08.11.26    Avyakt Bapdada     Odia Murli    18.10.2071     Om Shanti     Madhuban


“ବିଶେଷ କରି ଦୀପାବଳୀ ଉଦ୍ଦେଶ୍ୟରେ ଅବ୍ୟକ୍ତ ବାପଦାଦାଙ୍କର ମଧୁର ମହାବାକ୍ୟ”


ଆଜ ବାପଦାଦା କ’ଣ ଦେଖୁଛନ୍ତି? ତୁମ ଭଳି ଦୀପମାନଙ୍କର ମାଳାକୁ ଦେଖିବାକୁ ଆସିଛନ୍ତି । ଯେଉଁ ଦୀପମାଳାର ସ୍ମାରକୀ ଦିବସ ଲୋକମାନେ ପାଳନ କରୁଛନ୍ତି, ବାପଦାଦା ସେହି ଚୈତନ୍ୟ ଦୀପମାନଙ୍କର ମାଳାକୁ ଦେଖୁଛନ୍ତି । ତୁମେ ସମସ୍ତେ ମଧ୍ୟ ଯେତେବେଳେ ଦୀପାବଳୀ ଦିନ ଜଳୁଥିବା ଦୀପମାନଙ୍କୁ ଦେଖୁଛ ସେତେବେଳେ ତୁମମାନଙ୍କୁ ଖୁସି ଲାଗୁଛି ଯେ ଆମମାନଙ୍କର ହିଁ ସ୍ମାରକୀ ପାଳନ କରୁଛନ୍ତି? ଯେପରି ଜଳୁଥିବା ଦୀପ ସମସ୍ତଙ୍କୁ ପ୍ରିୟ ଲାଗିଥାଏ ସେହିପରି ନିଜର ସ୍ମାରକୀକୁ ଦେଖି ସ୍ମୃତି ଆସିବା ଦ୍ୱାରା ତୁମେମାନେ ମଧ୍ୟ ସାରା ବିଶ୍ୱର ପିତା ଏବଂ ସାରା ବିଶ୍ୱର ଆତ୍ମାମାନଙ୍କୁ ପ୍ରିୟ ଲାଗୁଛ । ତେବେ ଆଜି ନିଜର ସ୍ମାରକୀର ରୂପକୁ ପ୍ରତ୍ୟକ୍ଷ ରୂପରେ ଦେଖିବା ପାଇଁ ଆସିଛ । କାହିଁକିନା ମାଳାରେ ଗୋଟିଏ ଦାନା ନଥାଏ, ଅନେକ ଦାନା ଗୁଡିକ ମିଶି ମାଳା ହୋଇଥାଏ । ଯଦି ଗୋଟିଏ ଦୀପ ଅଲଗା ହୋଇ ଜଳୁଥିବ, ତେବେ ତାକୁ ଦୀପମାଳା ବା ଦୀପାବଳୀ କୁହାଯିବ ନାହିଁ । ତେବେ ସେହିପରି ଅନେକ ଗୁଡିଏ ଜଳୁଥିବା ଦୀପ ମାଳା ରୂପରେ ଦେଖାଯାଉଛନ୍ତି । ତେବେ ପ୍ରତ୍ୟେକ ନିଜକୁ ଏହି ଦୀପମାଳା ଭିତରେ ଗୁନ୍ଥା ହୋଇଥିବା ଜାଗ୍ରତ ଦୀପ ମନେ କରୁଛ ତ? ନା ତୁମେମାନେ ମଧ୍ୟ ଅନେକ ଗୁଡିଏ ଜଳୁଥିବା ଦୀପମାନଙ୍କର ମାଳାକୁ ଦେଖି ଖୁସି ହେଉଛ? ତେବେ ଆଜିର ଦୀପାବଳୀ ଉତ୍ସବରେ ତୁମେମାନେ ମଧ୍ୟ ଦୀପାବଳୀ ପାଳନ କରିଲ ତ? ଆଜି ବିଶେଷ ରୂପରେ ଦୀପାବଳୀ ପାଳନ କରିଲ ତ? ଏମିତି ତ ତୁମେମାନେ ସଦାସର୍ବଦା ଜାଗ୍ରତ ଦୀପ ଅଟ, କିନ୍ତୁ ଯେହେତୁ ଆଜି ବିଶେଷ କରି ସ୍ମାରକୀ ପାଳନ କରିବାର ଦିବସ ତେବେ ବିଶେଷ ଆତ୍ମାମାନଙ୍କୁ କ’ଣ କରିବା ଦରକାର? ବିଶେଷ ଆତ୍ମାମାନେ ଯେଉଁମାନେ କି ବିଶେଷ ରୂପରେ ନିମିତ୍ତ ହୋଇଥାଆନ୍ତି ସେମାନଙ୍କୁ ବିଶେଷ କରି ସେବା କରିବା ଦରକାର? ବିଶେଷ ଆତ୍ମାମାନଙ୍କୁ ତ ଅନ୍ୟମାନଙ୍କଠାରୁ ବିଶେଷ କାର୍ଯ୍ୟ କରିବାକୁ ହେବ କାହିଁକିନା ଯାହାକୁ ଅନ୍ୟ ଆତ୍ମାମାନେ ମଧ୍ୟ କରିପାରିବେ ଏବଂ କରୁଛନ୍ତି ଯଦି ସେଇଆ କରିବ ତେବେ ଫରକ କ’ଣ ରହିଲା? ବିଶେଷ ଆତ୍ମାମାନଙ୍କୁ ବିଶେଷ କାର୍ଯ୍ୟ କରିବାକୁ ହେବ । ବାପଦାଦା ବିଶେଷ ଦିନ ଗୁଡିକରେ ବିଶେଷ ରୂପରେ ପିଲାମାନଙ୍କର ଏବଂ ଭକ୍ତମାନଙ୍କର ତିନୋଟି ରୂପରେ ସେବା କରିଥାଆନ୍ତି । ବିଶେଷ ଆତ୍ମାମାନଙ୍କୁ ବିଶେଷ କରି ନିଜର ସ୍ମାରକୀ ଦିବସରେ ସାକ୍ଷାତ୍‌କାର ମୂରତ ହୋଇ, ସାକ୍ଷାତ୍ ବାପଦାଦାଙ୍କ ସମାନ ଆତ୍ମାମାନଙ୍କୁ ନିଜର କଲ୍ୟାଣର ଭାବନା ଦ୍ୱାରା, ନିଜର ଆତ୍ମିକ ସ୍ନେହର ସ୍ୱରୂପ ଦ୍ୱାରା, ନିଜର ସୂକ୍ଷ୍ମ ଶକ୍ତିଗୁଡିକ ଦ୍ୱାରା ଆତ୍ମାମାନଙ୍କ ଭିତରେ ବଳ ଭରିବା ଉଚିତ୍‌, ଯେପରି ଅବ୍ୟକ୍ତ ରୂପରେ ବାପଦାଦା ଚାରିଆଡେ ପିଲାମାନଙ୍କର ସେବା କରିଥାଆନ୍ତି, ସେମାନେ ଭାବନ୍ତି ଯେ ବାପଦାଦା ମୋ ସହିତ ସାକ୍ଷାତ୍ କରିଲେ, ମୋ’ର ଯୋଗର ପ୍ରତ୍ୟୁତ୍ତର ଦେଲେ ବା ମୋର ଯୋଗ ପ୍ରତ୍ୟକ୍ଷ ଫଳ ମୁଁ ଅନୁଭବ କରିଲି ଏବଂ ଭକ୍ତମାନେ ମଧ୍ୟ ଭାବନ୍ତି ଯେ ମୋ’ର ସ୍ନେହର ବା ଭାବନାର ଫଳ ଭଗବାନ ଦେଇଛନ୍ତି, ଏହିଭଳି ଅନୁଭବ ବାସ୍ତବିକ ରୂପରେ ହୋଇଥାଏ ।

ଏହିଭଳି ବିଶେଷ ଆତ୍ମାମାନଙ୍କୁ ନିଜର ଅବ୍ୟକ୍ତ ସ୍ଥିତି ଦ୍ୱାରା, ନିଜର ଆତ୍ମିକ ଲାଇଟ୍ ଏବଂ ମାଇଟ୍ ସ୍ଥିତି ଦ୍ୱାରା ଲାଇଟ୍ ହାଉସ୍ ଏବଂ ମାଇଟ୍ ହାଉସ୍ ହୋଇ ଗୋଟିଏ ସ୍ଥାନରେ ରହୁଥିଲେ ମଧ୍ୟ ଚାରିଆଡେ ଅଲୌକିକ ଆତ୍ମିକ ସେବାର ଭାବନା ଏବଂ ବୃତ୍ତି ଦ୍ୱାରା ସେବା କରିବା ଦରକାର, ଏହାକୁ କୁହାଯାଏ ବେହଦର ସେବା । ଏଭଳି ଅନୁଭବ ବା ହୃଦ୍‌ବୋଧ ହେବା ଦରକାର ଯେ ମୋ’ର ପ୍ରଜା ବା ଭକ୍ତ ଆଜି ବିଶେଷ ରୂପରେ ଏହି ସ୍ମାରକୀ ଦିନରେ ମୋଭଳି ବିଶେଷ ଆତ୍ମାକୁ ମନେ ପକାଉଛନ୍ତି । ଅଳ୍ପକାଳର ରିଦ୍ଧି-ସିଦ୍ଧିବାଲା ଗୋଟିଏ ସ୍ଥାନରେ ରହି ନିଜର ଭକ୍ତମାନଙ୍କୁ ନିଜର ରୂପର ପ୍ରତ୍ୟକ୍ଷ ସାକ୍ଷାତ୍‌କାର କରାଇ ପାରୁଛନ୍ତି, ତେବେ କ’ଣ ତୁମ ଭଳି ବିଶେଷ ଆତ୍ମାମାନେ ନିଜର ଲାଇଟ୍ ଏବଂ ମାଇଟ୍ ଦ୍ୱାରା ଭକ୍ତମାନଙ୍କୁ ବା ପ୍ରଜାମାନଙ୍କୁ ନିଜର ସେବା ଦ୍ୱାରା ଅନୁଭବ କରାଇପାରିବେ ନାହିଁ? ତେଣୁ ଯେତେବେଳେ ଏହିଭଳି ବିଶେଷ ସ୍ମାରକୀର ଦିନ ଆସୁଛି ତେବେ ବିଶେଷ ଆତ୍ମାମାନଙ୍କୁ ଏହିଭଳି ବିଶେଷ ସେବାରେ ରହି ଅନୁଭବ କରିବା ଦରକାର । କ’ଣ ଏହିଭଳି ସେବା କରିଲ ତ? ଆଚ୍ଛା, ଏହା ତ ହେଲା