07.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଯେତେବେଳେ ବି ସମୟ ମିଳୁଛି ଏକାନ୍ତରେ ବସି ସଚ୍ଚା ପ୍ରେମିକଙ୍କୁ ମନେ ପକାଅ କାହିଁକି ନା ଯୋଗ
ଦ୍ୱାରା ହିଁ ସ୍ୱର୍ଗର ରାଜତ୍ୱ ମିଳିବ ।”
ପ୍ରଶ୍ନ:-
ତୁମକୁ ବାବା
ମିଳିଯାଇଛନ୍ତି, ତେଣୁ ତୁମର କେଉଁ ବେଖାତିରପଣିଆ ସମାପ୍ତ ହୋଇଯିବା ଉଚିତ୍?
ଉତ୍ତର:-
କେତେକ ସନ୍ତାନ ବେଖାତିର ଭାବେ କହୁଛନ୍ତି ଆମେ ତ ବାବାଙ୍କର ହିଁ ଅଟୁ । ତେଣୁ ସେମାନେ ଯୋଗ
କରିବାର ମେହନତ କରୁ ନାହାଁନ୍ତି । ବାରମ୍ବାର ବାବାଙ୍କର ସ୍ମୃତି ଭୁଲି ଯାଉଛନ୍ତି । ଏହା ହିଁ
ହେଉଛି ବେଖାତିରପଣିଆ । ବାବା କହୁଛନ୍ତି ପିଲାମାନେ, ଯଦି ଯୋଗଯୁକ୍ତ ସ୍ଥିତିରେ ରହିବ, ତେବେ ତୁମ
ଭିତରେ ସ୍ଥାୟୀ ଖୁସି ରହିବ, କୌଣସି ପ୍ରକାରର ବିଘ୍ନ ଆସିବ ନାହିଁ । ଯେପରି ବାନ୍ଧେଲୀ ଅର୍ଥାତ୍
ବନ୍ଧନଯୁକ୍ତ ମାତାମାନେ ବାବାଙ୍କ ସ୍ମୃତିରେ ବ୍ୟାକୁଳ ହେଉଛନ୍ତି, ଦିନରାତି ମନେ ପକାଉଛନ୍ତି,
ସେହିପରି ତୁମର ମଧ୍ୟ ନିରନ୍ତର ସ୍ମୃତି ରହିବା ଦରକାର ।
ଗୀତ:-
ତକଦୀର ଜଗାକର
ଆୟୀ ହୁଁ...
ଓମ୍ ଶାନ୍ତି ।
ବାବା ପିଲାମାନଙ୍କୁ ବୁଝାଇଛନ୍ତି - ତୁମେମାନେ ମଧ୍ୟ କହୁଛ ଓମ୍ ଶାନ୍ତି, ବାବା ମଧ୍ୟ କହୁଛନ୍ତି
ଓମ୍ ଶାନ୍ତି ଅର୍ଥାତ୍ ତୁମେ ଆତ୍ମାମାନେ ମଧ୍ୟ ଶାନ୍ତ ସ୍ୱରୂପ, ବାବା ମଧ୍ୟ ଶାନ୍ତସ୍ୱରୂପ ଅଟନ୍ତି
। ଆତ୍ମାର ସ୍ୱଧର୍ମ ଶାନ୍ତ ଏବଂ ପରମାତ୍ମାଙ୍କର ସ୍ୱଧର୍ମ ମଧ୍ୟ ଶାନ୍ତ ଅଟେ । ତୁମେମାନେ ମଧ୍ୟ
ଶାନ୍ତିଧାମର ନିବାସୀ ଅଟ । ବାବା କହୁଛନ୍ତି, ମୁଁ ମଧ୍ୟ ଶାନ୍ତିଧାମର ନିବାସୀ ଅଟେ । ତୁମେ
ପିଲାମାନେ ପୁନର୍ଜନ୍ମରେ ଆସୁଛ ମୁଁ ଆସୁନାହିଁ । ମୁଁ ଏହି ରଥରେ (ବ୍ରହ୍ମାଙ୍କ ଶରୀରରେ) ପ୍ରବେଶ
କରୁଛି । ଏହା ମୋର ରଥ ଅଟେ । ଶଙ୍କରଙ୍କୁ ଯଦି ପଚାରିବ, ବାସ୍ତବରେ ପଚାରି ତ ପାରିବ ନାହିଁ
କିନ୍ତୁ ଧରିନିଅ ସୂକ୍ଷ୍ମଲୋକକୁ ଯାଇ ଯଦି କେହି ପଚାରିବ, ତେବେ ସିଏ କହିବେ ଏହି ସୂକ୍ଷ୍ମ ଶରୀର
ମୋର ଅଟେ । କିନ୍ତୁ ଶିବବାବା କହୁଛନ୍ତି ଏହା ମୋର ଶରୀର ନୁହେଁ । ଏହାକୁ ମୁଁ ଉଧାର ନେଇଛି
କାହିଁକି ନା ମୋତେ ମଧ୍ୟ କର୍ମଇନ୍ଦ୍ରୀୟର ଆଧାର ଦରକାର । ତେବେ ପ୍ରଥମ ଏବଂ ମୁଖ୍ୟ କଥା
ବୁଝାଇବାକୁ ହେବ ଯେ, ପତିତ-ପାବନ ଜ୍ଞାନର ସାଗର ଶ୍ରୀକୃଷ୍ଣ ନୁହଁନ୍ତି । ଶ୍ରୀକୃଷ୍ଣ ସର୍ବ
ଆତ୍ମାମାନଙ୍କୁ ପତିତରୁ ପାବନ କରୁନାହାଁନ୍ତି । ସିଏ ତ ପାବନ ଦୁନିଆକୁ ଆସି ରାଜ୍ୟ କରିଥା’ନ୍ତି
