08.02.26    Avyakt Bapdada     Odia Murli    31.12.2008     Om Shanti     Madhuban


“ଏହି ନୂତନ ବର୍ଷରେ ପରିବର୍ତ୍ତନ ଶକ୍ତିର ବରଦାନ ଦ୍ୱାରା ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କରି ସଂକଳ୍ପ, ଶ୍ୱାସ ଏବଂ ସମୟକୁ ସଫଳ କରି ସଫଳତା ମୂରତ ହୁଅ”


ଆଜି ନବଜୀବନ ଦାତା ବାପଦାଦା ନିଜର ଚାରିଆଡର ନବଜୀବନ ଧାରଣ କରିଥିବା ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଏହି ନବଜୀବନ ତୁମକୁ ନବଯୁଗର ନିର୍ମାଣ କରିବା ପାଇଁ ହିଁ ପ୍ରାପ୍ତ ହୋଇଛି । ଲୋକମାନେ ନୂଆ ବର୍ଷ ପାଳନ କରୁଛନ୍ତି କିନ୍ତୁ ତୁମେ ସବୁ ନବ ଜୀବନଧାରୀ ପିଲାମାନେ ସବୁ ଆତ୍ମାଙ୍କୁ ଅଭିନନ୍ଦନ ମଧ୍ୟ ଦେଉଛ ଏବଂ ତା’ ସହିତ ଏହି ଖୁସିର ଖବର ମଧ୍ୟ ଶୁଣାଉଛ ଯେ ନବଯୁଗ ଆସିଲା କି ଆସିଲା । ତୁମମାନଙ୍କୁ ବାବା ନିଜର ସମ୍ପତ୍ତି ରୂପରେ ସୁବର୍ଣ୍ଣଯୁଗୀ ଦୁନିଆର ଉପହାର ଦେଇ ଦେଇଛନ୍ତି । ଯେଉଁ ସ୍ୱର୍ଣ୍ଣିମ ଦୁନିଆରେ ଅନେକ ପ୍ରକାରର ସୁବର୍ଣ୍ଣ ଉପହାର ଭରପୂର ହୋଇ ରହିଛି । ତେଣୁ ତୁମମାନଙ୍କ ଭିତରେ ଏହି ନିଶା ମଧ୍ୟ ରହିଛି ଯେ ସ୍ୱର୍ଣ୍ଣିମ ଦୁନିଆର ଉପହାର ଆମର ଜନ୍ମସିଦ୍ଧ ଅଧିକାର ଅଟେ । ଆଜିର ଦୁନିଆରେ କେହି କାହାକୁ ଯେତେ ବି ବଡ ଉପହାର ଦେଉ, ତେବେ ବଡରୁ ବଡ ଉପହାର କ’ଣ ଦେଇପାରିବ! ମୁକୁଟ ବା ସିଂହାସନ ଦେବ । କିନ୍ତୁ ତୁମମାନଙ୍କର ସ୍ୱର୍ଣ୍ଣିମ ଦୁନିଆ ତୁଳନାରେ ଏହା କ’ଣ ବଡ ଜିନିଷ? କ’ଣ ବଡ ଜିନିଷ ଅଟେ କି? ତୁମ ମନ ଭିତରେ ଖୁସି ରହିଛି ଯେ ଆମର ପିତା ଆମକୁ ସବୁଠାରୁ ଉଚ୍ଚରୁ ଉଚ୍ଚ ନୂଆଯୁଗର ଉପହାର ଦେଇ ଦେଇଛନ୍ତି । ତୁମର ନିଶ୍ଚୟ ମଧ୍ୟ ଅଛି ଏବଂ ଏହା ସୁନିଶ୍ଚିତ ମଧ୍ୟ ଅଟେ । ଭବିଷ୍ୟତର ଏହି ପ୍ରାପ୍ତିକୁ କେହି ବଦଳାଇ ଦେଇପାରିବ ନାହିଁ । ତେବେ ଏହି ଅଟଳ ନିଶ୍ଚୟ ସର୍ବଦା ତୁମର ସ୍ମୃତିରେ ରହୁଛି ତ! କ’ଣ ସର୍ବଦା ରହୁଛି ନା କେବେ କେବେ କମ୍ ହୋଇଯାଉଛି? ଯେହେତୁ ଏହା ତୁମର ଜନ୍ମ ସିଦ୍ଧ ଅଧିକାର ଅଟେ, ତେଣୁ ଏହା କେବେ ବଦଳି ପାରିବ ନାହିଁ ।

ଆଜି ତୁମେ ସମସ୍ତେ ଅଲଗା ଅଲଗା ସ୍ଥାନରୁ ନୂଆ ବର୍ଷ ପାଳନ କରିବା ପାଇଁ ଆସିଛ । ତେବେ ଏହି ନୂତନ ବର୍ଷରେ କ’ଣ ଲକ୍ଷ୍ୟ ରଖିଛ? କେଉଁ ବିଶେଷ କାର୍ଯ୍ୟ କରିବ? ଏହି ନୂତନ ବର୍ଷର ବିଶେଷତା ହେଲା ଯେ ସମସ୍ତଙ୍କୁ ବାପ୍ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାକୁ ହିଁ ପଡିବ । କେତେ ବି ପୁରୁଷାର୍ଥ କରିବାକୁ ପଡୁ କିନ୍ତୁ ବାବାଙ୍କ ସମାନ ହେବାକୁ ହିଁ ପଡିବ । କୁହ, ସମସ୍ତଙ୍କ ମନ ଭିତରେ ଏହିଭଳି ପକ୍କା ସଂକଳ୍ପ ଅଛି ନା? ଅଛି ନା? ମୁଣ୍ଡ ହଲାଅ । ବାବା ମଧ୍ୟ ଏହି କଥା ଚାହୁଁଛନ୍ତି ଯେ ସମସ୍ତେ ବାପ ସମାନ ହୁଅନ୍ତୁ । ତେବେ ପିତା ତ ପିତା ଅଟନ୍ତି କିନ୍ତୁ ପିଲାମାନେ ପିତାଠାରୁ ମଧ୍ୟ ଉଚ୍ଚ ଅଟନ୍ତି । ତେଣୁ ବାବାଙ୍କ ସମାନ ହେବାର ଲକ୍ଷ୍ୟକୁ ପୁରଣ କରିବା ପାଇଁ ବାବାଙ୍କୁ ଅନୁକରଣ କରିବାକୁ ପଡିବ । ବିଚାର କର, ବାବା ଅର୍ଥାତ୍ ବ୍ରହ୍ମାବାବା ସମ୍ପୂର୍ଣ୍ଣ କିପରି ହେଲେ? ତାଙ୍କର ବିଶେଷତା କ’ଣ ଥିଲା? ସମ୍ପୂ୍‌ର୍ଣ୍ଣତାର ବିଶେଷ ଆଧାର କ’ଣ ଥିଲା? ବ୍ରହ୍ମାବାବା ନିଜର ସବୁ ସମୟକୁ ସଫଳ କରିଥିଲେ । ପ୍ରତିଟି ନିଶ୍ୱାସକୁ, ପ୍ରତିଟି ମୂହୁର୍ତ୍ତକୁ ସଫଳ କରିଥିଲେ । ତେଣୁ ବାବାଙ୍କ ସମାନ ହେବା ପାଇଁ ଏହି ବର୍ଷର ଲକ୍ଷ୍ୟ କ’ଣ ରଖିବ? ସଫଳ କରିବାକୁ ହେବ ଏବଂ ସଫଳତାମୂରତ ହେବାକୁ ହିଁ ପଡିବ । ସଫଳତା ଆମର ଗଳାର ହାର ଅଟେ । ସଫଳତା ଆମର ପିତାଙ୍କର ସମ୍ପତ୍ତି ଅଟେ । ତେଣୁ ଏହିଭଳି ଲକ୍ଷ୍ୟ ରଖି ପ୍ରତିଦିନ ନିଜେ ନିଜକୁ ଚେକ୍ କରିବ ଯେ ସଫଳତା ମୂରତ ହୋଇ ମୁଁ ନିଜର ସମୟ, ନିଶ୍ୱାସ, ସମ୍ପତ୍ତି, ଶକ୍ତି, ଗୁଣ ଇତ୍ୟାଦିକୁ ସଫଳ କରିଛି ତ! କାହିଁକି ନା ବର୍ତ୍ତମାନର ସଫଳତା ଆଧାରରେ ଭବିଷ୍ୟତ ପାଇଁ ମଧ୍ୟ ଜମା ହେଉଛି । ବର୍ତ୍ତମାନ ଯାହା ସବୁ ସଫଳ କରୁଛ ତା’ର ଫଳ ୨୧ ଜନ୍ମ ପାଇଁ ଜମା ହେଉଛି । ଜାଣିଛ ତ! ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ତୁମେ ଯଦି ନିଜର ସମୟକୁ ସଫଳ କରିବ ତେବେ ଭବିଷ୍ୟତରେ ମଧ୍ୟ ତୁମକୁ ପୂରା ସମୟ ରାଜ୍ୟ ଭାଗ୍ୟର ପ୍ରାପ୍ତି ମିଳିବ । ଯଦି ନିଜର ପ୍ରତ୍ୟେକ ନିଶ୍ୱାସକୁ ସଫଳ କରିବ ତେବେ ୨୧ ଜନ୍ମ ସମ୍ପୂର୍ଣ୍ଣ ସୁସ୍ଥ ରହିବ । କେବେ ବି କୌଣସି ପ୍ରକାରର ସ୍ୱାସ୍ଥ୍ୟର କମୀ ରହିବ ନାହିଁ ଏବଂ ଏହା ସହିତ ଯାହା ସବୁ ସମ୍ପତ୍ତିଗୁଡିକୁ ଜମା କରୁଛ, ତେବେ ସବୁଠାରୁ ବଡ ସମ୍ପତ୍ତି ହେଲା ଜ୍ଞାନ ରୂପକ ସମ୍ପତ୍ତି, ଜ୍ଞାନର ଅର୍ଥ ହେଲା ବୁଦ୍ଧିମାନ ହେବା । ତେଣୁ ଜ୍ଞାନ ରୂପୀ ସମ୍ପତ୍ତିକୁ ସଫଳ କରିବା ଦ୍ୱାରା ଭବିଷ୍ୟତରେ ତୁମେ ଏଭଳି ବୁଦ୍ଧିମାନ ହୋଇଯାଉଛ ଯାହାକି ତୁମକୁ କୌଣସି ମନ୍ତ୍ରୀମାନଙ୍କର ପରାମର୍ଶ ନେବା ପାଇଁ ପଡୁ ନାହିଁ । ନିଜେ ହିଁ ଅଖଣ୍ଡ, ଅଟଳ ରାଜ୍ୟ ଚଳାଉଛ ଏବଂ ତୁମ ରାଜ୍ୟରେ କୌଣସି ବିଘ୍ନ ଆସୁ ନାହିଁ । ନିର୍ବିଘ୍ନ, ଅଖଣ୍ଡ, ଅଟଳ । ଏହା ହେଉଛି ଜ୍ଞାନ ରୂପୀ ସମ୍ପତ୍ତିକୁ ଜମା କରିବାର ଫଳ । ଗୋଟିଏ ଜନ୍ମ ସଫଳ କରୁଛ ଏବଂ ଅନେକ ଜନ୍ମ ତା’ର ଫଳ ଖାଉଛ । ସେହିପରି ତୁମକୁ ଯେଉଁ ସବୁ ଶକ୍ତିଗୁଡିକ ମିଳିଛି ତାକୁ ଯଦି ନିଜ ପ୍ରତି ବା ଅନ୍ୟମାନଙ୍କ ପ୍ରତି ସଫଳ କରୁଛ ତେବେ ଭବିଷ୍ୟତରେ ତୁମ ରାଜ୍ୟରେ ସର୍ବଶକ୍ତି ଗୁଡିକ କାୟମ ରହୁଛି, କୌଣସି ଶକ୍ତିର କମୀ ରହୁ ନାହିଁ । ସେହିପରି ଯଦି ଗୁଣ ଦାନ କରୁଛ ତେବେ ତୁମର ଅନ୍ତିମ ୮୪ ତମ ଜନ୍ମ ପର୍ଯ୍ୟନ୍ତ ମଧ୍ୟ ଯେଉଁ ଜଡ ଗୁଡିକ ଚିତ୍ର ତିଆରି ହେଉଛି ସେଥିରେ ଶେଷ ସମୟ ପର୍ଯ୍ୟନ୍ତ ତୁମର କେଉଁ ମହିମା କରୁଛନ୍ତି? ସର୍ବଗୁଣ ସମ୍ପନ୍ନ । ତେଣୁ ଗୋଟିଏ ଗୋଟିଏ ସଫଳତାର ପ୍ରାପ୍ତି ରୂପରେ ଅନେକ ଜନ୍ମ ପାଇଁ ଅଧିକାରୀ ହୋଇଯାଉଛ । ତେଣୁ ଏହି ବର୍ଷ କ’ଣ କରିବ? ଲକ୍ଷ୍ୟ ରଖ ଯେ ଗୋଟିଏ ନିଶ୍ୱାସ ବା ଗୋଟିଏ ମୂହୁର୍ତ୍ତ ମଧ୍ୟ ଅସଫଳ ନ ହେଉ । ତାକୁ ଜମା କରିବାକୁ ହେବ? ତେବେ ଜମା କରିବାର ସମୟ ମଧ୍ୟ କେବଳ ଏହି ଗୋଟିଏ ଛୋଟିଆ ଜନ୍ମ କିନ୍ତୁ ଫଳ ପ୍ରାପ୍ତି କରିବାର ସମୟ ୨୧ ଜନ୍ମ, ତେଣୁ ଏହି ବର୍ଷ ବାବାଙ୍କ ସମାନ ହେବାର ଲକ୍ଷ୍ୟ ରଖିଛ ତ? କ’ଣ ସମସ୍ତଙ୍କର ଲକ୍ଷ୍ୟ ଅଛି ତ? ମୋତେ ବାବାଙ୍କ ସମାନ ନିଶ୍ଚିତ ହେବାକୁ ପଡିବ । ହେବି ନାହିଁ, ହେବାକୁ ହିଁ ପଡିବ । ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ଆଚ୍ଚା! କ’ଣ ଛୋଟ ଛୋଟ ପିଲାମାନେ ମଧ୍ୟ ବାବାଙ୍କ ସମାନ ହେବ? ପିଲାମାନଙ୍କର ମୁକୁଟ ପିନ୍ଧିବା ଭଲ ଦେଖାଯାଉଛି । ସବୁ ଛୋଟ ଛୋଟ ପିଲାମାନେ ମୁକୁଟ ପିନ୍ଧି ବହୁତ ଭଲ ଦେଖାଯାଉଛନ୍ତି ।

ତେବେ ଏହି ବର୍ଷ ପାଇଁ ଲକ୍ଷ୍ୟ ମଧ୍ୟ ରଖିଲ ଏବଂ ତା’ ସହିତ ବାବାଙ୍କୁ ଅନୁକରଣ କରିବାର ମନ୍ତ୍ର ହେଲା, ସବୁ କିଛି ସଫଳ କରି ସଫଳତାମୂରତ ହେବାକୁ ହିଁ ପଡିବ । ଏଥିପାଇଁ ବାପଦାଦା ପିଲାମାନଙ୍କୁ ଅଧିକ ମେହନତ କରିବାର କଷ୍ଟ ମଧ୍ୟ ଦେଉ ନାହାଁନ୍ତି, ତେଣୁ ବହୁତ ସହଜ ବିଧି ଶୁଣାଉଛନ୍ତି, ଜାଣିଛ, ତାହା କ’ଣ? ଯାହା ବି ସଂକଳ୍ପ କରୁଛ ତା’କୁ ପ୍ରଥମେ ଚେକ୍ କର, ବାବାଙ୍କ ସଂକଳ୍ପ ଏହିଭଳି ଥିଲା ତ? ଯଦି କଥା କହୁଛ ତେବେ ଚେକ୍ କର ମୋତେ ବାବାଙ୍କ ସମାନ ହେବାର ଅଛି ନା! ତେବେ ସଂକଳ୍ପ ବାଣୀ, କର୍ମ ଏବଂ ସମ୍ବନ୍ଧ-ସମ୍ପର୍କରେ ପ୍ରଥମେ ଚିନ୍ତା କର, ଚେକ୍ କର - ବାବାଙ୍କର ଏହିଭଳି ଥିଲା ତ? ଏବଂ ସେହିପରି ସ୍ୱରୂପ ହୁଅ । ବ୍ରହ୍ମାବାବାଙ୍କୁ ଅନୁକରଣ କର । ଫଲୋ ଫାଦର ର ତ ଗାୟନ ହେଉଛି ନା! କେତେକ ପିଲା ତ ବହୁତ ଭଲ ଭଲ ଖେଳ ଦେଖାଉଛନ୍ତି । ଜାଣିଛ କେଉଁ ଖେଳ ଦେଖାଉଛନ୍ତି? ଫଲୋ ଅର୍ଥାତ୍ ଅନୁକରଣ କରୁନାହାଁନ୍ତି କିନ୍ତୁ କ’ଣ କହୁଛନ୍ତି ଜାଣିଛ? ମୁଁ ତ ଚାହୁଁ ନ ଥିଲି କିନ୍ତୁ ହୋଇଗଲା । ପ୍ରଥମେ ଚିନ୍ତା କର, କେବଳ ଚିନ୍ତା କର ନାହିଁ କିନ୍ତୁ ସ୍ୱରୂପ ହୁଅ । ଯଦି ସ୍ୱରୂପ ହୋଇଯିବ, ତେବେ ଏଭଳି କହିବ ନାହିଁ ଯେ ମୁଁ ଭାବିନଥିଲି କିନ୍ତୁ ହୋଇଗଲା । କରିବାବାଲା, ଭାବିବା ବାଲା ତ ତୁମେ ଶ୍ରେଷ୍ଠ ଆତ୍ମା ଅଟ, ମାଲିକ ଅଟ । ତେବେ ହୋଇଗଲାର ଅର୍ଥ ହେଲା କର୍ମେନ୍ଦ୍ରିୟ ଗୁଡିକ ଉପରେ କଣ୍ଟ୍ରୋଲ୍ ନାହିଁ ।

