08.01.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କର ଶ୍ରୀମତ ତୁମକୁ ୨୧ ପିଢି ପର୍ଯ୍ୟନ୍ତ ସୁଖ ଦେଇଥାଏ, ଏଭଳି ଅଦ୍ୱିତୀୟ ମତ ବାବାଙ୍କ
ବ୍ୟତୀତ କେହି ବି ଦେଇପାରିବେ ନାହିଁ ତେଣୁ ତୁମେ ଶ୍ରୀମତ ଅନୁସାରେ ଆଗେଇ ଚାଲ ।”
ପ୍ରଶ୍ନ:-
ନିଜକୁ ନିଜେ
ରାଜତିଳକ ଦେବାର ସହଜ ପୁରୁଷାର୍ଥ କ’ଣ?
ଉତ୍ତର:-
(୧) ନିଜକୁ ନିଜେ ରାଜତିଳକ ଦେବାକୁ ହେଲେ ବାବାଙ୍କ ଦ୍ୱାରା ଯେଉଁ ସବୁ ଶିକ୍ଷା ମିଳୁଛି ତାହାକୁ
ଭଲ ଭାବେ ଧାରଣ କର । ଏଥିରେ ଆଶୀର୍ବାଦ କିମ୍ବା କୃପା ଆଦିର କଥା ନାହିଁ (୨) ଏକମାତ୍ର ପିତାଙ୍କୁ
ହିଁ ଅନୁକରଣ କର, ଅନ୍ୟ କାହାକୁ ଦେଖ ନାହିଁ, ମନମନାଭବ ସ୍ୱରୂପରେ ସ୍ଥିତ ହୁଅ, ଏହା ଦ୍ୱାରା ଆପେ
ଆପେ ତୁମକୁ ରାଜତିଳଳ ମିଳିଯିବ । ପାଠପଢା ଏବଂ ଯୋଗର ଯାତ୍ରା ଦ୍ୱାରା ହିଁ, ତୁମେ ବେଗରରୁ
ପ୍ରିନ୍ସ ଅର୍ଥାତ୍ ଭିକାରୀରୁ ରାଜକୁମାର ହେଉଛ ।
ଗୀତ:-
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ଯେତେବେଳେ ବାବା
ଏବଂ ଦାଦା ଓମ୍ ଶାନ୍ତି କହୁଛନ୍ତି ସେତେବେଳେ ଦୁଇ ଥର ମଧ୍ୟ କହିପାରିବେ କାରଣ ଉଭୟେ ଗୋଟିଏ ଶରୀର
ମଧ୍ୟରେ ବିଦ୍ୟମାନ ଅଛନ୍ତି । ଜଣେ ହେଉଛନ୍ତି ଅବ୍ୟକ୍ତ, ଆଉ ଜଣେ ବ୍ୟକ୍ତ, ଉଭୟ ଏକାଠି ଅଛନ୍ତି ।
ଉଭୟ ଏକାଠି କଥା ମଧ୍ୟ କହିଥା’ନ୍ତି । ଅଲଗା-ଅଲଗା ବି କହିପାରନ୍ତି । ଏହା ହିଁ ହେଉଛି
ଆଶ୍ଚର୍ଯ୍ୟର କଥା । ଦୁନିଆରେ କେହି ଜାଣିନାହାଁନ୍ତି ଯେ ପରମପିତା ପରମାତ୍ମା ଏହି ବ୍ରହ୍ମାଙ୍କ
ଶରୀରରେ ଆସି ଜ୍ଞାନ ଶୁଣାଉଛନ୍ତି । ଏ କଥା କେଉଁଠି ବି ଲେଖା ହୋଇନାହିଁ । ବାବା କଳ୍ପ ପୂର୍ବେ
ମଧ୍ୟ କହିଥିଲେ, ଏବେ ବି କହୁଛନ୍ତି ଯେ ମୁଁ ଏହି ସାଧାରଣ ଶରୀରରେ ବହୁତ ଜନ୍ମର ଅନ୍ତରେ
ୟାଙ୍କଠାରେ ପ୍ରବେଶ କରିଥାଏ, ୟାଙ୍କର ଆଧାର ନେଇଥାଏ । ଗୀତାରେ କିଛି ନା କିଛି ଏପରି ମହାବାକ୍ୟ
ରହିଛି ଯାହା ବାସ୍ତବିକ ଅଟେ । ଏହା ବାସ୍ତବିକ ଅକ୍ଷର ଅଟେ - ମୁଁ ବହୁତ ଜନ୍ମର ଅନ୍ତିମ ସମୟରେ
ପ୍ରବେଶ କରିଥାଏ, ଯେବେକି ଇଏ ବାନପ୍ରସ୍ଥ ଅବସ୍ଥାରେ ଥା’ନ୍ତି । ୟାଙ୍କ ପାଇଁ ଏ କଥା କହିବା
ଯଥାର୍ଥ ଅଟେ । ସତ୍ୟଯୁଗରେ ପ୍ରଥମ ଜନ୍ମ ଏହି ବ୍ରହ୍ମାଙ୍କର ହେବ । ପୁଣି ଶେଷ ଜନ୍ମରେ
ବାନପ୍ରସ୍ଥ ଅବସ୍ଥାରେ ଥା’ନ୍ତି, ଯାହାଙ୍କ ଶରୀରରେ ଶିବବାବା ପ୍ରବେଶ କରିଥା’ନ୍ତି । ତେଣୁ
