07.02.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଚାଲିବା ବୁଲିବା ସମୟରେ ମଧ୍ୟ ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ ।
ଜ୍ଞାନ ଏବଂ ଯୋଗ ଏହି ଦୁଇଟି ହିଁ ମୁଖ୍ୟ ଜିନିଷ, ଯୋଗ ଅର୍ଥାତ୍ ମନେ ପକାଇବା ।”
ପ୍ରଶ୍ନ:-
ବୁଦ୍ଧିମାନ
ପିଲାମାନଙ୍କ ମୁଖରୁ କେଉଁ ଶବ୍ଦ ବାହାରି ନ ଥାଏ?
ଉତ୍ତର:-
ମୋତେ ଯୋଗ ଶିଖାଅ, ଏହି କଥା ବୁଦ୍ଧିମାନ ପିଲାମାନେ କହିବେ ନାହିଁ । ନିଜର ପିତାଙ୍କୁ ମନେ
ପକାଇବାକୁ କ’ଣ ଶିଖିବାକୁ ପଡେ କି! ଏହି ପାଠଶାଳା, ପାଠ ପଢିବା ଓ ପଢାଇବା ପାଇଁ ହିଁ ଉଦ୍ଦିଷ୍ଟ
। ଏପରି ନୁହେଁ ଯେ ଯୋଗ କରିବା ପାଇଁ ବିଶେଷ ଭାବରେ ବସିବାକୁ ପଡିବ । ତୁମମାନଙ୍କୁ ତ କର୍ମଧନ୍ଦା
କରିବା ସମୟରେ ମଧ୍ୟ ବାବାଙ୍କୁ ୟାଦ କରିବାର ଅଭ୍ୟାସ କରିବାକୁ ହେବ ।
ଓମ୍ ଶାନ୍ତି ।
ଏବେ ଆତ୍ମିକ
ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ସନ୍ତାନମାନେ ଜାଣିଛନ୍ତି ଆତ୍ମିକ ପିତା
ବ୍ରହ୍ମାବାବାଙ୍କର ଏହି ରଥ ଦ୍ୱାରା ଆମକୁ ବୁଝାଉଛନ୍ତି । ତୁମେମାନେ ବାବାଙ୍କର ସନ୍ତାନ ହୋଇଛ
ତେବେ ବାବାଙ୍କୁ ଅଥବା କୌଣସି ଭଉଣୀ କିମ୍ବା ଭାଇଙ୍କୁ ଯଦି କହିବ ଯେ ମୋତେ ବାବାଙ୍କୁ କିପରି ମନେ
ପକାଇବାକୁ ହେବ ଶିଖାଅ, ଏପରି କହିବା ଶୋଭା ପାଉନାହିଁ । ତୁମେ କୌଣସି ଛୋଟ ପିଲା ତ ନୁହଁ ନା ।
ଏକଥା ତ ଜାଣିଛ ଯେ ଆତ୍ମା ହେଉଛି ମୁଖ୍ୟ । ତାହା ତ ଅବିନାଶୀ ଅଟେ । ଶରୀର ବିନାଶୀ । ତେଣୁ
ମୁଖ୍ୟ ଆତ୍ମା ହେଲା ନା । ଆମେ ଆତ୍ମା ଅଟୁ, ଶରୀର ଦ୍ୱାରା କଥା କହୁଛୁ ଅଜ୍ଞାନ କାଳରେ ଏହି
ଜ୍ଞାନ କାହା ପାଖରେ ନ ଥାଏ । ଦେହ-ଅଭିମାନର ବଶୀଭୂତ ହୋଇ କୁହନ୍ତି ମୁଁ ଏହା କରୁଛି । ଏବେ ତୁମେ
ଦେହୀ ଅଭିମାନୀ ହୋଇଛ । ଆତ୍ମା କହୁଛି ଏହି ଶରୀର ଦ୍ୱାରା ବହୁତ କର୍ମ କରୁଛି, ଆତ୍ମା ପୁରୁଷ ଅଟେ,
ଏ କଥା ଜାଣିଛ । ବାବା ବୁଝାଉଛନ୍ତି - ଶୁଣିବାକୁ ମିଳୁଛି ଅନେକ ପିଲାମାନେ କହୁଛନ୍ତି ଯେ, ଆମକୁ
ଯୋଗରେ ବସାଅ । ଯୋଗ ସମୟରେ ଏହି ସଂକଳ୍ପରେ ସମ୍ମୁଖରେ ଜଣେ ବସିଥା’ନ୍ତି ଯେ, ମୁଁ ମଧ୍ୟ
ଯୋଗଯୁକ୍ତ ହୋଇ ବସିବି ଏବଂ ଏମାନେ ମଧ୍ୟ ବସନ୍ତୁ । ତେବେ ପାଠଶାଳା ତ ଏଥିପାଇଁ ହୋଇନାହିଁ ।
ପାଠଶାଳା ତ ପାଠପଢା ପାଇଁ ହୋଇଛି ବାକି ଏପରି ନୁହେଁ ଯେ, କେବଳ ଏଠାରେ ବସିବା ସମୟରେ ବାବାଙ୍କୁ
ମନେ ପକାଇବାକୁ ହେବ । ବାବା ତ ବୁଝାଇଛନ୍ତି ଚାଲିବା-ବୁଲିବା, ଉଠିବା-ବସିବା ସମୟରେ ମଧ୍ୟ
