09.01.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବିକର୍ମର ଦଣ୍ଡରୁ ମୁକ୍ତି ପାଇବା ପାଇଁ ତୁମକୁ ପୁରୁଷାର୍ଥ କରିବାକୁ ହେବ, ଏହି ଅନ୍ତିମ ଜନ୍ମରେ ସବୁ ହିସାବ-କିତାବ ଚୁକ୍ତ କରି ପବିତ୍ର ହେବାକୁ ପଡିବ । ’’

ପ୍ରଶ୍ନ:-
ଧୋକାବାଜ ମାୟା ତୁମର କେଉଁ ପ୍ରତିଜ୍ଞାକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛି?

ଉତ୍ତର:-
ତୁମେମାନେ ପ୍ରତିଜ୍ଞା କରିଛ - କୌଣସି ବି ଦେହଧାରୀ ସହିତ ମନ ଲଗାଇବୁ ନାହିଁ । ଆତ୍ମା କହୁଛି ମୁଁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବି, ନିଜର ଦେହକୁ ମଧ୍ୟ ମନେ ପକାଇବି ନାହିଁ । ବାବା ଆସି ଦେହ ସହିତ ସବୁର ସନ୍ନ୍ୟାସ କରାଉଛନ୍ତି । କିନ୍ତୁ ମାୟା ଏହି ପ୍ରତିଜ୍ଞାକୁ ଭଙ୍ଗ କରାଇ ଦେଉଛି । ଦେହ ପ୍ରତି ଆକର୍ଷଣ ଆସିଯାଉଛି । ଯେଉଁମାନେ ପ୍ରତିଜ୍ଞା ଭଙ୍ଗ କରିଥା’ନ୍ତି ସେମାନଙ୍କୁ ବହୁତ ଦଣ୍ଡ ଭୋଗ କରିବାକୁ ପଡିଥାଏ ।

ଗୀତ:-
ତୁହ୍ମି ହୋ ମାତା-ପିତା ତୁହ୍ମି ହୋ...

ଓମ୍ ଶାନ୍ତି ।
ସର୍ବୋଚ୍ଚ ଭଗବାନଙ୍କର ମହିମା ମଧ୍ୟ କରିଛନ୍ତି ଏବଂ ଗ୍ଲାନି ମଧ୍ୟ କରିଛନ୍ତି । ବର୍ତ୍ତମାନ ସର୍ବୋଚ୍ଚ ପିତା ନିଜେ ଆସି ପରିଚୟ ଦେଉଛନ୍ତି, ପୁଣି ଯେତେବେଳେ ରାବଣ ରାଜ୍ୟ ଆରମ୍ଭ ହେଉଛି ସେତେବେଳେ ନିଜର ମହାନତା ମଧ୍ୟ ଦେଖାଉଛନ୍ତି । ଭକ୍ତିମାର୍ଗରେ ଭକ୍ତିର ହିଁ ରାଜ୍ୟ ଚାଲୁଛି, ସେଥିପାଇଁ ରାବଣ ରାଜ୍ୟ କୁହାଯାଉଛି । ତାହା ରାମରାଜ୍ୟ, ଏହା ରାବଣ ରାଜ୍ୟ । ରାମ ଏବଂ ରାବଣର ହିଁ ତୁଳନା କରାଯାଇଥାଏ । ବାକି ଦେହଧାରୀ ରାମ ତ ତ୍ରେତାଯୁଗର ରାଜା ଥିଲେ, ତାଙ୍କ ପାଇଁ ଏକଥା କୁହାଯାଉ ନାହିଁ । ରାବଣ ଅଧାକଳ୍ପର ରାଜା ଅଟେ । ଏପରି ନୁହେଁ ଯେ ରାମ ମଧ୍ୟ ଅଧାକଳ୍ପର ରାଜା ହେଉଛନ୍ତି । ନାଁ, ଏ ସବୁ ବିସ୍ତାରରେ ବୁଝିବାର କଥା । ବାକି ଏ କଥା ବୁଝିବା ତ ବହୁତ ସହଜ । ଆମେ ସମସ୍ତେ ଭାଇ-ଭାଇ ଅଟୁ । ଆମ ସମସ୍ତଙ୍କର ପିତା ଏକମାତ୍ର ନିରାକାର ଅଟନ୍ତି । ବାବା ଜାଣିଛନ୍ତି ବର୍ତ୍ତମାନ ମୋର ସମସ୍ତ ସନ୍ତାନ ରାବଣର ଜେଲ୍‌ରେ ଅଛନ୍ତି । କାମ ଚିତାରେ ଜଳି ସମସ୍ତେ କଳା ହୋଇଯାଇଛନ୍ତି । ଏ କଥା ବାବା ଜାଣିଛନ୍ତି । ଆତ୍ମାରେ ହିଁ ସମସ୍ତ ଜ୍ଞାନ ରହିଛି ନା । ଏହା ମଧ୍ୟରୁ ସବୁଠାରୁ ଅଧିକ ମହତ୍ୱ ଦେବାକୁ ହୁଏ ଆତ୍ମା ଓ ପରମାତ୍ମାଙ୍କୁ ଜାଣିବା । ଏତେ ଛୋଟ ଆତ୍ମାରେ କେତେ ପାର୍ଟ ନିଧାର୍ଯ୍ୟ ହୋଇ ରହିଛି ଯେଉଁ ପାର୍ଟ ଆତ୍ମା କରିଚାଲିଛି । ଦେହ-ଅଭିମାନରେ ଆସି ପାର୍ଟ ବଜାଇଲେ ସ୍ୱଧର୍ମକୁ ଭୁଲିଯାଉଛନ୍ତି । ସେଥିପାଇଁ ଏବେ ବାବା ଆସି ଆତ୍ମ-ଅଭିମାନୀ କରାଉଛନ୍ତି, କାହିଁକି ନା ଆତ୍ମା ହିଁ ସ୍ୱୟଂ କହୁଛି ଯେ, ମୁଁ ପବିତ୍ର ହେବି । ତେଣୁ ବାବା କହୁଛନ୍ତି ମୋତେ ମନେ ପକାଅ । ଆତ୍ମା ଡାକୁଛି ହେ ପରମପିତା, ହେ ପତିତ-ପାବନ, ଆମେ ଆତ୍ମାମାନେ ପତିତ ହୋଇଯାଇଛୁ ତେଣୁ ଏହି ଧରାପୃଷ୍ଠକୁ ଆସି ଆମକୁ ପବିତ୍ର କର । ସଂସ୍କାର ତ ସବୁ ଆତ୍ମାରେ ରହିଛି ନା । ଆତ୍ମା ସିଧାସଳଖ କହୁଛି ଯେ, ମୁଁ ପତିତ ହୋଇଯାଇଛି । ବିକାରୀ ଆତ୍ମାଙ୍କୁ ହିଁ ପତିତ ବୋଲି କୁହାଯାଏ । ପତିତ ମନୁଷ୍ୟ, ପବିତ୍ର ନିର୍ବିକାରୀ ଦେବତାମାନଙ୍କ ଆଗରେ ଯାଇ ମନ୍ଦିରରେ ତାଙ୍କର ମହିମା ଗାନ କରିଥା’ନ୍ତି । ବାବା ବୁଝାଉଛନ୍ତି ପିଲାମାନେ ତୁମେ ହିଁ ପୂଜ୍ୟ ଦେବତା ଥିଲ । ୮୪ ଜନ୍ମ ନେଇ-ନେଇ ତଳକୁ ନିଶ୍ଚିତ ଓହ୍ଲାଇବାକୁ ପଡିବ । ଏହା ପତିତରୁ ପାବନ, ପାବନରୁ ପତିତ ହେବାର ଖେଳ ଅଟେ । ସମସ୍ତ ଜ୍ଞାନ ବାବା ଆସି ଖୁବ କମ ସମୟରେ ବୁଝାଉଛନ୍ତି । ବର୍ତ୍ତମାନ ସମସ୍ତଙ୍କର ଅନ୍ତିମ ଜନ୍ମ । ସମସ୍ତଙ୍କୁ ହିସାବ-କିତାବ ଚୁକ୍ତ କରି ଘରକୁ ଯିବାକୁ ହେବ । ବାବା ସାକ୍ଷାତ୍‌କାର କରାଉଛନ୍ତି । ପତିତମାନଙ୍କୁ ନିଜର ବିକର୍ମର ଦଣ୍ଡ ନିଶ୍ଚିତ ଭୋଗ କରିବାକୁ ପଡିଥାଏ । ଅନ୍ତିମ ବିନାଶ ସମୟରେ କେଉଁଠି ନା କେଉଁଠି ମନୁଷ୍ୟ ଶରୀରରେ ଜନ୍ମ ନେଇ ଦଣ୍ଡ ଭୋଗ କରିବାକୁ ପଡିଥାଏ । ମନୁଷ୍ୟ ଶରୀର ଦ୍ୱାରା ହିଁ ଦଣ୍ଡ ଭୋଗ କରିବ ସେଥିପାଇଁ ଶରୀର ନିଶ୍ଚିତ ଧାରଣ କରିବାକୁ ପଡିବ । ଆତ୍ମା ଅନୁଭବ କରିଥାଏ କି ମୁଁ ଦଣ୍ଡ ଭୋଗ କରୁଛି । ଯେପରି କାଶୀ କଲବଟ (କାଶୀ ବିଶ୍ୱନାଥଙ୍କ ମନ୍ଦିର ନିକଟରେ ଥିବା ଗୋଟିଏ କୂଅ ଯେଉଁଠି ଶିବଲିଙ୍ଗ ଉପରେ ଥିବା ଶାଣିତ ଖଡ୍ଗ ଉପରକୁ ଡେଇଁ ପାପ ଚୁକ୍ତ କରିଥା’ନ୍ତି) ଖାଇବା ସମୟରେ ଦଣ୍ଡ ଭୋଗିଥା’ନ୍ତି, କରିଥିବା ପାପର ସାକ୍ଷାତ୍‌କାର ହୁଏ । ସେଥିପାଇଁ ତ କହିଥା’ନ୍ତି କ୍ଷମା କର ଭଗବାନ, ଆମେ ଆଉ ଏଭଳି କରିବୁ ନାହିଁ । ସାକ୍ଷାତ୍‌କାରରେ ହିଁ କ୍ଷମା ମାଗିଥା’ନ୍ତି । ଅନୁଭବ କରିଥା’ନ୍ତି ଓ ଦୁଃଖ ଭୋଗ କରିଥା’ନ୍ତି । ସବୁଠାରୁ ଅଧିକ ମହତ୍ତ୍ୱ ହେଲା ଆତ୍ମା ଏବଂ ପରମାତ୍ମାଙ୍କର । ଆତ୍ମା ହିଁ ୮୪ ଜନ୍ମର ଅଭିନୟ କରୁଛି । ତେଣୁ ଆତ୍ମା ସବୁଠାରୁ ଶକ୍ତିଶାଳୀ ହେଲା ନା । ସାରା ଡ୍ରାମାରେ ଆତ୍ମା ଏବଂ ପରମାତ୍ମାଙ୍କର ମହତ୍ତ୍ୱ ରହିଛି । ଯାହାକୁ ଆଉ କେହି ମଧ୍ୟ ଜାଣିନାହାଁନ୍ତି । ମନୁଷ୍ୟ ଆତ୍ମା ଏବଂ ପରମାତ୍ମାଙ୍କ ସମ୍ବନ୍ଧରେ କେହି ଜଣେ ମଧ୍ୟ ଜାଣିନାହାଁନ୍ତି? ଏହା ମଧ୍ୟ ଡ୍ରାମାରେ ଅଛି । ତୁମେ ପିଲାମାନେ ମଧ୍ୟ ଜାଣିଛ ଯେ, ଏହା କୌଣସି ନୂଆ କଥା ନୁହେଁ, କଳ୍ପ ପୂର୍ବରୁ ମଧ୍ୟ ଏପରି ହୋଇଥିଲା । ଏ କଥା ମଧ୍ୟ କହୁଛନ୍ତି ଜ୍ଞାନ, ଭକ୍ତି, ବୈରାଗ୍ୟ । କିନ୍ତୁ ଅର୍ଥ ବୁଝୁନାହାଁନ୍ତି । ବ୍ରହ୍ମାବାବା ବହୁତ ସାଧୁମାନଙ୍କର ସଙ୍ଗ କରିଛନ୍ତି, ସାଧୁମାନେ କେବଳ ଈଶ୍ୱରଙ୍କର ନାମ ନେଇଥା’ନ୍ତି । ବର୍ତ୍ତମାନ ତୁମେମାନେ ଭଲ ଭାବରେ ଜାଣିଛ ଯେ, ଆମେ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯାଉଛୁ ତେଣୁ ପୁରୁଣା ଦୁନିଆରୁ ବୈରାଗ୍ୟ ନିଶ୍ଚିତ କରିବାକୁ ପଡିବ । ଏହି ପୁରୁଣା ଦୁନିଆ ସହିତ କାହିଁକି ମନ ଲଗାଇବା । ତୁମେ ପ୍ରତିଜ୍ଞା କରିଛ - କୌଣସି ଦେହଧାରୀ ସହ ମନ ଲଗାଇବୁ ନାହିଁ । ଆତ୍ମା କହୁଛି ମୁଁ ଏକମାତ୍ର ବାବାଙ୍କୁ ହିଁ ୟାଦ କରିବି । ନିଜର ଦେହକୁ ମଧ୍ୟ ମନେ ପକାଇବି ନାହିଁ । ବାବା ଦେହ ସହିତ ସବୁ ଜିନିଷର ସନ୍ନ୍ୟାସ କରାଉଛନ୍ତି । ପୁଣି ଅନ୍ୟମାନଙ୍କ ଦେହ ସହିତ ମୁଁ କାହିଁକି ମୋହ ରଖିବି । କାହା ସହିତ ମୋହ ରଖିଲେ ତାଙ୍କ କଥା ମନେ ପଡିବ । ପୁଣି ଈଶ୍ୱରଙ୍କ କଥା ମନେ ପଡିବ ନାହିଁ । ପ୍ରତିଜ୍ଞା ଭାଙ୍ଗିଲେ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ, ସେଥିପାଇଁ ଯେତେ ସମ୍ଭବ ବାବାଙ୍କୁ ହିଁ ୟାଦ କରିବାକୁ ହେବ । ମାୟା ବହୁତ ଧୋକାବାଜ ଅଟେ । ଯେ କୌଣସି ପ୍ରକାରରେ ମାୟାଠାରୁ ନିଜକୁ ରକ୍ଷା କରିବାକୁ ହେବ । ଦେହ-ଅଭିମାନ ବହୁତ କଡା ବେମାରୀ ଅଟେ । ବାବା କହୁଛନ୍ତି, ଏବେ ଦେହୀ-ଅଭିମାନୀ ହୁଅ । ବାବାଙ୍କୁ ମନେ ପକାଇଲେ ଦେହ-ଅଭିମାନର ରୋଗରୁ ମୁକ୍ତ ହୋଇଯିବ । କେହି କେହି ସାରା ଦିନ ଦେହ-ଅଭିମାନରେ ରହିଥା’ନ୍ତି । ବାବାଙ୍କୁ ବହୁତ ମୁସ୍‌କିଲ୍‌ରେ ମନେ ପକାଇଥା’ନ୍ତି । ବାବା ବୁଝାଉଛନ୍ତି “ହାତ୍ କାର ଡେ ଦିଲ ୟାଦ ଡେ’’ (ହାତରେ କାମ କର, ମନ ସାଥୀ ସହିତ ଲାଗି ରହୁ) । ଯେପରି ପ୍ରେମିକା ପ୍ରେମିକ କର୍ମଧନ୍ଦା ଆଦି କରି ମଧ୍ୟ ପରସ୍ପରକୁ ମନେ ପକାଇଥା’ନ୍ତି । ଏବେ ତୁମ ଆତ୍ମାମାନଙ୍କୁ ପରମାତ୍ମାଙ୍କ ସହିତ ପ୍ରୀତି ରଖିବାକୁ ହେବ ତେଣୁ ତାଙ୍କୁ ହିଁ ମନେ ପକାଇବା ଆବଶ୍ୟକ । ତୁମର ଲକ୍ଷ୍ୟ ହିଁ ହେଉଛି “ଆମକୁ ଦେବୀ-ଦେବତା ହେବାକୁ ପଡିବ” ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ । ମାୟା ତ ନିଶ୍ଚିତ ଧୋକା ଦେବ । କିନ୍ତୁ ନିଜକୁ ତା’ଠାରୁ ମୁକ୍ତ କରିବାକୁ ହେବ । ନଚେତ୍ ବନ୍ଧନରେ ଫସି ମରିବ, ପୁଣି ଗ୍ଳାନୀ ମଧ୍ୟ ହେବ ଓ କ୍ଷତି ମଧ୍ୟ ବହୁତ ହେବ ।

ତୁମେ ପିଲାମାନେ ଜାଣିଛ ଯେ, ମୁଁ ଆତ୍ମା ବିନ୍ଦୁ ସ୍ୱରୂପ ଅଟେ, ମୋର ପିତା ମଧ୍ୟ ବୀଜରୂପ ଜ୍ଞାନର ସାଗର ଅଟନ୍ତି । ଏହା ବହୁତ ଆଶ୍ଚର୍ଯ୍ୟଜନକ କଥା ଅଟେ । ଆତ୍ମା କ’ଣ, ସେଥିରେ କିପରି ଅବିନାଶୀ ପାର୍ଟ ଭରି ରହିଛି - ଏହି ଗୁହ୍ୟ କଥାକୁ ଭଲ ଭଲ ସନ୍ତାନମାନେ ମଧ୍ୟ ସଂପୂର୍ଣ୍ଣ ରୂପେ ବୁଝିନାହାଁନ୍ତି । ନିଜକୁ ଯଥାର୍ଥ ଭାବରେ ଆତ୍ମା ଭାବିବା ଏବଂ ବାବାଙ୍କୁ ମଧ୍ୟ ବିନ୍ଦୁ ସଦୃଶ, ଜ୍ଞାନର ସାଗର, ବୀଜରୂପ ବୋଲି ଭାବିବା... ଏପରି ଚିନ୍ତନରେ ବହୁତ ମୁସ୍‌କିଲ୍‌ରେ ରହୁଛନ୍ତି । ଏଥିରେ ମୋଟା ବୁଦ୍ଧିରେ ନୁହେଁ, ବହୁତ ସୂକ୍ଷ୍ମ ବୁଦ୍ଧିରେ ବିଚାର କରିବାକୁ ପଡିବ - ମୁଁ ହେଉଛି ଆତ୍ମା, ମୋର ବାବା ଆସିଛନ୍ତି, ସେ ବୀଜରୂପ ଓ ଜ୍ଞାନର ସାଗର ଅଟନ୍ତି । ଆମମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । ଧାରଣା ମଧ୍ୟ ମୋର ଏହି ଛୋଟ ଆତ୍ମା ହିଁ କରୁଛି । ଏପରି ଅନେକ ଅଛନ୍ତି ଯିଏ କେବଳ ମୋଟା ବୁଦ୍ଧିରେ କହିଦେଉଛନ୍ତି - ଆତ୍ମା ଓ ପରମାତ୍ମା... କିନ୍ତୁ ଯଥାର୍ଥ ରୀତି ବୁଦ୍ଧିରେ ଆସୁ ନାହିଁ । ବିଲ୍‌କୁଲ୍ ନ କରିବା ଅପେକ୍ଷା ମୋଟା ରୂପରେ ମନେ ପକାଇବା ମଧ୍ୟ ଠିକ୍ । କିନ୍ତୁ ଯଥାର୍ଥ ଭାବରେ ମନେ ପକାଇବା ଅଧିକ ଫଳଦାୟକ ହୋଇଥାଏ । ମୋଟା ବୁଦ୍ଧିରେ ମନେ ପକାଇଲେ ଏତେ ଉଚ୍ଚ ପଦ ପାଇପାରିବ ନାହିଁ । ଏଥିରେ ବହୁତ ମେହନତ କରିବାକୁ ହେବ । ମୁଁ ଆତ୍ମା ଛୋଟ-ବିନ୍ଦୁ ଅଟେ, ବାବା ମଧ୍ୟ ବହୁତ ସୂକ୍ଷ୍ମ ଛୋଟ ବିନ୍ଦୁ ହିଁ ଅଟନ୍ତି, ତାଙ୍କଠାରେ ସମସ୍ତ ଜ୍ଞାନ ରହିଛି । ଏଠାରେ ମଧ୍ୟ ତୁମେମାନେ ବସିଥିବା ସମୟରେ ବୁଦ୍ଧିରେ କିଛି ଜ୍ଞାନର ବିଚାର ଆସୁଛି କିନ୍ତୁ ଚାଲିବା-ବୁଲିବା ସମୟରେ ଏହି ଚିନ୍ତନ କାଏମ ରହୁ, ତାହା ହୋଇପାରୁ ନାହିଁ, ଭୁଲିଯାଉଛନ୍ତି । ସାରାଦିନ ଏହି ଚିନ୍ତନ ରହିବା - ଏହା ହେଉଛି ପ୍ରକୃତ ଯୋଗ । ସତ କଥା କେହି କହୁ ନାହାଁନ୍ତି ଯେ ଆମେ କିପରି ମନେ ପକାଉଛୁ । ଯଦିଓ ଚାର୍ଟ ପଠାଉଛନ୍ତି କିନ୍ତୁ ସେଥିରେ ଏପରି ଲେଖୁନାହାଁନ୍ତି ଯେ ନିଜକୁ ବିନ୍ଦୁ ଭାବି ବାବାଙ୍କୁ ମଧ୍ୟ ବିନ୍ଦୁ ରୂପରେ ମନେ ପକାଉଛି । ସଂପୂର୍ଣ୍ଣ ସତ୍ୟ ଲେଖୁନାହାଁନ୍ତି । ଯଦିଓ ବହୁତ ଭଲ ଭାବରେ ମୁରଲୀ ଶୁଣାଇ ପାରୁଛନ୍ତି କିନ୍ତୁ ଯୋଗ ବହୁତ କମ୍ କରୁଛନ୍ତି । ଦେହ-ଅଭିମାନ ବହୁତ ଅଛି, ଏହି ଗୁପ୍ତ କଥାକୁ ପୂରା ବୁଝିପାରୁ ନାହାଁନ୍ତି, ସ୍ମରଣ ମଧ୍ୟ କରୁନାହାଁନ୍ତି । ଯୋଗ ଦ୍ୱାରା ହିଁ ପବିତ୍ର ହେବାକୁ ପଡିବ । ପ୍ରଥମେ ତ କର୍ମାତୀତ ଅବସ୍ଥା ଦରକାର ନା । ସେହିମାନେ ହିଁ ଉଚ୍ଚ ପଦ ପାଇପାରିବେ । ବାକି ମୁରଲୀ ଶୁଣାଇବା ପାଇଁ ଢେର ଅଛନ୍ତି । କିନ୍ତୁ ବାବା ଜାଣିଛନ୍ତି ଯୋଗରେ ରହିପାରିବେ ନାହିଁ । ବିଶ୍ୱର ମାଲିକ ହେବା କୌଣସି ମାଉସୀ ଘର କଥା ନୁହେଁ । ଦୁନିଆର ଛାତ୍ରମାନେ ଅଳ୍ପକାଳର ପଦ ପାଇବା ପାଇଁ ମଧ୍ୟ କେତେ ପଢୁଛନ୍ତି । ବର୍ତ୍ତମାନ ହିଁ ବାବାଙ୍କ ଦ୍ୱାରା ରୋଜଗାରର ରାସ୍ତା ମିଳିଛି । ଆଗରୁ ବାରଷ୍ଟରମାନେ ଏତେ ରୋଜଗାର କରୁ ନ ଥିଲେ । ଏବେ କେତେ ଧନ ଉପାର୍ଜନ କରୁଛନ୍ତି ।

