09.02.25 Avyakt Bapdada Odia Murli 18.01.2004 Om Shanti Madhuban
“ୱାର୍ଲଡ୍ ଅଥୋରିଟୀ
ଅର୍ଥାତ୍ ବିଶ୍ୱ ପତିଙ୍କର ପ୍ରତ୍ୟକ୍ଷ ସନ୍ତାନର ସ୍ମୃତିକୁ ଜାଗ୍ରତ ରଖି ସର୍ବଶକ୍ତିଗୁଡିକୁ
ନିର୍ଦ୍ଦେଶ ଅନୁସାରେ ଚଲାଅ ”
ଆଜି ସବୁ ପିଲା ସ୍ନେହର
ଲହଡି ଭିତରେ ବୁଡି ରହିଛନ୍ତି । ସମସ୍ତଙ୍କ ଅନ୍ତରରେ ବିଶେଷ କରି ବ୍ରହ୍ମାବାବାଙ୍କର ସ୍ମୃତି
ଜାଗ୍ରତ ରୂପରେ ରହିଛି । ଅମୃତବେଳାଠାରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ସାକାର ପାଳନା ପାଇଥିବା
ରତ୍ନମାନେ ଏବଂ ଅଲୌକିକ ଅର୍ଥାତ୍ ଅବ୍ୟକ୍ତ ପାଳନା ପାଉଥିବା ରତ୍ନମାନଙ୍କର ଅନ୍ତରର ସ୍ମୃତିର
ମାଳାଗୁଡିକ ବାପଦାଦାଙ୍କ ନିକଟରେ ପହଞ୍ଚି ଯାଇଛି । ସମସ୍ତଙ୍କ ଦିଲ୍ରେ ଅର୍ଥାତ୍ ଅନ୍ତରରେ
ବାପଦାଦାଙ୍କର ସ୍ମୃତିର ଛବି ଦେଖାଯାଉଛି ଏବଂ ବାବାଙ୍କ ହୃଦୟରେ ସବୁ ପିଲାଙ୍କ ପ୍ରତି ସ୍ନେହ ଭରା
ସ୍ମୃତି ସମାହିତ ହୋଇ ରହିଛି । ସମସ୍ତଙ୍କର ଦିଲ୍ରେ ଗୋଟିଏ ହିଁ ସ୍ନେହ ଭରା ଗୀତ ବାଜିବାରେ
ଲାଗିଛି - “ମେରା ବାବା” ଏବଂ ବାବାଙ୍କ ଦିଲ୍ରେ ବାଜୁଛି - “ମେରେ ମିଠେ ମିଠେ ବଚ୍ଚେ” । ତେବେ
ଏହି ଅନବରତ ଭାବରେ ଆପେ ଆପେ ବାଜୁଥିବା ଗୀତ କେତେ ପ୍ରିୟ ଅଟେ? ବାପଦାଦା ଚାରିଆଡର ପିଲାମାନଙ୍କୁ
ସେମାନଙ୍କର ସ୍ନେହଭରା ସ୍ମୃତିର ପ୍ରତିଦାନରେ ପଦ୍ମଗୁଣା ସ୍ନେହଭରା ଆଶୀର୍ବାଦ ଦେଉଛନ୍ତି ।
ବାପଦାଦା ଦେଖୁଛନ୍ତି ଯେ
ଏବେ ପର୍ଯ୍ୟନ୍ତ ମଧ୍ୟ ଦେଶ ଭିତରେ ଏବଂ ବିଦେଶରେ ପିଲାମାନେ ସ୍ନେହର ସାଗରରେ ଲବଲୀନ ଅଛନ୍ତି ।
ଏହି ସ୍ମୃତି ଦିବସ ବିଶେଷ କରି ସବୁ ପିଲାଙ୍କୁ ସମର୍ଥ କରିବାର ଦିବସ । ଆଜିର ଦିନରେ
ବ୍ରହ୍ମାବାବାଙ୍କ ଦ୍ୱାରା ପିଲାମାନଙ୍କର ରାଜ୍ୟାଭିଷେକର ଦିବସ । ଏହି ଦିନ ବ୍ରହ୍ମାବାବା
ନିମିତ୍ତ ପିଲାମାନଙ୍କୁ ବିଶ୍ୱ ସେବାର ଦାୟିତ୍ୱର ମୁକୁଟ ପିନ୍ଧାଇ ଥିଲେ । ଏହିଦିନଠାରୁ ନିଜେ
ଅଜଣା ଅର୍ଥାତ୍ ଗୁପ୍ତ ହୋଇଗଲେ ଏବଂ ପିଲାମାନଙ୍କୁ ସାକାର ରୂପରେ ନିମିତ୍ତ କରିବାର ସ୍ମୃତି ରୂପୀ
ତିଳକ ଦେଇଥିଲେ । ନିଜ ସମାନ ଅବ୍ୟକ୍ତ ଫରିସ୍ତା ସ୍ୱରୂପ ହେବାର ବା ଆଲୋକର ପ୍ରକାଶମୟ ମୁକୁଟ
ପିନ୍ଧାଇଥିଲେ । ନିଜେ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ ପିଲାମାନଙ୍କୁ କରନହାର