ବାବାଙ୍କୁ ମନେ ପକାଅ, ଏଥିପାଇଁ ସ୍ୱତନ୍ତ୍ର ରୂପେ ବସିବାର ମଧ୍ୟ ଆବଶ୍ୟକତା ନାହିଁ । ଯେପରି କେହି
କେହି କୁହନ୍ତି ରାମ-ରାମ କୁହ, କ’ଣ ମୁଖରେ ରାମ-ରାମ ଉଚ୍ଚାରଣ କରିବା ବିନା ସ୍ମରଣ କରିପାରିବ
ନାହିଁ? ସ୍ମରଣ ତ ଚାଲିବା ବୁଲିବା ଭିତରେ ମଧ୍ୟ କରିପାରିବ । ତୁମମାନଙ୍କୁ ତ କର୍ମ କରିବା ସମୟରେ
ମଧ୍ୟ ବାବାଙ୍କୁ ମନେ ପକାଇବାକୁ ହେବ । ପ୍ରେମିକ ପ୍ରେମିକା କେବେ ସ୍ୱତନ୍ତ୍ର ରୂପେ ବସି
ପରସ୍ପରକୁ ମନେ ପକାନ୍ତି ନାହିଁ । କାମକାର୍ଯ୍ୟ ଧନ୍ଦା ଆଦି ସବୁ କରିବାକୁ ହେବ, ସବୁ କିଛି କରି
ନିଜର ପ୍ରେମିକଙ୍କୁ ମନେ ପକାଇ ଚାଲ । ଏପରି ନୁହେଁ ଯେ, ତାଙ୍କୁ ମନେ ପକାଇବା ନିମନ୍ତେ
ସ୍ୱତନ୍ତ୍ର ରୂପେ କେଉଁଠି ଯାଇ ବସିବାକୁ ପଡିବ ।
ତୁମେ ପିଲାମାନେ ଗୀତ
ଅଥବା କବିତା ଆଦି ଶୁଣାଉଛ, ତେବେ ବାବା କହୁଛନ୍ତି ଏସବୁ ଭକ୍ତିମାର୍ଗର କଥା ଅଟେ । ଗାୟନ
କରୁଛନ୍ତି ହେ ଶାନ୍ତି ଦେବା, ସେଥିପାଇଁ ତ ପରମାତ୍ମାଙ୍କୁ ହିଁ ମନେ ପକାଉଛନ୍ତି, କୃଷ୍ଣଙ୍କୁ
ନୁହେଁ । ଡ୍ରାମା ଅନୁସାରେ ଆତ୍ମା ଅଶାନ୍ତ ହୋଇଯାଇଛି ତେଣୁ ବାବାଙ୍କୁ ଡାକୁଛି କାହିଁକି ନା ସେ
ଶାନ୍ତି, ସୁଖ, ଜ୍ଞାନର ସାଗର ଅଟନ୍ତି । ଜ୍ଞାନ ଏବଂ ଯୋଗ ଏହି ଦୁଇଟି ମୁଖ୍ୟ କଥା ଅଟେ । ଯୋଗ
ଅର୍ଥାତ୍ ବାବାଙ୍କୁ ମନେ ପକାଇବା । ସେମାନଙ୍କର ହଠଯୋଗ ବିଲ୍କୁ୍ଲ ହିଁ ଅଲଗା ଅଟେ । ତୁମର
ରାଜଯୋଗ । ଏଥିରେ କେବଳ ବାବାଙ୍କୁ ମନେ ପକାଇବାକୁ ହେବ । ବାବାଙ୍କ ଦ୍ୱାରା ତୁମେମାନେ ବାବାଙ୍କୁ
ଜାଣିଲ ଏବଂ ବାବାଙ୍କୁ ଜାଣିବା ଦ୍ୱାରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତକୁ ମଧ୍ୟ ଜାଣିଗଲ । ତୁମେ
ସବୁଠାରୁ ବେଶୀ ଖୁସି ହେଉଛ ଯେ, ଆମକୁ ଭଗବାନ ପାଠ ପଢାଉଛନ୍ତି । ପ୍ରଥମେ-ପ୍ରଥମେ ଭଗବାନଙ୍କର
ମଧ୍ୟ ପୂରା ପରିଚୟ ଜାଣିବା ଦରକାର । ଏ କଥା ତ କେବେ ଜାଣି ନ ଥିଲ ଯେ, ଆତ୍ମା ତାରକା ସଦୃଶ ଅଟେ,
ଭଗବାନ ମଧ୍ୟ ତାରକା ସଦୃଶ ଅଟନ୍ତି । ସେ ମଧ୍ୟ ଆତ୍ମା ଅଟନ୍ତି, କିନ୍ତୁ ତାଙ୍କୁ ପରମଆତ୍ମା,
ସୁପ୍ରିମସୋଲ୍ କୁହାଯାଉଛି । ସେ କେବେ ପୁନର୍ଜନ୍ମ ନିଅନ୍ତି ନାହିଁ । ଏପରି ନୁହେଁ ଯେ ସେ ମଧ୍ୟ
ଜନ୍ମ ମରଣରେ ଆସୁଛନ୍ତି । ନାଁ, ସେ ପୁନର୍ଜନ୍ମ ନେଉନାହାଁନ୍ତି । ନିଜେ ଆସି ବୁଝାଉଛନ୍ତି, ଯେ
ମୁଁ କିପରି ଆସୁଛି? ଭାରତରେ ହିଁ ତ୍ରିମୂର୍ତ୍ତିର ଗାୟନ ରହିଛି । ତ୍ରିମୂର୍ତ୍ତି
ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ଚିତ୍ର ମଧ୍ୟ ଦେଖାଉଛନ୍ତି । ଶିବ ପରମାତ୍ମାୟେ ନମଃ କହୁଛନ୍ତି ନା
। ସେହି ସର୍ବୋଚ୍ଚ ପିତାଙ୍କୁ ଭୁଲିଯାଇଛନ୍ତି, କେବଳ ତ୍ରିମୂର୍ତ୍ତିଙ୍କର ଚିତ୍ର ତିଆରି କରି
ଦେଇଛନ୍ତି । ଉପରେ ତ ଶିବ ନିଶ୍ଚିତ ରହିବା ଦରକାର । ଯାହାଦ୍ୱାରା ବୁଝିପାରିବେ ଯେ ଏମାନଙ୍କର
ରଚୟିତା ଶିବ ଅଟନ୍ତି । ରଚନାଠାରୁ କେବେ ବର୍ସା ମିଳିପାରିବ ନାହିଁ । ତୁମେମାନେ ଜାଣିଛ
ବ୍ରହ୍ମାଙ୍କଠାରୁ କିଛି ବି ବର୍ସା ମିଳୁନାହିଁ । ବିଷ୍ଣୁଙ୍କର ତ ହୀରା ନୀଳାର ମୁକୁଟ ଅଛି ନା ।
ଶିବବାବାଙ୍କ ଦ୍ୱାରା ପାଇ ପଇସାରୁ ପାଉଣ୍ଡ ଅର୍ଥାତ୍ ମୂଲ୍ୟହୀନରୁ ମୂଲ୍ୟବାନ ହୋଇଛନ୍ତି ।
ଶିବଙ୍କ ଚିତ୍ର ନ ଥିବାରୁ ସବୁ ଖଣ୍ଡନ ହୋଇଯାଉଛି । ସର୍ବୋଚ୍ଚ ହେଲେ ପରମପିତା ପରମାତ୍ମା,
ତାଙ୍କର ଏହା ରଚନା ଅଟେ । ଏବେ ତୁମମାନଙ୍କୁ ୨୧ ଜନ୍ମ ପାଇଁ ବାବାଙ୍କଠାରୁ ସ୍ୱର୍ଗର ବର୍ସା
ମିଳୁଛି । ଯଦିଓ ସେଠାରେ ମଧ୍ୟ ବୁଝିବେ ଯେ ଲୌକିକ ପିତାଙ୍କଠାରୁ ଏହି ବର୍ସା ମିଳୁଛି । କିନ୍ତୁ
ସେଠାରେ ଜାଣିପାରିବେ ନାହିଁ ଯେ ଏହା ବେହଦ ବାବାଙ୍କଠାରୁ ପାଇଥିବା ପ୍ରାଲବ୍ଧ ଅଟେ । ଏ କଥା ଏବେ
ତୁମେମାନେ ଜାଣୁଛ । ବର୍ତ୍ତମାନର ରୋଜଗାର ସେଠାରେ ୨୧ ଜନ୍ମ ପର୍ଯ୍ୟନ୍ତ ଭୋଗ କରିବ । ସେଠାରେ ଏହି
ପ୍ରାଲବ୍ଧ ବିଷୟରେ କିଛି ଜାଣିପାରିବେ ନାହିଁ । ସେଠାରେ ଏହି ଜ୍ଞାନକୁ ମଧ୍ୟ ବିଲ୍କୁଲ୍ କେହି
ଜାଣିପାରିବେ ନାହିଁ । ଏହି ଜ୍ଞାନ ନା ଦେବତାମାନଙ୍କ ପାଖରେ, ନାଁ ଶୁଦ୍ରମାନଙ୍କ ପାଖରେ ଥାଏ ।
ଏହି ଜ୍ଞାନ କେବଳ ବ୍ରାହ୍ମଣମାନଙ୍କ ପାଖରେ ହିଁ ଅଛି । ଏହା ହେଉଛି ଆତ୍ମିକ ଜ୍ଞାନ ।
ଆଧ୍ୟାତ୍ମିକତାର ଅର୍ଥ ମଧ୍ୟ ଜାଣିନାହାଁନ୍ତି । ଡକ୍ଟର ଅଫ୍ ଫିଲୋସୋଫି କହିଥା’ନ୍ତି, କିନ୍ତୁ
ଡକ୍ଟର ଅଫ୍ ସ୍ପିରିଚୁଆଲ୍ ନଲେଜ ଏକମାତ୍ର ବାବା ହିଁ ଅଟନ୍ତି । ବାବାଙ୍କୁ ସର୍ଜନ (ଡାକ୍ତର)
ମଧ୍ୟ କୁହାଯାଇଥାଏ ନା । ସାଧୁ ସନ୍ନ୍ୟାସୀ ଆଦି ସର୍ଜନ ନୁହଁନ୍ତି । ଯେଉଁମାନେ ବେଦଶାସ୍ତ୍ର ଆଦି
ପଢୁଛନ୍ତି ତାଙ୍କୁ କ’ଣ ଡକ୍ଟର କୁହାଯିବ । ଯଦିଓ ଉପାଧି ମଧ୍ୟ ଦେଉଛନ୍ତି କିନ୍ତୁ ବାସ୍ତବରେ
ରୁହାନୀ ସର୍ଜନ (ଡାକ୍ତର) ଏକମାତ୍ର ବାବା ଅଟନ୍ତି, ଯିଏ ଆତ୍ମାମାନଙ୍କୁ, ଇଞ୍ଜେକ୍ସନ୍
ଲଗାଉଛନ୍ତି । ତାହା ହେଉଛି ଭକ୍ତି । ସେମାନଙ୍କୁ ଡକ୍ଟର ଅଫ୍ ଭକ୍ତି କହିବା ଦରକାର କାରଣ ସେମାନେ