ପିଲାମାନଙ୍କୁ ନିଜର କଲ୍ୟାଣ ପାଇଁ ପ୍ରଥମତଃ ନିଜକୁ ଆତ୍ମା ଭାବି ଯଥାର୍ଥ ରୀତିରେ ବାବାଙ୍କୁ ସ୍ମରଣ କରିବାକୁ ହେବ ଏବଂ ତ୍ରିମୂର୍ତ୍ତି ଶିବଙ୍କର ପରିଚୟ ଅନ୍ୟମାନଙ୍କୁ ମଧ୍ୟ ଦେବାକୁ ପଡିବ । କେବଳ ଶିବ କହିବା ଦ୍ୱାରା କିଛି ବୁଝିପାରିବେ ନାହିଁ । “ତ୍ରିମୂର୍ତ୍ତି ଶିବ” ନିଶ୍ଚିତ ରୂପେ କହିବା ଦରକାର । ଦୁଇଟି ଚିତ୍ର ହିଁ ମୁଖ୍ୟ ଅଟେ ତ୍ରିମୂର୍ତ୍ତି ଏବଂ କଳ୍ପବୃକ୍ଷ । ସିଡି ଚିତ୍ରଠାରୁ ମଧ୍ୟ କଳ୍ପବୃକ୍ଷ ଚିତ୍ରରେ ଅଧିକ ଜ୍ଞାନ ରହିଛି । ଏହି ଚିତ୍ର ତ ସମସ୍ତଙ୍କ ପାଖରେ ରହିବା ଉଚିତ୍ । ଗୋଟିଏ ପଟେ ତ୍ରିମୂର୍ତ୍ତି ଏବଂ ସୃଷ୍ଟିଚକ୍ର, ଅନ୍ୟ ପଟେ କଳ୍ପବୃକ୍ଷର ଚିତ୍ର । ପାଣ୍ଡବ ସେନାଙ୍କର ଝଣ୍ଡା ମଧ୍ୟ ହେବା ଉଚିତ୍ । ଡ୍ରାମା ଏବଂ କଳ୍ପବୃକ୍ଷର ଜ୍ଞାନ ମଧ୍ୟ ବାବା ଦେଉଛନ୍ତି । ଲକ୍ଷ୍ମୀ-ନାରାୟଣ, ବିଷ୍ଣୁ ଆଦି କିଏ ଅଟନ୍ତି? ଏ କଥା କେହି ବୁଝିନାହାଁନ୍ତି । ମହାଲକ୍ଷ୍ମୀଙ୍କର ପୂଜା କରୁଛନ୍ତି, ଭାବୁଛନ୍ତି ଲକ୍ଷ୍ମୀ ଆସିବେ । ତେବେ ଲକ୍ଷ୍ମୀଙ୍କ ପାଖରେ ଧନ କେଉଁଠାରୁ ଆସିବ? ୪ ଭୂଜାଧାରୀ, ୮ ଭୂଜାଧାରୀ କେତେ ଚିତ୍ର ତିଆରି କରିଛନ୍ତି । କିଛି ବି ବୁଝି ନାହାଁନ୍ତି । ୮-୧୦ ଭୂଜାଧାରୀ କୌଣସି ମନୁଷ୍ୟ ତ ନାହାଁନ୍ତି । ଯାହାକୁ ଯେପରି ଆସିଲା ତିଆରି କରିଦେଉଛନ୍ତି, ବାସ୍ ତାହା ରହିଗଲା । କେହି ଜଣେ ମତ ଦେଲେ ହନୁମାନଙ୍କର ପୂଜା କର ବାସ୍ ପୂଜା କରିବାକୁ ଲାଗିଗଲେ । ଦେଖାଇଛନ୍ତି ହନୁମାନ ସଞ୍ଜିବନୀ ବୁଟି ନେଇ ଆସିଥିଲେ... ଏହାର ଅର୍ଥକୁ ମଧ୍ୟ ତୁମେମାନେ ହିଁ ଜାଣିଛ । ସଞ୍ଜିବନୀ ବୁଟି ତ ହେଉଛି ମନମନାଭବ । ବିଚାର କରାଯାଉଛି ଯେ ପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ, ବାବାଙ୍କର ପରିଚୟ ନ ମିଳିଛି ସେ ପର୍ଯ୍ୟନ୍ତ ୱର୍ଥ ନଟ୍ ଏ ପେନୀ ଅର୍ଥାତ୍ ପାଇ ପଇସାକର ମଧ୍ୟ ମୂଲ୍ୟ ନାହିଁ । ପଦ ପାଇଁ ମନୁଷ୍ୟମାନଙ୍କର କେତେ ଅଭିମାନ ରହିଛି । ସେମାନଙ୍କୁ ତ ବୁଝାଇବା ବହୁତ ମୁସ୍‌କିଲ୍ । ରାଜତ୍ୱ ସ୍ଥାପନ କରିବା ପାଇଁ କେତେ ମେହନତ ଲାଗୁଛି । ତାହା ହେଲା ବାହୁବଳ, ଏହା ହେଉଛି ଯୋଗବଳ । ଏ ସବୁ କଥା ତ ଶାସ୍ତ୍ରରେ ନାହିଁ । ବାସ୍ତବରେ ତୁମେ କୌଣସି ଶାସ୍ତ୍ର ଆଦିର ଜ୍ଞାନକୁ ଉଲ୍ଲେଖ କରିପାରିବ ନାହିଁ । ଯଦି ତୁମକୁ ପଚାରନ୍ତି - ତୁମେ ଶାସ୍ତ୍ରକୁ ମାନୁଛ? କୁହ ହଁ ଏସବୁ ତ ଭକ୍ତିମାର୍ଗର ଅଟେ । ଏବେ ଆମେ ଜ୍ଞାନମାର୍ଗକୁ ଅନୁସରଣ କରୁଛୁ । ଜ୍ଞାନଦାତା ସ୍ୱୟଂ ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି, ଏହାକୁ ହିଁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଉଛି । ଏଠାରେ ପରମାତ୍ମା ହିଁ ଆତ୍ମାକୁ ଜ୍ଞାନ ଦେଉଛନ୍ତି । ସେଠାରେ ମନୁଷ୍ୟ, ମନୁଷ୍ୟକୁ ଜ୍ଞାନ ଦେଉଛନ୍ତି । ମନୁଷ୍ୟମାନେ କେବେ ଆଧ୍ୟାତ୍ମିକ ଜ୍ଞାନ ଦେଇପାରିବେ ନାହିଁ । ଜ୍ଞାନର ସାଗର ପତିତ-ପାବନ, ମୁକ୍ତିଦାତା, ସଦ୍‌ଗତି ଦାତା ଏକମାତ୍ର ବାବା ହିଁ ଅଟନ୍ତି ।

ବାବା ବୁଝାଉଛନ୍ତି ଏହିଭଳି କର । ଏବେ ଦେଖିବା ଶିବଜୟନ୍ତୀରେ କେତେ ଜାକଜମକ କରୁଛନ୍ତି । ଟ୍ରାନ୍ସଲାଇଟ୍‌ର ଚିତ୍ର ଛୋଟ ବି ହେଉ ଯାହାକି ସମସ୍ତଙ୍କୁ ସୁବିଧାରେ ମିଳିଯିବ । ତୁମ କଥା ତ ବିଲ୍‌କୁଲ୍ ନୂଆ ଅଟେ । କେହି ବୁଝିପାରିବେ ନାହିଁ । ଖବରକାଗଜରେ ବାହାର କରିବା ଦରକାର । ପ୍ରଚାର କରିବା ଦରକାର । ଯେଉଁମାନେ ସେବାକେନ୍ଦ୍ର ସ୍ଥାପନ କରୁଛନ୍ତି ସେମାନେ ମଧ୍ୟ ଏହିପରି ହେବା ଆବଶ୍ୟକ । ଏବେ ତୁମର ମଧ୍ୟ ଏତେ ନିଶା ଚଢି ନାହିଁ । ପୁରୁଷାର୍ଥର କ୍ରମଅନୁସାରେ ବୁଝାଉଛନ୍ତି । କେତେ ଢେର ବ୍ରହ୍ମାକୁମାର-କୁମାରୀ ଅଛନ୍ତି । ଆଚ୍ଛା, ବ୍ରହ୍ମାଙ୍କ ନାମ ବଦଳରେ ଆଉ କାହାର ନାମ ଲେଖିଦିଅ । ରାଧା କୃଷ୍ଣଙ୍କ ନାମ ଲେଖିଦିଅ । ତେବେ ପୁଣି ବ୍ରହ୍ମାକୁମାର-କୁମାରୀ କେଉଁଠାରୁ ଆସିବେ? କେହି ତ ବ୍ରହ୍ମା ରହିବେ ନା, ଯାହାଙ୍କ ଦ୍ୱାରା ମୁଖ ବଂଶାବଳୀ ବ୍ରହ୍ମାକୁମାର-କୁମାରୀ ଜନ୍ମ ହେବେ । ପିଲାମାନେ ଭବିଷ୍ୟତରେ ଏସବୁ କଥାକୁ ବହୁତ ବୁଝିବେ । ଖର୍ଚ୍ଚ ତ କରିବାକୁ ହିଁ ପଡିବ । ଚିତ୍ର ତ ବହୁତ ସ୍ପଷ୍ଟ ରହିଛି । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ବହୁତ ଭଲ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କର୍ମାତୀତ ହେବା ପାଇଁ ବାବାଙ୍କୁ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ଚିହ୍ନି ଯଥାର୍ଥ ଭାବରେ ମନେ ପକାଇବାକୁ ହେବ । ପାଠପଢା ସହିତ ଯୋଗ ଉପରେ ମଧ୍ୟ ପୂରା ପୂରା ଧ୍ୟାନ ଦେବାକୁ ହେବ ।

