07.01.25          Morning Odia Murli         Om Shanti         BapDada       Madhuban


“ମିଠେବଚ୍ଚେ:- ତୁମେମାନେ ନିଜକୁ ସଙ୍ଗମଯୁଗୀ ବ୍ରାହ୍ମଣ ମନେ କର ତେବେ ସତ୍ୟଯୁଗୀ ବୃକ୍ଷ ଦେଖାଯିବ ଏବଂ ଅତ୍ୟନ୍ତ ଖୁସିରେ ରହିବ ।”

ପ୍ରଶ୍ନ:-
ଯେଉଁ ସନ୍ତାନମାନେ ଜ୍ଞାନର ସୈାଖୀନ ଅଟନ୍ତି, ସେମାନଙ୍କର ଲକ୍ଷଣ କ’ଣ ହୋଇଥିବ ?

ଉତ୍ତର:-
ସେମାନେ ପରସ୍ପର ମଧ୍ୟରେ ଜ୍ଞାନର ହିଁ କଥାବର୍ତ୍ତା ହେବେ । କେବେହେଲେ ପରଚିନ୍ତନ କରିବେ ନାହିଁ । ଏକାନ୍ତରେ ବସି ବିଚାର ସାଗର ମନ୍ଥନ କରିବେ ।

ପ୍ରଶ୍ନ:-
ଏହି ସୃଷ୍ଟି ରୂପୀ ଡ଼୍ରାମାର କେଉଁ ରହସ୍ୟକୁ ତୁମେ ପିଲାମାନେ ହିଁ ବୁଝିଛ ?

ଉତ୍ତର:-
କେବଳ ଶିବବାବାଙ୍କ ବ୍ୟତୀତ ଏହି ସୃଷ୍ଟିରେ ଅନ୍ୟ କୌଣସି ଜିନିଷ ସଦାକାଳ ପାଇଁ ସ୍ଥାୟୀ ନୁହେଁ, ପୁରୁଣା ଦୁନିଆର ଆତ୍ମାମାନଙ୍କୁ ନୂଆ ଦୁନିଆକୁ ନେଇଯିବା ପାଇଁ କେହି ତ’ ରହିବା ଦରକାର ନା, ଏହା ମଧ୍ୟ ଡ଼୍ରାମାର ରହସ୍ୟ ଅଟେ, ଯାହାକୁ ତୁମେ ପିଲାମାନେ ହିଁ ବୁଝିଛ ।

ଓମ୍ ଶାନ୍ତି ।
ପୁରୁଷୋତ୍ତମ ସଙ୍ଗମଯୁଗରେ ଆସିଥିବା ବାବା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଏକଥା ତ ପିଲାମାନେ ଜାଣିଛନ୍ତି ଯେ - ଆମେ ବ୍ରାହ୍ମଣ ଅଟୁ । ନିଜକୁ ବ୍ରାହ୍ମଣ ଭାବୁଛ ନା ଏକଥା ମଧ୍ୟ ଭୁଲିଯାଉଛ? ବ୍ରାହ୍ମଣମାନେ ନିଜର କୂଳକୁ କେବେ ବି ଭୁଲନ୍ତି ନାହିଁ । ସେହିପରି ତୁମକୁ ମଧ୍ୟ ନିଶ୍ଚୟ ମନେ ରହିବା ଉଚିତ୍ ଯେ, ଆମେ ବ୍ରାହ୍ମଣ ଅଟୁ । ଗୋଟିଏ କଥା ମନେ ରହିଲେ ମଧ୍ୟ ବେଡା ପାରି ହୋଇଯିବ । ସଙ୍ଗମରେ ତୁମେ ନୂଆ ନୂଆ କଥା ଶୁଣୁଛ, ତେଣୁ ମନରେ ତା’ର ଚିନ୍ତନ ଚାଲିବା ଦରକାର ଯାହାକୁ ବିଚାର ସାଗର ମନ୍ଥନ କୁହାଯାଉଛି । ତୁମେମାନେ ରୂପ-ବସନ୍ତ ଅଟ । ତୁମ ଆତ୍ମାରେ ସମସ୍ତ ଜ୍ଞାନ ଭରପୁର କରାଯାଉଛି, ତେଣୁ ମୁଖରୁ ସବୁବେଳେ ଜ୍ଞାନ ରତ୍ନ ବାହାରିବା ଦରକାର । ନିଜକୁ ସଂଗମଯୁଗୀ ବ୍ରାହ୍ମଣ ଭାବିବା ଉଚିତ୍ । କେହି କେହି ତ ଏହି କଥାକୁ ମଧ୍ୟ ବୁଝୁ ନାହାଁନ୍ତି । ଯଦି ନିଜକୁ ସଂଗମଯୁଗୀ ଭାବିବେ ତେବେ ସତ୍ୟଯୁଗର ଦୃଶ୍ୟ ଦେଖାଯିବ ଏବଂ ଅସରନ୍ତି ଖୁସି ମଧ୍ୟ ରହିବ । ବାବା ଯାହା ବୁଝାଉଛନ୍ତି ତାହା ମନ ଭିତରେ ପୁନରାବୃତ୍ତି ହେବା ଦରକାର । ଆମେ ସଂଗମଯୁଗରେ ଅଛୁ, ଏକଥା ମଧ୍ୟ ତୁମମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଜଣା ନାହିଁ । ସଙ୍ଗମଯୁଗର ପାଠପଢା ପାଇଁ ମଧ୍ୟ ସମୟ ଦରକାର । ନରରୁ ନାରାୟଣ, ନର୍କବାସୀରୁ ସ୍ୱର୍ଗବାସୀ ହେବା