ଭକ୍ତି ଅଥବା ଶାସ୍ତ୍ରର ଜ୍ଞାନ ଦେଉଛନ୍ତି । ତାହା ଦ୍ୱାରା କିଛି ଫାଇଦା ହେଉନାହିଁ, ଆହୁରି
ଅଧୋଗତି ହେଉଛି । ତେଣୁ ତାଙ୍କୁ ଡାକ୍ତର କିପରି କୁହାଯିବ? ଡାକ୍ତର ତ ଲାଭ କରାଇଥାଆନ୍ତି ଅର୍ଥାତ୍
ରକ୍ଷା କରିଥା’ନ୍ତି ନା । ଏହି ବାବା ତ ଅବିନାଶୀ ଜ୍ଞାନର ସର୍ଜନ । ତାଙ୍କ ଦ୍ୱାରା ପ୍ରାପ୍ତ
ଯୋଗବଳ ଦ୍ୱାରା ତୁମେମାନେ ସଦା ସୁସ୍ଥ ହୋଇଯାଉଛ । ଏ କଥା ତ କେବଳ ତୁମେ ପିଲାମାନେ ହିଁ ଜାଣିଛ ।
ବାହାର ଲୋକେ କ’ଣ କିପରି ଜାଣିବେ । ସେଥିପାଇଁ ବାବାଙ୍କୁ ଅବିନାଶୀ ସର୍ଜନ କୁହାଯାଉଛି ।
ଆତ୍ମାମାନଙ୍କ ଭିତରେ ଯେଉଁ ବିକାରର ଖାଦ ପଡିଛି, ତାକୁ ବାହାର କରିବା, ପତିତରୁ ପବିତ୍ର କରି ସଦ୍ଗତି
ଦେବା - ଏହି ଶକ୍ତି କେବଳ ବାବାଙ୍କ ପାଖରେ ହିଁ ଅଛି । ଏକମାତ୍ର ବାବା ହିଁ ସର୍ବଶକ୍ତିମାନ
ପତିତ-ପାବନ ଅଟନ୍ତି । କୌଣସି ମନୁଷ୍ୟକୁ ସର୍ବଶକ୍ତିମାନ କୁହାଯାଇପାରିବ ନାହିଁ । ତେଣୁ ବାବା
କେଉଁ ଶକ୍ତି ଦେଖାଉଛନ୍ତି? ସମସ୍ତଙ୍କୁ ନିଜର ଶକ୍ତି ଦ୍ୱାରା ସଦ୍ଗତି କରୁଛନ୍ତି । ସେଥିପାଇଁ
ତାଙ୍କୁ ଆଧ୍ୟାତ୍ମିକ ଜ୍ଞାନର ଡାକ୍ତର ବୋଲି କୁହାଯିବ । ଡକ୍ଟର ଅଫ୍ ଫିଲୋସୋଫି - ଏପରି ତ ଅନେକ
ମନୁଷ୍ୟ ଅଛନ୍ତି । କିନ୍ତୁ ବାବା ହିଁ ଜଣେ ଯିଏ ଆଧ୍ୟାତ୍ମିକ ଡାକ୍ତର ଅଟନ୍ତି । ତେଣୁ
ବର୍ତ୍ତମାନ ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଇ ପବିତ୍ର ହୁଅ । ମୁଁ ଆସିଛି
ହିଁ କେବଳ ପବିତ୍ର ଦୁନିଆର ସ୍ଥାପନା କରିବା ପାଇଁ, ପୁଣି ତୁମେମାନେ ପତିତ କାହିଁକି ହେଉଛ?
ପବିତ୍ର ହୁଅ, ଆଉ ପତିତ ହୁଅ ନାହିଁ । ସବୁ ଆତ୍ମାମାନଙ୍କୁ ବାବା ନିର୍ଦ୍ଦେଶ ଦେଉଛନ୍ତି -
ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରୁହ । ବାଳ ବ୍ରହ୍ମଚାରୀ ହୁଅ ତେବେ ପବିତ୍ର
ଦୁନିଆର ମାଲିକ ହୋଇଯିବ । ଏତେ ଜନ୍ମ ହେବ ଯେଉଁ ପାପ କରି ଆସିଛ, ବର୍ତ୍ତମାନ ମୋତେ ମନେ ପକାଇଲେ
ହିଁ ସେହି ପାପ ଭସ୍ମ ହୋଇଯିବ । ବ୍ରହ୍ମଲୋକରେ ପବିତ୍ର ଆତ୍ମାମାନେ ହିଁ ରହିଥା’ନ୍ତି । କୌଣସି
ପତିତ ମନୁଷ୍ୟ ସେଠାକୁ ଯାଇପାରିବେ ନାହିଁ । କେବଳ ବୁଦ୍ଧିରେ ଏକଥା ମନେ ରଖିବାକୁ ହିଁ ହେବ -
ବାବା ଆମ ଆତ୍ମାମାନଙ୍କୁ ରାଜଯୋଗର ପାଠ ପଢାଉଛନ୍ତି । ଛାତ୍ରମାନେ କ’ଣ ଏପରି କହିବେ ଯେ, ଆମକୁ
ଶିକ୍ଷକଙ୍କୁ ମନେ ପକାଇବା ଶିଖାଅ । ଯୋଗ ଶିଖାଇବାର କ’ଣ ଆବଶ୍ୟକତା ରହିଛି । ଏଠାରେ ସନ୍ଦେଲୀରେ