ଅର୍ଥାତ୍ କର୍ମକର୍ତ୍ତା କରିଥିଲେ ସେଥିପାଇଁ ଏହି ଦିବସକୁ ସ୍ମୃତି ଦିବସ ତଥା ସମର୍ଥୀ ଦିବସ
କୁହାଯାଉଛି । କେବଳ ସ୍ମୃତି ନୁହେଁ, ସ୍ମୃତି ସହିତ ସର୍ବ ସମର୍ଥୀ ମଧ୍ୟ ପିଲାମାନଙ୍କୁ ବରଦାନ
ରୂପରେ ପ୍ରାପ୍ତ ଅଟେ । ତେଣୁ ବାପଦାଦା ସବୁ ପିଲାଙ୍କୁ ସର୍ବସ୍ମୃତି ଗୁଡିକର ସ୍ୱରୂପ ରୂପରେ
ଦେଖୁଛନ୍ତି । ମାଷ୍ଟର ସର୍ବଶକ୍ତିବାନ ସ୍ୱରୂପରେ ଦେଖୁଛନ୍ତି । ଶକ୍ତିବାନ୍ ନୁହେଁ,
ସର୍ବଶକ୍ତିବାନ । ତେଣୁ ଏହି ସର୍ବଶକ୍ତିଗୁଡିକ ବାବାଙ୍କ ଦ୍ୱାରା ପ୍ରତ୍ୟେକ ସନ୍ତାନକୁ ବରଦାନ
ରୂପରେ ମିଳିଛି । ଦିବ୍ୟ ଜନ୍ମ ନେବା ମାତ୍ରକେ ବାପଦାଦା ବରଦାନ ଦେଇଥାଆନ୍ତି - ସର୍ବଶକ୍ତିବାନ
ଭବ! ଏହା ପ୍ରତ୍ୟେକ ଜନ୍ମ ଦିବସର ବରଦାନ ଅଟେ । ତେଣୁ ଏହି ଶକ୍ତିଗୁଡିକୁ ପ୍ରାପ୍ତ ହୋଇଥିବା
ବରଦାନ ରୂପରେ କାର୍ଯ୍ୟରେ ଲଗାଅ । ତେବେ ଏହି ଶକ୍ତିଗୁଡିକ ତ ପ୍ରତ୍ୟେକଙ୍କର ସନ୍ତାନକୁ ବରଦାନ
ରୂପରେ ମିଳିଛି କିନ୍ତୁ ଏଗୁଡିକୁ କାର୍ଯ୍ୟରେ ଲଗାଇବାରେ ପିଲାମାନେ କ୍ରମାନ୍ୱୟରେ ଆସିଯାଉଛନ୍ତି
। ତେଣୁ ଏହି ସର୍ବଶକ୍ତିର ବରଦାନକୁ ଆବଶ୍ୟକ ସମୟରେ ଆଦେଶ ଦେଇପାରିବ । ଯଦି ବରଦାତାଙ୍କର ବରଦାନର
ସ୍ମୃତି ସ୍ୱରୂପ ହୋଇ ସମୟ ଅନୁସାରେ କୌଣସି ବି ଶକ୍ତିକୁ ଆଦେଶ ଦେବ ତେବେ ପ୍ରତ୍ୟେକ ଶକ୍ତି
ନିଶ୍ଚିତ ଭାବରେ ଉପସ୍ଥିତ ହେବ । ଯଦି ବରଦାନକୁ ପ୍ରାପ୍ତ କରିବାର ଏବଂ ମାଲିକ ପଣିଆର ସ୍ମୃତି
ସ୍ୱରୂପ ହୋଇ ତୁମେ ଆଦେଶ ଦେବ ଏବଂ କୌଣସି ଶକ୍ତି ସମୟ ଅନୁସାରେ କାର୍ଯ୍ୟରେ ନ ଆସିବ, ଏଭଳି
ହୋଇପାରିବ ନାହିଁ । କିନ୍ତୁ ତୁମେମାନେ ସେହି ସମୟରେ ମାଲିକ ପଣିଆର ଏବଂ ମାଷ୍ଟର ସର୍ବଶକ୍ତିବାନର
ସିଟ୍ ଉପରେ ସେଟ୍ ହୋଇଥିବା ଦରକାର ଅର୍ଥାତ୍ ଆସନ ଉପରେ ବସିଥିବା ଦରକାର । କାରଣ ଆସନ ଉପରେ ବସି
ନଥିବା ଅଧିକାରୀର ଆଦେଶକୁ କେହି ମାନନ୍ତି ନାହିଁ । ଯେବେକି ତୁମେମାନେ କହୁଛ ବାବା - ଆମେ
ଯେତେବେଳେ ଆପଣଙ୍କୁ ମନେ ପକାଉଛୁ ଆପଣ ଉପସ୍ଥିତ ହୋଇଯାଉଛନ୍ତି ଅର୍ଥାତ୍ ହଜୁର ହାଜିର
ହୋଇଯାଉଛନ୍ତି । ତେଣୁ ହଜୁର ଯଦି ହାଜର ହୋଇଯାଉଛନ୍ତି ତେବେ ଶକ୍ତିଗୁଡିକ କାହିଁକି ହାଜିର ନ ହେବେ!
କେବଳ ବିଧିପୂର୍ବକ ଏବଂ ମାଲିକ ପଣିଆର ଅଧିକାର ପୂର୍ବକ ଆଦେଶ ଦିଅ । ଏହି ସର୍ବଶକ୍ତିଗୁଡିକ
ସଂଗମଯୁଗରେ ପରମାତ୍ମାଙ୍କର ବିଶେଷ ସମ୍ପତ୍ତି ଅଟେ । ସମ୍ପତ୍ତି ମଧ୍ୟ କାହା ପାଇଁ ଥାଏ?