ସେବାର କଥା, ଆହୁରି ମଧ୍ୟ ଦୀପାବଳୀ ଦିନ ନିଜ ପାଇଁ ବିଶେଷ ଧ୍ୟାନ ରହିଥିଲା ତ? ତେବେ ଆଜିର ଦିନରେ ନିଜର ଆତ୍ମାର ସଂସ୍କାର ଗୁଡିକରେ ସଦାକାଳ ପାଇଁ ପରିବର୍ତ୍ତନ ଆଣିବାର ବିଶେଷ ଧ୍ୟାନ ଦେଇଛ ତ? ଯେବେକି ସ୍ମାରକୀ ରୂପରେ ଆଜିର ଦିନରେ ପୁରୁଣା ଖାତାକୁ ସମାପ୍ତ କରିବାର ପରମ୍ପରା ରହି ଆସିଛି, ତେବେ ଆଜିର ଦିନରେ ନିଜର ପୁରୁଣା ସଂସ୍କାର ଗୁଡିକର ଟିକିଏ ବି ରହିଯାଇଥିବା ଖାତାଗୁଡିକୁ ସମାପ୍ତ କରିଦେଇଛ ତ? ତେବେ ଖାତାକୁ ସମାପ୍ତ କରିବା ପୂର୍ବରୁ ପ୍ରଥମେ ନିଜର ଖାତାଗୁଡିକୁ ଚେକ୍ କରିଥାଆନ୍ତି ଏବଂ ଫଳାଫଳ ମଧ୍ୟ ଦେଖିଥାଆନ୍ତି । ସେହିଭଳି ତୁମେମାନେ ମଧ୍ୟ ନିଜର ହିସାବ ଖାତାକୁ ଚେକ୍ କରିଛ ତ? ଏବେ କେଉଁ କଥାକୁ ଚେକ୍ କରିବାକୁ ହେବ? ଆଜି ଦିନ ପର୍ଯ୍ୟନ୍ତ ମୁଁ ଯାହା ବି ପୁରୁଷାର୍ଥ କରିଆସିଛି ତା’ର ଫଳାଫଳ ରୂପରେ ଏବେ ସୁଦ୍ଧା କେଉଁ କଥାରେ ଏବଂ କେତେ ପ୍ରତିଶତରେ ସଫଳତା ମୂରତ ହୋଇପାରିଛି? ପ୍ରଥମେ ନିଜର ମନର ସଂକଳ୍ପର ହିସାବକୁ ଚେକ୍ କର ଯେ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶ୍ରେଷ୍ଠ ସଂକଳ୍ପ କରିବାର ପୁରୁଷାର୍ଥରେ କେତେ ମାତ୍ରାରେ ସଫଳତା ମିଳିଛି? ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ଉପରେ କେତେ ମାତ୍ରାରେ ବିଜୟୀ ହୋଇଛି? ଏବଂ ବାଣୀ ଦ୍ୱାରା କେତେ ମାତ୍ରାରେ ଆତ୍ମାମାନଙ୍କୁ ବାବାଙ୍କର ପରିଚୟ ଦେଇପାରିବି ଏବଂ କେତେ ଆତ୍ମାଙ୍କୁ ବାବାଙ୍କର ସ୍ନେହୀ ବା ସହଯୋଗୀ କରିପାରିବି? ବାଣୀରେ କେତେ ପରିମାଣରେ ଆତ୍ମିକ ଭାବ ବା ଅଲୌକିକତା ବା ଆତ୍ମିକ ଆକର୍ଷଣ ଆସିଲାଣି? ସେହିପରି କର୍ମଣା ଦ୍ୱାରା ସର୍ବଦା ନ୍ୟାରା ଏବଂ ପ୍ୟାରା, ଅଲୌକିକ, ଅସାଧାରଣ କର୍ମ କେତେ ମାତ୍ରାରେ କରିପାରିବି? କର୍ମରେ କେତେ ପରିମାଣରେ କର୍ମଯୋଗୀ ହେବାର, ଯୋଗଯୁକ୍ତ, ଯୁକ୍ତିଯୁକ୍ତ, ସ୍ନେହଯୁକ୍ତ ରୂପ ଆଣିପାରିଛି? ନିଜର ସଂସ୍କାରରେ ଏବଂ ସ୍ୱରୂପରେ ଅର୍ଥାତ୍ ଚେହେରାରେ କେତେ ପରିମାଣରେ ବାବାଙ୍କ ସମାନ ଆକର୍ଷଣ ରୂପ, ସ୍ନେହୀ ରୂପ, ସହଯୋଗୀ ରୂପ ହୋଇପାରିଛି? ଏହିଭଳି ନିଜର ପୁରୁଷାର୍ଥର ଚାର୍ଟକୁ ଚେକ୍ କରିବା ଦ୍ୱାରା ଏବେ ପର୍ଯ୍ୟନ୍ତ ଯାହାବି ସବୁ ଦୋଷ ଦୁର୍ବଳତାଗୁଡିକ ରହିଯାଇଛି ସେଗୁଡିକୁ ସମାପ୍ତ କରି ନୂଆ ଖାତା ଆରମ୍ଭ କରିପାରିବ । ତେଣୁ ଏହିଭଳି ନିଜର ହିସାବ ଖାତା ଚେକ୍ କର ।

ଏହାକୁ ହିଁ କୁହାଯାଏ ଦୀପାବଳୀ ପାଳନ କରିବା ଅଥବା ନିଜକୁ ସମ୍ପୂର୍ଣ୍ଣ କରିବାର ଦୃଢ ସଂକଳ୍ପ କରିବା । ତେବେ ଏହିଭଳି ଦୀପାବଳୀ ପାଳନ କରିଛ, ନା କେବଳ ମିଳନ କରିଛ? ମିଳନ କରିବାର ସ୍ମାରକୀ ମାଳା ରୂପରେ ରହିଛି କିନ୍ତୁ ଦୃଢ ସଂକଳ୍ପ କରିବାର ସ୍ମାରକୀ ଦୀପର ଜ୍ୟୋତି ରୂପର ଅଟେ । ତେବେ ଦୁଇଟିଯାକ ରୂପରେ ପାଳନ କଲ ତ? ନୂଆ ବସ୍ତ୍ର ପିନ୍ଧିଲ ତ? ଆତ୍ମାମାନଙ୍କୁ ନୂଆ ବସ୍ତ୍ର କେଉଁ ଆଧାରରେ ମିଳିଥାଏ? ସଂସ୍କାର ଆଧାରରେ ମିଳିଥାଏ ନା । ଆତ୍ମାର ସଂସ୍କାର ଯେପରି ହୋଇଥାଏ ସେହି ଅନୁସାରେ ହିଁ ବସ୍ତ୍ର ଅର୍ଥାତ୍ ଶରୀର ତିଆରି ହୋଇଥାଏ । ତେବେ ନୂଆ ବସ୍ତ୍ର ବା ନୂଆ ପୋଷାକ କ’ଣ ପିନ୍ଧିବ? ଆତ୍ମା ଭିତରେ ନୂତନ ଯୁଗର ସଂସ୍କାର ବା ନୂଆ ଯୁଗର ସ୍ଥାପନକର୍ତ୍ତା ବାବାଙ୍କ ଭଳି ସମ୍ପୂର୍ଣ୍ଣ ସଂସ୍କାର ଗୁଡିକୁ ଧାରଣ କରିବା - ଏହା ହିଁ ହେଉଛି ନୂତନ ବସ୍ତ୍ର ପିନ୍ଧିବା । ଶରୀରରେ ନୂତନ ବସ୍ତ୍ର ଯେତେ ବି ପିନ୍ଧିଥାଅ କିନ୍ତୁ ଆଜିର ପୁରୁଣା ଦୁନିଆର ନୂତନ ବସ୍ତୁଗୁଡିକ ନୂଆ ଦୁନିଆ ତୁଳନାରେ ପୁରୁଣା ଅଟେ କାହିଁକିନା ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇସାରିଛି ସେଥିପାଇଁ ନୂତନ ବସ୍ତ୍ର ପିନ୍ଧିଲେ ମଧ୍ୟ ତାକୁ ନୂଆ ବୋଲି କୁହାଯିବ ନାହିଁ । କେବଳ ସତୋପ୍ରଧାନ ଦୁନିଆରେ ହିଁ ସବୁ କିଛି ନୂଆ ଅଟେ । ତମୋପ୍ରଧାନ ଦୁନିଆର ସବୁ ଜିନିଷ ପୁରୁଣା ଅଟେ । ଅସାର ଅଟେ । ତେବେ କ’ଣ ତାକୁ ନୂଆ କୁହାଯିବ କି? ତେବେ ନୂଆ ବସ୍ତ୍ରର ଅର୍ଥ ହେଲା ପୁରୁଣା ଆତ୍ମାର ନୂଆ ସଂସ୍କାର ବା ଶ୍ରେଷ୍ଠ ସଂସ୍କାରକୁ ଧାରଣ କରିବା ଅଟେ । ଆଉ କ’ଣ କରିବ? ଯଦି ନୂଆ ସଂସ୍କାରକୁ ଧାରଣ କରିନେଇଛ ତେବେ ହିସାବ ରଖିବା ଦ୍ୱାରା ସେଥିରେ ରଙ୍ଗ ଦେବା ହୋଇଯିବ ନା! ତେଣୁ ହିସାବ ରଖିବା ହିଁ ରଙ୍ଗ ଦେବା ବା ସ୍ୱଚ୍ଛତା ଅଟେ । ଯେପରି ଘରେ ରଙ୍ଗ ଦେବା ଦ୍ୱାରା ଯାହା ବି ସବୁ ଅଳିଆ ଆବର୍ଜନା ଥାଏ ବା କୀଟାଣୁ ଆଦି ଥାଆନ୍ତି ସେଗୁଡିକ ସ୍ୱତଃ ହିଁ ସମାପ୍ତ ହୋଇଯାଆନ୍ତି । ସେହିପରି ତୁମେମାନେ ଯେତେବେଳେ ନିଜର ହିସାବ ଖାତାକୁ ଚେକ୍ କରିବ ସେତେବେଳେ ଯାହା