କେହି ନ ବସିଲେ ମଧ୍ୟ ଅସୁବିଧା ନାହିଁ । ତୁମକୁ ତ ନିଜର ପିତାଙ୍କୁ ମନେ ପକାଇବାକୁ ହେବ । ତୁମେ
ସାରା ଦିନ କାମଧନ୍ଦାରେ ରହୁଛ ତେଣୁ ଭୁଲିଯାଉଛ, ସେଥିପାଇଁ ଏଠାରେ ବସାଯାଉଛି । କିଛି ନହେଲେ
୧୦-୧୫ ମିନିଟ୍ ମଧ୍ୟ ସ୍ମରଣ କର । ତୁମ ପିଲାମାନଙ୍କୁ କାମକାର୍ଯ୍ୟ କରି ମଧ୍ୟ ଯୋଗଯୁକ୍ତ ହୋଇ
ରହିବାର ଅଭ୍ୟାସ କରିବାକୁ ହେବ । ଅଧାକଳ୍ପ ପରେ ଏହି ପ୍ରେମିକ ମିଳିଛନ୍ତି । ବର୍ତ୍ତମାନ
କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ଆତ୍ମାରୁ ଖାଦ ବାହାରିଯିବ ଏବଂ ତୁମେ ବିଶ୍ୱର ମାଲିକ
ହୋଇଯିବ । ତେଣୁ ତାଙ୍କୁ ମନେ ପକାଇବା ଦରକାର ନା । ହାତରେ ଯେତେବେଳେ ହାତଗଣ୍ଠି ବାନ୍ଧନ୍ତି
ସେତେବେଳେ ତାଙ୍କୁ କହନ୍ତି ଯେ, ପତି ତୁମର ଗୁରୁ ଈଶ୍ୱର ସବୁ କିଛି ଅଟନ୍ତି । କିନ୍ତୁ ସେ ତ ପୁଣି,
ମିତ୍ର, ସମ୍ବନ୍ଧୀ, ଗୁରୁ ଆଦି ବହୁତଙ୍କୁ ମନେ ପକାଇଥାଏ । ତାହା ତ ଦେହଧାରୀମାନଙ୍କର ସ୍ମୃତି
ହୋଇଗଲା । ଇଏ ତ ପତିମାନଙ୍କର ପତି ବିଦେହୀ ଅଟନ୍ତି । ତେଣୁ ତାଙ୍କୁ ସ୍ମରଣ ନିଶ୍ଚିତ କରିବାକୁ
ହେବ । କେହି କେହି କହୁଛନ୍ତି ଆମକୁ ନିଷ୍ଠାରେ ବସାଅ । କିନ୍ତୁ ଏହା ଦ୍ୱାରା କ’ଣ ହେବ । ୧୦
ମିନିଟ୍ ଯଦି ଏଠାରେ ବସୁଛନ୍ତି ତେବେ ବି ଭାବ ନାହିଁ ଯେ, କେହି ଏକରସ ହୋଇ ବସୁଛନ୍ତି ।
ଭକ୍ତିମାର୍ଗରେ ମଧ୍ୟ କାହାର ପୂଜା କରିବା ପାଇଁ ବସିଲେ ବୁଦ୍ଧି ବହୁତ ଏଣେ ତେଣେ ଭ୍ରମିତ ହୋଇଥାଏ
। ଯେଉଁମାନେ ନୌଧା ଭକ୍ତି କରନ୍ତି ତାଙ୍କୁ ଏହି ନିଶା ଲାଗିଯାଏ ଯେ, ଆମକୁ ସାକ୍ଷାତ୍କାର
ହୋଇଯାଉ । ସେହି ଆଶା ନେଇ ବସନ୍ତି । ଜଣଙ୍କର ସ୍ମୃତିରେ ତଲ୍ଲୀନ ହୋଇଯାଆନ୍ତି । ତେବେ ଯାଇ
ସାକ୍ଷାତ୍କାର ହୋଇଥାଏ । ତାକୁ ନୌଧା ଭକ୍ତି ବୋଲି କୁହାଯାଇଥାଏ । ସେମାନେ ଭକ୍ତି ଏପରି କରନ୍ତି
ଯେପରି ପ୍ରେମିକ-ପ୍ରେମିକା ଅଟନ୍ତି । ଖାଇବା ପିଇବା ସମୟରେ ମଧ୍ୟ ବୁଦ୍ଧିରେ ମନେ ରହିଥାଏ ।
ତାଙ୍କ ପାଖରେ ବିକାରର କଥା ନ ଥାଏ କିନ୍ତୁ ଶରୀର ପ୍ରତି ସ୍ନେହ ହୋଇଯାଏ । ପରସ୍ପରକୁ ଦେଖିବା
ବିନା ରହିପାରନ୍ତି ନାହିଁ ।
ଏବେ ତୁମ ପିଲାମାନଙ୍କୁ
ବାବା ବୁଝାଉଛନ୍ତି, କେବଳ - ମୋତେ ମନେପକାଇବା ଦ୍ୱାରା ତୁମର ବିକର୍ମ ବିନାଶ ହେବ । କିପରି ତୁମେ
୮୪ ଜନ୍ମ ନେଇଛ । ବୀଜକୁ ମନେ ପକାଇଲେ ସାରା ବୃକ୍ଷ ମନେ ପଡିଯାଉଛି । ଏହା ଭିନ୍ନ ଭିନ୍ନ ଧର୍ମର
ବୃକ୍ଷ ଅଟେ ନା । ଏକଥା କେବଳ ତୁମ ବୁଦ୍ଧିରେ ହିଁ ଅଛି ଯେ ଭାରତ ଗୋଲ୍ଡେନ୍ ଏଜ୍ ଅର୍ଥାତ୍