ପାଇଁ ଏହା ଏକମାତ୍ର ପାଠପଢା । ଏ କଥା ମନେ ରହିଲେ ମଧ୍ୟ ଖୁସି ରହିବ - ‘ହମ୍ ସୋ’ ଅର୍ଥାତ୍ ଆମେ ହିଁ ଦେବତା ସ୍ୱର୍ଗବାସୀ ହେଉଛୁ । ସଂଗମଯୁଗବାସୀ ହେଲେ ଯାଇ ତ ସ୍ୱର୍ଗବାସୀ ହେବୁ । ଆଗରୁ ନର୍କବାସୀ ଥିଲେ ତେଣୁ ବିଲ୍‌କୁଲ୍ ଖରାପ ଅବସ୍ଥା ଥିଲା, ଖରାପ କାମ କରୁଥିଲେ । ଏବେ ସେ ସବୁ ବନ୍ଦ କରିବାକୁ ହେବ । ମନୁଷ୍ୟରୁ ଦେବତା ସ୍ୱର୍ଗବାସୀ ହେବାକୁ ପଡିବ । କାହାର ସ୍ତ୍ରୀ ମରିଯାଇଥିଲେ, ତାଙ୍କୁ ପଚାର - ତୁମର ଧର୍ମପତ୍ନୀ କେଉଁଠି ଅଛନ୍ତି? କହିବେ ସେ ସ୍ୱର୍ଗବାସୀ ହୋଇଯାଇଛନ୍ତି । କିନ୍ତୁ ସ୍ୱର୍ଗ କେଉଁ ପ୍ରକାର ଜିନିଷ, ତାହା ଜାଣିନାହାଁନ୍ତି । ଯଦି ସ୍ୱର୍ଗବାସୀ ହୋଇଛନ୍ତି, ତେବେ ତ ଖୁସି ହେବା ଦରକାର ନା । ଏବେ ତୁମେ ପିଲାମାନେ ଏହିସବୁ କଥାକୁ ଜାଣୁଛ । ମନ ଭିତରେ ବିଚାର କରିବା ଦରକାର - ଆମେ ଏବେ ସଙ୍ଗମରେ ରହି ପବିତ୍ର ହେଉଛୁ । ସ୍ୱର୍ଗର ସମ୍ପତ୍ତି ବାବାଙ୍କଠାରୁ ନେଉଛୁ । ଏହାକୁ ବାରମ୍ବାର ସ୍ମରଣ କରିବା ଉଚିତ୍‌, ଭୁଲିଯିବା ଅନୁଚିତ୍ । କିନ୍ତୁ ମାୟା ଭୁଲାଇ ଦେଇ ଏକଦମ୍ କଳିଯୁଗୀ କରିଦେଉଛି । ଚାଲିଚଳନ ଏପରି ହେଉଛି, ଯେପରି ଏକଦମ୍ କଳିଯୁଗୀ । ସେହି ଖୁସିର ନିଶା ରହୁନାହିଁ । ଚେହେରା ଯେପରି ମୁର୍ଦାର ପରି ହୋଇଯାଉଛି । ବାବା ମଧ୍ୟ କହୁଛନ୍ତି - ସମସ୍ତେ କାମ ଚିତା ଉପରେ ବସି ଜଳି ହୋଇ ମୁର୍ଦ୍ଦାର ହୋଇଯାଇଛନ୍ତି । ତୁମେ ଜାଣିଛ ଆମେ ମନୁଷ୍ୟରୁ ଦେବତା ହେଉଛୁ, ତେଣୁ ସେହିଭଳି ଖୁସି ରହିବା ଦରକାର । ସେଥିପାଇଁ ଗାୟନ ମଧ୍ୟ ରହିଛି ଅତୀନ୍ଦ୍ରିୟ ସୁଖର ଅନୁଭବ ଗୋପ ଗୋପୀମାନଙ୍କୁ ପଚାର । ତୁମେ ନିଜ ମନକୁ ପଚାର ଆମେ ସେହି ଅନୁଭବରେ ରହୁଛୁ ? ତୁମର ଏହା ଈଶ୍ୱରୀୟ ମିଶନ୍ ଅଟେ ନା, ଈଶ୍ୱରୀୟ ମିଶନ୍ କି କାମ କରୁଛି ? ପ୍ରଥମେ ତ ଶୁଦ୍ରରୁ ବ୍ରାହ୍ମଣ ଓ ପୁଣି ବ୍ରାହ୍ମଣରୁ ଦେବତା କରାଉଛି । ଆମେ ବ୍ରାହ୍ମଣ - ଏକଥା ଭୁଲିଯିବା ଉଚିତ୍ ନୁହେଁ । ସେହି ବ୍ରାହ୍ମଣମାନେ ତୁରନ୍ତ କହିଦେଉଛନ୍ତି - ଆମେ ହେଉଛୁ ବ୍ରାହ୍ମଣ । ସେମାନେ ତ ହେଲେ ଗର୍ଭଜାତ ସନ୍ତାନ । ତୁମେ ହେଉଛ ମୁଖ ବଂଶାବଳୀ । ତେଣୁ ତୁମର ବହୁତ ନିଶା ରହିବା ଦରକାର । ଗାୟନ ମଧ୍ୟ ଅଛି ବ୍ରହ୍ମା ଭୋଜନ... । ତୁମେ କାହାକୁ ବ୍ରହ୍ମା ଭୋଜନ ଖୁଆଇଲେ କେତେ ଖୁସୀ ହୁଅନ୍ତି । ଭାବନ୍ତି ଆମେ ପବିତ୍ର ବ୍ରାହ୍ମଣଙ୍କର ହାତରୁ ଖାଉଛୁ । ସେଥିପାଇଁ ମନ-ବଚନ-କର୍ମ ପବିତ୍ର ହେବା ଦରକାର । କୌଣସି ଅପବିତ୍ର କର୍ତ୍ତବ୍ୟ କରିବା ଉଚିତ୍ ନୁହେଁ । ସମୟ ତ ଲାଗିଥାଏ ନା । ଜନ୍ମରୁ ତ’ କେହି