। ପ୍ରଥମେ ରାଜକୁମାର ହୁଅନ୍ତି, ତାପରେ ପୁଣି ମହାରାଜା ହୁଅନ୍ତି । ତାଙ୍କ ଭିତରେ ମଧ୍ୟ ଏହି
ଜ୍ଞାନ ନାହିଁ । ରଚନାର ଜ୍ଞାନ ତ ରଚୟିତାଙ୍କ ପାଖରେ ହିଁ ଥିବ ନା । ଶ୍ରୀକୃଷ୍ଣଙ୍କୁ ରଚନା
କୁହାଯାଏ । ତେଣୁ ରଚୟିତା ବାବା ହିଁ ଆସି ରଚନାର ଜ୍ଞାନ ଦେଉଛନ୍ତି । ଏବେ ବାବା ସନ୍ତାନମାନଙ୍କୁ
ରଚନା କରୁଛନ୍ତି, କହୁଛନ୍ତି - ତୁମେମାନେ ମୋର ସନ୍ତାନ । ତୁମେ ମଧ୍ୟ କହୁଛ, ବାବା ଆମେ ଆପଣଙ୍କର
। ଏଭଳି ମଧ୍ୟ କୁହାଯାଇଛି ଯେ, ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣମାନଙ୍କର ସ୍ଥାପନା ଅର୍ଥାତ୍ ରଚନା
ହୋଇଥାଏ । ନଚେତ୍ ବ୍ରାହ୍ମଣ କେଉଁଠୁ ଆସିଲେ । ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା କେହି ଅଲଗା
ନୁହଁନ୍ତି । ସୂକ୍ଷ୍ମଲୋକର ବ୍ରହ୍ମା ହିଁ ସାକାର ବ୍ରହ୍ମା ଅଟନ୍ତି, ସିଏ ହିଁ ପୁଣି ଉପର ବାଲା
ଅର୍ଥାତ୍ ସୂକ୍ଷ୍ମଲୋକର ମଧ୍ୟ ଅଟନ୍ତି । ସେହି ଜଣେ ହିଁ ଅଟନ୍ତି । ସେହିପରି ବିଷ୍ଣୁ ଏବଂ
ଲକ୍ଷ୍ମୀ-ନାରାୟଣ କହିବା ଏକା କଥା । ତେବେ ସେମାନଙ୍କର ନିବାସ ସ୍ଥାନ କେଉଁଠି? ବ୍ରହ୍ମା ହିଁ
ବିଷ୍ଣୁ ହୋଇଥା’ନ୍ତି । ବ୍ରହ୍ମା-ସରସ୍ୱତୀ ହିଁ ଲକ୍ଷ୍ମୀ-ନାରାୟଣ ହୁଅନ୍ତି, ପୁଣି ସେହିମାନେ
ହିଁ ସାରା କଳ୍ପ ୮୪ ଜନ୍ମ ପରେ ଆସି ସଂଗମଯୁଗରେ ବ୍ରହ୍ମା-ସରସ୍ୱତୀ ହୋଇଥା’ନ୍ତି ।
ଲକ୍ଷ୍ମୀ-ନାରାୟଣ ମଧ୍ୟ ମନୁଷ୍ୟ ଏବଂ ଦେବୀ-ଦେବତା ଧର୍ମର ଅଟନ୍ତି । ବିଷ୍ଣୁଙ୍କୁ ମଧ୍ୟ
ଚାରିଭୂଜାଧାରୀ ରୂପରେ ଦେଖାଇଛନ୍ତି । ଏହା ପ୍ରବୃତ୍ତିମାର୍ଗର ଚିହ୍ନ । ଭାରତରେ ଆରମ୍ଭରୁ ହିଁ
ପ୍ରବୃତ୍ତିମାର୍ଗ ଚାଲିଆସୁଛି, ସେଥିପାଇଁ ବିଷ୍ଣୁଙ୍କୁ ଚାରିଟି ହାତ ଦେଇଛନ୍ତି । ଏଠାରେ ବ୍ରହ୍ମା
ସରସ୍ୱତୀ ଅଛନ୍ତି, ଏହି ସରସ୍ୱତୀ ପୋଷ୍ୟ କନ୍ୟା ଅଟନ୍ତି । ବ୍ରହ୍ମାଙ୍କର ପ୍ରକୃତ ନାମ ଲଖୀରାଜ
ଥିଲା, ପରେ ବାବା ତାଙ୍କର ନାମ ବ୍ରହ୍ମା ରଖିଲେ । ଶିବବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଲେ
ଏବଂ ରାଧେଙ୍କୁ ନିଜର ସନ୍ତାନ କରିଲେ ଏବଂ ତାଙ୍କର ନାମ ସରସ୍ୱତୀ ରଖିଲେ । ବ୍ରହ୍ମା
ସରସ୍ୱତୀଙ୍କର ଲୌକିକ ପିତା ନୁହଁନ୍ତି । ଏହି ଦୁଇଜଣଙ୍କର ଲୌକିକ ପିତା ଅଲଗା ଅଲଗା ଥିଲେ । ଏବେ
ସେମାନେ ନାହାଁନ୍ତି । ଶିବବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରୁଛନ୍ତି । ତୁମେମାନେ ସମସ୍ତେ
