ହେଲା କୃତ୍ରିମ ମୂଲ୍ୟ
। ସେଠାରେ ତ ଭୂମିର ମୂଲ୍ୟ ନ ଥାଏ, ଯାହାକୁ ଯେତେ ଦରକାର ନେଇଯିବେ । ବହୁତ ବହୁତ ଜମି
ପଡିରହିଥିବ । ମଧୁର ନଦୀମାନଙ୍କର କୂଳରେ ତୁମର ମହଲ ହେବ । ମନୁଷ୍ୟ ବହୁତ କମ୍ ଥିବେ । ପ୍ରକୃତି
ତୁମର ଦାସୀ ଭଳି କାର୍ଯ୍ୟ କରିବ । ଫଳ ଫୁଲ ବହୁତ ସୁନ୍ଦର ସୁନ୍ଦର ମିଳୁଥିବ । ଏବେ ତ କେତେ
ମେହନତ କଲା ପରେ ବି ଯଥେଷ୍ଟ ଅନ୍ନ ମିଳୁନାହିଁ । ମନୁଷ୍ୟ ବହୁତ ଭୋକ ଉପାସରେ ମରୁଛନ୍ତି । ତେବେ
ଏହି ଗୀତ ଶୁଣି ତୁମର ଲୋମ ଟାଙ୍କୁରି ଉଠିବା ଦରକାର । ବାବାଙ୍କୁ ଗରିବର ବନ୍ଧୁ କୁହାଯାଏ । ଗରୀବ
ନିବାଜର ଅର୍ଥ ବୁଝିଲ ନା! କାହାକୁ ସାହୁକାର କରୁଛନ୍ତି? ନିଶ୍ଚିତ ଯେଉଁଠାକୁ ଆସିବେ ସେହିମାନଙ୍କୁ
ହିଁ ସାହୁକାର କରିବେ ନା । ତୁମେ ପିଲାମାନେ ଜାଣିଛ ଆମକୁ ପାବନରୁ ପତିତ ହେବା ପାଇଁ ୫ ହଜାର
ବର୍ଷ ଲାଗୁଛି । ଏବେ ପୁଣି କ୍ଷଣିକ ସମୟ ମଧ୍ୟରେ ବାବା ପତିତରୁ ପାବନ କରିଦେଉଛନ୍ତି । ଉଚ୍ଚରୁ
ଉଚ୍ଚ କରିଦେଉଛନ୍ତି, ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଯାଉଛି । କହୁଛନ୍ତି ବାବା ମୁଁ
ଆପଣଙ୍କର ଅଟେ । ବାବା କହୁଛନ୍ତି ପିଲାମାନେ ତୁମେ ବିଶ୍ୱର ମାଲିକ ଅଟ । ଯେପରି ପୁଅ ଜନ୍ମ ହେବା
ମାତ୍ରେ ତୁରନ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଯାଏ । ସମସ୍ତେ କେତେ ଖୁସି ହୋଇଥାଆନ୍ତି । ଝିଅକୁ
ଦେଖି ମୁହଁ ଶୁଖିଯାଏ । ଏଠାରେ ତ ସବୁ ଆତ୍ମାମାନେ ସନ୍ତାନ ଅଟନ୍ତି । ଏବେ ଜଣାପଡିଲା ଯେ ଆମେ ୫
ହଜାର ବର୍ଷ ପୂର୍ବରୁ ସ୍ୱର୍ଗର ମାଲିକ ଥିଲେ । ବାବା ହିଁ ଆମକୁ ଏହିପରି କରିଥିଲେ । ଶିବଜୟନ୍ତୀ
ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଏକଥା ଜାଣିନାହାଁନ୍ତି ଯେ ସିଏ କେବେ ଆସିଥିଲେ ।
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା - ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ଜୟନ୍ତୀ ପାଳନ କରି
କେବଳ ଶିବଲିଙ୍ଗର ବଡ ବଡ ମନ୍ଦିର ତିଆରି କରୁଛନ୍ତି । କିନ୍ତୁ ସିଏ କିପରି ଆସିଲେ, ଆସି କ’ଣ କଲେ,
କିଛି ବି ଜାଣିନାହାଁନ୍ତି । ଏହାକୁ କୁହାଯାଏ ଅନ୍ଧବିଶ୍ୱାସ, ଅନ୍ଧଶ୍ରଦ୍ଧା । ସେମାନଙ୍କୁ ଏ କଥା
ଜଣା ହିଁ ନାହିଁ ଯେ ଆମର ଧର୍ମ କ’ଣ, କେବେ ସ୍ଥାପନ ହୋଇଥିଲା । ଅନ୍ୟ ଧର୍ମବାଲାଙ୍କୁ ଜଣାଅଛି,
ବୁଦ୍ଧ କେବେ ଆସିଥିଲେ, ତିଥି ତାରିଖ ମଧ୍ୟ ଅଛି । ଶିବବାବାଙ୍କର, ଲକ୍ଷ୍ମୀ-ନାରାୟଣଙ୍କର କୌଣସି
ତିଥି ତାରିଖ ନାହିଁ । ୫ ହଜାର ବର୍ଷର କଥାକୁ ଲକ୍ଷ ଲକ୍ଷ ବର୍ଷ ବୋଲି ଲେଖି ଦେଇଛନ୍ତି । ଲକ୍ଷ
ଲକ୍ଷ ବର୍ଷର କଥା କ’ଣ କାହାର ମନେ ରହିପାରିବ? ଭାରତରେ ଦେବୀ-ଦେବତା ଧର୍ମ କେବେ ଥିଲା, ଏ କଥା
ବୁଝୁନାହାଁନ୍ତି । ଲକ୍ଷ-ଲକ୍ଷ ବର୍ଷ ହିସାବରେ ତ ଭାରତର ଲୋକସଂଖ୍ୟା ସବୁଠାରୁ ଅଧିକ ହେବା ଦରକାର
। ଭାରତର ଭୂମିର ଆୟତନ ମଧ୍ୟ ସବୁଠାରୁ ବଡ ହେବା ଦରକାର । ଲକ୍ଷ-ଲକ୍ଷ ବର୍ଷରେ କେତେ ମନୁଷ୍ୟ
ଜନ୍ମ ହୋଇଥିବେ, ତେବେ ତ ଅଗଣିତ ମନୁଷ୍ୟ ହୋଇଯିବେ । କିନ୍ତୁ ଏତେ ତ ନାହାଁନ୍ତି, ଆହୁରି ବି
କମିଯାଇଛନ୍ତି । ଏହି କଥା ସବୁ ବାବା ଆସି ବୁଝାଉଛନ୍ତି । ମନୁଷ୍ୟ ଏକଥା ଶୁଣି କହୁଛନ୍ତି ଆମେ ତ
ଏସବୁ କେବେ ଶୁଣି ନ ଥିଲୁ ନା କୌଣସି ଶାସ୍ତ୍ରରେ ପଢିଥିଲୁ । ଏସବୁ ତ ବହୁତ ଆଶ୍ଚର୍ଯ୍ୟଜନକ କଥା
।
ଏବେ ତୁମେ ପିଲାମାନଙ୍କ ବୁଦ୍ଧିରେ ସାରା ସୃଷ୍ଟିଚକ୍ରର ଜ୍ଞାନ ରହିଛି । ଏହି ବ୍ରହ୍ମା ବହୁତ