ୟାଙ୍କ ପାଇଁ ହିଁ କହିଥା’ନ୍ତି, ଇଏ ଜାଣିନାହାଁନ୍ତି ଯେ ମୁଁ କେତେ ପୁର୍ନଜନ୍ମ ନେଇଛି ।
ଶାସ୍ତ୍ରରେ ୮୪ ଲକ୍ଷ ପୁର୍ନଜନ୍ମ ଲେଖିଦେଇଛନ୍ତି । ଏ ସବୁ ଭକ୍ତିମାର୍ଗର କଥା । ଏହାକୁ ହିଁ
କୁହାଯାଏ - ଭକ୍ତିର ପ୍ରଥା । ଜ୍ଞାନ କାଣ୍ଡ ଅଲଗା, ଭକ୍ତିକାଣ୍ଡ ଅଲଗା । ଭକ୍ତି କରି-କରି ତଳକୁ
ଆସିଯାଇଛନ୍ତି । ଏହି ଜ୍ଞାନ ତ ଥରେ ମାତ୍ର ମିଳିଥାଏ । ବାବା ଥରେ ମାତ୍ର ସମସ୍ତଙ୍କର ସଦ୍ଗତି
କରିବାକୁ ଆସିଥା’ନ୍ତି । ବାବା ଥରେ ମାତ୍ର ଆସି ଭବିଷ୍ୟତ ପାଇଁ ସମସ୍ତଙ୍କର ପ୍ରାରବ୍ଧ ତିଆରି
କରାଇଥା’ନ୍ତି । ତୁମେ ପଢୁଛ ଭବିଷ୍ୟତ ନୂଆ ଦୁନିଆ ପାଇଁ । ବାବା ନୂଆ ରାଜଧାନୀ ସ୍ଥାପନ କରିବା
ପାଇଁ ଆସିଛନ୍ତି ସେଥିପାଇଁ ଏହାକୁ ରାଜଯୋଗ କୁହାଯାଏ । ଏହାର ବହୁତ ମହତ୍ୱ ରହିଛି । ଲୋକମାନେ
ଚାହୁଁଛନ୍ତି ଭାରତର ପ୍ରାଚୀନ ରାଜଯୋଗ କେହି ଶିଖାନ୍ତୁ, ପରନ୍ତୁ ଆଜିକାଲି ସନ୍ନ୍ୟାସୀମାନେ
ବାହାରକୁ ଅର୍ଥାତ୍ ବିଦେଶକୁ ଯାଇ କହୁଛନ୍ତି ଯେ, ଆମେ ପ୍ରାଚୀନ ରାଜଯୋଗ ଶିଖାଉଛୁ । ତେଣୁ ସେମାନେ
ମଧ୍ୟ କହୁଛନ୍ତି, ଆମେ ଶିଖିବୁ କାରଣ ସେମାନେ ଭାବୁଛନ୍ତି, ଏହି ଯୋଗ ଦ୍ୱାରା ହିଁ ସ୍ୱର୍ଗ
ସ୍ଥାପନ ହୋଇଥିଲା । ବାବା ବୁଝାଉଛନ୍ତି - ଯୋଗବଳ ଦ୍ୱାରା ତୁମେ ସ୍ୱର୍ଗର ମାଲିକ ହେଉଛ । ବାବା
ହିଁ ସ୍ୱର୍ଗର ସ୍ଥାପନା କରୁଛନ୍ତି । କିପରି ସ୍ଥାପନ କରୁଛନ୍ତି, ସେ କଥା କେହି ଜାଣିନାହାଁନ୍ତି
। ଏହି ରାଜଯୋଗ ଆତ୍ମିକ ପିତା ହିଁ ଶିଖାଉଛନ୍ତି । ଦେହଧାରୀ କେହି ମନୁଷ୍ୟ ଶିଖାଇ ପାରିବେ ନାହିଁ
। ଆଜିକାଲି ଅପମିଶ୍ରଣ, ଦୁର୍ନିତୀ ତ ବହୁତ ହେଉଛି ତେଣୁ ବାବା କହୁଛନ୍ତି - ମୁଁ ପତିତ ପାବନ ଅଟେ
। ତେଣୁ ନିଶ୍ଚିତ କେହି ପତିତ କରାଉଥିବ । ଏବେ ତୁମେମାନେ ବିଚାର କର - ବାସ୍ତବରେ ଏହା ହିଁ ଠିକ୍
କଥା ନା? ମୁଁ ହିଁ ଆସି ସମସ୍ତ ବେଦ-ଶାସ୍ତ୍ର ଆଦିର ସାରାଂଶ ଶୁଣାଉଛି । ଜ୍ଞାନ ଦ୍ୱାରା ତୁମକୁ
୨୧ ଜନ୍ମର ସୁଖ ମିଳୁଛି । ଭକ୍ତିମାର୍ଗରେ ଅଳ୍ପକାଳ କ୍ଷଣଭଙ୍ଗୁର ସୁଖ ମିଳିଥାଏ, କିନ୍ତୁ ଏହା ୨୧
ପିଢିର ସୁଖ, ଯାହା ବାବା ହିଁ ଦେଉଛନ୍ତି । ବାବା ତୁମମାନଙ୍କୁ ସଦ୍ଗତି ଦେବା ପାଇଁ ଯେଉଁ
ଶ୍ରୀମତ ଦେଉଛନ୍ତି, ତାହା ସବୁଠୁ ଅଲଗା ଅଟେ । ଏହି ବାବା ସମସ୍ତଙ୍କ ହୃଦୟକୁ ଜିଣି ନେଉଛନ୍ତି ।
ଯେପରି ସେଠାରେ ଜଡ ଦିଲୱାଡା ମନ୍ଦିର ଅଛି, ଏହି ମଧୁବନ ତୁମର ଚୈତନ୍ୟ ଦିଲ୍ୱାଲା ମନ୍ଦିର ଅଟେ ।