ତେଣୁ ଏହି ବର୍ଷ ସାରା ଏହି ସ୍ଳୋଗାନକୁ ମନେ ରଖିବ - ବାବାଙ୍କ ସମାନ କରିବାକୁ ହିଁ ହେବ, ହେବାକୁ ହିଁ ପଡିବ । କଷ୍ଟକର ତ ନୁହେଁ ନା? ବ୍ରହ୍ମାବାବା ଯେଉଁଭଳି କରିଛନ୍ତି ସେହିଭଳି କରିବାକୁ ହେବ । କପି କରିବା ତ ସହଜ ଅଟେ ନା, ଭାବିବାର ବି ଆବଶ୍ୟକତା ନାହିଁ ଏବଂ ଏହା ମଧ୍ୟ ସୁନିଶ୍ଚିତ ଅଟେ ଯେ ବ୍ରହ୍ମାବାବା ଯେପରି ଫରିସ୍ତା ହୋଇଗଲେ ଏବଂ ଫରିସ୍ତାରୁ ଦେବତା ତ ନିଶ୍ଚିତ ହେବେ । ସେହିପରି ତୁମମାନଙ୍କୁ ମଧ୍ୟ ଫରିସ୍ତାରୁ ଦେବତା ନିଶ୍ଚିତ ହେବାକୁ ପଡିବ । କେହି କେହି ପିଲା କହୁଛନ୍ତି ପୁରୁଷାର୍ଥ ମାର୍ଗରେ ଚାଲୁ ଚାଲୁ ବହୁତ ବିରୋଧ ମଧ୍ୟ ହେଉଛି, ତେଣୁ ବିରୋଧ ବା ବାଧା ସୃଷ୍ଟି ହେବା କାରଣରୁ ନିଜର ସ୍ୱସ୍ଥିତିରୁ ତଳକୁ ଆସିଯାଉଛୁ । କିନ୍ତୁ ତୁମେ ମନେ ପକାଅ ଯଦି ବାବାଙ୍କ ସମାନ ହେବାକୁ ପଡିବ ତେବେ ସ୍ଥାପନାର ଆରମ୍ଭ ସମୟରେ ବ୍ରହ୍ମାବାବାଙ୍କୁ କେତେ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ସେଗୁଡିକୁ କିପରି ସମାଧାନରେ ପରିବର୍ତ୍ତନ କରିଥିଲେ? ପ୍ରତ୍ୟେକ କଥା ନୂଆ ଥିଲା ଏବଂ ଚାଲେଞ୍ଚ ମଧ୍ୟ ଥିଲା । ଏବେ ତ ସମୟ ବହୁତ ବଦଳି ଗଲାଣି କିନ୍ତୁ ଏକୁଟିଆ ବ୍ରହ୍ମାବାବା କିଭଳି ସ୍ୱମାନର ଆସନ ଉପରେ ବସି ନିଜର ସ୍ୱ ସ୍ଥିତି ଦ୍ୱାରା ବିରୋଧ ପରିସ୍ଥିତିକୁ ମଧ୍ୟ ସମ୍ମୁଖୀନ କରିଥିଲେ । ତେଣୁ ଯେଉଁଠାରେ ପୋଜିସନ୍ ଅର୍ଥାତ୍ ସ୍ୱସ୍ଥିତି ମଜବୁତ ଥିବ ସେଠାରେ ଅପୋଜିଶନ ଅର୍ଥାତ୍ ବିରୋଧ କିଛି ବି କରିପାରିବ ନାହିଁ । ତେବେ ପ୍ରଥମେ କ’ଣ କରୁଥିଲେ? ଧମାଲ ଅର୍ଥାତ୍ ବିଶୃଙ୍ଖଳା ସୃଷ୍ଟି କରୁଥିଲେ କିନ୍ତୁ ଏବେ କ’ଣ କରୁଛନ୍ତି? କମାଲ କରୁଛନ୍ତି । ଏତିକି ଫରକ ଆସିଯାଇଛି । ତେବେ ଏହାର କାରଣ କ’ଣ? ନିଜେ ବ୍ରହ୍ମାବାବା ନିଜର ସ୍ୱମାନର ଆସନ ଏବଂ ଦୃଢ ନିଶ୍ଚୟର ଶସ୍ତ୍ର ଦ୍ୱାରା ଅପୋଜିଶନକୁ ସମାପ୍ତ କରିଛନ୍ତି । ତେଣୁ ତୁମେମାନେ ମଧ୍ୟ ଏହିବର୍ଷ କ’ଣ ସବୁ କରିବ? ସମାନ ତ ହେବାକୁ ପଡିବ ନା! ତେଣୁ ଏବେ ବି ଯଦି କୌଣସି ଅପୋଜିଶନ ହେଉଛି ତେବେ ତୁମେ ନିଜର ସ୍ୱମାନର ଆସନ ଉପରେ ବସିଯାଅ ଯାହାଦ୍ୱାରା ଅପୋଜିଶନ ପୋଜିଶନରେ ପରିବର୍ତ୍ତନ ହୋଇଯିବ ଅର୍ଥାତ୍ ବିରୋଧ ପରିସ୍ଥିତି ମଧ୍ୟ ସ୍ୱସ୍ଥିତିକୁ ମଜବୁତ କରିବାରେ ସହାୟକ ହେବ । କ’ଣ ସାହସ ଅଛି ତ? ବ୍ରହ୍ମାବାବାଙ୍କ ସମାନ ହେବାକୁ ହିଁ ପଡିବ, ଏଥିରେ ତ ହାତ ଉଠାଇ ଦେଇଛ, କିନ୍ତୁ ସେତିକି ସାହସ ଅଛି ତ? ପ୍ରଥମେ ହେଲା ସ୍ୱ ର ଅର୍ଥାତ୍ ନିଜର ପରିବର୍ତ୍ତନର କଥା, ତା’ ପରେ ହେଲା ଅନେକ ସମ୍ବନ୍ଧ-ସମ୍ପର୍କରେ ଆସୁଥିବା ଆତ୍ମାମାନଙ୍କ କଥା, ତା’ପରେ ବିଶ୍ୱର ସର୍ବ ଆତ୍ମାମାନଙ୍କ କଥା । ଏହି ସମସ୍ତଙ୍କୁ ନିଜର ମାନସିକ ଶୁଭଭାବନା, ଶୁଭକାମନା ଦ୍ୱାରା ଏବଂ ଦୃଢ ସଂକଳ୍ପ ଦ୍ୱାରା ପରିବର୍ତ୍ତନ କରିବାକୁ ହେବ ।