ଜନ୍ମର ଶେଷ ଜନ୍ମର ଶେଷରେ ଏବେ ପତିତ ଅଟନ୍ତି, ଯିଏ ସତ୍ତ୍ୱପ୍ରଧାନ ଥିଲା ସିଏ ଏବେ ତମୋପ୍ରଧାନ
ହୋଇଯାଇଛି । ପୁଣି ଏବେ ସତ୍ତ୍ୱପ୍ରଧାନ ହେବାକୁ ଯାଉଛି । ତୁମ ଆତ୍ମାମାନଙ୍କୁ ଏବେ ଏହି ଶିକ୍ଷା
ମିଳୁଛି । ଆତ୍ମା କାନ ଦ୍ୱାରା ଶୁଣିବା ସମୟରେ ଶରୀର ମଧ୍ୟ ଝୁଲୁଥାଏ କାରଣ ଆତ୍ମା ଶୁଣୁଥାଏ ନା ।
ନିଶ୍ଚିତ ଭାବରେ ଆମେ ଆତ୍ମାମାନେ ୮୪ ଜନ୍ମ ନେଉଛୁ । ତେଣୁ ୮୪ ଜନ୍ମରେ ୮୪ ମାତାପିତା ନିଶ୍ଚିତ
ମିଳିଥିବେ । ଏହାର ମଧ୍ୟ ହିସାବ ଅଛି ନା । ଏବେ ବୁଦ୍ଧିରେ ଆସୁଛି ଯେ ଆମେ ୮୪ ଜନ୍ମ ନେଉଛୁ ।
ପୁଣି କମ ଜନ୍ମବାଲା ମଧ୍ୟ ଥିବେ । ସମସ୍ତେ କ’ଣ ୮୪ ଜନ୍ମ ନେବେ କି? ବାବା ଆସି ବୁଝାଉଛନ୍ତି
ଶାସ୍ତ୍ରରେ କ’ଣ କ’ଣ ସବୁ ଲେଖି ଦେଇଛନ୍ତି । ତୁମପାଇଁ ତ ପୁଣି ବି ୮୪ ଜନ୍ମ କହୁଛନ୍ତି, ମୋ ପାଇଁ
ତ ଅଗଣିତ, ଅସଂଖ୍ୟ ଜନ୍ମ କହି ଦେଉଛନ୍ତି । ଅଣୁ ପରମାଣୁ ମଧ୍ୟରେ, ମାଟିଗୋଡି ଭିତରେ ଭର୍ତ୍ତି କରି
ଦେଇଛନ୍ତି । ବାସ୍ ଯେଉଁଠି ଦେଖୁଛି ତୁ ହିଁ ତୁ । କୃଷ୍ଣ ହିଁ କୃଷ୍ଣ ଅଛନ୍ତି । ମଥୁରା,
ବୃନ୍ଦାବନରେ ଏହିଭଳି କହିଥା’ନ୍ତି । କୃଷ୍ଣ ହିଁ ସର୍ବବ୍ୟାପୀ ଅଟନ୍ତି । ରାଧାପନ୍ଥିବାଲା ପୁଣି
କହିବେ ସବୁ ଆଡେ ରାଧା ହିଁ ରାଧା । ତୁମେ ବି ରାଧା ମୁଁ ବି ରାଧା ।
ବାସ୍ତବରେ ଏକମାତ୍ର ବାବା ହିଁ ଗରିବ ନିବାଜ ଅର୍ଥାତ୍ ଦୀନବନ୍ଧୁ ଅଟନ୍ତି । ଭାରତ ଯିଏକି ସବୁଠାରୁ
ଧନବାନ ଥିଲା, ଏବେ ସବୁଠାରୁ ଗରିବ ହୋଇଯାଇଛି ସେଥିପାଇଁ ମୋତେ ଭାରତରେ ହିଁ ଆସିବାକୁ ପଡୁଛି ।
ଏହା ପୂର୍ବପ୍ରସ୍ତୁତ ଡ୍ରାମା ଅଟେ, ଏଥିରେ ଟିକିଏ ହେଲେ ବି ଫରକ ହୋଇପାରିବ ନାହିଁ । ଡ୍ରାମାରେ