ବି ସବୁ ଦୋଷ ଦୁର୍ବଳତା ଗୁଡିକ ରହିଥିବ ସେଗୁଡିକ ସ୍ୱତଃ ହିଁ ସମାପ୍ତ ହୋଇଯିବ । ତେବେ ପରସ୍ପର ଭିତରେ ନିଜର ମଧୁର ବାଣୀ ଦ୍ୱାରା, ଲେନ୍ ଦେନ୍ କରିବ? ଯେପରି ଦୀପାବଳୀ ଦିନ ପରସ୍ପରଠାରୁ ହାତ ଖର୍ଚ୍ଚ ନିଅନ୍ତି ନା, ସେହିପରି ତୁମେମାନେ ମଧ୍ୟ ପରସ୍ପରକୁ କେଉଁ ଖର୍ଚ୍ଚୀ ଦେବ? ତୁମ ପାଖରେ କେଉଁ ଜିନିଷ ଅଛି ଯାହାକି ପରସ୍ପରକୁ ହାତ ଖର୍ଚ୍ଚ ରୂପରେ ଦେବ? (ସ୍ନେହ ରୂପକ ହାତ ଖର୍ଚ୍ଚ) ସ୍ନେହୀ ତ ପରସ୍ପରର ସଦାକାଳ ପାଇଁ ଅଟ, ନା କେବଳ ଆଜି ଦିନଟି ପାଇଁ ସ୍ନେହୀ ହେବ? ସ୍ନେହୀ ତ ଅଟ ଏବଂ ଏହି ସ୍ନେହର ଚିହ୍ନ ବା ପରସ୍ପର ସହିତ ନିକଟ ସମ୍ବନ୍ଧର ଚିହ୍ନ ହେଲା ଦୀପମାଳା । ତେଣୁ ଏହି ବିଶେଷ ଦିନରେ ବିଶେଷ ହାତ ଖର୍ଚ୍ଚ କ’ଣ ଦେବ? ଯାହାକି ଏବେ ପର୍ଯ୍ୟନ୍ତ ନିଜର ପୁରୁଷାର୍ଥ ଦ୍ୱାରା ଯେଉଁ ସହଜ ସଫଳତା ପ୍ରାପ୍ତ ହୋଇଥିବ ବା ଅନୁଭବ ହୋଇଥିବ, ଏହିଭଳି ନିଜର ଅନୁଭବର ଜ୍ଞାନ ରତ୍ନ ଯାହାଦ୍ୱାରା ନିଜେ ବାସ୍ତବିକ ଅନୁଭବୀ ହୋଇ ଅନୁଭବୀ କରାଇପାରିବ । ଏହିଭଳି ରତ୍ନଗୁଡିକୁ ପରସ୍ପରକୁ ହାତ ଖର୍ଚ୍ଚ ରୂପରେ ବିଶେଷ ରୂପରେ ଦେବା ଦରକାର । ବୁଝିପାରିଲ? ବାବାଙ୍କର ସମ୍ପତ୍ତିକୁ ନିଜର ଅନୁଭବ ଦ୍ୱାରା ଯାହାକୁ ତୁମେ ନିଜର କରିନେଇଛ ସେହି ଜ୍ଞାନ ରତ୍ନଗୁଡିକୁ ପରସ୍ପରକୁ ଦେବା ଉଚିତ୍ ଯାହାଦ୍ୱାରା ସେହି ଆତ୍ମାମାନେ ମଧ୍ୟ ସହଜରେ ଅନୁଭବୀ ହୋଇଯିବେ, ଏହା ହିଁ ହେଉଛି ହାତ ଖର୍ଚ୍ଚ । ତେଣୁ ପରସ୍ପରକୁ ଏଭଳି ହାତଖର୍ଚ୍ଚ ଦେବା ଦରକାର ଯାହାକି ସଦାକାଳ ପାଇଁ ମନେ ରହିଥିବ । ତେଣୁ କାହାକୁ ସଦାକାଳ ପାଇଁ ସମ୍ପନ୍ନ କରିଦେବା ଭଳି ହାତ ଖର୍ଚ୍ଚ ଦେବା ଦରକାର । ଏହିଭଳି ଦୀପାବଳୀ ପାଳନ କର ଏବଂ ଏହିଭଳି ଶ୍ରେଷ୍ଠ ଆତ୍ମା ହୋଇ ଅନ୍ୟ ଆତ୍ମାମାନଙ୍କର ଶ୍ରେଷ୍ଠ ସେବା କର ।

ଆଜିର ଦିନରେ ସବୁ ଆତ୍ମା ଧନର ତୃଷାର୍ତ୍ତ ହୋଇଥାଆନ୍ତି । ତେଣୁ ଏହିଭଳି ତୃଷାର୍ତ୍ତ ଆତ୍ମାମାନଙ୍କୁ ଏଭଳି ଆତ୍ମିକ ଧନ ଦିଅ ଯାହାଦ୍ୱାରା କେବେ ବି ସେମାନଙ୍କୁ କୌଣସି ଆତ୍ମାକୁ ଧନ ମାଗିବାର ଆବଶ୍ୟକତା ପଡିବ ନାହିଁ । ତେବେ ଧନ ମଧ୍ୟ କେଉଁମାନେ ମାଗିଥାଆନ୍ତି? ଭିକାରୀମାନେ । ତେଣୁ ଆଜିର ଦିନରେ ଆତ୍ମାମାନେ ଭିକାରୀ ହୋଇଯାଆନ୍ତି । ସେମାନଙ୍କୁ ରାଜକୀୟ ଭିକାରୀ କୁହାଯିବ । ଯେତେ ବି କୋଟିପତି ହୋଇଥାଉ ନା କାହିଁକି, ଆଜିର ଦିନରେ ଭିକାରୀ ହୋଇଯାଆନ୍ତି । ତେଣୁ ଏହିଭଳି ଭିକାରୀ ଆତ୍ମାମାନଙ୍କୁ ଭିକାରୀ ପଣିଆରୁ ମୁକ୍ତ କର, ଏହା ହିଁ ହେଉଛି ବେହଦର ସେବା । ଦାତାଙ୍କର ସନ୍ତାନ ଅଟ ନା । ତେବେ ଦାତା, ବରଦାତାଙ୍କର ସନ୍ତାନମାନେ ନିଜର ବରଦାନର ଶକ୍ତି ଦ୍ୱାରା, ଜ୍ଞାନ ଦାନର ଶକ୍ତି ଦ୍ୱାରା ଭିକାରୀମାନଙ୍କୁ ମାଲାମାଲ କରିଦିଅ । ଆଜିର ଦିନରେ ଏହିଭଳି ଭିକାରୀ ଆତ୍ମାମାନଙ୍କ ପ୍ରତି ବିଧାତା ଏବଂ ବରଦାତାଙ୍କର ପିଲାମାନଙ୍କୁ ଦୟା ଆସିବା ଦରକାର । ଯେଉଁ ଆତ୍ମାମାନଙ୍କୁ ଏହିଭଳି ଦୟା ଆସୁଛି ସେହିମାନଙ୍କୁ ହିଁ ମାୟା ଏବଂ ବିଶ୍ୱର ଏହିଭଳି ଆତ୍ମାମାନେ ନମସ୍କାର କରିଥାଆନ୍ତି ସେଥିପାଇଁ ଏବେ ପର୍ଯ୍ୟନ୍ତ ମଧ୍ୟ ଦୀପ ଜଳାଇ ଆସୁଛନ୍ତି । ଏବେ ତ ଲାଇଟ୍ ଜଳାଉଛନ୍ତି ପୁଣି ବି ନମସ୍କାର ନିଶ୍ଚିତ କରୁଛନ୍ତି । ତେଣୁ ଏହିଭଳି ଜାଗ୍ରତ ଜ୍ୟୋତି ଆତ୍ମାମାନଙ୍କର ସ୍ମାରକୀ ଏବେ ପର୍ଯ୍ୟନ୍ତ ମଧ୍ୟ କାୟମ ରହିଛି । ଲିଭି ଯାଇଥିବା ଦୀପକୁ ନମସ୍କାର କରନ୍ତି ନାହିଁ ସେଥିପାଇଁ ସର୍ବଦା ଜାଗ୍ରତ ଜ୍ୟୋତି ହୁଅ । ଏହିଭଳି ଆତ୍ମାମାନଙ୍କୁ ବାପଦାଦା ମଧ୍ୟ ନମସ୍ତେ କରୁଛନ୍ତି ।

(ମହାରାଷ୍ଟ୍ର ଜୋନ୍‌ର ଭାଇ-ଭଉଣୀମାନଙ୍କ ପ୍ରତି ଅବ୍ୟକ୍ତ ବାପଦାଦାଙ୍କର ମହାବାକ୍ୟ) (ପୁନରାବୃତ୍ତି: ୨୦-୩-୧୨)

ଏହି ଜୋନ୍‌ର ସଂଖ୍ୟା ବହୁତ ଅଟେ । ମହାରାଷ୍ଟ୍ର ନାମ ଅଟେ ନା! ତେବେ ମହା ହୋଇଥିବେ ନା! ତେବେ ଯେପରି ନାମ ସେହିପରି ସଂଖ୍ୟା ମଧ୍ୟ ମହାନ ଅଟେ । ବମ୍ବେ ଏବଂ ଦିଲ୍ଲୀ ଏହି ଦୁଇଟି ସ୍ଥାନର ପିଲାମାନେ ସେବା ତ ବହୁତ ଭଲ କରୁଛନ୍ତି ସେଥିରେ କିଛି କହିବାର ନାହିଁ । ଭଲ ସେବା କରୁଛନ୍ତି ଏବଂ କରିବେ ମଧ୍ୟ କିନ୍ତୁ ବାପଦାଦା ଦିଲ୍ଲୀ ଏବଂ ବମ୍ବେର ପିଲାମାନଙ୍କଠାରୁ ଏହି କଥା ଚାହୁଁଛନ୍ତି ଯେ ଯେଉଁମାନେ ବି ତୁମର ସମ୍ବନ୍ଧ-ସମ୍ପର୍କରେ ଆସୁଥିବା ବିଶେଷ ଆତ୍ମାମାନେ ଅଛନ୍ତି, ଯେଉଁମାନେ କି ମାଇକ୍ ମଧ୍ୟ ହୋଇପାରିବେ ଏବଂ ୱାରିସ୍ ଅର୍ଥାତ୍ ବାବାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ମଧ୍ୟ ହୋଇପାରିବେ, ଏହିଭଳି କୌଣସି ସଂଗଠନକୁ ବାହାର କର, କାହିଁକିନା ସବୁ ବର୍ଗବାଲା ଅଧିକାଂଶ ବାପଦାଦାଙ୍କ ପାଖକୁ ଏହାର ତାଲିକା