ତେବେ ଏହି ବର୍ଷ ବାପଦାଦା ବିଶେଷ କରି ଗୋଟିଏ ଶକ୍ତିର ବରଦାନ ମଧ୍ୟ ଦେଉଛନ୍ତି । ଯଦି ଦିଲ୍‌ର ସହିତ ମେରା ବାବା କହିବ ତେବେ ଶକ୍ତି ହାଜିର ହୋଇଯିବ, ଏମିତି ମେରା ବାବା କହିଲେ ହେବ ନାହିଁ, ଯଦି ଦିଲ୍‌ରେ କହିବ, ଅଧିକାର ରଖିବ ତେବେ ଶକ୍ତି ତୁମ ସମ୍ମୁଖରେ ହାଜର ହୋଇଯିବ । ତେବେ ତାହା କେଉଁ ଶକ୍ତି? ପରିବର୍ତ୍ତନର ଶକ୍ତି । ଏହି ପରିବର୍ତ୍ତନ ଶକ୍ତି ଆଧାରରେ ବିଶେଷ କରି ନକାରାତ୍ମକକୁ ସକାରାତ୍ମକରେ ପରିବର୍ତ୍ତନ କର । ନକାରାତ୍ମକ ସଂକଳ୍ପ, ନକାରାତ୍ମକ ଚାଲିଚଳନକୁ ଦେଖୁଥିଲେ ମଧ୍ୟ ତାକୁ ସକାରାତ୍ମକରେ ପରିବର୍ତ୍ତନ କର । ସକାରାତ୍ମକ ଦେଖିବା, କହିବା ଏବଂ କରିବା କେବଳ ଶୁଭଭାବନା ଏବଂ ଶୁଭକାମନା ଦ୍ୱାରା ସହଜ ହୋଇଯିବ କାହିଁକିନା ଏହିଭଳି ଅପୋଜିଶନ ତ ନିଶ୍ଚିତ ଆସିବ କିନ୍ତୁ ତୁମର ପରିବର୍ତ୍ତନ କରିବାର ଶକ୍ତି ସହଜରେ ତୁମକୁ ସଫଳତା ପ୍ରାପ୍ତ କରାଇ ଦେବ । ତେବେ ବୁଝିପାରିଲ ତ! ଏହି ବର୍ଷର ବିଶେଷ ବରଦାନ ପରିବର୍ତ୍ତନ ଶକ୍ତିକୁ ନିଜର ଦୃଢ ସଂକଳ୍ପ ଦ୍ୱାରା କାର୍ଯ୍ୟରେ ଲଗାଇବାକୁ ହେବ । କ’ଣ ପରିବର୍ତ୍ତନ କରିପାରିବ ତ? ଏହା ତ ତୁମମାନଙ୍କର ଚାଲେଞ୍ଜ ଅଟେ, ମନେ ଅଛି ତ? ବିଶ୍ୱ ପରିବର୍ତ୍ତକ ଅଟ ନା! ଯେବେକି ତୁମର ଉପାଧି ହେଉଛି ବିଶ୍ୱ ପରିବର୍ତ୍ତକ ତେବେ କ’ଣ ନିଜକୁ ପରିବର୍ତ୍ତନ କରିବା କଷ୍ଟକର ଅଟେ କି? ଯଦି ମନ ଭିତରେ କୌଣସି ବି ମୁସ୍‌କିଲ୍ କଥା ଆସୁଛି, ଏମିତି ତ କୌଣସି କଥା ମୁସ୍‌କିଲ୍ ହୋଇ ନଥାଏ କିନ୍ତୁ ତୁମେ ତାକୁ ମୁସ୍‌କିଲ୍ କରିଦେଉଛ, ମାଷ୍ଟର ସର୍ବଶକ୍ତିବାନ ଆତ୍ମା ନିକଟରେ କେଉଁ କଥା ମୁସକିଲ? କିନ୍ତୁ ତୁମେମାନେ ଗୋଟିଏ ଭୁଲ୍ କରିଦେଉଛ ସେଥିପାଇଁ ତାକୁ ମୁସକିଲ୍ କରିଦେଉଛ । ଧରିନିଅ ଏବେ ଯଦି ଅଚାନକ ଭାବରେ ଏଠାରେ ଅନ୍ଧକାର ହୋଇଯିବ ଏବଂ କେହି ଭୁଲ୍ ବଶତଃ ଅନ୍ଧକାରକୁ ହଟାଇବା ପାଇଁ ଚେଷ୍ଟା କରିବ ତେବେ କ’ଣ ଅନ୍ଧକାର ହଟିଯିବ କି? ତେବେ ତା’ର ସଠିକ୍ ବିଧି ହେଲା ତୁମେ ଆଲୋକ ଜଳାଇବା ପାଇଁ ସ୍ୱିଚ୍‌କୁ ଅନ୍ କର ତେବେ ଗୋଟିଏ ସେକେଣ୍ଡ ଭିତରେ ଅନ୍ଧକାର ହଟିଯିବ । ସେହିପରି ତୁମେମାନେ ମଧ୍ୟ ଏହିଭଳି ଭୁଲ୍ କରିଦେଉଛ । ଯାହା ବି ଘଟଣା ଘଟିଗଲା ତା’ର କାହିଁକି, କ’ଣ କେବେ, କିପରି...... ଏହିଭଳି ପ୍ରଶ୍ନର ଧାଡି ଲଗାଇ ଦେଉଛ । ଛୋଟିଆ କଥାକୁ ବଡ କରି ଦେଉଛ । ତେବେ ବଡ କଥା ତ ମୁସକିଲ୍ ଲାଗିବ ନା! ଯଦି କଥାକୁ ଛୋଟ କରିଦେବ, ତେବେ ସହଜ ହୋଇଯିବ । ତେବେ ବାବା ତ ଯେକୌଣସି ଶକ୍ତିକୁ କାର୍ଯ୍ୟରେ ଲଗାଇବା ପାଇଁ ବହୁତ ସହଜ ବିଧି ବତାଇଛନ୍ତି, ତାହା ହେଲା - “ମୁଁ ମାଷ୍ଟର ସର୍ବଶକ୍ତିବାନ ଅଟେ” ନିଜର ଏହି ସ୍ମୃତି ରୂପକ ଆସନ ଉପରେ ବସିଯାଅ । ଯଦି ସର୍ବଦା ଏହି ସ୍ୱମାନର ଆସନ ଉପରେ ବସିଥିବ ତେବେ କେବେ ବି ହଲଚଲ୍ ହେବ ନାହିଁ । ଆସନ ଉପରେ ନ ବସିବା କାରଣରୁ ହଲଚଲ୍ ହେଉଛ, ଯଦି ଆସନ ଉପରେ ବସିଥିବ ତେବେ ହଲଚଲ୍ ହୋଇପାରିବ ନାହିଁ । ତୁମମାନଙ୍କର ୬୩ ଜନ୍ମର ସଂସ୍କାର ପ୍ରକଟ ହୋଇଯାଉଛି । ତେବେ ତୁମର ୬୩ ଜନ୍ମ କେଉଁ ଭଳି ଥିଲା? ଏବେ ଏବେ ଭଲ, ଏବେ ଏବେ ହଲ୍‌ଚଲ୍ । ତେଣୁ ସର୍ବଦା ଏହି ସ୍ୱମାନର ଆସନ ଉପରେ ବସିଥାଅ । ତେବେ ଏହି ବର୍ଷ ଆଉ କ’ଣ କରିବ? ନୂତନ ବର୍ଷରେ ଉପହାର ତ ସମସ୍ତଙ୍କୁ ଦେବ ନା । ତେଣୁ କେଉଁ ଉପହାର ଦେବ? ଅଭିନନ୍ଦନ ମଧ୍ୟ ଦେବ, ତା’ ସହିତ ଉପହାର କ’ଣ ଦେବ? ଉପହାର ତ ତୁମ ପାଖରେ ବହୁତ ଅଛି । ଯେତେ ଦେବାକୁ ଚାହିଁବ ଦେଇପାରିବ । ତେବେ ସ୍ଥୁଳ ଉପହାର ଗୁଡିକ ତ ଅଳ୍ପ ସମୟ ପାଇଁ କାମ କରିବ କିନ୍ତୁ ତୁମେ ଅବିନାଶୀ ପିତାଙ୍କ ସମାନ ହେଉଥିବା ପିଲାମାନେ ସମସ୍ତଙ୍କୁ ଅବିନାଶୀ ଉପହାର ଦିଅ । ସଂକଳ୍ପ ଦ୍ୱାରା ଶକ୍ତିର ଉପହାର ଦିଅ, ବାଣୀ ଦ୍ୱାରା ଜ୍ଞାନର ଉପହାର ଦିଅ ଏବଂ କର୍ମ ଦ୍ୱାରା ଗୁଣର ଉପହାର ଦିଅ । ଏଗୁଡିକ ତ ସମସ୍ତଙ୍କ ପାଖରେ ଅଛି ନା? ଯଦି ଅଛି ତେବେ ମୁଣ୍ଡ ହଲାଅ । ସମ୍ପତ୍ତିଗୁଡିକ ତ ବହୁତ ଅଛି ନା, କମ୍ ତ ନାହିଁ ନା! ଯାହା ସହିତ ବି କର୍ମ କରୁଛ, କର୍ମ ତ କରିବାକୁ ପଡିବ ନା । ଏ ବର୍ଷ ତାକୁ ବହୁତ ଉପହାର ଦିଅ । କିନ୍ତୁ ଅବିନାଶୀ ଉପହାର ଦିଅ । ଶୁଣିଲ ତ କାହାକୁ ବି ଖାଲି ହାତରେ ଯିବାକୁ ଦିଅ ନାହିଁ । ଚାହେଁ ସଂକଳ୍ପ ଦ୍ୱାରା ଦିଅ, ଚାହେଁ ବାଣୀ ଦ୍ୱାରା ଦିଅ, ଚାହେଁ କର୍ମ ଦ୍ୱାରା ଉପହାର ଦିଅ । ଏଥିପାଇଁ ତୁମମାନଙ୍କୁ ସର୍ବଦା ଗୋଟିଏ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ, ସବୁ ସମୟରେ ମନ ଭିତରେ ଶକ୍ତିଗୁଡିକର ଷ୍ଟକକୁ ଖୋଲା ରଖିବାକୁ ପଡିବ । କେତେ ଶକ୍ତି ହେଲାଣି? ତା’ର ତାଲିକା ତ ଅଛି ନା! ତେବେ ବାଣୀ ଦ୍ୱାରା ସେବା କରିବା ପାଇଁ ସର୍ବଦା ମନ ଭିତରେ ମନନ ଶକ୍ତିକୁ ଅର୍ଥାତ୍ ଜ୍ଞାନକୁ ମନନ କରିବାର ଶକ୍ତିକୁ ସ୍ମୃତିରେ ରଖିବାକୁ ପଡିବ । ଚାଲିଚଳନରେ ତଥା ଚେହେରାରେ, କର୍ମରେ ସର୍ବଦା ଦିବ୍ୟଗୁଣର ସ୍ୱରୂପ ହେବାକୁ ପଡିବ । ସର୍ବଦା ନିଜକୁ ଗୁଣମୂରତ, ଜ୍ଞାନ ମୂରତ ଏବଂ ଶକ୍ତି ସ୍ୱରୂପର ସ୍ଥିତିକୁ ଜାଗ୍ରତ ରଖିବାକୁ ପଡିବ । ଏମିତି ନୁହେଁ ଯେ ଶକ୍ତିଗୁଡିକ ତ ନିଶ୍ଚିତ ଭାବରେ ମୋ ଭିତରେ ଅଛନ୍ତି, ଜ୍ଞାନ ମଧ୍ୟ ନିଶ୍ଚିତ ରହିଛି... କିନ୍ତୁ ଏସବୁର ସ୍ୱରୂପ ହେବାକୁ ପଡିବ । ସମସ୍ତଙ୍କୁ ଈଶ୍ୱରୀୟ ପରିବାରର ଦୃଷ୍ଟି ବୃତ୍ତିରେ ଦେଖିବାକୁ ପଡିବ । ଯେହେତୁ ଏହି ବର୍ଷ ବାବାଙ୍କ ସମାନ ହେବାକୁ ହିଁ ପଡିବ । ଏଥିରେ ହାତ ତ ଉଠାଇ ଦେଇଛ, ତେଣୁ ବାପଦାଦାଙ୍କର ବତନରେ ସମସ୍ତଙ୍କର ହାତ ଦେଖାଯିବ, ସେଠାରେ ଏଠିକା ଭଳି ଛୋଟିଆ ଟି.ଭି. ନାହିଁ, ବହୁତ ବଡ ଟି.