ପୋଷ୍ୟ ସନ୍ତାନ ଅଟ । ବ୍ରହ୍ମା ମଧ୍ୟ ଶିବବାବାଙ୍କର ସନ୍ତାନ । ଶିବବାବା ବ୍ରହ୍ମାଙ୍କର ମୁଖ କମଳ
ଦ୍ୱାରା ତୁମକୁ ରଚନା କରୁଛନ୍ତି, ସେଥିପାଇଁ ବ୍ରହ୍ମାଙ୍କୁ ମଧ୍ୟ ମାତା କୁହାଯାଉଛି । ଗାୟନ ମଧ୍ୟ
କରୁଛନ୍ତି - ତୁମ୍ ମାତ୍ପିତା ହମ୍ ବାଳକ୍ ତେରେ, ତୁହ୍ମାରୀ କୃପା ସେ ସୁଖ ଘନେରେ... । ତୁମେ
ବ୍ରାହ୍ମଣମାନେ ଆସି ଏବେ ବାଳକ ହେଉଛ । ଏ ସବୁକୁ ବୁଝିବା ପାଇଁ ବହୁତ ଭଲ ବୁଦ୍ଧି ଦରକାର । ତୁମେ
ପିଲାମାନେ ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛ । ବ୍ରହ୍ମା କୌଣସି ସ୍ୱର୍ଗର ରଚୟିତା ବା ଜ୍ଞାନର
ସାଗର ନୁହଁନ୍ତି । ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି । ଆତ୍ମାର ପିତା ହିଁ ଜ୍ଞାନର
ସାଗର ଅଟନ୍ତି । ବର୍ତ୍ତମାନ ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଜ୍ଞାନର ସାଗର ହେଉଛି କିନ୍ତୁ ୟାଙ୍କୁ
ଜ୍ଞାନ ସାଗର କୁହାଯିବ ନାହିଁ କାରଣ ସାଗର କେବଳ ଜଣେ ହିଁ ଅଟନ୍ତି । ତୁମେ ସବୁ ନଦୀ ଅଟ ।
ସାଗରଙ୍କର ନିଜର ଶରୀର ନାହିଁ । ନଦୀମାନଙ୍କର ନିଜର ଶରୀର ଅଛି । ତୁମେମାନେ ହେଲ ଜ୍ଞାନର ନଦୀ ।
କଲିକତାରେ ବ୍ରହ୍ମପୁତ୍ର ନଦୀ ବହୁତ ବଡ, କାହିଁକି ନା ତା’ର ସାଗର ସହିତ ସମ୍ବନ୍ଧ ରହିଛି ।
ସେଠାରେ ବହୁତ ବଡ ମେଳା ଲାଗିଥାଏ । ଏଠାରେ ମଧ୍ୟ ମେଳା ଲାଗୁଛି । ସାଗର ଏବଂ ବ୍ରହ୍ମପୁତ୍ର
ଦୁଇଜଣ ଏବେ ଏକାଠି ଅଛନ୍ତି । ଏମାନେ ହେଲେ ଚୈତନ୍ୟ ସେମାନେ ହେଲେ ଜଡ । ଏହିସବୁ କଥାକୁ ବାବା
ବୁଝାଉଛନ୍ତି । ଏ କଥା କୌଣସି ଶାସ୍ତ୍ରରେ ନାହିଁ । ଶାସ୍ତ୍ରଗୁଡିକ ହେଲା ଭକ୍ତିମାର୍ଗର ବିଭାଗ ।
ଏହା ହେଲା ଜ୍ଞାନମାର୍ଗ, ତାହା ଭକ୍ତିମାର୍ଗ । ଅଧାକଳ୍ପ ହେବ ଭକ୍ତିମାର୍ଗର ବିଭାଗ ଚାଲିଆସିଛି ।
ସେଥିରେ ଜ୍ଞାନର ସାଗର ନାହାଁନ୍ତି । ପରମପିତା ପରମାତ୍ମା, ଜ୍ଞାନର ସାଗର ବାବା ସଂଗମଯୁଗରେ ଆସି
ଜ୍ଞାନ ସ୍ନାନ କରାଇ ସମସ୍ତଙ୍କର ସଦ୍ଗତି କରିଥା’ନ୍ତି ।
ତୁମେମାନେ ଜାଣିଛ ଯେ, ଆମେ ବେହଦର ପିତାଙ୍କ ଦ୍ୱାରା ସ୍ୱର୍ଗ ସୁଖର ଭାଗ୍ୟ ତିଆରି କରୁଛୁ ।
ବାସ୍ତବରେ ଆମେ ସତ୍ୟଯୁଗ ତ୍ରେତା ଯୁଗରେ ପୂଜ୍ୟ ଦେବୀ-ଦେବତା ଥିଲେ । ଏବେ ଆମେ ପୂଜାରୀ ମନୁଷ୍ୟ
ହୋଇଯାଇଛୁ । ପୁଣି ଏବେ ମନୁଷ୍ୟରୁ ଦେବତା ହେବାକୁ ଯାଉଛୁ । ବ୍ରାହ୍ମଣରୁ ଦେବତା ଧର୍ମକୁ ଆସିଲୁ
ପୁଣି କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେଲୁ । ୮୪ ଜନ୍ମ ନେଇ ନେଇ ତଳକୁ ଓହ୍ଲାଇବାକୁ ପଡିଲା । ଏହିସବୁ