ସ୍ୱର୍ଣ୍ଣିମ ଦୁନିଆ ଥିଲା, ଏବେ ଆଇରନ୍ ଏଜ୍ ଅର୍ଥାତ୍ ଲୌହ ଦୁନିଆ ହୋଇଗଲାଣି । ଏହି ଇଂରାଜୀ
ଅକ୍ଷର ବହୁତ ଭଲ ଅଟେ, ଏହାର ଅର୍ଥ ମଧ୍ୟ ଯଥାର୍ଥ ଅଟେ । ପ୍ରଥମେ ଆତ୍ମା ଖାଣ୍ଟି ସୁନା ଭଳି
ହୋଇଥାଏ, ପରେ ସେଥିରେ ଖାଦ ପଡିଯାଇଥାଏ । ଏବେ ବିଲ୍କୁଲ୍ ଭେଜାଲ୍ ହୋଇଗଲାଣି । ଏହାକୁ ଲୌହଯୁ୍ଗ
ବୋଲି କୁହାଯାଉଛି । ଆତ୍ମାମାନେ ଆଇରନ୍ ଏଜ୍ଡ ହେବା ଦ୍ୱାରା ଅଳଙ୍କାର ଅର୍ଥାତ୍ ଶରୀର ମଧ୍ୟ
ସେହିପରି ହୋଇଗଲାଣି । ଏବେ ବାବା କହୁଛନ୍ତି - ମୁଁ ପତିତ-ପାବନ ଅଟେ, ତେଣୁ ମୋତେ ହିଁ ମନେ ପକାଅ
। ତୁମେମାନେ ମୋତେ ଡାକୁଛ ଯେ ହେ ପତିତ-ପାବନ ଆସ । ମୁଁ କଳ୍ପ-କଳ୍ପ ଆସି ତୁମକୁ ଏହି ଉପାୟ
ବତାଉଛି । ମନମନାଭବ, ମଧ୍ୟାଜୀଭବ ଅର୍ଥାତ୍ ସ୍ୱର୍ଗର ମାଲିକ ହୁଅ । କେହି କେହି କହୁଛନ୍ତି ଆମକୁ
ଯୋଗରେ ବହୁତ ମଜା ଲାଗୁଛି, ଜ୍ଞାନରେ ଏତେ ମଜା ନାହିଁ । ବାସ୍, ଯୋଗ କରି ପଳାଇବେ । ଯୋଗ ହିଁ
ଭଲ ଲାଗୁଛି, କହୁଛନ୍ତି ଆମକୁ ଶାନ୍ତି ଦରକାର । ଆଚ୍ଛା, ବାବାଙ୍କୁ ତ ଯେଉଁଠି ବସିଲେ ମଧ୍ୟ ୟାଦ
କରିପାରିବ । ଯୋଗ କରି-କରି ତୁମେ ଶାନ୍ତିଧାମକୁ ଚାଲିଯିବ । ଏଥିରେ ଯୋଗ ଶିଖାଇବାର କୌଣସି କଥା
ନାହିଁ । ବାବାଙ୍କୁ କେବଳ ମନେ ପକାଇବାକୁ ହେବ । ଏପରି ବହୁତ ଅଛନ୍ତି ଯିଏକି ସେଣ୍ଟରକୁ ଯାଇ
ଅଧଘଣ୍ଟା କିମ୍ବା ୪୫ ମିନିଟ୍ ବସିଥା’ନ୍ତି, କହନ୍ତି ଆମକୁ ନିଷ୍ଠାରେ ବସାଅ ଅଥବା କହିବେ ବାବା
ନିଷ୍ଠା କରାଇବା ପାଇଁ ପ୍ରୋଗ୍ରାମ ଦେଇଛନ୍ତି । ଏଠାରେ ବାବା କହୁଛନ୍ତି ଚଲାବୁଲା କରିବା ସମୟରେ
ମନେ ପକାଅ । ଚଲାବୁଲା ସମୟରେ ମନେ ପକାଇ ନ ପାରିବା ଠାରୁ ବସି ବସି ମନେ ପକାଇବା ଭଲ । ବାବା ମନା
କରୁନାହାଁନ୍ତି, ବରଂ ସାରା ରାତି ବସ, କିନ୍ତୁ ଏପରି ଅଭ୍ୟାସ କରିବା ଉଚିତ୍ ନୁହେଁ ଯେ, ବାସ୍
ରାତିରେ ହିଁ ଯୋଗ କରିବୁ । କାମଧନ୍ଦା ଭିତରେ ମଧ୍ୟ ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରିବାକୁ
ହେବ । ଏଥିରେ ବହୁତ ମେହନତ କରିବାକୁ ହେବ । କିନ୍ତୁ ବୁଦ୍ଧି ବାରମ୍ବାର ଅନ୍ୟ ଆଡକୁ ଚାଲିଯାଏ ।
ଭକ୍ତିମାର୍ଗରେ ମଧ୍ୟ ବୁଦ୍ଧି ଅନ୍ୟ ଆଡକୁ ପଳାଇ ଗଲେ ପୁଣି ନିଜକୁ ଚିମୁଟି ଦେଇଥାନ୍ତି । ଯିଏ
ପ୍ରକୃତ ଭକ୍ତ ସେହିମାନଙ୍କର କଥା କୁହାଯାଉଛି । ତେଣୁ ଏଠାରେ ମଧ୍ୟ ସେହିପରି ନିଜେ-ନିଜ ସହିତ କଥା
ହେବା ଉଚିତ୍ । ବାବାଙ୍କୁ କାହିଁକି ମନେ ପକାଉ ନାହଁ? ସ୍ମରଣ ନ କଲେ ବିଶ୍ୱର ମାଲିକ କିପରି ହେବ?