ପବିତ୍ର ହେଉନାହାନ୍ତି । ଗାୟନ ରହିଛି ଯେ ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି, ବାବାଙ୍କର ସନ୍ତାନ ହେଲ ଅର୍ଥାତ୍ ବର୍ସା ମିଳିଗଲା । ଥରେ ମାତ୍ର ଚିହ୍ନି ଗଲେ ଓ କହିଲେ - ଇଏ ହେଉଛନ୍ତି ପ୍ରଜାପିତା ବ୍ରହ୍ମା । ବ୍ରହ୍ମାଙ୍କ ପିତା ଶିବ । ନିଶ୍ଚୟ ଆସିଗଲେ ଉତ୍ତରାଧିକାରୀ ହୋଇଯାଇଥା’ନ୍ତି । ପୁଣି ଯଦି କୌଣସି ଅକର୍ତ୍ତବ୍ୟ କରିଲେ ତେବେ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିବ । ଯେପରି କାଶୀ କଲବଟ ବିଷୟରେ ବୁଝାଯାଇଛି । ଦଣ୍ଡ ପାଇବା ଦ୍ୱାରା ହିସାବ କିତାବ ଚୁକ୍ତ ହୋଇଯାଏ । ମୁକ୍ତି ନିମନ୍ତେ ହିଁ କୂଅକୁ ଡ଼େଉଁଥିଲେ । ଏଠାରେ ତ ସେକଥା ନାହିଁ । ଶିବବାବା ପିଲାମାନଙ୍କୁ କହୁଛନ୍ତି - ମାମେକମ୍ ୟାଦ କରୋ ଅର୍ଥାତ୍ କେବଳ ମୋତେ ମନେ ପକାଅ । କେତେ ସହଜ । ତଥାପି ମଧ୍ୟ ମାୟାର ଚକ୍ର ଆସିଯାଉଛି । ତୁମର ଏହି ଯୁଦ୍ଧ ସବୁଠାରୁ ଅଧିକ ସମୟ ଚାଲୁଛି । ବାହୁବଳର ଯୁଦ୍ଧ ଏତେ ସମୟ ଚାଲେ ନାହିଁ । ତୁମେ ତ ଯେବେଠାରୁ ଆସିଛ, ଯୁଦ୍ଧ ଆରମ୍ଭ ହୋଇଛି । ପୁରୁଣାମାନଙ୍କ ସହିତ କେତେ ଯୁଦ୍ଧ ଚାଲୁଛି, ନୂଆ ଯିଏ ଆସିବେ ତାଙ୍କ ସହିତ ମଧ୍ୟ ଚାଲିବ । ସେହି ସ୍ଥୂଳ ଲଢେଇରେ ମଧ୍ୟ ମରିଥା’ନ୍ତି ପୁଣି ଅନ୍ୟମାନେ ଆସି ମିଶିଥା’ନ୍ତି । ଏଠାରେ ମଧ୍ୟ ମରିଯାଇଥା’ନ୍ତି ପୁଣି ବୃଦ୍ଧି ମଧ୍ୟ ହୋଇଥାଏ । ବୃକ୍ଷ ନିଶ୍ଚୟ ବଡ଼ ହେବ । ବାବା ମିଠା ମିଠା ସନ୍ତାନମାନଙ୍କୁ ବୁଝାଉଛନ୍ତି - ଏ କଥା ମନେ ରହିବା ଉଚିତ୍ ଯେ, ସେ ପିତା, ପରମ ଶିକ୍ଷକ ଏବଂ ସତ୍‌ଗୁରୁ ମଧ୍ୟ ଅଟନ୍ତି । କୃଷ୍ଣଙ୍କୁ ତ ସତ୍‌ଗୁରୁ, ବାପା କିମ୍ବା ଶିକ୍ଷକ କୁହାଯିବ ନାହିଁ ।

ତୁମକୁ ସମସ୍ତଙ୍କର କଲ୍ୟାଣ କରିବାର ସଉକ ରହିବା ଦରକାର । ମହାରଥୀ ସନ୍ତାନମାନେ ସେବାରେ ରହିଥା’ନ୍ତି । ସେମାନଙ୍କୁ ବହୁତ ଖୁସି ରହିଥାଏ । ଯେଉଁଠୁ ନିମନ୍ତ୍ରଣ ମିଳିଥାଏ ଦୌଡ଼ିଥା’ନ୍ତି । ପ୍ରଦର୍ଶନୀ ସେବା କମିଟୀରେ ମଧ୍ୟ ଭଲ ଭଲ ସନ୍ତାନ ବଛାଯାଇଥା’ନ୍ତି । ସେମାନଙ୍କୁ ନିର୍ଦ୍ଦେଶ ମିଳିଥାଏ, ସେବା କରୁଥିଲେ କୁହାଯିବ ଏମାନେ ଈଶ୍ୱରୀୟ ମିଶନର ଭଲ ସନ୍ତାନ ଅଟନ୍ତି । ବାବା ମଧ୍ୟ ଖୁସି ହୁଅନ୍ତି ଯେ ଇଏ ତ ବହୁତ ଭଲ ସେବା କରୁଛନ୍ତି । ନିଜ ମନକୁ ପଚାରିବା ଦରକାର - ଆମେ ସେବା କରୁଛୁ? କହୁଛନ୍ତି ଅନ୍ ଗଡ୍ ଫାଦରଲୀ ସର୍ଭିସ୍ (ଈଶ୍ୱର ପିତାଙ୍କ ସେବାରେ) । ତେବେ ଈଶ୍ୱର ପିତାଙ୍କର ସେବା କ’ଣ? ବାସ୍‌, ସମସ୍ତଙ୍କୁ ଏହି ସନ୍ଦେଶ ଦିଅ - ମନ୍‌ମନାଭବ । ଆଦି-ମଧ୍ୟ-ଅନ୍ତର ଜ୍ଞାନ ତ ବୁଦ୍ଧିରେ ଅଛି । ତୁମର ନାମ ହିଁ ହେଉଛି - ସ୍ୱଦର୍ଶନ ଚକ୍ରଧାରୀ । ତେଣୁ ସେହି ଚିନ୍ତନ ରହିବା ଦରକାର । ସ୍ୱଦର୍ଶନ ଚକ୍ର ଅଟକି ନ ଥାଏ । ତୁମେ ଚୈତନ୍ୟ ଲାଇଟ୍ ହାଉସ୍ ଅର୍ଥାତ୍ ବତୀଘର ଅଟ । ତୁମର ବହୁତ ମହିମା ଗାନ କରାଯାଉଛି । ବେହଦ ବାବାଙ୍କର ଗାୟନକୁ ମଧ୍ୟ ତୁମେମାନେ ଜାଣିଛ । ସେ ଜ୍ଞାନର ସାଗର ପତିତ ପାବନ, ଗୀତାର ଭଗବାନ ଅଟନ୍ତି । ସେ ହିଁ ଜ୍ଞାନ ଏବଂ ଯୋଗବଳ ଦ୍ୱାରା ଏହି କାର୍ଯ୍ୟ କରାଉଛନ୍ତି, ଏଥିରେ ଯୋଗବଳର ବହୁତ ପ୍ରଭାବ ରହିଛି । ଭାରତର ପ୍ରାଚୀନ ଯୋଗ ବହୁତ ପ୍ରସିଦ୍ଧ । ତାହା ତୁମେ ଏବେ ଶିଖୁଛ । ସନ୍ନ୍ୟାସୀମାନେ ତ ହଠଯୋଗୀ ଅଟନ୍ତି । ସେମାନେ ପତିତମାନଙ୍କୁ ପାବନ କରିପାରିବେ ନାହିଁ । ଜ୍ଞାନ ତ ଏକମାତ୍ର ବାବାଙ୍କ ପାଖରେ ହିଁ ଅଛି । ଜ୍ଞାନ ଦ୍ୱାରା ତୁମେମାନେ ଜନ୍ମ ନେଉଛ । ଗୀତାକୁ ମା-ବାପା ବୋଲି କୁହାଯାଏ, ଗୀତା ମାତା ପିତା ଅଟେ ନା । ତୁମେମାନେ ଶିବବାବାଙ୍କର ସନ୍ତାନ ପୁଣି ମାତା ପିତା ଦରକାର ନା । ମନୁଷ୍ୟମାନେ ତ କେବଳ ଗାୟନ କରୁଛନ୍ତି କିନ୍ତୁ କିଛି ବୁଝି ନାହାଁନ୍ତି । ବାବା ବୁଝାଉଛନ୍ତି - ଏହାର ଅର୍ଥ କେତେ ଗୁହ୍ୟ ଅଟେ । ଈଶ୍ୱର ପିତା କୁହାଯାଉଛି, ପୁଣି ମାତାପିତା କାହିଁକି କୁହାଯାଉଛି? ବାବା ବୁଝାଇଛନ୍ତି - ଯଦିଓ ସରସ୍ୱତୀ ଅଛନ୍ତି କିନ୍ତୁ ବାସ୍ତବରେ ସତ୍ୟ ମାତା ତ ବ୍ରହ୍ମପୁତ୍ରା ଅର୍ଥାତ୍ ବ୍ରହ୍ମାବାବା ଅଟନ୍ତି । ସାଗର ଏବଂ ବ୍ରହ୍ମପୁତ୍ରା (ବ୍ରହ୍ମପୁତ୍ର ନଦୀ ବ୍ରହ୍ମାଙ୍କର ପ୍ରତୀକ ଅଟେ) ଅଛନ୍ତି, ପ୍ରଥମେ ପ୍ରଥମେ ସେହି ଦୁହିଁଙ୍କର ସଙ୍ଗମ ହେଉଛି । ବାବା ୟାଙ୍କ ଭିତରେ ପ୍ରବେଶ କରୁଛନ୍ତି । ଏହା କେତେ ସୂକ୍ଷ୍ମ କଥା ଅଟେ । ବହୁତଙ୍କ ବୁଦ୍ଧିରେ ଏ କଥା ରହୁ ନାହିଁ ଯାହାକି ଚିନ୍ତନ କରିବେ । ବିଲ୍‌କୁଲ୍ ସ୍ୱଳ୍ପ ବୁଦ୍ଧି ସଂପନ୍ନ ଅଟନ୍ତି, ସେମାନେ କମ୍ ପଦ ପାଇବେ । ତାଙ୍କ ନିମନ୍ତେ ବାବା ପୁନର୍ବାର କହୁଛନ୍ତି - ନିଜକୁ ଆତ୍ମା ଭାବ । ଏହା ତ ସହଜ ଅଟେ ନା । ଆମ ଆତ୍ମାମାନଙ୍କର ପିତା ହେଉଛନ୍ତି ପରମାତ୍ମା । ସେ ତୁମ ଆତ୍ମାମାନଙ୍କୁ କହୁଛନ୍ତି କେବଳ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ । ଏହା ହେଉଛି ମୁଖ୍ୟ କଥା । ସ୍ୱଳ୍ପ ବୁଦ୍ଧିବାନ ଆତ୍ମା ଗହନ କଥା ବୁଝିପାରିବେ ନାହିଁ, ସେଥିପାଇଁ ଗୀତାରେ ମଧ୍ୟ ଅଛି - ମନ୍‌ମନାଭବ । ସମସ୍ତେ ଲେଖୁଛନ୍ତି ବାବା, ଯୋଗର ଯାତ୍ରା ବହୁତ କଷ୍ଟସାଧ୍ୟ । ବାରମ୍ବାର ଭୁଲିଯାଉଛୁ । କୌଣସି ନା କୌଣସି ବିଷୟରେ ହାରିଯାଉଛୁ । ଏହା ମାୟା ଏବଂ ଈଶ୍ୱରଙ୍କ ସନ୍ତାନ ମଧ୍ୟରେ ବକ୍‌ସିଙ୍ଗ୍ ଅଟେ । କିନ୍ତୁ ଏ ବିଷୟରେ କାହାକୁ ମଧ୍ୟ ଜଣା ନାହିଁ । ବାବା ବୁଝାଉଛନ୍ତି - ମାୟା ଉପରେ ବିଜୟ ପ୍ରାପ୍ତ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ । ପ୍ରଥମେ ପ୍ରଥମେ ତୁମେ ଆସିଛ କର୍ମ ସମ୍ବନ୍ଧରେ । ସେହିଥିରେ ଆସି ଆସି ପୁଣି ଅଧାକଳ୍ପ ପରେ ତୁମେ କର୍ମ ବନ୍ଧନରେ ଆସିଯାଇଛ । ପ୍ରଥମେ ପ୍ରଥମେ ତୁମେ ପବିତ୍ର ଆତ୍ମା ଥିଲ । ନା ସୁଖର ନା ଦୁଃଖର କର୍ମବନ୍ଧନ ଥିଲା । ପୁଣି ସୁଖର ସମ୍ବନ୍ଧରେ ଆସିଲ । ଏ କଥା ମଧ୍ୟ ଏବେ ତୁମେମାନେ ଜାଣୁଛ - ଆମେ ସମ୍ବନ୍ଧରେ ଥିଲୁ, ଏବେ ଦୁଃଖର ବନ୍ଧନରେ ଅଛୁ ପୁଣି ନିଶ୍ଚୟ ସୁଖରେ ରହିବୁ । ଯେତେବେଳେ ଦୁନିଆ ନୂଆ ଥିଲା ସେତେବେଳେ ମାଲିକ ଥିଲୁ, ଏବେ ପୁରୁଣା ଦୁନିଆରେ ପତିତ ହୋଇଯାଇଛୁ । ପୁଣି ଆମେ ଦେବତା ହେଉଛୁ । ତେଣୁ ଏକଥା ମନେ ପକାଇବାକୁ ପଡିବ ନା । ବାବା କହୁଛନ୍ତି - ମୋତେ ମନେ ପକାଇଲେ ତୁମର ପାପ କଟିଯିବ, ତୁମେ ମୋ ଘରକୁ ଆସିଯିବ । ଭାୟା ଶାନ୍ତିଧାମ ସୁଖଧାମକୁ ଆସିବ । ପ୍ରଥମେ ଘରକୁ ଯିବାକୁ ପଡିବ । ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ପବିତ୍ର ହେବ, ମୁଁ ପତିତପାବନ ତୁମକୁ ପବିତ୍ର କରୁଛି - ଘରକୁ ଆସିବା ପାଇଁ । ଏହିପରି ନିଜ ସହିତ କଥା ହେବାକୁ ପଡିବ । ନିଶ୍ଚିତ ଏବେ ଚକ୍ର ପୂରା ହେଉଛି, ଆମେ ଏତେ ଜନ୍ମ ନେଇଛୁ । ଏବେ ବାବା ପତିତରୁ ପବିତ୍ର କରିବା ପାଇଁ ଆସିଛନ୍ତି । ଏହି ଯୋଗବଳ ଦ୍ୱାରା ହିଁ ପବିତ୍ର ହେବା ଏବଂ ଏହା ବହୁତ ନାମୀଗ୍ରାମୀ ଅଟେ, ଯାହାକୁ କେବଳ ବାବା ହିଁ ଶିଖାଇପାରିବେ ।ଏଥିରେ ଶରୀର ଦ୍ୱାରା କିଛି କରିବାର ଆବଶ୍ୟକତା ନାହିଁ । ତେଣୁ ସାରା ଦିନ ଏହି କଥାର ମନ୍ଥନ ଚାଲିବା ଦରକାର । ଏକାନ୍ତରେ ଯେଉଁଠି ବସ ଅଥବା ଯେଉଁଠାକୁ ବି ଯାଅ, ବୁଦ୍ଧିରେ ଏହା ହିଁ ରହୁ । ଏକାନ୍ତ ସ୍ଥାନ ତ ବହୁତ ରହିଛି, ଛାତ ଉପରେ ମଧ୍ୟ ଡରିବାର କୌଣସି କଥା ନାହିଁ । ଆଗରୁ ତୁମେ ସକାଳୁ ମୁରଲୀ ଶୁଣିବା ପରେ ପାହାଡ ଉପରକୁ ଯାଉଥିଲ । ଯାହା ଶୁଣିଥାଅ ତା’ର ଚିନ୍ତନ କରିବା ପାଇଁ ପାହାଡ ଉପରେ ଯାଇ ବସୁଥିଲ । ଯେଉଁମାନେ ଜ୍ଞାନର ସୌଖିନ ହୋଇଥିବେ, ସେମାନେ ତ ପରସ୍ପର ମଧ୍ୟରେ ଜ୍ଞାନର କଥା ହିଁ ହେବେ । ଜ୍ଞାନ ନ ଥିଲେ ପରଚିନ୍ତନ କରିବେ । ପ୍ରଦର୍ଶନୀରେ ତୁମେ କେତେ ଜଣଙ୍କୁ ଏହି ରାସ୍ତା ବତାଉଛ । ଭାବୁଛ ଆମର ଧର୍ମ ବହୁତ ସୁଖଦାୟୀ ଅଟେ । ଅନ୍ୟ ଧର୍ମାବଲମ୍ବୀମାନଙ୍କୁ କେବଳ ଏତିକି ବୁଝାଇବାକୁ ହେବ ଯେ, ବାବାଙ୍କୁ ମନେ ପକାଅ । ଏ କଥା ଭାବିବାର ନାହିଁ ଯେ ଇଏ ମୁସଲ୍‌ମାନ, ମୁଁ ଅମୁକ । ନା । ଆତ୍ମାକୁ ଦେଖି ବୁଝାଇବାକୁ ହେବ । ପ୍ରଦର୍ଶନୀରେ ବୁଝାଇବା ସମୟରେ ମଧ୍ୟ ଏହି ଅଭ୍ୟାସ ରହୁ - ମୁଁ ଆତ୍ମା ଭାଇକୁ ବୁଝାଉଛି । ଏବେ ଆମକୁ ବାବାଙ୍କଠାରୁ ବର୍ସା ମିଳୁଛି । ନିଜକୁ ଆତ୍ମା ଭାବି ଭାଇମାନଙ୍କୁ ଜ୍ଞାନ ଦେଉଛି - ଏବେ ବାବାଙ୍କ ପାଖକୁ ଚାଲ, ବହୁତ ସମୟରୁ ଅଲଗା ହୋଇଯାଇଛ । ତାହା ହେଉଛି ଶାନ୍ତିଧାମ, ଏଠାରେ କେତେ ଅଶାନ୍ତି ଦୁଃଖ ଆଦି ରହିଛି । ଏବେ ବାବା କହୁଛନ୍ତି ନିଜକୁ ଆତ୍ମା ଭାବିବାର ଅଭ୍ୟାସ କର ତେବେ ନାମ, ରୂପ, ଦେହ ସବୁ ଭୁଲି ହୋଇଯିବ । ଅମୁକ ମୁସଲ୍‌ମାନ୍ ଅଟେ, ଏପରି କାହିଁକି ଭାବୁଛ? ଆତ୍ମା ଭାବି ବୁଝାଅ । ବୁଝିପାରୁଛନ୍ତି - ଇଏ ଭଲ ଆତ୍ମା ନା ଖରାପ ଆତ୍ମା । ଏ କଥା ଆତ୍ମା ନିମନ୍ତେ ହିଁ କୁହାଯାଉଛି - ଖରାପ ଆତ୍ମାଠାରୁ ଦୂରରେ ରହିବା ଉଚିତ୍ । ଏବେ ତୁମେ ବେହଦ ବାବାଙ୍କର ସନ୍ତାନ ଅଟ । ଏଠାରେ ବହୁତ ଦିନ ଅଭିନୟ କଲେ, ଏବେ ପୁଣି ଘରକୁ ଯିବାକୁ ହେବ, ତେଣୁ ପବିତ୍ର ହେବାକୁ ପଡିବ । ବାବାଙ୍କୁ ନିଶ୍ଚୟ ମନେ ପକାଇବାକୁ ହେବ । ପବିତ୍ର ହେଲେ ପବିତ୍ର ଦୁନିଆର ମାଲିକ ହେବ । ମୁଖ ଦ୍ୱାରା ପ୍ରତିଜ୍ଞା କରିବାକୁ ପଡିଥାଏ । ବାବା ମଧ୍ୟ କହୁଛନ୍ତି ପ୍ରତିଜ୍ଞା କର । ବାବା ଉପାୟ ମଧ୍ୟ ବତାଉଛନ୍ତି ଯେ ତୁମେ ଆତ୍ମା ଭାଇ ଭାଇ ଅଟ । ପୁଣି ଶରୀରରେ ଆସିଲେ ଭାଇ ଭଉଣୀ ହେଉଛ । ଭାଇ ଭଉଣୀ ଭିତରେ ବିକାରୀ ସମ୍ବନ୍ଧ ରହିପାରିବ ନାହିଁ । ପବିତ୍ର ହୋଇ ତୁମେ ବାବାଙ୍କୁ ମନେ ପକାଇଲେ ବିଶ୍ୱର ମାଲିକ ହୋଇଯିବ । ଏ କଥା ମଧ୍ୟ ବୁଝାଯାଉଛି - ମାୟାଠାରୁ ହାରିଗଲେ, ପୁଣି ଉଠି ଛିଡା ହୋଇଯାଅ । ଯେତେ ଛିଡା ହେବ ସେତେ ପ୍ରାପ୍ତି କରିପାରିବ । କ୍ଷତି ଏବଂ ଜମା ତ ହୋଇଥାଏ ନା । ଅଧାକଳ୍ପ ଜମା ପୁଣି ରାବଣ ରାଜ୍ୟରେ କ୍ଷତି ହୋଇଥାଏ । ହିସାବ ରହିଛି ନା । ଜିତିବା ଅର୍ଥାତ୍ ଜମା, ହାରିବା ଅର୍ଥାତ୍ କ୍ଷତି । ତେଣୁ ନିଜର ସମ୍ପୂର୍ଣ୍ଣ ଯାଞ୍ଚ କରିବା ଦରକାର । ବାବାଙ୍କୁ ମନେ ପକାଇବା ଦ୍ୱାରା ତୁମକୁ ଖୁସି ମିଳିବ । ସେମାନେ ତ କେବଳ ଗାୟନ କରିଥା’ନ୍ତି, କିନ୍ତୁ ଜ୍ଞାନ କିଛି ହେଲେ ନାହିଁ । ଅଜ୍ଞାନତାରେ ସବୁ କଛି କରୁଛନ୍ତି । ତୁମେମାନେ ତ ପୂଜା ଆଦି କରୁନାହଁ । ବାକି ଗାୟନ ତ କରିବ ନା । ସେହି ଏକମାତ୍ର ବାବାଙ୍କର ଗାୟନ ହେଉଛି ଅବ୍ୟଭିଚାରୀ ଗାୟନ । ବାବା ଆସି ତୁମକୁ ସ୍ୱତଃ ପଢାଉଛନ୍ତି । ତୁମର କୌଣସି ପ୍ରଶ୍ନ ପଚାରିବାର ଆବଶ୍ୟକତା ନାହିଁ । ଚକ୍ର ସ୍ମୃତିରେ ରହିବା ଦରକାର । ବୁଝିବା ଦରକାର ଯେ - କିପରି ଆମେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛୁ, ପୁଣି ହାରିଯାଉଛୁ । ବାବା ବୁଝାଉଛନ୍ତି ହାରିବା ଦ୍ୱାରା ଶହେଗୁଣା ଦଣ୍ଡ ଭୋଗ କରିବାକୁ ପଡିବ । ବାବା କହୁଛନ୍ତି - ସତ୍‌ଗୁରୁଙ୍କର ନିନ୍ଦା କରାଅ ନାହିଁ, ନଚେତ୍ କେଉଁଠି ରହିପାରିବ ନାହିଁ । ଏହା ସତ୍ୟ ନାରାୟଣଙ୍କ କଥା ଅଟେ, ଏହାକୁ କେହି ଜାଣିନାହାଁନ୍ତି । ଗୀତା ଏବଂ ସତ୍ୟ ନାରାୟଣଙ୍କ କଥାକୁ ଅଲଗା ଅଲଗା କରିଦେଇଛନ୍ତି । ନରରୁ ନାରାୟଣ ହେବା ପାଇଁ ହିଁ ଏହି ଗୀତା ଉଦ୍ଦିଷ୍ଟ ।

ବାବା କହୁଛନ୍ତି - ମୁଁ ତୁମକୁ ନରରୁ ନାରାୟଣ ହେବାର କଥା ଶୁଣାଉଛି । ଏହାକୁ ଗୀତା ମଧ୍ୟ କୁହାଯାଉଛି ତା ସହିତ ଅମର କଥା ମଧ୍ୟ କୁହାଯାଉଛି । ତୃତୀୟ ନେତ୍ର ବାବା ହିଁ ଦେଉଛନ୍ତି । ଏ କଥା ମଧ୍ୟ ଜାଣିଛ ଆମେ ଦେବତା ହେଉଛୁ, ତେଣୁ ନିଶ୍ଚିତ ଦିବ୍ୟଗୁଣ ମଧ୍ୟ ରହିବା ଦରକାର । ଏହି ସୃଷ୍ଟିରେ କୌଣସି ଜିନିଷ ସ୍ଥାୟୀ ନୁହେଁ । ସଦା ସ୍ଥାୟୀ ତ ଏକମାତ୍ର ଶିବବାବା ହିଁ ଅଟନ୍ତି, ବାକି ତ ସମସ୍ତଙ୍କୁ ତଳକୁ ଖସିବାକୁ ହିଁ ହେବ । ପରନ୍ତୁ ସେ ମଧ୍ୟ ସମସ୍ତଙ୍କୁ ଘରକୁ ଫେରାଇ ନେଇଯିବା ପାଇଁ ସଙ୍ଗମରେ ଆସିଥା’ନ୍ତି । ପୁରୁଣା ଦୁନିଆର ଆତ୍ମାମାନଙ୍କୁ ନୂଆ ଦୁନିଆକୁ ନେବା ପାଇଁ କେହି ଜଣେ ତ ଦରକାର ନା । ତେଣୁ ଡ୍ରାମାରେ ଏହି ସବୁ ରହସ୍ୟ ରହିଛି । ବାବା ଆସି ପବିତ୍ର କରୁଛନ୍ତି, କୌଣସି ଦେହଧାରୀକୁ ଭଗବାନ କୁହାଯାଇପାରିବ ନାହିଁ । ବର୍ତ୍ତମାନ ବାବା ବୁଝାଉଛନ୍ତି, ଆତ୍ମାର ଡେଣା କଟି ଯାଇଛି, ତେଣୁ ଉଡିପାରୁ ନାହିଁ । ବାବା ଆସି ଜ୍ଞାନ ଏବଂ ଯୋଗର ଡେଣା ଦେଉଛନ୍ତି । ଯୋଗବଳ ଦ୍ୱାରା ତୁମର ପାପ ଭସ୍ମ ହୋଇଯିବ, ତୁମେ ପୁଣ୍ୟ ଆତ୍ମା ହୋଇଯିବ । ପ୍ରଥମେ ପ୍ରଥମେ ତ ମେହନତ ମଧ୍ୟ କରିବାକୁ ହେବ । ସେଥିପାଇଁ ବାବା କହୁଛନ୍ତି - ମାମେକମ୍ ୟାଦ କର, ଚାର୍ଟ ରଖ । ଯାହାଙ୍କର ଚାର୍ଟ ଭଲ ହୋଇଥିବ, ସେମାନେ ଚାର୍ଟ ଲେଖିବେ ଏବଂ ତାଙ୍କୁ ଖୁସୀ ମଧ୍ୟ ଲାଗିବ । ବର୍ତ୍ତମାନ ସମସ୍ତେ ପରିଶ୍ରମ କରୁଛନ୍ତି, ଚାର୍ଟ ଲେଖୁ ନାହାଁନ୍ତି, ତେଣୁ ଯୋଗର ଶକ୍ତି ଜମା ହେଉ ନାହିଁ । ଚାର୍ଟ ଲେଖିବାରେ ବହୁତ ଫାଇଦା ରହିଛି । ଚାର୍ଟ ସହିତ ଜ୍ଞାନର ପଏଣ୍ଟ ମଧ୍ୟ ଲେଖିବା ଦରକାର । ଚାର୍ଟରେ ତ ଉଭୟ ଲେଖିବା ଦରକାର - କେତେ ସେବା କରିଲେ ଏବଂ କେତେ ବାବାଙ୍କୁ ମନେ ପକାଇଲେ? ଏପରି ପୁରୁଷାର୍ଥ କରିବା ଉଚିତ୍ ଯେପରି ଅନ୍ତିମ ସମୟରେ କୌଣସି କଥା ମନେ ନ ପଡୁ । ନିଜକୁ ଆତ୍ମା ଭାବି ପୁଣ୍ୟ ଆତ୍ମା ହୋଇଯାଉ - ଏହି ମେହନତ କରିବାକୁ ହେବ ।