ଯାହା ସୁଟିଂ ହୋଇଯାଇଛି ତାହାର ହିଁ ଅବିକଳ ପୁନରାବୃତ୍ତି ହୁଏ । ଏଥିରେ ତିଳେମାତ୍ର ଫରକ
ହୋଇପାରିବ ନାହିଁ । ତୁମ ଭିତରେ ଡ୍ରାମାର ଜ୍ଞାନ ମଧ୍ୟ ରହିବା ଦରକାର । ଡ୍ରାମା ଅର୍ଥାତ୍ ଡ୍ରାମା
। ସେସବୁ ହେଲା ହଦର ଡ୍ରାମା, ଏହା ହେଲା ବେହଦର ଡ୍ରାମା । ଏହି ବେହଦର ଡ୍ରାମାର
ଆଦି-ମଧ୍ୟ-ଅନ୍ତକୁ କେହି ଜାଣିନାହାଁନ୍ତି । ତେବେ ଗରିବ ନିବାଜ ବୋଲି ନିରାକାର ଭଗବାନଙ୍କୁ ହିଁ
ମାନିବେ, ଶ୍ରୀକୃଷ୍ଣଙ୍କୁ ମାନିବେ ନାହିଁ । କୃଷ୍ଣ ତ ସତ୍ୟଯୁଗର ରାଜକୁମାର, ଯିଏକି ବହୁତ ଧନବାନ
ହୋଇଥା’ନ୍ତି । ଭଗବାନଙ୍କର ତ ନିଜର ଶରୀର ନାହିଁ । ସିଏ ଆସି ତୁମ ସନ୍ତାନମାନଙ୍କୁ ଧନବାନ
କରୁଛନ୍ତି, ତୁମକୁ ରାଜଯୋଗର ଶିକ୍ଷା ଦେଉଛନ୍ତି । ଯେପରି ପାଠପଢା ଦ୍ୱାରା ବାରିଷ୍ଟର ଆଦି ହୋଇ
ରୋଜଗାର କରିଥା’ନ୍ତି । ସେହିପରି ବାବା ମଧ୍ୟ ତୁମକୁ ଏବେ ପାଠ ପଢାଉଛନ୍ତି । ଯାହାଦ୍ୱାରା ତୁମେ
ଭବିଷ୍ୟତରେ ନରରୁ ନାରାୟଣ ହେଉଛ । ତୁମର ଜନ୍ମ ତ ହେବ ନା । ଏମିତି ତ ନୁହେଁ ସ୍ୱର୍ଗ କୌଣସି
ସମୁଦ୍ରରୁ ବାହାରି ଆସିବ । ଶ୍ରୀକୃଷ୍ଣ ମଧ୍ୟ ଜନ୍ମ ନେଇଛନ୍ତି ନା । କଂସପୁରୀ ଇତ୍ୟାଦି ତ
ସେତେବେଳେ ନ ଥିଲା । ଶ୍ରୀକୃଷ୍ଣଙ୍କର ନାମର କେତେ ଗାୟନ ହେଉଛି । ତାଙ୍କର ପିତାଙ୍କର ଗାୟନ ହିଁ
ନାହିଁ । ତାଙ୍କର ପିତା କେଉଁଠି ଅଛନ୍ତି? ନିଶ୍ଚିତ ଭାବରେ ଶ୍ରୀକୃଷ୍ଣ କାହାର ପୁତ୍ର ହୋଇଥବେ ନା
। ଯେତେବେଳେ କୃଷ୍ଣ ଜନ୍ମ ହୁଅନ୍ତି, ସେତେବେଳେ ଅଳ୍ପ କିଛି ପତିତ ମଧ୍ୟ ଥାଆନ୍ତି । ଯେତେବେଳେ
ସେମାନେ ଅର୍ଥାତ୍ ପତିତମାନେ ବିଲକୁଲ୍ ସମାପ୍ତ ହୋଇଯା’ନ୍ତି, ସେତେବେଳେ ଶ୍ରୀକୃଷ୍ଣ ରାଜଗଦିରେ
ବସନ୍ତି । ନିଜର ରାଜ୍ୟ ନେଇଥା’ନ୍ତି, ସେବେଠାରୁ ହିଁ ତାଙ୍କର ସମ୍ବତ୍ ଆରମ୍ଭ ହୋଇଥାଏ ।