ପିଲାମାନଙ୍କ ପାଇଁ ହିଁ ସମ୍ପତ୍ତି ରହିଥାଏ । ତେଣୁ ଅଧିକାରର ସହିତ ସ୍ମୃତି ସ୍ୱରୂପର ଆସନ ଉପରେ
ବସି ଆଦେଶ ଦିଅ, ମେହନତ କାହିଁକି କରୁଛ, କେବଳ ଆଦେଶ ଦିଅ । ୱାଲ୍ଡ ଅଥୋରିଟୀ ଅର୍ଥାତ୍ ବିଶ୍ୱ ପତି
ଶିବବାବାଙ୍କର ପ୍ରତ୍ୟକ୍ଷ ସନ୍ତାନ ଅଟ, ଏହି ସ୍ମୃତିର ନିଶା ସର୍ବଦା ଜାଗ୍ରତ ରୂପରେ ରହିବା
ଦରକାର ।
ଏବେ ନିଜେ ନିଜକୁ ଚେକ୍
କର - ମୁଁ ବିଶ୍ୱପତି ସର୍ବଶକ୍ତିବାନ ପିତାଙ୍କର ଅଧିକାରୀ ଆତ୍ମା, ଏହି ସ୍ମୃତି ସ୍ୱତଃ ଭାବରେ
ରହୁଛି ତ? ସର୍ବଦା ରହୁଛି ନା କେବେ କେବେ ରହୁଛି? ଆଜିକାଲି ତ ଅଧିକାର ନେବା ପାଇଁ ହିଁ ଲଢେଇ
ଝଗଡା ଲାଗିଯାଉଛି କିନ୍ତୁ ତୁମମାନଙ୍କୁ ପରମାତ୍ମ ଅଧିକାର, ପରମାତ୍ମ ଅଥୋରିଟୀ ଜନ୍ମଠାରୁ ହିଁ
ମିଳିଯାଇଛି । ତେଣୁ ନିଜର ଅଧିକାରର ସମର୍ଥୀରେ ରୁହ । ନିଜେ ମଧ୍ୟ ସମର୍ଥ ସ୍ଥିତିରେ ରୁହ ଏବଂ
ସର୍ବ ଆତ୍ମାମାନଙ୍କୁ ମଧ୍ୟ ସମର୍ଥୀ ପ୍ରାପ୍ତ କରାଅ । କାରଣ ବର୍ତ୍ତମାନ ସମୟରେ ସର୍ବ ଆତ୍ମାମାନେ
ସମର୍ଥୀର ଅର୍ଥାତ୍ ସର୍ବଶକ୍ତିର ଭିକାରୀ ଅଟନ୍ତି, ତେଣୁ ତୁମମାନଙ୍କର ଜଡ ମୂର୍ତ୍ତି ନିକଟରେ
ମାଗିବାରେ ଲାଗିଛନ୍ତି । ତେଣୁ ବାବା କହୁଛନ୍ତି “ହେ ସମର୍ଥ ଆତ୍ମାମାନେ ସର୍ବ ଆତ୍ମାଙ୍କୁ ଶକ୍ତି
ଦିଅ, ସମର୍ଥୀ ଦିଅ” ଏଥିପାଇଁ କେବଳ ଗୋଟିଏ କଥା ପ୍ରତି ସମସ୍ତଙ୍କୁ ଧ୍ୟାନ ଦେବାକୁ ହେବ - ଯାହାର
ସଂକେତ ବାପଦାଦା ପୂର୍ବରୁ ମଧ୍ୟ ଦେଇଛନ୍ତି । ବାପଦାଦା ଦେଖୁଛନ୍ତି ଯେ ଅଧିକାଂଶ ପିଲାମାନଙ୍କର
ସମୟ ଏବଂ ସଂକଳ୍ପ ବ୍ୟର୍ଥରେ ବିତିଯାଉଛି । ଯେପରି ବିଜୁଳୀର କନେକ୍ଶନ ଯଦି ଟିକିଏ ବି ଲୁଜ୍
ରହିଥିବ ବା କେଉଁଠି ଟିକିଏ ଲିକେଜ୍ ଥିବ ତେବେ ଲାଇଟ୍ ଠିକ୍ ଭାବରେ ଜଳିବ ନାହିଁ, ସେହିପରି ଏହି
ବ୍ୟର୍ଥର ଲିକେଜ ମଧ୍ୟ ସମର୍ଥ ସ୍ଥିତିକୁ ସଦାକାଳର ସ୍ମୃତି ସ୍ୱରୂପ ହେବା ପାଇଁ ହେଉ ନାହିଁ ।
ସେଥିପାଇଁ ୱେଷ୍ଟ ଅର୍ଥାତ୍ ବ୍ୟର୍ଥକୁ ବେଷ୍ଟ ଅର୍ଥାତ୍ ସମର୍ଥରେ ପରିବର୍ତ୍ତନ କର । ସଞ୍ଚୟ
କରିବାର ଯୋଜନା କର । ଏହାର ଶତକଡା ବାହାର କର - ସାରା ଦିନ ଭିତରେ ୱେଷ୍ଟ କେତେ ହେଲା ଏବଂ ବେଷ୍ଟ
କେତେ ହେଲା? ଯଦି ଧରିନିଅ ୪୦ ପ୍ରତିଶତ ବା ୨୦ ପ୍ରତିଶତ ସମୟ ଏବଂ ସଂକଳ୍ପ ବ୍ୟର୍ଥରେ ଚାଲିଯାଉଛି
ତେବେ ତାକୁ ସଞ୍ଚୟ କର । ଏମିତି ଭାବ ନାହିଁ ଯେ ଅଳ୍ପ କିଛି ତ ବ୍ୟର୍ଥରେ ଯାଇଛି, ବାକି ସାରା
ଦିନ ତ ଠିକ୍ ଅଛି । କିନ୍ତୁ ଏହିଭଳି ନଷ୍ଟ କରିବାର ଅଭ୍ୟାସ ବହୁତ ସମୟର ଅଭ୍ୟାସରେ ପରିଣତ
ହୋଇଯିବା ଦ୍ୱାରା ଶେଷ ସମୟରେ ତୁମକୁ ଧୋକା ଦେଇଦେବ ଏବଂ ପଦ ପାଇବାରେ କ୍ରମାନ୍ୱୟରେ ଆସିଯିବ
ଅର୍ଥାତ୍ ନମ୍ବରୱାନ ହେବା ପାଇଁ ଦେବ ନାହିଁ । ଯେପରି ବ୍ରହ୍ମାବାବା ଆଦି ସମୟରେ ନିଜକୁ ଚେକ୍
କରୁଥିବା କାରଣରୁ ପ୍ରତିଦିନ ରାତିରେ ଦରବାର ଲଗାଉଥିଲେ, କାହାର ଦରବାର? ପିଲାମାନଙ୍କର ନୁହେଁ
