07.09.24          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଜ୍ଞାନର ତୃତୀୟ ନେତ୍ର ସର୍ବଦା ଖୋଲା ରହିଥିଲେ ମନ ଖୁସିରେ ଲୋମ ଟାଙ୍କୁରୀ ଉଠିବ, ଖୁସିର ପାରଦ ଚଢି ରହିବ ।

ପ୍ରଶ୍ନ:-
ବର୍ତ୍ତମାନ ସମୟରେ ମନୁଷ୍ୟମାନଙ୍କର ଦୃଷ୍ଟି ଶକ୍ତି ବହୁତ ଦୁର୍ବଳ ହୋଇଯାଇଛି ସେଥିପାଇଁ ସେମାନଙ୍କୁ ଜ୍ଞାନ ବୁଝାଇବାର ଉପାୟ କ’ଣ?

ଉତ୍ତର:-
ବାବା କହୁଛନ୍ତି ସେମାନଙ୍କ ପାଇଁ ତୁମେ ଏଭଳି ବଡ ବଡ ଚିତ୍ର ସବୁ ତିଆରି କର ଯାହାକି ସେମାନେ ଦୂରରୁ ହିଁ ଦେଖି ବୁଝିଯିବେ । ଏହି ଗୋଲକର (ସୃଷ୍ଟିଚକ୍ରର) ଚିତ୍ର ମଧ୍ୟ ବହୁତ ବଡ ହେବା ଦରକାର । ଏହା ଯେପରି ଅନ୍ଧମାନଙ୍କ ପାଇଁ ଆଇନା ସଦୃଶ ଅଟେ ।

ପ୍ରଶ୍ନ:-
ସାରା ଦୁନିଆକୁ ସ୍ୱଚ୍ଛ କରିବା ପାଇଁ ତୁମମାନଙ୍କର ସହଯୋଗୀ କିଏ ହେଉଛି?

ଉତ୍ତର:-
ଏହି ସବୁ ପ୍ରାକୃତିକ ଦୁର୍ବିପାକଗୁଡିକ ତୁମର ସହଯୋଗୀ ହେଉଛନ୍ତି । ଏହି ବେହଦର ଅର୍ଥାତ୍ ବିଶାଳ ଦୁନିଆକୁ ସଫା କରିବା ପାଇଁ ନିଶ୍ଚିତ କେହି ସହଯୋଗୀ ଦରକାର ।

ଓମ୍ ଶାନ୍ତି ।
ଗାୟନ ମଧ୍ୟ ରହିଛି ବାବାଙ୍କଠାରୁ ଗୋଟିଏ ସେକେଣ୍ଡରେ ବର୍ସା ଅର୍ଥାତ୍ ଜୀବନମୁକ୍ତି । ଆଉ ସମସ୍ତେ ତ ଜୀବନ ବନ୍ଧନରେ ଅଛନ୍ତି । ଏହି ଯେଉଁ ତ୍ରିମୂର୍ତ୍ତି ଏବଂ ସୃଷ୍ଟିଚକ୍ରର ଚିତ୍ର ରହିଛି, ଏହା ହିଁ ମୁଖ୍ୟ ଚିତ୍ର ଅଟେ । ଏହି ଚିତ୍ର ବହୁତ ବଡ ସାଇଜ୍‌ର ହେବା ଦରକାର । ଅନ୍ଧମାନଙ୍କ ପାଇଁ ତ ଦର୍ପଣ ବଡ ହେବା ଦରକାର ନା, ଯାହା ଦ୍ୱାରା ଭଲ ଭାବରେ ଦେଖିପାରିବେ କାହିଁକି ନା ଏବେ ସମସ୍ତଙ୍କର ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯାଇଛି, ବୁଦ୍ଧି କମ୍ ହୋଇଯାଇଛି । ତୃତୀୟ ନେତ୍ରକୁ ବୁଦ୍ଧି ବୋଲି କୁହାଯାଇଥାଏ । ତୁମର ବୁଦ୍ଧି ଏବେ ଖୁସିରେ ଭରପୁର ହୋଇ ରହିଛି । ଖୁସିରେ ଯେଉଁମାନଙ୍କର ରୁମ ଟାଙ୍କୁରୀ ଉଠୁନାହିଁ, ଏହାର ଅର୍ଥ ସେମାନେ ଶିବବାବାଙ୍କୁ ୟାଦ କରୁନାହାଁନ୍ତି, ତେବେ କହିବା ତାଙ୍କର ଜ୍ଞାନ ନେତ୍ର ଅଳ୍ପ ଖୋଲିଛି, ଝାପସା ଦେଖାଯାଉଛି । ବାବା ବୁଝାଉଛନ୍ତି କାହାକୁ ବି ସଂକ୍ଷେପରେ ବୁଝାଇବା ଉଚିତ୍ । ବଡ-ବଡ ମେଳା ଆଦି ଲାଗୁଛି, ପିଲାମାନେ ଜାଣିଛନ୍ତି ବାସ୍ତବରେ ସେବା କରିବା ପାଇଁ ଏହି ଗୋଟିଏ ଚିତ୍ର ହିଁ ଯଥେଷ୍ଟ । ସୃଷ୍ଟିଚକ୍ରର ଚିତ୍ର ହେଲେ ମଧ୍ୟ କୌଣସି ଅସୁବିଧା ନାହିଁ । ବାବା, ଡ୍ରାମା