ପଠାଇଥିଲେ । ବାପଦାଦା ମଧ୍ୟ ସେହି ଲିଷ୍ଟକୁ ଦେଖିଛନ୍ତି । ସେହି ଲିଷ୍ଟରେ ବହୁତ ଭଲ ଭଲ ଆତ୍ମାମାନେ ଅଛନ୍ତି ଯେଉଁମାନେ କି ନାମ ବିଖ୍ୟାତ କରିପାରିବେ । ଏବେ ସେମାନଙ୍କୁ ପ୍ରତ୍ୟକ୍ଷ କର । ତୁମ ବଦଳରେ ସେମାନେ ଭାଷଣ କରନ୍ତୁ । ଅନୁଭବ ଶୁଣାନ୍ତୁ, ତୁମର ଜ୍ଞାନ କ’ଣ, ତାଙ୍କ ଜୀବନରେ କ’ଣ ପାର୍ଥକ୍ୟ ଆସିଛି, ସେଗୁଡିକୁ ବର୍ଣ୍ଣନା କରନ୍ତୁ । ଯେତେବେଳେ କୌଣସି କାର୍ଯ୍ୟକ୍ରମ ଆଦି ହେଉଛି, ଏବେ ମଧ୍ୟ କେହି କେହି ନିଜର ବହୁତ ଭଲ ଅନୁଭବ ଶୁଣାଉଛନ୍ତି କିନ୍ତୁ ତାହା ତ କାର୍ଯ୍ୟକ୍ରମ ଆଦିରେ ଶୁଣାଇ ଦେଉଛନ୍ତି କିନ୍ତୁ ଲଗାତାର ଭାବରେ ସେହିଭଳି ଜୀବନର ଅନୁଭବ କରନ୍ତୁ । ଯଦି ଏଥି ପ୍ରତି ଟିକିଏ ଧ୍ୟାନ ଦେବ, ତେବେ ବହୁତ ବାହାରିବେ । ଅନେକ ଆତ୍ମା ଏହିଭଳି ଯୋଗ୍ୟ ଅଛନ୍ତି କିନ୍ତୁ ଟିକିଏ ପୁରୁଷାର୍ଥ କରି ସେମାନଙ୍କୁ ଆଗକୁ ବଢାଅ । ପ୍ରତ୍ୟେକ ବର୍ଗକୁ ବାସ୍ତବିକ ରୂପରେ ଏହିଭଳି ଲିଷ୍ଟ ପ୍ରତ୍ୟକ୍ଷରେ ବ୍ରାହ୍ମଣ ପରିବାର ତଥା ବାବାଙ୍କ ସମ୍ମୁଖକୁ ଆଣିବା ଦରକାର । ବାପଦାଦା ଦେଖିଛନ୍ତି ସବୁ ବର୍ଗବାଲା ବହୁତ ଗୁଡିଏ କାର୍ଯ୍ୟ ମଧ୍ୟ କରିଛନ୍ତି ଏବଂ ବହୁତ ସମୟରୁ କରି ଆସୁଛନ୍ତି କିନ୍ତୁ ଏବେ କିଛି ନା କିଛି ନବୀନତା ଆଣ । ସେହି ନବୀନତା ହେଲା ତାଙ୍କୁ ୱାରିସ୍ କରିଦିଅ । ଅତି କମ୍‌ରେ ଯେଉଁମାନେ ସମ୍ପର୍କ ବାଲା ଅଛନ୍ତି ସେମାନେ ସମ୍ବନ୍ଧକୁ ଆସିଯାଆନ୍ତୁ, ସମ୍ବନ୍ଧକୁ ଆସିବା ପରେ ସେବାରେ ଲାଗିଯାଆନ୍ତୁ । ସମ୍ବନ୍ଧ ଏହା ନୁହେଁ ଯେ କେବଳ ଯିବା ଆସିବା କରୁଥିବେ, ନା ବାବାଙ୍କର ଏବଂ ପରିବାରର ସାଥୀ ହୋଇଯାଆନ୍ତୁ । ଏହା ମଧ୍ୟ ହେବ, ବାପଦାଦା ଦେଖିଛନ୍ତି ଯଦି ବ୍ରାହ୍ମଣମାନେ ସମସ୍ତେ ମିଶି କୌଣସି ବି ଗୋଟିଏ ସଂକଳ୍ପ କରିଛନ୍ତି ତେବେ ତାହା ହୋଇକରି ହିଁ ରହିଛି କିନ୍ତୁ ସମସ୍ତଙ୍କର ସଂକଳ୍ପ ଗୋଟିଏ ହେବା ଦରକାର କାହିଁକିନା ଏବେ ବାୟୁମଣ୍ଡଳ ବଦଳିଗଲାଣି । ତେବେ ବାପଦାଦା ଏହିଭଳି ମାଇକ୍ ହେବା ଯୋଗ୍ୟ ପିଲାମାନଙ୍କର ସଂଗଠନ କରାଇବାକୁ ଚାହୁଁଛନ୍ତି । ମଧୁବନକୁ ମିଶିବା ପାଇଁ ଆସୁଛନ୍ତି ତାହା ଅଲଗା କଥା କିନ୍ତୁ ପରିବାରର ସଦସ୍ୟ ହୋଇ ଏଠାକୁ ଆସନ୍ତୁ କାହିଁକିନା ସେବା କ୍ଷେତ୍ରରେ କୌଣସି ନା କୌଣସି ନବୀନତା ତ ହେବା ଉଚିତ୍ ନା! ଆଚ୍ଛା!