କିନ୍ତୁ ନିଜର କର୍ମେନ୍ଦ୍ରିୟମାନଙ୍କର ହିଁ ଦରବାର ଲଗାଉଥିଲେ । ଆଦେଶ ଦେଉଥିଲେ - ହେ ମନ ରୂପୀ
ମୁଖ୍ୟମନ୍ତ୍ରୀ, ତୁମର ଏହି ଚାଲିଚଳନ ଆଦୌ ଠିକ୍ ନୁହେଁ ତେଣୁ ତୁମେ ମୋ’ର ନିର୍ଦ୍ଦେଶ ମୁତାବକ
ଚାଲ । ହେ ସଂସ୍କାର ତୁମେ ମଧ୍ୟ ନିର୍ଦ୍ଦେଶ ଅନୁସାରେ ଚାଲ । ହଲଚଲ୍ କାହିଁକି ହେଉଛ? କାରଣ
ଶୁଣାଅ ଏବଂ ନିବାରଣ କର । ଏହିଭଳି ପ୍ରତିଦିନ ବିଧିବଦ୍ଧ ଭାବରେ ଦରବାର ଲଗାଉଥିଲେ । ସେହିଭଳି
ତୁମେମାନେ ମଧ୍ୟ ପ୍ରିତିଦିନ ନିଜର ସ୍ୱରାଜ୍ୟର ଦରବାର ଲଗାଅ । କେତେକ ପିଲା ବାପଦାଦାଙ୍କ ସହିତ
ମିଠା ମିଠା ବାର୍ତ୍ତାଳାପ ମଧ୍ୟ କରୁଛନ୍ତି, ବ୍ୟକ୍ତିଗତ ଭାବରେ ମଧ୍ୟ ବାର୍ତ୍ତାଳାପ କରୁଛନ୍ତି,
କହିବୁ ତାହା କ’ଣ? କହୁଛନ୍ତି ଆମକୁ ଆମର ଭବିଷ୍ୟତରେ ଚିତ୍ର ଦେଖାଅ, ଆମେ କ’ଣ ହେବୁ? ଯେପରି ଆଦି
ରତ୍ନମାନଙ୍କୁ ମନେ ଥିବ ଯେ ଜଗଦମ୍ବା ମା’ଙ୍କୁ ମଧ୍ୟ ସମସ୍ତେ ନିଜର ଚିତ୍ର ମାଗୁଥିଲେ । ମମ୍ମା
ଆପଣ ଆମକୁ ଆମର ଚିତ୍ର ଦେଖାଅ, ଆମେ କିପରି ଅଛୁ । ସେହିପରି ବାପଦାଦାଙ୍କ ସହିତ ମଧ୍ୟ
କଥାବାର୍ତ୍ତା ଆଳରେ ନିଜର ଚିତ୍ର ମାଗୁଛନ୍ତି । ତୁମମାନଙ୍କର ମଧ୍ୟ ଇଚ୍ଛା ହେଉଥିବ ଯେ ଆମକୁ
ମଧ୍ୟ ଆମର ଚିତ୍ର ମିଳି ଗଲେ ଭଲ ହୁଅନ୍ତା । କିନ୍ତୁ ବାପଦାଦା କହୁଛନ୍ତି - ବାପଦାଦା ପ୍ରତ୍ୟେକ
ସନ୍ତାନକୁ ଗୋଟିଏ ବିଚିତ୍ର ଦର୍ପଣ ଦେଇଛନ୍ତି । ସେହି ଦର୍ପଣଟି କ’ଣ ଜାଣିଛ? ବର୍ତ୍ତମାନ ସମୟରେ
ତ ତୁମେମାନେ ସ୍ୱରାଜ୍ୟ ଅଧିକାରୀ ଅଟ ନା! କ’ଣ ଅଟ ତ? ସ୍ୱରାଜ୍ୟ ଅଧିକାରୀ ଯଦି ଅଟ ତେବେ ହାତ
ଉଠାଅ । ସ୍ୱର ରାଜ୍ୟ ଅଧିକାରୀ ଅଟ ତ? ଆଚ୍ଛା - କେହି କେହି ହାତ ଉଠାଉ ନାହାଁନ୍ତି । କ’ଣ ଅଳ୍ପ
ଅଳ୍ପ ଅଟ କି? ଆଚ୍ଛା - ତେବେ ସମସ୍ତେ ସ୍ୱରାଜ୍ୟ ଅଧିକାରୀ ଅଟ । ଅଭିନନ୍ଦନ । ତେବେ ଏହି
ସ୍ୱରାଜ୍ୟ ଅଧିକାରୀ ହେବାର ଚାର୍ଟ ହିଁ ତୁମମାନଙ୍କ ପାଇଁ ଭବିଷ୍ୟତ ପଦର ଚେହେରା ଦେଖାଇବାର
ଦର୍ପଣ ଅଟେ । ଏହି ଦର୍ପଣ ତ ସମସ୍ତଙ୍କୁ ମିଳିଛି ନା? ଦର୍ପଣ ମଧ୍ୟ ସ୍ପଷ୍ଟ ଅଟେ ନା? ଦର୍ପଣରେ
ସେଭଳି କୌଣସି କଳାଦାଗ ତ ଲାଗି ନାହିଁ ନା? ଆଚ୍ଛା - କଳାଦାଗ ତ ନଥିବ କିନ୍ତୁ କେବେ କେବେ ଗରମ
ପାଣିରୁ ଯେପରି କୁହୁଡି ଭଳି ବା ବାଷ୍ପ ବାହାରିଥାଏ ସେହିପରି ବାଷ୍ପର ଦାଗ ମଧ୍ୟ ଦର୍ପଣରେ ଲାଗି
ଯାଇଥାଏ । ତେଣୁ କୁହୁଡି ଭଳି ଦାଗ ମଧ୍ୟ ଦର୍ପଣକୁ ଅସ୍ପଷ୍ଟ କରିଦିଏ ଯାହାକି ସେଥିରେ ସ୍ପଷ୍ଟ
ଚିତ୍ର ଦେଖାଯାଏ ନାହିଁ । ଗାଧେଇବା ସମୟରେ ତ ସମସ୍ତଙ୍କର ଅନୁଭବ ଥିବ ନା । ତେବେ ସେହିଭଳି ଯଦି
ଗୋଟିଏ ବି କର୍ମେନ୍ଦ୍ରିୟ ତୁମ ଆୟତ୍ତରେ ନାହିଁ ତେବେ, ଏମିତି ତ ଆୟତ୍ତରେ ରହୁଛି କିନ୍ତୁ କେବେ
କେବେ ରହୁ ନାହିଁ, ଧରିନିଅ କୌଣସି ବି କର୍ମେନ୍ଦ୍ରିୟ ଚାହେଁ ଆଖି ହେଉ, କାନ ହେଉ, ପାଦ ହେଉ
କାହିଁକି ନା ପାଦ ମଧ୍ୟ କେବେ କେବେ ଖରାପ ସଂଗ ଆଡକୁ ଚାଲିଯାଏ । ତେବେ ପାଦ ମଧ୍ୟ ଆୟତ୍ତରେ ରହିଲା