କଥା ତୁମକୁ ବାବା ହିଁ ଶୁଣାଇଛନ୍ତି । ତୁମେ ନିଜର ଜନ୍ମକୁ ଜାଣି ନ ଥିଲ । ୮୪ ଜନ୍ମ ତୁମେମାନେ
ହିଁ ନେଉଛ । ଯେଉଁମାନେ ପ୍ରଥମେ ପ୍ରଥମେ ଆସୁଛନ୍ତି ସେହିମାନେ ହିଁ ପୂରା ୮୪ ଜନ୍ମ ନେଉଛନ୍ତି ।
ତେବେ ଯୋଗବଳ ଦ୍ୱାରା ହିଁ ସବୁ ଖାଦ ବାହାରିଯାଇଥାଏ । କିନ୍ତୁ ଯୋଗରେ ମେହନତ ରହିଛି । ଯଦିଓ
କେତେକ ସନ୍ତାନ ଜ୍ଞାନରେ ବହୁତ ତୀକ୍ଷ୍ମ ଅଟନ୍ତି କିନ୍ତୁ ଯୋଗରେ ଦୁର୍ବଳ ଅଛନ୍ତି । ଯେଉଁ
ମାତାମାନେ ବନ୍ଧନରେ ଅଛନ୍ତି, ସେମାନେ ବନ୍ଧନମୁକ୍ତ ମାତାମାନଙ୍କଠାରୁ ଅଧିକ ଯୋଗଯୁକ୍ତ ହୋଇ
ରହୁଛନ୍ତି । ସେମାନେ ତ ଶିବବାବାଙ୍କ ସହିତ ମିଶିବା ପାଇଁ ରାତି ଦିନ ବ୍ୟାକୁଳ ହେଉଛନ୍ତି ।
ତୁମେମାନେ ମିଶିସାରିଛ । ତୁମକୁ ତ କୁହାଯାଉଛି ଯୋଗଯୁକ୍ତ ହୋଇ ରୁହ, କିନ୍ତୁ ତୁମେ ବାରମ୍ବାର
ଭୁଲିଯାଉଛ । ତୁମକୁ ମାୟାର ତୋଫାନ ବହୁତ ଆସୁଛି । ସେମାନେ ବାବାଙ୍କୁ ମନେ ପକାଇ ବହୁତ ବ୍ୟାକୁଳ
ହେଉଛନ୍ତି । ତୁମେମାନେ ବ୍ୟାକୁଳ ହେଉନାହଁ । ତେଣୁ ଘରେ ବସି ମଧ୍ୟ ସେମାନଙ୍କର ଉଚ୍ଚପଦ ହୋଇଯାଉଛି
। ତୁମେ ପିଲାମାନେ ଜାଣିଛ - ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ଆମକୁ ସ୍ୱର୍ଗର ବାଦଶାହୀ ମିଳିବ
। ଯେପରି ସନ୍ତାନ ଗର୍ଭରୁ ବାହାରିବା ପାଇଁ ବ୍ୟାକୁଳ ହେଉଥାଏ, ସେହିପରି ବନ୍ଧନ ଭିତରେ ଥିବା
ମାତାମାନେ ବ୍ୟାକୁଳ ହୋଇ ଡାକିଥା’ନ୍ତି, ଶିବବାବା ମୋତେ ଏହି ବନ୍ଧନରୁ ମୁକ୍ତ କର । ଦିନ ରାତି
ବାବାଙ୍କୁ ମନେ ପକାଇଥା’ନ୍ତି । ତୁମମାନଙ୍କୁ ତ ବାବା ମିଳିଯାଇଛନ୍ତି, ତେଣୁ ତୁମେ ବେପରୁଆ
ହୋଇଯାଇଛ । ମୁଁ ବାବାଙ୍କର ସନ୍ତାନ । ମୁଁ ଏହି ଶରୀରକୁ ଛାଡି ରାଜକୁମାର ହେବି । ଭିତରେ ଏହିଭଳି
ସ୍ଥାୟୀ ଖୁସି ରହିବା ଉଚିତ୍ । କିନ୍ତୁ ମାୟା ବାବାଙ୍କ ସ୍ମୃତିରେ ରହିବାକୁ ଦେଉନାହିଁ । ତେବେ
ଯୋଗବଳ ଦ୍ୱାରା ବହୁତ ଖୁସି ଆସିବ । ଯଦି ଯୋଗ ନ କରିବ ତେବେ ଅଣନିଶ୍ୱାସୀ ହେବାକୁ ପଡିବ ।
ଅଧାକଳ୍ପ ତୁମେମାନେ ରାବଣ ରାଜ୍ୟରେ ବହୁତ ଦୁଃଖ ଭୋଗିଛ । ଅକାଳମୃତ୍ୟୁ ହୋଇଆସିଛି । ଏଠାରେ କେବଳ
ଦୁଃଖ ହିଁ ଦୁଃଖ । ଯଦିଓ କେତେ ବି ଧନୀ ହୋଇଥାନ୍ତୁ କିନ୍ତୁ ଦୁଃଖ ତ ଭୋଗିବାକୁ ପଡିଥାଏ ।
ଅକାଳମୃତ୍ୟୁ ହୋଇଯାଇଥାଏ । ସତ୍ୟଯୁଗରେ ଏହିଭଳି ଅକାଳମୃତ୍ୟୁ ହୁଏ ନାହିଁ । ସେଠାରେ କେହି କେବେ
ବି ରୋଗୀ ହୋଇ ନ ଥା’ନ୍ତି । ସମୟ ଆସିଲେ ଆପେ ଆପେ ବସି ବସି ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର
ଧାରଣ କରିଥା’ନ୍ତି । ତାହାର ନାମ ହିଁ ହେଉଛି ସୁଖଧାମ । କିନ୍ତୁ ମନୁଷ୍ୟମାନେ ତ ସ୍ୱର୍ଗର କଥାକୁ
କଳ୍ପନା ବୋଲି ଭାବୁଛନ୍ତି । କହିବେ, ସ୍ୱର୍ଗ କୁଆଡୁ ଆସିଲା । ତୁମେମାନେ ଜାଣିଛ ଆମେ ତ ସ୍ୱର୍ଗର
ନିବାସୀ ଅଟୁ । ପୁଣି ୮୪ ଜନ୍ମ ମଧ୍ୟ ନେଉଛୁ । ସାରା ଖେଳ ବା ନାଟକ ଭାରତ ଉପରେ ହିଁ ଆଧାରିତ
ହୋଇଛି । ତୁମେମାନେ ଜାଣିଛ, ଆମେ ୨୧ ଜନ୍ମ ପାବନ ଦେବତା ଥିଲୁ ପୁଣି ଆମେ କ୍ଷତ୍ରିୟ, ବୈଶ୍ୟ,
ଶୁଦ୍ର ହେଲୁ । ଏବେ ପୁଣି ବ୍ରାହ୍ମଣ ହୋଇଛୁ । ଏହି ସ୍ୱଦର୍ଶନ ଚକ୍ର ଘୂରାଇବା ବହୁତ ସହଜ । ଏହି
କଥା ସବୁ ଶିବବାବା ଆସି ବୁଝାଉଛନ୍ତି ।
ତୁମେମାନେ ଜାଣିଛ, ଶିବବାବା ବ୍ରହ୍ମାଙ୍କ ଶରୀର ରୂପି ରଥରେ ଆସିଛନ୍ତି, ବର୍ତ୍ତମାନ ଯିଏ ବ୍ରହ୍ମା
ସିଏ ହିଁ ସତ୍ୟଯୁଗ ଆରମ୍ଭରେ ଶ୍ରୀକୃଷ୍ଣ ଥିଲେ । ଯିଏକି ୮୪ ଜନ୍ମ ନେଇ ଏବେ ପତିତ ହୋଇଯାଇଛନ୍ତି
। ପୁଣି ତାଙ୍କ ଶରୀରରେ ଶିବବାବା ପ୍ରବେଶ କରି ତୁମକୁ ପୋଷ୍ୟ କରିଛନ୍ତି । ସିଏ ନିଜେ କହୁଛନ୍ତି
ମୁଁ ଏହି ଶରୀରର ଆଧାର ନେଇ ତୁମମାନଙ୍କୁ ନିଜର ସନ୍ତାନ କରିଛି । ପୁଣି ତୁମକୁ ସ୍ୱର୍ଗର
ରାଜଧାନୀର ଯୋଗ୍ୟ କରୁଛି, ଯେଉଁମାନେ ଯୋଗ୍ୟ ହେବେ ସେହିମାନେ ହିଁ ରାଜତ୍ୱରେ ଆସିବେ । ଏଥିରେ
ଚରିତ୍ର ମଧ୍ୟ ବହୁତ ଭଲ ଦରକାର । ତେବେ ମୁଖ୍ୟ କଥା ହେଲା - ପବିତ୍ରତା । ସେଥିପାଇଁ ହିଁ ଅବଳା
ଅର୍ଥାତ୍ ନାରୀମାନଙ୍କ ଉପରେ ଅତ୍ୟାଚାର ହେଉଛି । କେଉଁଠି କେଉଁଠି ପୁରୁଷମାନଙ୍କ ଉପରେ ମଧ୍ୟ
ଅତ୍ୟାଚାର ହୋଇଥାଏ । ବିକାର ପାଇଁ ଜଣେ ଅନ୍ୟଜଣଙ୍କୁ ଦୁଃଖୀ କରୁଛନ୍ତି । ଏଠାରେ ମାତାମାନଙ୍କ
ସଂଖ୍ୟା ଅଧିକ ହେବା କାରଣରୁ ଶକ୍ତିସେନାଙ୍କର ନାମର ଗାୟନ ହେଉଛି, ବନ୍ଦେ ମାତରମ୍ । ଏବେ ତୁମେ
କାମ ଅଗ୍ନିରୁ ଓହ୍ଲାଇ ଗୋରା, ପବିତ୍ର ହେବା ପାଇଁ ଜ୍ଞାନ ଅଗ୍ନି ଉପରେ ବସିଛ । ଦ୍ୱାପରଯୁଗଠାରୁ
ତୁମେମାନେ କାମ ଅଗ୍ନି ଉପରେ ବସି ଆସିଛ । ଜଣେ ଅନ୍ୟ ଜଣଙ୍କୁ ବିକାରୀ କରିବାର ହାତଗଣ୍ଠି ବିକାରୀ
ବ୍ରାହ୍ମଣମାନେ ବାନ୍ଧିଥା’ନ୍ତି । ତୁମେମାନେ ହେଲ ନିର୍ବିକାରୀ ବ୍ରାହ୍ମଣ! ତୁମେ ସେହି ବିକାରୀ
ହେବାର ଚୁକ୍ତିକୁ ରଦ୍ଦ କରି ସେମାନଙ୍କୁ ଜ୍ଞାନ ଚିତା ଉପରେ ବସାଉଛ । କାମଚିତା ଦ୍ୱାରା ସମସ୍ତେ
କଳା ହୋଇଯାଇଛନ୍ତି, ଜ୍ଞାନ ଚିତା ଦ୍ୱାରା ପୁଣି ଗୋରା ହୋଇଯିବେ । ବାବା କହୁଛନ୍ତି, ଯଦିଓ ନାରୀ