ଏବଂ ବୃକ୍ଷ ଅଥବା କଳ୍ପ ବୃକ୍ଷର ଏବଂ ୮୪ ଚକ୍ରର ରହସ୍ୟ ବୁଝାଉଛନ୍ତି । ଆମକୁ ବ୍ରହ୍ମାଙ୍କ ଦ୍ୱାରା ବାବାଙ୍କଠାରୁ ଏହି ବର୍ସା ମିଳୁଛି । ଏହା ମଧ୍ୟ ଭଲ ଭାବରେ ସ୍ପଷ୍ଟ ଅଟେ । ଏହି ଚିତ୍ରରେ ହିଁ ସବୁ କିଛି ଆସିଯାଉଛି, ତେଣୁ ଏତେ ସବୁ ଚିତ୍ରର ଆବଶ୍ୟକତା ହିଁ ନାହିଁ । ଏହି ଦୁଇଟି ଚିତ୍ର ବହୁତ ବଡ-ବଡ ଅକ୍ଷରର ହେବା ଉଚିତ୍ । ଏହା ତଳେ ମଧ୍ୟ ଲେଖା ହୋଇଥିବା ଆବଶ୍ୟକ । ବିନାଶ ପୂର୍ବରୁ ଈଶ୍ୱରୀୟ ପିତାଙ୍କଠାରୁ ଜୀବନମୁକ୍ତି ପ୍ରାପ୍ତ କରିବା ଆମର ଜନ୍ମସିଦ୍ଧ ଅଧିକାର ଅଟେ । ବିନାଶ ମଧ୍ୟ ନିଶ୍ଚିତ ହେବାର ଅଛି, ଡ୍ରାମାର ଯୋଜନା ଅନୁଯାୟୀ ସ୍ୱତଃ ସମସ୍ତେ ବୁଝିଯିବେ । ତୁମକୁ ବୁଝାଇବାର ମଧ୍ୟ ଆବଶ୍ୟକତା ପଡିବ ନାହିଁ । ଆମକୁ ବେହଦର ବାବାଙ୍କଠାରୁ ବେହଦର ବର୍ସା ମିଳୁଛି । ଏକଥା ବିଲ୍‌କୁଲ୍ ପକ୍କା ମନେ ରହିବା ଉଚିତ୍ । କିନ୍ତୁ ମାୟା ତୁମକୁ ଭୁଲାଇ ଦେଉଛି । ସମୟ ବିତି ଚାଲିଛି, ଗାୟନ ମଧ୍ୟ ରହିଛି ନା - ବହୁତ ଗଇ..... ଏହାର ଅର୍ଥ ବର୍ତ୍ତମାନ ସମୟର ହିଁ ଅଟେ । ବାକି ଆଉ ଅଳ୍ପ ସମୟ ହିଁ ରହିଛି । ସ୍ଥାପନା ତ ହେଉଛି, ବିନାଶ ପାଇଁ ମଧ୍ୟ ଆଉ କମ୍ ସମୟ ଅଛି । ଆହୁରି କମ୍‌ରୁ ମଧ୍ୟ କମ୍ ରହିଛି । ବିଚାର କରାଯାଉଛି ଏହା ପରେ ପୁଣି କ’ଣ ହେବ? ଏବେ ତ କେହି ଜାଗ୍ରତ ହେଉନାହାଁନ୍ତି । ଶେଷକୁ ଜାଗ୍ରତ ହେବେ । ସମସ୍ତଙ୍କର ଆଖି ଖୋଲିଯିବ । ସ୍ଥୁଳ ଆଖି ନୁହେଁ, ବୁଦ୍ଧିରୂପୀ ଆଖି । ଛୋଟ-ଛୋଟ ଚିତ୍ରରେ ଏତେ ମଜା ଆସି ନ ଥାଏ । ଏହି ଚିତ୍ର ସବୁ ବଡ ବଡ ହୋଇ ରହିବା ଦରକାର । ବିଜ୍ଞାନ ମଧ୍ୟ କେତେ ସହଯୋଗ ଦେଉଛି । ବିନାଶରେ ପଞ୍ଚତତ୍ୱ ମଧ୍ୟ ସହଯୋଗ କରିବ । ବିନା ମୂଲ୍ୟରେ ତୁମକୁ କେତେ ସହଯୋଗ କରୁଛନ୍ତି । ତୁମ ପାଇଁ ଦୁନିଆର ବିଲ୍‌କୁଲ୍ ସଫା କରିଦେଉଛନ୍ତି । ଏହା ବିଲ୍‌କୁଲ୍ ଛି ଛି (ବିକାରୀ) ଦୁନିଆ ଅଟେ । ଆଜମେରରେ ସ୍ୱର୍ଗର ସ୍ମାରକୀ ରହିଛି । ଏଠାରେ ଦିଲୱାଡା ମନ୍ଦିରରେ ସ୍ଥାପନାର ସ୍ମାରକୀ ରହିଛି, କିନ୍ତୁ କିଛି ହେଲେ ବୁଝିପାରୁ ନାହାଁନ୍ତି । ଏବେ ତୁମେ ବୁଦ୍ଧିମାନ ହୋଇଛ । ଯଦିଓ ମନୁଷ୍ୟମାନେ କହୁଛନ୍ତି ଆମେ ଜାଣିନାହୁଁ ଯେ ବିନାଶ ହୋଇଯିବ, ସେମାନଙ୍କର ବୁଦ୍ଧିରେ ଆସୁନାହିଁ । ଗୋଟିଏ କାହାଣୀ ଅଛି ନା - ବାଘ ଆସିଲା, ବାଘ ଆସିଲା । ଶୁଣୁ ନ ଥିଲେ, ଦିନେ ବାଘ ଆସି ସବୁ ଗାଈ ଖାଇଗଲା । ତୁମେ ମଧ୍ୟ କହୁଛ ଏହି ପୁରୁଣା ଦୁନିଆ ଶେଷ ହେଲା କି ହେଲା । ବହୁତ ଗଇ ଥୋଡି ରହି.... ।

ଏହି ସମସ୍ତ ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ରହିବା ଉଚିତ୍ । ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ । ବାବାଙ୍କ ଆତ୍ମାରେ ମଧ୍ୟ ଜ୍ଞାନ ଅଛି, ସିଏ ଯେବେ ଶରୀରର ଆଧାର ନେଇଥା’ନ୍ତି ସେତେବେଳେ ଜ୍ଞାନ ଦେଇଥା’ନ୍ତି । ନିଶ୍ଚିତ ତାଙ୍କ ପାଖରେ ଜ୍ଞାନ ଅଛି ସେଥିପାଇଁ ତ ତାଙ୍କୁ ଜ୍ଞାନର ସାଗର ଈଶ୍ୱର ପିତା ବୋଲି କୁହାଯାଉଛି । ସିଏ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛନ୍ତି । ତୁମେ ନିଜକୁ ତ ଜାଣିଛ ନା ଏବଂ ସୃଷ୍ଟିଚକ୍ର କିପରି ଘୂରୁଛି ତା’ର ମଧ୍ୟ ଜ୍ଞାନ ଅଛି ସେଥିପାଇଁ ଇଂରାଜୀରେ ନଲେଜଫୁଲ ଅକ୍ଷର ବହୁତ ଭଲ । ସିଏ ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ବୀଜରୂପ ହୋଇଥିବାରୁ ତାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି । ତୁମେ ଏକଥା ପୁରୁଷାର୍ଥର କ୍ରମାନୁସାରେ ଜାଣିଛ । ଶିବବାବା ତ ଜ୍ଞାନର ସାଗର ଅଟନ୍ତି । ଏକଥା ଭଲ ଭାବରେ ବୁଦ୍ଧିରେ ରହିବା ଦରକାର । ଏପରି ନୁହେଁ ଯେ, ସମସ୍ତଙ୍କ ବୁଦ୍ଧିରେ ଏକାଭଳି ଧାରଣା ହେବ । ଯଦିଓ ଏକଥା ଲେଖୁଛନ୍ତି, କିନ୍ତୁ କିଛି ବି ଧାରଣା ହେଉନାହିଁ । କେବଳ ନାମକୁ ମାତ୍ର ଲେଖୁଛନ୍ତି, କିନ୍ତୁ କାହାକୁ କହିପାରିବେ ନାହିଁ, କେବଳ କାଗଜକୁ କହୁଛନ୍ତି । କାଗଜ ନେଇ କ’ଣ କରିବେ! କାଗଜ ଦ୍ୱାରା ତ କେହି କିଛି ବୁଝିପାରିବେ ନାହିଁ । ଏହି ଚିତ୍ର ଦ୍ୱାରା ବହୁତ ଭଲ ଭାବରେ ବୁଝିପାରିବେ । ଏହା ସବୁଠାରୁ ଶ୍ରେଷ୍ଠ ଜ୍ଞାନ ହୋଇଥିବାରୁ ଅକ୍ଷରଗୁଡିକ ମଧ୍ୟ ବଡ-ବଡ ହେବା ଦରକାର । ବଡ ବଡ ଚିତ୍ର ଦେଖି ମନୁଷ୍ୟମାନେ ଭାବିବେ ଏଥିରେ ନିଶ୍ଚିତ କିଛି ସାରାଂଶ ଅଛି । ସ୍ଥାପନା ଏବଂ ବିନାଶ ମଧ୍ୟ ଲେଖାଯାଇଛି । ରାଜଧାନୀର ସ୍ଥାପନା, ଏହା ହେଉଛି ଈଶ୍ୱର ପିତାଙ୍କର ଜନ୍ମସିଦ୍ଧ ଅଧିକାର । ଜୀବନମୁକ୍ତି ପ୍ରତ୍ୟେକ ସନ୍ତାନଙ୍କର ଅଧିକାର ଅଟେ । ତେଣୁ ପିଲାମାନଙ୍କ ବୁଦ୍ଧିରେ ରହିବା ଦରକାର ଯେ ସମସ୍ତେ ଜୀବନବନ୍ଧନରେ ଅଛନ୍ତି, ଏମାନଙ୍କୁ ଜୀବନବନ୍ଧରୁ ଜୀବନମୁକ୍ତିକୁ କିପରି ନେଇଯାଇପାରିବୁ? ପ୍ରଥମେ ଆମେ ଶାନ୍ତିଧାମକୁ ଯିବୁ ତା’ପରେ ସୁଖଧାମକୁ । ସୁଖଧାମକୁ ଜୀବନମୁକ୍ତି ବୋଲି କହିବା । ତେଣୁ ଏହି ଚିତ୍ର ସବୁ ସ୍ୱତନ୍ତ୍ର ଭାବରେ ବଡ-ବଡ ତିଆରି ହେବା ଦରକାର । ଏହା ମୁଖ୍ୟ ଚିତ୍ର ଅଟେ ନା । ଯଦି ବହୁତ ବଡ-ବଡ ଅକ୍ଷର ହେବ ତେବେ ମନୁଷ୍ୟମାନେ କହିବେ ବି.କେ. ଏତେ ବଡ ଚିତ୍ର ତିଆରି କରିଛନ୍ତି, ତେଣୁ ନିଶ୍ଚିତ ଭାବରେ ଏଥିରେ କିଛି ଜ୍ଞାନ ରହିଛି । ତେବେ ଯେଉଁଠାରେ ତୁମର ବଡ ବଡ ଚିତ୍ର ଲାଗିଥିବ ସେଠାରେ ପଚାରିବେ ଏହା କ’ଣ? ତେବେ କୁହ, ଏତେ ବଡ ବଡ ଚିତ୍ର ତୁମମାନଙ୍କୁ ବୁଝାଇବା ପାଇଁ ତିଆରି କରିଛୁ । ଏଥିରେ ସ୍ପଷ୍ଟ ଭାବରେ ଲେଖା ଯାଇଛି, ସେହିମାନଙ୍କର ହିଁ ଅବିନାଶୀ ବର୍ସା ଥିଲା । ଏହା କାଲିର କଥା ଅଟେ । ଆଜି ସିଏ ନାହାଁନ୍ତି କାହିଁକି ନା ୮୪ ପୁନର୍ଜନ୍ମ ନେଇ-ନେଇ ତଳକୁ ଆସିଛନ୍ତି । ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ ତ ହେବାକୁ ପଡିବ । ଏହା ଜ୍ଞାନ ଏବଂ ଭକ୍ତି, ପୂଜ୍ୟ ଏବଂ ପୂଜାରୀର ଖେଳ ଅଟେ ନା । ଅଧା-ଅଧାରେ ବିଲ୍‌କୁଲ୍ ପୂରା ଖେଳ ହେବାର ଅଛି । ତେବେ ଏହିଭଳି ବଡ-ବଡ ଚିତ୍ର ତିଆରି କରିବା ପାଇଁ ସାହାସ ଦରକାର, ସେବାର ସଉକ ମଧ୍ୟ ରହିବା ଦରକାର । ଦିଲ୍ଲୀର କୋଣେ ଅନୁକୋଣେ ସେବା କରିବା ଉଚିତ୍ । ମେଳା ମହୋତ୍ସବକୁ ତ ବହୁତ ଲୋକ ଯାଇଥା’ନ୍ତି ସେଠାରେ ତୁମର ଏହି ଚିତ୍ର ହିଁ କାମରେ ଆସିବ । ତ୍ରିମୂର୍ତ୍ତି, ସୃଷ୍ଟିଚକ୍ର ଏହା ହେଉଛି ମୁଖ୍ୟ । ଏହା ବହୁତ ଭଲ ଜିନିଷ ଅଟେ, ଅନ୍ଧ ଆଗରେ ଯେପରି ଦର୍ପଣ । ଅନ୍ଧମାନଙ୍କୁ ପାଠପଢା ଯାଇଥାଏ । ଆତ୍ମା ହିଁ ପଢିଥାଏ ନା । କିନ୍ତୁ ଆତ୍ମାର କର୍ମେନ୍ଦ୍ରିୟଗୁଡିକ ଯେତେବେଳେ ଛୋଟ ହୋଇଥାଏ ତାକୁ ପଢାଇବା ପାଇଁ ଚିତ୍ର ଆଦି ଦେଖାଇବାକୁ ହୋଇଥାଏ । ପୁଣି ଟିକେ ବଡ ହେଲେ ଦୁନିଆର ନକ୍ସା ଦେଖାଇଥା’ନ୍ତି । ପୁଣି ସେହି ସମସ୍ତ ନକ୍ସା ବୁଦ୍ଧିରେ ରହିଥାଏ । ଏବେ ତୁମ ବୁଦ୍ଧିରେ ସାରା ଡ୍ରାମାର ଚକ୍ର ରହିଛି, ଏତେ ସବୁ ଧର୍ମ ରହିଛି, କିପରି କ୍ରମାନୁସାରେ ଆସୁଛନ୍ତି, ପୁଣି ଚାଲିଯିବେ । ସେଠାରେ ତ ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ରହିବ, ଯାହାକୁ ସ୍ୱର୍ଗ ହେଭେନ୍ ବୋଲି କହୁଛନ୍ତି । ବାବାଙ୍କ ସହିତ ଆତ୍ମା ଯୋଗ ଯୁକ୍ତ ହେବା ଦ୍ୱାରା ପତିତରୁ ପାବନ ହୋଇଯିବ । ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ଯୋଗ ଅର୍ଥାତ୍ ୟାଦ । ବାବା ମଧ୍ୟ କହୁଛନ୍ତି ମୋତେ ୟାଦ କର । ଏହା କହିବାକୁ ପଡୁଛି । ଲୌକିକ ପିତାଙ୍କୁ କହିବାକୁ ପଡି ନ ଥାଏ କି ମୋତେ ମନେ ପକାଅ । ପିଲାମାନେ ସ୍ୱତଃ ବାବା ମମ୍ମା ବୋଲି କହିଥା’ନ୍ତି । ଇଏ ଲୌକିକ ମାତା-ପିତା, ସିଏ ପାରଲୌକିକ, ଯାହାର ଗାୟନ ଅଛି - ତୁମରି କୃପାରୁ ଅସରନ୍ତି ସୁଖ ପାଉଛୁ । ଯେଉଁମାନେ ଦୁଃଖୀ ଅଟନ୍ତି, ସେହିମାନେ ହିଁ ଗୀତ ଗାଉଛନ୍ତି । ମୁଖରେ ତ କହିବାର ଆବଶ୍ୟକ ନାହିଁ । ଦୁଃଖରେ ଥିବାରୁ ସମସ୍ତେ ଡାକିଥା’ନ୍ତି । ଏବେ ତୁମେ ବୁଝିଗଲଣି ଇଏ ଆମର ମାତା-ପିତା ଅଟନ୍ତି । ବାବା କହୁଛନ୍ତି ନା - ଦିନକୁ ଦିନ ମୁଁ ତୁମକୁ ଗୁହ୍ୟ କଥା ଶୁଣାଉଛି । ଆଗରୁ କ’ଣ ତୁମେ ଜାଣିଥିଲ କି ମାତା-ପିତା କାହାକୁ କୁହାଯାଉଛି? ଏବେ ତୁମେ ଜାଣୁଛ ତାଙ୍କୁ ହିଁ ପିତା ବୋଲି କୁହାଯାଉଛି । ବ୍ରହ୍ମାଙ୍କ ମାଧ୍ୟମରେ ପିତାଙ୍କଠାରୁ ବର୍ସା ମିଳୁଛି । ତେବେ ମାତା ମଧ୍ୟ ଦରକାର ନା କାହିଁକି ନା ପିଲାମାନଙ୍କୁ ପୋଷ୍ୟ କରିବାକୁ ହେବ । ଏହି କଥା କାହାରି ବି ଧ୍ୟାନରେ ଆସିବ ନାହିଁ । ତେବେ ବାବା ବାରମ୍ବାର କହୁଛନ୍ତି - ମିଠା-ମିଠା ପିଲାମାନେ, ବାବାଙ୍କୁ ୟାଦ କରୁଥାଅ । ତୁମକୁ ଲକ୍ଷ୍ୟ ମିଳିଯାଇଛି, ତେଣୁ ତୁମେ ଯେଉଁଆଡେ ବି ଯାଅ, ବିଦେଶକୁ ବି ଯାଅ, ୭ ଦିନ କୋର୍ସ କରିଛ ତାହା ହିଁ ବହୁତ ଅଟେ । ବାବାଙ୍କଠାରୁ ତ ବର୍ସା ନେବାର ଅଛି । ୟାଦ କରିବା ଦ୍ୱାରା ହିଁ ଆତ୍ମା ପବିତ୍ର ହେବ, ସ୍ୱର୍ଗର ମାଲିକ ହୋଇଯିବ । ଏହି ଲକ୍ଷ୍ୟ ତୁମ ବୁଦ୍ଧିରେ ଅଛି, ତେଣୁ ତୁମେ କୁଆଡେ ବି ଯାଇପାରିବ । ଗୀତାର ସମସ୍ତ ଜ୍ଞାନ ଏହି ବ୍ୟାଜରେ ସମାହିତ ହୋଇ ରହିଛି । କାହାକୁ ପଚାରିବାର ଆବଶ୍ୟକତା ନାହିଁ ଯେ କ’ଣ କରିବାକୁ ହେବ । ଯଦି ବାବାଙ୍କଠାରୁ ବର୍ସା ନେବାର ଅଛି ତେବେ ନିଶ୍ଚିତ ତାଙ୍କୁ ୟାଦ କରିବାକୁ ହେବ । ତୁମେ ଅନେକ ଥର ଏହି ବର୍ସା ବାବାଙ୍କଠାରୁ ନେଇଛ । ଡ୍ରାମାର ଚକ୍ର ରିପିଟ୍ (ପୁନରାବୃତ୍ତି) ହୋଇ ଚାଲିଛି ନା । ଅନେକ ଥର ତୁମେ ଶିକ୍ଷକଙ୍କ ପାଖରେ ପାଠପଢି କିଛି ନା କିଛି ପଦ ପ୍ରାପ୍ତ କରିଛ । ପାଠପଢା ସମୟରେ ବୁଦ୍ଧିଯୋଗ ଶିକ୍ଷକଙ୍କ ସହିତ ରହିଥାଏ ନା । ପରୀକ୍ଷା ଛୋଟ ହେଉ ଅଥବା ବଡ, ଆତ୍ମା ତ ପଢିଥାଏ ନା । ଏହି ବ୍ରହ୍ମାଙ୍କର ଆତ୍ମା ମଧ୍ୟ ପଢୁଛି । ତୁମକୁ ଶିକ୍ଷକଙ୍କୁ ଏବଂ ଲକ୍ଷ୍ୟକୁ ୟାଦ କରିବାକୁ ହେବ । ସୃଷ୍ଟିର ଚକ୍ରକୁ ବି ବୁଦ୍ଧିରେ ରଖିବାକୁ ହେବ । ବାବା ଏବଂ ବର୍ସାକୁ ୟାଦ କରିବାକୁ ହେବ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ଯେତେ ଧାରଣ କରିବେ ସେତେ ଉଚ୍ଚ ପଦ ପାଇବେ । ଯଦି ଭଲ ଭାବରେ ୟାଦ କରୁଥିବେ ତେବେ ଏଠାକୁ ଆସିବା ମଧ୍ୟ କ’ଣ ଦରକାର କିନ୍ତୁ ତଥାପି ବି ଆସୁଛନ୍ତି । ଭାବୁଛନ୍ତି ଏଭଳି ଉଚ୍ଚ ବାବା, ଯାହାଙ୍କଠାରୁ ଏତେ ବେହଦର ବର୍ସା ମିଳୁଛି ତାଙ୍କ ସହିତ ମିଶିକରି ଆସିବୁ । ମନମନାଭବର ମନ୍ତ୍ର ନେଇ ସମସ୍ତେ ଆସୁଛନ୍ତି । ତୁମକୁ ତ ବହୁତ ଶ୍ରେଷ୍ଠ ମନ୍ତ୍ର ମିଳୁଛି । ସାରା ଜ୍ଞାନ ତ ଭଲ ଭାବରେ ବୁଦ୍ଧିରେ ରହିଛି ।

ଏବେ ତୁମେମାନେ ବୁଝୁଛ ଯେ ବିନାଶୀ ରୋଜଗାର ପଛରେ ଅଧିକ ସମୟ ନଷ୍ଟ କରିବାର ନାହିଁ । ସେସବୁ ତ ମାଟିରେ ମିଶିଯବ । ବାବାଙ୍କୁ କ’ଣ କିଛି ଆବଶ୍ୟକତା ଅଛି? କିଛ ବି ନୁହେଁ । ଯାହା କିଛି ଖର୍ଚ୍ଚ ଆଦି କରୁଛନ୍ତି ତାହା ନିଜ ପାଇଁ ହିଁ କରୁଛନ୍ତି । ଏଥିରେ ତୁମର ପଇସାଟିଏ ବି ଖର୍ଚ୍ଚ ହେଉନାହିଁ । ତୁମକୁ ତ ଲଢେଇ ପାଇଁ ଗୋଳା ବାରୁଦ ବା ଟ୍ୟାଙ୍କ୍ ଆଦି କିଣିବାର ନାହିଁ । କିଛି ବି ନୁହେଁ । ତୁମେ ଲଢେଇ କରୁଛ କିନ୍ତୁ ସାରା ଦୁନିଆଠାରୁ ଗୁପ୍ତ ଅଟ । ସେହିପରି ତୁମର ଲଢେଇ ଦେଖ କିପରି ଆଶ୍ଚର୍ଯ୍ୟଜନକ । ଏହାକୁ କୁହାଯାଏ ଯୋଗବଳ, ଏ ସବୁ ଗୁପ୍ତ କଥା ଅଟେ । ଏଥିରେ କାହାକୁ ମାରିବା ଦରକାର ନାହିଁ । ତୁମକୁ କେବଳ ବାବାଙ୍କୁ ମନେ ପକାଇବାର ଅଛି । ଦୁନିଆର ସମସ୍ତ ମନୁଷ୍ୟଙ୍କର ମୃତ୍ୟୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ପ୍ରତ୍ୟେକ ୫ ହଜାର ବର୍ଷ ପରେ ତୁମେ ଯୋଗବଳ ଜମା କରିବା ପାଇଁ ପାଠ ପଢୁଛ । ପାଠପଢା ଶେଷ ହେଲା ତା’ପରେ ପୁଣି ନୂଆ ଦୁନିଆରେ ପ୍ରାଲବ୍ଧ ଦରକାର । ପୁରୁଣା ଦୁନିଆର ବିନାଶ ପାଇଁ ଏହି ପ୍ରାକୃତିକ ବିପର୍ଯ୍ୟୟ ଦରକାର । ଗାୟନ ମଧ୍ୟ ଅଛି ନା- ନିଜ କୁଳର ବିନାଶ କିପରି କରୁଛନ୍ତି । ଏହା କେତେ ବିଶାଳ ବଂଶ ଅଟେ । ଏଥିରେ ସାରା ୟୁରୋପ ଆସିଯାଉଛି । ଭାରତ ଅଲଗା ଗୋଟିଏ କୋଣରେ ରହିଛି । ବାକି ସବୁ ସମାପ୍ତ ହୋଇଯିବ । ଯୋଗବଳ ଦ୍ୱାରା ତୁମେ ସାରା ବିଶ୍ୱ ଉପରେ ବିଜୟ ପ୍ରାପ୍ତ କରୁଛ, ତୁମକୁ ଏହି ଲକ୍ଷ୍ମୀ-ନାରାୟଣଙ୍କ ଭଳି ପବିତ୍ର ମଧ୍ୟ ହେବାକୁ ପଡିବ । ସେଠାରେ ବିକାରୀ ଦୃଷ୍ଟି ହିଁ ରହିବ ନାହିଁ । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍‌କାର ହେବ । ନିଜ ଦେଶର ନିକଟତର ହେଲେ ଦୂରରୁ ସେ ଦେଶର ଦୃଶ୍ୟ ସବୁ ଦୃଶ୍ୟମାନ ହୋଇଥାଏ ନା । ତେଣୁ ଖୁସି ହୋଇଥା’ନ୍ତି ଯେ ଏବେ ଯାଇ ଆମେ ନିଜର ଘର ପହଞ୍ଚିବୁ । ତୁମେ ମଧ୍ୟ ଘରକୁ ବାହାରିଲଣି ପୁଣି ନିଜର ସୁଖଧାମକୁ ଆସିବ । ଆଉ ବାକି ଅଳ୍ପ ସମୟ ଅଛି, ସ୍ୱର୍ଗରୁ ବିଦାୟ ନେବା କେତେ ସମୟ ହୋଇଗଲାଣି । ଏବେ ପୁଣି ସ୍ୱର୍ଗ ନିକଟତର ହୋଇଗଲାଣି । ତୁମର ବୁଦ୍ଧି ଉପରକୁ ଚାଲିଯାଉଛି । ତାହା ହେଉଛି ନିରାକାରୀ ଦୁନିଆ, ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଉଛି । ଆମେମାନେ ସେଠାକାର ବାସିନ୍ଦା ଅଟୁ । ଏଠାରେ ଆମେ ୮୪ ଜନ୍ମର ପାର୍ଟ କରିଲୁ । ଏବେ ଆମେ ଘରକୁ ଯାଉଛୁ । ତୁମେମାନେ ଅଲରାଉଣ୍ଡର ଅଟ, ଆରମ୍ଭରୁ ପୂରା ୮୪ ଜନ୍ମ ନେଉଛ । ବିଳମ୍ବରେ ଆସିଥିବା ଆତ୍ମାଙ୍କୁ ଅଲରାଉଣ୍ଡର କୁହାଯିବ ନାହିଁ । ବାବା ବୁଝାଇଛନ୍ତି – ଅତି ବେଶୀରେ ଏବଂ ଅତି କମ୍‌ରେ କେତେ ଜନ୍ମ ନେଉଛନ୍ତି? ଗୋଟିଏ ଜନ୍ମ ମଧ୍ୟ ନେଇଥା’ନ୍ତି । ଅନ୍ତିମ ସମୟରେ ସମସ୍ତେ ଘରକୁ ଚାଲିଯିବେ । ନାଟକ ଶେଷ ହେଲା, ଖେଳ ଖଲାସ । ଏବେ ବାବା ବୁଝାଉଛନ୍ତି - ମୋତେ ୟାଦ କର, ତେବେ ତୁମର ଅନ୍ତିମ ମତି ଅନୁସାରେ ଗତି ହୋଇଯିବ । ବାବାଙ୍କ ପାଖକୁ ପରମଧାମ ଚାଲିଯିବ । ତାକୁ କୁହନ୍ତି ମୁକ୍ତିଧାମ, ଶାନ୍ତିଧାମ ପୁଣି ସୁଖଧାମ କୁହାଯାଉଛି । ଏହା ହେଉଛି ଦୁଃଖଧାମ । ଉପରୁ ପ୍ରତ୍ୟେକ ଆତ୍ମା ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ, ରଜଃ, ତମଃରେ ଆସିଥା’ନ୍ତି । ଗୋଟିଏ ଜନ୍ମ ନେଲେ ମଧ୍ୟ ଏହି ୪ଟି ଅବସ୍ଥା ଭୋଗ କରିବେ । ବାବା କେତେ ଭଲ ଭାବରେ ପିଲାମାନଙ୍କୁ ବସି ବୁଝାଉଛନ୍ତି, ତଥାପି ପିଲାମାନେ ୟାଦ କରୁନାହାଁନ୍ତି । ବାବାଙ୍କୁ ଭୁଲିଯାଉଛନ୍ତି, କ୍ରମାନୁସାରେ ଅଛନ୍ତି ନା । ପିଲାମାନେ ଜାଣିଛନ୍ତି ପୁରୁଷାର୍ଥର କ୍ରମାନୁସାରେ ରୁଦ୍ରମାଳା ତିଆରି ହୋଇଥାଏ । କେତେ କୋଟି ଆତ୍ମାଙ୍କର ରୁଦ୍ରମାଳା ରହିଛି । ଏହା ବେହଦ ବିଶ୍ୱର ମାଳା ଅଟେ । ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା, ଉଭୟଙ୍କର ସଜ୍ଞା ଦେଖ, ଏହା ହେଉଛି ପ୍ରଜାପିତା ବ୍ରହ୍ମାଙ୍କର ନାମ । ଅଧାକଳ୍ପ ପରେ ପୁଣି ରାବଣ ଆସୁଛି । ଦୈବୀ ଦୁନିଆ, ପୁଣି ଇସ୍‌ଲାମୀ..... । ଆଦମ ବିବିଙ୍କୁ ମଧ୍ୟ ମନେ ପକାଉଛନ୍ତି । ସ୍ୱର୍ଗକୁ ବି ମନେ ପକାଉଛନ୍ତି । ଭାରତ ପାରାଡାଇଜ୍ (ସ୍ୱର୍ଗ) ଥିଲା, ପିଲାମାନେ ବହୁତ ଖୁସି ହେବା ଉଚିତ୍ । ବେହଦର ବାବା, ଯିଏକି ସର୍ବୋଚ୍ଚ ଭଗବାନ ଅଟନ୍ତି, ସିଏ ଉଚ୍ଚରୁ ଉଚ୍ଚ ପାଠ ପଢାଉଛନ୍ତି । ତେଣୁ ଆମକୁ ଉଚ୍ଚରୁ ଉଚ୍ଚ ପଦ ମିଳୁଛି । ସବୁଠାରୁ ସର୍ବୋଚ୍ଚ ଶିକ୍ଷକ ହେଲେ ବାବା । ସିଏ ଶିକ୍ଷକ ବି ଅଟନ୍ତି ପୁଣି ସାଥିରେ ନେଇ ଯାଉଥିବାରୁ ସଦ୍‌ଗୁରୁ ମଧ୍ୟ ଅଟନ୍ତି । ଏଭଳି ବାବା କାହିଁକି ମନେ ନ ରହିବେ । ତୁମର ଖୁସିର ନିଶା ଚଢି ରହିବା ଉଚିତ୍ । କିନ୍ତୁ ଏହା ଯୁଦ୍ଧ ଭୂମି ହୋଇଥିବାରୁ ମାୟା ଖୁସିରେ ରହିବାକୁ ଦେଉନାହିଁ । ବାରମ୍ବାର ସ୍ଥିତିରୁ ବିଚ୍ୟୁତ ହେଉଛନ୍ତି । ବାବା ତ କହୁଛନ୍ତି - ପିଲାମାନେ, ୟାଦ କରିବା ଦ୍ୱାରା ହିଁ ତୁମେ ମାୟାଜିତ୍ ହେବ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବା ଯାହା ସବୁ ଶିଖାଉଛନ୍ତି ସେଗୁଡିକୁ କାର୍ଯ୍ୟକାରୀ କରିବାକୁ ହେବ, କେବଳ କାଗଜରେ ଲେଖି ରଖିବାର ନାହିଁ । ବିନାଶ ପୂର୍ବରୁ ଜୀବନବନ୍ଧନରୁ ଜୀବନମୁକ୍ତ ପଦ ପ୍ରାପ୍ତ କରିବାକୁ ହେବ ।

(୨) ନିଜର ବିନାଶୀ ରୋଜଗାର ପଛରେ ଅଧିକ ସମୟ ନଷ୍ଟ କରିବାର ନାହିଁ, କାହିଁକି ନା ଏସବୁ ତ ମାଟିରେ ମିଶିବାକୁ ଯାଉଛି, ସେଥିପାଇଁ ବେହଦର ପିତାଙ୍କଠାରୁ ବେହଦର ସମ୍ପତ୍ତି ନେବାକୁ ହେବ ଏବଂ ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ ।

ରଦାନ:-
ନିଜର ଯୋଗ ବଳ ଦ୍ୱାରା ମାୟାର ଶକ୍ତି ଉପରେ ବିଜୟ ପ୍ରାପ୍ତ କରୁଥିବା ସଦା ବିଜୟୀ ଭବ ।

ଜ୍ଞାନବଳ ଏବଂ ଯୋଗ ବଳ ସବୁଠାରୁ ଶ୍ରେଷ୍ଠ ବଳ ଅଟେ । ଯେପରି ବିଜ୍ଞାନର ବଳ ଅନ୍ଧକାର ଉପରେ ବିଜୟ ପ୍ରାପ୍ତ କରି ଆଲୋକ ସୃଷ୍ଟି କରି ଦେଉଛି ସେହିପରି ଯୋଗବଳ ସଦାକାଳ ପାଇଁ ମାୟା ଉପରେ ବିଜୟ ପ୍ରାପ୍ତ କରାଇ ତୁମକୁ ବିଜୟୀ କରି ଦେଉଛି ଏବଂ ଯୋଗବଳ ଏତେ ଶ୍ରେଷ୍ଠ ବଳ ଯାହାକି ମାୟାର ଶକ୍ତି ତା’ ତୁଳନାରେ କିଛି ବି ନୁହେଁ । ଯୋଗବଳରେ ସମ୍ପନ୍ନ ଆତ୍ମାମାନେ ସ୍ୱପ୍ନରେ ମଧ୍ୟ ମାୟାଠାରୁ ପରାସ୍ତ ହୋଇପାରିବେ ନାହିଁ, ସ୍ୱପ୍ନରେ ମଧ୍ୟ ସେମାନଙ୍କ ଭିତରେ କୌଣସି ଦୁର୍ବଳତା ଆସିପାରିବ ନାହିଁ । ଏହିଭଳି ବିଜୟର ତିଳକ ତୁମମାନଙ୍କର ମସ୍ତକରେ ଲାଗି ରହିଛି ।

ସ୍ଲୋଗାନ:-
ଯଦି ପ୍ରଥମ ନମ୍ବର ସ୍ଥାନ ଗ୍ରହଣ କରିବାକୁ ଚାହୁଁଛ ତେବେ ବ୍ୟର୍ଥକୁ ସମର୍ଥରେ ପରିବର୍ତ୍ତନ କରିଦିଅ ।