ସେଠାରେ ସଠିକ୍ ତୁମର କାର୍ଯ୍ୟକଳାପର ହିଁ ଚିତ୍ର ରହିଛି । ବର୍ତ୍ତମାନ ତୁମର ସେହି କାର୍ଯ୍ୟକଳାପ
ଚାଲିଛି । ଦିଲୱାଲା ବାବା ମିଳିଛନ୍ତି - ସମସ୍ତଙ୍କର ସଦ୍ଗତି କରୁଛନ୍ତି, ସମସ୍ତଙ୍କ ଦୁଃଖ ହରି
ସୁଖ ଦେଉଛନ୍ତି । ତାଙ୍କର ବହୁତ ଉଚ୍ଚ ମହିମାର ଗାୟନ ହୋଇଛି । ଏହା ସର୍ବୋଚ୍ଚ ଭଗବାନ ଶିବଙ୍କର
ମହିମା ଅଟେ । ଯଦିଓ ଚିତ୍ରରେ ଶଙ୍କରଙ୍କ ଆଗରେ ଶିବଙ୍କର ଚିତ୍ର ଦେଖାଇଛନ୍ତି । ବାସ୍ତବରେ
ଦେବତାମାନଙ୍କ ଆଗରେ ଶିବଙ୍କର ଚିତ୍ର ରଖିବା ନିଷେଧ । ସେମାନେ ତ ଭକ୍ତି କରନ୍ତି ନାହିଁ । ଭକ୍ତି
ନା ଦେବତାମାନେ କରନ୍ତି ନା ସନ୍ନ୍ୟାସୀମାନେ କରିପାରନ୍ତି । ସେମାନେ ହେଉଛନ୍ତି ବ୍ରହ୍ମଜ୍ଞାନୀ,
ତତ୍ତ୍ୱଜ୍ଞାନୀ । ଯେପରି ଏହା ଆକାଶତତ୍ତ୍ୱ ଅଟେ, ସେହିପରି ତାହା ହେଉଛି ବ୍ରହ୍ମତତ୍ତ୍ୱ । ସେମାନେ
ବାବାଙ୍କୁ ତ ମନେ ପକାନ୍ତି ନାହିଁ । ନା ତାଙ୍କୁ ଏହି ମହାମନ୍ତ୍ର ମିଳିଥାଏ । ଏହି ମହାମନ୍ତ୍ର
ବାବା ହିଁ ଆସି ସଂଗମଯୁଗରେ ଦେଉଛନ୍ତି । ସମସ୍ତଙ୍କର ସଦ୍ଗତି ଦାତା ବାବା ଥରେ ମାତ୍ର ଆସି
ମନମନାଭବର ମନ୍ତ୍ର ଦେଉଛନ୍ତି । ବାବା କହୁଛନ୍ତି - ପିଲେ, ଦେହ ସହିତ ଦେହର ସବୁ ଧର୍ମକୁ ତ୍ୟାଗ
କରି, ନିଜକୁ ଅଶରୀରୀ ଆତ୍ମା ଭାବି ମୋତେ ମନେ ପକାଅ । ବାବା ବହୁତ ସହଜ ରୀତିରେ ବୁଝାଉଛନ୍ତି ।
ରାବଣ ରାଜ୍ୟରେ ତୁମେ ସବୁ ଦେହ-ଅଭିମାନୀ ହୋଇଯାଇଛ । ଏବେ ବାବା ତୁମକୁ ଆତ୍ମ-ଅଭିମାନୀ କରାଉଛନ୍ତି
। ନିଜକୁ ଆତ୍ମା ଭାବି ମୋତେ ମନେ ପକାଉଥାଅ, ତେବେ ଆତ୍ମାରେ ଯେଉଁ ଖାଦ ପଡିଛି, ତାହା ବାହାରିଯିବ
। ସତ୍ତ୍ୱପ୍ରଧାନରୁ ସତ୍ତ୍ୱକୁ ଆସିଲେ କଳା କମ୍ ହୋଇଯାଏ ନା । ସୁନାର ମଧ୍ୟ କ୍ୟାରେଟ୍ ଥାଏ ନା ।
ଏବେ ତ କଳିଯୁଗ ଶେଷରେ ସୁନା ଦେଖିବାକୁ ମଧ୍ୟ ମିଳୁ ନାହିଁ, ସତ୍ୟଯୁଗରେ ତ ସୁନାର ମହଲ ଥାଏ ।
କେତେ ରାତି-ଦିନର ଫରକ ରହିଛି! ତାର ନାମ ହିଁ ହେଉଛି - ସୁବର୍ଣ୍ଣ ଦୁନିଆ । ସେଠାରେ ଇଟା-ପଥର
ଆଦିରେ କୌଣସି କାମ ହେବ ନାହିଁ । ଘର ତିଆରି ହେଲେ ସେଥିରେ ସୁନା-ଚାନ୍ଦି ବ୍ୟତୀତ କୌଣସି ମାଟି
କାଦୁଅରେ କାମ ହେବ ନାହିଁ । ସେଠାରେ ବିଜ୍ଞାନର ବହୁତ ସୁଖ ମିଳିଥାଏ । ଏହିପରି ଡ୍ରାମା ନିର୍ମିତ
ହୋଇଛି । ଏହି ସମୟରେ ବିଜ୍ଞାନର ବହୁତ ଗର୍ବ ରହିଛି, ସତ୍ୟଯୁଗରେ ଗର୍ବି କୁହାଯିବ ନାହିଁ ।
ସେଠାରେ ତ ବିଜ୍ଞାନ ଦ୍ୱାରା ତୁମକୁ ବହୁତ ସୁଖ ମିଳିବ । ଏଠାରେ ଅଳ୍ପ ସୁଖ ମିଳୁଛି ବେଶି ଦୁଃଖ