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକାନ୍ତରେ ବସି ଜ୍ଞାନର ଚିନ୍ତନ-ମନ୍ଥନ କରିବାକୁ ହେବ । ଯୋଗର ଯାତ୍ରାରେ ରହି, ମାୟା ଉପରେ ବିଜୟ ପ୍ରାପ୍ତ କରି କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ହେବ ।

(୨) କାହାକୁ ବି ଜ୍ଞାନ ଶୁଣାଇବା ସମୟରେ ବୁଦ୍ଧିରେ ରହୁ ଯେ, ମୁଁ ଆତ୍ମା ଭାଇକୁ ଜ୍ଞାନ ଶୁଣାଉଛି । ନିଜର ନାମ, ରୂପ, ଦେହ ସବୁ କିଛି ଭୁଲି ହୋଇଯାଉ । ପବିତ୍ର ହେବାର ପ୍ରତିଜ୍ଞା କରି, ନିଜେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ ହେବାକୁ ପଡିବ ।

ବରଦାନ:-
ନିଜ ପ୍ରତି ଇଚ୍ଛା ମାତ୍ରର ଅବିଦ୍ୟା ହୋଇ ବାବାଙ୍କ ସମାନ ଅଖଣ୍ଡଦାନୀ ପରୋପକାରୀ ହୁଅ ।

ବ୍ରହ୍ମାବାବା ଯେପରି ନିଜର ଆରାମ କରିବାର ସମୟକୁ ମଧ୍ୟ ସେବାରେ ଲଗାଉଥିଲେ, ନିଜେ ନିର୍ମାନ ଅର୍ଥାତ୍ ନିରହଂକାରୀ ହୋଇ ପିଲାମାନଙ୍କ ସମ୍ମାନ ଦେଉଥିଲେ । ସବୁ କାର୍ଯ୍ୟ କରୁଥିଲେ ମଧ୍ୟ ସୁନାମ ପ୍ରାପ୍ତ କରିବାର ଇଚ୍ଛାକୁ ମଧ୍ୟ ତ୍ୟାଗ କରିଥିଲେ । ନାମ, ମାନ, ସ୍ୱାଭିମାନ ସବୁଥିରେ ପରୋପକାରୀ ହୋଇଥିଲେ, ନିଜର ନାମ ପ୍ରାପ୍ତିକୁ ତ୍ୟାଗ କରି ଅନ୍ୟମାନଙ୍କର ନାମ ବିଖ୍ୟାତ କରାଇଥିଲେ, ନିଜକୁ ସର୍ବଦା ସେବାଧାରୀ କରି ରଖିଥିଲେ, ପିଲାମାନଙ୍କୁ ମାଲିକ କରିଥିଲେ । ପିଲାମାନଙ୍କର ସୁଖରେ ନିଜର ସୁଖ ମନେ କରୁଥିଲେ । ଏହିଭଳି ବାବାଙ୍କ ସମାନ ଇଚ୍ଛା ମାତ୍ରର ଅବିଦ୍ୟା ଅର୍ଥାତ୍ ମସ୍ତ ଫକୀର ହୋଇ ଅଖଣ୍ଡଦାନୀ ପରୋପକାରୀ ହୁଅ ତେବେ ଯାଇ ବିଶ୍ୱ କଲ୍ୟାଣ କାର୍ଯ୍ୟରେ ତୀବ୍ରଗତି ଆସିବ । ସବୁ ପ୍ରକାରର ସମସ୍ୟା ତଥା ଝଗଡା ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ଜ୍ଞାନ, ଗୁଣ ଏବଂ ଧାରଣାରେ ସିନ୍ଧୁ ହୁଅ, ସ୍ମୃତିରେ ବିନ୍ଦୁ ହୁଅ ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର

(୭) ଏବେ ତୁମେ ପିଲାମାନେ ନିଜର ଶ୍ରେଷ୍ଠ ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସକାଶ ଦିଅ, ଦୁର୍ବଳ ଆତ୍ମାମାନଙ୍କୁ ବଳ ଦିଅ । ନିଜର ପୁରୁଷାର୍ଥର ସମୟ ଅନ୍ୟମାନଙ୍କୁ ସହଯୋଗ ଦେବାରେ ଲଗାଅ । ଅନ୍ୟମାନଙ୍କୁ ସହଯୋଗ ଦେବା ଅର୍ଥାତ୍ ନିଜର ଖାତା ଜମା କରିବା । ଏବେ ଏହିଭଳି ବାତାବରଣ ସୃଷ୍ଟିକର, ଯାହାକି ଆମକୁ କୌଣସି ପ୍ରକାରର ସହଯୋଗ ନେବାର ନାହିଁ କିନ୍ତୁ ଦେବାର ଅଛି । ତେବେ ଦେବା ଭିତରେ ହିଁ ନେବା ଅନ୍ତର୍ନିହିତ ହୋଇ ରହିଛି ।