ଲକ୍ଷ୍ମୀ-ନାରାୟଣଙ୍କ ଠାରୁ ହିଁ ସମ୍ବତ ଆରମ୍ଭ ହୋଇଥାଏ । ତୁମେ ପୁରା ହିସାବ ଲେଖୁଛ । ଏହାଙ୍କର
ରାଜ୍ୟ ଏତେ ସମୟ, ପୁଣି ୟାଙ୍କର ଏତେ ସମୟ, ତେବେ ଲୋକମାନେ ବୁଝିବେ ଯେ ଏହି କଳ୍ପର ଆୟୁଷ ବଡ
ହୋଇପାରିବ ନାହିଁ । ୫ ହଜାର ବର୍ଷର ପୁରା ହିସାବ ରହିଛି । ଏ ସବୁ ତୁମ ପିଲାମାନଙ୍କର ବୁଦ୍ଧିରେ
ଆସୁଛି ନା । ଆମେ କାଲି ସ୍ୱର୍ଗର ମାଲିକ ଥିଲେ । ବାବା ହିଁ ସ୍ୱର୍ଗର ମାଲିକ କରିଥିଲେ, ସେଥିପାଇଁ
ତ ଆମେ ତାଙ୍କର ଶିବଜୟନ୍ତୀ ପାଳନ କରୁଛୁ । ତୁମେମାନେ ସମସ୍ତଙ୍କୁ ଜାଣିଛ । ଖ୍ରୀଷ୍ଟ, ଗୁରୁନାନକ
ଆଦି ପୁଣି କେବେ ଆସିବେ, ଏକଥା ମଧ୍ୟ ତୁମକୁ ଜଣାଅଛି । ବିଶ୍ୱର ଇତିହାସ ଭୂଗୋଳର ଅବିକଳ
ପୁନରାବୃତ୍ତି ହେଉଛି । ଏହି ପାଠପଢା କେତେ ସହଜ । ତୁମେ ସ୍ୱର୍ଗକୁ ଜାଣିଛ, ନିଶ୍ଚିତ ଭାବେ ଭାରତ
ସ୍ୱର୍ଗ ଥିଲା । ଭାରତ ଅବିନାଶୀ ଖଣ୍ଡ ଅଟେ । ଭାରତ ଭଳି ମହିମା ଆଉ କାହାର ହୋଇପାରିବ ନାହିଁ ।
ସମସ୍ତଙ୍କୁ ପତିତରୁ ପାବନ କଲାବାଲା ଏକମାତ୍ର ବାବା ହିଁ ଅଟନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଡ୍ରାମାର
ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ବୁଦ୍ଧିରେ ରଖି ସବୁ ଚିନ୍ତାକୁ ତ୍ୟାଗ କରିବାକୁ ହେବ । କେବଳ
ସତ୍ୱପ୍ରଧାନ ହେବାର ଚିନ୍ତା ରଖିବାକୁ ହେବ ।
(୨) ଗରିବ ନିବାଜ ବାବା
ଭାରତକୁ ଗରିବରୁ ସାହୁକାର କରିବା ପାଇଁ ଆସିଛନ୍ତି, ତାଙ୍କର ପୁରା ପୁରା ସହଯୋଗୀ ହେବାକୁ ପଡିବ ।
ନିଜର ନୂଆ ଦୁନିଆକୁ ମନେ ପକାଇ ସର୍ବଦା ଖୁସିରେ ରହିବାକୁ ହେବ ।
ବରଦାନ:-
ଦିଲ୍ ଭିତରେ
ସର୍ବଦା ଏକମାତ୍ର ରାମଙ୍କୁ ବସାଇ ସଚ୍ଚା ସେବା କରୁଥିବା ମାୟାଜିତ୍ ବିଜୟୀ ଭବ ।