ବାକି ବାପଦାଦାଙ୍କର ଗୋଟିଏ ଆଶା ଅନ୍ୟ ଜୋନ୍ ବାଲାଙ୍କ ପ୍ରତି ମଧ୍ୟ ରହିଯାଇଛି । ତାହା କ’ଣ ଜାଣିଛ? ପ୍ରତ୍ୟେକ ସେଣ୍ଟର ଏହି ଖୁସି ଖବର ଲେଖି ଜଣାନ୍ତୁ ଯେ ଆମର ସେଣ୍ଟର ନିର୍ବିଘ୍ନ ଅଟେ, ମିଳିମିଶି ରହୁଛନ୍ତି । ବାବାଙ୍କର ସବୁ ପିଲାମାନେ ସଠିକ୍ ଭାବରେ ବାବାଙ୍କର ଯେଉଁ ସବୁ କାର୍ଯ୍ୟକ୍ରମ ଗୁଡିକ ଧାର୍ଯ୍ୟ କରାଯାଇଛି ସେଥିରେ ବ୍ୟସ୍ତ ଅଛନ୍ତି, ନିର୍ବିଘ୍ନ ଅଛନ୍ତି । ଏଭଳି ସମାଚାର ଏବେ ପର୍ଯ୍ୟନ୍ତ କୌଣସି ଜୋନ୍‌ରୁ ଆସି ନାହିଁ । ତେବେ ମହାରାଷ୍ଟ୍ର ତ ମହାନ କାର୍ଯ୍ୟ କରିବ ନା! କୌଣସି ବି ଜୋନ୍ ଏବେ ପର୍ଯ୍ୟନ୍ତ ଏହି ଖୁସି ଖବର ପଠାଇ ନାହାଁନ୍ତି । ହେବାକୁ ତ ପଡିବ, ଏବଂ ତୁମ୍ଭମାନଙ୍କୁ ହିଁ ହେବାକୁ ପଡିବ ନଚେତ୍ ଆଉ କିଏ ହେବ! ତୁମମାନଙ୍କର ତପସ୍ୟା ମଧ୍ୟ କିଛି କମ୍ ନୁହେଁ । ଚାହେଁ ଟୀଚର ହୁଅନ୍ତୁ, ଚାହେଁ ବିଦ୍ୟାର୍ଥୀ ହୁଅନ୍ତୁ, ଦୁନିଆ ହିସାବରେ ସମସ୍ତେ ମହାନ ଆତ୍ମା ଅଟ । ଏବେ ଏବେ ଦେଖିବ ଏହି ନିର୍ବିଘ୍ନ ହେବାର କାର୍ଯ୍ୟକ୍ରମକୁ ଟିକିଏ ଆରମ୍ଭ କରିଦିଅ ତା’ପରେ ସମସ୍ତେ ତୁମର ଜଡ ଚିତ୍ରକୁ ଯେପରି ଶୁଭଭାବନା ପୂର୍ବକ ଦେଖୁଛନ୍ତି ସେହିପରି ତୁମମାନଙ୍କୁ ମଧ୍ୟ ଚୈତନ୍ୟ ଦେବୀ ଦେବତା ରୂପରେ ଦେଖିବାକୁ ଲାଗିବେ । ବାକି ସେବା ତ ସମସ୍ତେ ବହୁତ ଭଲ କରିଛନ୍ତି । ସେଥିପାଇଁ ବାପଦାଦ ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!

ବରଦାନ:-
ଦିବ୍ୟଗୁଣର ଆବାହନ ଦ୍ୱାରା ଅବଗୁଣଗୁଡିକୁ ସମାପ୍ତ କରୁଥିବା ଦିବ୍ୟଗୁଣଧାରୀ ଭବ ।

ଯେପରି ଦୀପାବଳୀ ଦିନ ଶ୍ରୀଲକ୍ଷ୍ମୀଙ୍କର ଆବାହନ କରୁଛନ୍ତି ସେହିପରି ତୁମେମାନେ ମଧ୍ୟ ନିଜ ଭିତରେ ଦିବ୍ୟଗୁଣଗୁଡିକୁ ଆବାହନ କର ଯାହାଦ୍ୱାରା ଅବଗୁଣ ଗୁଡିକ ଆହୁତି ରୂପରେ ସମାପ୍ତ ବେହାକୁ ଲାଗିବ । ତା’ପରେ ନୂଆ ସଂସ୍କାର ରୂପକ ନୂଆ ବସ୍ତ୍ର ଧାରଣ କରିବ । ଏବେ ଏହି ପୁରୁଣା ବସ୍ତ୍ର ପ୍ରତି ଟିକିଏ ବି ମୋହ ନ ରହୁ । ଯାହା ବି ସବୁ ଦୋଷ-ଦୁର୍ବଳତା, ନିର୍ବଳତା, କୋମଳତା ରହିଯାଇଛି - ସେହି ସବୁ ପୁରୁଣା ଖାତା ଗୁଡିକ ଆଜିଠାରୁ ସଦାକାଳ ପାଇଁ ସମାପ୍ତ କର ତେବେ ଯାଇ ଦିବ୍ୟଗୁଣଧାରୀ ହୋଇ ପାରିବ ଏବଂ ଭବିଷ୍ୟତରେ ରାଜ୍ୟାଭିଷେକ ହେବ ଯାହାର ସ୍ମାରକୀ ଦୀପାବଳୀ ପର୍ବ ଅଟେ ।

ସ୍ଲୋଗାନ:-
ଯଦି ସ୍ୱରାଜ୍ୟ ଅଧିକାରୀ ହେବାକୁ ଚାହୁଁଛ ତେବେ ମନ ରୂପକ ମନ୍ତ୍ରୀକୁ ନିଜର ସହଯୋଗୀ କରିଦିଅ ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର । “ବିନ୍ଦୁ ଏବଂ ସିନ୍ଧୁ” ଏହି ଦୁଇଟି ଶବ୍ଦକୁ ଯଦି ମନେ ରଖିବ ତେବେ ସମ୍ପୂର୍ଣ୍ଣତା ସହଜରେ ଆସିପାରିବ । ଗୋଟିଏ ବିନ୍ଦୁର ସ୍ମୃତି ଏବଂ ଏକରସ ଅବସ୍ଥା, ଜଣଙ୍କର ହିଁ ମତ ଏବଂ ସେହି ଜଣଙ୍କର ହିଁ କର୍ତ୍ତବ୍ୟରେ ସହଯୋଗୀ । କେବଳ ବିନ୍ଦୁ ଏବଂ ଏକ ଶବ୍ଦ । ତା’ ଆଗକୁ ବିସ୍ତାରକୁ ଯିବାର ଆବଶ୍ୟକତା ନାହିଁ । ଯଦି ବିସ୍ତାରକୁ ଯିବାର ଅଛି, ତେବେ କେବଳ ସେବା ଉଦ୍ଦେଶ୍ୟରେ ଯାଅ । ତା’ଠାରୁ ଅଧିକ ନିଜର ବୁଦ୍ଧିକୁ ଚଲାଇବାର ଆବଶ୍ୟକତା ନାହିଁ ।