ମିଳୁଛି । ବୋମା ଆଦି ସବୁ ବିନାଶ ପାଇଁ ତିଆରି କରୁଛନ୍ତି । ବୋମା ତିଆରି କରିବା ପାଇଁ
ଅନ୍ୟମାନଙ୍କୁ ମନା କରୁଛନ୍ତି, ପୁଣି ନିଜେ ତିଆରି କରୁଛନ୍ତି । ଜାଣିଛନ୍ତି - ଏହି ବୋମା ଦ୍ୱାରା
ଆମର ହିଁ ମୃତ୍ୟୁ ହେବ ତଥାପି ମଧ୍ୟ ତିଆରି କରିଚାଲିଛନ୍ତି ଅର୍ଥାତ୍ ସେମାନଙ୍କର ବୁଦ୍ଧି
ହଜିଯାଇଛି ନା । ଏ ସବୁ ଡ୍ରାମାରେ ନିର୍ଦ୍ଧାରିତ ଅଛି । ବୋମା ତିଆରି କରିବା ବ୍ୟତୀତ ସେ
ରହିପାରିବେ ନାହିଁ । ମନୁଷ୍ୟ ଜାଣିଛନ୍ତି ଯେ ଏହି ବୋମାଗୁଡିକ ଦ୍ୱାରା ଆମର ହିଁ ମୃତ୍ୟୁ ହେବ ।
ଜାଣିପାରୁ ନାହାଁନ୍ତି ଆମକୁ କିଏ ପ୍ରେରିତ କରୁଛି ଯେ, ଆମେ ତିଆରି କରିବା ବିନା ରହିପାରୁ ନାହୁଁ
। ନିଶ୍ଚିତ ତିଆରି କରିବାକୁ ପଡିବ । ବିନାଶ ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇଛି । କେତେ ବି
କେହି ଶାନ୍ତିର ପୁରସ୍କାର ଦିଅନ୍ତୁ କିନ୍ତୁ ଶାନ୍ତି ସ୍ଥାପନ ତ ବାବା ହିଁ କରନ୍ତି । ଶାନ୍ତିର
ସାଗର ବାବା ହିଁ ଶାନ୍ତି, ସୁଖ, ପବିତ୍ରତାର ସମ୍ପତ୍ତି ଦେଉଛନ୍ତି । ସତ୍ୟଯୁଗରେ ବେହଦର ସମ୍ପତ୍ତି
ମିଳୁଛି । ସେଠାରେ ତ ଦୁଧର ନଦୀ ବହିବ । ବିଷ୍ଣୁଙ୍କୁ କ୍ଷୀର ସାଗରରେ ଦେଖାଇଛନ୍ତି । ଏହା କେବଳ
ତୁଳନା କରାଯାଉଛି । କେଉଁଠି ସେ କ୍ଷୀରସାଗର, କେଉଁଠି ଏହି ବିଷୟ ସାଗର । ଭକ୍ତିମାର୍ଗରେ ପୁଣି
ପୋଖରୀ ତିଆରି କରି ସେଥିରେ ପଥରରେ ବିଷ୍ଣୁଙ୍କୁ ଶୁଆଇଥା’ନ୍ତି । ଭକ୍ତିମାର୍ଗରେ କେତେ ଖର୍ଚ୍ଚ
କରିଥା’ନ୍ତି । କେତେ ସମୟ, ପଇସା ନଷ୍ଟ କରୁଛନ୍ତି । ଦେବୀମାନଙ୍କ ମୂର୍ତ୍ତିକୁ କେତେ ଖର୍ଚ୍ଚ କରି
ତିଆରି କରୁଛନ୍ତି ପୁଣି ସମୁଦ୍ରରେ ପକାଇ ଦେଉଛନ୍ତି, ତେବେ ପଇସା ନଷ୍ଟ ହେଲା ନା । ଏହା ହେଉଛି
କଣ୍ଢେଇମାନଙ୍କର ପୂଜା । କାହାର ବି ଜୀବନ କାହାଣୀ କାହାକୁ ଜଣା ନାହିଁ । ଏବେ ତୁମେ କାହାର ବି
ମନ୍ଦିରକୁ ଯାଅ ତୁମେ ପ୍ରତ୍ୟେକଙ୍କ ଜୀବନ କାହାଣୀକୁ ଜାଣିଛ । ପିଲାମାନଙ୍କୁ କେଉଁଠାକୁ ଯିବା
ପାଇଁ ମନା ନାହିଁ । ଆଗରୁ ତ ଅଜ୍ଞାନୀ ହୋଇ ଯାଉଥିଲ, ଏବେ ଜ୍ଞାନୀ ହୋଇ ଯାଉଛ । ତୁମେ କହିବ ଆମେ
ଏହାଙ୍କର ୮୪ ଜନ୍ମକୁ ଜାଣିଛୁ । ଭାରତବାସୀଙ୍କୁ ତ କୃଷ୍ଣଙ୍କ ଜନ୍ମ ବିଷୟରେ ଜଣା ମଧ୍ୟ ନାହିଁ ।
ତୁମ ବୁଦ୍ଧିରେ ତ ସାରା ଜ୍ଞାନ ରହିଛି । ଜ୍ଞାନ ଆୟର ପନ୍ଥା ଅଟେ । ବେଦ-ଶାସ୍ତ୍ର ଆଦିରେ କୌଣସି