ଭି. ଅଛି । ଗୋଟିଏ ସେକେଣ୍ଡ ଭିତରେ ସବୁ ସେଣ୍ଟରର ପିଲାମାନଙ୍କର ଫଳାଫଳକୁ ଦେଖିପାରିବୁ । ତେଣୁ ତୁମ ଭିତରେ ବାପ ସମାନ ହେବାର ଯେଉଁ ଉମଙ୍ଗ-ଉତ୍ସାହ ଭରି ରହିଛି, ସେଥିପାଇଁ ବାପଦାଦା ଖୁସି ହେଉଛନ୍ତି । ସୌଭାଗ୍ୟଶାଳୀ ଆତ୍ମା ଅଟ, ଖୁସିର ଚେହେରାବାଲା ଅଟ, ତେଣୁ କେବେ ବି ନିଜର ଚେହେରାକୁ ରୋବାବ୍‌ବାଲା ଚେହେରା କରିବ ନାହିଁ । ଯିଏବି ତୁମକୁ ଦେଖୁ ସର୍ବଦା ଖୁସିବାସିଆ ଚେହେରା ହିଁ ଦେଖୁ, ଚାହେଁ ଯେତେ ବି କାମରେ ବ୍ୟସ୍ତ ରହିଥାଅ, କୌଣସି ଅଡୁଆକୁ ବା ଭୁଲ୍‌କୁ ଠିକ୍ କରୁଥାଅ ବା କାହାକୁ କିଛି ବୁଝାଉଥାଅ, କିନ୍ତୁ ରୋବାବ୍ ବାଲା ଚେହେରା ବା ବାଣୀ ନ ହେଉ । ଏହି ବର୍ଷ ଏହାକୁ ପରିବର୍ତ୍ତନ କରି ଦେଖାଅ । ସେଥିପାଇଁ ପ୍ରାଇଜ ମଧ୍ୟ ଦିଆଯିବ । ସାରା ବର୍ଷ ଯିଏ ସର୍ବଦା ହର୍ଷିତ ଚେହେରା ରଖିବ, ଯେମିତିକା ବି କଥା ଆସୁ, କେତେକ ଭାଇଭଉଣୀ କହିଥାଆନ୍ତି, ସମସ୍ତେ ବାର୍ତ୍ତାଳାପ ତ କରୁଛନ୍ତି ନା, ତେଣୁ କହିଥାଆନ୍ତି ଯଦି ଆମେ ଟିକିଏ ରୋବାବ୍ ଦେଖାଇ କଥା ନ କହିବୁ ଅର୍ଥାତ୍ ହୁକୁମ୍ ଦେବା ଭଳି କଥା ନ କହିବୁ ତେବେ କେହି ବୁଝିବେ ନାହିଁ, ବଦଳିବେ ହିଁ ନାହିଁ । ତେବେ ପ୍ରଥମରୁ ହିଁ ତୁମେ ଭାବନା ରଖିଦେଲ ଯେ ଇଏ ବଦଳିବେ ହିଁ ନାହିଁ, ତେଣୁ ତୁମର ସେହି ଭାଇବ୍ରେଶନ ପ୍ରଥମରୁ ହିଁ ତାଙ୍କ ପାଖରେ ପହଞ୍ଚିଗଲା ସେଥିପାଇଁ ଏହି ବର୍ଷ କ୍ରୋଧ ହେଉ ବା ତା’ର ପିଲାଛୁଆ ହୁଅନ୍ତୁ ତାଙ୍କୁ ବିଦାୟ ଦେବାକୁ ପଡିବ । କ’ଣ ହୋଇପାରିବ ତ? ରୋବାବ୍ ମଧ୍ୟ ନୁହେଁ । ତେବେ ବାବା ଜାଣିବାକୁ ଚାହୁଁଛନ୍ତି ଯେଉଁମାନେ ବି ସମୟ ସମୟରେ କ୍ରୋଧ କରୁଛନ୍ତି, କାମ ଆଦାୟ କରିବା ପାଇଁ ହେଉ ବା କାହାକୁ ସୁଧାରିବା ପାଇଁ ଦେଉ କିନ୍ତୁ ସେ ସୁଧୁରୁଛି କି? କ୍ରୋଧ କରିବା ଦ୍ୱାରା କେହି କେବେ ସୁଧୁରିଛି କି? ତା’ର ତାଲିକା ଦିଅ । ସୁଧୁରୁ ନାହାଁନ୍ତି, ବରଂ ଆହୁରି ଅଧିକ ଚିଡିଯାଉଛନ୍ତି । ମନ ଭିତରେ ବିରୋଧ କରୁଛନ୍ତି । ଯଦି ବଡ ହୋଇଥିବ ତେବେ ମନ ଭିତରେ ବିରୋଧ କରୁଥିବ କାରଣ ମୁହଁରେ କହିପାରିବ ନାହିଁ ଏବଂ ଛୋଟ ହୋଇଥିଲେ କାନ୍ଦିବାକୁ ଲାଗିବ । ତେଣୁ ଏହି ବର୍ଷ କ’ଣ କ’ଣ ସବୁ କରିବ, ତାହା ଶୁଣାଇ ଦେଉଛୁ । କ’ଣ ପସନ୍ଦ ଅଟେ ତ? କରିବ ତ? ଏବେ ହାତ ଉଠାଅ । କରିବ ତ? ଟି.ଭି.ବାଲା ଫଟୋ ଉଠାଅ । ହାତ ଉଠାଅ, ଟିକିଏ ସିଧା କରି ରଖ । ଟି.ଭି.ବାଲା ଫଟୋ ଉଠାଉଛନ୍ତି । ଆଚ୍ଛା!

ସମୟ ଅନୁସାରେ ବାପଦାଦା ଦେଖୁଥିଲେ ଯେ ସମୟର ବେଗ ବର୍ତ୍ତମାନ ସମୟରେ ତୀବ୍ର ଅଟେ । ତେଣୁ ସମୟକୁ କିଏ ସାମନା କରିପାରିବ? ତୁମେମାନେ ହିଁ ତ କରିବ ନା । ବାପଦାଦା ଦେଖୁଛନ୍ତି ଯେ ଦୁଃଖୀ ଆତ୍ମାମାନଙ୍କର ଡାକରା, ଭକ୍ତମାନଙ୍କର ଡାକରା, ସମୟର ଡାକରା ଏତେ ଅଧିକ ଅଛି କିନ୍ତୁ ତୁମେମାନେ ବହୁତ କମ୍ ଶୁଣିପାରୁଛ । ବିଚରା ସାହସ ହରାଇ ସାରିଛନ୍ତି, ସେମାନଙ୍କୁ ଯଦି ଡେଣା ଲଗାଇ ଦେବ ତେବେ ଯାଇ ସେମାନେ ଉଡିପାରିବେ । ତେଣୁ ସେମାନଙ୍କ ଭିତରେ ସାହସର ଡେଣା, ଉମଙ୍ଗ-ଉତ୍ସାହର ଡେଣା ଲଗାଇଦିଅ । ଆଚ୍ଛା!