ପ୍ରେମିକ-ପ୍ରେମିକା ତ ନାମ-ରୂପରେ ଛନ୍ଦି ହୋଇ ରହିଥା’ନ୍ତି । ଏଠାରେ ତ ତୁମେ ନିଜକୁ ଆତ୍ମା ଭାବି
ବାବାଙ୍କୁ ମନେ ପକାଉଛ । ମୁଁ ଆତ୍ମା ଏହି ଶରୀରରୁ ଅଲଗା ଅଟେ । ଶରୀରରେ ଆସିଲେ କର୍ମ କରିବାକୁ
ପଡୁଛି । ଅନେକ ଏପରି ମଧ୍ୟ ଅଛନ୍ତି ଯେଉଁମାନେ କହୁଛନ୍ତି ଆମେ ସାକ୍ଷାତ୍କାର କରିବୁ । ସାକ୍ଷାତ୍କାର
କ’ଣ କରିବୁ । ସେ ତ ବିନ୍ଦୁ ଅଟନ୍ତି ନା । ଆଚ୍ଛା, କେହି କେହି କହୁଛନ୍ତି କୃଷ୍ଣଙ୍କର ସାକ୍ଷାତ୍କାର
କରିବୁ । କୃଷ୍ଣଙ୍କ ଚିତ୍ର ମଧ୍ୟ ଅଛି ନା । ଏବେ ଯାହା ଜଡ ରୂପରେ ଅଛି, ତାହା ପୁଣି ଚୈତନ୍ୟରେ
ମଧ୍ୟ ଦେଖିବ ଏହାଦ୍ୱାରା ଲାଭ କ’ଣ ହେଲା? ସାକ୍ଷାତ୍କାର ଦ୍ୱାରା କିଛି ଫାଇଦା ମିଳିବ ନାହିଁ ।
ତୁମେ ବାବାଙ୍କୁ ମନେ ପକାଅ ତେବେ ଆତ୍ମା ପବିତ୍ର ହୋଇଯିବ । ନାରାୟଣଙ୍କର ସାକ୍ଷାତ୍କାର ହେଲେ
କ’ଣ କେହି ନାରାୟଣ ହୋଇଯିବେ କି?
ତୁମେମାନେ ଜାଣିଛ ଆମର
ଲକ୍ଷ୍ୟ ହେଲା - ଲକ୍ଷ୍ମୀ-ନାରାୟଣ ହେବା କିନ୍ତୁ ପାଠପଢା ବିନା ହୋଇପାରିବ ନାହିଁ । ପ୍ରଥମେ
ପାଠପଢି ହୁସିଆର ହୁଅ, ପ୍ରଜା ମଧ୍ୟ ତିଆରି କର ତେବେ ଲକ୍ଷ୍ମୀ-ନାରାୟଣ ହୋଇପାରିବ । ଏଥିରେ ବହୁତ
ପରିଶ୍ରମ କରିବାକୁ ପଡିବ । ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଯାହା ଫଳରେ
ଧର୍ମରାଜଙ୍କର ଦଣ୍ଡ ମିଳିବ ନାହିଁ । ଏହି ମୁରବୀ ସନ୍ତାନ ମଧ୍ୟ ସାଥିରେ ଅଛନ୍ତି, ଇଏ (ବ୍ରହ୍ମାବାବା)
ମଧ୍ୟ କହୁଛନ୍ତି ତୁମେମାନେ ମୋ ଠାରୁ ମଧ୍ୟ ଆଗକୁ ଯାଇପାରିବ । ଏହି ବାବାଙ୍କ ଉପରେ ତ କେତେ
ଦାୟିତ୍ୱ ରହିଛି । ସାରା ଦିନ ତାଙ୍କୁ କେତେ ଚିନ୍ତା କରିବାକୁ ପଡୁଛି । ତୁମମାନଙ୍କ ଭଳି ମୁଁ ଏତେ
ଯୋଗ କରିପାରିବି ନାହିଁ । ଭୋଜନ ସମୟରେ ଅଳ୍ପ ସମୟ ସ୍ମୃତିରେ ରହେ ପୁଣି ଭୁଲିଯାଏ । ଭାବୁଛି ଯେ
ବାବା ଏବଂ ମୁଁ ଉଭୟ ଭ୍ରମଣ କରୁଛୁ । ଭ୍ରମଣ କରିବା ସମୟରେ ମଧ୍ୟ ବାବାଙ୍କୁ ଭୁଲିଯାଉଛି । ବାବା
ବହୁତ ସୂକ୍ଷ୍ମ ହୋଇଥିବାରୁ ବୁଦ୍ଧିରୁ ଖସିଯାଉଛନ୍ତି । ବାରମ୍ବାର ଭୁଲି ହୋଇଯାଇଥାଏ । ଏଥିରେ
ବହୁତ ମେହନତ କରିବାକୁ ହେବ । କେବଳ ଏହି ଯୋଗବଳ ଦ୍ୱାରା ହିଁ ଆତ୍ମା ପବିତ୍ର ହୋଇଥାଏ । ଅନେକଙ୍କୁ
ପଢାଇଲେ ଉଚ୍ଚପଦ ପାଇବ । ଯେଉଁମାନେ ଭଲ ରୂପେ ବୁଝୁଛନ୍ତି ସେ ଭଲ ପଦ ପାଇବେ । ପ୍ରଦର୍ଶନୀରେ କେତେ
ପ୍ରଜା ତିଆରି ହେଉଛନ୍ତି । ତୁମେମାନେ ଜଣେ-ଜଣେ ଯଦି ଲକ୍ଷ-ଲକ୍ଷଙ୍କର ସେବା କରିବ, ସେଥିପାଇଁ
ନିଜର ସେହିପରି ସ୍ଥିତି ମଧ୍ୟ ହେବା ଦରକାର । କର୍ମାତୀତ ଅବସ୍ଥା ହୋଇଯିବ ପୁଣି ଶରୀରର ସ୍ମୃତି
ରହିବ ନାହିଁ । ଭବିଷ୍ୟତରେ ତୁମେମାନେ ବୁଝିପାରିବ ଯେ ଲଢେଇ ଜୋରରେ ହେବ, ପୁଣି ଢେର ତୁମ ପାଖକୁ
ଆସିବେ । ତୁମମାନଙ୍କର ମହିମା ବଢି ଚାଲିବ । ଅନ୍ତିମ ସମୟରେ ସନ୍ନ୍ୟାସୀମାନେ ମଧ୍ୟ ଆସିବେ,