ଲକ୍ଷ୍ୟ ଉଦ୍ଦେଶ୍ୟ ନାହିଁ । ସ୍କୁଲରେ ସର୍ବଦା ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥାଏ । ଏହି ପାଠପଢା ଦ୍ୱାରା
ତୁମେ କେତେ ସାହୁକାର ହେଉଛ ।
ଜ୍ଞାନ ଦ୍ୱାରା ସଦ୍ଗତି
ହୋଇଥାଏ । ଏହି ଜ୍ଞାନ ଦ୍ୱାରା ତୁମେ ସମ୍ପତ୍ତିବାନ ହେଉଛ । ତୁମେ କୌଣସି ବି ମନ୍ଦିରକୁ ଗଲେ
ତୁରନ୍ତ ବୁଝିଯିବ - ଏହା କାହାର ସ୍ମୃତି ଚିହ୍ନ ଅଟେ । ଯେପରି ଦିଲୱାଡା ମନ୍ଦିର ରହିଛି - ତାହା
ହେଉଛି ଜଡ, ଆଉ ଏହି ମଧୁବନ ହେଉଛି ଚୈତନ୍ୟ । ଅବିକଳ ଯେପରି ଏହି ବୃକ୍ଷରେ ଦେଖାଯାଇଛି, ସେପରି
ମନ୍ଦିର ତିଆରି ହୋଇଛି । ତଳେ ତପସ୍ୟାରେ ବସିଛନ୍ତି, ଉପରେ ଛାତରେ ସାରା ସ୍ୱର୍ଗ ରହିଛି । ବହୁତ
ଖର୍ଚ୍ଚ କରି ତିଆରି କରିଛନ୍ତି । ଏବେ ଭାରତରେ ତ କିଛି ବି ନାହିଁ । ଭାରତ ଶତ ପ୍ରତିଶତ
ସମ୍ପତ୍ତିବାନ, ପବିତ୍ର ଥିଲା, ଏବେ ଭାରତ ଶତ ପ୍ରତିଶତ କାଙ୍ଗାଳ, ପତିତ ହୋଇଯାଇଛି କାରଣ ଏଠାରେ
ସମସ୍ତେ ବିକାରରୁ ଜନ୍ମ ହୋଇଛନ୍ତି । ସେଠାରେ ଅପବିତ୍ରତାର କୌଣସି କଥା ନାହିଁ । ଗରୁଡ ପୁରାଣରେ
ଭୟ ସୃଷ୍ଟିକାରୀ କଥା ଏଥିପାଇଁ ଲେଖାଯାଇଛି ଯେପରି ମନୁଷ୍ୟ କିଛି ସୁଧୁରିବେ । କିନ୍ତୁ ଡ୍ରାମାରେ
ମନୁଷ୍ୟଙ୍କର ସୁଧୁରିବାର ନାହିଁ । ଏବେ ଈଶ୍ୱରୀୟ ସ୍ଥାପନା ହେଉଛି । ଈଶ୍ୱର ହିଁ ସ୍ୱର୍ଗ ସ୍ଥାପନ
କରିବେ ନା । ତାଙ୍କୁ ହିଁ ସ୍ୱର୍ଗୀୟ ଈଶ୍ୱର ପିତା କୁହାଯାଏ । ବାବା ବୁଝାଇଛନ୍ତି ସେହି
ସୈନିକମାନେ ଯେଉଁମାନେ ଲଢୁଛନ୍ତି, ସେମାନେ ସବୁ କିଛି ରାଜା-ରାଣୀଙ୍କ ପାଇଁ କରୁଛନ୍ତି । ଏଠାରେ
ତୁମେ ନିଜ ପାଇଁ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ଯେତିକି କରିବ ସେତିକି ପାଇବ । ତୁମ
ପ୍ରତ୍ୟେକଙ୍କୁ ନିଜର ତନ-ମନ-ଧନ ଭାରତକୁ ସ୍ୱର୍ଗ କରିବାରେ ଖର୍ଚ୍ଚ କରିବାକୁ ପଡୁଛି । ଯେତିକି
କରିବେ ସେତିକି ଉଚ୍ଚ ପଦ ପାଇବେ । କିଛି ବି ରହିବ ନାହିଁ । ବର୍ତ୍ତମାନ ପାଇଁ ହିଁ ଗାୟନ ହେଉଛି
- କିନକି ଦବି ରହେ ଧୁଲ ମେଁ...(କାହାର ମାଟି ତଳେ ପୋତି ହୋଇଯିବ) ଏବେ ବାବା ତୁମକୁ ରାଜ୍ୟଭାଗ୍ୟ
ଦେବା ପାଇଁ ଆସିଛନ୍ତି । କହୁଛନ୍ତି ଏବେ ତନ-ମନ-ଧନ ସବୁ ଏଥିରେ ଲଗାଇ ଦିଅ । ଇଏ ବ୍ରହ୍ମା ତ ସବୁ
କିଛି ସମର୍ପଣ କରିଦେଲେ । ଏହାକୁ କୁହାଯାଏ ମହାଦାନୀ । ବିନାଶୀ ଧନର ଦାନ କରାଯାଇଥାଏ ତ ଅବିନାଶୀ
ଧନ ମଧ୍ୟ ଦାନ କରାଯାଏ, ଯିଏ ଯେତିକି ଦାନ କରିପାରିବେ । କେହି ନାମୀଗ୍ରାମୀ ଦାନୀ ହୋଇଥିଲେ ଲୋକେ
କହିଥା’ନ୍ତି ଅମୁକ ବଡ ଦାନୀ ଥିଲେ । ତାଙ୍କର ନାମ ବିଖ୍ୟାତ ହୋଇଥାଏ । ସେମାନେ ପରୋକ୍ଷ ଭାବେ
ଈଶ୍ୱରଙ୍କ ଅର୍ଥେ ଦାନ କରନ୍ତି । ସେଥିରେ ରାଜତ୍ୱ ସ୍ଥାପନ ହୋଇ ନ ଥାଏ । ଏବେ ତ ରାଜତ୍ୱ ସ୍ଥାପନ
ହେଉଛି, ତେଣୁ ସମ୍ପୂର୍ଣ୍ଣ ଦାନୀ ହେବାକୁ ପଡିବ । ଭକ୍ତିମାର୍ଗରେ ଗାୟନ କରିଥା’ନ୍ତି ଯେ ଆମେ
ସମର୍ପଣ ହୋଇଯିବୁ.... । ଏଥିରେ ଖର୍ଚ୍ଚ କିଛି ନାହିଁ । ସରକାରଙ୍କର କେତେ ଖର୍ଚ୍ଚ ହୋଇଥାଏ ।
ଏଠାରେ ତୁମେ ଯାହା କିଛି କରୁଛ ନିଜ ପାଇଁ, ପୁଣି ତୁମେ ୮ର ମାଳାରେ ଆସ, ୧୦୮ ମାଳାରେ ଆସ, କିମ୍ବା
୧୬୧୦୮ ରେ ଆସ । ତୁମକୁ ସମ୍ମାନର ସହିତ ପାସ୍ ହେବାକୁ ପଡିବ । ଏପରି ଯୋଗ କର ଯାହା ଦ୍ୱାରା
କର୍ମାତୀତ ଅବସ୍ଥା ପ୍ରାପ୍ତ ହୋଇଯିବ, କୌଣସି ଦଣ୍ଡ ଭୋଗିବାକୁ ପଡିବ ନାହିଁ ।
ତୁମେ ସବୁ ଯୋଦ୍ଧା ଅଟ ।
ତୁମର ଲଢେଇ ରାବଣ ସହିତ ହେଉଛି, କୌଣସି ମନୁଷ୍ୟ ସହିତ ନୁହେଁ । ଯଦି ଫେଲ୍ ହେବ ତେବେ ଦୁଇ କଳା
କମ୍ ହୋଇଯିବ । ତ୍ରେତୟାକୁ ଦୁଇ କଳା କମ୍ ସ୍ୱର୍ଗ କୁହାଯିବ । ବାବାଙ୍କୁ ପୁରା ଅନୁସରଣ କରିବାର
ପୁରୁଷାର୍ଥ ତ କରିବା ଦରକାର ନା । ଏଥିରେ ମନ-ବୁଦ୍ଧିରେ ସମର୍ପଣ ହେବାକୁ ପଡିଥାଏ । ବାବା ଏ ସବୁ
କିଛି ଆପଣଙ୍କର । ବାବା କହିବେ ଏହାକୁ ସେବାରେ ଲଗାଅ । ମୁଁ ତୁମକୁ ଯେଉଁ ମତ ଦେଉଛି, ସେହିଭଳି
କର । ବିଶ୍ୱବିଦ୍ୟାଳୟ ଖୋଲ, ସେବାକେନ୍ଦ୍ରମାନ ଖୋଲ । ତାହା ଦ୍ୱାରା ବହୁତଙ୍କର କଲ୍ୟାଣ ହୋଇଯିବ
। କେବଳ ଏହି ସନ୍ଦେଶ ଦିଅ - ବାବାଙ୍କୁ ମନେ ପକାଅ ଏବଂ ସମ୍ପତ୍ତି ନିଅ । ମେସେଞ୍ଜର ବା
ସନ୍ଦେଶବାହକ ତୁମ ପିଲାମାନଙ୍କୁ ହିଁ କୁହାଯାଉଛି । ସମସ୍ତଙ୍କୁ ଏହି ସନ୍ଦେଶ ଦିଅ ଯେ ବାବା
ବ୍ରହ୍ମାଙ୍କ ଦ୍ୱାରା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହେବ, ଜୀବନମୁକ୍ତି
ମିଳିଯିବ । ଏବେ ଜୀବନବନ୍ଧନରେ ଅଛ, ପୁଣି ଜୀବନମୁକ୍ତ ହେବ । ବାବା କହୁଛନ୍ତି ମୁଁ ଭାରତରେ ହିଁ
ଆସୁଛି । ଏହି ଡ୍ରାମା ଅନାଦି ତିଆରି ହୋଇଛି । କେବେ ତିଆରି ହୋଇଛି, କେବେ ଶେଷ ହେବ? ଏହି
ପ୍ରଶ୍ନ ଉଠିପାରିବ ନାହିଁ । ଏହି ଡ୍ରାମା ତ ଅନାଦି ଚାଲିଆସୁଛି । ଆତ୍ମା କେତେ ଛୋଟ ବିନ୍ଦୁ ଅଟେ
। ସେଥିରେ ଏହି ଅବିନାଶୀ ପାର୍ଟ ନିଧାର୍ଯ୍ୟ ହୋଇଛି । ଏହା କେତେ ଗୁହ୍ୟ କଥା । ଆତ୍ମା ତାରକା
ସଦୃଶ ଛୋଟ ବିନ୍ଦୁ ଅଟେ । ମାତାମାନେ ମଧ୍ୟ ମସ୍ତକରେ ବିନ୍ଦି ଲଗାଇଥା’ନ୍ତି । ଏବେ ତୁମେ
ପିଲାମାନେ ପୁରୁଷାର୍ଥ ଦ୍ୱାରା ନିଜେ ନିଜକୁ ରାଜତିଳକ ଦେଉଛ । ତୁମେ ବାବାଙ୍କ ଶିକ୍ଷାକୁ ଭଲ ଭାବେ
ଧାରଣ କରୁଛ ଅର୍ଥାତ୍ ତୁମେ ଯେପରି ନିଜକୁ ରାଜ-ତିଳକ ଦେଉଛ । ଏପରି ନୁହେଁ କି ଏଥିରେ ଆଶୀର୍ବାଦ
କିମ୍ବା କୃପା ହୋଇଯିବ । ତୁମେ ହିଁ ନିଜେ ନିଜକୁ ରାଜ-ତିଳକ ଦେଉଛ । ବାସ୍ତବରେ ଏହା ରାଜ-ତିଳକ
ଅଟେ । ପିତାଙ୍କୁ (ବ୍ରହ୍ମାଙ୍କୁ) ଅନୁସରଣ କରିବାର ପୁରୁଷାର୍ଥ କର, ଅନ୍ୟକୁ ଦେଖ ନାହିଁ । ଏହା
ହିଁ ହେଉଛି ମନମନାଭବ, ଯାହା ଦ୍ୱାରା ନିଜକୁ ସ୍ୱତଃ ତିଳକ ମିଳିଥାଏ, ବାବା ଦେଇନଥା’ନ୍ତି । ଏହା
ହିଁ ରାଜଯୋଗ ଅଟେ । ତୁମେ ଦରିଦ୍ରରୁ ରାଜକୁମାର ହେଉଛ । ତେଣୁ କେତେ ଭଲ ପୁରୁଷାର୍ଥ କରିବା
ଦରକାର । ପୁଣି ୟାଙ୍କୁ (ବ୍ରହ୍ମାଙ୍କୁ) ମଧ୍ୟ ଅନୁସରଣ କରିବାକୁ ହେବ । ଏହା ତ ବୁଝିବାର କଥା ନା
। ପାଠପଢା ଦ୍ୱାରା ରୋଜଗାର ହୋଇଥାଏ । ଯେତକି-ଯେତିକି ଯୋଗଯୁକ୍ତ ହେବ ସେତିକି ଧାରଣା ହେବ ।
ଯୋଗରେ ହିଁ ମେହନତ ରହିଛି, ତେଣୁ ଭାରତର ରାଜଯୋଗର ଗାୟନ ରହିଛି । ବାକି ଗଙ୍ଗାସ୍ନାନ କରି କରି
ପୁରା ଆୟୁଷ ଚାଲିଗଲେ ମଧ୍ୟ ପବିତ୍ର ହୋଇପାରିବ ନାହିଁ । ଭକ୍ତିମାର୍ଗରେ ଈଶ୍ୱର ଅର୍ଥେ ଗରୀବଙ୍କୁ
ଦାନ ଦେଇଥା’ନ୍ତି । କିନ୍ତୁ ଏବେ ନିଜେ ଈଶ୍ୱର ଆସି ଗରୀବଙ୍କୁ ବିଶ୍ୱର ସିଂହାସନ ଦେଉଛନ୍ତି ।
ସିଏ ଦୀନବନ୍ଧୁ ଅଟନ୍ତି ନା । ଯେଉଁ ଭାରତ ଶତପ୍ରତିଶତ ଧନଶାଳୀ ଥିଲା, ସେ ଏହି ସମୟରେ ଶତ
ପ୍ରତିଶତ ଦରିଦ୍ର ହୋଇଯାଇଛି । ଦାନ ସର୍ବଦା ଗରୀବଙ୍କୁ ଦିଆଯାଇଥାଏ । ବାବା ତୁମମାନଙ୍କୁ କେତେ
ଶ୍ରେଷ୍ଠ କରୁଛନ୍ତି । କିନ୍ତୁ ଏପରି ବାବାଙ୍କୁ ମଧ୍ୟ ଗାଳି ଦେଉଛନ୍ତି । ବାବା କହୁଛନ୍ତି -
ଏହିପରି ଯେତେବେଳେ ନିନ୍ଦା କରନ୍ତି ସେତେବେଳେ ମୋତେ ଆସିବାକୁ ପଡିଥାଏ । ଏହା ମଧ୍ୟ ଡ୍ରାମା
ତିଆରି ହୋଇଛି । ଇଏ ବାବା ମଧ୍ୟ ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ଶିଖ୍ ଲୋକମାନେ
କହିଥା’ନ୍ତି - ସତଗୁରୁ ଅକାଳ । ବାକି ଭକ୍ତିମାର୍ଗର ଗୁରୁ ତ ବହୁତ ଅଛନ୍ତି । ଅକାଳଙ୍କୁ (ବାବାଙ୍କୁ)
କେବଳ ଏହି ଆସନ (ବ୍ରହ୍ମାଙ୍କ ଭ୍ରୃକୁଟୀ) ହିଁ ମିଳିଛି । ତୁମ ପିଲାମାନଙ୍କର ମଧ୍ୟ ଭ୍ରୃକୁଟୀ
ହିଁ ବ୍ୟବହାର ହୋଇଥାଏ । କହୁଛନ୍ତି ମୁଁ ୟାଙ୍କ ମଧ୍ୟରେ ପ୍ରବେଶ କରି ସମସ୍ତଙ୍କର କଲ୍ୟାଣ କରୁଛି