ପୁରୁଷ ଏକାଠି ରହୁଛ କିନ୍ତୁ ପ୍ରତିଜ୍ଞା କରିବାକୁ ହେବ ଯେ ଆମେ ବିକାରୀ ହେବୁ ନାହିଁ, ସେଥିପାଇଁ
ବାବା ମୁଦି ମଧ୍ୟ ପିନ୍ଧାଉଛନ୍ତି । ଶିବବାବା ବାବା ମଧ୍ୟ ଅଟନ୍ତି, ପତି ମଧ୍ୟ ଅଟନ୍ତି । ସମସ୍ତ
ସୀତାମାନଙ୍କର ରାମ, ସିଏ ହିଁ ପତିତ ପାବନ ଅଟନ୍ତି । ବାକି ଏହା କୌଣସି ରଘୁପତି ରାଘବ
ରାଜାରାମଙ୍କର କଥା ନୁହେଁ । ସିଏ ମଧ୍ୟ ସଂଗମ ଯୁଗରେ ହିଁ ଏହି ପ୍ରାରବ୍ଧ ପାଇଥିଲେ । ତାଙ୍କ
ହାତରେ ହିଂସ୍ରକବାଣ, ଧନୁତୀର ଆଦି ଦେଖାଇବା ଭୁଲ । ଚିତ୍ରରେ ମଧ୍ୟ ଦେବା ଉଚିତ୍ ନୁହେଁ । କେବଳ
ଚନ୍ଦ୍ରବଂଶୀ ବୋଲି ଲେଖିବାକୁ ହେବ । ପିଲାମାନଙ୍କୁ ବୁଝାଇବାକୁ ହେବ ଯେ, ଶିବବାବା ଏହି ରଥ
ଦ୍ୱାରା ଆମକୁ ଏହି ସୃଷ୍ଟିଚକ୍ରର ରହସ୍ୟକୁ ବୁଝାଉଛନ୍ତି । ସତ୍ୟ ନାରାୟଣଙ୍କର କାହାଣୀ ମଧ୍ୟ ଅଛି
ନା । ତାହା ହେଲା ମନୁଷ୍ୟମାନଙ୍କ ଦ୍ୱାରା ତିଆରି ହୋଇଥିବା କଥା । ତା’ଦ୍ୱାରା କେହି ବି ନରରୁ
ନାରାୟଣ ହୁଅନ୍ତି ନାହିଁ । ସତ୍ୟ-ନାରାୟଣ କଥାର ଅର୍ଥ ହେଲା - ନରରୁ ନାରାୟଣ ହେବା । ଅମରକଥା
ମଧ୍ୟ ଶୁଣାଇଥା’ନ୍ତି କିନ୍ତୁ ଅମରପୁରୀକୁ ତ କେହି ଯାଆନ୍ତି ନାର୍ହଁ । ମୃତ୍ୟୁଲୋକ ୨୫୦୦ ବର୍ଷ
ଚାଲିଥାଏ । ତିଜରୀ କଥା (ଆତ୍ମାର ତୃତୀୟ ନେତ୍ରର କଥା) ମାତାମାନେ ଶୁଣାଇଥା’ନ୍ତି । ବାସ୍ତବରେ
ଏହା ହେଲା ଜ୍ଞାନର ତୃତୀୟ ନେତ୍ର ଦେବାର କଥା । ଏବେ ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି,
ତେଣୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ମୁଁ ଏହି ଶରୀର ଦ୍ୱାରା ଏବେ ଦେବତା ହେବାକୁ ଯାଉଛି । ମୋ
ଭିତରେ ହିଁ ସଂସ୍କାର ଅଛି । ବର୍ତ୍ତମାନ ତ ସବୁ ମନୁଷ୍ୟ ଦେହ-ଅଭିମାନୀ ଅଟନ୍ତି । ବାବା ଆସି
ତୁମମାନଙ୍କୁ ଦେହୀ-ଅଭିମାନୀ କରୁଛନ୍ତି । ଲୋକମାନେ ତ କହି ଦେଉଛନ୍ତି ଆତ୍ମା ପରମାତ୍ମା ଏକ
ଅଟନ୍ତି । ପରମାତ୍ମା ହିଁ ଏହି ସବୁ ରୂପ ଧାରଣ କରିଛନ୍ତି । ବାବା କହୁଛନ୍ତି, ଏସବୁ ଭୁଲ୍ କଥା,
ଏହାକୁ ମିଥ୍ୟା ଅଭିମାନ, ମିଥ୍ୟା ଜ୍ଞାନ କୁହାଯାଏ । ବାବା ଶୁଣାଉଛନ୍ତି ମୁଁ ବିନ୍ଦୁ ସଦୃଶ ଅଟେ
। ଏକଥା ତୁମେମାନେ ମଧ୍ୟ ଜାଣି ନ ଥିଲ, ବ୍ରହ୍ମା ମଧ୍ୟ ଜାଣି ନ ଥିଲେ । ଏବେ ବାବା ଆସି
ବୁଝାଉଛନ୍ତି - ଏଥିରେ ସଂଶୟ ଆସିବା ଉଚିତ୍ ନୁହେଁ । ନିଶ୍ଚୟ ରହିବା ଉଚିତ୍ । ବାବା ନିଶ୍ଚିତ
ସତ୍ୟ ହିଁ କହୁଛନ୍ତି, କୁହାଯାଏ ସଂଶୟ ବୁଦ୍ଧି ବିନଶ୍ୟନ୍ତି । ସେମାନେ ପୂରା ସମ୍ପତ୍ତି ପାଇବେ