ନାହିଁ ନା । କୁସଂଗରେ ବସି ରାମାୟଣ, ଭାଗବତ ଭଳି ଓଲଟା କଥା ଶୁଣିବେ, ଠିକ୍ କଥା ଶୁଣିବେ ନାହିଁ
। ତେଣୁ କୌଣସି ବି କର୍ମେନ୍ଦ୍ରିୟ ସଂକଳ୍ପ, ସମୟ ସହିତ ଯଦି ଆୟତ୍ତରେ ନାହିଁ ତେବେ ଏହିଥିରୁ ହିଁ
ଚେକ୍ କର ଯେ ସ୍ୱ ଉପରେ ରାଜ୍ୟ କରିବାରେ ଯଦି ନିୟନ୍ତ୍ରଣ କରିବାର ଶକ୍ତି ନାହିଁ ତେବେ ବିଶ୍ୱ
ଉପରେ ରାଜ୍ୟ କରିବାରେ ନିୟନ୍ତ୍ରଣ କ’ଣ କରିବ! ତେଣୁ ରାଜା କିପରି ହେବ? ସେଠାରେ ତ ସବୁ କିଛି
ସଠିକ୍ ଭାବରେ ଚାଲିବ ନା! ନିୟନ୍ତ୍ରଣ କରିବାର ଶକ୍ତି, ଶାସନ କରିବାର ଶକ୍ତି ସବୁ କିଛି ସ୍ୱତଃ
ହିଁ ସଂଗମଯୁଗର ପୁରୁଷାର୍ଥର ପ୍ରାରବ୍ଧ ରୂପରେ ରହିବ ତେଣୁ ସଂଗମଯୁଗ ଅର୍ଥାତ୍ ବର୍ତ୍ତମାନ ସମୟରେ
ଯଦି ନିଜର କର୍ମେନ୍ଦ୍ରିୟ ମାନଙ୍କ ଉପରେ ନିୟନ୍ତ୍ରଣ କରିବାର ଶକ୍ତି ବା ଶାସନ କରିବାରେ ଶକ୍ତି
କମ୍ ରହିବ ତେବେ ପୁରୁଷାର୍ଥରେ କମୀ ରହିଲେ ପ୍ରାରବ୍ଧ କ’ଣ ମିଳିବ? ହିସାବ କରିବାରେ ତ ସମସ୍ତେ
ଚତୁର ଅଟ ନା! ତେଣୁ ଏହି ଦର୍ପଣରେ ହିଁ ନିଜର ଚେହେରାକୁ ଦେଖ । ରାଜା ଭଳି ଦେଖାଯାଉଛି, ନା ରାଜ
ପରିବାରର ସଦସ୍ୟ ଭଳି ଦେଖାଯାଉଛି, ନା ରାଜକୀୟ ପ୍ରଜା ଭଳି, ନା ସାଧା ପ୍ରଜା ଭଳି ଚେହେରା
ଦେଖାଯାଉଛି? କେଉଁ ଭଳି ଦେଖାଯାଉଛି? ତେଣୁ ଏବେ ତୁମମାନଙ୍କୁ ଚିତ୍ର ମିଳିଗଲା ନା, ଏହି ଚିତ୍ରରୁ
ହିଁ ଚେକ୍ କରିନିଅ । ପ୍ରତିଦିନ ଚେକ୍ କର କାହିଁକି ନା ବହୁତ କାଳର ପୁରୁଷାର୍ଥ ଆଧାରରେ ହିଁ
ବହୁତ କାଳର ରାଜ୍ୟ ଭାଗ୍ୟ ପ୍ରାପ୍ତ ହେବ । ଯଦି ତୁମେମାନେ ଭାବୁଥିବ ଯେ ଅନ୍ତିମ ସମୟରେ ବେହଦର
ବୈରାଗ୍ୟ ତ ନିଶ୍ଚିତ ଆସିବ କିନ୍ତୁ ଅନ୍ତିମ ସମୟରେ ଯଦି ବି ବୈରାଗ୍ୟ ଆସିବ ତେବେ ତାହା ଅଳ୍ପ
ସମୟର ହେଲା ନା ବହୁତ କାଳର ହେଲା? ଏହାକୁ ବହୁତ କାଳର ତ କୁହାଯିବ ନାହିଁ! ତେଣୁ ୨୧ ଜନ୍ମ
ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଜ୍ୟ ଅଧିକାରୀ ହେବା ଦରକାର, ଯଦିଓ ସିଂହାସନ ଉପରେ ନ ବସ କିନ୍ତୁ
ରାଜ୍ୟ ଅଧିକାରୀ ତ ହେବା ଦରକାର । ଏହାକୁ ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ ପ୍ରାପ୍ତ କରିବା ପାଇଁ
ହେଲେ ବହୁତ କାଳର ପୁରୁଷାର୍ଥର ପ୍ରାରବ୍ଧ ଆବଶ୍ୟକ । ସେଥିପାଇଁ କେବେ ବି ବେପରୁଆ ହୁଅ ନାହିଁ ।
ଏବେ ତ ବିନାଶର କୌଣସି ତିଥି-ତାରିଖ ନିଧାର୍ଯ୍ୟ ହୋଇ ନାହିଁ । କେହି ଜାଣିନାହାଁନ୍ତି ଆଠ ବର୍ଷ
ଅଛି କି ୧୦ ବର୍ଷ ଅଛି । ଏହା ତ କାହାକୁ ବି ଜଣା ନାହିଁ । ତେଣୁ ଆଗାମୀ ସମୟରେ ହୋଇଯିବୁ - ଏଭଳି
ଭାବ ନାହିଁ । ବିଶ୍ୱର ଅନ୍ତିମ ସମୟ ବିଷୟରେ ଭାବିବା ପୂର୍ବରୁ ନିଜର ଜନ୍ମର ଅନ୍ତିମ ସମୟ ବିଷୟରେ
ଚିନ୍ତା କର । କ’ଣ ତୁମର କୌଣସି ତାରିଖ ନିଧାର୍ଯ୍ୟ ଅଛି କି? କାହାକୁ ଜଣାଅଛି କି, ଅମୁକ ତାରିଖରେ