ହନୁମାନର ଏହି ବିଶେଷତା
ଦେଖାଇଛନ୍ତି ଯେ ସେ ସର୍ବଦା ସେବାଧାରୀ ଏବଂ ମହାବୀର ଥିଲା ସେଥିପାଇଁ ସେ ନିଜେ ଜଳିଲା ନାହିଁ
କିନ୍ତୁ ଲାଞ୍ଜ ଦ୍ୱାରା ଲଙ୍କାକୁ ଜଳାଇଦେଲା । ସେହିପରି ଏଠାରେ ମଧ୍ୟ ଯେଉଁମାନେ ସର୍ବଦା
ସେବାଧାରୀ ଅଟନ୍ତି ସେହିମାନେ ହିଁ ମାୟାର ଅଧିକାରକୁ ସମାପ୍ତ କରିପାରିବେ! କିନ୍ତୁ ଯେଉଁମାନେ
ସେବାଧାରୀ ନୁହଁନ୍ତି ସେମାନେ ମାୟାର ରାଜ୍ୟକୁ ଜଳାଇ ପାରିବେ ନାହିଁ । ତେବେ ହନୁମାନର ଦିଲ୍
ଭିତରେ ସର୍ବଦା ଏକମାତ୍ର ରାମ ହିଁ ବାସ କରୁଥିଲେ, ତେଣୁ ତୁମମାନଙ୍କର ଦିଲ୍ ଭିତରେ ମଧ୍ୟ
ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ବି ନ ରୁହନ୍ତୁ, ନିଜର ଦେହର ସ୍ମୃତି ମଧ୍ୟ ନ ରହୁ ତେବେ
ଯାଇ ମାୟାଜିତ୍ ବିଜୟୀ ହୋଇପାରିବ ।
ସ୍ଲୋଗାନ:-
ଯେପରି ଆତ୍ମା
ଏବଂ ଶରୀର ଯୁଗଳ ଅଟନ୍ତି, ସେହିପରି ଆପଣ ବାବାଙ୍କ ସହିତ ଯୁଗଳ ହୋଇ ରୁହନ୍ତୁ ।
ଅବ୍ୟକ୍ତ ଈଶାରା:- ଏକତା
ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ ।
ସଂଗଠନ ଭିତରେ
ପ୍ରତ୍ୟେକଙ୍କର ବିଶେଷତାକୁ ଦେଖିବା, ବିଶେଷତାକୁ ହିଁ ଗ୍ରହଣ କରିବା ଏବଂ ଦୁର୍ବଳତାଗୁଡିକୁ
ସମାପ୍ତ କରିବା ପାଇଁ ଚେଷ୍ଟା କରିବା - ଏହା ହିଁ ହେଉଛି ଏକତାର ସଂଗଠନକୁ ମଜବୁତ କରିବାର ବିଧି ।
ଯେପରି ତୁମ ସମସ୍ତଙ୍କର ଉଠିବା, କଥା କହିବା, ଚାଲିବା ଏକାଭଳି ଅଟେ ବା ସମସ୍ତଙ୍କର ଏକାଭଳି କଥା,
ଏକା ପ୍ରକାରର ଗତି, ଏକମାତ୍ର ରୀତି, ଗୋଟିଏ ହିଁ ନୀତି, ସେହିପରି ତୁମର ସଂସ୍କାର ମଧ୍ୟ ସମାନ
ଦେଖାଯାଉ । ଭିନ୍ନତା ଥିଲେ ମଧ୍ୟ ପରସ୍ପର ପ୍ରତି ବିଶ୍ୱାସ ରଖି ସମସ୍ତଙ୍କର ବିଚାରକୁ ସତ୍କାର
ଦିଅ - ଏହା ହିଁ ହେଉଛି ଏକତାର ଆଧାର ।