ନାହିଁ । ତେବେ ଆତ୍ମ ଅଭିମାନୀ ହେବାରେ ବହୁତ ମେହନତ ରହିଛି । ଭୋଜନ ତିଆରି କରିବା ସମୟରେ ମଧ୍ୟ
ବୁଦ୍ଧି ବାବାଙ୍କ ସହିତ ଲାଗି ରହୁ । ପ୍ରତ୍ୟେକ କଥାରେ ଏହିଭଳି ଅଭ୍ୟାସ କରିବା ଦରକାର । ରୁଟୀ
ବେଲିବା ସମୟରେ ମଧ୍ୟ ନିଜର ପ୍ରେମିକଙ୍କୁ ମନେ ପକାଇବା ଉଚିତ୍ । ପ୍ରତ୍ୟେକ କଥାରେ ଏହି ଅଭ୍ୟାସ
ଆବଶ୍ୟକ । ଯେତେବେଳେ ବି ଫୁରସତ୍ ମିଳୁଛି ବାବାଙ୍କୁ ମନେ ପକାଇବା ଉଚିତ୍ । କାରଣ ଯୋଗ ଦ୍ୱାରା
ହିଁ ତୁମେମାନେ ସତ୍ତ୍ୱପ୍ରଧାନ ହେବ । ୮ ଘଣ୍ଟା କର୍ମ କରିବା ପାଇଁ ଛୁଟୀ ମିଳିଛି । ମଝିରେ ମଝିରେ
ଏକାନ୍ତରେ ଯାଇ ବସିବା ଉଚିତ୍, ତୁମକୁ ସମସ୍ତଙ୍କୁ ବାବାଙ୍କର ପରିଚୟ ମଧ୍ୟ ଶୁଣାଇବାକୁ ହେବ ।
ଆଜି ନ ଶୁଣିଲେ କାଲି ଶୁଣିବେ । ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ଆମେ ସ୍ୱର୍ଗରେ ଥିଲେ, ଏବେ
ପୁଣି ନର୍କବାସୀ ହୋଇଯାଇଛେ । ବର୍ତ୍ତମାନ ବାବାଙ୍କ ଠାରୁ ପୁଣି ଥରେ ବର୍ସା ମିଳୁଛି । ବାବା ଆସି
ଭାରତବାସୀମାନଙ୍କୁ ହିଁ ବୁଝାଉଛନ୍ତି । ବାବା ମଧ୍ୟ ଭାରତରେ ହିଁ ଆସୁଛନ୍ତି । ଦେଖ ଆମ ପାଖକୁ
ମୁସଲମାନମାନେ ମଧ୍ୟ ଆସୁଛନ୍ତି, ସେମାନେ ମଧ୍ୟ ସେଣ୍ଟରର ଦାୟୀତ୍ୱ ନେଉଛନ୍ତି । କହୁଛନ୍ତି,
ଶିବବାବାଙ୍କୁ ମନେ ପକାଅ । ଶିଖ୍ମାନେ ମଧ୍ୟ ଆସୁଛନ୍ତି, ଖ୍ରୀଷ୍ଟିୟାନ ମଧ୍ୟ ଆସୁଛନ୍ତି, ଆଗକୁ
ଗଲେ ଆହୁରି ବହୁତ ଆସିବେ । ଏହି ଜ୍ଞାନ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ କାରଣ ଏହା ହେଉଛି ବାବାଙ୍କର
ସହଜଯୋଗ ଏବଂ ସହଜ ବର୍ସା । କିନ୍ତୁ ପବିତ୍ର ତ ନିଶ୍ଚିତ ହେବାକୁ ପଡିବ । ଗାୟନ ଅଛି, ଦାନ ଦେଲେ
ଯାଇ ଗ୍ରହଣ ଛାଡିବ । ଏବେ ଭାରତ ଉପରେ ରାହୁର ଗ୍ରହଣ ଲାଗିଛି । ଏହା ପରେ ୨୧ ଜନ୍ମ ପାଇଁ
ବୃହସ୍ପତିର ଦଶା ଆରମ୍ଭ ହୋଇଯିବ । ପ୍ରଥମେ ହୋଇଥାଏ ବୃହସ୍ପତିର ଦଶା । ତା ପରେ ଶୁକ୍ରର ଦଶା ।
ସୂର୍ଯ୍ୟବଂଶୀଙ୍କ ଉପରେ ବୃହସ୍ପତିର ଦଶା, ଚନ୍ଦ୍ରବଂଶୀଙ୍କ ଉପରେ ଶୁକ୍ରର ଦଶା କୁହାଯିବ । ତାପରେ
ଦଶା କମି କମି ଯାଇଥାଏ । ସବୁଠାରୁ ଖରାପ ହେଲା ରାହୁ ଦଶା । ବୃହସ୍ପତି କୌଣସି ଗୁରୁ ନୁହେଁ । ଏହା
ହେଲା ବୃକ୍ଷପତି ଅର୍ଥାତ୍ ଏହି କଳ୍ପବୃକ୍ଷର ରଚୟିତା, ବାବାଙ୍କର ଦଶା । ବୃକ୍ଷପତି ବାବା ଆସିବା
କାରଣରୁ ବୃହସ୍ପତି ଏବଂ ଶୁକ୍ରର ଦଶା ପଡିଥାଏ । ରାବଣ ଆସିବା ମାତ୍ରେ ରାହୁର ଦଶା ପଡିଯାଇଥାଏ ।
ତୁମମାନଙ୍କ ଉପରେ ଏବେ ବୃହସ୍ପତିର ଦଶା ପଡିଛି । ତୁମେମାନେ କେବଳ ବୃକ୍ଷପତିଙ୍କୁ ମନେ ପକାଅ,
ପବିତ୍ର ହୁଅ, ବାସ୍ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପ୍ରତ୍ୟେକ
କାର୍ଯ୍ୟ କରି ମଧ୍ୟ ଆତ୍ମ-ଅଭିମାନୀ ହେବାର ଅଭ୍ୟାସ କରିବାକୁ ହେବ । ଦେହର ଅହଂକାର ସମାପ୍ତ
ହୋଇଯାଉ, ସେଥିପାଇଁ ହିଁ ମେହନତ କରିବାକୁ ପଡିବ ।
(୨) ସତ୍ୟଯୁଗୀ ରାଜତ୍ୱର
ଯୋଗ୍ୟ ହେବା ପାଇଁ ନିଜର ଚାଲିଚଳଣ ବା ବ୍ୟବହାରକୁ ରାଜକୀୟ କରିବାକୁ ହେବ । ପବିତ୍ରତା ହିଁ
ସବୁଠାରୁ ଶ୍ରେଷ୍ଠ ଆଚରଣ, ତେଣୁ ପବିତ୍ର ହେଲେ ଯାଇ ପବିତ୍ର ଦୁନିଆର ମାଲିକ ହେବ ।
ବରଦାନ:-
କରିକରାଇବା
ବାଲାର ସ୍ମୃତି ଦ୍ୱାରା ସହଜ ଯୋଗର ଅନୁଭବ କରୁଥିବା ସଫଳତା ମୂରତ ଭବ ।
ଯେ କୌଣସି କାର୍ଯ୍ୟ
କରୁଥାଅ ନା କାହିଁକି ସର୍ବଦା ଏହି ସ୍ମୃତି ରହିଥାଉ ଯେ ମୋତେ ଏହି କାର୍ଯ୍ୟର ନିମିତ୍ତ କରିବାବାଲା
ଶକ୍ତିଶାଳୀ ଆଧାର କିଏ, କାରଣ କୌଣସି ଶକ୍ତିଶାଳୀ ଆଧାର ବିନା କୌଣସି ବି କାର୍ଯ୍ୟରେ ସଫଳତା
ମିଳିପାରିବ ନାହିଁ, ସେଥିପାଇଁ ଯାହା ବି କର୍ମ କର କେବଳ ଏହି କଥା ସ୍ମୃତିରେ ରଖ ଯେ ମୁଁ
ନିମିତ୍ତ ଅଟେ, ମୋ’ ଦ୍ୱାରା କରାଇବାବାଲା ସ୍ୱୟଂ ସର୍ବ ସମର୍ଥ ବାବା ଅଟନ୍ତି । ଯଦି ଏହି କଥାକୁ
ସ୍ମୃତିରେ ରଖି କର୍ମ କରିବ, ତେବେ ସହଜଯୋଗର ଅନୁଭୂତି ହୋଇ ଚାଲିବ । ପୁଣି ଏହି ସମୟର ସହଜଯୋଗ
ସେଠାରେ ମଧ୍ୟ ସହଜରେ ରାଜ୍ୟ କରାଇବାର ନିମିତ୍ତ ହେବ । ଏଠିକାର ସଂସ୍କାର ହିଁ ସେଠାକୁ ନେଇକରି
ଯିବ ।
ସ୍ଲୋଗାନ:-
ଇଚ୍ଛାଗୁଡିକ
ଛାଇ ସଦୃଶ ଅଟେ, ତୁମେ ଯଦି ତା’କୁ ପଛ କରିଦେବ, ତେବେ ସେ ତୁମ ପଛେ ପଛେ ଆସିବ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ମଧୁରତା ଏଭଳି ଏକ ବିଶେଷ
ଧାରଣା ଅଟେ, ଯାହାକି କଡା ସଂସ୍କାରକୁ ମଧ୍ୟ ମଧୁର କରିଦେଇଥାଏ । ତୁମ ସମସ୍ତଙ୍କୁ ପରିବର୍ତ୍ତନ
କରିବାର ଆଧାର ହେଲା ବାବାଙ୍କର ଦୁଇ ପଦ ମିଠା କଥା । ମିଠା ମିଠା ପିଲାମାନେ, ତୁମେ ସମସ୍ତେ ମିଠା
ଶୁଦ୍ଧ ଆତ୍ମା ଅଟ । ଏହି ଦୁଇ ପଦ ମିଠା ବାଣୀ ହିଁ ତୁମକୁ ପରିବର୍ତ୍ତନ କରିଦେଇଛି । ବାବାଙ୍କର
ମିଠା ଦୃଷ୍ଟି ହିଁ ତୁମକୁ ପରିବର୍ତ୍ତନ କରିଦେଇଛି । ସେହିପରି ତୁମେମାନେ ମଧ୍ୟ ନିଜର ମଧୁରତାର
ଗୁଣ ଦ୍ୱାରା ଅନ୍ୟମାନଙ୍କୁ ମଧୁର କରିଦିଅ । ଏହିଭଳି ସମସ୍ତଙ୍କର ମୁଖ ମିଠା କର । ସର୍ବଦା ଏହି
ମଧୁରତା ରୂପୀ ଉପହାରକୁ ସାଥୀରେ ରଖିଥାଅ । ଏହାର ଆଧାରରେ ହିଁ ସର୍ବଦା ମିଠା ହୋଇ ରହିବ ଏବଂ
ସମସ୍ତଙ୍କୁ ମିଠା କରିବ ।