ମୋ’ର ମୃତ୍ୟୁ ହେବାର ଅଛି? କେହି ଜାଣିଛ କି? ନୁହେଁ ନା! ବିଶ୍ୱର ଅନ୍ତ ତ ନିଶ୍ଚିତ ହେବ ଏବଂ ଯଥା
ସମୟରେ ହିଁ ହେବ କିନ୍ତୁ ବିଶ୍ୱର ଅନ୍ତ ସମୟ ପୂର୍ବରୁ ନିଜର ଅନ୍ତ ସମୟ ବିଷୟରେ ଚିନ୍ତା କର ଏବଂ
ଜଗଦମ୍ବାଙ୍କର ସ୍ଳୋଗାନକୁ ମନେ ପକାଅ । ତାହା କ’ଣ ଥିଲା! ପ୍ରତି ମୂହୁର୍ତ୍ତକୁ ଅନ୍ତିମ
ମୂହୁର୍ତ୍ତ ବୋଲି ଭାବ । ଯାହା ବି ହେବ ଅଚାନକ ହିଁ ହେବ । ଏହାର ତିଥି ତାରିଖ ପୂର୍ବରୁ ଶୁଣାଯିବ
ନାହିଁ । ନା ବିଶ୍ୱର, ନା ତୁମର ଅନ୍ତିମ ଘଡିର । ସବୁ ଖେଳ ଅଚାନକ ହିଁ ହେବ । ସେଥିପାଇଁ ଦରବାର
ଲଗାଅ । ହେ ରାଜାମାନେ, ସ୍ୱରାଜ୍ୟ ଅଧିକାରୀ ରାଜାମାନେ ନିଜର ଦରବାର ଲଗାଅ । କର୍ମେନ୍ଦ୍ରିୟ
ଗୁଡିକୁ ନିଜର ଆଦେଶ ଅନୁସାରେ ଚଲାଅ, କାହିଁକି ନା ଭବିଷ୍ୟତର ଗାୟନ ମଧ୍ୟ ରହିଛି । ସେଠାରେ ସବୁ
କିଛି ବିଧି ମୁତାବକ ଏବଂ ଶୃଙ୍ଖଳିତ ଭାବରେ ଚାଲିବ । ସବୁ କିଛି ଆପେ ଆପେ ହେବ । ଲଭ୍ ଅର୍ଥାତ୍
ସ୍ନେହ ଏବଂ ଲ ଅର୍ଥାତ୍ ନିୟମ ବା ମର୍ଯ୍ୟାଦାର ସନ୍ତୁଳନ ରହିବ ଏବଂ ତାହା ମଧ୍ୟ ସ୍ୱାଭାବିକ ଭାବରେ
ଚାଲିବ । ରାଜା କୌଣସି ନିୟମ ଜାରି କରିବେ ନାହିଁ ଯେ ଏହା ହିଁ ନିୟମ ଅଟେ । ଆଜିକାଲି ଯେପରି
ନିୟମ ଜାରି କରାଯାଉଛି ସେପରି ନୁହେଁ । ଆଜିକାଲି ତ ପୋଲିସ୍ ବାଲା ମଧ୍ୟ କାହାକୁ ଦଣ୍ଡ ଦେଇଦେଉଛି,
କିନ୍ତୁ ସେଠାରେ ସ୍ୱାଭାବିକ ଭାବରେ ଆଇନ୍ ସହିତ ସ୍ନେହ ପ୍ୟାରର ସନ୍ତୁଳନ ରହିବ ।
ତେଣୁ ଏବେ ଅଲମାଇଟୀ
ଅଥୋରିଟୀ ଅର୍ଥାତ୍ ସର୍ବ ଶକ୍ତିମାନର ସିଟ୍ ଉପରେ ସେଟ୍ ରୁହ, ତାହା ହେଲେ ଏହି କର୍ମେନ୍ଦ୍ରିୟ
ମାନେ, ସର୍ବଶକ୍ତି, ସର୍ବଗୁଣ ସହିତ ସମସ୍ତେ ତୁମ ନିକଟରେ ଜୀ ହଜୁର, ଜୀ ହାଜିର କରିବେ । କେବେ
ଧୋକା ଦେବେ ନାହିଁ । ସର୍ବଦା ଜୀ ହାଜିର କହିବେ । ତେଣୁ ଏବେ କ’ଣ କରିବ? ଆଗାମୀ ସ୍ମୃତି ଦିବସରେ
କେଉଁ ସମାରୋହ ପାଳନ କରିବ? ଏବେ ତ ପ୍ରତ୍ୟେକ ଜୋନ୍ବାଲା ସମାରୋହ ପାଳନ କରୁଛନ୍ତି ନା । ସମ୍ମାନ
ସମାରୋହ ମଧ୍ୟ ବହୁତ ପାଳନ କରିନେଲ । ଏବେ ସର୍ବଦା ପ୍ରତ୍ୟେକ ସଂକଳ୍ପର ଏବଂ ପ୍ରତି ମୂହର୍ତ୍ତରେ
ସଫଳତାର ସମାରୋହ ପାଳନ କର, ବ୍ୟର୍ଥକୁ ସମାପ୍ତ କର କାହିଁକି ନା ତୁମମାନଙ୍କର ସଫଳତାମୂରତ ହେବା
ଆଧାରରେ ହିଁ ଅନ୍ୟ ଆତ୍ମାମାନଙ୍କୁ ଆତ୍ମ ତୃପ୍ତିର ସଫଳତା ପ୍ରାପ୍ତ ହେବ । ଚାରିଆଡେ ନିରାଶାରୁ
ଶୁଭ ଆଶାର ଦୀପ ଜଳି ଉଠିବ । ଯେତେବେଳେ କାହାକୁ କୌଣସି ସଫଳତା ମିଳିଯାଏ ସେତେବେଳେ ଦୀପ ଜଳାଇ
ଥାଆନ୍ତି ନା! ତେଣୁ ଏବେ ସାରା ବିଶ୍ୱରେ ଆଶାର ଦୀପ ଜଳାଅ । ପ୍ରତ୍ୟେକ ଆତ୍ମା ଭିତରେ କୌଣସି ନା
କୌଣସି ନିରାଶା ତ ନିଶ୍ଚିତ ଅଛି ନା, ଯେଉଁ କାରଣରୁ ସେମାନେ ଦୁଃଖୀ ହେଉଛନ୍ତି, ଅଶାନ୍ତିରେ
ରହୁଛନ୍ତି । ତେଣୁ ହେ ଅବିନାଶୀ ଦୀପମାନେ, ଏବେ ଆଶାର ଦୀପ ଜଳାଇ ଦୀପାବଳୀ ପାଳନ କର । ପ୍ରଥମେ
ସ୍ୱ ଅର୍ଥାତ୍ ନିଜ ଭିତରେ ଜଳାଅ, ତା’ପରେ ସମସ୍ତଙ୍କ ଭିତର ଜଳାଅ । ଶୁଣିଲ ତ!