(୨) ନିଜକୁ ମାୟାର ଧୋକାରୁ ରକ୍ଷା କରିବାକୁ ହେବ । କାହାର ଦେହ ସହିତ ମୋହ ରଖିବାର ନାହିଁ । ଏକମାତ୍ର ବାବାଙ୍କ ସହିତ ହିଁ ସଚ୍ଚା ସ୍ନେହ ରଖିବାର ଅଛି । ଦେହ-ଅଭିମାନରେ ଆସିବାର ନାହିଁ ।

ବରଦାନ:-
ବ୍ରହ୍ମମୂହୁର୍ତ୍ତ ସମୟରେ ବରଦାନ ନେଉଥିବା ଏବଂ ଦାନ ଦେଉଥିବା ବାବାଙ୍କ ସମାନ ବରଦାନୀ ମହାଦାନୀ ଭବ ।

ବ୍ରହ୍ମମୂହୁର୍ତ୍ତ ସମୟରେ ବ୍ରହ୍ମଲୋକ ନିବାସୀ ବାବା ଜ୍ଞାନ ସୂର୍ଯ୍ୟ ସ୍ୱରୂପରେ ଆଲୋକ ଏବଂ ଶକ୍ତିର କିରଣ ପିଲାମାନଙ୍କୁ ବିଶେଷ ବରଦାନ ରୂପରେ ଦେଇଥାଆନ୍ତି । ଏହା ସହିତ ବ୍ରହ୍ମାବାବା ଭାଗ୍ୟବିଧାତା ରୂପରେ ଭାଗ୍ୟ ରୂପୀ ଅମୃତ ବାଣ୍ଟିଥାଆନ୍ତି, କେବଳ ତୁମମାନଙ୍କର ବୁଦ୍ଧି ରୂପୀ କଳସ ଅମୃତ ଧାରଣ କରିବା ଯୋଗ୍ୟ ହେବା ଦରକାର । ଯଦି କୌଣସି ପ୍ରକାରର ବିଘ୍ନ ବା ବାଧା ନ ଥିବ ତେବେ ସାରା ଦିନ ପାଇଁ ଶ୍ରେଷ୍ଠ ସ୍ଥିତିର ବା ଶ୍ରେଷ୍ଠ କର୍ମର ମୂହୁର୍ତ୍ତ ବାହାର କରିପାରିବ କାହିଁକି ନା ଅମୃତବେଳାର ବାତାବରଣ ହିଁ ମନୋବୃତ୍ତିକୁ ବଦଳେଇ ଦେଇପାରିବ, ସେଥିପାଇଁ ସେହି ସମୟରେ ବରଦାନ ନେବା ସହିତ ଅନ୍ୟମାନଙ୍କୁ ମଧ୍ୟ ଦାନ ଦିଅ, ବରଦାନୀ ଏବଂ ମହାଦାନୀ ହୁଅ ।

ସ୍ଲୋଗାନ:-
କ୍ରୋଧୀ ଆତ୍ମାର କାମ ହେଲା କ୍ରୋଧ କରିବା ଏବଂ ତୁମର କାମ ହେଲା ସ୍ନେହ ଦେବା ।

ନିଜର ଶକ୍ତିଶାଳୀ ସଂକଳ୍ପ ଦ୍ୱାରା ସୂକ୍ଷ୍ମଶକ୍ତି ପ୍ରଦାନ କରିବାର ସେବା କର:

(୯) ଏବେ ସ୍ୱକଲ୍ୟାଣର ଏଭଳି ଶ୍ରେଷ୍ଠ ଯୋଜନା ପ୍ରସ୍ତୁତ କର ଯାହାକି ବିଶ୍ୱ ସେବାରେ ଆପେ ଆପେ ସକାଶ ମିଳିବାକୁ ଲାଗିବ । ଏବେ ଉମଙ୍ଗ-ଉତ୍ସାହର ସହିତ ନିଜ ମନ ଭିତରେ ଏହି ଦୃଢ ପ୍ରତିଜ୍ଞା କର ଯେ ଆମେ ବାବାଙ୍କ ସମାନ ହୋଇ ଦେଖାଇବୁ । ବ୍ରହ୍ମାବାବାଙ୍କର ମଧ୍ୟ ପିଲାମାନଙ୍କ ପ୍ରତି ଅତି ସ୍ନେହ ରହିଛି, ସେଥିପାଇଁ ପ୍ରତ୍ୟେକ ସନ୍ତାନଙ୍କୁ ସୁକ୍ଷ୍ମବତନରେ ପ୍ରକଟ କରାଇ ନିଜ ସମାନ କରିବା ପାଇଁ ବିଶେଷ ସକାଶ ଦେଇ ଚାଲିଛନ୍ତି ।