। ବର୍ତ୍ତମାନ ବ୍ରହ୍ମାଙ୍କର ଏହି ପାର୍ଟ ରହିଛି । ଏହା ବହୁତ ବୁଝିବାର କଥା । ନୂଆ କେହି
ବୁଝିପାରିବେ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଅବିନାଶୀ
ଜ୍ଞାନ ଧନ ଦାନ କରି ମହାଦାନୀ ହେବାକୁ ପଡିବ । ଯେପରି ବ୍ରହ୍ମାବାବା ନିଜର ସବୁକିଛି ଏହି
କାର୍ଯ୍ୟରେ ଲଗାଇ ଦେଇଛନ୍ତି, ସେହିପରି ବାବାଙ୍କୁ ଅନୁକରଣ କରି ରାଜତ୍ୱରେ ଉଚ୍ଚ ପଦ ନେବାକୁ ହେବ
।
(୨) ଦଣ୍ଡରୁ ମୁକ୍ତ ହେବା
ପାଇଁ ଏପରି ଭାବରେ ଯୋଗକୁ ବଢାଅ ଯାହାଦ୍ୱାରା କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିପାରିବ ।
ସମ୍ମାନର ସହିତ ପାସ୍ ହେବା ପାଇଁ ପୁରା-ପୁରା ପୁରୁଷାର୍ଥ କରିବାକୁ ହେବ । ଅନ୍ୟକୁ ଦେଖିବାର ନାହିଁ
।
ବରଦାନ:-
କଡା ନିୟମ ଏବଂ
ଦୃଢ ସଂକଳ୍ପ ଦ୍ୱାରା ଅବହେଳାପଣିଆକୁ ସମାପ୍ତ କରୁଥିବା ବ୍ରହ୍ମାବାବାଙ୍କ ସମାନ ଅକ୍ଲାନ୍ତ
ପରିଶ୍ରମୀ ହୁଅ ।
ବ୍ରହ୍ମାବାବାଙ୍କ ସମାନ
ଅକ୍ଳାନ୍ତ ସେବାଧାରୀ ହେବା ପାଇଁ ନିଜର ଅବହେଳା ପଣିଆକୁ ସମାପ୍ତ କର । ଏଥିପାଇଁ କୌଣସି ଏକ କଡା
ନିୟମ ପାଳନ କର, ଦୃଢ ସଂକଳ୍ପ କର । ଯଦି ନିଜ ଉପରେ ଧ୍ୟାନ ଦେବାର ଜଗୁଆଳୀ ସର୍ବଦା ସଜାଗ ରହିବ
ତେବେ ଅବହେଳାପଣିଆ ସମାପ୍ତ ହୋଇଯିବ । ପ୍ରଥମେ ନିଜ ଉପରେ ମେହନତ କର, ତା’ପରେ ସେବାରେ ପ୍ରୟୋଗ
କର ତେବେ ଯାଇ ଧରଣୀ ପରିବର୍ତ୍ତନ ହେବ । ଏବେ କେବଳ “କରିନେବା, ହୋଇଯିବ” ଏହିଭଳି ଆରାମ ଦାୟକ
ସଂକଳ୍ପ ରୂପୀ ଶଯ୍ୟାକୁ ତ୍ୟାଗ କର । କରିବାକୁ ହିଁ ହେବ - ଏହି ସ୍ଳୋଗାନ ଯଦି ସଦାସର୍ବଦା
ମସ୍ତକରେ ସ୍ମୃତିରେ ରହିବ ତେବେ ପରିବର୍ତ୍ତନ ସୁନିଶ୍ଚିତ ଅଟେ ।
ସ୍ଲୋଗାନ:-
ସମର୍ଥ ବାଣୀର
ଚିହ୍ନ ହେଲା - ଯେଉଁ ବାଣୀରେ ଆତ୍ମିକ ଭାବ ଏବଂ ଶୁଭଭାବନା ଥିବ ।
ନିଜର ଶକ୍ତିଶାଳୀ
ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର
(୮) ଯେତେ ଯେତେ ସମୟ
ପାଖେଇ ପାଖେଇ ଆସୁଛି ସେହି ଅନୁସାରେ ବ୍ୟର୍ଥ ସଂକଳ୍ପ ମଧ୍ୟ ବଢି ବଢି ଚାଲିଛି । କିନ୍ତୁ ଏହା
ଚୁକ୍ତ ହେବା ପାଇଁ ବାହାରକୁ ଆସୁଛି । ତେବେ ସେଗୁଡିକର କାମ ହେଲା ଆସିବା ଏବଂ ତୁମମାନଙ୍କର କାମ
ହେଲା ନିଜର ଉଡିବାର କଳା ଦ୍ୱାରା ଏବଂ ସକାଶ ଦେବା ଦ୍ୱାରା ତା’କୁ ପରିବର୍ତ୍ତନ କରିବା । ଏଥିରେ
ବିଚଳିତ ହୁଅ ନାହିଁ କି ତା’ର ପ୍ରଭାବରେ ଆସ ନାହିଁ ।