ବାକି ବାପଦାଦା
ପିଲାମାନଙ୍କର ସ୍ନେହକୁ ଦେଖି ଖୁସି ଅଛନ୍ତି । ସ୍ନେହର ବିଷୟରେ ସମସ୍ତେ ଭଲ ନମ୍ବର ରଖିଛନ୍ତି ।
ତୁମେମାନେ ଏତେ ମେହନତ କରି ଏଠାରେ କାହିଁକି ପହଞ୍ଚିଛ, ତୁମକୁ ଏଠାକୁ କିଏ ଆଣିଛି? ଟ୍ରେନ୍ ଆଣିଛି
ନା ପ୍ଲେନ୍ ଆଣିଛି ନା ସ୍ନେହ ଆଣିଛି? ସ୍ନେହର ବିମାନରେ ବସି ଏଠାରେ ପହଞ୍ଚି ଯାଇଛ । ତେଣୁ
ସ୍ନେହରେ ତ ସମସ୍ତେ ପାସ୍ ହୋଇଯାଇଛ ନା । ଏବେ ତ ସର୍ବଶକ୍ତିମାନର ଉପାଧିରେ ସମସ୍ତେ ମାଷ୍ଟର ଅଟ,
କିନ୍ତୁ ଏଥିରେ ମଧ୍ୟ ପାସ୍ ହେବାକୁ ପଡିବ, ତାହା ହେଲେ ପ୍ରକୃତି, ମାୟା ଏବଂ ସଂସ୍କାର ସମସ୍ତେ
କିଛି ତୁମର ଦାସୀ ହୋଇ ଯିବେ । ସବୁ ସମୟରେ ଅପେକ୍ଷା କରି ରହିବେ - ହେ ମାଲିକ, ଆମକୁ କେଉଁ
ନିର୍ଦ୍ଦେଶ ଦେଉଛ ଦିଅ! ବ୍ରହ୍ମାବାବା ମଧ୍ୟ ମାଲିକ ହୋଇ ଭିତରେ ଭିତରେ ଏଭଳି ସୂକ୍ଷ୍ମ
ପୁରୁଷାର୍ଥ କରିଥିବେ ଯାହାକି କେହି ଜାଣିପାରିଲେ ନାହିଁ ସେ କେବେ ସମ୍ପନ୍ନ ହୋଇଗଲେ ଏବଂ ଆତ୍ମା
ପକ୍ଷୀ ହଜିଗଲା, ପଞ୍ଜୁରୀ ଖୋଲିଗଲା । ସାକାର ଦୁନିଆର ହିସାବ-କିତାବ ସମାପ୍ତ ହୋଇଗଲା ଏବଂ ସାକାର
ଶରୀର ରୂପୀ ପଞ୍ଜୁରୀ ଖୋଲିଗଲା ଏବଂ ଆତ୍ମା ପକ୍ଷୀ ଉଡିଗଲା । ଏବେ ବ୍ରହ୍ମାବାବା ମଧ୍ୟ ବହୁତ
ସ୍ନେହ ପ୍ୟାରରେ ପିଲାମାନଙ୍କୁ ଶୀଘ୍ର ଶୀଘ୍ର ଆସ, ଏବେ ଏବେ ଆସ - ଏହିଭଳି ଆବାହନ କରୁଛନ୍ତି ।
ତେଣୁ ଡେଣା ତ ମିଳିଯାଇଛି ନା! ବାସ୍ - ସମସ୍ତେ ଗୋଟିଏ ସେକେଣ୍ଡ ଭିତରେ ନିଜ ମନ ଭିତରେ ଏହି
ଡ୍ରିଲ୍ କର, ଏବେ ଏବେ ହିଁ କର । ପ୍ରଥମେ ସବୁ ସଂକଳ୍ପକୁ ସମାପ୍ତ କର । ଏହିଭଳି ଡ୍ରିଲ୍ କର ।
ଓହୋ ବାବା, ମିଠା ବାବା, ପ୍ୟାରା ବାବା, ଆମେ ଆପଣଙ୍କ ଭଳି ଅବ୍ୟକ୍ତ ରୂପଧାରୀ ନିଶ୍ଚିତ ହେବୁ ଏବଂ
ଏବେ ଏବେ ହିଁ ହେବୁ’’ (ବାପଦାଦା ଡ୍ରିଲ୍ କରାଇଲେ)
ଆଚ୍ଛା - ଚାରିଆଡର
ସ୍ନେହୀ ତଥା ସମର୍ଥ ପିଲାମାନଙ୍କୁ, ଚାରିଆଡର ସ୍ୱରାଜ୍ୟ ଅଧିକାରୀ ତଥା ବିଶ୍ୱ ରାଜ୍ୟ ଅଧିକାରୀ
ପିଲାମାନଙ୍କୁ, ଚାରିଆଡର ମାଷ୍ଟର ଅଲମାଇଟୀ ଅଥୋରିଟୀର ଆସନ ଉପରେ ସ୍ଥିତ ରହୁଥିବା ତୀବ୍ର
ପୁରୁଷାର୍ଥୀ ପିଲାମାନଙ୍କୁ, ସର୍ବଦା ମାଲିକ ହୋଇ ପ୍ରକୃତିକୁ ନିଜର ସଂସ୍କାରକୁ, ସର୍ବଶକ୍ତିକୁ
ଏବଂ ସର୍ବଗୁଣଗୁଡିକୁ ଆଦେଶ ଦେଉଥିବା ବିଶ୍ୱ ରାଜ୍ୟ ଅଧିକାରୀ ପିଲାମାନଙ୍କୁ ବାବାଙ୍କ ସମାନ
ସମ୍ପୂର୍ଣ୍ଣତାକୁ, ସମ୍ପନ୍ନତାକୁ ସମୀପକୁ ଆଣୁଥିବା ଦେଶ ବିଦେଶର ସବୁ ସ୍ଥାନର କୋଣ-ଅନୁକୋଣରୁ
ଆସିଥିବା ପିଲାମାନଙ୍କୁ ସମର୍ଥ ଦିବସ ଉପଲକ୍ଷେ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ନମସ୍ତେ ।
ଏବେ ଏବେ ବାପଦାଦାଙ୍କୁ
ବିଶେଷ କରି କିଏ ମନେ ପଡୁଥିବ? ପ୍ରିୟ କନ୍ୟା ଜନକ ମନେ ପଡୁଛି । ସିଏ ବିଶେଷ ଭାବରେ ଖବର
ପଠାଇଥିଲା ଯେ ମୁଁ ସଭାରେ ନିଶ୍ଚିତ ହାଜର ହେବି । ତେଣୁ ଚାହେଁ ଲଣ୍ଡନ ହେଉ ବା ଆମେରିକା ହେଉ,
ଅଷ୍ଟ୍ରେଲିଆ ହେଉ, ଆଫ୍ରିକା ହେଉ, ଏସିଆ ହେଉ ବା ଭାରତ ହେଉ, ସବୁ ଦେଶର ପିଲାମାନଙ୍କୁ ଜଣ
ଜଣଙ୍କର ନାମ ଏବଂ ବିଶେଷତା ସହିତ ଶୁଭେଚ୍ଛା । ତୁମମାନଙ୍କୁ ତ ସମ୍ମୁଖରେ ୟାଦପ୍ୟାର ମିଳିଯାଉଛି
ନା! ଆଚ୍ଛା!