ଚାରିଆଡର ପିଲାମାନେ ଏବେ ବାପଦାଦାଙ୍କର ହୋମୱାର୍କକୁ ବାସ୍ତବିକ ରୂପରେ କାର୍ଯ୍ୟରେ କରି ପ୍ରମାଣ ଦେଉଥିବା ସୁପୁତ୍ର ସନ୍ତାନ ହୋଇ ନିଜର ପ୍ରଭାବ ଦେଖାଇବେ । ତେଣୁ ଚାରିଆଡର ପିଲାମାନଙ୍କୁ ବହୁତ ବହୁତ ଦିଲ୍‌ର ସ୍ନେହ ତଥା ଦିଲ୍‌ର ପଦ୍ମାଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ସ୍ୱୀକାର ହେଉ । ଏହିଭଳି ଯୋଗ୍ୟ ସନ୍ତାନ ଏବଂ ଶ୍ରେଷ୍ଠ ସନ୍ତାନମାନଙ୍କୁ ବାପଦାଦାଙ୍କର ନମସ୍ତେ ।

ତେବେ ଏହି ବର୍ଷର ପ୍ରତ୍ୟେକ ଦିନକୁ ସ୍ୱ ପରିବର୍ତ୍ତନ ଏବଂ ବିଶ୍ୱ ପରିବର୍ତ୍ତନର ଦିବସ ରୂପରେ ପାଳନ କରିଚାଲ । ପ୍ରତ୍ୟେକ ଦିନ ନୂଆ ପରିବର୍ତ୍ତନ । ପ୍ରତ୍ୟେକ ଦିନ ନୂଆ ସେବା, ନୂଆ ଉମଙ୍ଗ-ଉତ୍ସାହ । ଗୋଟିଏ ଦିନ ବି କୌଣସି ଚିନ୍ତାର ଚିନ୍ତନ ନ ଚାଲୁ, ସବୁବେଳେ ଉମଙ୍ଗ-ଉତ୍ସାହ ଭରା ଦିନ ଏବଂ ରାତି ବିତାଅ । ଏହି ନୂତନ ବର୍ଷରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନିଜ ପ୍ରତି ହେଉ ବା ବିଶ୍ୱ ପ୍ରତି ହେଉ ବା ସେବା ପ୍ରତି ହେଉ ନିଶ୍ଚିତ କରିବି, ଏହିଭଳି ଦୃଢ ସଂକଳ୍ପ କରି ସମୟକୁ ପାଖେଇ ଆଣିବା ସହିତ ବାବାଙ୍କ ସମାନ ସମ୍ପୂର୍ଣ୍ଣ ହୋଇ ଉଡିବାକୁ ହେବ ଏବଂ ଉଡାଇବାକୁ ହେବ । ଆଚ୍ଛା । ଓମ୍ ଶାନ୍ତି ।

ବରଦାନ:-
ସମସ୍ତଙ୍କର ମତାମତକୁ ସମ୍ମାନ ଦେଇ ବିଶ୍ୱ ଦ୍ୱାରା ସମ୍ମାନ ପ୍ରାପ୍ତ କରୁଥିବା ବାଳକ ତଥା ମାଲିକ ହୁଅ ।

ଚାହେଁ କେହି ଛୋଟ ହୁଅନ୍ତୁ ବା ବଡ ହୁଅନ୍ତୁ ତୁମେ କିନ୍ତୁ ସମସ୍ତଙ୍କର ମତାମତକୁ ନିଶ୍ଚିତ ସମ୍ମାନ ଦିଅ କାହିଁକି ନା କାହାର ବି ମତାମତକୁ ଅସ୍ୱୀକାର କରିଦେବା ଅର୍ଥ ନିଜେ ନିଜକୁ ଅସ୍ୱୀକାର କରିବା, ସେଥିପାଇଁ ଯଦି ବି କାହାର ବ୍ୟର୍ଥ କଥାକୁ ଖଣ୍ଡନ କରିବାର ଅଛି ତେବେ ପ୍ରଥମେ ତାକୁ ସମ୍ମାନ ଦିଅ, ସ୍ୱମାନ ଦିଅ ତା’ପରେ ଶିକ୍ଷା ଦିଅ । ଏହା ମଧ୍ୟ ଏକ ବିଧି ଅଟେ । ଯେତେବେଳେ ଏହିଭଳି ସମସ୍ତଙ୍କୁ ସମ୍ମାନ ଦେବାର ସଂସ୍କାର ତୁମ ଭିତରେ ଭରି ହୋଇଯିବ ସେତେବେଳେ ବିଶ୍ୱଠାରୁ ତୁମକୁ ସମ୍ମାନ ମିଳିବ । ସେଥିପାଇଁ ବାଳକ ହିସାବରେ ମାଲିକ ଏବଂ ମାଲିକ ହିସାବରେ ବାଳକ ହୁଅ । ତୁମର ବୁଦ୍ଧି ବେହଦରେ ରହିବା ସହିତ ଶୁଭ ଏବଂ କଲ୍ୟାଣର ଭାବନାରେ ସମ୍ପନ୍ନ ରହୁ ।

ସ୍ଲୋଗାନ:-
ମସ୍ତକରେ ସର୍ବଦା ସାଥୀରେ ରହିବାର ସ୍ମୃତିର ତିଳକ ଲଗାଇବା ହିଁ ସୁହାଗର ଚିହ୍ନ ଅଟେ ।

ଅବ୍ୟକ୍ତ ଈଶାରା:- ଏକତା ଏବଂ ବିଶ୍ୱାସର ବିଶେଷତା ଦ୍ୱାରା ସଫଳତା ସମ୍ପନ୍ନ ହୁଅ । ସଂଗଠନରେ ଏକତା ଆଣିବାକୁ ହେଲେ ଦୁଇଟି କଥାକୁ ଧାରଣ କରିବାକୁ ପଡିବ - ପ୍ରଥମେ ତ ଏକନାମୀ ହୋଇ ପ୍ରତ୍ୟେକ କଥାରେ ଜଣଙ୍କର ହିଁ ନାମ ଶୁଣାଉଥାଅ, ଦ୍ୱିତୀୟରେ ସଂକଳ୍ପର, ସମୟର ଏବଂ ଜ୍ଞାନ ରୂପୀ ସମ୍ପତ୍ତିର ମିତବ୍ୟୟୀ ହୁଅ ଅର୍ଥାତ୍ ଇକୋନାମୀ କର । ଯେତେବେଳେ ସମସ୍ତେ ଏହିପରି ଏକନାମୀ ଏବଂ ଇକୋନମୀବାଲା ହୋଇଯିବେ ସେତେବେଳେ ଏକମାତ୍ର ବାବାଙ୍କ ଭିତରେ ସବୁ ପ୍ରକାରର ଭିନ୍ନତା ସମାହିତ ହୋଇଯିବ ।