ବାବାଙ୍କୁ ମନେ ପକାଇବାରେ ଲାଗିପଡିବେ । ମୁକ୍ତିଧାମ ଯିବା ପାଇଁ ହିଁ ତାଙ୍କର ପାର୍ଟ ରହିଛି ।
ଜ୍ଞାନ ତ ନେବେ ନାହିଁ । ତୁମମାନଙ୍କର ସନ୍ଦେଶ ସବୁ ଆତ୍ମାମାନଙ୍କ ପାଖରେ ଯାଇ ପହଞ୍ଚିବ,
ଖବରକାଗଜ ମାଧ୍ୟମରେ ଅନେକ ଶୁଣିବେ । କେତେ ଗାଁ ରହିଛି, ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ ।
ତୁମେମାନେ ହିଁ ମ୍ୟାସେଞ୍ଜର ପୈଗମ୍ବର ଅଟ । ପତିତରୁ ପବିତ୍ର ଏକମାତ୍ର ବାବାଙ୍କ ବିନା କେହି
କରିପାରିବେ ନାହିଁ । ଏପରି ନୁହେଁ ଯେ, ଧର୍ମସ୍ଥାପକମାନେ କାହାକୁ ପବିତ୍ର କରିଦେବେ । ତାଙ୍କର
ଧର୍ମ ବୃଦ୍ଧି ହୋଇଚାଲିବ, କିନ୍ତୁ ସେମାନେ ଘରକୁ ଯିବା ପାଇଁ ରାସ୍ତା କିପରି ବତାଇବେ? କେବଳ ବାବା
ହିଁ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ତୁମକୁ ଏବେ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଅନେକ
ଅଛନ୍ତି ଯେଉଁମାନେ ପବିତ୍ର ରହୁ ନାହାଁନ୍ତି । କାମ ମହାଶତ୍ରୁ ଅଟେ ନା । ଭଲ-ଭଲ ପିଲାମାନେ ମଧ୍ୟ
ପତିତ ହୋଇଯାଉଛନ୍ତି, କୁଦୃଷ୍ଟି ମଧ୍ୟ କାମର ହିଁ ଅଂଶ ଅଟେ, ଏହା ବହୁତ ଶୈତାନ ଅଟେ । ବାବା
କହୁଛନ୍ତି ଏହା ଉପରେ ବିଜୟ ପ୍ରାପ୍ତ କଲେ ତୁମେମାନେ ଜଗତଜିତ୍ ହୋଇଯିବ । ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କାମଧନ୍ଦା
ଭିତରେ ମଧ୍ୟ ଯୋଗଯୁକ୍ତ ହୋଇ ରହିବାର ଅଭ୍ୟାସ କରିବାକୁ ହେବ । ବାବାଙ୍କ ସାଥିରେ ଯିବା ପାଇଁ ଅଥବା
ପବିତ୍ର ନୂଆ ଦୁନିଆର ମାଲିକ ହେବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ ।
(୨) ଉଚ୍ଚପଦ ପାଇବାକୁ
ହେଲେ ଅନେକଙ୍କର ସେବା କରିବାକୁ ହେବ । ବହୁତଙ୍କୁ ପାଠ ପଢାଇବାକୁ ପଡିବ । ସନ୍ଦେଶ ବାହକ ହୋଇ ଏହି
ସନ୍ଦେଶ ସମସ୍ତଙ୍କ ପାଖକୁ ପହଞ୍ଚାଇବାକୁ ହେବ ।
ବରଦାନ:-
ସ୍ନେହ ରୂପକ
କୋଳରେ ଆନ୍ତରିକ ସୁଖର ଅନୁଭବ କରୁଥିବା ଯଥାର୍ଥ ପୁରୁଷାର୍ଥୀ ହୁଅ ।
ଯେଉଁମାନେ ଯଥାର୍ଥ
ପୁରୁଷାର୍ଥୀ ସେମାନେ କେବେହେଲେ ମେହନତର ବା କ୍ଳାନ୍ତିର ଅନୁଭବ କରନ୍ତି ନାହିଁ, ବରଂ ସର୍ବଦା
ବାବାଙ୍କର ପ୍ରେମରେ ମଗ୍ନ ରହିଥାଆନ୍ତି । ସେମାନେ ସଂକଳ୍ପ ମାତ୍ରରେ ମଧ୍ୟ ସମର୍ପଣ ହୋଇଥିବା
କାରଣରୁ ଅନୁଭବ କରିଥାଆନ୍ତି ଯେ ଆମକୁ ବାପଦାଦା ଚଳାଉଛନ୍ତି, ଆମେ ମେହନତ ରୂପୀ ପାଦରେ ଚାଲୁ ନାହୁଁ
କିନ୍ତୁ ସ୍ନେହ ରୂପକ କୋଳରେ ଚାଲୁଛୁ ଏବଂ ସ୍ନେହ ରୂପକ କୋଳରେ ସର୍ବ ପ୍ରାପ୍ତିର ଅନୁଭୂତି
ହେଉଥିବା କାରଣରୁ ସେମାନେ ଚାଲି ନ ଥାଆନ୍ତି ବରଂ ସର୍ବଦା ଖୁସିରେ, ଆନ୍ତରିକ ସୁଖରେ, ସର୍ବ
ପ୍ରାପ୍ତିର ଅନୁଭବରେ ଉଡିବାରେ ଲାଗିଥାଆନ୍ତି ।
ସ୍ଲୋଗାନ:-
ଯଦି ନିଶ୍ଚୟ
ରୂପୀ ମୂଳଦୁଆ ମଜବୁତ ଥିବ ତେବେ ଶ୍ରେଷ୍ଠ ଜୀବନର ଅନୁଭବ ସ୍ୱତଃ ହିଁ ହୋଇଥାଏ ।