ଆଜି ମଧୁବନ ନିବାସୀଙ୍କୁ
ମଧ୍ୟ ବାପଦାଦା ମନେ ପକାଉଛନ୍ତି । ଏମାନେ ଆଗ ଧାଡିରେ ବସୁଛନ୍ତି ନା । ତେଣୁ ମଧୁବନ ବାଲା ସମସ୍ତେ
ହାତ ଉଠାଅ । ମଧୁବନ ନିବାସୀ ସମସ୍ତେ ବାପଦାଦାଙ୍କର ଭୁଜା ଅଟ । ମଧୁବନ ନିବାସୀଙ୍କୁ ବିଶେଷ କରି
ତ୍ୟାଗର ଭାଗ୍ୟ ସୂକ୍ଷ୍ମରେ ତ ମିଳିଯାଉଛି, କାହିଁକି ନା ସେମାନେ ରହୁଛନ୍ତି ପାଣ୍ଡବ ଭବନରେ,
ମଧୁବନରେ, ଶାନ୍ତିବନରେ କିନ୍ତୁ ମିଶିବାକୁ ଆସିଥିବା ପିଲାମାନଙ୍କୁ ଅଧିକ ସୁଯୋଗ ମିଳିଯାଉଛି ।
ମଧୁବନ ସାକ୍ଷୀ ହୋଇ ଦେଖୁଛି । କିନ୍ତୁ ବାପଦାଦାଙ୍କର ଦିଲ୍ରେ ସର୍ବଦା ମଧୁବନ ନିବାସୀ ସ୍ମୃତିରେ
ରହିଛନ୍ତି । ଏବେ ମଧୁବନରୁ ୱେଷ୍ଟ ଅର୍ଥାତ୍ ବ୍ୟର୍ଥର ଚିହ୍ନ ବର୍ଣ୍ଣ ସମାପ୍ତ ହେବା ଦରକାର ।
ତେଣୁ ସେବାରେ ସ୍ଥିତିରେ ସବୁଥିରେ ମହାନ ହୁଅ । ଠିକ୍ ଅଛି ନା! ମଧୁବନ ବାଲାଙ୍କୁ ବାପଦାଦା ଭୁଲୁ
ନାହାଁନ୍ତି କିନ୍ତୁ ସେମାନଙ୍କୁ ତ୍ୟାଗ କରିବାର ସୁଯୋଗ ଦେଉଛନ୍ତି । ଆଚ୍ଛା!
ବରଦାନ:-
ମସ୍ତକ ଦ୍ୱାରା
ସନ୍ତୁଷ୍ଟତାର ଚମକର ଝଲକ ଦେଖାଉଥିବା ସାକ୍ଷାତ୍କାର ମୂରତ ଭବ ।
ଯେଉଁମାନେ ସର୍ବଦା
ସନ୍ତୁଷ୍ଟ ରହିଥାଆନ୍ତି ସେମାନଙ୍କର ମସ୍ତକରେ ସନ୍ତୁଷ୍ଟତାର ଝଲକ ସଦା ସର୍ବଦା ଚମକୁଥାଏ ।
ସେମାନଙ୍କୁ କୌଣସି ବି ଉଦାସ ଅର୍ଥାତ୍ ଦୁଃଖୀ ଆତ୍ମା ଯଦି ଦେଖିନିଏ ତେବେ ସେ ମଧ୍ୟ ଖୁସି ହୋଇଯାଏ
। ତା’ର ଉଦାସୀ ସମାପ୍ତ ହୋଇଯାଏ । ଯେଉଁମାନଙ୍କ ପାଖରେ ସନ୍ତୁଷ୍ଟତା ରୂପୀ ଖୁସିର ସମ୍ପତ୍ତି
ରହିଛି ସେମାନଙ୍କ ପ୍ରତି ସ୍ୱତଃ ହିଁ ସମସ୍ତେ ଆକର୍ଷିତ ହୋଇଥାଆନ୍ତି । ସେମାନଙ୍କର ଖୁସିର ଚେହେରା
ଚୈତନ୍ୟ ବୋର୍ଡର କାମ କରିଥାଏ ଯାହାକି ଅନେକ ଆତ୍ମାଙ୍କୁ ସେଭଳି ତିଆରି କରିବାବାଲାଙ୍କର ପରିଚୟ
ଦେଇଥାଏ । ତେଣୁ ଏହିଭଳି ନିଜେ ସନ୍ତୁଷ୍ଟ ରହିବା ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବାବାଲା
ସନ୍ତୁଷ୍ଟମଣୀ ହୁଅ ଯାହାଦ୍ୱାରା ଅନେକ ଆତ୍ମାଙ୍କୁ ସାକ୍ଷାତ୍କାର ହୋଇଯିବ ।
ସ୍ଲୋଗାନ:-
ଚୋଟ ମାରିବା
ବାଲାଙ୍କର କାମ ହେଲା ଚୋଟ ମାରିବା, କିନ୍ତୁ ତୁମର କାମ ହେଲା ନିଜକୁ ସୁରକ୍ଷିତ ରଖିବା ।